ଓଡ଼ିଆରେ ଓଡ଼ିଶାର ସରକାରୀ କାମ ପାଇଁ ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତାର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ସକାଶେ ଆଇନ ପ୍ରଣୟନ ହେବା ଦାବିରେ ଭାଷା ଆନ୍ଦୋଳନ, ଓଡିଶା ଗତ ୧୩. ୪. ୨୦୧୬ ତାରିଖରୁ ଭୁବନେଶ୍ୱରରେ ଶାନ୍ତିପୂର୍ଣ କଳାପତାକା ପଦଯାତ୍ରା ଚଳାଇଛି ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଏକା ଶୃଙ୍ଖଳାରେ ମଧ୍ୟ ଏହିପରି ସାମୟିକ ପଦଯାତ୍ରା ହେଉଛି । ଏହିକ୍ରମରେ ଆଜି ଦିବା ୧୧ଟାରେ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖରୁ ଶ୍ରୀଜଗନ୍ନାଥଙ୍କ ଷୋଳକଳାର ପ୍ରତୀକ ଭାବେ ୧୬ଟି କଳାପତାକା ଓ ଦାବିଫଳକ ସହ ଭାଷାପ୍ରେମୀମାନଙ୍କର ଶାନ୍ତିପୂର୍ଣ୍ଣ ନିରବ ପଦଯାତ୍ରା ବାହାରି ପୁରୀ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ତରଫରୁ ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ ଏହା ଗ୍ରହଣ କରିଛନ୍ତି । ଭାଷା ଆନ୍ଦୋଳନର ଛତ୍ରପୁର ମୁଖ୍ୟ ସୌମ୍ୟ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକ ଜରିଆରେ ଏହାର ସିଧା ପ୍ରସାରଣ କରିଥିବା ବେଳେ ଆମ ଫଟୋଗ୍ରାଫର ଆଶିଷ ଆଶିଷ କୁମାର ଉଠାଇଥିବା ଫଟୋଚିତ୍ରରୁ କେତେକ ନିମ୍ନରେ ଦିଆଗଲା :
Category: Persons
ସ୍ଵତନ୍ତ୍ର ବିଧାନସଭା ଡାକ ଓ ଭାଷା ଆଇନର ୪-କ ବିଲୋପନ ତଥା ସାନି ସଂଶୋଧନ କର : ଭାଷା ଆନ୍ଦୋଳନ
ସି.ପି.ଆଇ (ମାର୍କ୍ସବାଦୀ)ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓଡିଶା ସରକାରୀ ଭାଷା ଆଇନ (ତୃତୀୟ ସଂଶୋଧନ) ବିଧେୟକ,୨୦୧୮ ଆଗତ କରିବାକୁ ଚିଠା ସହ ନୋଟିସ ଦେବାପରେ ଅତି ପ୍ରଚଣ୍ଡ ବେଗରେ ବିଧାନସଭା ବନ୍ଦ କରାଯାଇ ଯେପରି ଭାଷା ଆଇନର ନିର୍ଭୁଲ ସଂଶୋଧନ ପଥ ଅବରୁଦ୍ଧ କରାଯାଇଛି, ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାର ତୀବ୍ର ନିନ୍ଦାକରି, ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇ ଶ୍ରୀ ମୁଣ୍ଡାଙ୍କ ବିଧେୟକ ଗ୍ରହଣ କରି ଭାଷା ଆଇନରୁ ଧାରା ୪-କର ବିଲୋପନ କରିବାକୁ ଓ ମୂଳ ଆଇନକୁ ଅକ୍ଷୁର୍ଣ ରଖି ତାର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡ ବିଧାନ ବ୍ୟବସ୍ତା କରିବାକୁ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ।
ଭାଷା ଆନ୍ଦୋଳନର ପୁରୀ ଜିଲ୍ଲା ଶାଖା ଅନୁକୁଲ୍ୟରେ ଆଜି ଅନୁଷ୍ଠିତ ଅଭୂତପୂର୍ବ କଳାପତାକା ଅଭିଯାନରେ ଅଂଶଗ୍ରହଣ କରି ଶ୍ରୀ ପଟ୍ଟନାୟକ ଏହି ଆହ୍ବାନ ଦେଇଛନ୍ତି ।
ଆନ୍ଦୋଳନର ସଭାପତି ମଣ୍ଡଳୀର ସଦସ୍ୟ ସର୍ବଶ୍ରୀ ସୁଭାଷ ଚନ୍ଦ୍ର ପ୍ରଧାନ, କମଳଲୋଚନା ନାୟକ ଓ ଗିରିଜକାନ୍ତ ମିଶ୍ର ତଥା ଜିଲ୍ଲା ଶାଖାର ନେତୃତ୍ବ ସର୍ବଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ,ଗୋବିନ୍ଦ ଚନ୍ଦ୍ର ମହାନ୍ତି,ନୀଳକଣ୍ଠ ବେହେରା, ବିବୁଧେନ୍ଦ୍ର ବିଦ୍ୟାଧର,ନରେନ୍ଦ୍ର ସାହୁ,ଶୁଭାଶିଷ ପଟ୍ଟନାୟକ,ସଞ୍ଜୟ କୁମାର ସାହୁ,ଜିତେନ୍ କୁମାର ରାଉତ,ଆଶିଷ କୁମାର ବେହେରା,ଶିଶିର କୁମାର ସାହୁ,ଆଶିଷ କୁମାର ସାହୁ,ରବିନାରାୟଣ ମିଶ୍ର,ପ୍ରବୀର ଦେଓ,କୁନିମଣି ଦେଓ,ଅଚ୍ୟୁତାନନ୍ଦ ପଟେଲ ପ୍ରମୁଖ କଳାପତାକା ଅଭିଯାନର ନେତୃତ୍ବ ନେଇ ଓଡ଼ିଆ ଭାଷା ବିରୁଦ୍ଧରେ ସରକାରୀ ଷଡଯନ୍ତ୍ର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଦେଇଛନ୍ତି । ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଏହି ସ୍ମାରକପତ୍ର ଗ୍ରହଣ କରିଥିଲେ ।
ବିଧାନସଭା ସ୍ବାଧୀକାର ସଚେତନ କି? ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡିଶା ବିଧାନସଭା ଯଦି ସ୍ବାଧୀକାର ସଚେତନ, ତେବେ କାଳବିଳମ୍ବ ନ କରି ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ କରୁ । ଓଡିଶା ସରକାରୀ ଭାଷା ଆଇନ ସଂଶୋଧନ ବ୍ୟାପାରରେ ଜାଣିଶୁଣି ମିଛ କହି ଏ ମହାଶୟ ବିଧାନସଭାକୁ ପ୍ରତାରିତ କରିଛନ୍ତି ଓ ନିଜ ଅଶୁଦ୍ଧ ଅଭିସନ୍ଧିର କ୍ରୀଡ଼ନକ ବନାଇଛନ୍ତି । ଉଦାହରଣ ସ୍ବରୂପ ୧.୫.୨୦୧୮ ତାରିଖରେ ଭାଷା ଆଇନରେ ଯେଉଁ ସଂଶୋଧନ ହେଲା ତାହାର ଉଦ୍ଦେଶ୍ୟ ଓ କାରଣ କଥନରେ ମିଛ କଥା କହି ବିଧାନସଭାକୁ ପ୍ରତାରିତ କରାହୋଇଛି । ତହିଁର ଫଟୋଚିତ୍ର ମୁଁ ଏଠାରେ ରଖିଲି:

ଏହା ମିଛ ଉପରେ ଆଧାରିତ । ମୁଖ୍ୟମନ୍ତ୍ରୀ ଜାଣନ୍ତି ଯେ ଏହା ମିଛ ଉପରେ ଆଧାରିତ । କାରଣ, ୧୪.୩.୨୦୧୮ ତାରିଖରେ ତାଙ୍କରି ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବର ବିକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା । ତାହା ନିମ୍ନରେ ଦେଲି :
ଅଥଚ ୧୪.୩.୨୦୧୮ ତାରିଖର ଏହି ପ୍ରସ୍ତାବକୁ ସମ୍ପୂର୍ଣ୍ଣତଃ ଲୁଚେଇରଖି ୧.୫.୨୦୧୮ ତାରିଖରେ ଯେଉଁ ସଂଶୋଧନ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ବିଧାନସଭା ସମ୍ମୁଖରେ ରଖିଲେ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ହିଁ ତାର ଉଦ୍ଦେଶ୍ୟ ଓ କାରଣ ବୋଲି କୁହାହେଲା । କୌତୁହଳର କଥା, ସେହିଦିନ ଆଗତ ଓ ଗୃହୀତ ଅନ୍ୟ କୌଣସି ବିଧେୟକରେ କୌଣସି କ୍ୟାବିନେଟ ପ୍ରସ୍ତାବକୁ ତହିଁର ଆଧାର ଭାବେ ପ୍ରଦର୍ଶିତ କରା ହୋଇନଥିବା ବେଳେ, ଏହି ନିର୍ଦ୍ଦିଷ୍ଟ ବିଧେୟକରେ ଏହି ବ୍ୟତିକ୍ରମ ହୋଇଥିଲା । ଅଥଚ କୌଣସି ଜଣେ ବି ଆଲୋଚନାକାରୀ ବିଧାୟକ ଏ ପ୍ରସଙ୍ଗ ଉଠାଇନଥିଲେ କି ସେହି ପ୍ରସ୍ତାବଟି କଣ ଥିଲା , ତାହା ଜାଣିବାକୁ ଚାହିଁ ନଥିଲେ ! ମୁଁ ଯେତେବେଳେ ଏହାର ବୈଧତାକୁ ପ୍ରଶ୍ନ କଲି ଓ ବିଧାନସଭାରେ ଗୃହୀତ ବିଧେୟକଙ୍କୁ ମଞ୍ଜୁରୀ ନ ଦେବାକୁ ରାଜ୍ୟପାଳଙ୍କୁ କହିଲି ଓ ତହିଁ ପରେ ତାହାକୁ ସାନି ସଂଶୋଧନ ଦ୍ଵାରା ବିଲୋପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଲି, ଭାଷା ଆନ୍ଦୋଳନକୁ ଦୁର୍ବଳ କରିଦେବା ପାଇଁ ସରକାରୀ ଷଡ଼ଯନ୍ତ୍ର ଜୋରଦାର ହେଲା ଓ ପ୍ରଦ୍ୟୁମ୍ନ ଶତପଥୀ ତଥା ପବିତ୍ର ମହାରଥା ନାମକ ମୋର ଦୁଇ ସହକର୍ମୀଙ୍କ ଭାଷା ଆନ୍ଦୋଳନ ବିରୁଦ୍ଧରେ ସୁପାରୀ ହତ୍ୟାକାରୀ ଭାବେ ପ୍ରୟୋଗ କରାଗଲା । ଓଡିଶା ଲୋକଙ୍କୁ ପ୍ରତାରିତ କରିବା ପାଇଁ ଗତ ଅଧିବେଶନର ଶେଷ ଦିବସରେ ସରକାରୀ ଭାଷା ଆଇନର ଦ୍ବିତୀୟ ସଂଶୋଧନ କରାଯାଇ ପ୍ରଥମ ସଂଶୋଧନର ଅବୈଧତାକୁ କାଏମ ବି ରଖାଗଲା । ଅତଏବ, ୧.୫.୨୦୧୮ ତାରିଖରେ ବିଧାନସଭା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରବଞ୍ଚନା ପ୍ରୟୋଗ କରିଥିଲେ ୧୯.୯.୨୦୧୮ ତାରିଖରେ ବି ସେହି ପ୍ରବଞ୍ଚନା ପୁନଃ ଜାହିର କଲେ । ଏହା ଏକ ନିରନ୍ତର ପ୍ରବଞ୍ଚନା ଯାହାର ଶିକାର ଓଡିଶା ବିଧାନସଭା ।
ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କ ଅପରାଧିକ ଅଭିସନ୍ଧି କ’ଣ ତାହା ସ୍ପଷ୍ଟ ହେଵା ଉଚିତ । ଏକ ଭିନ୍ନ ନିବନ୍ଧରେ ତାହା ମୁଁ ଚର୍ଚ୍ଚା କରିବି ; କାରଣ ତାହା ଏହି ନିବନ୍ଧର ପରିସର ବହିର୍ଭୁତ ।
ଏହି ନିବନ୍ଧ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଖୋଜୁଛି । ତାହା ହେଲା, ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ସୃଷ୍ଟିକରିଥିବା ଓଡିଶା ସରକାରୀ ଭାଷା ଆଇନ, ୧୯୫୪ର ସଂଶୋଧନ ପାଇଁ ୧୪.୩.୨୦୧୮ ତାରିଖର କ୍ୟାବିନେଟ ବୈଠକରେ ଯେଉଁ ନିଷ୍ପତ୍ତି ହୋଇଥିଲା ସେ ସମ୍ପର୍କରେ ବିଧାନସଭାକୁ ସମ୍ପୂର୍ଣ୍ଣ ଅନ୍ଧକାରରେ ରଖି, ସେହି କ୍ୟାବିନେଟ ଅଗ୍ରାହ୍ୟ କରିଥିବା ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ଉପରେ ସଂଶୋଧନ ଘଟାଇବାକୁ ମୁଖ୍ୟମନ୍ତ୍ରୀ ଯେପରି ବିଧାନସଭାକୁ ଗଉଡ଼ ଗାଈ ଅଡ଼େଇଲା ପରି ଯଦ୍ଦୃଚ୍ଛା ଅଡ଼େଇ ନେଲେ ତାହା ବିଧାନସଭାର ଗାରିମା ହାନୀ କରିଛି କି ନାହିଁ? ଏହି ଦୃଶ୍ୟମାନ କ୍ୟାବିନେଟ୍ ସ୍କାମ୍ ପ୍ରେକ୍ଷାପଟରେ ତହିଁର ଶିକାର ହୋଇଥିବା ବିଧାନସଭା ନିଜର ସ୍ଵାଧିକାର ଖୋଜବା ଆବଶ୍ୟକ କି ଅନାବଶ୍ୟକ?
ବିଧାନସଭା ଏହା ଉପରେ ଧ୍ୟାନ ଦେଉ ଓ ନିଜ ମହତ ନିଜେ ରକ୍ଷାକରୁ ।
ମୂଳ ଭାଷା ଆଇନ ଅକ୍ଷୁର୍ଣ୍ଣ ରଖି ସାନି ସଂଶୋଧନ କର : ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନର ପତ୍ର
ବିଶେଷ ପ୍ରତିନିଧିଙ୍କ ଠାରୁ
ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିବାକୁ ଭାଷା ଆନ୍ଦୋଳନର ଦାବି ପୂର୍ଣ୍ଣତଃ ପୂରଣ କରିବା ସକାଶେ ଭାଷା ଆନ୍ଦୋଳନର ନବ ନିର୍ବାଚିତ ସଭାପତିମଣ୍ଡଳୀ ନଭେମ୍ବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଦେଇଅଛି । ତାହା ନିମ୍ନରେ ପ୍ରଦତ୍ତ ହେଲା –
ଭାଷା ଆନ୍ଦୋଳନର ନୂତନ ନେତୃତ୍ଵ
ବିଶେଷ ସମ୍ବାଦଦାତା
ଭାଷା ଆନ୍ଦୋଳନ,ଓଡ଼ିଶା ଏଣିକି ଏକ ସଭାପତିମଣ୍ଡଳୀର ଯୌଥ ନେତୃତ୍ବରେ ପରିଚାଳିତ ହେବ ।
ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି ।
ଏତଦନୁଯାୟୀ ଏହି ସଭାପତିମଣ୍ଡଳୀରେ ଅଧିଷ୍ଠିତ ହୋଇଛନ୍ତି ଓଡ଼ିଶାରେ ଭାଷା ଅସ୍ମିତାର ନୂତନ ଯୁଗ ପ୍ରବର୍ତ୍ତକ କବି ଊ ଅଧିବକ୍ତା ଗଜାନନ ମିଶ୍ର,ଅନ୍ୟତମ ଆଦ୍ୟ ଉଦ୍ୟୋକ୍ତା ଅର୍ଜୁନ ଚରଣ ସାମନ୍ତରାୟ (ବରିଷ୍ଠ ଅଧିବକ୍ତା),ବିଶିଷ୍ଟ ବୈଜ୍ଞାନିକ ଡଃ ଅଶୋକ ମିଶ୍ର, ବିଶିଷ୍ଟ ସମାଜସେବୀ କମଳଲୋଚନ ନାୟକ, ଓଡ଼ିଆ ଅସ୍ମିତାର ବିଶିଷ୍ଟ ଉଦ୍ଘୋଷକ ସୁଭାଷ ଚନ୍ଦ୍ର ପ୍ରଧାନ,ଧ୍ରୁବ ଚରଣ ମହାନ୍ତି (ଅଧିବକ୍ତା ଓ ଗିରିଜାକାନ୍ତ ମିଶ୍ର (ଅଧିବକ୍ତା) ।
ଭାଷା ଆନ୍ଦୋଳନର ନୂତନ ରଣକୌଶଳ ଏହି ସଭାପତିମଣ୍ଡଳୀଙ୍କ ନେତୃତ୍ବରେ କାର୍ଯ୍ୟକାରୀ ହେବ ।













