ଭାଷା ଆନ୍ଦୋଳନରୁ ଓହରିଯିବା ମାତୃଦ୍ରୋହ : ଜନନେତା ପ୍ରସାଦ ହରିଚନ୍ଦନ

କରୋନା ମହାମାରୀର ମୁକାବିଲାରେ ସରକାର କେନ୍ଦ୍ରୀଭୂତ ରହନ୍ତୁ – ଏଥିପାଇଁ କଳା ପତାକା ଅଭିଯାନର କାୟିକ ପ୍ରଦର୍ଶନ ସ୍ଥଗିତ ଥିବା ବେଳେ ବୌଦ୍ଧିକ ଅଭିଯାନ ଅକ୍ଷୁର୍ଣ୍ଣ ଅଛି । ଏହି କ୍ରମରେ ଫେସ୍ ବୁକ୍ ଅନ୍ତର୍ଗତ “ଭାଷା ମା ପାଇଁ ପଦେ” ପୃଷ୍ଠାରେ ସମ୍ମାନିତ ଜନନେତା ପ୍ରସାଦ ହରିଚନ୍ଦନ ଆଜି ପୂର୍ବାହ୍ନରେ ‘ଓଡ଼ିଆରେ ଓଡ଼ିଶା’ ବିଷୟରେ ଆଲୋଚନା କରିଥିଲେ ।

ଶିକ୍ଷିତ ଓଡ଼ିଆମାନଙ୍କ ମାତୃଭାଷା ପ୍ରତି ବିମୁଖତା, ସରକାରଙ୍କ ଉଦାସୀନତା ଏବଂ ଓଡ଼ିଆମନସ୍କ ନେତୃତ୍ଵର ଅଭାବ ହେତୁ ଓଡ଼ିଆ ଭାଷା ଆଜି ସଙ୍କଟକବଳିତ ବୋଲି କହି ଶ୍ରୀ ପ୍ରସାଦ ଓଡ଼ିଆ ଜାତିର ଜନ୍ମସିଦ୍ଧ ଅଧିକାର ହାସଲ ପାଇଁ ଚାଲିଥିବା ଭାଷା ଆନ୍ଦୋଳନରୁ କୌଣସି ଆନ୍ଦୋଳନକାରୀ ଓହରିଯିବା ମାତୃଦ୍ରୋହ ବୋଲି ଅଭିହିତ କରିଥିଲେ ।  ପ୍ରତି ଓଡ଼ିଆ ନିଜ ପାଇଁ ନିଜର ଆଚରଣ ସଂହିତା ପ୍ରସ୍ତୁତ କରି ଭାଷା ମା ପାଇଁ ଜୀବନ ପଣ କରିବାକୁ ଆହ୍ଵାନ ଦେଇଦେଇଥିଲେ ଶ୍ରୀ ହରିଚନ୍ଦନ ।