ଦୁଇ ଜଣ ଭାଷାପ୍ରେମୀ ହିଁ ମନେପକାଇ ଦେବେ ଦୁଇ ବିଶ୍ଵାସଘାତକଙ୍କ ପ୍ରତାରଣା

ଗତ ତିନି ତାରିଖରେ ଦୁଇ ଜଣ ପ୍ରତିବଦ୍ଧ ଭାଷାପ୍ରେମୀଙ୍କ ହାତରେ କଳାପତାକା ଦେଇସାରି ସୁଭାଷ ଚନ୍ଦ୍ର ପଟ୍ଟନାୟକ ଦେଇଥିବା ବାର୍ତ୍ତା

ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ନିର୍ବାଚନ ଇସ୍ତାହାରରେ ଘୋଷଣା କରିବାକୁ ସବୁ ଦଳଙ୍କୁ ପତ୍ର ପ୍ରଦାନ

“ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆମ ଦଳ ପ୍ରତିଶୃତି ପ୍ରଦାନ କରୁଛି । ”

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ଆନ୍ଦୋଳନର ସଭାପତିମଣ୍ଡଳୀ ସର୍ବଶ୍ରୀ ଗଜାନନ ମିଶ୍ର,ସୁଭାଷ ଚନ୍ଦ୍ର ପ୍ରଧାନ, କମଳଲୋଚନ ନାୟକ,ଅର୍ଜୁନ ଚରଣ ସାମନ୍ତରାୟ,ଡ଼.ଅଶୋକ ମିଶରର, ଗିରିଜକାନ୍ତ ମିଶ୍ର ଓ ଧ୍ରୁବଚରଣ ମହାନ୍ତି ଫେବୃଆରୀ ୬ ତାରିଖରେ ସମସ୍ତ ରାଜନୈତିକ ଦଳକୁ ପତ୍ର ଲେଖି ଓ ସାକ୍ଷାତ କରି ସେମାନଙ୍କ ନିଜ ନିଜ ନିର୍ବାଚନ ଇସ୍ତାହାରରେ ଉପରୋକ୍ତ ପ୍ରତିଶୃତି ଦେବାପାଇଁ ଅନୁରୋଧ କରିଛନ୍ତି ।

ପ୍ରଦତ୍ତ ପତ୍ରର ନକଲ
ନିର୍ବାଚନ ଇସ୍ତାହାରରେ ଭାଷା ପାଇଁ ଭାଷା ଆଂଦୋଳନର ଅନୁରୋଧ

କେନ୍ଦ୍ରାପଡ଼ାରେ କଳାପତାକା ଅଭିଯାନ ଓ ଭାଷା ପାଇଁ ସ୍ମାରକପତ୍ର ପ୍ରଦାନ

ବିଶେଷ ପ୍ରତିନିଧି

ଭାଷା ଆନ୍ଦୋଳନର କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ଦାସଙ୍କ ଆହ୍ବାନ କ୍ରମେ କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକସ୍ଥ ଯଦୁମଣି ମଙ୍ଗରାଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ଗୁରୁବାର ପୂର୍ବାହ୍ନରେ ଆନ୍ଦୋଳନର କଳାପତାକା ଅଭିଯାନ ଆରମ୍ଭ ହୋଇ ସମଗ୍ର ସହର ପରିକ୍ରମା କରି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ରେ ଖଞ୍ଜା ହୋଇଥିବା ଧାରା ୪-କ ଓଡ଼ିଆ ଜାତିର ଭାଷା ଅଧିକାରକୁ ଅକାମି କରିଛି । ସୁତରାଂ ତାକୁ ବିଲୁପ୍ତ କରାଯାଇ ସାନି ସଂଶୋଧନ ଦ୍ଵାରା ତାର ଉଲ୍ଲଙ୍ଘନକାରୀକୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା କରାଯାଉ ବୋଲି ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ଗତ ୯.୧୧.୨୦୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଚରମପତ୍ର ଦେଇଥିଲେ, ତାହା ସପକ୍ଷରେ ଜିଲ୍ଲା ଶାଖା ପକ୍ଷରୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ଜିଲ୍ଲାର ବିଶିଷ୍ଟ ଜନନେତା, ପ୍ରକୃତିପ୍ରେମୀ ଓ ଭାଷାପ୍ରେମୀମାନେ ।

କେନ୍ଦ୍ରୀୟ ସଭାପତି ମଣ୍ଡଳୀର ସଦସ୍ୟ ସର୍ବଶ୍ରୀ କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ ଓ ଗିରିଜାକାନ୍ତ ମିଶ୍ର ତଥା ଭାଷାପ୍ରାଣ ବ୍ରହ୍ମାନନ୍ଦ ବେହେରା ଏବଂ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ପକ୍ଷରୁ ଉପଜିଲ୍ଲାପାଳ ସ୍ମାରକପତ୍ର ଗ୍ରହଣ କରିଛନ୍ତି ।

କଳାପତାକା ଅଭିଯାନରେ ଯୋଗଦେଇ ଭାଷା ବନ୍ଦନାରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ମାରକପତ୍ର ପ୍ରଦାନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜନନେତା ରବୀନ୍ଦ୍ର କୁମାର ବେହେରା, ବିଶିଷ୍ଟ ପରିବେଶବିତ୍ ଉଦୟନାଥ ଚୌଧୁରୀ, କାଜଲ୍ ଚୌଧୁରୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, ବସନ୍ତ କୁମାର ମଲ୍ଲିକ, ନିରଞ୍ଜନ ପରିଡ଼ା,ସଞ୍ଜୟ କୁମାର ମହାପାତ୍ର, ପ୍ରଭାତ ଦାସ,ସଞ୍ଜୟ କୁମାର ସାହୁ, ସଞ୍ଜୟ ରାଉତ ଓ ମୀର୍ ମୁର୍ସିଦ ପ୍ରମୁଖ । ଚିତ୍ରୋତ୍ତଳନ ଦାୟିତ୍ବ ନିର୍ବାହ କରିଛନ୍ତି ଆଶିଷ କୁମାର ବେହେରା ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁଷ୍ଠିତ ଏହି ଅଭୂତପୂର୍ବ ପ୍ରଦର୍ଶନର କେତେକ ଫଟୋଚିତ୍ର ପ୍ରଦାନ କରିଛନ୍ତି ଆଶିଷ କୁମାର ବେହେରା ।

ସ୍ମାରକପତ୍ର ଦିଆସରିବା ପରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ସମବେତ ଭାଷାପ୍ରେମୀମାନଙ୍କୁ ଆନ୍ଦୋଳନର ଗୁରୁତ୍ବ ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଜଗତସିଂହପୁରରେ କଳାପତାକାର ଲହର ଓ ଭାଷା ଆନ୍ଦୋଳନ ଜିଲ୍ଲା ଶାଖାର ସ୍ମାରକପତ୍ର ପ୍ରଦାନ

ବିଶେଷ ପ୍ରତିନିଧି

ନଭେମ୍ବର ମାସ ସରିବାର ପୂର୍ବ ଦିନଟି ଜଗତସିଂହପୁର ପାଇଁ ଅବିସ୍ମରଣୀୟ ହୋଇ ରହିବ ।

ଭାଷା ଆନ୍ଦୋଳନର ଜଗତସିଂହପୁର ଶାଖା ସେଦିନ ଜିଲ୍ଲାପାଳଙ୍କ ମାର୍ଫତରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମରଣ କରାଇ ଦେଇଛି କି, ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ରେ ଖଞ୍ଜା ହୋଇଥିବା ଧାରା ୪-କ ଓଡ଼ିଆ ଜାତିର ଭାଷା ଅଧିକାରକୁ ଖର୍ବ କରିଥିବାରୁ ତାକୁ ବିଲୁପ୍ତ କରାଯାଇ ଏବଂ ମୂଳ ଆଇନଟିକୁ ଅକ୍ଷୁର୍ଣ୍ଣ ରଖି, ସାନି ସଂଶୋଧନ ଦ୍ଵାରା ତାର ଉଲ୍ଲଙ୍ଘନକାରୀକୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା କରାଯିବା ପାଇଁ ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ପକ୍ଷରୁ ଗତ ୯.୧୧.୨୦୧୮ ତାରିଖରେ ତାଙ୍କୁ ଯେଉଁ ଚରମପତ୍ର ଦିଆଯାଇଛି ତଦନୁଯାୟୀ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ହେଉ ।

ଓଡ଼ିଆ ଭାଷାର ପ୍ରଥମ ମହାକବି ସାରଳା ଦାସ ଓ ଓଡ଼ିଆ ଜାତିକୁ ନିଜ ଭାଷାରେ ସରକାରୀ ସେବା ପାଇବା ଅଧିକାର ଦେଇ ଯେଉଁ ଆଇନ ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିଲା ତାର ପ୍ରଦାତା , ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୀଷୀ ନବକୃଷ୍ଣ ଚୌଧୁରୀ – ଉଭୟଙ୍କ ଏନ୍ତୁଡ଼ିଶାଳ ନିଜ ବକ୍ଷରେ ବହନ କରୁଥିବା ଜିଲ୍ଲା ହେଉଛି ଜଗତସିଂହପୁର । ସୁତରାଂ ଭାଷା-ଗାରିମାର ଏହି ସମୁଜ୍ଜ୍ଵଳ ଜିଲ୍ଲାରେ ଭାଷା ଜନନୀଙ୍କ ବିଜୟଵନା ଭାବେ ସମାଦୃତ କଳାପତାକାର ଲହର ଲାଭ କରିଥିଲା ଅଭୂତପୂର୍ବ ଜନାଦୃତି ।

ଭାଷା ଆନ୍ଦୋଳନର ଜିଲ୍ଲା ସଂଯୋଜକ କୃଷ୍ଣାନନ୍ଦ ସାହୁଙ୍କ ଆହ୍ବାନକ୍ରମେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଦେବୀ ପ୍ରସାଦ ଚୌଧୁରୀ ,ପ୍ରାଣକୃଷ୍ଣ ସେଠି ,ମାଧବେନ୍ଦ୍ର ଗୋଛାୟତ,ରମାକାନ୍ତ ଦାଶ, ପ୍ରଶାନ୍ତ କୁମାର ମଲ୍ଲିକ, ସୁନୀଲ କୁମାର ମାଟିଆ, କୃଷ୍ଣଚନ୍ଦ୍ର ପ୍ରଧାନ, ସରୋଜ କୁମାର ସାହୁ, ସଚିନ କୁମାର ବେଉରା,ସରୋଜ କୁମାର ଲେଙ୍କା, ବଂଶୀଧର ବେହେରା,ଅରୁଣ ମହାନ୍ତି, ସୁଦର୍ଶନ ବେହେରା,ପ୍ରଶାନ୍ତ କୁମାର ମହାପାତ୍ର, ବାନାମ୍ବର ମାଟିଆ, ସୌମ୍ୟ ସଂଜୀବ ଦାସ ପ୍ରମୁଖଙ୍କ ନେତୃତ୍ବରେ ନଭେମ୍ବର ୨୯, ଦିବା ୧୧ଟାରେ ଭାଷା ଆନ୍ଦୋଳନର କଳାପତାକା ସହ ଅଭିଯାତ୍ରୀମାନେ ନିମାଇଁ ଭବନଠାରୁ ଏକ ନିରବ ଶାନ୍ତିପୂର୍ଣ ପଟୁଆରରେ ଆସି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ ।

ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ, କେନ୍ଦ୍ରୀୟ ସଭାପତିମଣ୍ଡଳୀ ସଭ୍ୟ କମଳଲୋଚନ ନାୟକ, କେନ୍ଦ୍ରୀୟ ଅଭିଯାତ୍ରୀ ଶିଶିର କୁମାର ସାହୁ ଓ ଜିତେନ୍ କୁମାର ରାଉତ ଉପସ୍ଥିତ ଥିଲେ । ଆଶିଷ କୁମାର ବେହେରା ଉତ୍ତୋଳନ କରିଥିବା ଏହି ଐତିହାସିକ ଘଟଣାର କେତେକ ଫଟୋ ଚିତ୍ର ଏଥିର ସନ୍ନିହିତ ହେଲା ।

ଏଇଠି ସରୁ ନାହିଁ । ସରକାର ଯଦି ନିଜ ଭୁଲ ସଂଶୋଧନ ନ କରନ୍ତି ତେବେ ଗାଁ ଗାଁ ବ୍ୟାପି ଏ ଆନ୍ଦୋଳନ ଚାଲିବ ବୋଲି ସ୍ମାରକପତ୍ର ଦେଇ ସାରିବା ପରେ ଘୋଷଣା କରିଥିଲେ ଜନପ୍ରିୟ ଜନନେତା ବିପ୍ଳବ ଚୌଧୁରୀ ।

ଚିତ୍ରେ ସମ୍ବାଦ: ଭାଷା ଆନ୍ଦୋଳନ, ପୁରୀ

ଓଡ଼ିଆରେ ଓଡ଼ିଶାର ସରକାରୀ କାମ ପାଇଁ ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତାର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ସକାଶେ ଆଇନ ପ୍ରଣୟନ ହେବା ଦାବିରେ ଭାଷା ଆନ୍ଦୋଳନ, ଓଡିଶା ଗତ ୧୩. ୪. ୨୦୧୬ ତାରିଖରୁ ଭୁବନେଶ୍ୱରରେ ଶାନ୍ତିପୂର୍ଣ କଳାପତାକା ପଦଯାତ୍ରା ଚଳାଇଛି ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଏକା ଶୃଙ୍ଖଳାରେ ମଧ୍ୟ ଏହିପରି ସାମୟିକ ପଦଯାତ୍ରା ହେଉଛି । ଏହିକ୍ରମରେ ଆଜି ଦିବା ୧୧ଟାରେ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖରୁ ଶ୍ରୀଜଗନ୍ନାଥଙ୍କ ଷୋଳକଳାର ପ୍ରତୀକ ଭାବେ ୧୬ଟି କଳାପତାକା ଓ ଦାବିଫଳକ ସହ ଭାଷାପ୍ରେମୀମାନଙ୍କର ଶାନ୍ତିପୂର୍ଣ୍ଣ ନିରବ ପଦଯାତ୍ରା ବାହାରି ପୁରୀ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ତରଫରୁ ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ ଏହା ଗ୍ରହଣ କରିଛନ୍ତି । ଭାଷା ଆନ୍ଦୋଳନର ଛତ୍ରପୁର ମୁଖ୍ୟ ସୌମ୍ୟ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକ ଜରିଆରେ ଏହାର ସିଧା ପ୍ରସାରଣ କରିଥିବା ବେଳେ ଆମ ଫଟୋଗ୍ରାଫର ଆଶିଷ ଆଶିଷ କୁମାର ଉଠାଇଥିବା ଫଟୋଚିତ୍ରରୁ କେତେକ ନିମ୍ନରେ ଦିଆଗଲା :