ବାରଶ ଷୋହଳ ଦିନରେ ଭାଷା ଆନ୍ଦୋଳନ : ସ୍ଵାକ୍ଷର ଢେଙ୍କାନାଳର

ନିଉଜ ସିଣ୍ଡିକେଟ
୧୩.୮.୨୦୧୯
ଇଂରେଜୀ କବଳରୁ ମୁକ୍ତି ପାଇଁ ଯେଉଁ ଢେଙ୍କନାଳ ଜିଲ୍ଲା ଦେଇଥିଲା ଭାରତକୁ କନିଷ୍ଠତମ ସହିଦ ବାଜି ରାଉତ, ଯେଉଁ ଢେଙ୍କନାଳ ଜିଲ୍ଲାର ବୀର ବୈଷ୍ଣବ ପଟ୍ଟନାୟକ ପ୍ରଜାମଣ୍ଡଳ ପ୍ରତିଷ୍ଠା କରି ରାଜୋଡ଼ା ବିଲୋପନର ପଥ ପରିଷ୍କାର କରିଥିଲେ କେବଳ ନୁହେଁ, ପାର୍ଲ୍ୟାମେଣ୍ଟରେ ଯୁଗାନ୍ତକାରୀ ଭାଷଣ ଦେଇ ରାଜାରାଜୁଡ଼ାଙ୍କ ହାତପାଣ୍ଠି ଓ ସ୍ବତନ୍ତ୍ର ଅଧିକାର ଲୋପ ପାଇଁ ପରିବେଶ ସୃଷ୍ଟି କରିଥିଲେ, ସେହି ବୀରପ୍ରସବିନୀ ଢେଙ୍କାନାଳର ତିନିଜଣ ବୀର ସନ୍ତାନ ଆଜି ଇଂରେଜୀ ଭାଷା କବଳରୁ ଆମର ମୁକ୍ତି ପାଇଁ କଳାପତାକା ଅଭିଯାନକୁ ଆଗେଇନେଇଛନ୍ତି ରାଜଧାନୀ ବକ୍ଷରେ ।

ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ଓ ଭାଇ କମଳ ଲୋଚନ ନାୟକଙ୍କ ହାତକୁ ଓଡ଼ିଆ ଭାଷାଜନନୀର ଏହି ବିଜୟଧ୍ବଜା ବଢେଇ ଦେଇଥିଲେ ବୈଜ୍ଞାନିକ ଡଃ ଅଶୋକ ମିଶ୍ର ।

ଆଜି ଥିଲା ଆମ ଜାତିର ଏହି ସର୍ବଶ୍ରେଷ୍ଠ ଆନ୍ଦୋଳନର ୧୨୧୬ତମ ଦିବସ ।

ଜନ୍ମନି ଜନ୍ମନି ତ୍ବମସି ଜନନୀ ଓଡ଼ିଆ ଜନନୀ, ଓଡ଼ିଆ ଜନନୀ ।।ଭାଷା ଜନନୀଙ୍କ ବିଜୟଯାତ୍ରା ଆଜି ଟପିଲା ୧୨୧୬ ଦିନ । ୧୩।୮।୨୦୧୯

Posted by Subhas Chandra Pattanayak on Tuesday, August 13, 2019

ଓଡ଼ିଆ ଜାତି ତାର ଅସ୍ମିତାପାଇଁ ସଂଗ୍ରାମରେ ଆଜିଯାଏଁ କେବେ ହାରି ନାହିଁ , ହାରିବ ବି ନାହିଁ ।
ଜୟ ମା ଓଡ଼ିଶା ।

ବାରଶ ପନ୍ଦର ଦିନରେ ଭାଷା ଆନ୍ଦୋଳନ : ଜଣେ ଓଡ଼ିଆ – ସେବେ ଧଉଳି ରଣାଙ୍ଗନରେ , ଆଜି ରାଜଧାନୀ ରାସ୍ତାରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବୁଦ୍ଧଙ୍କର ଜନ୍ମସ୍ଥାନକୁ ଅପବିତ୍ର କରି ବୌଦ୍ଧ ଧର୍ମର ମୂଳ ଉତ୍ସକୁ ନଷ୍ଟ କରିବା ପାଇଁ ମଗଧର ଚଣ୍ଡାଶୋକ ଆମକୁ ଆକ୍ରମଣ କରିଥିଲେ । ଶୋଚନୀୟ ପରାଜୟ ଭୋଗିଲେ ଓ ଯେଉଁ ବୌଦ୍ଧ ଧର୍ମକୁ ମାରା କରିବାକୁ ଆସିଥିଲେ, ଜୀବନ ବଞ୍ଚାଇବାକୁ ସେହି ଧର୍ମରେ ଦୀକ୍ଷା ନେଇ ଫେରିଗଲା ପରେ ମଗଧରେ ପ୍ରୌଢୀ ଦେଖାଇ କହିଲେ, ଯୁଦ୍ଧର ବିଭୀଷିକା ଦେଖି ତାଙ୍କ ହୃଦୟ ତରଳିଗଲା ଓ ସେ ବୌଦ୍ଧ ଧର୍ମ ଗ୍ରହଣ କରିଗଲେ।

ଯାହା ହେଉ , ଏ ବିଭୀଷିକା ବର୍ଣନା କରିବାକୁ ସେ ଯେଉଁ ଦୃଶ୍ୟପଟର ଅବତାରଣା କରିଥିଲେ, କପୋଳ କଳ୍ପିତ କିମ୍ବଦନ୍ତୀ ହେଉ ପଛେ ,ତାହା ଆମକୁ ଦିଏ ଅଶୋକଙ୍କ ମାନସପଟରେ ଥିବା ଆମ ଜାତୀୟ ଚରିତ୍ରର ଏକ ଚିତ୍ର । ତାହା ହେଲା, ଧଉଳିଗିରି ପାଦଦେଶରେ ମରି ପଡ଼ିଛନ୍ତି ଆମର ସବୁ ସୈନ୍ୟ ; ଦୟାନଦୀର ନୀଳ ପାଣି ସେମାନଙ୍କ ରକ୍ତରେ ଲାଲ । ଚଣ୍ଡାଶୋକ ଅଟ୍ଟହାସ୍ୟ କରି କହି ଉଠିଲେ – ଯେଉଁ ଜାତି ଏଯାଏଁ ଥିଲା ଅପରାଜେୟ ତାହାକୁ ମୁଁ ଜୟ କରିଗଲି ! ତାଙ୍କୁ ଲାଗିଲା , ମୃତ୍ୟୁର ସେହି ମହା ନିସ୍ତବ୍ଧତା ଭେଦ କରି କିଏ ଯେମିତି କିଛି କହୁଛି । ସେହି ଶବ୍ଦ ଆସୁଥିବା ଦିଗକୁ ଦୃଷ୍ଟି ପକାଇ ସେ ଦେଖିଲେ, ପଡ଼ିରହିଥିବା ଜଣେ ସୈନିକର କଷ୍ଟେମଷ୍ଟେ ଉପରକୁ ଉଠିଥିବା ଗୋଟାଏ ହାତରେ ପଟେ ତଲୱାର ଝଲସି ଉଠୁଛି ଘନକୃଷ୍ଣ ମେଘ ଦେହରେ ବିଦ୍ୟୁତ ଚହଟିଲା ପରି । କୌତୁହଳ ସମ୍ଭରଣ କରିନପାରି ସେ ତା ପାଖକୁ ଗଲେ । ଭୟଙ୍କର ଭାବେ କ୍ଷତାକ୍ତ ହୋଇ ତଳେ ପଡ଼ିଥିବା ସେହି ମୁମୂର୍ଷୁ ସୈନିକ ତଲୱାର ଚହଟାଇ କହୁଥିଲା, “ମୂର୍ଖ ଅଶୋକ, ମୁଁ ତ ଏଯାଏଁ ବଞ୍ଚିଛି , ମୋ ଜାତି ହାରିଗଲା କେତେବେଳେ?”

ଅଶୋକ ଏହା ଦେଖି ଅଭିଭୂତ ହୋଇଗଲେ ଓ ଚିତ୍କାର କରି କହିଲେ, “ଯେଉଁ ଜାତିର ଜଣେ ବି ବ୍ୟକ୍ତି ମୃତ୍ୟୁ ମୁଖରେ ବି ଏକାକୀ ତାର ମାତୃଭୂମି ଓ ତାର ଆଦର୍ଶ ସହ ଅଟଳ ଥାଏ ସେ ଜାତି କେବେ ବି ପରାଜିତ ହୋଇ ନପାରେ ।” ଏବଂ ଏହା କହି, ସେହି ଚଣ୍ଡାଶୋକ ନିଜକୁ ଧିକ୍କାର କଲେ ଓ ଅନୁତାପ ବହ୍ନିରେ ଝାସ ଦେଲେ ।

ପରମ ଦୟାଳୁ ବୁଦ୍ଧଙ୍କର ଜଣେ ଶିଷ୍ୟ ତାଙ୍କୁ ପାପମୁକ୍ତ କରିବା ପାଇଁ ବୌଦ୍ଧ ଧର୍ମରେ ଦୀକ୍ଷା ଦେଲେ ।

ଏହାହିଁ ହେଉଛି ଓଡ଼ିଆ ଜାତିର ଗରିମାର ଏକ ଚିତ୍ର ।

ସେଦିନ ପରି ଆଜି ବି ଜଣେ ଓଡ଼ିଆ ଏ ଭୟଙ୍କର ବର୍ଷାରେ ଏକୁଟିଆ କଳା ପତାକା ତୋଳି ଭାଷା ଜନନୀଙ୍କ ବିଜୟଯାତ୍ରାକୁ ଅବ୍ୟାହତ ରଖିଛନ୍ତି । ଏହି ସର୍ବଶ୍ରେଷ୍ଠ ଓଡ଼ିଆ ହେଲେ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ।

ଆଜି ଥିଲା ଆମ ଆଂଦୋଳନର ୧୨୧୫ ତମ ଦିବସ । ଏହିପରି ଏକଦା କଳା ପତାକା ଧରି ଏକାକୀ ଚାଲିଥିବା ବୈଜ୍ଞାନିକ ଡଃ ଅଶୋକ ମିଶ୍ର ଆଜିର ଏ ଅଭିଯାନ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ସମ୍ମୁଖରେ ଆରମ୍ଭ କରାଇଥିଲେ ଓ ଭାଷାପ୍ରାଣ ରଞ୍ଜନ କୁମାର ସାହୁ ଓଡ଼ିଆ ଜାତି ପାଇଁ ଏ ବିରଳ ଦୃଶ୍ୟ ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ କୁଳବୃଦ୍ଧ ମଧୁସୂଦନଙ୍କ ସମ୍ମୁଖରେ ଭାଷା ବନ୍ଦନାରେ ସହଯୋଗ କରିଥିଲେ ଭାଇ ସୁଭାଷଙ୍କ ସହ ।

ମାତୃଭାଷାପ୍ରେମୀ ସମ୍ମିଳନୀ // ତୁଷାରକାନ୍ତ ଶତପଥୀ

ନିଉଜ ସିଣ୍ଡିକେଟ

ଓଡ଼ିଶା ସରକାରୀ ଭାଷା ଆଇନରୁ ଧାରା ‘୪କ’ର ବିଲୋପନ ତଥା ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଦତ୍ତ ଭାଷା ନିୟମାବଳୀର ପ୍ରବର୍ତ୍ତନର ଆବଶ୍ୟକତା ଉପରେ ଜୁଲାଇ ୧୭ ତାରିଖରେ ଲୋହିଆ ଏକାଡ଼େମୀରେ ଅନୁଷ୍ଠିତ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀରେ ଭାଷା ଆନ୍ଦୋଳନ ପ୍ରତି ଏକାନ୍ତ ଆଦର୍ଶମୟ ଅବଦାନ ଦେଇଆସିଥିବା ଜନସ୍ଵାର୍ଥର ଅତନ୍ଦ୍ର ପ୍ରହରୀ ବରେଣ୍ୟ ତୁଷାରକାନ୍ତ ଶତପଥୀ ପ୍ରଦାନ କରିଥିବା ଭାଷଣ :

ମାତୃଭାଷାପ୍ରେମୀ ସମ୍ମିଳନୀ // ପ୍ରଫୁଲ୍ଲ ସାମନ୍ତରା

ନିଉଜ ସିଣ୍ଡିକେଟ

ଓଡ଼ିଶା ସରକାରୀ ଭାଷା ଆଇନରୁ ଧାରା ‘୪କ’ର ବିଲୋପନ ତଥା ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଦତ୍ତ ଭାଷା ନିୟମାବଳୀର ପ୍ରବର୍ତ୍ତନର ଆବଶ୍ୟକତା ଉପରେ :ଜୁଲାଇ ୧୭ ତାରିଖରେ ଲୋହିଆ ଏକାଡ଼େମୀରେ ଅନୁଷ୍ଠିତ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ଵବିଖ୍ୟାତ ପରିବେଶବିତ୍ , ତ୍ୟାଗୀ ତଥା ଲୋକଶକ୍ତି ଅଭିଯାନର ମୁଖ୍ୟ ବରେଣ୍ୟ ପ୍ରଫୁଲ୍ଲ ସମନ୍ତରା ଦେଇଥିବା ଭାଷଣ :

ମାତୃଭାଷାପ୍ରେମୀ ସମ୍ମିଳନୀ // ପ୍ରଫେସର କମଳା ପ୍ରସାଦ ମହାପାତ୍ର

ନିଉଜ ସିଣ୍ଡିକେଟ
ଓଡ଼ିଶା ସରକାରୀ ଭାଷା ଆଇନରୁ ଧାରା ‘୪କ’ର ବିଲୋପନ ତଥା ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଦତ୍ତ ଭାଷା ନିୟମାବଳୀର ପ୍ରବର୍ତ୍ତନର ଆବଶ୍ୟକତା ଉପରେ :ଜୁଲାଇ ୧୭ ତାରିଖରେ ଲୋହିଆ ଏକାଡ଼େମୀରେ ଅନୁଷ୍ଠିତ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଫେସର କମଳାପ୍ରସାଦ ମହାପାତ୍ର ଦେଇଥିବା ଭାଷଣ :