ମାତୃଭାଷା ହିଁ ମୁଖ୍ୟ , ଅନ୍ୟ ସବୁ ଗୌଣ : ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ପ୍ରଫେସର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ

ସୁବିଖ୍ୟାତ କଳାପତାକା ଅଭିଯାନର ବୌଦ୍ଧିକ ସଂସ୍କରଣରେ ଉଦ୍ବୋଧନ ଦେଇ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଆଧୁନିକ ଭାରତୀୟ ଭାଷାଚୟ ଓ ସାରସ୍ଵତ ଅଧ୍ୟୟନ (Modern Indian Languages & Literary Studies) ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡଃ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଶିକ୍ଷା କ୍ଷେତ୍ରରେ ମାତୃଭାଷାକୁ ଅଗ୍ରାଧିକାର ଦେଇଥିବାରୁ ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି ।

ମାତୃଭାଷା ହିଁ ମୁଖ୍ୟ, ଆଉ ସବୁ ଗୌଣ ବୋଲି ଏହି ଶିକ୍ଷାନୀତି ଯେପରି ସ୍ପଷ୍ଟ କରିଛି ତାହା ପୂର୍ବବର୍ତ୍ତୀ ଶିକ୍ଷାନୀତିମାନଙ୍କର ଅଭିଳାଷର ପ୍ରୟୋଗାତ୍ମକ ଅନୁଭୂତିରୁ ଅର୍ଜିତ ସିଦ୍ଧାନ୍ତ ଉପରେ ଆଧାରିତ ବୋଲି ଦର୍ଶାଇ ପ୍ରଫେସର ପଟ୍ଟନାୟକ ଭାଷା ଆନ୍ଦୋଳନ ପ୍ରେକ୍ଷାପଟରେ ଓଡ଼ିଶା ସରକାରଙ୍କୁ ଏକ ପରୋକ୍ଷ ପରାମର୍ଶ ଦେଇ କହିଥିଲେ, ମାତୃଭାଷା ହିଁ ଜାତିର ପରିଚୟ ହୋଇଥିବା ହେତୁ ତାର ସଂରକ୍ଷଣ ଆବଶ୍ୟକ । ଏହି ସଂରକ୍ଷଣ ସାହିତ୍ୟକୃତି ମାଧ୍ୟମରେ ନୁହେଁ, ସାହିତ୍ୟଠାରୁ ଭାଷାକୁ ଅଲଗା କରି ତାର ଶୈକ୍ଷିକ ଓ ବ୍ୟବହାରିକ ଉପଯୋଗୀତା ବୃଦ୍ଧି ଦ୍ଵାରା ହିଁ ସମ୍ଭବ ।

ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତିଷ୍ଠିତ ଭାଷା ଆନ୍ଦୋଳନ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ୧୯୫୪ରୁ ନିଷ୍କ୍ରିୟ ହୋଇରହିଥିବା ଓଡ଼ିଶା ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା ସକାଶେ ପ୍ରାୟ ୫ ବର୍ଷ ଧରି ଏହି ଅଭିଯାନ ଚଳାଇଛି । କରୋନା କାଳରେ କାୟିକତଃ ଏହା ସ୍ଥଗିତ ଥିବା ବେଳେ ବୌଦ୍ଧିକ ସ୍ତରରେ ଅବ୍ୟାହତ ଅଛି ଓ ପ୍ରତି ସପ୍ତାହରେ ଓଡ଼ିଶାର ଜଣେ ଜଣେ ପ୍ରଥିତଯଶା ବିଜ୍ଞ ବ୍ୟକ୍ତି ଏହି ବୌଦ୍ଧିକ ଅଭିଯାନରେ ଅଂଶଗ୍ରହଣ କରି ଓଡ଼ିଆ ଜାତିକୁ ଦିଗ୍ଦର୍ଶନ ଦେଉଛନ୍ତି । ଏହି କ୍ରମରେ ପ୍ରଫେସର ପଟ୍ଟନାୟକ ଜାନୁଆରୀ ୧୭ ତାରିଖରେ ଦେଇଥିବା ଅଭିଭାଷଣ ସାମାଜିକ ଗଣମାଧ୍ୟମ ଫେସବୁକରେ ଏହି ଅଭିଯାନର ନଭମଞ୍ଚ – ଭାଷା ମାଆ ପାଇଁ ପଦେ – ପୃଷ୍ଠାରୁ ସିଧା ପ୍ରସାରିତ ହୋଇଥିଲା ।

ସାହିତ୍ୟିକମାନେ ଭାଷାମନସ୍କ ହୁଅନ୍ତୁ : ଅଧ୍ୟାପକ ଅଶୋକ ମହାରଣା

ଭାଷା ଆନ୍ଦୋଳନର ସୋମବାସରୀୟ ବୌଦ୍ଧିକ ସଂସ୍କରଣରେ କଳାପତାକା ଅଭିଯାନର ଭର୍ଚ୍ୟୁଆଲ ମଞ୍ଚ – ଫେସବୁକ ଅନ୍ତର୍ଗତ ଭାଷା ମା ପାଇଁ ପଦେ – ପୃଷ୍ଠାରୁ ସିଧା ପ୍ରସାରିତ ଅଭିଭାଷଣରେ ଅଧ୍ୟାପକ ଅଶୋକ ମହାରଣା ଓଡ଼ିଆ ସାହିତ୍ୟିକମାନଙ୍କୁ ଭାଷାମନସ୍କ ହେବାକୁ ନଭେମ୍ବର ୨ରେ ଆହ୍ଵାନ ଦେଇଛନ୍ତି । ସେ ପଚାରିଛନ୍ତି – ଭାଷା ବଞ୍ଚିଲେ ସାହିତ୍ୟ ବଞ୍ଚିବ କି ସାହିତ୍ୟ ବଞ୍ଚିଲେ ଭାଷା ବଞ୍ଚିବ?

ସାହିତ୍ୟିକ ଭାବେ ଯଦି କାହାର ପରିଚୟ ସୃଷ୍ଟି ହୋଇଥାଏ ତେବେ ତାହା ଭାଷାକୁ ନେଇ । ଏ କଥା ଭୁଲିଗଲେ ଚଳିବ ନାହିଁ । ତେଣୁ ସାହିତ୍ୟିକମାନେ ଭାଷାମନସ୍କ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେ ପୁନଶ୍ଚ କହିଛନ୍ତି, ଓଡ଼ିଆ ଭାଷାର ଛାତିରେ ଆଜି ଇଂରାଜୀ ଦଣ୍ଡାୟମାନ । ଓଡ଼ିଆ ବିଦ୍ୟାଳୟ ଉଜୁଡ଼ି ଯାଉଛି, ସରକାର ଗଢୁଛନ୍ତି ଇଂରାଜୀ ବିଦ୍ୟାଳୟ । ଇଂରାଜୀ ଭାଷାର ବିଜ୍ଞ ପ୍ରଫେସର ଡଃ ବି ॰ଏନ॰ ପଟ୍ଟନାୟକଙ୍କ ପରି ବ୍ୟକ୍ତି କହୁଛନ୍ତି ଶିକ୍ଷା ଦିଆଯାଉ ମାତୃଭାଷାରେ, ଅଥଚ ସରକାର ପ୍ରଥମରୁ ଇଂରାଜୀଶିକ୍ଷା ଉପରେ ଗୁରୁତ୍ଵ ଦେଉଛନ୍ତି । ସାହିତ୍ୟିକମାନେ ପୁରସ୍କାର ଗୋଟେଇବାକୁ ସରକାରଙ୍କ ସାଥିରେ । ଓଡ଼ିଆ ଭାଷା ବଞ୍ଚିବ କେମିତି? ସତେଯେମିତି ଆମ ସରକାର ଆମକୁ କହୁଛନ୍ତି – ଓଡ଼ିଆ ଆମ କାମର ଭାଷା ନୁହେଁ । ଇଂରାଜୀ ରାଜୁତିରେ ଆମ ଭାଷାକୁ ମାରିଦେବା ପାଇଁ ବଙ୍ଗାଳୀ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ କହିଥିଲେ, ଓଡ଼ିଆ ଗୋଟେ ସ୍ଵତନ୍ତ୍ର ଭାଷା ନୁହେଁ । ଏହିପରି ବହୁ ବହୁ କାନ୍ତିଲାଲ ଭଟ୍ଟାଚାର୍ୟ ଏବେ ଆମ ଓଡ଼ିଶାରେ ଅଛନ୍ତି, ଯେଉଁମାନେ ଆମ ଭାଷାକୁ ମାରିବାକୁ ଚେଷ୍ଟା ଚଳାଇଛନ୍ତି ।

କାନ୍ତିଲାଳଙ୍କ ଭ୍ରାନ୍ତ ଦାବିକୁ ବ୍ୟର୍ଥ କରିଥିଲେ ସେତେବେଳର ସାହିତ୍ୟିକମାନେ ମାତୃଭାଷାମନସ୍କ ସାହିତ୍ୟର ପ୍ଲାବନ ଖେଳାଇ । ଏବେ ଆମ ସାହିତ୍ୟିକମାନେ ଭାଷାମନସ୍କ ହୁଅନ୍ତୁ ଓ ଆମ ରାଜ୍ୟରେ ଅପାଂକ୍ତେୟ ହୋଇପଡ଼ିଥିବା ଆମ ମାତୃଭାଷାକୁ ସରକାରୀ ଅବହେଳା କବଳରେ ମରିଯିବାରୁ ବଞ୍ଚାନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

ଆଇନ ଅଛି । ଆଇନକୁ କାର୍ଯ୍ୟକାରୀ କରିବାରରେ କୁଣ୍ଠା କାହିଁକି? ବୋଲି ପଚାରିଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଏହି ଛାତ୍ରାବତ୍ସଳ ଅଧ୍ୟାପକ ।

ଫେସବୁକରେ ସିଧା ପ୍ରସାରିତ ତାଙ୍କ ଅଭିଭାଷଣ ୟୁଟ୍ୟୁବ୍ ମାଧ୍ୟମରେ ଏଠାରେ – 

ଭାଷା ମାଆ ପାଇଁ ଚିନ୍ତାଖିଏ// ଅଧ୍ୟାପିକା ରେଣୁକା ସାମଲ

                                                    
 [ଆମ ଭାଷାକୁ ମାରିଦେବା ପାଇଁ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଯେଉଁ ଚକ୍ରାନ୍ତ ଚଳାଇଛନ୍ତି ତା କବଳରେ ପଡ଼ି ଆମ ଜାତିର ପରିଚୟ ଏବେ ବିପଦାପନ୍ନ । ତାକୁ ବିପଦମୁକ୍ତ କରିବା ପାଇଁ ଆମେ ଯେଉଁ ଭାଷା ଆନ୍ଦୋଳନ ଚଳାଇଛୁ, ତାହା ପ୍ରତ୍ୟାହୃତ ହୋଇସାରିଛି ବୋଲି ଏକଦା ଆନ୍ଦୋଳନ ପ୍ରତିଷ୍ଠତାଙ୍କ ଦୁଇ ସହଯୋଗୀଙ୍କଠାରୁ କଳା ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ଲେଖେଇନେଇଛନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷାକୁ ମାରିଦେବା ପାଇଁ ଏପରି କୁତ୍ସିତ ଚକ୍ରାନ୍ତ କରିବା ସାରା ବିଶ୍ଵରେ ବିରଳ । ବିଶ୍ଵରେ ବିରଳ ମଧ୍ୟ ଆମ ଆନ୍ଦୋଳନ ପରି ଏକ ଆନ୍ଦୋଳନ, ଯାହା ନିଜର ମାତୃଭାଷାକୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବର୍ଷ ବର୍ଷ ଧରି ନୀରବରେ ନିଜର ଦାବି ନିବେଦନ କରିପାରେ । ଏହି ଆନ୍ଦୋଳନ ଏତେ ନୀତିନିଷ୍ଠ ଯେ, କରୋନା ପରିଚାଳନାରେ ସରକାରଙ୍କୁ ଚାପମୁକ୍ତ  ରଖିବା ପାଇଁ ଏହା ପ୍ରତ୍ୟହ ଚଳାଇଥିବା କଳାପତାକା ଅଭିଯାନକୁ କାୟିକତଃ ସ୍ଥଗିତ ରଖିଛି ; କିନ୍ତୁ ଅବ୍ୟାହତ ରଖିଛି ବୌଦ୍ଧିକ ସ୍ତରରେ । ପ୍ରତିଦିନ ଆନ୍ଦୋଳନର ଦାବି ଅଦ୍ୟତନ କରାଯିବା ସଙ୍ଗେ ସଙ୍ଗେ ପ୍ରତି ରବିବାର ସନ୍ଧ୍ୟା ୭ରୁ ଚାଳୁଛି ନଭମଞ୍ଚ ମାଧ୍ୟମରେ ଏହାର  ସାରସ୍ଵତ ସାଙ୍ଗଠନିକ ଅଧିବେଶନ ; ଏବଂ ପ୍ରତି ସୋମବାର ପୂର୍ବାହ୍ନ ୧୦ରେ ଫେସବୁକରେ ଥିବା  ‘ଭାଷା ମାଆ ପାଇଁ ପଦେ’ ପୃଷ୍ଠାରୁ ଜଣେ ବିଜ୍ଞ ଓଡ଼ିଆ ଆନ୍ଦୋଳନର ଦାବି ଯଥାର୍ଥ ଓ ତାହାକୁ ସରକାର ମାନିନିଅନ୍ତୁ ବୋଲି ସାରଗର୍ଭକ ପରାମର୍ଶ ଦେଉଛନ୍ତି ସରକାରଙ୍କୁ । ବିଶ୍ଵର ଆନ୍ଦୋଳନ ଇତିହାସରେ ଏହା ଯେତିକି ବିରଳ, ସେତିକି ଅଭିନବ । ଏହି କ୍ରମରେ ଅନୁଷ୍ଠିତ ରବିବାସରୀୟ ଅଧିବେଶନରେ ଯେଉଁ ସମସ୍ତ ଭାଷାମନସ୍କ  ଭାଷଣ ଉପସ୍ଥାପିତ ହେବ, ସେଗୁଡ଼ିକୁ ଏହି ମଞ୍ଚରେ ଆମେ 'ଭାଷା ମାଆ ପାଇଁ ଚିନ୍ତାଖିଏ  ' ପୃଷ୍ଠାରେ ସ୍ଥାନିତ କରିବୁ । (ସୁଭାଷ ଚନ୍ଦ୍ର ପଟ୍ଟନାୟକ )]

                          ଆମ ଭାଷା ଆମ ପରିଚୟ

“ମାତୃଭୂମି ମାତୃ ଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନୀ ରହିବେ କାହିଁ।”

ବାସ୍ତବିକ୍ ଗଙ୍ଗାଧର ମେହେରଙ୍କ ଏହି ଉକ୍ତିଟି ଆମ ସମସ୍ତଙ୍କ ମନକୁ ଆନ୍ଦୋଳିତ କରେ ।ମୋ ଭାଷା ହିଁ ମୋ ଅସ୍ମିତା – ଏହା ଏହି ପଙ୍କ୍ତିଟି ଆମକୁ ସୂଚାଇ ଦିଏ ।

ଆମେ ଜୀବନକାଳ ଭିତରେ ତିନୋଟି ମାଆକୁ ଭେଟିଥାଉ । ଯିଏ ଆମକୁ ଜନ୍ମ ଦିଏ ସିଏ ମାତୃଦେବୀ , ଯିଏ ଆମକୁ ତା କୋଳରେ ଚାଲିବା ପାଇଁ ସ୍ଥାନ ଦିଏ ସିଏ ମାତୃଭୂମି ଏବଂ ଆଉ ଜଣେ ଯିଏ ଆମର କଣ୍ଠରୁ ଶବ୍ଦ ହୋଇ ଝରିପଡେ ସେ ଆମର ମାତୃଭାଷା । ଏ ତିନି ଜଣ ଯାକ ଆମର ଚିର ନମସ୍ୟା । 

ଆମ ଓଡ଼ିଆ ଭାଷା ଏକ ପ୍ରାଚୀନ ଏବଂ ସମୃଦ୍ଧ ଭାଷା । ଶହ ଶହ ବର୍ଷ ଧରି ଓଡ଼ିଆ ଭାଷାର ଏକ ସୁଦୀର୍ଘ ପରମ୍ପରା ରହି ଆସିଛି । ଏହି ମହାନ୍ ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି ଏହି ମାଟିର ବହୁ ସ୍ମରଣୀୟ ସାହିତ୍ୟସାଧକ । ଆମ ଭାଷାରେ ଆମ ପରିଚୟ ସୃଷ୍ଟି କରିବା ପାଇଁ ଏଇ ମାଟି ତା କୋଳରେ ଅନେକ ପ୍ରଥିତ ଯଶା ସାହିତ୍ୟିକ ଓ ଭାଷାପ୍ରେମୀମାନଙ୍କୁ ଜନ୍ମ ଦେଇଛି । ତାଙ୍କ ପାଇଁ ଆମ ଭାଷା, ଆମ ପରମ୍ପରା, ପାଲଟି ଯାଇଛି ଏକ ଅତୁଳନୀୟ ଐଶ୍ୱର୍ଯ୍ୟ ଓ ମହାର୍ଘ ସମ୍ପଦ ।

ଯେଉଁମାନଙ୍କ ପ୍ରାଥମିକ ପ୍ରୟାସ ପାଇଁ ଆମ‌ ଭାଷା ବିଶ୍ୱଦରବାରରେ ଅଣ୍ଟା ସଳଖି ଛିଡ଼ା ହୋଇ ପାରିଛି, ସେମାନଙ୍କ ପାଇଁ ଆମେ ଗର୍ବିତ ଓ ଗୈାରବାନ୍ୱତ । ସେମାନଙ୍କ ମଧ୍ୟରୁ ଅଗ୍ରସାରଥି ରୂପେ ଆମେ ମାଟିର ମହାକବି ସାରଳା ଦାସଙ୍କୁ ନେଇ ପାରିବା; କାରଣ, ସେ କେବଳ ଶୂଦ୍ରମୁନି ସାରଳା ଦାସ ନୁହଁନ୍ତି, ସେ ଓଡ଼ିଶା ମାଟିର ଦର୍ଶନବନ୍ତ ମହାପୁରୁଷ । ସେ ହିଁ ଆଦି ଓଡ଼ିଆ ଭାଷା ଓଡ଼ିଆ ସଭ୍ୟତା ତଥା ଓଡ଼ିଆ ସାହିତ୍ୟର ପିତା ଓ ପ୍ରତିଷ୍ଠାତା । ମହାଭାରତ ପରି ମହାକାବ୍ୟର ସ୍ରଷ୍ଟା ହିସାବରେ ଆମେ ତାଙ୍କୁ ଜାଣୁ । ଏହା କେବଳ ଏକ ମହାକାବ୍ୟ ନୁହେଁ , ବରଂ ଓଡ଼ିଶାର ଜନ ଜୀବନର ଏକ ମହାନ୍ ଆଲେଖ୍ୟ । ତେଣୁ କୁହାଯାଏ-
“ଯାହା ନାହିଁ ଭାରତେ
ତାହା ନାହିଁ ଭାରତେ ।”

ଓଡ଼ିଆ ଭାଷା ଓ ଓଡ଼ିଆ ପରମ୍ପରାକୁ ଜୀବନ୍ୟାସ ଦେଇ ଚଳପ୍ରଚଳ କରାଇବା ପାଇଁ ଏହା ଥିଲା ପ୍ରଥମ ମୂଳଦୁଆ ।
ଷୋଡ଼ଶ ଶତାବ୍ଦୀର କଥା ଯଦି ଆମେ ଆଲୋଚନା ପରିସରଭୁକ୍ତ କରିବା ତାହେଲେ ଓଡ଼ିଆ ଭାଷା ସାହିତ୍ୟର ସୈ।ଧର ଭିତ୍ତି ପ୍ରସ୍ତର ଏହି ସମୟରେ ହିଁ ପଡିଥିଲା । ନଦୀରେ ଜୁଆର ଆସିଲେ ଯେଉଁ ଭଳି ଭାବେ ଦୁଇ କୂଳ ପ୍ଲାବିତ ହୋଇଥାଏ, ଠିକ୍ ସେହିଭଳି ଭାବେ ଏ ସମୟରେ ଓଡ଼ିଆ ଭାଷା ସାହିତ୍ୟରେ ପ୍ରବଳ ପ୍ଲାବନ ଦେଖା ଦେଇଥିଲା । ଆମେ ଯେତେବେଳେ ବଳରାମ ଦାସଙ୍କ କଥା ଆଲୋଚନା କରୁ, ସେତେବେଳେ ଆମ ନଜରକୁ ସେ ନିଶ୍ଚଚ ଆସନ୍ତି  ଓଡ଼ିଆ ସାହିତ୍ୟର ପ୍ରଥମ ନାରୀବାଦୀ କବି ଭାବେ । ତାଙ୍କର ଲକ୍ଷ୍ମୀ ପୁରାଣରେ କି ଭଳି ଜଣେ ନାରୀକୁ ସମ୍ମାନ ଦିଆଯିବା ଉଚିତ୍  ତାହା ସେ ତାଙ୍କ ପୁରାଣ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇଥିଲେ ।

ଓଡ଼ିଆ ଜାତିକୁ ପାଠୁଆ ଓ ଓଡ଼ିଆ ଭାଷାକୁ ସଂସ୍କୃତିସମ୍ପନ୍ନ କରିବା ପାଇଁ ଯଦି କିଏ ଓଡ଼ିଶାର ଆବାଳବୃଦ୍ଧବନିତାଙ୍କ ପାଖରେ ପରିଚିତ, ସେ ହେଉଛନ୍ତି ଓଡ଼ିଆଙ୍କ ଭିତରେ ବଡ଼ ଓଡ଼ିଆ ଜଗନ୍ନାଥ ଦାସ, ଯେ କି ଓଡ଼ିଆ ଭାଗବତର ସ୍ରଷ୍ଟା । ଭାଗବତ କିଭଳି ଭାବେ ଯୁଗ ଯୁଗ ଧରି ତା’ର ଯାଦୁକରୀ ସ୍ପର୍ଶରେ ଆମ ସମସ୍ତଙ୍କ ଜୀବନକୁ ଆଧ୍ୟାତ୍ମିକ ପ୍ରାଣପୂର୍ଣ୍ଣତା ଦେଇଛି, ତାହା ନିଶ୍ଚିତ ରୂପେ ସଭିଙ୍କୁ ଜଣାଅଛି । ଓଡ଼ିଶାର ଜନ ସାଧାରଣଙ୍କ ସରଳ ନୀତିନିଷ୍ଠ ଜୀବନ ଉପରେ ଭାଗବତ ଯେ ଗଭୀର ପ୍ରଭାବ ପକାଏ ଏଥିରେ ଦ୍ୱିମତ ହେବାରେ କିଛିନାହିଁ ।

ଏହା ମଧ୍ୟ ଆମର ଏକ ଭିନ୍ନ ପରିଚୟ । ଏହାର ରସାଣିତ ଓ ଅମୃତମୟ ଭାଷା ସମସ୍ତ ଶ୍ରେଣୀର ଲୋକଙ୍କୁ ଆପ୍ୟାୟିତ କରିବା ସଙ୍ଗେ ସଙ୍ଗେ ଆମମାନଙ୍କର ଆଧ୍ୟାତ୍ମିକ ତୃଷ୍ଣାକୁ ଅନେକ ପରିମାଣରେ ମେଣ୍ଟାଇବା ସହ ଓଡ଼ିଶାର ଘରେ ଘରେ ତଥା ପ୍ରତି ଜନ ମାନସକୁ ସ୍ପର୍ଶ କରିଛି । ସେହି ପରି ମୋ ଭାଷାର ଅନ୍ୟ ଜଣେ ବରପୁତ୍ର ସନ୍ଥ କବି ଭୀମ ଭୋଇଙ୍କୁ ଆଲୋଚନାକୁ ନିଆଯାଏ । ଏକ ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରି ପ୍ରାଣୀ ମାନଙ୍କର ଉଦ୍ଧାର ପାଇଁ ଏଭଳି ପ୍ରସିଦ୍ଧ ପଦ ଲେଖିବା କେବଳ ମୋ ଭାଷାର କବିଟିଏ ହିଁ କରିପାରେ-
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ        
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।”

ଆମ ଭାଷାର ବିଲୋପୀକରଣ ପାଇଁ ଚକ୍ରାନ୍ତ ଚାଲିଥିବା ବେଳେ ଆମ ମାତୃଭାଷାର ବୈଶିଷ୍ଟ୍ୟ ପ୍ରତିପାଦନ କରି ତାର ସୁରକ୍ଷା ଓ ତହିଁରେ ଆମ ଜାତିର କାର୍ଯ୍ୟ ପରିଚାଳନା ପାଇଁ ଯେଉଁମାନେ ଆମ ଭାଷା ଭିତ୍ତିରେ ଏକ ଶାସନାଧୀନ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ ସମୟରେ ଯେଉଁମାନେ ଅଗ୍ରଗାମୀ ହୋଇ ଆମ ଭାଷାକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଥିଲେ,  ସେମାନଙ୍କ ମଧ୍ୟରୁ ସେନାପତି ସାଜି ଭାଷା ସାହିତ୍ୟର ରଣାଙ୍ଗନରେ ଯିଏ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେ ଥିଲେ କୁଳବୃଦ୍ଧ ମଧୁସୂଦନ ,ବ୍ୟାସ କବି ଫକିର ମୋହନ ସେନାପତି , କବିବର ରାଧାନାଥ ରାୟ , ସ୍ବଭାବକବି ଗଙ୍ଗାଧର ମେହେର ପ୍ରଭୃତି ବହୁ ମନୀଷୀ । ସେମାନଙ୍କ କଣ୍ଠରୁ ସ୍ଫୁରିଥିବା ମହାମିଳନର ମହାମନ୍ତ୍ରଟିକୁ ଆମକୁ ମୁକ୍ତ କଣ୍ଠରେ ଗାନ କରିବାକୁ ପଡ଼ବ । 
ରାମଚନ୍ଦ୍ରଙ୍କ ସେତୁ ବନ୍ଧରେ ଗୁଣ୍ଡୁଚି ମୂଷାର ପ୍ରୟୋଜନୀୟତା ଭଳି ଛୋଟ ପ୍ରୟାସ ହିଁ ଆମକୁ ନିଶ୍ଚିତ ରୂପେ ଆମର ଲକ୍ଷ୍ୟ ସ୍ଥଳରେ ପହଁଞ୍ଚାଇ ପାରିବ । ଆମକୁ ଆମ ଭାଷାର ଲାଳିତ୍ୟ ଓ କୋମଳତା ସମ୍ପର୍କରେ ପାଶୋରି ପକାଉଥିବା ଜାତିକୁ ଆଉଥରେ ଚେତାଇ ଦେବାକୁ ହେବ ଓ ପୁରୁଣା ସ୍ମୃତିକୁ ରୋମନ୍ଥନ କରି ମୋ ଭାଷାର ନବ କଳେବର ରୂପକୁ ଆଗାମୀ ପିଢ଼ି ହାତରେ ଟେକି ଦେବା ସହ ଏହାର ଉତ୍ତୋରତର ଉନ୍ନତି ନିମନ୍ତେ ଆମ ଓଡିଶାର ସମସ୍ତ ଜନସାଧାରଣ ନିଜଭାଷାର ପ୍ରୟୋଗ ପ୍ରତି ଯତ୍ନବାନ ହେବାକୁ ପଡିବ। ଏବଂ ମୋ ଭାଷା ମୋ ପରିଚୟ ହେଉ, ଏହି ଆତ୍ମିୟତା ଭାବ ଆଗାମୀ ପିଢ଼ିକୁ ବୁଝାଇବା ପାଇଁ ପଡିବ । ଏଥିପାଇଁ ପ୍ରଥମେ ଆମକୁ ଆମ ପରିବାରରୁ ହିଁ ଉଦ୍ୟମ ଆରମ୍ଭ କରିବାକୁ ପଡ଼ିବ । ଆମ ପିଲାମାନଙ୍କୁ ମମି ଡାଡିର ଡାକକୁ ଭୁଲାଇ ବାପ ମା ଡାକର କୋମଳତା ସମ୍ପର୍କରେ ଅବଗତ କରାଇବାକୁ ପଡ଼ିବ।

ଆଜିର ପିଢ଼ି ପାଶ୍ଚାତ୍ୟ ସଭ୍ୟତାକୁ ଓ ବିଦେଶୀ ଭାଷାକୁ ବହୁ ମାତ୍ରାରେ କଥାରେ, ଶୈଳୀରେ, ପରମ୍ପରାରେ ଅନୁକରଣ କରୁଛି; ଯାହା ଫଳରେ କି ଓଡ଼ିଆ ଭାଷା ପ୍ରତି ସେମାନଙ୍କର ବିମୁଖତା ଭାବ ବଢ଼ି ବଢ଼ି ଯାଉଛି । ଆଜିକାଲି ଇଂରେଜ ମାଧ୍ୟମ ସ୍କୁଲ ମାନଙ୍କରେ ପିଲାମାନଙ୍କର ମାତୃଭାଷା ପ୍ରତି ବୈର ମନୋଭାବ ବାସ୍ତବିକ କଷ୍ଟ ଦାୟକ ।

ଏଣୁ ଆମ ସମସ୍ତଙ୍କର ଏହିଭଳି ଭାବେ ଅଙ୍ଗିକାରବଦ୍ଧତା ରହିବା ଉଚିତ ଯେ, ଆମ ଭାଷା ହିଁ ହେବ ସର୍ବତୋଭାବେ ଆମ ପରିଚୟ ।

“ଭାଷା ଲଙ୍ଘି ଦିଏ
‌ ଯନ୍ତ୍ରଣାର ସିନ୍ଧୁ
ଏଣୁ ଭାଷାରେ ମୋ
ଜାତି ପ୍ରାଣ ବିନ୍ଦୁ ।
                   ଭାଷାରୁ ଝରଇ
                   ଅମୃତର ଧାର
                   ଭାଷା ଆନ୍ଦୋଳନେ
                   ଜାଗ ଭାଷାବୀର ।
ଭାଷା ମହାନତା
ଆମରି ହାତରେ
ସମର୍ପଣଭାବ
ରଖହେ ଭାଷାରେ।”

                                                                                               “ଜୟ ଉକ୍ତଳ ଜନନୀ”


ସରକାରଙ୍କ ଇଂରାଜୀ ପ୍ରୀତି ଆମ ଭାଷାକୁ ମରଣୋନ୍ମୁଖୀ କଲାଣି : ଭାଷା ଆନ୍ଦୋଳନର ଆଲୋଚନଚକ୍ରରେ ଆଶଙ୍କା

ସୂତ୍ର : ଆମ ଭାଷା ଆମ ଅଧିକାର 

ଗତ ରବିବାର(୦୪/୧୦/୨୦୨୦)ସନ୍ଧ୍ୟାରେ ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ରରେ ସରକାରଙ୍କ ଇଂରାଜୀ ପ୍ରୀତି ଆମ ଭାଷାକୁ ମରଣୋନ୍ମୁଖୀ କଲାଣି ବୋଲି ମତ ପ୍ରକାଶ ପାଇଥିଲା ।                       ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରାଙ୍କ ଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

              *”ଓଡ଼ିଆ ଭାଷାର ସୁରକ୍ଷାରେ, ଆମର କର୍ତ୍ତବ୍ୟ” ଶୀର୍ଷକ ଉପରେ ସାରଗର୍ଭକ ଆଲୋଚନା କଲେ, ମୁଖ୍ୟ ଆଲୋଚକ;ଶ୍ରୀଯୁକ୍ତ ଅଶୋକ ମହାରଣା।
              * ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଏହି ଆଲୋଚନା ଉପରେ ନିଜସ୍ୱ ମତାମତ ରଖିବ ସହ ସମ୍ପୂର୍ଣ୍ଣ ପରିବେଶକୁ ଅତ୍ୟନ୍ତ ବୌଦ୍ଧିକ କରିଦେଲେ।
               *ଅନ୍ତିମ ପର୍ଯ୍ୟାୟରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
              * ଶ୍ରୀକାନ୍ତ ବେହେରା,ସୁଶାନ୍ତ ମାହାଳି,ଦୀନବନ୍ଧୁ ପୋଇ,କୈଳାସ ଚନ୍ଦ୍ର ବେହେରା,ନଗେନ୍ଦ୍ର କୁମାର ରାଉତ,ଦୀପକ ରଂଜନ ଗ୍ରହାଚାର୍ଯ୍ୟ, କୈଳାଶ ଧଳ, ବି.କେ.କମଲ, ଶଶିକାନ୍ତ ପଣ୍ଡା ; ନିଜ ସ୍ୱ-ରଚିତ କବିତା ପାଠ କଲେ ।
              * ଓଡ଼ିଶାର କୋଣ ଅନୁକୋଣରୁ ଓଡ଼ିଆ ଭାଷା ଓ ସାହିତ୍ୟର ଅନେକ ସାରସ୍ୱତ ସାଧକ ଅଂଶଗ୍ରହଣ କରିଥିବା ଏହି ଆଲୋଚନାଚକ୍ରରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ପଟନାୟକଙ୍କ ସହ ରଞ୍ଜନ ଦାସ,ରଞ୍ଜନ କୁମାର ସାହୁ,ବାପିନା ପାଲଟାସିଂହ, ବଳରାମ ସାହୁ,ଶ୍ରୀରାମ ରାଉତ,ମହେନ୍ଦ୍ର ତ୍ରିପାଠୀ, ସରୋଜ କୁମାର ମହାନ୍ତି,ସାଗର କୁମାର ପରିଡା,ସୁନିତା ରଣା, ସ୍ନେହଳତା ସିଂ ପ୍ରମୁଖ ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ।

 

ମାତୃଭାଷାରେ ଶିକ୍ଷା ହିଁ ଶିଶୁର ବୌଦ୍ଧିକ ବିକାଶ କରେ : ଭାଷା ଆନ୍ଦୋଳନ ପାଠଚକ୍ରରେ ଶିକ୍ଷାବିତଙ୍କ ମତ

ସୂତ୍ର : ଆମ ଭାଷା ଆମ ଅଧିକାର 

ସେପ୍ଟେମ୍ବର ୨୭ ତାରିଖ ରବିବାର ସନ୍ଧ୍ୟାରେ ସରୋଜ କୁମାର ମହାନ୍ତିଙ୍କ ସଂଯୋଜନାରେ ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀମାନେ ଅଂଶଗ୍ରହଣ କରିଥିଲେ ।

ପ୍ରଥମେ କବି ଶ୍ୟାମଘନ ମହାରଣାଙ୍କ ଦ୍ୱାରା ଭାଷା ବନ୍ଦନାରୁ, ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଅଲୋଚନାଚକ୍ରର ମୁଖ୍ୟ ବିଷୟ ବସ୍ତୁ ଥିଲା “ଶିଶୁର ବୌଦ୍ଧିକ ବିକାଶରେ ମାତୃଭାଷାର ଭୂମିକା”। 

ସୁଦୂର କୋଲକାତାରେ ଦୀର୍ଘ ୨୫ବର୍ଷ ଧରି ଶିକ୍ଷକତା କରିବା ସହ ସାହିତ୍ୟ ପତ୍ରିକା “ଅଭିଯାନ”ର ସମ୍ପାଦନା କରି ଆସୁଥିବା ଶ୍ରୀଯୁକ୍ତ ଶଂଭୂନାଥ ଦାସ ଆଲୋଚକ ଭାବେ, ନିଜ ବକ୍ତବ୍ୟ ଉପସ୍ଥାପନ କଲେ । ତାଙ୍କ ମତରେ,”ନବଜାତ ଶିଶୁର ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମା କ୍ଷୀର ଯେପରି ସର୍ବାଧିକ ସହାୟକ, ସେହିପରି ତାର ମାନସିକ ସ୍ୱାସ୍ଥ୍ୟ ତଥା ଶୈକ୍ଷିକ ଓ ବୌଦ୍ଧିକ ବିକାଶ ପାଇଁ ମାତୃଭାଷା ହିଁ ସର୍ବାଧିକ ସହାୟକ ।  ଶିଶୁର ପରିବାର-ପରିବେଶ-ସାଙ୍ଗସାଥି-ବିଦ୍ୟାଳୟର ବ୍ୟବହାରିକ ଭାଷାର ପ୍ରଭାବ, ତାର ମାନସିକ-ବୌଦ୍ଧିକ-ଆବେଗିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରେ”।

ଏହି ଆଲୋଚନାରେ ଭାଗ ନେଇଥିବା ଓ ନିଜେ ଅଧ୍ୟାପନା ବୃତ୍ତିରେ ଥିବା ଶ୍ରୀଯୁକ୍ତ ପ୍ରକାଶ ସାମଲ କହିଥିଲେ,” ଶିଶୁର ବିକାଶରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ଅଭିଭାବକମାନଙ୍କର । ଅଭିଭାବକମାନେ ହିଁ ଆମ ଭାଷା ସୁରକ୍ଷାର ମୂଳ ସୂତ୍ରଧର”।

ବୃତ୍ତିରେ ଜଣେ ଶିକ୍ଷକ ଓ ଶିଶୁ-ସାହିତ୍ୟିକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ମତରେ,” ପିଲାଙ୍କ ଭିତରେ ଥିବା ସୃଜନଶୀଳତାକୁ ପରିପ୍ରକାଶ କରିବାର ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ ମାତୃଭାଷା । ଓଡ଼ିଆ ଶିଶୁର ମନ ଉପରେ ଓଡ଼ିଆ ଶିଶୁ-ସାହିତ୍ୟର ପ୍ରଭାବ ଅସୀମ ଓ ସେହେତୁ ଆମ ଶିଶୁ-ସାହିତ୍ୟ ଆହୁରି ଅଧିକ ସମୃଦ୍ଧ ହେବା ଉଚିତ”।

ଅଧ୍ୟାପନା ବୃତ୍ତିରେ ଥିବା, ଶ୍ରୀଯୁକ୍ତ ଅଶୋକ ମହାରଣାଙ୍କ ମତରେ, “ଶିଶୁର ବିକାଶରେ ବିଦ୍ୟାଳୟ ଓ ଶିକ୍ଷା-ବ୍ୟବସ୍ଥାର ଗଭୀର ପ୍ରଭାବ ଥାଏ । ଆଜିକାଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ,ଶିଶୁର ମସ୍ତିସ୍କ ଉପରେ ଅଧିକ ଚାପ ପ୍ରୟୋଗ କରୁଛି । ତହିଁର ପ୍ରତିବିଧାନ ପାଇଁ ବର୍ତ୍ତମାନ ସମୟରେ ବିଶେଷ କରି ଓଡ଼ିଆ ବର୍ଣ୍ଣବୋଧର ବାଧ୍ୟତାମୂଳକ ବ୍ୟବହାରର ଆଵଶ୍ୟକତା ରହିଛି।”

ଶ୍ରୀଯୁକ୍ତ ମହେନ୍ଦ୍ର ତ୍ରିପାଠୀ ନିଜ ଶିକ୍ଷକ ଜୀବନର ଅଭିଜ୍ଞତାରୁ ଅନେକ ଉପାଦେୟ ତଥ୍ୟ ଓ ମତ ଉପସ୍ଥାପନ କଲେ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ, ଓଡ଼ିଆ ଭାଷା ପ୍ରତି ସରକାରୀ ବିମୁଖତା ଓଡ଼ିଆ ଜାତିର ଭବିଷ୍ୟ ପିଢିକୁ ମଧ୍ୟ କ୍ଷତିଗ୍ରସ୍ତ କରିବାକୁ ଯାଉଛି; କାରଣ ନିଜ ଭାଷା ପ୍ରତି ଆକର୍ଷଣ ନରହିଲେ, ଓଡ଼ିଆ ଜାତିର ଯୁଗଯୁଗର ଆହାରିତ ଜ୍ଞାନ ଓ ତାର ସ୍ଵାଭାବିକ ସୃଜନଶୀଳତା ତାକୁ ଉପଲବ୍ଧ ହେବନାହିଁ । ବୌଦ୍ଧିକ ବିକାଶ ଏକ ସ୍ଵାଭାବିକ ପ୍ରକ୍ରିୟା ଯାହା ମାତୃଭାଷାରେ ସହଜ ସମ୍ଭବ, ବିଦେଶୀ ଭାଷାରେ ନୁହେଁ ; କାରଣ ଶିଶୁ ପାଇଁ ତାର ମାତୃଭାଷା ସ୍ଵାଭାବିକ ହୋଇଥିବା ବେଳେ ଅନ୍ୟ ଭାଷା ଅସ୍ୱାଭାବିକ । ଓଡ଼ିଶାରେ ଶିଶୁର ବୌଦ୍ଧିକ ବିକାଶ ନିଷ୍କଣ୍ଟକ କରିବାକୁ ହେଲେ ଓଡ଼ିଆ ଭାଷାକୁ ତାର ପ୍ରଥମିକତା ଦେବାକୁ ହେବ ଓ ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଥମିକତା ପାଇବାକୁ ହେଲେ ତାହାକୁ କାର୍ଯ୍ୟାଳୟର ଭାଷା କରିବାକୁ ହେବ । ଏହା କରିବାକୁ ଓଡ଼ିଶା  କାର୍ଯ୍ୟାଳୟ ଭାଷା ଆଇନର ପୁନଃ ସଂଶୋଧନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅଲୋଚନାରେ ସୁଦୂର ଗୁଜୁରାଟରୁ ବାପିନା ପାଲଟାସିଂହ ଓ ରାୟଗଡ଼ାରୁ ଶ୍ରୀଯୁକ୍ତ ସରୋଜ ମହାନ୍ତି ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ମହାନ୍ତି ଅଲୋଚନା ସଂଯୋଜନ କରିବା ସଙ୍ଗେ ସଙ୍ଗେ , ଭାଷା ଆନ୍ଦୋଳନର ଦାବି ଅନୁରୂପ ରେଡିଓ ଏବଂ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ଦାନ ପାଇଁ ସରକାର ଘୋଷଣା କରିଥିବା ହେତୁ ସରକାରଙ୍କୁ ସାଧୁବାଦ ଜଣାଇଥିଲେ ଓ ଏଏହି ପଦକ୍ଷେପ ତଥାକଥିତ ‘ଅନଲାଇନ’ ଶିକ୍ଷାଜନିତ ଅବ୍ୟବସ୍ଥାକୁ ଲାଘବ କରିବ ବୋଲି ମତ ଦେଇଥିଲେ । 

ଆଲୋଚନା ପରେ ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରା ଓ ଶ୍ରୀଯୁକ୍ତ ପ୍ରକାଶ ସାମଲ ସ୍ୱରଚିତ କବିତା ପାଠ କରି ସମଗ୍ର ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ସର୍ଵଶେଷରେ ଗୁଜୁରାଟରୁ ଶ୍ରୀଯୁକ୍ତ ସୁଶାନ୍ତ ମାହାଳୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ସଂଯୋଜକଙ୍କ ସମ୍ମତିରେ ଆଲୋଚନା ଚକ୍ରକୁ ସମାପ୍ତ ଘୋଷଣା କରିଥିଲେ।