ଭାଷା ଆନ୍ଦୋଲନ ଦୃଢ଼ ହେଲେ ଓଡ଼ିଶା ଚାଲିବ ଓଡ଼ିଆରେ : ପ୍ରଫେସର ଅରବିନ୍ଦ ଦାସ

(ସୂତ୍ର – ଭାଷା ମା ପାଇଁ ପଦେ)

ଓଡ଼ିଶାର ସମସ୍ତ ସରକାରୀ କାରବାର ଓଡ଼ିଆ ଭାଷାରେ ହେବା ଆବଶ୍ୟକ ଓ ସେଥିପାଇଁ ଓଡ଼ିଆରେ କାମ ନକରିବା ବ୍ୟକ୍ତିଙ୍କୁ ଦଣ୍ଡ ବିଧାନ ପାଇଁ ଭାଷା ଆଂଦୋଳନର ଦାବି ଯଥାର୍ଥ ବୋଲି କହିଛନ୍ତି ବିଶିଷ୍ଟ ଭାଷାବିଜ୍ଞାନୀ ପ୍ରଫେସର ଅରବିନ୍ଦ ଦାସ ।

କରୋନା ପରିଚାଳନାରେ ସରକାରଙ୍କ ଏକାଗ୍ରତାରେ କୌଣସି ଆଞ୍ଚ ନ ଆଣିବା ପାଇଁ ଭାଷା ଆଂଦୋଳନର କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ରଖି ଆଂଦୋଳନର ନେତୃତ୍ଵ ବୌଦ୍ଧିକ ସ୍ତରରେ ଅଭିଯାନ ଅତୁଟ ରଖିଛନ୍ତି ।

ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ମଞ୍ଚରେ ଭାଷା ମା ପାଇଁ ପଦେ ନାମରେ ଏଥିପାଇଁ ଏକ ସ୍ଵତନ୍ତ୍ର ପୃଷ୍ଠା ଖୋଲାଯାଇଛି , ଯେଉଁଠି ପ୍ରତି ସୋମବାର ସକଳ ୧୦ଟାରେ ଜଣେ ଜଣେ ବିଜ୍ଞ ଓଡ଼ିଆ ଆଂଦୋଳନର ଅଭିଳାଷ ପ୍ରତି ସମର୍ଥନ ଜ୍ଞାପନ କରୁଛନ୍ତି । ତାହା ସିଧା ପ୍ରସାରିତ ହେଉଛି । ଗତ ସୋମବାରର ବକ୍ତା ଥିଲେ ପ୍ରଫେସର ଦାସ ।

ମୋ ଭାଷା-ମାଆ ସହ ମୁଁ , ପରିସ୍ଥିତି ଯାହା ବି ହେଉ : ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରର ସ୍ଵର

(ସୂତ୍ର: ଆମ ଭାଷା ଆମ ଅଧିକର)

ଭାଷା ଆନ୍ଦୋଳନର ଚତୁର୍ଥ ସପ୍ତାହନ୍ତ ପାଠଚକ୍ର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ଏହି ପାଠଚକ୍ରରେ ପୁରୀରୁ ମହେନ୍ଦ୍ର ତ୍ରିପାଠୀ ପ୍ରଥମେ ଭାଷା ମାଆ ପାଇଁ ତାଙ୍କର କବିତା ଆବୃତ୍ତି କରିଥିଲେ | ପରେ ପରେ ରଂଜନ କୁମାର ସାହୁ ‘ଭାଷା ବନ୍ଦନା’ ଆବୃତ୍ତି କରିଥିଲେ | ପରିଶେଷରେ ଆଲୋଚ୍ୟ ବିଷୟ (ମୁଁ ଓ ମାତୃଭାଷା) ଉପରେ ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ |

ରାୟଗଡ଼ାରୁ ସରୋଜ ମହାନ୍ତି ରାଜ୍ୟର ଅର୍ଥନୈତିକ ବିକାଶରେ ଭାଷାର ଭୂମିକା ଉପରେ ମତ ରଖିଥିଲେ | ବଲାଙ୍ଗୀରରୁ ରାଜେଶ ଶତପଥୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ନିଜ ମାତୃଭାଷା ପ୍ରତି ନିଜ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ | ଶ୍ୟାମଘନ ମହାରଣା କହିଥିଲେ ଯେ ଭାଷାରେ ରାଜ୍ୟ ପରିଚାଳନା ହେଲେ ହିଁ ଭାଷା ନିରାପଦ ରହିବା ଓ ତାର ଉତ୍ତରୋତ୍ତର ଉନ୍ନତି ସମ୍ଭବ ହେବ ।  ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି କିଭଳି ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଅନ୍ୟ ରାଜ୍ୟ ଭଳି ସରକାରୀ ସ୍ତରରେ ପ୍ରାଧାନ୍ୟ ଦେବା ଆବଶ୍ୟକ ତାହା ଉପରେ ଆଲୋକପାତ କରିଥିଲେ | ଆଠଗଡ଼ରୁ ନିର୍ମଳ କୁମାର ଭାଗ ନେଇ ସରକାରଙ୍କ କରୋନା ସମ୍ପର୍କୀୟ ସୂଚନା ଓଡ଼ିଆରେ ପ୍ରଦାନ ନହେଉଥିବାରୁ ଏହାକୁ ନିନ୍ଦା କରିଥିଲେ | ଏହି ସଭାରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କଟକରୁ ରମାକାନ୍ତ ଭୂୟାଁ, ଯାଜପୁରରୁ ସୌଭାଗ୍ୟ ରାଉତ, ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଏହି ପାଠଚକ୍ରରେ ଯୋଗ ଦେଇ ରାଜ୍ୟସରକାରଙ୍କ ଇଂରାଜୀମନସ୍କତା ଓଡ଼ିଆ ଭାଷାର ଦୁର୍ଗତିର କାରଣ ବୋଲି କହି ଥିଲେ |

ସମସ୍ତେ ନିଜ ନିଜ ବକ୍ତବ୍ୟରେ ଯାହା ଯାହା କହିଥିଲେ, ତାର ସାରାଂଶ ହେଲା, ମୋ ମାତୃଭାଷା ମୋର ଏବଂ ତା ସହ ମୁଁ ଠିଆହେବି ପରିସ୍ଥିତି ଯାହା ହେଉ ନାଁ କାହିଁକି ।

ଗଣମାଧ୍ୟମ ଆମ ମାତୃଭାଷାର ମୂଳ ଚେହେରାକୁ ବିକୃତ ନ କରୁ: ଅଧ୍ୟାପକ ନିରଞ୍ଜନ ପାଢ଼ୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ଓଡ଼ିଆ ଭାଷାରେ ଓଡ଼ିଶା ପରିଚାଳନା ପାଇଁ ଚାଲିଥିବା ଭାଷା ଆନ୍ଦୋଳନକୁ ଲେଖା ମାଧ୍ୟମରେ ଓ  ଭାଷଣ ମାଧ୍ୟମରେ ଯେପରି ଶକ୍ତି ଯୋଗାଇଛନ୍ତି, କଳାପତାକା ଅଭିଯାନରେ ସ୍ଵୟଂ ଅଂଶଗ୍ରହଣ କରି ଏହାକୁ ସେପରି ସଶକ୍ତିକୃତ କରିଛନ୍ତି ।

ସରକାରୀ ଚାପରେ ଓଡ଼ିଶାର ଏହି ଅନନ୍ୟ ଆନ୍ଦୋଳନକୁ ଓଡ଼ିଶାର ନାମକରା ଗଣମାଧ୍ୟମ ସଂଗଠନମାନେ ଯେତେବେଳେ ଛାୟାଛନ୍ନ (blackout) କରିରଖିଛନ୍ତି , ସେତେବେଳେ ସେମାନେ ମଧ୍ୟ ଓଡ଼ିଆ ଭାଷାର ବିକୃତୀକରଣ ଘଟାଇ ଚାଲିଛନ୍ତି ଉଦ୍ଦେଶ୍ୟମୂଳକ ଭାବେ ।

ଓଡ଼ିଆ ଭାଷାଜନନୀର ଏହି ଦାରୁଣ ଦୁଃସମୟରେ ଓଡ଼ିଶାର ପୁରସ୍କାରପ୍ରମତ୍ତ ଓ ସରକାରୀକରୁଣାକାଙ୍ଗାଳ ସାହିତ୍ୟିକମାନଙ୍କ ପରି ନିରବଦ୍ରଷ୍ଟା ହୋଇନରହି ମା ଓଡ଼ିଶାର ଏହି ଶ୍ରେଷ୍ଠ ସନ୍ତାନ ଆଜିର ଧରିତ୍ରୀରେ ତାଙ୍କ ନିୟମିତ ସ୍ତମ୍ଭରେ ଯାହା ଲେଖିଛନ୍ତି ତାହା ଓଡ଼ିଶାର ସମସ୍ତଙ୍କ , ବିଶେଷତଃ ଭାଷା ଆନ୍ଦୋଳନ ସହ ଜଡ଼ିତ ସମସ୍ତଙ୍କ ଅବଗତିକୁ ଆସିବା ଉଚିତ । ଏଥିପାଇଁ, ଅଧ୍ୟାପକ ପାଢ଼ୀଙ୍କ ଅନୁମତି ନେଇ ତାହାକୁ ନିମ୍ନରେ ସ୍ଥାନିତ କରାଗଲା ;-

 

ଭାଷା ଅଧିକାର କ୍ଷୁର୍ଣ୍ଣ କରିବାର ଅଧିକାର ସରକାରଙ୍କର ନାହିଁ : ପ୍ରଦୀପ୍ତ ନାୟକ

ଦି ନିଉଜ ସିଣ୍ଡିକେଟ

ମାନବାଧୀକାର ବିଶେଷଜ୍ଞ ପ୍ରଦୀପ୍ତ ନାୟକ ଆଜି ପୂର୍ବାହ୍ନ ୧୦ଟାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ କ୍ରମ ଅନୁସାରେ ଭାଷା ଆନ୍ଦୋଳନର ବୌଦ୍ଦିକ-ଅଭିଯାନ ମଞ୍ଚ ଫେସବୁକର ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ଓଡ଼ିଶା ସରକାରଙ୍କୁ ତାଗିଦ କରିଦେଇଛନ୍ତି ଯେ, ଓଡ଼ିଆ ଜାତିର ଭାଷା ଅଧିକାର କ୍ଷୁର୍ଣ୍ଣ କରିବାର ଅଧିକାର ତାଙ୍କର ନାହିଁ ।

ସିଧା ପ୍ରସାରିତ ତାଙ୍କ ଭାଷଣରେ ସେ ସମ୍ବିଧାନ ଓ ଆନୁଷଙ୍ଗିକ ବିଧିବ୍ୟବସ୍ଥାର ବିଶ୍ଳେଷଣ କରି ଭାଷା ଆନ୍ଦୋଳନର ରାଜନୈତିକ ଗୁରୁତ୍ଵ ବୃଦ୍ଧି ଅବଶ୍ୟମ୍ଭାବୀ ବୋଲି ଦର୍ଶାଇଥିଲେ ଓ ସରକାରୀ ଅବିମୃଷ୍ୟତା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ , ଦଳମତ ନିର୍ବିଶେଷରେ ସାଧାରଣଜୀବନରେ ସମସ୍ତ ସକ୍ରିୟ ରାଜନେତା ଏହି ଆନ୍ଦୋଳନ ସହ ଜଡ଼ିତ ହୋଇ ନିଜ ମାତୃଭାଷାକୁ ବିପତ୍ତିମୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ ।

ଯୁବ ପିଢ଼ି ହିଁ ବିପଦମୁହଁରୁ ମାତୃଭାଷାକୁ ବଞ୍ଚାଇବ : ପାଠଚକ୍ରର ନିର୍ଦ୍ଧାରଣ

(ଆମ ଭାଷା ଆମ ଅଧିକାର ସୂତ୍ରରୁ )

ଭାଷା ବଞ୍ଚିଲେ ଆମ ଅସ୍ମିତା ବଞ୍ଚିବ । ଆମ ଭାଷା ଆଜି ବିପଦରେ ଓ ଏହି ବିପଦରୁ ଉଦ୍ଧାର ପାଇଁ ଓଡ଼ିଶାର ସନ୍ତାନସନ୍ତତି ମାନେ ଆଗେଇ ଆସିବା ଆବଶ୍ୟକ । ଵିଶେଷତଃ ଯୁବସମାଜ ଆଗେଇ ଏ ଦାୟିତ୍ବ କାନ୍ଧେଇ ନେବା ଆବଶ୍ୟକ; କାରଣ ସେମାନେ ହିଁ ଆମର ଭବିଷ୍ୟତ ଓ ତାଙ୍କରି ମନଯୋଗ ଉପରେ ଆମ ଭାଷାଅସ୍ମିତା ନିର୍ଭର କରେ । ଏହିଭଳି ମତ ରଖିଥିଲେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆନ୍ଦୋଳନର ଦ୍ଵିତୀୟ ସପ୍ତାହନ୍ତ ପାଠଚକ୍ରରେ  ରଖିଥିଲେ ଗତ ରବିବାର ।

ଏହି ପାଠଚକ୍ରର ତୃପ୍ତିମୟୀ ପାତ୍ର ଯୋଗ ଦେଇ ଯୁବସମାଜର ଦାୟିତ୍ୱବୋଧ ଉପରେ ଆଲୋକପାତ କରି କହିଥିଲେଯେ ଆମ ମନରେ ଆମ ଭାଷା ପ୍ରତି ଥିବା ହୀନ ଭାବନା ଦୂର ହେବା ଆବଶ୍ୟକ ଓ ତାହା କେବଳ ନିରଳସ ଭଲପାଇବା ଦ୍ୱାରା ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଗୁଳରୁ ଭାଗ ନେଇଥିବା ସରୋଜ ମହାନ୍ତି ଭାଷାପ୍ରତି ଆସୁଥିବା ବିପଦ ଓ ତାର ପ୍ରତିକାର ସମ୍ବନ୍ଧରେ କହିଥିଲେ ଯେ, କିଛି ମୁଷ୍ଟିମେୟ ଯୁବକଯୁବତୀ ଏକାଠି ହେଲେ ଆମ ଭାଷା ପ୍ରତି ଆସୁଥିବା ସମସ୍ତ ବିପଦକୁ ଆମେ ପ୍ରତିହତ କରିପାରିବା ।

ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ମହାଲି, ନିର୍ମଳ କୁମାର, ମହେନ୍ଦ୍ର ତ୍ରିପାଠୀ, ରଂଜନ କୁମାର ସାହୁ ଯୋଗ ଦେଇ ନିଜନିଜର ମତ ରଖି ଆଲୋଚନାକୁ ବଳିଷ୍ଠ କରିଥିଲେ ।