Posts tagged Official Language

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସେଦିନର ସଙ୍କଟ ଆଜି ବି ସେମିତି ଅଛି । ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡକାରୀମାନେ ଆଜି ବି ଦଣ୍ଡବିଧାନର ଉର୍ଦ୍ଧ୍ବରେ । ସେଦିନଠାରୁ ଆଜି ଯାଏଁ ଓଡ଼ିଆବିରୋଧୀ ନାଟକରେ ସେମିତି ନାୟକ ହୋଇରହିଛନ୍ତି ମୁଖ୍ୟମନ୍ତ୍ରୀ । ଭାଷା ଜନନୀ ପଛେ ମରିଯାଉ , ତାଙ୍କ ଗୋଡ଼ାଣିଆମାନେ ଏବେ ବି ଭାବୁଛନ୍ତି, “ତୋଷାମଦ କରି ବଢ଼ାଇବେ ଜାତି ମାନ” !

“ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେଦିନେ?”
ହେ କୁଳଗୌରବ , ଏ ଜାତିକି ଶକ୍ତିଦିଅ ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା କିପରି ସୃଷ୍ଟିହେଲା ? କାହିଁକି  ସୃଷ୍ଟି ହେଲା ? କେଉଁମାନେ ଥିଲେ ତାର ପ୍ରକୃତ ନିର୍ମାତା ? କି ତପସ୍ୟା ଥିଲା ତାର ମୂଳାଧାର ? ଏହା ଯତ୍ପରୋନାସ୍ତି ସଂକ୍ଷେପରେ ଓ ସଠିକ ଭାବେ ଜାଣିବା ପାଇଁ ଏହି କ୍ଷୁଦ୍ର ବହିଟିକୁ ପଢ଼ନ୍ତୁ ।

ଓଡ଼ିଶାର ଭାଷା ଭିତ୍ତିକ ଜାତୀୟତାକୁ ପୁନର୍ଜୀବିତ କରିବାପାଇଁ ଏହି ଅମ୍ଲାନ ପ୍ରୟାଶରୁ ଭାଷା ଆନ୍ଦୋଳନର ସୃଷ୍ଟି । ୨୦୦୯ରେ ବିଶ୍ଵବାସୀ ଓଡ଼ିଆଙ୍କ ସମ୍ମୁଖରେ ଏହାର ପ୍ରଥମ ଉପସ୍ଥାପନା ହୋଇଥିଲା scribd.com ମାଧ୍ୟମରେ । ଏହି ସଂଯୋଗ ସରଣୀରୁ ଆପଣ ସମଗ୍ର ବହିଟି ପାଇବେ > https://www.scribd.com/doc/19216578/Role-of-Mass-Media-in-Creation-of-Orissa

ଭୁବନେଶ୍ଵରର ଶବ୍ଦସ୍ପର୍ଶ ଏହାକୁ ପୁସ୍ତକ ରୂପେ ମୁଦ୍ରିତ କରିଛି ଓ ଏ.କେ.ମିଶ୍ର ଏଜେନ୍ସି ଏହାକୁ ବିକ୍ରୟ କରୁଛି । ଆପଣ ଚାହିଁଲେ ନିଜ ପାଠାଗାର ପାଇଁ ଏହାକୁ ସେଠାରୁ କିଣିପାରିବେ ।

ଏଥିରେ ଆପଣ ପାଇବେ କେବଳ ଆମ ଭାଷା ପାଇଁ ହିଁ କିପରି ଆମ ରାଜ୍ୟ ନେଇଛି ଜନ୍ମ । ଓଡ଼ିଆ ଭାଷା ହିଁ କିପରି ଓଡିଶା ସୃଷ୍ଟି କରିଛି ତାର ସମସ୍ତ ପ୍ରାମାଣିକ ତଥ୍ୟ ଗଭୀର ବିଶ୍ଳେଷଣ ସହ ଏଥିରେ ସନ୍ନିହିତ । ଏହାକୁ ମନଦେଇ ପଢ଼ନ୍ତୁ ।

ଏହା ପଢ଼ିବାକୁ ଦି ଘଣ୍ଟା ଲାଗିପାରେ, ଦି ଦିନ ବି ଲାଗିପାରେ । କିନ୍ତୁ ମୋର ବିଶ୍ଵାସ , ଆପଣ ଚାହିଁଲେ ଉତ୍କଳ ଦିବସ ପୂର୍ବରୁ ଏହାକୁ ପଢ଼ିସାରିଥିବେ ।

ଅନ୍ଧ ପରି ଉତ୍କଳ ଦିବସ ପାଳିବା ପରିବର୍ତ୍ତେ ପ୍ରଥମେ ଜାଣନ୍ତୁ କେତେ କାହାର ତପସ୍ୟା ଫଳରେ ଆମ ପ୍ରଦେଶ ସୃଷ୍ଟି ହେଲା ଓ କାହିଁକି ସୃଷ୍ଟିହେଲା ।

ଆମ ପ୍ରଦେଶର ସୃଷ୍ଟି ତତ୍ତ୍ଵ ଜାଣି , ଏହାର ଉଦ୍ଦେଶ୍ୟ ସଫଳ କରିବାକୁ ଆମକୁ ଭାଷା ଆନ୍ଦୋଳନକୁ ସର୍ବବ୍ୟାପୀ କରିବାକୁ ହିଁ ହେବ ।

ବନ୍ଦେ ଓଡ଼ିଆ ଭାଷା ଜନନୀ ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭବାନୀପାଟଣାରୁ ପ୍ରାପ୍ତ ସମ୍ବାଦ ସହ ଅଦାଲତ ପରିସରରେ ଥିବା କୁଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ପ୍ରତିମୂର୍ତ୍ତି ସମ୍ମୁଖରୁ ପ୍ରେରିତ ଚିତ୍ର ସ୍ପଷ୍ଟ କରିଦେଇଛି କି, ଇଂରାଜୀ ଭାଷାଧିପତ୍ୟ କବଳରୁ ନିଜ ମାତୃଭୂମିକୁ ଉଦ୍ଧାର କରିବାପାଇଁ ଭାଷା ଆନ୍ଦୋଳନ, ଓଡିଶା ଯେଉଁ ଅଭିଯାନ ଚଳାଇଛି ଓଡ଼ିଶାର ସେହି ଯୁଗାନ୍ତକାରୀ ମୁକ୍ତି ଆନ୍ଦୋଳନରେ ଯୋଗ ଦେଇ ଓଡ଼ିଆରେ ଓଡ଼ିଶାର ସମସ୍ତ ଦାପ୍ତରିକ କର୍ମ ସମ୍ପାଦନା ପାଇଁ କଳାହାଣ୍ଡି ଯେଉଁ ଐତିହାସିକ ଅବଦାନ ଦେଇଥିଲା ତାହାକୁ ତାର ନୀତିନିଷ୍ଠ ବୀର ସନ୍ତାନମାନେ ଅଧିକ ସୁଦୃଢ଼ କରିବାକୁ ଚାହାନ୍ତି ।

ଆଜି ଭବାନୀପାଟଣାର ଓକିଲ ବନ୍ଧୁମାନଙ୍କ ଏହି ମହାନ ନିଷ୍ପତ୍ତି ହେତୁ ମୋର ଛାତି ଗର୍ବରେ ଫୁଲିଉଠୁଛି । ଏକଦା କଳାହାଣ୍ଡିର ଶେଷ ମହାରାଜା ପୁଣ୍ୟଶ୍ଳୋକ ପ୍ରତାପ କେଶରୀ ଦେଓଙ୍କର ଜଣେ ସହକର୍ମୀ ଭାବେ ମୁଁ ଗର୍ବ ଅନୁଭବ କରୁଥିଲି ; କାରଣ, ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନାପାଇଁ ତାଙ୍କର ବଜ୍ରନିର୍ଘୋଷ ତୁଲ୍ୟ ଉଦ୍ଘୋଷଣ ହିଁ ‘ଓଡିଶା ସରକାରୀ ଭାଷା ବିଧେୟକ’ର ବିରୋଧୀମାନଙ୍କ ମୁହଁ ବନ୍ଦ କରିଦେଇଥିଲା ଓ ତାହା ବିନାବାଧାରେ ପାରିତ ହୋଇଥିଲା ।

ସେଦିନ ଥିଲା 7 ସେପ୍ଟେମ୍ବର 1954 । ବିତର୍କ ଚାଲିଥିଲା ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଆଗତ କରିଥିବା ‘ଓଡିଶା ସରକାରୀ ଭାଷା ବିଧେୟକ’ ଉପରେ । 1 ଏପ୍ରିଲ 1948ରେ ସମ୍ବଲପୁରର ପ୍ରାତଃସ୍ମରଣୀୟ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା କରିବାପାଇଁ ଆଇନ ପ୍ରଣୟନ ସକାଶେ ଆଣିଥିବା ‘ସଂକଳ୍ପ’କୁ ଯେଉଁମାନେ ବିରୋଧ କରିଥିଲେ, ସେହିମାନଙ୍କ ସମାନ ଷଡ଼ଯନ୍ତ୍ରର ପଦଧ୍ଵନୀ ବାରିହୋଇପଡୁଥିଲା ବିତର୍କରେ ।

ଜୁନାଗଡ଼ର ପ୍ରତିନିଧିତ୍ବ କରୁଥିବା ପ୍ରତାପ କେଶରୀ ଗର୍ଜି ଉଠିଥିଲେ , “ଯେଉଁମାନେ ଓଡ଼ିଶାରେ ବାସ କରିବାକୁ ଚାହାନ୍ତି ସେମାନଙ୍କୁ ଓଡ଼ିଆ ନିଶ୍ଚୟ ଶିଖିବାକୁ ପଡ଼ିବ । ସେ ଆମର ଜଣେ ଆନ୍ଧ୍ର ଭାଇ ହୁଅନ୍ତୁ କିମ୍ବା ସେ ଆମର ଚିଫ ସେକ୍ରେଟାରୀ ହୁଅନ୍ତୁ ଅଥବା ଯେ କେହି ହୁଅନ୍ତୁ, ସମସ୍ତଙ୍କୁ ଓଡ଼ିଆ ଶିଖିବାକୁ ହେବ । They must learn Oriya or else they will have to clear out” – ଏହା କହି ପ୍ରତାପ କେଶରୀ ଯେତେବେଳେ ତାଙ୍କ ଭାଷଣ ଶେଷ କଲେ, ଚୁପ ହୋଇଯାଇଥିଲେ ଓଡ଼ିଆଵିରୋଧୀଏ ଏବଂ ତାଙ୍କ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିବାକୁ ବାଧ୍ୟ ହୋଇଥିଲେ ଯେ, ଅଣଓଡ଼ିଆମାନଙ୍କୁ ଓଡ଼ିଆ ଭାଷାରେ ଧୂରୀଣ ହେବାପାଇଁ ତିନିବର୍ଷ କରୁଣା କାଳ ଦିଆଯିବ ଓ ଯେଉଁମାନେ ତିନିବର୍ଷ ଭିତରେ ଓଡ଼ିଆରେ କାମ କରିବା ନ ଶିଖିବା ସେମାନଙ୍କୁ ଦଣ୍ଡବିଧାନ ହେବ । ପ୍ରତାପ କେଶରୀ ଯଦି “ଓଡ଼ିଆ ନ ଶିଖିବା ଲୋକେ ଓଡିଶା ଛାଡି ପଳାଇବାକୁ ବାଧ୍ୟ” ବୋଲି ଯଦି ନ କହିଥାନ୍ତେ ସେଦିନ , ତେବେ ଓଡ଼ିଆ ଭାଷାରେ କାମ ନକରିବା ଦଣ୍ଡନୀୟ ହେବ ବୋଲି ବିଧାୟକକୀୟ ଉଦ୍ଦେଶ୍ୟ (legislative intention) ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଆଦୌ ଉଚ୍ଚାରିତ ହୋଇନଥାନ୍ତା । ତେଣୁ ସମଗ୍ର ଓଡ଼ିଆଜାତି କଳାହାଣ୍ଡିର ଶେଷ ମହାରାଜାଙ୍କ ଏହି ସମ୍ପୂର୍ଣ ଓଡିଆଜାତିପ୍ରାଣତା ନିକଟରେ ମୁଁ ସଦାକାଳେ ନତମସ୍ତକ ହୋଇରହିଛି ।

ଯେଉଁ ପବିତ୍ରମାଟିର ସନ୍ତାନ ଓ ଶେଷ ସ୍ଵାଧୀନ ନରେଶ ଥିଲେ ଏହି ପ୍ରଚଣ୍ଡ ଓଡିଆଜାତିପ୍ରାଣ ପ୍ରତାପ କେଶରୀ, ସେହି ପବିତ୍ରମାଟିରେ ହିଁ ଓଡ଼ିଆ ଜାତିକୁ ତାର ଭୌଗୋଳିକ ପରିଚୟ-ପ୍ରଦାତା କୁଳଗୌରବ ମଧୁସୂଦନଙ୍କ ସୁଯୋଗ୍ୟ ବୃତ୍ତି-ଦାୟାଦମାନେ ଓଡ଼ିଆ ଭାଷାରେ ସେବାଦାନ ପ୍ରତ୍ୟାଖ୍ୟାନ କରୁଥିବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନରେ ଝାସ ଦେବା ଖବର ଓଡ଼ିଆ ଭାଷା ଜନନୀର ସମଗ୍ର ସତ୍ତାକୁ ଆଜି ଗର୍ଵମଞ୍ଜୁଳ କରୁଥିବ – ଏହା ନିଃସନ୍ଦେହ ।

ସାଥୀ ସନ୍ତୋଷ ମିଶ୍ର ଏଠାରେ ପ୍ରଦତ୍ତ ଫଟୋଚିତ୍ରଗୁଡ଼ିକ ଦେଇ ଜଣାଇଛନ୍ତି କି, ଯେଉଁମାନେ କଳାହାଣ୍ଡି ଜିଲ୍ଲାରେ ଓଡ଼ିଶାର ଏହି ଅଭିନବ ମୁକ୍ତି ଆନ୍ଦୋଳନର ଭିତ୍ତି ସ୍ଥାପନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କ ସମେତ ସର୍ବଶ୍ରୀ ଅଶୋକ ସାହୁ, ସୌମେନ୍ଦ୍ର ଚାନ୍ଦ, ନିହାର ମିଶ୍ର, ଭୁପେନ୍ଦ୍ର ପଣ୍ଡା, ଅନୁପ ଜେନା, ରାଜେଶ ନାୟକ, ଲୋକନାଥ ନାୟକ, ପ୍ରଶାନ୍ତ ଭୋଇ, ସନ୍ତୋଷ ସାହୁ, ପରମାନନ୍ଦ ପଣ୍ଡା, ଅନୱର ଭାରତୀ, ରାଜକୁମାର ଛାତିଆ, ପ୍ରତାପ ପ୍ରଧାନ, ପ୍ରଦୀପ ପତ୍ର, ବିରଂଚି ସେଠି, ଲୋକନାଥ ନାୟକ, ସନ୍ତୋଷ ମିଶ୍ର, ପ୍ରକାଶ ହରପାଲ, ରାମଚନ୍ଦ୍ର ଦାସ, ଧର୍ମେନ୍ଦ୍ର ପାତ୍ର ପ୍ରମୁଖ । ଦାବିଫଳକ ସହ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରୁ ଅଭିଯାତ୍ରାରେ ଆସି ଦେୱାନୀ ଅଦାଲତ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦାବି ହାସଲ ଯାଏଁ ସଂଗ୍ରାମ ଅତୁଟ ରହିବ ବୋଲି ସେମାନେ ପ୍ରତିଜ୍ଞା ପ୍ରକଟ କରିଥିଲେ  ।

ଭବାନୀପାଟଣାର ଏହି ମାତୃଭକ୍ତ ବୀର ଓଡିଆମାନଙ୍କୁ ମୁଁ ଏବଂ ଭାଷା ଆନ୍ଦୋଳନ, ଓଡ଼ିଶାର ସବୁ ସଂଗ୍ରାମୀ ଜଣାଉଛୁ କୋଟି କୋଟି ସଶ୍ରଦ୍ଧ ପ୍ରଣାମ ।

ଓଡ଼ିଆ ଭାଷାରେ କାମ ନକଲେ ଦଣ୍ଡବିଧାନ ଓ ଦଣ୍ଡବିଧାନପାଇଁ ‘ଭାଷା ଅଦାଲତ’ ଗଠନ – ଏହି ଦାବି ଉପରେ ସାରା ବିଶ୍ଵର ଅନନ୍ୟ କଳାପତାକା ଅଭିଯାନ ଓଡ଼ିଆଵିଦ୍ଵେଷୀ ନବୀନ ସରକାରଙ୍କୁ ଅସ୍ତବ୍ୟସ୍ତ କରିଚାଲିଥିବାବେଳେ ଜଣେ ସରକାରୀ ପ୍ରଚୋଦିତ ବ୍ୟକ୍ତିଭାବେ ମୁଖ୍ୟମନ୍ତୀଙ୍କ ଦଳର ପୂର୍ବତନ ସାଂସଦ ବୈଷ୍ଣବ ପରିଡା ‘ଭାଷା ଆୟୋଗ’ ପରି ଏକ ନୂଆ ଦୁହା ତୋଳି ବିଭ୍ରାନ୍ତି ସୃଷ୍ଟିପାଇଁ ଚେଷ୍ଟା ଚଳାଇଛନ୍ତି । ଓଡ଼ିଶାର ଓଡ଼ିଆଵିଦ୍ଵେଷୀ ସରକାର ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କିତ ସରକାରୀ ସନ୍ଦର୍ଭ ଚୋରିକରିଥିବା ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ତଥା ତାଙ୍କ ଗୋଷ୍ଠୀକୁ ଲଗାଇ ଏ ସମ୍ପର୍କୀୟ କ୍ୟାବିନେଟ ପ୍ରସ୍ତାବ ଉପରେ ଖସଡ଼ା ପ୍ରସ୍ତୁତି ପାଇଁ ଆଜି ଏକ ବୈଠକ ଡାକିଛନ୍ତି ।

ଏହି ପ୍ରବଞ୍ଚନା ଉପରେ ମୁଁ ଆଲୋଚନା କରିବି ଆସନ୍ତାକାଲି । ତା ପୂର୍ବରୁ ବୈଷ୍ଣବ ପରିଡା ମୋ ସହ ଟେଲିଫୋନରେ ହୋଇଥିବା କଥାର ଅଡ଼ିଓ ରେକର୍ଡ ମୁଁ ଏଠାରେ ରଖୁଛି ସମସ୍ତଙ୍କ ଅବଗତି ପାଇଁ । କାରଣ ଏହା ଆମ ଭାଷା ଉପରେ ଚାଲିଥିବା ଦୁଷ୍କର୍ମ ଅନୁଧ୍ୟାନ କରିବାରେ ସହାୟକ ହେବ ।

ଏବେ ଅଡ଼ିଓ ରେକର୍ଡ ଶୁଣାଯାଉ

 

ଆମପାଇଁ ଆନନ୍ଦର କଥା ଯେ, ଓଡ଼ିଶାର ପ୍ରଥିତଯଶା ସାହିତ୍ୟିକ ଓ ସମ୍ବାଦପତ୍ର ସମ୍ପାଦକ ରବି କାନୁନଗୋ, ଯେ କି ସମ୍ପାଦକୀୟ ପ୍ରଦାନରେ ଏକ ନୂତନ ଶୈଳୀର ପ୍ରବର୍ତ୍ତନ କରିଛନ୍ତି, ବିଶ୍ଵାସ କରନ୍ତି ଯେ , ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଓଡିଶା ମନ୍ତ୍ରୀମଣ୍ଡଳ ସ୍ଵତନ୍ତ୍ରଭାବେ ଆହୂତ ପୁରୀ ବୈଠକରେ ଯେଉଁ ନିଷ୍ପତ୍ତି ଗ୍ରହଣକରିଛନ୍ତି ତାହା ଆମ ଭାଷା ଆନ୍ଦୋଳନ ହେତୁ ସମ୍ଭବ ହୋଇଛି  ଆମେ ତ ଏହି ମନ୍ତ୍ରୀମଣ୍ଡଳର ପ୍ରସ୍ତାବ ଉପରେ ଆମ ପ୍ରତିକ୍ରିୟା ରଖିଛୁ ; ମାତ୍ର ସୂର୍ଯ୍ୟପ୍ରଭାରେ ରବି ବାବୁଙ୍କ ସମ୍ପାଦକୀୟ ଓଡ଼ିଆ ଭାଷା ଜନନୀଙ୍କ ଚଳନ୍ତି ଇତିହାସ ପ୍ରତି ଏକ ଅମୁଲ୍ୟ ଅବଦାନ ∣ ଡ଼ିସେମ୍ବର 27 ଓ 28 – ଦୁଇଦିନ ଧରି ଦୁଇଟି ଭିନ୍ନ ଭିନ୍ନ ଶିରୋନାମାରେ ଏ ସମ୍ପାଦକୀୟ : ପ୍ରଥମଟି “ଶତାବ୍ଦୀର ଶ୍ରେଷ୍ଠ ଓଡ଼ିଆ !” ଓ ଦ୍ବିତୀୟଟି “ପଶ୍ୟତି ଦିଶି ଦିଶି” ଶୀର୍ଷକରେ ସମୃଦ୍ଧ ∣ ପ୍ରଥମ ଆଲୋକବର୍ଷୀ ସମ୍ପାଦକୀୟଟିକୁ ଏଠାରେ ଆନୁଷ୍ଠାନିକ ସମ୍ମାନର ସହ ସ୍ଥାନିତ କରାଗଲା ∣ 

ସୁଭାଷ  ଚନ୍ଦ୍ର ପଟ୍ଟନାୟକ ,

ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା