ଶୁଣିବା ହୁଅନ୍ତୁ ସମ୍ପଦକେ – ବନ୍ଧୁ ଗୋପାଳକୃଷ୍ଣ ଓ ବାବୁ ସୌମ୍ୟ ରଞ୍ଜନ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଲେଖାଟି ଦୁଇଜଣ ଦୈନିକ ଖବରକାଗଜ ସମ୍ପାଦକଙ୍କ ପାଇଁ ଉଦ୍ଦିଷ୍ଟ । ସେମାନେ ହେଲେ ପ୍ରମେୟ ସମ୍ପାଦକ ବାବୁ ଗୋପାଳକୃଷ୍ଣ ମହାପାତ୍ର ଓ ସଂବାଦ ସମ୍ପାଦକ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ ।

ବିଦାୟୀ ବର୍ଷର ବିଶେଷ ଘଟଣା ଉପସ୍ଥାପନ କରିବାକୁ ଯାଇ ଏ ଉଭୟେ ୨୦୧୯ରେ କିପରି ଓଡ଼ିଆ ଭାଷାରେ ଓଡ଼ିଶା ପରିଚାଳନା ପାଇଁ ରାଜ୍ୟ ସରକାର ବିଧାନ ସୃଷ୍ଟି କରିଛନ୍ତି ତାହା ପରିବେଷଣ କରିଛନ୍ତି । ଆମ ଭାଷା ଅଧିକାରକୁ ସଂହାର କରିବାକୁ ଚକ୍ରାନ୍ତ କରି ବିଧାନ ପ୍ରଣୟନ ଆଳରେ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ପଙ୍ଗୁ କରିଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳା ପତାକାର ଲହର ଦାଉରୁ ନିଜ ଚର୍ମ ରକ୍ଷା କରିବାକୁ ନାନା କୁତ୍ସିତ କୌଶଳ ପ୍ରୟୋଗ କରି ଚାଲିଛନ୍ତି ଓ ଦଲାଲମାନଙ୍କ ମୁଁହରେ କୁହା କରାଉଛନ୍ତି କି ଭାଷା ଆଇନର ଯେପରି ସଂଶୋଧନ ଭାଷା ଆନ୍ଦୋଳନ ଦାବି କରିଥିଲା ସେପରି ସଂଶୋଧନ ହୋଇସାରିଛି । ଏହି ଦଲାଲୀ କାମରେ ଏହି ଉଭୟ ସମ୍ପାଦକ ନିୟୋଜିତ । ଏମାନଙ୍କ ସଦ୍ୟ ପରିବେଷଣ ପ୍ରେକ୍ଷାପଟରେ ତାହା ମୁଁ ଆଲୋଚନା କରିବି

ପ୍ରମେୟର  ୨୭.୧୨.୨୦୧୯ ପରିବେଷଣ

“ଓଡ଼ିଆ ଭାଷା ବ୍ୟବହାର ନକଲେ ଦଣ୍ଡ” ଶୀର୍ଷକରେ ଏହା ଲେଖିଛି, “ଓଡ଼ିଆ ସରକାରୀ ଭାଷା ଆଇନ ସଂଶୋଧନ ବିଲରେ ରାଜ୍ୟପାଳ ମୋହର ମାରିବା ପରେ ବିଧିବଦ୍ଧ ଭାବେ ୧୪ ଅଗଷ୍ଟଠାରୁ ସଂଶୋଧିତ ଆଇନ ରାଜ୍ୟରେ ଲାଗୁ ହୋଇଛି । ୧୯୫୪ ଭାଷା ଆଇନ ଥିଲେ ବି ତାହା ସମ୍ପୂର୍ଣ ଦନ୍ତହୀନ ଥିଲା । ଆଇନରେ ଖିଲାପ କଲେ ସରକାରୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ନଥିଲା । ମାତ୍ର ସଂଶୋଧିତ ଆଇନରେ ଓଡ଼ିଆ ଭାଷାର ବହୁଳ ପ୍ରଚାର ଓ ପ୍ରସାରକୁ ଦୃଷ୍ଟିରେ ରଖି ସରକାର ଦଣ୍ଡ ବିଧାନ ସହ ପୁରସ୍କୃତ କରିବାକୁ ବି ବ୍ୟବସ୍ଥା ରଖିଛନ୍ତି । ପଞ୍ଚାଯତ ସ୍ତରରୁ ଆରମ୍ଭ କରି ସଚିବାଳୟ ଯାଏଁ ସରକାରୀ ନଥିପତ୍ର , ଚିଠି ଆଦି ଓଡ଼ିଆରେ ଲେଖାଯିବ । ଯେଉଁ ବିଭାଗର ଅଧିକାରୀମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୁଦ୍ଧରେ ଆଇନରେ ଦଣ୍ଡବିଧାନର ପ୍ରବଧାନ ରହିଛି । ଯେଉଁ ଅଧିକାରୀମାନେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବେ ସରକାରଙ୍କ ତାଙ୍କୁ ଚିହ୍ନଟ କରି ପୁରସ୍କୃତ ମଧ୍ୟ କରିବେ ।  ପ୍ରଥମ ଥର ସରକାରୀ କର୍ମଚାରୀଙ୍କୁ  ଓଡ଼ିଆ ଭାଷା ବ୍ୟବହାର ଶିଖାଇଥିଲା ଓଡ଼ିଆ ଭାଷା ପ୍ରତିଷ୍ଠାନ । ଅକ୍ଟୋବର ମାସରେ ୫ ଦିନ ବ୍ୟାପୀ ଆୟୋଜିତ ହୋଇଥିଲା ଓଡ଼ିଆ ଭାଷା ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏଥିରେ ସରକାରଙ୍କ ୧୫ଟି ବିଭାଗରୁ ୩ ଜଣ ଲେଖାଏଁ ମୋଟ ୪୫ ଜଣ ପ୍ରଶିକ୍ଷଣ ନେଇଥିଲେ ।”

ଗୋଟିଏ ମିଛ କହିବାକୁ ଚେଷ୍ଟାକଲେ ବିଭିନ୍ନ ମିଛର ଆଶ୍ରୟ ନେବାକୁ ହୁଏ। ତେଣୁ “ଭାଷା ଆଇନ ସଂଶୋଧନ ବିଲରେ ରାଜ୍ୟପାଳ ମୋହର ମାରିବା ପରେ ୧୪ ଅଗଷ୍ଟଠାରୁ ସଂଶୋଧିତ ଆଇନ ରାଜ୍ୟରେ ଲାଗୁ ହୋଇଛି” ବୋଲି ଏଥିରେ ଲେଖା ଅଛି । ଏହା ମିଛ କଥା । ଭାଷା ଆଇନ ୨୦୧୯ରେ ସଂଶୋଧନ ହୋଇନାହିଁ କି ଭାଷା ଆଇନର ସଂଶୋଧନ ଉପରେ ରାଜ୍ୟପାଳ ୨୦୧୯ରେ “ମୋହର” ଲଗାଇନାହାନ୍ତି କି “ସଂଶୋଧିତ ଆଇନରେ ଓଡ଼ିଆ ଭାଷାର ବହୁଳ ପ୍ରଚାର ଓ ପ୍ରସାରକୁ ଦୃଷ୍ଟିରେ ରଖି ସରକାର ଦଣ୍ଡ ବିଧାନ ସହ ପୁରସ୍କୃତ କରିବାକୁ ବି ବ୍ୟବସ୍ଥା ରଖି” ନାହାନ୍ତି । “ବିଧିବଦ୍ଧ ଭାବେ ୧୪ ଅଗଷ୍ଟଠାରୁ ସଂଶୋଧିତ ଆଇନ ରାଜ୍ୟରେ ଲାଗୁ ହୋଇଛି” ବୋଲି ପ୍ରମେୟ ଯାହା କହିଛି , ତାହା ବି ମିଛ ।

ଓଡ଼ିଶା ସରକାରୀ ଭାଷା ଆଇନ ୨୦୧୮ର ପ୍ରମାଦପୂର୍ଣ ଭାବେ  ଦୁଇ ଥର ସଂଶୋଧିତ ହୋଇଥିଲା , ଯାହା ଆମ ଦାବିର ସମ୍ପୂର୍ଣ ପରିପନ୍ଥୀ ହୋଇଥିବା ହେତୁ ଏବଂ ଆମ ମୂଳ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିଥିବା ହେତୁ ଆମେ ପ୍ରତ୍ୟାଖ୍ୟାନ କରିଛୁ ଓ ଭାଷା ଆନ୍ଦୋଳନ ଚାଲିଛି । ପ୍ରଶିକ୍ଷଣ ନେଇଥିବା କର୍ମଚାରୀଙ୍କ ସଂଖ୍ୟା ବି ପ୍ରମେୟ ଠିକ୍ ଭାବେ ନ ଲେଖି ବଢେଇକରି ଲେଖିଛି । ଅତଏବ ସେହିପରି ବାରାଙ୍ଗନା ସାଜିଛି ପ୍ରମେୟ, ଯେପରି ହେବାକୁ ଜଟାଧାରୀ ବତାଇଛନ୍ତି ! ଲଜ୍ଜା !

ଆହୁରି ଲାଜର କଥା , ଏହି କାଗଜ ଏ ସବୁ କଥା କହିଲା ବେଳେ ଯେଉଁ ସଂଶୋଧନର କଥା କହିଛି ତାହା ଉପରେ କୌଣସି ବିଧିକ ଆଲୋଚନା କରିନି , ଯଦିଓ ଜନସ୍ବାର୍ଥ ଦୃଷ୍ଟିରୁ ଏହା ତାର କର୍ତ୍ତବ୍ୟ ଥିଲା । ଏହି କାଗଜର କୌଣସି ସମ୍ପାଦକୀୟରେ କେବେ ବି ଆଲୋଚିତ ହୋଇନି ଭାଷା ଆଇନର ସଂଶୋଧନ ଉପରେ ଏବଂ ସଂଶୋଧନର ଆବଶ୍ୟକତା ଓ ସଂଶୋଧିତ ସ୍ଥିତିରେ ତହିଁର ବିଧିକ ଶକ୍ତି ଓ ଉପଯୋଗୀତା ସମ୍ପର୍କରେ । ଭାଷା ଆଇନର ଭୁଲ ସଂଶୋଧନ କରି ଓଡ଼ିଆ ଜାତିର ଭାଷା ଅଧିକାରକୁ ଖର୍ବ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ୍ ସ୍କାମ୍ ପରି  ଜଘନ୍ୟ ଅପରାଧ କଲେ । ତାହା ଉପରେ ମତ ରଖିବାକୁ ଯେଉଁ କାଗଜର ସାହସ ହେଲାନାହିଁ , ସେହି କାଗଜ ବର୍ଷ ସରିଗଲା ବେଳେ ମିଛ କଥା କହି ଓଡ଼ିଆ ଲୋକଙ୍କୁ ଭୁଆଁ ବୁଲାଇବାକୁ ହୀନ ଉଦ୍ୟମ କରିଛି , ଦେହ ବିକି ଦେଇଥିବା ବାରନାରୀ ପରି । ଏହାଠୁ ବଳି ଲଜ୍ଜାର କଥା ଆଉ କ’ଣ ଥାଇପାରେ? ସୁପାରିଖିଆ ଦଲାଲମାନଙ୍କ ସବୁ ଷଡଯନ୍ତ୍ର ସତ୍ତ୍ୱେ ଅବିଚଳିତ ଭାବେ ଚାଲିଥିବା କଳାପତାକା ଅଭିଯାନର ଚାପ ହେତୁ ଲୋକଙ୍କୁ ଜଣାଇବା ପାଇଁ ଯେ, ସରକାର ଭାଷା ପ୍ରୟୋଗ ପାଇଁ ଆଗ୍ରହୀ , ଭାଷା ପ୍ରତିଷ୍ଠାନକୁ ବ୍ୟବହାର କରି ଯେଉଁ ପଞ୍ଚଦିନିଆ ଭାଷା ପ୍ରଶିକ୍ଷଣ ଶିବିର ଅକ୍ଟୋବର ମାସରେ ହୋଇଥିଲା , ସେଠାରେ ଯେ ସରକାରୀ ପଇସା ଓ ମାନବ ଦିବସ ନଷ୍ଟ କରି ବାଛୁରୀକୁ ହମ୍ମା ଶିଖେଇବାର ନାଟକ ହେଉଥିଲା , ତାହା ଉପରେ ଆଲୋକପାତ କରିଥିଲେ କାଗଜଟି ହୁଏତ କିଛି ପରିମାଣରେ ସମ୍ବାଦିକୀୟ ଦାୟିତ୍ଵ ନିର୍ବାହ କରିପାରିଥାନ୍ତା । ସେଠାରେ ଆସି ପଲାଉଥିବା ସ୍ୱଳ୍ପ ସଂଖ୍ୟକ ତଳିଆ ଓଡ଼ିଆ କର୍ମଚାରୀଙ୍କୁ ଓଡ଼ିଆ ଭାଷାରେ କିପରି ନଥିକାମ କରିବାକୁ ହେବ ତାହା ଶିକ୍ଷା ଦେଉଥିଲେ କିଛି ବ୍ୟକ୍ତି , ଯେଉଁମାନେ ଜୀବନରେ କେବେ ଓଡ଼ିଆରେ କୌଣସି ନଥି କାମ କରିନାହାନ୍ତି । କୌଣସି ଜଣେ ହେଲେ ଅଣଓଡ଼ିଆ ଏ ପ୍ରଶିକ୍ଷଣ ପାଇଁ ଆଦ୍ଦିଷ୍ଟ ହୋଇନଥିଲେ । ଯେଉଁମାନେ ଯୋଗଦେଇଥିଲେ ସେମାନେ ସବୁ ତଳିଆ ଓଡ଼ିଆ ଅମଲା । ସେମାନେ ଉପର ହାକିମମାନଙ୍କୁ , ବିଶେଷକରି ଅଣଓଡ଼ିଆ ପଦଧିକାରୀମାନଙ୍କୁ ଓଡ଼ିଆରେ ନଥିକାମ କରିବାକୁ ବାଧ୍ୟ କରିପାରିବେ କି? ଯେଉଁଦିନଠାରୁ ସେମାନେ ପ୍ରଶିକ୍ଷଣ ପାଇଲେଣି, ସେହି ଦିନ ଠାରୁ କେଉଁ କେଉଁ ନଥି ଓଡ଼ିଆରେ ହେଲାଣି ପ୍ରମେୟ ସମ୍ପାଦକ ତାଙ୍କ ସମ୍ବାଦଦାତାମାନଙ୍କୁ ତାହା ଅବଗତ ହେବାକୁ କହିଛନ୍ତି କି? ଯଦି ହଁ, ତେବେ ସେହି ଉପଲବ୍ଧି କ’ଣ, ତାହା କହିବାକୁ ତାଙ୍କୁ ଲାଜ କାହିଁକି? ଏ ନିର୍ଲ୍ଲଜ ଚାଟୁକାରୀତା କ’ଣ ସମ୍ବାଦିକତା?

ସମ୍ବାଦର ୨୯.୧୨.୨୦୧୯ ପରିବେଷଣ

ପ୍ରମେୟର ଦି ଦିନଠି “ଓଡ଼ିଆରେ ଶାସନ” ଶୀରୋନାମାରେ ସମ୍ବାଦ ଲେଖିଛି, “୮୭୮ ଦିନର ଐତିହାସିକ ଭାଷା ଆଂଦୋଳନର ଫଳଶ୍ରୁତି ସ୍ୱରୂପ ତୁରନ୍ତ ନିଯମାବଳୀ ପ୍ରଣଯନ କରି ଓଡ଼ିଆରେ ଶାସନ ବା ସେବା ପ୍ରଦାନ କରିବା ନେଇ ହୋଇଥିବା ଦାବି କାର୍ଯ୍ୟକାରୀ ହେବାକୁ ଯାଉଛି । କ୍ୟାବିନେଟ ବୈଠକରେ ନିୟମାବଳୀ ପ୍ରଣୟନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେଥିରେ ଅଗଷ୍ଟ ୧୩ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୋହର ମାରିଛନ୍ତି । ସରକାର ଏହାକୁ ଗେଜେଟରେ ପ୍ରକାଶ କରିଛନ୍ତି । ରାଜ୍ୟରେ ଓଡ଼ିଆରେ ସମସ୍ତ ନଥିପତ୍ର ପ୍ରଚଳନ ପାଇଁ ନିୟମାବଳୀ  ପ୍ରଣଯନ ହୋଇଛି । ଏଥିପାଇଁ ସରକାରୀ ବାବୁମାନଙ୍କୁ ବି ଓଡ଼ିଆରେ ପ୍ରଶିକ୍ଷଣ ଦିଆଯାଇଥିଲା ।”

ଭାଷା ଆଂଦୋଳନର ଦାବି ଅନୁରୂପ ବିଧାନ ସଂଶୋଧନ ହୋଇନଥିବା ହେତୁ ଯେତେବେଳେ  ଆନ୍ଦୋଳନ ଅବ୍ୟାହତ ଅଛି , ସେତେବେଳେ ବାବୁ ସୌମ୍ୟରଞ୍ଜନ କିପରି ଜାଣିଲେ ଯେ, “ଆଂଦୋଳନର ଫଳଶ୍ରୁତି ସ୍ୱରୂପ ତୁରନ୍ତ ନିୟମାବଳୀ ପ୍ରଣଯନ କରି ଓଡ଼ିଆରେ ଶାସନ ବା ସେବା ପ୍ରଦାନ କରିବା ନେଇ ହୋଇଥିବା ଦାବି କାର୍ଯ୍ୟକାରୀ ହେବାକୁ ଯାଉଛି”?  ସରକାରଙ୍କ ଭାଷା ଆଇନ ସଂଶୋଧନ ସହ ଏକମତ ହେବାକୁ ସୌମ୍ୟବାବୁଙ୍କ ଚାପ ପ୍ରୟୋଗକୁ ମୁଁ ଯେଉଁ ଦିନ ପ୍ରତ୍ୟାଖ୍ୟାନ କଲି , ସେହିଦିନଠାରୁ ତାଙ୍କ ଧମକ ଅନୁଯାୟୀ  ତାଙ୍କ କାଗଜରେ ଭାଷା ଆନ୍ଦୋଳନ ସମ୍ପର୍କୀୟ ସମ୍ବାଦ ପ୍ରକାଶ ପାଉନାହିଁ । କିନ୍ତୁ ଭାଷା ଆନ୍ଦୋଳନ ମୂଳରେ ମୋର ଉଦ୍ଦେଶ୍ୟ କଣ ଥିଲା ତାହା ସେ ଜାଣନ୍ତି । ସେ ଉଦ୍ଦେଶ୍ୟ ସାଧିତ ହୋଇଛି କି? ଏପରି ଏକ ସମ୍ବାଦ ପରିବେଷଣ କରି ଓଡ଼ିଆ ଜାତିକୁ ବିଭ୍ରାନ୍ତ କରିବାକୁ ସେ କାହିଁକି ଉଦ୍ୟମ କରିଛନ୍ତି? ସେ କିନ୍ତୁ ପ୍ରମେୟ ପରି ଡାହା ମିଛ ପରିବେଷଣ ନକରି ଆଂଶିକ ସତ କହିଛନ୍ତି । ତାହା ହେଲା,”ନିୟମାବଳୀ ପ୍ରଣୟନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେଥିରେ ଅଗଷ୍ଟ ୧୩ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୋହର ମାରିଛନ୍ତି । ସରକାର ଏହାକୁ ଗେଜେଟରେ ପ୍ରକାଶ କରିଛନ୍ତି ।” ଟିକେ ସତର୍କ ରହିଥିଲେ “ପ୍ରଣୟନ” ସ୍ଥାନରେ “ସଂଶୋଧନ” ଶବ୍ଦଟି ଲଗାଇପାରିଥାନ୍ତେ । କିନ୍ତୁ “ଗେଜେଟରେ ପ୍ରକାଶ” ପାଇଥିବା ଭାଷା (ସଂଶୋଧନ) ନିଯମାବଳୀ, ୨୦୧୯ ଏପରି କ’ଣ ଯେ, ସମ୍ବାଦ ତାହାକୁ “ଓଡ଼ିଆରେ ଶାସନ” ଶୀର୍ଷକ ଦେଇଛି?

ଏହି ସଂଶୋଧନର ଚିଠା ଯେତେବେଳେ ରାଜ୍ୟପାଳଙ୍କ ପାଖକୁ ଯାଇଥିଲା ମୁଁ ତାକୁ ବିରୋଧ କରିଥିଲି ଓ ତାହାକୁ ପ୍ରତ୍ୟାଖ୍ୟାନ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲି । ଭାଷା ଆନ୍ଦୋଳନ ଉପରେ ଦୃଷ୍ଟି ରଖିଥିବା ପ୍ରତ୍ୟେକ ଏହା ଜାଣନ୍ତି । ସେ ଏହା ବି ଜାଣନ୍ତି ଯେ, ଭାଷା ଆଇନ ପ୍ରୟୋଗ ପାଇଁ ନିୟମାବଳୀ ପ୍ରଣୟନ ଆବଶ୍ୟକ – ଏ କଥା ମୁଁ ହିଁ ପ୍ରଥମେ କହିଥିଲି ଓ ମୋରି ପରାମର୍ଶ ଉପରେ ନିୟମାବଳୀ ପ୍ରଣୟନ ପାଇଁ ୨୦୧୬ରେ ଭାଷା ଆଇନ ସଂଶୋଧନ ହୋଇଥିଲା । ଏହି ସଂଯୋଗ ସରଣୀରେ ତାଙ୍କ ଭାଷଣ ଅନୁଧ୍ୟେୟ । ଭାଷା ଆଇନରେ ମୋ ପ୍ରସ୍ତାବିତ ସଂଶୋଧନ ତଥା ମୋ ପ୍ରସ୍ତାବିତ ନିୟମାବଳୀ କାହିଁକି ଅତ୍ୟାବଶ୍ୟକ ସେ ସମ୍ପର୍କରେ ମୁଁ ତାଙ୍କ ସହ ବହୁବାର ଆଲୋଚନା କରିଛି ।

ତେଣୁ ସେ ଜାଣନ୍ତି ଯେ, କେଉଁ ଉଦ୍ଦେଶ୍ୟରେ ମୁଁ ଭାଷା ନିୟମାବଳୀର ଚିଠା ଦେଇଥିଲି ଓ ତାହା ସପକ୍ଷରେ କିପରି ଭାଷା ଆନ୍ଦୋଳନ ଚାଲିଥିଲା ଓ ଚାଲିଛି ।  ଏ କଥା ମଧ୍ୟ ସେ ଜାଣନ୍ତି ଯେ, ୨୦୧୬ର ଆଇନ ସଂଶୋଧନରେ ଧାରା-୪ ପରି ଏକ କାରସାଦି ଖଞ୍ଜାଯାଇ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡପାଇଁ  ତଦନୁଯାୟୀ ସେ ବର୍ଷ ଅଗଷ୍ଟ ମାସରେ ଯେଉଁ ଭାଷା ନିୟମାବଳୀ ପ୍ରଣୀତ ହୋଇଥିଲା ତାକୁ ପ୍ରତ୍ୟାଖ୍ୟାନ କରି କଳା ପତାକା ଅଭିଯାନର ୨ୟ ପର୍ବ ଆରମ୍ଭ ହୋଇଥିଲା ୧୬.୮.୨୦୧୬ ତାରିଖରୁ ଓ ସେ ତାହାକୁ ତାଙ୍କ କାଗଜରେ ଅଗ୍ରପ୍ରାଧାନ୍ୟ ଦେଇଚାଲିଥିଲେ । ରାଜନୈତିକ ପଦବୀର ଆକର୍ଷଣ ଏପରି ହୋଇଗଲା ଯେ, ସେ କେବଳ ତାଙ୍କ ଆଭିମୁଖ୍ୟ ବଦଳାଇଦେଲେ ତା ନୁହେଁ, ସରକାରୀ ଚାଟୁକାରୀତାର ଅନ୍ଧଗଳିରେ ଗଡ଼ି ଗଡ଼ି ସେହି ଭୁଲ ନିୟମାବଳୀକୁ ବୈଧ କରିବା ପାଇଁ ପ୍ରଣୀତ ଏଇ ୨୦୧୯ ସଂଶୋଧିତ ନିୟମାବଳୀକୁ ସେ ଏପରି ଶୀର୍ଷକ ଦେଇ ଓଡ଼ିଆ ଜାତିକୁ ଭୁଆଁ ବୁଲାଇବାରେ ସରକାରଙ୍କୁ ସାହାଯ୍ୟ କରିଛନ୍ତି । ଦୁର୍ଭାଗ୍ୟ ।

ଏହି  ପ୍ରେକ୍ଷାପଟରେ ଏହି ନୂଆ ବର୍ଷର ପ୍ରଥମ ଦିନରେ ଏହି ନିୟମାବଳୀ ଉପରେ ଯାହା କହିବାକୁ ଯାଉଛି ତାହା ଏହି ଉଭୟ ସମ୍ପାଦକଙ୍କୁ ମୋର ଆହ୍ଵାନ । ସେମାନେ ମୁଁ ଦେବାକୁ ଯାଉଥିବା ବିଶ୍ଳେଶଣକୁ ପାରିବେ ଯଦି ଖଣ୍ଡନ କରନ୍ତୁ ।

ଓଡ଼ିଆ ବିରୋଧୀ ନିୟମାବଳୀ

ଓଡ଼ିଆ ଜାତିର ସମସ୍ତ ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବା ସକାଶେ ଓଡ଼ିଆ ଜାତି ୧୮୭୦ରୁ ୧୯୩୬ ପର୍ଯ୍ୟନ୍ତ ସଂଗ୍ରାମ କରି ଓଡ଼ିଶା ପ୍ରଦେଶ ସୃଷ୍ଟି କରିଛି । ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ହେଲା ଓଡ଼ିଆରେ ତହିଁର ପରିଚାଳନା ।

ସେହେତୁ, ସ୍ଵାଧୀନତା ଲାଭ ପରେ ଏହି ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବାକୁ ଓଡ଼ିଶାର ପ୍ରଥମ ବିଧାନସଭା ୧୯୫୪ରେ ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଣୟନ କରିଥିଲା । ଏହି ଆଇନର ଧାରା ୧ର ଉପଧାରା (୨) ଓ ଉପଧାରା (୩) ବଳରେ ଏହା ସମଗ୍ର ଓଡ଼ିଶାରେ ତତ୍କାଳ ବଳବତ୍ତର ହୋଇଥିଲା । ଏହାର ଧାରା ୨ର ଉପଧାରା (୧) ଅନୁସାରେ ଓଡ଼ିଶାରେ ସମ୍ପୂର୍ଣତଃ ସମସ୍ତ ଓ ଯେକୌଣସି ଦାପ୍ତରିକ କାମ  ଓଡ଼ିଆରେ ହେବା ଧାର୍ଯ୍ୟ କରା ହୋଇଥିଲା ।

ମାତ୍ର ୨୦୧୯ରେ ରାଜ୍ୟ ସରକାର ଯେଉଁ ନିୟମାବଳୀ ପ୍ରବର୍ତ୍ତନ କରିଛନ୍ତି ତାହା ମୂଳ ଭାଷା ଆଇନ ସୃଷ୍ଟି କରିଥିବା ଏହି ଭାଷା ଅଧିକାରକୁ ପଣ୍ଡ କରୁଛି । ଯଥା,  ନିୟମ ୫-କ (୧) ରେ ଅଛି, “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବ । ଏହାର ଅର୍ଥ ହେଲା , ଯେଉଁ କର୍ମଚାରୀମାନେ ସମ୍ପୂର୍ଣ ଭାବେ ଓଡ଼ିଆରେ କାମ ନ କରିବେ ସେମାନଙ୍କୁ ରାଜ୍ୟ ସରକାର ପୁରସ୍କାର ଦେବେ । ସେହିପରି ନିୟମ ୫-କ(୨) ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ ଯେପରି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନପାରେ ତାର ବ୍ୟବସ୍ଥା କରିଛି । ଏଥିରେ କୁହା ହୋଇଛି “ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ ,ଖିଲାପକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ”।  ଅଥଚ “ପର୍ଯ୍ୟାପ୍ତ ବ୍ୟବହାର” ସଜ୍ଞାୟିତ ହୋଇନାହିଁ କି “ବାରମ୍ବାର ଖିଲାପ” କାହାକୁ କୁହାଯିବ ତାହା ମଧ୍ୟ ସଜ୍ଞାୟିତ ହୋଇନାହିଁ । ଏପରି ଅବସ୍ଥାରେ , ଏହି ନିୟମାବଳୀରେ ଯେଉଁ କାର୍ଯ୍ୟାନୁଷ୍ଠାନ କଥା କୁହା ହୋଇଛି ତାହା ମଧ୍ୟ ହେବ ନାହିଁ  ।

ଅପରପକ୍ଷେ , ଯେଉଁ ନିୟମାବଳିକୁ ସଂଶୋଧିତ କରାଯାଇଛି , ସେହି ନିୟମାବଳି ଯେତେବେଳେ ଅବୈଧ , ସେତେବେଳେ ତାର ସଂଶୋଧନ ବୈଧ କିପରି ? ସଂବାଦ ସମ୍ପାଦକ କ୍ଷମତାସୀନ ଦଳର ଏବେ ଜଣେ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ  । ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ହେବା ପାଇଁ ସେ କିପରି ଭାଷା ଆଂଦୋଳନର ସଉଦା କରୁଥିଲେ ତାହା ମୁଁ ଦର୍ଶାଇଛି । ଏହି ନିୟମାବଳି କାହିଁକି ଅବୈଧ ତାହା ସେ ଜାଣନ୍ତି । କାରଣ ଏ ସମ୍ପର୍କରେ ମୋ ସହକର୍ମୀମାନଙ୍କୁ ତଥା ତାଙ୍କୁ ମୁଁ ସବିଶେଷ ବୁଝାଇଲାପରେ  ୨୪.୫.୨୦୨୬ରୁ ସ୍ଥଗିତ ଥିବା କଳାପତାକା ଅଭିଯାନ ୧୬.୮.୨୦୧୬ ତାରିଖରେ ପୁନର୍ବାର ଆରମ୍ଭ ହୋଇଥିଲା ଓ ସେ ତାହାକୁ ତାଙ୍କ ସମ୍ବାଦପତ୍ରରେ ନିୟମିତ ପ୍ରକାଶ କରୁଥିଲେ । କ୍ଷମତାର ମାୟାମୃଗ ତାଙ୍କୁ ପଥହରା କରିଦେଇଥିଲେ ମଧ୍ୟ ତାଙ୍କୁ ଭଲଭାବେ ଜଣା ଅଛି ଭାଷା ଆଇନର ଧାରା ୪ ବିଲୋପ କରିବାକୁ ମୁଁ କାହିଁକି ଚାପ ପ୍ରୟୋଗ କରୁଛି ଓ ସେହି ଅବୈଧ ଧାରା ପ୍ରସୂତ ନିୟମାବଳି କାହିଁକି ଅବୈଧ । ଏକ ଅବୈଧ ନିୟମାବଳିର ପ୍ରଶାସନିକ ସଂଶୋଧନ ଯେ ସଂପୂର୍ଣ୍ଣ ଅବୈଧ ତାହା ସେ ଭଲଭାବେ  ବୁଝିଥିବା ହେତୁ ସଂଶୋଧନ ଶବ୍ଦଟି ପରିହାର କରି “ନିୟମାବଳୀ ପ୍ରଣୟନ” ପରି ମିଥ୍ୟା କଥା କହି ଲୋକଙ୍କୁ ବିଭ୍ରାନ୍ତକରିବାକୁ ଅପୋଦ୍ୟମ କରିଛନ୍ତି । କ୍ଷମତାଲୋଭ ମଣିଷକୁ କେତେ ତଳକୁ ନେଇଯାଏ ଏହା ତହିଁର ଏକ ନଗ୍ନ ନମୁନା ।

ଉପରୋକ୍ତ ଉଭୟ ସମ୍ପାଦକ ଏହା ଜାଣିବା ଉଚିତ ଯେ, “ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ” ବୋଲି ଯାହା କୁହା ହୋଇଛି, ତାହା ନୂଆ ବୋତଲରେ ପୁରୁଣା ମଦ । ୧୯୬୩ରେ ବିଜୁ ପଟ୍ଟନାୟକ ଓଡ଼ିଆ ଭାଷାକୁ ଛୁରୀମାରି  ଆମ ଭାଷା ଆଇନରେ ସଂଶୋଧନ ଦ୍ଵାରା ଇଂରାଜୀ ଭାଷାକୁ ଓଡ଼ିଶା ଉପରେ ଲଦି ଦେବା ପରେ ସରକାରୀ ଭାଷା ଭାବେ ଓଡ଼ିଆ ଭାଷା ଯେଉଁ ସଙ୍କଟର ସମ୍ମୁଖୀନ ହୋଇଥିଲା ତହିଁର ପ୍ରତିକାର ପାଇଁ ରାଜେନ୍ଦ୍ରନାରାୟଣ ସିଂହ ଦେଓଙ୍କ ସରକାର ୬।୪।୧୯୬୮ ତାରିଖରେ ୭୧୧୩ ସଂଖ୍ୟକ ଅଧିସୂଚନା ଜାରିକରିଥିଲେ, ଯେଉଁଥିରେ ଲେଖା ହୋଇଥିଲା, ୧୪।୪।୧୯୬୮ ତାରିଖରୁ ଯେଉଁମାନେ ଓଡ଼ିଆରେ କାମ ନ କରିବେ ସେମାନଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଏପରି ବହୁ ବାର ଏହି ଏକା ଆଦେଶ ହୋଇଛି । ଆଜିଯାଏଁ କାହାରି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କାରଣ ଆଇନ ଅମାନ୍ୟକାରୀ କୌଣସି କର୍ମଚାରୀ ନିଜକୁ ନିଜେ ଦଣ୍ଡିତ କରେନାହିଁ ।

ତେଣୁ ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଅଧିକାର ସାଧାରଣ ଲୋକର ରହିବା ଆବଶ୍ୟକ । ଭାଷା ଅଧିକାର ଏକ ସହଜାତ ଅଧିକାର ହୋଇଥିବା ହେତୁ , ଏହା ଏକ ଅଲିଖିତ ମୌଳିକ ଅଧିକାର । ଅନ୍ୟ ମୌଳିକ ଅଧିକାରର ସୁରକ୍ଷା ସକାଶେ ଯେକୌଣସି ବ୍ୟକ୍ତି ବିଧିକ ପଦକ୍ଷେପ ନେବା ପାଇଁ ଯେମିତି ଅଧିକୃତ, ଠିକ ସେମିତି ଭାଷା ଅଧିକାରର ଖଣ୍ଡନ ହେଲେ ତା ବିରୁଦ୍ଧରେ ବିଧିକ ପଦକ୍ଷେପ ନେବା ପାଇଁ ଯେକୌଣସି ଓଡ଼ିଆ ଆଇନତଃ ଅଧିକୃତ ହେବା ଦରକାର । ଏହି କଥାଟି ମୁଁ ମୋ ଚିଠା ବିଧାନରେ ଦେଇଥିଲି , ଯାହାକୁ କାର୍ଯ୍ୟକାରୀ କରାଇ ନଦେବା ପାଇଁ ଓଡ଼ିଆ ବିଦ୍ଵେଷୀ ମୁଖ୍ୟମନ୍ତ୍ରୀ ଓ ଇଂରାଜିମନସ୍କ ଅମଲାତନ୍ତ୍ର ଷଡ଼ଯନ୍ତ୍ର ଚଳାଇଛି । ଭାଷା ନିୟମାବଳୀ, ୨୦୧୬ ଓ ତହିଁର ସଂଶୋଧନ, ୨୦୧୯ ଏହି ଷଡ଼ଯନ୍ତ୍ରର ଅଂଶବିଶେଷ ।

ଏହି ଦୁଇ ସମ୍ପାଦକ ଏହା ଉପରେ କି ପତିକ୍ରିୟା ରଖିବେ ତାହା ଉପରେ ନିର୍ଭର କରିବ ଅଧିକ ଆଲୋଚନା ।

 

ବିଜେଡି ଜନ୍ମଦିନରେ ଭାଷାମାରଣ: ଦି ବର୍ଷ ହୋଇଗଲା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମନ୍ତ୍ରୀସ୍ତରୀୟ କମିଟିରେ ଭାଷା ଆଇନ ସଂଶୋଧନ ପାଇଁ ମୁଁ ଯେଉଁ ପ୍ରସ୍ତାବ ଦେଇଥିଲି ତାକୁ ଗ୍ରହଣ କରି ସରକାର ୨୦୧୬ରେ ନିୟମାବଳୀ ପ୍ରଣୟନ ପାଇଁ କ୍ଷମତା ଅଧିଗ୍ରହଣ କରିଥିଲେ ; ମାତ୍ର ଭାଷା ଆଇନର ଉଲ୍ଲଂଘନ ପାଇଁ ଦଣ୍ଡବିଧାନ ସକାଶେ ମୁଁ ଯେଉଁ ଚିଠା ଦେଇଥିଲି ତାହାକୁ ଗାଏବ କରିଦେଇଥିଲେ । ଫଳରେ କଳା ପତାକା ଅଭିଯାନ ବ୍ୟାପକ ହୋଇଥିଲା ।  ଓଡ଼ିଆ ଭାଷା ପ୍ରତି ନବୀନଙ୍କ ଏହି ବୈମାତୃକ ମନୋଭାବ ତାଙ୍କ ଦଳରେ ବି ଘୋର ଅସନ୍ତୋଷ ସୃଷ୍ଟି କରିଥିଲା । ତେଣୁ ନିଜ ଦଳର ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପ୍ରତାରଣାର ଏକ ନୂଆ ଚାଲ୍ ଚଳାଇଥିଲେ ମୁଖ୍ୟମନ୍ତ୍ରୀ ଅଣଓଡ଼ିଆ ଅଫିସରମାନଙ୍କ ସଲାସୁତରାରେ ।

ସେଦିନ ଥିଲା ଏଇ ତାରିଖର ଦିନ । ଡିସେମ୍ବର ୨୬, ୨୦୧୭ । ବିଜେଡି ଦଳର ଥିଲା ଜନ୍ମଦିନ । ପୁରୀରେ ବସିଲା ତାର ସାଧାରଣ ଅଧିବେଶନ । ସେଇଠି ଅଭୂତପୂର୍ବ ଶୈଳୀରେ ବସିଲା ରାଜ୍ୟ ମନ୍ତ୍ରୀମଣ୍ଡଳର ବୈଠକ । ସେପରି ଏକ ବୈଠକରେ ବସି  ବିଭିନ୍ନ ବିଭାଗ ସମ୍ପର୍କିତ ୨୦ଟା ପ୍ରସ୍ତାବ ସେମାନଙ୍କୁ ଗ୍ରହଣ କରିବାକୁ ହେବ ବୋଲି ମନ୍ତ୍ରୀମାନେ ବି ଜାଣିନଥିଲେ । ସମ୍ପୃକ୍ତ ଶାସନ ସଚିବ କହିଲେ, ପ୍ରସ୍ତାବଗୁଡ଼ିକ ଭାଷା ସଙ୍କ୍ରାନ୍ତିୟ । ବିନା ଆଲୋଚନାରେ , ବିନା ମଥାଖଟଣିରେ ଏକାବେଳକେ ୨୦ଟି ଯାକ ପ୍ରସ୍ତାବ ଗୃହୀତ ହୋଇଗଲା । ପ୍ରେସ୍ ନୋଟ୍ ରୂପେ ତାକୁ ବଣ୍ଟାହେଲା ଓ ସାରା ଓଡ଼ିଶାରୁ ଆସିଥିବା କର୍ମୀମାନଙ୍କ ସହାୟତାରେ ରାଜ୍ୟ ତମାମ ଏହି ବାର୍ତ୍ତା ଚହଟିଗଲା କି, ନବୀନ ବାବୁ ଏପରି ଭୀଷଣ ଓଡ଼ିଆଭାଷାପ୍ରେମୀ ଯେ, ଓଡ଼ିଆ ଭାଷାର ବିକାଶ ପାଇଁ କୋଡ଼ିଏକୋଡ଼ିଏଟା ପ୍ରସ୍ତାବ ଏକାଥରେ ଗ୍ରହଣ କରିଛନ୍ତି । ଆମକୁ କୁହାଗଲା ଯେ, ଆପଣଙ୍କର ଦାବି ତ ପୂରଣ ହୋଇଗଲା, ଆଉ ଆନ୍ଦୋଳନ କାହିଁକି?

ମୁଁ କିନ୍ତୁ ତାକୁ ବିରୋଧ କରିଥିଲି ।

ଆଖିମିଟିକା ଚଳିବନି ବୋଲି କହିଥିଲି ।

ସେଦିନ ବସ୍ତୁତଃ ନବୀନ ପଟ୍ଟନାୟକଙ୍କୁ ବ୍ୟବହାର କରି ଆମ ଭାଷା ଆଇନକୁ କାର୍ଯ୍ୟକାରୀ କରାଇନଦେବାପାଇଁ ବଦ୍ଧପରିକର ଅମଲାତନ୍ତ୍ର ସରକାରୀ ଭାଷା ଭାବେ ଆମ ଭାଷା ଯେପରି ବ୍ୟବହାର ହୋଇନପାରେ ତା ପାଇଁ ପୁରୀ କ୍ୟାବିନେଟରେ ପ୍ରସ୍ତାବ ଗ୍ରହଣ କରିଥିଲା । ପ୍ରସ୍ତାବଟି କାହିଁକି ଥିଲା ଆମ ଭାଷା ପାଇଁ ଘାତକ ତାହା ମୋର ଉପରୋକ୍ତ ଦୁଇ ଲେଖାରୁ ଆପଣ ସ୍ପଷ୍ଟ ହୋଇପାରିବେ ।

ସେହି ଦିନର ସେହି ପ୍ରସ୍ତାବ ସମ୍ପୂର୍ଣ ଅବୈଧ ଥିଲା । କାର୍ଯ୍ୟ ନିୟମାବଳୀର ସମ୍ପୂର୍ଣ ଉଲ୍ଲଂଘନ କରାଯାଇ ଓଡ଼ିଆ ଜାତିକୁ ପ୍ରତାରିତ କରିବା ପାଇଁ ତାହା ଥିଲା ଏକ ଧୂର୍ତ୍ତ କୌଶଳ । ଅତ୍ୟନ୍ତ ଅବୈଧ ଶୈଳୀରେ ମଧ୍ୟ ସେହି ପ୍ରସ୍ତାବକୁ ବ୍ୟବହାର କରି ଭାଷା ଆଇନ ସଂଶୋଧନ ହୋଇଛି ଦୁଇ ଥର ୨୦୧୮ରେ । ଫଳରେ ଓଡ଼ିଆରେ କାମ ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତାରଣାକୁ ଘୋଡେଇପକାଇବାପାଇଁ ସେହି ଅବୈଧ ସଂଶୋଧନକୁ ବୈଧ ଦର୍ଶାଇ ଅବୈଧ ନିୟମାବଳୀର ସଂଶୋଧନ ହୋଇଛି ୨୦୧୯ରେ । ଏହି ଅବୈଧତାକୁ ଲୁଚାଇବା ପାଇଁ ଆମ ଭିତରୁ ଦୁଇଜଣ ଅର୍ଥଲୋଭୀଙ୍କୁ ପୋଷାମନାଇ ମୁଖ୍ୟମନ୍ତ୍ରୀ ସେହିମାନଙ୍କ ମାଧ୍ୟମରେ ଭାଷାଆନ୍ଦୋଳନସହ ଏକଦା ଜଡ଼ିତ ଥିବା ଲୋକମାନଙ୍କୁ କୁହା କରାଉଛନ୍ତି କି, ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧନ ହୋଇସାରିଛି । ଏହି ଦୁଇ ବିଶ୍ଵାସଘାତକ  – ପବିତ୍ର ମହାରଥା ଓ ପ୍ରଦ୍ୟୁମ୍ନ ଶତପଥି – ଜାଣନ୍ତି ନାହିଁ, ଯଦି ଭାଷା ଆଇନ ନିର୍ଭୁଲ ହୋଇସାରିଛି ତେବେ ତାହା କାର୍ଯ୍ୟକାରୀ ହେଉନହିଁ କାହିଁକି !

ପ୍ରତାରଣାର ଏ ଦୁଇବର୍ଷ ଓଡ଼ିଆ ଜାତିର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏହି କଳଙ୍କ କବଳରୁ ଆମ ଭାଷା ମାଆକୁ ଉଦ୍ଧାର କରିବାକୁ ଚାଲିରହିଛି କଳାପତାକା ଅଭିଯାନ ।

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଅଷ୍ଟବିଂଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଉଚ୍ଚ ଶିକ୍ଷା ବିଭାଗ ଜାଣିଥିଲା ଯେ, ସ୍ତ୍ରୀ ମାନସୀଙ୍କ ଚାକିରି ହାସଲ କରିବାକୁ ଭାଷା ଆନ୍ଦୋଳନକୁ ଛୁରୀ ମାରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ରାଜିହୋଇଯିବା ପରଠୁ ଏହା ନେଇଥିବା ପ୍ରତିଟି ନିଷ୍ପତ୍ତିରେ ଭରି ହୋଇରହିଥିଲା ପଶାସନିକ ସ୍ଵେଚ୍ଛାଚାର; କାରଣ ତଦ୍ଭିନ୍ନ ତାଙ୍କୁ ସାହାଯ୍ୟ କରିହୋଇନଥାନ୍ତା । ଏହି ଏକା କାରଣରୁ ଏହି ବିଭାଗ ଓଡ଼ିଶା ହାଇ କୋର୍ଟରେ ମାନସୀଙ୍କ ରିଟ୍ ମାମଲାରେ ପ୍ରତିବାଦୀ ଥାଇ ମଧ୍ୟ ଅଂଶ ଗ୍ରହଣ କରିନଥିଲା ଏବଂ ତାଙ୍କୁ ଏକ ନିର୍ବିବାଦ ଆଦେଶ (uncontested order) ହାସଲ କରିବାରେ ସାହାଯ୍ୟ କରିଥିଲା । ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହା ମାନସୀଙ୍କ ସପକ୍ଷରେ ଯେପରି ଉପଯୁକ୍ତ ମଣିବେ ସେପରି ନିଷ୍ପତ୍ତି ନେବାକୁ ଉଚ୍ଚ ଶିକ୍ଷା ବିଭାଗକୁ ଦେଇଥିଲା ଅଖଣ୍ଡ ଅଧିକାର (carte blanche) ।

ସାଂଘାତିକ ପେଞ୍ଚ

ମାନସୀଙ୍କ ରିଟ୍ ମାମଲା ଓଡ଼ିଶା ରାଜ୍ୟବାସୀଙ୍କ ବିରୁଦ୍ଧରେ ଏକ ସାଂଘାତିକ ପେଞ୍ଚ ଥିଲା । ଆଦୌ କାମ ନକରି, ୧୦ ବର୍ଷ କାଳ ଅଡ଼ଶପୁର କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀମାନଙ୍କ ଅଧ୍ୟୟନ ଅଧିକାରକୁ ବିପର୍ଯ୍ୟସ୍ତ କରି, କେବଳ ଭାଷା ଆନ୍ଦୋଳନ ବିରୁଦ୍ଧରେ ସ୍ଵାମୀ ପ୍ରଦ୍ୟୁମ୍ନ ଶତପଥିଙ୍କ ଦଲାଲୀ-ଦକ୍ଷତା ହେତୁ ସେ ପ୍ରାୟ ଦେଢକୋଟି ଟଙ୍କାର ପିଛିଲା ବେତନ ସହ ଚାକିରିରେ ନିୟମିତ ହେବା ପାଇଁ ପେଞ୍ଚ କରିଥିଲେ । ଏପରି ସାଂଘାତିକ ପେଞ୍ଚକୁ ହାଇକୋର୍ଟରେ ଉଚ୍ଚ ଶିକ୍ଷା ବିଭାଗ ବିରୋଧ ନକରିବା ମୂଳରେ ସମ୍ପୃକ୍ତ ସରକାରୀ ଓକିଲଙ୍କ ଭୂମିକା ଯଦି ଦୃଷ୍ଟିକୁ ଆସେ ତେବେ ତ ଏ ଷଡ଼ଯନ୍ତ୍ରର ଗଭୀରତା ମାପିବାକୁ ରାଜ୍ୟ ଅପରାଧ ଅନୁସନ୍ଧାନ ବିଭାଗ (CID)କୁ ବି ନାକେଦମ୍ ହେବାକୁ ହେବ ।

ଏ ଷଡ଼ଯନ୍ତ୍ରର ଯଥାସମ୍ଭବ ଆକଳନ ପାଇଁ ମାନସୀ ଷଡଙ୍ଗୀଙ୍କ ରିଟ୍ ମାମଲା ଉପରେ ଆଉ ଥରେ ନଜର ପକାଇବା । ଏହା ୪.୧୨.୨୦୧୮ ତାରିଖରେ ଦାଖଲ ହୋଇଥିଲା । ସମୁଦାୟ ଦୁଇଟି ତାରିଖରେ ଶେଷ ହୋଇଥିଲା । ଦୁଇଟିଯାକ ତାରିଖରେ ମାନ୍ୟବର ନ୍ୟାୟମୂର୍ତ୍ତି ଡଃ ବି. ଆର. ଷଡଙ୍ଗୀ କେବକ ମାନସୀ ଷଡଙ୍ଗୀଙ୍କ ଓକିଲଙ୍କୁ ଶୁଣିଥିଲେ ; ସରକାରୀ ଓକିଲଙ୍କ ଦେଖାଦର୍ଶନ ନଥିଲା । ତେଣୁ ଏହାକୁ ନିର୍ବିବାଦ ମାମଲା ବୋଲି କହି ୩.୪.୨୦୧୯ରେ ସେ ରାୟ ଦେଇଥିଲେ । ତହିଁରୁ ଜଣାଗଲା ଯେ, ୨୨.୬.୨୦୧୫ ତାରିଖରେ ତାଙ୍କ ଅନୁପସ୍ଥିତି ଉପରେ ଉଚ୍ଚ ଶିକ୍ଷା ବିଭାଗ ଯେଉଁ ନିଷ୍ପତ୍ତି ନେଇଥିଲେ ସେହି ନିଷ୍ପତ୍ତିକୁ ବାତିଲ କରାଯାଇ ଅଡ଼ଶପୁର କଲେଜରେ ସେ ଦେଇଥିବା ଯୋଗଦାନ ପତ୍ର (joining report)କୁ ବୈଧ ଘୋଷଣା କରାଯାଉ ଓ ତଦନୁଯାୟୀ ସେହିଦିନଠାରୁ ତାଙ୍କୁ ସମସ୍ତ ପରିଣତିଗତ ଫାଇଦା (consequential benefit) ସହ ପିଛିଲା ବେତନ ପ୍ରଦାନ କରାଯାଉ ବୋଲି ସେ ଦାବି କରିଥିଲେ । ଏହାକୁ ଉଚ୍ଚ ଶିକ୍ଷା ବିଭାଗ ବିରୋଧ କରିନଥିଲା, ଯଦିଓ ଏହି ୨୨.୬.୨୦୧୫ର ସରକାରୀ ଆଦେଶକୁ ବାତିଲ କରାଯିବା ଭିତ୍ତିରେ (in supersession of) ଏହା ମାନସୀ ଷଡଙ୍ଗୀଙ୍କ ଚାକିରିରେ ଯୋଗଦାନ ପାଇଁ ୧୬.୭.୨୦୧୮ ତାରିଖରେ ନିଷ୍ପତ୍ତି ନେଇ ୧୮.୭.୨୦୧୮ ତାରିଖରେ ୨୦୪୪୫ ପତ୍ରାଙ୍କରେ ଜାରି କରିଥିଲା ।

ମାନ୍ୟବର ହାଇକୋର୍ଟଙ୍କଠାରୁ ଏହି ସତ୍ୟ ଲୁଚାଇରଖିବାକୁ ଉଚ୍ଚ ଶିକ୍ଷା ସଚିବ ରିଟ୍ ମାମଲାଟିକୁ ନିର୍ବିବାଦ କରାଇଥିଲେ । ଫଳରେ ମାମଲାଟିକୁ ନିର୍ବିବାଦ (uncontested ) ଫଇସଲା କରି ସରକାର ନିଜେ ପ୍ରାର୍ଥିତ ବ୍ୟାପାରରେ ଅର୍ଥାତ୍ ୨୨.୬.୨୦୧୫ର ସରକାରୀ ଆଦେଶର ରଦ୍ଦିକରଣ (to quash the order dated 22.6.2015) ଓ ସେ କଲେଜରେ ଯେଉଁଦିନ ଯୋଗଦାନପତ୍ର ଦେଇଥିଲେ ସେହିଦିନ ଠାରୁ ସେ ନିରବଚ୍ଛିନ୍ନ ଭାବେ ଚାକିରିରେ ଥିବା ଗ୍ରହଣ କରି ସର୍ବବିଧ ପରିଣତିଗତ ଓ ଆର୍ଥିକ ଫାଇଦା (to accept her joining report w.e.f. the date she submitted her joining report (in the college) with all consequential service and monetary benefits) ପ୍ରଦାନ ପାଇଁ ଉପଯୁକ୍ତ ଆଦେଶ ଦେବାକୁ ଉଚ୍ଚ ଶିକ୍ଷା ସଚିବଙ୍କୁ ଅଧିକାର ଦେଇଥିଲେ । ଏହି ଆଦେଶର ସୁଯୋଗ ନେଇ ଶ୍ରୀମତୀ ଷଡଙ୍ଗୀଙ୍କୁ ସମସ୍ତ ପିଛିଲା ବେତନ (ପ୍ରାୟ ଦେଢକୋଟି ଟଙ୍କା) ସହ ପଦୋନ୍ନତି ପରି ପରିଣତିଗତ ଫାଇଦା ଦେଇ ତାଙ୍କ ଚାକିରିକୁ ନିରଙ୍କୁଶ ନିୟମିତତା ପ୍ରଦାନ କରିବାକୁ ଅପେକ୍ଷା କରି ରହିଥିଲେ ଉଚ୍ଚ ଶିକ୍ଷା ସଚିବ । ଅପେକ୍ଷା ଥିଲା ସଚିବଙ୍କ ଅଧସ୍ତନ ନିର୍ଦ୍ଦେଶକଙ୍କ ସାନି ତଦନ୍ତ ରିପୋର୍ଟକୁ ।

ମାନସୀପାଇଁ ନିର୍ଦ୍ଦେଶକ ବଦଳି; ୪ ମାସରେ ୪

ଏଥିପାଇଁ ମାତ୍ର ୪ ମାସରେ ୩ ଜଣ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅଘୋଷିତ ଶାସ୍ତି ସ୍ୱରୂପ ବଦଳି କରାଯାଇଥିବା ସାଧାରଣତଃ ବିଶ୍ୱାସଯୋଗ୍ୟ ହୋଇନପାରେ । ମାତ୍ର ଏହା ସତ୍ୟ । ଭାଷା ଆନ୍ଦୋଳନର ସଭାପତି ପଦରେ ଭାଷଣଦକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଁ ନିଯୁକ୍ତ କରିଥିଲି । ସର୍ତ୍ତ ମୁତବକ ସେ ପ୍ରତିଦିନ କଳା ପତାକା ଧରିବାକୁ ୪ ଜଣ ବ୍ୟକ୍ତି ଯୋଗଉଥିଲେ । ଫଳରେ ସରକାରଙ୍କ ଉପରେ ଲୌକିକ ଚାପ ପ୍ରୟୋଗ ସହ ଆନ୍ଦୋଳନର ଲକ୍ଷ୍ୟ ହାସଲ ପାଇଁ ବୌଦ୍ଧିକ ଅଗ୍ରଗତି ମୋ ପକ୍ଷେ ସହଜ ଥିଲା । ସେ ଯଦି ଲୋକ ନଯୋଗାନ୍ତି କଳା ପତାକା ଅଭିଯାନ ବନ୍ଦ ହୋଇଯିବ – ଏହି ବିଶ୍ଵାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସୁପାରି ଦେଇଥିଲେ । ସେ ସୁପାରି ଥିଲା ତାଙ୍କ ଅଧ୍ୟାପିକା ସ୍ତ୍ରୀଙ୍କ ଚାକିରି । ଦୀର୍ଘ ୧୦ ବର୍ଷ କାଳ କଲେଜ ନ ଯାଇଥିବା ମାନସୀ ଷଡଙ୍ଗୀଙ୍କୁ ସେହି ୧୦ ବର୍ଷର ପିଛିଲା ବେତନ (ପ୍ରାୟ ଦେଢକୋଟି ଟଙ୍କା ) ସହ ଚାକିରିରେ ନିୟମିତ କରିବା ଥିଲା ଏହି ସୁପାରିର ସ୍ଥୂଳରୂପ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯେତେ ସବୁ ପ୍ରଶାସନିକ ସ୍ଵେଚ୍ଛାଚାର ଘଟିଗଲା ମୁଁ ସେସବୁକୁ ପୂର୍ବରୁ ଦର୍ଶାଇଛି । କିନ୍ତୁ ଏହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରିବାରେ ବାଧକ ହେବା ହେତୁ ମାତ୍ର ୪ ମାସରେ ୩ ଜଣ ନିର୍ଦ୍ଦେଶକଙ୍କୁ ବଦଳି କରି ଶେଷରେ ନିଜ ଅତିରିକ୍ତ ସଚିବଙ୍କୁ ଯେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକ କରାଇଥିଲେ ତାହା ଓଡ଼ିଶାର ପ୍ରଶାସନିକ ଇତିହାସରେ ଥିଲା ଅଭୂତପୂର୍ବ । ବର୍ତ୍ତମାନ ଏହି ବଦଳି ପ୍ରବାହ ଉପରେ ଦ୍ରୁଷ୍ଟି ଦେବା ।

ବି. ପରମେଶ୍ଵରମ୍

ପୂର୍ବରୁ କୁହା ହୋଇଛି ଯେ, ୧୮.୭.୨୦୧୮ ତାରିଖର ସରକାରୀ ଆଦେଶରେ ଥିବା ତଥ୍ୟଗତ ମିଥ୍ୟାକୁ ତାଙ୍କ ୧୪.୨.୨୦୧୯ ତାରିଖର ତଦନ୍ତ ରିପୋର୍ଟରେ ଫୁଙ୍ଗୁଳା କରିଦେଇ, ଅନଧିକୃତ ଭାବେ ୧୦ ବର୍ଷରୁ ଉର୍ଦ୍ଧ୍ଵ କାଳ ଅନୁପସ୍ଥିତ ଥିବା ହେତୁ ମାନସୀଙ୍କ ବିରୁଦ୍ଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ ତତ୍କାଳୀନ ନିର୍ଦ୍ଦେଶକ ବି. ପରମେଶ୍ଵରମ୍ (B Parameswaran) । ଏହା ପ୍ରତ୍ୟାହାର କରି ମାନସୀ ଷଡଙ୍ଗୀଙ୍କ ସପକ୍ଷରେ ସୁପାରିଶ କରିବାକୁ ତାଙ୍କ ଉପରେ ଚାପ ପଡ଼ିଥିଲା । ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଫଳରେ ୭.୯.୨୦୧୮ରେ ନିର୍ଦ୍ଦେଶକ ପଦ ସମ୍ଭାଳିଥିବା ପରମେଶ୍ଵରମ୍ ରହସ୍ୟଜନକ ଭାବେ ବିଦା ହୋଇଯାଇଥିଲେ ମାନସୀଙ୍କ ବିରୁଦ୍ଧରେ ରିପୋର୍ଟ ଦେବାର ୪ର୍ଥ ଦିବସରେ ୧୮.୨.୨୦୧୯ ତାରିଖରେ ।

ରମେଶ ରାଉତ

ରମେଶ ରାଉତ ହେଲେ ନିର୍ଦ୍ଦେଶକ । ଉଚ୍ଚ ଶିକ୍ଷା ବିଭାଗ ତାଙ୍କ ଉପରେ ଚାପ ପକାଇଲା ପରମେଶ୍ଵରମ୍ ଦେଇଥିବା ରିପୋର୍ଟ ବଦଳାଇବାକୁ । ମହାପାତ୍ର-ମିଶ୍ର-ବାଳକୃଷ୍ଣନ ଗ୍ୟାଙ୍ଗର କୃପାସିନ୍ଧୁ ମିଶ୍ର (ଅତିରିକ୍ତ ସଚିବ)ଙ୍କ ସ୍ଵାକ୍ଷରରେ ୧.୩.୨୦୧୯ ତାରିଖର ପତ୍ରାଙ୍କ ୫୪୭୦ରେ ତାଙ୍କୁ ନିର୍ଦ୍ଦେଶ ଦିଆଗଲା କି, ୨.୭.୨୦୦୮ ତାରିଖରୁ ୨୨.୭.୨୦୧୮ ପର୍ଯ୍ୟନ୍ତ ମାନସୀ ଷଡଙ୍ଗୀଙ୍କ ଅନୁପସ୍ଥିତି ଉପରେ ସେ ସାନି ତଦନ୍ତ କରି ରିପୋର୍ଟ ଦିଅନ୍ତୁ । କିନ୍ତୁ ପରମେଶ୍ଵରମ୍ ଦେଇଥିବା ରିପୋର୍ଟ ଏତେ ନିର୍ଭୁଲ ଥିଲା ଯେ, ସେ ତହିଁର ପୁନର୍ବିଚାର କରୁବାକୁ ଉଚିତ ମଣିଲେନି ।

ଉପନିର୍ଦ୍ଦେଶକ ୧୪.୩.୨୦୧୯ ତାରିଖରେ ତାଙ୍କ ପାଖରେ ନଥି ରଖି ଜଣାଇଥିଲେ ,”The DHE (O) may kindly re-examine the period of absence of Smt. Manasi Sarangi, Ex-Lecturer in Botany of U.N.(Auto) College of Science and Technology,Adashpur, Cuttack from her duties from 02.07.2008 to 22.07.2018 as per relevant rules.” (ଅଡ଼ଶପୁର କଲେଜର ପୂର୍ବତନ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କ ୨.୭.୨୦୦୮ ତାରିଖରୁ ୨୨.୭.୨୦୧୮ ତାରିଖ ପର୍ଯ୍ୟନ୍ତ ଅନୁପସ୍ଥିତି ଉପରେ ସାନି ତଦନ୍ତ କରିବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ସଦୟ ପଦକ୍ଷେପ ନେଇପାରନ୍ତି) । ଏ ସାନି ତଦନ୍ତ ସରକାରଙ୍କ ୧୮.୭.୨୦୧୮ ତାରିଖର ୨୦୪୪୫ ସଂଖ୍ୟକ ଆଦେଶ ଅନୁରୂପ ହୋଇଥାନ୍ତା । କାରଣ , ଏହି ଆଦେଶରେ କୁହା ହୋଇଥିଲା , “Th intervening from the date she was kept out of service from 02.07.2008 till she joins in the directorate shall be decided after due enquiry made at the level of Directorate”. ଅତଏବ ସରକାର ସିଦ୍ଧାନ୍ତ କରିସାରିଥିଲେ ଯେ, ଶ୍ରୀମତୀ ଷଡଙ୍ଗୀ ଏହି ସମୟରେ କାମ କରିନଥିଲେ, ଯେହେତୁ ତାଙ୍କୁ କାମ କରିବାକୁ ଦିଆ ହୋଇନଥିଲା । ନିୟମ ହେଲା, ଯାହାକୁ କାମ କରିବାକୁ ଦିଆହୋଇନଥିବ, ସେହି ନିକମା ସମୟ (period of enforced idleness ) ତାର ନିୟମିତ ନିଯୁକ୍ତି ସମୟ ଭାବେ ବିବେଚିତ ହେବ ଓ ସେହି ସମୟର ସମ୍ପୂର୍ଣ ବେତନ ତଥା ପଦୋନ୍ନତି ଆଦି ଫାଇଦା ତାକୁ ପ୍ରାପ୍ତ ହେବ ।

ପରମେଶ୍ଵରମ୍ ତଦନ୍ତ କରି ଦେଖିଥିଲେ ଯେ, ମାନସୀଙ୍କୁ ନିକମା କରି ରଖା ହୋଇନଥିଲା; ସେ ତାଙ୍କ ନିଜ ସୌଖୀନପାଇଁ ଅସୁସ୍ଥତା ବାହାନାରେ ୧୦ ବର୍ଷ କାଳ ଅନୁପସ୍ଥିତ ଥାଇ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିଲେ । ତହିଁ ଉପରେ ସାନି ତଦନ୍ତ ପାଇଁ ଆଦେଶ ଦେଇ ସରକାର ଜଣାଇଦେଇଥିଲେ ଯେ, ତାଙ୍କୁ ନିକମା କରି ରଖାହୋଇଥିଲା ବୋଲି ସରକାର କହିଥିବା କଥାକୁ ଠିକ୍ ବୋଲି କହି ନିକମା ରଖା ହୋଇଥିବାରୁ ମାନସୀଙ୍କ ଚାକିରିକ୍ରମ ଓ ବେତନ ନିୟମତଃ ଅକ୍ଷୁର୍ଣ ରଖିବାକୁ ନୂଆ ନିର୍ଦ୍ଦେଶକ ସୁପାରିଶ କରିବେ ।

ମାତ୍ର ଭିତିରି ସତ୍ୟ ଜାଣିସାରିବା ପରେ ନୂଆ ନିର୍ଦ୍ଦେଶକ ଶ୍ରୀ ରାଉତ ମଧ୍ୟ ୧୪.୩.୨୦୧୯ ତାରିଖରେ ଉପନିର୍ଦ୍ଦେଶକଙ୍କ ଉପରୋକ୍ତ ଟିପ୍ପଣୀ ସତ୍ତ୍ୱେ ଶ୍ରୀ ପରମେଶ୍ଵରମ୍ ଦେଇଥିବା ଅଭିମତର ସାନି ପରୀକ୍ଷା କଲେ ନାହିଁ । ଫଳରେ ମାତ୍ର ଦୁଇ ମାସଠି ନିର୍ଦ୍ଦେଶକ ପଦରୁ ତାଙ୍କୁ ବାହାର କରାଯାଇ ୧୭.୪.୨୦୧୯ ତାରିଖରେ ଯାମିନୀ ଷଡଙ୍ଗୀଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କରାଗଲା ।

ଯାମିନୀ ଷଡଙ୍ଗୀ

ଦାୟିତ୍ଵ ଗ୍ରହଣ କଲା ପରେ ଯାମିନୀ ଷଡଙ୍ଗୀ ଯେତେବେଳେ ନଥି ଅନୁଧ୍ୟାନ କଲେ, ତଟସ୍ଥ ହୋଇଗଲେ । ସେ ଦେଖିଲେ ବ୍ୟକ୍ତିଗତ ପରିସ୍ଥିତି ଓ ଅସୁସ୍ଥତା ତାଙ୍କ ଅନୁପସ୍ଥିତିର କାରଣ ବୋଲି ଦର୍ଶାଇଥିବା ମାନସୀ ଷଡଙ୍ଗୀଙ୍କୁ ନିକମା କରି ରଖା ହୋଇଥିଲା ବୋଲି ସ୍ଥିରୀକୃତ ସରକାରୀ ସିଦ୍ଧାନ୍ତ ବାସ୍ତବତଃ ସମର୍ଥନଯୋଗ୍ୟ ନୁହେଁ । ତେଣୁ ସେ ସରକାରଙ୍କ ୧.୩.୨୦୧୯ ତାରିଖର ଅଯୌକ୍ତିକ, ଅଭିସନ୍ଧିମୂଳକ ଓ ବେଆଇନ ଆଦେଶକୁ କୌଣସି ଗୁରୁତ୍ଵ ଦେଲେନାହିଁ । ଫଳରେ ତାଙ୍କୁ ବି ଦାୟିତ୍ଵ ନେବାର ଦୁଇ ମାସଠି ବିଦା କରାଗଲା ଓ ମୁଖ୍ୟମନ୍ତ୍ରୀଙ୍କ ବିଶ୍ଵସ୍ତ ତଥା ପ୍ରଦ୍ୟୁମ୍ନ ଶତପଥୀଙ୍କ ଖାସ୍ ବନ୍ଧୁ ନିରଞ୍ଜନ ସାହୁଙ୍କୁ ୨୧.୬.୨୦୧୯ ତାରିଖରେ ନିର୍ଦ୍ଦେଶକ କରାଗଲା ।

ନିରଞ୍ଜନ ସାହୁ

ନଥିଟି ଅନୁଧ୍ୟାନ କରି ନିରଞ୍ଜନ ଭୀଷଣ ଧର୍ମ ସଙ୍କଟରେ ପଡ଼ିଥିଲେ, କାରଣ ନିଜର ବନ୍ଧୁପତ୍ନୀଙ୍କୁ ପରମେଶ୍ଵରମ୍ ବାବୁଙ୍କ ତଦନ୍ତ ରିପୋର୍ଟ କବଳରୁ ମୁକ୍ତ କରିବା ପାଇଁ ତାଙ୍କୁ ଘୋର ପ୍ରଶାସନିକ ଅସଙ୍ଗତି ଆଚରଣ କରିବାକୁ ପଡ଼ିଥାନ୍ତା ଓ ଆଇନ ଆଖିରେ ସେ ବି ଉତ୍ତରଦାୟୀ ହୋଇପଡ଼ିଥାନ୍ତେ । ତେଣୁ, ସେ କିଂକର୍ତ୍ତବ୍ୟବିମୁଢ ହୋଇପଡ଼ିଥିଲେ, ଯେତେବେଳେ ୨୨.୭.୨୦୧୯ ତାରିଖରେ ମୁଁ ଏହି ସାଂଘାତିକ ପ୍ରଶାସନିକ ଦୁରାଚାର ଉପରେ ରାଜ୍ୟପାଳଙ୍କୁ ଦେଇଥିବା ଚିଠିର ନକଲ ତାଙ୍କ ପାଖରେ ପହଞ୍ଚିଲା ।

ଏହି ଚିଠିରେ ମୁଁ ସ୍ପଷ୍ଟ ଲେଖିଥିଲି, “(Sri Niranjan Sahu) personal friend of the said Pradyumna Satpathy, placed as Director of Higher Education by way of stage-management to build up the regularization of all the irregularities sic passim her service records, be debarred from conducting the contemplated investigation.” ।

ଏହି ସ୍ପଷ୍ଟ ଅଭିଯୋଗ ତାଙ୍କୁ ସରକାରଙ୍କ କଥାରେ ଭୁଲ ନାଚ ନାଚିବାରୁ ଅବଶ୍ୟ ରକ୍ଷାକରିଦେଇଥିଲା, କାରଣ ଏହା ପାଇ ସାରିବା ପରେ ନୈତିକତଃ ସେ ଆଉ ତଦନ୍ତ କରିପାରି ନଥାନ୍ତେ ।

ମୁଖ୍ୟମନ୍ତ୍ରୀ ନିଜେ ହିଁ ଖଳନାୟକ

କିନ୍ତୁ ଓଡ଼ିଶାର ପ୍ରଶାସନିକ ଇତିହାସରେ ପ୍ରଥମ ଥର ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପରି ଗୋଟିଏ ପଦବୀରେ ମାତ୍ର ୪ ମାସ ୬ ଦିନରେ ୪ ଜଣ ଆଇ.ଏ .ଏସ୍. ଅଫିସରଙ୍କର ଏହି ଯେଉଁ ବିତାଡ଼ନ ମୁତୟନ ଘଟିଲା, ତାହା ମୂଳରେ ଥିଲେ ନିଜେ ମୁଖ୍ୟମନ୍ତ୍ରୀ, ଯେ କି ଭାଷା ଆନ୍ଦୋଳନକୁ ଭାଙ୍ଗିବା ସର୍ତ୍ତରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ସୁପାରି ଆକାରରେ ଦେଇଥିଲେ ତାଙ୍କ ପତ୍ନୀ ମାନସୀ ଷଡଙ୍ଗୀଙ୍କ ଚାକିରି ଏବଂ ଯେତେ ଅବୈଧ ହେଲେ ମଧ୍ୟ ତାଙ୍କ ୧୦ ବର୍ଷର ଅନଧିକୃତ ଅନୁପସ୍ଥିତିକୁ ନିୟମିତ କରି ସେହି ସମୟର ସମସ୍ତ ବେତନ ଓ ପଦୋନ୍ନତିକରଣ ସହ ତାଙ୍କୁ ପଦାସୀନ କରାଇବାକୁ ପ୍ରଶାସନକୁ ବାଧ୍ୟ କରିଥିଲେ । ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ଵୀକୃତି ଓ ସ୍ଵାକ୍ଷର ବିନା କୌଣସି ଆଇ.ଏ .ଏସ୍. ଅଫିସରଙ୍କର କୌଣସି ପଦବୀରୁ ବଦଳି ବା କୌଣସି ପଦବୀରେ ସଂସ୍ଥାପନ ହୋଇପାରିବନାହିଁ । ଏଥିରେ ତ ପୁଣି ତାଙ୍କ ନିଜ ଦପ୍ତର (Chief Minister’s Office)ର ଅତିରିକ୍ତ ସଚିବଙ୍କ ବଦଳି ନିହିତ, ଯାହା ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ଆଉ କେହି ପ୍ରସ୍ତାବ କରିବାକୁ ବି ସାହସ କରନ୍ତେ ନାହିଁ । ଅତଏବ , ମାନସୀ ଷଡଙ୍ଗୀଙ୍କ ସପକ୍ଷରେ ନଥିଗତ ସ୍ଥିତି ସୁଧାରିବା ପାଇଁ ମାତ୍ର ୪ ମାସ ୬ ଦିନରେ ଚାରି ଚାରି ଜଣ ଆଇ.ଏ .ଏସ୍. ଅଫିସରଙ୍କ ପଦାସୀନତାରେ ଯେଉଁ ଅବାଞ୍ଛିତ ହସ୍ତକ୍ଷେପ ହେଲା , ତହିଁ ଉହାଡ଼ର ଅସଲ ଖଳନାୟକ ନିଜେ ହିଁ ମୁଖ୍ୟମନ୍ତ୍ରୀ ଏବଂ ଏହି ଖଳନାୟକତ୍ଵ କେବଳ ଗୋଟି ଉଦ୍ଦେଶ୍ୟରେ ନିୟୋଜିତ, ଯାହା ହେଲା – ଓଡ଼ିଆରେ ଓଡ଼ିଶାର ପରିଚାଳନା ନ କରାଇଦେବାପାଇଁ ଭାଷା ଆନ୍ଦୋଳନର ଶକ୍ତି ସଂହାର । ଏହା ହିଁ ଓଡ଼ିଶାର ଚରମ ଦୁର୍ଭାଗ୍ୟ । (କ୍ରମଶଃ)

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ସପ୍ତବିଂଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଜାତି ବିରୁଦ୍ଧରେ ପ୍ରଦ୍ୟୁମ୍ନ ଶତପଥୀଙ୍କ ବିଶ୍ଵାସଘାତକତା ହେତୁ ସରକାରୀ କଳର ବହପ ଏତେ ବଢିଯାଇଛି ଯେ, ତାଙ୍କ ସ୍ତ୍ରୀଙ୍କୁ ଦିଆଯାଇଥିବା ନିଯୁକ୍ତିପତ୍ର ଯେପରି ଇଂରାଜୀରେ ଥିଲା, ସେହି ଅବୈଧ ନିଯୁକ୍ତିକୁ କାଏମ ରଖିବା ପାଇଁ ଉଚ୍ଚ ଶିକ୍ଷା ସଚିବ ଦେଇଥିବା ଉପରୋଦ୍ଧୃତ୍ତ ଶେଷ ଆଦେଶ ବି ସେହିପରି ଇଂରାଜୀରେ ଦିଆହୋଇଛି ।

ପ୍ରଶାସନିକ ଧୂର୍ତ୍ତତାରେ ପରିପୂର୍ଣ ଏହି ଆଦେଶ ଗୁରୁତ୍ତ୍ୱପୂର୍ଣ ଘଟଣାକ୍ରମ ଲୁଚାଇରଖିବା ଓ ଆଇନସମ୍ମତ ସ୍ଥିତିକୁ ବେଖାତିର କରିବା ପରି ସାଂଘାତିକ ପ୍ରଶାସନିକ ଅପରାଧର ଏକ ନଗ୍ନ ନମୂନା, ଯାହା ଉପରେ ଆପରାଧିକ ଅନୁସନ୍ଧାନ ଆବଶ୍ୟକ । ଯଦି ମୁଖ୍ୟମନ୍ତ୍ରୀ ନିଜେ ଧରପଡ଼ିଯିବା ଭୟରେ ଏହା ଉପରେ ଆପରାଧିକ ଅନୁସନ୍ଧାନ ନ କରାନ୍ତି ତେବେ ଅଦାଲତୀୟ ଅନୁସନ୍ଧାନ ଲୋଡ଼ା ହେବ, କାରଣ ଓଡ଼ିଆ ଜାତି ତା ଭାଷା ସ୍ଵାର୍ଥ ବିରୁଦ୍ଧରେ ଦିଆ ଯାଇଥିବା ‘ବିଶ୍ଵାସଘାତକ ଜାଗିରି’କୁ କେବେ ବି ବରଦାସ୍ତ କରିବ ନାହିଁ ।

ପ୍ରଶାସନିକ ଧୂର୍ତ୍ତତା

ଏବେ ଆମେ ପୂର୍ବରୁ ଉପସ୍ଥାପିତ ଏହି ଶେଷ ଆଦେଶର ଓଡ଼ିଆ ଭାଷାନ୍ତର ଦେଖି ତାର ବୈଧତା ବିଶ୍ଳେଷଣ କରିବା । ଏଇଟି ହେଲା:

“ତା ୦୨.୦୭.୨୦୦୮ରିଖରୁ ୨୩.୦୭.୨୦୧୮ ତାରିଖ ପର୍ଯ୍ୟନ୍ତ (ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କର ) ଅନଧିକୃତ ଅନୁପସ୍ଥିତି ସମୟ ତାଙ୍କ ଚାକିରିକାଳରୁ ବାଦ୍ ପଡ଼ିବ । କାମ ନାହିଁ ତ ମଜୁରି ନାହିଁ ନୀତିରେ ସେ ସେହି ସମୟ ପାଇଁ କୌଣସି ବେତନ ବା ଆନୁଷଙ୍ଗିକ ଫାଇଦା ପାଇବେ ନାହିଁ । ଏହି କାଳଖଣ୍ଡ ତାଙ୍କ ପଦୋନ୍ନତି ବା ପେନସନ୍ ପାଇଁ ହିସାବକୁ ଯିବ ନାହିଁ ।“

ପ୍ରଥମ ଦୁଇଟି ବାକ୍ୟ ଦୃଷ୍ଟିରୁ ଶେଷ ବାକ୍ୟଟିର କୌଣସି ଆବଶ୍ୟକତା ନଥିଲା । ସେ ଜାଣିଶୁଣି ଏହା ଲେଖିଛନ୍ତି , ଯେତେବେଳେ ସେ ଜାଣନ୍ତି ଯେ, ଚାକିରୀ ଶେଷରେ ପେନସନ୍ ଶେଷ କଥା ନୁହେଁ , ଗ୍ରାଚୁଇଟି ମଧ୍ୟ ଏକ ଗୁରୁତ୍ଵପୂର୍ଣ ପ୍ରାପ୍ୟ ଜଣେ କର୍ମଚାରୀର ଯାହା ତାକୁ ପ୍ରଚୁର ପରିମାଣର ଅବସର-ପାଣ୍ଠି ଦେଇଥାଏ । ଶ୍ରୀମତୀ ଷଡଙ୍ଗୀଙ୍କ ଅନୁପସ୍ଥିତି କାଳ “ପେନସନ୍ ପାଇଁ ହିସାବକୁ ଯିବ ନାହିଁ” ବୋଲି ସ୍ପଷ୍ଟ କରି ସେ ଅସ୍ପଷ୍ଟ ଭାବେ ଏହି ଆଦେଶ ଦେଇଛନ୍ତି ଯେ, ଏହି ସମୟ ତାଙ୍କ ଗ୍ରାଚୁଇଟି ପାଇଁ ହିସାବକୁ ଯିବ । ସୁତରାଂ ଏହା ଏକ ଧୂର୍ତ୍ତ ପ୍ରଶାସନିକ ଦୁରାଚାର ।

ଏହି ଆଦେଶର ପ୍ରଚ୍ଛଦପଟ ଅଂଶରେ ଅଛି :

“ତାଙ୍କ ଦରଖାସ୍ତ ବିଚାରକରି ୧୮.୦୭.୨୦୧୮ ତାରିଖର ୨୦୪୪୫/ଉ.ଶି ସଂଖ୍ୟକ ସରକାରୀ ଆଦେଶରେ ତାଙ୍କୁ ଚାକିରିରେ ଯୋଗଦେବାର ସବିଶେଷ ଆଦେଶ ଅପେକ୍ଷାରେ ସେ ସୁସ୍ଥତା ପମାଣପତ୍ର ସହ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗଦାନ ପାଇଁ ଅନୁମତି ଦିଆହୋଇଥିଲା” । ଏବଂ ଏହା ବି ଅଛି ଯେ, “ଏହି ଆଦେଶ ତାଙ୍କ ହିତରେ ଥିଲା, କାରଣ ସେ ଆପତ୍ତି ଉଠାଇଥିବା ୨୨.୦୬.୨୦୧୫ ତାରିଖର ୧୩୨୯୦ ସଂଖ୍ୟକ ଆଦେଶର ସର୍ତ୍ତ ପରିବର୍ତ୍ତନ କରି ଏହା ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାପାଇଁ ଥିବା ନିର୍ଦ୍ଦେଶ ପରିହାର କରିଥିଲା” ।

ହନୁ ମଲା ବେଳେ

ଅତଏବ, ହନୁ ମଲା ବେଳେ ସତ କହିଲା ପରି ଏହି ଶେଷ ଆଦେଶ ଦେବାକୁ ବାଧ୍ୟ ହୋଇ ଶାସନ ସଚିବ ସ୍ଵୀକାର କରିଛନ୍ତି କି, ଯେଉଁ ଆଦେଶ ବଳରେ ଶ୍ରୀମତୀ ଷଡଙ୍ଗୀଙ୍କ ଯୋଗଦାନପତ୍ର (joining trport )ଗ୍ରହଣ କରିବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ କୁହା ହୋଇଥିଲା ତାହା ରାଜ୍ୟର ହିତ ପାଇଁ ନୁହେଁ , ଶ୍ରୀମତୀ ଷଡଙ୍ଗୀଙ୍କ ହିତ ପାଇଁ ହିଁ ପ୍ରଦାନ କରା ହୋଇଥିଲା , କାରଣ ଏହା ତାଙ୍କୁ ଚାକିରୀ ଦେବା ସଙ୍ଗେ ସଙ୍ଗେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମ୍ଭାବନାକୁ ବି ବନ୍ଦ କରିଦେଇଥିଲା ।

ଫନ୍ଦିବାଜୀ

କାହା ଚାପରେ ବା କେଉଁ ଚାପରେ ଶ୍ରୀମତୀ ଷଡଙ୍ଗୀଙ୍କ ହିତ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଏ ଅବୈଧ ଆଦେଶ ଦେଇଥିଲା ତାହା ରାଜ୍ୟ ପୋଲିସର ଆପରାଧିକ ତଦନ୍ତ ଶାଖା (crime branch ) ତଦନ୍ତ କରିବା ଆବଶ୍ୟକ । ଚାକିରୀ ସମ୍ପର୍କିତ ଫନ୍ଦିବାଜୀ (job racketing frauds) ଏକ ଅର୍ଥନୈତିକ ଅପରାଧ ଯାହା ଉପରେ ଓଡ଼ିଶା ଆପରାଧିକ ତଦନ୍ତ ଶାଖା ଆପଣା ଛାଏଁ (suomoto) ଅନୁସନ୍ଧାନ କରିପାରିବେ । ଏବଂ ଏହା ସ୍ପଷ୍ଟ ଯେ, ୧୦ ବର୍ଷ ତଳେ ଚାକିରୀ ଛାଡ଼ି ପଳାଇଥିବା ମାନସୀ ଷଡଙ୍ଗୀଙ୍କ ସ୍ଵାମୀ ପ୍ରଦ୍ୟୁମ୍ନ ଶତପଥୀ ଭାଷା ଆନ୍ଦୋଳନକୁ ଭାଙ୍ଗିବା ସର୍ତ୍ତରେ ତାଙ୍କ ନିଯୁକ୍ତି ପାଇଁ ଯେଉଁ ଫନ୍ଦିବାଜୀ ଚଳାଇଥିଲେ ଉଚ୍ଚ ଶିକ୍ଷା ବିଭାଗର ୧୮.୦୭.୨୦୧୮ ତାରିଖର ୨୦୪୪୫/ଉ.ଶି ସଂଖ୍ୟକ ସରକାରୀ ଆଦେଶ ସେହି ଫନ୍ଦିବାଜୀର ଦୃଶ୍ୟମାନ ପରିଣତି ।

ଅନଧିକୃତ ହସ୍ତକ୍ଷେପ

ଶ୍ରୀମତୀ ଷଡଙ୍ଗୀ ସରକାରୀ କର୍ମଚାରୀ ନୁହନ୍ତି । ତାଙ୍କୁ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ଚାକିରୀ ଦେଇନଥିଲା କି ଘରୋଇ କଲେଜରେ ଶିକ୍ଷକ ଚୟନ ପାଇଁ ରାଜ୍ୟ ସରକାର ଯେଉଁ ଚୟନକାରୀ ମଣ୍ଡଳୀ (State Selection Board) ଗଠନ କରିଥିଲେ ତାହା ବି ତାଙ୍କୁ ଚୟନ କରିନଥିଲା । ଅଡ଼ଶପୁରରେ ଥିବା ଉଦୟନାଥ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନରେ ଶିକ୍ଷକ ଖୋଜୁଥିବା ହେତୁ ତାଙ୍କ ଦରଖାସ୍ତକୁ ବିଚାରକୁ ନେଇ ତାଙ୍କୁ ମାସିକ ୫୨୫ ଟଙ୍କା ବେତନରେ ୧୭.୮.୧୯୯୨ରେ ନିଯୁକ୍ତି ଦେଇଥିଲେ ଓ ସେ ଥିଲେ ସମ୍ପୂର୍ଣତଃ ସେହି କଲେଜର କର୍ମଚାରୀ ଏବଂ ଓଡ଼ିଶା ଶିକ୍ଷା ଆଇନ ଅନୁସାରେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେହି କଲେଜର ଅଧିକାର ଥିଲା । ସୁତରାଂ ଯେତେବେଳେ ୨.୭.୨୦୦୮ ତାରିଖରୁ ଦୀର୍ଘ ୫ ବର୍ଷରୁ ଅଧିକ କାଳ ଧରି ସେ ଅନଧିକୃତ ଭାବେ ଅନୁପସ୍ଥିତ ରହିଲେ ଓ ଯେଉଁ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ପାଇଁ ତାଙ୍କୁ ନିଯୁକ୍ତି ଦିଅ ହୋଇଥିଲା ସେମାନେ ଶିକ୍ଷାର୍ଜନରେ ଘୋର ବିପର୍ଯ୍ୟୟର ଶିକାର ହେଲେ, ତାଙ୍କ ନିଯୁକ୍ତି ଏକମାତ୍ର ଅନୁମୋଦିତ ନିଯୁକ୍ତି ହୋଇଥିବା ହେତୁ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତ କରି ନପାରି କଲେଜ କର୍ତ୍ତୃପକ୍ଷ ଏହି ବିପର୍ଯ୍ୟୟର ପ୍ରତିକାର କରିବାକୁ ବି ଅକ୍ଷମ ଥିଲେ । ଫଳରେ ୦୯.୧୦.୨୦୧୩ ତାରିଖରେ କଲେଜ ପରିଚାଳନା କମିଟି ସମସ୍ତ ଆଇନନୁମୋଦିତ ପଦ୍ଧତ୍ତି ଅନୁସରଣ କରି ଶ୍ରୀମତୀ ଷଡଙ୍ଗୀଙ୍କୁ ଚାକିରିରୁ ବହିସ୍କାର କରିବା ପାଇଁ ପ୍ରସ୍ତାବ ଗ୍ରହଣ କରି ତହିଁର  ଅନୁମୋଦନ ସକାଶେ ଓଡ଼ିଶା ଶିକ୍ଷା ଆଇନର ଧାରା ୧୦-କ (୧) ଅନୁସାରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ ମାଗିଥିଲେ । ଏହି ଆଇନର ଧାରା ୧୦-କ (୨) ଅନୁସାରେ ନିର୍ଦ୍ଦେଶକ ତାଙ୍କ ଅନୁମୋଦନ ୩ ମାସ ମଧ୍ୟରେ ପ୍ରଦାନ କରିଥାନ୍ତେ ବା ପ୍ରତ୍ୟାଖ୍ୟାନ ବି କରିପାରିଥାନ୍ତେ । ଯାହା ବି କରିଥାନ୍ତେ ସେ ବାଧ୍ୟତଃ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥାନ୍ତେ ଓ କଲେଜ କର୍ତ୍ତୃପକ୍ଷ ହିଁ ତହିଁ ଉପରେ ଶେଷ ନିଷ୍ପତ୍ତି ନେଇଥାନ୍ତେ । କେଉଁ ଆଇନ ବଳରେ ଶିକ୍ଷା ସଚିବ ତା ଭିତରକୁ ପଶି ଚଳାଇଥିଲେ ଚାକିରୀ ଫନ୍ଦିବାଜୀ (job racketing fraud)ର ଗୋଟି ? (କ୍ରମଶଃ)

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଷଟ୍ବିଂଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଭାଷା ଆନ୍ଦୋଳନକୁ ଛୁରୀ ମାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରଦ୍ୟୁମ୍ନ ଶତପଥୀ ଯେଉଁ ‘ବିଶ୍ଵାସଘାତକ ଜାଗିରି’ (ସ୍ତ୍ରୀଙ୍କ ମାଧ୍ୟମରେ ସ୍ଥାୟୀ ଆୟ) ହାସଲ କରିଥିଲେ ୧୬.୭.୨୦୧୮ ତାରିଖରେ, ତଦନୁଯାୟୀ ତାଙ୍କର ୧୦ ବର୍ଷର ଅନଧିକୃତ ଅନୁପସ୍ଥିତିକୁ ସବେତନ ଅନୁପସ୍ଥିତିରେ ରୂପାନ୍ତରିତ କରିଥିଲା ଉଚ୍ଚ ଶିକ୍ଷା ବିଭାଗ ଓ ସେହି ୧୦ ବର୍ଷର ବେତନ ବାବଦରେ ପ୍ରାୟ ଦେଢକୋଟି ଟଙ୍କା ନଗଦ ହାତେଇବା ପାଇଁ ଶତପଥୀ ସୁନିଶ୍ଚିତ ଥିଲେ; କାରଣ ସରକାରଙ୍କ ଉଦ୍ୟମରେ ବାଧକ ହୋଇଥିବା ବ୍ୟକ୍ତିଙ୍କ ସ୍ଥାନରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପଦରେ ଯୋଗ ଦେଇସାରିଥିଲେ ତାଙ୍କ ଘନିଷ୍ଠ ସାଙ୍ଗ ନିରଞ୍ଜନ ସାହୁ ଓ ସରକାରଙ୍କ ୧.୩.୨୦୧୯ ତାରିଖର ଆଦେଶ ଦୃଷ୍ଟେ ସେ ପୂର୍ବ ନିର୍ଦ୍ଦେଶକଙ୍କ ରିପୋର୍ଟ ବଦଳାଇ ସରକାରୀ ସିଦ୍ଧାନ୍ତକୁ ସମର୍ଥନ କରିବା ସୁନିଶ୍ଚିତ ଥିଲା । ମାତ୍ର ସଚିବଙ୍କ ଉପରୋକ୍ତ ଆଦେଶ ତାଙ୍କ ଆଶାକୁ ଧୂଳିସାତ୍ କରିଦେଲା । ଅମଲାତନ୍ତ୍ରର ମତଲବଖୋର ବ୍ୟକ୍ତିମାନେ ଯେ ନିଜ ଚର୍ମ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦସ୍ତାବିଜ ବହିର୍ଭୂତ ଆଦେଶକୁ ବାଳପ୍ରମାଣେ ଉଡ଼ାଇଦେଇପାରନ୍ତି ଓ ନିଜ ପକାଇଥିବା ଛେପକୁ ନିଜେ ନିର୍ବିକାର ଢୋକିପାରନ୍ତି , ତାହାର ଏକ ଦୃଷ୍ଟାନ୍ତ ହେଉଛି ଉଚ୍ଚ ଶିକ୍ଷା ସଚିବଙ୍କ ଉପରୋଦ୍ଧୃତ୍ତ ଆଦେଶଟି ।

ଯେକୌଣସି ପାଷଣ୍ଡଗିରିଠାରୁ ଅଧିକ କୁତ୍ସିତ

ଏହି ‘ବିଶ୍ଵାସଘାତକ ଜାଗିରି’ ପାଇବା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ସାଙ୍ଗରେ ପବିତ୍ର ମହାରଥା ଓ ଚକ୍ରଧର ମହାନ୍ତ ନାମକ ଅର୍ଥନୈତିକ ଅପରାଧୀ ତଥା ପଲେ ପୋଷାମନା ପ୍ରାଣୀଙ୍କୁ ଧରି ଥରକୁ ଥର ଆମ ମାତୃଭାଷାକୁ ଯେପରି ଛୁରୀ ମାରି ଚାଲିଥିଲେ ତାହା ଯେକୌଣସି ପାଷଣ୍ଡଗିରିଠାରୁ ଅଧିକ କୁତ୍ସିତ । ସାମୟକ୍ରମେ ଆମେ ସେଠିକି ଆସିବା ।

ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ଵସ୍ତ କରିବା ପାଇଁ ଏବଂ ଓଡ଼ିଆ ଜାତିକୁ ବିଭ୍ରାନ୍ତ କରି ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବା ସକାଶେ ଏମାନେ ସମ୍ପୂର୍ଣ ଅନଧିକୃତ ଭାବେ ସମ୍ପୂର୍ଣ ମିଥ୍ୟା ଘୋଷଣା କରିଥିଲେ ଯେ, ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ ଚାଲିବା ପାଇଁ ଭାଷା ଆଇନ ସମ୍ପୂର୍ଣ ସଂଶୋଧିତ ହୋଇ ସାରିଥିବା ହେତୁ କଳା ପତାକା ଅଭିଯାନ ପ୍ରତ୍ୟାହୃତ ହୋଇଯାଇଛି । ଅଥଚ ମାନସୀ ଷଡଙ୍ଗୀଙ୍କୁ ଯେତେବେଳେ ତାଙ୍କ ନିଯୁକ୍ତିନାମା ଇଂରାଜୀରେ ଦିଆଗଲା ତହିଁରେ ବିସ୍ମିତ ନହୋଇ ଏହି ନିର୍ଲ୍ଲଜ ବିଶ୍ଵାସଘାତକ ତାଙ୍କ ସତୀର୍ଥ ପବିତ୍ର ମହାରଥାଙ୍କ ସ୍ଵାକ୍ଷରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ପ୍ରଶାସନିକ ଅଫିସରମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସୁତରାଂ ବିସ୍ମିତ ହେବାର କିଛି ନାହିଁ ଯେ, ଏହାଙ୍କ ସ୍ତ୍ରୀଙ୍କ ଉପରେ ରାଜ୍ୟ ସରକାର ଯେଉଁ ଶେଷ ଆଦେଶ ଦେଇଛନ୍ତି ତାହା ବି ଅଛି ଇଂରାଜୀରେ, ଯାହା ଏଥିପୂର୍ବରୁ ଉଦ୍ଧୃତ୍ତ ହୋଇଅଛି ଏବଂ ଯାହା ତୁହାଇ ତୁହାଇ ଦର୍ଶାଉଛି ଏହି ବିଶ୍ଵାସଘାତକ ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ କିପରି ଛୁରୀ ମାରିଦେଲେ ।

ଶାସନ ସଚିବଙ୍କ ଶେଷ ଆଦେଶ

ମୁଁ ରାଜ୍ୟପାଳଙ୍କୁ ଦେଇଥିବା ସ୍ମାରକପତ୍ର ଓ ତହିଁ ଉପରେ କାର୍ଯ୍ୟାନୁଷ୍ଠାନ କରି ସେହି କାର୍ଯ୍ୟାନୁଷ୍ଠାନର ରିପୋର୍ଟ ମୋତେ ପଠାଇବା ପାଇଁ ରାଜ୍ୟପାଳ ଉଚ୍ଚ ଶିକ୍ଷା ସଚିବଙ୍କୁ ଦେଇଥିବା ଆଦେଶ (ଜରୁରୀ ନିର୍ଦ୍ଦେଶ ସଂଖ୍ୟା ୯୯୪୬ ତା ୨.୮.୨୦୧୯) ଫଳରେ, ହାଇ କୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର କରିନଥିବା ସଚିବ ମୋ ସୂଚନା ଅଧିକାର ଜାରିର ତିଆସି ଅତର୍ଛରେ ଯେଉଁ ଆଦେଶ ଦେଲେ , ବରଂ ଦେବାକୁ ବାଧ୍ୟ ହେଲେ, ତାହା ଦସ୍ତାବିଜୀୟ ଗୁରୁତ୍ଵ ଦୃଷ୍ଟିରୁ ଉଦ୍ଧାରଯୋଗ୍ୟ । ସେହେତୁ ତହିଁର ପ୍ରାସଙ୍ଗିକ ଅଂଶ ଉପସ୍ଥାପିତ ହେଲା :

“4. Whereas, after examination, the undersigned found that the petitioner (Smt. Manasi Sarangi) had proceeded on medical leave from 02.07.2008 and then remained unauthorisedly absent from her duties for a long period. After consideration of her representation, she she was allowed, vide Govt. order No.20445/HE. Dt/18.07.2018, to report for duty in the Directorate along with medical fitness certificate pending issue of detailed posting order. This order modified the conditions imposed vide No.13290 dt. 22.06.2015, the impugned order, to her benefit as the direction to initiate disciplinary proceeding against her was dropped. She was then allowed to join in the Directorate and subsequently transferred to a college nearby Bhubaneswar i.e. Sishu Ananta Mahavidyalya, Balipatna, Khurda vide Govt. Order No.25979/H.E. dt. 12.09.2018 and DHE (O) O/O No.31012 dt.15.9.2018. She was relieved from the Directorate on 18.09.2018 (A.N.) vide DHE O/O No.31121 dt. 18.09.2018 and she joined her new place of posting on 19.09.2018.
5. In the Govt. letter No. 20445/HE, dt.18.07.2018, it was further ordered that the period of absence from 02.07.2008 till her joing in the Directorate shall be decided after due inquiry by the Director, H.E. Accordingly, Director, H.E. inquired into the matter and opined vide letter No.6358/DHE. dated 14.02.2019 that she had remained absent from duty un-authorisedly for a period of more than 10 years without any valid reason for which strong action should be taken against her for such long absence.
In view of facts stated above, the representation of the petitioner (Smt. Manasi Sadangi) is disposed of with following order.

“The period of absence (of Smt. Manasi Sarangi) from 02.07.2008 to 23.07.2018 will be treated as breakage in service. She will not get any salary or consequential benefit for that period on the principle of no work no pay. This period shall not be counted for career advancement and pension.”

ଏ ଆଦେଶ ଦେଲାବେଳେ ଶାସନ ସଚିବ ଜାଣିଥିଲେ ଯେ, ସେ ଏତଦ୍ଦ୍ଵାରା ଏକ ଆଇନଉଲ୍ଲଙ୍ଘନକାରୀ ଆଦେଶ ଦେଉଛନ୍ତି । ଏପରି ଏକ ଆଦେଶ ଦେଇ, ଘଟଣାର ଗୁରୁତ୍ତ୍ୱପୂର୍ଣ ଦିଗକୁ ଲୁଚାଇରଖିବା, ଆଇନସମ୍ମତ ସ୍ଥିତିକୁ ବେଖାତିର କରିବା ପରି ସାଂଘାତିକ ପ୍ରଶାସନିକ ଅପରାଧ କରିଛନ୍ତି ଶାସନ ସଚିବ, ଯାହା ଭାଷା ଆନ୍ଦୋଳନକୁ ଛୁରୀ ମାରିଥିବା ପ୍ରତିଦାନରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ‘ବିଶ୍ଵାସଘାତକ ଜାଗିରି’କୁ କାଏମ ରଖିବା ପାଇଁ ହିଁ ଉଦ୍ଦିଷ୍ଟ । (କ୍ରମଶଃ)