ଦୁଇ ଜଣ ଭାଷାପ୍ରେମୀ ହିଁ ମନେପକାଇ ଦେବେ ଦୁଇ ବିଶ୍ଵାସଘାତକଙ୍କ ପ୍ରତାରଣା

ଗତ ତିନି ତାରିଖରେ ଦୁଇ ଜଣ ପ୍ରତିବଦ୍ଧ ଭାଷାପ୍ରେମୀଙ୍କ ହାତରେ କଳାପତାକା ଦେଇସାରି ସୁଭାଷ ଚନ୍ଦ୍ର ପଟ୍ଟନାୟକ ଦେଇଥିବା ବାର୍ତ୍ତା

ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ନିର୍ବାଚନ ଇସ୍ତାହାରରେ ଘୋଷଣା କରିବାକୁ ସବୁ ଦଳଙ୍କୁ ପତ୍ର ପ୍ରଦାନ

“ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆମ ଦଳ ପ୍ରତିଶୃତି ପ୍ରଦାନ କରୁଛି । ”

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ଆନ୍ଦୋଳନର ସଭାପତିମଣ୍ଡଳୀ ସର୍ବଶ୍ରୀ ଗଜାନନ ମିଶ୍ର,ସୁଭାଷ ଚନ୍ଦ୍ର ପ୍ରଧାନ, କମଳଲୋଚନ ନାୟକ,ଅର୍ଜୁନ ଚରଣ ସାମନ୍ତରାୟ,ଡ଼.ଅଶୋକ ମିଶରର, ଗିରିଜକାନ୍ତ ମିଶ୍ର ଓ ଧ୍ରୁବଚରଣ ମହାନ୍ତି ଫେବୃଆରୀ ୬ ତାରିଖରେ ସମସ୍ତ ରାଜନୈତିକ ଦଳକୁ ପତ୍ର ଲେଖି ଓ ସାକ୍ଷାତ କରି ସେମାନଙ୍କ ନିଜ ନିଜ ନିର୍ବାଚନ ଇସ୍ତାହାରରେ ଉପରୋକ୍ତ ପ୍ରତିଶୃତି ଦେବାପାଇଁ ଅନୁରୋଧ କରିଛନ୍ତି ।

ପ୍ରଦତ୍ତ ପତ୍ରର ନକଲ
ନିର୍ବାଚନ ଇସ୍ତାହାରରେ ଭାଷା ପାଇଁ ଭାଷା ଆଂଦୋଳନର ଅନୁରୋଧ

ସରକାରୀ ଭାତିଆ ଭିତ୍ତିରେ ଭାଷା ଯୋଦ୍ଧା ! ଭାଷା ତପସ୍ବୀ ଗଜାନନଙ୍କ ଐତିହାସିକ କଟାକ୍ଷ

ଭାଷା ଯୋଦ୍ଧା
ଗଜାନନ ମିଶ୍ର

ଭାଷା ଯୋଦ୍ଧାର
ମୂଲ୍ଯ କେତେ?
ଗୋଟିଏ ଫୁଲକଢି!
ଗୋଟିଏ କପଡା!
ଗୋଟିଏ କାଗଜ!

ଭାଷା ଯୋଦ୍ଧା କିଏ?
ଭାଷା ଯୋଦ୍ଧା କଣ କରେ?
ମନ୍ତ୍ରୀ ଅମଲାର ଗୋଡ ଚାଟେ?
ସ୍ତ୍ରୀ ପିଲା ବିକେ?
ଗାଡି, ଘର, ଚାକିରୀ ମାଗେ?

ଭାଷା ଯୋଦ୍ଧା କୋଉଠି?
ରାଜଧାନୀରେ!
ଖଟିର ଚା କପ୍ ରେ!
ଟିଭିର ରଡାରଡିରେ!
ଖବରକାଗଜ ପୃଷ୍ଠାରେ!

ଭାଷା ଯୋଦ୍ଧା , ଭାଷା ଯୋଦ୍ଧା!
କିଏ ଖୋଜେ? କଣ ପାଇଁ ଖୋଜେ?
ଭାଷା ଯୋଦ୍ଧା କଣ ଗୋଟେ ଶିଢି?
ଭାଷା ଯୋଦ୍ଧା କଣ ଗୋଟେ ଯାଦୁଛଡି?
ଭାଷା ଯୋଦ୍ଧା କଣ ବେତବାଡି?

ଭାଷା!
ପୁଣି ଯୋଦ୍ଧା!
ଭାଷା ତ ମୂଳରୁ ନାଇଁ ,
ଯୋଦ୍ଧା ଆସିବ କେଉଁଆଡୁ!

ଭାଷା ନାଇଁ,
ରାଜ୍ୟ ନାଇଁ।
ରାଜ୍ୟ ନାଇଁ,
ମନ୍ତ୍ରୀ ଅମଲା କାହାପାଇଁ?

ଭାଷା ଆସେ ମାଆଠୁ ,
ମାଆ ଥାଏ ରକ୍ତରେ,
ମାଆ ଥାଏ
ନିଶ୍ୱାସପ୍ରଶ୍ୱାସର ପବନରେ,
ମାଆ ଥାଏ ମାଟିରେ,
ମାଆ ଥାଏ ହୃଦୟ ଭିତରେ,
ମାଆ ଥାଏ ଆକାଶରେ।

ମାଆ ମାଆ ମାଆ
ମାଆ ଭାଷାରେ
ଝଟକୁଥାଏ ପରିଚୟ,
ପରିଚୟର ନ ଥାଏ ପରାଜୟ।
ଯୁଦ୍ଧର ନ ଥାଏ ପ୍ରଶ୍ନ ,
ହାରଜିତର ନ ଥାଏ ଚିହ୍ନ।
ଲାଂଚଖୋର, ରକ୍ତଶୋଷା
ମନ୍ତ୍ରୀ ଅମଲା ଜାଣିବେ କଣ
ଗୋଟେ ଜାତିର ଅମୂଲ୍ଯ ରତ୍ନ!

ଅବିକା-ଅକିଣା ଜୀବନ
ଝଟକୁ ଥାଏ ଖୋଲାମେଲା
ଆକାଶ ତଳେ ସବୁଦିନ।
ସରକାର ଆସେ , ସରକାର ଯାଏ
ମୁଣ୍ଡାଇ କେବଳ କଳଙ୍କ ।
ମା ଭାଷା ପାଇଁ
କାନ୍ଦୁଥାଏ କେବଳ କାକୁସ୍ଥ ପ୍ରାଣ।
ନ ଥାଏ କାହାଠି କିଛି ଉପଶମ,
କଉଣସି ପ୍ରକାରର ମଲମ।

ତପୋବନ,ଟିଟିଲାଗଡ, ବଲାଙ୍ଗିର
29/1/2019

କେନ୍ଦ୍ରାପଡ଼ାରେ କଳାପତାକା ଅଭିଯାନ ଓ ଭାଷା ପାଇଁ ସ୍ମାରକପତ୍ର ପ୍ରଦାନ

ବିଶେଷ ପ୍ରତିନିଧି

ଭାଷା ଆନ୍ଦୋଳନର କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ଦାସଙ୍କ ଆହ୍ବାନ କ୍ରମେ କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକସ୍ଥ ଯଦୁମଣି ମଙ୍ଗରାଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ଗୁରୁବାର ପୂର୍ବାହ୍ନରେ ଆନ୍ଦୋଳନର କଳାପତାକା ଅଭିଯାନ ଆରମ୍ଭ ହୋଇ ସମଗ୍ର ସହର ପରିକ୍ରମା କରି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ରେ ଖଞ୍ଜା ହୋଇଥିବା ଧାରା ୪-କ ଓଡ଼ିଆ ଜାତିର ଭାଷା ଅଧିକାରକୁ ଅକାମି କରିଛି । ସୁତରାଂ ତାକୁ ବିଲୁପ୍ତ କରାଯାଇ ସାନି ସଂଶୋଧନ ଦ୍ଵାରା ତାର ଉଲ୍ଲଙ୍ଘନକାରୀକୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା କରାଯାଉ ବୋଲି ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ଗତ ୯.୧୧.୨୦୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଚରମପତ୍ର ଦେଇଥିଲେ, ତାହା ସପକ୍ଷରେ ଜିଲ୍ଲା ଶାଖା ପକ୍ଷରୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ଜିଲ୍ଲାର ବିଶିଷ୍ଟ ଜନନେତା, ପ୍ରକୃତିପ୍ରେମୀ ଓ ଭାଷାପ୍ରେମୀମାନେ ।

କେନ୍ଦ୍ରୀୟ ସଭାପତି ମଣ୍ଡଳୀର ସଦସ୍ୟ ସର୍ବଶ୍ରୀ କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ ଓ ଗିରିଜାକାନ୍ତ ମିଶ୍ର ତଥା ଭାଷାପ୍ରାଣ ବ୍ରହ୍ମାନନ୍ଦ ବେହେରା ଏବଂ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ପକ୍ଷରୁ ଉପଜିଲ୍ଲାପାଳ ସ୍ମାରକପତ୍ର ଗ୍ରହଣ କରିଛନ୍ତି ।

କଳାପତାକା ଅଭିଯାନରେ ଯୋଗଦେଇ ଭାଷା ବନ୍ଦନାରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ମାରକପତ୍ର ପ୍ରଦାନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜନନେତା ରବୀନ୍ଦ୍ର କୁମାର ବେହେରା, ବିଶିଷ୍ଟ ପରିବେଶବିତ୍ ଉଦୟନାଥ ଚୌଧୁରୀ, କାଜଲ୍ ଚୌଧୁରୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, ବସନ୍ତ କୁମାର ମଲ୍ଲିକ, ନିରଞ୍ଜନ ପରିଡ଼ା,ସଞ୍ଜୟ କୁମାର ମହାପାତ୍ର, ପ୍ରଭାତ ଦାସ,ସଞ୍ଜୟ କୁମାର ସାହୁ, ସଞ୍ଜୟ ରାଉତ ଓ ମୀର୍ ମୁର୍ସିଦ ପ୍ରମୁଖ । ଚିତ୍ରୋତ୍ତଳନ ଦାୟିତ୍ବ ନିର୍ବାହ କରିଛନ୍ତି ଆଶିଷ କୁମାର ବେହେରା ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁଷ୍ଠିତ ଏହି ଅଭୂତପୂର୍ବ ପ୍ରଦର୍ଶନର କେତେକ ଫଟୋଚିତ୍ର ପ୍ରଦାନ କରିଛନ୍ତି ଆଶିଷ କୁମାର ବେହେରା ।

ସ୍ମାରକପତ୍ର ଦିଆସରିବା ପରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ସମବେତ ଭାଷାପ୍ରେମୀମାନଙ୍କୁ ଆନ୍ଦୋଳନର ଗୁରୁତ୍ବ ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ପ୍ରଚଣ୍ଡ ପ୍ରତିବାଦ ପରେ ନବବାବୁଙ୍କ ବିଜେସ୍ଥଳୀରୁ ଆବର୍ଜନା ଉଠିଲା

ଓଡ଼ିଆ ଜାତିର ଚିରପୂଜ୍ୟ ନବକୃଷ୍ଣ ଚୌଧୁରୀଙ୍କ ପବିତ୍ର ପ୍ରତିମୂର୍ତ୍ତି ଆଜି ବି କାଲି ପରି ଅଳିଆ ଆବର୍ଜନାର କୁଢ଼ରେ !

ଯଦି ନବବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରିବା ଇଛାକୃତ ନ ହୋଇଥାନ୍ତା,ଏହିସବୁ ଆବର୍ଜନା ବିଧାନସଭା ସଦର ଫାଟକ ପାର୍ଶ୍ବରେ ଏହିପରି ଗଦା ହୋଇରହିଥାନ୍ତା କି?

ନବବାବୁଙ୍କ ପବିତ୍ର ପ୍ରତିମୂର୍ତ୍ତି ଓଡ଼ିଆ ଜାତି ପାଇଁ ପୂଜ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବା ଅନୁମୋଦନ ବିନା ସଚିବାଳୟ ଓ ବିଧାନସଭା ରାସ୍ତା କଡ଼ରେ ଥିବା ନବବାବୁଙ୍କ ପ୍ରତିମୂର୍ତ୍ତି ପରିସରକୁ ଏପରି ଆବର୍ଜନାମୟ କରି ରଖିବାକୁ ପ୍ରଶାସନ କଣ ସାହସ କରନ୍ତା ?

ହକି ବିଶ୍ଵ କପ ପାଇଁ ଯେତେବେଳେ ରାସ୍ତାକଡ଼ ଏତେ ସଫାସୁତରା , ତମାମ ସଚିବାଳୟ ଓ ବିଧାନସଭା ପ୍ରାଚୀରରେ ଝିଲିମିଲି ଆଲୁଅର ବନ୍ୟା, ନିକଟସ୍ଥ ଗଛ ଡାଳରେ ଚାନ୍ଦୁଆ ଆଲୋକର ଝର ଝଲକ, ସେତେବେଳେ ଏହି ଆବର୍ଜନା କେମିତି କୁଢେଇ ହୋଇ ରହିଥାନ୍ତା ପରମ ପୂଜ୍ୟ ନବବାବୁଙ୍କ ବିଜେସ୍ଥଳୀରେ ବିଧାନସଭାର ମୁଖ୍ୟ ଫାଟକ କଡ଼ରେ ?

ବିଜୁ ବାବୁଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ନେଇ ନଥିଲେ ବୋଲି ନବ ବାବୁଙ୍କ ଉପରେ କଣ ନବୀନ ବାବୁଙ୍କ ଏତେ ରାଗ ଯେ, ସେ କରିଥିବା ଭାଷା ଆଇନକୁ ବାପା ପୁଅ ମିଶି ଛୁରୀ ମାରିଲେ ଯଥାକ୍ରମେ ୧୯୬୩ ରେ ଓ ୨୦୧୮ରେ ଏବଂ ଏବେ ସାରା ବିଶ୍ଵର ନଜର ଭୁବନେଶ୍ୱରରେ ପଡିଥିବା ବେଳେ ସର୍ବ ସମକ୍ଷରେ ତାଙ୍କ ପ୍ରତିମୂର୍ତ୍ତିକୁ ଆବର୍ଜନାମୟ କରି ରଖା ହୋଇଛି ?

ଏ ପ୍ରଶ୍ନ ପଚାରିଥିଲେ ଗତକାଲି ଭାଷା ଆନ୍ଦୋଳନର କଳାପତାକା ଅଭିଯାତ୍ରୀ ଗିରିଜାକାନ୍ତ ମିଶ୍ର, ବ୍ରହ୍ମାନନ୍ଦ ବେହେରା,କମଳଲୋଚନ ନାୟକ,ସୁଭାଷ ଚନ୍ଦ୍ର ପ୍ରଧାନ ଓ ଜିତେନ୍ କୁମାର ରାଉତ,ସୁଭାଷ ଚନ୍ଦ୍ର ପଟ୍ଟନାୟକ ଏବଂ ଆଶିଷ କୁମାର ବେହେରା । କାରଣ, ORISSA MATTERSରେ ଆଲୋଚନା ସତ୍ତ୍ବେ ଆବର୍ଜନା କୁଢ଼ କବଳରୁ ନବବାବୁଙ୍କ ପବିତ୍ର ପ୍ରତିମୂର୍ତ୍ତିର ନିସ୍ତାର ନଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଦୂଷିତ ଅଭିସନ୍ଧି ପଦାକୁ ଆସିବା ପରେ ବାଧ୍ୟହୋଇ ଆଜି ସରକାରୀ କଳ କୁଢ଼ କରିଥିବା ଆବର୍ଜନା ଉଠାଇ ନେଇଛନ୍ତି ।