ଅଧ୍ୟାପକ ପାଢ଼ୀଙ୍କ ଅଭିଭାଷଣ
Category: Persons
ଓଡ଼ିଆରେ ଓଡ଼ିଶା: ବାଧା ସୃଷ୍ଟିକାରୀକୁ ହଟାଅ , ଦଣ୍ଡ ଦିଅ – ଦାଶ ବେନହୁର
ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଓଡ଼ିଆ ଜାତିର ଗଣତାନ୍ତ୍ରିକ ଅଧିକାର । ଏହି ଅଧିକାର ହାସଲ ପାଇଁ ଚାଲିଛି ଭାଷା ଆନ୍ଦୋଳନ – କଳା ପତାକା ଅଭିଯାନ ।
କରୋନା ମହାମାରୀ ହେତୁ ଏହି ଅଭିଯାନ କାୟିକତଃ ସ୍ଥଗିତ ଥାଇ ବୌଦ୍ଧିକ ସ୍ତରରେ ଚାଲିଛି । ପ୍ରତି ସୋମବାର ଓଡ଼ିଶାର ଜଣେ ଜଣେ ବିଜ୍ଞ ବ୍ୟକ୍ତି ଆନ୍ଦୋଳନର ଫେସବୁକ ମଞ୍ଚରେ ଥିବା ‘ଭାଷା ମା ପାଇଁ ପଦେ‘ ପୃଷ୍ଠାରୁ ପ୍ରାସଙ୍ଗିକ ଅଭିମତ ରଖୁଛନ୍ତି, ଯାହା ସିଧା ପ୍ରସାରିତ ହେଉଛି ।
ଏହି କ୍ରମରେ ସୁବିଦିତ ସାହିତ୍ୟିକ, ପ୍ରଫେସର ଜିତେନ୍ଦ୍ରନାରାୟଣ ଦାଶ (ଦାଶ ବେନହୁର) ନଭେମ୍ବର ୩୦ ଅପରାହ୍ନ ୪ଟା ବେଳେ ଦେଇଥିବା ଅଭିଭାଷଣ ୟୁଟ୍ୟୁବ୍ ଯୋଗେ ପରିବେଷିତ ହୋଇଛି ।
ବର୍ତ୍ତମାନର ଓଡ଼ିଆଙ୍କୁ ଆଗାମୀ ପିଢ଼ିର ଆହ୍ଵାନ
ସୂତ୍ର – ଭାଷା ମାଆ ପାଇଁ ପଦେ
ଯେଉଁ ରାଜ୍ୟରେ ଭାଷା ଅଧିକାର ହାସଲ ପାଇଁ ୧୬୮୫ ଦିନ ବ୍ୟାପୀ ଚାଲିଥିବା ଏହି ଅନୁପମ ଆନ୍ଦୋଳନ ପ୍ରତି ରାଜ୍ୟ ସରକାର କର୍ଣ୍ଣପାତ ନ କରନ୍ତି, ସେ ରାଜ୍ୟବାସୀ ଯଦି ଭାଷା ଆନ୍ଦୋଳନ ସହ କାୟମନୋବାକ୍ୟରେ ସମ୍ପୃକ୍ତ ନ ହୁଅନ୍ତି , ତେବେ ସମୟ ଆସିବ, ଓଡ଼ିଆ ଭାଷା ଅସ୍ତିତ୍ଵ ହରାଇଥିବ, ଓଡ଼ିଆ ଜାତିର ଭବିଷ୍ୟ ପିଢ଼ି କହୁଥିବ, ଆମର ଏକ ଭାଷା ଥିଲା ଯାହା ନାମ ଓଡ଼ିଆ । ଓଡ଼ିଆ ଜାତିର ପରିଚୟ ହଜିଯାଇଥିବ ଏବଂ ଭବିଷ୍ୟ ପିଢ଼ି ପାଖରେ ବର୍ତ୍ତମାନ ପିଢ଼ିର ଯେଉଁ ପରିଚୟ ଥିବ, ତାହା ଥିବ ମାତୃହନ୍ତାର ପରିଚୟ; କାରଣ, ମା ଓ ମାତୃଭାଷା ଉଭୟେ ସମାନ । ଏହି ଭବିତବ୍ୟ ଦୁର୍ଭାଗ୍ୟ କବଳରୁ ବର୍ତ୍ତମାନର ଓଡ଼ିଆ ସମାଜ ନିଜକୁ ରକ୍ଷାକରୁ ବୋଲି ପ୍ରାଣର ଅବେଗରେ କହିଥିଲେ ଶ୍ରୀମାନ୍ ଶତପଥୀ, ଯେ କି ତାଙ୍କ ପରି ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରି ବଲାଙ୍ଗୀରରେ ଓଡ଼ିଆ ଭାଷା ସ୍ଵାର୍ଥରେ ଗଢ଼ିଛନ୍ତି ଏକ ଅନୁପମ ସଂଗଠନ “ମହାନ ଆମ ମାତୃଭାଷା ସଙ୍ଘ” ।
ସେ କହିଛନ୍ତି ଆବଶ୍ୟକତା ନଥିଲେ ଆଦର କମିଯାଇଥାଏ, ଯାହା ଆମ ଭାଷା କ୍ଷେତ୍ରରେ ଦେଖାଯାଉଛି | ତେଣୁ ଯେହେତୁ ସରକାରୀ ସ୍ତରରେ ଆଜି ମାତୃଭାଷାର ଆବଶ୍ୟକତାନାହିଁ, ଜଣେ ପଢିବ କାହିଁକି ? ଓଡ଼ିଆ ଭାଷା ପ୍ରତି ଆଦର ଅଭାବରୁ ଆଜି ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଛାତ୍ରମାନଙ୍କ ଭବିଷ୍ୟ ଅନ୍ଧାର | ଇଂରାଜୀମାଧ୍ୟମ ବିଦ୍ୟାଳୟଗୁଡ଼ିକର ଚାହିଦା ସହ “ସ୍ପୋକେନ ଇଂଲିଶ” ପ୍ରତି ଅହେତୁକ ପ୍ରେମ ଦେଖାଯାଉଛି, ଯଦ୍ଦ୍ଵାରା ଘରେ ପିତାମାତାମାନେ ମଧ୍ୟ ପିଲାମାନଙ୍କ ସହ ଇଂରାଜୀରେ କଥା ହେଉଛନ୍ତି | ଅର୍ଥାତ, ମୂଳରୁ ଆମେ ଆମ ଭାଷାର ବିନାଶ କରୁଛେ |
“ସାହିତ୍ୟ ବଞ୍ଚିଥିବା ପର୍ଯ୍ୟନ୍ତ ଭାଷା ମରିବନି”ବୋଲି ଯେଉଁମାନେ ଯୁକ୍ତି କରନ୍ତି ସେମାନେ ଓଡ଼ିଆ ଭାଷାର ପ୍ରକୃତ ଆବଶ୍ୟକତା ସମ୍ପର୍କରେ ଉଦାସୀନ । ସାହିତ୍ୟ ଅନେକ ଲେଖାଯାଉଛି ସତ୍ୟ, କିନ୍ତୁ ଲୋକାଭିମୁଖୀ ସାହିତ୍ୟର ଘୋର ଅଭାବ ଦେଖାଦେଉଛି । ଆମ ଲୋକଙ୍କ ହୃଦୟକୁ ସ୍ପର୍ଶ କରିପାରୁନି ଆଧୁନିକ ସାହିତ୍ୟ; ଫଳରେ ଲୋକେ ସାହିତ୍ୟଠାରୁ ମୁହଁ ଫେରାଇ ନେଉଛନ୍ତି । ସାହିତ୍ୟ ହୋଇଗଲାଣି ପାଠକମାରଣ ସାହିତ୍ୟ । ସାହିତ୍ୟିକମାନେ ଏହି ବାସ୍ତବତା ଅନୁଭବ କରନ୍ତୁ ଓ ଯଶମନସ୍କ ନ ହୋଇ ଭାଷାମନସ୍କ ହୁଅନ୍ତୁ ବୋଲି କହି , ସେ କହିଛନ୍ତି, ଲୋକ ବ୍ୟବହାର ଓ ଶାସନର ଭାଷା ନହେଲେ, ଭାଷା ମରିଯାଏ।
ଭାଷା ଜନନୀ ପାଇଁ ଆମ ଆଗାମୀ ପିଢ଼ିର ହୃଦୟର ଉତ୍କଣ୍ଠା ଅନୁଭବ କରିବା ପାଇଁ ଏହି ହୃଦୟସ୍ପର୍ଶୀ ଭାଷଣ ବର୍ତ୍ତମାନର ସମଗ୍ର ଓଡ଼ିଆ ଜାତି ଅନୁଧ୍ୟାନ କରନ୍ତୁ ।
ସେଥିପାଇଁ ଭାଷା ଆନ୍ଦୋଳନର ଫେସବୁକ ମଞ୍ଚରେ ଥିବା ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ସିଧା ପ୍ରସାରିତ ଏହି ବାସ୍ତବ ଚିତ୍ର ପ୍ରଦାୟକ ଅଭିଭାଷଣକୁ ସେହି ପୃଷ୍ଠାର ପରିସୀମା ବାହାରେ ଥିବା ସବୁ ଓଡ଼ିଆଙ୍କ ଅବଗତି ପାଇଁ ଏଠାରେ ସ୍ଥାନିତ କରାହୋଇଛି ।
ବିଷୟ ଥିଲା “ଆଗାମୀ ପିଢ଼ି ପାଇଁ ମାତୃଭାଷା । ସିଧା ପ୍ରସାରଣରେ ସହଯୋଗ କରିଥିଲେ ଓଡ଼ିଶାର ଅନ୍ୟତମ ଯୁବ ପ୍ରତିଭା ରଞ୍ଜନ କୁମାର ସାହୁ, ଚାର୍ଟଡ ଆକାଉଣ୍ଟାଣ୍ଟ ।
ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ ନହେଲେ ଅପଚିକିତ୍ସାରେ ଲୋକେ ମରୁଥିବେ: ଡଃ ଦେବାଶିଷ ଜ୍ୟେଷ୍ଠୀ
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ରୋଗୀ ସହ ଡାକ୍ତରଙ୍କ ସମ୍ପର୍କ ସନ୍ତାନ ସହ ମାଆର ସମ୍ପର୍କ ପରି ହେବା ଆବଶ୍ୟକ । ତେଣୁ ଚିକିତ୍ସା ପରାମର୍ଶରେ ମାତୃଭାଷାର ପ୍ରୟୋଗ ଯେଉଁ ପର୍ଯ୍ୟନ୍ତ ଅଲଙ୍ଘ୍ୟ ନ ହୋଇଛି, ସେ ପର୍ଯ୍ୟନ୍ତ ଅପଚିକିତ୍ସାରେ ଲୋକେ ମରୁଥିବେ ବୋଲି କହିଛନ୍ତି ସୁବିଦିତ ଚିକିତ୍ସକ ଡଃ। ଦେବାଶିଷ ଜ୍ୟେଷ୍ଠୀ ।
କରୋନା ପାଇଁ କାୟିକତଃ ସ୍ଥଗିତ ଥିବା କଳା ପତାକା ଅଭିଯାନର ବୌଦ୍ଧିକ ସଂସ୍କରଣରେ ସ୍ୱାସ୍ଥ୍ୟ ପାଇଁ ମାତୃଭାଷା ଶୀର୍ଷକ ଅଭିଭାଷଣ ରଖି ଏହି ମହାନ୍ ମାନବବାଦୀ ଭାଷାପ୍ରାଣ ଚିକିତ୍ସକ ସୁଚାଇଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ଲୋକମାନଙ୍କ ବିତରୁ ଯେଉଁମାନଙ୍କ ଭାଷା ଇଂରାଜୀ ନୁହେଁ, ସେମାନଙ୍କୁ ଇଂରାଜୀ ଭାଷାରେ ଦିଆଯାଉଥିବା ଚିକିତ୍ସା ପରାମର୍ଶ କିପରି କାମ କରୁଛି ତାହା ଜାଣିବାକୁ ୨୦୦୬ ମସିହାରେ ଏକ ସର୍ବେକ୍ଷଣ ହୋଇଥିଲା । ତାହିରୁ ଦେଖାଗଲା, ଇଂରାଜୀରେ ଲେଖା ହୋଇଥିବା ନିଦାନ ପତ୍ର ଠିକ୍ ଭାବେ ବୁଝି ନପାରି ଔଷଧ ବ୍ୟବହାରରେ ବିଭ୍ରାଟ ହେତୁ ସେ ବର୍ଷ ଅନ୍ୟୁନ୍ୟ ୭୦୦୦ ରୋଗୀ ଅକାଳରେ ମାରିଯାଇଥିଲେ ।
ଆମ ଓଡ଼ିଶାରେ ଏ ଅବସ୍ଥା ଅତ୍ୟନ୍ତ ଉତ୍କଟ । ଇଂରାଜୀ ଭାଷାରେ ଲେଖା ହେଉଥିବା ନିଦାନପତ୍ରରେ ଡାକ୍ତରମାନଙ୍କ ଅସ୍ପଷ୍ଟ ଅକ୍ଷର , ଅସମ୍ପୂର୍ଣ୍ଣ ପରାମର୍ଶ ରୋଗୀ ପାଇଁ ଦୁର୍ବୋଧ୍ୟ । ତେଣୁ ଅନେକ ରୋଗୀ ହୁଏତ ଚିକିତ୍ସାଧୀନ ଅବସ୍ଥାରେ ମରିଯାଉଛନ୍ତି ବା କୁହା ହୋଇଥିବା ଔଷଧକୁ ଠିକ୍ ଭାବେ ନେଇ ନ ଜାଣି ଗୁରୁତର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ଭୋଗୁଛନ୍ତି ।
ସେ କହିଲେ, ମାତୃଭାଷାରେ ଚିକିତ୍ସା ପ୍ରଦାନ ପାଇଁ ଡାକ୍ତରମାନଙ୍କ ଆଚରଣ ସଂହିତାରେ ସ୍ପଷ୍ଟ ବ୍ୟବସ୍ଥା ଥିବା ବେଳେ, ଔଷଧ ଚିଠା ରୋଗୀ ନ ଜାଣିଥିବା ଇଂରାଜୀ ଭାଷାରେ ଦିଆ ଯିବା ଲୋକଙ୍କ ଜୀବନ ଉପରେ ଚିକିତ୍ସକୀୟ ବିପତ୍ତି ସୃଷ୍ଟି ସହ ସମାନ । ଆମ ଓଡ଼ିଶାର ଡାକ୍ତରମାନେ ତ ଏଇ ମାଟିରେ ଜନ୍ମ ହୋଇଛନ୍ତି, ଏଇ ମାଟିରେ ବଢିଛନ୍ତି, ପଢିଛନ୍ତି । ସେମାନେ କେଉଁ ବିଦେଶରୁ ଆସିଛନ୍ତି ଯେ, ଓଡ଼ିଆ ଭାଷାରେ ନିଦାନ ପ୍ରଦାନ କରିବାକୁ ସେମାନେ ଅଯୋଗ୍ୟ? ଔଷଧର ବୈଜ୍ଞାନିକ ନାମ କୌଣସି ଆନ୍ତର୍ଜାତିକ ଭାଷାରେ ଥାଇପାରେ , ଯାହାକୁ ଡାକ୍ତରୀ ବିଦ୍ୟା ପଢିଲାବେଳେ ସେମାନେ ଜାଣିଥାଇପାରନ୍ତି । କିନ୍ତୁ ଓଡ଼ିଆ ରୋଗୀଟିଏ କିପରି ତାକୁ ବ୍ୟବହାର କରିବ , କେଉଁ ପଥି ନେବ, ତାହା ଓଡ଼ିଆରେ ଲେଖିବାରେ ଅସୁବିଧା କଣ? ଆଚରଣ ସଂହିତା ଯେତେବେଳେ ମାତୃଭାଷାରେ ଏସବୁ ପ୍ରଦାନ କରାଯିବା ଦରକାର ବୋଲି କହିଛି , ଏହା କାର୍ଯ୍ୟକାରୀ ହେବା ଆବଶ୍ୟକ ।
ଭାଷା ଆନ୍ଦୋଳନର ‘ଆମ ଭାଷା ପାଇଁ ପଦେ’ ପୃଷ୍ଠାରୁ ସିଧା ପ୍ରସାରିତ ଡଃ ଜ୍ୟେଷ୍ଠୀଙ୍କ ଅଭିଭାଷଣ ଏହି ପୃଷ୍ଠାରେ ନଥିବା ସମସ୍ତଙ୍କ ପାଇଁ ସମସ୍ତଙ୍କ ପାଇଁ ସହଜଲଭ୍ୟ ଏହି ୱେବ ପୋର୍ଟାଲର ୟୁ ଟ୍ୟୁବ ମଞ୍ଚରେ ସ୍ଥାନିତ ହୋଇଛି :
ସାହିତ୍ୟିକମାନେ ଭାଷାମନସ୍କ ହୁଅନ୍ତୁ : ଅଧ୍ୟାପକ ଅଶୋକ ମହାରଣା
ଭାଷା ଆନ୍ଦୋଳନର ସୋମବାସରୀୟ ବୌଦ୍ଧିକ ସଂସ୍କରଣରେ କଳାପତାକା ଅଭିଯାନର ଭର୍ଚ୍ୟୁଆଲ ମଞ୍ଚ – ଫେସବୁକ ଅନ୍ତର୍ଗତ ଭାଷା ମା ପାଇଁ ପଦେ – ପୃଷ୍ଠାରୁ ସିଧା ପ୍ରସାରିତ ଅଭିଭାଷଣରେ ଅଧ୍ୟାପକ ଅଶୋକ ମହାରଣା ଓଡ଼ିଆ ସାହିତ୍ୟିକମାନଙ୍କୁ ଭାଷାମନସ୍କ ହେବାକୁ ନଭେମ୍ବର ୨ରେ ଆହ୍ଵାନ ଦେଇଛନ୍ତି । ସେ ପଚାରିଛନ୍ତି – ଭାଷା ବଞ୍ଚିଲେ ସାହିତ୍ୟ ବଞ୍ଚିବ କି ସାହିତ୍ୟ ବଞ୍ଚିଲେ ଭାଷା ବଞ୍ଚିବ?
ସାହିତ୍ୟିକ ଭାବେ ଯଦି କାହାର ପରିଚୟ ସୃଷ୍ଟି ହୋଇଥାଏ ତେବେ ତାହା ଭାଷାକୁ ନେଇ । ଏ କଥା ଭୁଲିଗଲେ ଚଳିବ ନାହିଁ । ତେଣୁ ସାହିତ୍ୟିକମାନେ ଭାଷାମନସ୍କ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ସେ ପୁନଶ୍ଚ କହିଛନ୍ତି, ଓଡ଼ିଆ ଭାଷାର ଛାତିରେ ଆଜି ଇଂରାଜୀ ଦଣ୍ଡାୟମାନ । ଓଡ଼ିଆ ବିଦ୍ୟାଳୟ ଉଜୁଡ଼ି ଯାଉଛି, ସରକାର ଗଢୁଛନ୍ତି ଇଂରାଜୀ ବିଦ୍ୟାଳୟ । ଇଂରାଜୀ ଭାଷାର ବିଜ୍ଞ ପ୍ରଫେସର ଡଃ ବି ॰ଏନ॰ ପଟ୍ଟନାୟକଙ୍କ ପରି ବ୍ୟକ୍ତି କହୁଛନ୍ତି ଶିକ୍ଷା ଦିଆଯାଉ ମାତୃଭାଷାରେ, ଅଥଚ ସରକାର ପ୍ରଥମରୁ ଇଂରାଜୀଶିକ୍ଷା ଉପରେ ଗୁରୁତ୍ଵ ଦେଉଛନ୍ତି । ସାହିତ୍ୟିକମାନେ ପୁରସ୍କାର ଗୋଟେଇବାକୁ ସରକାରଙ୍କ ସାଥିରେ । ଓଡ଼ିଆ ଭାଷା ବଞ୍ଚିବ କେମିତି? ସତେଯେମିତି ଆମ ସରକାର ଆମକୁ କହୁଛନ୍ତି – ଓଡ଼ିଆ ଆମ କାମର ଭାଷା ନୁହେଁ । ଇଂରାଜୀ ରାଜୁତିରେ ଆମ ଭାଷାକୁ ମାରିଦେବା ପାଇଁ ବଙ୍ଗାଳୀ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ କହିଥିଲେ, ଓଡ଼ିଆ ଗୋଟେ ସ୍ଵତନ୍ତ୍ର ଭାଷା ନୁହେଁ । ଏହିପରି ବହୁ ବହୁ କାନ୍ତିଲାଲ ଭଟ୍ଟାଚାର୍ୟ ଏବେ ଆମ ଓଡ଼ିଶାରେ ଅଛନ୍ତି, ଯେଉଁମାନେ ଆମ ଭାଷାକୁ ମାରିବାକୁ ଚେଷ୍ଟା ଚଳାଇଛନ୍ତି ।
କାନ୍ତିଲାଳଙ୍କ ଭ୍ରାନ୍ତ ଦାବିକୁ ବ୍ୟର୍ଥ କରିଥିଲେ ସେତେବେଳର ସାହିତ୍ୟିକମାନେ ମାତୃଭାଷାମନସ୍କ ସାହିତ୍ୟର ପ୍ଲାବନ ଖେଳାଇ । ଏବେ ଆମ ସାହିତ୍ୟିକମାନେ ଭାଷାମନସ୍କ ହୁଅନ୍ତୁ ଓ ଆମ ରାଜ୍ୟରେ ଅପାଂକ୍ତେୟ ହୋଇପଡ଼ିଥିବା ଆମ ମାତୃଭାଷାକୁ ସରକାରୀ ଅବହେଳା କବଳରେ ମରିଯିବାରୁ ବଞ୍ଚାନ୍ତୁ ବୋଲି ସେ ନିବେଦନ କରିଛନ୍ତି ।
ଆଇନ ଅଛି । ଆଇନକୁ କାର୍ଯ୍ୟକାରୀ କରିବାରରେ କୁଣ୍ଠା କାହିଁକି? ବୋଲି ପଚାରିଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଏହି ଛାତ୍ରାବତ୍ସଳ ଅଧ୍ୟାପକ ।
ଫେସବୁକରେ ସିଧା ପ୍ରସାରିତ ତାଙ୍କ ଅଭିଭାଷଣ ୟୁଟ୍ୟୁବ୍ ମାଧ୍ୟମରେ ଏଠାରେ –
