ଭାଷା ଆନ୍ଦୋଳନ ପାଖରେ ସରକାର ଆଣ୍ଠେଇଲେଣି , ତଥାପି ଗାଲୁ ଭାଙ୍ଗୁନି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

“ଇଂରେଜୀ ଶାସନରେ ଅଣଓଡ଼ିଆ ଅମଲାଙ୍କ ଚକ୍ରାନ୍ତ ହେତୁ ଓଡ଼ିଆ ଜାତି ନ ଅଙ୍କ ଦୁର୍ଭିକ୍ଷର କରାଳ କବଳରେ ପଡ଼ିଥିଲା । ଏବେ ଦେଶୀଇଂରାଜୀଆ ନବୀନ ପଟ୍ଟନାୟକଙ୍କ ଶାସନରେ ଓଡ଼ିଆ ମନ୍ତ୍ରୀପଲଙ୍କ କ୍ରୀତଦାସ ମନୋବୃତ୍ତି ଓ ଅଣଓଡ଼ିଆ ଅମଲାଙ୍କ ଦୁରଭିସନ୍ଧି ହେତୁ କରୋନା ମହାମାରୀର କରାଳ କବଳରେ ପଡ଼ିଛି । ଏହି ମହାମାରୀରେ ମୃତ ଓ ଆକ୍ରାନ୍ତମାନଙ୍କ ମଧ୍ୟରୁ ପ୍ରାୟ ୯୮ ଶତାଂଶ ଇଂରାଜୀ ପଢ଼ି ନଥିବା ଓଡ଼ିଆ, ଯେଉଁମାନେ ଜାଣନ୍ତି ନାହିଁ କରୋନା କବଳରୁ କିପରି ବଞ୍ଚିବାକୁ ହେବ ; କାରଣ ସବୁ ଜୀବନରକ୍ଷାକାରୀ ପରାମର୍ଶ ଇଂରାଜୀ ଭାଷାରେ ରହିଛି । ଇତିହାସ ଏହାର ହିସାବ ରଖିବା ଆବଶ୍ୟକ ।”

ଏହା ଥିଲା ଆମ ପ୍ରଶ୍ନର ମୁଖବନ୍ଧ  ନଭେମ୍ବର ୨ ତାରିଖରେ ।

ଏହା ପାଖରେ ଓଡ଼ିଶା ସରକାର ଆଣ୍ଠେଇଛନ୍ତି । କାରଣ ନଭେମ୍ବର ୩ ତାରିଖଠାରୁ ତାଙ୍କ ନିତିଦିନିଆ ସାମ୍ବାଦିକ ସମ୍ମିଳନୀର ରଙ୍ଗମଞ୍ଚରେ ଜଣେ ଜଣେ ଡାକ୍ତରଙ୍କୁ ଡାକି ଲୋକଙ୍କୁ କରୋନା କଥା ଓଡ଼ିଆରେ କହିବାର ସୁଆଙ୍ଗ କରୁଛନ୍ତି ।

ଏହା ସ୍ପଷ୍ଟ କରେ ଯେ , କରୋନା ସମ୍ପର୍କୀୟ ସବୁ ତଥ୍ୟ ଓ ପରାମର୍ଶ ଓଡ଼ିଆ ଭାଷାରେ ଦିଆଯାଉ ବୋଲି ଆମେ ପ୍ରଥମରୁ ଯେଉଁ ଦାବି କରିଆସିଛୁ ତାହା ଯଥାର୍ଥ ବୋଲି ସରକାର ଅକ୍ଟୋବର ୩ରେ ସ୍ଵୀକାର କରିଛନ୍ତି । କିନ୍ତୁ ତଥାପି ଗାଲୁ ଛାଡ଼ି ନାହାନ୍ତି । ଗାଲୁ ଛାଡ଼ନ୍ତୁ ଓ କରୋନା ସମ୍ପର୍କୀୟ ସମସ୍ତ ତଥ୍ୟ, ଆଇନ କାନୁନ ଓ ପରାମର୍ଶ ଆଉ ବିଳମ୍ବ ନକରି ‘ଓଡ଼ିଆରେ ଶାସନ’ ( odia.odisha.gov.in) ସମେତ ସମସ୍ତ ସରକାରୀ ୱେବସାଇଟରେ ଓଡ଼ିଆ ଭାଷାରେ ରଖନ୍ତୁ ।

ଓଡ଼ିଆ ଜାତିକୁ ଆଖିଠାର ମାରିବା ଚଳିବ ନାହିଁ ।

ଚଳିତ ଶିକ୍ଷାବର୍ଷ ବାତିଲ ହେଉ : ଭାଷା ଆନ୍ଦୋଳନ

(ସୂତ୍ର: ଆମ ଭାଷା ଆମ ଅଧିକାର)

ଗତକାଲି ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରରେ ସର୍ବସମ୍ମତି କ୍ରମେ ନିର୍ଦ୍ଧାରିତ ହୋଇଛି ଯେ ଶିକ୍ଷାବର୍ଷ ୨୦୨୦-୨୧ ବାତିଲ ହେଉ ଓ ଛାତ୍ରଛାତ୍ରୀ ପାଠ୍ୟଖସଡ଼ାରୁ ତଥା ଅଧ୍ୟୟନ ଅଭ୍ୟାସରୁ ବିଚ୍ୟୁତ ନହେବା ପାଇଁ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ସରକାରଙ୍କ ଅପାରଗତା ଉପରେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ଅନଲାଇନ ଶିକ୍ଷା ଆଳରେ ପିଲାଙ୍କୁ କେବଳ ଶ୍ରେଣୀ ଉଠେଇବା ଛଡ଼ା ଆଉ କୌଣସି ଲକ୍ଷ୍ୟ ସାଧିତ ହେବନାହିଁ । ଅତି ସ୍ଵଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଯଦି ଇଣ୍ଟର୍ନେଟ ସଂଯୋଗ ସୁଦୃଢ଼ ଥିବା ସ୍ଥାନରେ ଖୁବ ବେଗଶୀଳ ଇଣ୍ଟରନେଟ ପାଆନ୍ତି , ତେବେ ହୁଏତ ସେମାନେ କିଛି ଶିକ୍ଷାର୍ଜନ କରିପାରନ୍ତି ; କିନ୍ତୁ ଏପରି ସୁବିଧା ଆଦୌ ନଥିବା ୯୦% ପରିବାରର ପିଲାମାନେ “ଅନଲାଇନ” ଶିକ୍ଷାର୍ଜନ ପାଇଁ କେବେ ବି ସକ୍ଷମ ହେବେ ନାହିଁ ।  ଏତେ ସଂଖ୍ୟକ ଛାତ୍ରଛାତ୍ରୀମାନଙ୍କୁ ଏପରି ସଙ୍କଟ କବଳକୁ ଠେଲିଦେଇ ଓଡ଼ିଶାର ଏହି ଶିକ୍ଷାବର୍ଷ ଆଗକୁ ଯିବା ରାଜ୍ୟପାଇଁ ଆତ୍ମଘାତୀ ହେବ । ସୁତରାଂ, ଶିକ୍ଷାବର୍ଷ ବାତିଲ କରି ପରୀକ୍ଷାହୀନ ଜ୍ଞାନ ବିତରଣରେ ସରକାର ଧ୍ୟାନ ଦିଅନ୍ତୁ ଓ ଏହି ଜ୍ଞାନ ଆସନ୍ତା ଶିକ୍ଷାବର୍ଷରେ ବିଦ୍ୟାର ପୁଞ୍ଜି ଭାବେ କାମ କରୁ ।

ଆଲୋଚନାରେ ଭାଗନେଇ ସୁଧାଂଶୁ ଚୌଧୁରୀ ଇଣ୍ଟରନେଟର ସମସ୍ୟା ଉପରେ ଆଲୋକପାତ କରିଥିଲେ । ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଥିବା ମହାମାରୀକୁ କରୋନା ମହାମାରୀ ଲୋକଲୋଚନକୁ ଆଣିଛି ବୋଲି ମତବ୍ୟକ୍ତ କରିଥିଲେ । ପୁରୀରୁ ମହେନ୍ଦ୍ର ତ୍ରିପାଠୀ ଓ ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି ଅନଲାଇନ ଶିକ୍ଷା କିଭଳି ପିଲାମାନଙ୍କୁ ଅନିଶ୍ଚିତତା କବଳକୁ  ନେଇଯାଉଛି ତାହା ଆଲୋଚନା କରି, ସତର୍କ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଗୁଳରୁ ସରୋଜ ମହାନ୍ତି ପୂର୍ବେ କିଭଳି ଦୂରଦର୍ଶନ ଶିକ୍ଷା କ୍ଷେତ୍ରରେ ଏକ ମହାନ ଭୂମିକା ଗ୍ରହଣ କରିଥିଲା ତାହା ସୂଚାଇଥିଲେ । ଆଠଗଡ଼ରୁ ନିର୍ମଳ କୁମାର ପତ୍ରୀ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଅପାରଗତାକୁ ଘୋର ନିନ୍ଦା କରିଥିଲେ ।

ଅନ୍ୟମାନଙ୍କ ଭିତରେ ଦିପ୍ତୀମୟୀ ସାହୁ, କୁନାଲ ପାତ୍ର ଉପସ୍ଥିତ ଥିଲେ । ଏହି ପାଠଚକ୍ରକୁ ରଂଜନ କୁମାର ସାହୁ ପରିଚାଳନା କରିଥିଲେ ।