ମୋ ଭାଷା-ମାଆ ସହ ମୁଁ , ପରିସ୍ଥିତି ଯାହା ବି ହେଉ : ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରର ସ୍ଵର

(ସୂତ୍ର: ଆମ ଭାଷା ଆମ ଅଧିକର)

ଭାଷା ଆନ୍ଦୋଳନର ଚତୁର୍ଥ ସପ୍ତାହନ୍ତ ପାଠଚକ୍ର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ଏହି ପାଠଚକ୍ରରେ ପୁରୀରୁ ମହେନ୍ଦ୍ର ତ୍ରିପାଠୀ ପ୍ରଥମେ ଭାଷା ମାଆ ପାଇଁ ତାଙ୍କର କବିତା ଆବୃତ୍ତି କରିଥିଲେ | ପରେ ପରେ ରଂଜନ କୁମାର ସାହୁ ‘ଭାଷା ବନ୍ଦନା’ ଆବୃତ୍ତି କରିଥିଲେ | ପରିଶେଷରେ ଆଲୋଚ୍ୟ ବିଷୟ (ମୁଁ ଓ ମାତୃଭାଷା) ଉପରେ ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ |

ରାୟଗଡ଼ାରୁ ସରୋଜ ମହାନ୍ତି ରାଜ୍ୟର ଅର୍ଥନୈତିକ ବିକାଶରେ ଭାଷାର ଭୂମିକା ଉପରେ ମତ ରଖିଥିଲେ | ବଲାଙ୍ଗୀରରୁ ରାଜେଶ ଶତପଥୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ନିଜ ମାତୃଭାଷା ପ୍ରତି ନିଜ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ | ଶ୍ୟାମଘନ ମହାରଣା କହିଥିଲେ ଯେ ଭାଷାରେ ରାଜ୍ୟ ପରିଚାଳନା ହେଲେ ହିଁ ଭାଷା ନିରାପଦ ରହିବା ଓ ତାର ଉତ୍ତରୋତ୍ତର ଉନ୍ନତି ସମ୍ଭବ ହେବ ।  ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି କିଭଳି ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଅନ୍ୟ ରାଜ୍ୟ ଭଳି ସରକାରୀ ସ୍ତରରେ ପ୍ରାଧାନ୍ୟ ଦେବା ଆବଶ୍ୟକ ତାହା ଉପରେ ଆଲୋକପାତ କରିଥିଲେ | ଆଠଗଡ଼ରୁ ନିର୍ମଳ କୁମାର ଭାଗ ନେଇ ସରକାରଙ୍କ କରୋନା ସମ୍ପର୍କୀୟ ସୂଚନା ଓଡ଼ିଆରେ ପ୍ରଦାନ ନହେଉଥିବାରୁ ଏହାକୁ ନିନ୍ଦା କରିଥିଲେ | ଏହି ସଭାରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କଟକରୁ ରମାକାନ୍ତ ଭୂୟାଁ, ଯାଜପୁରରୁ ସୌଭାଗ୍ୟ ରାଉତ, ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଏହି ପାଠଚକ୍ରରେ ଯୋଗ ଦେଇ ରାଜ୍ୟସରକାରଙ୍କ ଇଂରାଜୀମନସ୍କତା ଓଡ଼ିଆ ଭାଷାର ଦୁର୍ଗତିର କାରଣ ବୋଲି କହି ଥିଲେ |

ସମସ୍ତେ ନିଜ ନିଜ ବକ୍ତବ୍ୟରେ ଯାହା ଯାହା କହିଥିଲେ, ତାର ସାରାଂଶ ହେଲା, ମୋ ମାତୃଭାଷା ମୋର ଏବଂ ତା ସହ ମୁଁ ଠିଆହେବି ପରିସ୍ଥିତି ଯାହା ହେଉ ନାଁ କାହିଁକି ।

ଗଣମାଧ୍ୟମ ଆମ ମାତୃଭାଷାର ମୂଳ ଚେହେରାକୁ ବିକୃତ ନ କରୁ: ଅଧ୍ୟାପକ ନିରଞ୍ଜନ ପାଢ଼ୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ଓଡ଼ିଆ ଭାଷାରେ ଓଡ଼ିଶା ପରିଚାଳନା ପାଇଁ ଚାଲିଥିବା ଭାଷା ଆନ୍ଦୋଳନକୁ ଲେଖା ମାଧ୍ୟମରେ ଓ  ଭାଷଣ ମାଧ୍ୟମରେ ଯେପରି ଶକ୍ତି ଯୋଗାଇଛନ୍ତି, କଳାପତାକା ଅଭିଯାନରେ ସ୍ଵୟଂ ଅଂଶଗ୍ରହଣ କରି ଏହାକୁ ସେପରି ସଶକ୍ତିକୃତ କରିଛନ୍ତି ।

ସରକାରୀ ଚାପରେ ଓଡ଼ିଶାର ଏହି ଅନନ୍ୟ ଆନ୍ଦୋଳନକୁ ଓଡ଼ିଶାର ନାମକରା ଗଣମାଧ୍ୟମ ସଂଗଠନମାନେ ଯେତେବେଳେ ଛାୟାଛନ୍ନ (blackout) କରିରଖିଛନ୍ତି , ସେତେବେଳେ ସେମାନେ ମଧ୍ୟ ଓଡ଼ିଆ ଭାଷାର ବିକୃତୀକରଣ ଘଟାଇ ଚାଲିଛନ୍ତି ଉଦ୍ଦେଶ୍ୟମୂଳକ ଭାବେ ।

ଓଡ଼ିଆ ଭାଷାଜନନୀର ଏହି ଦାରୁଣ ଦୁଃସମୟରେ ଓଡ଼ିଶାର ପୁରସ୍କାରପ୍ରମତ୍ତ ଓ ସରକାରୀକରୁଣାକାଙ୍ଗାଳ ସାହିତ୍ୟିକମାନଙ୍କ ପରି ନିରବଦ୍ରଷ୍ଟା ହୋଇନରହି ମା ଓଡ଼ିଶାର ଏହି ଶ୍ରେଷ୍ଠ ସନ୍ତାନ ଆଜିର ଧରିତ୍ରୀରେ ତାଙ୍କ ନିୟମିତ ସ୍ତମ୍ଭରେ ଯାହା ଲେଖିଛନ୍ତି ତାହା ଓଡ଼ିଶାର ସମସ୍ତଙ୍କ , ବିଶେଷତଃ ଭାଷା ଆନ୍ଦୋଳନ ସହ ଜଡ଼ିତ ସମସ୍ତଙ୍କ ଅବଗତିକୁ ଆସିବା ଉଚିତ । ଏଥିପାଇଁ, ଅଧ୍ୟାପକ ପାଢ଼ୀଙ୍କ ଅନୁମତି ନେଇ ତାହାକୁ ନିମ୍ନରେ ସ୍ଥାନିତ କରାଗଲା ;-

 

ନବୀନଙ୍କ ରାଜୁତିରେ ମୃତ୍ୟୁ ମୁହଁରେ ଓଡ଼ିଆ ଭାଷା: ଭାଷା ଆନ୍ଦୋଳନର ସିଧାପ୍ରସାରଣରେ ଡଃ ଗୋବିନ୍ଦ ଭୂୟାଁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଶିଷ୍ଟ ଲେଖକ ଓ ସ୍ତମ୍ଭକର ଡଃ ଗୋବିନ୍ଦ ଭୂୟାଁ ଭାଷା ଆନ୍ଦୋଳନର ‘ଭାଷା ମା ପାଇଁ ପଦେ’ ମଞ୍ଚରୁ ସିଧା ପ୍ରସାରିତ ହୋଇଥିବା ବକ୍ତବ୍ୟରେ ଓଡ଼ିଆ ଭାଷାର ଗରିମାମୟ ଅତୀତ ଓ ଅଗ୍ରଗତିର ଏକ ଆଲୋକବର୍ଷୀ ବର୍ଣନା ରଖି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ଓଡ଼ିଆ ଜାତିର ମାତୃଭାଷାକୁ ମାରିଦେବାକୁ ଉଦ୍ୟମ ଚାଲିଥିବା ଦର୍ଶାଇଛନ୍ତି ।

ଉଲ୍ଲେଖନୀୟ ଯେ, କରୋନା କାଳରେ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଥିବାବେଳେ ବୌଦ୍ଧିକତଃ ଅବ୍ୟାହତ ଅଛି ଓ ପ୍ରତି ସପ୍ତାହରେ ଜଣେ ବିଜ୍ଞ ଓଡ଼ିଆ ଫେସ୍ ବୁକ୍ ମାଧ୍ୟମରେ ଏହି ଭିଡ଼ିଓ ବକ୍ତୃତାମାଳାରେ ଏହି ଅଭିଯାନକୁ ସମର୍ଥନ ପ୍ରଦାନ କରୁଛନ୍ତି । ଜୁଲାଇ ୨୦ ସୋମବାର ସିଧାପ୍ରସାରିତ ହୋଇଥିଲା ଡଃ ଭୂୟାଁଙ୍କ ବକ୍ତୃତା ।

ସମୟସୀମା ଦୃଷ୍ଟିରୁ ତାହା ଅଦ୍ୟତନ କରି ନିମ୍ନରେ ପ୍ରଦତ୍ତ ହେଲା –

ଆରମ୍ଭ ହେଲା ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ର

ଦି ନିଉଜ୍ ସିଣ୍ଡିକେଟ୍

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ: ଓଡ଼ିଆ ଭାଷାରେ ରାଜ୍ୟ ପରିଚାଳନା । :

ଭାଷା ଆନ୍ଦୋଳନର ଏକମାତ୍ର ଉଦ୍ଦେଶ୍ୟ : ଭାଷା ଆଇନର କାର୍ଯ୍ୟକାରୀତା ପଥରୁ ସମସ୍ତ ଅନ୍ତରାୟ ଅପସାରଣ ପାଇଁ ଏହାର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିର ସଭ୍ଯ ଭାବେ ସେପ୍ଟେମ୍ବର ୩, ୨୦୧୫ ତାରିଖରେ ଦେଇଥିବା ଆଇନ ସଂଶୋଧନ ପ୍ରସ୍ତାବ ଓ ନିୟମାବଳୀର ବିଧିକ ରୂପାୟନ ।

ଏହି ପ୍ରସ୍ତାବ ଅନୁସାରେ ଭାଷା ଆଇନରେ ଧାରା -୫ ଖଞ୍ଜିବାକୁ ସରକାର ବାଧ୍ୟ ହୋଇଥିଲେ ମଧ୍ୟ ଅଣଓଡ଼ିଆ ଅଫିସରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ମିଳାଇ, ବିଧାନସଭାକୁ ମିଛ କହି, ପାଶବିକ ସଂଖ୍ୟାଗରିଷ୍ଠତା ବଳରେ ଭାଷା ଆଇନରେ ଧାରା-୪ ଓ ଧାରା – ୪କ ନାମକ ଦୁଇଟି ଓଡ଼ିଆ ବିରୋଧୀ ବ୍ୟବସ୍ଥା ଖଞ୍ଜିଛନ୍ତି । ମାର୍ଚ୍ଚ ୧୪, ୨୦୧୮ ତାରିଖର ଯେଉଁ କ୍ୟାବିନେଟ୍ ବୈଠକରେ ସୁଭାଷବାବୁଙ୍କ ପ୍ରସ୍ତାବ ଅନୁରୂପ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା, ସେହି କ୍ୟାବିନେଟ୍ ବୈଠକକୁ ମୁଖ୍ୟମନ୍ତ୍ରୀ ଗାଏବ କରିଦେବା ପରି ଅପରାଧ ବି କରିଛନ୍ତି ଓଡ଼ିଆ ଜାତିକୁ ତାର ଭାଷା ଅଧିକାର ନଦେବାପାଇଁ । କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଓ ସମଗ୍ର ବିଶ୍ଵରେ ବିଧାନ ପ୍ରଣଯନ କ୍ଷେତ୍ରରେ ଏପରି ଦୁଷ୍କର୍ମର ପଟାନ୍ତର ନାହିଁ । ଏହି ଦୁଷ୍କର୍ମ କରି ଖସିଯିବା ପାଇଁ ଭାଷା ଆନ୍ଦୋଳନରେ ସୁଭାଷବାବୁଙ୍କର ଘନିଷ୍ଠ ସହଯୋଗୀ ଭାବେ ପରିଚୟ ଲାଭ କରିଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ଯୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କ ଅର୍ଥଲୋଭର ଉପଯୋଗ ଏମାନଙ୍କ ଦ୍ଵାରା ପ୍ରଚାର କରିଛନ୍ତି ଯେ, ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧନ ହୋଇଛି ଓ ସେହେତୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି । ଏପରିଲି ଏହି ବିଶ୍ଵାସଘାତକମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧିତ ହୋଇଥିବାର ସ୍ଵୀକୃତି ଭିତ୍ତିରେ ନିଜ ପାଇଁ ପ୍ରଶଂସାପତ୍ର ବି ଲେଖେଇନେଇଛନ୍ତି ! ନବୀନବାବୁଙ୍କ ଛଡ଼ା ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଏତେ ନିର୍ଲଜ୍ଜ ଭାବେ ମିଥ୍ୟା ପ୍ରଶଂସାପତ୍ର ସଂଗ୍ରହ କରିଥିବାର ନଜିର ନାହିଁ । କିନ୍ତୁ ଓଡ଼ିଆଭାଷାବିଦ୍ଵେଷୀ ନବୀନ ପଟ୍ଟନାୟକଙ୍କ ଏହି ଦଲାଳପଲ ଓ ଓ ତାଙ୍କ ଷଡ଼ଯନ୍ତ୍ର ସତ୍ତ୍ୱେ ଭାଷା ଆନ୍ଦୋଳନ ଚାଲିଛି ଯାହା ଗତକାଲି ଅତିକ୍ରମ କରିଛି ୧୫୫୧ ଦିବସ ।

କରୋନା ମହାମାରୀ କାଳରେ ନୀତିଗତ କାରଣରୁ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଥିବା ବେଳେ ବୌଦ୍ଧିକ ଅଭିଯାନ କାଏମ ଅଛି ଓ ପ୍ରତି ସପ୍ତାହରେ ଓଡ଼ିଶାର ଜଣେ ଜଣେ ବିଖ୍ୟାତ ବ୍ୟକ୍ତି ଭାଷାଆନ୍ଦୋଳନର ଡିଜିଟାଲ ମଞ୍ଚ ‘ଭାଷା ମା ପାଇଁ ପଦେ’ ମାଧ୍ୟମରେ ଭାଷା ଆନ୍ଦୋଳନ ପ୍ରତି ସମର୍ଥବ ଜ୍ଞାପନ କରୁଛନ୍ତ, ଯାହା ସାମାଜିକ ଗଣମାଧ୍ୟମ ‘ଫେସ୍ ବୁକ୍’ ଦ୍ଵାରା ସିଧା ପ୍ରସାରିତ ହେଉଛି ।

ଏହିକ୍ରମରେ ଭାଷା ଆନ୍ଦୋଳନର ଏକ ସାପ୍ତାହିକ ପାଠଚକ୍ର ଆରମ୍ଭ ହୋଇଛି । ପ୍ରତି ରବିବାର ସନ୍ଧ୍ୟା ୭ଟାରୁ ଏହି ପାଠଚକ୍ର ଚାଲିବ ଯେଉଁଥିରେ ଆନ୍ଦୋଳନ ସମ୍ପର୍କରେ ଚର୍ଚ୍ଚା ସାଙ୍ଗକୁ ଆନ୍ଦୋଳନର ସପ୍ତାହନ୍ତ ସମୀକ୍ଷା ବି ହେବ ।

ଗତ ସନ୍ଧ୍ୟାର ପାଠଚକ୍ରରେ  ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ସର୍ବଶ୍ରୀ ରଞ୍ଜନ କୁମାର ସାହୁ, ନିର୍ମଲ କୁମାର ପତ୍ରୀ, ସୁଶାନ୍ତ ମହଲି, ମହେନ୍ଦ୍ର ତ୍ରିପାଠୀ , ଅନୀଲକୁମାର ମହାନ୍ତ, ରାଜେଶ ଶତପଥୀ, ଓ ସୁଧାଂଶୁ ଚୌଧୁରୀ  । ସେମାନଙ୍କ ସାଙ୍ଗକୁ ଜନସେବୀ ସଂଗଠନ ଜୀବନ ସଂଘର୍ଷ ମଧ୍ୟ ସାଙ୍ଗଠନିକ ଭାବେ ଅଂଶ ଗ୍ରହଣ କରିଥିଲେ ।

ଭାଷା ଆନ୍ଦୋଳନରୁ ଓହରିଯିବା ମାତୃଦ୍ରୋହ : ଜନନେତା ପ୍ରସାଦ ହରିଚନ୍ଦନ

କରୋନା ମହାମାରୀର ମୁକାବିଲାରେ ସରକାର କେନ୍ଦ୍ରୀଭୂତ ରହନ୍ତୁ – ଏଥିପାଇଁ କଳା ପତାକା ଅଭିଯାନର କାୟିକ ପ୍ରଦର୍ଶନ ସ୍ଥଗିତ ଥିବା ବେଳେ ବୌଦ୍ଧିକ ଅଭିଯାନ ଅକ୍ଷୁର୍ଣ୍ଣ ଅଛି । ଏହି କ୍ରମରେ ଫେସ୍ ବୁକ୍ ଅନ୍ତର୍ଗତ “ଭାଷା ମା ପାଇଁ ପଦେ” ପୃଷ୍ଠାରେ ସମ୍ମାନିତ ଜନନେତା ପ୍ରସାଦ ହରିଚନ୍ଦନ ଆଜି ପୂର୍ବାହ୍ନରେ ‘ଓଡ଼ିଆରେ ଓଡ଼ିଶା’ ବିଷୟରେ ଆଲୋଚନା କରିଥିଲେ ।

ଶିକ୍ଷିତ ଓଡ଼ିଆମାନଙ୍କ ମାତୃଭାଷା ପ୍ରତି ବିମୁଖତା, ସରକାରଙ୍କ ଉଦାସୀନତା ଏବଂ ଓଡ଼ିଆମନସ୍କ ନେତୃତ୍ଵର ଅଭାବ ହେତୁ ଓଡ଼ିଆ ଭାଷା ଆଜି ସଙ୍କଟକବଳିତ ବୋଲି କହି ଶ୍ରୀ ପ୍ରସାଦ ଓଡ଼ିଆ ଜାତିର ଜନ୍ମସିଦ୍ଧ ଅଧିକାର ହାସଲ ପାଇଁ ଚାଲିଥିବା ଭାଷା ଆନ୍ଦୋଳନରୁ କୌଣସି ଆନ୍ଦୋଳନକାରୀ ଓହରିଯିବା ମାତୃଦ୍ରୋହ ବୋଲି ଅଭିହିତ କରିଥିଲେ ।  ପ୍ରତି ଓଡ଼ିଆ ନିଜ ପାଇଁ ନିଜର ଆଚରଣ ସଂହିତା ପ୍ରସ୍ତୁତ କରି ଭାଷା ମା ପାଇଁ ଜୀବନ ପଣ କରିବାକୁ ଆହ୍ଵାନ ଦେଇଦେଇଥିଲେ ଶ୍ରୀ ହରିଚନ୍ଦନ ।