ରଞ୍ଜନ କୁମାର ଦାସଙ୍କୁ ମରାଯିବାର ମୂଳ କାରଣ ତାଙ୍କ ଭାଷାପ୍ରେମ: ସିବିଆଇ ତଦନ୍ତ ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋର ଦୁଇଜଣ ମୁଖ୍ୟ ସହଯୋଗୀଙ୍କ ଅର୍ଥଲୋଭର ଉପଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାପାଇଁ ଜୁଲାଇ ୧୬, ୨୦୧୮ ସନ୍ଧ୍ୟାରେ ବସ୍ତୁତଃ ସକ୍ଷମ ହୋଇଥିଲେ । ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏ ଦୁହେଁ – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ସେହି ସନ୍ଧ୍ୟାରେ ସଂପୂର୍ଣ୍ଣ ଅନଧିକୃତ ଭାବେ ଘୋଷଣା କରିଥିଲେ ଯେ, ଭାଷା ଆନ୍ଦୋଳନର  ନିଷ୍ପତ୍ତିକ୍ରମେ କଳାପତାକା ଅଭିଯାନ ସ୍ଥଗିତ ରହିଲା ।

ଓଡ଼ିଶାର ସମସ୍ତ ଗଣମାଧ୍ୟମ ଜାଣନ୍ତି ଯେ, ଭାଷା ଆନ୍ଦୋଳନ ମୋର ମାନସ ସନ୍ତାନ । ସେମାନେ ସମସ୍ତେ ଜାଣନ୍ତି ଯେ, ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ସରକାରଙ୍କୁ ଦେଇଥିବା ଚିଠା ବିଧାନ ସପକ୍ଷରେ ମୋ ନିଜସ୍ଵ ପଦ୍ଧତ୍ତିରେ ଏହା ଚାଲିଥାଏ ଯାହାର ପରିଚାଳନାରେ ମୋତେ ସାହାଯ୍ୟ କରୁଥାନ୍ତି ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା । ଅଥଚ ମୋ ଅନୁପସ୍ଥିତିରେ ସେମାନେ ଯେତେବେଳେ ଏହି ବକ୍ତବ୍ୟ ରଖିଲେ, ଗଣମାଧ୍ୟମମାନଙ୍କର ସମ୍ବାଦିକୀୟ ଦାୟିତ୍ଵ ଥିଲା ସତ୍ୟାସତ୍ୟ ଜାଣିବା ପାଇଁ ମୋତେ ପଚାରିବା । ମାତ୍ର କେହି ବି  ପଚାରିନଥିଲେ । ସେମାନେ ସମସ୍ତେ ପ୍ରଚାର କରିଥିଲେ ଯେ, କଳା ପତାକା ଅଭିଯାନ ବନ୍ଦ ହୋଇଗଲା ଓ ମୁଁ ପଠାଇଥିବା ପ୍ରତିବାଦ ଉପରେ  ମଧ୍ୟ ସମସ୍ତେ କଳା ଢାଙ୍କୁଣୀ ଘୋଡ଼ାଇ ଦେଇଥିଲେ ବା ସାମ୍ବାଦିକୀୟ ଭାଷାରେ ତାହାକୁ ବ୍ଳାକ୍ଆଉଟ୍ (blackout) କରିଦେଇଥିଲେ । ଅତଏବ, ମୁଖ୍ୟମନ୍ତ୍ରୀ ପ୍ରଦ୍ୟୁମ୍ନ ପବିତ୍ରଙ୍କ ଆନୁଗତ୍ୟ କିଣି କଳା ପତାକା ଅଭିଯାନ ବନ୍ଦ କରିବାକୁ ସେଦିନ ଅପୋଦ୍ୟମ କରିଥିଲେ କେବଳ ନୁହେଁ, ଗଣମାଧ୍ୟମମାନେ ଯେପରି କେବଳ ସେହିମାନଙ୍କ ଘୋଷଣାକୁ ହିଁ ପ୍ରଚାର କରନ୍ତି ଓ ମୋର ପ୍ରତିକ୍ରିୟା ଉପରେ କଳାପରଦା ଢାଙ୍କି ରଖନ୍ତି ତାର ବି ବ୍ୟବସ୍ଥା କରିଥିଲେ ।

କିନ୍ତୁ ଏ ଅପ୍ରତ୍ୟାଶିତ ଭୟଙ୍କର ଆଘାତ ସତ୍ତ୍ୱେ ଭାଷାଜନନୀର ସଂଗ୍ରାମ ଜାରିରହିଲା । ତାର ବିଜୟ ପତାକା – କଳାପତାକା – ନିର୍ଦ୍ଧାରିତ ସମୟରେ ଉଡ଼ିଚାଲିଲା ରାଜଧାନୀର ଛାତି ଉପରେ ପ୍ରତିଦିନ । ଏବଂ ଉପରୋକ୍ତ ଦୁଇ ଅର୍ଥଲୋଭୀଙ୍କୁ ପୋଷା ମନାଇ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବାକୁ ଯେଉଁ ଚକ୍ରାନ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଚକ୍ରାନ୍ତକୁ ପାଦରେ ଦଳିଦେଲେ ଭାଷା ମାଆର ଭୀମ ପରି ଶକ୍ତିଶାଳୀ ସନ୍ତାନ ରଞ୍ଜନ କୁମାର ଦାସ, ଯାହାଙ୍କ ଓଡ଼ିଆଜାତୀୟତାବୋଧ ଏତେ ଅସୀମ ଥିଲା ଯେ, ଇତିହାସରେ ସ୍ନାତକୋତ୍ତର ଉପାଧି ପାଇସାରି ବହିରାଗତ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ପ୍ରାକୃତିକ, ସଂସ୍କୃତିକ ଓ କଳାତ୍ମକ ଐତିହ୍ୟ ଉପରେ ଅବଗତ କରାଇବା ପାଇଁ ସେ ସ୍ଵତନ୍ତ୍ର ଶିକ୍ଷା ଅର୍ଜନ କରିଥିଲେ ଓ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ବୈଶିଷ୍ଟ୍ୟ ଉପରେ ଦିଗ୍ଦର୍ଶନ ଦେବା କମ ଆୟକାରୀ ହୋଇଥିଲେ ମଧ୍ୟ ତାହାକୁ ହିଁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିଲେ ।

ଏହି ଅସାଧାରଣ ମାତୃଭୂମିବତ୍ସଳ ରଞ୍ଜନ କୁମାର ଦାସ ୧୬ ଅଗଷ୍ଟ ୨୦୧୮ ତାରିଖରେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରର ଶିଶୁମାନଙ୍କ ହାତରୁ କଳାପତାକା ଗ୍ରହଣ କରି ନିଜ ସଂଗ୍ରାମୀ ଜୀବନର ଘନିଷ୍ଠ ସହଯୋଗୀ ସର୍ବଶ୍ରୀ ଜିତେନ୍ଦ୍ର କୁମାର ସାହୁ , ଆଳୟ ସାମନ୍ତରାୟ, ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତିଙ୍କ ସହ ପାଣିଚିଆ ଖରାରେ ଡହଡହ ତାତିଥିବା ରାଜରାସ୍ତାରେ ଚାଲି ଚାଲି ୧୭ ଅଗଷ୍ଟ ୨୦୧୮ରେ ବିଧାନସଭା ସମ୍ମୁଖରେ ପହଞ୍ଚି ଓଡ଼ିଆ ଭାଷାର ଜୀବନ ଇତିହାସରେ ଯେଉଁ ନୂଆ ଅଧ୍ୟାୟ ଯୋଡ଼ିଲେ  ତାହା ଭାଷାପ୍ରେମର ଅନନ୍ୟ ନିଦର୍ଶନ କେବଳ ନଥିଲା, ଭାଷା ବିଦ୍ଵେଷୀ ନବୀନଙ୍କ ଛାତିରେ ଏପରି ଛନକା ଭରିଦେଇଥିଲା ଯେ, ୧୫ ଦିନ ଭିତରେ ଓଡ଼ିଶାର ସର୍ବତ୍ର ସବୁ ଦପ୍ତର ଓ ଦୋକାନର ନାମ ଓଡ଼ିଆରେ ଲେଖାହେବା ବାଧ୍ୟତାମୂଳକ ହେବ ଓ ଆଇନରେ ଥିବା ତ୍ରୁଟି ସଂଶୋଧନ କରାଯିବ ବୋଲି କହିବାକୁ ତର ସହିନଥିଲା ।

ମୁଖ୍ୟମନ୍ତ୍ରୀଙ୍କ ପ୍ରୀତ୍ୟର୍ଥେ ସେଦିନର ଏହି ଐତିହାସିକ ଘଟଣାକୁ ଓଡ଼ିଶାର ଗଣମାଧ୍ୟମମାନେ ବ୍ଳାକ୍ଆଉଟ୍ କରିଥିବା ବେଳେ ଆନ୍ଦୋଳନର ଛତ୍ରପୁର ସଞ୍ଚାଳକ ସୌମ୍ୟରଞ୍ଜନ ନାୟକ ଫେସବୁକ ମାଧ୍ୟମରେ ତାର ପ୍ରସାରଣ କରିଥିଲେ ଓ ପରେ ଭିନ୍ନଧାରାର ପ୍ରତିଜ୍ଞା ଟିଭି ତାହାକୁ ହିଁ ପ୍ରସାରିତ କରିଥିଲା । ଆପଣମାନଙ୍କ ଉଦ୍ଦେଶ୍ୟରେ ତାହାକୁ orissamattersର YouTube ମଞ୍ଚରେ ସ୍ଥାନିତ କରି ଏଠାରେ ସଲଗ୍ନ କରାଗଲା ।

ଏହି ଘଟଣା ପରେ ଓଡ଼ିଶା ସରକାର ଅତର୍ଛିଯାଇ ଆଇନଟିକୁ ମାସକ ପରେ ୨ୟ ବାର  ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ ମଧ୍ୟ ତାହା ଥିଲା  ତ୍ରୁଟିପୂର୍ଣ୍ଣ ୧ମ ସଂଶୋଧନର ପୁନଃ ବୈଧିକରଣ ଓ ପରିବର୍ଦ୍ଧନ ।

ଏହି ପ୍ରତାରଣା ବିରୁଦ୍ଧରେ  ଓ ଷଡ଼ଯନ୍ତ୍ର ସମ୍ପର୍କରେ ସାରା ଓଡ଼ିଶାର ଜନଗଣଙ୍କୁ ଅବଗତ କରାଇ ଭାଷା ମାଆର ବିଜୟ ସୁନିଶ୍ଚିତ କରିବା ପାଇଁ ନିଜ ସାଥୀମାନଙ୍କୁ କଳାପତାକା ସହ ସାଇକଲ ଅଭିଯାନ ପାଇଁ ରଞ୍ଜନ ଯେଉଁଦିନ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କଲେ ଓ ସେଥିପାଇଁ ସାଥୀ ସମ୍ପର୍କ ଆରମ୍ଭ କଲେ, ତହିଁର ତୃତୀୟ ଦିନ ଅତିବାହିତ ହେବା ପୂର୍ବରୁ ତାଙ୍କୁ ହତ୍ୟା କରାଗଲା । ଭାଷା ଆନ୍ଦୋଳନ ଓ ଓଡ଼ିଶା ସୂଚନା ଅଧିକାର ଅଭିଯାନର ତଥା ଜନସାଧାରଣଙ୍କ ପ୍ରତିବାଦ ବିକ୍ଷୋଭ ଓ ବାରମ୍ବାର ଦାବି ସତ୍ତ୍ୱେ ତାଙ୍କ ହତ୍ୟାକାରୀକୁ ଧରିବା ପାଇଁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ ।

ଏହି ହେତୁ ଆମେ ସନ୍ଦେହ କରୁ ଯେ , ମୁଖ୍ୟମନ୍ତ୍ରୀଙ୍କ ଚକ୍ରାନ୍ତ କବଳରୁ ଭାଷା ଆନ୍ଦୋଳନକୁ ରକ୍ଷା କରିବା ପାଇଁ ଓ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବା ପାଇଁ ରଞ୍ଜନଙ୍କ ଉପରସୂଚିତ କଳାପତାକାଧାରୀ ପଦଯାତ୍ରା ଓ କଳାପତାକା ସହ ସାରା ଓଡ଼ିଶାରେ ସାଇକଲ ଯାତ୍ରା କରିବା ପ୍ରସ୍ତାବର ପ୍ରତିକ୍ରିୟାରେ ତାଙ୍କୁ ହତ୍ୟାକରାଯାଇଛି ଓ ସେହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତୃତ୍ତ୍ଵାଧିନ ପୋଲିସ ହତ୍ୟାକାରୀକୁ ଧରୁନାହିଁ ।

ଏହି ପ୍ରେକ୍ଷାପଟରେ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଭାଷା ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ମୁଁ ଦାବି କରୁଛି ।

ଓଡ଼ିଶା ରାଜ୍ୟ ଓଡ଼ିଆ ଭାଷାର ରାଜ୍ୟ, ଏକୁ ରକ୍ଷା କରିବାକୁ ହେବ: ପ୍ରଫେସର ମନୋରଞ୍ଜନ ଦାସ

(ସୂତ୍ର ଆମ ଭାଷା ଆମ ଅଧିକାର)
“ଭାଷା ଯେକୌଣସି ଜାତିର ପରିଚୟ କେବଳ ନୁହେଁ , ତା’ର ପ୍ରାଣଶକ୍ତି ମଧ୍ୟ । ଅନୁରୂପ ଭାବରେ ଓଡ଼ିଆ ଭାଷା ଓଡ଼ିଆ ଜାତିର ପରିଚୟ ଓ ପ୍ରାଣଶକ୍ତିର ଅଫୁରନ୍ତ ଉତ୍ସ ।” ଏହାର ଅବକ୍ଷୟ ରୋକିବା ପାଇଁ “ଆସନ୍ତୁ, କଳାପତାକାକୁ ମୁଣ୍ଡାଇ ଚାଲିବା ଲକ୍ଷ୍ୟ ସାଧନ ପର୍ଯ୍ୟନ୍ତ” ବୋଲି କହିଛନ୍ତି ଓଡ଼ିଆଭାଷାସାହିତ୍ୟର ସୁଖ୍ୟାତ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋରଞ୍ଜନ ଦାସ ।

ଇଂରାଜୀ ରାଜୁତିରୁ ଓଡ଼ିଶାକୁ ମୁକ୍ତ କରି ଓଡ଼ିଆ ଜାତିର ପରିଚୟ ଓ ପ୍ରାଣଶକ୍ତି ସୁରକ୍ଷିତ କରିବା ପାଇଁ ଚାଲିଥିବା ଭାଷା ଆନ୍ଦୋଳନ କରୋନା କାଳରେ ତାର କଳାପତାକା ଅଭିଯାନକୁ ବୌଦ୍ଧିକ ପ୍ରଦର୍ଶନରେ ପରିଣତ କରିଛି ଓ ପ୍ରତି ସୋମବାର ଜଣେ ଜଣେ ପ୍ରସିଦ୍ଧ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ତାଙ୍କର ବକ୍ତବ୍ୟ ରଖୁଛନ୍ତି, ଯାହାକୁ ଆଂଦୋଳନର ଫେସବୁକ ମଞ୍ଚ ଭାଷା ମା ପାଇଁ ପଦେ ପୃଷ୍ଠାରୁ ସିଧା ପ୍ରସାରିତ କରାଯାଉଛି ।

ଏହିକ୍ରମରେ ସେପ୍ଟେମ୍ବର ୨୧ ସୋମବାର ପ୍ରଫେସର ଦାସ କହିଛନ୍ତି, “ଓଡ଼ିଆ ଭାଷା ନିଷ୍ପ୍ରାଣ ହୋଇ ମୃତ୍ୟୁ ମୁଖରେ ପଡ଼ିବା ପୂର୍ବରୁ ଏହାକୁ ଜୀବନକ୍ଷମ କରାଇବାର ଏକମାତ୍ର ବାଟ ହେଉଛି ଓଡ଼ିଆ ଭାଷାକୁ ଅବିଳମ୍ବେ ଓଡ଼ିଶାର ରାଜଭସ ରୂପେ ପ୍ରତିଷ୍ଠା ଦେବା ।”

ଫେସବୁକର ଭାଷା ଆନ୍ଦୋଳାନ ମଞ୍ଚରୁ ସିଧା ପ୍ରସାରିତ ଭାଷଣଟିକୁ ବିଶ୍ଵବାସୀ ଓଡ଼ିଆଙ୍କ ସୁବିଧା ପାଇଁ ୟୁଟ୍ୟୁବରେ ସ୍ଥାନିତ କରାଯାଇଛି । ନିମ୍ନରେ ତାହା ଉପସ୍ଥାପିତ ହେଲା – 

 

 

 

ଭାଷା ଆନ୍ଦୋଳନର ରବିବାସରୀୟ ଚର୍ଚ୍ଚା : ଓଡ଼ିଆ ଭାଷାର ପ୍ରାଣଶକ୍ତି ହ୍ରାସର କାରଣ ଓ ନିରାକରଣ

ସୂତ୍ର : ଆମ ଭାଷା ଆମ ଅଧିକାର 

ଗତ ରବିବାର(୨୦/୦୯/୨୦୨୦)ସନ୍ଧ୍ୟାରେ ଭାଷା ଆନ୍ଦୋଳନର ରବିବାସରୀୟ ଭର୍ଚୁଆଲ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀମାନେ ଅଂଶଗ୍ରହଣ କରିଥିଲେ ।
ଶ୍ରୀ ରଂଜନ କୁମାର ସାହୁଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ଆଲୋଚନାର ବିଷୟ ଥିଲା-” ଓଡ଼ିଆ ଭାଷାର ପ୍ରାଣଶକ୍ତି ହ୍ରାସର କାରଣ ଓ ନିରାକରଣ”। ଏହା ଉପରେ ଉପସ୍ଥିତ ଭାଷାପ୍ରେମୀ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ସେମାନଙ୍କ ମତର ସଂକ୍ଷିପ୍ତସାର :
* ସୁଦୂର କୋଲକତାରେ ଶିକ୍ଷକତା କରୁଥିବା ସନାତନ ମହାକୁଡ଼ଙ୍କ ମତରେ,” ଆମ ପଢିବା, ଲେଖିବା ଓ କଥାହେବାର ଭାଷା ଓଡ଼ିଆ ହେବା ଉଚିତ”।
*ମହେନ୍ଦ୍ର ତ୍ରିପାଠୀଙ୍କ ମତରେ,” ପ୍ରଶାସନିକ ତତ୍ପରତା, ବିଦ୍ୟାଳୟରେ ଓଡ଼ିଆ ଭାଷାରେ ଶିକ୍ଷା ଓ ଓଡ଼ିଆ ଭାଷାର ବ୍ୟବହାରିକ ଦିଗ ଉନ୍ନତ ହେବା ଉଚିତ”।
* ଶ୍ୟାମଘନ ମହାରଣାଙ୍କ ମତରେ,” ଆମକୁ ପ୍ରଥମେ ବ୍ୟକ୍ତିଗତ ସ୍ତରରୁ ଭାଷାର ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିବାକୁ ପଡିବ ।” 
* ବାପିନା ପାଲଟାସିଂହ ନିଜ ଛାତ୍ର ଜୀବନରେ ଅନୁଭୂତି ବର୍ଣ୍ଣନା କରି କହିଥିଲେ, ଉଜ୍ଜ୍ବଳ ଭବିଷ୍ୟତଆଶାରେ ଘରଗୁରୁଜନଙ୍କ ଚାପରେ ଇଂରାଜୀ ପଢିବାକୁ ବାଧ୍ୟବାଧକତା ଏବଂ ସହଜରେ ବୁଝିହେଉଥିବା ମାତୃଭାଷା ଓଡ଼ିଆରେ ଅଧ୍ୟୟନ ପ୍ରତି ଅନୁରାଗ- ଏହି ଦ୍ଵନ୍ଦ୍ଵ ଭିତରେ ସେ କଟାଇଥିଲେ ତାଙ୍କ ପିଲାଦିନ । ବାପମାଆମାନେ ଇଂରାଜୀ ଭାଷା ମାୟାରେ  ନପଡି ନିଜ ଆଦରର ସନ୍ତାନମାନଙ୍କୁ ଓଡ଼ିଆ ଭାଷାରେ ମୂଳରୁ ଶିକ୍ଷା ଦିଆଇଲେ ଶୈଶବ ନଷ୍ଟ ହେବ ନାହିଁ ଓ ଓଡ଼ିଆ ଭାଷାର ପ୍ରାଣଶକ୍ତି ସୁଦୃଢ ହେବ ଓ ଜାତିର ଭବିଷ୍ୟତ ଉଜ୍ଜ୍ଵଳ ହେବ ବୋଲି ସେ କହିଥିଲେ । *ଦେବାଶିଷ ଆଚାର୍ଯ୍ୟ ଓ ଶ୍ରୀକାନ୍ତ ବେହେରା ନିଜ ନିଜ ମତାମତରେ, ଓଡ଼ିଆ ଭାଷା କିପରି ହିନମନ୍ୟତାର ଶୀକାର ହେଉଛି କହିଥିଲେ।

*ପ୍ରମାଦପୂର୍ଣ୍ଣ ସଂଶୋଧନ ଦ୍ଵାରା ଭାଷା ଆଇନକୁ ଅକର୍ମଣ୍ୟ କରି ରଖା ହୋଇଥିବା ହେତୁ କାର୍ଯ୍ୟ ନିର୍ବାହର ଭାଷା ହୋଇନପାରି ଓଡିଆ ଭାଷା ତାର ପ୍ରାଣଶକ୍ତି ହରାଇବାରେ ଲାଗିଛି ଓ ଯଦି ତୁରନ୍ତ ଭାଷା ଆଇନର ସାନି ସଂଶୋଧନ ଦ୍ଵାରା ତାକୁ ନିର୍ଭୁଲ କରାନଯାଏ ଓ ରାଜ୍ୟର ସମସ୍ତ କାର୍ଯ୍ୟାଳୟରେ ଓଡ଼ିଆ ଅପରିହାର୍ଯ୍ୟ କରାନଯାଏ ଏବଂ ଓଡ଼ିଆରେ କାମନକରିବା ଲୋକକୁ  କଠିନ ଦଣ୍ଡ ବିଧାନ ପାଇଁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ବିଧିକୃତ କରାନଯାଏ, ତେବେ ଓଡ଼ିଆ ଜାତିର ମାତୃଭାଷାର ଯେଉଁ ସାମାନ୍ୟ କିଛି ଜୀବନ ବଞ୍ଚିଛି ତାହା ଲୋପ ପାଇଯିବ ବୋଲି ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ । ସେ କହିଥିଲେ, ଓଡ଼ିଆ ସାହିତ୍ୟିକମାନେ ଭାଷାଜୀବୀ ହୋଇନରହି ଭାଷାମନସ୍କ ହୁଅନ୍ତୁ ଓ ପ୍ରତି ଓଡ଼ିଆ ପ୍ରାଣରେ ମାତୃଭାଷା ପାଇଁ ମମତା ଓ ଗର୍ବବୋଧ ସୃଷ୍ଟି କରିବାକୁ ପ୍ରେରଣାଦାୟୀ ସାହିତ୍ୟ ସୃଷ୍ଟି କରନ୍ତୁ ; ତେବେ ଯାଇ ଭାଷାର ପ୍ରାଣଶକ୍ତି ପୁନରୁଦ୍ଧାର ହେବ ।  

*ଆଲୋଚନା ପରେ, ବାପିନା ପାଲଟାସିଂହ ଓ ଶ୍ରୀକାନ୍ତ ବେହେରା ନିଜ କବିତା ଆବୃତ୍ତି କରିଥିଲେ।
* ସରୋଜ ମହାନ୍ତି ଓ ସୁଶାନ୍ତ ମହାଳି ଅଲୋଚନାଚକ୍ରର ପରିଚାଳନା କରିଥିଲେ।
* ବୈଦ୍ୟୁତିକ ଗଣମାଧ୍ୟମ/ସୋସିଆଲ ମିଡିଆ ସାହାଯ୍ୟରେ ଭାଷା ଆନ୍ଦୋଳର କାର୍ଯ୍ୟକ୍ରମ ବିଷୟରେ ଅଧିକ ପ୍ରଚାର ଓ ପ୍ରସାର କରିବାକୁ ସ୍ଥିର କରାଗଲା।
*କଳାପତାକା ଅଭିଯାନକୁ ଅଧିକ ସକ୍ରିୟ କରିବାକୁ, ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରିତ ହେଲା।
* ଏହି ଆଲୋଚନାରେ ଆଶା ମଞ୍ଜରୀ ଦାଶ, ଇତିଶ୍ରୀ ପତି, ପ୍ରତ୍ୟାଶା ପ୍ରିୟଦର୍ଶିନୀ ଓ ଗାୟତ୍ରୀ ପଣ୍ଡାଙ୍କ ଉପସ୍ଥିତି ଆଲୋଚନାକୁ ଅଧିକ ବଳିଷ୍ଠ କରିଥିଲା।
* ସମସ୍ତେ ଏହି ନିଷ୍କର୍ଷ ରେ ଉପନୀତ ହେଲେ ଯେ, ଆମ୍ଭମାନଙ୍କୁ ଅଧିକ ସକ୍ରିୟ ହେବାକୁ ପଡିବ । ଭାଷା ମା’ ପାଇଁ ଥିବା ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ନିର୍ବାହ କରି, ତାର ପ୍ରାଣ ଶକ୍ତିକୁ ଅଧିକ ଦୃଢ କରିବାକୁ ପଡିବ ।
* ଏହି ସଂକଳ୍ପ ସହ ଅଲୋଚନାଚକ୍ରକୁ ସମାପ୍ତ କରାଗଲା ।

ଓଡ଼ିଆ ସାହିତ୍ୟର ବୁନିଆଦି ପୁନରୁଦ୍ଧାର ପାଇଁ ଛନ୍ଦ-କବିତା ଉପରେ ଭାଷା ଆନ୍ଦୋଳନର ରବିବାସରୀୟ ପାଠଚକ୍ରରେ ଗୁରୁତ୍ଵ

(ସୂତ୍ର: ଆମ ଭାଷା ଆମ ଅଧିକାର)

ଗତ ରବିବାର(୧୩/୦୯/୨୦୨୦)ସନ୍ଧ୍ୟାରେ, ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର, ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀ ମାନେ ଅଂଶଗ୍ରହଣ କରିଥିଲେ।
ଶ୍ରୀଯୁକ୍ତ ମହେନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ତତ୍ପରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ସୁଷମା ମଞ୍ଜରୀ ଦାଶ,ବରଗଡ଼; ଶ୍ରୀକାନ୍ତ ବେହେରା, ଯାଜପୁର; ଶ୍ୟାମଘନ ମହାରଣା, ଭୁବନେଶ୍ୱର; ରାଜେଶ ଶତପଥୀ, ବଲାଙ୍ଗୀରରୁ ସେମାନଙ୍କ ସ୍ଵରଚିତ କବିତା ପାଠ କରିଥିଲେ। ଅଶୋକ ମହାରଣାଙ୍କ ବ୍ୟଙ୍ଗକଥା ଅତ୍ୟନ୍ତ ଚମତ୍କାର ଥିଲା।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା, ଶ୍ରୀଯୁକ୍ତ ସୁଭାଷ ପଟନାୟକ , ନିଜ ଆଲୋଚନା ମାଧ୍ୟମରେ କିପରି ଭାଷା ଆଇନର ଭୁଲ ସଂଶୋଧନ ,ସାନି ସଂଶୋଧନ ଦ୍ୱାରା ସଜଡା ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ।

କରୋନା ସଙ୍କଟ ଟଳିଥିଲେ ଆସନ୍ତା ବିଧାନସଭା ଆରମ୍ଭରେ କଳାପତାକା ଅଭିଯାନର କାୟିକ ସଂସ୍କରଣର ପୁନରାରମ୍ଭ ପାଇଁ  ଆଲୋଚନା ମଧ୍ୟ କରାଗଲା।

ଏହି ଆଲୋଚନାଚକ୍ରରେ ରଂଜନ କୁମାର ସାହୁ, ବାପିନା ପାଲଟାସିଂହ, ଗଗନ ସ୍ୱାଇଁ,ସୁଶାନ୍ତ ମାହାଳି,ସରୋଜ ମହାନ୍ତି ଯୋଗଦାନ କରି ନିଜ  ନିଜ ମତାମତ ଉପସ୍ଥାପନ କରିଥିଲେ।

ଓଡ଼ିଆ ସାହିତ୍ୟର ବୁନିଆଦି ପୁନରୁଦ୍ଧାର ପାଇଁ ଛନ୍ଦମୟ କବିତା ରଚନା ପାଇଁ ଓଡ଼ିଶାର କବିକୁଳଙ୍କୁ ଆହ୍ଵାନ ଦେଇ , ଏଥିପ୍ରତି ବଲାଙ୍ଗୀରରେ ପ୍ରତିଷ୍ଠିତ ମହାନ ଆମ ମାତୃଭାଷା ସଂଘର ଆଭିମୁଖ୍ୟକୁ ସର୍ବାନ୍ତଃକରଣରେ ପ୍ରସଂଶା କରଯାଇଥିଲା । 

କୃଷି ଶବ୍ଦକୋଷ ଏକାନ୍ତ ଆବଶ୍ୟକ : ନଟବର ଖୁଣ୍ଟିଆ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଓଡ଼ିଶାର ଶତକଡ଼ା ୯୮ ଭାଗ ଚାଷୀ କେବଳ ଓଡ଼ିଆ ଭାଷା ବୁଝନ୍ତି । ସେମାନଙ୍କ ଭାଷାରେ ଆଧୁନିକ କୃଷି ଜ୍ଞାନକୌଶଳ ନ ପହଞ୍ଚିଲେ ଓଡ଼ିଶାର କୃଷି ଅର୍ଥନୀତିର ପୂର୍ଣ୍ଣ ବିକାଶ ସମ୍ଭବ ହେବନାହିଁ । ଏହି ଅସୁବିଧା ଦୂର ହେବା ପାଇଁ କୃଷକମାନେ ବ୍ୟବହାର କରୁଥିବା ଶବ୍ଦମାନଙ୍କୁ ନେଇ ଏକ କୃଷି ଶବ୍ଦକୋଷ ଅତ୍ୟାବଶ୍ୟକ ବୋଲି କହିଛନ୍ତି କୃଷି ଅର୍ଥନୀତିର ପ୍ରସିଦ୍ଧ ବ୍ୟାଖ୍ୟାକାର ଶ୍ରୀ ନଟବର  ଖୁଣ୍ଟିଆ ।

ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ କରାଗଲେ ତହିଁରୁ ଉତ୍ତୀର୍ଣ୍ଣ ହେଉଥିବା କୃଷିବିଦ୍ୟାର ଛାତ୍ରମାନେ ଓଡ଼ିଶାର କୃଷକମାନଙ୍କ ପାଖରେ ଜ୍ଞାନ କୌଶଳ ପହଞ୍ଚାଇବା ସହଜ ହେବ ବୋଲି ସେ କହିଛନ୍ତି ।

ଓଡ଼ିଆରେ ଓଡ଼ିଶାର ସର୍ବବିଧ ପରିଚାଳନା ଅଲଙ୍ଘ୍ୟ କରିବାକୁ ଚାଲିଥିବା ଭାଷା ଆନ୍ଦୋଳନ (କଳା ପତାକା ଅଭିଯାନ) କରୋନା ପ୍ରେକ୍ଷାପଟରେ କାୟିକତଃ ସ୍ଥଗିତ ଥାଇ ତାର ବୌଦ୍ଧିକ ସଂସ୍କରଣ ଅବ୍ୟାହତ ଅଛି । ପ୍ରତିଦିନ ଇଣ୍ଟର୍ନେଟ ମାଧ୍ୟମରେ ଏହାର ଅଦ୍ୟତନ ସ୍ଥିତି ଉପସ୍ଥାପିତ ହେଉଥିବା ବେଳେ, ପ୍ରତି ସୋମବାର ଏହାକୁ ସମର୍ଥନ କରୁଥିବା ଜଣେ ଜଣେ ସ୍ବନାମଧନ୍ୟ ବିଦ୍ଵାନ ଏହାର ପରିଗୃହୀତ କୌଣସି ଏକ ପ୍ରସଙ୍ଗରେ ବକ୍ତବ୍ୟ ରଖୁଛନ୍ତି । ଏହି କ୍ରମରେ “ଓଡ଼ିଶାର କୃଷି ପାଇଁ ଓଡ଼ିଆ” ବିଷୟରେ ଗତ ୧୪ ତାରିଖରେ ବକ୍ତବ୍ୟ ରଖିଥିଲେ ଶ୍ରୀ ଖୁଣ୍ଟିଆ, ଯାହା ଆନ୍ଦୋଳନର ବୌଦ୍ଧିକ ମଞ୍ଚ – ଫେସବୁକର ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ସିଧା ପ୍ରସାରିତ ହୋଇଥିଲା । ଆମ ପାଠକମାନଙ୍କ ପାଇଁ ନିମ୍ନରେ ତହିଁର ୟୁଟ୍ୟୁବ୍ ପରିବେଷଣ ଉପସ୍ଥାପିତ ହେଲା :