ମହାନ ଆମ ମାତୃଭାଷା ଓ ସ୍ଵଭାବକବି ଗଙ୍ଗାଧର

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଏବେ ଆମ ଜାତି ଏକ ମହା ବିପଦରେ ପଡିଛି । ଏହିପରି ବିପଦରେ ପଡ଼ି ବିଶାଶହେ ବର୍ଷ ତଳେ ଆମ ଜାତି ଯେତେବେଳେ ଆର୍ତ୍ତନାଦ କରୁଥିଲା, ସେହି ବିପଦର ବିଲୋପନ ପାଇଁ ଅଣ୍ଟାଭିଡ଼ିଥିଲେ ଗଙ୍ଗାଧର ମେହେର । କଣ ଥିଲା ସେହି ବିପଦ? ତା ଉପରେ ଦୃଷ୍ଟିପାତ କରି ମୁଁ ମେହେରଙ୍କ ପାଖକୁ ଆସିବି ।

କଳେବଳେକୌଶଳେ ଇଂରାଜି ଲୋକେ ଓଡିଶା ଦଖଲ କରିଗଲେ । ଓଡ଼ିଶା ବିରୁଦ୍ଧରେ ସେତେବେଳେ ଯୁଦ୍ଧରେ ଲିପ୍ତ ଥିବା ବିଲାତି ବାହିନୀର ଅନ୍ୟତମ ତୁଙ୍ଗ ବ୍ୟକ୍ତି ଜି॰ଟୟନବି ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେଇ A sketch of the history of Orissa ଗ୍ରନ୍ଥରେ ଲେଖିଛନ୍ତି, “ଆମ ଝୋଲାମରା ସରିନି, ଏପରି ଏକ ଭୀଷଣ ଝଡ଼ ଆମ ଉପରକୁ ମାଡ଼ିଆସିଥିଲା, ଯାହା ଆମକୁ ସମଗ୍ର ଓଡ଼ିଶାରୁ ନହେଲେ ବି ଖୁରୁଧାରୁ ନିଷ୍କାସିତ କରିଦେବାକୁ ଥିଲା ଯଥେଷ୍ଟ ।” ଫିରିଙ୍ଗୀଙ୍କ ପୋଲିସ ଓ ସେନା ବାହିନୀ ହତାଶ ହୋଇଗଲେ । ସେତେବେଳର ଯୁଗ୍ମ ବିଚାରପତି ଡବ୍ଲ୍ୟୁ ଫରେଷ୍ଟର କମିଶନର ରବର୍ଟ କେରଙ୍କୁ ୯.୯.୧୮୧୮ ତାରିଖରେ ଜଣାଇଲେ, ଓଡ଼ିଶା ମୂଳକର ପ୍ରକୃତି ଏବଂ ଓଡିଆ ଜାତିର ମିଜାଜ ଏପରି ଯେ, ପୋଲିସ ଓ ସେନା ବଳ ଏଠି କିଛି କାମ କରିବନି । ଫରେଷ୍ଟରଙ୍କ ରିପୋର୍ଟ ପାଇ ଇଂରାଜମାନେ ବକ୍ସି ଜଗବନ୍ଧୁଙ୍କ ସହ ସନ୍ଧିକଲେ ଓ ସେହି ଶେଷ ବାଧା ଅପସରିଗଲା ପରେ, ରାଜା ଜମିଦାରମାନଙ୍କ ହେତୁ କୌଣସି ଭୌଗୋଳିକ ଏକତା ନଥିବା ଓଡ଼ିଶାର ଅନ୍ତର୍ନିହିତ ଶକ୍ତି କ’ଣ ତାହା ଜାଣିବାକୁ ଚେଷ୍ଟା କଲେ । ଦେଖିଲେ ଯେ, ପରସ୍ପର ଦ୍ଵନ୍ଦ୍ଵରତ ୩୬ ଗଡ଼ଜାତ ଓ ପରସ୍ପର ପ୍ରତିଦ୍ଵନ୍ଦୀ ଜମିଦାରୀ ସମୂହ ହେତୁ କୌଣସି ଭୌଗୋଳିକ ଏକତା ନଥିବା ଓଡ଼ିଶା ମାଟିର ସର୍ବତ୍ର ସବୁଲୋକେ ଗୋଟିଏ ଭାଷା କହନ୍ତି ଏବଂ ବୁଝନ୍ତି ଓ ତାହା ହିଁ ସେମାନଙ୍କ ମାତୃଭାଷା ଓଡ଼ିଆ । ଗୋଟିଏ ବିଶାଳ ନଦୀର ଉପନଦୀ ପରି ଏହି ଭାଷାକୁ ପରିପୁଷ୍ଟ କରି ଏହାର ଅନ୍ତର୍ଗତ ହୋଇଛି ବହୁ ଉପଭାଷା । ଏହି ମହାନ ଓଡ଼ିଆ ଭାଷା ହିଁ ଭୌଗୋଳିକ ଜାତୀୟତାହୀନ ଦୁର୍ଦ୍ଧର୍ଷ ଓଡ଼ିଆ ଜାତିକୁ ଏକ ଅଦୃଶ୍ୟ ଐକ୍ୟସୂତ୍ରରେ ବାନ୍ଧିରଖିଛି । ଓଡ଼ିଆ ଭାଷା ହିଁ ଏହି ଜାତିର ଶକ୍ତି । ସେମାନେ ଏକଥା ବି ଦେଖିଲେ ଯେ, ଓଡ଼ିଆ ଜାତିକୁ ତାର ଅନମନୀୟ ମିଜାଜ ହେତୁ ପଡ଼ୋଶୀ ପ୍ରଦେଶବାସୀମାନେ ପ୍ରବଳ ଈର୍ଷା କରନ୍ତି ଓ ସୁଯୋଗ ପାଇଲେ ଦାଉ ସାଧିବାକୁ ଟାକିବସିଥାନ୍ତି । ତେଣୁ ଓଡ଼ିଆ ଜାତିର ଭାଷା ସାମ୍ରାଜ୍ୟକୁ ଉଜାଡ଼ି ଦେବା ପାଇଁ ସେମାନେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଭାଗ ଭାଗ କରି ପଡ଼ୋଶୀ ରାଜ୍ୟମାନଙ୍କରେ ଖୁନ୍ଦିଦେଲେ । ଏବଂ ଯାହା ସେମାନେ ଭାବିଥିଲେ ତାହା ହିଁ ହେଲା । ଓଡ଼ିଆ ଜାତିର ଭାଷା ସାମ୍ରାଜ୍ୟ ଭାଙ୍ଗିଗଲା ଓ ପଡ଼ୋଶୀ ପ୍ରଦେଶମାନଙ୍କରେ ଭାଷା ଭିତ୍ତିରେ ସେମାନେ ସଂଖ୍ୟାଲଘୁ ହୋଇଗଲେ । ଅଚିରେ ଅନ୍ୟ ଭାଷାଭାଷୀ ପଡ଼ୋଶୀମାନଙ୍କ ଦୌରାତ୍ମରେ ଭାଙ୍ଗିଗଲା ଓଡ଼ିଆ ଜାତିର ଗରିମା, ତାର ଶୌର୍ଯ୍ୟ । ଓଡ଼ିଶା ମାଟିରେ ବିଲାତି ଶାସନର ସବୁ ଦପ୍ତରରେ ବିଲାତି ପ୍ରଭୁଙ୍କ ଅଣଓଡିଆ ଗୋଲାମମାନେ ରାଜ୍ କଲେ । ସେମାନଙ୍କ ଅତ୍ୟାଚାରରେ ଓଡ଼ିଆ ଭାଷାଭାଷୀମାନଙ୍କର କିପରି ସର୍ବସ୍ଵାନ୍ତ ଘଟିଥିଲା ତହିଁର ତିନୋଟି ପ୍ରାମାଣିକ ଦସ୍ତାବିଜ  ରଖି ସେହି ମହାନ୍ଧକାର ଭିତରୁ ଆମକୁ ଉଦ୍ଧାର କରିବାରେ ସ୍ଵଭାବ କବି ଗଙ୍ଗାଧର କିପରି ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ତାହା ମୁଁ କହିବି ।

ପ୍ରଥମ ଦସ୍ତାବିଜ

ଏହା ହେଉଛି , ଉପକୂଳ ଓଡ଼ିଶା ସମ୍ପର୍କିତ ଡବ୍ଲ୍ୟୁ ଟ୍ରୋୟରଙ୍କ ରିପୋର୍ଟ , ଯାହା ଓଡ଼ିଶା ଅଭିଲେଖାଗାରରେ Revenue Administration in Orissa ଶୀର୍ଷକରେ ସରଂକ୍ଷିତ । ସେତେବେଳେ ଓଡ଼ିଶା ଭାବେ ଚିହ୍ନିତ ଅବିଭକ୍ତ ବାଲେଶ୍ଵର, କଟକ ଓ ପୁରୀରେ ଇଂରେଜମାନଙ୍କ ସବୁ ଦପ୍ତରରେ କର୍ମଚାରୀ ଥିଲେ ସମଗ୍ରତଃ ପ୍ରାୟ ବଙ୍ଗାଳୀ । ଟ୍ରୋୟର ଲେଖିଛନ୍ତି, ଏହି ବଙ୍ଗାଳୀ ଅମଲାମାନେ ଶାସନ ବ୍ୟବସ୍ଥାକୁ ଶୋଷଣ ଓ ଲୁଟପାଟର ବ୍ୟବସ୍ଥାରେ ପରିଣତ କରିଥିଲେ। ତମାମ ଜିଲ୍ଲାର ଲୋକେ ସେମାନଙ୍କୁ ସଂତ୍ରାସ ଓ ମହାବିପତ୍ତି ବୋଲି ଭାବୁଥିଲେ – “A regular system of oppression and peculation appears to exist throughout. These people are considered the terror and scourge of the district.” Continue reading “ମହାନ ଆମ ମାତୃଭାଷା ଓ ସ୍ଵଭାବକବି ଗଙ୍ଗାଧର”

ଭାଷା ଆନ୍ଦୋଳନ ହିଁ ଓଡ଼ିଆ ଅସ୍ମିତା ଆନ୍ଦୋଳନ :ପ୍ରଫେସର ହରିହର କାନୁନଗୋ

ଭାଷା ଅସ୍ମିତାର କଥା କହିବାକୁଯାଇ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଜଗନ୍ନାଥତତ୍ତ୍ଵର ପ୍ରସିଦ୍ଧ ଗବେଷକ ପ୍ରଫେସର ହରିହର କାନୁନଗୋ ଭାଷା ଆନ୍ଦୋଳନରେ ଝାସ ଦେଇ ସବୁ ଓଡ଼ିଆ ନିଜ ଭାଷା ମା ସହ ତାର ଭୟଙ୍କର ବିପତ୍ତି କାଳରେ ଠିଆ ହେବାକୁ ଆହ୍ଵାନ ଦେଇଛନ୍ତି । ସେ କହିଛନ୍ତି ଭାଷା ଆନ୍ଦୋଳନ ହିଁ ଓଡ଼ିଆ ଅସ୍ମିତାର ଆନ୍ଦୋଳନ, ଯାହା ମଧୁବାବୁଙ୍କ ଓଡ଼ିଶା ପ୍ରଦେଶ ସୃଷ୍ଟି ଆଂଦୋଳନ ପରେ ଓଡ଼ିଆ ଅସ୍ମିତା ପାଇଁ ସର୍ବଶ୍ରେଷ୍ଠ ଆନ୍ଦୋଳନ ।

ଭାଷା ଆଂଦୋଳନର ସାପ୍ତାହିକ ବୌଦ୍ଧିକ ଅଭିଯାନରେ ଯୋଗ ଦେଇ , ଅଗଷ୍ଟ ୯ ତାରିଖରେ ଫେସ୍ ବୁକ୍ ମାଧ୍ୟମରେ ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ସିଧାପ୍ରସାରିତ ବକ୍ତବ୍ୟରେ ସେ ଓଡ଼ିଶାର ସଂସ୍କୃତିକ ଓ ଭୌଗୋଳିକ ଇତିହାସର ଗଭୀର ବିଶ୍ଳେଷଣ କରି ଓଡ଼ିଆ ଜାତିର ଗୌରବୋଜ୍ଜ୍ଵଳ ବୈଶିଷ୍ଟ୍ୟ ଉପରେ ଆଲୋକବର୍ଷୀ ଆଲୋଚନା କରିଥିଲେ ।

ବୈଦ୍ୟୁତିକ ବିଫଳତା ହେତୁ ଦୁଇଭାଗ ହୋଇଯାଇଥିବା ସିଧାପ୍ରସାରିତ ତାଙ୍କ ଭାଷଣ ନିଛିଦ୍ର ଭାବେ ୟୁଟ୍ୟୁବରେ ସ୍ଥାନିତ ହୋଇଛି । ଏହା ନିମ୍ନରେ ସ୍ଥାନିତ ହେଲା :

ମହାନ ଆମ ମାତୃଭାଷା ସଂଘ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ

(ରାଜେଶ କୁମାର ଶତପଥୀ)

ପାଟଣାଗଡ଼, ୯/୮: କଥାରେ ଅଛି ଇଚ୍ଛା ଏବଂ ଚେଷ୍ଟା ଥିଲେ ସବୁକିଛି ସମ୍ଭବ ହୋଇ ପାରେ । ଏହାକୁ ସତ୍ୟ ପ୍ରମାଣିତ କରିଛି ‘ମହାନ ଆମ ମାତୃଭାଷା ସଂଘ ‘ । ତାଲାବନ୍ଦ ଯୋଗୁଁ ସବୁ ପ୍ରକାର ସଭା ସମିତି ବନ୍ଦ ଥିବାବେଳେ ନଭମଞ୍ଚ ବା ଇଣ୍ଟରନେଟ୍ ମାଧ୍ୟମରେ ‘ମହାନ ଆମ ମାତୃଭାଷା ସଂଘ ‘ ପକ୍ଷରୁ ପାଳିତ ହୋଇ ଯାଇଛି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ।

ମହାନ ଆମ ମାତୃଭାଷା ସଂଘ ର ପ୍ରତିଷ୍ଠାତା ରାଜେଶ କୁମାର ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ବିଶିଷ୍ଟ ବ୍ୟଙ୍ଗକବି ଶ୍ରୀଯୁକ୍ତ ସତ୍ୟାନାଶ । ଗଙ୍ଗାଧର ମେହେରଙ୍କ ସାହିତ୍ୟ ରେ ହାସ୍ୟରସର ପରିପ୍ରକାଶ ଉପରେ ସେ ଖୁବ୍ ସୁନ୍ଦର ଆଲୋଚନା କରିଥିଲେ । ଗଙ୍ଗାଧର ସାହିତ୍ୟରେ ରସଗୁଡ଼ିକର ଅବତାରଣା ଦର୍ଶାଇବାକୁ ଯାଇ ସେ କୀଚକବଧ ତଥା ଅନ୍ୟାନ୍ୟ କାବ୍ୟ ଗୁଡ଼ିକରୁ ଅନେକ ଦୃଷ୍ଟାନ୍ତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜବାହାରଲାଲ ମହାବିଦ୍ୟାଳୟ, ପାଟଣାଗଡ଼ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ତଥା ପ୍ରାଧ୍ୟାପକ ଡଃ ପ୍ରଦ୍ୟୁମ୍ନ କୁମାର ମିଶ୍ର । ସେ ଅତ୍ୟନ୍ତ ଆକର୍ଷଣୀୟ ଶୈଳୀରେ ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଆଧ୍ୟାତ୍ମିକତାଉପରେ ଆଲୋଚନା କରିବା ସହିତ ମେହେର ସାହିତ୍ୟରେ ଅନ୍ତର୍ପ୍ରକୃତି ଓ ବହିର୍ପ୍ରକୃତିର କିଭଳି ସମନ୍ବୟ ଘଟିଛି ତାହା ଅତି ମନୋରମ ଭାବେ ବର୍ଣ୍ଣନା କରିଥିଲେ।

ବର୍ତ୍ତମାନ ଓଡ଼ିଶାରେ ଚାଲିଥିବା ଭାଷା ଆନ୍ଦୋଳନ କଳା ପତାକା ଅଭିଯାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦାନକରି ଓଡ଼ିଆ ଭାଷା ଆନ୍ଦୋଳନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଙ୍ଗାଧର ଏବଂ ପଶ୍ଚିମ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରିଥିଲେ । ସ୍ଵଭାବକବିଙ୍କ ‘ଉତ୍କଳ ଭାରତୀଙ୍କ ଉକ୍ତି’ କବିତା ଆଲୋଚନା କରିବା ସମୟରେ ସେ ଅତ୍ୟନ୍ତ ଭାବ ବିହ୍ବଳ ହୋଇ ପଡ଼ିଥିଲେ। ଭାଷା ଜନନୀର ଦୁଃଖ ପ୍ରସଙ୍ଗ ଉପସ୍ଥାପନ କରିବା ସମୟରେ ତାଙ୍କ ଆଖିରୁ ଲୁହ ଝରି ପଡ଼ିଲା ଏବଂ ଉପସ୍ଥିତ ଦର୍ଶକମାନେ ମଧ୍ୟ ଭାବ ବିହ୍ବଳ ହୋଇ ପଡ଼ିଲେ । ଆଉ ମଧ୍ୟ ଅନେକ ଦସ୍ତାବିଜ ଓ ନୀତିର ଦୃଷ୍ଟାନ୍ତ ଦେଇ ସେ ଓଡ଼ିଆ ଭାଷା ପ୍ରତି ହୋଇ ଆସୁଥିବା ଅବହେଳାଗୁଡିକ ଉପରେ ଧାରଣା ଦେଇଥିଲେ ।

ଶ୍ରୀ ଜନ୍ମେଜୟ ପୁରୋହିତଙ୍କ ସଂଯୋଜନାରେ ପରିଚାଳିତ ଏହି ସଭାରେ ସଂଘର ପୁରୁଷବିଭାଗର ସଚିବ କେଶବ ସୁନାନୀ ‘ଗଙ୍ଗାଧର ସାହିତ୍ୟରେ ପ୍ରକୃତି ଚିତ୍ରଣ’ ପ୍ରସଙ୍ଗ ଆଲୋଚନା କରିଥିବା ବେଳେ ମହିଳାବିଭାଗର ସଚିବ ଦୀପାଳୀ ସାହୁ ‘ଗଙ୍ଗାଧର ସାହିତ୍ୟରେ ଜୀବନ ଦର୍ଶନ’ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସୁନିତା ପଧାନ, ବିଶ୍ବଜିତ ସାହୁ ଏବଂ ଶୁଭେନ ପାଣିଗ୍ରାହୀ ଯଥାକ୍ରମେ ‘ଗଙ୍ଗାଧରଙ୍କ ଜୀବନୀ ‘, ‘ଗଙ୍ଗାଧରଙ୍କ ସାହିତ୍ୟ କୃତି’ ଓ ‘ମହାନ ଆମ ମାତୃଭାଷା ସଂଘର ଉଦ୍ଦେଶ୍ୟ ‘ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବୈଦିକ କଲେଜ, ସମ୍ବଲପୁରର ଅଧ୍ୟାପିକା ଶ୍ରୀମତୀ ଲିଲିମା ହୋତା ଏହି ଅବସରରେ ନିଜର ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟରେ ସଭାପତିତ୍ଵ  ଭାଷଣ ରଖିଥିଲେ ଶ୍ରୀ ରାଜେଶ କୁମାର ଶତପଥୀ। ବର୍ତ୍ତମାନ ସମୟରେ ମାତୃଭାଷା ପ୍ରତି ହେଉଥିବା ଅବହେଳା, ମାତୃଭାଷା ପ୍ରତି ସାଧାରଣ ଜନତା ଏବଂ କବି, ସାହିତ୍ୟିକଙ୍କ କର୍ତ୍ତବ୍ୟ ଏବଂ ମହାପୁରୁଷମାନଙ୍କ ଜୟନ୍ତୀ ପାଳନର ଉଦ୍ଦେଶ୍ୟ ଉପରେ ସେ ମତ ଦେଇଥିଲେ । ମହାପୁରୁଷମାନଙ୍କ ଫଟୋକୁ ପୂଜା କରିବା ଅପେକ୍ଷା ବେଶୀ ଜରୁରୀ ହେଉଛି ତାଙ୍କ ଚିନ୍ତାଧାରାକୁ ମାନିବା ବୋଲି ସେ କହିଥିଲେ ।

ଏହି ସଭାରେ ସ୍ବାଗତ ଭାଷଣ ରଖିଥିଲେ ଶ୍ରୀ ବିଶ୍ବଜିତ ସାହୁ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ନାମାକ୍ଷୀ ପୁରୋହିତ ଓ ଜନ୍ମେଜୟ ପୁରୋହିତ । ଶିଶୁ କଣ୍ଠଶିଳ୍ପୀ ରୋଶନ ମିଶ୍ର ଓ ନାମାକ୍ଷୀ ପୁରୋହିତ ମଝିରେ ମଝିରେ ଗଙ୍ଗାଧର ମେହେରଙ୍କ ଜନପ୍ରିୟ କବିତା ଗୁଡ଼ିକ ଗାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଲିପିକା ସାହୁ ।

ଦର୍ଶକ ଭାବରେ ଯୋଗଦାନ କରିଥିଲେ ଜବାହାରଲାଲ ମହାବିଦ୍ୟାଳୟ ପାଟଣାଗଡ଼ର ଅନେକ ଅଧ୍ୟାପକ ଅଧ୍ୟାପିକା , ବେଲପଡା କଲେଜର ଅଧ୍ୟାପକ, ତଥା ଅନେକ ଛାତ୍ରଛାତ୍ରୀ ଏବଂ ଭାଷା ପ୍ରେମୀ ।

କାନ୍ଦୁଛି କବିର କଲମ

ରାଜେଶ କୁମାର ଶତପଥୀ 

ଅଶୀଠାରୁ ମସୀ ଅଟେ ଶକ୍ତିଶାଳୀ
ଏ କଥା ଜାଣେ ଜଗତ,
ଅସମ୍ଭବ କର୍ମ ସମ୍ଭବ କରିଣ
ଜଗତେ ସିଏ ବିଖ୍ୟାତ ।

ମସୀ ଅସ୍ତ୍ର ରୂପେ ଧରି ନିଜ ହାତେ
ଯୁଦ୍ଧ କରେ ମର୍ତ୍ତ୍ୟେ ଜଣେ,
ଅସତ୍ୟରୁ ସତ୍ୟ ଅଧର୍ମରୁ ଧର୍ମ
ଦୁର୍ନୀତିରୁ ନୀତି ଆଣେ ।

କେତେ ଯେ ବିପ୍ଳବ କେତେ ଆନ୍ଦୋଳନ
କରିଅଛି ଏ କଲମ,
ଇତିହାସ ପୃଷ୍ଠା ଭିତରେ କେବଳ
ରହିଯାଇଛି ତା ନାମ ।

ବଦଳି ଯାଇଛି ଆଜିର ସାହିତ୍ୟ
ବଦଳିଛି କବିମତ,
କମିଯାଉଅଛି ସାହିତ୍ୟ ସାଧନା
ହୋଇଛି କ୍ଷତ ବିକ୍ଷତ ।

କି ସୁନ୍ଦର ସତେ ଓଡ଼ିଆ ସାହିତ୍ୟ
ଅଟେ କେତେ ପୁରାତନ,
କେତେ ଯେ ସୁଯୋଗ୍ୟ ସାହିତ୍ୟସାଧକ
ରଖି ଯାଇଛନ୍ତି ନାମ ।

ସାହିତ୍ୟ ସାଧନା ଧର୍ମ ଥିଲା ତାଙ୍କ
ଲେଖନୀ ଯେ ଭଗବାନ,
ସମାଜ ଉନ୍ନତି ଲକ୍ଷ୍ୟ ଥିଲା ତାଙ୍କ
ଥିଲେ ବଡ଼ ତ୍ୟାଗବାନ ।

ଆଜି ବି ଅଛି ଏ ଓଡ଼ିଆ ସାହିତ୍ୟ
ଅଛନ୍ତି କବି, ଲେଖକ,
ନାହିଁ ଆଜି ସେହି ସାହିତ୍ୟ ଆଦର
ନାହିଁ ତ ଆଉ ପାଠକ ।

ଉନ୍ନତି ନାମରେ ଡିଣ୍ଡିମ ବଜାଇ
ହେଉଛନ୍ତି ଅନୁନ୍ନତ,
ନିଜ ଭାଷା ପାଇଁ ସମୟ ତ ନାହିଁ
ଇଂରାଜୀରେ ସର୍ବେ ବ୍ୟସ୍ତ ।

ନିଜକୁ ପଛେ କେ ଚିହ୍ନି ନ ପାରନ୍ତୁ
ନ ଜାଣନ୍ତୁ ପରିଚୟ,
ସଭିଙ୍କର ଇଚ୍ଛା ପଢିବେ ଇଂରାଜୀ
ବଢିବ ନିଜର ମୂଲ୍ୟ ।

ଓଡ଼ିଆ ପୁସ୍ତକ, ଓଡ଼ିଆ ପତ୍ରିକା
ପଢ଼ିବାକୁ ନାହିଁ କେହି,
ଓଡ଼ିଶାର ଛାତ୍ର ବାଧ୍ୟ ତ ନୁହନ୍ତି
ଓଡ଼ିଆ ପଢିବା ପାଇଁ ।

ପାଠକମାନେ ତ ଅଟନ୍ତି ଏମିତି
ଲେଖକ ବି କମ୍ ନୁହେଁ,
ଭାଷା ସାହିତ୍ୟର ଅବନତି ପାଇଁ
ତାଙ୍କର ବି ଦୋଷ ଥାଏ।

କାହାର ଲେଖାରେ ନ ଥାଏ ମାଧୁର୍ଯ୍ୟ
କିଏ ଲେଖେ ସ୍ଵାର୍ଥ ପାଇଁ,
ଟଙ୍କା ଉଦ୍ଦେଶ୍ୟରେ ଲେଖା ବ୍ୟବସାୟ
କରେ କିଏ କବି ହୋଇ !

ଲେଖକ ମାନଙ୍କ ଚିନ୍ତା ବଦଳିଲା
ବଦଳିଗଲେ ପାଠକ ,
ଏମାନଙ୍କ ମଧ୍ୟେ ଛନ୍ଦି ହୋଇ ଆଜି
କଲମର ବଢେ ଦୁଃଖ ।

ସମାଜ ଉନ୍ନତି ଜାତୀୟ ପ୍ରଗତି
ଲକ୍ଷ୍ୟ ଅଟେ କଲମର,
ଭୁଲ ଚିନ୍ତାଧାରା ଦୂର କରିବାକୁ
ସବୁବେଳେ ଚେଷ୍ଟା ତାର ।

କଲମର ଦୁଃଖ କିଏ ବା ବୁଝିବ
କାହାର ସେ ଚିନ୍ତାଧାରା?
ଟଙ୍କା ପଛେ ଆଜି ଧାଇଁ ଧାଇଁ ପରା
ଜାତି ହୋଇଛି ବେସୁରା ।

ନିଜ ଘରେ ଆଜି ଭିକାରୀ ସାଜିଛି
ଓଡ଼ିଆ ଭାଷା ସାହିତ୍ୟ,
କବିର କଲମ କାନ୍ଦୁଅଛି ଆଜି
ସବୁ ଥାଇ ସେ ଅନାଥ ।

(ମାଲପଡା, ଧଣ୍ଡାମୁଣ୍ଡା, ଖପ୍ରାଖୋଲ, ବଲାଙ୍ଗୀର)

ଅନ୍ଲାଇନ୍ ପାଠପଢ଼ା : ଭାଷା ଆନ୍ଦୋଳନର ପରାମର୍ଶ ଅନୁରୂପ ସମ୍ବାଦ ସଂପାଦକୀୟରେ ଗୁରୁତ୍ଵ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଓଡ଼ିଶାର ଅନ୍ୟତମ ମୁଖ୍ୟ ଖବରକାଗଜ ସମ୍ବାଦ ଅଗଷ୍ଟ ୭ ତାରିଖ ସଂସ୍କରଣର ସମ୍ପାଦକୀୟରେ “ଏକଲବ୍ୟଙ୍କ ଲାଗି ବିକଳ୍ପ” ଶୀର୍ଷକରେ ଯାହା ଲେଖିଛି ତାହା ଭାଷା ଆନ୍ଦୋଳନ ତାର ସପ୍ତାହନ୍ତ ପାଠଚକ୍ରରେ ପ୍ରଦାନ କରିଥିବା ପରମର୍ଶର ଅନୁରୂପ ।

ଅନ୍ଲାଇନ୍ ପାଠପଢ଼ା କିପରି ଏକ ପ୍ରହସନରେ ପରିଣତ ହୋଇଛି ଓ ସର୍ବୋଚ୍ଚ ସଂଖ୍ୟକ ବିଦ୍ୟାର୍ଥୀଙ୍କ ଶିକ୍ଷାର୍ଜନ ଅଧିକାରକୁ ଭୟଙ୍କର ଭାବେ କ୍ଷୁର୍ଣ୍ଣ କରୁଛି ତହିଁ ଉପରେ ବ୍ୟାପକ ଆଲୋଚନା କରି ଗତ ୨୬.୭.୨୦୨୦ ତାରିଖରେ ଭାଷା ଆନ୍ଦୋଳନ ସରକାରଙ୍କୁ ଏହି ପରାମର୍ଶ ଦେଇଥିଲା କି, ୨୦୨୦-୨୧ ଶିକ୍ଷାବର୍ଷ ବାତିଲ ହେଉ ଓ ଛାତ୍ରଛାତ୍ରୀ ପାଠ୍ୟଖସଡ଼ାରୁ ତଥା ଅଧ୍ୟୟନ ଅଭ୍ୟାସରୁ ବିଚ୍ୟୁତ ନହେବା ପାଇଁ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉ

ଏ କ୍ଷେତ୍ରରେ ଉଦିତ ଏହି ପ୍ରଥମ ପରମର୍ଶ ସମ୍ପର୍କରେ ଉଲ୍ଲେଖ ନକରିଥିଲେ ମଧ୍ୟ, ସଂବାଦ ଖବରକାଗର ଗତ ୭ ତାରିଖ ସମ୍ପାଦକୀୟରେ ଏହାର ମର୍ମ ଅନୁରୂପ ଉଲ୍ଲେଖ କରିଛି :

“ଟେଲିଭିଜନ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ବର୍ତ୍ତମାନ ପରିସ୍ଥିତିରେ ଅଧିକ ସମର୍ଥ ବିକଳ୍ପରେ ପରିଣତ ହୋଇପାରିଥାନ୍ତା ।”

ଆମେ ଆଶା କରୁଛୁ, ସରକାର ଅବିଳମ୍ବେ ଆମ ପରାମର୍ଶ ଗ୍ରହଣ କରିବେ ।