ମୋଦି, ନବୀନ ରାଜନୀତି ଖେଳରେ ; ଓଡ଼ିଆ ଜାତି କାରୋନା କବଳରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଲୌହ ପରଦା ଉହାଡ଼ରେ ଥିବା ମୁଖ୍ୟମନ୍ତ୍ରୀ ମହାମାରୀ କାରୋନା ବିଷୟରେ ଆମକୁ ଏକ ଭିଡ଼ିଓ  ବାର୍ତ୍ତାରେ ଏବେ ଆପାତତଃ ଏହା ହିଁ କହିଲେ ଯେ, ସରକାର ଜାରି କରିଥିବା ନିୟମ ପାଳନ କରନ୍ତୁ, ନିରାପଦରେ ରହନ୍ତୁ । ସରକାରୀ ନିୟମ ଇଂରାଜୀରେ। ମୁଖ୍ୟତଃ ଯେଉଁମାନଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା, ସେମାନେ ଇଂରାଜୀ ଜାଣନ୍ତି ନାହିଁ । ଏ ପ୍ରହସନ ବିରୁଦ୍ଧରେ ଆମେ ଆଗରୁ ଆଲୋଚନା କରିଛୁ । ସରକାର ସୁଧୁରିନାହାନ୍ତି । ସେ ଆଉ ଏକ ମାରାତ୍ମକ କଥା କହିଲେ । ପଶ୍ଚିମ ବଙ୍ଗ ସମେତ ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନଙ୍କ ହେତୁ ଓଡ଼ିଶା ପ୍ରତି କରୋନା ଆଶଙ୍କା ଅଧିକ । ଯେତେବେଳେ ଆମ ଲୋକେ ସଂପୂର୍ଣ୍ଣ ସୁସ୍ଥ ଥିଲେ ସେମାନଙ୍କୁ ଘରକୁ ଫେରିବାକୁ ନ ଦେଇ ଅସୁସ୍ଥ କରାଇଲା କିଏ? ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ସିନା ଆମେ ତାଙ୍କୁ ପଚାରିଥାନ୍ତୁ । ସେ ତ ଭିଡ଼ିଓ ମାଧ୍ୟମରେ ଲୌହ ପରଦା ଆରପଟୁ ଏ କଥା କହିଲେ, ଆମ କଥା କହିବାକୁ ତ ସେ ଆମକୁ ସୁଯୋଗ ଦେଲେନାହିଁ । ଆଲୋଚନା କରିଥିଲେ ଆମେ ତାଙ୍କୁ କହିଥାନ୍ତୁ କି, ଘର ଫେରନ୍ତା ଓଡ଼ିଆମାନେ ନୁହନ୍ତି, ଅଣଓଡିଆ ଅଧ୍ୟୁଷିତ ଅମଲାମାନଙ୍କ ପାଲରେ ପଡ଼ି ସେ ହିଁ ଆମ ଜାତିକୁ କରୋନା କବଳରେ ପକାଇଛନ୍ତି ଓ ଯେଉଁ ଯାଏଁ ତାଙ୍କ ଇଂରାଜୀ ପ୍ରୀତି ନ ସରିଛି  ସେଯାଏଁ ଏ ବିପତ୍ତି କବଳରେ ଆମେ ଅଧିକରୁ ଅଧିକ ସଂଖ୍ୟାରେ  ପଡ଼ିବା ସୁନିଶ୍ଚିତ ।

କରୋନା ସମ୍ପର୍କରେ ନବୀନବାବୁ ହିଁ ଆମକୁ ଅନ୍ଧକାରରେ ରଖିଛନ୍ତି । କାରଣ, ବାରମ୍ବାର କହିବା ସତ୍ତ୍ୱେ ଏହି ଭୂତାଣୁ ସମ୍ପର୍କୀୟ କୌଣସି ତଥ୍ୟ ଆମକୁ ଆମ ଭାଷା ଓଡ଼ିଆରେ ଦିଆଯାଇନାହିଁ / ଦିଆଯାଉନାହିଁ । ଆମ୍ଭେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛୁ ଅଧ୍ୟାଦେଶ ବଳରେ ସବୁ ପ୍ରଦେଶକୁ ବାଧ୍ୟ କରିବା ପାଇଁ ପ୍ରାଦେଶିକ ଭାଷାରେ କରୋନା ସମ୍ପର୍କୀୟ ସବୁ ତଥ୍ୟ ପ୍ରକାଶ କରିବାକୁ । ସେ ଭ୍ରୂକ୍ଷେପ କରିନାହାନ୍ତି । ଲୋକଙ୍କ ବିପତ୍ତି ଅପସାରଣ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜନୀତି । ଲୋକଙ୍କ ବିପତ୍ତିକୁ ରାଜନୀତି ଆଧାର ନ କରିବାକୁ ଆମ୍ଭେ ପ୍ରଥମରୁ କହିଥିଲୁ (Corona quagmire//No politics please) । ଏହି ଭୁତାଣୁର ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ ଏହା ଦାୟିତ୍ଵରେ ରହୁଥିବା ଡାକ୍ତର ଓ ନର୍ସ ଇତ୍ୟାଦିଙ୍କୁ ଅଧିକ ବେତନ ସହ ସ୍ଵତନ୍ତ୍ର ବର୍ଗଭୁକ୍ତ କରିବା ପାଇଁ ଆମ୍ଭର ଯୁକ୍ତି ଅବଶ୍ୟ ଏକପ୍ରକାର କାର୍ଯ୍ୟକାରୀ ହୋଇଛି ବୋଲି କୁହାଯାଇପାରେ ; ମାତ୍ର ବାହାର ରାଜ୍ୟରୁ ନିଜ ଘରକୁ ସବୁ ଲୋକ ଫେରିଯିବା ପର୍ଯ୍ୟନ୍ତ ପଥଋଦ୍ଧିକରଣ ବନ୍ଦ ରଖିବା ପାଇଁ ଆମ୍ଭେ ରଖିଥିବା ନିବେଦନକୁ ଅବଜ୍ଞା ପ୍ରଦର୍ଶନ କରି ମୋଦି ଏହି ବିପତ୍ତିର ରାଜନୈତିକ ଫାଇଦା ପାଇଁ ଚେଷ୍ଟା କରିଥିଲେ । ଅବସ୍ଥା ଯେତେବେଳେ ଅଣାୟତ ହେବାକୁ ଯାଉଛି ବୋଲି ଆମ୍ଭେ ସ୍ପଷ୍ଟ ଅନ୍ଦାଜ କରିପାରିଲୁ, ସେତେବେଳେ ମୋଦିଙ୍କୁ ଅନୁରୋଧ କରିଥିଲୁ କି, ଅନ୍ୟୁନ୍ୟ ସପ୍ତାହକ ପାଇଁ ପଥଋଦ୍ଧିକରଣ ବନ୍ଦ ରଖି ବାହାର ରାଜ୍ୟମାନଙ୍କରେ ଅଟକି ରହିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ନିଜ ନିଜ ଘରେ ପହଞ୍ଚିବାର ସୁଯୋଗ ଦିଆଯାଉ ଓ ସମତାଳରେ ସେମାନଙ୍କ ଭାଷାରେ ଏହି ମହାମାରୀ ସମ୍ପର୍କୀୟ ସମସ୍ତ ସରକାରୀ ଜ୍ଞାତବ୍ୟ ଆଚରଣବିଧି, ଆଇନ କାନୁନ , ନିୟମ ବିନିୟମ ଇତ୍ୟାଦି ଦିଆଯାଇ ସେମାନଙ୍କୁ ସେମାନଙ୍କ ଦୟିତ୍ଵ ତୁଲାଇବା ପାଇଁ ପ୍ରସ୍ତୁତ କରାଯାଉ । (Suspend lockdown for a week: Stop making India a Lab of Death) । ତହିଁପ୍ରତି ତତ୍କାଳ ଦୃଷ୍ଟି ନଦେଇ, ଅଯଥା ବିଳମ୍ବ କରି ଭାରତକୁ ଏକ ମରଣଯନ୍ତାରେ ପରିଣତ କରାହୋଇଛି । ଘଟଣାପ୍ରବାହ ପ୍ରତି ଦୃଷ୍ଟି ଦିଆଯାଉ :

ଜନନେତାମାନେ ହୋରିରେ ରଙ୍ଗ ଖେଳିବାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରିଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଦିନ ରଙ୍ଗ ନଖେଳିବାକୁ ଘୋଷଣା କରିଥିଲେ, ସେଦିନ ପୂର୍ବରୁ ସେମାନେ ଜାଣିଥିଲେ ଯେ, ମହାମାରୀ କରୋନା ମୁଖବ୍ୟାଦାନକରି ଝପଟି ଆସୁଛି ଅମଆଡ଼େ, ସେହି ଦିନ ହିଁ ସେମାନେ ଜାଣିଥିଲେ ଏହି ପ୍ରାଣଘାତୀ ଭୂତାଣୁଠାରୁ ନିରାପଦ ରହିବାକୁ ହେଲେ ସଙ୍ଗରୋଧ ବା ସାମାଜିକ ଦୂରତା ଏକମାତ୍ର ପାଳନୀୟ ଉପାୟ । ସେହି ଦିନ ସେମାନେ ବାହାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଓ ରୋଜଗାରଲିପ୍ତ ଶ୍ରମଜୀବୀ ମଣିଷମାନଙ୍କୁ ତୁରନ୍ତ ନିଜ ନିଜ ରାଜ୍ୟକୁ ଫେରିଯିବାପାଇଁ ସରକାରୀ ନିର୍ଦ୍ଦେଶ ଦେବା ଆବଶ୍ୟକ ଥିଲା । ସେହିଦିନ ଆବଶ୍ୟକ ଥିଲା ଇଂରାଜୀରେ ଲିଖିତ ଥିବା ଓ ବହୁ ଦଶନ୍ଧି ଧରି ବ୍ୟବହୃତ ହୋଇନଥିବା ସଂକ୍ରାମକ ରୋଗ ଆଇନ, ୧୮୯୭ (Epidemic Diseases Act, 1897) ପ୍ରାନ୍ତୀୟ ଭାଷାମାନଙ୍କରେ ଅନୁବାଦ କରି ସରକାରୀ ୱେବସାଇଟ୍ ମାଧ୍ୟମରେ ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ହାଜତି-ଆଦେଶ (lockdown) ଜାରି ହେବାକୁ ଦିନ ଧାର୍ଯ୍ୟ କରି ତା ପୂର୍ବରୁ ସମସ୍ତେ ନିଜ ନିଜ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦେବା । ସେମାନେ ତାହା କଲେନାହିଁ । ଯଦି କରିଥାନ୍ତେ, ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଜାରିକରିବାର ଆବଶ୍ୟକତା ପଡ଼ିନଥାନ୍ତା, କାରଣ ନିଜ ନିଜ ଭାଷାରେ ଏହି ମହାମାରୀ ସମ୍ପର୍କରେ ସବୁକଥା ଅବଗତ ହୋଇ ଲୋକେ ନିଜ ନିଜ ଘରକୁ ଚାଲିଆସିଥାନ୍ତେ ଓ ସୁସ୍ଥ ହୋଇ ରହିବାର ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିପାରିଥାନ୍ତେ । ମୋଦି ତାହା କଲେ ନାହିଁ, କାରଣ ତାଳି, ଥାଳି, ଘଣ୍ଟ, ଘଣ୍ଟି ବଜେଇ କରୋନା ହଟାଇବା ପରି ହିନ୍ଦୁ ଧର୍ମାନ୍ଧ ପଦ୍ଧତିକୁ ଘରେ ଘରେ ପହଞ୍ଚାଇବା ତାଙ୍କ ଅଭିସନ୍ଧି ଥିଲା । ତାଙ୍କ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୋଦିଙ୍କ  ସାମାଜିକ ଦୂରତା ଶିଖାଇବା ପାଇଁ ଜାରି କରିଥିବା ଜନତାକର୍ଫ୍ୟୁର ଯେଉଁ ପ୍ରହସନ କରାଇଲେ ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା, ତାହା ନୁହେଁ । ମୋଦୀ ଓ ତାଙ୍କ ମନ୍ତ୍ରୀମାନେ କିପରି ବେବୈଜ୍ଞାନିକ ଶୈଳୀରେ ଲୋକଙ୍କୁ ସଞ୍ଚାଳିତ କରିଥିଲେ ତାହା ପ୍ରାୟ ସବୁ ଟିଭି ଚ୍ୟାନେଲ୍ ମୁଖ୍ୟସମ୍ବାଦ ପର୍ଯ୍ୟାୟରେ ପରିବେଷଣ କରିଥିଲେ । ତହିଁରୁ ଗୋଟିଏ

ଜନତା କର୍ଫ୍ୟୁକୁ ତାଳି-ଥାଳି-ଘଣ୍ଟ ବାଡ଼ିଆ ସମାବେଶ ଦ୍ଵାରା ପ୍ରହସନରେ ପରିଣତ କରାଯିବା ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ମୋଦି ପାଟି ନଫିଟାଇ,  ଏପ୍ରିଲ ୫ ତାରିଖ ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜଳାଇବା ନାଟକ କରି ଲୋକଙ୍କୁ ବିପତ୍ତି କବଳକୁ ଠେଲି ଦେଇ ନିଜର ରାଜନୈତିକ ଫାଇଦା ପଛରେ ଗୋଡ଼ାଇଥିଲେ । ସେଦିନ ହାଇଦ୍ରାବାଦର ବିଜେପି ବିଧାୟକ ସଡକ ଉପରେ ଦିହୁଡ଼ି ଜାଳି ଯେପରି କରୋନା ଭୂତାଣୁକୁ “ଚାଇନା ଭୂତାଣୁ” କହି ତଡୁଥିଲେ ତାହା ସେପରି ଅଗଣନ ଘଟଣାରୁ ଗୋଟିଏ

ତାଳି-ଥାଳି ମାଡ଼ ଓ ବିଜୁଳି ଲିଭାଇ ଦୀପ ପ୍ରଜ୍ଵଳନ ବଡ଼ ଚତୁର ପରୀକ୍ଷଣ ଥିଲା ଲୋକଙ୍କ ବୋକାମିର ଏବଂ ସେ କେତେଦୂର ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିପାରୁଛନ୍ତି ତାହା ଜାଣିବାର । ଜାଣିଗଲା ବାସିଦିନ, ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତି ଭୋଟକେନ୍ଦ୍ର (ବୁଥ)ରେ ଦଳୀୟ କର୍ମୀ ଓ ନେତାମାନେ ପହଞ୍ଚି କରୋନା ବିଭୀଷିକା କାଳରେ ତାଙ୍କ ସରକାର କିପରି ଲୋକଙ୍କୁ ପ୍ରଭୂତ ସରକାରୀ ସାହାଯ୍ୟ ଦେଉଛି ସେ ସମ୍ପର୍କରେ ପ୍ରଚାର କରିବା ପାଇଁ ଆହ୍ଵାନ ଦେବା ମହାମାରୀରୁ ମହା ରାଜନୈତିକ ଲାଭ ଉଠାଇବା ଅଭିସନ୍ଧିପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ । ବିଜେପି ସମତାଳରେ ବିଜେଡି ମଧ୍ୟ କରୋନାଜନିତ ବିପତ୍ତିର ଦଳୀୟ ଉପଯୋଗ କରିବାକୁ ଚେଷ୍ଟା ଚଳାଇଛି । ଅତଏବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଏ ମହା ବିପତ୍ତି କାଳରେ ନିଜ ନିଜ ରାଜନୈତିକ ଜମି କିପରି ଭଲ ଫସଲ ଦେବ ସେଥିନେଇ ବ୍ୟସ୍ତ । ଲୋକେ ଯେତେ ଅସୁବିଧାରେ ପଡ଼ିବେ, ସେମାନଙ୍କୁ ଦିଆଯାଉଥିବା ସରକାରୀ ସାହାଯ୍ୟକୁ ସେମାନଙ୍କ ପାଇଁ ନିଜ ନିଜ ଦଳୀୟ ଅନୁକମ୍ପା ଦର୍ଶାଇ ରାଜନୈତିକ ଫାଇଦା ଉଠାଇବାକୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବ୍ୟଗ୍ର ଥିବାବେଳେ, ଆମ ଓଡ଼ିଆ ଲୋକେ ଓଡ଼ିଆତ୍ଵବିରୋଧୀ ଅପଶାସନ ହେତୁ କରୋନା କବଳରେ ଭୀଷଣ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଛି ।
ପ୍ରାଣୀ ମଲେ ଶାଗୁଣାର ଯେମିତି ମଉଜକାଳ ଆରମ୍ଭ ହୁଏ ସେମିତି କରୋନା ବିପତ୍ତି ସତେ ଅବା ମୋଦି, ନବୀନଙ୍କ ପାଇଁ କଚେପୁଅବାର୍ !

ଉତ୍କଳ ଗୌରବ

ଲେଖକ : ମହେନ୍ଦ୍ର ତ୍ରିପାଠୀ

ହେ ଉତ୍କଳ ସୂର୍ଯ୍ୟ-ଉତ୍କଳ ଗୈାରବ
ଜାତିର ନିଅ ପ୍ରଣତି
ସ୍ଵତନ୍ତ୍ର ଓଡିଶା, ଭାଷା-ଭାସ୍କର୍ଯ୍ୟର
ନିର୍ବିବାଦୀୟ ସ୍ଥପତି ।।

ସ୍ଵତନ୍ତ୍ର ଓଡିଶା ଆଜି ବି ବିଚ୍ଛିନ୍ନ
ଭାଷା ମହାବିପଦରେ
ଭାଷା-ମାଟି ପାଇଁ ଆନ୍ଦୋଳନ ଚାଲେ
ଆଶୀର୍ବାଦ ଢାଳ ଧୀରେ ।।

କହି ହୁଏ ନାହିଁ ସହି ହୁଏ ନାହିଁ
ଆପଣା ସୁନା ତ ଭେଣ୍ଡି
ଆଜି ବି ‘ଚରଣ’ମାଆର ଗଳାରେ
ଚୋଟ ମାରେ ବେଳ ଉଣ୍ଡି ।।

ଶହେ ବା’ସ୍ତରୀତମ ଜନ୍ମତିଥି
ପାଳୁ ମାତ୍ର ଉପଚାରେ
ତୁମକୁ ବୁଝିଲା ନାହିଁ ଏ ଓଡ଼ିଆ
ବଞ୍ଚି ଥାଉଥାଉ ମରେ ।।

ହା-ହତାଶର କାହାଣୀ ବଖାଣେ
ଅବହେଳା ଛତ୍ରେଛତ୍ରେ
ମୁଁ କିନ୍ତୁ ଅଧମ ଜାଣିପାରୁ ନାହିଁ
କର୍ତ୍ତବ୍ୟ ମୋ କେଉଁ ସୂତ୍ରେ ???
(ଭାଷା ଆନ୍ଦୋଳନକୁ ସମର୍ପିତ)

ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା : ମୁଖ୍ୟମନ୍ତ୍ରୀଙ୍କ ପ୍ରମାଦର ବାନା ଉଡ଼ାଇଲା କନକ ନିଉଜ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ ପ୍ରୀତିଭାଜନ ହେବା ପାଇଁ ନାନା କସରତ କରିଥିବା ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କନକ ନିଉଜ ଶେଷରେ ଆମେ କହିଥିବା କଥାର ଖିଅ ଧରି ନବୀନ ପଟ୍ଟନାୟକଙ୍କ କରୋନା-ପରିଚାଳନା ପ୍ରମାଦକୁ ଯେପରି ସ୍ତର ସ୍ତର ବିବସ୍ତ୍ର କରିଛି , ତହିଁର ଆମେ ପ୍ରଶଂସା କରୁଛୁ ।

କରୋନା ପରିଚାଳନାରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆକସ୍ମିକ ଘୋଷଣା ବିଶୃଙ୍ଖଳାକାରକ ହେବ ବୋଲି କହି ତହିଁର ଗୁପ୍ତ ଅଭିସନ୍ଧି ଉପରେ ଆମ୍ଭେ ଆଲୋକପାତ କରିଥିଲୁ ଗତ ୨୦ ତାରିଖରେ । ପରବର୍ତ୍ତୀ କେତେକ ପ୍ରକାଶିତ ଘଟଣା ଆମ୍ଭ ଆଶଙ୍କାର ଯଥାର୍ଥତା ସାବ୍ୟସ୍ତ କରିଥିବା ବେଳେ କନକ ଟିଭିର ପରିବେଷଣ ସମ୍ପ୍ରତି ସୃଷ୍ଟି ହୋଇଥିବା ଅରଜକତାର ଚମତ୍କାର ଉପସ୍ଥାପନା କରିଛି । ଦୃଷ୍ଟି ପଡୁ  ।

ଗାଲୁଆ ସରକାର : ଲୋକେ ମଲେ ମରନ୍ତୁ; ଓଡ଼ିଆ ଚଳିବନି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଗତକାଲି ଏକ ଅଭୂତପୂର୍ବ ଆଦେଶ ଦେଇଛନ୍ତି । ଗ୍ରାମ ପଞ୍ଚାୟତଗୁଡ଼ିକର ସରପଞ୍ଚମାନେ ଏହି ଆଦେଶ ବଳରେ ଜିଲ୍ଲାପାଳ ବନିଗଲେ, କାରୋନା ବ୍ୟାପାରରେ । ଏହି ରିପୋର୍ଟ ଲେଖାହେଲାପର୍ଯ୍ୟନ୍ତ ସେ ସୁଚାଇଥିବା ଆଇନ ପ୍ରଣୟନ ହୋଇନାହିଁ । କାର୍ଯ୍ୟ ନିୟମାବଳୀର ବ୍ୟବସ୍ଥା ନଥାଇ ସୁବ୍ରତୋ ବାଗ୍ଚିଙ୍କୁ ସରକାରଙ୍କ ପ୍ରମୁଖ ମୁଖପାତ୍ର କରାଯାଇଥିବା ଓ ପଣ୍ଡିଆନଙ୍କୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟ ନିର୍ବାହ ଯାଞ୍ଚ କଲାପରି ‘୫ଟି’ ନାମକ ଏକ ବିଭାଗ ଖୋଲି ତାର ସଚିବ କରାଯାଇଥିବା ପରି ମନୋମୁଖୀ ବିଭାବନା ଉପରେ ମୁଁ ସାମାଜିକ ଗଣମାଧ୍ୟମ ଓ ମୋର ଅନ୍ୟ ନଭମଞ୍ଚ ORISSAMATTERSରେ ଗଭୀର ଆଲୋକପାତ କରିଛି । ତାହା ଯଦି ସରକାରଙ୍କ ମନରେ କିଛି ସଚେତନତା ଆଣିଥିବ, ତେବେ ସମ୍ଭବତଃ ଏହି ନୂଆ ପ୍ରଶାସନିକ ଯଥୈଚ୍ଛାଚାରକୁ ମାନ୍ୟ ରୂପ ଦେବାପାଇଁ କାର୍ଯ୍ୟ ନିୟମାବଳୀ ସଂଶୋଧନ ପାଇଁ ବ୍ୟବସ୍ଥା ହେଉଥିବ ବା ସ୍ଵତନ୍ତ୍ରଅଧିକାର ବଳରେ କିଛି ଗୋଟେ ଫନ୍ଦି ତିଆରି ଚାଲିଥିବ ।

କିନ୍ତୁ ଏହା ଯେ ଓଡ଼ିଶାର ସାଧାରଣ ଲୋକଙ୍କୁ ଅଧିକ ବିପଦରେ ପକାଇବ – ଏପରି ଆଶଙ୍କା ଅମୂଳକ ନୁହେଁ ।

ନିଜ ପକ୍ଷରୁ ତଥା ଭାଷା ଆନ୍ଦୋଳନ ପକ୍ଷରୁ ମୁଁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଆସିଛି କି କରୋନା (KOVID-19) ସମ୍ପର୍କୀୟ ସମସ୍ତ ସରକାରୀ ନିଷ୍ପତ୍ତି / ନିର୍ଦ୍ଦେଶିକା/ ବିଧି ବ୍ୟବସ୍ଥା ଇଂରାଜୀ ଭାଷା ପରିବର୍ତ୍ତେ ଓଡ଼ିଆ ଭାଷାରେ ସରକାରୀ ୱେବ୍ସାଇଟରେ ରଖାଯାଉ, ଯଦ୍ଦ୍ବାରା ଆମ ଭାଇଭଉଣୀମାନେ ଏହି ଭୂତାଣୁ ସମ୍ପର୍କରେ ସବୁକଥା ବୁଝିପାରିବେ ଓ ତହିଁର ସାମ୍ନା କରିବା ପାଇଁ ସରକାର (ଉଭୟ କେନ୍ଦ୍ର ଓ ରାଜ୍ୟ) ଯେଉଁ ନିର୍ଦ୍ଦେଶ ଓ ନିୟମ ପ୍ରବର୍ତ୍ତିତ କରିଛନ୍ତି, ତାକୁ ହୃଦୟଙ୍ଗମ କରି ତଦନୁସାରେ ସରକାରଙ୍କ ସହ ସହଯୋଗ କରିପାଇବେ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ପରାମର୍ଶ ଦେଇଛି, ତଦନୁଯାୟୀ ସରକାରୀ ସ୍ତରରେ ଯେଉଁ ସବୁ ନିଷ୍ପତ୍ତି ନିଆ ହୋଇଛି, ସେଗୁଡ଼ିକ  କ’ଣ ଓ ସେଗୁଡ଼ିକୁ କର୍ମଚାରୀମାନେ କାର୍ଯ୍ୟକାରୀ କରୁଛନ୍ତି କି କେବଳ ପୋଲିସ ଲଗାଇ ଲୋକଙ୍କୁ ନିର୍ଦ୍ଧୂମ ଲାଠି ପିଟି, ଟିଭି ପର୍ଦ୍ଦାରେ ଚେହେରା ଦେଖାଇ ଓ “ନ ଦେଖିଲା ଓଉ ଛଅ ଫେଡ଼ା” ବାତିନିରେ କର୍ତ୍ତବ୍ୟ ସାରୁଛନ୍ତି – ତାହା ଜାଣିବାର ଅଧିକାର ସମଗ୍ର ସାଧାରଣ ଜନତାଙ୍କର ସମ୍ପୂର୍ଣତଃ ଅଛି । ଏ ସବୁ ଓଡ଼ିଆରେ ପ୍ରକାଶ ନ କରି ଇଂରାଜୀରେ ରଖିଛନ୍ତି ସରକାର । ଲୋକେ ମଲେ ମରନ୍ତୁ, କିନ୍ତୁ ନିଜକୁ ଇଂରାଜୀ ସେବକ ପଦରୁ ନବୀନ ପଟ୍ଟନାୟକ ଧାପେ କମାଇବେ ନାହିଁ ।

ଭୋଟଭିକାରୀମାନେ ଲୋକଙ୍କର ସେବା କରିବାକୁ ରାଷ୍ଟ୍ରପତି ବା ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତ ହୋଇଗଲା ପରେ ଭୋଟ ଭିକ୍ଷା କାଳର ମାନସିକ ଗ୍ଲାନୀର ଅବସାନ ଘଟାଇବା ଆବେଗରେ ଯେତେବେଳେ ନିଜ ନିଜକୁ ସମ୍ରାଟ ମନେ କରନ୍ତି ସେତେବେଳେ ସେମାନେ ଏହିପରି କରନ୍ତି ଯେପରି ମୋଦୀ ଓ ନବୀନ କରୋନା କ୍ଷେତ୍ରରେ କରିଛନ୍ତି । ନିଯୁକ୍ତି ପରିସର ନଥିବା ନିଜ ଜନ୍ମମାଟିରୁ ଦୂରଦୂରାନ୍ତକୁ ଯାଇ, ଶ୍ରମ ବିକି , ମୁଣ୍ଡ ଝାଳ ତୁଣ୍ଡେ ମାରି ବଞ୍ଚିବାକୁ  ଚେଷ୍ଟାକରୁଥିବା ମଣିଷମାନଙ୍କୁ ନିଜ ନିଜ ଘରକୁ ଫେରିଆସିବାକୁ ସୁଯୋଗ ନଦେଇ ହଠାତ୍ ଲଗଡ଼ାଉନ ଜାରିକରିବା, ସେମାନେ ଯାହା ଅବଗତ ହେବା ଦରକାର ତାହା ସେମାନଙ୍କୁ ନଜଣାଇବା ପାଇଁ ଇଂରାଜୀ ଭାଷାରେ ପ୍ରକାଶ କରିବା , ଲୋକେ ନକାଣିଥିବା ଭାଷାରେ ନିୟମ କରି ନିୟମଭଗ୍ନ ଅଭିଯୋଗରେ ସେମାନଙ୍କୁ ପୋଲିସ ଲଗାଇ ମରଣାତ୍ମକ ନିର୍ଯ୍ୟାତନା ଦେବା – ଏ ସବୁ ଏହି ବ୍ୟକ୍ତିମାନଙ୍କ ବିଭତ୍ସଆନନ୍ଦଲିପ୍ସା ଚରିତାର୍ଥ କରେ ସିନା, ଆମ ଲୋକଙ୍କ ରୋଗ ପ୍ରତିଷେଧକ ଶକ୍ତିକୁ ନଷ୍ଟ କରେ ।  ଏହି ବିଭତ୍ସଆନନ୍ଦଲିପ୍ସା ଓଡ଼ିଶାରେ ଏତେ ତୀବ୍ର ଯେ, ବିଲାତ ସରକାର ତିଆରି କରିଥିବା ମହାମାରୀ ରୋଗ ଆଇନ ୧୮୯୭ରେ ତହିଁର ଉଲ୍ଲଂଘନ ପାଇଁ ଥିବା ସର୍ବୋଚ୍ଚ ୨ ମାସ ଜେଲ ଓ /ବା ହଜାରେ ଟଙ୍କା ଜୋରିମନା ବ୍ୟବସ୍ଥାକୁ ନବୀନ ପଟ୍ଟନାୟକ ଏହି ମାସରେ ସଂଶୋଧନ କରି ୨ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନାରେ ପରିଣତ କରିଛନ୍ତି । ଅଥଚ , ଯେଉଁମାନେ ଏହି ଦଣ୍ଡ ଭୋଗିବେ ସେମାନଙ୍କ ନିଜ ଭାଷାରେ ଏ ଆଇନ ନାହିଁ, ଅଛି ଇଂରାଜୀରେ ।

ବର୍ତ୍ତମାନ ସରପଞ୍ଚମାନେ ହୋଇଯାଇଛନ୍ତି ଜିଲ୍ଲାପାଳ ! କେଉଁ ସରପଞ୍ଚଟି ଜିଲ୍ଲାପାଳମାନଙ୍କ ପରି ବା ନିଜକୁ ସମ୍ରାଟ ମନେକରୁଥିବା ସରକାରୀ ବଡ଼ପଣ୍ଡାଙ୍କ ପରି ଇଂରାଜୀ ଜାଣେ ଯେ, ସେ କରୋନା ମୁକାବିଲାରେ ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ କରାଇବ? ଅତି ଆକସ୍ମିକ ଭାବେ ଏପରି ଲୋକଙ୍କୁ ଏପରି ପଦମର୍ଯ୍ୟାଦା ଦିଆଯିବାର କାରଣ କ’ଣ? କାରଣ ଅତି ସ୍ପଷ୍ଟ । ରାଜ୍ୟସରକାରଙ୍କ ବ୍ୟବସ୍ଥା ଅନୁସାରେ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ପଞ୍ଚାୟତରେ ଖୋଲା ଯାଉଥିବା କରୋନା କ୍ୟାମ୍ପ ଦାୟିତ୍ଵରେ ଜଣେ ଜଣେ ବରିଷ୍ଠ ଅଫିସର ରହିବା ଅପରିହାର୍ଯ୍ୟ । ଓଡ଼ିଶାରେ ବରିଷ୍ଠ ଅଫିସରମାନେ ଏପରି ସୁଖଭୋଗୀ ହୋଇସାରିଛନ୍ତି ଯେ, କୌଣସି ପଞ୍ଚାୟତକୁ ଯାଇ ସେଠାରେ କରୋନା କ୍ୟାମ୍ପର ଦାୟିତ୍ଵ ତୁଲାଇବା ପାଇଁ ସେମାନେ ପରାଙ୍ଗ୍ମୁଖ । ସେଠି ପୁଣି ଭାଇରସଆକ୍ରାନ୍ତମାନଙ୍କ ହେପାଜତ କରିବାକୁ ହେବ । ମୁଖ୍ୟମନ୍ତ୍ରୀଙ୍କର ସାହସ ନାହିଁ ଅଫିସରମାନଙ୍କୁ ସେଥିପାଇଁ ବାଧ୍ୟ କରିବାକୁ ; କାରଣ ଓଡ଼ିଶାରେ ଅଫିସରରାଜ୍ ହିଁ ଚାଲିଛି । ତେଣୁ ସରପଞ୍ଚଙ୍କୁ ଜିଲ୍ଲାପାଳ ସଜାଇଦେଲେ ବିଚରା ଗାଉଁଲି ଲୋକଟି ଏପରି ପଦବୀରେ ଖୁସ୍ ଓ ଅଡୁଆ ତୁଟିଲା ବୋଲି ଅଫିସରମାନେ ଖୁସ୍; ମୁଖ୍ୟମନ୍ତ୍ରୀ ବି ତତୋଧିକ ଖୁସ୍ ।

କରୋନା କ୍ୟାମ୍ପ ପରିଚାଳନା ସହଜ ନୁହେଁ । ସରକାରଙ୍କ ସମସ୍ତ ନିଷ୍ପତ୍ତି ଓ ନିୟମ ଉପରେ ପରିଚାଳକଙ୍କ ଗଭୀର ଜ୍ଞାନ ଥିବାର ଅଛି । କ୍ୟାମ୍ପରେ ମହିଳାମାନେ , ଝିଅମାନେ ବି ସଙ୍ଗରହିତ ହୋଇରହିବେ । ଅକଳ୍ପନୀୟ ପରିସ୍ଥିତିରେ କେଉଁ ଆଇନର ଉପଯୋଗ ଦରକାର, କଣ କରିବାକୁ କାରୋନା ବିଧି (COVID-19 Regulation, 2020) ତାହା ଇଂରାଜୀ ନଜାଣିଥିବା ସରପଞ୍ଚ କିପରି ଜାଣିବେ? ଇଂରାଜୀ ଅପାଠୁଆ ଲୋକ ଜିଲ୍ଲାପାଳ ବନିଗଲେ କେଉଁ ବତ୍ରିଂଶ ସିଂହାସନରେ ବସିଯିବା ଯେ, ଇଂରାଜୀରେ ଥିବା ଆଇନସମୂହକୁ ତତ୍କାଳ ବୁଝିଯିବ?

ଲୋକଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବାକୁ କରୋନା ସଙ୍କ୍ରାନ୍ତୀୟ ସମସ୍ତ ନିଷ୍ପତ୍ତି, ନିର୍ଦ୍ଦେଶ, ମାର୍ଗଦର୍ଶିକା ଓ ବିଧିବିଧାନ ଇତ୍ୟାଦି ଓଡ଼ିଆରେ ପ୍ରକାଶ କରିବାକୁ ଆମେ ଯେତେ କହିଲୁ, ମୁଖ୍ୟମନ୍ତ୍ରୀ କର୍ଣପାତ କଲେନାହିଁ ; କରୁ ବି ନାହାନ୍ତି । ଲୋକେ ମଲେ ମରନ୍ତୁ, ଇଂରାଜୀ ଭାଷାର ସେବକ ପଦରୁ ଆମ ସମ୍ରାଟ ଅଣୁପ୍ରମାଣେ ବି ନଘୁଞ୍ଚନ୍ତି ! ଗାଲୁଆ ସରକାର ।