ଭାଷା ଆନ୍ଦୋଳନ ପାଇଁ ପରିସୃଷ୍ଟ ବିପତ୍ତିର ନେପଥ୍ୟ ଦୃଶ୍ୟ – ୨

ଆର୍ଥିକ ଅପରାଧୀଙ୍କ ଗୋଠ ଗଠନ : ବିପଦରେ ଭାଷା ଆନ୍ଦୋଳନ
(୨୦.୯.୨୦୧୮ରେ orissamatters॰comରେ ପ୍ରକାଶିତ
Corrupt fellows combine:Bhasha Andolan at the crossroadsର ଓଡ଼ିଆ ରୂପାନ୍ତର)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଁ ଯେତେବେଳେ ମୋ ପରିସୃଷ୍ଟ ନୀରବ କଳା ପତାକା ପଦ୍ଧତ୍ତି ଭିତ୍ତିରେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲି ସେତେବେଳେ ମୋର ବିଶ୍ଵସ୍ତ ଅନୁଚର ବନିଥିବା ପବିତ୍ର ମହାରଥା ଯେ ଜାଲିଆତି, ଅର୍ଥ ତୋଷରପାତ ଓ ଆପରାଧିକ ବିଶ୍ଵାସଘାତକତା ପରି ଆର୍ଥିକ ଅପରାଧ କରି ଭାଷା ଆଂଦୋଳନର ସାଙ୍ଗଠନିକ ବିସ୍ତାର ପାଇଁ ସୃଷ୍ଟି କରାହୋଇଥିବା ବହୁ ଲକ୍ଷ ଟଙ୍କା ହଡଫ କରିବେ ଓ ଆମ ତିନିଜଣ କର୍ମକର୍ତ୍ତାଙ୍କ ମଧ୍ୟରୁ ଅନ୍ୟତମ ସଦସ୍ୟ ପ୍ରଦ୍ୟୁମ୍ନ ଶତପଥୀ ଏହି ଅପରାଧକୁ ଢାଙ୍କୁଣୀ ଦେବା କାମ କରିବସିବେ ତାହା ମୋର କଲ୍ପନା ବାହାରେ ଥିଲା ।

ଏହି ଜଘନ୍ୟ ଅପରାଧ ଅବଗତ ହେବା ପରେ ଭାଷା ଆଂଦୋଳନର ପ୍ରତିଷ୍ଠାତା ଭାବେ ମୁଁ ପବିତ୍ରଙ୍କୁ ସେହି ଟଙ୍କାର ଏବଂ ସେ କରିଥିବା ଖର୍ଚ୍ଚାଦିର ସବିଶେଷ ହିସାବ ମାଗିଲି, ଯାହା ସେ ଦେଲେନାହିଁ । ପ୍ରଦ୍ୟୁମ୍ନ ଶତପଥୀ ତାଙ୍କ ସହ ହାତ ମିଳାଇଲେ । ଭାଷା ଆଂଦୋଳନର ଅଧ୍ୟକ୍ଷ ଭାବେ ମୁଁ ଏହି ଅପରାଧ ଉପରେ ପୋଲିସକୁ ଅବଗତ କରାଇଲି । ଭାଷା ଆନ୍ଦୋଳନ ସହ ଜଡ଼ିତ ସୌମ୍ୟରଞ୍ଜନ ନାୟକ ନାମକ ଜଣେ ସମ୍ବାଦିକତା ଛାତ୍ର, ପବିତ୍ରଙ୍କ ଜାଲିଆତି ଓ ଅର୍ଥ ତୋଷରପାତର ଜୀବନ୍ତ ସଞ୍ଚାରଣ କଲେ ସାମାଜିକ ଗଣମାଧ୍ୟମ ଫେସବୁକରେ ଯାହାକୁ କି ଅନ୍ୟ କେତେକ ଗଣମାଧ୍ୟମ ଉପଯୋଗ କରିଥିଲେ ।

ଏହି ଦୁଇ ଅସାଧୁ ବ୍ୟକ୍ତି ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଥିବା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସହ ଗୋପନ ସଂଯୋଗ ସ୍ଥାପନ କରି ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଶୁଣିବା କଥା, ଏମାନେ ଅନ୍ୟ ସହକର୍ମୀମାନଙ୍କୁ କାବୁ କରିବା ପାଇଁ ପ୍ରଚୁର ସୁପାରି ଓ ବ୍ୟକ୍ତିଗତ ଆର୍ଥିକ ମୁନଫା ବି ହାସଲ କରିଥିଲେ । ଯାହା ଦେଖାଗଲା, ସାଙ୍ଗରେ ଆଉ କେଇଜଣ କାବୁକରା ସହଯୋଗୀଙ୍କୁ ଧରି ଏମାନେ ସମ୍ପୂର୍ଣ ଅବୈଧ ଓ ଅନଧିକୃତ ଭାବେ ୧୬.୭.୨୦୧୮ ସନ୍ଦ୍ୟାରେ ଭାଷା ଆନ୍ଦୋଳନ ନିଷ୍ପତ୍ତିକ୍ରମେ ପରବର୍ତ୍ତୀ ବିଧାନସଭା ଅଧିବେଶନ ପର୍ଯ୍ୟନ୍ତ କଳାପତାକା ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କଲେ । ସେହିଦିନ ପବିତ୍ର ମହାରଥା ଆନ୍ଦୋଳନ ଆୟବ୍ୟୟର ହିସାବ ଦେବା କଥା ଥିଲା । ସେ ବାତାବରଣ ଆଉ ରହିଲା ନାହିଁ । ଏହି ଜଘନ୍ୟ ଅର୍ଥନୈତିକ ଅପରାଧ ବିରୁଦ୍ଧରେ ମୁଁ ରାଜଧାନୀ ଥାନାରେ ଏତଲା ଦେଲି । ସରକାରଙ୍କ ସହ ବୁଝାବଣା ହେତୁ ରାଜନୈତିକ ଚାପ ପଡ଼ି ସେ ଏତଲା ଉପରେ ଶୋଇ ରହିଲା ପୋଲିସ ।

ଓଡ଼ିଶାର ଜଣେ ତୀକ୍ଷ୍ନ ସାମାଜସଚେତନ ସାମ୍ବାଦିକ ସତୀଶ ମିଶ୍ର ପ୍ରତିଜ୍ଞା ଟିଭିରେ ନିଜସ୍ଵ ଲୋକପ୍ରିୟ ‘ଛାଇ’ ଧାରାବାହିକରେ ଏମାନଙ୍କ ଦୁରାଚାରର ବିବରଣୀ ଦେଲେ କେବଳ ନୁହେଁ, କଳାପତାକା ପଦ୍ଧତ୍ତି ହେତୁ ସାରା ଓଡ଼ିଶାରେ ଉଲ୍ଲେଖନୀୟ ହୋଇ ଉଠିଥିବା ଭାଷା ଆନ୍ଦୋଳନକୁ ହଡଫ କରିବା ପାଇଁ ବିଜେପି ଜାଲ ବିସ୍ତାର କରିଥିବା ଦିଗ ଉପରେ ଆଲୋଚନାତ୍ମକ ଆଲୋକପାତ ବି କଲେ ।

କିନ୍ତୁ ଭାଷା ଆନ୍ଦୋଳନ ବନ୍ଦ କରିବା ପାଇଁ ଏହି ଦୁଇ ଅପରାଧୀ ସକ୍ଷମ ହେଲେ ନାହିଁ । ଅର୍ଥମନ୍ତ୍ରୀଙ୍କ ଅଭୟ ଦାନ ଫିକା ପଡ଼ିଯାଉଥିବା ଆଶଙ୍କା କରି ରକ୍ଷା ପାଇବାର ଅନ୍ୟାନ୍ୟ ଉପାୟ ସନ୍ଧାନରେ ରହିଲେ । ଏହି କ୍ରମରେ ମୋ ପରିବର୍ତ୍ତେ ଭାଷା ଆଂଦୋଳନର ଅଧ୍ୟକ୍ଷ ଭାବେ ଚକ୍ରଧର ମହାନ୍ତ ନାମକ ବ୍ୟକ୍ତି ସ୍ଥାନିତ ହୋଇଛନ୍ତି ବୋଲି ଏମାନେ ପ୍ରଚାର ଚଳାଇଲେ । କାରଣ , ଏମାନଙ୍କ ବିଶ୍ଵାସ ଯେ, ଏତଦ୍ଦ୍ବାରା ଭାଷା ଆଂଦୋଳନର ଅଧ୍ୟକ୍ଷ ଭାବେ ମୁଁ ଦେଇଥିବା ଏତଲା ପଥଭ୍ରଷ୍ଟ ହୋଇଯିବ ।

ଏହି ଚକ୍ରଧର ମହାନ୍ତ କିଏ ଓ କାହିଁକି ସେ ଏମାନଙ୍କ ସହ ହାତ ମିଳାଇଛନ୍ତି?

ମୁଁ ଏହି କୌତୁହଲୋଦ୍ଦୀପକ ସ୍ଥିତି ପ୍ରତି ଦୃଷ୍ଟିପାତ କରି ଦେଖୁଛି, ଏ ବ୍ୟକ୍ତି ଜଣେ ଅର୍ଥନୈତିକ ଅପରାଧୀ ଯେ କି ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଥିବା ବେଳେ ଦୁର୍ନୀତି ନିବାରଣ ଆଇନ ବଳରେ ଦୋଷୀ ସାବ୍ୟସ୍ତ ହୋଇ ସ୍ବତନ୍ତ ଭିଜିଲାନ୍ସ ଅଦାଲତରେ ସମ୍ପତ୍ତି ବାଜ୍ୟାପ୍ତିକରଣର ସମ୍ମୁଖୀନ ହୋଇଛନ୍ତି (Vigilance P.S. Case No. 43, Dt. 22-11-2006) ଓ ସରକାରଙ୍କ ସହ ହାତ ମିଳାଇ ଭାଷା ଆନ୍ଦୋଳନରେ ସଙ୍କଟ ସୃଷ୍ଟିକଲେ ସରକାର ଏହି ମକଦ୍ଦମା ଉଠାଇ ନେବେ ବୋଲି ତାଙ୍କୁ ମୌଖିକ ପ୍ରତିଶ୍ରୁତି ମିଳିଛି ।

ଏହି ଜଘନ୍ୟ ଦୁର୍ନୀତିଗ୍ରସ୍ତ ଲୋକମାନଙ୍କ ଗୋଠ ଗଠନ ଭାଷା ଆନ୍ଦୋଳନକୁ ସଙ୍କଟଗ୍ରସ୍ତ କରାଇବାକୁ ଉଦ୍ଦିଷ୍ଟ । (କ୍ରମଶଃ)
୨୯.୬.୨୦୧୯

ଭାଷା ଆନ୍ଦୋଳନ ପାଇଁ ପରିସୃଷ୍ଟ ବିପତ୍ତିର ନେପଥ୍ୟ ଦୃଶ୍ୟ -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ସର୍ବତ୍ର ଭାଷା ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଅର୍ଥର ଆବଶ୍ୟକତା ଥିଲା । ଏହି ପାଣ୍ଠି ସୃଷ୍ଟି ପାଇଁ ଆମେ ଏକ ସ୍ମରଣିକା ପ୍ରକାଶ କରିବାକୁ ଚିନ୍ତା କରିଥିଲୁ, କାରଣ ତା ପାଇଁ ବିଜ୍ଞାପନ ସଂଗ୍ରହ କରି ତହିଁରୁ ବଳକା ଅର୍ଥ ଆନ୍ଦୋଳନର ସମ୍ପ୍ରସାରଣରେ ବ୍ୟବହୃତ ହୋଇପାରିବ ବୋଲି ଆମେ ଚିନ୍ତା କରିଥିଲୁ । ଯେହେତୁ କୌଣସି ଆନ୍ଦୋଳନ ନାମରେ ବିଜ୍ଞାପନ ସଂଗ୍ରହ ସମ୍ଭବ ନ ଥିଲା, ଆମ ଆବାହକ ପବିତ୍ର ମହାରଥାଙ୍କ ପୁସ୍ତକ ପ୍ରକାଶନ ସଂସ୍ଥା ‘ଶବ୍ଦ ସ୍ପର୍ଶ’ ନାମରେ ଏହା କରାଗଲା । ସ୍ମରଣିକାଟିର ମୁଦ୍ରଣ ଖର୍ଚ୍ଚ କାଟିରଖି ଅବଶିଷ୍ଟ ସମସ୍ତ ଟଙ୍କା ସେ ଆନ୍ଦୋଳନକୁ ଦେବା ପରେ ଏକ ବ୍ୟାଙ୍କ ଜମାଖାତା ଖୋଲି ତହିଁରେ ତାହା ରଖାଯିବ ଓ ଆନ୍ଦୋଳନ କାମରେ ଭୁବନେଶ୍ଵର ବାହାରକୁ ଯାଉଥିବା ବେଳେ ତହିଁରୁ ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ବହୁ ବିଜ୍ଞାପନ ଆସିଥିଲା ଓ ତଥ୍ୟାଭିଜ୍ଞ ବ୍ୟକ୍ତିମାନଙ୍କ ଆକଳନ ଅନୁସାରେ ତହିଁର ମୁଦ୍ରାମୂଲ୍ୟ ପ୍ରାୟ ଅଧକୋଟି ଟଙ୍କା । ଯେହେତୁ ‘ଶବ୍ଦ ସ୍ପର୍ଶ’ ନାମରେ ବିଜ୍ଞାପନଗୁଡ଼ିକ ଆସିଥିଲା, ପବିତ୍ର ମହାରଥା ଭାଷା ଆନ୍ଦୋଳନ ପ୍ରତି ବିଶ୍ବାସଘାତକତା କରି ଏହି ସମଗ୍ର ପାଣ୍ଠି ତୋଷରପାତ କଲେ । ଏହା ଜଣା ପଡ଼ିଲା ପରେ ମୁଁ ତାଙ୍କୁ ଯେତେବେଳେ ହିସାବ ମାଗିଲି ସେ ଫାଙ୍କିମାରିବାକୁ ନାନା କୌଶଳ ପ୍ରୟୋଗ କଲେ ।

ନୈତିକତା ଦୃଷ୍ଟିରୁ, ସବୁ ଶ୍ଲାଘ୍ୟ ଉଦ୍ୟମ ନିଷ୍ଫଳ ହେବା ପରେ, ମୁଁ ରାଜଧାନୀ ଥାନାରେ ଏହି ଦୁରାଚର ବିରୁଦ୍ଧରେ ଏକ ଏତଲା ଦେଲି । ପୋଲିସ କବଳରୁ ରକ୍ଷା ପାଇବା ପାଇଁ ସେ ସରକାରୀ ଓକିଲ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଶରଣାପନ୍ନ ହେଲେ । ବିଭୁବାବୁ ମୋତେ ଫୋନ କରି ପବିତ୍ର ବିଜ୍ଞାପନ ବାବଦରେ ମାତ୍ର ୩ ଲକ୍ଷ ଟଙ୍କା ପାଇଛନ୍ତି ଓ ସେ ସବୁ ଟଙ୍କା ସ୍ମରଣିକା ପ୍ରକାଶନରେ ଖର୍ଚ୍ଚ ହୋଇଯାଇଥିବା ହେତୁ ମୁଁ ତାଙ୍କୁ କ୍ଷମା କରିଦେବା ଉଚିତ ବୋଲି କହିଲେ । ସେମାନେ ଉଭୟେ ପରସ୍ପରର ବନ୍ଧୁ ଓ ପବିତ୍ରଙ୍କ ମାଧ୍ୟମରେ ମୁଁ ବିଭୁବାବୁଙ୍କୁ ଜାଣିଥିଲି । ମୁଁ ତାଙ୍କୁ କହିଲି ଯେ, ସମସ୍ତ ଟଙ୍କାର ସେ ହିସାବ ଦିଅନ୍ତୁ ଓ ଯଦି ମୋର ହୃଦବୋଧ ହୁଏ ଯେ, ସେ କୌଣସି ଅପରାଧ କରିନାହାନ୍ତି , ମୁଁ ଏତଲା ପ୍ରତ୍ୟାହାର କରିନେବି । ତା ତ ହେଲା ନାହିଁ , ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କଲାନାହିଁ । ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୋଲିସ ବଡ଼ପଣ୍ଡା ମୋତେ କହିଲେ ଯେ, ଉପର ମହଲାର ନିର୍ଦ୍ଦେଶ ଆସିଥିଲା ପବିତ୍ରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ।

ମୁଁ କାଳେ ଅଦାଲତରେ ମକଦ୍ଦମା ଦାଏର କରିବି ଏହି ଭୟରେ ପବିତ୍ରଙ୍କ ବନ୍ଧୁ ଓ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମ୍ପର୍କୀୟ ଉପରୋକ୍ତ ଓକିଲ ବିଭୁ ପ୍ରସାଦ ତ୍ରିପାଠୀ ତାଙ୍କୁ ବତାଇଲେ କି, ଭାଷା ଆଂଦୋଳନର ଅଧ୍ୟକ୍ଷ ଭାବେ ଅନ୍ୟ ଜଣଙ୍କ ନାମ ସେମାନେ ଘୋଷଣା କରିଦିଅନ୍ତୁ; କାରଣ ତଦ୍ଦ୍ଵାରା ଏକ ବିଧିକ ବିଭ୍ରାନ୍ତି ତିଆରି ହୋଇଯାଇ ପାରିବ ଏବଂ ମୁଁ ଯେହେତୁ ଅଧ୍ୟକ୍ଷ ଭାବେ ପବିତ୍ରଙ୍କ ବିରୁଦ୍ଧରେ ଏତଲା ଦେଇଛି, ମକଦ୍ଦମା କଲେ ଅଦାଲତକୁ ପ୍ରଥମେ ଠିକାଇବାକୁ ପଡ଼ିବ କିଏ ଅଧ୍ୟକ୍ଷ ଓ ସେଥିରେ ଏତେ ସମୟ ଲାଗିଯିବ ଯେ, ପାଣ୍ଠି ତୋଷରପାତ ବିଚାର ଆରମ୍ଭ ହୁଏତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପରି ବୟସ୍କ ବ୍ୟକ୍ତିଙ୍କ ଜୀବଦ୍ଦଶାରେ ସମ୍ଭବ ହେବ ନାହିଁ । ତ୍ରିପାଠୀଙ୍କ ଚ୍ୟାମ୍ବରରେ ସେତେବେଳେ ଉପସ୍ଥିତ ଥିବା ଜଣେ ନିର୍ଭରଯୋଗ୍ୟ ବ୍ୟକ୍ତି ନାମ ଗୋପନ ରଖିବା ସର୍ତ୍ତରେ ମୋତେ ଏହା କହିଛନ୍ତି ।

ଚକ୍ରଧର ମାହୁନ୍ତ ନାମକ ଜଣେ ଭିଜିଲାନ୍ସ ଆସାମୀ ଭାଷା ଆଂଦୋଳନର ଅଧ୍ୟକ୍ଷ ସାଜିଥିବା କଥା ପ୍ରଦ୍ଯୁମ୍ନ ଶତପଥୀଙ୍କ ଆତ୍ମରକ୍ଷା ପାଇଁ ବ୍ୟାକୁଳତା ଜର୍ଜରିତ ଏକ ପତ୍ରରୁ ମୁଁ ଅବଗତ ହେଲି ।

ଏ କଥା ମୁଁ ଯେତେବେଳେ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିଲି ସେତେବେଳକୁ ଓକିଲ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଏହି ପରମର୍ଶର ଖବର ମୋ ପାଖରେ ପହଞ୍ଚି ନଥିଲା । ଭାଷା ପାଇଁ ଓଡ଼ିଆ ଜାତିର ଏ ଅନନ୍ୟ ଆଂଦୋଳନର ଇତିହାସ ନିର୍ଭୁଲ ରଖିବା ପାଇଁ ବିଭୁ ବାବୁ ମୁଁ ଉପରେ ଦେଇଥିବା ଦୃଶ୍ୟପଟ ଉପରେ ନିଜ ମତ ରଖିବା ଆବଶ୍ୟକ , କାରଣ ଆମେ କେହି ସମାଜ ଓ ସମୟର ଉର୍ଦ୍ଧ୍ଵରେ ନୁହେଁ । (କ୍ରମଶଃ)
୨୭.୬.୨୦୧୯

ରାଜ୍ୟପାଳଙ୍କ ଇଂରାଜୀ ଭାଷଣ ଓଡ଼ିଆ ଅସ୍ମିତାର ବିରୁଦ୍ଧାଚରଣ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ନବ ନିର୍ବାଚିତ ଷୋଡ଼ଶ ବିଧାନସଭାର ପ୍ରଥମ ଦିନରେ ମାନ୍ୟବର ଓଡ଼ିଶା ରାଜ୍ୟପାଳ ଯେଉଁ ଭାଷଣ ରଖିଲେ ତାହା ଓଡ଼ିଆ ଅସ୍ମିତାର ଘୋର ବିରୁଦ୍ଧାଚରଣ ବୋଲି କୁହାଯାଇପାରେ । ତାଙ୍କ ମୁହଁରେ ଇଂରାଜୀ ଭାଷାରେ ଭାଷଣ ଦିଆଇ ନବୀନ ପଟ୍ଟନାୟକଙ୍କ ସରକାର ଓଡ଼ିଆ ଜାତିକୁ ଅପମାନିତ କରିଛନ୍ତି ।

ଆମ ପୂର୍ବ ପୁରୁଷେ କେବଳ ଗୋଟିଏ ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଦେଶ ସୃଷ୍ଟି କରିଥିଲେ । ତାହା ହେଲା, ଆମର ସମସ୍ତ ଦାପ୍ତରୀକ କର୍ମ ସମ୍ପାଦନ ହେବ ଓଡ଼ିଆ ଭାଷାରେ । ଏହି କାରଣରୁ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ସ୍ପଷ୍ଟ କହିଛି କି, ଓଡ଼ିଶାର ସର୍ବତ୍ର ସମସ୍ତ ଓ ଯେକୌଣସି କାମ ପାଇଁ ସରକାରୀ ଭାଷା ଅଟେ ଓଡ଼ିଆ ।

ଏହି ଆଇନକୁ ପ୍ରଥମ ସଂଶୋଧନର ଶିକାର କରି ୧୯୬୩ରେ ବିଜୁ ପଟ୍ଟନାୟକ ଭାରତୀୟ ସମ୍ବିଧାନ ପ୍ରତି ପଦାଘାତ କରି କିପରି ଇଂରାଜୀ ଭାଷାକୁ ଆମ ଉପରେ ନଦିଦେଲେ ତାହାର ସବିଶେଷ ଆଲୋଚନା ମୁଁ ରଖିଛି ‘ବିଜୁଙ୍କ ଛୁରା’ ଶୀର୍ଷକ ମୋ ପୁସ୍ତକରେ । ତଥାପି ସେ ଖଞ୍ଜିଥିବା ଧାରା ୩-କ ଇଂରାଜୀ ଭାଷାକୁ ଆମ ବିଧାନସଭା ବ୍ୟାପାରରେ ଏକ ଅତିରିକ୍ତ ଭୂମିକା ଦେଇଛି, ମୂଳ ଭୂମିକା ନୁହେଁ । ଏଥିରେ କୁହା ହୋଇଛି, ବିଧାନସଭାର କାର୍ଯ୍ୟ ସମ୍ପାଦନରେ ଇଂରାଜୀ ଭାଷା ଓଡ଼ିଆ ଭାଷା ଅଧିକନ୍ତୁ ବ୍ୟବହାର ହୋଇପାରେ । ଅତଏବ, ଇଂରାଜୀ ବ୍ୟବହାର ବାଧ୍ୟତାମୂଳକ ନୁହେଁ । ବାଧ୍ୟତାମୂଳକ ହେଲା ଓଡ଼ିଆ ଭାଷାର ବ୍ୟବହାର । ଇଂରାଜୀ ଅଧିକନ୍ତୁ ଓଡ଼ିଆ ନୁହେଁ, ଓଡ଼ିଆ ଅଧିକନ୍ତୁ ଇଂରାଜୀ ଚାଲିପାରେ, ନ ଚାଲିପାରେ । ଏହା ହିଁ ହେଲା ଆଇନର ସ୍ପଷ୍ଟ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶକୁ ଅବଜ୍ଞା କରି ରାଜ୍ୟ ସରକାର ରାଜ୍ୟପାଳଙ୍କ ମୁହଁରେ ଇଂରାଜୀରେ ଅଭିଭାଷଣ ରଖାଇବା ଓଡ଼ିଆ ଅସ୍ମିତା ଉପରେ ପଦାଘାତ ।

ରାଜ୍ୟପାଳ ତାଙ୍କ ଭାଷଣର ପ୍ରତୀକାତ୍ମକ ଆରମ୍ଭ କଲାପରେ ତାଙ୍କ ତରଫରୁ କେହି ବି ଅଧିକୃତ ପଦାଧିକାରୀ ଓଡ଼ିଆ ଭାଷାରେ ସମଗ୍ର ଭାଷଣଟି ପାଠ କରିପାରିଥାନ୍ତେ । କୌଣସି ଆଇନଗତ ଅସୁବିଧା ଏଥିରେ ନ ଥିଲା ; ଅସୁବିଧା ଥିଲା ମାନସିକତାରେ ।

ଏହି ଓଡ଼ିଆ ବିରୋଧୀ ମାନସିକତା ଯେତେ ଶୀଘ୍ର ବଦଳେ, ସେତେ ଭଲ ।

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୧୪

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତି ଆକସ୍ମିକ ଭାବେ ଶଶିଭୂଷଣ ବେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ କେବଳ ନୁହେଁ , ଅର୍ଥ ଓ ଅବକାରୀ ବିଭାଗ ପରି ଗୁରୁତ୍ବପୂର୍ଣ ବିଭାଗ ଦେଇ ତାଙ୍କର ଏପରି ମର୍ଯ୍ୟାଦା ବଢ଼େଇ ଦେଇଥିଲେ ଯେ, ସମଗ୍ର ପ୍ରଶାସନିକ କଳ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ବୋଲି ଭାବୁଥିଲା ଓ ତଦନୁଯାୟୀ ତାଙ୍କ ଆଦେଶ ଓ ଇଚ୍ଛା ପ୍ରତି ଗୁରୁତ୍ଵ ଦେଉଥିଲା । ତେଣୁ ଭାଷା ଆନ୍ଦୋଳନକୁ ଭାଙ୍ଗିବା ସକାଶେ ସେ ମୋର ଦୁଇ ମୂଳ ଓ ପ୍ରମୁଖ ସହକର୍ମୀଙ୍କୁ ପୋଷାମନାଇବା ପାଇଁ ତାଙ୍କ ପଦ ମର୍ଯ୍ୟାଦାର ପ୍ରବଳ ଦୁରୁପଯୋଗ କଲେ । ଏ ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ମୁଁ ଦୁଇଟି ଖବର ପାଇଛି , ଯହିଁରେ ଅଛି – (୧) ପବିତ୍ର ମହାରଥାଙ୍କ ବିରୁଦ୍ଧରେ ଭାଷା ଆଂଦୋଳନର ପ୍ରାପ୍ୟ ବହୁ ଲକ୍ଷ ଟଙ୍କାର ତୋଷରପାତ ବିରୁଦ୍ଧରେ ମୁଁ ଦେଇଥିବା ଏତଲା ଉପରେ ପୋଲିସର ନୀରବତା ଓ (୨) ପ୍ରାୟ ଦଶବର୍ଷ ତଳୁ ନିଜର କର୍ତ୍ତବ୍ୟ ନିର୍ବାହ କରି ନ ଥିବା ହେତୁ ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀ ଘୋର ଚାକିରି ସଙ୍କଟର ସମ୍ମୁଖୀନ ହୋଇଥିବା ସତ୍ତ୍ୱେ ଆଇନକୁ ଆଖିଠାର ମାରି ଶଶି ବାବୁଙ୍କ ପ୍ରଭାବ ବଳୟରେ ଥିବା ଏକ ମହାବିଦ୍ୟାଳୟକୁ ତାଙ୍କୁ ବଦଳି କରାଯାଇ ଖୁବ୍ ମୋଟା ଅଙ୍କର ଆର୍ଥିକ ଆୟର ବ୍ୟବସ୍ଥା କରାଯିବା । ଏହା ଛଡ଼ା ସୁପାରୀ, ଯାହା ପବିତ୍ର ମହାରଥାଙ୍କ ପ୍ରତିକ୍ରିୟାରୁ ଅନ୍ଦାଜ କରିହୁଏ, ଓ ଯାହା ସହ ମୋ ପୂର୍ବ ଉଦ୍ଧୃତ୍ତ ପତ୍ରରେ ମୁଁ ଅର୍ଥମନ୍ତ୍ରୀଙ୍କୁ ସାମ୍ନାସାମ୍ନୀ କରାଇଥିଲି । ସେ କାହିଁକି ନୀରବ ରହିଲେ କେବଳ ସେ ହିଁ କହିପାରିବେ ।

କେଉଁଥି ପାଇଁ ଏତେ କଥା?

କିନ୍ତୁ କେଉଁଥି ପାଇଁ ଏତେ କଥା ? ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ ତ ୧.୫.୨୦୧୮ରେ ପାରିତହୋଇ ଆଇନର ରୂପ ନେଇ ସାରିଥିଲା । ସେଥିରେ ଭାଷା ଆଇନର ଖିଲାପକାରୀକୁ ଦଣ୍ଡ ଦେବାକୁ ନିୟମାବଳୀ ପ୍ରଣୟନ ହେବ ବୋଲି ତ କୁହା ହୋଇଥିଲା । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ପ୍ରତାରିତ କରିବାରେ ତ ସଫଳ ହୋଇଥିଲେ । ଯେଉଁ କଳାପତାକା ଅଭିଯାନକୁ ଭାଷା ଆନ୍ଦୋଳନ କୁହାଯାଏ ତାହା ତ ଏହି ଉଭୟଙ୍କ ଚକ୍ରାନ୍ତ ହେତୁ ସେହି ୧.୫.୨୦୧୮ରେ ହିଁ ସ୍ଥଗିତ ହୋଇଯାଇଥିଲା । ପୁଣି କେଉଁଥି ପାଇଁ ସନ୍ଦିଗ୍ଧ ସୁପାରୀଠୁ ଆରମ୍ଭ କରି ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କୁ ନିସନ୍ଦିଗ୍ଧ ଚାକିରି ପ୍ରଦାନ ପର୍ଯ୍ୟନ୍ତ କାମରେ ଅର୍ଥମନ୍ତ୍ରୀଙ୍କୁ ଲଗାଇବା ଯାଏଁ କଥା ଗଲା?

ତାର କାରଣ ଥିଲା, ଉପରୋକ୍ତ ସଂଶୋଧନ ମାଧ୍ୟମରେ ଖଞ୍ଜା ହୋଇଥିବା ୪କ ଧାରା କିପରି ଆମ ଭାଷା ସ୍ଵାର୍ଥ ପାଇଁ କ୍ଷତିକାରକ ତହିଁ ଉପରେ ତୁରନ୍ତ ମୋର ଆଲୋଚନା ଓ ବିଧାନସଭାରେ ପାରିତ ହୋଇଥିବା ବିଧେୟକକୁ ସ୍ଵୀକୃତି ନ ଦେଇ ପୁନର୍ବିଚାର ପାଇଁ ଫେରାଇ ଦେବାକୁ ୨୪.୫.୨୦୨୮ରେ ରାଜ୍ୟପାଳଙ୍କୁ ମୋର ନିବେଦନ।

ରାଜ୍ୟପାଳଙ୍କ ନିକଟରେ ମୋର ନିବେଦନ ବ୍ୟର୍ଥ ହୋଇଯିବା ପରେ ୨୯.୬.୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ପଠାଇଥିବା ପତ୍ରରେ ବିଧାନ-ରୂପ ପାଇସାରିଥିବା ସତ୍ତ୍ଵେ ଜାଲିଆତି ବଳରେ ତିଆରି ହୋଇଥିବା ଧାରା ୪କ କାହିଁକି ଲୋପ ହେବା ଉଚିତ ଓ ସେ ଯଦି ନିଜେ ଏହି ଜାଲିଆତିରେ ସମ୍ପୃକ୍ତ ନୁହନ୍ତି ତେବେ କିଏ ତାହା ଠାବ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ମୁଁ ଯାହା ଲେଖିଥିଲି ତାହା ଏଥି ପୂର୍ବରୁ ଉଦ୍ଧୃତ୍ତ ହୋଇଛି । ମାତ୍ର ୱେବସାଇଟ ବାହାରେ ପ୍ରକାଶିତ ମୋ ଲେଖା ଯାହା ସର୍ବସାଧାରଣଙ୍କ ପାଖରେ ଏହି ସରକାରୀ ତଞ୍ଚକତାର ଖୋଲା ରୂପ ରଖିଥିଲା ତାହା ଥିଲା ମୋର ପୂର୍ବସୂଚିତ ଲେଖା – ‘ଭାଷା ଆଇନ ସଂଶୋଧନ ପୁନଶ୍ଚ ସଂଶୋଧିତ ହେବା ଦରକାର ।’

ଏହି ଲେଖାଟି ସରକାରଙ୍କୁ ଏପରି ବିବସ୍ତ୍ର ଓ ବିଚଳିତ କରିଦେଇଥିଲା ଯେ, ଏହାକୁ ପ୍ରକାଶ କରିଥିବା ଖବରକାଗଜ ‘ନିତିଦିନ’କୁ ମିଳିଥିଲା ଉଚ୍ଚତମ ସରକରୀ ମହଲରୁ ଅତ୍ୟନ୍ତ ଦୁର୍ବିନୀତ ଧମକ । ଏହି କାଗଜକୁ ବସ୍ତୁତଃ ଜନ୍ମ ଦେଇ ତାର ଅନ୍ତୁଡ଼ିଶାଳାରୁ ଶକ୍ତିମାନ୍ ଯୌବନରେ ପହଞ୍ଚାଇଥିଲେ ଓଡ଼ିଶାର ସୁବିଦିତ ସାମ୍ବାଦିକ ସମ୍ପଦ ମହାପାତ୍ର । ଅଥଚ , ତାଙ୍କ ପାଖରେ କୁତଜ୍ଞ ରହିବା ପରିବର୍ତ୍ତେ, ମୋର ଉପରୋକ୍ତ ପ୍ରବନ୍ଧ ପ୍ରକାଶ ପାଇବା ପରେ , ସରକାରଙ୍କ ଅଲିଖିତ ଧମକର ସାମ୍ନା କରିନପାରି କାଗଜଟିର ମାଲିକ ଏପରି ଆଚରଣ ପ୍ରଦର୍ଶନ କଲେ ଯେ, ଆତ୍ମସମ୍ମାନପ୍ରିୟ ସମ୍ପଦ ମହାପାତ୍ର ଏହାର ସମ୍ପାଦକ ପଦରୁ ଇସ୍ତଫା ଦେଇ ଚାଲିଗଲେ । ଓଡିଶା ସରକାରୀଭାଷା ଇତିହାସରେ ଏହି ନିର୍ଦ୍ଦିଷ୍ଟ ଘଟଣା ଏକ ବ୍ୟଥାଦାୟକ ଅଧ୍ୟାୟ ହୋଇ ରହିବ ।

ଉପସ୍ଥିତ ପାଠକମାନଙ୍କ ଅନୁଧ୍ୟାନ ପାଇଁ ଲେଖାଟି ଏଠାରେ ସ୍ଥାନିତ ହେଉଛି –

:
ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନଙ୍କ ଗୋଚରାର୍ଥେ ଏତାଦୃଶ ଏକାଧିକ ଆଲୋଚନା ମୁଁ ଗଣମାଧ୍ୟମରେ ରଖିଛି । (କ୍ରମଶଃ)
୨୨.୬.୨୦୧୯

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୧୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଏପରି ଭାବେ କଳାପତାକା ଅଭିଯାନ ସ୍ଥଗିତ କରିବାର କୌଣସି ଅଧିକାର ଏମାନଙ୍କର ନଥିଲା । କାରଣ ଏ ଆନ୍ଦୋଳନ ମୁଁ ପ୍ରତିଷ୍ଠା କରିଥିଲି ଭାଷା ଆଇନକୁ ନିର୍ଭୁଲ ଓ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସପକ୍ଷରେ । ପ୍ରଦ୍ୟୁମ୍ନ ଶତପଥୀଙ୍କ ଭାଷାରେ ଏମାନେ ଥିଲେ ମୋର ସମର୍ଥକ ଓ ମୋ “ପ୍ରଜ୍ଞାଜ” (ବୁଦ୍ଧିରୁ ବାହାରିଥିବା) ଏହି ଆଂଦୋଳନର “ସଞ୍ଚାଳକ” । ଅତଏବ ଏ ଆନ୍ଦୋଳନ ସ୍ଥଗିତ ରଖିବା / ବନ୍ଦ କରିବାର ଅଧିକାର ଏମାନଙ୍କର ନଥିଲା । ମୋ ଡ୍ରାଇଭର ମୋ ମୋଟର ଯାନର ମାଲିକ ବୋଲି ନିଜକୁ କହିବା ପରି ଏହା ଥିଲା ଏମାନଙ୍କ ଅମୂଳକ ଓ ଅନଧିକୃତ ଆସ୍ଫାଳନ ।

ମୁଁ ଏମାନଙ୍କ ଏହି ଅନଧିକୃତ ଆସ୍ଫାଳନକୁ ପ୍ରତ୍ୟାଖ୍ୟାନ କରିଥିଲି ଓ ସମଗ୍ର ଓଡ଼ିଆ ଜାତି ମଧ୍ୟ ଏମାନଙ୍କୁ ପ୍ରତ୍ୟାଖ୍ୟାନ କଲା ।

ମାତୃଭାଷା ଓଡ଼ିଆର ଅନୁରକ୍ତ ସନ୍ତାନମାନେ ଯେଉଁମାନଙ୍କ ସମ୍ପର୍କରେ bhashaandolan॰com ପ୍ରକାଶିତ ଆମ ଇ-ପୁସ୍ତକ “ଆମ ଭାଷା ପାଇଁ ଆମ ଲଢ଼େଇ“ରେ ସବିଶେଷ ବିବରଣୀ ରହିଛି, ୧୭.୭.୨୦୧୮ ତାରିଖରୁ କଳାପତାକା ଅଭିଯାନ ବୀରତ୍ଵର ସହ ଚଳାଇ ଚାଲିଲେ ।

ଶତପଥୀ ଓ ପବିତ୍ର ମହାରଥାଙ୍କ ଅତର୍ଛ ବୟାନବାଜିରୁ ଜଣାପଡ଼ିଗଲା ଯେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ମାଧ୍ୟମରେ ଏମାନେ ସୁପାରି ଖାଇଛନ୍ତି ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ।

ପବିତ୍ର କହି ଚାଲିଥିଲେ ଯେ, କଳା ପତାକା ଅଭିଯାନ ଚାଲିବା ଅର୍ଥ ତାଙ୍କ ସ୍ତ୍ରୀ ଓ ଛୋଟ ଛୁଆର ବେକରେ ଖୋଜ ପକାଇ ଚାଲିବା ।

ଯେଉଁମାନେ କଳା ପତାକା ଧରୁଥିଲେ ସେମାନଙ୍କୁ ସେ ଏହି ଏକା କଥା କହି ଗାଳିଗୁଲଜ କରୁଥିଲେ । ଏପରିକି ଗଜାନନ ମିଶ୍ର ବି ତାଙ୍କ ଏହି ଗାଳିଗୁଲଜରୁ ନିସ୍ତାର ନ ପାଇ ସାମାଜିକ ଗଣମାଧ୍ୟମ ଫେସବୁକରେ ତହିଁର ଏକ ବିବରଣୀ ରଖି ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ତଦାନୀନ୍ତନ ଦୃଶ୍ୟପଟ ଉପସ୍ଥାପନ କରିଥିଲେ ।

ଭାଷା ଆନ୍ଦୋଳନର ନାମ ଅନଧିକୃତ ଭାବେ ବ୍ୟବହାର କରି ସେମାନେ ତ କଳାପତାକା ଅଭିଯାନରୁ ଓହରି ଯାଇଥିଲେ, ଯେଉଁମାନେ ସେମାନଙ୍କ ପାଲରେ ନ ପଡ଼ି କଳାପତାକା ଧରିଲେ ସେମାନଙ୍କୁ ସେ ଏପରି ଧମକାଉଥିଲେ କାହିଁକି ଓ କଳାପତାକା ଚାଲିଲେ ତାଙ୍କ ସ୍ତ୍ରୀ ପିଲା ମରିଯିବେ ବୋଲି କହୁଥିଲେ କାହିଁକି ?

ସନ୍ଦେହ ଉପୁଜିବା ସ୍ଵାଭାବିକ ଯେ, ଭାଷା ଆନ୍ଦୋଳନ ଭାଙ୍ଗିଦେବାକୁ ତାଙ୍କୁ ଯେଉଁ ସୁପାରି ଯାଚିଥିଲେ ଅର୍ଥମନ୍ତ୍ରୀ ସମ୍ଭବତଃ ତହିଁରୁ ଏକ ଛୋଟିଆ ଅଂଶ ତାଙ୍କୁ ଅଗ୍ରୀମ ଭାବେ ଦିଆ ହୋଇଥିଲା ଓ କଳା ପତାକା ସମ୍ପୂର୍ଣ ବନ୍ଦ ହୋଇଯାଇଥିଲେ ସୁପରିର ଅବଶିଷ୍ଟ ବିପୂଳ ଅଂଶ ସେ ପାଇଥାନ୍ତେ । କଳା ପତାକା ବନ୍ଦ ନ ହେବାରୁ ସୁପରିର ସେହି ବିପୂଳ ଅବଶିଷ୍ଟ ସେ ପାଇବା ସମ୍ଭାବନା ନ ଥିବା ହେତୁ ତାହାକୁ ତାଙ୍କ ସ୍ତ୍ରୀ ପିଲାଙ୍କ ବେକରେ ଖୋଜ ପକାଇବା ସହ ସେ ସମାନ ଜ୍ଞାନ କରୁଥିଲେ ।

ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ, ଭାଷା ଆଇନର ନିର୍ଭୁଲ ସଂଶୋଧନ ଓ କାର୍ଯ୍ୟକାରୀତା ପାଇଁ ଚାଲିଥିବା ଏକ ଅଦର୍ଶଭିତ୍ତିକ ସାମାଜିକ ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ରାଜ୍ୟ ସରକାର କିଛି ଆନ୍ଦୋଳନକାରୀଙ୍କୁ ସୁପାରି ଦେବାର ସନ୍ଦେହ ହିଁ ଆମ ପାଇଁ ବ୍ୟଥାଦାୟକ ଥିଲା ଓ ଆମେ ପ୍ରକୃତ ଆନ୍ଦୋଳନକାରୀମାନେ ଅର୍ଥମନ୍ତ୍ରୀଙ୍କଠାରୁ ସତକଥାଟି ଜାଣିବାକୁ ଚାହୁଁଥିଲୁ । ବସ୍ତୁତଃ ୧୬.୭.୨୦୧୮ ପୂର୍ବରୁ ଭାଷା ଆନ୍ଦୋଳନକୁ ଛୁରି ମାରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ଜଣେ ଅଣଓଡ଼ିଆ ଅଫିସରଙ୍କ ସହ ହାତ ମିଳାଇଥିବା ସୂଚନା ମଧ୍ୟ ମୋତେ ମିଳିଥିଲା । ସେହି ଅଫିସର ସେତେବେଳକୁ ଅନ୍ୟ ସ୍ଥାନକୁ ବଦଳି ହୋଇଯାଇଥିଲେ । ତେଣୁ, କେଉଁ ନିର୍ଦ୍ଦିଷ୍ଟ ଚାପରେ ଏହି ଉଭୟ ବ୍ୟକ୍ତି ସେଦିନ ସରକାରଙ୍କ ସହ ହାତ ମିଳାଇଲେ ଓ “କୁଳ ଗଉରବ ବାରି ନ ପାରନ୍ତି ଆରତେ ଶଫରୀନୟନା” ଶୈଳୀରେ ଏପରି ଅତର୍ଛରେ ଓ ଏପରି ଅନଧିକୃତ ଭାବେ କଳାପତାକା ବନ୍ଦ ରଖାଯାଇଥିବାର ମିଛ ପ୍ରଚାର ଚଳାଇଲେ, ତାହା ଜାଣିବାକୁ , ତାଙ୍କ ନାମ ବ୍ୟବହାର କରି ସୃଷ୍ଟି କରାହୋଇଥିବା ଦୃଶ୍ୟପଟ ସହ ଅର୍ଥମନ୍ତ୍ରୀଙ୍କୁ ସାମ୍ନାସାମ୍ନୀ କରାଇବାର ଆବଶ୍ୟକତା ଅନୁଭୂତ ହେଲା । ମୁଁ ତାଙ୍କ ସରକାରୀ ଇ-ମେଲ ଠିକଣାରେ ନିମ୍ନ ପତ୍ର ପଠାଇଲି, ଯାହା ପାଠ କରି ସେ କିଂ କର୍ତ୍ତବ୍ୟ ବିମୂଢ ହୋଇଗଲେ ।

ମୁଁ ଅର୍ଥମନ୍ତ୍ରୀଙ୍କୁ ଦେଇଥିବା ପତ୍ରର ନକଲ

Subhas Chandra Pattanayak
Sun, Aug 26, 2018, 8:07 AM

to finmin.od, excisemin.od

ବିଷୟ – ଓଡ଼ିଶା ସରକାରୀ ଭାଷା ଆଇନରେ ବ୍ୟାପାରରେ ଆପଣଙ୍କ ଭୂମିକା

ମାନ୍ୟବର ଅବକାରୀ ଓ ଅର୍ଥ ମନ୍ତ୍ରୀ ଶ୍ରୀ ଶଶୀ ଭୂଷଣ ବେହେରା ,
ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ମୁଁ ପ୍ରତିଷ୍ଠା କରିଥିବା ଭାଷା ଆନ୍ଦୋଳନ ଓ କଳାପତାକା ଅଭିଯାନ ସମ୍ପର୍କରେ ଆପଣ ବ୍ୟକ୍ତିଗତ ଭାବେ ଅବଗତ ଓ ଟେଲିଭିଜନ ଚାନେଲମାନଙ୍କରେ ଏକାଧିକବାର ଆଲୋଚନା କରି ଏହାକୁ ଆପଣଙ୍କ ନୈତିକ ସମର୍ଥନ ବି ଦେଇଛନ୍ତି । ଏହି ଅଭିଯାନକୁ ପ୍ରତିଦିନ ଚାରିଜଣ କଳାପତାକାଧାରୀ ଯୋଗାଇବା ଦାୟିତ୍ବରେ ଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଯେଉଁମାନେ ଭାଷା ଆନ୍ଦୋଳନର ଯଥାକ୍ରମେ ସଭାପତି ଓ ଆବାହକ ଭାବେ ପରିଚିତ , ଗତ ୧୬. ୭. ୨୦୧୮ ତାରିଖ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତି ଜାରି କରି କଳାପତାକା ଅଭିଯାନ ସେହିଦିନଠାରୁ ସ୍ଥଗିତ ରହିଲା ବୋଲି ଘୋଷଣା କଲେ । ସେମାନଙ୍କ ସେହି ଆଚରଣ ଅନଧିକୃତ ଥିବା ହେତୁ ଓଡ଼ିଆ ଜାତି ତାହାକୁ ପ୍ରତ୍ୟାଖ୍ୟାନ କଲା ଓ କଳାପତାକା ଅଭିଯାନ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଯଥାରୀତି ଚାଲିଛି । ଯେଉଁ ପର୍ଯ୍ୟନ୍ତ ସରକାରୀ ଭାଷା ଆଇନକୁ ଆଇନତଃ ନ ହେଲେ ବି କାର୍ଯ୍ୟତଃ ନିର୍ଜୀଵ କରିଦେବାକୁ ହୋଇଥିବା ସରକାରୀ ଷଡଯନ୍ତ୍ର ପ୍ରତ୍ୟାହୃତ ନ ହୋଇଛି ଓ ଏକ ନିର୍ଭୁଲ ସଂଶୋଧନ ଦ୍ଵାରା ତାକୁ ସଶକ୍ତିକୃତ କରା ନ ଯାଇଛି ସେ ପର୍ଯ୍ୟନ୍ତ ଏହା ଚାଲିବ । ମାତ୍ର ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ତହିଁରେ ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତା ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ । ତେଣୁ, ମୋର ଅନୁରୋଧ, ଏଥି ସହ ସଂଯୁକ୍ତ ପ୍ରେସ ବିବୃତ୍ତିଟି ଅନୁଧ୍ୟାନ କରିବେ ଓ ଦୟାକରି ସ୍ପଷ୍ଟ କରିବେ କି,
(୧ ) ଏଥିରେ କୁହାହୋଇଥିବା ପରି ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ସମ୍ପୃକ୍ତ ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?
ଇତି ,
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ , ଓଡ଼ିଶା

ଲଜ୍ଜ୍ୟାର କଥା, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଉପର ଲିଖିତ ଅଭିଯୋଗକୁ ଖଣ୍ଡନ କରିବାକୁ ସାହସ କଲେନାହିଁ । (କ୍ରମଶଃ)
୨୧.୬.୨୦୧୯