ହେ ମହାତ୍ମା ! କ୍ଷମା କର

ସୁଭାଷ ଚନ୍ଦ୍ର ପଟ୍ଟନାୟକ

“ଦିନଟି ସରିଲା! ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଜନ୍ମଦିନ ଗଲା। ସକାଳୁ ସକାଳୁ ସମାଜ କାଗଜ ଦେଖି ମନଟା ଏମିତି ଖରାପ ହେଇଗଲା ଯେ ସେ ସନ୍ତାପରୁ ମୁକୁଳିବା ବଡ଼ କଷ୍ଟକର ହେଲା। ଗୋପବନ୍ଧୁଙ୍କୁ ଶ୍ରଦ୍ଧା ନିବେଦନ ତଳକୁ ଠିକ୍ ଜୋତା କମ୍ପାନୀର ବ୍ୟାନର ବିଜ୍ଞାପନ!”

ଏକଥା ଲେଖିଛନ୍ତି ଉତ୍କଳମଣି ଗୋପବନ୍ଧୁଙ୍କ ଏକାନ୍ତ ଅନୁଗତ , ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ ତାଙ୍କ ଫେସବୁକ କାନ୍ଥରେ, ଗତ ୯ ତାରିଖରେ । ଯେଉଁମାନେ ଗୋପବନ୍ଧୁଙ୍କୁ ନିଜ ମନପ୍ରାଣରେ ଦେବତାର ଆସନରେ ରଖିଥାନ୍ତି ସେମାନଙ୍କ ଭିତରେ ଶ୍ରୀମାନ୍ ନାୟକ ବାରିହୋଇପଡ଼ନ୍ତି । ତାଙ୍କ ଫେସବୁକ କାନ୍ଥର ପ୍ରଚ୍ଛଦ ଚିତ୍ର ଗୋପବନ୍ଧୁଙ୍କ ପ୍ରତି ଅର୍ପିତ ଏକ ବନ୍ଦନାକୁ ହିଁ ଧାରଣ କରିଛି ।

ଏହା ହିଁ ଦର୍ଶାଏ, ଦେବୀପ୍ରସନ୍ନଙ୍କ  ଅନ୍ତରାତ୍ମାରେ ଏହି ମହାତ୍ମାଙ୍କ ପ୍ରତି ଭରି ହୋଇରହିଥିବା ଅନୁରକ୍ତି କିପରି ସ୍ଵୟଂସଂପୂର୍ଣ୍ଣ ଓ ପ୍ରଶ୍ନାତୀତ । ସୁତରାଂ ଉତ୍କଳମଣି ପ୍ରତିଷ୍ଠା କରିଥିବା ସମାଜ କାଗଜରେ  ତାଙ୍କ ପ୍ରତିଛବି ପ୍ରତି ଅସମ୍ମାନ ପ୍ରଦର୍ଶନ ଦେଖି ସେ ଗଭୀର ମାନସିକ ଯନ୍ତ୍ରଣା ଭୋଗିଥିବା ସ୍ଵାଭାବିକ ।

ଏହି ଯନ୍ତ୍ରଣା ଓଡ଼ିଶାର ବହୁ ବ୍ୟକ୍ତି ବି ଭୋଗିଛନ୍ତି । ଭାଇ ଧୀରେନ୍ଦ୍ର କରଙ୍କ ଫେସବୁକ କାନ୍ଥରେ ଥିବା ଏହି ପ୍ରତିକ୍ରିୟା ତହିଁର ସୂଚନା ଦିଏ । 

ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତି ଏହି ଭୟଙ୍କର ଅବଜ୍ଞା ପ୍ରଦର୍ଶନ ଓଡ଼ିଶାର ସର୍ବତ୍ର ଏପରି କ୍ଷୋଭ ସୃଷ୍ଟି କରିଛି ଯେ, ସମାଜ ସମ୍ପାଦକ ଏହାକୁ ଅନିଚ୍ଛାକୃତ ବୋଲି ଦର୍ଶାଇବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ ଏହି ଦୁଃଖ ପ୍ରକାଶ ଯଦି ସମାଜ ସମ୍ପାଦକଙ୍କ  ଅନିଚ୍ଛାକୃତ ହୋଇନଥାନ୍ତା, ତେବେ ସରଳ ଓ ସ୍ପଷ୍ଟଭାବେ ତାହା କାଗଜର ପ୍ରଥମ ପୃଷ୍ଠାରେ ସେହି ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ସ୍ଥାନିତ ହୋଇଥାନ୍ତା । 

ଓଡ଼ିଶାର ଏତେ ଲୋକ ଉତ୍କଳମଣିଙ୍କ ପ୍ରତି ସମାଜ କାଗଜରେ ପ୍ରଦର୍ଶିତ ଏ ଅପମାନରେ କ୍ଷୋଭ ପ୍ରକାଶ କଲେ , ଅଥଚ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ, ଏମ୍ .ଏଲ୍ .ଏ. , ଏମ୍ .ପି. ପଲଙ୍କ ଭିତରୁ କେହି ବି ସାମାନ୍ୟ ଦୁଃଖ ପ୍ରକାଶ କରିନାହାନ୍ତି ।  ଗୋପବନ୍ଧୁଙ୍କ ଉଇଲ ଜାଲ୍ କରି ସମାଜକୁ ମାଡ଼ିବସିଥିବା ଅଣଓଡ଼ିଆ ଅଧ୍ୟୁଷିତ ଲୋକସେବକ ମଣ୍ଡଳର ଆର୍ଥିକ ସ୍ଵାର୍ଥ ପାଇଁ ନବୀନ ପଟ୍ଟନାୟକ ଗୋପବନ୍ଧୁଙ୍କ ସତ୍ୟବାଦୀ ବନ ବିଶ୍ଵବିଦ୍ୟାଳୟ ସ୍ଵପ୍ନକୁ କିପରି ଉଜାଡ଼ି ଦେଇଛନ୍ତି ତାହା ତ ଅନ୍ୟତ୍ର ମୁଁ ଲେଖିଛି , କିନ୍ତୁ ଗୋପବନ୍ଧୁଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ ସତ୍ତ୍ୱେ ନବୀନ ପଟ୍ଟନାୟକ ଓ ତାଙ୍କ “ଚାକର” ଗୋଷ୍ଠୀ ସେହି ଅଣଓଡ଼ିଆପଲଙ୍କ ପ୍ରତି ସାମାନ୍ୟ ଅସନ୍ତୋଷ ବି ପ୍ରକଟ କରିବେନି, ଏହା ମୋର କଲ୍ପନା ବାହାରେ ଥିଲା । 

ଆମ ଲୋକଙ୍କ ଅଯୋଗ୍ୟତା ହେତୁ ଏହି ପରି ଲୋକଙ୍କ ହାତରେ ଓଡ଼ିଶା ପଡ଼ିଛି , ଯେଉଁ ଓଡ଼ିଶାକୁ ଧରାପୃଷ୍ଠାରେ ଆବିର୍ଭୂତ କରାଇବା ପାଇଁ ଅନ୍ୟତମ  ଆତ୍ମତ୍ୟାଗୀ ତପସ୍ଵୀ ଥିଲେ ପଣ୍ଡିତ ଗୋପବନ୍ଧୁ । ଆମକୁ ଧିକ୍ ଯେ, ଆମେ ଆମ ଜାତିର ଚିରପୂଜ୍ୟଙ୍କ ପ୍ରତି ପ୍ରଦର୍ଶିତ ଏ ଅପମାନକୁ ସହ୍ୟ ବି କରୁଛୁ । 

ହେ ମହାତ୍ମା ଗୋପବନ୍ଧୁ! ଏ ଜାତିକୁ କ୍ଷମା କର । 

 

 

 

ସମୁଦ୍ର ଲଙ୍ଘିଲେ ଗିରି କେତେ ମାତର?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାମାଜିକ ଗଣମାଧ୍ୟମ ଫେସବୁକ ମଞ୍ଚରେ ଅଖିଳ ଭାରତ ଯୁବ ସଂଘର ସିଧା ପ୍ରସାରିତ ବକ୍ତୃତାମାଳାର ମଇ୨୮ ତାରିଖ ସନ୍ଧ୍ୟା ପାଇଁ ନିର୍ଦ୍ଧାରିତ ବିଷୟର ଶୀର୍ଷକ ଥିଲା ଜାତିର ବିକାଶରେ ମାତୃଭାଷାର ଭୂମିକା । ଭାଷା ଆନ୍ଦୋଳନର ବନ୍ଧୁମାନଙ୍କ ଅନୁରୋଧକ୍ରମେ ଆନ୍ଦୋଳନ ପାଇଁ ସେହି ସିଧା ପ୍ରସାରିତ ବକ୍ତୃତାର ଅଧିକ ପ୍ରାସଙ୍ଗିକ ଅଂଶ ବିଶେଷକୁ ୟୁଟ୍ୟୁବ୍ ମାଧ୍ୟମରେ ପ୍ରଦାନ କରାଯାଉଛି । ଏହା ତହିଁର ୩ୟ କିସ୍ତି । 

ଗୁରୁକଲ୍ୟାଣ କୁଆଡ଼େ ଗଲେ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

କାନ୍ତକବିଙ୍କ ନାତି ବୋଲି ନିଜକୁ ପରିଚିତ କରାଉଥିବା ଗୁରୁ କଲ୍ୟାଣ ମହାପାତ୍ର ଗତ ଜୁନ ମାସରେ ମୋ ଉପରେ ଏକ ଅତ୍ୟନ୍ତ କୁତ୍ସିତ କୁତ୍ସା ପ୍ରଚାର କରିଥିଲେ ସାମାଜିକ ଗଣମାଧ୍ୟମ ଫେସବୁକରେ ତାଙ୍କ କାନ୍ଥରେ ଓ ତାହାକୁ ତୀବ୍ରତର କରିଥିଲେ ଅର୍ଥଲୋଭ ହେତୁ ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ପବିତ୍ର ମହାରଥା ଏବଂ ୧୬.୭.୨୦୧୮ରାତିରେ ତାଙ୍କ ଦାରୀ ସାକ୍ଷୀ ମାଦଳ ସାଜିଥିବା ଜନକୀଶ ବଡପଣ୍ଡା  । ମୁଁ ଯେଉଁ ପ୍ରତିକ୍ରିୟା ରଖିଥିଲି ତାହା ଏହି  ସଂଯୋଗସରଣୀ ରେ ଉପଲଭ୍ୟ । 

ସେ ତାଙ୍କ ଏହି କୁତ୍ସିତ ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ଦେଇନାହାନ୍ତି । ନିଜର ଅଭିଯୋଗକୁ ସେ ପ୍ରମାଣିତ କରିବା ଉଚିତ ବା ମିଥ୍ୟା କହିଥିବା ସ୍ଵୀକାର କରି ସର୍ବସାଧାରଣରେ କ୍ଷମା ମାଗିବା ଉଚିତ ।

କିନ୍ତୁ ତାଙ୍କ ଅପରାଧର ଅଦ୍ୟତନତା ଯାଞ୍ଚ ପାଇଁ ପୋଲିସ ଯେତେବେଳେ ସେ ପ୍ରଚାର କରିଥିବା କୁତ୍ସାର ଲିଙ୍କ (link) ଖୋଜୁଛନ୍ତି ତାହା ମିଳୁନାହିଁ  ବୋଲି ଖବର ପାଇ ମୁଁ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟାକଲି । ଏହି ରିପୋର୍ଟ ମିଳିଲା – ଯେଉଁଥିରେ ଫେସବୁକ କହୁଛି , ପୋଷ୍ଟିଂକର୍ତ୍ତା ଗୁରୁକଲ୍ୟାଣ ହୁଏତ ନିଜ ପୋଷ୍ଟକୁ ହଟାଇ ଦେଇଛନ୍ତି । 

ଯେଉଁମାନେ ମୋ ଉପରେ କୁତ୍ସିତ ଗାଳିବର୍ଷଣ କରି ଭାଷା ଆନ୍ଦୋଳନ ଶିବିରରେ ବିଭ୍ରାନ୍ତି ଉପୁଜାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ମୁହଁ ଇସ୍ପାତ , ଅଥଚ ପଛ ଏପରି ସନ୍ନିପାତ କାହିଁକି ? 

 

 

 

 

ମୋ ଭାଷା-ମାଆ ସହ ମୁଁ , ପରିସ୍ଥିତି ଯାହା ବି ହେଉ : ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରର ସ୍ଵର

(ସୂତ୍ର: ଆମ ଭାଷା ଆମ ଅଧିକର)

ଭାଷା ଆନ୍ଦୋଳନର ଚତୁର୍ଥ ସପ୍ତାହନ୍ତ ପାଠଚକ୍ର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ଏହି ପାଠଚକ୍ରରେ ପୁରୀରୁ ମହେନ୍ଦ୍ର ତ୍ରିପାଠୀ ପ୍ରଥମେ ଭାଷା ମାଆ ପାଇଁ ତାଙ୍କର କବିତା ଆବୃତ୍ତି କରିଥିଲେ | ପରେ ପରେ ରଂଜନ କୁମାର ସାହୁ ‘ଭାଷା ବନ୍ଦନା’ ଆବୃତ୍ତି କରିଥିଲେ | ପରିଶେଷରେ ଆଲୋଚ୍ୟ ବିଷୟ (ମୁଁ ଓ ମାତୃଭାଷା) ଉପରେ ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ |

ରାୟଗଡ଼ାରୁ ସରୋଜ ମହାନ୍ତି ରାଜ୍ୟର ଅର୍ଥନୈତିକ ବିକାଶରେ ଭାଷାର ଭୂମିକା ଉପରେ ମତ ରଖିଥିଲେ | ବଲାଙ୍ଗୀରରୁ ରାଜେଶ ଶତପଥୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ନିଜ ମାତୃଭାଷା ପ୍ରତି ନିଜ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ | ଶ୍ୟାମଘନ ମହାରଣା କହିଥିଲେ ଯେ ଭାଷାରେ ରାଜ୍ୟ ପରିଚାଳନା ହେଲେ ହିଁ ଭାଷା ନିରାପଦ ରହିବା ଓ ତାର ଉତ୍ତରୋତ୍ତର ଉନ୍ନତି ସମ୍ଭବ ହେବ ।  ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି କିଭଳି ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଅନ୍ୟ ରାଜ୍ୟ ଭଳି ସରକାରୀ ସ୍ତରରେ ପ୍ରାଧାନ୍ୟ ଦେବା ଆବଶ୍ୟକ ତାହା ଉପରେ ଆଲୋକପାତ କରିଥିଲେ | ଆଠଗଡ଼ରୁ ନିର୍ମଳ କୁମାର ଭାଗ ନେଇ ସରକାରଙ୍କ କରୋନା ସମ୍ପର୍କୀୟ ସୂଚନା ଓଡ଼ିଆରେ ପ୍ରଦାନ ନହେଉଥିବାରୁ ଏହାକୁ ନିନ୍ଦା କରିଥିଲେ | ଏହି ସଭାରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କଟକରୁ ରମାକାନ୍ତ ଭୂୟାଁ, ଯାଜପୁରରୁ ସୌଭାଗ୍ୟ ରାଉତ, ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଏହି ପାଠଚକ୍ରରେ ଯୋଗ ଦେଇ ରାଜ୍ୟସରକାରଙ୍କ ଇଂରାଜୀମନସ୍କତା ଓଡ଼ିଆ ଭାଷାର ଦୁର୍ଗତିର କାରଣ ବୋଲି କହି ଥିଲେ |

ସମସ୍ତେ ନିଜ ନିଜ ବକ୍ତବ୍ୟରେ ଯାହା ଯାହା କହିଥିଲେ, ତାର ସାରାଂଶ ହେଲା, ମୋ ମାତୃଭାଷା ମୋର ଏବଂ ତା ସହ ମୁଁ ଠିଆହେବି ପରିସ୍ଥିତି ଯାହା ହେଉ ନାଁ କାହିଁକି ।

ଯୁବ ପିଢ଼ି ହିଁ ବିପଦମୁହଁରୁ ମାତୃଭାଷାକୁ ବଞ୍ଚାଇବ : ପାଠଚକ୍ରର ନିର୍ଦ୍ଧାରଣ

(ଆମ ଭାଷା ଆମ ଅଧିକାର ସୂତ୍ରରୁ )

ଭାଷା ବଞ୍ଚିଲେ ଆମ ଅସ୍ମିତା ବଞ୍ଚିବ । ଆମ ଭାଷା ଆଜି ବିପଦରେ ଓ ଏହି ବିପଦରୁ ଉଦ୍ଧାର ପାଇଁ ଓଡ଼ିଶାର ସନ୍ତାନସନ୍ତତି ମାନେ ଆଗେଇ ଆସିବା ଆବଶ୍ୟକ । ଵିଶେଷତଃ ଯୁବସମାଜ ଆଗେଇ ଏ ଦାୟିତ୍ବ କାନ୍ଧେଇ ନେବା ଆବଶ୍ୟକ; କାରଣ ସେମାନେ ହିଁ ଆମର ଭବିଷ୍ୟତ ଓ ତାଙ୍କରି ମନଯୋଗ ଉପରେ ଆମ ଭାଷାଅସ୍ମିତା ନିର୍ଭର କରେ । ଏହିଭଳି ମତ ରଖିଥିଲେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆନ୍ଦୋଳନର ଦ୍ଵିତୀୟ ସପ୍ତାହନ୍ତ ପାଠଚକ୍ରରେ  ରଖିଥିଲେ ଗତ ରବିବାର ।

ଏହି ପାଠଚକ୍ରର ତୃପ୍ତିମୟୀ ପାତ୍ର ଯୋଗ ଦେଇ ଯୁବସମାଜର ଦାୟିତ୍ୱବୋଧ ଉପରେ ଆଲୋକପାତ କରି କହିଥିଲେଯେ ଆମ ମନରେ ଆମ ଭାଷା ପ୍ରତି ଥିବା ହୀନ ଭାବନା ଦୂର ହେବା ଆବଶ୍ୟକ ଓ ତାହା କେବଳ ନିରଳସ ଭଲପାଇବା ଦ୍ୱାରା ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଗୁଳରୁ ଭାଗ ନେଇଥିବା ସରୋଜ ମହାନ୍ତି ଭାଷାପ୍ରତି ଆସୁଥିବା ବିପଦ ଓ ତାର ପ୍ରତିକାର ସମ୍ବନ୍ଧରେ କହିଥିଲେ ଯେ, କିଛି ମୁଷ୍ଟିମେୟ ଯୁବକଯୁବତୀ ଏକାଠି ହେଲେ ଆମ ଭାଷା ପ୍ରତି ଆସୁଥିବା ସମସ୍ତ ବିପଦକୁ ଆମେ ପ୍ରତିହତ କରିପାରିବା ।

ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ମହାଲି, ନିର୍ମଳ କୁମାର, ମହେନ୍ଦ୍ର ତ୍ରିପାଠୀ, ରଂଜନ କୁମାର ସାହୁ ଯୋଗ ଦେଇ ନିଜନିଜର ମତ ରଖି ଆଲୋଚନାକୁ ବଳିଷ୍ଠ କରିଥିଲେ ।