ଓଡ଼ିଶାରେ ଓଡ଼ିଆ ଭାଷାକୁ ଧ୍ଵଂସ କରିବାକୁ ଷଡ଼ଯନ୍ତ୍ର ଚାଲିଛି : ଭାଷା ଆନ୍ଦୋଳନ ପାଠଚକ୍ରରେ ଅଶୋକ ମହାରଣା

ସୂତ୍ର : ଆମ ଭାଷା ଆମ ଅଧିକାର

ଭାଷା ଆନ୍ଦୋଳନର ରବିବାସରୀୟ ଭର୍ଚ୍ୟୁଆଲ ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଧ୍ୟାପକ ଅଶୋକ ମହାରଣା ଗତ ୪ ତାରିଖ ସନ୍ଧ୍ୟାରେ ଏକ ସର୍ବଜନବିଦିତ ସତ୍ୟକୁ ନିଜ ଶୈଳୀରେ ଉପସ୍ଥାପିତ କରି କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଭାଷାକୁ ମାରିଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଷଡ଼ଯନ୍ତ୍ର ଚଳାଇଛି । ନିଜ ଭାଷା ଜନନୀକୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିବା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ । ବିଷୟ ଥିଲା – ଭାଷା ସୁରକ୍ଷାରେ ଆମର କର୍ତ୍ତବ୍ୟ । 

ଅଧ୍ୟାପକ ମହାରଣାଙ୍କ ଭାଷଣ –ODIA BHASA 

ପଣ୍ଡିତ ଗୋପବନ୍ଧୁଙ୍କ ଅନୁତ୍ତରିତ ପ୍ରଶ୍ନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ ଓଡ଼ିଆ ଜାତିର ସମସ୍ତ ରାଜନୈତିକ, ପ୍ରଶାସନିକ, ବ୍ୟବସାୟିକ କାର୍ଯ୍ୟ ସମ୍ପାଦନ ସମ୍ଭବ କରାଇବା ପାଇଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସମୂହର ଏକତ୍ରୀକରଣ ଦ୍ଵାରା ଏକ ସ୍ଵତନ୍ତ୍ର ପ୍ରଦେଶ ସ୍ଥାପନ ପାଇଁ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀରେ ଅଧ୍ୟକ୍ଷତା କରି ୧୯୧୯ ଏପ୍ରିଲ ୧୯ ତାରିଖରେ ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁ ପ୍ରଶ୍ନ ରଖିଥିଲେ ଆମ ଭାଷାଭାଷୀ ଭୂଖଣ୍ଡରେ ଆଧିପତ୍ୟ ଜାରିକରିଥିବା ଇଂରାଜୀ ସରକାର , ସମଗ୍ର ଭାରତବାସୀ ଓ ଏ ଜାତି ସମ୍ମୁଖରେ , ସେହି ପ୍ରଶ୍ନ ଏବେ ବି ଅନୁତ୍ତରିତ , ଅଥଚ ଜୀବନ୍ତ ।

ଓଡ଼ିଶାକୁ ଏକ ଦାସରାଜ୍ୟ (Slave State) ଓ ନିଜକୁ ତାର ମାଲିକ ଭାବୁଥିବା ଭୋଟଭିକାରୀ ନବୀନ ପଟ୍ଟନାୟକଙ୍କ ନିଗ୍ରହରେ ସେତେବେଳଠାରୁ ଆହୁରି ଅଧିକ ସର୍ବନାଶର ଶିକାର ହୋଇପଡ଼ିଥିବା ଶତକଡ଼ା ୯୩ ଭାଗ ଓଡ଼ିଆଙ୍କ ପକ୍ଷରୁ ଆମେ ଆଜି ସେହି ପ୍ରଶ୍ନ ପୁନଃ ଉତ୍ତୋଳନ କରିବା ସହ ଉତ୍କଳମଣିଙ୍କୁ ଜଣାଉଛୁ ସଶ୍ରଦ୍ଧ ପ୍ରଣତି ।



“ଆଜି ଆମମାନଙ୍କ ପଲ୍ଲୀର ଅବସ୍ଥା ଦେଖିଲେ ଛାତି ଫାଟିଯାଏ । ଶ୍ରମଜୀବୀକୁଳ କ୍ରମେ ଛାରଖାର ହୋଇଯାଉଛନ୍ତି – ଖାଦ୍ୟର ଅଭାବ, ଜଳର ଅଭାବ, ବସ୍ତ୍ରର ଅଭାବ । ସ୍ୱାସ୍ଥ୍ୟ ନାହିଁ , ଶିକ୍ଷା ନାହିଁ ଏବଂ ସାହସ ନାହିଁ । ଯେଉଁ ଜାତିର ପନ୍ଦରଅଣା ଲୋକ ଏହିପରି ଯନ୍ତ୍ରଣାରେ ଜୀବନ କଟାଉଛନ୍ତି, ଅଭାବରେ ପେଷି ହୋଇ ହାହାକାର କରି ନିରାଶାରେ ନାନା ରୋଗ ବ୍ୟାଧିରେ ପ୍ରତିଦିନ ଶତ ଶତ ସହସ୍ର ସହସ୍ର ମରିଯାଉଛନ୍ତି , ଯେଉଁ ଜାତିରେ ଦୀନ ଦରିଦ୍ର ପ୍ରଜାକୁଳ ସ୍ଥଳ ବିଶେଷରେ ବିରାଡ଼ି କୁକୁର ପରି କ୍ଷମତାଶାଳୀ ଲୋକଙ୍କ ଦୌରାତ୍ମ୍ୟ ଓ ନିଗ୍ରହ ଭୋଗି ପଡ଼ିରହିଛନ୍ତି , ସେ ଜାତିର ମୂଳ ଭିତ୍ତି ଶକ୍ତ ଓ ସୁଦୃଢ ଆଉ କେତେ ଦିନ ରହିବ ?”

ସରକାରଙ୍କ ଇଂରାଜୀ ପ୍ରୀତି ଆମ ଭାଷାକୁ ମରଣୋନ୍ମୁଖୀ କଲାଣି : ଭାଷା ଆନ୍ଦୋଳନର ଆଲୋଚନଚକ୍ରରେ ଆଶଙ୍କା

ସୂତ୍ର : ଆମ ଭାଷା ଆମ ଅଧିକାର 

ଗତ ରବିବାର(୦୪/୧୦/୨୦୨୦)ସନ୍ଧ୍ୟାରେ ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ରରେ ସରକାରଙ୍କ ଇଂରାଜୀ ପ୍ରୀତି ଆମ ଭାଷାକୁ ମରଣୋନ୍ମୁଖୀ କଲାଣି ବୋଲି ମତ ପ୍ରକାଶ ପାଇଥିଲା ।                       ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରାଙ୍କ ଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

              *”ଓଡ଼ିଆ ଭାଷାର ସୁରକ୍ଷାରେ, ଆମର କର୍ତ୍ତବ୍ୟ” ଶୀର୍ଷକ ଉପରେ ସାରଗର୍ଭକ ଆଲୋଚନା କଲେ, ମୁଖ୍ୟ ଆଲୋଚକ;ଶ୍ରୀଯୁକ୍ତ ଅଶୋକ ମହାରଣା।
              * ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଏହି ଆଲୋଚନା ଉପରେ ନିଜସ୍ୱ ମତାମତ ରଖିବ ସହ ସମ୍ପୂର୍ଣ୍ଣ ପରିବେଶକୁ ଅତ୍ୟନ୍ତ ବୌଦ୍ଧିକ କରିଦେଲେ।
               *ଅନ୍ତିମ ପର୍ଯ୍ୟାୟରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
              * ଶ୍ରୀକାନ୍ତ ବେହେରା,ସୁଶାନ୍ତ ମାହାଳି,ଦୀନବନ୍ଧୁ ପୋଇ,କୈଳାସ ଚନ୍ଦ୍ର ବେହେରା,ନଗେନ୍ଦ୍ର କୁମାର ରାଉତ,ଦୀପକ ରଂଜନ ଗ୍ରହାଚାର୍ଯ୍ୟ, କୈଳାଶ ଧଳ, ବି.କେ.କମଲ, ଶଶିକାନ୍ତ ପଣ୍ଡା ; ନିଜ ସ୍ୱ-ରଚିତ କବିତା ପାଠ କଲେ ।
              * ଓଡ଼ିଶାର କୋଣ ଅନୁକୋଣରୁ ଓଡ଼ିଆ ଭାଷା ଓ ସାହିତ୍ୟର ଅନେକ ସାରସ୍ୱତ ସାଧକ ଅଂଶଗ୍ରହଣ କରିଥିବା ଏହି ଆଲୋଚନାଚକ୍ରରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ପଟନାୟକଙ୍କ ସହ ରଞ୍ଜନ ଦାସ,ରଞ୍ଜନ କୁମାର ସାହୁ,ବାପିନା ପାଲଟାସିଂହ, ବଳରାମ ସାହୁ,ଶ୍ରୀରାମ ରାଉତ,ମହେନ୍ଦ୍ର ତ୍ରିପାଠୀ, ସରୋଜ କୁମାର ମହାନ୍ତି,ସାଗର କୁମାର ପରିଡା,ସୁନିତା ରଣା, ସ୍ନେହଳତା ସିଂ ପ୍ରମୁଖ ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ।

 

ଆସ ଗାଇବା ମାଆର ଗୀତ

[ଭାଷାବିଦ୍ଵେଷୀଙ୍କ ଷଡ଼ଯନ୍ତ୍ର ସତ୍ତ୍ୱେ ଆମ ଆନ୍ଦୋଳନ ଅପରାଜେୟ ବୋଲି କହିଛନ୍ତି ଓଡ଼ିଆ ଭାଷାପ୍ରେମର ଅତୁଳନୀୟ ଗନ୍ତାଘର କବି ଉମାକାନ୍ତ ରାଉତ]

ଆସ ଗାଇବା ମାଆର ଗୀତ
ଗଗନ ପବନ ଭେଦିa
ଫର ଫର ଉଡୁଛି ଯେ ବାନା
ଅନାରେ ଓଡ଼ିଆ ଭାଇ
ତାକୁ ଥରେ ନିରିଖେଇ ଅନା

କେମିତି ଗାଉଛି ସିଏ
ଗଙ୍ଗା-ନବ-ମଧୁଙ୍କର ଗୀତ
ବାର ବର୍ଷ ପିଲାଟିର
ତ୍ୟାଗପୂତ ଜୀବନ ସଙ୍ଗୀତ

ସେ ବାନା ପ୍ରତିଟି ଭଙ୍ଗୀ
ମଧୁବାବୁ ଦେଖୁଛନ୍ତି ଆହା
ଭାଷା ହଡ଼ପକାରୀଏ
ଲୁଚିବାକୁ ଛାଡ଼ିଲେଣି ରାହା

ଇଥରର ତରଙ୍ଗରେ
ସେ ଡାକଇ ମାଆ ମାଆ ମାଆ
ଅସ୍ତରାଗ ଦିଗବଳୟେ
ସୂର୍ଯ୍ୟ ସେଠି ସ୍ଵପ୍ନ ଦେଖେ ନୂଆ

ଦାନାର ପୁଡ଼ିଆ ନୁହେଁ
ତାକୁ ଲୋଡ଼ା ତାର ମାତୃଭାଷା
ପ୍ରାଚୀ ଲଲାଟରେ ଦେଖ
ଉଇଁଲାଣି ନବପର୍ବ ଉଷା

ଏଥର ପାଇଛି ବାନା
ଖୋଜି ତାର ଶକ୍ତ ମେରୀ ଖୁଣ୍ଟ
ମୁକୁଳେଇବ ମା`କୁ
ବଧ କରି ଦୁରାଚାରୀ ଖଣ୍ଟ

ଆସ ବନ୍ଧୁ ପରିଜନ
ରୁଣ୍ଡ ହେବା ସେ ପତାକା ତଳେ
ଗାଇବା ତାହାର ଗୀତ
ସିକ୍ତ କରି ପାଦ ଅଶ୍ରୁଜଳେ

ଭାଷା ନୀତି କୁଆଡେ ଗଲା? ପଚାରିଛନ୍ତି ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶିକା

ସୂତ୍ର: ଭାଷା ଅଧିକାର ଅଭିଯାନ

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ତହିଁର ସଦସ୍ୟ ସୁଭାଷ ଚନ୍ଦ୍ର ପଟ୍ଟନାୟକ ୩ ସେପ୍ଟେମ୍ବର ୨୦୧୫ ତାରିଖରେ ଏକ ଲିଖିତ ଚିଠା ବିଧାନ ପ୍ରଦାନ କରି ତଦନୁଯାୟୀ ଆଇନ ସଂଶୋଧନ କରିବାକୁ ଓ ସେହି ଆଇନର ଅମାନ୍ୟକାରୀ ପ୍ରତି କଠିନ ଦଣ୍ଡବିଧାନ ସୁନିଶ୍ଚିତ କରିବାକୁ ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀସ୍ତରୀୟ କମିଟି ତାହାକୁ ଅନୁମୋଦନ କରିଥିଲା । ଓ ତା ପରେ ଭାଷା ଆଇନ ସଂଶୋଧନର ଯେଉଁ ନୂଆ ଯୁଗ ଆରମ୍ଭ ହୋଇଥିଲା, ତାହା ଅଦ୍ୟାବଧି ଅବ୍ୟାହତ ଅଛି, ଯଦିଓ ସରକାର ତାହାର କାର୍ଯ୍ୟକାରୀତା ପାଇଁ ଚାଲିଥିବା ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଅତି ଉତ୍କଟ ଷଡ଼ଯନ୍ତ୍ର ଚଳାଇଛନ୍ତି ।

ଏହି ପ୍ରେକ୍ଷାପଟରେ ମନ୍ତ୍ରୀସ୍ତରୀୟ କମିଟିରେ ସରକାରୀ ସଦସ୍ୟ ଥିବା ଓଡ଼ିଶା ସରକାରଙ୍କ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶିକା ଡଃ ତମସାରାଣୀ ଦାସମହାପାତ୍ର ରଖିଥିବା ବୟାନରୁ ସ୍ପଷ୍ଟ ହୋଇଛି ଯେ, ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବ ଅନୁରୂପ ବ୍ୟବସ୍ଥା ରଖି ପ୍ରତିଷ୍ଠାନ ବହୁ ବିଶିଷ୍ଟ ବିଷୟବିଶେଷଜ୍ଞମାନଙ୍କ ସହାୟତାରେ ଏକ ଭାଷା ନୀତିର ଚିଠା ପ୍ରଣୟନ କରି ସରକାରଙ୍କୁ ପ୍ରଦାନ କରି ଥିଲା ।

ଭାଷା ଆନ୍ଦୋଳନର ଫେସ୍ ବୁକ୍ ମଞ୍ଚ ଭାଷା ମା ପାଇଁ ପଦେ ପୃଷ୍ଠାରୁ ଭାଷା ହିଁ ଜୀବନୀଶକ୍ତି ତତ୍ତ୍ଵ ଉପରେ ଉଦ୍ବୋଧନ ଦେଇ ଅକ୍ଟୋବର ୫ ତାରିଖରେ ଡଃ ଦାସମହାପାତ୍ର କହିଛନ୍ତି, ଏହା କାର୍ଯ୍ୟକାରୀ ହୋଇଥିଲେ “ହୁଏତ ଦଣ୍ଡ ଭୟରେ ଅନ୍ତତଃ ସରକାରୀ କାର୍ଯ୍ୟ ଓଡ଼ିଆରେ ଚାଲିଥାନ୍ତା । ବର୍ତ୍ତମାନ ଭୟାନକ କୋଭିଦ-୧୯ର ବିଭିନ୍ନ ମାର୍ଗଦର୍ଶିକା ଯଦି ଓଡ଼ିଆରେ ପ୍ରକାଶ କରାଯାଇ ଗାଁଗଣ୍ଡାର ଲୋକମାନଙ୍କୁ ସଚେତନ କରାଯାଇଥାନ୍ତା , ତେବେ ହୁଏତ ଲୋକେ ଏହାର ଭୟାବହତା ବୁଝି ସାବଧାନତା ଅବଲମ୍ବନ କରିଥାନ୍ତେ ଓ ବହୁ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇପାରିଥାନ୍ତା ।” ଅଥଚ, ଭାଷା ପ୍ରତିଷ୍ଠାନର ପ୍ରଣୀତ ସେହି ଭାଷାନୀତି ବାତତମାନଯାଏଁ କାର୍ଯ୍ୟକାରୀ ହେଲା ନାହିଁ । ତାହା କୁଆଡ଼େ ଗଲା?

ସିଧା ପ୍ରସାରିତ ହୋଇଥିବା ଡଃ ଦାସମହାପାତ୍ରଙ୍କ ଭାଷଣର ସଂପୂର୍ଣ୍ଣ ଲିଖିତ ରୂପ ପରେ ପ୍ରକାଶ ପାଇବ । ଏବେ ଏଠାରେ ଦେଖନ୍ତୁ ତହିଁର ୟୁ ଟ୍ୟୁବ୍ ସଂସ୍କରଣ :