Category: କ୍ରମବିକାଶ
Is Facebook responsible for obliteration of the ‘Share’ button?
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଏଠାରେ ସ୍ଥାନିତ ଚିତ୍ରଗୁଡ଼ିକୁ ମନ ଦେଇ ଦେଖନ୍ତୁ ∣ ଏଗୁଡ଼ିକ ଭାଷା ଆନ୍ଦୋଳନର କଳାପତାକା ଅଭିଯାତ୍ରୀମାନଙ୍କୁ ପୋଲିସ ଦ୍ଵାରା ଅଯଥା ଅଟକ ଯାଇଥିବାର ଦୃଶ୍ୟ ସମ୍ବଳିତ ଫଟୋ ଯାହାକୁ ଆନ୍ଦୋଳନର ଆବାହକ ପବିତ୍ର ମହାରଥା ସାମାଜିକ ଗଣମାଧ୍ୟମ – ଫେସବୁକ – ରେ ଆପଣମାନଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି ∣
ଆପଣମାନେ ଜାଣନ୍ତି ଭାଷା ଆଇନ ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଏବଂ ତାର ସମସ୍ତ ପଦ୍ଧତ୍ତି ଆଇନରେ ଲିପିବଦ୍ଧ କରିବା ପାଇଁ ଭାଷା ଆନ୍ଦୋଳନ ଯେଉଁ ଦାବି ଚଳାଇଛି ତାହା ଠିକ ବୋଲି ଭାବି ରାଜ୍ୟ ମନ୍ତ୍ରୀମଣ୍ଡଳ ଶାସକ ଦଳର ୨ ବର୍ଷ ପରିପାଳନ କାଳରେ ପ୍ରସ୍ତାବ ଗ୍ରହଣ କରିଛି ∣ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅମଲାମାନେ ତାକୁ ଭଣ୍ଡୁର କରିବା ପାଇଁ ଷଡ଼ଯନ୍ତ୍ରରେ ଲିପ୍ତ ∣
ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିର ଯେଉଁ ପ୍ରେସ ଵିଜ୍ଞପ୍ତି ପ୍ରଚାରିତ ହୋଇଛି ତହିଁରୁ ଜଣାଯାଏ , ଏହି ମନ୍ତ୍ରୀମଣ୍ଡଳୀୟ ନିଷ୍ପତ୍ତିରେ ଆମ ମାତୃଭାଷାକୁ ଭାଷା ମାଫିଆଙ୍କ ଚାରଣ ଭୂମି କରିବା ସକାଶେ ବେସରକାରୀ ସଂସ୍ଥା ସହ ସହଭାଗିତା ଓ ଭାଷା ଆନ୍ଦୋଳନର ‘ ଭାଷା ଅଦାଲତ’ ବଦଳରେ ‘ଭାଷା କମିଶନ’ ପରି ବିଷାକ୍ତ ଉପାଦାନ ଖଞ୍ଜା ହୋଇଛି ତଥା ଦଣ୍ଡବିଧାନର ନିର୍ଦ୍ଦିଷ୍ଟ ସ୍ବରୂପ ଓ ପରିମାଣ ଉପରେ ମନ୍ତ୍ରିମଣ୍ଡଳର ମତ ସ୍ପଷ୍ଟ ହୋଇନଥିବା ହେତୁ ଅମଲାତନ୍ତ୍ରର ମର୍ଜି ପାଖରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହକର୍ମୀମାନେ ଓଡ଼ିଆ ଜାତିକୁ ପୁନର୍ବାର ବନ୍ଧା ପକାଇଛନ୍ତି ∣
ଏହି ପ୍ରବଞ୍ଚନାକୁ ଭାଷା ଆନ୍ଦୋଳନ ଗ୍ରହଣ ନ କରି ତାର ଅଭିଯାନ ଚଳାଇ ରଖିଛି ∣
ସୁତରାଂ ଓଡ଼ିଆ ଜାତି ପାଇଁ ପବିତ୍ର ବାବୁ ଉପସ୍ଥାପନା କରୁଥିବା ଫଟୋ-ସମ୍ବାଦ ଅତି ଗୁରୁତ୍ବପୂର୍ଣ ∣
ଏହି ମେଡିଆରେ ରହୁଥିବା ଉପସ୍ଥାପନାକୁ ଜନଗଣ ପରସ୍ପର ଭିତରେ ପ୍ରସାରିତ (Share) କରିବାପାଇଁ ବ୍ୟବସ୍ଥା ଥାଏ ଓ ସେଥିପାଇଁ ଏହା ଗଣମାଧ୍ୟମ ଭାବେ ବିବେଚିତ ∣ ମାତ୍ର ପବିତ୍ରଙ୍କୁ ଉପସ୍ଥାପନାରେ ଗତ କିଛି ଦିନ ଧରି ଏହି ପ୍ରସାରଣ ବ୍ୟବସ୍ଥାକୁ ଉଠେଇ ଦିଆଯାଇଛି ∣
ଆମର ଆଶଙ୍କା , ଏହି ହୀନ କାମ ଭାଷା ମାଫିଆମାନେ ଓ / ବା ଓଡିଶା ସରକାରଙ୍କ ଓଡ଼ିଆ ଭାଷା
ଵିରୋଧୀ ଅମଲାମାନେ ଓ / ବା ସେମାନଙ୍କ ଚାପରେ ଫେସବୁକ #Facebook ସଂସ୍ଥା କରିଥାଇପାରନ୍ତି ∣
ଏହି ଷଡଯନ୍ତ୍ର ବିରୁଦ୍ଧରେ ଓଡ଼ିଆ ଜାତି ଅଧିକ ସଂଗଠିତ ହେବାକୁ ହେବ ∣
ପବିତ୍ର ବାବୁଙ୍କ timelineରେ ସମ୍ପ୍ରସାରିତ ହୋଇପାରୁନଥିବା ଗତକାଲିର ଫଟୋ-ସମ୍ବାଦଗୁଡିକ ନିମ୍ନରେ ଦିଆଗଲା :
Bhasha Andolan rejects the Cabinet Resolution
ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଭାଷା ଆନ୍ଦୋଳନ ପକ୍ଷେ ଗ୍ରହଣୀୟ ନୁହେଁ
ଓଡ଼ିଶାରେ କ୍ଷମତାସୀନ ବିଜଦର 20 ବର୍ଷ କ୍ଷମତାଭୋଗ ଖୁସିରେ ପୁରୀ ସହରରେ ମନ୍ତ୍ରୀମଣ୍ଡଳ ବୈଠକ ବସି ଓଡ଼ିଆ ଭାଷାକୁ କେନ୍ଦ୍ର କରି ଯେଉଁ କେତେକ ନିଷ୍ପତ୍ତି ନେଇଛନ୍ତି ତାହା ଓଡ଼ିଆ ବିରୋଧୀମାନଙ୍କର ତଥା ଭାଷା ମାଫିଆମାନଙ୍କର ଅଭିସନ୍ଧି ଅନୁରୂପ ହୋଇଥିବା ହେତୁ ଭାଷା ଆନ୍ଦୋଳନ, ଓଡିଶା ଘୋର କ୍ଷୋଭ ପ୍ରକାଶ କରୁଛି ∣ ସରକାରୀ ଭାଷା ଆଇନ 1954ର ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ମନ୍ତ୍ରୀଂମଣ୍ଡଳ ନେଇଥିବା ନିଷ୍ପତ୍ତିରେ ଯଦି ଆନ୍ତରିକତା ଥାନ୍ତା , ଦଂଡର ପରିମାଣ, ଦଣ୍ଡବିଧାନର ନ୍ୟାୟିକ ପଦ୍ଦତ୍ତି ଇତ୍ୟାଦି ସେହି ଏକା ବୈଠକରେ ସଜ୍ଞାୟିତ ହୋଇଥାନ୍ତା ∣ ତାହା ନ କରି ପୂର୍ବପରି ଶବ୍ଦଜାଲ ସୃଷ୍ଟିକରଯାଇ ଓଡ଼ିଆ ଜାତିକୁ ପ୍ରତାରିତ କରିବାକୁ ଚେଷ୍ଟା ହୋଇଥିବା ହେତୁ ଏହି କ୍ୟାବିନେଟ ନିଷ୍ପତ୍ତିରେ ଭାଷା ଆନ୍ଦୋଳନ ପ୍ରଭାବିତ ନ ହୋଇ କଳାପତାକା ଅଭିଯାନ ଜୋରଦାର ହେବ ବୋଲି ଆନ୍ଦୋଳନର ନେତୃତ୍ବ ଘୋଷଣା କରିଛି ∣
ଭାଷା ଆନ୍ଦୋଳନ ଦାବିର ଗରିମା ଓ ଗୁରୁତ୍ବ ସରକାର ବହୁ ବିଳମ୍ବରେ ଉପଲବ୍ଧି କରିଥିବା ଆଶ୍ଵସନାର କଥା ହୋଇଥିଲେ ମଧ୍ୟ, ଏହି କ୍ୟାବିନେଟ ନିଷ୍ପତ୍ତିରେ କୌଣସି ସ୍ପଷ୍ଟତା ନାହିଁ ∣ ଦଣ୍ଡବିଧାନର ସ୍ଵରୂପ କଣ ହେବ ତାହା ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଦେଇଥିବା ଚିଠା ନିୟମାବଳୀରେ ଉଲ୍ଲେଖ କରାଯାଇଥିବା ବେଳେ ସରକାର ସେ ସମ୍ପର୍କରେ ମୌନ ରହିଛନ୍ତି ∣
ଓଡ଼ିଆ ଭାଷାକୁ ବ୍ୟବସାୟିକ ପଣ୍ୟ କରିବାପାଇଁ ସହଭାଗିତାରେ କାମ କରିବାକୁ କହି ସରକାର ଭାଷା ମାଫିଆମାନଙ୍କୁ ପ୍ରୋତ୍ସାହନ ଦେବାକୁ ଯେଉଁ ନିଷ୍ପତ୍ତି କରିଛନ୍ତି ଭାଷା ଆନ୍ଦୋଳନ ତାକୁ ବିରୋଧ ସହ ତୀବ୍ର ନିନ୍ଦା କରୁଛି , କାରଣ ଭାଷା ମାଫିଆମାନେ ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କୀୟ ସରକାରୀ ସନ୍ଦର୍ଭ ଚୋରି କରିଥିବା ଅଭିଯୋଗ ଏବେ ତଦନ୍ତ ଅପେକ୍ଷାରେ ∣
ଭାଷା ଆନ୍ଦୋଳନ ଭାଷା ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡ ପ୍ରଦାନ କରିବା ପାଇଁ ୩.୯.୨୦୧୫ରେ ଅଧ୍ୟକ୍ଷ ରଖିଥିବା ପ୍ରସ୍ତାବ ଅନୁଯାୟୀ ଏକ ‘ଭାଷା ବିଚାରାଳୟ’ ପାଇଁ ଦାବି କରିଆସିଛି ∣ ଏହା ଜଣେ ଜିଲ୍ଲା ଜଜ ପାହ୍ୟାର ବିଚାରପତିଙ୍କ ଅଧ୍ୟକ୍ଷତାରେ ଦଂଡବିଧିବିଧାନ ବ୍ୟବସ୍ଥା ଅନୁସାରେ ଚାଲିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିରେ ଯେଉଁ ଚିଠା ନିୟମାବଳୀ ଦେଇଥିଲେ ତାହାକୁ ଗ୍ରହଣ କରି ଭାଷା ବିଚାରାଳୟ ସ୍ଥାପନ କରିବାକୁ ଓ ଦଣ୍ଡ ସଂହିତା ଅନୁସାରେ ଏହି ବିଚାରାଳୟକୁ ସଶକ୍ତିକୃତ କରିବାକୁ ଭାଷା ଆନ୍ଦୋଳନ ଦାବି କରିବା ସହ ମନ୍ତ୍ରୀଂମଣ୍ଡଳ ଗ୍ରହଣ କରିଥିବା ଭାଷା କମିଶନ ପ୍ରସ୍ତାବକୁ ତଦନୁଯାୟୀ ପୁନଃ ନାମିତ କରିବାକୁ ଭାଷା ଆନ୍ଦୋଳନ ଦାବି କରୁଛି ∣
ଓଡ଼ିଆ ବିଦ୍ୟାଳୟଗୁଡିକୁ ରୁଗ୍ଣ କରି ରଖିଥିବା ସରକାର ଓଡ଼ିଆରେ ଭଲ କରୁଥିବା ଶିକ୍ଷାର୍ଥୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ଯାହା କହିଛନ୍ତି ତାହା କେବଳ ଆମ ଲୋକଙ୍କୁ ଭୁଆଁ ବୁଲାଇବାପାଇଁ ଉଦ୍ଦିଷ୍ଟ ∣ ଭାଷା ଆନ୍ଦୋଳନ ଦାବି କରୁଛି, ଏପରି ପଦକ୍ଷେପ ନେବା ପୂର୍ବରୁ ପ୍ରତି ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରାଯାଉ ଓ ଓଡ଼ିଆ ଭାଷାକୁ ପ୍ରାଥମିକତା ଦିଆଯାଉ ଓ ସମସ୍ତ ଶିକ୍ଷାର୍ଥୀଙ୍କୁ ଶିକ୍ଷାରଯାନର ସମାନ ସୁବିଧାସୁଯୋଗ ସୁନିଶ୍ଚିତ କରାଯାଉ ∣
ଉପରୋକ୍ତ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଚାଲିରହିବ ଓ ଅଧିକ ପ୍ରସାରିତ ହେବ ବୋଲି ଭାଷା ଆନ୍ଦୋଳନ, ଓଡିଶା∣ର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓ ତାଙ୍କ ସହକର୍ମୀମାନେ ଏକ ପ୍ରେସ ଵିଜ୍ଞପ୍ତିରେ କହିଛନ୍ତି ∣
Cabinet Resolution too tricky to be noted as honest
ଯାହା ଜଣାପଡୁଛି , ସରକାର ଭାଷା ଆନ୍ଦୋଳନ ଦାବିର ଗରିମା ଓ ଗୁରୁତ୍ବ ଉପଲବ୍ଧି କରିଛନ୍ତି ∣ ଆଜି ପୁରୀରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳର ସ୍ବତନ୍ତ୍ର ବୈଠକରେ ଗୃହୀତ ପ୍ରସ୍ତାବର ପ୍ରେସନୋଟ ନିମ୍ନରେ ଦିଆଗଲା ∣ ଲକ୍ଷ୍ୟ କରିବାର କଥା , ଏଥିରେ ଅତି ଚତୁରତା ସହ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ଓଡ଼ିଆ ଜାତିକୁ ଯେଉଁ ଭାଷା ଅଧିକାର ଦେଇଥିଲା ତାହାକୁ ଖର୍ବ କରିବା ପାଇଁ ଓଡ଼ିଆ ବିଦ୍ଵେଷୀମାନେ ଉପାଦାନ ଖଞ୍ଜିଛନ୍ତି । ଆମକୁ ଏହାକୁ ବିରୋଧ କରିବାକୁ ହେବ ।
– ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ,ଓଡ଼ିଶା