Category: Opinions
ସରକାର ଛାନିଆ : କଳାପତାକା ଅଭିଯାନ ଘୋରତର ହେବାରୁ ଆଇନ ସଂଶୋଧନ ପାଇଁ କ୍ୟାବିନେଟ ନିଷ୍ପତ୍ତି
ବିଶେଷ ସମ୍ବାଦଦାତା
ଓଡ଼ିଆ ଭାଷାକୁ ଅକାମି କରି ରଖିବା ପାଇଁ ସରକାର ଚଳାଇଥିବା ସବୁ ଷଡଯନ୍ତ୍ର ପଣ୍ଡ ହେବାରେ ଲାଗିଛି ।
ବୁଦ୍ଧିର ଲଢ଼େଇରେ ନ ପାରିବା ଫଳରେ ଭାଷା ଆନ୍ଦୋଳନର କିଛି ଅସାଧୁ ବ୍ୟକ୍ତିଙ୍କୁ ସୁପାରୀ କିଲର ପରି ବ୍ୟବହାର କରି ଜୁଲାଇ ୧୬ରୁ ପୁନଃ ଆରମ୍ଭ ହେବାକୁ ଥିବା କଳାପତାକା ଅଭିଯାନକୁ ନିସ୍ପନ୍ଦ କରାଇ ଦେବାକୁ ଚକ୍ରାନ୍ତ କରିଥିଲେ ସରକାର । କଳାପତାକା ଅଭିଯାନ ପଦ୍ଧତ୍ତିର ସ୍ରଷ୍ଟା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତହିଁର ପ୍ରୟୋଗ ପାଇଁ ସାଙ୍ଗଠନିକ ମଂଚ ଭାବେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲାବେଳେ, ପ୍ରତିଦିନ କଳାପତାକା ଧରିବା ପାଇଁ ସାଥୀ ଯୋଗାଇବା ଦାୟିତ୍ବ ନେଇଥିଲେ ପ୍ରଦ୍ୟୁମ୍ନ ଶତପଥୀ ଓ ପ୍ରତିଦିନର ବିବରଣୀ ଗଣମାଧ୍ୟମକୁ ପଠାଇବା ଥିଲା ପବିତ୍ର ମହାରଥାଙ୍କ କାମ , ଯାହାକୁ କି ସେମାନେ ତୁଲାଉଥିଲେ । ସୁତରାଂ ଶ୍ରୀ ପଟ୍ଟନାୟକ ଆନ୍ଦୋଳନର ରଣନୀତିତିଆରିକରିବା, ତା ସପକ୍ଷରେ ସାହିତ୍ୟ ସୃଷ୍ଟିକରିବା ଓ ସରକାରୀ କଳକୁ ସାମ୍ନା କରିବା କାର୍ଯ୍ୟ ସଫଳତାର ସହ କରିପାରୁଥିଲେ ।
ରାଜ୍ୟ ମନ୍ତ୍ରୀମଣ୍ଡଳ ବାଧ୍ୟ ହୋଇ ଆଇନ ସଂଶୋଧନ କରିବାକୁ ନିଷ୍ପତ୍ତି ନେଲାପରେ, ଭ୍ରମାତ୍ମକ ଭାବେ ସଂଶୋଧନ ଚିଠା ତିଆରିକରି ରାଜ୍ୟର ଇଂରାଜୀମନସ୍କ ମୁଖ୍ୟମନ୍ତ୍ରୀ ସରକାରୀକଳକୁ ଉପଯୋଗ କରି ବିଧାନସଭାର ଗତ ଅଧିବେଶନରେ ଏପରି ସଂଶୋଧନ ଘଟାଇଲେ ଯେ, ତଦ୍ଦ୍ଵାରା ମୂଳ ଆଇନଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଓଡ଼ିଆ ଭାଷା ଅଧିକ ବିପଦାପନ୍ନ ହେବା ସୁନିଶ୍ଚିତ ବୋଲି ଆଶଙ୍କା ଉପୁଜିଲା । ତେଣୁ ସେହି ସଂଶୋଧନକୁ ପ୍ରତ୍ୟାଖ୍ୟାନ କରି ବିଧାନସଭାକୁ ଫେରାଇ ଦେବାପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କୁ ଅନୁରୋଧ କଲେ ଓ ତାହା ଫଳବତୀ ନ ହେବାରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସଂଵୋଧନଟି କାହିଁକି ଓଡ଼ିଆ ଭାଷା ପାଇଁ ଅଧିକ କ୍ଷତିକାରକ ତାହା ଜଣାଇଲେ ଏବଂ ତାହାର ବିଲୋପନ ପାଇଁ ପଦକ୍ଷେପ ନେବା ସଂଗେ ସଂଗେ ସାନି ସଂଶୋଧନ ଦ୍ଵାରା ଆଇନଟିକୁ ସମ୍ପୂର୍ଣ ତ୍ରୁଟିଶୂନ୍ୟ କରିବାକୁ ଅନୁରୋଧ କଲେ । ବସ୍ତୁତଃ, ସେହି ଆପତ୍ତିଜନକ ସଂଶୋଧନ ସମ୍ପୂର୍ଣ୍ଣତଃ ବିଲୋପନ କରା ନଗଲେ, ମୂଳ ଭାଷା ଆଇନଟି କେବେ ବି ତହିଁର ଉଦ୍ଦେଶ୍ୟ ଅନୁରୂପ କାର୍ଯ୍ୟକାରୀ ହେବ ନାହିଁ – ଏହା ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ । ସରକାର ଅଡୁଆରେ ପଡିଗଲେ । ସୁତରାଂ ଭାଷା ଆନ୍ଦୋଳନକୁ ଅକାମି କରାଇଦେବାପାଇଁ ଆତତାୟୀ ଖୋଜା ଚାଲିଲା ଓ ସରକାର ଉପରୋକ୍ତ ଦୁଇ ବ୍ୟକ୍ତିଙ୍କୁ କରାୟତ କରିନେଲେ । ସରକାର ଭାବିଥିଲେ ଯେ, ଉପରୋକ୍ତ ଦୁଇ ବ୍ୟକ୍ତି ଯେହେତୁ ପ୍ରତ୍ୟହ ଲୋକ ଯୋଗାଣ ଓ ସମ୍ବାଦ ସମ୍ପ୍ରସାରଣ କରୁଥିବା ହେତୁ କଳାପତାକା ଅଭିଯାନ ଚାଲିଥିଲା,ସେମାନଙ୍କୁ ଆୟତ୍ତକୁ ନେଇଗଲେ କଳାପତାକା ଅଭିଯାନ ଆପେ ଆପେ ବନ୍ଦ ହୋଇଯିବ । ତାହା ହେଲା ନାହିଁ ।
ଏହି ବିଶ୍ଵାସଘାତକତା ପରେ କିଛି ସମୟର ଦୁଃଖ-ଝଡ଼ରେ ଝାଉଁଳି ପଡିଥିବା ଓଡ଼ିଆ ଜାତି ଜୁଲାଇ ୧୭ ତାରିଖ ସକାଳେ ନବବିକ୍ରମରେ ଜାଗିଉଠିଲା । ଜୁଲାଇ ୧୭ରେ କଳାପତାକା ଅଭିଯାନର ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ବିଧାନସଭା ସମ୍ମୁଖରେ ଆସି ପହଞ୍ଚିଲେ ସୂର୍ଯ୍ୟକାନ୍ତ ମାହାଲି ଓ ପ୍ରଭାତ ମାହାଲି ଏବଂ ସେହିମାନେ ହିଁ ସୁଭାଷ ବାବୁଙ୍କ ସହ ଚାଲି ସେହି ଘୋର ସଂକଟଜନକ ସ୍ଥିତିରେ ବଞ୍ଚାଇ ରଖିଲେ ଅଭିଯାନକୁ । ତହିଁ ପରଦିନ ଜୁଲାଇ ୧୮ରେ ଆସିଲେ ବୈଜ୍ଞାନିକ ଡଃ ଅଶୋକ ମିଶ୍ର । ଜୁଲାଇ ୧୯ରେ କୁମାରୀ ସଂଘମିତ୍ରା ଜେନା ଓ ସମ୍ବଲପୁରର ଆନନ୍ଦ ମହାପାତ୍ର କଳାପତାକା ତୋଳି ଭାଷା ଜନନୀଙ୍କ ବିଜୟଯାତ୍ରା ଚଳାଇ ରଖିଲେ । ତହିଁ ପରଦିନ ଡଃ ଅଶୋକ ମିଶ୍ରଙ୍କ ସାଙ୍ଗକୁ ଯୋଗ ଦେଲେ ଅମିତ ଅଭିଜିତ ସାମଲ ଓ ସୁଜିତ କୁମାର ନାୟକ । ତ ପରଦିନ ଭାଷା ଜନନୀଙ୍କ ବିଜୟ ଧ୍ଵଜା ତୋଳିଲେ ବୌଦ୍ଧ ଜିଲ୍ଲାର ଜନନେଟ ଅବକାଶ ସାହୁ ଓ ଭୁବନେଶ୍ବରର ଛାତ୍ରନେତା ଲଲିତା ମହାନନ୍ଦ ଓ ସିଲୁ ପ୍ରସାଦ ସାମଲ । ଜୁଲାଇ ୨୨ରେ ଅଭିଯାନ ଚଳାଇଲେ ସଙ୍ଘମିତ୍ରା ଜେନା, କୃପାସିନ୍ଧୁ ଦାଶ, ରାକେଶ କୁମାର ଚାନ୍ଦ । ତହିଁ ପରଦିନ ଦର୍ପଭରେ କଳାପତାକା ଉଡ଼ିଲା ବିନୟ ପାଣିଗ୍ରାହୀ,କିରଣ କୁମାର ନାୟକ, ସାଗର ବେହେରା ଓ ସୌମ୍ୟ ରଞ୍ଜନ ନାୟକଙ୍କ ହାତରେ । ଭାଷା ମାଆର ଘୋର ବିପତ୍ତି ବେଳାରେ ତାର ଉପରୋକ୍ତ ସନ୍ତାନମାନେ ଯେଉଁ ସଂହତି ପ୍ରଦର୍ଶନ କଲେ, ବିଶେଷତଃ ସଂଘମିତ୍ରା, ସୌମ୍ୟ ଓ ସାଗର ଯେପରି ନିଜର ସମସ୍ତ ଜଞ୍ଜାଳ ଭୁଲି, ଏପରିକି ଘରଦ୍ଵାର ଭୁଲି ଭୟଙ୍କର ବର୍ଷାରେ ଭିଜି ଅଭିଯାନଟିକୁ ଆତତାୟୀମାନଙ୍କ କବଳରୁ ରକ୍ଷା କଲେ, ତାହା ସାବ୍ୟସ୍ତ କରିଦେଲା ଯେ, ଓଡ଼ିଆ ଜାତି ତା ଭାଷାଜନନୀକୁ ରକ୍ଷା କରିବାକୁ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଯିବ ।
ଉଷା ଉଦୟ ହେଲେ ଦିବସ ଯେମିତି ଦୁରେଇ ରହି ପାରେନି, ସେମିତି ଉପରୋକ୍ତ ଦୁଇ ଆତତାୟୀଙ୍କ ହେତୁ ପ୍ରାୟ ସପ୍ତାହେ କାଳ ଝାଇଁମରା ହୋଇଯାଇଥିବା ଅଭିଯାନ ପୂର୍ଣ୍ଣ ଶକ୍ତିଶାଳୀ ହୋଇଉଠିଲା ଧୀରେ ଧୀରେ ।
ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓଡ଼ିଆଭାଷାପ୍ରାଣମାନେ ଧାଇଁଆସିଲେ କଳାପତାକା ଧରିବା ପାଇଁ । କବି ଗଜାନନ ମିଶ୍ର, ଭବାନୀଶଙ୍କର ପରିଜା, କମଳ ଲୋଚନ ନାୟକ , ସୁଭାଷ ଚନ୍ଦ୍ର ପ୍ରଧାନ, ଶିଶିର କୁମାର ସାହୁ, ଅମିତ ଅଭିଜିତ ସାମଲ, ପ୍ରଫେସର ଡକ୍ଟର କୁଳମଣି ନାୟକ, ମନୋଜ କୁମାର ପଣ୍ଡା, ବୀର କିଶୋର ବେହେରା , ରାଜନାରାୟଣ ଡ଼ାଳୁଆ, ତ୍ରିଲୋଚନ ବାରିକ, ସୁଭାଷ ଚନ୍ଦ୍ର ସାହୁ, ସୁଜିତ କୁମାର ନାୟକ , ରାକେଶ କୁମାର ଚାନ୍ଦ , ପ୍ରମୋଦ ପଢ଼ିଆରୀ, ଜିତେନ୍ଦ୍ର ସାସମଲ , ସତ୍ୟନାରାୟଣ ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ , ରା଼ଞ୍ଜୁଲତା ମହାପାତ୍ର, ନିରାକାର ସାହୁ , ଅଶୋକ ମହାନ୍ତି, ଗୋପୀନାଥ କିଷାନ , ଜ୍ୟୋତିପ୍ରକାଶ ମହାନ୍ତି, ତପନ କୁମାର ସେଠି , ପ୍ରଭାତ କୁମାର ବେହେରା, ଗଣେଶ ଚନ୍ଦ୍ର ପରିଡା , ସ୍ପନ୍ଦନ ଜ୍ଞାନଜିତ୍, ନରେଶ କୁମାର ମହାନ୍ତି , ଦିଲ୍ଲୀପ କୁମାର ସାମନ୍ତରାୟ, ଅଭିଷେକ ଦାଶ , ଦିବ୍ୟଜ୍ୟୋତି ଜେନା, ଆଶିଷ କୁମାର ଦାଶ , ତପନ ପାଢ଼ୀ, ପ୍ରଦୀପ ପ୍ରଧାନ , ପ୍ରସନ କୁମାର ପ୍ରଧାନ,ପ୍ରମୋଦ ରାଉତ, ଦେବାଶିଷ ଶତପଥୀ, ବୀରେନ୍ଦ୍ର ଚୌହାନ, ନିକୁଞ୍ଜ ବିହାରୀ ପଣ୍ଡା , ସଞ୍ଜୟ ସାହୁ, ଦୀପକ କୁମାର ସାହୁ, ଅଜୟ କୁମାର ଜେନା, ହରେକୃଷ୍ଣ ପଟ୍ଟନାୟକ, ସୁଜିତ କୁମାର ନାୟକ, ମାନସ ବିଶୋଇ, ସଂଗ୍ରାମ କେଶରୀ ବେହେରା,କେଦାରନାଥ ସାହୁ, ସରୋଜ ମହାପତ୍ର, ତପନ ମହାନ୍ତି, ନରେନ୍ଦ୍ର କୁମାର ବେହେରା, ନରେନ୍ଦ୍ର କୁମାର ସେଠି, ସୁବାସ ଚନ୍ଦ୍ର ହୋତା, ରିଂକନ ନାରାୟଣ, ଧ୍ରୁବ ଚରଣ ମହାନ୍ତି, ପ୍ରଦ୍ୟୋତ କୁମାର ବିଶୋଇ , ବିଜୟ ମଲ୍ଲିକ, ମାନସୀ ବିଶ୍ବାଳ, ରାଜଲକ୍ଷ୍ମୀ ନାୟକ, ନନ୍ଦିନୀ ଶତପଥୀ,କବିତା ସାମନ୍ତରାୟ , ବୀରକିଶୋରେ ବେହେରା, ପ୍ରମୋଦ କୁମାର ଦେବ, ସଂଜୀବ ପତ୍ରୀ, ଲଲାଟ ଚନ୍ଦ୍ର ପାତ୍ର, ପ୍ରିତୀଶ କୁମାର ବଳିୟାରସିଂହ , ପ୍ରଶ୍ନଜିତ ରାୟ, ଅମୁଲ୍ୟ ଦାଶ , ସନ୍ଦୀପ ମହାନ୍ତି, ଶ୍ରୀନୁ ନାୟକ ପ୍ରମୁଖ । ରାଜେନ୍ଦ୍ର ବିଶ୍ବାଳଙ୍କ ନେତୃତ୍ବରେ ବ୍ୟାସନଗରରେ ଯେମିତି କଳାପତାକା ଚାଲିରହିଲା, ଅଶୋକ ପରିଡାଙ୍କ ନେତୃତ୍ବରେ ସେମିତି ଫୁଲବାଣୀରେ । ସରକାର ଚମକିଲେ ।
ପ୍ରଦ୍ଯୁମ୍ନ ଶତପଥୀ ଓ ତାଙ୍କ ଗ୍ୟାଙ୍ଗବିଶ୍ବାସଘାତକତା କଲା ପରେ ଓଡ଼ିଆ ଜାତି ଯେପରି ଜାଗିଉଠିଲା ଓ କଳାପତାକା ଅଭିଯାନକୁ ଦୃଢଭାବେ ଚଳାଇ ରଖିଲା ତାର ସବିଶେଷ ସଚିତ୍ର ବିବରଣୀ ଭାଷାଆନ୍ଦୋଳନ(ଡଟ)କମ୍ ଦ୍ଵାରା ‘ଆମ ଭାଷା ପାଇଁ ଆମ ଲଢେଇ’ ଶୀର୍ଷକ ପ୍ରାମାଣିକ ଗ୍ରନ୍ଥରେ ପ୍ରକାଶିତ ହୋଇଛି । ଏହି ଗ୍ରନ୍ଥ ମଧ୍ୟ ପୃଥିବୀର ଅନ୍ଯତମ ଶ୍ରେଷ୍ଠ ପୁସ୍ତକ ପୋର୍ଟାଲ scribd.comରେ ସ୍ଥାନିତ ହୋଇଛି । ଏହା ସରକାରଙ୍କୁ ଚମକାଇଲା ।
ସତ୍ୟଭାମାପୁରରୁ ଭୁବନେଶ୍ବର
ଅଗଷ୍ଟ ୧୭ରେ କୁଳଗୌରବ ମଧୁସୂଦନଙ୍କ ଏନ୍ତୁଡ଼ିଶାଳ ଘରୁ ସତ୍ୟଭାମାପୁରର ଛାତ୍ରଛାତ୍ରୀମାନେ “ଆମ ଭାଷା ମାଆକୁ ଆତତାୟୀମାନଙ୍କ କବଳରୁ ରକ୍ଷାକର” ବୋଲି କହି, କଳାପତାକା ଧରାଇଦେଲେ କେନ୍ଦ୍ରାପଡ଼ା ଜିଲ୍ଲାର ରଞ୍ଜନ କୁମାର ଦାସ, ଓ କଟକ ଜିଲ୍ଲାର ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଆସୁଥିବା ଓଡ଼ିଆ ଭାଷା ଜନନୀଙ୍କ ବିଜୟ ବାହିନୀକୁ ଯେଉଁମାନଙ୍କ ଭିତରେ ଥିଲେ ଉପରୋକ୍ତ ଦୁଇ ସୁଯୋଗ୍ୟ ଓଡ଼ିଆଙ୍କ ସମେତ ଆଲୟ ସାମନ୍ତରାୟ,ନରେଶ ବେଉରା, ଆଶିଷ କୁମାର ଖଟୁଆ, ସୂର୍ଯ୍ୟ ପ୍ରକାଶ ପାଣି, ଓ ପ୍ରତାପ ମହାନ୍ତି । ଦୀର୍ଘ ୮୭ କିଲୋମିଟର ବାଟ ପାଦରେ ଚାଲି ଚାଲି ସମଗ୍ର ଅଂଚଳରେ ଭାଷା ଜନନୀଙ୍କ ବିପତ୍ତି ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇ ଏହି ବିଜୟବାହିନୀ ଯେତେବେଳେ ରାଜଧାନୀ ଭୁବନେଶ୍ୱରରେ ପହଁଚିଲା ସାରା ସହର ଚେଇଁ ଉଠିଲା ନିଦରୁ ତାର ମା ପାଇଁ । ନାହିଁନଥିବା ଉନ୍ମାଦନା ଖେଳିଗଲା ଭାଷା ମା ପାଇଁ ପ୍ରତିବଦ୍ଧତାର ତାଳେ ତାଳେ । କଳାପତାକା ଅଭିଯାନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସୌମ୍ୟ ରଞ୍ଜନ ନାୟକ ସାମାଜିକ ଗଣମାଧ୍ୟମ Facebookରେ ତହିଁର ସିଧାପ୍ରସାରଣ କରି ଛନକା ଭରିଦେଲେ ସରକାରଙ୍କ ଛାତିରେ । ସାଧାରଣ ମଣିଷର ବୌଦ୍ଧିକସ୍ଵର ଭାବେ ସୁବିଦିତ ସତୀଶ ମିଶ୍ର ପ୍ରତିଜ୍ଞା ଟିଭିର ଛାଇ ଶୀର୍ଷକରେ ତାକୁ ଜନାର୍ପିତ କଲେ ।
ନାମ ଫଳକ ପ୍ରହସନ
ସରକାର ଏତେ ଅତର୍ଛି ଗଲେ ଯେ, ଲୋକଙ୍କୁ ତୁରନ୍ତ ଆଶ୍ଵାସନା ଦେବାପାଇଁ ଏହି ଝଟକାର ସପ୍ତାହେ ନ ପୂରୁଣୁ ଅଗଷ୍ଟ ୨୧ ତାରିଖରେ ଏକ ଉଚ୍ଚସ୍ତରୀୟ କମିଟି ବସାଇ ୧୫ ଦିନ ଭିତରେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବାକୁ , ତା ନ ହେଲେ ଦଣ୍ଡବିଧାନର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଲେ । କଳାପତାକାର ତେଜ କବଳରୁ ନିସ୍ତାର ପାଇବା ପାଇଁ ଏହା ତତ୍କାଳ କେବଳ ଏକ ପ୍ରହସନ ଥିଲା ।
ତେଣୁ ଏଥିରେ ବିଭ୍ରାନ୍ତ ନ ହୋଇ , ନିଜ ମାତୃଭାଷା ପାଇଁ ପ୍ରତିବଦ୍ଧ ଓଡ଼ିଆ ଭାଇଭଉଣୀମାନେ ଏ ଅଭିଯାନକୁ ତେଜୀୟାନ କରିଚାଲିଲେ ।
ଖୋର୍ଦ୍ଧାରୁ ଭୁବନେଶ୍ବର
ସେପ୍ଟେମ୍ବର ୫ ଥିଲା ଗୁରୁଦିବସ । ସେଦିନ ଖୋର୍ଦ୍ଧାରୁ କଳାପତାକା ଧରି ମାତୃଭାଷାର ବିଜୟବାହିନୀର ବିଶିଷ୍ଟ ସଦସ୍ୟ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ , ଡକ୍ଟର ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା,ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରଶ୍ନଜିତ ରାୟ ପ୍ରମୁଖ ଭାଷା ଆନ୍ଦୋଳନର ରାଜ୍ୟ ଉପସଭାପତି କମଳ ଲୋଚନ ନାୟକ ଓ ଜିଲ୍ଲା ସଭାପତି ବିଭୁଦେନ୍ଦ୍ର ବିଦ୍ୟାଧରଙ୍କ ନେତୃତ୍ବରେ କଳାପତାକା ଓ ଦାବିଫଳକ ସହ ଭୀଷଣ ବର୍ଷାକୁ ବେଖାତିର କରି ଚାଲିଚାଲି ଭୁବନେଶ୍ୱର ଆସି ନିଜ ଭାଷା ଜନନୀ ପାଇଁ ଓଡ଼ିଆ ଜାତି କିପରି ଜାଗିଉଠିଲାଣି ତାହାର ଏକ ଝଲକ ଦେଲେ ଯେଉଁଥିରେ ଝଳି ଉଠିଥିଲା ଭାଷା ଆନ୍ଦୋଳନର ଦାବି : “ସରକାରୀ ଷଡଯନ୍ତ୍ର ବନ୍ଦ ହେଉ , ଭାଷା ଆଇନର ନିର୍ଭୁଲ ସଂଶୋଧନ ହେଉ ।”
ଏହା ସରକାରଙ୍କ ଛାତିରେ ଛନକା ଭରିଦେଇଛି । ଖୋର୍ଦ୍ଧା ବାହିନୀ ରାଜଧାନୀରେ ଭାଷା ଅସ୍ମିତାର ଵୀରତ୍ବବ୍ୟଞ୍ଜକ ସ୍ଵାକ୍ଷର ଖୋଦିତ କରିବାର ଦିନକ ପରେ ଭଉଣୀ ସଙ୍ଗୀତା କିଷାନ, ମାହେ ନିଖାତ୍, ରୀନା ବେହେରା ଓ ଉଷା ଶୁକ୍ଲା ଗତକାଲି କଳାପତାକା ଅଭିଯାନରେ ଯୋଗ ଦେବା ଓ ଭାଷା ଆନ୍ଦୋଳନର ସହସମ୍ପାଦିକା ସଂଘମିର ଜେନା ବି ସେମାନଙ୍କ ସହ ସାମିଲ ହେବ ସରକାରଙ୍କୁ ଛାନିଆ କରିଦେଇଛି ।
ଏହି ପ୍ରବଳ ଚାପର ସମ୍ମୁଖୀନ ହୋଇ, ସରକାର ଅତର୍ଚ୍ଛରେ ଭାଷା ଆଇନ ପୁନଃ ସଂଶୋଧନ ପାଇଁ ସେପ୍ଟେମ୍ବର ୭ ତାରିଖର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।
ଯେତିକି ବାହାରକୁ ଜଣାପଡୁଛି, କଳାପତାକା ଅଭିଯାନ ଚାପରେ ସରକାର ଆଇନ ସଂଶୋଧନ ପାଇଁ ଆପାତତଃ ପ୍ରସ୍ତୁତ । ଏଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳ ଆଉ ଏକ ସୁଯୋଗ ଦେଇଛି । ଏହି ସୁଯୋଗର ସଦୁପଯୋଗ କରି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଶାସନକଳ ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ପ୍ରଦାନ କରିଥିବା ପତ୍ରାନୁସାରେ ନିର୍ଭୁଲ ଭାବେ ଭାଷା ଆଇନଟିକୁ ଏହି ବିଧାନସଭାରେ ସଂଶୋଧନ ଓ ଆଇନଟିର ଉଦ୍ଦେଶ୍ୟ ପଣ୍ଡକରୁଥିବା ୧୯୬୩ ଓ ୨୦୧୮ର ସଂଶୋଧନଗୁଡ଼ିକର ବିଲୋପନ କରି ଓଡ଼ିଆ ଭାଷାକୁ ବିପଦମୁକ୍ତ କରିବେ ବୋଲି ଭାଷା ଆନ୍ଦୋଳନ ଆଶା କରୁଛି ।
ଭାଷା ଆନ୍ଦୋଳନ : ଅର୍ଥମନ୍ତ୍ରୀଙ୍କ ଭୂମିକା ସନ୍ଦେହଘେରରେ
ସ୍ୱତନ୍ତ୍ର ପ୍ରତିନିଧି
ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅପରିହାର୍ଯ୍ୟ କରିବା ପାଇଁ ଓଡିଶା ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ସକାଶେ ଚାଲିଥିବା କଳାପତାକା ଅଭିଯାନ ଯେତେବେଳେ ଆହୁରି ସଘନ ହେବା ଆବଶ୍ୟକ ଥିଲା, ସେତେବେଳେ ଏହି ଅଭିଯାନ ସହ ଜଡ଼ିତ ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଅଭିଯାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଲା ବୋଲି ୧୬. ୭. ୨୦୧୮ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତିରେ ଘୋଷଣା କଲେ । ସେମାନଙ୍କ କାମ ଥିଲା ପତାକା ଧରିବାକୁ ପ୍ରତିଦିନ ଚାରିଜଣ ସାଥୀ ଯୋଗେଇବା ଓ ଗଣମାଧ୍ୟମରେ ତଥା ସରକାରୀ ସ୍ତରରେ ପ୍ରସଙ୍ଗ ଉପସ୍ଥାପନା ତଥା ଆଲୋଚନା କାଳରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ସହଯୋଗ କରିବା, ଯାହା ସେମାନେ ନିଷ୍ଠାର ସହ କରିଆସିଥିଲେ । ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କରିବା ପାଇଁ ସେମାନେ ଅଧିକୃତ ନ ଥିଲେ । ଫଳରେ ମାତୃଭାଷାଭକ୍ତ ଓଡ଼ିଆ ଜାତି ସେମାନଙ୍କ ଏହି ଅନଧିକୃତ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଛି ଓ କଳାପତାକା ଅଭିଯାନ ଅଧିକ ଶାଣିତ ଆବେଗରେ ଯଥାରୀତି ଚାଲିଛି ।
କିନ୍ତୁ ଶତପଥୀ ଓ ମହାରଥା ଜାରିକରିଥିବା ପ୍ରେସ ବିବୃତ୍ତି ଜନସାଧାରଣଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଯାଇଥିବା ହେତୁ ଓ କଳାପତାକା ଅଭିଯାନ ବନ୍ଦ ରଖିବାକୁ ସେମାନେ ଅବକାରୀ ଓ ଅର୍ଥ ବିଭାଗଦ୍ଵୟର ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅକାମି ହୋଇଯାଇଥିବା ହେତୁ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଜୀବନ ବିପଦାପନ୍ନ ବୋଲି ସାମାଜିକ ଗଣମାଧ୍ୟମ ଫେସ ବୁକ ପୃଷ୍ଠାରେ ଉଲ୍ଲେଖ କରି ପବିତ୍ର ମହାରଥା ମନ୍ତ୍ରୀ ଶ୍ରୀ ବେହେରାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛନ୍ତି ।
ଏହି ପ୍ରେକ୍ଷାପଟରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ଥିତି ସ୍ପଷ୍ଟ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାଙ୍କୁ ଏକ ପତ୍ର ପ୍ରେରଣ କରିଛନ୍ତି ।
ତହିଁରେ ସେ ଲେଖିଛନ୍ତି,
“ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ (କଳାପତାକା ଅଭିଯାନକୁ) ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତ ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ ।”
ପ୍ରେସ ବିବୃତ୍ତିଟିକୁ ଅନୁଧ୍ୟାନ କରିବାକୁ ଶ୍ରୀ ବେହେରାଙ୍କୁ ଅନୁରୋଧ କରି ଶ୍ରୀ ପଟ୍ଟନାୟକ ତାଙ୍କଠାରୁ ତିନି ଗୋଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି । ସେଗୁଡିକ ହେଲା :
(୧) ଏଥିରେ କୁହାହୋଇଥିବା ପରି ବିଧାନସଭାରେ ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ଭାଷା ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?
ଅର୍ଥ ମନ୍ତ୍ରୀଙ୍କ ଉତ୍ତର ଯେତେ ଶୀଘ୍ର ମିଳେ ସେତେ ଭଲ ।
ଭାଷା ଆନ୍ଦୋଳନ , ତାର କଳାପତାକା ଅଭିଯାନ, ଆରମ୍ଭ ଓ ଅଗ୍ରଗତି (୧)
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସାମାଜିକ ଗଣମାଧ୍ୟମ ‘ଫେସ ବୁକ’ ପୃଷ୍ଠାରେ ଯେଉଁ ଭାଷା ଆନ୍ଦୋଳନର ଚର୍ଚ୍ଚା ଏବେ ଏତେ ବ୍ୟାପକଭାବେ ଚାଲିଛି ସେହି ଭାଷା ଆନ୍ଦୋଳନକୁ ଏହି ଏକ ଗଣମାଧ୍ୟମରେ ମୁଁ ଆରମ୍ଭ କରିଥିଲି ୨୦୧୬ ଏପ୍ରିଲ ପହିଲାରେ ।
ଏ ବିଷୟରେ ସବିଶେଷ ଆଲୋଚନା ସମୟକ୍ରମେ ହେବ । କିନ୍ତୁ ଏଥିପାଇଁ ମୁଁ ବପନ କରିଥିବା ବୀଜ କିପରି ଥିଲା ତାହା ସେଦିନର ମୋ ଉପସ୍ଥାପନାର ଫଟୋଚିତ୍ରରୁ ଦେଖାଯାଉ ।
ଏ ମାସ ୧୬ରୁ ପୁନଶ୍ଚ କଳାପତାକା ଅଭିଯାନ : କାହିଁକି ?
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା
ଗତ ବିଧାନସଭା ଅଧିବେଶନ ଠାରୁ ସ୍ଥଗିତ ଥିବା କଳାପତାକା ଅଭିଯାନ ଏ ମାସ ୧୬ ତାରିଖରୁ ପୁନଶ୍ଚ ଚାଲିବ ; କାରଣ, ଓଡ଼ିଆ ଜାତି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତାରଣା ଏ ଯାଏଁ ସରିନାହିଁ ।
ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଓଡିଶା ସରକାରଙ୍କୁ ତିନି ତିନି ଥର ବାଧ୍ୟ କଲାଣି ଓଡିଶା ସରକାରୀ ଭାଷା ଆଇନ, 1954ର ସଂଶୋଧନ ପାଇଁ । ମାତ୍ର ଓଡ଼ିଶାର ରାଜନୈତିକ ନେତୃତ୍ଵ ଦୁର୍ବଳ ହୋଇଥିବା କାରଣରୁ ଏବଂ ଅମଲାତନ୍ତ୍ର ଉପରେ ସର୍ବଥା ନିର୍ଭରଶୀଳ ଥିବା ହେତୁ , ଧୂର୍ତ୍ତ ଅମଲାମାନେ ସଂଶୋଧନ-ବିଧେୟକଗୁଡ଼ିକରେ ଏପରି ଶବ୍ଦ ଖଞ୍ଜୁଛନ୍ତି ଯେ, ଆଇନଟି ନିର୍ଭୁଲ ହୋଇପାରୁନି ।
ଆଇନଟିରେ ପ୍ରଥମରୁ ଦୁଇଟି ପ୍ରମାଦ ଥିଲା ; ଯଥା – (୧) ନିୟମାବଳୀ ପ୍ରଣୟନ କରି ଆଇନଟିକୁ କାର୍ଯ୍ୟକାରୀ କରିବାକୁ ଆଇନଟି ସରକାରଙ୍କୁ କ୍ଷମତା ଦେଇନଥିଲା ; ଓ (୨) ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନର ବ୍ୟବସ୍ଥା ନଥିବା ହେତୁ କେହି ଏହାକୁ ମାନୁନଥିଲେ । କବି ଓ ଅଧିବକ୍ତା ଗଜାନନ ମିଶ୍ରଙ୍କ ଅନଶନ ଫଳରେ ଆଇନଟିର କାର୍ଯ୍ୟକାରିତା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସଭ୍ୟଭାବେ ସଂସ୍ଥିତ ହୋଇ ଏହି ଦୁଇଟି ପ୍ରମାଦ ଚିହ୍ନଟ କଲେ ଓ ତହିଁର ଦୂରୀକରଣ ପାଇଁ ଦୁଇଟି ବିଧିକ ଚିଠା ସରକାରଙ୍କୁ ଦେଲେ : ପ୍ରଥମଟି ତାଙ୍କ ପ୍ରସ୍ତାବିତ ଆଇନ ସଂଶୋଧନର ଚିଠା ଓ ଦ୍ବିତୀୟଟି ତାଙ୍କ ପ୍ରସ୍ତାବିତ ନିୟମାବଳୀର ଚିଠା ।
ପ୍ରଥମଥର ପାଇଁ ସରକାର ଓ ଓଡ଼ିଶାବାସୀ ଜାଣିଲେ ଯେ, ଏତଦ୍ଦୃଶ ଆଇନ ସଂଶୋଧନ ନ ହେଲେ, ଓଡ଼ିଆରେ ଓଡ଼ିଶାର ଶାସନ ସମ୍ଭବ ହେବନାହିଁ । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଆଧାର କରି ୧୪. ୧୨ . ୨୦୧୫ ତାରିଖରେ ବିଧାନସଭାରେ କହିଲେ କି, ଭାଷା ଆଇନ ସଂଶୋଧନ ପାଇଁ ପଦକ୍ଷେପ ନିଆ ହେଉଛି । କିନ୍ତୁ ଦିନ ଦୁଇଟା ପରେ ସେ ବଦଳିଗଲେ ଓ ମନ୍ତ୍ରୀସ୍ତରୀୟ କମିଟିଟିକୁ ଆପାତତଃ ଅକାମି କରିଦେଲେ । ପରେ ନଥି ଅନୁଧ୍ୟାନ କରି ଜଣାପଡ଼ିଲା ଯେ, ଜି.ଭି.ଭି.ଶର୍ମା ନାମକ ଜଣେ ଅଣଓଡ଼ିଆ ଆଇ .ଏ .ଏସ . ଅଫିସରଙ୍କ ଚକ୍ରାନ୍ତ ହେତୁ ଏହା ସମ୍ଭବ ହୋଇଥିଲା ।
ତେଣୁ ଆଇନ ସଂଶୋଧନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇ ୧୩. ୪. ୨୦୧୬ ତାରିଖରୁ କଳାପତାକା ଅଭିଯାନ ଆରମ୍ଭ ହେଲା ।
କଳାପତାକା ଅଭିଯାନର ଶକ୍ତି
ଚାରିଜଣ ଭାଷାପ୍ରେମୀ ଓଡ଼ିଆ ହାତରେ ଦାବିଫଳକ ଓ କଳାପତାକା ଧରି ଓଡ଼ିଶାର ଆଇନ ପ୍ରଣୟନ କେନ୍ଦ୍ରଠାରୁ ରାଜ୍ୟପାଳଙ୍କ ଦାପ୍ତରିକ ନିବାସ ଯାଏଁ ପ୍ରତ୍ୟହ କାର୍ଯ୍ୟାଳୟ ସମୟ ଶେଷରେ ନୀରବରେ ଯାତ୍ରା କରିବା ଓ ଏହି ଅନନ୍ୟ ଆନ୍ଦୋଳନର ଶ୍ରେୟ କୁଳଗୌରବ ମଧୁବାବୁଙ୍କ ଚରଣତଳେ ଅର୍ପଣ କରିବା ହିଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ । ଏହି ନୀରବତା ହିଁ ଏହି ଆନ୍ଦୋଳନର ଶକ୍ତି ।
ପ୍ରଥମ ତ୍ରୁଟି
ଦୀର୍ଘ ଅଣଚାଳିଶ ଦିନ ଏହି କଳାପତାକା ଅଭିଯାନ ଚାଲିଲା ପରେ ମୁଖ୍ୟମନ୍ତ୍ରୀ ଚେତିଥିଲେ । ଅଧ୍ୟାଦେଶ ବଳରେ ଆଇନ ସଂଶୋଧନ କଲେ । ମାତ୍ର ଅମଲାତନ୍ତ୍ର ଯେଉଁ ଚିଠା କଲା ତହିଁରେ ନିୟମାବଳୀ ପ୍ରଣୟନର କ୍ଷମତା ସରକାରଙ୍କୁ ପ୍ରଦତ୍ତ ହୋଇଥିଲେ ମଧ୍ୟ ଓଡ଼ିଆରେ କାମନକରିବା କର୍ମଚାରୀଙ୍କୁ ଦଣ୍ଡବିଧାନ ବ୍ୟବସ୍ତା ରହିଲାନାହିଁ । ଫଳରେ ଓଡିଶା ସରକାରୀ ଭାଷା ଆଇନକୁ ତ୍ରୁଟିଶୂନ୍ୟ କରିବାକୁ ଆମ ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ହେତୁ ଅମଲାତନ୍ତ୍ର ଭଣ୍ଡୁର କରିଦେଲା ।
ଦ୍ବିତୀୟ ତ୍ରୁଟି
ଏହି ତ୍ରୁଟିପୂର୍ଣ୍ଣ ଅଧ୍ୟାଦେଶ ଜାରି ହେଲା ୨୧. ୫. ୨୦୧୬ ତାରିଖରେ । ମୁଖ୍ୟମନ୍ତ୍ରୀ କହିଲେ, “ଓଡିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଅଣାଯାଇ ୧୫. ୮. ୨୦୧୬ ସୁଦ୍ଧା ଆଇନ ପ୍ରଣୟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।”
ସୁତରାଂ ବିଧାନସଭାରେ ଅଧ୍ୟାଦେଶଟି ଆଇନରେ ରୂପାନ୍ତରିତ ହେବାବେଳେ ତହିଁର ତ୍ରୁଟି ସୁଧୁରିଯିବ ବୋଲି ବିଶ୍ଵାସ କରି ୧୬. ୮. ୨୦୧୬ ପର୍ଯ୍ୟନ୍ତ କଳାପତାକା ଅଭିଯାନ ସ୍ଥଗିତ ରଖାଯାଇଥିଲା ।
ଆଇନ ସଂଶୋଧନ ହେବା ପରିବର୍ତ୍ତେ, ୧୨. ୮. ୨୦୧୬ ତାରିଖରେ ସରକାର ଏକ ନିୟମାବଳୀ ପ୍ରବର୍ତ୍ତନ କଲେ ଯାହା ଓଡ଼ିଆ ଜାତି ପ୍ରତି ଥିଲା ଏକ ପ୍ରଚଣ୍ଡ ପ୍ରତାରଣା । ଯେଉଁ ଅମଲାମାନେ ଭାଷା ଆଇନ ଓ ତାର ଅଧିସୂଚନାକୁ ସମ୍ପୂର୍ଣ ଉଲ୍ଲଙ୍ଘନ କରିଆସିଛନ୍ତି ସେହିମାନଙ୍କ ହାତରେ ଉଲ୍ଲଙ୍ଘନର ସମୀକ୍ଷା ଅଧିକାର ଅର୍ପଣ କରିବା ଭିନ୍ନ ଏହି ନିୟମାବଳୀରେ ଆଉ କିଛି ନଥିଲା । ଏହାକୁ ପ୍ରତ୍ୟାଖ୍ୟାନ କରି ଭାଷା ଆନ୍ଦୋଳନର ସ୍ଥଗିତ ଥିବା କଳାପତାକା ଅଭିଯାନ ପୁନଃ ଆରମ୍ଭ ହେଲା ପୂର୍ବ ଘୋଷଣା ଅନୁସାରେ ୧୬. ୮. ୨୦୧୬ ଅପରାହ୍ନରେ ।
ତୃତୀୟ ତ୍ରୁଟି
ଅଧ୍ୟାଦେଶଟି ବିଧାନସଭାରେ ବିଧେୟକ ରୂପେ ରଖାଗଲା ୨୮. ୯. ୨୦୧୬ ତାରିଖରେ । ଅଧ୍ୟାଦେଶରେ ଥିବା ତ୍ରୁଟିକୁ ଆଇନସିଦ୍ଧ କରିବା ପାଇଁ ଏହା ଥିଲା ଏକ ଧୂର୍ତ୍ତ ପ୍ରୟାସ । ଅଧ୍ୟାଦେଶ ଜାରି ହୋଇଥାଏ ଏକ ନାହିଁନଥିବା ଜରୁରୀ ପରିସ୍ଥିତିରେ । ତେଣୁ, ତାହାକୁ ଆଇନରେ ପରିଣତ କରିବା ପାଇଁ ଯେତେବେଳେ ବିଧେୟକ ଉପସ୍ଥାପିତ ହୁଏ , ସେତେବେଳେ କେଉଁ ଅପରିହାର୍ଯ୍ୟ ଚାପ ହେତୁ ଅଧ୍ୟାଦେଶଟି ଜାରିହୋଇଥିଲା ତାହା ସରକାର ପ୍ରାଞ୍ଜଳ ଭାବେ ବିଧାନସଭାକୁ କହିବାକୁ ବାଧ୍ୟ । କାରଣ ବିଧାନସଭା ପରିସର ବାହାରେ ବିଧାନ ପ୍ରଣୟନ ଓ ପ୍ରବର୍ତ୍ତନ କରି କାର୍ଯ୍ୟନିର୍ବାହୀ ସରକାର ସ୍ଵାଭାବିକ କାର୍ଯ୍ୟଧାରାର ଯେଉଁ ଉଲ୍ଲଙ୍ଘନ କରିଥାନ୍ତି, ତହିଁର ପ୍ରକୃତ କାରଣ ଓ ତାର ଯଥାର୍ଥତା ବିଧାୟକମାନେ ତଦ୍ଦ୍ଵାରା ଅବଗତ ହୁଅନ୍ତି ଓ ବିଧେୟକଟିର ପ୍ରକୃତ “ଉଦ୍ଦେଶ୍ୟ ଓ କାରଣ କଥନ” ନିର୍ଭୁଲ ହୋଇ ଭବିଷ୍ୟତରେ ତାହାର ବିଧିକ ଉପଯୋଗ ସମ୍ଭବ ହୋଇଥାଏ । ମୁଖ୍ୟମନ୍ତ୍ରୀ ଏହି ବିଧେୟକ ଆଗତ କଲାବେଳେ ତାହା ଲୁଚାଇ ରଖିଲେ ଓ ତହିଁରେ ସନ୍ନିହିତ ସ୍ପଷ୍ଟ-କଥନରେ ମିଛ ବି କହିଲେ । ଆମ ବିଧାନସଭାର ସଭ୍ୟମାନେ ଏତେ ଯୋଗ୍ୟ ଯେ, ଏହି ଦୃଶ୍ୟପଟ ସମସ୍ତେ ଜାଣି ମଧ୍ୟ କେହି କିଛି ପ୍ରତିବାଦ କଲେନି ଆମ ଭାଷା ଇତିହାସର ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ଗୁପ୍ତ ହୋଇଗଲା । ଫଳରେ ସଠିକ “ଉଦ୍ଦେଶ୍ୟ ଓ କାରଣ କଥନ” ନଥାଇ ଓଡିଶା ସରକାରୀ ଭାଷା (ସଂଶୋଧନ) ଆଇନ , ୨୦୧୬ ବିଧାନସଭାରେ ପାରିତ ହେଲା ଓ ସଂଶୋଧନଟି ଅଧିକ ତ୍ରୁଟିପୂର୍ଣ୍ଣ ହୋଇ ରହିଲା ।
ପୁରୀ ପ୍ରସ୍ତାବ ଓ ତାର ଭ୍ରମ ସଂଶୋଧନ
ମୁଖ୍ୟମନ୍ତ୍ରୀଙ୍କ ବାପା ବିଜୁ ପଟ୍ଟନାୟକ ଆମ ସରକାରୀ ଭାଷା ଆଇନକୁ କିପରି ଛୁରା ମାରି ଇଂରାଜୀ ଭାଷାକୁ ଆମ ଉପରେ ଲଦିଦେଲେ ତାହା ଉପରେ ତିନି ସପ୍ତାହ ଧରି ଚର୍ଚ୍ଚା (ବିଜୁଙ୍କ ଛୁରା, ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସୂର୍ଯ୍ୟପ୍ରଭା) ପରେ ମୁଖ୍ୟମନ୍ତ୍ରୀ ୧୯. ୫. ୨୦୧୭ ତାରିଖରେ ଭାଷା ଆଇନର କାର୍ଯ୍ୟକାରିତା ପାଇଁ ପ୍ରତ୍ୟକ୍ଷ ଆଲୋଚନା କରିବାକୁ ମୋତେ ନିମନ୍ତ୍ରଣ କଲେ । ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ସାଙ୍ଗରେ ଧରି ମୁଁ ତାଙ୍କ ସହ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଆଲୋଚନା କଲି ଓ ଉପରୋକ୍ତ ତ୍ରୁଟି ସମ୍ପର୍କରେ ତାଙ୍କୁ ଅବଗତ କରାଇ, ୨୦୧୬ ସଂଶୋଧନକୁ ସେ ପୁନଃ ସଂଶୋଧିତ କରନ୍ତୁ ବୋଲି କହି, ସେହି ସଂଶୋଧନର ସ୍ଵରୂପ କ’ଣ ହେବା ଉଚିତ ତାହା ବୁଝାଇ ଏକ ସାନି ଚିଠା ମଧ୍ୟ ତାଙ୍କ ହାତରେ ଦେଲି ।
ଛଅ ମାସ ଗଡ଼ିଗଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଓଡ଼ିଅଵିରୋଧୀ ମାନସିକତା ବିରୁଦ୍ଧରେ ତାଙ୍କ ନିଜ ଦଳରେ ବି ଅସନ୍ତୋଷ ଦାନା ବାନ୍ଧିଲା । ଫଳରେ, ନିଜ ଦଳୀୟ ଲୋକଙ୍କୁ ବୁଝାଇବା ପାଇଁ ଯେ, ନବୀନ ବାବୁ ଓଡ଼ିଅଵିରୋଧୀ ନୁହନ୍ତି , ୨୬.୧୨. ୨୦୧୭ ତାରିଖରେ ପୁରୀଠାରେ ହେବାକୁଥିବା ତାଙ୍କ ଦଳର ପ୍ରତିଷ୍ଠା ଉତ୍ସବ ଅବସରରେ ସେହିଠାରେ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ବସାଇ ଭାଷା ଆଇନ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ସେ ପ୍ରସ୍ତୁତ ବୋଲି ପ୍ରଚାର କରାଇବାକୁ ନିଷ୍ପତ୍ତି ହେଲା । ତେଣୁ , ସେଠାରେ ଗୃହୀତ ଏକ ପ୍ରସ୍ତାବରେ କୁହାଗଲା , “ସରକାରୀ ଭାଷା ଆଇନ, ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷା ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ଵ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ୧.୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ ।”
କାହା ଉର୍ବର ମସ୍ତିଷ୍କରୁ ଏହି ପ୍ରସ୍ତାବର ଭାଷା ବାହାରିଥିଲା କିଏ ଜାଣେ ? ଏହା ଯେ ଆମ ଭାଷା ଅଧିକାରକୁ ଭଣ୍ଡୁର କରିବାକୁ ଉଦ୍ଦିଷ୍ଟ ଥିଲା ତାହା ଆମେ ଜାଣିଗଲୁ ଏବଂ ଏହାକୁ ବିରୋଧ କଲୁ । କାରଣ, (କ) “ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ” ବୋଲି କହି ଏହି ପ୍ରସ୍ତାବ ଦ୍ଵାରା ବିଭାଗଗୁଡିକର ମର୍ଜୀ ଉପରେ ଆମ ଭାଷା ଅଧିକାରକୁ ଛାଡିଦିଆହୋଇଥିଲା ଓ ସାରା ରାଜ୍ୟରେ ଏହାର ପ୍ରବର୍ତ୍ତନକୁ ସଂକୁଚିତ କରି “ବହୁଳ ବ୍ୟବହାର” ପରି ଏକ କିମ୍ଭୁତକିମାକାର ବିଭାବନା କବଳରେ ମାତୃଭାଷା ଓଡ଼ିଆର ଗରିମାକୁ ଉଜାଡ଼ିଦେବାକୁ ତଥା ତଦ୍ଦ୍ଵାରା ଭାଷା ଆଇନର ଅସଲ ଉଦ୍ଦେଶ୍ୟକୁ ପଣ୍ଡ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା । ଅପରପକ୍ଷେ କର୍ମଚାରୀଙ୍କ ଦୋଷ ହେତୁ ବିଭାଗକୁ ଦଣ୍ଡବିଧାନପାଇଁ ପ୍ରସ୍ତାବ ରଖି ମନ୍ତ୍ରୀମଣ୍ଡଳ ଚାହୁଁଥିଲା ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବାପାଇଁ ।
ଏହାର ପ୍ରତିବାଦରେ ତଥା ପ୍ରତିକାର ଦାବିରେ କଳାପତାକା ଅଭିଯାନ ଚାଲିରହିଲା । ଫଳରେ ବାଧ୍ୟ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳ ସେହି ଏକା ବିଷୟରେ ବୈଠକ କଲା ୧୪.୦୩.୨୦୧୮ ତାରିଖରେ, ଯହିଁରେ ମୁଖ୍ୟମନ୍ତ୍ରୀ ବି ଅଧ୍ୟକ୍ଷତା କଲେ । ୨୬. ୧୨. ୨୦୧୭ ତାରିଖର ପ୍ରସ୍ତାବକୁ ଏହା ବଦଳେଇଦେଇ, ତହିଁରେ କର୍ମଚାରୀଙ୍କ ଭୁଲ ପାଇଁ ବିଭାଗକୁ ଦଣ୍ଡିତ କରିବା ସକାଶେ ଯେଉଁ ଅନର୍ଥ ଖଞ୍ଜା ହୋଇଥିଲା ତାହାକୁ ନିପାତ କଲା ଓ ପରିସ୍କାର କରିଦେଲା କି, ଯେଉଁମାନେ ଓଡ଼ିଆ ଭାଷାରେ କାମ ନ କରିବେ, ସେହି କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ହେବ । ଏବଂ ଆମ ଯୁକ୍ତିକୁ ବି ଏହି ପ୍ରସ୍ତାବରେ ସ୍ଥାନିତ କରି ଏହା ଉଲ୍ଲେଖ କଲା କି, “ଓଡିଶା ସରକାରୀ ଭାଷା ଆଇନ ଏକ ଦୀର୍ଘ ଦିନର ପୁରୁଣା ଆଇନ ହୋଇଥିଲେ ମଧ୍ୟ, ଯେହେତୁ ଏହାର ଉଲ୍ଲଙ୍ଘନ ବିରୁଦ୍ଧରେ ଏଥିରେ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ନାହିଁ ସେହେତୁ ଏହାକୁ କେହି ମାନୁନାହାନ୍ତି” ବୋଲି ହୃଦ୍ବୋଧ ହୋଇଥିବାରୁ, ଖିଲାପକାରୀ ପଦାଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ସକାଶେ ଅତିଶୀଘ୍ର ଓଡିଶା ସରକାରୀ ଭାଷା ଆଇନ ସଂଶୋଧନ ହେବ ।” ଅତଏବ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ କଥନ” କଣ ହେବ ତାହା ବି ଏହି ମନ୍ତ୍ରୀମଣ୍ଡଳ ବୈଠକରେ ନିଶ୍ଚିତ କରିଦିଆଗଲା ।
ଚତୁର୍ଥ ତ୍ରୁଟି
ଅଥଚ , ସଂଶୋଧନ-ବିଧେୟକର ଚିଠା କଲାବେଳେ, ସମ୍ପୃକ୍ତ ଶାସନ ସଚିବ ଏକାକୀ ବା ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଏହି ୧୪.୦୩.୨୦୧୮ ତାରିଖର ପ୍ରସ୍ତାବକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଏବଂ ଏହି ଦିନର ମନ୍ତ୍ରୀମଣ୍ଡଳ ୨୬. ୧୨ . ୨୦୧୭ ତାରିଖର ଯେଉଁ ପ୍ରସ୍ତାବକୁ ବିଲୁପ୍ତ କରି ଥିଲା, ସେହି ଅପରିଣାମଦର୍ଶୀ ପ୍ରସ୍ତାବ ଉପରେ ନୂଆ ସଂଶୋଧନ ଠିଆ କରାଇଛନ୍ତି ମନ୍ତ୍ରିମଣ୍ଡଳର ସମ୍ପୂର୍ଣ ଅବଜ୍ଞା କରି । ଏହି ଦୁରାଚାର ଏତିକିରେ ଅଟକି ନାହିଁ । ଓଡ଼ିଆ ବିରୋଧୀ ଅମଲା ଓ ମୁଖ୍ୟମନ୍ତ୍ରୀଙ୍କୁ ରକ୍ଷାକବଚ ଯୋଗାଇବା ପାଇଁ ଏହି ଦୁଇ ମନ୍ତ୍ରିମଣ୍ଡଳର ପ୍ରସ୍ତାବକୁ ବି ହେରଫେର୍ (Tampering) କରାଯାଇଛି ।
ଉଦାହରଣ ସ୍ଵରୂପ, ୨୬. ୧୨ . ୨୦୧୭ ତାରିଖର ଯେଉଁ ପ୍ରସ୍ତାବକୁ ବିଲୋପ କରାଯାଇଥିଲା, ତହିଁରେ ଥିଲା “ବିଭାଗ ତଥା କର୍ମଚାରୀଙ୍କୁ” ଦଣ୍ଡିତ କରାଯିବ । ଅର୍ଥାତ୍ ବିଭାଗ ଏବଂ କର୍ମଚାରୀ- ଉଭୟେ ଦଣ୍ଡିତ ହେବେ । ସଂଶୋଧନ ବିଧେୟକଙ୍କୁ ଏହି ପ୍ରସ୍ତାବ ଉପରେ ଅନଧିକୃତ ଭାବେ ଠିଆ କରାଇ କୁହାଗଲା, “କର୍ମଚାରୀ କିମ୍ବା ବିଭାଗ”କୁ ଦଣ୍ଡିତ କରାଯିବ । ଏହି “କିମ୍ବା” ଶବ୍ଦଟିକୁ ଶାସନ ସଚିବ / ମୁଖ୍ୟମନ୍ତ୍ରୀ କେଉଁଠୁ ଆଣିଲେ? ମନ୍ତ୍ରୀମଣ୍ଡଳ ବୈଠକରେ ବିଲୁପ୍ତ କରାଯାଇଥିବା ଏକ ବିଭାବନକୁ ମନ୍ତ୍ରିମଣ୍ଡଳର କୌଣସି ଅନୁମୋଦନ ନଥାଇ ପୁନର୍ଜୀବିତ କରିବା ଓ ତହିଁର ଶବ୍ଦ ହେରଫେର୍ କରି “ଏବଂ” ସ୍ଥାନରେ “କିମ୍ବା” ଲେଖିବା ଏକ ଜଘନ୍ୟ ପ୍ରଶାସନିକ ଅପରାଧ । ମୁଖ୍ୟମନ୍ତ୍ରୀ ଯଦି ନିଜେ ଏହି ଅପରାଧ କରିନାହାନ୍ତି ତେବେ ଯେଉଁ ଶାସନ ସଚିବ ଏହା କରିଛନ୍ତି ତାଙ୍କ ବିରୁଦ୍ଧରେ କଡ଼ା ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ମୋ ଚିଠିରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିଛି । ସେ ନିରବ ରହିଛନ୍ତି ।
ଅପରପକ୍ଷେ , ଯେପରି ଉପରେ କୁହାହୋଇଛି, ମନ୍ତ୍ରିମଣ୍ଡଳର ଯେଉଁ ପ୍ରସ୍ତାବ ଭାଷା ଆଇନର ଏହି ଶେଷ ସଂଶୋଧନରେ ପ୍ରତିଫଳିତ ହେବା କଥା ବା ଯେଉଁ ପ୍ରସ୍ତାବ ଉପରେ ଏହି ସଂଶୋଧନ ଆଧାରିତ ହେବା କଥା, ମନ୍ତ୍ରିମଣ୍ଡଳର ଅଜାଣତରେ ସେହି ପ୍ରସ୍ତାବକୁ ହତ୍ୟା କରାଯାଇଛି । ୧୪.୦୩.୨୦୧୮ ତାରିଖର ଏହି ପ୍ରସ୍ତାବରେ ସ୍ପଷ୍ଟତଃ କୁହାହୋଇଥିଲା, “The same (Orissa Official Language Act, 1954) is not properly implemented, as there is no provision for imposing penalty against the Officers and employees who are violating the provisions of the notifications under the Act.” ଅତଏବ, ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମ ଯୁକ୍ତିକୁ ସମ୍ପୂର୍ଣ୍ଣତଃ ଗ୍ରହଣ କରି ମନ୍ତ୍ରୀମଣ୍ଡଳ ସ୍ବୀକାର କରିଥିଲା ଯେ, ଦଣ୍ଡବିଧାନ ବ୍ୟବସ୍ଥା ନଥିବା ହେତୁ ଭାଷା ଆଇନର ଅବାଧ ଅବମାନନା ହୋଇଚାଲିଛି । ସେଥିପାଇଁ, “Government have decided to bring the amendment immediately providing penalties for such erring officers and employees who don’t obey the directions issued under sub- section (2) of section 2 , so that they will implement the provisions of the notification in its letter and spirit” ଖୋଦିତ ହୋଇଥିଲା ଏହି ପ୍ରସ୍ତାବ ଦେହରେ । ଏହାର ଅର୍ଥ, “ଓଡ଼ିଆ ଭାଷାରେ କାମ ନ କଲେ ପଦାଧିକାରୀ ଓ କର୍ମଚାରୀଙ୍କୁ ଏପରି ଦଣ୍ଡବିଧାନ ପାଇଁ ଆଇନ ସଂଶୋଧନ ଅବିଳମ୍ବେ କରାଯିବ ବୋଲି ସରକାର ନିଷ୍ପତ୍ତି କରିଛନ୍ତି, ଯଦ୍ଦ୍ଵାରା ସେମାନେ ଧାରା-୨ର ଉପଧାରା-(୨) ଅନ୍ତର୍ଗତ ଅଧିସୂଚନାକୁ ଅକ୍ଷରେ ଅକ୍ଷରେ ଓ ମର୍ମେ ମର୍ମେ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେବେ । “ଉଦ୍ଦେଶ୍ୟ ଓ କାରଣ କଥନ”ର ସ୍ବରୂପ ନିର୍ଦ୍ଧାରଣ ସହ ସଂଶୋଧନ କଣ ହେବ ତାହା ଏହି ମନ୍ତ୍ରୀମଣ୍ଡଳ ସ୍ପଷ୍ଟ କରିଦେଇଥିଲା । ଓଡ଼ିଆଦ୍ରୋହୀ ପଦାଧିକାରୀ ଓ କର୍ମଚାରୀଙ୍କୁ ଦଣ୍ଡବିଧାନପାଇଁ ଯେହେତୁ ଏଥିରେ ସ୍ପଷ୍ଟ କରାହୋଇଥିଲା, ଓ ଯେହେତୁ ଓଡ଼ିଆଦ୍ରୋହୀ ନବୀନ ପଟ୍ଟନାୟକ ମଧ୍ୟ ଜଣେ ପଦାଧିକାରୀ , ସେହେତୁ ଓଡ଼ିଆଦ୍ରୋହୀ ଅମଲା ତଥା ମୁଖ୍ୟମନ୍ତ୍ରୀ ମିଳିମିଶି ଏହି ପ୍ରସ୍ତାବକୁ ହତ୍ୟା କରିଦେଲେ ଓ “ଅବିଳମ୍ବେ” ଅର୍ଥାତ୍ ବିଧାନସଭା ଅଧିବେଶନ ଆରମ୍ଭ ହେବା ସଂଗେ ସଂଗେ ଚିହ୍ନିତ ସରକାରୀ ଦିବସରେ ସଂଶୋଧନ ବିଧେୟକଙ୍କୁ ଆଗତ କରିଥିଲେ କାଳେ ଏହି ଜଘନ୍ୟ ଅପରାଧ ଧରା ପଡିଯିବ, ସେହି ଭୟରେ ଏହାକୁ ଅଧିବେଶନର ଶେଷ ଦିନରେ ଆଗତ ଓ ପାରିତ କରାଇ ନେଲେ ଏବଂ ଯେଉଁ “ଉଦ୍ଦେଶ୍ୟ ଓ କାରଣ କଥନ” ରଖିଲେ ତାହା ବି ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ଅବମାନନା କଲା ।
ଆରୁଖ ମୁଣ୍ଡରେ ପଣସ ଅଠା
ପଳାତକ ଆସାମୀ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଜାଲିଆତି କଳୁଷିତ ବିଧେୟକ ପାରିତୀକରଣ ପାଇଁ ଆଗତ ନ କରି , ତାଙ୍କ ନିଜ ଜିଲ୍ଲାବାସୀ ଓ ଅନୁଗତ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଦାୟିତ୍ବ ଦେଇ ପଳାଇଲେ ଓ ଏହି ଜାଲିଆତି ସହ ସମ୍ପୃକ୍ତ ଶାସନ ସଚିବ ଆଗରୁ ଲେଖିରଖିଥିବା ଖଣ୍ଡେ କାଗଜ ପଢ଼ି ଆରୁଖ ବିତର୍କର ଉତ୍ତର ରଖିଲେ । କେହି ଜଣେ ବି ବିଧାୟକ ପ୍ରଶ୍ନ କଲେନାହିଁ , ମୌଖିକ ବିତର୍କର ଲିଖିତ ଉତ୍ତର ବିତର୍କ ପୂର୍ବରୁ ମନ୍ତ୍ରୀ କେଉଁଠୁ ଆଣିଥିଲେ । ଲଜ୍ଜ୍ୟା ଲାଗୁଛି କହିବାକୁ ଯେ, ଏହି ପରି ସଭ୍ୟମାନଙ୍କୁ ନେଇ ଓଡିଶା ବିଧାନସଭା ଚାଲିଛି ।
ବିଧାନସଭାର ସ୍ବାଧୀକାର ଭଙ୍ଗ
ଏହି ଜାଲିଆତିର ଅଠା , ଯାହା ଅରୁଖଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ବୋଳିଛନ୍ତି, ତାହା ସେ କିପରି ଧୋଇବେ ତାଙ୍କୁ ଜଣା । କିନ୍ତୁ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତିକୁ ସମ୍ପୂର୍ଣ ଗୋପନ ରଖି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ଉପରେ ସଂଶୋଧନ ବିଧେୟକ ଆଧାରିତ ବୋଲି ସମ୍ପୃକ୍ତ ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଯେଉଁ ଉଲ୍ଳେଖନା ଅଛି ତାହା ପବିତ୍ର ସାର୍ବଭୌମ ଗୃହର ଅବଗତିରୁ ‘ବାସ୍ତବ ତଥ୍ୟ ସଂଗୋପନ’ (suppression of material facts) ଦୋଷରେ ଆକ୍ରାନ୍ତ ।
ଏପରି ଦୋଷ ଜାଣିଶୁଣି କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହର ସ୍ବାଧୀକାର ଭଙ୍ଗ କରିଛନ୍ତି କିମ୍ବା ସେ ଯାହା ମୁଣ୍ଡରେ ପଣସ ଅଠା ବୋଲିଛନ୍ତି, ସେ ନିଜେ ସାଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇଥିଲେ ମଧ୍ୟ ଏବଂ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିକୁ ପରିବର୍ତ୍ତିତ କରିଥିବା ଅବଗତ ଥିଲେ ମଧ୍ୟ, ଉପରୋକ୍ତ ‘ବାସ୍ତବ ତଥ୍ୟ ସଂଗୋପନ’ ପ୍ରତି ଆଖି ବୁଜି ଦେଇ , ସେ ସମ୍ପର୍କରେ ବିଧାନସଭାକୁ ଅନ୍ଧକାରରେ ରଖି, ଶାସନ ସଚିବଙ୍କ ଦ୍ଵାରା ପୂର୍ବରୁ ଲିଖିତ ବିତର୍କ-ଉତ୍ତର ପାଠ କରି ଓ ତଦ୍ଦ୍ଵାରା ବିଧାନସଭାକୁ ପ୍ରତାରିତ କରି, ବିଧାନସଭାର ସ୍ବାଧୀକାର ଭଙ୍ଗ କରିଛନ୍ତି ତାହା ବିଧାନସଭାର ଆଗାମୀ ଅଧିବେଶନ ସ୍ଥିର କରିବା ଆବଶ୍ୟକ ।
ବିଧାନସଭାର ଅପରିହାର୍ଯ୍ୟ ଦାୟିତ୍ବ
ଯଦି ଓଡିଶା ବିଧାନସଭା ଏହି ଅପରିହାର୍ଯ୍ୟ ଦାୟିତ୍ବ ନତୁଲାଏ , ତେବେ ଜୀଇଁ ଥାଉଁ ଥାଉଁ ଏହା ଏକ ମଲା ବିଧାନସଭା ବୋଲି ମନେହେବ । ଯଦି ଏ ବିଧାନସଭାଟି ପ୍ରକୃତରେ ମରିନଥାଏ, ତେବେ ଏହାକୁ ଆଉ ଏକ ଅଧିକ ଦାୟିତ୍ବ ନିର୍ବାହ କରିବାକୁ ହେବ । ତାହା ହେଲା, ଏହି ବିବାଦୀୟ ସଂଶୋଧନ ମାଧ୍ୟମରେ ଓଡିଶା ସରକାରୀ ଭାଷା ଆଇନଟିକୁ ମାରିଦେବାପାଇଁ ଯେଉଁ ବ୍ୟବସ୍ଥା ଖଞ୍ଜା ହୋଇଛି ବିଧେୟକଟିରେ ତାହାର ମୁଳୋତ୍ପାଟନ । ଆଇନଟି ସାରା ଓଡ଼ିଶା ପାଇଁ ପ୍ରବର୍ତ୍ତିତ ଏବଂ ଓଡ଼ିଶାର ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ସରକାରୀ ଭାଷା ହିଁ ଓଡ଼ିଆ ଭାଷା ବୋଲି ଯେଉଁ ଅନୁବନ୍ଧ ଅଛି ତାହାକୁ “ବ୍ୟାପକ ବ୍ୟବହାର” (extensive use) ପରି ଧୂର୍ତ୍ତ ଶବ୍ଦ ଦ୍ଵାରା ସଂକୁଚିତ କରିଛି ଏହି ଅଯୌକ୍ତିକ ତଥା ଜାଲିଆତୀପ୍ରସୁତ ସଂଶୋଧନ । ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଯାଇ ଏହି ପ୍ରମାଦପୂର୍ଣ ସଂଶୋଧନକୁ ପୁନଃ ସଂଶୋଧନ ଦ୍ଵାରା ଭାଷା ଆଇନଟିକୁ ନିର୍ଭୁଲ କରାଇବା ପାଇଁ ଅନୁରୋଧ କରାଯାଇଛି ।
ଆମ ବିଧାନ ପ୍ରଣୟନ ସଭା ଏହି ପ୍ରେକ୍ଷାପଟରେ ତାର ଦାୟିତ୍ବ ନିଵାହ କରିବା ଆବଶ୍ୟକ ।
ଓଡ଼ିଆ ଜାତି ବିରୁଦ୍ଧରେ ଉଭୟ ସରକାର ଓ ବିଧାନସଭାର ପ୍ରବଞ୍ଚନା ପ୍ରତି ଜନସଚେତନତା ହିଁ ପୁନଶ୍ଚ କଳାପତାକା ଅଭିଯାନର ମୂଳ ଲକ୍ଷ୍ୟ । ଏହି ଉଭୟ ସାମ୍ବିଧାନିକ ସଂସ୍ଥା ଯେତେଶୀଘ୍ର ସୁଧୁରିଯିବେ, ସେତେ ମଙ୍ଗଳ ।




