ଅମଙ୍ଗ ଲୋକଙ୍କୁ ଓଡ଼ିଆରେ କାମ କରିବାକୁ ଆଇନ ବଳରେ ବାଧ୍ୟ କରାଯାଉ: ଡଃ ପ୍ରଦ୍ୟୁମ୍ନ କୁମାର ମିଶ୍ର

ଯେଉଁ ଓଡ଼ିଆ ଭାଷାକୁ ରାଜ୍ୟ ପରିଚାଳନର ଭାଷା କରିବା ପାଇଁ ସ୍ଵଭାବ କବି ଗଙ୍ଗାଧର ସାରସ୍ଵତ ବିପ୍ଲବ କରିଥିଲେ ତାକୁ ଅକର୍ମଣ୍ୟ କରି ପକାଇରଖି ମାରିଦେବାକୁ ସହ୍ୟ କରାଯିବ ନାହିଁ । ଅମଙ୍ଗ ଲୋକଙ୍କୁ ଓଡ଼ିଆରେ କାମ କରିବାକୁ ଆଇନ ବଳରେ ବାଧ୍ୟ କରାଯିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଫେସର ଡଃ ପ୍ରଦ୍ୟୁମ୍ନ କୁମାର ମିଶ୍ର ।

କରୋନା ହେତୁ କଳାପତାକା ଅଭିଯାନ ଭର୍ଟୁଆଲ ଶୈଳୀରେ ଚାଲୁଛି । ଏହାର ୧୭୧୯ତମ ଦିବସରେ ଆଜି ସକାଳ ୧୦ଟାରେ ଭାଷା ଆନ୍ଦୋଳନର ‘ଭାଷା ମାଆ ପାଇଁ ପଦେ’ ପୃଷ୍ଠାରୁ ଫେସବୁକ ଯୋଗେ ପ୍ରଫେସର ମିଶ୍ରଙ୍କ ଅଭିଭାଷଣ ସିଧା ପ୍ରସାରିତ ହୋଇଥିଲା ।

ଭାଷା ଆନ୍ଦୋଳନ // ଜାଲିଆଙ୍କ ଉପଦ୍ରବ: ନିତିଦିନ ସମ୍ପାଦକ ସୁଧୁରନ୍ତୁ

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ସୁନିଶ୍ଚିତ କରିବାପାଇଁ ମା ଓଡ଼ିଶାର ବହୁ ମେଧାବୀ ସନ୍ତାନ ଭାଷା ଆନ୍ଦୋଳନକୁ ଆଗେଇ ନେଇଚାଲିଛନ୍ତି, ଯେଉଁ ଆନ୍ଦୋଳନକୁ ମୁଖ୍ୟମନ୍ତ୍ରୀଙ୍କ ଅମୋଘ ଅସ୍ତ୍ରରେ ମୋହିତ ହୋଇ କେତେକ ଅର୍ଥଲୋଭୀ ୨୦୧୬ ଜୁଲାଇ ୧୬ ସନ୍ଧ୍ୟାରେ ଛୁରିମାରିଥିଲେ ।

କରୋନା ହେତୁ କାୟିକତଃ ସ୍ଥଗିତ ଥିବା ବେଳେ ବୌଦ୍ଧିକ ସ୍ତରରେ ଏହା ବ୍ୟାପକତର ହୋଇଛି ଓ ରାଜ୍ୟର ସୁବିଖ୍ୟାତ ବିଜ୍ଞ ବ୍ୟକ୍ତିମାନେ ପ୍ରତି ସପ୍ତାହରେ ଏଥିପ୍ରତି ସମର୍ଥନ ବ୍ୟକ୍ତ କରି ଏହାର ଯଥାର୍ଥତା ସାବ୍ୟସ୍ତ କରିଛନ୍ତି । ତେଣୁ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଭାଷା ଆନ୍ଦୋଳନର ନାମ ବ୍ୟବହାର କରି ସେହି ଜାଲିଆମାନେ ଉପଦ୍ରବ ଆରମ୍ଭ କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ପୋଷାମନା ଖବରତନ୍ତ୍ର ସେମାନଙ୍କୁ ଏହି କାମରେ ସାହାଯ୍ୟକରୁଛି ।

ଏହିପରି କାମ କରିଥିବା ନିତିଦିନ ସମ୍ପାଦକଙ୍କୁ ସୁଧୁରିଯିବାକୁ ପରାମର୍ଶ ଦେଇଛନ୍ତି ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଏହି ଭିଡ଼ିଓରେ ।

ଗୋଡ଼ାଣିଆ ନହୋଇ ଓଡ଼ିଆ ହୁଅ ; ରାଜଭାଷା ପ୍ରେକ୍ଷାପଟରେ ବିଜେଡିସଭ୍ୟଙ୍କୁ ପରାମର୍ଶ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଜାତି ବିରୁଦ୍ଧରେ ଦୁଇଟି ଅପରାଧ କରିଛନ୍ତି । ଆମ ଜାତିକୁ ଭାଷା ଅଧିକାରରୁ ବଞ୍ଚିତ କରିବା ପାଇଁ ସେ ଗୋଟିଏ ଦିନର ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଉପରେ ସ୍କାମ୍ ସଂଘଟିତ କରିଥିବା ବେଳେ, ଆଉ ଗୋଟିଏ ଦିନର ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଉପରେ ଜାଲିଆତି କରିଛନ୍ତି ।

କ୍ଷମତାସୀନ ଦଳ ତା ଜନ୍ମଦିନ ପାଳୁଥିବା ବେଳେ ମୁଁ ସେମାନଙ୍କୁ ଗୋଡ଼ାଣିଆ ନହୋଇ ଓଡ଼ିଆ ହେବାକୁ ପରାମର୍ଶ ଦେଇଛି ଓ ଉପରୋକ୍ତ ଅଭିଯୋଗର ସତ୍ୟାସତ୍ୟ ସେମାନଙ୍କ ମାଲିକ (supremo)ଙ୍କ ଠାରୁ ବୁଝନ୍ତୁ ଓ ୨୬.୧୨.୨୦୨୦ରେ ସେମାନେ ପାଳିଥିବା ଦଳୀୟ ଜନ୍ମଦିନରେ ଓଡ଼ିଆରେ ଓଡ଼ିଶାର ପରିଚାଳନା ପାଇଁ ହୋଇଥିବା ଘୋଷଣା କୁଆଡ଼େ ଗଲା ବୋଲି ପଚାରନ୍ତୁ ।

 

ଭର୍ଚୁଆଲ କଳାପତାକା ଅଭିଯାନ // ଓଡ଼ିଆ ଭାଷାରେ ହିଁ ଓଡ଼ିଆଜାତିର ଜୀବନ ଦର୍ଶନ ନିହିତ: ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଅଧ୍ୟାପକ ପାଢ଼ୀଙ୍କ ଅଭିଭାଷଣ

ପ୍ରତାରଣାର ପୂର୍ଣ୍ଣ ପାଞ୍ଚ ବର୍ଷ : ୧୮ ବିଷୟରେ ଅଧ୍ୟାପକ ନିଯୁକ୍ତ ହେବେ, ଓଡ଼ିଆରେ ଜଣେ ବି ନୁହଁ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଶାର ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଖାଲି ଥିବା ଅଧ୍ୟାପକ ପଦ ପୂରଣ ପାଇଁ ରାଜ୍ୟ ସରକାର ଷ୍ଟେଟ ସିଲେକ୍ସନ ବୋର୍ଡକୁ ଡିସେମ୍ବର ୭ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି । ଏତଦନୁଯାୟୀ ୧୮ଟି ବିଷୟରେ ଖାଲିଥିବା ୯୭୨ ପଦବୀରେ ଖୁବ ଶୀଘ୍ର ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତ ହେବେ । ମାତ୍ର ଓଡ଼ିଆ ବିଷୟରେ ଖାଲିଥିବା କୌଣସି ଗୋଟିଏ ହେଲେ ଅଧ୍ୟାପକ ପଦବୀ ପୂରଣ ହେବ ନାହିଁ । ଅଥଚ ସବୁ ବିଷୟ ମଧ୍ୟରେ ଓଡ଼ିଆରେ ଖାଲି ଥିବା ଅଧ୍ୟାପକ ପଦବୀ ସର୍ବାଧିକ ।

ଉଚ୍ଚ ଶିକ୍ଷା ବିଭାଗ ୫.୧୨.୨୦୧୯ ତାରିଖ ପତ୍ର ସଂଖ୍ୟା ୨୮୬୩୨ରେ ବିଧାନସଭାକୁ ଜଣାଇଥିବା ତଥ୍ୟ ଅନୁଯାୟୀ ୩୧.୧୧.୨୦୧୯ ତାରିଖ ସୁଦ୍ଧା ଅନୁଦାନପ୍ରାପ୍ତ କଲେଜମାନଙ୍କରେ ୪୨୮ ଓଡ଼ିଆ ଅଧ୍ୟାପକ ପଦ ଖାଲି ରହିଛି ।

ଏହି ତାରିଖ ସୁଦ୍ଧା ଏହି ବର୍ଗର କଲେଜମାନଙ୍କରେ ୬୮୧ ଜଣ ଇଂରାଜୀ ଅଧ୍ୟାପକ ନିଯୁକ୍ତ ହୋଇଥିବା ବେଳେ, ଓଡ଼ିଆ ବିଷୟରେ କର୍ମରତ ଓଡ଼ିଆ ଅଧ୍ୟାପକଙ୍କ ସଂଖ୍ୟା ଥିଲା ୫୦୮ । ଅଥଚ ଇଂରାଜୀରେ ଖାଲି ଥିବା ୨୩୦ ପଦରୁ ବର୍ତ୍ତମାନ ୧୫୯ ପଦବୀ ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ , ଓଡ଼ିଆ ବିଷୟରେ ଖାଲିଥିବା ୪୨୮ ପଦବୀରୁ ଗୋଟିଏ ହେଲେ ବି ପୂରଣ ହେବାକୁ ଯାଉନାହିଁ ।

କଲେଜ ସ୍ତରରେ ଓଡ଼ିଆ ପଢା ନ ହେଉ, ଏହି ପୁରୁଣା ଅଭିସନ୍ଧିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଏତ ଏବେ ବି ଅଟଳ !

ଏହାଙ୍କ ଶାସନରେ ଥରକୁ ଥର ଓଡ଼ିଆ ଭାଷା ବିରୁଦ୍ଧରେ ଷଡ଼ଯନ୍ତ୍ର ଚାଲିଛି । ରେଭେନ୍ଶା ଓ ବିଜେବି ପରି୧୪ଟି ସୁବିଖ୍ୟାତ ସରକାରୀ କଲେଜ ଓ ୧୨୫ ବେସରକାରୀ କଲେଜର ପାଠ୍ୟକ୍ରମରୁ ଓଡ଼ିଆ ଭାଷାକୁ ନିକାଲି ଦେବାପାଇଁ ୨୦୦୫ରେ ଚକ୍ରାନ୍ତ ହୋଇଥିଲା । ନିମ୍ନସ୍ଥ ଲିଙ୍କ୍ ତାର ଚିତ୍ର ଦେବ –

https://orissamatters.com/2005/05/25/orissa-govt-plays-its-nastiest-trick-against-the-oriyas/

ଏପରିକି, ୨୦୧୫ରେ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଅଧ୍ୟକ୍ଷଙ୍କୁ ହୁକୁମ ଦେଇଥିଲା ଓଡ଼ିଆ ବିଷୟ ଇଂରାଜୀରେ ପଢାଇବା ପାଇଁ ଓ ତଦନୁଯାୟୀ ପାଠ୍ୟକ୍ରମ ଓ ପୁସ୍ତକ ମୁଦ୍ରିତ କରି ଅବିଳମ୍ବେ ସରକାରଙ୍କୁ ଅବଗତ କରାଇବା ପାଇଁ । ନିମ୍ନସ୍ଥ ଲିଙ୍କ୍ ଏହା ବି ଦର୍ଶାଇବ ।

https://orissamatters.com/2015/06/22/oriya-would-be-taught-in-english-language-what-a-mad-government/

ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ମନ୍ତ୍ରୀସ୍ତରୀୟ କମିଟିରେ ୩.୯.୨୦୧୫ ତାରିଖରେ ମୁଁ ଏକ ଚିଠା ବିଧାନ ପ୍ରଦାନ କରିଥିଲି, ଯେଉଁଠୁ ଆରମ୍ଭ ହେଲା ଭାଷା ଆଇନ ସଂଶୋଧନର ନୂଆ ପର୍ବ । ଏଥିରୁ ନିଷ୍କୃତି ପାଇବା ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀସ୍ତରୀୟ କମିଟି ସହ ଆଦୌ ପରାମର୍ଶ ନ କରି, ପରାମର୍ଶ କରିଛନ୍ତି ବୋଲି ମିଚ୍ଛ କହି, ୧୭.୧୨.୨୦୧୫ରେ ଏକ ୯ ଦଫା କାର୍ଯ୍ୟକ୍ରମ ଘୋଷଣା କଲେ, ଯଦ୍ଦ୍ବାରା ଓଡ଼ିଆରେ ଓଡ଼ିଶା ପରିଚାଳନା ସୁନିଶ୍ଚିତ ବୋଲି ସେ କହିଥିଲେ । ଖବରକାଗଜମାନଙ୍କରେ ତହିଁର ବିଜ୍ଞାପନ ପ୍ରକାଶ କରି ଓଡ଼ିଆରେ କାମ ଚାଲିଲା ବୋଲି ସେ ଭାବିଲେ ।

ମୁଁ ଦେଇଥିବା ଚିଠା ଆଇନକୁ ବିଧିକୃତ କରିବା ଦାବିରେ ୧୩.୪.୨୦୧୬ ତାରିଖରୁ ଆମେ କଳାପତାକା ଅଭିଯାନ ଆରମ୍ଭ କଲୁ । ତା ପରେ ତାଙ୍କର ମନେ ପଡ଼ିଗଲା ୧୭.୧୨.୨୦୧୫ର ସେହି ଘୋଷଣା । ତେଣୁ ତାଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସେ ଓଡ଼ିଆ ଜାତିକୁ ୧୯.୪.୨୦୧୬ ତାରିଖରେ ଅବଗତ କରାଇଲେ କି, ୧୫ ଦିନ ମଧ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଆ ଭାଷାରେ ଶିକ୍ଷକ ତଥା ଅଧ୍ୟାପକ ପଦବୀ ପୂରଣ କରିବେ । ତାଙ୍କ ଅଧିନସ୍ଥ ସାଧାରଣ ପ୍ରଶାସନ ବିଭାଗ ପତ୍ର ସଂଖ୍ୟା ୯୦୬୨ / ତାରିଖ ୨୧.୪.୨୦୧୬ ଦ୍ଵାରା ଏହି ଆଦେଶକୁ ସଶକ୍ତୀକୃତ କଲା । କିନ୍ତୁ ନବୀନବାବୁ ଏପରି ଦକ୍ଷତାର ସହ ଶାସନ ଚଳଉଛନ୍ତି ଯେ, ସେହି ୧୫ ଦିନ ସରିବାକୁ ଲାଗିଗଲାଣି ୧୭.୧୨.୨୦୧୫ ତାରିଖରୁ ୧୭.୧୨.୨୦୨୦ ତାରିଖ – ପୂର୍ଣ୍ଣ ୫ ବର୍ଷ । ଏଯାଏଁ  ଜଣେ ହେଲେ ବି କେହି ଓଡ଼ିଆରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇନାହାନ୍ତି ।

ପ୍ରତାରଣର ଏ ପାଞ୍ଚ ବର୍ଷ ଶେଷରେ ଯେତେବେଳେ ୯୭୨ ଜଣ ଅଧ୍ୟାପକ ନିଯୁକ୍ତି ପାଇବାକୁ ଯାଉଛନ୍ତି, ସେମାନଙ୍କ ଭିତରେ ଇଂରାଜୀ ଭାଷା ପଢାଇବାକୁ ନିଯୁକ୍ତ ହେବେ ୧୫୯ ଜଣ, ଅଥଚ ଓଡ଼ିଆ ଭାଷାରେ ଖାଲି ଥିବା ୪୨୮ ପଦବୀ ପାଇଁ ଜଣେ ମଧ୍ୟ ନିଯୁକ୍ତି ପାଇବେ ନାହିଁ ।

ଓଡ଼ିଆ ଜାତି ହାତକୁ ଆଇନ ନେବା ଉଚିତ ମଣିବା ପୂର୍ବରୁ ସରକାର ସୁଧୁରିଯାନ୍ତୁ ।