ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ନବମ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଅଡ଼ଶପୁର କଲେଜର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମାନସୀ ଷଡ଼ଙ୍ଗୀଙ୍କ ଚାକିରି ଉପରେ ବିଚାର ପାଇଁ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ଏକ ବିଚାର କମିଟି ଗଠନ ପାଇଁ ନିଜେ ପ୍ରସ୍ତାବ ଦେଇ (ଟିପ୍ପଣୀ ୪, ତା.୨୦.୬.୨୦୧୮, ସମୟ ସକାଳ ୧୦ଟା ୧୫ ମିନିଟ ୧୬ ସେକେଣ୍ଡ), ମାତ୍ର ଅଧଘଣ୍ଟାରେ ଅଭୂତପୂର୍ବ ବେଗରେ ଶାସନ ସଚିବଙ୍କ ଅନୁମୋଦନ ହାସଲ କରି (ଟିପ୍ପଣୀ ୫, ତା.୨୦.୬.୨୦୧୮, ସମୟ ସକାଳ ୧୦ଟା ୪୬ ମିନିଟ ୧୦ ସେକେଣ୍ଡ), ତତ୍କାଳ କମିଟି ଗଠନ କରି, ୨୨.୬.୨୦୧୮ ଅପରାହ୍ନ୧୨ଟା୩୦ରେ ତହିଁର ବୈଠକ ନିଜ ଅଧ୍ୟକ୍ଷତାରେ ଅନୁଷ୍ଠିତ କରି ଯେଉଁ ନିଷ୍ପତ୍ତି ନିର୍ମାଣ କଲେ, ତାହା ତ ପୂର୍ବ ନିଷ୍ପତ୍ତି ଅନୁସାରେ ସେହି ଦିନ ହିଁ ଶାସନ ସଚିବଙ୍କ ପାଖରେ ପେଶ୍ କରାଯାଇ ଆବଶ୍ୟକୀୟ ଆଦେଶ ନିଆଯିବା କଥା (“The report will be placed for kind perusal and necessary orders of Commissioner-cum-Secretary on the same day.”) ଏବଂ ସେହି କାରଣରୁ ତ ଅନୁବିଭାଗ ଅଧିକାରୀ କମିଟିର ନିଷ୍ପତ୍ତି ଓ ତହିଁର ଟିକିନିଖି ବିବରଣୀ ସେହି ଦିନ ଅପରାହ୍ନ ୩ଟା ୪୯ ମିନିଟ ୩୩ ସେକେଣ୍ଡରେ ଅତିରିକ୍ତ ଶାସନ ସଚିବଙ୍କ ପାଖରେ ପେଶ୍ କରିଥିଲେ (ଟିପ୍ପଣୀ ୯) ; କିନ୍ତୁ କ’ଣ ହେଲା ଯେ , ଯୁଦ୍ଧକାଳୀନ ତତ୍ପରତା ସହ ପ୍ରସ୍ତୁତ ଏହି ନିଷ୍ପତ୍ତି ଉପରେ ଶାସନ ସଚିବ କୌଣସି ଅଭିମତ ରଖିଲେ ନାହିଁ ଓ ଅତିରିକ୍ତ ଶାସନ ସଚିବ ଦୀର୍ଘ ସାଢେ ତିନି ଦିନ ପରେ ୨୫.୬.୨୦୧୮ ତାରିଖ, ସମୟ ସନ୍ଧ୍ୟା ୭ଟା ୩ ମିନିଟ ୧୫ ସେକେଣ୍ଡରେ “ଦୟାକରି ଆପଣଙ୍କ ସୁଚିନ୍ତିତ ମତ ଦିଅନ୍ତୁ” ବୋଲି ଏକ ରହସ୍ୟଜନକ ଆଦେଶ ଉଲ୍ଲେଖ କରି ତାଙ୍କ ଅଧ୍ୟକ୍ଷତାରେ ନିର୍ମିତ ନିଷ୍ପତ୍ତିର ପୁନର୍ବିଚାରର ପରିସର ସୃଷ୍ଟିକଲେ?

ଅନୁବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵ ଥିଲା ଉପରୋକ୍ତ କମିଟିର ନିଷ୍ପତ୍ତି ନଥିରେ ଲିପିବଦ୍ଧ କରି ନଥିଟିକୁ ଅତିରିକ୍ତ ଶାସନ ସଚିବଙ୍କ ପାଇଁ ପ୍ରସ୍ତୁତ କରିବା, ଯାହା ସେ କରିଥିଲେ । କମିଟିର ନିଷ୍ପତ୍ତି ଉପରେ “ସୁଚିନ୍ତିତ ମତ” ରଖିବାକୁ ତାଙ୍କର କୌଣସି କ୍ଷମତା ନ ଥିଲା । ଏଣୁ ସେ ସେପରି କୌଣସି ମତ ଦେବା ସମ୍ଭବ ନ ଥିଲା ।

ଶ୍ରୀମତୀ ମାନସୀ ଷଡ଼ଙ୍ଗୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ୨୨.୬.୨୦୧୫ରେ ଯେଉଁ ଆଦେଶ ଦେଇଥିଲେ, ଏହି କମିଟି ସେହି ଆଦେଶକୁ ବାତିଲ କରିଥିଲେ ମଧ୍ୟ ତାହା କେତେଦୂର ଆଇନ ସମ୍ମତ ହେବ – ସେ ନେଇ ସନ୍ଦେହ ଥିଲା । ସେଥିପାଇଁ ଏହି କମିଟି ବି କହିଥିଲା କି, ଏ ସମ୍ପର୍କରେ ସରକାର ଯାହା ଶେଷ ନିଷ୍ପତ୍ତି ନେବେ ତାହାକୁ ମାନିବେ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ସତ୍ୟପାଠ ମାଧ୍ୟମରେ ଅଙ୍ଗୀକାରନାମା ଦେବେ ।

ଏପରି ସତ୍ୟପାଠ (Affidavit) ଶ୍ରୀମତୀ ଷଡ଼ଙ୍ଗୀଙ୍କ ସ୍ଵାର୍ଥ ଅନୁକୂଳ ନ ହୋଇଥିବାରୁ ପ୍ରଦ୍ୟୁମ୍ନ ଶତପଥୀ ଏହାର ପରିବର୍ତ୍ତନ ଉପରେ ଏପରି ଚାପ ପ୍ରୟୋଗ କଲେ ଯେ, କମିଟିର ନିଷ୍ପତ୍ତି ଗର୍ଭାଶୟରେ ହିଁ ମରିଯିବା ଅବସ୍ଥା ସୃଷ୍ଟିହେଲା ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ଶତପଥୀ ଯାହା ଚାହୁଁଛନ୍ତି ତାହା କର ବୋଲି ତୃତୀୟ ମହଲାର ଚାପ ପ୍ରବଳରୁ ପ୍ରବଳତର ହେଉଥାଏ । ଉଚ୍ଚ ଶିକ୍ଷା ବିଭାଗ କିଂକର୍ତ୍ତବ୍ୟବିମୂଢ ହୋଇପଡ଼ିଲା । ଶାସନ ସଚିବଙ୍କ ସହ ବାରମ୍ବାର ମୌଖିକ ଆଲୋଚନା ପରେ ୨୫.୬.୨୦୧୮ ସନ୍ଧ୍ୟାରେ “ଗାଁ ଲୋକେ ପଣସ ଖାଇ ଭଣ୍ଡାରି ମୁଣ୍ଡରେ ଅଠା” ବୋଳିଲା ପରି କୁହାଗଲା, ତଳିଆ ଅମଲାତନ୍ତ୍ର (lower bureaucracy) ସମସ୍ୟା ସମାଧାନ ପାଇଁ “ସୁଚିନ୍ତିତ ମତ” ଦେଉ !

ପ୍ରଦ୍ୟୁମ୍ନ ଶତପଥୀଙ୍କୁ ବୁଝାଇ ଦିଆଗଲା ଯେ, ତାଙ୍କ ପତ୍ନୀ ନିସର୍ତ୍ତ ସଂସ୍ଥିତା ହେବେ, କାରଣ କମିଟି ନିଷ୍ପତ୍ତିକୁ ଅକାମି କରିବା ପାଇଁ “ସୁଚିନ୍ତିତ ମତ” ଆସିବ । (କ୍ରମଶଃ)

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଅଷ୍ଟମ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କୁ ୧୬.୭.୨୦୧୮ ସୁଦ୍ଧା ଚାକିରି ଦିଆଇବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଯଦି ଚାପ ପ୍ରୟୋଗ କରିନଥାନ୍ତେ, ଉଚ୍ଚ ଶିକ୍ଷା ବିଭାଗରେ ଘଟିଥିବା ପ୍ରଚଣ୍ଡ ପ୍ରଶାସନିକ ଦୁରାଚର ଓ ଅସଙ୍ଗତ କାର୍ଯ୍ୟ କେବେ ବି ହୁଏତ ଘଟିନଥାନ୍ତା ।

ଅନୁବିଭାଗୀୟ ଅଧିକାରୀ ପ୍ରଦୀପ କୁମାର ରାଉତ ତାଙ୍କ ୧୯.୬.୨୦୧୮ ତାରିଖର ଟିପ୍ପଣୀରେ ପୁନର୍ବାର ସରକାରଙ୍କ ୨୨.୬.୨୦୧୫ ତାରିଖର ୧୩୨୯୦ ସଂଖ୍ୟକ ଆଦେଶ କଥା ଉଲ୍ଲେଖ କରିବାରୁ, ଏବଂ ତାହା ସରକାରଙ୍କ ଅଶୁଦ୍ଧ ଅଭିପ୍ରାୟକୁ ସୁହାଉ ନଥିବାରୁ, ସେହି ଆଦେଶକୁ ଅକାମି କରିବା ଉଦ୍ଦେଶ୍ୟରେ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ୨୦.୬.୨୦୧୮ ତାରିଖରେ ରାଉତଙ୍କ ମୂଳ ଟିପ୍ପଣୀ ଉପରେ କିପରି ହସ୍ତକ୍ଷେପ କରି , ଏ “ସମସ୍ୟାର ସମାଧାନ” ପାଇଁ ତାଙ୍କ ନିଜ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେବ ଓ ସେହି କମିଟି ୨୨.୬.୨୦୧୮ ତାରିଖରେ ବସି ଯେଉଁ “ରିପୋର୍ଟ” ପ୍ରସ୍ତୁତ କରିବେ ତାହା ସେହି ଦିନ ବିଭାଗୀୟ ସଚିବଙ୍କ ସମ୍ମୁଖରେ ପେଶ୍ ହେବ ବୋଲି ଆଦେଶ ଦେଲେ, ଓ ତାହା ସରକାର ଶାସନ ସଚିବଙ୍କ ମାଧ୍ୟମରେ ମଞ୍ଜୁର କରିଥିଲେ, ତାହା ପୂର୍ବରୁ ଦର୍ଶାଯାଇଛି ।

ଏହି କମିଟିର ସିଦ୍ଧାନ୍ତ ବି ଏଥିପୂର୍ବରୁ ଉଦ୍ଧୃତ୍ତ ହୋଇଛି । କମିଟି ସିଦ୍ଧାନ୍ତର ରିପୋର୍ଟ ପ୍ରସ୍ତୁତି ଦାୟିତ୍ଵ ଥିଲା ଅନୁବିଭାଗୀୟ ଅଧିକାରୀଙ୍କର ଏବଂ ସେ ବି ତାହା ପ୍ରସ୍ତୁତ କରି ସେହି ୨୨.୬.୨୦୧୮ ତାରିଖରେ ସରକାରଙ୍କ ଅନୁମୋଦନ ପାଇଁ ଅତିରିକ୍ତ ଶାସନ ସଚିବଙ୍କ ସମ୍ମୁଖରେ ରଖିଛନ୍ତି (ଟିପ୍ପଣୀ ୯, ତା ୨୨.୬.୨୦୧୮, ସମୟ ଅପରାହ୍ନ ୩ଟା ୪୯ ମିନିଟ ୩୩ ସେକେଣ୍ଡ) ।

କିନ୍ତୁ ଟିପ୍ପଣୀ ୧୦ରୁ ଜଣାପଡ଼େ , ପୂର୍ବରୁ ଅନୁମୋଦିତ ହୋଇଥିବା ନିଷ୍ପତ୍ତି ସତ୍ତ୍ୱେ ଏହି କମିଟି ରିପୋର୍ଟକୁ ସେହି ଦିନ ସଙ୍ଗେ ସଙ୍ଗେ ଶାସନ ସଚିବଙ୍କୁ ନ ଦେଇ ନିଜ ପାଖରେ ଚାପି ରଖିଥିଲେ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ଜୁନ ୨୫ ତାରିଖ କାର୍ଯ୍ୟ ଦିବସ ଶେଷହେବା ଯାଏଁ । କାରଣ, ୨୫.୬.୨୦୧୭ ସନ୍ଧ୍ୟା ୭ଟା ୩ ମିନିଟ ୧୫ ସେକେଣ୍ଡରେ ସେ ଲେଖିଛନ୍ତି , “Please give your considered views” (“ଦୟାକରି ଆପଣଙ୍କ ସୁଚିନ୍ତିତ ମତ ଦିଅନ୍ତୁ”) ।

ତାଙ୍କ ନିଜ ଅଧ୍ୟକ୍ଷତାରେ ତ ସେ ନିଜେ ଗଢିଥିବା କମିଟି ଟିକିନିଖି ଆଲୋଚନା କରି (“A thorough discussion was made in the meeting” Noting-9) ଯେଉଁ ୩ ଦଫା ସମ୍ବଳିତ ନିଷ୍ପତ୍ତି ନେଇଥିଲେ ତାହାକୁ ଅବିକଳ ଉଲ୍ଲେଖ କରି ଅନୁବିଭାଗୀୟ ଅଧିକାରୀ ନଥିଟି ଥୋଇଥିଲେ । ତହିଁ ଉପରେ ପୁଣି “ସୁଚିନ୍ତିତ ମତ” କାହିଁକି ଲୋଡ଼ା ପଡ଼ିଲା ଓ କିଏ ଏହା ଦେବାର ଥିଲା? ଏବଂ ନଥିଟିକୁ ପୂର୍ବ ଆଦେଶ ଅନୁସାରେ ନିର୍ଦ୍ଧାରିତ ୨୨.୬.୨୦୧୮ରେ ଶାସନ ସଚିବଙ୍କୁ ନ ଦେଇ ୨୫ ତାରିଖ ପର୍ଯ୍ୟନ୍ତ ନିଜ ପାଖରେ ପକାଇ ରଖିବାକୁ ଅତିରିକ୍ତ ଶାସନ ସଚିବଙ୍କୁ ଅଧିକାର ଦେଇଥିଲା କିଏ?

ଯଦି କମିଟିର ଲିପିବଦ୍ଧ ନିଷ୍ପତ୍ତି ସେହିଦିନ ଶାସନ ସଚିବଙ୍କ ପାଖକୁ ଯାଇଥାନ୍ତା ସେ ତାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥାନ୍ତେ, କାରଣ କମିଟିଟି ଥିଲା ଏକ ସରକାରୀ ଅନୁମୋଦିତ କମିଟି (ନୋଟିଂ -୫, ତା ୨୦.୬.୨୦୧୮) ଓ ତାର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର ଅଧିକାର ଶାସନ ସଚିବଙ୍କର ନ ଥିଲା । ଏବଂ ଯଦି ସେହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାହୋଇଥାନ୍ତା , ତେବେ ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କ ପାଇଁ ତାହା ଅଡୁଆଜନକ ହୋଇଥାନ୍ତା ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ସକାଶେ ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କୁ ନିରଙ୍କୁଶ ନିଯୁକ୍ତି ଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଉଚ୍ଚଶିକ୍ଷା ବିଭାଗ ଉପରେ ପ୍ରବଳ ଚାପ ପକାଇ ଚାଲିଥିଲା । ତେଣୁ ଆତୁର ହୋଇ ନିଜ ଅଧ୍ୟକ୍ଷତାରେ ଗୃହୀତ ନିଷ୍ପତ୍ତିକୁ ନିଜେ କେମିତି ଅକାମି କରିବେ ତା ପାଇଁ କିଂକର୍ତ୍ତବ୍ୟବିମୂଢ ଅତିରିକ୍ତ ଶାସନ ସଚିବ ଉପାୟ ଖୋଜିବାରେ ଲାଗିଥିଲେ । ଏଥିପାଇଁ ଅନୁବିଭାଗୀୟ ଅଧିକାରୀଙ୍କୁ ସେ ଅନୁରୋଧ କରି କହିଥିଲେ – “ଦୟାକରି ଆପଣଙ୍କ ସୁଚିନ୍ତିତ ମତ ଦିଅନ୍ତୁ” । ଏପରି ଅସଙ୍ଗତ ପ୍ରଶାସନିକ ଆଚରଣ ସର୍ବୋଚ୍ଚ ସ୍ତରରୁ ଅଲଙ୍ଘ୍ୟ ଚାପ ପ୍ରୟୋଗ ଭିନ୍ନ କେବେ ବି ସମ୍ଭବ ହୋଇନଥାନ୍ତା । (କ୍ରମଶଃ)

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ସପ୍ତମ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା ବିଧାନସଭାରେ ୧.୫.୨୦୧୮ରେ ପାରିତ ହୋଇଥିବା ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ,୨୦୧୮କୁ ଅନୁମୋଦନ ନ ଦେବା ପାଇଁ ମୁଁ ରାଜ୍ୟପାଳଙ୍କୁ ଦେଇଥିବା ପୂର୍ବ ସୂଚିତ ପତ୍ର ତିନୋଟି ମୁଖ୍ୟକାରଣ ଉପରେ ଆଧାରିତ ହୋଇଥିଲା । ଯଥା: (୧) ଏଥିରେ ଥିବା ୪କ ଧାରା ମୂଳ ଆଇନର ଉଦ୍ଦେଶ୍ୟ ପଣ୍ଡକାରକ ଓ ଜନବିରୋଧୀ, (୨) ବିଜୁ ପଟ୍ଟନାୟକ ୧୯୬୩ରେ ଖଞ୍ଜିଥିବା ୩କ ଧାରାର ବିଲୋପନ ପାଇଁ ମୋ ଦାବି ପ୍ରତି ଅବଜ୍ଞା ପ୍ରଦର୍ଶିତ ହୋଇଥିବା ହେତୁ “ସରକାରୀ ଭାଷା”ର ସଜ୍ଞା ସଙ୍କଟ ଗ୍ରସ୍ତ ଓ (୩) ଏହି ବିଧେୟକ ପାଇଁ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ସ୍କାମ୍ ପରି ଏକ ଅଭୂତପୂର୍ବ ରାଜନୈତିକ ଅପରାଧ କରି ବିଧାନସଭାକୁ ବିଭ୍ରାନ୍ତ କରିଥିବା ହେତୁ ବିଧେୟକଟି ଅବୈଧ ଓ ଅଗ୍ରାହ୍ୟ । ଏହି ତିନୋଟି କାରଣରୁ କୌଣସି ଗୋଟିକୁ ଖଣ୍ଡନ କରିବା ସରକାରଙ୍କ ପକ୍ଷେ ଥିଲା ଅସମ୍ଭବ ।

ମୋ ପତ୍ର ଉପରେ ରାଜ୍ୟପାଳ ଏହି ବିଧେୟକକୁ ନାମଞ୍ଜୁର କରିନଥିଲେ ମଧ୍ୟ, ତାଙ୍କ ହସ୍ତକ୍ଷେପ ହେତୁ ମୁଁ ଦର୍ଶାଇଥିବା ଉପରୋକ୍ତ ୧ମ ଓ ୨ୟ କାରଣର ଯଥାର୍ଥତା ସ୍ଵୀକାର କରି ସରକାର କିପରି ସେହି ୨୦୧୮ରେ ଭାଷା ଆଇନର ୨ୟ ସଂଶୋଧନ ଆଣିବାକୁ ବାଧ୍ୟ ହୋଇଥିଲେ, ତାହା ପରେ ଆଲୋଚନା କରିବା । ବର୍ତ୍ତମାନ ପାଇଁ ଏତିକି କୁହାଯାଇପାରେ ଯେ, ମୋ ପତ୍ର ଉପରେ ରାଜ୍ୟପାଳଙ୍କ ତନାଘନାରେ ଅତର୍ଛି , “ମୂଳୁ ମାରିଲେ ଯିବ ସରି” ନୀତିରେ ଯେ କୌଣସି ପ୍ରକାରେ ଭାଷା ଆନ୍ଦୋଳନକୁ ଭାଙ୍ଗିଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ । ଫଳରେ ୨୨.୫.୨୦୧୮ରୁ ଘୁମେଇ ପଡ଼ିଥିବା ଶ୍ରୀମତୀ ପ୍ରଦ୍ୟୁମ୍ନ ଶତପଥୀ (ମାନସୀ ଷଡଙ୍ଗୀ)ଙ୍କ ନଥି ୧୯.୬.୨୦୧୮ ଅପରାହ୍ନରେ ସକ୍ରିୟ ହୋଇଉଠିଲା ।

ଚାପ ପ୍ରୟୋଗ

ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ରଙ୍କ ଚାପରେ ଅନୁବିଭାଗ ଅଧିକାରୀ ପ୍ରତାପ କୁମାର ରାଉତ ନଥିଟିକୁ ପୁନଃକ୍ରିୟ କରିଥିଲେ ମଧ୍ୟ, ଏହା ହିଁ ଲେଖିଲେ ଯେ, ଅନୁସ୍ମାରକ ସତ୍ତ୍ୱେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସରକାରଙ୍କ ୨୨.୬.୨୦୧୫ତାରିଖର୧୩୨୯୦ ପତ୍ରାଙ୍କସମ୍ପନ୍ନ ଆଦେଶ ଉପରେ କୌଣସି ଉତ୍ତର ଦେଇନାହାନ୍ତି (ଟିପ୍ପଣୀ ୩, ତାରିଖ ୧୯.୬.୨୦୧୮ , ସମୟ ଅପରାହ୍ନ ୩ଟା ୩୯ ମିନିଟ ୫୯ ସେକେଣ୍ଡ) । ଏହି ଟିପ୍ପଣୀ ସରକାରଙ୍କ ଅଭିସନ୍ଧିକୁ ସାହାଯ୍ୟ କରୁନଥିଲା । କାରଣ, ଏହା ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ ଚାକିରି ଭଙ୍ଗ ଆଦେଶକୁ ପୁନରୁଜ୍ଜୀବୀତ କରୁଥିଲା । ଅପରପକ୍ଷେ ପୂର୍ବରୁ ପ୍ରଦତ୍ତ ଏକ ବିଧିବଦ୍ଧ ଆଦେଶ ରୂପେ ଏହା ଥିଲା ଅନତିକ୍ରମଣୀୟ ।

ନୂଆ ଖସଡ଼ା

ସୁତରାଂ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କଲେ ଓ ସେଦିନ ରାତିରେ ଯେଉଁ ନୂଆ ଖସଡ଼ା ପ୍ରସ୍ତୁତ ହେଲା, ତଦନୁଯାୟୀ ତହିଁ ପରଦିନ ଅଫିସ ଖୋଲୁ ଖୋଲୁ ସରକାରଙ୍କ ୨୨.୬.୨୦୧୫ ତାରିଖର ଆଦେଶ ଉପରେ କୁଠାରାଘାତ କରିଥିଲେ । ଆଦେଶଟିର ମାନ୍ୟତା ଉପରେ ଦୃଷ୍ଟି ଆକର୍ଷଣ କରି ଅନୁବିଭାଗୀୟ ଅଧିକାରୀ ଦେଇଥିବା ପ୍ରଥମ ଟିପ୍ପଣୀଟିକୁ ଅକାମି କରିଦେବା ମତଲବରେ ସେ ତହିଁ ଉପରେ ଏକ ବ୍ୟାଖ୍ୟା ରଖିଲେ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ , ଯେଉଁଥିରେ ସେ ନିଜ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି , ସେହି କମିଟି ଦିନକ ପରେ, ଅର୍ଥାତ୍ ୨୨.୬.୨୦୧୮ ତାରିଖରେ ଶ୍ରୀମତୀ ଷଡଙ୍ଗୀଙ୍କ କର୍ମକ୍ଷେତ୍ରରେ ଯୋଗଦାନ ବିଷୟରେ ସାନି ନିଷ୍ପତ୍ତି ନେବ ଓ ସେହିଦିନ ହିଁ ତହିଁ ଉପରେ ଆବଶ୍ୟକୀୟ ଆଦେଶ ପାଇଁ ତାହା ଶାସନ ସଚିବଙ୍କୁ ପ୍ରଦାନ କରାଯିବ ବୋଲି ଟିପ୍ପଣୀ ଦେଲେ (ଟିପ୍ପଣୀ ୪, ତାରିଖ ୨୦.୬.୨୦୧୮ , ସମୟ ସକାଳ ୧୦ଟା ୧୫ ମିନିଟ ୧୬ ସେକେଣ୍ଡ) । ଏପରି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ନଥି ଚାଲିବା ଉଚ୍ଚ ଶିକ୍ଷା ବିଭାଗର ଜୀବନରେ କେବେ ଘଟିନଥିଲା ।

ଅସାଧାରଣ ତତ୍ପରତା

ଯେଉଁ ତତ୍ପରତାର ସହ ଏ ନଥି ଆଗେଇଲା ତାହା ଥିଲା ଅନନ୍ୟସାଧରଣ । ମାତ୍ର ଅଧଘଣ୍ଟାକରେ ଶାସନ ସଚିବ ବିଷ୍ଣୁପଦ ସେଠି “ଯଥା ପ୍ରସ୍ତାବିତ” ବୋଲି ଲେଖି ଧାର୍ଯ୍ୟ ପଥରେ ଆଗେଇଯିବାକୁ ଅତିରିକ୍ତ ଶାସନ ସଚିବଙ୍କୁ ଆଦେଶ ଦେଲେ (ଟିପ୍ପଣୀ ୫, ତାରିଖ ୨୦.୬.୨୦୧୮ , ସମୟ ସକାଳ ୧୦ଟା ୪୬ ମିନିଟ ୧୦ ସେକେଣ୍ଡ) । ଦି ଘଣ୍ଟା ବି ଯାଇନି, ଦିନ ୧୨ଟା୧୨ମିନିଟ ୪୮ ସେକେଣ୍ଡରେ ନିଜ ଅଧ୍ୟକ୍ଷତାରେ କମିଟି ଗଢି ତହିଁରେ ତାଙ୍କର ଆଜ୍ଞାଧୀନ ଜଣେ ଉପନିର୍ଦ୍ଦେଶକ (ବେସରକାରୀ କଲେଜ-୨)ଙ୍କୁ ତଥା ଅଡ଼ଶପୁର କଲେଜ ଅଧ୍ୟକ୍ଷଙ୍କୁ ସଭ୍ୟ ଭାବେ ସଂସ୍ଥିତ କରି ସେମାନଙ୍କୁ ୨୨.୬.୨୦୧୮ ତାରିଖରେ କମିଟି ବୈଠକରେ ଯୋଗଦେବାକୁ ନୋଟିସ୍ ଚିଠା କରି ପେଶ୍ କରିବାକୁ ଅନୁଭିବାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଶାସନ ସଚିବ ମହୋଦୟ । ମାତ୍ର ୪୦ ମିନିଟରେ ଚିଠା ପେଶ୍ ହେଲା ଓ ତଦନୁସାରେ ବୈଠକ ବି ଅନୁଷ୍ଠିତ ହେଲା ।

ବୋଲେ ହୁଁ ଟି, ବୋଲେ ନା ଟି

ଆଜ୍ଞାଧୀନ ଉପନିର୍ଦ୍ଦେଶକ (ଜଣେ ସରକାରୀ କର୍ମଚାରୀ) ଶ୍ରୀମତୀ ଷଡଙ୍ଗୀଙ୍କୁ ସରକାର ସାହାଯ୍ୟ କରିବାକୁ ଚାହୁଁଥିବା ଜାଣି ଅତିରିକ୍ତ ଶାସନ ସଚିବଙ୍କ କଥାରେ ମୁଣ୍ଡ ଟୁଙ୍ଗାରୁଥିବା ବେଳେ ତାଙ୍କ ଯୋଗଦାନ (joining) ଅଡ଼ଶପୁର କଲେଜରେ ସମ୍ଭବ ନୁହେଁ ବୋଲି କଲେଜ ଅଧ୍ୟକ୍ଷ ସ୍ପଷ୍ଟ କରିଦେଇଥିଲେ । ଅନଧିକୃତ ଅନୁପସ୍ଥିତି କାରଣରୁ ତାଙ୍କ ନିଯୁକ୍ତି କାର୍ଯ୍ୟତଃ ସେହିଦିନ ଶେଷ ହୋଇସାରିଛି, ଯେଉଁ ଦିନ କଲେଜ ପରିଚାଳନା କର୍ତ୍ତୃପକ୍ଷ ସେଥିପାଇଁ ନିଷ୍ପତ୍ତି ନେଇ ଥିଲେ ବୋଲି କହିଥିଲେ ଅଧ୍ୟକ୍ଷ । ସେ ଦୃଢତାର ସହ କହିଥିଲେ, ପରିଚାଳନା କମିଟି ଗ୍ରହଣ କରିଥିବା ନିଷ୍ପତ୍ତିର ଅନୁମୋଦନ ପାଇଁ କଲେଜର ଚିଠି ଉପରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶୋଇ ରହିବା ସେହି ନିଷ୍ପତ୍ତିର ବିଲୋପୀକରଣ ନୁହେଁ । ସୁତରାଂ ତାଙ୍କ କଲେଜରେ ଶ୍ରୀମତୀ ଷଡଙ୍ଗୀଙ୍କର ଆଦୌ ବିଧିମନ୍ୟ ସ୍ଥିତି ନଥିବା ବେଳେ, ସେଠି ତାଙ୍କ ଯୋଗଦାନ ପତ୍ର (joining report) କିଏ କେଉଁ ଅଧିକାରରେ ଗ୍ରହଣ କରିବ ବୋଲି ପ୍ରଶ୍ନ ଉଠାଇଥିଲେ ଅଧ୍ୟକ୍ଷ ।

କାରସାଦି

ଅଧ୍ୟକ୍ଷଙ୍କର ଏହି ଯୁକ୍ତିଯୁକ୍ତ କଥାକୁ ଦସ୍ତାବିଜଭୁକ୍ତ ନ କରି, ଶ୍ରୀମତୀ ଷଡଙ୍ଗୀ ସେହି କଲେଜରେ ଯୋଗ ଦେବେ ଓ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ତାଙ୍କ ଯୋଗଦାନ ପତ୍ର ଗ୍ରହଣ କରିବେ ବୋଲି ସିଦ୍ଧାନ୍ତ ହୋଇଥିବା ଉଲ୍ଲେଖ କରି ଟିପ୍ପଣୀ ପେଶ୍ କରିବାକୁ ଅନୁବିଭାଗ ଅଧିକାରୀଙ୍କୁ କୁହାଗଲା ଓ ଏହି ଟିପ୍ପଣୀରେ ପୂର୍ବ ଆଦେଶ ରଦ୍ଦ ହୋଇଯାଇଥିବା କଥା ଉଲ୍ଲେଖ କରିବାକୁ ବି ନିର୍ଦ୍ଦେଶ ଦିଆଗଲା । ଅତିରିକ୍ତ ଶାସନ ସଚିବ ନିଜେ ଏପରି କାରସାଦି କରିଥିଲେ କି ଉପର ଚାପରେ? ତଦନ୍ତ ସାପେକ୍ଷ ।

ପ୍ରଣିଧାନ ଯୋଗ୍ୟ ଟିପ୍ପଣୀ

ଅନୁବିଭାଗୀୟ ଅଧିକାରୀ ଯେଉଁ ଟିପ୍ପଣୀ ଦରଜ କଲେ ତାହା ବିଶେଷ ପ୍ରଣିଧାନ ଯୋଗ୍ୟ । ଇଂରାଜୀ ଭାଷାରେ ଲିଖିତ ସେହି ଟିପ୍ପଣୀଟି ନିମ୍ନରେ ଅବିକଳ ଉଦ୍ଧୃତ୍ତ ହେଲା :

1. In supersession of all orders passed on the issue, Smt. Manasi Sarangi will be instructed by the DHE to join in her present place of posting i.e. U.N.(Auto) College , Adaspur within seven days of receipt of this order.
2. She will submit an undertaking through affidavit with her joining report before the Principal to abide by future Govt. decision regarding her absence period.
3. The Principal will be instructed to accept the joining of Smt. Sarangi and to allow her to work until further Govt. orders. (ଟିପ୍ପଣୀ ୯, ତାରିଖ ୨୨.୬.୨୦୧୮, ସମୟ : ଅପରାହ୍ନ ୩ଟା ୪୯ ମିନିଟ ୩୩ ସେକେଣ୍ଡ)

ଏହି ଟିପ୍ପଣୀଟି ସରକାରଙ୍କୁ ଅଧିକ ଅଡୁଆରେ ପକାଇଲା । କାରଣ, ୨୦୧୫ରେ ସରକାର ନେଇଥିବା ନିଷ୍ପତ୍ତିକୁ ଏପରି ଏକ କ୍ଷମତାହୀନ କମିଟି ବାତିଲ କରିବା ଥିଲା ଅସଙ୍ଗତ । ଅପରପକ୍ଷେ, ଶ୍ରୀମତୀ ଷଡଙ୍ଗୀଙ୍କ ପାଇଁ ୨ ନମ୍ବର ନିଷ୍ପତ୍ତିଟି ମଧ୍ୟ ଅଡୁଆଜନକ ଥିଲା । କାରଣ ତାଙ୍କ ଅନଧିକୃତ ଅନୁପସ୍ଥିତି ଉପରେ ସରକାର ଭବିଷ୍ୟତରେ ଯାହା ନିଷ୍ପତ୍ତି ନେବେ ତାହାକୁ ମାନିବାକୁ ସେ ଏକ ସତ୍ୟପାଠ ଭିତ୍ତିକ ଅଙ୍ଗୀକାର ପତ୍ର ଦାଖଲ କରିବାକୁ କୁହା ହୋଇଥିବାରୁ ଚାକିରିରେ ନିୟମିତ ହୋଇଯିବେ ବୋଲି ତାଙ୍କୁ ଯେଉଁ ଭରସା ଦିଆ ହୋଇଥିଲା ଏଥିରେ ତାହା ଅତୁଟ ରହିପାରୁ ନ ଥିଲା । ତେଣୁ, ସେ ଏହାକୁ ଗ୍ରହଣକରିବା ପାଇଁ ପ୍ରସ୍ତୁତ ନଥିଲେ । ସମୟ ଗଡିଯାଉଥିଲା ଓ କଳାପତାକା ଅଭିଯାନର ପୁନରାରମ୍ଭ ପାଖେଇ ଆସୁଥିଲା ।

ସରକାରୀ ସ୍ତରୀୟ ଦୃଶ୍ୟପଟ ଏହିପରି ଥିବା ବେଳେ, ୨୮.୬.୨୦୧୮ରେ ଭାଷା ଆଇନର ଭୁଲ ସଂଶୋଧନ ସାନି ସଂଶୋଧନ ଦ୍ଵାରା ସଜଡ଼ା ହେଉ ବୋଲି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି । ୪.୭.୨୦୧୮ରେ “ଏ ମାସ ୧୬ରୁ ପୁନଶ୍ଚ କଳାପତାକା ଅଭିଯାନ : କାହିଁକି?” ଶୀର୍ଷକରେ ମୋର ଆଲୋଚନା ସରକାରଙ୍କ ଛାତିରେ ଛନକା ଭର୍ତ୍ତିକଲା । କାରଣ ବିଧାନସଭାର ବର୍ଷାକାଳୀନ ଅଧିବେଶନରେ ଭାଷା ଆଇନ ଉହାଡ଼ରେ ହୋଇଥିବା ତଞ୍ଚକତା ଓ କ୍ୟାବିନେଟ୍ ସ୍କାମ୍ ଦ୍ଵାରା ବିଧାନସଭାର ସ୍ଵାଧିକାର ଭଙ୍ଗ ଉପରେ ଆଲୋଚାନା ପାଇଁ ଯଥେଷ୍ଟ ଖୋରାକ ମୁଁ ଏହି ନିବନ୍ଧରେ ଭର୍ତ୍ତି କରିଥିଲି ।

ଅଡୁଆରେ ସରକାର

ସମ୍ଭାବ୍ୟ ସ୍ଵାଧିକାର ଭଙ୍ଗ ଅଭିଯୋଗରୁ ବଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସକାଶେ ଏକମାତ୍ର ବାଟ ଥିଲା ବର୍ଷାକାଳୀନ ଅଧିବେଶନରେ ଭାଷା ଆଇନ ସମ୍ପର୍କୀୟ ଚର୍ଚ୍ଚା ଯେପରି ନ ହୁଏ ତା ପାଇଁ କୌଣସି ନା କୌଣସି ପ୍ରକାରେ କଳାପତାକା ଅଭିଯାନ ବନ୍ଦ କରାଇବା ।

ସେଥିପାଇଁ ସଉଦା

ସେଥିପାଇଁ ଆବଶ୍ୟକ ଥିଲା ଯେକୌଣସି ପ୍ରକାରେ ହେଉ ପଛେ, ମାନସୀ ଷଡଙ୍ଗୀଙ୍କୁ ଚାକିରି ଦିଆଇ ପ୍ରଦ୍ୟୁମ୍ନ ଶତପଥୀଙ୍କୁ କଳାପତାକା ପାଇଁ ଲୋକ ଯୋଗାଇବାରୁ ବିରତ କରାଇବା ।

ସୁତରାଂ, ୧୧.୭.୨୦୧୮ ତାରିଖରେ ଆରମ୍ଭ ହେଲା ଯେକୌଣସି ପ୍ରକାରେ ହେଉ ପଛେ ମାନସୀ ଷଡଙ୍ଗୀଙ୍କୁ ଚାକିରିରେ ପୁନଃ ସଂସ୍ଥିତା କରିବାର ପ୍ରକ୍ରିୟା ।

ଅନୁବିଭାଗୀୟ ଅଧିକାରୀ କୌଣସି ନୀତିବିରୁଦ୍ଧ କାମ କରିବାକୁ ମଙ୍ଗୁ ନଥିବା ହେତୁ, ସୂର୍ଯ୍ୟ ନାରାୟଣ ମହାପାତ୍ର ନାମକ ଜଣେ ଅନୁଶାସନ ସଚିବ ଏହି କାମ କଲେ । ତାଙ୍କ ହେତୁ ପ୍ରଶାସନିକ ଅଚଳାବସ୍ଥା ଦୂର ହୋଇଗଲା ଓ ୧୬.୭.୨୦୧୮ରେ ଶ୍ରୀମତୀ ଷଡଙ୍ଗୀଙ୍କୁ ଚାକିରିରେ ପୁନଃ ସଂସ୍ଥିତା କରିବା ପ୍ରସ୍ତାବ ଉପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଦିନ ୨ଟା ୧୧ ମିନିଟରେ ଦସ୍ତଖତ କଲେ । ସନ୍ଧ୍ୟାବେଳେ କଳା ପତାକା ଅଭିଯାନରୁ ଦୂରେଇ ରହି ଅର୍ଥମନ୍ତ୍ରୀ ଶଶୀ ବେହେରାଙ୍କ ମାଧ୍ୟମରେ ଏ ସମ୍ପର୍କରେ ସୁନିଶ୍ଚିତ ହେବା ପରେ କଳାପତାକା ଅଭିଯାନ ବର୍ଷା ଅଧିବେଶନ ପର୍ଯ୍ୟନ୍ତ ବନ୍ଦ ରହିଲା ବୋଲି ଘୋଷଣା କଲେ ପ୍ରଦ୍ୟୁମ୍ନ ଶତପଥୀ ସନ୍ଧ୍ୟା ୭ଟାରେ, ସରକାରଙ୍କ ସହ ହୋଇଥିବା ଗୋପନ ଚୁକ୍ତି ଅନୁସାରେ । (କ୍ରମଶଃ)

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଷଷ୍ଠ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଭାଷା ଆନ୍ଦୋଳନର ଅବସାନ ବିନିମୟରେ ଦଶ ବର୍ଷ ତଳେ କାର୍ଯ୍ୟତଃ ଶେଷ ହୋଇଯାଇଥିବା ଚାକିରିରେ ତାଙ୍କ ସ୍ତ୍ରୀଙ୍କୁ ପୁନଃ ସଂସ୍ଥିତ କରାଇବାକୁ ପ୍ରତିଶ୍ରୁତି ଦେଇଥିବା ଅଣଓଡ଼ିଆ ଜି॰ଭି॰ଭି॰ଶର୍ମା ଭାଷା ଆଇନର ପ୍ରମାଦପୂର୍ଣ ସଂଶୋଧନ ହେବା ବାସିଦିନ ଉଚ୍ଚ ଶିକ୍ଷା ସଚିବ ପଦରୁ ବଦଳି ହୋଇଗଲେ । ସେ ବଦଳି ହେବାର ଦି ଦିନ ପୂର୍ବରୁ ୨୯.୪.୨୦୧୮ ତାରିଖରେ A fraud perpetrated by the CM on the Cabinet ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରି ୧.୫.୨୦୧୮ରେ ହେବାକୁଥିବା ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ସ୍କାମ୍ ପରି ଏକ ଅଶ୍ରୁତପୂର୍ବ ରାଜନୈତିକ ଅପରାଧ କରିବାକୁ ଯାଉଛନ୍ତି ବୋଲି ମୁଁ ପଦାରେ ପକାଇ ଦେଇଥିଲି । ମାତ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଭୂତପୂର୍ବ ସଂଖ୍ୟା ଗରିଷ୍ଠତା ତଥା ବିରୋଧୀ ଦଳର ଅମନଯୋଗୀତା ହେତୁ ସଂଶୋଧନ ବିଧେୟକଟି ପାରୀତ ହୋଇଗଲା ।

ଆମର ଉଚିତ ଥିଲା, କଳା ପତାକା ଅଭିଯାନ ଚଳାଇ ରଖିବା । ମାତ୍ର ସରକାରଙ୍କୁ ଭୁଲ ସୁଧାରିବାକୁ  ସମୟ ଦେଇ ଜୁଲାଇ ପହିଲା ଶେଷ ଯାଏଁ କଳା ପତାକା କିପରି ସ୍ଥଗିତ ରଖାଗଲା ତାହାର ଆଂଶିକ ସୂଚନା ମୁଁ ପୂର୍ବରୁ ଦେଇଛି । ମୁଁ ଭାବିଥିଲି, ସାରା ଓଡ଼ିଶା ବୁଲି ସବୁ ଗୁରୁତ୍ଵପୂର୍ଣ ସ୍ଥାନରେ ଭାଷା ଆନ୍ଦୋଳନ ଆରମ୍ଭ କରିବାକୁ ଏହି ଏହି ଦୁଇ ମାସ ସମୟକୁ ବ୍ୟବହାର କରିହେବ । ସେଥିପାଇଁ ଏ ସଂଶୋଧନ ସତ୍ତ୍ୱେ କାହିଁକି ଆନ୍ଦୋଳନ ଆବଶ୍ୟକ, ତାହା ମୁଁ ଉପସ୍ଥାପିତ କରିଥିଲି ୩.୫.୨୦୧୮ରେ ମୋ ପ୍ରକାଶିତ Amended Language law pregnant with mischief: Bhasha Andolan gives the Govt two months ଶୀର୍ଷକ ଲେଖାରେ । ଏହା ସାଙ୍ଗକୁ ମୋର ଓଡ଼ିଆ ନିବନ୍ଧ “ଭାଷା ଆଇନ ସଂଶୋଧନ ପୁନଶ୍ଚ ସଂଶୋଧିତ ହେବା ଦରକାର” ୧୧.୫.୨୦୧୮ ତାରିଖର ତତ୍କାଳୀନ ପ୍ରଭାବଶାଳୀ ଦୈନିକ ‘ନିତିଦିନ’ରେ ପ୍ରକାଶ ପାଇ ସରକାରଙ୍କୁ ଅଡୁଆରେ ପକାଇଲା ।ଫଳରେ, ଶର୍ମା ଦେଇଥିବା ପ୍ରତିଶ୍ରୁତି, ଯାହା କଥାରେ ହିଁ ଲଟକି ରହିଥିଲା, କାର୍ଯ୍ୟତଃ କରି ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମନେଇବାକୁ ଉଦ୍ୟମ ଚାଲିଲା।

ସଚିବାଳୟର ତୃତୀୟ ମହଲା ଶତପଥୀଙ୍କ ସହ କଥା ହେଲା ପରେ ୧୮.୫.୨୦୧୮ରେ ଆରମ୍ଭ ହୋଇଗଲା ପ୍ରଶାସନିକ ବ୍ୟାୟାମ । ଉପବିଭାଗ ଅଧିକାରୀଙ୍କୁ କୁହାଗଲା କଟକ ଅଡ଼ଶପୁର ସ୍ଥିତ ଉଦୟନାଥ ବିଜ୍ଞାନ ଓ ବୈଷୟିକ କଲେଜ (ଅଡ଼ଶପୁର କଲେଜ)ର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ମାନସୀ ଷଡ଼ଙ୍ଗୀଙ୍କ କର୍ମସ୍ଥାନରେ ଯୋଗଦାନ ପାଇଁ ନଥି ପ୍ରସ୍ତୁତ କରିବାକୁ । ପ୍ରଥମ ଟିପ୍ପଣୀରେ ହିଁ ଉପବିଭାଗ ଅଧିକାରୀ ପ୍ରଦୀପ କୁମାର ରାଉତ ଲେଖିଲେ, “ଏହା ଦୃଷ୍ଟିଗୋଚର ହୋଇଛି କି, ଶ୍ରୀମତୀ ଷଡଙ୍ଗୀ ୨.୭.୨୦୦୮ ତାରିଖରୁ ତାଙ୍କ କାମ କରୁନାହାନ୍ତି ।……..ସରକାରଙ୍କ ନିଷ୍ପତ୍ତି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଜଣାଇ ଦିଆଯାଇଛି ଓ ଦୁଇ ଥର ଅନୁସ୍ମାରକ ବି ପଠା ହୋଇଛି । କିନ୍ତୁ ତାଙ୍କ ଠାରୁ କୌଣସି ଉତ୍ତର ଆସିନି । ଏକ ଅନୁସ୍ମାରକ ସାନି ପଠାଯାଇପାରେ” (ପ୍ରଦୀପ କୁମାର ରାଉତ, ଅନୁବିଭାଗ ଅଧିକାରୀ, ଉଚ୍ଚ ଶିକ୍ଷା, ଟିପ୍ପଣୀ ସମୟ : ୧୮.୫.୨୦୧୮: ୧୩:୩୯:୦୧) ।

ଏ କି ନିଷ୍ପତ୍ତି?

ଯାହା ଆଗରୁ ସୂଚାଇଛି, ଅନଧିକୃତ ଅନୁପସ୍ଥିତିକୁ ଏକ ସାଂଘାତିକ ବିଶୃଙ୍ଖଳା ଭାବେ ବିବେଚନା କରି ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ସକାଶେ ୨୨.୬.୨୦୧୫ ତାରିଖର ଆଦେଶ ପତ୍ରାଙ୍କ ୧୩୨୯୦ରେ ସରକାର ନିଷ୍ପତ୍ତି ନେଇଥିଲେ ।

ଅନଧିକୃତ ଅନୁପସ୍ଥିତି ହେତୁ ୨.୭.୨୦୦୮ ତାରିଖରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଚିହ୍ନିତ ସ୍ଥାନରେ ଯୋଗ ଦେବା ପର୍ଯ୍ୟନ୍ତ ସମଗ୍ରକାଳ ଚାକିରି ଭଙ୍ଗ ଭୋଗିବେ, ସେହି ସମୟପାଇଁ କୌଣସି ବେତନ ଓ ଆନୁଷଙ୍ଗିକ ସୁବିଧା ଦାବି କରିବେନି ବୋଲି ସତ୍ୟପାଠ ଦାଖଲ କରିବେ ଓ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ତାଙ୍କଠାରୁ ଏହି ସତ୍ୟପାଠ ଗ୍ରହଣ କରି ତାଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ଭୁବନେଶ୍ଵର ବା ତହିଁ ସନ୍ନିକଟସ୍ଥ କୌଣସି ଏକ କଲେଜରେ ଯୋଗ ଦେବାକୁ ଆଦେଶ ଦେବେ । ଏହା ହିଁ ଥିଲା ସେହି ନିଷ୍ପତ୍ତି ।

ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ୨୨.୫.୨୦୧୮ର ଆଦେଶ (ଟିପ୍ପଣୀ-୨) ମୁତାବକ ୩ୟ ଅନୁସ୍ମାରକ ପଠାଇ ଉଚ୍ଚଶିକ୍ଷା ବିଭାଗ ଘୁମେଇ ପଡ଼ିଥିଲା ।

ରାଜ୍ୟପାଳଙ୍କୁ ପତ୍ର 

ମାତ୍ର ଯେତେବେଳେ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮କୁ ଅନୁମୋଦନ ନ ଦେଇ ସାନି ବିଚାରପାଇଁ ତାହାକୁ ବିଧାନସଭାକୁ ଫେରାଇ ଦିଅନ୍ତୁ ବୋଲି ୨୪.୫.୨୦୧୮ରେ ମୁଁ ରାଜ୍ୟପାଳଙ୍କୁ ପତ୍ର ଲେଖିଲି ଓ ତାହା ଉପରେ ରାଜ୍ୟପାଳ ଖୋଳତାଡ଼ କଲେ ଏବଂ ସଚିବାଳୟର ତୃତୀୟ ମହଲାରେ ତାହା କମ୍ପନ ସୃଷ୍ଟି କଲା, ସେତେବେଳେ ସରକାର ତତ୍ପର ହୋଇଉଠିଲେ ପ୍ରଦ୍ୟୁମ୍ନ ଶତପଥୀଙ୍କ ସ୍ତ୍ରୀ ମାନସୀଙ୍କୁ ଯେ କୌଣସି ପ୍ରକାରେ ହେଉ ବି ଚାକିରିରେ ସଂସ୍ଥାପିତ କରି ଭାଷା ଆନ୍ଦୋଳନର ଶକ୍ତି ଭାଙ୍ଗିବାକୁ । ଏହି ଅଭିସନ୍ଧି ଭାଷା ଆନ୍ଦୋଳନକୁ ଯେତିକି କ୍ଷତି ପହଞ୍ଚାଇଛି ତତୋଧିକ କ୍ଷତାକ୍ତ କରିଛି ଶାସନକଳର ଶୃଙ୍ଖଳାକୁ । (କ୍ରମଶଃ)

ପ୍ରଦ୍ୟୁମ୍ନ ଶତପଥୀଙ୍କ ସାହାଯ୍ୟକାରୀ ନିଜ ଭାରିଜାଙ୍କୁ ବନାଇଲେ ଯୌନଅଭିଯୋଗକାରିଣୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନକୁ ଛୁରି ମାରିବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପତ୍ନୀଙ୍କ ଚାକିରିରୂପକ ସୁପାରି ନେଇଥିବା ପ୍ରଦ୍ୟୁମ୍ନ ଶତପଥୀ ଏହା କରାଇଛନ୍ତି କି ତାଙ୍କୁ ରାଜକୋଷ ଲୁଟିବା ପାଇଁ ପରିବେଶ ତିଆରିକରିଥିବା ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର ଏହା କରିଛନ୍ତି , ତାହା ଜଣାପଡ଼ିବ ଅଭିଯୋଗଟି ଅଦାଲତକୁ ଆସିଲେ ।

କିନ୍ତୁ, ସତ୍ୟନାରାୟଣ ମହାପାତ୍ର ନାମକ ଜଣେ ଓକିଲଙ୍କଠାରୁ ରେଜିଷ୍ଟାର୍ଡ ଡାକରେ ମୁଁ ପାଇଥିବା ଓକିଲ ନୋଟିସରୁ ଜଣା ପଡ଼େ, ଉପରୋକ୍ତ ଅଫିସରଙ୍କ ସ୍ତ୍ରୀ ନିର୍ମଳା ମହାପାତ୍ର ମୋ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ, ମୁଁ ତାଙ୍କ ଘରକୁ ଯାଇ ତାଙ୍କ ଇଜ୍ଜତ ଲୁଣ୍ଠନ କରିଛି । ମୋତେ ଆଦୌ ନ ଜାଣିଥିବା ଏପରି ଜଣେ ମହିଳା ମୋ ବିରୁଦ୍ଧରେ ଏପରି ଏକ କପୋଳକଳ୍ପିତ ମିଥ୍ୟା ଅଭିଯୋଗ କାହିଁକି ଆଣିବେ?

ମୋର ଆଶଙ୍କା, ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବାକୁ ଥିବା ଉପର ସୂଚିତ ସୁପାରି-ସରଣି ସୁଗମ୍ୟ କରିବାକୁ ବିଭାଗୀୟ ନଥିରେ ଯେଉଁ ଆପରାଧିକ ଅଭିସନ୍ଧିମୂଳକ ଗାଲୁକଳ୍ପ ପ୍ରୟୋଗ କରିଥିଲେ, ତାହା ମୁଁ ପ୍ରଘଟ କରିଦେଇଥିବା ହେତୁ ଓ ସେହି ଭିତ୍ତିରେ ତାଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଆହ୍ଵାନ ଦେଇଥିବା ହେତୁ, ଘଡ଼ବଡ଼େଇ ଯାଇ ବିଚରା ମହାପାତ୍ର ନିଜ ସ୍ତ୍ରୀ (ଯଦି ଓକିଲ ଦେଇଥିବା ପରିଚୟ ଠିକ୍ ଥାଏ) ନିର୍ମଳାଙ୍କୁ ଏହି ମିଥ୍ୟା ଅଭିଯୋଗ କରିବା ପାଇଁ ବାଧ୍ୟ କରିଛନ୍ତି ।

କୌତୁହଳର କଥା, ପ୍ରଦ୍ୟୁମ୍ନଙ୍କୁ ସୁହାଇଲା ପରି ନଥି ସଜାଡ଼ିଲା ପରେ , ମହାପାତ୍ରେ ଅନୁଶାସନସଚିବ (Under Secretary) ପଦରୁ ଉପଶାସନସଚିବ (Deputy Secretary)  ପଦକୁ ପଦୋନ୍ନତି ପାଇଛନ୍ତି ।

ନିଜ ସ୍ତ୍ରୀଙ୍କୁ ଏପରି ମିଥ୍ୟା ଅଭିଯୋଗକାରିଣୀ ଭାବେ କାହା ବିରୁଦ୍ଧରେ ପ୍ରୟୋଗ କରିବା ଏକ ବିରଳ ଅପରାଧ ।