ଆମ ଭାଷା ଶାସ୍ତ୍ରୀୟ ବୋଲି ସ୍ବୀକୃତ ହେଲା, ମାତ୍ର ଆମ ଭାଷା ଏବେ କେଉଁଠି?

ତୁଷାରକାନ୍ତ ଶତପଥୀ 

ସନ ୨୦୧୪ ମସିହା ଆଜିର ଦିନରେ ” ଓଡିଆ ଏକ ଶାସ୍ତ୍ରୀୟ ଭାଷା” ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ମାନ୍ୟତାପ୍ରାପ୍ତ ହୋଇଥିଲା।ଏହି ଅବସରରେ, ଆମ ଭାଷାକୁ ଏପରି ସମ୍ମାନ ପ୍ରଦର୍ଶନ ମୂଳରେ ଯେଉଁମାନଙ୍କର ପରିଶ୍ରମ ଓ ଅବଦାନ ରହିଛି, ସେମାନଙ୍କ ଉଦ୍ଦେଶ୍ୟରେ ଶତକୋଟି ପ୍ରଣାମ ଅର୍ପଣ କରୁଛି ।

ଏ ବାବଦରେ ଭାରତ ସରକାରଙ୍କ ତା୧୧.୩.୨୦୧୪ରିଖର ଗେଜେଟ ଇସ୍ତାହାରରେ ଅଂଗ୍ରେଜୀରେ “xx the Govt of India here by declare Odia as a Classical Language ” ଓ ହିନ୍ଦିରେ ” ଭାରତ ସରକାର ଏତଦଦ୍ୱାରା ଓଡିଆ କୋ ‘ପ୍ରାଚୀନ ଭାଷା’ କେ ଋପ ମେଁ ଘୋଷିତ କରତା ହୈ ” ବୋଲି ଉଲ୍ଲେଖ ଅଛି ।ଏଥିରେ କୌଣସି ଠାରେ “ଶାସ୍ତ୍ରୀୟ ଭାଷା” ବୋଲି ଉଲ୍ଲେଖ ନଥିଲେ ମଧ୍ୟ ଆମ ଓଡିଶା ସରକାର ଏହାକୁ “ଶାସ୍ତ୍ରୀୟ ଭାଷା” ବୋଲି ଘୋଷଣା କରିଛନ୍ତି,ଯାହା ବୁଝିବା ସାଧାରଣ ଲୋକଙ୍କ ପକ୍ଷେ ଦୁରୁହ । 
ହୁଏତ ” ପ୍ରାଚୀନ ଭାଷା” ଋପେ ଚିହ୍ନିତ କରାଯାଇଥିଲେ,ତାହା ଅଧିକ ବୋଧଗମ୍ୟ ହୋଇଥାଆନ୍ତା ।

ଶହେଟଙ୍କିଆ ନୋଟରେ ଓଡିଆରେ ” ଏକ ଶହ ଟଙ୍କା” ଓ ହିନ୍ଦିରେ ” ଏକ ଶୌ ରୁପୟେ” ଲେଖାଥିବା ସ୍ଥଳେ
ପାଞ୍ଚଶହଟଙ୍କିଆ ନୋଟରେ ” ପାଞ୍ଚ ଶତ ଟଙ୍କା” କିନ୍ତୁ ହିନ୍ଦିରେ ଶହେଟଙ୍କିଆ ଭଳି ” ପାଞ୍ଚ ଶୌ ରୁପୟେ” ଲେଖା ଅଛି। ଦୁଇଟି ନୋଟରୁ ଶାସ୍ତ୍ରୀୟ ଓଡିଆ କେଉଁଠି?

(A classical language is a language with an independent literary tradition and a large and ancient body of written literature. Classical languages are typically dead languages, or show a high degree of diglossia  as the spoken varieties of the language diverge further away from the classical written language over time.)

ତେବେ ସେ ଯାହା ହେଉ, ଏଭଳି ମାନ୍ୟତା ମିଳିବା ପରେ ସରକାରଙ୍କ ଦ୍ୱାରା ଓଡିଆ ଭାଷାକୁ ସମ୍ମାନ ଦିଆଯିବା ଉପରେ ବ୍ୟକ୍ତିଗତ ଅନୁଭୂତିରୁ ଘଟଣାଟିଏର ବର୍ଣ୍ଣନା କରୁଛି।

“ସୂଚନା ଅଧିକାର ଆଇନ” ଜରିଆରେ ଆମ ରାଜ୍ୟର ପଞ୍ଚାୟତରାଜ ବିଭାଗକୁ ଓଡିଆଭାଷାରେ ମଗାଯାଇଥିବା ତଥ୍ୟଟିଏର ଉତ୍ତର ନିରୋଳା ଅଂଗ୍ରେଜୀ ଭାଷାରେ ମିଳିଥିଲା, ଯଦିଓ ସେତେବେଳକୁ ” ଓଡିଶାର ଶାସନ ଓଡିଆରେ ଚାଲିବ” ଭଳି ବିଜ୍ଞପ୍ତି ପ୍ରକାଶିତ ହୋଇ ସାରିଥିଲା। ଭାରତ ସରକାରଙ୍କ ସରକାରୀ ଭାଷା ବିଭାଗ- (Official Languages Dept)ର ନିୟମ ହେଉଛି “ଚିଠି ଯେଉଁ ଭାଷାରେ ଥାଏ, ଉତ୍ତର ସେଇ ଭାଷାରେ ଦିଆଯିବ” ।

ଆଜି ” ପ୍ରାଚୀନ ଭାଷା ଘୋଷଣା ଦିବସ ” ଅବସରରେ ଓଡିଶାରେ ଓଡିଆ ଭାଷାର ଅବସ୍ଥାକୁ ଅନୁଧ୍ୟାନ କଲାବେଳେ ମନେ ପଡ଼ିଯାଉଛି କବିସୂର୍ଯ୍ଯ ବଳଦେବ ରଥଙ୍କ କଟୂ କଟାକ୍ଷ :

“ସମଝଇ ନାହିଁ ସ୍ୱଦେଶୀ ଭାଷା
କହିଲେ ସେ ହୁଅଇ ଲୋକହସା
ଜଡ଼ ମୁଁ ବୋଲି ନ ଜନ୍ମ ନିର୍ବେଦ
ଷଡ଼ଦଶୀ ତୁଲେ କଲେ ବିବାଦ
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ।” 

 ମନେ ପଡ଼ିଯାଉଛି କୁଳବୃଦ୍ଧ ମଧୁସୂଦନ ଦାସଙ୍କ “ଜାତିର ଉନ୍ନତି ହେବ କିରେ ଭାଇ ସ୍ୱାର୍ଥକୁ ଜଗତ ମଣି?
ଗୋଦରଗୋଡରେ ମାଉଁସ ଲାଗିଲେ ଦେହର କି ଶୁଭ ଗଣି!” ।

ମନେ ବି ପଡ଼ିଯାଉଛି ଓଡ଼ିଆ ତୁଣ୍ଡରେ  ଘନଘନ ପ୍ରସାରିତ  ଭକ୍ତଚରଣ ଦାସଙ୍କ “ଚିତ୍ର ପ୍ରତିମା ପ୍ରାୟ ଦିଶେ ସୁନ୍ଦର,
ଚିରି ଭିତର ଦେଖ କି ନାରଖାର”  ।

କାର୍ଯ୍ୟରେ ନହେଉ ପଛେ, ” ଓଡିଶା ଶାସନ ଓଡିଆରେ” ଭଳି ସରକାରଙ୍କ ଘୋଷଣା ପଛରେ ଏହି ଅକିଞ୍ଚନ ତାର ଗୁଣ୍ଡୁଚିମୂଷାର ଦାୟିତ୍ୱ ତୁଲାଇ ମାଟିମା’ ଋଣର କିଞ୍ଚିତ ଅଂଶ ପରିଶୋଧ କରିବାର ସୁଯୋଗ ପାଇଛି, ଯଦିଓ ଆହୁରି ବହୁତ କିଛି କରିବାର ଥିଲା, ଯେଉଁଥି ପାଇଁ ପରିସ୍ଥିତିକୁ ଦେଖି ଆଉ ଆଗ୍ରହ ନଥିଲା।
ଏବେ ତ ଘୋର ଅସୁସ୍ଥତା ଯୋଗୁ ଗୃହବନ୍ଦୀ ଅବସ୍ଥାରେ ।

ଦେଖାଯାଉ, ଓଡିଆ ଭାଷାର ଅବସ୍ଥା କ’ଣ ହେଉଛି ।

“ବନ୍ଦେ ଉତ୍କଳ ଜନନୀ,ଜୟ ହେଉ ଓଡିଆ ଭାଷାର”

ଶୁଭ ଲକ୍ଷଣ : ଭାଷା ମାଆ ପାଇଁ ସାହିତ୍ଯ ଶିବିର ଚଳଚଞ୍ଚଳ

ନ୍ଯୁଜ ସିଣ୍ଡିକେଟ

ଆନନ୍ଦର କଥା, ଭାଷା ମାଆ ପାଇଁ ସାହିତ୍ଯ ଶିବିର ଅଧିକରୁ ଅଧିକ ମାତୃଭାଷାପ୍ରାଣ ସାହିତ୍ଯିକମାନଙ୍କୁ ନେଇ ଚଳଚଞ୍ଚଳ  ହୋଇଉଠିଛି । ସ୍ଵାର୍ଥ ପାଇଁ ସାହିତ୍ଯ ପ୍ରବାହର ଗତିପଥ ବଦଳାଇ ଭାଷା ମାଆ ପାଇଁ ସାହିତ୍ଯ ସୃଷ୍ଟି ସକାଶେ ଡକରା ଦେଇଛି କଳାପତାକା ଅଭିଯାନ । ମହାନ ଆମ ମାତୃଭାଷା ସଂଘର ପ୍ରତିଷ୍ଠାତା ଶ୍ରୀମାନ ରାଜେଶ ଶତପଥୀଙ୍କ ସଂଯୋଜନାରେ ପରିଚାଳିତ ଏହି ଶିବିରକୁ ଅନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ । 

ସଂଯୋଜକ ଓ ଉନ୍ମୋଚକଙ୍କ  ଭିନ୍ନ ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଆଦି ଜିଲ୍ଲାମାନଙ୍କରୁ  ସର୍ବଶ୍ରୀ ଗଜାନନ ମିଶ୍ର, କୈଳାସ ଚନ୍ଦ୍ର ସାହାଣୀ,କ୍ଷୀରୋଦ ନାୟକ,  ନାମାକ୍ଷୀ ପୁରୋହିତ, ନିରୂପମା ପ୍ରଧାନ, ରାଧାକାନ୍ତ ଦୀପ , ଇତିଶ୍ରୀ ବେହେରା, ସୁବଳ ସାଗର, ସୁନୀତା ପଶାୟତ,  ରଞ୍ଜନ କୁମାର ସାହୁ, ସସ୍ମିତା ପାତ୍ର, ପ୍ରଦୀପ୍ତ ରଞ୍ଜନ ମହାପାତ୍ର, ରାଜେନ୍ଦ୍ର ପୁଟେଲ, ସେନ ଆଚାର୍ଯ୍ୟ, ସତ୍ୟଜିତ ମହାପାତ୍ର, ରଞ୍ଜିତା ବେହେରା, ମନୋରଞ୍ଜନ ଦାସ, ଗାୟତ୍ରୀ ସାହୁ, ନାରାୟଣ ରାଉତ, ରାଜେନ୍ଦ୍ର ସାହୁ, ମୌସୁମୀ ନାଗ, ନମିତା ସିଆଲ, ଜି ମାଝି, ଅଖିଲ ସେଠୀ, ଦିବ୍ୟଶକ୍ତି ସାମନ୍ତରାୟ, ପ୍ରମିତା ନାୟକ, ଚୁମ୍କି ବାରିକ, ମାନସ ରଞ୍ଜନ ମାହାକୁଡ, ଲଲାଟେନ୍ଦୁ ମାଝି, ପ୍ରିୟଦର୍ଶିନୀ ପଣ୍ଡା, ପ୍ରଜ୍ଞା ପାରମିତା, ଉଦ୍ଧବ କୁମ୍ଭାର, ଡିସେମ୍ବର ନିଆଲ, ସୋନାଲୀ ପାଣିଗ୍ରାହୀ ପ୍ରମୁଖ ବହୁ ବରିଷ୍ଠ ଓ କନିଷ୍ଠ ସାହିତ୍ୟିକ ଏହି ୱେବ ସମ୍ମିଳନୀରେ ଭାଗ ନେଇଥିଲେ । 

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ଦୀର୍ଘଦିନୁ ଅଦାଲତୀୟ  ସଂଘର୍ଷ କରି ଆସିଥିବା ଏବଂ ୨୦୧୫ରେ ଏଥିପାଇଁ  ଆମରଣ ଅନଶନ କରି ଭାଷା ପାଇଁ ନବଜାଗରଣ  ସୃଷ୍ଟି କରିଥିବା ଟିଟିଲାଗଡ଼ର ଅଧିବକ୍ତା ଓ କବି ଗଜାନନ ମିଶ୍ର, ଭୁବନେଶ୍ବର ଆସି ବହୁବାର କଳା ପତାକା ତୋଳିଥିବା ଭବାନୀପାଟଣାର ଅଧିବକ୍ତା ଓ କବି ସନ୍ତୋଷ କୁମାର ମିଶ୍ର, କବି କୈଲାଶ ଚନ୍ଦ୍ର ସାହାଣୀ, କବି ରାଜେଶ ଶତପଥୀ, କବିସୌରଭ କୈଲାଶ ବେହେରା ପ୍ରମୁଖ ଭାଷା ମାଆ ପାଇଁ ନିଜ ନିଜ ସାହିତ୍ଯ ନିବେଦନ କରିଥିଲେ । 

ପ୍ରତି ମାସର ଶେଷ ରବିବାର ସନ୍ଧ୍ଯା ୬ରେ ଏହି ଶିବିର ଅନୁଷ୍ଠିତ ହେବ । 

 

କଳାପତାକା ଅଭିଯାନର ମାସିକ ୱେବିନାର// ଆମ ଭାଷା ଓ ଆମ କର୍ତ୍ତବ୍ୟ


ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ କଳାପତାକା ଅଭିଯାନର ଏକ ନୂତନ ଫର୍ଦ୍ଦ ଭାବେ ଆଜି ସନ୍ଧ୍ଯା ୬ରେ ଉନ୍ମୋଚିତ ହୋଇଛି ମାସିକ ୱେବ୍ ସେମିନାର (ୱେବିନାର) : ‘ଆମ ଭାଷା ଓ ଆମ କର୍ତ୍ତବ୍ୟ’ ।


ଭାଷା ଆଂଦୋଳନର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ପରିଡ଼ାଙ୍କ ଅବାହକତ୍ବରେ ଅନୁଷ୍ଠିତ ଏହି ୱେବିନାରରେ ଯୋଗଦେଇଥିଲେ ଫୁଲବାଣୀ, ବୌଦ, ସୋନପୁର, ରାୟଗଡ଼, କଳାହାଣ୍ଡି, ସମ୍ବଲପୁର, କେଉଁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ଜଗତସିଂହପୁର,କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାମାନଙ୍କର ମାତୃଭାଷାପ୍ରେମୀ ଅର୍ଦ୍ଧଶତାଧିକ ଓଡ଼ିଆ । ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ସର୍ବଶ୍ରୀ ଶ୍ରୀକାନ୍ତ ଦାଶ, ବୀରେନ୍ଦ୍ର ଡିଗଲ, ଆନନ୍ଦା ବଡ଼ଶେଠ, ରାଜକିଶୋର ପାଢୀ, ନିରଞ୍ଜନ ବେହେରା, ତ୍ରିଲୋଚନ ପଢିଆରୀ, ବଇକୁନ୍ଥନଥ ସ୍ଵାଇଁ, ଦେବାଶିଷ ପ୍ରିୟରଞ୍ଜନ ସାହୁ, ଜଗନ୍ନାଥ ମଲ୍ଲିକ, ଅମରଜ୍ୟୋତି ରାୟ , ମନମୋହନ ପ୍ରଧାନ, ଶଙ୍କର ମିଶ୍ର, କୁବେର ହରିପାଲ୍। ଏନ୍ . ଏନ୍. ମହାପାତ୍ର , ମୁରଲୀଧର ନାୟକ, ବିକାଶ ଡିଗଲ୍, କବି ସୌରଭ କୈଲାଶ ବେହେରା, ଦୁଷ୍ମନ୍ତ ମାର୍ଥା, ମିଲନ ମହାନନ୍ଦା, ଚିତ୍ତରଞ୍ଜନ ମିଶ୍ର, କିଶୋର ରାଠୋର, ପ୍ରଶାନ୍ତ ପ୍ରଧାନ, ପ୍ରକାଶ ଡିଗଲ୍, ପିଙ୍କି ମହାରଣା, ବି. କେ. ସାହାଣୀ, ମଧୁମିତା, ସୁରେଶ କହଁର ପ୍ରମୁଖ ।

ଓଡ଼ିଶାରେ ଓଡ଼ିଆ ଭାଷାରେ କାର୍ଯ୍ୟାଳୟଗୁଡ଼ିକ ଯେପରି ନିଶ୍ଚୟ ଚାଲେ ତାହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ଆଇନ ସଂଶୋଧନ ଉପରେ ଗୁରୁତ୍ଵ ଦିଆଯାଇଥିଲା ।

ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଏହି ୱେବିନାରକୁ ଉନ୍ମୋଚିତ କରିଥିବା ବେଳେ ଏହାର ଉଦ୍ଦେଶ୍ୟ ଅବଗତ କରାଇ ଶ୍ରୀ ଅଶୋକ କୁମାର ପରିଡ଼ା କହିଥିଲେ, ଓଡ଼ିଶାର ୯୩ ଶତାଂଶ ବ୍ୟକ୍ତି ନିଜ ଦୈନନ୍ଦିନ ଜୀବନର ଭାଷା ଭାବେ ଓଡ଼ିଆ ଭାଷା ବ୍ୟବହାର କରୁଥିବା ହେତୁ ଇଂରାଜୀରେ ଚାଲିଥିବା ଶାସନ ସର୍ବସାଧାରଣଙ୍କ ପାଇଁ ଅବୋଧ୍ୟ ହୋଇରହିଛି ଓ ଗଣତନ୍ତ୍ର ପଥବଣା ହୋଇପଡ଼ିଛି । ତେଣୁ, ସୁଭାଷବାବୁ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଅନୁସାରେ ଭାଷା ଆଇନର ସାନି ସଂଶୋଧନ କରିବାକୁ ସେ ସରକାରଙ୍କୁ ଆହ୍ଵାନ ଦେଇଥିଲେ । ଓଡ଼ିଶାର ପରିଚାଳନାରେ ଓଡ଼ିଆ ଭାଷା ବ୍ୟବହାରର ପ୍ରଥମିକତା ଉପରେ ଗୁରୁତ୍ଵ ଦେଇଥିଲେ ସର୍ବଶ୍ରୀ ଶ୍ରୀକାନ୍ତ ଦାଶ, ବଇକୁନ୍ତବଥ ସ୍ଵାଇଁ, ରବୀନ୍ଦ୍ରନାଥ ମିଶ୍ର, ଅଖିଳ ବିଶ୍ଵାଳ, ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ । ଓଡ଼ିଆ ଜାତିର ଛାତ୍ରସମାଜ ଓଡ଼ିଆ ଭାଷାରେ ଶିକ୍ଷାର୍ଜନ କଲେ ଜ୍ଞାନୋପଲବ୍ଧି ସହଜ ସାଧ୍ୟ ହେବ ବୋଲି କହିଥିଲେ ଛାତ୍ରୀ ମଧୁମିତା ।

ମାତୃଭାଷାପ୍ରେମୀ ରଞ୍ଜନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ୱେବ ସମ୍ପାନ ଏହି ପ୍ରଣାଳୀରେ ଭାଷା-ଜାତୀୟତା ଜାଗୃତିର ପ୍ରଥମ ପ୍ରୟାସ । ପ୍ରତି ମାସର ତୃତୀୟ ରବିବାର ସନ୍ଧ୍ଯା ୬ରେ “ଆମ ଭାଷା ଓ ଆମ କର୍ତ୍ତବ୍ୟ” ଶୀର୍ଷକରେ ଏହା ଅନୁଷ୍ଠିତ ହୋଇଚାଲିବ ।

ନବୀନ ଏଥର ଋଣ ପରିଶୋଧ କରନ୍ତୁ


ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଲୋକେ ପଞ୍ଚାଯତ ନିର୍ବାଚନରେ ବିଜେଡ଼ି ମୁଖ୍ୟ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଦୟା ପ୍ରଦର୍ଶନ କରିଛନ୍ତି, ତାହା ଅଭୂତପୂର୍ବ । ଅପଶାସନରେ ଭରପୁର ହୋଇଥିବା ସତ୍ତ୍ୱେ ନବୀନଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ଗାଁ ଗହଳର ୫୩ ଶତାଂଶ ସରଳବିଶ୍ଵାସୀ ଅଶିକ୍ଷିତ ଓଡ଼ିଆ, ଯେଉଁମାନେ ନବୀନଙ୍କ ଠାରୁ ଋଣ ପରିଶୋଧ ହାସଲ କରିବାକୁ ଏତେ ବ୍ୟଗ୍ର ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ତାଙ୍କ ଯୋତା ପିନ୍ଧି ଚାଲିଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଜାତୀୟ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଯେଉଁ ପ୍ରଦେଶର ସେ ମୁଖ୍ୟମନ୍ତ୍ରୀ, ସେ ପ୍ରଦେଶ ଦୟାର୍ଦ୍ର ଲୋକମାନଙ୍କ ପ୍ରଦେଶ । ଓଡ଼ିଆ ଭାଷାରେ ନିଜ କାର୍ଯ୍ୟ ପରିଚାଳନା ପାଇଁ ସେମାନେ ବିଦେଶୀ ଶାସନ କାଳରେ ମଧ୍ୟ ଏହି ପ୍ରଦେଶର ଆବିର୍ଭାବ ଘଟାଇଥିଲେ । କୁଳଗୌରବ ମଧୁସୂଦନ ଦାସ ଏ ଜାତିକୁ ଏଥିପାଇଁ ନେତୃତ୍ଵ ଦେଇଥିଲେ । ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟାଳୟ ପରିଚାଳନା ହେଲେ ଆମ ଜାତିର ଦୁର୍ଭାଗ୍ୟ ହଟିବ ବୋଲି ବିଶ୍ଵାସ ଥିଲା । ତେଣୁ ସ୍ୱଭାବକବି ଗଙ୍ଗାଧର ଲେଖିଥିଲେ, “ଶ୍ରୀ ମଧୁସୂଦନ ସର୍ବ ଗୁଣ ଯୁତ/ ଫିଟାଇବେ ପରା ସୌଭାଗ୍ୟର ପଥ ।”

ଏହି “ସୌଭାଗ୍ୟର ପଥ” ମଧୁବାବୁ ଫିଟାଇଥିଲେ ମଧ୍ୟ ବିଜୁ ପଟ୍ଟନାୟକ ବନ୍ଦ କରିଦେଇଥିଲେ ୧୯୬୩ରେ ଆମ ଭାଷା ଆଇନକୁ ଅବୈଧ ଭାବେ ସଂଶୋଧିତ କରି । ‘ବିଜୁଙ୍କ ଛୁରା’ ବହିରେ ମୁଁ ତାହା ସପ୍ରମାଣ ଦର୍ଶାଇଛି । ଓଡ଼ିଆ ଲୋକେ ତାଙ୍କୁ ଥରେ ଭୋଟ ଦେଲେ ପରବର୍ତ୍ତୀ ଦୁଇଥର ପ୍ରତ୍ୟାଖ୍ୟାନ କରୁଥିଲେ । କିନ୍ତୁ ନବୀନଙ୍କ ଭାଗ୍ୟ ନିଆରା । ଲୋକେ ତାଙ୍କୁ ଏ ଯାଏଁ ସେପରି ଅଭିଜ୍ଞତା ନଦେଇ ଋଣଗ୍ରସ୍ତ କରି ରଖିଛନ୍ତି ।

ନବୀନବାବୁ ଋଣଗ୍ରସ୍ତ ଅବସ୍ଥାରେ ବିଦାହେବା ଉଚିତ ନୁହେଁ । ଏହା ମନସ୍ଥ କରି ଲୋକେ ତାଙ୍କୁ ପଞ୍ଚାଯତ ନିର୍ବାଚନରେ ବିଜୟୀ କରାଇଛନ୍ତି । କ୍ଷମତାରେ ରହିଲେ ସିନା ସେ ଋଣ ଶୁଝିବେ ! ସୁତରାଂ ଉଦାରଚେତା ଓଡ଼ିଆ ଜାତି ଋଣ ପରିଶୋଧ ପାଇଁ ନବୀନଙ୍କୁ ଏହି ଶେଷ ସୁଯୋଗ ଦେଇଛି ।

କେବଳ ଗୋଟିଏ କାମ କରି ସେ ଏହି ଋଣ ଶୁଝିଦେଇପାରିବେ । ତାହା ହେଲା, ଜାଲିଆତି ଦ୍ଵାରା ସେ ଭାଷା ଆଇନର ଯେଉଁ ଅପସାଂଶୋଧନ କରିଛନ୍ତି, ତାହା ପ୍ରତ୍ୟାହାର କରିବାକୁ ଓ ଯେଉଁ ବ୍ୟକ୍ତି ଓଡ଼ିଆ ଭାଷାରେ କାର୍ଯ୍ୟାଳୟ କାମ ନକରିବ, ତାକୁ ରାଜ୍ୟଦ୍ରୋହୀ ଅର୍ଥାତ୍ ଦେଶଦ୍ରୋହୀ ଘୋଷଣକରି ତଦନୁଯାୟୀ ନିର୍ଦ୍ଧାରିତ ଦଣ୍ଡ ବିଧାନ ପାଇଁ ଆଇନ ପ୍ରଣୟନ କରିବାକୁ ସେ ବିଧାନସଭାର ଆଗାମୀ ଅଧିବେଶନରେ ପ୍ରସ୍ତାବ ଦେଇ ତଦ୍ଦୃପ ଆଇନ ପ୍ରବର୍ତ୍ତନ କରିପାରିବେ ।

ନିର୍ବାଚନ ଜିଣାରେ ଉଲ୍ଲସିତ ନହୋଇ ନବୀନ ଏହି ଋଣ ପରିଶୋଧ କାମ ଯେତେଶୀଘ୍ର କରିବେ, ସେତେ ଭଲ ।

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଏହି ପୁସ୍ତକର ପାଠ୍ୟ ଓଡ଼ିଆ ଜାତିର ଅବଗତି ପାଇଁ କ୍ରମାଗତ ଭାବେ ପରିବେଷଣ କରାଯିବ । ଆମ ରାଜ୍ୟଭାଷା ଭୟଙ୍କର ବିପଦରେ ।

କ୍ରମାନୁବୃତ୍ତି

ଓଡ଼ିଆ ଲୋକେ ନଜାଣିଥିବା ଭାଷାରେ ସେମାନଙ୍କ ଜମିଜମାର ରେକର୍ଡ ବି ତିଆରିହେଲା । ଦୃଷ୍ଟାନ୍ତ ସ୍ୱରୂପ ନିମ୍ନ ୩ ଗୋଟି ଦଲିଲ ଦ୍ରଷ୍ଟବ୍ୟ ।

ତେଲୁଗୁ ଅକ୍ଷରରେ ମୁଦ୍ରିତ ହୋଇଥିବା ‘କ’ ଚିହ୍ନିତ ଫର୍ମରେ ହାତରେ ଲେଖା ହୋଇଛି ଗଂଜାମ ଜିଲ୍ଲା ନିବାସୀ ଜଣେ ଓଡ଼ିଆଙ୍କ ନାମ ଓ ଠିକଣା । ଏହା କି ଫର୍ମ , କଣ ଏଥିରେ ଲେଖା ହୋଇଛି କିଏ ଜାଣେ ? ଏଇଟିକି ମୁଁ ବ୍ରହ୍ମପୁର ସହରର ଗାନ୍ଧିନଗର ୯ମ ସାହି ବାସିନ୍ଦା ଓଡ଼ିଆଭାଷାପ୍ରାଣ ଶ୍ରୀଯୁକ୍ତ ଭଗବାନ ସାହୁଙ୍କଠାରୁ ସଂଗ୍ରହ କରିଛି । ଏହା ୧୯୦୫ ମସିହାର ଏକ ଦସ୍ତାବିଜ । ଏଇଟି ତେଲୁଗୁ ଭାଷାରେ ମୁଦ୍ରିତ ହୋଇଥିବା ବେଳେ ‘ଖ’ ଚିହ୍ନିତ ଦଲିଲଟି ୧୮୯୭ର ଓ ସମ୍ପୂର୍ଣ ଓଡ଼ିଆରେ ମୁଦ୍ରିତ । ‘ଗ’ ଚିହ୍ନିତ ଦଲିଲଟି ୧୮୯୮ର । ଏଠାରେ ଓଡ଼ିଆ ଲେଖା ତଳେ ତେଲୁଗୁ ଭାଷାରେ ଲେଖା ଅଛି । ଏହାର ଅର୍ଥ ହେଲା , ୧୮୯୭ରେ ଗଞ୍ଜାମ ଜିଲ୍ଲାର ଦପ୍ତରମାନଙ୍କର ଭାଷା ସମ୍ପୂର୍ଣ୍ଣତଃ ନିରୋଳା ଓଡ଼ିଆ ହୋଇଥିବା ବେଳେ ୧୮୯୮କୁ ଓଡ଼ିଆ ସାଙ୍ଗକୁ ତେଲୁଗୁ ଚଳାଇ ୧୯୦୫ ବେଳକୁ ସମ୍ପୂର୍ଣ୍ଣ ତେଲୁଗୁରେ ଶାସନ ଚାଲିଥିଲା ବ୍ରିଟିଶ ଶାସନରେ । ଏହା ଫଳରେ ଓଡ଼ିଆ ଲୋକମାନେ ଏପରି ତଳିତଳାନ୍ତ ହୋଇଗଲେ ଯେ ଗଞ୍ଜାମର ‘ଶିଷ୍ଟକରଣ’ମାନେ ଓଡ଼ିଆ ଭାଷାଭାଷୀ ଭାଇଭଉଣୀମାନଙ୍କୁ ଆଇନ ଅଦାଲତରେ ହେଉ ବା ଜମିଜମା ବନ୍ଦୋବସ୍ତରେ ହେଉ ସାହାଯ୍ୟ କରିବା ପାଇଁ ତେଲୁଗୁ ଭାଷା ଆୟତ୍ତ କରିବାକୁ ବାଧ୍ୟ ହେଲେ । (କ୍ରମଶଃ)