ସରିଯାଇଥିବା ବିଧାନସଭା ଓ ଆମ ଭାଷା -୪

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଧାନସଭାର ସମସ୍ତ ସଭ୍ୟଙ୍କ ସମ୍ମୁଖରେ ଥିଲା ମନ୍ତ୍ରୀଙ୍କ ପୂର୍ବୋଦ୍ଧୃତ୍ତ ଉପୋଦ୍ଘାତୀ ଭାଷଣ ଏବଂ ବିଧେୟକଟିର ମଞ୍ଜ-ଭିନ୍ନତାର ନଗ୍ନ ରୂପ । କିନ୍ତୁ ଏହି ନଗ୍ନ ଭିନ୍ନତା କୌଣସି ଜଣେ ବି ବିଧାୟକଙ୍କୁ ବିଚଳିତ କରିନଥିଲା ।

ଆମ ବିଧାୟକମାନେ , ଯେଉଁମାନେ ବି ବିତର୍କରେ ଅଂଶ ଗ୍ରହଣ କରିଥିଲେ, ମନ୍ତ୍ରୀଙ୍କ ବୟାନ ସହ ବିଧେୟକର ଦୃଶ୍ୟମାନ ଭିନ୍ନତା ଦେଖି ସୁଦ୍ଧା ସେ ବିଷୟରେ ପାଟି ଫିଟାଇ ନଥିଲେ ।

ବିଧାୟକମାନେ କଣ କଲେ?

ଏହା ପ୍ରତ୍ୟକ୍ଷ କରିବା ପାଇଁ ସେଦିନ ବିଧାନସଭାରେ ଯେଉଁ ବିତର୍କ ହୋଇଥିଲା ତାହାର ପ୍ରାସଙ୍ଗିକ ଅଂଶ ସମସ୍ତଙ୍କ ଅବଗତିକୁ ଆସିବା ଆବଶ୍ୟକ ।

ଅମର ପ୍ରସାଦ ଶତପଥୀ ଥିଲେ ସରକାରୀ ମୁଖ୍ୟ ଛାଟିଆ । ଭାଷା ଆନ୍ଦୋଳନ ପ୍ରତି ତାଙ୍କର ନୈତିକ ସମର୍ଥନ ସନ୍ଦେହାତୀତ । ଆମ ଆନ୍ଦୋଳନ ସମ୍ପର୍କରେ ଦି ପଦ ସ୍ଵୀକୃତିସୂଚକ କଥା କହିଥିଲେ ମଧ୍ୟ ବିଧେୟକଟିରେ ବିଧିସ୍ଵୀକୃତ ହେବାକୁ ଥିବା ଜାଲିଆତି ଉପରେ ସେ ପଡେ ବି ପାଟି ଫିଟାଇ ନଥିଲେ । ମୁଖ୍ୟମନ୍ତ୍ରୀ ୨୭.୪.୨୦୧୮ରେ ବିଧେୟକଟିକୁ ଗୃହରେ ରଖିଥିଲେ । ତହିଁର ଅନୁଧ୍ୟାନ କଲା ପରେ ଏହି ନଭମଞ୍ଚରେ ତାର ଅନ୍ତର୍ନିହିତ ତ୍ରୁଟି ଓ ତଦ୍ଦ୍ଵାରା ହେବାକୁ ଯାଉଥିବା କ୍ୟାବିନେଟ୍ ସ୍କାମ୍ ସମ୍ପର୍କରେ ଏହି ନଭମଞ୍ଚରେ ଲେଖିଥିଲି ଓ ତାର ନକଲ ଶ୍ରୀ ଶତପଥିଙ୍କ ସମେତ ବହୁ ବିଧାୟକଙ୍କୁ ଦେଇଥିଲି ।

ମୁଁ ଲେଖିଥିଲି, ସଂଶୋଧନ ବିଧେୟକଟି ମୂଳ ଅଧିନିୟମରେ ‘୪କ’ ନାମକ ଏକ ନୂଆ ଧାରା ଯୋଡ଼ିବ, ଯହିଁରେ ଲେଖାଥିବ:

“ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

“ଏହି ପ୍ରସ୍ତାବିତ ଧାରା ଓଡ଼ିଆ ଭାଷାର ଭୟଙ୍କର କ୍ଷତି ଘଟାଇବ; କାରଣ ମୂଳ ଆଇନଟିରେ ଓଡ଼ିଆ ଜାତିକୁ ଦିଆଯାଇଥିବା ଭାଷା ଅଧିକାରକୁ ଏହା ଅକଳ୍ପନୀୟ ଭାବେ ସଂକୁଚିତ କରିବ । ମୂଳ ଆଇନଟିରେ ସମଗ୍ର ଓଡ଼ିଶାରେ ଏବଂ ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ସରକାରୀ ଭାଷା ହେବ ଓଡ଼ିଆ ବୋଲି କୁହାଯାଇଛି । ଏହି ପ୍ରସ୍ତାବିତ ଧାରା ତାକୁ ଖର୍ବ କରି “ବ୍ୟାପକ ବ୍ୟବହାର” ପରି ଏକ ଆତ୍ମଘାତୀ ବ୍ୟବସ୍ଥା ସୃଷ୍ଟି କରିବ । କହିବା ନିଷ୍ପ୍ରୟୋଜନ ଯେ, “ବ୍ୟାପକ ବ୍ୟବହାର” ସମ୍ପୂର୍ଣ ବ୍ୟବହାର ନୁହେଁ । ଏହା ଗୃହୀତ ହେଲେ, ୧୯୬୩ ସଂଶୋଧନ ଦ୍ଵାରା ଇଂରାଜୀ ଭାଷାକୁ ବିଜୁ ପଟ୍ଟନାୟକ ସରକାରୀ ଭାଷାର ଯେଉଁ ମର୍ଯ୍ୟାଦା ଦିଆଇଛନ୍ତି ତାହା ବି କାଏମ ରହିବ ଓ “ସରକାରୀ ଭାଷାର ବ୍ୟାପକ ବ୍ୟବହାର” ଯେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର – ତାହା ସାବ୍ୟସ୍ତ ବି ହେବ ନାହିଁ । ଅଧିକନ୍ତୁ , ଏହା ପାରିତ ହେଲେ, ଭାଷା ଆଇନର ଉଲ୍ଲଙ୍ଘନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଦଣ୍ଡବିଧାନ ହୋଇପାରେ ବା ତାଙ୍କ ବଦଳରେ ସମ୍ପୃକ୍ତ ବିଭାଗକୁ ଦଣ୍ଡବିଧାନ ହୋଇପାରେ । ଯେହେତୁ କର୍ମଚାରୀମାନେ ଆଇନ ଖିଲାପ କରିବେ ସେହେତୁ ସ୍ବଭାବିକ ଭାବେ ସେମାନେ ନିଜକୁ ନିଜେ ଦଣ୍ଡିତ ନ କରି ଦଣ୍ଡ ନଦିବେ ବିଭାଗ ମୁଣ୍ଡରେ । କାରଣ, ଏହି ସୁଯୋଗ ଏହି ଆଇନ ସଂଶୋଧନ ହିଁ ସେମାନଙ୍କୁ ଯୋଗାଇଦେବ । ବିଭାଗଟିଏ ଦଣ୍ଡିତ ହେବାର ଅର୍ଥ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବା , କାରଣ ବିଭାଗଗୁଡ଼ିକର ସମସ୍ତ ଖର୍ଚ୍ଚ ଲୋକେ ବହନ କରିଥାନ୍ତି, ।“

ଏହି ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ର ତର୍ଜମା କରି ମୁଁ ଲେଖିଥିଲି,

“ଏଥିରେ ଥିବା ‘କର୍ମଚାରୀ / ଭିଭାଗ’ ଶବ୍ଦପୁଞ୍ଜକୁ ପ୍ରସ୍ତାବିତ ‘୪କ’ ଧାରାରେ ଥିବା ‘କର୍ମଚାରୀ ବା ବିଭାଗ’ ଶବ୍ଦପୁଞ୍ଜର ମଧ୍ୟବର୍ତ୍ତୀ ‘ବା’ ଶବ୍ଦ ସହାୟତାରେ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଯାଏ ଯେ, ଭାଷା ଆଇନ ଉଲ୍ଲଙ୍ଘନ କରି, ବିଭାଗ ମୁଣ୍ଡରେ ଅଠା ବୋଳି , ନିରାପଦରେ ଖସିଯିବା ପାଇଁ ହିଁ ଓଡ଼ିଆବିରୋଧୀ ପଦାଧିକାରୀମାନେ ଏହି ପ୍ରପଞ୍ଚକୌଶଳ ପ୍ରୟୋଗ କରିଛନ୍ତି । ଏହି ଚିଠା ବିଧେୟକ ଯଦି ଏହି ରୂପରେ ପାରିତ ଓ ପ୍ରବର୍ତ୍ତିତ ହୁଏ , ତେବେ, ଖିଲାପକାରୀ କର୍ମଚାରୀ ବଦଳରେ ବିଭାଗମାନେ ଦଣ୍ଡିତ ହେବେ । ବିଭାଗମାନେ ଦଣ୍ଡିତ ହେବା ଅର୍ଥ ରାଜ୍ୟବାସୀ ଦଣ୍ଡିତ ହେବା ସୁନିଶ୍ଚିତ ।“

ଓଡ଼ିଆ ବିଦ୍ଵେଷୀମାନଙ୍କ ଚକ୍ରାନ୍ତ ହେତୁ କିପରି ଏହି ବିଧେୟକରେ ଜାଲିଆତିର ଉପଯୋଗ କରାଯାଇଛି ତାହା ମଧ୍ୟ ମୁଁ ଦର୍ଶାଇଥିଲି । ମୁଁ ଲେଖିଥିଲି,

“୧୪. ୩ . ୨୦୧୮ ତାରିଖରେ ଅନୁଷ୍ଠିତ ବୈଠକରେ ଏହି ମନ୍ତ୍ରୀମଣ୍ଡଳ ୨୬. ୧ ୨. ୨୦୧୭ ତାରିଖର “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ କେବଳ ନିରସ୍ତ (supersede) କରାଇଥିଲା ତା ନୁହେଁ, ଭାଷା ଆଇନ ଉଲ୍ଲଙ୍ଘନ ଦୋଷରେ କୌଣସି ବିଭାଗ ନୁହେଁ, ପରନ୍ତୁ କେବଳ କର୍ମଚାରୀ ଓ ପଦାଧିକାରୀମାନେ ଦଣ୍ଡିତ ହେବେ ବୋଲି ସ୍ପଷ୍ଟ କରି ଏବଂ “ଆଇନଟିରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ ତାହା କାର୍ଯ୍ୟକାରୀ ହୋଇପାରୁନି” ବୋଲି ସ୍ବୀକାର କରି, ଏହାର ପ୍ରତିକାର ପାଇଁ ଖିଲାପକାରୀ କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜି ତୁରନ୍ତ ଆଇନ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ” ମଧ୍ୟ ନିର୍ଦ୍ଦିଷ୍ଟ କରିଥିଲା ।

କ୍ଷୋଭର କଥା, ମୁଖ୍ୟମନ୍ତ୍ରୀ ଆଗତ କରିଥିବା ସଂଶୋଧନ ବିଧେୟକରେ ଓଡିଶା ସରକାରୀ ଭାଷା ଆଇନ ବ୍ୟାପାରରେ ସବୁଠୁ ବଡ଼ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିବା ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ବୈଠକର ନିଷ୍ପତ୍ତିକୁ ଉଦ୍ଦେଶ୍ୟମୂଳକ ଭାବେ ନିଶ୍ଚିହ୍ନ କରି ନିରସ୍ତ ହୋଇସାରିଥିବା ୨୬. ୧ ୨. ୨୦୧୭ ତାରିଖର “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ ଭାଷା ଆଇନ ଖିଲାପକାରୀଙ୍କୁ ସୁହାଇଲା ପରି ଟ୍ୟାମ୍ପର କରି ସଂଶୋଧନର ଭିତ୍ତି ଭାବେ ପ୍ରଦର୍ଶିତ କରାଯାଇଛି । କାରଣ ଏତଦ୍ଦ୍ଵାରା ହିଁ କେବଳ ଭାଷା ଆଇନର ତୁରନ୍ତ କାର୍ଯ୍ୟକାରିତା ବନ୍ଦ କରାଯାଇ ପାରିବ ଓ କର୍ମଚାରୀମାନେ “ନିର୍ଦ୍ଦିଷ୍ଟ” କରିବାକୁଥିବା “ମାନଦଣ୍ଡ” ଓ “କ୍ଷେତ୍ର” ଭିତରେ ଓଡ଼ିଆ ଜାତିର ଭାଷା ଜନନୀକୁ କଏଦୀ କରି ରଖାଯାଇପାରିବ ଏବଂ କର୍ମଚାରୀମାନଙ୍କ ଦୋଷ ପାଇଁ ବିଭାଗଗୁଡ଼ିକୁ ଅର୍ଥାତ୍ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯାଇ ପାରିବ ।

ମନ୍ତ୍ରିମଣ୍ଡଳର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକୁ ଜଣେ ମୁଖ୍ୟମନ୍ତ୍ରୀ ଯେ ନିଶ୍ଚିହ୍ନ କରିଦେଇପାରନ୍ତି ତାହା ଅକଳ୍ପନୀୟ । ସେ ଯଦି ଏହା ନ କରିଥିବେ ଓ ସମ୍ପୃକ୍ତ ଶାସନ ସଚିବଙ୍କୁ ବିଶ୍ଵାସ କରି ତାଙ୍କଦ୍ଵାରା ତିଆରି ଚିଠାକୁ ଅନୁମୋଦନ ଦେଇଥିବେ , ତେବେ ତାଙ୍କର କର୍ତ୍ତବ୍ୟ ହେଉଛି, ଏହି ଚିଠାକୁ ପାରିତ ନ କରାଇ ସ୍ଥଗିତ ରଖିବା ଓ ପରେ ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିକୁ ଆଧାର କରି ପୁନରାୟ ଏହାକୁ ସଠିକ ଭାବେ ଆଗତ କରିବା; କାରଣ ଯେଉଁ ରୂପରେ ଏହି ଚିଠା ବିଧାନସଭା ସମ୍ମୁଖରେ ରଖାଯାଇଛି ସେହି ରୂପରେ ଏହା ଗୃହୀତ ହୋଇଗଲେ ଓଡ଼ିଆ ଜାତି ତା ମାତୃଭାଷା କ୍ଷେତ୍ରରେ ପ୍ରବଞ୍ଚିତ ହୋଇ ରହିବ ।”

ଏହା ଅବଗତ ହୋଇଥିବା ସତ୍ତ୍ୱେ ଶ୍ରୀ ଶତପଥି ତାଙ୍କ ଭାଷଣରେ ଏହି ପ୍ରଚଣ୍ଡ ତଞ୍ଚକତା ସମ୍ପର୍କରେ ପାଟି ଫିଟାଇ ନଥିଲେ । ଦଣ୍ଡବିଧାନ ଶବ୍ଦଟି ଏହି ବିଧାୟକରେ ଥିବାରୁ ସେ ଏହାକୁ ସମର୍ଥନ କରିଥିଲେ ଏହା ହିଁ କହି ଯେ, “ଯେଉଁ ଭାଷା ପ୍ରେମୀ ଆନ୍ଦୋଳନ କରୁଥିଲେ, ତାଙ୍କର ମଧ୍ୟ ଏହି ଦାବି ଥିଲା ।” ବାସ୍ତବତାର ଏହାଠୁ ବଳି ବିକଟାଳ ବୈପରିତ୍ୟ କଣ ଆଉ ଥାଇପାରେ ? (କ୍ରମଶଃ)
୨୯.୫.୨୦୧୯

ସରିଯାଇଥିବା ବିଧାନସଭା ଓ ଆମ ଭାଷା – ୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯେଉଁ କ୍ୟାବିନେଟ୍ ପ୍ରସ୍ତାବକୁ ଜାଲିଆତି ବଳରେ ଏହି ସଂଶୋଧନ-ବିଧେୟକ ସହ ଯୋଡ଼ା ଯାଇଛି ସେହି ପ୍ରସ୍ତାବଟି ସହ ପ୍ରଣୀତ ସଂଶୋଧନର ଭାଷା ମିଳାଇ ଦେଖିଲେ ଏହି ଜାଲିଆତିର ଉତ୍କଟତା କେତେ ଉତ୍କଟ ଓ କିପରି ଇଚ୍ଛାକୃତ ତାହା ଜାଣି ହେବ । ଏଥିପାଇଁ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିଧେୟକଟିକୁ ବିଚାର ପାଇଁ ଉପସ୍ଥାପିତ କରି ସାଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କଣ କହିଥିଲେ,ତାହା ପ୍ରଥମେ ଦେଖାଯାଉ ।

ନଗ୍ନ ଜାଲିଆତି

ଶ୍ରୀ ଆରୁଖ କହିଥିଲେ,

“ସାର୍ , ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଆ ଭାଷା ବ୍ୟବହାରରେ ଖିଲାପକାରୀ କର୍ମଚାରୀ ଏବଂ ବିଭାଗକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ଆମ ରାଜ୍ୟ କ୍ୟାବିନେଟ୍ ତାଙ୍କର ତା୨୬.୧୨.୨୦୧୭ରିଖ ଦିନ ଅନୁଷ୍ଠିତ ୫୧ତମ ବୈଠକରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଆଣିବାପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ ଏହି ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଧେୟକ, ୨୦୧୮ ଅଣାଯାଇଛି । ଏବଂ ଏହି ବିଧେୟକ ଆଇନରେ ପରିଣତ ହେଲେ ଉପରୋକ୍ତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ।”

ସେ ଏହି ଯେଉଁ କଥା କହିଲେ, ତାହା ବିଧେୟକଟିରେ ଥିଲା କି ? ବିଧେୟକଟି ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ରେ କେବଳ ଗୋଟିଏମାତ୍ର ଧାରା ଯୋଡ଼ିବା ପାଇଁ ଉଦ୍ଦିଷ୍ଟ ଥିଲା । ସେହି ଧାରାଟି ହେଲା ଧାରା -୪କ । ମନ୍ତ୍ରୀଙ୍କ କଥା ସହ ଏହି ଧାରା ‘୪କ’ଟିକୁ ମିଳାଇଲେ ଏହି ଉତ୍କଟ ଜାଲିଆତି ଆଖିଆଗରେ ସ୍ପଷ୍ଟ ହୋଇଯାଏ । ଧାରାଟି ହେଲା:

“୪କ – ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।“

ଏହି ବିଧେୟକର ଭିତ୍ତି ଭାବେ ବ୍ୟବହାର କରାଯାଇଥିବା ପ୍ରସ୍ତାବଟିରେ “ବିଭାଗ ତଥା କର୍ମଚାରୀ” ଲେଖା ହୋଇଥିବା ବେଳେ, ମନ୍ତ୍ରୀ ଆରୁଖ ବି ସେହି ଏକା କଥା କହିଥିଲେ, କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହନ ବା ଦଣ୍ଡବିଧାନ କରାଯିବ ବୋଲି । କାରଣ ‘ତଥା’ ଯାହା ‘ଏବଂ’ ବି ତାହା । କିନ୍ତୁ ଯେଉଁ ୪କ ଧାରା ବିଧେୟକଟିରେ ସ୍ଥାନିତ ହୋଇଥିଲା ତହିଁରେ “କର୍ମଚାରୀ ଏବଂ ବିଭାଗ“ ଲେଖା ନ ହୋଇ ଲେଖା ହୋଇଥିଲା “କର୍ମଚାରୀ ବା ବିଭାଗ”“କର୍ମଚାରୀ ଏବଂ ବିଭାଗ“ କହିଲେ ଯାହା “କର୍ମଚାରୀ ବା ବିଭାଗ” କହିଲେ କଣ ତାହା ? ‘ତଥା’ ଶବ୍ଦଟିର ଅର୍ଥ ଯାହା, ‘ଏବଂ’ ଶବ୍ଦଟିର ଅର୍ଥ ସିନା ସେଇଆ , କିନ୍ତୁ ‘ବା’ ଶବ୍ଦଟିର ଅର୍ଥ କଣ ତାହା? ମନ୍ତ୍ରୀ ଆରୁଖ ତାଙ୍କ ଉପୋଦ୍ଘାତୀ ଭାଷଣ ଦେଲାବେଳେ ସେ ଗୃହୀତ ହେବାକୁ ଚାହୁଁଥିବା ୪କ ଧାରାର ସ୍ୱରୂପ ଦେଖିନଥିଲେ କି ବିଧାନସଭାକୁ ଅନ୍ଧକାରରେ ରଖିବା ମତଲବରେ ଏପରି ସମ୍ପୂର୍ଣ ବିଭ୍ରାନ୍ତିକରକ ମିଥ୍ୟା କଥା କହିଥିଲେ? ମନ୍ତ୍ରୀଙ୍କ ବଚନ ଓ ବିଧେୟକର ବଚନ ଦି ପ୍ରକାର କିପରି ହେଲା ? ଯଦି କୁହାଯାଏ ମୁଖ୍ୟମନ୍ତ୍ରୀ ଏ ବିଧେୟକ ପ୍ରସ୍ତୁତ କରିଥିଲେ, ମନ୍ତ୍ରୀ ଆରୁଖ କେବଳ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ତାକୁ ରୋବଟ ପରି ଥୋଇଥିଲେ ଓ ତେଣୁ ୪କରେ କଣ ଲେଖଥିଲା ଜାଣି ନଥିଲେ, ତେବେ ତାହା ସେ ସ୍ଵୀକାର କରନ୍ତୁ, ଆମେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବୁ, ଏହି ଜାଲିଆତି ସେ କରିଥିଲେ କାହିଁକି ତାହା ବିଳମ୍ବରେ ହେଲେ ମଧ୍ୟ ରାଜ୍ୟବାସୀଙ୍କୁ କହିବାକୁ ।

ମାତ୍ର ଏପରି ଦାୟିତ୍ଵ ଖସାଇବାକୁ ଚେଷ୍ଟା କଲେ ମଧ୍ୟ ଇତିହାସ ପାଖରେ ଆରୁଖ ଉତ୍ତରଦାୟୀ ହୋଇ ରହିବାକୁ ବାଧ୍ୟ । କାରଣ, ବିଧେୟକଟିରେ ୨୬.୧୨.୨୦୧୭ ପ୍ରସ୍ତାବର ବିପରୀତ ଶବ୍ଦ ବ୍ୟବହୃତ ହୋଇଥିଲା ବେଳେ, ସେ ସେହି କ୍ୟାବିନେଟ୍ ବ୍ୟବହାର କରିଥିବା “କର୍ମଚାରୀ ତଥା ବିଭାଗ” ଶବ୍ଦପୁଞ୍ଜକୁ ସମ୍ପୂର୍ଣତଃ ମନେ ପକାଇ “କର୍ମଚାରୀ ଏବଂ ବିଭାଗ” ବୋଲି ତାଙ୍କ ଭାଷଣରେ କହିଛନ୍ତି । ଯଦି ତାଙ୍କ ସ୍ମରଣ ଶକ୍ତି ଏପରିଭାବେ ଠିକ୍ ଥିଲା, ତେବେ ସେହି କ୍ୟାବିନେଟ୍ ପ୍ରସ୍ତାବକୁ ଅତିକ୍ରମ କରି ଭାଷା ଆଇନ ସଂଶୋଧନ ପାଇଁ ୧୪.୩.୨୦୧୮ ତାରିଖରେ ଯେଉଁ ନୂଆ ପ୍ରସ୍ତାବ ହୋଇଥିଲା, ସେହି ପ୍ରସ୍ତାବଟି ତାଙ୍କର ନିଶ୍ଚୟ ସ୍ମରଣ ଥିବା କଥା । ସୁତରାଂ ସେ ସେହି ପ୍ରସ୍ତାବ ଭିତ୍ତିରେ ବିଧେୟକଟି ନ ଆସି ଅତିକ୍ରାନ୍ତ କରାହୋଇସାରିଥିବା ୨୬.୧୨.୨୦୧୭ ତାରିଖର ପ୍ରସ୍ତାବ ଉପରେ କିପରି ଆଗତ ହୋଇଛି ବୋଲି ପ୍ରଥମେ ପ୍ରଶ୍ନ କରିଥାନ୍ତେ ଓ ୪କ ଧାରାର ତତ୍କାଳ ସଂଶୋଧନ କରାଇ, ସଂଶୋଧିତ ବିଧେୟକକୁ ବିଧାନସଭାରେ ପୁନଃ ସ୍ଥାପିତ କରାଇପାରିଥାନ୍ତେ । ସେ ତାହା କରିନଥିଲେ ଓ ଜାଣିଶୁଣି ବିଧାନସଭାକୁ ପ୍ରତାରିତ କରିଥିଲେ ।

ଏତଦ୍ଦୃଷ୍ଟିରୁ ଦେଖିଲେ ୧.୫.୨୦୧୮ ତାରିଖରେ ଭାଷା ଆଇନ ସଂଶୋଧନ ଆଳରେ ଯେଉଁ ନଗ୍ନ ଜାଲିଆତିର ଜାଲରେ ବିଧାନସଭାକୁ ଛନ୍ଦି ଦିଆଯାଇଥିଲା ତାର ଖଳନାୟକ ଯଦି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ତରଫରୁ ବିଧାନସଭାକୁ ଭୁଆଁ ବୁଲାଇବାର ଦାୟିତ୍ଵ ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପଖଳନାୟକର ଭୂମିକା ନିର୍ବାହ କରିଥିଲେ । (କ୍ରମଶଃ)
(୨୮.୫.୨୦୧୮)

କେବଳ ଓଡ଼ିଆ ଭାଷା ହିଁ ନବୀନଙ୍କୁ ଜିତାଇଲା; ଭୁଲିଗଲେ ଭୁଲ ହେବ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନିଶ୍ଚିତ ଥିଲେ ଯେ ତାଙ୍କ କାମରେ ଖୁସି ହୋଇ ଓଡ଼ିଆ ଲୋକେ ତାଙ୍କୁ ନିଶ୍ଚୟ ଭୋଟ ଦେବେ ତା ହେଲେ ସେ କାହିଁକି ତାହା କରୁଥିଲେ ଯାହା ସେ କେବେ କରିନଥିଲେ ?

ଇଂରାଜୀ ଅକ୍ଷରରେ ଲେଖା ହୋଇଥିବା ଓଡ଼ିଆ ଭାଷଣ ଘୋଷି ସାରା ଓଡ଼ିଶା ବୁଲି ବୁଲି ସେ ଓଡ଼ିଆରେ ଭୋଟ ଭିକ୍ଷା କରିଥିଲେ ।

ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା କଳାପତାକା ଅଭିଯାନ ଓଡ଼ିଆବିଦ୍ଵେଷୀ ନବୀନବାବୁଙ୍କୁ ଏତେ ଅଡୁଆରେ ପକାଇଥିଲା ଯେ, ଏହି ଅଭିଯାନକୁ ଭଣ୍ଡୁର କରିବା ପାଇଁ ସେ ମୋର ଦୁଇ ମୁଖ୍ୟ ସହଯୋଗୀ ପବିତ୍ର ମହାରଥା ଓ ପ୍ରଦ୍ଯୁମ୍ନ ଶତପଥୀଙ୍କ ଆର୍ଥିକ ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କୁ ନିଜ ବଶକୁ ନେଇଯାଇଥିଲେ । ଫଳରେ ସେମାନେ ଭାଷା ଆନ୍ଦୋଳନକୁ ପଚ୍ଛରୁ ଛୁରା ମାରିଥିଲେ ।

କିନ୍ତୁ ଆନ୍ଦୋଳନ ବନ୍ଦ ନ ହୋଇ ଚାଲିଲା । ଭୁବନେଶ୍ବରରେ ଉପସ୍ଥିତ ରହି କେଉଁ ଓଡ଼ିଆ କଳାପତାକା ଧରିପାରିଲେ, କିଏ ବା ନ ଧରିପାରିଲେ ନିଆରା କଥା , କିନ୍ତୁ ପ୍ରତି ଭାଷାପ୍ରେମୀ ଓଡ଼ିଆ ଏହି ଅଭିଯାନ ସହ ନିଜ ନିଜ ଅନ୍ତରାତ୍ମାରେ ସଂଯୁକ୍ତ ହୋଇଯାଇଥିଲେ । ଭାଷା ଆନ୍ଦୋଳନ ଏତେ ଜନପ୍ରିଯ ହୋଇଉଠିଥିଲା ଯେ, ନିଜକୁ ଏହି ଆନ୍ଦୋଳନ ଚଳାଇଥିବା ଲୋକ ବୋଲି ନିଜ ଗଣମାଧ୍ୟମରେ ପ୍ରଚାର କରି ଏକଦା ଆମର ମୁଖ୍ୟ ଗଣମାଧ୍ୟମୀୟ ସହଯୋଗୀ ଥିବା ସଂବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ରାଜ୍ୟସଭାକୁ ଯିବା ଲୋଭରେ କଳାପତାକା ଅଭିଯାନ ବନ୍ଦ କରିବାକୁ ମୋ ଉପରେ ଚାପ ପକାଇଥିଲେ ଓ ମୁଁ ତାହା ପ୍ରତ୍ୟାଖ୍ୟାନ କରିଥିବା ହେତୁ, ସମ୍ବାଦରେ ଏହି ଅଭିଯାନର ବିବରଣୀ ପ୍ରକାଶନ ବନ୍ଦ କରିଦେଇଥିଲେ । ଏହି ଅଭିଯାନକୁ ସଫଳ କରାଇନଦେବା ପାଇଁ କ୍ୟାବିନେଟ୍ ସ୍କାମ୍ ପରି ଏକ ନାହିଁ ନ ଥିବା ଅପରାଧ କରି ଏହ ଅବୈଧ ବିଧାନ ପ୍ରଣଯନ ପାଇଁ ସମସ୍ତ କୁତ୍ସିତ ମିଥ୍ୟାର ଆଶ୍ରୟ ମଧ୍ୟ ନେଇଥିଲେ ନବୀନବାବୁ ବିଧାନସଭାରେ ।

କୌଣସି ତଞ୍ଚକତା ଓ ସୁପାରୀ ପ୍ରଦାନ, କୌଣସି ରାଜନୈତିକ ବଶୀକରଣ ଯେତେବେଳେ ଆମ ଆନ୍ଦୋଳନର କାଳିଆ ପତାକା ଅଭିଯାନକୁ ଅଟକାଇ ପାରିଲା ନାହିଁ , ସେତେବେଳେ Krushak Assistance for Livelihood and Income Augmentation ପରି ଭୋଟରମାନଙ୍କୁ ପ୍ରଭାବିତ କଲା ପରିକା ଏକ ପେଞ୍ଚ ତିଆରିକରି ତାକୁ ‘କାଳିଆ’ ନାମରେ ପ୍ରସାରିତ କରାଗଲା । ଏହା ସତ୍ତ୍ୱେ, ଭୁବନେଶ୍ବରରେ ଉଡ଼ି ଉଡ଼ି ଆମ ଆନ୍ଦୋଳନର କଳାପତାକା ଯେଉଁ ବାର୍ତ୍ତା ଦେଇ ଚାଲିଥିଲା କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଭାଷା ପାଇଁ ବିତସ୍ପୃହ ହୋଇଥିବା ହେତୁ ଆମ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ ହୋଇଛି ଓ ଆମ ମାତୃଭାଷା ସଙ୍କଟଗ୍ରସ୍ତ ହୋଇପଡ଼ିଛି, ତହିଁର ନିରାକରଣ ପାଇଁ ସେ ଓଡ଼ିଆ ଭାଷାର ଆଶ୍ରା ନେବାକୁ ବାଧ୍ୟ ହୋଇଥିଲେ ।

ତାଙ୍କ ପାଖଲୋକେ କିପରି ଇଂରାଜୀ ଅକ୍ଷରରେ ଓଡ଼ିଆ ବାକ୍ୟ ଲେଖୁଥିଲେ ଓ ସେ ତାହା ପଠନ କରି ଓଡ଼ିଆ ଜାତିକୁ ଭୁଆଁ ବୁଲାଉଥିଲେ ତାହା ଇଣ୍ଟେର୍ନେଟରେ ଭାଇରାଲ ହୋଇଥିଲା । ଏହି ଦୁଇଟି ଫଟୋଚିତ୍ର ତହିଁର ନମୂନା ।

ଏହି ଶୈଳୀ ଅବଲମ୍ବନ କରି ଇଂରାଜୀ ଅକ୍ଷରରେ ଲେଖା ଓଡ଼ିଆ ଭାଷଣ ଘୋଷି ଘୋଷି ସେ ଏକାଏକ ରାଜ୍ୟସରା ବୁଲି ଲୋକଙ୍କୁ ଓଡ଼ିଆରେ ସମ୍ବୋଧନ କରିଚାଲିଲେ । ଜୀବନରେ ଏପରି ପରିଶ୍ରମ ସେ କେବେ ବି କରିନଥିଲେ । ଆମ ଆନ୍ଦୋଳନ ଏପରି ପରିଶ୍ରମ କରିବାକୁ ବାଧ୍ୟ କରିଥିଲା । ସେତେବେଳେ ବିଭିନ୍ନ ଟିଭି ଚ୍ୟାନେଲରେ ଜୀବନ୍ତ ପରିବେଷିତ ତାଙ୍କ ଏହି ଛଳପୂର୍ଣ ଓଡ଼ିଆ ଭାଷଣରୁ କିଛି ଦେଖାଯାଉ ।

ଏହା ଥିଲା ତାଙ୍କର ଦାରିଙ୍ଗିବାଡ଼ି ଭାଷଣ –

ନୂଆପଡ଼ାର କୋମନା ସଭାରେ ସେ କହିଥିଲେ –

କଳାହାଣ୍ଡିର ନର୍ଲାରେ ସେ କହିଥିଲେ –

ଏହିପରି ଭାବେ ସାରା ଓଡ଼ିଶାରେ ବୁଲି ବୁଲି ସେ ଇଂରାଜୀ ଅକ୍ଷରରେ ଲେଖି ମୁଖସ୍ଥ କରିଥିବା ଓଡ଼ିଆ ଭାଷଣ ପରିବେଷଣ କରିଥିବା ହେତୁ, ନିର୍ବାଚନରେ ଜିତିଗଲେ । ତା ନ ହୋଇଥିଲେ ତାଙ୍କ ଦଳର ପରାଜୟ ସୁନିଶ୍ଚିତ ଥିଲା ।

ଓଡ଼ିଆ ଭାଷା ପାଖରେ ଶରଣ ପଶି ସେ ନିର୍ବାଚନରେ ଜୟ ଲାଭ କରିଥିବା ହେତୁ ଆମେ ଭାଷାଆନ୍ଦୋଳନକାରୀମାନେ ତାଙ୍କୁ ବଧେଇ ଜଣାଉଛୁ ଓ ଆଶା କରୁଛୁ କି, ସେ ଏହା ଭୁଲିବେନି ଓ ମନ୍ତ୍ରୀସ୍ତରୀୟ କମିଟିରେ ୩.୯.୨୦୧୫ ତାରିଖରେ ପ୍ରଦତ୍ତ ପରାମର୍ଶ ଅନୁସାରେ ଆମ ସରକାରୀ ଭାଷା ଆଇନର ପୁନଶ୍ଚ ସଂଶୋଧନ କରି ଓଡ଼ିଆ ଭାଷାଜନନୀଙ୍କୁ କୃତଜ୍ଞତା ଜଣାଇବେ ।

ବିଜେଡି ଟିକଟରେ ବିଧାନସଭାକୁ ଆସିଥିବା ବନ୍ଧୁମାନେ ବି ଏହି ସତ୍ୟ ମନେରଖିବା ଉଚିତ । କାରଣ, ଏହା ଭୁଲିଯିବା ସେମାନଙ୍କ ପକ୍ଷରେ ଭୁଲ ହେବ ।

ମଧୁଜୟନ୍ତୀରେ ଭାଷା ଆନ୍ଦୋଳନର ବୃତ୍ତଚିତ୍ର ବିଶ୍ଵାର୍ପିତ: ସାହିତ୍ୟିକମାନେ ନିଦରୁ ଉଠିବାକୁ ଆହ୍ଵାନ

ଭୁବନେଶ୍ଵର କାର୍ଯ୍ୟାଳୟ

ଆଜି ଓଡ଼ିଆ ଜାତିର କୁଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ତମ ଜନ୍ମବାର୍ଷିକୀରେ ତାଙ୍କରି ଅଧୁରା ସ୍ୱପ୍ନକୁ ସମ୍ପୂର୍ଣ୍ଣ କରିବା ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ପକ୍ଷରୁ ଏ ଏକ ତପସ୍ୟା ଶୀର୍ଷକ ବୃତ୍ତଚିତ୍ର ବିଶ୍ବାର୍ପିତ ହୋଇଛି । bhashaandolan.com ପକ୍ଷରୁ ପ୍ରସ୍ତୁତ ଏହି ବୃତ୍ତଚିତ୍ରରେ କେଉଁ ପରିସ୍ଥିତିରେ ଓଡ଼ିଶା ପ୍ରଦେଶ ସୃଷ୍ଟି ପାଇଁ ମଧୁବାବୁଙ୍କ ନେତୃତ୍ବରେ ଆନ୍ଦୋଳନ ହୋଇଥିଲା ତାହାର ପ୍ରାମାଣିକ ତଥ୍ୟ ଦିଆଯାଇ ଦର୍ଶଯାଇଛି ଯେ ସେହି ଏକା ପରସ୍ଥିତି ଆଜି ମଧ୍ୟ ବଳବତ୍ତର ଅଛି ଓ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷାରେ ତାହା ପରିଚାଳିତ ହେଉନାହିଁ ଏବଂ ଖାସ୍ ଏହି କାରଣରୁ କିପରି ଭାଷା ଆନ୍ଦୋଳନ ଚାଲିଛି ତାହା ଏହି ବୃତ୍ତଚିତ୍ରରେ ସ୍ଥାନିତ ହୋଇଛି ।

ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ଧର୍ମୀ ସାମ୍ବାଦିକତାକୁ ନୂଆ ପରିଚୟ ଦେଇଥିବା ବିଶିଷ୍ଟ ଟିଭି ସାମ୍ବାଦିକ ତଥା ସର୍ବଶ୍ରେଷ୍ଠ ସଂଳାପ ଲେଖକ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ବର୍ଷ ପୁରସ୍କୃତ ସତୀଶ ମିଶ୍ର ବୃତ୍ତଚିତ୍ରଟିକୁ ବିଶ୍ଵାର୍ପିତ କରିଥିଲେ ଓ ବଜାରଧର୍ମୀ ପ୍ରଶାସନଶୈଳୀ କିପରି ଆମ ଦେଶର ସ୍ୱାଧୀନତାର ସ୍ୱପ୍ନକୁ ଧୂଳିସାତ୍ କରିବାରେ ଲାଗିଛି ତାହାର ସୁବିସ୍ତିର୍ଣ୍ଣ ତଥ୍ୟ ରଖି ମଣିଷର ମୌଳିକ ବିଭବଗୁଡିକର ସୁରକ୍ଷା ପାଇଁ ସଚେତନ ଓ ପ୍ରତିବଦ୍ଧ ଉଦ୍ୟମ ହିଁ ହାନିକାରକ ବଜାର ଉପଦ୍ରବରୁ ଜନସମାଜକୁ ରକ୍ଷା କରିପାରିବ ବୋଲି କହିଥିଲେ । ମଣିଷର ମାତୃଭାଷା ତାର ମୌଳିକ ବିଭବରୁ ଶ୍ରେଷ୍ଠତମ ହୋଇଥିବା ହେତୁ ସାହିତ୍ୟିକମାନେ ସାଧାରଣମଣିଷ ବ୍ୟବହାର କରୁଥିବା ଭାଷା ପ୍ରତି ଉଦାସିନ ହୋଇ ନରହି ତହିଁର ସୁରକ୍ଷା ଓ ସମୃଦ୍ଧି ପାଇଁ ସରସ୍ଵତ ଜାଗୃତି ସୃଷ୍ଟି କରିବା ଓଡ଼ିଶା ପ୍ରେକ୍ଷାପଟରେ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

ଉଲ୍ଲେଖନୀୟ ଯେ “ସଙ୍କଟରେ ଭାଷା ସ୍ଵାର୍ଥଲିପ୍ସାରେ ସାହିତ୍ୟିକ” ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାରେ ମୁଖ୍ୟବକ୍ତା ଭାବେ ପ୍ରଫେସର କମଳା ପ୍ରସାଦ ମହାପାତ୍ର ଓଡ଼ିଶା ରାଜ୍ୟଗଠନରୁ ଆରମ୍ଭ କରି ବିଦେଶୀଙ୍କ କବଳରୁ ମୁକ୍ତି ପରି ଦୁରୁହ ପରିସ୍ଥିତିରେ ସାହିତ୍ୟ କିପରି ଜନସାଧାରଣଙ୍କ ପାଇଁ ପଥଦର୍ଶୀ ଭୂମିକା ନିର୍ବାହ କରିଥିଲା ତାହା ସୁଚାଇ ଦେଇଥିଲେ । ସେ କହିଥିଲେ ସାହିତ୍ୟର ମୂଳାଧାର ହେଉଛି ମାତୃଭାଷା । ମାତୃଭାଷା ହେଉଛି ମଣିଷର ପ୍ରାଣ ଏବଂ ତାର ଆତ୍ମା ତୁଲ୍ୟ । ତାହା ସଙ୍କଟରେ ପଡିଥିବା ବେଳେ ତହିଁ ପ୍ରତି ଉଦାସୀନ ରହିବା ସାହିତ୍ୟିକୀୟ ସ୍ଵଭାବ ଅନୁରୂପ ନୁହେଁ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ, ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇ ମଧୁବାବୁଙ୍କର ସ୍ଵପ୍ନର ଶୀର୍ଷ ଅଂଶ ସଫଳ ହୋଇଥିଲା ବେଳେ ତହିଁର ମୂଳ ଅଂଶ ଅସଫଳ ହୋଇ ରହିଛି । ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ହେଉଛି ଏହି ମୂଳ ଅଂଶ । ଏହି ମୂଳ ସ୍ଵପ୍ନକୁ ସାର୍ଥକ କରିବା ପାଇଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଚତୁର୍ଥ ବର୍ଷର ଚତୁର୍ଦଶ ଦିବସ ଅତିକ୍ରମ କରିସାରିଲାଣି ଓ ଓଡ଼ିଆ ଭାଷା ବିରୁଦ୍ଧରେ ଇଂରାଜୀ ମନସ୍କ ସରକାରୀ କଳ ଯେତେ ଷଡଯନ୍ତ୍ର କରୁଛି ତାହାକୁ ବାଧା ଦେବାରେ ଲାଗିଛି । ଭାଷା ଆଇନର ସମ୍ପୂର୍ଣ ନିର୍ଭୁଲ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ସରକାରଙ୍କୁ ବାଧ୍ୟ କରିବ ବୋଲି ସେ କହିଥିଲେ ।

ଅଧ୍ୟକ୍ଷତା କରୁଥିବା ସୁଶ୍ରୀ ତନୁଜା ରଥ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରାଥମିକତା ପ୍ରତିଷ୍ଠା ପାଇଁ ସାହିତ୍ୟିକମାନେ ଜଗି ଉଠିବାକୁ ଆହ୍ଵାନ ଦେଇ କଳାପତାକା ଅଭିଯାନକୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ବିଶିଷ୍ଟ ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ ଛଳରେ ଓଡ଼ିଶାରେ ଦେଖାଦେଇଥିବା ଭାଷା ସଙ୍କଟ ଉପରେ ଆଲୋକପାତ କରିଥିଲେ ।

ଓଡ଼ିଶା ପ୍ରଦେଶ ସୃଷ୍ଟିର ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ କଳା ପତାକା ଅଭିଯାନ ଚାଲିରହିବ ବୋଲି ସିଦ୍ଧ।ନ୍ତ ହୋଇଥିଲା ଓ ଅଭିଯାନର ପ୍ରତୀକ ଚିହ୍ନ ସମସ୍ତଙ୍କ ଅନୁମୋଦନ ପାଇଥିଲା ।

କଳାପତାକା ଅଭିଯାନର ତିନି ବର୍ଷ ପୂର୍ତ୍ତୀ: ଓଡିଶା ସରକାରୀ ଭାଷା ଆଇନର ସ୍ଥିତି ଉପରେ ଆଲୋଚନା

ଓଡ଼ିଆରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବା ପାଇଁ ଚାଲିଥିବା କଳା ପତାକା ଅଭିଯାନ ଏପ୍ରିଲ ୧୩ ତାରିଖରେ ତିନି ବର୍ଷ ଅତିକ୍ରମ କଲା । ଏହି ଉପଲକ୍ଷେ ଭୁବନେଶ୍ବରର ନେହେରୁ ଯୁବ କେନ୍ଦ୍ର ସମ୍ମିଳନୀ କକ୍ଷରେ “ଆମ ଭାଷା ପାଇଁ ଆମ ଲଢ଼େଇ” ଶୀର୍ଷକ ଇ-ପୁସ୍ତକର ବିଶ୍ବାର୍ପଣ ଓ “ସଙ୍କଟାବର୍ତ୍ତରେ ଓଡ଼ିଶା ସରକାରୀ ଭାଷା ଆଇନ” ଶୀର୍ଷକ ଆଲୋଚନା ଚକ୍ର ସଂଘଟିତ ହୋଇଥିଲା ।

ସରକାରୀ ଭାଷା ଆଇନର ଆଜନ୍ମ ତ୍ରୁଟିଗୁଡ଼ିକ ପ୍ରଥମେ ଠାବ କରି ସେ ସମ୍ପର୍କରେ ସରକାରଙ୍କୁ ପ୍ରଥମ ଥର ପାଇଁ ଅବଗତ କରାଇଥିବା ଓ ସେହି ତ୍ରୁଟିଗୁଡ଼ିକର ଦୂରୀକରଣ ପାଇଁ ୩.୯.୨୦୧୫ରେ ପ୍ରସ୍ତାବ ଓ ପ୍ରସ୍ତାବିତ ଆଇନର ଚିଠା ଦେଇ ଏ ସମ୍ପର୍କରେ ପ୍ରଥମଥର ପାଇଁ ସରକାରଙ୍କୁ ସଚେତନ କରାଇ ଥିବା ତତ୍କାଳୀନ ମନ୍ତ୍ରୀସ୍ତରୀୟ କମିଟି ସଦସ୍ୟ ତଥା ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭିତ୍ତି-ବୟାନ ଉପସ୍ଥାପନ କରି କହିଥିଲେ, ଓଡ଼ିଶା ସରକାରଙ୍କ ଷଡ଼ଯନ୍ତ୍ର ହେତୁ ଓଡ଼ିଶା ସରକାରୀ ଭାଷା ଆଇନ ସଙ୍କଟ ଘେରରେ ପଡ଼ିଛି । ସାରା ଓଡ଼ିଶାରେ ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବ ବୋଲି ସରକାରୀ ଭାଷା ଆଇନରେ ଥିଲା , ଯାହାକୁ ନିଯମାବଳୀ ଓ ଉଲ୍ଲଙ୍ଘନକାରୀ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଦ୍ଵାରା ସଶକ୍ତୀକୃତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ଓ ସେହି ପରାମର୍ଶ ହେତୁ ଆଇନତିର ସଂଶୋଧନ ପାଇଁ ସରକାର ପ୍ରଥମଥର ପାଇଁ ଆବଶ୍ୟକତା ଅନୁଭବ କରିଥିଲେ । ମାତ୍ର ଦିଅଁ ଗଢୁ ଗଢୁ ବାନ୍ଦର ଗଢିଲା ପରି ସଂଶୋଧନ ଆଳରେ ରାଜ୍ୟ ସରକାର ଖଞ୍ଜିଥିବା ୪-କ ଧାରା ଓଡ଼ିଶା ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡା କରିଛି । ଏଥିରେ କୁହ ହୋଇଛି , ଯେଉଁ କର୍ମଚାରୀମାନେ “ବ୍ୟାପକ ଭାବେ” ଓଡ଼ିଆ ଭାଷା ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ଏହାର ଅର୍ଥ , ଯେଉଁମାନେ ସାମଗ୍ରିକ ଭାବେ ଓଡ଼ିଆ ଭାଷାରେ କାମ ନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ ! ଅଧିକନ୍ତୁ , ସଂଶୋଧନର ଉଦ୍ଦେଶ୍ୟ ଓ କାରଣ କଥନରେ ଏପରି ଉପାଦାନ ରଖାଯାଇଛି ଯେ,ଓଡ଼ିଶାର ସର୍ବତ୍ର ଆଇନଟି ଲାଗୁ ହେବନାହିଁ ଓ ଅମଲାତନ୍ତ୍ରର ମର୍ଜି ଅନୁରୂପେ ଏହା ନିର୍ବାହିତ ହେବ । ତେଣୁ ଓଡିଶା ସରକାରୀ ଭାଷା ଆଇନରେ ଖଞ୍ଜ ହୋଇଥିବା ୪-କ ଧାରା ବିଲୋପନ ପାଇଁ ସେ ଜୋର ଦେଉଥିବା ହେତୁ ଓଡିଆଭାଷାବିଦ୍ଵେଷୀ ସରକାର ଆନ୍ଦୋଳନକାରୀଙ୍କ ଭିତରୁ ଦୁଇଜଣ ମୁଖ୍ୟବ୍ୟକ୍ତିଙ୍କୁ ପୋଷାମନେଇ ଆନ୍ଦୋଳନକୁ ମାରିଦେବାକୁ ଚେଷ୍ଟା କରିଥିଲେ । ମାତ୍ର ଭାଷାପ୍ରାଣ ଓଡ଼ିଆ ଜାତି ସେହି ଘୃଣୀ ଷଡ଼ଯନ୍ତ୍ରକୁ ବ୍ୟର୍ଥ କରିଦେଇଛି ଓ ବିଶ୍ବାସଘାତକମାନେ ଚାଲିଗଲା ପରେ ଆମ ଭାଷା ପାଇଁ ଆମ ଲଢ଼େଇ ଚାଲିଛି ବୋଲି ସେ କହିଥିଲେ ।

ଭାଷା ଆନ୍ଦୋଳନର ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ସରକାରୀ କାମରେ ଭାଷା ପ୍ରୟୋଗ ପାଇଁ ଚାପ ସୃଷ୍ଟି କରିଥିବା ଓଡିଆ ଭାଷା ପ୍ରୟୋଗ କ୍ରିଯାନୁଷ୍ଠାନ କମିଟିର ଅନ୍ୟତମ ସଂସ୍ଥାପକ ପ୍ରଫେସର କମଳାପ୍ରସାଦ ମହାପାତ୍ର ମଧ୍ୟ ତତ୍ତୁଲ୍ୟ ମତ ଦେଇ କହିଥିଲେ କି, କହିଥିଲେ କି, ଆଇନଟିର ଶୀର୍ଷକ ପରିବର୍ତ୍ତନ ପାଇଁ ସୁଭାଷବାବୁଙ୍କ ମତ ସହ ସେ ଏକମତ ନୁହନ୍ତି; କାରଣ, ତାଙ୍କ ବିଚାରରେ ଅଫିସିଆଲ ଅର୍ଥ ସମସ୍ତ ସରକାରୀ ଓ ବେସରକାରୀ ଅଫିସ । କିନ୍ତୁ ଅଫିସମାନଙ୍କରେ ଓଡ଼ିଆ ଭାଷାର ବ୍ୟାପକ ପ୍ରଚଳନକୁ ପୁରସ୍କୃତ କରାଯିବା ବିଭାବନାକୁ ଅଗ୍ରାହ୍ୟ କରିବାକୁ ସେ ସୁଭାଷ ବାବୁଙ୍କ ସହ ଏକମତ ହୋଇଥିଲେ ।

ଓଡ଼ିଆ ଅସ୍ମିତାର ଅନ୍ଯତମ ଅତନ୍ଦ୍ର ପ୍ରହରୀ, ସାମ୍ବାଦିକ ଡକ୍ଟର ଅସିତ ମହାନ୍ତି କହିଥିଲେ ଓଡ଼ିଶା ସରକାରୀ ଭାଷା ଆଇନ କ୍ଷେତ୍ରରେ ସରକାରୀ ପ୍ରବଞ୍ଚନା ଆଜିକୁ ଶହେ ବର୍ଷ ତଳେ ଏହି ଦିନ (୧୩ ଏପ୍ରିଲ) ବିଦେଶୀ ଇଂରାଜ ବାହିନୀ ଘଟାଇଥିବା ଜାଲିଆନାଵାଲାବାଗ୍ ଗଣହତ୍ୟା ଠାରୁ କମ୍ ନୁହେଁ ।

ଏକାଧିକବାର କଳାପତାକା ଧରି ଭାଷା ଜନନୀ ପାଇଁ ସଂଗ୍ରାମ କରିଥିବା ବିଦୁଷୀ ତନୁଜା ରଥ ତାଙ୍କ ମନକଥା କହିଥିଲେ ।

ବିଶିଷ୍ଟ ସମାଜସେବୀ ରାମଶଙ୍କର ନିଜ ଆଦର୍ଶରେ ଅତଳ ରହି ଏ ଅଭିଯାନ ସାରା ଓଡିଶାରେ ପରିବ୍ୟାପ୍ତ ହେବ ବୋଲି ଆଶାପୋଷଣ କରିଥିଲେ ।

ଭାଷା ଜନନୀଙ୍କ ଶ୍ରେଷ୍ଠ ଚାରଣକବି ଅରୂପ (ଉମାକାନ୍ତ ରାଉତ) ନିଜ କବିତା ଅବୃତ୍ତି କରି କାବ୍ୟିକ ଉଦ୍ବୋଧନ ଦେଇଥିଲେ ।

ସଭାପତିତ୍ଵ କରୁଥିବା ସମାଜ ସଂସ୍କାରକ, ଅଧିବକ୍ତା ଅର୍ଜୁନ ଚରଣ ସାମନ୍ତରାୟ କହିଥିଲେ ନିଜ ଭାଷା ଜନନୀଙ୍କୁ ବିପଦମୁକ୍ତ କରିବା ପାଇଁ ଏହି ଅଭିଯାନ ଚାଲିଛି ଓ ଚାଲିବ ଏବଂ ବ୍ୟାପକ ହେବ ।

ଖୋର୍ଦ୍ଧା ମାଟିର ଏକ ନବମ ଶ୍ରେଣୀ ଛାତ୍ରୀ ଶ୍ରୁତି ମହାନ୍ତି ସୁଲଳିତ କଣ୍ଠରେ ଓଡ଼ିଆ ଅସ୍ମିତାର ବନ୍ଦନା କରି କାଳପଟକ ଅଭିଯାନର ତିନିବର୍ଷ ପୂର୍ତ୍ତି ମୁହୂର୍ତ୍ତକୁ କରିଦେଇଥିଲେ ପ୍ରାଣପୂର୍ତ୍ତ ।