ସୁଭାଷ ଚନ୍ଦ୍ର ପଟ୍ଟନାୟକ
(ଫେସବୁକରେ ଥିବା ୧୩।୧୧।୨୦୧୯ ତାରିଖର ଉପସ୍ଥାପନା)
ଆମ ଭାଷାମାଆ ଏଥର କିନ୍ତୁ ହାରିବ ନାହିଁ ।
ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସରମାନେ ଓଡ଼ିଶା ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ରହି ଓଡ଼ିଶାର ମୁଖ୍ଯମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ନିଜ କାବୁରେ ରଖି ଆମ ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟକୁ ପଣ୍ଡ କରିବା ପାଇଁ ଆମ ଭାଷାକୁ କିପରି ଆମ ରାଜ୍ୟ ପରିଚାଳନାର ଭାଷା କରାଇଦେଉନାହାନ୍ତି ତାହାର ଦୃଷ୍ଟାନ୍ତ ଭାବେ ମୁଁ ଏଥିପୂର୍ବରୁ ଜି.ଭି ଭି.ଶର୍ମାଙ୍କ କଥା ଉଲ୍ଲେଖ କରିଛି । ସ୍ବାଧୀନତା ପରେ ପରେ ଏହି ଅଣଓଡ଼ିଆଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିଲା ଆମ ଭାଷା ତାହାର ଏକ ଉଦାହରଣ ଦେବା ପାଇଁ ମୁଁ ଆଜି ୧୪।୯।୧୯୪୭ ତାରିଖରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ବିଶେଷ ଅଧିବେଶନର ପ୍ରଥମ ପ୍ରସ୍ତାବଟିକୁ ଏଠାରେ ଉଦ୍ଧାର କରୁଛି:
“୧ମ ପ୍ରସ୍ତାବ – ଓଡ଼ିଶା ପ୍ରାଦେଶିକ ସରକାର ଗଞ୍ଜାମ ଓ କୋରାପୁଟରେ କେତେ ଅଞ୍ଚଳରେ ତେଲୁଗୁ ଭାଷାକୁ ସରକାରୀ ଭାଷା ରୂପେ ଚଳାଇବା ପାଇଁ ଯେଉଁ ଆଦେଶ କରିଛନ୍ତି ଏ ସମ୍ମିଳନୀ ତାର ତୀବ୍ର ପ୍ରତିବାଦ କରୁଅଛି । ଏହି ସମ୍ମିଳନୀ ଦୃଢ଼ ବିଶ୍ବାସ କରନ୍ତି ଯେ, ପ୍ରତ୍ୟେକ ପ୍ରଦେଶରେ କେବଳ ପ୍ରାଦେଶିକ ଭାଷା ହିଁ ସେହି ପ୍ରଦେଶର ଭାଷା ହୋଇ ରହିବା ଉଚିତ । ଓଡ଼ିଶା ପ୍ରଦେଶରେ ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷାର ସ୍ଥାନ ନାହିଁ । ଯେଉଁ ମୁଷ୍ଟିମେୟ ଆନ୍ଧ୍ର ବିକ୍ଷିପ୍ତ ଭାବରେ ଏ ପ୍ରଦେଶରେ ଅଛନ୍ତି ସେମାନେ ଏ ପ୍ରଦେଶର ପ୍ରାଦେଶିକ ଭାଷା ଜାଣନ୍ତି । ଏହିପରି ସମସ୍ତ କାରଣରୁ ଆମ୍ଭେମାନେ ସରକାରଙ୍କ ନିକଟରେ ଦାବି କରୁଅଛୁ ଯେ, ସରକାର ତୁରନ୍ତ ତାଙ୍କର ଆଦେଶ ପ୍ରତ୍ୟାହାର କରି ଓଡ଼ିଆ ଭାଷା ସମଗ୍ର ପ୍ରଦେଶର ଏକମାତ୍ର କଚେରୀ ଭାଷା ବୋଲି ଇସ୍ତାହାର କରନ୍ତୁ” (ନବୀନ, ୧୬।୯।୧୯୪୭) ।
ସରକାର କର୍ଣ୍ଣପାତ କରି ନଥିଲେ; କାରଣ ତହିଁର ମୁଖ୍ୟ ଥିଲେ ହରେକୃଷ୍ଣ ମହତାବ । ଏ ହେଉଛନ୍ତି ସେହି ମହତାବ ଯାହାଙ୍କ ଇଙ୍ଗିତରେ ୧୯୪୮ ଏପ୍ରିଲ ପହିଲାରେ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଆଇନ ପ୍ରଣୟନ ସକାଶେ ପ୍ରସ୍ତାବ ଦେଇ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଭୟଙ୍କର ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଅତଏବ, ଦୁର୍ନୀତିଲିପ୍ତ ରାଜନେତାମାନଙ୍କୁ କବ୍ଜାରେ ରଖି ଅଣଓଡ଼ିଆ ଅଫିସରମାନେ ସ୍ୱାଧୀନତା ପରଠାରୁ ଏ ଯାଏଁ ଆମ ମାତୃଭାଷାକୁ ଆମ ରାଜ୍ୟରେ ଅକାମୀ କରିରଖିଛନ୍ତି ।
ତେଣୁ ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା ଆମ ଆନ୍ଦୋଳନ ଅଣଓଡ଼ିଆ ଅଧ୍ୟୁଷିତ ରାଜ୍ୟ ସରକାରଙ୍କ ପାଇଁ ଅସହ୍ୟ ହେଉଛି ଓ ଆମ ଭିତରୁ ଅର୍ଥଲୋଭୀମାନଙ୍କୁ ଠାବ କରି ସରକାର ପୋଷାମନେଇ ଆମ ବିରୁଦ୍ଧରେ ପ୍ରୟୋଗ କରୁଛନ୍ତି ।
ଆମ ଭାଷା ମାଆ ଏଥର କିନ୍ତୁ ହାରିବ ନାହିଁ । କାରଣ ଆମେ ତାକୁ ଅଧାବାଟରେ ଛାଡ଼ି ପଳାଇବୁ ନାହିଁ । କଳାପତାକାର ନିଶବ୍ଦ ଲହର ଓଡ଼ିଆ ଜାତିର ଆତ୍ମାରେ ପ୍ରତିଧ୍ୱନିତ ହେବା ଆରମ୍ଭ କଲାଣି । ସୁପ୍ତ ସିଂହ ଧୀରେ ଧୀରେ ଜାଗୁଛି ।
Category: Mother Tongue
ସିଧା ପ୍ରସାରଣରେ ବାଧା ସୃଷ୍ଟି ସତ୍ତ୍ୱେ ଲୋକାର୍ପିତ ହେଲା ‘ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ’
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଆମ ଭାଷାରେ ଆମ କାର୍ଯ୍ୟ ପାଇଁ ଆମ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକାଠି କରି ଏକ ସ୍ଵତନ୍ତ୍ର ପ୍ରଦେଶ ତିଆରି କରାଯାଉ ବୋଲି ପ୍ରଥମ ସ୍ଵର ଉଠିଥିଲା ଗଞ୍ଜାମ ଜିଲ୍ଲାର ଘୁମୁସରରେ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ । ଓଡ଼ିଆ ଜାତିର କୁଳବୃଦ୍ଧ , ମହାତ୍ୟାଗୀ ମଧୁସୂଦନଙ୍କ ସହାୟତାରେ ଏହି ସ୍ଵର ସାର୍ଥକ ହୋଇଥିଲା ; ଆବିର୍ଭୂତ ହୋଇଥିଲା ମା ଓଡ଼ିଶା, ଭାଷା-ଜାତୀୟତାର ମହାଯଜ୍ଞରୁ ।
ଅଥଚ ସେହି ଗଞ୍ଜାମ ଜିଲ୍ଲାରୁ ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ ସୃଷ୍ଟିର ଏହି ଉଦ୍ଦେଶ୍ୟକୁ ପଣ୍ଡ କରିବା ପାଇଁ ଜଘନ୍ୟ ଷଡ଼ଯନ୍ତ୍ରରେ ଲିପ୍ତ । ଏହି ଦୁଃଖଦ ଦୃଶ୍ୟପଟର ପ୍ରାମାଣିକ ତଥ୍ୟ ଉପସ୍ଥାପିତ ହୋଇଛି ‘ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ’ ଶୀର୍ଷକ ମୋ ପୁସ୍ତକରେ ।
ଓଡ଼ିଶା ପ୍ରଦେଶ ସୃଷ୍ଟି କରି ଓଡ଼ିଆ ଭାଷାରେ ତାର ପରିଚାଳନା ପାଇଁ ଉଠିଥିବା ପ୍ରଥମ ସ୍ଵରର ସ୍ମୃତିବିଜଡ଼ିତ ସେପ୍ଟେମ୍ବର ୧୧ ସନ୍ଧ୍ୟାରେ ଫେସବୁକ ମଞ୍ଚରେ ସିଧା ପ୍ରସାରଣ ଶୈଳୀରେ ମୁଁ ମୋ ରାଜ୍ୟବାସୀ ଭାଇଭଉଣୀମାନଙ୍କ ହାତରେ ଏହି ବହିଟିକୁ ଅର୍ପଣ କରିଛି ଏହି ଆଶାରେ ଯେ, ଗୋଟେ ଇଂରାଜୀମନସ୍କ ସରକାରର ଜଘନ୍ୟ ଷଡ଼ଯନ୍ତ୍ର କବଳରୁ ନିଜ ଭାଷାଜନନୀଙ୍କୁ ରକ୍ଷା କରିବା ପାଇଁ ସେମାନେ ଜାଗ୍ରତ ହେବେ ।
କୌଣସି ଅଜ୍ଞାତ କାରଣରୁ ଏହି ସିଧା ପ୍ରସାରଣ ବାଧା ପାଇଥିଲେ ମଧ୍ୟ କେତେକ ସହୃଦୟ ବନ୍ଧୁଙ୍କ ତତ୍କାଳ ଅଭିମତ ସମଗ୍ର ଜାତିର ଅବଗତି ପାଇଁ ଉପସ୍ଥାପିତ କରୁଛି । ଏହାର ପ୍ରସାରଣରେ ବାଧା ଦେଇଥିବା ବ୍ୟକ୍ତି ଅନୁଭବ କରିବା ଆବଶ୍ୟକ ଯେ, କୌଣସି ବାହ୍ୟ ହସ୍ତକ୍ଷେପ ଦ୍ଵାରା କୌଣସି ଜାତିର ଜାତୀୟ ବ୍ୟାକୁଳତାକୁ ଅଟକାଯାଇନପାରେ । ଓଡ଼ିଆ ଭାଷାରେ ଓଡ଼ିଶା ଚାଲିବ । କାରଣ ଓଡ଼ିଆ ଜାତି ତାର ପରିଚୟ ହଜିଯିବାକୁ ଦେବନାହିଁ । ଏହି “ସ୍କ୍ରିନଶଟ”ଗୁଡ଼ିକରେ ଯେଉଁ ଅଭିମତ ଦୃଶ୍ୟମାନ ତାହା ଏହି ମହିମାମଣ୍ଡିତ ଜାତିର ଭାବନାର ପ୍ରତିଫଳନ । ଆମ ଭାଷାକୁ ମାରିଦେବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହା ଅନୁଭବ କରନ୍ତୁ ଓ ନିଜ ନିଜକୁ ସଜାଡ଼ନ୍ତୁ ।
ନବୀନ ରାଜୁତି: ଥାନା ଭାଷା ବି ଇଂରାଜୀ ଅବା ହିନ୍ଦୀ , ଓଡ଼ିଆ ନାସ୍ତି
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ୧୯୫୪ ଭାଷା ଆଇନ ପ୍ରବର୍ତ୍ତିତ ହେବାର ୧୮ ବର୍ଷ ପରେ ୬ ଜୁନ ୧୯୭୨ ତାରିଖରେ ଓଡ଼ିଶାର ଆଇନ ଶୃଙ୍ଖଳାର ଭାଷା ଓଡ଼ିଆ ହେଲା (ଓଡ଼ିଶା ଅଶଧାରଣ ରାଜପତ୍ର, ସଂଖ୍ୟା -୮୯୪)।
କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ରାଜୁତି ଚଳାଇଛନ୍ତି ଯେ, ପୋଲିସ ଏତଲା ପଞ୍ଜିକରଣ କରୁଛି ଇଂରାଜୀରେ ଅଥବା ହିନ୍ଦୀରେ ; ଓଡ଼ିଆରେ ନୁହେଁ । କାରଣ ଓଡ଼ିଶା ସରକାର ଏତଲା ପଞ୍ଜିକରଣର ଯେଉଁ ମୁଦ୍ରିତ ଫର୍ମ ଥାନାମାନଙ୍କୁ ଯୋଗାଇଛନ୍ତି ତହିଁରେ ଓଡ଼ିଆ ନାହିଁ, କେବଳ ଇଂରାଜୀ/ହିନ୍ଦୀ ଅଛି । ତଳେ ଥିବା ଦସ୍ତାବିଜ ନିଠେଇ ଦେଖନ୍ତୁ ।
ଏହି କୁଶାସନ ଯେତେଶ୍ରୀଘ୍ର ପ୍ରତ୍ୟାଖାତ ହୁଏ , ରାଜ୍ୟ ପାଇଁ ସେତେ ମଙ୍ଗଳ: ସୂଚନା ଅଧିକାର ଅଭିଯାନ
ଓଡ଼ିଶା ରାଜ୍ୟ ସୂଚନା ଅଧିକାର ଅଭିଯାନର ମୁଖ୍ୟ ପ୍ରଦୀପ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଓଡ଼ିଆଭାଷାମାରଣ ଆଚରଣର ଏକ ଲେଲିହାନ ଦୃଷ୍ଟନ ଦେଇ “ଏହି କୁଶାସନକୁ ଯେତେଶ୍ରୀଘ୍ର ପ୍ରତ୍ୟାଖାତ କରାଯିବ, ରାଜ୍ୟ ପାଇଁ ସେତେ ମଙ୍ଗଳ” ବୋଲି କହିଛନ୍ତି । ତାଙ୍କ ବିବୃତ୍ତିକୁ ନିମ୍ନରେ ଦିଆଗଲା ।
ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାକୁ ବହୁତ ଭଲ ପାଆନ୍ତି ଓ ରାଜ୍ୟରେ ଓଡ଼ିଆ ଭାଷାରେ ଶାସନ ବ୍ୟବସ୍ଥା କୁ ସେ ତ୍ଵରାନ୍ବିତ କରିଛନ୍ତି , ଏହି କଥା ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ହୋଇଛି । ଏହା ମଧ୍ୟ ପ୍ରଚାର ହୋଇଛି ଯେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି । 2018 ମସିହାରେ ଏହି ଘୋଷଣା ହୋଇ ପୁରୀ ଜିଲ୍ଲାର ସତ୍ୟବାଦୀରେ ଶୁଭ ଦିଆଯାଇଥିଲେ ମଧ୍ୟ , ଏ ପର୍ଯ୍ୟନ୍ତ ଏହାର ରୂପରେଖ କିଛି ନାହିଁ ।
ସାଧାରଣତଃ ଗୋଟିଏ ଭାଷାକୁ କିପରି ଗୁରୁତ୍ୱ ଦିଆଯାଏ , ତାହା ରାଜ୍ୟର ଶିକ୍ଷାଦାନ ବ୍ୟବସ୍ଥା ରେ ବୁଝିହୁଏ । ଅର୍ଥାତ ସ୍କୁଲ, କଲେଜ ଓ ବିଶ୍ୱ ବିଦ୍ୟାଳୟ ରେ ଭାଷାକୁ ଗୁରୁତ୍ୱ , ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି , ପର୍ଯ୍ୟାପ୍ତ infrastructure ବ୍ୟବସ୍ଥା , ଭାଷାର ବିକାଶ ପାଇଁ ଗବେଷଣା ଇତ୍ୟାଦି ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ ।
ମୁଖ୍ୟମନ୍ତ୍ରୀ କିପରି ଓଡ଼ିଆ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ଏବଂ ବିଭିନ୍ନ ମହା ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ରେ କେତେ ଅଧ୍ୟାପକ ଓ ପ୍ରଫେସର ଅଛନ୍ତି , ଓଡ଼ିଆ ଚେୟାର କିପରି କାମ କରୁଛି , ଏହାର ତଥ୍ୟ ସୂଚନା ଆଇନରେ ମଗାଯାଇଥିଲା । ଏହି ତଥ୍ୟରୁ ଜଣାପଡିଥିଲା ଯେ, ବିଭିନ୍ନ ମହା ବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟ ରେ ଏକାଧିକ ଅଧ୍ୟାପକ ଓ ପ୍ରଫେସର ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ଏ ସମ୍ପର୍କରେ ମୁଁ ଆଗରୁ ଲେଖିଥିଲି ।
କିନ୍ତୁ ଏ ସମ୍ପର୍କରେ ଆଉ ଏକ ତଥ୍ୟ ମୋତେ ଅଧିକ ହତୋତ୍ସାହ କରିଛି । ରାଜ୍ୟ ସରକାର କିପରି ମିଛ ପ୍ରଚାର କରି ରାଜ୍ୟବାସୀ ଭୁଆଁ ବୁଲାଉଛନ୍ତି , ଏହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି ।
ସୂଚନା ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ରମା ଦେବୀ ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ପ୍ରଫେସର ପଦବୀ -୧ , Associate Professor ପଦବୀ -୨ ଓ Assistant Professor ପଦବୀ -୩ ଅଛି । କିନ୍ତୁ ଦୀର୍ଘ ବର୍ଷ ଧରି Professor ଓ Associate Professor ପଦବୀ ଖାଲି ପଡ଼ିଛି । କିନ୍ତୁ ୫ଟିAssistant Professor ପଦବୀରୁ ମାତ୍ର ଜଣେ ଅଛନ୍ତି । ଓଡ଼ିଆ ଭାଷା କିପରି ପଢ଼ା ହେଉ ଥିବ ସ୍ପଷ୍ଟ ଅନୁମେୟ ।
ସେହିପରି ରମାଦେବୀ କଲେଜରେ ୫ ଟି ଅଧ୍ୟାପକ ପଦବୀ ଅଛି । 2018 ମସିହାରୁ ୩ ଟି ପଦବୀ ଖାଲି , 2019ରେ ଗୋଟିଏ ପଦବୀ ଖାଲି ଓ 2021 ରୁ ଗୋଟିଏ ପଦବୀ ଖାଲି ଅର୍ଥାତ ସମସ୍ତ ପଦବୀ ଖାଲି । ଓଡ଼ିଆ ଶିକ୍ଷାଦାନ କିପରି ଚାଲୁଥିବ ଓ ଛାତ୍ରଛାତ୍ରୀ ମାନେ କିପରି ପଢୁଥିବେ , ଏହା ସ୍ପଷ୍ଟ ଅନୁମେୟ ।
ଗୋଟିଏ ପଟେ କଲେଜ ଓ ବିଶ୍ଵ ବିଦ୍ୟାଳୟ ରେ ଓଡ଼ିଆ ଭାଷା କୁ systematically ବରବାଦ କରି ଆମ୍ଭକୁ କିପରି ଓଡ଼ିଆ ବିଶ୍ୱ ବିଦ୍ୟାଳୟ ସ୍ଥାପନ ର କଥା କହି ଭ୍ରମିତ କରାଯାଉଛି , ଏହା ସମସ୍ତ ଭାଷାପ୍ରେମୀ ବୁଝିବା ଆବଶ୍ୟକ ।
ନବୀନଙ୍କ ଶାସନରେ ରାଜ୍ୟର ଅର୍ଥନୀତି , ପ୍ରଶାସନିକ ବ୍ୟବସ୍ଥା ଯେ ଭୁଶୁଡିପଡିଛି ତାହା ନୁହେଁ , ଓଡ଼ିଆ ଭାଷା ମଧ୍ୟ ବରବାଦ । ଏହି କୁଶାସନ କୁ ଯେତେଶ୍ରୀଘ୍ର ପ୍ରତ୍ୟାଖାତ କରାଯିବ , ରାଜ୍ୟ ପାଇଁ ସେତେ ମଙ୍ଗଳ ।
“ଅଣ୍ଟାଭିଡ଼ା” ଛାଡ଼, ଭାଷା ଆଇନ ସଜାଡ଼
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଆମ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳାଇଥିବା ଷଡ଼ଯନ୍ତ୍ର ଯେତେବେଳେ ଫୁଙ୍ଗୁଳା ହୋଇଯାଏ, ଭାଷାପ୍ରେମ ଦେଖାଇ ତହିଁରୁ ଜନସାଧାରଣଙ୍କ ଦୃଷ୍ଟି ଅପସାରଣ କରିବାକୁ ସେ ପ୍ରତାରଣାର ଏକ ନୂଆ ଚାଲ୍ ଚଳାନ୍ତି । ଜୁଲାଇ ୨୭ ତାରିଖରେ ତଥାକଥିତ ଐତିହ୍ୟ କ୍ୟାବିନେଟର ୩ ବର୍ଷ ତଳର ନିଷ୍ପତ୍ତି ଉପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରକାଶିତ “ଅଣ୍ଟାଭିଡ଼ା” (ସମ୍ବାଦ ୨୮.୭.୨୦୨୧ , ପୃଷ୍ଠା ୩) ଏହି ପରି ଏକ ଚାଲ୍ ।
ଏ ଭିତରେ ଦୁଇଟି ପୁସ୍ତକ ମୁଁ ପ୍ରକାଶ କରିଛି ଯହିଁରେ ଓଡ଼ିଆ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ବିଶ୍ଵସ୍ତ ମୁଷ୍ଟିମେୟ ଅଫିସର ଯେଉଁ ଦୁରାଚରଣ କରିଛନ୍ତି ତାହା ନିରାଭରିତ ହୋଇଛି । ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ମୋର ତତ୍କାଳୀନ ଦୁଇ ଘନିଷ୍ଠ ସହଯୋଗୀଙ୍କ ଅର୍ଥଲୋଭର ଦୁରୁପଯୋଗ କରିଥିଲେ । ତାହା କରିବାପାଇଁ ଓଡ଼ିଶା ରାଜକୋଷରୁ ପ୍ରାୟ ଦେଢ କୋଟି ଟଙ୍କାର ଲୁଟ୍ ବ୍ୟବସ୍ଥା ବି କରିଥିଲେ । ଯଦିଓ ଏହି ଦେଢ କୋଟି ଟଙ୍କାର ସୁପାରି ଦିଆ ହେଉ ହେଉ ରାଜ୍ୟପାଳଙ୍କ ହସ୍ତକ୍ଷେପ ହେତୁ ଅଟକି ଗଲା, ପ୍ରଦ୍ୟୁମ୍ନ ଶତପଥିଙ୍କୁ ତାଙ୍କ ସ୍ତ୍ରୀଙ୍କ ମାଧ୍ୟମରେ ସଂପୂର୍ଣ୍ଣ ବେଆଇନ ଭାବେ ପ୍ରତିମାସରେ ଲକ୍ଷ୍ୟାଧିକ ଟଙ୍କା ଦିଆଚାଲିଛି । ସେ ନିଜକୁ ଭାଷା ଆନ୍ଦୋଳନର ସଭାପତି ବୋଲି କହି , ଯେଉଁ ପରିଚୟ ମୁଁ ତାଙ୍କୁ ଦେଇଥିଲି ସେହି ପରିଚୟ ବ୍ୟବହାର କରି , ଓଡ଼ିଶା ଲୋକଙ୍କୁ ଯେମିତି କହିବେ ଯେ ଭାଷା ଆଇନ ସଜାଡ଼ି ହୋଇଯାଇଛି ସେହିକାମରେ ତାଙ୍କୁ ନିୟୋଜିତ କରିଛନ୍ତି ମୁଖ୍ୟମନ୍ତ୍ରୀ – ଏହା ମୁଁ ‘ଦାନାର ତୋବଡ଼ା’ ଶୀର୍ଷକ ପୁସ୍ତକରେ ସପ୍ରମାଣ ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଅମଲାମାନଙ୍କ ଭିତରୁ ଯେଉଁମାନଙ୍କୁ ମୁଁ ଏହି ବହିରେ ନାମିତ କରିଛି , ସେମାନେ କେହି ବି କୌଣସି ପ୍ରକାଶିତ ପ୍ରମାଣକୁ ଖଣ୍ଡନ କରିବାକୁ ସମର୍ଥ ହୋଇନାହାନ୍ତି ।
ସେହିପରି , ଜୁଲାଇ ୨୩ରେ ମୁଁ ପ୍ରକାଶ କରିଛି ‘ମିଛ କେବେ ସତ ହୁଏନା’ । ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଅର୍ଜନରେ ବ୍ୟବହୃତ ଐତିହାସିକ ଦସ୍ତାବିଜ ଓ ସେ ସକଳର ବିଶ୍ଳେଷଣ ସମ୍ବଳିତ ସନ୍ଦର୍ଭ , ଯାହା ରାଜ୍ୟବାସୀଙ୍କ ରାଜକୋଷରୁ ବ୍ୟୟ କରି ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରସ୍ତୁତ କରିଥିଲା, କିପରି ରାଜ୍ୟବାସୀଙ୍କୁ ଅନୁପଲଭ୍ୟ କରାଯାଇଛି ତାହା ସପ୍ରମାଣ ଏହି ପୁସ୍ତକରେ ଅଛି । ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନର ଅପସଂଶୋଧନ କରାଯାଇ ଓଡ଼ିଆ ଜାତିର ଭାଷା ଅଧିକାରକୁ ଜଖମ କରାଯାଇଥିବା ବେଳେ ତା ଭାଷାର ପ୍ରାଚୀନ ବୈଭବ ଓ ଭାଷାତାତ୍ତ୍ଵିକ ବଶିଷ୍ଟ୍ୟ ସମ୍ପର୍କରେ ତାକୁ ଅନ୍ଧକାରରେ ରଖିବାକୁ ହୋଇଥିବା ଚକ୍ରାନ୍ତକୁ କିପରି ମୁଖ୍ୟମନ୍ତ୍ରୀ ଘଣ୍ଟଘୋଡ଼ାଇ ରଖିଛନ୍ତି ତହିଁର ସବିଶେଷ ସପ୍ରମାଣ ଆଲୋଚନା ହୋଇଛି ଏହି ବହିରେ ।
ଏହି ଦୁଇ ବହି ଓଡ଼ିଆ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଷଡ଼ଯନ୍ତ୍ରକୁ ପଦାରେ ପକାଇଛି । ବିଧାନସଭାର ଆଗାମୀ ଅଧିବେଶନ ଆସନ୍ନ । ଭାଷା ଆଇନର ଅପସଂଶୋଧନ ସମ୍ପର୍କରେ ଆଲୋଚନା ହୋଇପାରେ । ଗତ ଅଧିବେଶନରେ ବିଧାନସଭାକୁ ଅଧିସୂଚିତ ହୋଇଥିବା ଭାଷା ଆଇନ ସଂଶୋଧନ ପାଇଁ ଘରୋଇ ବିଧେୟକ ଏହି ଅଧିବେଶନରେ ଅଲୋଚନାକୁ ଆସିବାର ସମ୍ଭାବନା ଅଛି ।
ଅପରପକ୍ଷେ କାର୍ଯ୍ୟନିର୍ବାହୀ ସରକାରର ମୁଖ୍ୟଙ୍କୁ ଜୁଲାଇ ୭ ତାରିଖରେ ଏକ ଚିଠି ଦେଇ ଭାଷା ନିୟମାବଳୀ ଅନୁସାରେ ତାଙ୍କ ଅଧ୍ୟକ୍ଷତାରେ କାମ କରୁଥିବା “କମିଟି” ଗଠିତ ହେବା ଦିନଠାରୁ ଏ ପର୍ଯ୍ୟନ୍ତ କେତେ ଥର କେବେ କେବେ ବସିଛି ଓ କେତେ ଥର କେଉଁ କେଉଁତାରିଖରେ ସମୀକ୍ଷା ରିପୋର୍ଟ ଦେଇଛି ବୋଲି ମୁଁ ପଚାରିଥିଲି । ଚିଠିଟି ହେଲା :
ମୁଖ୍ୟ ଶାସନ ସଚିବ, ଓଡ଼ିଶା
ମହାଶୟ
ଅତ୍ୟନ୍ତ ଜରୁରୀ ଥିବା ହେତୁ ମୁଁ ଆପଣଙ୍କୁ ଏହି ଇ-ମେଲ କରୁଛି ।
ଓଡ଼ିଶା କାର୍ଯ୍ୟାଳୟ ଭାଷା ନିୟମାବଳୀ, ୨୦୧୬ ଅନୁସାରେ ଆପଣଙ୍କ ଅଧ୍ୟକ୍ଷତାରେ କାମ କରୁଥିବା “କମିଟି” ଗଠିତ ହେବା ଦିନଠାରୁ ଏ ପର୍ଯ୍ୟନ୍ତ କେତେ ଥର କେବେ ବସିଛି ଓ କେତେ ଥର ସମୀକ୍ଷା ରିପୋର୍ଟ ଦେଇଛି, କେଉଁ କେଉଁ ତାରିଖରେ ? ଭାଷା ପ୍ରଭାଗ ଏହି କମିଟିର କାର୍ଯ୍ୟଧାରା ଉପରେ କେବେ ଓ କେତେଥର ସମୀକ୍ଷା ଓ ପର୍ଯ୍ୟାଲୋଚନା କରିଛି ଓ ତାର ଫଳ କ’ଣ ? ଏହା ଯେହେତୁ ମୋର ଆଗାମୀ ପୁସ୍ତକରେ ସ୍ଥାନିତ ହେବ, ମୋତେ ତିନିଦିନ ଭିତରେ ଏ ତଥ୍ୟ ଦେବାକୁ ଅନୁରୋଧ । ତାହା ନହେଲେ, ଏପରି କୌଣସି ବୈଠକ / ସମୀକ୍ଷା ଓ ପର୍ଯ୍ୟାଲୋଚନା ହୋଇନାହିଁ ବୋଲି ଉଲ୍ଲେଖ କରାଯିବ ।
ଧନ୍ୟବାଦ ଘେନାକରନ୍ତୁ ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ
୭.୭.୨୦୨୧
କାର୍ଯ୍ୟନିର୍ବାହୀ ସରକାରର ମୁଖ୍ୟଙ୍କ ପାଖରେ ମୁଁ ପଚାରିଥିବା ପ୍ରଶ୍ନର କୌଣସି ଉତ୍ତର ନାହିଁ ।
ଏପରି ଅବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ମୁଖରକ୍ଷା କିପରି ହେବ? ସରକାର ଯେଉଁ ଭୁଲ କରିଛନ୍ତି ତାକୁ ଘୋଡ଼ାଇବା ପାଇଁ ଯେତେ ଆଣ୍ଟ କରି ଅଣ୍ଟା ଭିଡ଼ିଲେ ବି ପରିବେନି ।
ମୋର ଆଗାମୀ ବହିରେ ଆମ ଭାଷାକୁ ମାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେଇଜଣ ଦରମାଖିଆ ନୌକର ଯାହା ଯାହା କରିଛନ୍ତି ସେ ସବୁର ପ୍ରାମାଣିକ ତଥ୍ୟ ମୁଁ ପ୍ରକାଶ କରିବି । ମୁଖ୍ୟମନ୍ତ୍ରୀଙ୍କୁ କେଉଁ ଅମଲା କି ସାଞ୍ଜୁ ଯୋଗାଇବ, ଦେଖିବା ।
ସମ୍ବାଦର ସମ୍ପାଦକ ବାବୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏକଦା ଭାଷା ଆନ୍ଦୋଳନର ଦୃଢ ସମର୍ଥକ ଥିଲେ । ମୁଖ୍ୟମନ୍ତ୍ରୀ ମୋର ଦୁଇଜଣ ଘନିଷ୍ଠ ସହକର୍ମୀଙ୍କ ଅର୍ଥ ଲୋଭ ଚରିତାର୍ଥ କରି ଓଡ଼ିଆ ଜାତିକୁ କୁହା କରିଲେ କି, ଭାଷା ଆଇନର ନିର୍ଭୁଲ ସଂଶୋଧନ ହୋଇଛି । ସୌମ୍ୟବାବୁଙ୍କ ରାଜନୈତିକ ଲୋଭ ଚରିତାର୍ଥ କରି ଭାଷା ଆନ୍ଦୋଳନକୁ ସେ ଦେଉଥିବା ସାମ୍ବାଦିକୀୟ ସହଯୋଗ ଲୋପ କରାଇଦେଲେ । ସେହି ସୌମ୍ୟବାବୁଙ୍କ ସେହି ସମ୍ବାଦ କାଗଜ ଭାଷା ଆଇନ କାର୍ଯ୍ୟକାରୀ କରାଇବାରେ ସରକାରଙ୍କ ଆନ୍ତରିକତାର ଅଭାବ ପ୍ରତି କଟାକ୍ଷପାତ କରି ମୁଖ୍ୟ ଶାସନ ସଚିବଙ୍କ ନିଦ୍ରାଭଙ୍ଗର ଶୀର୍ଷକ କରିଛି “୩ ବର୍ଷ ପରେ ମନେ ପଡ଼ିଲା ଐତିହ୍ୟ କ୍ୟାବିନେଟ୍ କଥା” । ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ଵାସ କରି ଭାଷା ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର କରିଥିବା ବାବୁ ସୌମ୍ୟ ରଞ୍ଜନ ଏଇ ତିନି ବର୍ଷ ଭିତରେ ଭାଷା ଆଇନର କାର୍ଯ୍ୟକରିତା ପାଇଁ କି କି ପରାମର୍ଶ ସରକାରଙ୍କୁ ଦେଇଛନ୍ତି ତାହା କହିଥିଲେ ତାଙ୍କ କାଗଜର ଉପରୋଦ୍ଧୃତ୍ତ ଶୀର୍ଷକ ଅଧିକ ପରିପୁଷ୍ଟ ହୋଇଥାନ୍ତା ।
କହିବାକୁ କିଛି ଥିଲେ ତ?
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ଓ ତାଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଆମ୍ଭେ ଯେଉଁ ପରାମର୍ଶ ଦେବାକୁ ଚାହୁଁ ତାହା ହେଲା – ଓଡ଼ିଆ ଜାତିକୁ ପୁନଶ୍ଚ ପ୍ରତାରିତ କରିବା ପାଇଁ “ଅଣ୍ଟାଭିଡ଼ା” ଛାଡ଼, ଭାଷା ଆଇନ ସଜାଡ଼ ।








