ବର୍ଣସଙ୍କର ବର୍ଣ୍ଣବୋଧ ଓ ବର୍ଣ୍ଣ ବିପର୍ଯ୍ୟୟ

ଜଗନ୍ନାଥ ପ୍ରସାଦ ଦାସ

ପାଞ୍ଚ ଛ ବର୍ଷ ତଳେ ମଧୁବାବୁଙ୍କ ବର୍ଣ୍ଣବୋଧକୁ ନେଇ ତୁମୁଳ ବାଦବିସମ୍ବାଦ ହେଉଥିବାବେଳେ ନଭେମ୍ବର ୨୦୧୪ରେ ମୁଁ ଏହି ଲେଖାଟି ଲେଖିଥିଲି। ବର୍ତ୍ତମାନ କୁଆଡ଼େ କୋର୍ଟ କଚେରୀ, ବିଧାନସଭା ଆଲୋଚନା ପରେ ସରକାର ନିଷ୍ପତ୍ତି କରିଛନ୍ତି ଯେ ବହିଟିକୁ ମୂଳରୂପରେ ଛପାଇ ପିଲାମାନଙ୍କୁ ଯୋଗାଇ ଦିଆଯିବ। ଆଜିର ପିଲାମାନଙ୍କ ପାଇଁ ଯେ ଗୋଟିଏ ନୂଆବହି ଦରକାର ସେଥିପାଇଁ ବୋଧହୁଏ ବର୍ତ୍ତମାନ ଚିନ୍ତା କରିବାର ସମୟ ଆସିଛି l

(ଆଉ କିଛି ଦିନପରେ ଜାନୁଆରୀ ୨୯ ତାରିଖରେ ୧୮୫୩ ମସିହାରେ ଜନ୍ମିତ ମଧୁସୂଦନ ରାଓଙ୍କର ଜନ୍ମଦିନ।)

ଓଡ଼ିଶାରେ ବର୍ତ୍ତମାନ ଚିଟ୍‌ଫଣ୍ଡ ଘୋଟାଲା ଓ ଖଣି ଦୁର୍ନୀତିର ଖବର ଭଳି ଆଉ ଯେଉଁ ଖବରଟି ସମ୍ବାଦପତ୍ର ପୃଷ୍ଠା ଛାଡ଼ିବାକୁ ନାରାଜ, ସେଇଟି ହେଲା ଭକ୍ତିକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଜନିତ ବିବାଦ। ଏ ବିବାଦରେ ଓଡ଼ିଶା ସରକାର, ବିଭିନ୍ନ ସାହିତ୍ୟ ଓ ଭାଷା ଅନୁଷ୍ଠାନ ଏବଂ ହାଇକୋର୍ଟ ବାହାରେ ସାହିତ୍ୟିକ ଓ ଭାଷାବିତ୍‌ମାନେ ଅଳ୍ପ ବହୁତ ଜଡ଼ିତ। ତା’ ବ୍ୟତୀତ, ପାଠ ପଢୁଆ ସର୍ବସାଧାରଣ ମଧ୍ୟ ଏ ବିଷୟରେ ପ୍ରତିକ୍ରିୟା ଦେବା ପାଇଁ ଆଗଭର। ବିଷୟଟି ତେଣୁଏକ ଜନ ଆନ୍ଦୋଳନର ରୂପ ନେଇଛି ଏବଂ ଖବରକାଗଜ ପୃଷ୍ଠାରେ ଉଗ୍ର ଲେଖାମାନ ପ୍ରକାଶ ପାଉଛି ଏବଂ ମାମଲା କୋର୍ଟ କଚେରୀକୁ ଯାଉଛି । ନିକଟରେ ପ୍ରକାଶିତ ଏକ ଇଂରେଜୀ କାଗଜର ହେଡଲାଇନର ଓଡ଼ିଆ ଅନୁବାଦ ହେବ: ଭକ୍ତକବିଙ୍କ ପରିବାର ରକ୍ତଚାଉଳ ଚୋବାଇଲେ! ସେହି ଭକ୍ତକବି ଲେଖୁଥବା ଭଣ୍ଡ ରସାୟନ କାବ୍ୟ ଭାଷାରେ କହିଲେ ପରିସ୍ଥିତି ବର୍ତ୍ତମାନ

ଉତ୍କଳ ସାହିତ୍ୟ କ୍ଷେତ୍ରେ ଲାଗିଛି ସମର
ଅବ୍ଦ ବ୍ୟାପୀ ଶବ୍ଦମୟ ମହା ଭୟଙ୍କର ।

ସଂପ୍ରତି ପ୍ରକାଶିତ ବିବରଣୀ ଅନୁଯାୟୀ ବହିଟି ପ୍ରଥମେ ପ୍ରକାଶ ପାଇଥିଲା ୧୮୯୫ରେ ଏବଂ ଏହାର ନବମ ସଂସ୍କରଣ ପ୍ରକାଶ ପାଇଲା ୧୯୦୧ରେ । ସେହି ଦିନଠାରୁ ଏ ବହିଟି ସବୁ ସମୟରେ ଉପଲବ୍ଧ ରହି ଆସିଛି। ମଧୁସୂଦନ ଗ୍ରନ୍ଥାବଳୀରେ ସଂଯୋଜିତ ହୋଇଥିବାରୁ ଏହାକୁ ଏକ ସାହିତ୍ୟିକ ମାନ୍ୟତା ମଧ୍ୟ ମିଳିଛି। (ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଧାନାଥ ଓ ଫକୀରମୋହନ, ଅଥବା ନିକଟ ଅତୀତରେ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଲେଖିଥିବା ପାଠ୍ୟପୁସ୍ତକ ସେମାନଙ୍କ ଗ୍ରନ୍ଥାବଳୀରେ ସ୍ଥାନ ପାଇନାହିଁ ।) ଅନେକ ଦିନରୁ ବର୍ଣ୍ଣବୋଧର କପି ରାଇଟ୍ ସରି ଯାଇଥିବାରୁ ଯେ କେହି ବହିଟିକୁ ପ୍ରକାଶ କରିବାରେ କୌଣସି ବାଧା ନାହିଁ । ତେଣୁ ବିଭିନ୍ନ ପ୍ରକାଶକ ବିଭିନ୍ନ ନାଁରେ – ଯଥା, ମଧୁ ବର୍ଣ୍ଣବୋଧ, ସହଜ ବର୍ଣ୍ଣବୋଧ, ଛବିଳ ମଧୁ ବର୍ଣ୍ଣବୋଧ – ବହିଟିକୁ ପ୍ରକାଶ କରୁଛନ୍ତି । ବହିର ଅକ୍ଷର ବିନ୍ୟାସ, ସାଜସଜ୍ଜା ଓ ଅଳଙ୍କରଣ ପ୍ରକାଶକଙ୍କ ମର୍ଜି ନିର୍ଭର । କେତେକ ମଲାଟରେ ଏକ ବୃହତକାୟ ବିରାଡ଼ିର ଛବି କାହିଁକି ଦିଆଯାଇଛି ସେ କଥା ଗବେଷଣା ସାପେକ୍ଷ । କେବଳ ବାଲୁବଜାରର ବହି ଦୋକାନରେ ନୁହେଁ, ହାଟବଜାର ଓ ରାସ୍ତାକଡ଼ର ଦୋକାନରେ ମଧ୍ୟ ବହିଟି ଉପଲବ୍ଧ।

ଗୋଟିଏ ଶତାବ୍ଦୀ ପରେ ବର୍ଣ୍ଣବୋଧକୁ ନୂଆ ରୂପ ଦେଇ ତା’ର ବ୍ୟାପ୍ତିକୁ ଆହୁରି ପ୍ରସାରିତ କରାଯାଇଛି ବିଭିନ୍ନ ମାଧ୍ୟମରେ । ସୃଜନିକା ସଂସ୍ଥା ଏହାର ଏକ ଡିଜିଟାଲ ସଂସ୍କରଣ ପ୍ରକାଶ କରିଛନ୍ତି। ଶାନ୍ତନୁ ମହାପାତ୍ରଙ୍କ ସଂଗୀତ ସହିତ ବର୍ଣ୍ଣବୋଧର ସିଡି ବଜାରରେ, ଏବଂ ଇଣ୍ଟରନେଟ୍‌ରେ ମିଳୁଛି । ପ୍ରକାଶିତ ଖବର ଅନୁସାରେ ଦୃଷ୍ଟିଶକ୍ତି ଆକ୍ରାନ୍ତ ପାଠକମାନଙ୍କ ପାଇଁ ସରକାର ଏକ ବ୍ରେଲ ସଂସ୍କରଣ ତିଆରି କରୁଥିଲେ ଏବଂ ଏହା ମଧୁବାବୁଙ୍କ ଜନ୍ମଦିନ ୨୮ ଏପ୍ରିଲ ଉନ୍ମୋଚିତ ହେବାର ଥିଲା ।(ଏଥିରେ ସାମାନ୍ୟ ବିଡ଼ମ୍ବନା ଥିଲା ଯେ ଏ ତାରିଖଟି ଉତ୍କଳଗୌରବ ମଧୁସୂଦନଙ୍କ ଜନ୍ମଦିନ, ଭକ୍ତକବି ମଧୁସୂଦନଙ୍କର ନୁହେଁ!)

ନିକଟରେ ଓଡ଼ିଶା ସରକାରଙ୍କ ଦ୍ଵାରା ବର୍ଣ୍ଣବୋଧର ପରିବର୍ତ୍ତିତ (ବିଭିନ୍ନ ମତ ଅନୁସାରେ ପରିମାର୍ଜିତ, ଧର୍ଷିତ, ସମୟୋପଯୋଗୀ କୃତ, ବିକର୍ତ୍ତିତ) ସଂସ୍କରଣ ବାହାରିବାରେ ଏହି ବିବାଦର ସୃଷ୍ଟି । ବିବାଦଟି ହଠାତ୍ ଉତ୍କଟ ହେବାର ମୂଳ କାରଣ ହେଲା, ଯେଉଁ ଲକ୍ଷାଧିକ ‘ନୂଆ’ ବର୍ଣ୍ଣବୋଧ ଛପା ହୋଇ ବଣ୍ଟା ହେବା ପାଇଁ ରହିଛି, ତାର କଣ କରାଯିବ।

କୌଣସି ବହିର ପାଠକୁ ବଦଳାଇବା ଏକ ନୀତିଗତ ପ୍ରଶ୍ନ । ମଧୁବାବୁଙ୍କ ବର୍ଣ୍ଣବୋଧକୁ ପରିବର୍ତ୍ତନ କରିବା ଯଥାର୍ଥ କି, ଏ ପ୍ରଶ୍ନର ସିଧାସଳଖ ଉତ୍ତର ହେବ, ନା। ଜଣେ ଲେଖକର ମୂଳ ଲେଖାକୁ ପରିବର୍ତ୍ତନ କରିବାର ଅଧିକାର କାହାରି ନାହିଁ । ଏ ବିଷୟରେ କୌଣସି ମତାମତ, ଯୁକ୍ତିତର୍କର ଅବକାଶ ନାହିଁ । ମୋହିନୀମୋହନ ସେନାପତି ଫକୀରମୋହନଙ୍କ ଲେଖା କାଟଛୋଟ କରିଥିବାରୁ ୧୯୩୨ ରେ ମାୟାଧର ମାନସିଂହ ଯାହା ଲେଖିଥିଲେ ତା ସବୁବେଳେ ପ୍ରଯୁଜ୍ୟ: ପରଲୋକଗତ ଗ୍ରନ୍ଥକର୍ତ୍ତାଙ୍କ ରଚିତ ଗ୍ରନ୍ଥର ଗୋଟିଏ ପଂକ୍ତିକି ମଧ୍ୟ ଅନ୍ୟଥା କରିବା ବର୍ବରତା ଛଡ଼ା ଅନ୍ୟ କିଛି ନୁହେଁ ।

ଏ ସବୁ ବାଦବିସମ୍ବାଦ ମଝିରେ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ଓଡ଼ିଶାରେ ସମସ୍ତେ ମଧୁସୂଦନଙ୍କର ବର୍ଣ୍ଣବୋଧ ବହିରୁ ହିଁ ଅକ୍ଷର ଶିକ୍ଷା କରିଥିଲେ ଏବଂ ଶହେ ବର୍ଷ ଧରି ଏହା ପିଲାମାନଙ୍କର ପାଠ୍ୟପୁସ୍ତକ ଥିଲା । ଓଡ଼ିଶାର ବିଭିନ୍ନ ଲେଖକ ବର୍ଣ୍ଣବୋଧରୁ ଅକ୍ଷର ଶିଖୁଥିଲେ ବୋଲି କହୁଛନ୍ତି । ଆଧୁନିକ କବିତାର କେତୋଟି ଧାଡ଼ିରୁ ନିଷ୍କର୍ଷ ବାହାର କରାଯାଉଛି ଯେ ସଂପୃକ୍ତ କବି ତାଙ୍କର ପ୍ରାଥମିକ ଶିକ୍ଷା ପାଇଁ ବର୍ଣ୍ଣବୋଧଠାରେ ଋଣୀ ।

ଏହି ଶତାବ୍ଦୀରୁ ଅଧିକ ସମୟ ଭିତରେ ବର୍ଣ୍ଣବୋଧ ଅକ୍ଷର ଶିକ୍ଷାର ଏକମାତ୍ର ବହି ନଥିଲା । ବର୍ଣ୍ଣବୋଧ ପୂର୍ବରୁ ଯେଉଁ ବହି ସବୁ ଥିଲା ସେଥିରୁ କେତୋଟି ହେଲା: ବର୍ଣ୍ଣବୋଧକ (ଓଡ଼ିଶା ମିଶନ ପ୍ରେସ, ୧୮୬୭), ବର୍ଣ୍ଣପରିଚୟ (ଘନଶ୍ୟାମ ମିଶ୍ର, ୧୮୬୯), ବର୍ଣ୍ଣଶିକ୍ଷା (କପିଳେଶ୍ୱର ବିଦ୍ୟାଭୂଷଣ, ୧୮୭୩), ବର୍ଣ୍ଣବୋଧକ (ଗୋବିନ୍ଦ ରଥ, ୧୮୮୭) ଇତ୍ୟାଦି । ଏଗୁଡ଼ିକ ସମ୍ଭବତଃ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ବଙ୍ଗଳା ‘ବର୍ଣ୍ଣ ପରିଚୟ’ ଧାରାରେ ଲେଖା ହୋଇଥିଲେ।

ସେହି ଭଳି ପରବର୍ତ୍ତୀ ସମୟରେ ମଧ୍ୟ ଏ ପ୍ରକାରର ଅନେକ ବହି ପ୍ରକାଶ ପାଇଥିଲେ। ନିକଟ ଅତୀତରେ ପ୍ରକାଶିତ ଦୁଇଟି ବହି ହେଲା, ଫତୁରାନନ୍ଦଙ୍କ ‘ମୋ ପାଠ ବହି’ ଓ ୨୦୦୩ରେ ଦିଲ୍ଲୀରୁ ପ୍ରକାଶିତ ଆସୋଶିଏଶନ ଅଫ୍ ରାଇଟର୍ସ ଫର ଚିଲଡ୍ରେନଙ୍କର ‘ଅଆଇ ଏବଂ କଖଗ’। ଅବଶ୍ୟ ଅନ୍ୟ କୌଣସି ବହି କୌଣସି ସମୟରେ ମଧୁସୂଦନଙ୍କ ବର୍ଣ୍ଣବୋଧ ଭଳି ଲୋକପ୍ରିୟ ହୋଇ ପାରିନାହାନ୍ତି।

ଏ କଥା ମଧ୍ୟ ସତ ଯେ ବର୍ଣ୍ଣବୋଧ ଅନେକ ଦିନରୁ ସ୍କୁଲ ପାଠ୍ୟପୁସ୍ତକ ତାଲିକାରେ ନଥିଲା । ଗତ ଶତାବ୍ଦୀର ଚାଳିଶ ଦଶକରେ ଆମେମାନେ ପାଠ ପଢ଼ା ଆରମ୍ଭ କଲା ବେଳେ ଆମ ବହି ଅଆକଖରୁ ଆରମ୍ଭ ହେଉ ନଥିଲା । ଏ ବହିର (ଲେଖକ ବୋଧହୁଏ ଅଧିରାଜ ମୋହନ ସେନାପତି) ଆରମ୍ଭରେ ଥିଲା ମା, ରମା, ରବର, ରମାର କଳା ବାଳ ।

ତେବେ ମଧୁସୂଦନଙ୍କର ବର୍ଣ୍ଣବୋଧ ଯେ ଏକ ସମୟରେ ବହୁ ପଠିତ ପାଠ୍ୟପୁସ୍ତକ ଥିଲା ଏଥିରେ ସନ୍ଦେହ ନାହିଁ । ଏହାର ଏକ କାରଣ ହୋଇପାରେ ଯେ ମଧୁସୂଦନ ସେତେବେଳେ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତା ଥିଲେ । ଏବଂ ସର୍ବୋଚ୍ଚ କର୍ତ୍ତା ରାଧାନାଥ ରାୟଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା । (ସେ ଦୁହିଁଙ୍କୁ ସେତେବେଳେ ଲୋକେ ଶିକ୍ଷା ବିଭାଗର ଛୋଟ ଲାଟ ଓ ବଡ଼ ଲାଟ କହୁଥିଲେ ।)

ପିଲାଦିନେ ବର୍ଣ୍ଣବୋଧ ପଢ଼ିଥାନ୍ତୁ କି ନଥାନ୍ତୁ, ଓଡ଼ିଶାର ଅଧକାଂଶ ଶିକ୍ଷିତ ଲୋକ ବର୍ଣ୍ଣବୋଧର ନିମ୍ନଲିଖୁତ ପାଠ ସହିତ ଊଣା ଅଧିକେ ପରିଚିତ:

ଛେଳି ଛୁଆଟିକି ଦେଖ । ମେଷ ଛୁଆଟିକି ରଖ ||
ଦୁଗ୍ଧ ପାନ କଲେ ବଢ଼ଇ ଶକ୍ତି । ସାଧୁର ଲକ୍ଷଣ ଈଶ୍ବର ଭକ୍ତି ||
ଅରଣା ମଇଁଷି ରହିଛି ଅନାଇ । ମଇଁଷିର ପାଖ ନ ଯାଅ ଦନାଇ ||
ହରିଣ ନ ଦିଏ ଧରା । ଦଉଡ଼ନା ବଡ଼ ଖରା || ଇତ୍ୟାଦି

ଲକ୍ଷ୍ୟ କରିବାର କଥା ଯେ ଏହି ଅସଂଲଗ୍ନ, ଅସଂଗତ ଓ ହାସ୍ୟ ଉଦ୍ରେକ କରୁଥିବା ଧାଡ଼ିଗୁଡ଼ିକ ମନେ ରଖୁଥିବା ବେଳେ ବର୍ଣ୍ଣବୋଧରେ ଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦଗୁଡ଼ିକ ଆମ ସ୍ମୃତିରେ ନାହିଁ । ଏ ଧାଡ଼ିଗୁଡ଼ିକ ମୁଁ ନିଜେ ପିଲାବେଳେ ବର୍ଣ୍ଣବୋଧ ବହିରୁ ପଡ଼ିଥିବା ମୋର ମନେ ନାହିଁ । ପରବର୍ତ୍ତୀ ସମୟରେ ବୋଧହୁଏ ସାଙ୍ଗସାଥଙ୍କ ମେଳରେ ମୁହଁରୁ ମୁହଁକୁ ଏ ଧାଡ଼ି ସବୁ ସ୍ମରଣରେ ରହିଥିଲା । ଏ ପଦମାନ ବ୍ୟବହାର କରାଯାଉଥିଲା ଥଟ୍ଟା ତାମସା ମଜା କରିବା ପାଇଁ । ମୁଁ ବିବଦ୍ଧ ଭାବରେ ବର୍ଣ୍ଣବୋଧ ପଢ଼ିଲି ଏଇମାତ୍ର, ୧୯୭୦ରେ କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟାର ପ୍ରକାଶିତ ଗ୍ରନ୍ଥାବଳୀର ଦ୍ବିତୀୟ ସଂସ୍କରଣରୁ। ସରକାରଙ୍କ ଦ୍ଵାରା ପ୍ରକାଶିତ (ଓ ବର୍ତ୍ତମାନ ବୋଧହୁଏ ତାଲା ବନ୍ଦ) ବର୍ଣ୍ଣବୋଧ ବା ବର୍ଣବୋଧ ଦେଖୁବାର ସୌଭାଗ୍ୟ ହୋଇନାହିଁ। ବର୍ତ୍ତମାନ ପ୍ରଶ୍ନ ହେଉଛି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଆଜିର ପିଲାଙ୍କ ପାଇଁ ଉପଯୁକ୍ତ କି ? ମୋ ମତରେ ଏହାର ଉତ୍ତର, ନା। ମଧୁସୂଦନ ଶହେ ବର୍ଷରୁ ବେଶି ସମୟ ଆଗରୁ ଯେତେବେଳେ ଏହି ବହିଟି ଲେଖିଥିଲେ ସେ ସମୟର ସମାଜ, ଭାଷା, ଶିକ୍ଷା ପଦ୍ଧତି, ଆଚାର ବ୍ୟବହାର, ନୀତି ନିୟମ ଅଲଗା ଥିଲା । ସେ ସବୁ ବର୍ତ୍ତମାନ ବଦଳି ଯାଇଛନ୍ତି ଏବଂ ଆମର ଜ୍ଞାନର ପରିସର ମଧ୍ୟ ଅନେକ ଗୁଣ ବଢ଼ି ଯାଇଛି। ମଧୁବାବୁଙ୍କ ବହିରେ ଅଛନ୍ତି ଗାଁର ରଜକ ରଇତ ଚାଷୀ ଧୀବର ପାଇକ ବୈଦ୍ୟ ଶ୍ରେଣୀ ପାଞ୍ଜି ରଥ ହଳ; ଏଥିରେ ସହର ସଂପୂର୍ଣ୍ଣ ଅନୁପସ୍ଥିତ । ଏଥିରେ ରେଳଗାଡ଼ି ଓ ଉଡ଼ାଜାହାଜ ତ ନାହିଁ, ସାଇକେଲ ବି ନାହିଁ, କଂପ୍ୟୁଟର ଓ ମଙ୍ଗଳ ଯାନ ତ ଦୂରର କଥା।

ସେତେବେଳେ ବର୍ଣ୍ଣବୋଧରେ ଦିଆଯାଇଥିବା ଅନେକ ଶବ୍ଦ ଆଉ ସାଧାରଣ ବ୍ୟବହାରରେ ନାହିଁ, ଯଥା: ଅବଜ ବ୍ରୀହି ଊନ ପୁଣ୍ଡ୍ର ବର୍ହ ଯାଚଞ୍ଜା ଶ୍ଳାଘା ଉଦବାହ ଉଚ୍ଚୈଃ । ଗୌଣୀ ଓ ବାମ୍ଫୀ ଏବେ ଦେଖୁବାକୁ ସ୍ୱପ୍ନ ।

ସେହି ଭଳି ବର୍ଣ୍ଣବୋଧରେ ଦିଆଯାଇଥିବା କେତୋଟି କଥା ଆଉ ପଲିଟିକାଲି କରେକ୍ଟ ବା ଭଦ୍ରୋଚିତ ବୋଲି ଗ୍ରହଣ କରା ହେଉନାହିଁ, ଯଥା:

ଦରିଦ୍ର ପିନ୍ଧେ ଛିଣ୍ଡା କନ୍ଥା। ଅନ୍ଧକୁ ନ ଦିଶଇ ପନ୍ଥା ।।
ପଂଝାଏ ଖଂଜ ବସି ବସି। କଥା କହନ୍ତି ହସି ହସି ।।
ଦ୍ଵାର ଦ୍ଵାର ବୁଲି ମାଗଇ ଦୁଃଖୀ। ଭିକ ପାଇଲେ ସେ ହୁଅଇ ସୁଖୀ।।

ବର୍ଣ୍ଣବୋଧର ଆଉ କେତୋଟି ଫକ୍ତି ଗୁରୁଚଣ୍ଡାଳ ଦୋଷ, ଅତି ଭାରି ସଂସ୍କୃତ ଶବ୍ଦର ବ୍ୟବହାର ଓ ଅସଂଗତ ଭାବ ଯୋଗୁ ହସର ଖୋରାକ ଯୋଗାଇଥାନ୍ତି:

ଗାଈକୁ ତୃଣ ଦିଅ । ଜଣେ ଲୋକ ଗୋଟିଏ ଅଶ୍ବକୁ ଧରିଅଛି। ଅର୍ଦ୍ଧରାତ୍ର ସମୟରେ ମୁଁ ଉର୍ଦ୍ଧ୍ଵକୁ ଅନାଇ ନକ୍ଷତ୍ରପୂର୍ଣ୍ଣ ଆକାଶକୁ ଦେଖିଲି। ଅବ୍ଜ ଫୁଟିଛି ସରୋବରେ, ବେଢ଼ି ଅଛନ୍ତି ମଧୁକରେ । ପଡ଼ନ୍ତେ କର୍ଣ୍ଣେ ସେହି ଶବ୍ଦ, ଆନନ୍ଦ ପ୍ରାଣେ ହେଲା ଲବ୍ଧ ।

ଏ ସବୁ ଦାନ୍ତ ଭଙ୍ଗା ଲେଖା ପଢ଼ଇବା ପରେ କୁହାଯାଇପାରିବ ନାହିଁ ଯେ: ବାଳକେ ଆସିଲେ ପାଠଶାଳାରୁ, ହସ ହସ ମୁହଁ ଦିଶେ ସୁଚାରୁ। ଅବଶ୍ୟ ସେମାନେ ଯେତେବେଳେ ପଢ଼ିବେ ଯେ କୁକୁରକୁ କୁହାଯାଉଛି, “ନାନା ଜାତି ଫୁଲ ଦେବି ତୋତେ ଆଣି, ଦେଖ୍ ତୁ ହସିବୁ ଆରେ ଧନମଣି’, ସେମାନଙ୍କ ଓଠକୁ ସାମାନ୍ୟ ହସ ଆସିପାରେ ।

ବର୍ତ୍ତମାନ ଏ କଥା ମଧ୍ୟ କେହି କେହି କହିଲେଣି ଯେ ବର୍ଣ୍ଣବୋଧରେ ପିଲାମାନଙ୍କୁ ଭୁଲ୍ ନୀତିଶିକ୍ଷା ଦିଆଯାଉଛି, ଯଥା, ମଇଁଷିର ପାଖେ ନ ଯାଅ ଦନାଇ । ଆମର ସାହସୀ ଦନାଇ କାହିଁକି ଗୋଟିଏ ଛାର ଅରଣା ମଇଁଷି ପାଖକୁ ଯିବାକୁ ଡରିବ?

ମୋର କିନ୍ତୁ ଏହି ବିହିଟି ବିଷୟରେ ଦୁଇଟି ଅଭିଯୋଗ ଅଛି । ପ୍ରଥମଟି ହେଲା ବର୍ଣ୍ଣବୋଧର ବିବିଧ ପାଠରେ କୁହାଯାଇଥିବା “ମା ଯାହା ଖାଇବାକୁ ଦେବେ ତାହା ଖାଇବା… ବାପା ଯାହା କହି ବେ ତାହା କରିବା”। ଏ ଉପଦେଶ ନିଶ୍ଚିତ ଭାବେ ବିଦ୍ୟାସାଗରଙ୍କ ବର୍ଣ୍ଣ ପରିଚୟର ଅନୁସରଣ : “ଗୋପାଲ ବଡ଼ ସୁବୋଧ । ତାର ବାବା ମା ଯଖନ ଯା ବଲେନ ତାଇ କରେ… ଗୋପାଲ ଯା ପାୟ ତା ଖାୟ”। ଏ ଭଳି ଉପଦେଶ ସମସ୍ୟାପୂର୍ଣ୍ଣ । ଭଜିଲାନ୍ସରେ ଧରାପଡ଼ି ନିଲମ୍ବିତ ହୋଇ ଘରେ ବସି ରହିଥିବା ଚୋର ବାପା କଥା ପିଲା ମାନିବ କାହିଁକି ? ପିଲାଟିକୁ କାହିଁକି କୁହାଯିବ ଯେ ତେଲ ଛଣା ଜିନିଷ ଖାଇ ମୋଟୀ ହୋଇଯାଉଥିବା ମା ଯାହା ଖାଇବାକୁ ଦେବେ ପିଲା ତାକୁ ଖାଇବ । ତା ବଦଳରେ କହିବା କଥା, ଆମେ ପୁଷ୍ଟିକର ଖାଦ୍ୟ ଖାଇବା, ଆମେ ଉଚିତ କାମ କରିବା । ରବୀନ୍ଦ୍ର ନାଥ ଠାକୁର ମଧ୍ୟ ବିଦ୍ୟାସାଗରଙ୍କର ବାପମାଙ୍କ କଥା ମାନୁଥିବା ସୁବୋଧ ପିଲାକୁ ଆଦର୍ଶ ଭାବେ ଗ୍ରହଣ କରିବାର ସପକ୍ଷରେ ନଥିଲେ।

ମୋର ଅନ୍ୟ ସମାଲୋଚନାଟି ଆହୁରି ଗୁରୁତର । ମଧୁସୂଦନ ରାଓ ଜଣେ ରଷିପ୍ରତିମ ଲୋକ ଥିଲେ ବୋଲି ବିଦିତ ଓ ଭକ୍ତକବି ନାଁରେ ଖ୍ୟାତ। ଫକୀରମୋହନ ତାଙ୍କ ବିଷୟରେ ଲେଖିଥିଲେ: ଆଦର୍ଶ ମନୁଷ୍ୟ ଯଦି ଦେବାରେ ଚାଓ, ଧାଇଁ ଯାଇ ଦେଖ୍ ଆସ ଘରେ ମଧୁ ରାଓ । ଅନେକ ବର୍ଷ ତଳେ ମୁଁ ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ କ୍ଲରିହିଉ ଲେଖିଥିଲି (ଆଳିମାଳିକା, ୧୯୯୩) : ମଧୁସୂଦନ ରାଓ, ପାଠକଙ୍କୁ କହିଲେ ଯାଅ, ଆଖୁବୁଜି ବସ ପଦ୍ମାସନ, ତା ହେଲେ ପାଇବ ମୋର କବିତାର ଜ୍ଞାନ । ଏ ଲେଖା ତାଙ୍କର ଧର୍ମପ୍ରାଣତାକୁ ସୂଚାଉଥିଲା । ସେ ଓଡ଼ିଶାର ଜଣେ ଆଦ୍ୟ ବ୍ରାହ୍ମ ଥିଲେ ଏବଂ ବ୍ରାହ୍ମଧର୍ମ ପ୍ରଚାର ଓ ପ୍ରସାର କରୁଥିଲେ । ସେଥିପାଇଁ ତାଙ୍କ ଲେଖାରେ ଧର୍ମର ପ୍ରଭାବ ଦେଖୁବାକୁ ମିଳେ । ଯଦିଓ ବର୍ଣ୍ଣବୋଧ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବହି ଓ ଧର୍ମଗ୍ରନ୍ଥ ନୁହେଁ, ସେଥିରେ ମଧ୍ୟ ସେ ତାଙ୍କର ଧାର୍ମିକତାର ବ୍ୟତିକ୍ରମ କରିନାହାନ୍ତି । ହିନ୍ଦୁ ହୋଇଥିଲେ ସେ ହୁଏତ ଦୁର୍ଗାସ୍ତୁତି ବା ଜଗନ୍ନାଥ ଜଣାଣ ଲେଖିଥାନ୍ତେ, କିନ୍ତୁ ବ୍ରାହ୍ମ ହୋଇଥିବାରୁ ତାଙ୍କ ଲେଖାରେ ଦେଖିବାକୁ ମିଳନ୍ତି ଜଗତପିତା, ପରମେଶ୍ଵର, ମହାପ୍ରଭୁ, ପରାତ୍ପର, ଅନାଦି ଇତ୍ୟାଦି । ବର୍ଣ୍ଣବୋଧର ବର୍ଣ୍ଣନା ଅନୁସାରେ :

ଆକାଶ ଦିଶେ କି ସୁନ୍ଦର । ତାହାକୁ ରଚିଲେ ଈଶ୍ଵର II
ମନୁଷ୍ୟ ପଶୁପକ୍ଷୀ ଆଦି । ସକଳ ସୃଜିଲେ ଅନାଦି II

ଏହାର ଭାବାର୍ଥ ହେଲା ଯେ ଈଶ୍ବର ହିଁ ଗ୍ରହ ନକ୍ଷତ୍ର ଆକାଶ ମଣିଷ ବୃକ୍ଷ ଲତା ଓ ପଶୁପକ୍ଷୀଙ୍କୁ ସୃଷ୍ଟି କରିଛନ୍ତି। ଏ କଥା ବିଜ୍ଞାନ ଅନୁମୋଦିତ ଡାରୱିନଙ୍କ ବିବର୍ତ୍ତନବାଦର ସଂପୂର୍ଣ୍ଣ ବିରୋଧ କରୁଛି । ବିଜ୍ଞାନରେ ଅସମ୍ଭବ ପ୍ରଗତି କରିଥିଲେ ମଧ୍ୟ ଆମେରିକାର ଅନେକ ଲୋକ ରକ୍ଷଣଶୀଳ ଓ କୁସଂସ୍କାରଗ୍ରସ୍ତ । ସେମାନେ ବାଇବର ଜେନେସିସରେ ଲେଖା ଥିବା କଥାରେ ବିଶ୍ଵାସ କରନ୍ତି ଯେ ପୃଥିବୀ ମଣିଷ ପଶୁପକ୍ଷୀ ସମସ୍ତଙ୍କୁ ଈଶ୍ଵର ଛ’ ଦିନରେ ସୃଷ୍ଟି କରିଥିଲେ । ଏ କଥା ବିଜ୍ଞାନ ବିରୋଧୀ ହୋଇଥିବାରୁ ବର୍ତ୍ତମାନ ବିବର୍ତ୍ତନବାଦ ଓ ସୃଷ୍ଟିବାଦ ଭିତରେ ଦ୍ବନ୍ଦ ଲାଗି ରହିଛି। ୧୯୮୨ ରେ ଲୁଜିଆନା ଷ୍ଟେଟ ଉଭୟ ମତକୁ ଏକା ଭଳି ଦେଖୁବା ପାଇଁ ଏକ ଆଇନ ପ୍ରଣୟନ କରିବାରେ ୭୨ ଜଣ ବୈଜ୍ଞାନିକ ଓ ୧୭ଟି ବିଜ୍ଞାନ ଏକାଡେମୀ ଏ ବିଷୟରେ କଚେରୀକୁ ଯାଇଥିଲେ । ୧୯୮୭ରେ ସୁପ୍ରିମ କୋର୍ଟ ରାୟ ଦେଲେ ଯେ ଆଇନଟି ଅସିଦ୍ଧ କାରଣ ଏକ ପରମପୁରୁଷ ମଣିଷ ଜାତି ସୃଷ୍ଟି କରିଛନ୍ତି କହିବା ଦ୍ଵାରା ଏହି ଆଇନ ଧର୍ମ ପ୍ରବର୍ତ୍ତନ କରୁଛି ଯାହା ସମ୍ବିଧାନ ବିରୁଦ୍ଧ ।

ବିବର୍ତ୍ତନବାଦରେ ଆଜି ଆଉ କାହାରି କୌଣସି ସଂଶୟ ନାହିଁ, କେବଳ କିଛି କୁସଂସ୍କାରବାଦୀ ଛଦିନିଆ ସୃଷ୍ଟିରେ ବିଶ୍ବାସ କରୁଥିବା ଲୋକଙ୍କ ବ୍ୟତୀତ । ଏହି ପରିପ୍ରେକ୍ଷୀରେ ପୃଥବୀ ମଣିଷ ପଶୁପକ୍ଷୀ ବିବର୍ତ୍ତନ ଦେଇ ନୁହେଁ ଜଣେ ଈଶ୍ବରଙ୍କ ଦ୍ଵାରା ସୃଷ୍ଟି ହୋଇଛନ୍ତି ଏପରି କହିବା ପିଲାମାନଙ୍କୁ ଭୁଲ୍ ଶିକ୍ଷା ଦେବା ହେବ ।

ଏହା ବ୍ୟତୀତ ଅନେକ ବିଦ୍ୱାନ (ଯଥା ରିଚାର୍ଡ ଡକିନ୍ସ, ଏ.ସି. ଗ୍ରେଲିଙ୍ଗ, କ୍ରିଷ୍ଟୋଫର ହିଚେନ୍ସ)ଙ୍କର ମତ ଯେ ପିଲାମାନଙ୍କୁ ଧର୍ମ ବା ଈଶ୍ୱରଙ୍କ ବିଷୟରେ କହି ସେମାନଙ୍କ କୋମଳ ମନକୁ ପ୍ରଭାବିତ କରିବା ଉଚିତ ନୁହେଁ । କୌଣସି ପୂର୍ବଗ୍ରହ ବିନା ବଡ଼ ହେଲେ ସେମାନେ ନିଜେ ନିଷ୍ପତ୍ତି ନେବେ ଈଶ୍ଵରରେ ବିଶ୍ୱାସ କରିବେ କି ନା ଏବଂ କୌଣସି ଧର୍ମକୁ ଗ୍ରହଣ କରିବେ କି ନା ।

ଏହି ଦୃଷ୍ଟିକୋଣରୁ ମଧ୍ୟ ମଧୁବାବୁଙ୍କ ବର୍ଣ୍ଣବୋଧ ଆଜିର ପିଲାମାନଙ୍କ ପାଇଁ ଆଦୌ ଉପଯୋଗୀ ନୁହେଁ ।ବର୍ଣ୍ଣବୋଧର ଭବିଷ୍ୟତ କଣ ହେବ ତା ବର୍ତ୍ତମାନ ଏକ କମିଟି ହାତରେ । ଗୋଦାମ ଘରେ ରହିଥିବା ଅସଂଖ୍ୟ ବର୍ଣ୍ଣସଂକର ବର୍ଣ୍ଣବୋଧ ବହିସବୁକୁ ଜାଳି ଦେବା ପାଇଁ ସୁପାରିଶ କରିବା ସହିତ ସେମାନେ ନିଶ୍ଚୟ ପିଲାମାନଙ୍କ ପାଇଁ କି ପ୍ରକାରର ବହି ଦରକାର ସେ ବିଷୟରେ ପରାମର୍ଶ ଦେବେ। ବର୍ତ୍ତମାନ ସମସ୍ତେ ସେଇ କମିଟିର ଅଭିମତ ଅପେକ୍ଷାରେ । ତେବେ ଏ କଥା ମଧ୍ୟ କୁହାଯାଇଛି ଯେ, ବର୍ଣ୍ଣବୋଧର ସାଧୁ ଭାଷାରେ ଲେଖୁଲେ, ଉଷ୍ଟ୍ର ହେଉଚି ଏକ କମିଟି ସୃଷ୍ଟ ଅଶ୍ୱ ।

ନଭେମ୍ବର, ୨୦୧୪

ସୁବିଦିତ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସ ଲେଖିଥିବା ଅର୍ଦ୍ଧଦଶନ୍ଧି ତଳର ଏହି ଲେଖା ଚଳିତ ଶାସନରେ ଆମ ଭାଷା ଭୋଗିଚାଲିଥିବା ଦୁର୍ଦ୍ଦଶାର ଏକ ବ୍ୟଥାଡାୟକ ଦୃଷ୍ଟାନ୍ତ ଉପରେ ଆଧାରିତ ।ଅବସରପ୍ରାପ୍ତ ସର୍ବ ଭାରତୀୟ ପ୍ରଶାସନିକ ସେବାଧିକାରୀ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଏହାର ଗୁରୁତ୍ଵ ଅନୁଭବ କରି ପ୍ରସାରିତ କରିଥିଲେ ; ଆମ ବିଚାରରେ ସବୁ ଓଡ଼ିଆ ଏହା ଅବଗତ ହେବା ଉଚିତ । ସେଥିପାଇଁ ଏହା ଏଠି ଉପସ୍ଥାପିତ ହେଲା । ଏହାର ଲେଖକ ଓ ପ୍ରସାରକ ଉଭୟଙ୍କୁ ଅଶେଷ ଧନ୍ୟବାଦ । (ସମ୍ପାଦକ) । 

ଭାଷାବଲୋକନ// ଭାଷାଦ୍ରୋହୀଙ୍କୁ ଭାଷା ନାମରେ ସମ୍ମାନ ପ୍ରଦାନ: ଭାଗ -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

କ’ଣ ଥିଲା ଏହି ଅପରାଧ?
କିଏ ଥିଲା ଏହି ଅପରାଧୀ?

ଅପରାଧ ଥିଲା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ (ତତ୍କାଳୀନ ସଂସ୍କୃତି ବିଭାଗ)ର ସତ୍ତ୍ଵାଧିକାର ଅନ୍ତର୍ଗତ ସାରଳା ମହାଭାରତ ଉପରେ ରାହାଜାନି ।

ଅପରାଧୀ ଥିଲା ସାରଳା ସାହିତ୍ୟ ସଂସଦ, କଟକ

ନବୀନ ପଟ୍ଟନାୟକଙ୍କ ସରକାର ଏହି ସଂସ୍ଥାକୁ ଏବର୍ଷର ବ୍ୟାସକବି ଫକୀରମୋହନ ଭାଷା ସମ୍ମାନ ଦେଇ ଏହି ଅପରାଧ ଉପରେ ସରକାରୀ ଢାଙ୍କୁଣୀ ଲଗାଇଦେଇଛନ୍ତି ।

ସାରଳା ସାହିତ୍ୟ ସଂସଦ ନିଶଙ୍କ ଚିତ୍ତରେ ଏହି ଅପରାଧ କରିଥିବା ବେଳେ ତାକୁ ମୁଖ୍ୟତଃ ସହଯୋଗ କରିଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଓ ଲେଖିକା ପ୍ରତିଭା ରାୟ ।

ମୁଁ ଲେଖିଥିଲି, ସଂସ୍କୃତି-ଶାଗୁଣାମାନେ ସରକାରୀ ସମ୍ପତ୍ତି ‘ସାରଳା ମହାଭାରତ’କୁ ନିଜ ଫାଇଦାରେ ରୂପାନ୍ତରିତ କରିଛନ୍ତି । ପଦ୍ମଶ୍ରୀ ପ୍ରତିଭା ରାୟଙ୍କ ସହ ମିଶି ଏ ଅପରାଧ ଘଟାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । ଏହି ଅପରାଧର ସାଂଘାତିକ ରୂପ ଦେଖିବା ପାଇଁ ସଚେତନ ପାଠକମାନେ ଏହି ସଂଯୋଗସରଣୀର ସହାୟତା ନେଇପାରନ୍ତି : https://orissamatters.com/2007/08/13/sarala-mahabharata-converted/

ଏହି ଲେଖାରେ ସାରଳା ଦାସ କାହିଁକି ମହାଭାରତ ଲେଖିଥିଲେ ତାର ତାତ୍ତ୍ଵିକ ତର୍ଜମା ମୁଁ କରିଥିଲି ଓ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି ଯେଉଁ ନାହିଁନଥିବା ପରିଶ୍ରମ କରି ତାଳପତ୍ରରେ ପ୍ରାୟତଃ କରଣିଅକ୍ଷରରେ ଲିଖିତ ୨୨ ସଜ ପୋଥି (21 sets of palm leaf manuscripts) ପଢ଼ି ପଢ଼ାଇ ଅନୁଧ୍ୟାନ କରି କରଣିଅକ୍ଷରରେ ଲିଖିତ ପ୍ତାୟ ୮୦୦ ବର୍ଷ ପୁରୁଣା ତାଳପତ୍ର ପୋଥିର ଏହି ସମ୍ପାଦନା କରି ତହିଁର ପ୍ରକାଶନ ପାଇଁ ରାଜ୍ୟ ସରକାରଙ୍କୁ ଦେଇଥିଲେ ତାହା ମୁଁ ଉଲ୍ଲେଖ କରିଥିଲି । ରାଜ୍ୟର ତତ୍କାଳୀନ ସଂସ୍କୃତି ବିଭାଗ ରାଜକୋଷରୁ ଅର୍ଥ ବ୍ୟୟ କରି ତାହାକୁ ପ୍ରକାଶ କରିଥିଲେ । ସୁତରାଂ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସମ୍ପାଦିତ ଓ ସଂସୃତି ବିଭାଗ ପ୍ରକାଶିତ ସାରଳା ମହାଭାରତ ହୋଇଯାଇଥିଲା ସପୂର୍ଣତଃ ଓଡ଼ିଶା ରାଜ୍ୟ ସରକାରଙ୍କ ବା ରାଜ୍ୟବାସୀଙ୍କ ସମ୍ପତ୍ତି । ଏହାର ପ୍ରଥମ ସଂସ୍କରଣ ସରିଗଲା ପରେ, ଦ୍ଵିତୀୟ ସଂସ୍କରଣ ପାଇଁ ଡିଟିପି ହୋଇଥିଲା ଓ ମୁଦ୍ରଣ ମଧ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ଏହାକୁ ହଡ଼ଫ କରି ନିଜ ବ୍ୟବସାୟୀକ କାମରେ ଲଗାଇଲା ସାରଳା ସାହିତ୍ୟ ସଂସଦ ।

ପ୍ରଫେସର ମହାନ୍ତି ଏହି ଗ୍ରନ୍ଥ ସମ୍ପାଦନପାଇଁ ଯେଉଁ କୃଚ୍ଛ୍ର ସାଧନା କରିଥିଲେ ତାହା ସ୍ଵୀକାର କରି ସଂସ୍କୃତି ବିଭାଗର ତଦାନୀନ୍ତନ ଭାରପ୍ରାପ୍ତ ସମ୍ପାଦକ ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା ମୁଖବନ୍ଧରେ ଲେଖିଥିଲେ, “ଜୀବନବ୍ୟାପୀ ଓଡ଼ିଆ ଓ ସଂସ୍କୃତ ସାହିତ୍ୟ ଅଧ୍ୟୟନଜନିତ ଯେଉଁ ଜ୍ଞାନ ଗାମ୍ଭୀର୍ଯ୍ୟ ଓ ବିଚାର ବିବେଚନା ଚତୁରୀ, ତହିଁରେ ସାରସ୍ଵତସେବାପରାୟଣତା ଓ ଜାତୀୟଗୌରବବୋଧର ଅବେଗଶୀଳତା ସଂଯୁକ୍ତକରି ଆର୍ତ୍ତବାବୁ ଯେଉଁ ଧୈର୍ଯ୍ୟ ଓ ସାଧନାର ପରାକାଷ୍ଠା ଦର୍ଶାଇଛନ୍ତି , ତାହା ଏକାବେଳକେ ଅନନ୍ୟସାଧରଣ ଓ ତାଙ୍କର ଉତ୍ତରପୁରୁଷଙ୍କ ପକ୍ଷରେ ଏକ ପ୍ରଦୀପ୍ତ ଆଲୋକସ୍ତମ୍ଭ ସ୍ୱରୂପ । ସେହିଦୃଷ୍ଟିରୁ ଏହି ମହାସାଧକ ସମଗ୍ର ଜାତିର ଅଭିନନ୍ଦନୀୟ ।“

ଏହି ଅଭିନନ୍ଦନୀୟ ମହାସାଧକଙ୍କ ଅତୁଳନୀୟ ଗବେଷଣା, ଅଧ୍ୟବସାୟ, ଆୟାସ ଓ ସମ୍ପାଦନା ହେତୁ ପ୍ରକାଶ ପାଇଥିବା ସାରଳା ମହାଭାରତକୁ ନିଜ କୃତି ପରି ଉପସ୍ଥାପିତ କରିଥିବା ସାରଳା ସାହିତ୍ୟ ସଂସଦ, ତାର ସଭାପତି (ପୂର୍ବତନ ମୁଖ୍ୟଶାସନସଚିବ) ସହଦେବ ସାହୁ ଆଇ. ଏ. ଏସ୍. ଓ ସମ୍ପାଦକ ଇଂ. ପ୍ରଭାକର ସ୍ଵାଇଁ ଯଦି ସଂସ୍କୃତି ବିଭାଗରୁ ଚୋରୀ କରି ନଥିଲେ ତେବେ ରାହାଜାନି କରିଥିଲେ । ସମୟ ଗଡ଼ିଯାଇଛି ବୋଲି ଅପରାଧ ସରିଯାଇଛି , ଏହା ନୁହେଁ । ସଂସ୍କୃତି ବିଭାଗ ଡିଟିପି କରିସାରିଥିବା ନଥି କୁଆଡ଼େ ଗଲା ଏବଂ ଯେଉଁ ତିନୋଟି ପର୍ବର ପୁନର୍ମୁଦ୍ରଣ ସରିଥିଲା ତାହା ବି କୁଆଡ଼େ ଗଲା – ତାହା ସହ ଏହି ଚୋରୀ ବା ରାହାଜାନିର ସମ୍ପର୍କ ଅଛି କି ନାହିଁ , ଅପରାଧିକ ଅନୁସନ୍ଧାନ ଦ୍ଵାରା ନିର୍ଣ୍ଣିତ ହେବା କଥା, ଯାହା ହୋଇନାହିଁ ।

ଏହି ଅନବଦ୍ୟ ସାରସ୍ଵତକୃତିର ହଡଫକାରୀ ସହଦେବ ସାହୁ ପରୋକ୍ଷରେ ସ୍ଵୀକାର କରିଛନ୍ତି ଯେ, ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସମ୍ପାଦିତ ଯେଉଁ ସାରଳା ମହାଭାରତର ସତ୍ତ୍ଵାଧିକାରୀ ସ୍ଵୟଂ ଓଡ଼ିଶା ସରକାର, ସେହି ମହାଭାରତର ସେ ଓ ସ୍ଵାଇଁ ଯୁଗ୍ମ ଉପସ୍ଥାପକ ଏବଂ ସାରଳା ସାହିତ୍ୟ ସଂସଦ ତାହାର ପ୍ରକାଶକ । ଏହି ସଂସ୍ଥାର ପ୍ରତିଷ୍ଠାତା ସଦସ୍ୟା ପ୍ରତିଭା ରାୟ ତାଙ୍କ “ଅଭିଳାଷୀ ସ୍ଵପ୍ନ” ବଖାଣରେ ଏହାକୁ ଓଡ଼ିଶା ସରକାର ପ୍ରକାଶ କରିଥିବା ସାରଳା ମହାଭାରତର ପୁନର୍ମୁଦ୍ରଣ ବୋଲି ସ୍ଵୀକାର କରିଛନ୍ତି ।

ଏହି ସରକାରୀ ସମ୍ପତ୍ତିକୁ ସେମାନଙ୍କ ଘରୋଇ ସଂସ୍ଥାର ସମ୍ପତ୍ତି ଭାବେ “ଉପସ୍ଥାପନ” କରିବାକୁ ସହଦେବ ସାହୁ ଓ ପ୍ରଭାକର ସ୍ଵାଇଁଙ୍କୁ କିଏ ଅଧିକାର ଦେଲା? ସରକାରଙ୍କ ଦ୍ଵାରା ପ୍ରକାଶିତ ସାରଳା ମହାଭାରତକୁ ନିଜ ବ୍ୟବସାୟ ପାଇଁ ପୁନର୍ମୁଦ୍ରଣ କରିବାକୁ ସାରଳା ସାହିତ୍ୟ ସଂସଦ ଅଧିକାର ପାଇଲା କେଉଁଠୁ?

ସମ୍ବାଦ ଖବରକାଗଜ, ବରେନ୍ଦ୍ରକୃଷ୍ଣ ଧଳ (ଧରିତ୍ରୀ) ଓ ମୁଁ ସୁଭାଷ ଚନ୍ଦ୍ର ପଟ୍ଟନାୟକ (orissamatters.com) ଏହି ସାଂସ୍କୃତିକ ରାହାଜାନୀ ଉପରୁ ପର୍ଦ୍ଦା ଉଠାଇଦେବା ପରେ, ସଂସ୍କୃତି ବିଭାଗର ତତ୍କାଳୀନ ନିର୍ଦ୍ଦେଶକ ଗୋପୀନାଥ ମହାନ୍ତି ଏହା ଉପରେ ସରକାରୀ ଅନୁସନ୍ଧାନ ଆରମ୍ଭ ହୋଇଥିବାର ସୂଚନା ଦେଇଥିଲେ । (ସମ୍ବାଦ, ୨୧.୭.୨୦୦୭) । ସେହି  ଅନୁସନ୍ଧାନ ଚାଲିଥିବା ବେଳେ , କାରଣ ତାହା ପ୍ରତ୍ୟାହୃତ ହୋଇଥିବା କାହାକୁ ଜଣାନାହିଁ , ସେହି ଅଭିଯୁକ୍ତ ସାରଳା ସାହିତ୍ୟ ସଂସଦ ରାଜ୍ୟସରକାରଙ୍କ ସେହି ସଂସ୍କୃତି ବିଭାଗରୁ ଭାଷା ସମ୍ମାନ ପାଇବା ଉପରୋକ୍ତ ଅପରାଧ-ଅନୁସନ୍ଧାନ ଉପରେ ଯବନିକା ପତନ ଭିନ୍ନ କ’ଣ ଆଉ ହୋଇପାରେ ?

ପ୍ରତିଭା ରାୟଙ୍କ ଭାଷାରେ , ସାରଳା ସାହିତ୍ୟ ସଂସଦ “ଏହି ବିଶାଳ ଅକ୍ଷରମାଳାକୁ ପୁନର୍ମୁଦ୍ରଣ କରିବାର ସତ୍ ସାହସ କରିଛନ୍ତି ।“ ଏହା ସତ୍ ସାହସ?

ସତ୍ ସାହସ ହେଉ ବା ଦୁଃସାହସ ହେଉ, ଶ୍ରୀମତୀ ରାୟ ଯେହେତୁ ଏହି ସଂସ୍ଥାର ଜଣେ ପ୍ରତିଷ୍ଠାତା ତାଙ୍କ ସ୍ଵୀକାରୋକ୍ତିର ସାକ୍ଷ୍ୟମୂଲ୍ୟ ଅଧିକ । ତାଙ୍କ ସ୍ଵୀକାରୋକ୍ତି ସ୍ପଷ୍ଟ କରିଦେଇଛି ଯେ, ସରକାରୀ ସମ୍ପତ୍ତିକୁ ଏମାନେ ହଡଫ କରିଛନ୍ତି ବା ଚୋରୀ କରିଛନ୍ତି । ଏହି ସ୍ଵୀକୃତ ଅପରାଧ ହେତୁ ସାରଳା ସାହିତ୍ୟ ସଂସଦର ପଞ୍ଜୀକରଣ ବାଜ୍ୟାପ୍ତ ହେବା କଥା ଓ ଏହି ତିନିଜଣ ଜେଲରେ ରହିବା କଥା । ଅଥଚ ଓଡ଼ିଶା ସରକାର ଏହି ସଂସ୍ଥାକୁ ଫକୀରମୋହନ ଭାଷା ସମ୍ମାନ ପ୍ରଦାନ କରିଛନ୍ତି ଫକୀରମୋହନଙ୍କ ଜୟନ୍ତୀ ଦିବସରେ ! ଓଡ଼ିଆ ଜାତିର ଆତ୍ମା ଉପରେ ତସ୍କରମାନଙ୍କ ଏ ପଦାଘାତ ବାବୁ ନବୀନଙ୍କ ରାଜୁତି କାଳରେ ହିଁ ଘଟିଛି ; ୨୦୦୭ରେ ସଂସୃତି ବିଭାଗ ପ୍ରକାଶିତ ସାରଳା ମହାଭାରତ ଯିଏ ଚୋରିକଲେ ବା ଡକାୟତି ଦ୍ଵାରା ଦଖଲ କଲେ , ୨୦୨୦ରେ ସେହି ଚୋରିକରାହୋଇଥିବା ମହାଭାରତକୁ ନିଜ ସାହିତ୍ୟକୃତି ଭାବେ ଦେଖାଇ ସେହିମାନେ ହାସଲ କଲେ ସେହି ସଂସ୍କୃତି ବିଭାଗର ସବୁଠୁ ଦାମିକା ସମ୍ମାନ – ବ୍ୟାସକବି ଫକୀରମୋହନ ଭାଷା ସମ୍ମାନ ।

ଓଡ଼ିଆ ଭାଷା ତ ବିପଦରେ , ସାହିତ୍ୟ ବି ପ୍ରିୟାପ୍ରୀତି ତୋଷଣର ଗନ୍ଧରା ଘୋଡ଼ାଶାଳରେ ।

ଭାଷାବଲୋକନ// ଭାଷାଦ୍ରୋହୀଙ୍କୁ ଭାଷା ନାମରେ ସମ୍ମାନ ପ୍ରଦାନ: ଭାଗ -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ସାରସ୍ଵତ ଜଗତର ସାଲିସହୀନ ବିବେକରକ୍ଷକ, ବରିଷ୍ଠ ସାମ୍ବାଦିକ ଅସିତ ମହାନ୍ତି ତାଙ୍କ ‘ସାହିତ୍ୟିକ ପାଣିପାଗ’ ସ୍ତମ୍ଭରେ ରଖିଥିବା ‘ଫକୀରମୋହନ ଭାଷା ସମ୍ମାନ –ଏକ ଅବଲୋକନ’ (ସମ୍ବାଦ,୧୦.୧.୨୦୨୦) ବିଶେଷ ଦ୍ରଷ୍ଟବ୍ୟ । ସେ ନିର୍ଭୁଲ ଭାବେ ଦର୍ଶାଇଛନ୍ତି ଯେ, ଏହି ସମ୍ମାନ ପ୍ରଦାନ ପାଇଁ ସରକାର ଯେଉଁ ନୀତି ପ୍ରଣୟନ ଓ ପ୍ରବର୍ତ୍ତନ କରିଛନ୍ତି ତାହା ଓଡ଼ିଆ ସାରସ୍ଵତ ଅସ୍ମିତାର ଘୋର ପରିପନ୍ଥୀ ।

ଏହି ସମ୍ମାନର କୌଣସି ବିଧିସମ୍ମତ ଭିତ୍ତି ନାହିଁ । ବଙ୍ଗଳାର ଏକ ଢମାଳି ଅନୁସାରେ “ରାଜାଙ୍କ ନନ୍ଦିନୀ ପ୍ୟାରୀ, ଯାହା କହେ ତା ଭଲ ।” ସେମିତି ଓଡ଼ିଆ ଜାତିକୁ ଭୁଆଁ ବୁଲେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ରେ କହିଦେଇଥିଲେ, ବ୍ୟାସକବି ଫକୀରମୋହନଙ୍କ ନାମରେ ଏକ ଭାଷା ସମ୍ମାନ ଦିଆଯିବ । ତାହା ହିଁ ହେଲା ଏହି ସମ୍ମାନର ଭିତ୍ତି ।

ସେତେବେଳେ ନବୀନବାବୁଙ୍କ ମାନସିକ ସ୍ଥିତି

ଏହି କଥା କହିଲାବେଳେ ମୁଖ୍ୟମନ୍ତ୍ରୀଙ୍କ ମାନସିକ ସ୍ଥିତି କେଉଁ ପରି ଥିଲା ତାହା ଅନୁଶୀଳନୀୟ ।

ଅଣଓଡ଼ିଆ ଅଫିସରମାନଙ୍କ ବୋଲରେ ପଡ଼ି ବା ସେମାନଙ୍କ ସାହାଯ୍ୟ ଲୋଡ଼ି ସେ ଓଡ଼ିଆ ଭାଷା ବିରୁଦ୍ଧରେ ୨୦୧୮ରେ ଏକ ଭର୍ତ୍ସନୀୟ ପଦକ୍ଷେପ ନେଇଥିଲେ ।

ଓଡ଼ିଶାର ସର୍ବତ୍ର, ସମସ୍ତ ଓ ଯେକୌଣସି ଦାପ୍ତରିକ କାମ (official work) ଓଡ଼ିଆ ଭାଷାରେ ହେବ ବୋଲି ଓଡ଼ିଶା ଦାପ୍ତରିକ ଭାଷା ଆଇନ (Orissa Official Language Act), ୧୯୫୪ ଧାର୍ଯ୍ୟ କରିଥିବା ବେଳେ ଅମଲାତନ୍ତ୍ର ଯେତିକି ଓ ଯେପରି ଚାହିଁବ ସେତିକି ଓ ସେପରିଭାବେ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ସେ ୧.୫.୨୦୧୮ ତାରିଖରେ ଓଡ଼ିଶା ବିଧାନସଭାରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ମାଧ୍ୟମରେ ଭାଷା ଆଇନ ସଂଶୋଧନ କରିଦେଲେ, ଯେଉଁ ସଂଶୋଧନରେ ବ୍ୟବସ୍ଥା ରହିଲା: ଓଡ଼ିଶାର ସର୍ବତ୍ର, ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆରେ ହେବନାହିଁ ଏବଂ କୌଣସି କର୍ମଚାରୀ ଓଡ଼ିଆରେ କାମ ନ କଲେ ସେଥିପାଇଁ ଜନସାଧାରଣ ଦଣ୍ଡିତ ହେବେ ।

ଓଡ଼ିଆ ଜାତି ବିରୁଦ୍ଧରେ ଏହି ଭୟଙ୍କର ଷଡ଼ଯନ୍ତ୍ରକୁ ବିଧିଭୁକ୍ତ କରିବା ପାଇଁ ସେ ତାଙ୍କର ଅଧ୍ୟକ୍ଷତାରେ ୧୪.୩.୨୦୧୮ରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଗ୍ରହଣ କରିଥିବା ଭାଷା ସପକ୍ଷବାଦୀ ପ୍ରସ୍ତାବକୁ ଲୁଚେଇ ଦେଇ ବିଧାନସଭାକୁ ମିଛ କହିଥିଲେ ।

ବିକ୍ରମ ଆରୁଖ ନବୀନବାବୁଙ୍କ ପକ୍ଷରୁ ବିଲ୍ ଉପରେ ବିତର୍କ ପାଇଁ ବିଧାନସଭାକୁ କହିବା ବେଳେ, ଏବଂ ବିତର୍କ ଉପରେ ଉତ୍ତର ରଖିବା ବେଳେ ଓ ତହିଁ ଉତ୍ତାରେ ତାହାକୁ ଗ୍ରହଣ କରାଯିବା ପାଇଁ ଅନୁରୋଧ ରଖିବା ବେଳେ ପ୍ରତିଥର ନିଜ ପକେଟରୁ ଟାଇପ କରାହୋଇଥିବା କାଗଜ ବାହାରକରି ପଢିଥିଲେ ମନ୍ତ୍ରୀ ବିକ୍ରମ ଆରୁଖ ! ଅର୍ଥାତ୍, ଏହି ସଂଶୋଧନ ବିଲ୍ ବିଧାନସଭାରେ ଗୃହୀତ କରାଇବା ବେଳେ ମନ୍ତ୍ରୀ ଆରୁଖ ଠିକ୍ ତାହା ହିଁ କରିଥିଲେ ଯାହା କରିବାକୁ ତାଙ୍କୁ ଅମଲାତନ୍ତ୍ର ହୁକୁମ ଦେଇଥିଲା ।

ଏହା ନହୋଇଥିଲେ, ଜଣେ ମନ୍ତ୍ରୀ ପୂର୍ବରୁ ଟାଇପ କରାହୋଇଥିବା କାଗଜ ପଢି କିପରି ବିଧାନସଭାରେ ବିତର୍କର ଉତ୍ତର ଦେଇପାରିଥାନ୍ତେ?

ଅପରପକ୍ଷେ ସେ ନିଜେ ଥିଲେ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ଓ ୧୪.୩.୨୦୧୮ ତାରିଖର କ୍ୟାବିନେଟ୍ ବୈଠକରେ ଗୃହୀତ ପ୍ରସ୍ତାବରେ ସେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ । ଯେଉଁ ବିଲ୍ ସେ ଗୃହୀତ କରାଇଲେ ତାହା ସେହି ତାରିଖର ପ୍ରସ୍ତାବ ଉପରେ ଆଧାରିତ ନ ହୋଇ ଅନ୍ୟ ଏକ ପ୍ରସ୍ତାବ ଉପରେ ଆଧାରିତ ହୋଇଥିବା ଦେଖି , ସେ ତାକୁ ପ୍ରତ୍ୟାଖ୍ୟାନ କରିବା ପରିବର୍ତ୍ତେ ପ୍ରାଚୋଦିତ କଲେ କିପରି?

ମୁଁ ମନ୍ତ୍ରୀଙ୍କ କାଗଜପଢା ଉତ୍ତର ଉପରେ ରିପୋର୍ଟ କରିଥିଲି, କେବଳ ନୁହେଁ, ଏହି ଅବୈଧ ସଂଶୋଧନର ପ୍ରତ୍ୟାଖ୍ୟାନ ଓ ବିଲୋପନ ପାଇଁ ଯଥାକ୍ରମେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଯୁକ୍ତି ରଖିଥିଲି ଏବଂ ବିଧାନସଭାକୁ ବିଭ୍ରାନ୍ତ କରିଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ମାମଲା ପାଇଁ ଦାବି ରଖିଥିଲି ।

ଏହା ଫଳରେ ଏହି ସଂଶୋଧନକୁ କାର୍ଯ୍ୟକାରୀ କରିବାକୁ ସାହସ ନକରି ପରବର୍ତ୍ତୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଏହି ଦୂଷିତ ଧାରାର ସଂଶୋଧନ କରିବାକୁ ପଦକ୍ଷେପ ନେଇ ସ୍ଵୀକାର କଲେ ଯେ, ୨୦୧୮ର ପ୍ରଥମ ସଂଶୋଧନରେ ଭୁଲ ଥିଲା । କିଏ ସେହି ଭୁଲ କରିଥିଲା? ସମ୍ପୃକ୍ତ କର୍ମଚାରୀ ବା ପଦଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଦାବି କରିଥିଲି । ବିଲ୍ ଚିଠା କରିଥିବା ବ୍ୟକ୍ତି କେବଳ ଯେ କ୍ୟାବିନେଟ୍ ସ୍କାମ୍ ଘଟାଇଥିଲେ ତା ନୁହେଁ, ସେ ମଧ୍ୟ ଯେଉଁ ପ୍ରସ୍ତାବକୁ ଏହି ବିଧେୟକର ଭିତ୍ତି କାରାଇଥିଲେ, ସେହି ପ୍ରସ୍ତାବ ଉପରେ ଜାଲିଆତି ବି କରିଥିଲେ । ଏହାର ସମସ୍ତ ପ୍ରମାଣ ସହ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି । ଯେ କୌଣସି ଦାୟିତ୍ଵସମ୍ପନ୍ନ ମୁଖ୍ୟମନ୍ତ୍ରୀ ଏହାର ବିଧିବଦ୍ଧ ତଦନ୍ତ କରାଇ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କଠିନ ଦଣ୍ଡବିଧାନ କରିଥାନ୍ତେ ; କିନ୍ତୁ ନବୀନବାବୁ ନୀରବ ରହିଲେ କାହିଁକି? ମୁଖ୍ୟମନ୍ତ୍ରୀ ନ ଚାହିଁଲେ ତାଙ୍କ ଅଧ୍ୟକ୍ଷତାରେ ଗୃହୀତ କ୍ୟାବିନେଟ୍ ପ୍ରସ୍ତାବକୁ ଅମଲାତନ୍ତ୍ର କବର ଦେଇଦେବ?

ଆମ ଜାତି ବିରୁଦ୍ଧରେ ଏହି ଅଭୂତପୂର୍ବ ଅପରାଧକୁ ମୁଁ ପଦାକୁ ଆଣିବା ପରେ, କେଇଜଣ ମନ୍ତ୍ରୀ ମୋଠୁ ଏହି ସଂଶୋଧନର ଗୋଳମାଳିଆ ଦିଗଟି ଉପରେ ସବିଶେଷ ବୁଝିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧.୫.୨୦୧୮ରେ ହୋଇଥିବା ସଂଶୋଧନକୁ ବଦଳାଇବାକୁ ଅନୁରୋଧ କରିଥିଲେ । ଫଳରେ ଆଉ ଥରେ କ୍ୟାବିନେଟ୍ ବସି ୨ୟ ସଂଶୋଧନ ପାଇଁ ପ୍ରସ୍ତାବ କରିବା ସ୍ଥିର ହେଲା । କିନ୍ତୁ  ଦେଖାଗଲା, ପ୍ରଥମ ସଂଶୋଧନର ଭୁଲ ଦ୍ଵିତୀୟ ସଂଶୋଧନରେ ଅମଲାତାନ୍ତ୍ରିକ ଶବ୍ଦ ଚାତୁରୀ ଦ୍ଵାରା କାଏମ ରହିଲା, ଯାହାକୁ ମୁଁ ପୁଣି ପଦାରେ ପକାଇଲି ।

ପ୍ରଥମ ସଂଶୋଧନରେ ଆମ ଭାଷା ଆଇନଟିକୁ ନିରୁଦ୍ଦିଷ୍ଟ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋର ଦୁଇ ଘନିଷ୍ଠ ସହଯୋଗୀ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାର୍ଥାଙ୍କ ଅର୍ଥଲୋଭର ଉପଯୋଗ କରି ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର କରିଥିଲେ ମାତୃଭାଷାପ୍ରାଣ ଓଡ଼ିଆ ଜାତି ତାହାକୁ ବ୍ୟର୍ଥ କରିଦେଇଥିଲା ଓ ନିରବଚ୍ଛିନ୍ନ ଭାବେ କଳାପତାକା ଅଭିଯାନ ଚାଲିରହିଥିଲା । ଦ୍ଵିତୀୟ ସଂଶୋଧନର ଧୂର୍ତ୍ତତାକୁ ମଧ୍ୟ ମୁଁ ଓ ମୋର ସାଥୀମାନେ ପ୍ରତ୍ୟାଖ୍ୟାନ କଲୁ ।

ଏହା ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନସିକ ସ୍ଥିତି ଚହଲିଯାଇଥିଲା ଓ ନିର୍ବାଚନ ପୂର୍ବରୁ ସେ ଯେକୌଣସି ପ୍ରକାରେ ଜନମାନସରେ ତାଙ୍କ ଓଡ଼ିଆବିଦ୍ଵେଷୀ ସ୍ଵରୂପକୁ ଓଡ଼ିଆ ଭାଷା ପ୍ରେମର ମୁଖା ଲଗାଇ ଘୋଡ଼େଇପକାଇବାକୁ ଚାହୁଁଥିଲେ ।

ଏହି ମାନସିକ ସ୍ଥିତିରେ ସେ ଘୋଷଣା କରିଥିଲେ ଭାଷା ସେନାପତି ଫକୀରମୋହନଙ୍କ ନାମରେ ଭାଷା ସମ୍ମାନ ।

ବେନିୟମ ନାଟକବାଜୀ

ମୁଖ୍ୟମନ୍ତ୍ରୀ ଜାଣିଥିଲେ ଯେ, ଏହା ଥିଲା ଏକ ନାଟକବାଜୀ ଓ ଅମଲାତନ୍ତ୍ର ବି ଜାଣିଥିଲା ଯେ, ଏହା ଥିଲା ଏକ ନାଟକବାଜୀ । ତେଣୁ ଏହି ସମ୍ମାନକୁ ବିଧିବଦ୍ଧ କରିବା ପାଇଁ କୌଣସି ବିଧାନ ପ୍ରଣୀତ ହୋଇନଥିଲା ଓ ଏବେ ବି ହୋଇନାହିଁ ।

ଉପର ଚିତ୍ରଟି ‘ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ’ର ନିଜସ୍ୱ ପୋର୍ଟାଲର ପ୍ରାସଙ୍ଗିକ ଛବି । ବିଭାଗୀୟ ନିୟମକାନୁନର ଏହି ତାଲିକାରେ ‘ବ୍ୟାସକବି ଫକୀରମୋହନ ଭାଷା ସମ୍ମାନ’ ସମ୍ପର୍କିତ କୌଣସି ବିଧାନର ନାମଗନ୍ଧ ବି ନାହିଁ । ଅତଏବ ବିଧାନ ବହିର୍ଭୂତ ଶୈଳୀରେ ବା ବେନିୟମ ଶୈଳୀରେ ଏହି ଭାଷା ସମ୍ମାନ ପ୍ରଦାନ ଚାଲିଛି, ଯାଦ୍ଦ୍ଵାରା ଓଡ଼ିଆ ଜାତିକୁ ଆଖିମିଟିକା ମାରି ଏବର୍ଷ କେବଳ ଆମ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ତା ନୁହେଁ, ଓଡ଼ିଆ ଜାତି ବିରୁଦ୍ଧରେ ଏକ ଭୟଙ୍କର ଅପରାଧକୁ ମଧ୍ୟ ଅପରାଧମୁକ୍ତ କରାହୋଇଛି । (କ୍ରମଶଃ)

ତର୍କାତୀତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଆମ ଜାତିକୁ ନିରଙ୍କୁଶ ଭାଷା ଅଧିକାର ପ୍ରାପ୍ତି ଆମର ଦାବି । ଏହା ନଦେବା ପାଇଁ ରାଜ୍ୟ ସରକାର ବହୁବିଧ ଉଦ୍ୟମ କଲା ପରେ ଯେତେବେଳେ ଭାଷାପ୍ରାଣ ଓଡ଼ିଆ ଜାତି ଏହି ଦାବି ସପକ୍ଷରେ ଭାଷା ଆନ୍ଦୋଳନକୁ ପ୍ରସାରିତ କରିବାରେ ଲାଗିଛି, ସେତେବେଳେ ରାଜ୍ୟରେ ଇଂରାଜୀ ଭାଷାଧିପତ୍ୟ କାଏମ ରଖିବା ପାଇଁ ସରକାର ନାନା ଅଭିନବ ପନ୍ଥା ଅନୁସରଣ କରୁଛନ୍ତି । ଭାଷାଆନ୍ଦୋଳନର ଦାବି ଉପରୁ ଦୃଷ୍ଟି ଅପସାରଣ ପ୍ରଚେଷ୍ଟା ତନ୍ମଧ୍ୟରୁ ଅନ୍ୟତମ । ଏହି କ୍ରମରେ ଏଠାରେ ପ୍ରକାଶିତ ଏକ ଆଲୋଚନାର ଉତ୍ତରରେ ସାମାଜିକ ଗଣମାଧ୍ୟମ ‘ଫେସବୁକ’ରେ ସାମ୍ବାଦିକ ସନ୍ଦୀପ ସାହୁ ମୋତେ ଏକ ଖୋଲା ଚିଠି ଦେଇଛନ୍ତି । ଏବଂ ସମ ତାଳରେ ସେ କହିଛନ୍ତି ଯେ, ସେ ଯାହା କହିଛନ୍ତି ତହିଁ ଉପରେ ଆଉ କୌଣସି ତର୍କ ତାଙ୍କର କାମ୍ୟ ନୁହେଁ । ତେଣୁ ଏହି ତର୍କାତୀତ ଉପସ୍ଥାପନାରେ ମୋତେ ଅଗତ୍ୟା ଏହି ସ୍ପଷ୍ଟୀକରଣ ଦେବାକୁ ହେଉଛି, ଯେହେତୁ ତାଙ୍କ ଉତ୍ତରରେ କେତେକ ଅଭିଯୋଗ ଓ ଆକ୍ଷେପ ଏପରି ଦୃଶ୍ୟମାନ ଯେ, ତାହା ତହିଁ ଉପରେ ମୋର ଅଭିମତ ଆବଶ୍ୟକ କରୁଛି । ଅବଧାନକୁ ଆସୁ –

ଆଦରଣୀୟ ଭାଇ ସନ୍ଦୀପ ସାହୁ,
ମୋ ଲେଖା ଆପଣଙ୍କୁ ଦୁଃଖ ଦେଇଥିବା ହେତୁ ମୁଁ ଦୁଃଖ ପ୍ରକାଶ କରୁଛି । କାରଣ, ମୋର କହିବା ନିଷ୍ପ୍ରୟୋଜନ ଯେ, ସାମୟିକ ମତପାର୍ଥକ୍ୟ ସତ୍ତ୍ୱେ ଆପଣ ମୋର ଅତ୍ୟନ୍ତ ପ୍ରିୟ ଓ ବୃତ୍ତିନିଷ୍ଠ ସମ୍ମାନର ଅଧିକାରୀ । ଥିଲେ, ଅଛନ୍ତି ଓ ରହିବେ ।

ଆପଣ ଏକ କିମ୍ଭୂତକିମାକାର ପ୍ରସ୍ତାବ ଥୋଇଛନ୍ତି । ଭାଷା ଆନ୍ଦୋଳନରେ ମୋର ପ୍ରାୟ ସବୁ ଘନିଷ୍ଠ ସହଯୋଗୀ ମୋତେ କାହିଁକି ଛାଡ଼ିଚାଲିଗଲେ ବୋଲି ମୁଁ ନିଜକୁ ପ୍ରଶ୍ନ କରିବା ଉଚିତ ବୋଲି ଆପଣ ଯାହା କହିଛନ୍ତି ତାହା ବେଶ୍ କୌତୁହଳୋଦ୍ଦୀପକ । ସେମାନେ ମୋତେ କେହି ଛାଡ଼ିକରି ଯାଇନାହାନ୍ତି ; ସେମାନଙ୍କ ଉଦ୍ଦେଶ୍ୟ ପୂର୍ଣ ହୋଇଗଲା ପରେ ସେମାନେ ଚାଲିଗଲେ । ମୋ ପାଇଁ ମୋ ଲକ୍ଷ୍ୟ ହାସଲ ହୋଇନାହିଁ , କାରଣ ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ମୁଁ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଏଯାଏଁ ବିଧିକୃତ ହୋଇନାହିଁ , ତେଣୁ ମୁଁ ଆନ୍ଦୋଳନ ଚଳାଇଛି । ଓଡ଼ିଶାର ନିରୋଳା ନିସ୍ଵାର୍ଥପର ଭାଷାପ୍ରାଣ ଭାଇଭଉଣୀମାନେ ମୋ ସହ ଆନ୍ଦୋଳନରେ ଅଛନ୍ତି, କଳାପତାକା ଲକ୍ଷ୍ୟ ହାସଲ ପଥରେ ଅବିଚଳିତ ଭାବେ ଆଗେଇ ଚାଲିଛି । ପାର୍ଶ୍ଵବର୍ତ୍ତୀ ପ୍ରକାଶିତ ସମ୍ବାଦରେ ସେମାନେ ନିଜକଥା ନିଜେ କହିଛନ୍ତି ଓ ସରକାରଙ୍କୁ ଚିଠି ଲେଖି ସରକାରୀ କରୁଣା ପାଇଁ କୃତଜ୍ଞତା ବି ଜ୍ଞାପନ କରିଛନ୍ତି । ସୁତରାଂ ସେମାନେ କାହିଁକି ମୋତେ ଛାଡ଼ିଚାଲିଗଲେ ବୋଲି ମୁଁ ନିଜକୁ ପ୍ରଶ୍ନ କରିବାର କିଛି ଆବଶ୍ୟକତା ଅଛି କି ?

ଆପଣ ଆପଣଙ୍କ ପ୍ରତିକ୍ରିୟାର ଶେଷରେ ଲେଖିଛନ୍ତି , ”ସ୍ପଷ୍ଟ କରିଦିଏ ଯେ ଏ ପ୍ରସଙ୍ଗରେ ମୋର ଯାହା କିଛି କହିବାର ଥିଲା, କହିଦେଲି । ଏହାପରେ ଆପଣଙ୍କ ସହ ମୁଁ ଆଉ ଯୁକ୍ତି, ତର୍କ କରିବାକୁ ଚାହୁଁନାହିଁ ।“

ଏପରି ସ୍ଥଳେ ତର୍କ ଆଗକୁ ଚାଲୁ ବୋଲି କହିବାର କୌଣସି ସମୀଚୀନତା ମୁଁ ଆଉ ଦେଖୁନି, ଯଦିଓ ଆମ ଜାତିର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ଏହା ଚାଲିବା ଉଚିତ ବୋଲି ମୁଁ ଅନୁଭବ କରୁଛି । ଆପଣଙ୍କ ଇଚ୍ଛାକୁ ସମ୍ମାନ ଦେଇ ମୁଁ ଏହାକୁ ‘ତର୍କାତୀତ’ ବର୍ଗରେ ରଖୁଛି ।

କୌଣସି ଏକ ବିଶେଷ ପ୍ରଭାବ କବଳରେ ପଡ଼ିନଥିଲେ ଆପଣଙ୍କ ପରି ବ୍ୟକ୍ତି ଯାହା ଲେଖିଛନ୍ତି ତାହା ହୁଏତ ଲେଖିନଥାନ୍ତେ ବୋଲି ମୁଁ ଲେଖିବା ଆପଣଙ୍କ integrity ଉପରେ ଆଦୌ ଆକ୍ରମଣ ନୁହେଁ । ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଆମେ ୧୯୬୦ ଦଶକର ଆଦ୍ୟଭାଗରେ କରିଥିବା ଆଂଦୋଳନର ବିଶେଷ ପ୍ରଭାବରେ ଲାଲ୍ ବାହାଦୁର ଶାସ୍ତ୍ରୀ ତାଙ୍କ ବିରୁଦ୍ଧରେ ସି.ବି.ଆଇ. ତଦନ୍ତ କରାଇଥିଲେ । ଏହା କହିଲେ କ’ଣ ଶାସ୍ତ୍ରୀଜୀଙ୍କ integrity ଉପରେ ଆକ୍ରମଣ ବୋଲି କୁହାଯିବ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶେଷ ପ୍ରଭାବ କବଳରେ ପଡ଼ି ଭାରତୀୟ ରିଜର୍ଭ ବ୍ୟାଙ୍କର ତଦାନୀନ୍ତନ ଗଭର୍ଣର ବିମୁଦ୍ରୀକରଣ ପାଇଁ ରାଜି ହୋଇଥିଲେ । ଏହା କହିଲେ କ’ଣ ସେହି ଗଭର୍ଣରଙ୍କ integrity ଉପରେ ଆକ୍ରମଣ ବୋଲି କୁହାଯିବ? ଆପଣ କୌଣସି ଏକ ବିଶେଷ ପ୍ରଭାବ କବଳରେ ପଡ଼ି ଜାନୁଆରୀ ୯ ତାରିଖର ନିବନ୍ଧର ବିବାଦୀୟ ଅଂଶଟି ଲେଖିଥାଇପାରନ୍ତି ବୋଲି ପ୍ରକଟିତ ମୋର ଆଶଙ୍କା ଆପଣଙ୍କ integrity ଉପରେ ଆକ୍ରମଣ ହେଲା କିପରି?

ମୁଁ ଲେଖିଥିଲି, “ଏ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ଅନୁଗତ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ବାଦ କାଗଜରେ ଓଡ଼ିଆ ଭାଷାକୁ ନେଇ ଏପରି ଏକ ଲେଖା ପ୍ରକାଶ ପାଇଛି ଯାହା ବାହାରକୁ ନିରିହ ଜଣା ପଡୁଥିଲେ ମଧ୍ୟ ଭାଷା ଆନ୍ଦୋଳନ ବିରୁଦ୍ଧରେ ସରକାରଙ୍କ ଶେଷ ଚାତୁରୀର ଝଲକ ଦେଖିହେଉଛି ତାର ଶବ୍ଦଜାଲରେ ।“ ଏହା କହି କେଉଁଠି ମୁଁ ଆପଣଙ୍କ integrity ଉପରେ ଆକ୍ରମଣ କଲି? କିନ୍ତୁ ଆପଣଙ୍କ ଲେଖାର ଅନୁଭବ୍ୟ ବାର୍ତ୍ତା ଏପରି ଥିଲା ଯେ, ଆପଣଙ୍କ ବିଦଗ୍ଧ ପାଠକମାନଙ୍କ ମଧ୍ୟରୁ ଜଣେ ସକ୍ରିୟ ସାଥୀ ସବ୍ୟସାଚୀ ଅମିତାଭ ତଦ୍ଦ୍ଵାରା ପ୍ରଭାବିତ ହୋଇ ଭାଷା ଆନ୍ଦୋଳନକୁ ଏକ “ପ୍ରହସନ” ବୋଲି ଆଖ୍ୟାୟିତ କରି ଏହି “ପ୍ରହସନ” ସମ୍ପର୍କରେ ଲୋକଙ୍କ “ଆଖି ଖୋଲୁ” ବୋଲି ମତ ରଖିଥିଲେ, ଯଦିଓ ଆପଣ ସେହି ନିବନ୍ଧରେ ଭାଷା ଆନ୍ଦୋଳନର ନାମ ନେଇନଥିଲେ ।

ଆପଣ କେଉଁ ଉଦ୍ଦେଶ୍ୟରେ ଲେଖାଟି ଲେଖିଥିଲେ ତାହା କେବଳ ଆପଣଙ୍କୁ ହିଁ ଜଣା; ମାତ୍ର ଆପଣଙ୍କ ଏହି ଲେଖା ଯେଉଁ ଶୈଳୀରେ ଆମ ସମାଜର ସବ୍ୟସାଚୀ ଅମିତାଭମାନଙ୍କୁ ପ୍ରଭାବିତ କଲା , ତାହା ହିଁ ଥିଲା ମୋ ଲେଖାର ଆଧାର । ଏହି ଅମିତାଭମାନଙ୍କୁ ସ୍ପଷ୍ଟ କରିଦେବା ପାଇଁ ଯେ, ଆମ ଜାତିର ଭାଷା ଅଧିକାର ହାସଲ କରିବାକୁ ସରକାରଙ୍କ ସହ ତର୍କ  ଚଳାଇଥିବା ଏବଂ ଓଡ଼ିଆ ଭାଷା ଜାତୀୟତାର ସତର୍କ ପ୍ରହରୀ ଭୂମିକା ନିର୍ବାହ କରୁଥିବା ଭାଷା ଆନ୍ଦୋଳନ ଏକ “ପ୍ରହସନ” ନୁହେଁ, ମୁଁ ଏହି ନିବନ୍ଧରେ ଆମ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ପ୍ରୟୋଗ କରିଥିବା ୧୨ ଗୋଟି ଅପକୌଶଳର ବିଶ୍ଲେଷଣାତ୍ମକ ଉପସ୍ଥାପନା କରିଥିଲି, ଯହିଁ ଉପରେ ଆପଣ ସମ୍ପୂର୍ଣ ନୀରବ ରହିଛନ୍ତି ଓ ଏହି ପ୍ରତ୍ୟୁତ୍ତରରେ ଆପଣଙ୍କ integrity ଉପରେ ମୁଁ ଆକ୍ରମଣ କରିଛି ବୋଲି ଅଭିଯୋଗ କରି ଅସଲ ପ୍ରସଙ୍ଗରୁଦୃଷ୍ଟି ଅପସାରିତ କରିବାକୁ ଚେଷ୍ଟା କରିଛନ୍ତି ।

ଶ୍ରଦ୍ଧାସ୍ପଦ ସନ୍ଦୀପବାବୁ, ଆପଣଙ୍କ ଘୋଷଣା ହେତୁ ଆଉ ଯେହେତୁ ଆଲୋଚନାର ଅବକାଶ ନାହିଁ, ସେହେତୁ ମୁଁ କେବଳ ଉପରୋକ୍ତ ସ୍ପଷ୍ଟୀକରଣ ଦେଇଛି; ଯୁକ୍ତି ନୁହେଁ । ଆଉ ଗୋଟିଏ ସ୍ପଷ୍ଟୀକରଣ ସହ ଏହି ତର୍କାତୀତ ଆଲୋଚନାଟି ସାରିବି ।

“ସରକାରଙ୍କୁ “ଓଡ଼ିଆ ଭାଷାର ହତ୍ୟାକାରୀ” ଆଖ୍ୟା ଦେଇ କଟୁ ଭାଷାରେ ସମାଲୋଚନା କରିବା ସତ୍ତ୍ୱେ” ମୁଁ “ଏଯାଏଁ ସରକାରୀ ଘରେ” ରହିଛି ବୋଲି ଆପଣ ମୋତେ ଆକ୍ଷେପ କରିଛନ୍ତି ।

ମୁଁ କ’ଣ ସରକାରଙ୍କ ପ୍ରଚାର କରିବା ସର୍ତ୍ତରେ ସରକାରୀ ଘର ଗ୍ରହଣ କରିଛି, ଭାଇ?

କେବଳ ଭାଷା କାହିଁକି, ଯେ କୌଣସି ସରକାରୀ ଭୁଲ ଯେତେବେଳେ ବି ମୋ ଦୃଷ୍ଟିକୁ ଆସିଛି ଓ ଅନୁସନ୍ଧାନ କରି ମୁଁ ସେହି ଭୁଲତ୍ରୁଟି ଠାବ କରିଛି, ସରକାରୀ ଘରେ ଥାଇ ମଧ୍ୟ ମୁଁ ତାହା ଉପରେ ନିଶଙ୍କ ଆଲୋକପାତ କରୁଛି, କାରଣ ତାହା ହିଁ ମୋର କାମ ଏବଂ ମୋର ଧର୍ମ ।

ଯାହା ଜାଣିବାର ଅଧିକାର ଲୋକଙ୍କର ଅଛି ତାହା ସେମାନଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ବୋଲି ମୁଁ ଜାଣିଛି ଓ ଏହା ହିଁ ମୋ ବୃତ୍ତିର ଧର୍ମ । ଏହି ଧର୍ମ ପାଳନ ପାଇଁ ମୋ ରାଜ୍ୟବାସୀ ମୋତେ ଏହି ରହଣୀସ୍ଥାନ ଦେଇଛନ୍ତି ଯାହା ମୋ ପ୍ରତି ସେମାନଙ୍କ ବିଶ୍ଵାସର ପ୍ରତୀକ ଏବଂ ମୁଁ କେବେ ମୋ ଲୋକଙ୍କ ପ୍ରତି ବିଶ୍ଵାସଘାତକତା କରିନି ।

ସରକାରୀ ଘରେ ଥାଇ ମଧ୍ୟ ମୁଁ ଇମର୍ଜେନ୍ସିକାଳୀନ ଅପଶାସନକୁ ସମାଲୋଚନା କରୁଥିଲି ଓ ସେହେତୁ ମୁଁ ସରକାରୀ ଷଡଯନ୍ତ୍ରର ଶିକାର ହୋଇ ଚାକିରି ହରାଇଥିଲି ଏବଂ ଯୌବନର ମୁଖ୍ୟ ଭାଗ ବିତାଇଦେଇଥିଲି ସେହି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ।

ବିଜୁବାବୁଙ୍କ ଲଗାମହୀନ ଦୁର୍ନୀତି ଉପରେ ସରକାରୀ ଘରେ ଥାଇ ମଧ୍ୟ ସପ୍ରମାଣ ତଥ୍ୟ ଉପସ୍ଥାପିତ କରୁଥିଲି ଓ ସେହେତୁ ପିଛିଲା ତାରିଖରୁ ପ୍ରେସ ଆକ୍ରୀଡିଟସନ ନିୟମାବଳୀ ସଂଶୋଧନ କରାଯାଇ ମୋତେ ବୃତ୍ତିଗତ ସଙ୍କଟରେ ପକାଯାଇଥିଲା ।

ଉଭୟ କ୍ଷେତ୍ରରେ ଓଡ଼ିଶା ହାଇ କୋର୍ଟ ମୋ ସପକ୍ଷରେ ରାୟ ଦେଇଥିଲେ ।

ବିଦ୍ୟୁତ ବୋର୍ଡ ଉପରୁ ରାଜ୍ୟବାସୀଙ୍କ ମାଲିକାନା ଲୋପ ପାଇଁ ବିଜୁ ବାବୁ ଯେଉଁ ଚାଲ୍ ଚଳାଇଲେ ଓ ବିଲାତର କେ. ପି. ଏମ. ଜି. ମ୍ୟାନେଜମେଣ୍ଟ କନ୍ସଲଟାଣ୍ଟକୁ ବେଆଇନ ଭାବେ ନିଯୁକ୍ତି ଦେଇ ତା ମାଧ୍ୟମରେ ସେତେବେଳର ମୁଦ୍ରାରେ ପ୍ରାୟ ୧୦ କୋଟି ଟଙ୍କାର ସ୍କାମ କରିଥିଲେ, ମୁଁ ଯଦି ସରକାରୀ ଘରେ ରହି ମଧ୍ୟ ତାକୁ ପଦାକୁ ଆଣି ନଥାନ୍ତି ତେବେ କ’ଣ ସେ ସ୍କାମ ସେଇଠି ସରିଥାନ୍ତା? ମୋ ବ୍ୟତୀତ ଅନ୍ୟ କେହି ତାହା ପଦାକୁ ଆଣିଥିଲା କି?

ଅତଏବ ସରକାରୀ ଘରେ ରହୁଛି ବୋଲି ସରକାରଙ୍କୁ ସମାଲୋଚନା ନ କରିବା , ଭିନ୍ନ୍ନାର୍ଥରେ, ସରକାରଙ୍କ ଚାଟୁକାର ବନିବା ମୋ ପାଇଁ କେବେ ବି ସ୍ପୃହଣୀୟ ହୋଇନାହିଁ ।

ରକାରୀ ଘରେ ରହି ସରକାରଙ୍କୁ ତାଙ୍କ ତ୍ରୁଟିବିଚ୍ୟୁତି ଦେଖାଇବା କେବଳ ଜଣେ ବୃତ୍ତିନିଷ୍ଠ ଓ ପ୍ରତିବଦ୍ଧ ସାମ୍ବାଦିକ ପକ୍ଷେ ସମ୍ଭବ, ଯାହା ମୁଁ ଏପର୍ଯ୍ୟନ୍ତ କରିଆସିଥିବା ହେତୁ ଜଣେ ବୃତ୍ତିନିଷ୍ଠ ବନ୍ଧୁ ଭାବେ ଖୁସି ହେବା ଆପଣଙ୍କୁ ଅଧିକ ଶୋଭା ପାଇଥାନ୍ତା । କେଉଁ ମାନସିକ ଚାପରେ ଆପଣ ଏପରି ବୃତ୍ତିବିରୋଧୀ ଆଭିମୁଖ୍ୟ ପ୍ରକଟ କରିଛନ୍ତି ତାହା ଆପଣ ହିଁ ଜାଣନ୍ତି ।

ଅମିତାଭମାନଙ୍କ ପାଇଁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ସ୍ପେଶିଆଲ ଆକୋମୋଡ଼େସନ ରୁଲ୍ସ ଅନୁଯାୟୀ ମୋ ଯୋଗ୍ୟତା ଭିତ୍ତିରେ ମୁଁ ଏହି ସରକାରୀଘର ପାଇଛି, କାହାରି ଦୟାରେ ନୁହେଁ । ଏବଂ ଏଥିପାଇଁ ମୁଁ କାହାର ଦୟା ଭିକ୍ଷା ବି କରିନାହିଁ ।

ଆପଣଙ୍କ ଲେଖା ଦ୍ଵାରା ସବ୍ୟସାଚୀ ଅମିତଭାମାନେ କେତେଦୂର ପ୍ରଭାବିତ, ତାହା ଅନୁଧ୍ୟାନ କରିବା ପାଇଁ ମୁଁ ଏହି ସ୍ପଷ୍ଟୀକରଣ ଦେବା ବିଳମ୍ବ କରିଥିଲି ।
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ

ହରବାବୁ! ଗୋପାଳିଆ ଘୁଷି ନୁହେଁ, ଆମ ମା ଏଇନେ ଲୋଡୁଛି ଫକୀରମୋହନଙ୍କ ‘ଦେଶୀ ହୃଦୟ’

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଓ ଇଂରାଜୀରେ ଆମକୁ ପ୍ରବୀଣ ହେବାକୁ ପଡ଼ିବ – ଏହି ଶୀର୍ଷକ ତଳେ ବିଦିତ ସାହିତ୍ୟିକ ହରପ୍ରସାଦ ଦାସଙ୍କ ନିମ୍ନୋକ୍ତ ଉକ୍ତିକୁ ଅଗ୍ରପ୍ରାଧାନ୍ୟ ଦେଇଛି ଦୈନିକ ସମ୍ବାଦ ତା’ର ୧୫.୧.୨୦୨୦ ତାରିଖର ସଂସ୍କରଣରେ । ଉକ୍ତିଟି ହେଲା,

“ଓଡ଼ିଆ ଭାଷାରେ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିବା ପରି ମାନସିକତାରୁ ଦୂରେଇ ରହି ଆମକୁ ଦ୍ଵିଭାଷୀ ହେବାକୁ ପଡ଼ିବ । ଉଭୟ ଓଡ଼ିଆ ଓ ଇଂରାଜୀରେ ଆମକୁ ପ୍ରବୀଣ ହେବାକୁ ପଡ଼ିବ ।“

ଏହି କାଗଜରେ ମୁକ୍ତବୃତ୍ତ ସାମ୍ବାଦିକ ସନ୍ଦୀପ ସାହୁ ୯.୧.୨୦ ତାରିଖରେ ଲେଖିଥିଲେ, “ଗଲା କିଛି ବର୍ଷ ହେଲା ଦେଖାଯାଉଛି ଯେ,ଆମ ରାଜ୍ୟରେ ବେଶ୍ କିଛି ଲୋକ ଓଡ଼ିଆ ଭାଷା ଓ ସଂସ୍କୃତିର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଢ଼ିଛନ୍ତି । ସେମାନଙ୍କ ବିଚାରରେ ‘ବିଦେଶୀ’ (ଅଣ-ଓଡ଼ିଆ) ପ୍ରଭାବ ଓଡ଼ିଆ ଭାଷା ଓ ସଂସ୍କୃତିର ମୌଳିକତାକୁ ବିପନ୍ନ କରୁଛି, ଓଡ଼ିଆ ଅସ୍ମିତା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି ଓ ଓଡ଼ିଆ ଜାତିକୁ ଏକ ପରାଙ୍ଗପୁଷ୍ଟ ଜାତିରେ ପରିଣତ କରୁଛି । ଏ ଆଶଙ୍କାର ଦ୍ଵିମୁଖୀ ପରିପ୍ରକାଶ ଘଟୁଛି । ପ୍ରଥମ: ‘ବିଦେଶୀ’ ଭାଷା ଓ ସଂସ୍କୃତି ବିରୋଧରେ ବିଷୋଦ୍ଗାର ଓ ଦ୍ଵିତୀୟ: ଯେଉଁ ଓଡ଼ିଆମାନେ ଏହାକୁ ବିରୋଧ କରିବା ବଦଳରେ ଏହାକୁ ସହର୍ଷ ସ୍ଵୀକାର କରିନେଉଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ବିଷୋଦ୍ଗାର ।”

ଶ୍ରୀ ସାହୁ ଆମକୁ (ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ କଳାପତାକା ଅଭିଯାନ ଚଳାଇଥିବା ଭାଷାନ୍ଦୋଳନକାରୀମାନଙ୍କୁ) ନାମ ଧରି ଏପରି ଅଯଥା ଭର୍ତ୍ସନା କରିନଥିଲେ ମଧ୍ୟ ସବ୍ୟସାଚୀ ଅମିତାଭ ନାମକ ଅନ୍ୟଜଣେ ସାମ୍ବାଦିକ ସାହୁଙ୍କ ଲେଖାକୁ ସମର୍ଥନ ଜଣାଇ “କଳାପତାକା ପ୍ରହସନ ବନ୍ଦ ହେଉ, ଭାଷାପ୍ରେମୀଙ୍କ ଆଖି ଖୋଲୁ” ବୋଲି ଟିପ୍ପଣୀ ଦେବା ଓ ଶ୍ରୀ ସାହୁ ତାହାକୁ ସ୍ଵାଗତ ଜଣାଇବା ଦ୍ଵାରା ସାବ୍ୟସ୍ତ ହୋଇଯାଇଛି କି ଶ୍ରୀ ସାହୁ ତାଙ୍କ ଲେଖାଟି ଆମ୍ଭ ଉଦ୍ଦେଶ୍ୟରେ ଲେଖିଥିଲେ, ଯାହାକୁ ସମ୍ବାଦ କାଗଜ ତା ସଂପାଦକୀୟ ପୃଷ୍ଠାରେ ପ୍ରକାଶ କରିଥିଲା । ଲେଖାଟିର ଶୀର୍ଷକ: “ଭାଷା ନେଇ ଉଦାର ହେବା” ।

ଭାଷା ପାଇଁ ଉଦାର ନ ହେବା ହିଁ ଆମ ନିଷ୍ପତ୍ତି” ଶୀର୍ଷକରେ ମୁଁ ତାର ଜବାବ ରଖିଛି । ବାବୁ ଅମିତାଭ ପଳାୟନ ପନ୍ଥା ଆଦରିଥିବା ବେଳେ, ଶ୍ରୀ ସାହୁ ମୋ ଲେଖାକୁ ପସନ୍ଦ କରି ପରୋକ୍ଷରେ ସୁଚାଇଛନ୍ତି ଯେ, ତାଙ୍କ ଏହି ବିବାଦୀୟ ଲେଖାଟିକୁ ସେ ସମ୍ଭବତଃ ପୂର୍ଣତଃ ସମର୍ଥନ କରୁନାହାନ୍ତି । ଶ୍ରୀ ସାହୁଙ୍କୁ ମୁଁ ଯାହା ଜାଣେ, କୌଣସି ଏକ ବିଶେଷ ପ୍ରଭାବ କବଳରେ ନ ପଢ଼ିଥିଲେ, ସେ ଉପରୋଦ୍ଧୃତ୍ତ ବାକ୍ୟଗୁଡ଼ିକ ଲେଖିବାକୁ ହୁଏତ ଉଚିତ ମଣି ନଥାନ୍ତେ । କାରଣ, ଓଡ଼ିଆ ଭାଷା ସ୍ଵାର୍ଥ ବିରୁଦ୍ଧରେ ସେ ଏପରି କେବେ କେଉଁଠି ଲେଖିନଥିଲେ ।

ମାତ୍ର ଶ୍ରୀ ହରପ୍ରସାଦ ଦାସ ଓଡ଼ିଆ ଭାଷା ଆନ୍ଦୋଳନର ଜଣେ ଅଭ୍ୟାସଗତ ବିରୋଧୀ , ଯେ କି ଭାଷା ଆନ୍ଦୋଳନକୁ ଇଙ୍ଗିତ କରି ସମାଜ କାଗଜରେ ୪.୯.୨୦୧୬ ଓ ୫.୯.୨୦୧୬ ତାରିଖରେ ଏକ ଦୁଇକିସ୍ତିଆ ନିବନ୍ଧ ଲେଖି, ଆମ ନାମ ନେବାକୁ ସାହସ ନ କରିଥିଲେ ମଧ୍ୟ, “ସରକାରୀ ବାଡ଼ିଆ ବନ୍ଦ ହେଉ” ବୋଲି ଆମ ଉଦ୍ଦେଶ୍ୟରେ ବଚନିକା ଶୁଣାଇଥିଲେ । ବିଶିଷ୍ଟ ସାହିତ୍ୟିକ, “ସମାଜ ସାହିତ୍ୟ ରାଜନୀତି” ଗ୍ରନ୍ଥର ସୁଯୋଗ୍ୟ ପ୍ରଣେତା ଡଃ ଗୋବିନ୍ଦ ଭୂୟାଁ ସେହି ସମାଜ କାଗଜରେ ୧୫.୯.୨୦୧୬ ତାରିଖରେ “ଆମ ଭାଷା ସମ୍ପର୍କରେ ଦି ଚାରି ପଦ” ଶୀର୍ଷକରେ ଶ୍ରୀ ଦାସଙ୍କୁ ଯେଉଁ ଜବାବ ଦେଇଥିଲେ, ତାହା ହୁଏତ ତାଙ୍କୁ ଏଯାଏଁ ଏପରି ବାଚନିକ କେଳାଖେଳରୁ ନିବୃତ୍ତ ରଖିଥିଲା । ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ସବୁ ପ୍ରକାରର ଅପକୌଶଳ ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସରକାରୀ କାର୍ପଟଦାର ଓ ପୋଷାମନା ଦଲାଲମାନେ ବ୍ୟର୍ଥ ହେବା ପରେ ବର୍ତ୍ତମାନ ସମ୍ଭବତଃ ସେହି ପୁରୁଣା କଥା କହି ଓଡ଼ିଆ ଜାତିର ମଗଜରେ ବିଭ୍ରାନ୍ତି ଭରିବାକୁ ତାଙ୍କୁ କାମରେ ଲଗାହୋଇଛି । ଓଡ଼ିଆ ଭାଷାର ଆଭିଜାତ୍ୟପୂର୍ଣ ପ୍ରଯୋଗରେ ଅତ୍ୟନ୍ତ ସୁଦକ୍ଷ ଶ୍ରୀ ଦାସ ଆମ ଭାଷା-ସାହିତ୍ୟର ନିଜେ ଏକ ସୁଖପାଠ୍ୟ ଅଧ୍ୟାୟ । ସେଥିପାଇଁ ଆମ ଦୁଃଖ ଯେ, ଇଂରାଜୀ ଭାଷାଧିପତ୍ୟରୁ ମୁକ୍ତି ପାଇଁ ଚାଲିଥିବା ଭାଷା ଆନ୍ଦୋଳନର ବିଭିନ୍ନ ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କ ପରି ଜଣେ ବ୍ୟକ୍ତି ସରକାରୀ ମତଲବବାହକ ହେବାକୁ କୁଣ୍ଠା କରୁନାହାନ୍ତି ।

ଫକୀରମୋହନଙ୍କ ମୁହଁ ଉପରେ ଗୋପାଳିଆ ଘୁଷି

ଫକୀରମୋହନଙ୍କ ଜୟନ୍ତୀରେ ‘ସାରଳା ସାହିତ୍ୟ ସଂସଦ’କୁ ‘ବ୍ୟାସକବି ଓଡ଼ିଆ ଭାଷା ସମ୍ମାନ’ ଦେଇ ଓଡ଼ିଶା ସରକାର ତାଙ୍କ ଅଭ୍ୟାସଗତ ଓଡ଼ିଆବିଦ୍ଵେଷୀତା ପ୍ରଦର୍ଶିତ କରିଛନ୍ତି।  ସେ ବିଷୟ ଆମେ ଏହା ପରେ ଦେଖିବା । ମାତ୍ର ତାଙ୍କ ନାମରେ ନାମିତ “ଭାଷା ସମ୍ମାନ” ପୃଷ୍ଠଭୂମିରେ ହରପ୍ରସାଦ ଦାସଙ୍କ ଇଂରେଜୀସପକ୍ଷବାଦୀ ପ୍ରବଚନ ଯେ ଫକୀରମୋହନଙ୍କ ମୁହଁ ଉପରେ ଏକ ବର୍ବର ଆଘାତ, ଏହା ଓଡ଼ିଆ ଜାତି ତୁରନ୍ତ ଅନୁଭବ କରିବା ଆବଶ୍ୟକ । ଫକୀରମୋହନଙ୍କ ‘ଡାକ ମୁନ୍ସୀ’ ଗପଟି ପଢିଲେ, ତାଙ୍କ ଅନ୍ତରର ଭାବ କଣ ଓ ତାଙ୍କ ଜନ୍ମଦିନରେ ହରବାବୁଙ୍କ ଇଂରାଜୀ ସପକ୍ଷବାଦୀ ପ୍ରବଚନ କିପରି ତାଙ୍କ ମୁହଁ ଉପରେ ଏକ ଗୋପାଳିଆ ଘୁଷି ତାହା ଅକ୍ଳେଶ ଜାଣିହେବ । ସେହେତୁ ମୁଁ ତହିଁରୁ କିୟଦଂଶ ଉଦ୍ଧାର କରିବି ।

କଥାଟି ହେଲା, ହରି ସିଂହ ନାମକ ଜଣେ ଗରିବ ଗ୍ରାମବାସୀ ଓଡ଼ିଆ ଡାକ ବିଭାଗର ନିମ୍ନତମ କର୍ମଚାରୀ ଥିଲେ , ଯେ କି ଇଂରେଜୀରେ ଶିକ୍ଷା ଲାଭ କରିପାରିଲେ ତାଙ୍କ ଏକୋଇରବଳା – ଏକମାତ୍ର ପୁଅ – ଗୋପାଳ ହାକିମଟିଏ ହୋଇପାରିବ ବୋଲି ଭାବି ନିଜେ ଭୋକଉପାସରେ ରହି ତାକୁ ଶିକ୍ଷିତ କରାଉଥିଲେ । ସେହି ତକ ଇଂରାଜୀ ଶିକ୍ଷା ପାଇଁ ସେ ଡାକ ବିଭାଗରେ ଚାକିରିଟିଏ ପାଇଲା ଓ ଡାକ ମୁନ୍ସୀ ବୋଲାଇଲା । ଇଂରେଜୀ ପଢି ପୁଅ ଚାକିରି ପାଇଲାବେଳକୁ ହରି ସିଂହଙ୍କ ସ୍ତ୍ରୀ ମରିଯାଇଥିଲେ ଓ ସେ ନିଜେ ବାର୍ଦ୍ଧକ୍ୟ ହେତୁ ଚାକିରି ହରାଇଥିଲେ । ପୁଅ ଗୋପାଳଙ୍କ ବସାରେ ରହିଲେ ହରି ସିଂହ । ତା ପରେ ଯାହା ହେଲା, ତାହା ଜାଣିବା ଫକୀରମୋହନଙ୍କ ଭାଷାରେ –

“ଏଣିକି ଗୋପାଳବାବୁଙ୍କର ଭାବ କିଛି କିଛି ବଦଳି ଗଲାଣି । ଏବେ ବାପକୁ ଦେଖିଲେ ମିଛଟାରେ ରଗ ରଗ ସିଁ ସିଁ ହୁଅନ୍ତି । ଏଟା ମୁର୍ଖ, ଇଂରେଜୀ ଜାଣେନାହିଁ – ମୂଲିଆ – ମଳିଆ ଲୁଗା ପିନ୍ଧିଥାଏ । ଏଟାକୁ ବାପ ବୋଲି ଡାକିବି, ଲୋକେ କଣ କହିବେ ! ସେଦିନ ଶିକ୍ଷିତା କେତେ ଜଣ ସ୍ତ୍ରୀଲୋକ ସେମିଜ ପିନ୍ଧି , ପୋଷାକ ପିନ୍ଧି ଠିଆ ହୋଇଥିଲେ – ବୁଢାଟା ଦିହରେ କୁରୁତା ନାହିଁ , ସେମାନଙ୍କ ଆଗ ଦେଇ ଚାଲିଗଲା । କି ଲଜ୍ଜା ! କି ଲଜ୍ଜା ! ଏଟାକୁ ବସାରୁ ନ ତଡ଼ିଲେ ଆଉ ଇଜ୍ଜତ ରହିବ ନାହିଁ ।

ଦିନେ ଡାକ ମୁନ୍ସୀ ବାବୁ ବାପକୁ କହିଦେଲେ , “ଦେଖ, ତୁମେ ମୋର କିଛି ଉପକାର କରିନାହଁ , ଇଚ୍ଛା ହେଲେ ବସାରେ ରହ, ନୋହିଲେ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ, ତୁମେ ଘରୁ ବାହାରିବ ନାହିଁ ।“ ଗୋପାଳ କଥା ଶୁଣି ବୁଢାର କାନମୁଣ୍ଡା ଭାଁ ଭାଁ କଲା , ଗୁମ୍ ହୋଇ ବସି ପଡ଼ିଲା । କାହାକୁ କହିବ? ପୁଅ କଥା; ଅଜାଗା ଘା ଦେଖି ହୁଏନାହିଁ , ଦେଖେଇ ହୁଏନାହିଁ ।”

କିନ୍ତୁ ଇଂରେଜୀ ପଢୁଆ ପୁଅ କଣ ଏତିକିରେ ଅଟକିଥିଲେ? ଡାକ ମୁନ୍ସୀ ବାବୁ ବନିଗଲା ଉତ୍ତାରୁ ବାବୁ ଗୋପାଳଙ୍କର ଏକ ମଫସଲ ଡାକଘରର ମୁଖ୍ୟ ପଦକୁ ବଦଳି ହେଲା । ବାବୁ ଚହଟ ଚିକ୍କଣ ହୋଇ ବାହାରିପଡ଼ିଲେ ନୂଆ ଦାୟିତ୍ଵ ନେବାକୁ । ବାପକୁ ହୁକୁମ ଦେଇଗଲେ ପୁରୁଣା ବସାରେ ଥିବା ସମସ୍ତ ଜିନିଷପତ୍ର ନିଜେ ମୁଣ୍ଡାଇ ନୂଆ ଠିକଣାରେ ପହଞ୍ଚାଇବା ପାଇଁ । କହିଦେଲେ ଯଦି ତା ନ ହୁଏ, ଯଦି ମୂଲିଆ କରି ସେ ଜିନିଷ ବୁହାନ୍ତି, ତେବେ ହରି ସିଂହ ସେ ମଜୁରି ପାଇଁ ନିଜେ ଦାୟୀ ହେବେ । ପୁଅକୁ ଇଂରେଜୀ ପଢେଇ ହାକିମ କରାଇଥିବା ବୁଢା ବାପ ଦୁର୍ବଳ ଶରୀର ସତ୍ତ୍ୱେ ମୁଣ୍ଡରେ ମୁଣ୍ଡାଇ ସେ ସବୁ ଜିନିଷ ନେଇ ପୁଅଙ୍କ ନୂଆ ବସାରେ ସଜାଡ଼ି ରଖିଲେ । ତା ପରେ କଣ ହେଲା ତାହା ଫକୀରମୋହନଙ୍କ ଭାଷାରେ ଜାଣନ୍ତୁ –

“ବୁଢା ଦେହରେ ମଫସଲ ପାଣି ଚଳିଲା ନାହିଁ । ଜର ହେଲେ ଖୁଁ ଖୁଁ କରି କାଶେ, ସେ କାଶଟା ରାତିକି ବେଶୀ ହୁଏ , ବାବୁ ଶୋଇବାରେ ହରକତ ହେଲେ । ପିଆନକୁ ଡାକି ହୁକୁମ ଦେଲେ, “ବୁଢାଟାକୁ କିଆବୁଦାରେ ଫୋପାଡ଼ିଦେଇ ଆସ । “ସେ ପିଅନଟା ମୁର୍ଖ ; ଇଂରେଜୀ ପଢି ନାହିଁ , ତାର ଗୋଟାଏ ଦେଶୀ ହୃଦୟ ଅଛି । ବିଚାର କଲା, “କଣ ଏ? ବୁଢା ରୋଗୀଟିକୁ କିଆବୁଦାରେ ଶୁଆଇଦେବି?” ଦିନେ ବୁଢାର ଭାରି ଜର , ତିନି ଦିନ ଖାଇନାହିଁ, ଅଧ ରାତି , ଅନ୍ଧାର, ଥଣ୍ଡା ପାଇ ବୁଢାର କାଶ ବଳି ପଡ଼ିଲା । ବାବୁ ତ ଭାରି ଖପା , ବୁଢା ଛାତିରେ ଦୁଇଟା ଇଂରାଜୀ ଘୁଷି ମାରିଲେ , ବିଛଣାପତ୍ର ବାହାରକୁ ଫୋପାଡ଼ିଦେଲେ । ବୁଢା ଗାଁକୁ ପଳାଇଲା ।“

ଆମ ଭାଷାର ଶାଶ୍ଵତ ପଥଦର୍ଶୀ ଫକୀରମୋହନ ଗପ ଲେଖିବା ପାଇଁ ‘ଡାକ ମୁନ୍ସୀ’ ଲେଖିନଥିଲେ । ଲେଖିଥିଲେ ଇଂରେଜୀପଢୁଆଙ୍କ ଦୌରାତ୍ମରୁ କିପରି ଆମ ଜାତି ବର୍ତ୍ତିବା ଆବଶ୍ୟକ , ତା ପାଇଁ ଦେବାକୁ ଆମକୁ ଆବଶ୍ୟକୀୟ ସଚେତନତା ।

ସେହି ସଚେତନତାର ଅଭାବରୁ ଆମ ରାଜ୍ୟରେ ଆମ ଭାଷଜନନୀ ମରିମରିଯାଉଛି । ଇଂରେଜୀ ପଢୁଆ ଲୋକମାନେ ଆମ ପ୍ରଦେଶ ଗଠନର ଉଦ୍ଦେଶ୍ୟକୁ ପଣ୍ଡ କରିବାରେ ଲାଗିଛନ୍ତି । ଏହି ଇଂରାଜୀ ପଢୁଆ ଲୋକଙ୍କ ହେତୁ ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ରେ ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ । ଆମ ମାତୃଭୂମି ଓ ଆମ ମାତୃଭାଷାକୁ ଇଂରାଜୀ ଘୁଷି ମାରିବାରେ ଲାଗିଛନ୍ତି ଆମ ଇଂରେଜୀ ପଢୁଆ ପଦଧିକାରୀ ବର୍ଗ । ଆମ ମାତୃଭୂମି ଏଇନେ ଖୋଜୁଛି ଇଂରେଜୀ ପଢୁଆ ‘ଗୋପାଳ’ ଠାରୁ ମୁକ୍ତି ; ଖୋଜୁଛି “ଦେଶୀ ହୃଦୟ” , ଯେଉଁ ହୃଦୟର ସନ୍ଧାନ ଦେଇ ସେଦିନ ଫକୀରମୋହନ କହିଯାଇଛନ୍ତି , “ସେ ପିଅନଟା ମୁର୍ଖ ; ଇଂରେଜୀ ପଢି ନାହିଁ , ତାର ଗୋଟାଏ ଦେଶୀ ହୃଦୟ ଅଛି ।“ ଦେଶୀ ହୃଦୟ ।

ଏହି ଦେଶୀ ହୃଦୟ ଖୋଜୁଛି ଆମ ମା , ଆମ ମାତୃଭୂମି, ଆମ ମାତୃଭାଷା ।

ମତଲବବାହକମାନଙ୍କ ଗୋପାଳିଆ ଘୁଷି କବଳରୁ ଆମ ଜାତି ବର୍ତ୍ତିବାକୁ ଯେତେବେଳେ ଭାଷାଜନନୀଙ୍କ କଳାପତାକା ତଳେ ପନ୍ଥା ଖୋଜୁଛି , ସେତେବେଳେ ଆମ ସାହିତ୍ୟର ଜଣେ ବିଦିତ ବ୍ୟକ୍ତି ଆମ ଦର୍ଶନଦାତା ଫକିତମୋହନଙ୍କ ଜନ୍ମଦିନ ପାଳନ ଅବସରରେ ସେହି ଗୋପାଳିଆ ଘୁଷିର ଜୟଗାନ କରି ଯେଉଁ ପ୍ରବଚନ ଦେଇଛନ୍ତି ସେଥିପାଇଁ ତାଙ୍କୁ ତିରସ୍କାର କରିବା କି ତାଙ୍କୁ ଏହି ପ୍ରବଚନ ଦେବାକୁ ଡାକିଥିବା ସରକାରଙ୍କୁ , କି ଏହାକୁ ପ୍ରସାରିତ କରିଥିବା ସମ୍ବାଦ କାଗଜକୁ?