ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ବିଂଶତିତମ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ପ୍ରଦ୍ୟୁମ୍ନ ଶତପଥୀଙ୍କୁ ବ୍ୟବହାର କରି ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଓଡ଼ିଆବିଦ୍ଵେଷୀ ଅମଲାମାନେ ଏତେ ବ୍ୟଗ୍ର ଥିଲେ ଯେ, ତାଙ୍କ ସ୍ତ୍ରୀଙ୍କ ଚାକିରି ପକ୍କା କରିବା ସକାଶେ ଯେକୌଣସି ବେଆଇନ କାମ କରିବାକୁ ସରକାର ପ୍ରସ୍ତୁତ ଥିଲା । ଏହା ହିଁ କାରଣ, ଯେଉଁଥିପାଇଁ ୨୨.୬.୨୦୧୫ ତାରିଖର ସରକାରୀ ଆଦେଶକୁ ରଦ୍ଦ କରିବାକୁ ପ୍ରଦ୍ୟୁମ୍ନବାବୁଙ୍କ ସ୍ତ୍ରୀ ହାଇକୋର୍ଟରେ ମକଦ୍ଦମା କରିଥିଲେ ମଧ୍ୟ ସରକାର ତହିଁର ବିରୋଧ କରିନଥିଲେ । ସରକାରଙ୍କ ମତଲବ ଥିଲା, ଓଡ଼ିଶାର ଜନସାଧାରଣ ପଛେ ହାରନ୍ତୁ, ମାନସୀ ଷଡଙ୍ଗୀ ନିର୍ବିବାଦରେ ଜିତନ୍ତୁ । ତେଣୁ ତ କୋର୍ଟ ଲେଖିଲେ “ମକଦ୍ଦମାଟି ନିର୍ବିରୋଧ ଶେଷ ହେଲା” (“uncontested disposed off”) !

ଆଇନ ଅନୁଯାୟୀ ଆଦେଶ ଦିଅ

ମାନ୍ୟବର ହାଇକୋର୍ଟଙ୍କୁ ଧନ୍ୟବାଦ ଯେ, ଶ୍ରୀମତୀ ଷଡଙ୍ଗୀଙ୍କ ସପକ୍ଷରେ ସରକାରଙ୍କ ଏହି କାରସାଦି ସତ୍ତ୍ୱେ ରାୟ ତାଙ୍କ ସପକ୍ଷରେ ଗଲା ନାହିଁ । ସେ ୨୨.୬.୨୦୧୫ର ସରକାରୀ ଆଦେଶ ରଦ୍ଦ କରାଯିବାକୁ ମକଦ୍ଦମା କରିଥିଲେ । ସରକାର ତାହାକୁ ବିରୋଧ ନ କରିବାରୁ, ତହିଁର ଗୁଣବତ୍ତା ଉପରେ କୌଣସି ମତ ନ ଦେଇ (without expressing any opinion on the merits of the case) ମାନ୍ୟବର ହାଇକୋର୍ଟ ରାୟ ଦେଲେ କି, ତହିଁ ଉପରେ ରାଜ୍ୟ ସରକାର ଉପଯୁକ୍ତ ଆଇନ ଅନୁଯାୟୀ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବେ (pass appropriate order in accordance with law, within a period of three months) । ମାତ୍ର ସରକାର ଏହି ଆଦେଶକୁ ବି ମାନିଲେ ନାହିଁ । କାରଣ, ତାହା ହୋଇଥିଲେ, ଭାଷା ଆନ୍ଦୋଳନକୁ ଭାଙ୍ଗିବା ସକାଶେ ପ୍ରଦ୍ୟୁମ୍ନ ଶତପଥିଙ୍କ ସହ ହୋଇଥିବା ସଉଦା ଦୃଷ୍ଟିରୁ ତାଙ୍କ ପତ୍ନୀଙ୍କୁ ଚାକିରି ଦିଆଇବାରେ ଯେତେ ବେଆଇନ କାମ କରାହୋଇଥିଲା ସେ ସବୁ ପୁଣି ଥରେ ନଥି ପୃଷ୍ଠାରେ ଜୀବନ୍ତ ହୋଇଯାଇଥାନ୍ତା ଓ ତହିଁରେ ନିର୍ଦ୍ଦିଷ୍ଟ ହୋଇଥିବା ଆଇନର ବିକଳ୍ପ ଖୋଜିବାକୁ ପଡ଼ିଥାନ୍ତା, ଯେତେବେଳେ ତହିଁର ବିକଳ୍ପ ହିଁ ନାହିଁ ।

ଚୋର ମନ ଗଣ୍ଠିଲିରେ

ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ହେତୁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଦିଆଯାଇଥିବା ବିଶ୍ଵାସଘାତକ-ଜାଗିରି (ପତ୍ନୀଙ୍କ ମାଧ୍ୟମରେ ସ୍ଥାୟୀ ଘରୋଇ ଆୟ) ଯେପରି ଅତୁଟ ରହେ ତା ପାଇଁ ଉଚ୍ଚ ଶିକ୍ଷା ବିଭାଗ ଯେଉଁ ବ୍ୟାୟାମ କରିଛି ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ ।

ଓଡ଼ିଆରେ ଗୋଟିଏ ଢଗ ଅଛି: “ଚୋର ମନ ଗଣ୍ଠିଲିରେ” । ମହାପାତ୍ର-ମିଶ୍ର-ବାଳକୃଷ୍ଣନ ଗ୍ୟାଙ୍ଗ ଜାଣିଥିଲେ ଯେ, ମାନସୀ ଷଡଙ୍ଗୀଙ୍କୁ ଚାକିରିରେ ଯୋଗ ଦେବାକୁ ଯେଉଁ ଆଦେଶ ଦିଆ ହୋଇଥିଲା ତାହା ଆଇନ ସମ୍ମତ ନଥିଲା, କାରଣ ୨୨.୬.୨୦୧୫ ତାରିଖର ସରକାରୀ ଆଦେଶ ଏକ ନିର୍ଦ୍ଧାରକ ଆଦେଶ ହୋଇଥିବା ହେତୁ , ତାହାକୁ ବାତିଲ କରାହୋଇନଥିଲା । ତାହାକୁ ବାତିଲ କରିବା ପାଇଁ ପ୍ରଥମେ ଆବଶ୍ୟକ ପଡ଼ିଥାନ୍ତା ସେହି ଆଦେଶଟି ଆଇନସମ୍ମତ ନ ଥିଲା ବୋଲି ସାବ୍ୟସ୍ତ କରିବା । ଏପରି କରିବାକୁ ହେଲେ, Orissa Education (Recruitment and Condition of Services of Teachers and Members of the Staff of Aided Educational Institutions) Rules, 1974ର ନିୟମ -୨୨ର ପ୍ରଯୁଜ୍ୟତାକୁ ନଷ୍ଟ କରିବାକୁ ହୋଇଥାନ୍ତା । ସେଥିପାଇଁ ଆଇନ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାନ୍ତା ଓ ଖୁବ ସମ୍ଭବତଃ ଆଇନ ବିଭାଗ ରାଜି ହୋଇନଥାନ୍ତା । ଯଦି ରାଜି ହୋଇଥାନ୍ତା, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସର୍ତ୍ତରେ ରାଜି ହୋଇଥାନ୍ତା । ତା ହୋଇଥିଲେ, ତହିଁ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ଓ ସ୍ଵାକ୍ଷର ଆଣିବାକୁ ପଡ଼ିଥାନ୍ତା ଏବଂ ତଦ୍ଦ୍ଵାରା ମୁଖ୍ୟମନ୍ତ୍ରୀ ନିଜେ ଏହି ବେଆଇନ କାମ ସହ ଜଡ଼ିତ ବୋଲି ରେକର୍ଡ ରହିଥାନ୍ତା ।

ଅପରପକ୍ଷେ, ଚାପ ପ୍ରୟୋଗ କରି ପତ୍ନୀଙ୍କ ଯୋଗଦାନ ଆଦେଶ ହାସଲ କରିଥିଲେ ମଧ୍ୟ “ଚୋର ମନ ଗଣ୍ଠିଲିରେ” ନ୍ୟାୟରେ ପ୍ରଦ୍ୟୁମ୍ନ ଶତପଥୀ ବି ଜାଣିଥିଲେ ଯେ, ଯେଉଁ ଯାଏଁ ୨୨.୬.୨୦୧୫ର ସରକାରୀ ଆଦେଶଟି ବାତିଲ ନ ହୋଇଛି, ସେପର୍ଯ୍ୟନ୍ତ ପାଇଥିବା ଚାକିରି ବି ନିରାପଦ ନୁହେଁ । ଉପରୋକ୍ତ ନିୟମରେ କାର୍ଯ୍ୟାନୁଷ୍ଠାନ ହେଲେ, ଚାକିରି ତ ଯିବ, ଭବିଷ୍ୟତରେ ଅନ୍ୟ କେଉଁଠି ଅନ୍ୟ କୌଣସି ଚାକିରି ବି କରି ହେବ ନାହିଁ ବୋଲି ହୁଏତ ଆଦେଶ ବି ହେବ ।

ତେଣୁ, ୨୩.୭.୨୦୧୮ରେ ଚାକିରିରେ ଯୋଗ ଦେଇ ସାରିଥିଲେ ମଧ୍ୟ ଶ୍ରୀମତୀ ଷଡଙ୍ଗୀ ଚାକିରିରେ ଯୋଗ ଦେବାର ଦୀର୍ଘ ୫ ମାସ ପରେ ୪.୧୨.୨୦୧୮ ତାରିଖରେ ୨୨.୬.୨୦୧୫ର ଚିଠିରେ ଖୋଦିତ ସରକାରୀ ଆଦେଶଟିକୁ ରଦ୍ଦ କରିବାକୁ ମକଦ୍ଦମା ଦାଏର କରିଥିଲେ (W.P. ( C ) 19892/2018) ଏବଂ ସେହି ମକଦ୍ଦମାରେ ସେ ଯେମିତି ନିଶ୍ଚୟ ଜିତନ୍ତି ତାକୁ ମନରେ ରଖି ସରକାର ପ୍ରତିବାଦୀ ଭୂମିକା ନିର୍ବାହ କରିନଥିଲେ । ମାତ୍ର ମାନ୍ୟବର ହାଇକୋର୍ଟ ଏମାନଙ୍କ ଏହି ଷଡଯନ୍ତ୍ରକୁ ବ୍ୟର୍ଥ କରିଦେଲେ ।

ଚୋର ମନ ଯେହେତୁ ଗଣ୍ଠିଲିରେ

ଚୋର ମନ ଯେହେତୁ ଗଣ୍ଠିଲିରେ ଥାଏ, ସେହେତୁ ଶ୍ରୀମତୀ ଷଡଙ୍ଗୀଙ୍କ ପାଇଁ କଲେଜ ଖୋଜିବାକୁ ଯେଉଁ ଚିଠିରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା (ଚିଠି ସଂଖ୍ୟା ୨୦୪୪୫ ତା ୧୮.୭.୨୦୧୮) ସେହି ଚିଠିରେ ତାଙ୍କୁ ପୂର୍ବଧାରଣାଛନ୍ନ କରାଇବାର ଉଦ୍ୟମ ମଧ୍ୟ ହୋଇଥିଲା ; ଯଥା :- (୧) ତାଙ୍କ ବିରୁଦ୍ଧରେ Orissa Education (Recruitment and Condition of Services of Teachers and Members of the Staff of Aided Educational Institutions) Rules, 1974ର ନିୟମ -୨୨ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୨.୬.୨୦୧୫ରେ ଦିଆଯାଇଥିବା ଚିଠିକୁ ନିରସ୍ତ କରାଯାଇଛି ଓ (୨) ସେ ନିଜ ଆଡୁ ଅନୁପସ୍ଥିତ ନଥିଲେ; ତାଙ୍କୁ ଅନୁପସ୍ଥିତ ରଖା ଯାଇଥିଲା ବୋଲି ତାଙ୍କୁ କୁହାହୋଇଥିଲା । ଏହା ସତ୍ତ୍ୱେ, ସମ୍ପୃକ୍ତ ନିର୍ଦ୍ଦେଶକ ବିଚଳିତ ନ ହୋଇ ଶ୍ରୀମତୀ ଷଡଙ୍ଗୀ କିପରି ଅନଧିକୃତ ଭାବେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ଵ କାଳ କର୍ମକ୍ଷେତ୍ରରୁ ଅନୁପସ୍ଥିତ ଥିଲେ ଓ ସେଥିପାଇଁ ନିୟମାନୁଯାୟୀ ଦଣ୍ଡନୀୟା ବୋଲି ସରକାରଙ୍କୁ ଜଣାଇଥିଲେ, ତାହା ପୂର୍ବରୁ କୁହାହୋଇଛି । ଏକଥା ବି କୁହା ହୋଇଛି ଯେ, ନିର୍ଦ୍ଦେଶକଙ୍କ ଏହି ତଦନ୍ତ ରିପୋର୍ଟ ବଦଳାଇବା ପାଇଁ ସରକାରଙ୍କ ପକ୍ଷରୁ ତାଙ୍କ ଉପରେ ଲିଖିତ ଚାପ (ପତ୍ରାଙ୍କ ୫୪୭୦/୧.୩.୧୯) ବି ପଡ଼ିଥିଲା । ଏହାର ଅର୍ଥ ହେଲା, ଶ୍ରୀମତୀ ଷଡଙ୍ଗୀଙ୍କୁ ହାଇକୋର୍ଟରେ ନିରଙ୍କୁଶ ଭାବେ ଜୟଲାଭ କରିବାକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଜାଣିଶୁଣି କୋର୍ଟରେ ନିଜ ପକ୍ଷ ରଖିନଥିଲେ ଓ ଶ୍ରୀମତୀ ଷଡଙ୍ଗୀଙ୍କୁ ସୁହାଉନଥିବା ତଦନ୍ତ ରିପୋର୍ଟ ସାନି ତଦନ୍ତ ଦ୍ଵାରା ବଦଳାଇବାକୁ ଆଦେଶ ଦେଇଥିଲେ ନିର୍ଦ୍ଦେଶକଙ୍କୁ । ଏପରି ପ୍ରଚଣ୍ଡ ପ୍ରଶାସନିକ ଦୁରାଚାରର କୌଣସି ପଟାନ୍ତର ନହିଁ। ଏହା ହୋଇଥିଲା କେବଳ ଗୋଟିଏ ଉଦ୍ଦେଶ୍ୟରେ। ତାହା ହେଲା, ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ହେତୁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଦିଆଯାଇଥିବା ବିଶ୍ଵାସଘାତକ-ଜାଗିରି (ପତ୍ନୀଙ୍କ ମାଧ୍ୟମରେ ସ୍ଥାୟୀ ଘରୋଇ ଆୟ) ଯେପରି ଅତୁଟ ରହେ, ତାହା ସୁନିଶ୍ଚିତ କରିବା । (କ୍ରମଶଃ)

ଫୁଲବାଣୀରେ ଆଲୋଚନାଚକ୍ର: ମନୀଷୀ ନବକୃଷ୍ଣ ଚୌଧୁରୀ ଓ ଓଡ଼ିଆ ଭାଷା

ବିଶେଷ ସଂବାଦଦାତା

ଫୁଲବାଣୀ, ୨୩.୧୧.୨୦୧୯
ମିଳିତ ନାଗରିକ କମିଟି ପକ୍ଷରୁ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ୧୧୯ତମ ଶୁଭ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ପ୍ରଦତ୍ତ ଓଡ଼ିଶା ସରକାରୀ ଭାଷା ଆଇନକୁ ଓଡ଼ିଶାର ପରିଚାଳନାରେ ଅଲଙ୍ଘ୍ୟ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପ୍ରଶାସନିକ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଆହ୍ଵାନ ଦିଆଯାଇଛି ।

ଫୁଲବାଣୀ ପ୍ରେସ୍ କ୍ଲବ୍ ପ୍ରେକ୍ଷାଳୟରେ ଡଃ ଅରୂପ କୁମାର ଜେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଜନ୍ମୋତ୍ସବ ସମ୍ମିଳନୀରେ ଆବାହକ ଅଶୋକ ପରିଡ଼ା ବିଷୟ ଉପସ୍ଥାପନ କରିଥିବା ବେଳେ, ବକ୍ତା ଭାବରେ ଯୋଗ ଦେଇଥିଲେ ବୌଦ୍ଧ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବୈକୁଣ୍ଠ ନାଥ ସ୍ୱାଇଁ, ଫିରିଙ୍ଗିଆ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର,ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟନାୟକ, ଅବସରପ୍ରାପ୍ତ ଶିକ୍ଷକ ନବ କିଶୋର ରଥ,କର୍ମଚାରୀ ସଂଗ୍ରାମ ସମିତିର ସଭାପତି ବ୍ରଜକିଶୋର ପଟ୍ଟନାୟକ, ସେଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ର ହରିଶଙ୍କର ରାଉତ । ଏମାନଙ୍କ ସମେତ ବରିଷ୍ଠ ନାଗରିକ ନାରାୟଣ ସାହୁ, ପ୍ରଶନକୁମାର ସାହାଣୀ, ବିଜୟ ମହାନ୍ତି, ରାଜ କିଶୋର ବେହେରା, ବୈଦ୍ୟନାଥ ଖଟୁଆ, ମନୋଜ ଚୌଧୁରୀ, ଉମେଶ ପାତ୍ର,ଏଲ ତ୍ରିନାଥ ପାତ୍ର,ଦୁର୍ବାସା ସେଠି,ପ୍ରମୋଦ ସାହୁ ପ୍ରମୁଖ ମନୀଷି ନବକୃଷ୍ଣ ଚୌଧୁରୀଙ୍କ ଗୌରବମୟ ଜୀବନଗାଥା ଉପସ୍ଥାପନ କରିଥିଲେ ।

ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ଅଲଙ୍ଘ୍ୟ କରିବାକୁ ଚାଲିଥିବା ନିଶବ୍ଦ କଳାପତାକା ଅଭିଯାନ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ବିଦ୍ଵେଷୀତା ବିରୁଦ୍ଧରେ ଜନ ଆନ୍ଦୋଳନରେ ପରିଣତ ହେବ ବୋଲି ଭବିଷ୍ୟ ବାଣୀ ଦେଇ ଆବାହକ ଶ୍ରୀ ପରିଡ଼ା ଓଡ଼ିଆ ଭାଷା ଅସ୍ମିତା ପ୍ରତି ଏବଂ ଭାଷା ଭିତ୍ତିକ ରାଜ୍ୟ ଗଠନ ପ୍ରତି କନ୍ଧମାଳର ଉଜ୍ଜ୍ଵଳ ଅବଦାନର ଉଲ୍ଲେଖ କରିଥିଲେ ।

ଭାଷା ଅସ୍ମିତାକୁ କନ୍ଧମାଳର ଅବଦାନ 

କନ୍ଧମାଳ ଦାରିଙ୍ଗବାଡିର କାଟିଙ୍ଗିଆ ରାଜା ଭେଙ୍କେଟଶ୍ୱର ଦେଓଙ୍କ ତପ୍ପରତା ହେତୁ ୧୮୭୦ ସେପ୍ଟେମ୍ବର ୧୧ରେ ଘୁମୁସର ରସୁଲକୋଣ୍ଡାଠାରେ ଗଞ୍ଜାମ ଅଞ୍ଚଳର ପ୍ରଜାମାନଙ୍କର ଭାଷା ସପକ୍ଷବାଦୀ ପ୍ରସ୍ତାବ ପରେ ପରେ କିପରି ଜିଲ୍ଲା ଅନ୍ତର୍ଗତ ରାଜାମାନଙ୍କୁ ନେଇ ଏକ ବୈଠକରେ ତଦ୍ଦୃପ ନିଷ୍ପତ୍ତି ନିଆ ହୋଇ ଓଡ଼ିଆ ଭାଷାକୁ ପ୍ରଶାସନର ଭାଷା କରିବା ପାଇଁ ଦାବି ଦୃଢୀଭୂତ ହୋଇଥିଲା ତାହା ଆଲୋଚିତ ହୋଇଥିଲା । କାଟିଙ୍ଗିଆ ରାଜା ସେହି ପ୍ରସ୍ତାବକୁ ଏକ ସ୍ମାରକ ପତ୍ର ଭାବେ ଇଂଲଣ୍ଡକୁ ପଠାଇ ବିଲାତି ସରକାରଙ୍କ ମନରେ ଓଡ଼ିଆ ଭାଷାର ପ୍ରଶାସନିକ ଗୁରୁତ୍ଵ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ଓ ସେହି ଐତିହାସିକ ପଦକ୍ଷେପ ପରବର୍ତ୍ତୀ କାଳରେ ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନକୁ ମଜବୁତ ହେବାରେ ସାହାଯ୍ୟ କରିଥିଲା । ତେଣୁ, ଭାଷା ଜାତୀୟତାର ଆଦ୍ୟ ଆଧାରଶୀଳା ଏହି କନ୍ଧମାଳ ଜିଲ୍ଲାରେ ଆମ ଭାଷାରେ ଆମ ଶାସନ ପାଇଁ ମନୀଷୀ ନବକୃଷ୍ଣ ଚୌଧୁରୀ ପ୍ରଦାନ କରିଥିବା ଭାଷା ଆଇନର ସଶକ୍ତିକରଣ ପାଇଁ ଯେଉଁ ଆନ୍ଦୋଳନ ଚାଲିଛି ତାହାର ସମ୍ପୂର୍ଣ ସଫଳତା ପାଇଁ କନ୍ଧମାଳ ସର୍ବବିଧ ସହଯୋଗ କରିବ ବୋଲି ମତ ପ୍ରକାଶ ପାଇଥିଲା ।

ତ୍ୟାଗ ଓ ଆଦର୍ଶର ଅବତାର 

ରାଜ୍ୟର ମୂଖ୍ୟମନ୍ତ୍ରୀ ହୋଇଥିବା ସତ୍ତ୍ୱେ ଆଜନ୍ମ ଜମିଦାର ମନୀଷୀ ନବକୃଷ୍ଣ ସମସ୍ତ ବିଳାସ ବ୍ୟସନ ଛାଡି କିପରି ଏକ ତ୍ୟାଗପୂତ ସାଧାରଣ ଜୀବନ ବିତାଉଥିଲେ ଓ ଗାନ୍ଧୀଜୀଙ୍କ ସ୍ୱପ୍ନକୁ ଓଡ଼ିଶାରେ ସାକାର କରାଇଥିଲେ, ବକ୍ତାମାନେ ତାହାର ଭାବୋତ୍ସାସ ଭରା ଅବତାରଣା କରି ତାଙ୍କୁ ତ୍ୟାଗ ଓ ଆଦର୍ଶର ଅବତାର ବୋଲି ଆଖ୍ୟାୟିତ କରିଥିଲେ ।

ହା ଏବେ କଳ୍ପନା କରିବା କଷ୍ଟ ଯେ, ତାଙ୍କ ପରି ତ୍ୟାଗପୂତ ନିରାଡ଼ମ୍ବର ନେତା ବି ଆମର ଥିଲେ ମୁଖ୍ୟମନ୍ତ୍ରୀ , ଯେ କି ମୂଖ୍ୟମନ୍ତ୍ରୀ ପଦ ତ୍ୟାଗ କରି ସଙ୍ଗେ ସଙ୍ଗେ ସରକାରୀ ଘର ଛାଡ଼ି , ନିଜର ଏକ ପୁରୁଣା ଟ୍ରଙ୍କ ନିଜେ ଧରି ଅନଗୁଳ ଯିବାପାଇଁ ଷ୍ଟେସନ ଅଭିମୂଖେ ଚାଲି ଚାଲି ଯାଇପାରିଥିଲେ, କାରଣ ପଦ ତ୍ୟାଗ କଲା ପରେ ସରକାରୀ ଘରେ ରହିବା ଓ ସରକାରୀ ଗାଡ଼ି ବ୍ୟବହାର କରି ରେଳ ଷ୍ଟେସନ ଯାଏଁ ଆସିବା ମଧ୍ୟ ତାଙ୍କ ବିଚାରରେ ଥିଲା ଅନୈତିକ ।

ଓଡ଼ିଆ ଭାଷାର ପ୍ରଚଳନ ଓ ନିଶା ନିବାରଣକୁ ପ୍ରାଧାନ୍ୟ ଦେଇଥିବା ନବବାବୁ ମୂଖ୍ୟମନ୍ତ୍ରୀ ପଦବୀରୁ ଗଲା ପରେ ନାଗଭୁଷଣ ପଟ୍ଟନାୟକଙ୍କୁ ଜେଲରୁ ଖଲାସ କରିବା ପାଇଁ କ୍ଷମା ଦେବାକୁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଅନୁରୋଧ କରି ତାଙ୍କୁ ଜେଲକୁ ପଠାଇବା ଜଣେ ପ୍ରଶାସକ ଭାବେ ତାଙ୍କ ଦାୟିତ୍ଵ ଥିଲା, କିନ୍ତୁ ଜଣେ ସାଧାରଣ ଭାରତୀୟ ଭାବେ ନାଗଭୂଷଣଙ୍କ ମୁକ୍ତି କାମନା କରିବା ତାଙ୍କ କର୍ତ୍ତବ୍ୟ ବୋଲି ସେ ସ୍ପଷ୍ଟ କରିଥିଲେ ।

ଏପରି ଜଣେ ମହାତ୍ମା ଓଡ଼ିଆ ଜାତିର ଭାଷା ଅଧିକାରକୁ ଆଇନସିଦ୍ଧ କରିଥିବା ବେଳେ ବର୍ତ୍ତମାନର ସରକାର ତାହାକୁ ବ୍ୟର୍ଥ କରିବା ପାଇଁ ତହିଁରେ ଭୁଲ ସଂଶୋଧନ ଘଟାଇଥିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ବକ୍ତାମାନେ ମତପ୍ରଦାନ କରିଥିଲେ ଓ ନବବାବୁ ଦେଇଯାଇଥିବା ଆଇନର କାର୍ଯ୍ୟକାରୀତା ପାଇଁ ତାହାର ସଶକ୍ତିକରଣ ଉପରେ ଗୁରୁତ୍ଵ ଦେଇଥିଲେ ।

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଉନବିଂଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଏହି ଚାଲ୍ ଅନୁଯାୟୀ ୨୨. ୬. ୨୦୧୫ ତାରିଖର ସରକାରୀ ଆଦେଶକୁ ରଦ୍ଦ କରିବା ପାଇଁ ଓଡ଼ିଶା ହାଇକୋର୍ଟରେ ଏକ ରିଟ ମକଦ୍ଦମା ଦାଏର କଲେ ଶ୍ରୀମତୀ ଷଡଙ୍ଗୀ ୪.୧୨.୨୦୧୮ ତାରିଖରେ । ତହିଁ ପର ଦିନ W.P.(C) No.19892 of 2018 ଭାବେ ଏହା ପଞ୍ଜୀକୃତ ହେଲା ଏବଂ ୮.୧୨.୨୦୧୮ରେ ଯାଞ୍ଚ ହୋଇ ଏହି ମକଦ୍ଦମାରେ ପ୍ରତିବାଦୀ ଓଡ଼ିଶା ସରକାର ଓ ଅଡ଼ଶପୁର କଲେଜ ଆଦିଙ୍କୁ ଅବଗତ କରାଯାଇଥିବା ପ୍ରେକ୍ଷାପଟରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହେଲା ।

ମଉନମୁହାଁ ସରକାର

ଏହି ମକଦ୍ଦମାରେ ଯେପରି ତାଙ୍କର ବିଜୟ ଲାଭ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ତରଫରୁ ପ୍ରତିବାଦ ବି ହେଲାନାହିଁ ! ଏକତରଫା ଭାବେ ଶେଷ ଶୁଣାଣି ହେଲା ୩.୪.୨୦୧୯ ତାରିଖରେ ଓ ସେହି ଦିନ ହିଁ ମାନ୍ୟବର ନ୍ୟାୟମୂର୍ତ୍ତି ଡଃ ବି. ଆର. ଷଡଙ୍ଗୀ ତାଙ୍କର ରାୟ ଦେଲେ । ତାହା ହେଲା :-

“The petitioner has filed this writ petition to quash the order dated 22.06.2015 issued by opposite party no.1 in annexure-19. She further seeks for direction to the opposite parties to accept her joining report w.e.f. the date she submitted her joining report with all
consequential service and monetary benefits within a stipulated period.

In course of hearing, learned counsel for the petitioner states that highlighting the grievance, the petitioner has made representation to opposite party no.1 vide Annexure-20 series and direction may be given to consider the same within a stipulated time.

In view of the aforesaid limited grievance of the petitioner, without expressing any opinion on the merits of the case, this Court disposes of this writ petition directing opposite party no.1 to take a decision on the representation stated to have been filed by the petitioner under Annexure-20 series and pass appropriate order in accordance with law, within a period of three months from the date of production of certified copy this order.

Issue urgent certified copy as per Rules.
(DR. B.R. SARANGI)
JUDGE “

ଏହାର ସଂକ୍ଷିପ୍ତ ଅର୍ଥ ହେଲା, ଦରଖାସ୍ତକାରିଣୀ ମାନସୀ ଷଡଙ୍ଗୀ ୨୨.୬.୨୦୧୫ ତାରିଖର ସରକାରୀ ଆଦେଶ ରଦ୍ଦ କରିବାପାଇଁ ପ୍ରାର୍ଥନା କରିଥିଲେ । ସରକାରଙ୍କର ଏଥିରେ ଆପତ୍ତି ନଥିବାରୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ, ତିନି ମାସ ମଧ୍ୟରେ ଶ୍ରୀମତୀ ଷଡଙ୍ଗୀଙ୍କ ଦରଖାସ୍ତକୁ ବିଚାର କରି ଉପଯୁକ୍ତ ଆଦେଶ ପ୍ରଦାନ କରିବେ ।

ଅନ୍ଧକାରରେ ଅଦାଲତ

ଉପରୋକ୍ତ ଆଦେଶରୁ ଏହା ସ୍ପଷ୍ଟ ଯେ, କେଉଁ ପରିସ୍ଥିତିରେ ସରକାର ୨୨.୬.୨୦୧୫ ତାରିଖରେ ସେହି ନିର୍ଦ୍ଧାରକ ଆଦେଶ ଦେଇଥିଲେ ସେ ସମ୍ପର୍କରେ ମାନ୍ୟବର ଅଦାଲତଙ୍କୁ ଅନ୍ଧକାରରେ ରଖା ହୋଇଥିଲା । ସରକାର ଏଥିରେ ୧ ନମ୍ବର ପ୍ରତିବାଦୀ ଥିଲେ ମଧ୍ୟ, ତାଙ୍କ ଆଦେଶ ବିରୁଦ୍ଧରେ ଶ୍ରୀମତୀ ଷଡଙ୍ଗୀ ଉଠାଇଥିବା ଆପତ୍ତି ବିରୁଦ୍ଧରେ ପ୍ରତିବାଦ କରିନଥିଲେ ।

ଅଦାଲତଙ୍କ ଆଦେଶ ଉପରେ କଣ ହେଲା ନା ହେଲା ତାହା ତ ପରେ ଦେଖିବା । ମାତ୍ର, ବର୍ତ୍ତମାନ ଯାହା ସ୍ପଷ୍ଟତଃ ପରିଦୃଶ୍ୟମାନ ତାହା ହେଲା, ଭାଷା ଆନ୍ଦୋଳନକୁ ଫସରଫଟା କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଯେହେତୁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ବ୍ୟବହାର କରିଥିଲେ, ସେହେତୁ ତାଙ୍କ ସ୍ତ୍ରୀଙ୍କୁ ଚାକିରି ଦିଆ ସରିଥିଲେ ମଧ୍ୟ, ୨୦.୬.୨୦୧୫ ତାରିଖର ନିର୍ଦ୍ଧାରକ ସରକାରୀ ଆଦେଶ ଏକ ନୂଆ ନିର୍ଦ୍ଧାରକ ଆଦେଶ ଦ୍ଵାରା ଖାରଜ ହୋଇନଥିବା ହେତୁ , ଆଶଙ୍କା ଥିଲା ଯେ, ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ତଦନ୍ତ ଶେଷରେ ୨୦୧୫ର ସେହି ଆଦେଶ ଅନୁରୂପ ନିର୍ଣୟ ଦେଇପାରନ୍ତି । ତେଣୁ ତାହାକୁ ଖାରଜ କରିବାକୁ ଶ୍ରୀମତୀ ଷଡଙ୍ଗୀ ଉଚ୍ଚ ନ୍ୟାୟାଳୟକୁ ବ୍ୟବହାର କରିବାକୁ ମକଦ୍ଦମା କରିଥିବା ଅବଗତ ହୋଇ ମଧ୍ୟ ଓଡ଼ିଶା ସରକାର କୌଣସି ଆପତ୍ତି କରିନଥିଲେ ।

ଏହା ଏକ ଅତ୍ୟନ୍ତ ସାଂଘାତିକ ବିଭାବନା । ଯଦି ମୁଖ୍ୟମନ୍ତ୍ରୀ ଏହି ଅପରାଧରେ ନିଜେ ଜଡ଼ିତ ନୁହନ୍ତି ତେବେ କାହା ନିର୍ଦ୍ଦେଶରେ ଉଚ୍ଚ ଶିକ୍ଷା ବିଭାଗ ଏହି ମକଦ୍ଦମାରେ ନିଜର ଆପତ୍ତି ରଖିନଥିଲା ତାହା ଉପରେ ତଦନ୍ତ କରିବାକୁ ସି.ବି.ଆଇ.କୁ ଦାୟିତ୍ଵ ଦିଆଯିବା ଆବଶ୍ୟକ । (କ୍ରମଶଃ)

ଅବିମୃଷ୍ୟ ଅବମାନନା: ମନୀଷୀ ନବକୃଷ୍ଣଙ୍କ ପ୍ରତି ସରକାରୀ ଅସମ୍ମାନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମନୀଷୀ ନବକୃଷ୍ଣ ଚୌଧୁରୀଙ୍କର ଜନ୍ମ ଦିବସ ଭାବେ ନଭେମ୍ବର ୨୩ ଓଡ଼ିଆ ଜାତି ପାଇଁ ଏକ ଚିର ନମସ୍ୟ ଦିବସ । ଏହି ଦିବସରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ବୋଲି ଗତକାଲି ଠାରୁ ବିଧାନସଭା ସମ୍ମୁଖସ୍ଥ ତାଙ୍କ ବିଜେସ୍ଥଳୀରେ ସାଜସଜ୍ଜା ଆରମ୍ଭ ହୋଇଥିଲା । ଆଜି ସକାଳେ ଭାଷା ଆଂଦୋଳନର ଭକ୍ତିଅର୍ଘ୍ୟ ପ୍ରଦାନ ପାଇଁ ଆମେ ଯେତେବେଳେ ସେଠାରେ ପହଞ୍ଚିଥିଲୁ, ସାଜସଜ୍ଜା ତଥାପି ମଧ୍ୟ ଚାଲିଥାଏ ।

ଧଳା କନା ଘେରା ବିଶାଳ ଆତପତ୍ରାଣ ତିଆରି ସରିଥାଏ ; ଦାମୀ ଗଦିଦିଆ ଚୌକିଚୟ ସଜାହେବ, ଲାଲ୍ ଗାଲିଚା ବିଛା ହେବ , ମୁଖ୍ୟମନ୍ତ୍ରୀ ଆସିବେ ।

ସର୍ବତ୍ୟାଗୀ ନବବାବୁଙ୍କ ପାଇଁ ନବାବୀ ଶ୍ରଦ୍ଧା ଜ୍ଞାପନର ପର୍ବକୁ ଅପେକ୍ଷା ନ କରି ଉଦୟଭାନୁର କୋମଳ ରଶ୍ମୀ ତାଙ୍କ ପ୍ରତିମୂର୍ତ୍ତିକୁ ଆଲିଙ୍ଗନ କଲାବେଳେ ଆମେ (ମୋ ସମେତ ଡଃ ଅଶୋକ ମିଶ୍ର , ଶ୍ରୀମତୀ ଆଶାରାଣୀ ମିଶ୍ର, ରଞ୍ଜନ କୁମାର ସାହୁ, ଚୈତନ୍ୟ ବିଶ୍ଵାଳ ,ନବୀନ ମିଶ୍ର, ନିରଞ୍ଜନ ଖିଲାର, ଆଶିଷ କୁମାର ବେହେରା ପ୍ରମୁଖ) ଆମ ଜାତିର ଭାଷା ଅଧିକାରକୁ ବିଧିଭୁକ୍ତ କରି ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଦାନ କରିଥିବା ଆମ ପ୍ରିୟ ପ୍ରଥମ ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଗ୍ରେ ଦେଇଥିଲୁ କୃତଜ୍ଞ ଓଡ଼ିଆ ଜାତିର ଶ୍ରଦ୍ଧାସୁମନର ଅର୍ଘ୍ୟ ।

ତାଙ୍କୁ ଓଡ଼ିଆ ଜାତିର କୃତଜ୍ଞତା ଜଣାଇ ପ୍ରତିଦିନ ଅପରାହ୍ନ ୫ଟାରେ ଆରମ୍ଭ ହୋଇଥାଏ ଆମର କଳାପତାକା ଅଭିଯାନ ତାଙ୍କରି ପ୍ରଦତ୍ତ ଭାଷା ଆଇନର ସଶକ୍ତୀକରଣ ପାଇଁ । ଆଜି ଥିଲା ଏହି ଅଭିଯାନର ୧୩୧୭ତମ ଦିବସ । ଆମେ ପହଞ୍ଚିଲା ବେଳକୁ ସକାଳର ଦୃଶ୍ୟପଟ ବଦଳି ଯାଇଥିଲା ।  ସରିଯାଇଥିଲା ଛଳନାମୟ ଶ୍ରଦ୍ଧାଜ୍ଞାପନର  ପର୍ବ । ଗଦେଇ ହୋଇ ରହିଥିଲା ମନୀଷୀ ନବକୃଷ୍ଣଙ୍କ ପ୍ରତି ଚଳିତ ସରକାରର ଘୃଣା କେତେ ତୀବ୍ର ତାହାରି ନମୁନା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ଖଣି ଓ ଶିଲ୍ପ ମନ୍ତ୍ରୀ କରିନଥିଲେ ବୋଲି ପ୍ରତିଶୋଧପରାୟଣ ହୋଇ ସେ ଯେଉଁ ନୀଳମଣି ରାଉତରାୟଙ୍କୁ ହଳେଇ ନବବାବୁଙ୍କୁ ଏପରି ମାନସିକ ଯନ୍ତ୍ରଣା ଦେଇଥିଲେ ଯେ, ସେ ମୁଖ୍ୟମନ୍ତ୍ରୀ ପଦବୀ ତ୍ୟାଗ କରିବାକୁ ଶ୍ରେୟ ମଣିଥିଲେ, ସେହି ନୀଳମଣି ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, “ମୁଁ ଆଜି ହୃଦୟଙ୍ଗମ କରୁଛି, କେତେ ମହାନ, ଉଦାର ତଥା ଗଣତନ୍ତ୍ରବାଦୀ ଥିଲେ ସେ ସମୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀ । ଗଣତନ୍ତ୍ର ଓ ସଂସଦୀୟ ରାଜନୀତିରେ ସରକାରର ସ୍ଵାର୍ଥ ଓ ଦଳୀୟ ସ୍ଵାର୍ଥର ଭିତରେ ପାର୍ଥକ୍ୟ କଣ ସେକଥା ଶ୍ରୀ ଚୌଧୁରୀ ଯେପରିଭାବରେ ବୁଝିଥିଲେ ଏବଂ ନିଜ ଦଳ ଭିତରେ ଅପ୍ରିୟ ହେଲେ ମଧ୍ୟ ଶାସନକୁ ଦୁର୍ନୀତିମୁକ୍ତ କରି ସମାଜବାଦୀ ଗଣତାନ୍ତ୍ରିକ ନୀତି ଆଦର୍ଶରେ ପରିଚାଳିତ କରିବା ପାଇଁ ତାଙ୍କର ଯେଉଁ ପ୍ରଗାଢ ଆଗ୍ରହ ଥିଲା, ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୁଁ ତାହା ଲକ୍ଷ୍ୟ କରିପାରିନାହିଁ । ଏଭଳି ହୃଦୟବାନ ମହାନ ବ୍ୟକ୍ତି ଯଦି ଅଧିକ ଦିନ ଓଡ଼ିଶାର ଶାସନ ସହ ଜଡ଼ିତ ଥାନ୍ତେ, ତ ହେଲେ ହୁଏତ କେତେକ ଉଚ୍ଚ ମାନର ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି ହୋଇପାରିଥାନ୍ତା ; ମାତ୍ର ଆମେମାନେ ତାହା ସମ୍ଭବ କରାଇ ଦେଲୁନାହିଁ ।”

ଆଜି ତାଙ୍କ ଶୁଭ ଜନ୍ମ ଦିନରେ କଣ ଠିକାଦାରକୁ କୁହା ହୋଇପାରିନଥାନ୍ତା ସକାଳର ସାଜସଜ୍ଜା ସଂଧାରେ ଏପରି ନ ଭାଙ୍ଗିବାକୁ ? ସନ୍ଧ୍ୟାରେ କଣ ଏହି ସ୍ଥଳରେ ତାଙ୍କ ସ୍ମୃତି ଚାରଣ ପାଇଁ ଆୟୋଜନ କରାଯାଇପରିନଥାନ୍ତା ? ଆଜି ତାଙ୍କ ଶୁଭ ଜୟନ୍ତୀରେ ଦିନ ତମାମ ପାଇଁ ରଖାଯାଇପାରିନଥାନ୍ତା ଏହି ସାଜସଜ୍ଜା? ଏହା ସ୍ପଷ୍ଟ କରେ ଯେ, ଏ ସାଜସଜ୍ଜା ମୁଖ୍ୟମନ୍ତ୍ରୀନ ନବୀନଙ୍କ ପାଇଁ ହୋଇଥିଲା, ମନୀଷୀ ନବକୃଷ୍ଣଙ୍କ ଜୟନ୍ତୀ ସମ୍ମାନରେ ନୁହେଁ ।

ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଦାତା, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତି ଏହି ସରକାରୀ ଅସମ୍ମାନ ଘୋର ନିନ୍ଦନୀୟ ।

ଆମ ଭାଷା ଆମ ଅଧିକାର ଆଜି ସକାଳେ ମୋର ଯେଉଁ ବାର୍ତ୍ତା ରେକର୍ଡ କରିଥିଲେ, ତାଙ୍କ ଅନୁରୋଧକ୍ରମେ, ଭାଷା ଆନ୍ଦୋଳନକାରୀମାନଙ୍କ ଅବଗତି ପାଇଁ ଏଠାରେ ସ୍ଥାପିତ କରି  ଉପସ୍ଥାପନାଟିକୁ ଅଧୁନାତନ କରାଗଲା ।

 

ମନୀଷୀ ନବକୃଷ୍ଣ ଓ ମାତୃଭାଷା

ସୁଭାଷ ଚନ୍ଦ୍ର ପଟ୍ଟନାୟକ,
ପ୍ରତିଷ୍ଠାତା ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡ଼ିଶା

ପାଠପଢା ଛାଡି ଏକସମୟରେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏକାଶ୍ରେଣୀରେ ପଢୁଥିବା ଏପରି ତିନିଜଣ ଛାତ୍ର, ଯେଉଁମାନେ ପରବର୍ତ୍ତୀ କାଳରେ ଓଡ଼ିଶାର ରାଜନୈତିକ ନଭରେ ଜ୍ୟୋତିଷ୍କ ସାଜିଥିଲେ ମଧ୍ୟ ମାତୃଭାଷା ଓଡ଼ିଆକୁ କେନ୍ଦ୍ରକରି ପରସ୍ପରଠାରୁ କାର୍ଯ୍ୟତଃ ଦୂରେଇ ଯାଇଥିଲେ । ସେମାନେ ହେଲେ, ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ କାନୁନଗୋ ଓ ନବକୃଷ୍ଣ ଚୌଧୁରୀ । ତିନିହେଁ ୧୯୪୬ରେ ଗଠିତ ସ୍ଵାଧୀନତା ପୂର୍ବବର୍ତ୍ତୀ ବିଧାନସଭାରେ ସଦସ୍ୟ ଥିଲେ କେବଳ ନୁହେଁ, ଓଡ଼ିଶାର ଶାସନ ଭାର ଗ୍ରହଣ କରିଥିଲେ । ମହତାବ ହୋଇଥିଲେ ପ୍ରଧାନମନ୍ତ୍ରୀ, କାନୁନଗୋ ହୋଇଥିଲେ ଆଇନ ମନ୍ତ୍ରୀ ଓ ଚୌଧୁରୀ ହୋଇଥିଲେ ରାଜସ୍ୱ ମନ୍ତ୍ରୀ ।

ସେମାନେ ଏହିପରି କ୍ଷମତାରେ ଥିଲାବେଳେ ୧୯୪୭ ଅଗଷ୍ଟ ୧୪ ମଧ୍ୟୋତ୍ତର ରାତ୍ରିରେ ଭାରତ ସ୍ଵାଧୀନ ହେଲା । ସୁତରାଂ ୧୯୪୮ ଏପ୍ରିଲ ପହିଲା ଥିଲା ସ୍ଵାଧୀନ ଭାରତରେ ପ୍ରଥମ ଉତ୍କଳ ଦିବସ । ବିଧାନସଭା ଚାଲିଥାଏ । ଓଡ଼ିଶାର ଅନ୍ୟତମ ଶେଷ୍ଠ ସ୍ଵାଧୀନତା ସଂଗ୍ରାମୀ, ସମ୍ବଲପୁର ନିବାସୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ସେଦିନ ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା କରିବା ପାଇଁ ରାଜ୍ୟ ସରକାର ଆଇନ ପ୍ରଣୟନ କରନ୍ତୁ ବୋଲି ବିଧାନସଭାରେ ଏକ ପ୍ରସ୍ତାବ ଆଗତ କଲେ । ଏବଂ ଏପରି ପ୍ରସ୍ତାବ ଆଗତ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ବାଚସ୍ପତି ପାଟିଫିଟାଇବା ପୂର୍ବରୁ ଅଣଓଡ଼ିଆ ସଦସ୍ୟ ରାଜକୃଷ୍ଣ ବୋଷ ପଣ୍ଡିତ ମିଶ୍ରଙ୍କ ଉପରେ ଚଳାଇଲେ ଅତ୍ୟନ୍ତ ତାତ୍ସଲ୍ୟଭରା ବାଚନିକ ଆକ୍ରମଣ । ପରେ ପରେ ଆଇନମନ୍ତ୍ରୀ ହୋଇଥିବା କାନୁନଗୋ ତାଙ୍କୁ ଆହୁରି ଅଧିକ ତୀବ୍ର ଶୈଳୀରେ ପ୍ରତ୍ୟାଖ୍ୟାନ କରି ସେହି ପ୍ରସ୍ତାବ ସେ ପ୍ରତ୍ୟାହାର କରିନେବାକୁ ବାଧ୍ୟ କରିଥିଲେ । ଏବଂ ପଣ୍ଡିତ ମିଶ୍ର ତାହା ପ୍ରତ୍ୟାହାର କଲାବେଳେ ବିଧାନଗତ ବୟାନ ଦେଉଥିବା ବେଳେ ତାଙ୍କୁ ଅତି କର୍କଶ କଣ୍ଠରେ ପଚରା ଯାଇଥିଲା, “ପ୍ରତ୍ୟାହାର କଲ କି ନାହିଁ?” ପଣ୍ଡିତ ମିଶ୍ର ଆଖିର ଲୁହ ଓଠରେ ପିଆଇ କହିଥିଲେ, “ମୁଁ ପ୍ରତ୍ୟାହାର କଥାଟି ବହୁତର କହିଛି , ମାନ୍ୟବର ଅଧ୍ୟକ୍ଷ ମଧ୍ୟ ଶୁଣିଛନ୍ତି “ (କେତେ ଆଉ କହିବି?) ।

ଗୃହରେ ନୀରବରେ ବସିଥିବା ରାଜସ୍ଵମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିଜ ଦୁଇ ସହପାଠୀ ମହତାବ ଓ କାନୁନଗୋଙ୍କ ଆଚରଣ ଦେଖି ଲଜ୍ଜାରେ ନୂଆଇଁ ଦେଇଥିଲେ ମଥା । ମାତୃଭାଷାପ୍ରାଣ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଯେଉଁ ସରକାର ଏପରି ଅପମାନ ଦେଇ ଭାଷା ଆଇନ ପ୍ରଣୟନ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ବାଧ୍ୟ କଲା, ସେହି ସରକାରରେ ମନ୍ତ୍ରୀ ହୋଇରହିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା । ତେଣୁ ସେ ମନ୍ତ୍ରୀ ପଦ ତ୍ୟାଗ କରିବାକୁ ମନସ୍ଥ କରି ତାଙ୍କ ଦାୟିତ୍ବରେ ଥିବା ସରକାରୀ କାର୍ଯ୍ୟଗୁଡ଼ିକ ସାରିବା ପାଇଁ ଲାଗିଗଲେ । ପ୍ରାୟ ତିନି ସପ୍ତାହ ଲାଗିଗଲା । ଏପ୍ରିଲ ୨୩ ତାରିଖରେ ମନ୍ତ୍ରୀ ପଦରୁ ତଥା ବିଧାନସଭାର ସଭ୍ୟ ପଦରୁ ଇସ୍ତଫା ଦେଇ ଶାନ୍ତିରେ ନିଃଶ୍ଵାସ ମାରିଥିଲେ ମନୀଷୀ ନବକୃଷ୍ଣ, ଯାହାଙ୍କ ଜନ୍ମଦିନ ଭାବେ ନଭେମ୍ବର ୨୩ ଓଡ଼ିଆ ଜାତିର ନମସ୍ୟ ଦିବସ ହୋଇ ରହିଛି ।

ସମ୍ବିଧାନ ପ୍ରଣୟନ ପରେ ଯେତେବେଳେ ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭା ନିର୍ବାଚନ ହେଲା, ଓଡ଼ିଶାର ନେତୃତ୍ଵ ନେବାକୁ ସମସ୍ତଙ୍କ ପସନ୍ଦ ଥିଲେ ନବକୃଷ୍ଣ । ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଉଦ୍ୟମକୁ ଉଦ୍ଜୀବିତ କରାଇ ସେ ପ୍ରଣୟନ କଲେ ଓଡ଼ିଶା ସରକାରୀ ଭାଷା ଆଇନ, ଯାହା ଓଡ଼ିଆ ଭାଷାକୁ ଓଡ଼ିଶାର ସମସ୍ତ ଓ ଯେକୌଣସି କାମ ପାଇଁ ସରକାରୀ ଭାଷା ଭାବେ ବିଧିକୃତ କଲା । ପ୍ରାଦେଶିକ ଭାଷାକୁ ସରକାରୀ ଭାଷା କରାଇବାରେ ସାରା ଭାରତରେ ଏହା ଥିଲା ପ୍ରଥମ ଆଇନ । ଏ ଆଇନ କାହିଁକି ହେଲା ତାହା ନବବାବୁ ବିଧେୟକଟିର ପ୍ରାରମ୍ଭରେ ହିଁ ସ୍ପଷ୍ଟ କରିଦେଇଥିଲେ । ତାହା ସମସ୍ତଙ୍କ ପ୍ରଣିଧାନଯୋଗ୍ୟ । “Whereas it is expedient to provide for the adoption of Oriya as the Language to be used for all or any of the official purposes of the State of Orissa; it is hereby enacted by the Legislature of the State of Orissa…..” ବୋଲି କହି ଆଇନ ପ୍ରଣୟନର କାରଣ ଦର୍ଶାଇଥିଲେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୀଷୀ ନବକୃଷ୍ଣ ।

ଏହି ଆଇନଟିକୁ କାର୍ଯ୍ୟକାରୀ କରାଇ ନ ଦେବା ପାଇଁ କେତେ ଷଡଯନ୍ତ୍ର ଚାଲିଛି ତହିଁର ସବିଶେଷ ବର୍ଣନା bhashaandolan.com ପୃଷ୍ଠାରେ ଉପଲଭ୍ୟ ଥିବାରୁ ଏଠାରେ ଉଲ୍ଲେଖର ଅବକାଶ ନାହିଁ । ଓଡ଼ିଆ ଜାତି ଚାହେଁ ନବବାବୁ ଦେଇଯାଇଥିବା ଆଇନର ସଶକ୍ତିକରଣ । ତାଙ୍କ ଶୁଭ ଜନ୍ମଦିନରେ ଏହାହିଁ ସମସ୍ତଙ୍କ କାମ୍ୟ ହେଉ ।

ଓଡ଼ିଶାର ଅନ୍ୟତମ ଜନପ୍ରିୟ ସମ୍ବାଦପତ୍ର ‘ସର୍ବସାଧାରଣ’ ଆଜି ତାର ଦୈନିକ ସଂସ୍କରଣରେ ଏହି ଲେଖାଟି ପ୍ରକାଶ କରିଛନ୍ତି । ସମ୍ପାଦକଙ୍କୁ ଧନ୍ୟବାଦ ସହ ତାହାକୁ ଏଠାରେ ଦସ୍ତାବିଜଭୁକ୍ତ କରାଗଲା :