ଚିତ୍ରେ ସମ୍ବାଦ: ଭାଷା ଆନ୍ଦୋଳନର ରାଜ୍ୟ ମାତୃଭାଷାପ୍ରେମୀ ସମ୍ମିଳନୀ

ନିଉଜସିଣ୍ଡିକେଟ

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଭାଷାରେ ଏହି ଅନନ୍ୟ ଆନ୍ଦୋଳନର ଜୀବନରେ ଜୁଲାଇ ୧୭ ଏପରି ଏକ ଦିନ, ଯାହା ଅଶେଷ ଗୁରୁତ୍ଵ ବହନ କରେ । ଆଜକୁ ବର୍ଷକ ତଳେ, ୨୦୧୮ର ଜୁଲାଇ ୧୬ ତାରିଖ ସନ୍ଧ୍ୟାରେ ସରକାରଙ୍କ ଦ୍ଵାରା ନିଯୁକ୍ତ ସୁପାରି ଘାତକମାନେ ଭାଷା ଆନ୍ଦୋଳନକୁ ଛୁରୀ ମାରି ମୃତପ୍ରାୟ କରିଦେଇଥିଲେ; କିନ୍ତୁ ଓଡିଆ ଜାତି ତା ଭାଷା ଜନନୀ ପାଇଁ ଅଣ୍ଟା ଭିଡ଼ି ଠିଆହେଲା ଜୁଲାଇ ୧୭ରେ । ଏବଂ ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଏହି ଆନ୍ଦୋଳନ ଗ୍ରହମୁକ୍ତ ହୋଇଗଲା । ସରକାର ପୁଣି କିଛି ଛଦ୍ମ ଘାତକ ପଠାଇଥିଲେ । କିନ୍ତୁ ସେମାନେ ପାରିଲେନି । ଆପେ ଆପେ ପଳାଇଲେ । ତେଣୁ ଜୁଲାଇ ୧୭ ହେଉଛି ଗ୍ରହମୁକ୍ତ ଭାଷା ଆଂଦୋଳନର ଜନ୍ମ ଦିବସ । ଏହି ଦିବସର ପ୍ରଥମ ବର୍ଷ ପୂରଣୀ ଅବସରରେ ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ଦ୍ଵାରା ଆହୁତ ହୋଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭାଷାପ୍ରେମୀମାନେ ଭୁବନେଶ୍ବରସ୍ଥ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ଜୁଲାଇ ୧୭ ତାରିଖରେ ସମବେତ ହୋଇ ଓଡ଼ିଶା ସରକାରୀ ଭାଷା ଆଇନର ସମ୍ପୂର୍ଣ ତ୍ରୁଟିଶୂନ୍ୟ କାର୍ଯ୍ୟକାରୀତା ପାଇଁ ସର୍ବସମ୍ମତିକ୍ରମେ ୪ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି ଯାହା ଏଥିପୂର୍ବରୁ ପ୍ରକାଶିତ ହୋଇଛି । ଏହି ସମ୍ମିଳନୀରେ ଯୋଗ ଦେଇ ନିଜ ନିଜ ଅଭିମତ ବଳରେ ଏହାକୁ ସାର୍ଥକ କରିଥିବା ମାତୃଭାଷାପ୍ରେମୀମାନେ ହେଲେ –

(ଅଶୋକ ପରିଡ଼ା), (ଭୁବନମୋହନ ମହାନ୍ତି), (ଦେବୀପ୍ରସନ୍ନ ନାୟକ), (ଗିରିଜକାନ୍ତ ମିଶ୍ର), (କମଳଲୋଚନ ନାୟକ),(ପ୍ରଦୀପ୍ତ ନାୟକ), (ଲିଙ୍ଗରାଜ ସ୍ଵାଇଁ), (ରାମାଶଙ୍କର),(ସାରଦା ପ୍ରସାଦ ମହାପାତ୍ର),(ତୁଷାରକାନ୍ତ ଶତପଥୀ) ।

ମାତୃଭାଷାପ୍ରେମୀ ସମ୍ମିଳନୀ : ଭାଷାଦ୍ରୋହୀଙ୍କ ମୁଖା ଖୋଲିଲେ ସୁଭାଷ ଚନ୍ଦ୍ର ପଟ୍ଟନାୟକ

ନିଉଜ ସିଣ୍ଡିକେଟ

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ବିଭିନ୍ନ ପ୍ରାମାଣିକ ତଥ୍ୟ ଦେଇ ଓଡ଼ିଆ ଭାଷାଦ୍ରୋହୀ ବିଜେଡି ସରକାର ଓ ଭାଷା ଆନ୍ଦୋଳନକୁ ଛୁରି ମରିଥିବା ତାଙ୍କ ପୋଷାମନା ଦଲାଲମାନଙ୍କ ମୁଖା ଖୋଲିଦେଇଛନ୍ତି ଭୁବନେଶ୍ଵରରେ ଅନୁଷ୍ଠିତ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀରେ ଜୁଲାଇ ୧୭ ତାରିଖରେ ସେ ରଖିଥିବା ଭିତ୍ତି-ଭାଷଣରେ ।

ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ଦ୍ଵାରା ଆହୁତ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ବୈଜ୍ଞାନିକ ଡ॰ ଅଶୋକ ମିଶ୍ର । ପରିବେଶସୁରକ୍ଷା ଓ ମାନବାଧିକାର କ୍ଷେତ୍ରରେ ପୃଥିବୀର ଅନ୍ୟତମ ନିରୋଳା ଚିନ୍ତାନୟକ ଓ ଅଭିଯାତ୍ରୀ ପ୍ରଫୁଲ୍ଲ ସମନ୍ତରା ମୁଖ୍ୟଅତିଥି ଓ ପ୍ରଫେସର କମଳାପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଏହି ଐତିହାସିକ ଗୁରୁତ୍ବସମ୍ପନ୍ନ ସମ୍ମିଳନୀକୁ ପରିଚାଳିତ କରିଥିଲେ ସୁବିଖ୍ୟାତ ବାଗ୍ମୀ ଓ ଲେଖକ, ଅଧ୍ୟାପକ ବିଶ୍ବରଞ୍ଜନ ।

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ର କାର୍ଯ୍ୟକାରୀତା ପାଇଁ ୨୦୧୫ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଶ୍ରୀ ପଟ୍ଟନାୟକ ଦୁଇଟି ନିର୍ଦ୍ଦିଷ୍ଟ ପ୍ରସ୍ତାବ ରଖିଥିଲେ । ଆଇନଟିର ଉଲ୍ଲଂଘନକାରୀକୁ ଦଣ୍ଡବିଧାନ ବ୍ୟବସ୍ଥା ନଥିବାରୁ ଇଂରାଜିମନସ୍କ କର୍ମଚାରୀମାନେ ଓଡ଼ିଆରେ କାମ କରୁନାହାନ୍ତି ଓ ଏହି ବ୍ୟବସ୍ଥା ନ ହେଲା ଯାଏଁ ଏହି ସମସ୍ୟାର ଅନ୍ତ ଘଟିବ ନାହିଁ ବୋଲି ନିରୂପଣ କରି ସେ ଏହି ବ୍ୟବସ୍ଥା ସହ ଆଇନଟିର ସମ୍ପୂର୍ଣ କାର୍ଯ୍ୟକାରୀତା ପାଇଁ ୧୧ଟି ନିୟମ ସମ୍ବଳିତ ଏକ ନିଯମାବଳୀ ଦେଇଥିଲେ ଓ ମୂଳ ଆଇନରେ ନିଯମାବଳୀ ପ୍ରଣୟନର କ୍ଷମତା ସରକାରଙ୍କକୁ ପ୍ରଦତ୍ତ ହୋଇନଥିବାରୁ ଆଇନ ସଂଶୋଧନ ଦ୍ଵାରା ଏହି ତ୍ରୁଟି ସୁଧାରିବାକୁ ତହିଁର ଚିଠା ମଧ୍ୟ ଦେଇଥିଲେ । ଏହି ପରାମର୍ଶ ଅନୁସାରେ ୨୦୧୬ରେ ଆଇନ ସଂଶୋଧନ କରି ନିଯମାବଳୀ ପ୍ରଣୟନର କ୍ଷମତା ସରକାର ପ୍ରାପ୍ତ ହୋଇଛନ୍ତି । କିନ୍ତୁ ନିଯମାବଳୀ ପ୍ରଣଯନ କ୍ଷେତ୍ରରେ ସୁଭାଷବାବୁଙ୍କ ପ୍ରଦତ୍ତ ପରାମର୍ଶ ଓ ଚିଠା ସରକାରଙ୍କୁ ଅଡୁଆରେ ପକାଇଛି । ଭାଷା ପାଇଁ ଗଠିତ ସ୍ଵତନ୍ତ୍ର ୱେବ ସାଇଟରେ ସ୍ଥାନିତ ହୋଇଥିବା ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବିତ ବିଧାନକୁ ସରକାର ଲୁଚେଇ ଦେବା ମତଲବରେ ୱେବ ସାଇଟଟିକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କରିଥିବା ବେଳେ ଶ୍ରୀ ପଟ୍ଟନାୟକଙ୍କ ଦୁଇଜଣ ମୂଳ ସହଯୋଗୀ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ସେମାନଙ୍କ ଆର୍ଥିକ ଅସାଧୁତାର ଉପଯୋଗ କରି ପୋଷାମନେଇଛନ୍ତି ଓ ୨୦୧୮ରେ ଆଇନଟିର ଅନାବଶ୍ୟକ ସଂଶୋଧନ କରି ସୁଭାଷବାବୁ ଦେଇଥିବା ବିଧାନକୁ ବିଧିଭୁକ୍ତ ନକରିବା ପାଇଁ ପଦକ୍ଷେପ ନେଇଛନ୍ତି । ଉପରୋକ୍ତ ଦୁଇ ସରକାରୀ ପୋଷାମନା ଖଳନାୟକ ଆଇନଟି ଠିକ ଭାବେ ସଂଶୋଧନ ହୋଇସାରିଛି ବୋଲି ଲୋକଙ୍କୁ ମିଛ କହି ଓଡ଼ିଆଦ୍ରୋହୀ ସରକାରଙ୍କୁ ଘଣ୍ଟାଘୋଡାଉଛନ୍ତି ଓ ସେମାନେ ସୁଭାଷବାବୁଙ୍କ ଘନିଷ୍ଠ ସହକର୍ମୀ ଭାବେ ସାଧାରଣରେ ପରିଚିତ ହୋଇଥିବା ହେତୁ ଲୋକେ ବିଭ୍ରାନ୍ତିରେ ପଡ଼ୁଛନ୍ତି । ତେଣୁ ଲୋକଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ରଖିବା ପାଇଁ ଓ ଏପରି ବିଷମ ସ୍ଥିତିରେ କର୍ତ୍ତବ୍ୟ ନିରୂପଣ ପାଇଁ ଏ ପର୍ଯ୍ୟନ୍ତ କଳାପତାକା ଅଭିଯାନରେ ଅଂଶ ଗ୍ରହଣ କରିଥିବା ମାତୃଭାଷାପ୍ରେମୀଙ୍କୁ ସାମାଜିକ ଗଣମାଧ୍ୟମରେ ଖୋଲା ନିମନ୍ତ୍ରଣ ଦେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ତହିଁରେ ଶ୍ରୀ ପଟ୍ଟନାୟକ ରଖିଥିବା ଭିତ୍ତି-ଭାଷଣ ଓଡ଼ିଆ ଭାଷା ଇତିହାସର ସଠିକ ଅବଲୋକନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ ହୋଇଥିବା ହେତୁ ତାହା ତଳେ ଅବିକଳ ପ୍ରଦତ୍ତ ହେଲା ।

ଅଧୁନାତନକରଣ

ଶ୍ରୀ ପଟ୍ଟନାୟକଙ୍କ ଭାଷଣଟି ଦୀର୍ଘ ହୋଇଥିବା ହେତୁ ତାହାକୁ ଅଗଷ୍ଟ ୧୧ରେ ଅଧୁନାତନକରଣ କରାଯାଇ ଦୁଇ ଭାଗରେ ବିଭକ୍ତ କରାଯାଇଛି ଓ ୟୁ ଟ୍ୟୁବରେ ପ୍ରକାଶିତ କରି ଏଠାରେ ତାହାକୁ ପୁନଃ ସଂସ୍ଥିତ କରାଯାଇଛି ।

ଭାଷା ଆଇନରୁ ଧାରା ୪କ ଲୋପ ହେଉ ଓ ଭାଷା ଆନ୍ଦୋଳନ ପ୍ରତିଷ୍ଠାତା ଦେଇଥିବା ନିୟମାବଳୀ ବିଧିଭୁକ୍ତ ହେଉ

ନିଊଜ ସିଣ୍ଡିକେଟ

ଭାଷା ଆଂଦୋଳନର ସଭାପତିମଣ୍ଡଳୀ ଦ୍ଵାରା ଆହୁତ ରାଜ୍ୟ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀ ଜୁଲାଇ ୧୭ରେ ଭୁବନେଶ୍ବରର ଲୋହିଆ ଏକାଡ଼େମୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଓଡ଼ିଶାର ସରକାରୀ ଭାଷା ଆଇନ, ୧୯୫୪ ଦ୍ଵାରା ଓଡ଼ିଶାର ପରିଚାଳନା ପାଇଁ ୪ ଗୋଟି ଗୁରୁତ୍ବପୂର୍ଣ ପ୍ରସ୍ତାବ ଗ୍ରହଣ କରାଯାଇଛି । ଭାଷା ଆନ୍ଦୋଳନ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତି ନିମ୍ନରେ ସ୍ଥାନିତ ହେଲା ।

ମାତୃଭାଷାପ୍ରେମୀ ସମ୍ମିଳନୀ , ଭାଷା ଆନ୍ଦୋଳନ, ଓଡ଼ିଶା
ଲୋହିଆ ଏକାଡେମୀ, ଭୁବନେଶ୍ବର , ୧୭.୭.୨୦୧୯
ଭାଷା ଆଂଦୋଳନର ସଭାପତିମଣ୍ଡଳୀର ସଭ୍ୟ ବିଶିଷ୍ଟ ବୈଜ୍ଞାନିକ ଡଃ ଅଶୋକ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ପ୍ରଥମ ମାତୃଭାଷା ପ୍ରେମୀ ସମ୍ମିଳନୀ ଏହି ଆଂଦୋଳନର ପ୍ରତିଷ୍ଠାତା ସାଥୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଦତ୍ତ ଭିତ୍ତିପତ୍ର ଉପରେ ସବିଶେଷ ଆଲୋଚନା କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି କି,, ରାଜ୍ୟ ସରକାର ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଅଧିନିୟ,ମ 2018 ସହାୟତାରେ ଓଡ଼ିଶା ସରକାରୀ ଭାଷା ଆଇନରେ ଖଞ୍ଜିଥିବା ଧାରା 4କ ଭାଷା ଆଇନର ତଥା ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ କରିବାକୁ ଉଦ୍ଦିଷ୍ଟ। ଏତଦ୍ଦ୍ବାରା ଭାଷା ଆଇନରେ ବଳବତ୍ତର ଥିବା ଧାରା ୧ର ଉପଧାରା (୨) ଓ ଧାରା ୨ର ଉପଧାରା (୧)କୁ ଦୁର୍ବଳ କରିବାର ଅପଚେଷ୍ଟା ହୋଇଛି ଓ ମୂଳ ଭାଷା ଆଇନର ସୀମା ସଂକୋଚନ କରାଯାଇ ଆଇନଟିର କାର୍ଯ୍ୟକାରୀତାକୁ ଅମଲାତନ୍ତ୍ରର ମର୍ଜି ଉପରେ ଛାଡିଦିଆଯାଇଛି । ଅପରପକ୍ଷେ ସମ୍ପୂର୍ଣ ଅନଧିକୃତ ଭାବେ ଖଞ୍ଜା ହୋଇଥିବା ଧାରା ୪ ପ୍ରୟୋଗ କରି ଭାଷା ବିଧାନକୁ ନିଷ୍ଫଳ କରାଇବାର ଅପଚେଷ୍ଟା ହୋଇଛି ଓ ମନ୍ତ୍ରୀସ୍ତରୀୟ କମିଟି ଅନୁମୋଦନ କରିଥିବା ଶ୍ରୀ ପଟ୍ଟନାୟକଙ୍କ ପ୍ରଦତ୍ତ ନିୟମାବଳୀକୁ ଅନ୍ତର୍ହିତ କରାଯାଇ ଓଡ଼ିଆ ଜାତିର ଭାଷା ଅଧିକାରକୁ କ୍ଷୁର୍ଣ କରାଯାଇଛି । ତେଣୁ ଏହି ସମ୍ମିଳନୀ ପ୍ରସ୍ତାବ କରୁଛି କି,
୧। ଓଡ଼ିଶା ସରକାରୀ ଭାଷା ଆଇନରେ ଅନଧିକୃତ ଭାବେ ଖଞ୍ଜା ଯାଇଥିବା ଧାରା ୪ କୁ ରଦ୍ଦ କରାଯାଉ ;
୨। ରାଜ୍ୟ ମନ୍ତ୍ରୀମଣ୍ଡଳର ୧୪.୩.୨୦୧୮ ତାରିଖର ନିଷ୍ପତ୍ତିକୁ ଲୁଚାଇ ରଖି ୨୬.୧୨.୨୦୧୭ ତାରିଖର ଅତିକ୍ରାନ୍ତ ପ୍ରସ୍ତାବ ସହ ଯୋଡ଼ାଯାଇ ଯେଉଁ ୪କ ଧାରା ତିଆରି କରାଯାଇଛି ତଦ୍ଦ୍ଵାରା ମୂଳ ଭାଷା ଆଇନର ସୀମା ସଂକୋଚନ ହୋଇଥିବା ହେତୁ ଓ ତାହା ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ କରିବା ପାଇଁ ଉଦ୍ଦିଷ୍ଟ ଥିବା ହେତୁ ତାହାକୁ ବିଲୋପ କରାଯାଇ ମୂଳ ଭାଷା ଆଇନର ଧାରା ୧ର ଉପଧାରା (୨) ଓ ଧାରା ୨ର ଉପଧାରା (୧)କୁ ଶକ୍ତିଶାଳୀ ଓ ଅଲଙ୍ଘ୍ୟା କରିବା ପାଇଁ ନୂତନ ଧାରା ପ୍ରଣୀତ ହେଉ;
୩। ଓଡ଼ିଶା ସରକାରୀ ଭାଷା ଆଇନର ନିଖୁଣ କାର୍ଯ୍ୟକାରୀତା ପାଇଁ ଭାଷା ଆଂଦୋଳନର ପ୍ରତିଷ୍ଠାତା ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିରେ ଦେଇଥିବା ନିୟମାବଳୀକୁ ବିଧିକ ରୂପ ଦିଆଯାଉ ଓ ତଦନୁଯାୟୀ, ଓଡ଼ିଆ ଭାଷାରେ ସେବା ନ ଦେବା କର୍ମଚାରୀ ଓ କର୍ତ୍ତୃପକ୍ଷଙ୍କୁ ଦଣ୍ଡବିଧାନ ପାଇଁ ଆପତ୍ତି ଉଠାଇବାର ଓ ମକଦ୍ଦମା କରିବାର ଅଧିକାର ଓଡ଼ିଆ ଜାତିର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରଦତ୍ତ ହେଉ;
୪। ଓଡ଼ିଶା ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା ତନଖିବା ଓ ନିଜର ଅଭିମତ ଓ/ବା ଆପତ୍ତି ଅଭିଯୋଗ ରଖିବା ପାଇଁ ଏକ ମଞ୍ଚ ଭାବେ ଯେଉଁ ସ୍ଵତନ୍ତ୍ର ୱେବ୍ ସାଇଟ୍ ନିର୍ମିତ ହୋଇଥିଲା ତାହାକୁ ନିଷିଦ୍ଧ ରଖାନଯାଇ ସାର୍ବଜନୀନ କରାଯାଉ ।

ସ୍ଵା। କମଳ ଲୋଚନ ନାୟକ
ପ୍ରସ୍ତାବକ
ସ୍ଵା। ଗିରିଜାକାନ୍ତ ମିଶ୍ର
ସ୍ଵା। ଅଶୋକ ପରିଡ଼ା
ସମର୍ଥକ

ଲୁଚା ଯାଇଥିବା ଅପରାଧ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସରକାରଙ୍କ ପାଲରେ ପଡ଼ି ନିଜ ସ୍ଵାର୍ଥ ହାସଲ ପାଇଁ ଭାଷା ଆନ୍ଦୋଳନକୁ ଛୁରି ମାରି ପ୍ରଦ୍ୟୁମ୍ନ ଶତପଥୀ ଜନଚକ୍ଷୁରେ ମୋତେ ନିନ୍ଦିତ କରିବା ପାଇଁ NNS ଚ୍ୟାନେଲ ବ୍ୟବହାର କରି ୟୁ ଟ୍ୟୁବ ସହ ଜୀବନ୍ତ ସଂଯୋଗରେ ମୋର ଚରିତ୍ରହନନ କରିଥିଲେ ଓ ତାହାକୁ https://www.facebook.com/nnsodia/videos/259228898264197/ ସହାୟତାରେ ବହୁ ସହସ୍ର ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇଥିଲେ । ମୁଁ ଯେତେବେଳେ ତାଙ୍କୁ ସ୍ପଷ୍ଟୀକରଣ ମାଗିଲି ସେ ଉପରୋକ୍ତ ଚ୍ୟାନେଲର ଶରଣାପନ୍ନ ହୋଇ ତାହାକୁ ଊହ୍ୟ କରାଇ ମୋତେ ପଚାରିଲେ – କାଇଁ କେଉଁ ଭିଡିଓ ?

ମୁଁ ତାହାର ସଂଗୃହୀତ ନକଲ ଏଠି ରଖିବାକୁ ଯାଉଛି ଏଇଥିପାଇଁ ଯେ, ଏହା ସହ ମୁଁ ତାଙ୍କୁ ସାମ୍ନା କରାଇବି ଓ ଅପରାଧ କରି ସେ ଓ ଅନ୍ୟମାନେ ଯେପରି ଖସି ନ ଯାଆନ୍ତି -ଏହା ସୁନିଶ୍ଚିତ କରିବି ।

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୧୭

କତରା ଘୋଡେଇ ହେଲେ ଯମ କି ଛାଡ଼ିବ? ସୁପାରି ଆତତାୟୀଙ୍କ ବାକ୍ ଚାତୁରୀର ଚଦର ଢାଙ୍କି ହୋଇ ଆମ ଭାଷା ମାଆକୁ ଛୁରୀ ମାରି ଖସିଯିବାକୁ ବସିଥିବା ବିଦେଶୀଭାଷାପ୍ରେମୀ ସରକାରଙ୍କୁ ଆମ ଜାତି କଣ ଛାଡିଦେଇଥାନ୍ତା?

ଯାହା ଘଟିଗଲା ତାହାର ଏକ ସଂକ୍ଷିପ୍ତ ବିବରଣୀ ରଖିଥିଲା bhashaandolan.com ସେପ୍ଟେମ୍ବର ୮, ୨୦୧୮ତାରିଖରେ ପ୍ରକାଶିତ http://bhashaandolan.com/1301/ ସରଣୀରେ ।
ପ୍ରାସଙ୍ଗିକତା ଦୃଷ୍ଟିରୁ ତାହା ନିମ୍ନରେ ଉଦ୍ଧୃତ୍ତ ହେଲା ।

ସରକାର ଛାନିଆ : କଳାପତାକା ଅଭିଯାନ ଘୋରତର ହେବାରୁ ଆଇନ ସଂଶୋଧନ ପାଇଁ କ୍ୟାବିନେଟ ନିଷ୍ପତ୍ତି
ବିଶେଷ ସମ୍ବାଦଦାତା

ଓଡ଼ିଆ ଭାଷାକୁ ଅକାମି କରି ରଖିବା ପାଇଁ ସରକାର ଚଳାଇଥିବା ସବୁ ଷଡଯନ୍ତ୍ର ପଣ୍ଡ ହେବାରେ ଲାଗିଛି ।

ବୁଦ୍ଧିର ଲଢ଼େଇରେ ନ ପାରିବା ଫଳରେ ଭାଷା ଆନ୍ଦୋଳନର କିଛି ଅସାଧୁ ବ୍ୟକ୍ତିଙ୍କୁ ସୁପାରୀ କିଲର ପରି ବ୍ୟବହାର କରି ଜୁଲାଇ ୧୬ରୁ ପୁନଃ ଆରମ୍ଭ ହେବାକୁ ଥିବା କଳାପତାକା ଅଭିଯାନକୁ ନିସ୍ପନ୍ଦ କରାଇ ଦେବାକୁ ଚକ୍ରାନ୍ତ କରିଥିଲେ ସରକାର । କଳାପତାକା ଅଭିଯାନ ପଦ୍ଧତ୍ତିର ସ୍ରଷ୍ଟା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତହିଁର ପ୍ରୟୋଗ ପାଇଁ ସାଙ୍ଗଠନିକ ମଂଚ ଭାବେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲାବେଳେ, ପ୍ରତିଦିନ କଳାପତାକା ଧରିବା ପାଇଁ ସାଥୀ ଯୋଗାଇବା ଦାୟିତ୍ବ ନେଇଥିଲେ ପ୍ରଦ୍ୟୁମ୍ନ ଶତପଥୀ ଓ ପ୍ରତିଦିନର ବିବରଣୀ ଗଣମାଧ୍ୟମକୁ ପଠାଇବା ଥିଲା ପବିତ୍ର ମହାରଥାଙ୍କ କାମ , ଯାହାକୁ କି ସେମାନେ ତୁଲାଉଥିଲେ । ସୁତରାଂ ଶ୍ରୀ ପଟ୍ଟନାୟକ ଆନ୍ଦୋଳନର ରଣନୀତି ତିଆରିକରିବା, ତା ସପକ୍ଷରେ ସାହିତ୍ୟ ସୃଷ୍ଟିକରିବା ଓ ସରକାରୀ କଳକୁ ସାମ୍ନା କରିବା କାର୍ଯ୍ୟ ସଫଳତାର ସହ କରିପାରୁଥିଲେ ।

ରାଜ୍ୟ ମନ୍ତ୍ରୀମଣ୍ଡଳ ବାଧ୍ୟ ହୋଇ ଆଇନ ସଂଶୋଧନ କରିବାକୁ ନିଷ୍ପତ୍ତି ନେଲାପରେ, ଭ୍ରମାତ୍ମକ ଭାବେ ସଂଶୋଧନ ଚିଠା ତିଆରିକରି ରାଜ୍ୟର ଇଂରାଜୀମନସ୍କ ଅମଲାତନ୍ତ୍ର ମୁଖ୍ୟମନ୍ତ୍ରୀ/ମନ୍ତ୍ରୀଙ୍କୁ ଉପଯୋଗ କରି ବିଧାନସଭାର ଗତ ଅଧିବେଶନରେ ଏପରି ସଂଶୋଧନ ଘଟାଇଲେ ଯେ, ତଦ୍ଦ୍ଵାରା ମୂଳ ଆଇନଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଓଡ଼ିଆ ଭାଷା ଅଧିକ ବିପଦାପନ୍ନ ହେବା ସୁନିଶ୍ଚିତ ବୋଲି ଆଶଙ୍କା ଉପୁଜିଲା । ତେଣୁ ସେହି ସଂଶୋଧନକୁ ପ୍ରତ୍ୟାଖ୍ୟାନ କରି ବିଧାନସଭାକୁ ଫେରାଇ ଦେବାପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କୁ ଅନୁରୋଧ କଲେ ଓ ତାହା ଫଳବତୀ ନ ହେବାରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସଂଶୋଧନଟି କାହିଁକି ଓଡ଼ିଆ ଭାଷା ପାଇଁ ଅଧିକ କ୍ଷତିକାରକ ତାହା ଜଣାଇଲେ ଏବଂ ତାହାର ବିଲୋପନ ପାଇଁ ପଦକ୍ଷେପ ନେବା ସଂଗେ ସଂଗେ ସାନି ସଂଶୋଧନ ଦ୍ଵାରା ଆଇନଟିକୁ ସମ୍ପୂର୍ଣ ତ୍ରୁଟିଶୂନ୍ୟ କରିବାକୁ ଅନୁରୋଧ କଲେ । ବସ୍ତୁତଃ, ସେହି ଆପତ୍ତିଜନକ ସଂଶୋଧନ ସମ୍ପୂର୍ଣ୍ଣତଃ ବିଲୋପନ କରା ନଗଲେ, ମୂଳ ଭାଷା ଆଇନଟି କେବେ ବି ତହିଁର ଉଦ୍ଦେଶ୍ୟ ଅନୁରୂପ କାର୍ଯ୍ୟକାରୀ ହେବ ନାହିଁ – ଏହା ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ । ସରକାର ଅଡୁଆରେ ପଡ଼ିଗଲେ । ସୁତରାଂ ଭାଷା ଆନ୍ଦୋଳନକୁ ଅକାମି କରାଇଦେବାପାଇଁ ଆତତାୟୀ ଖୋଜା ଚାଲିଲା ଓ ସରକାର ଉପରୋକ୍ତ ଦୁଇ ବ୍ୟକ୍ତିଙ୍କୁ କରାୟତ କରିନେଲେ । ସରକାର ଭାବିଥିଲେ ଯେ, ଉପରୋକ୍ତ ଦୁଇ ବ୍ୟକ୍ତି ଯେହେତୁ ପ୍ରତ୍ୟହ ଲୋକ ଯୋଗାଣ ଓ ସମ୍ବାଦ ସମ୍ପ୍ରସାରଣ କରୁଥିବା ହେତୁ କଳାପତାକା ଅଭିଯାନ ଚାଲିଥିଲା,ସେମାନଙ୍କୁ ଆୟତ୍ତକୁ ନେଇଗଲେ ତାହା ଆପେ ଆପେ ବନ୍ଦ ହୋଇଯିବ । ତାହା ହେଲା ନାହିଁ ।

ଏହି ବିଶ୍ଵାସଘାତକତା ପରେ କିଛି ସମୟର ଦୁଃଖ-ଝଡ଼ରେ ଝାଉଁଳି ପଡିଥିବା ଓଡ଼ିଆ ଜାତି ଜୁଲାଇ ୧୭ ତାରିଖ ସକାଳେ ନବବିକ୍ରମରେ ଜାଗିଉଠିଲା । ଜୁଲାଇ ୧୭ରେ କଳାପତାକା ଅଭିଯାନର ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ବିଧାନସଭା ସମ୍ମୁଖରେ ଆସି ପହଞ୍ଚିଲେ ସୂର୍ଯ୍ୟକାନ୍ତ ମାହାଲି ଓ ପ୍ରଭାତ ମାହାଲି ଏବଂ ସେହିମାନେ ହିଁ ସୁଭାଷ ବାବୁଙ୍କ ସହ ଚାଲି ସେହି ଘୋର ସଂକଟଜନକ ସ୍ଥିତିରେ ବଞ୍ଚାଇ ରଖିଲେ ଅଭିଯାନକୁ । ତହିଁ ପରଦିନ ଜୁଲାଇ ୧୮ରେ ଆସିଲେ ବୈଜ୍ଞାନିକ ଡଃ ଅଶୋକ ମିଶ୍ର । ଜୁଲାଇ ୧୯ରେ କୁମାରୀ ସଂଘମିତ୍ରା ଜେନା ଓ ସମ୍ବଲପୁରର ଆନନ୍ଦ ମହାପାତ୍ର କଳାପତାକା ତୋଳି ଭାଷା ଜନନୀଙ୍କ ବିଜୟଯାତ୍ରା ଚଳାଇ ରଖିଲେ । ତହିଁ ପରଦିନ ଡଃ ଅଶୋକ ମିଶ୍ରଙ୍କ ସାଙ୍ଗକୁ ଯୋଗ ଦେଲେ ଅମିତ ଅଭିଜିତ ସାମଲ ଓ ସୁଜିତ କୁମାର ନାୟକ । ତା ପରଦିନ ଭାଷା ଜନନୀଙ୍କ ବିଜୟ ଧ୍ଵଜା ତୋଳିଲେ ବୌଦ୍ଧ ଜିଲ୍ଲାର ଜନନେତା ଅବକାଶ ସାହୁ ଓ ଭୁବନେଶ୍ଵରର ଛାତ୍ରନେତା ଲଲିତ ମହାନନ୍ଦ ଓ ସିଲୁ ପ୍ରସାଦ ସାମଲ । ଜୁଲାଇ ୨୨ରେ ଅଭିଯାନ ଚଳାଇଲେ ସଙ୍ଘମିତ୍ରା ଜେନା, କୃପାସିନ୍ଧୁ ଦାଶ, ରାକେଶ କୁମାର ଚାନ୍ଦ । ତହିଁ ପରଦିନ ଦର୍ପଭରେ କଳାପତାକା ଉଡ଼ିଲା ବିନୟ ପାଣିଗ୍ରାହୀ,କିରଣ କୁମାର ନାୟକ, ସାଗର ବେହେରା ଓ ସୌମ୍ୟ ରଞ୍ଜନ ନାୟକଙ୍କ ହାତରେ । ଭାଷା ମାଆର ଘୋର ବିପତ୍ତି ବେଳାରେ ତାର ଉପରୋକ୍ତ ସନ୍ତାନମାନେ ଯେଉଁ ସଂହତି ପ୍ରଦର୍ଶନ କଲେ, ବିଶେଷତଃ ସଂଘମିତ୍ରା, ସୌମ୍ୟ ଓ ସାଗର ଯେପରି ନିଜର ସମସ୍ତ ଜଞ୍ଜାଳ ଭୁଲି, ଏପରିକି ଘରଦ୍ଵାର ଭୁଲି ଭୟଙ୍କର ବର୍ଷାରେ ଭିଜି ଅଭିଯାନଟିକୁ ଆତତାୟୀମାନଙ୍କ କବଳରୁ ରକ୍ଷା କଲେ, ତାହା ସାବ୍ୟସ୍ତ କରିଦେଲା ଯେ, ଓଡ଼ିଆ ଜାତି ତା ଭାଷାଜନନୀକୁ ରକ୍ଷା କରିବାକୁ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଯିବ ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓଡ଼ିଆଭାଷାପ୍ରାଣମାନେ ଧାଇଁଆସିଲେ କଳାପତାକା ଧରିବା ପାଇଁ । କବି ଗଜାନନ ମିଶ୍ର, କମଳ ଲୋଚନ ନାୟକ , ସୁଭାଷ ଚନ୍ଦ୍ର ପ୍ରଧାନ, ଶିଶିର କୁମାର ସାହୁ, ଅମିତ ଅଭିଜିତ ସାମଲ, ଡକ୍ଟର କୁଳମଣି ନାୟକ, ଭବାନୀଶଙ୍କର ପରିଜା, ମନୋଜ କୁମାର ପଣ୍ଡା, ବୀର କିଶୋର ବେହେରା , ରାଜନାରାୟଣ ଡ଼ାଳୁଆ, ତ୍ରିଲୋଚନ ବାରିକ, ସୁଭାଷ ଚନ୍ଦ୍ର ସାହୁ, ସୁଜିତ କୁମାର ନାୟକ , ରାକେଶ କୁମାର ଚାନ୍ଦ , ପ୍ରମୋଦ ପଢ଼ିଆରୀ, ଜିତେନ୍ଦ୍ର ସାସମଲ , ସତ୍ୟନାରାୟଣ ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ , ରା଼ଞ୍ଜୁଲତା ମହାପାତ୍ର, ନିରାକାର ସାହୁ , ଅଶୋକ ମହାନ୍ତି, ଗୋପୀନାଥ କିଷାନ , ଜ୍ୟୋତିପ୍ରକାଶ ମହାନ୍ତି, ତପନ କୁମାର ସେଠି , ପ୍ରଭାତ କୁମାର ବେହେରା, ଗଣେଶ ଚନ୍ଦ୍ର ପରିଡା , ସ୍ପନ୍ଦନ ଜ୍ଞାନଜିତ, ନରେଶ କୁମାର ମହାନ୍ତି , ଦିଲ୍ଲୀପ କୁମାର ସାମନ୍ତରାୟ, ଅଭିଷେକ ଦାଶ , ଦିବ୍ୟଜ୍ୟୋତି ଜେନା, ଆଶିଷ କୁମାର ଦାଶ , ତପନ ପାଢ଼ୀ, ପ୍ରଦୀପ ପ୍ରଧାନ , ପ୍ରସନ କୁମାର ପ୍ରଧାନ,ପ୍ରମୋଦ ରାଉତ, ଦେବାଶିଷ ଶତପଥୀ, ବୀରେନ୍ଦ୍ର ଚୌହାନ, ନିକୁଞ୍ଜ ବିହାରୀ ପଣ୍ଡା , ସଞ୍ଜୟ ସାହୁ, ଦୀପକ କୁମାର ସାହୁ, ଅଜୟ କୁମାର ଜେନା, ହରେକୃଷ୍ଣ ପଟ୍ଟନାୟକ, ସୁଜିତ କୁମାର ନାୟକ, ମାନସ ବିଶୋଇ, ସଂଗ୍ରାମ କେଶରୀ ବେହେରା,କେଦାରନାଥ ସାହୁ, ସରୋଜ ମହାପତ୍ର, ତପନ ମହାନ୍ତି, ନରେନ୍ଦ୍ର କୁମାର ବେହେରା, ନରେନ୍ଦ୍ର କୁମାର ସେଠି, ସୁବାସ ଚନ୍ଦ୍ର ହୋତା, ରିଂକନ ନାରାୟଣ, ଧ୍ରୁବ ଚରଣ ମହାନ୍ତି, ପ୍ରଦ୍ୟୋତ କୁମାର ବିଶୋଇ , ବିଜୟ ମଲ୍ଲିକ, ମାନସୀ ବିଶ୍ବାଳ, ରାଜଲକ୍ଷ୍ମୀ ନାୟକ, ନନ୍ଦିନୀ ଶତପଥୀ,କବିତା ସାମନ୍ତରାୟ , ଲଲାଟ ଚନ୍ଦ୍ର ପାତ୍ର, ପ୍ରିତୀଶ କୁମାର ବଳିୟାରସିଂହ , ପ୍ରଶ୍ନଜିତ ରାୟ, ଅମୁଲ୍ୟ ଦାଶ , ସନ୍ଦୀପ ମହାନ୍ତି, ଶ୍ରୀନୁ ନାୟକ ପ୍ରମୁଖ । ରାଜେନ୍ଦ୍ର ବିଶ୍ବାଳଙ୍କ ନେତୃତ୍ବରେ ବ୍ୟାସନଗରରେ ଯେମିତି କଳାପତାକା ଚାଲିରହିଲା, ଅଶୋକ ପରିଡାଙ୍କ ନେତୃତ୍ବରେ ସେମିତି ଫୁଲବାଣୀରେ । ସରକାର ଚମକିଲେ ।

ସତ୍ୟଭାମାପୁରରୁ ଭୁବନେଶ୍ବର

ଅଗଷ୍ଟ ୧୭ରେ କୁଳଗୌରବ ମଧୁସୂଦନ ଦାସ ଭୂମିଷ୍ଠ ହୋଇଥିବା ଘରୁ ସତ୍ୟଭାମାପୁରର ଛାତ୍ରଛାତ୍ରୀମାନେ “ଆମ ଭାଷା ମାଆକୁ ଆତତାୟୀମାନଙ୍କ କବଳରୁ ରକ୍ଷାକର” ବୋଲି କହି, କଳାପତାକା ଧରାଇଦେଲେ କେନ୍ଦ୍ରାପଡ଼ା ଜିଲ୍ଲାର ରଞ୍ଜନ କୁମାର ଦାସ, ଓ କଟକ ଜିଲ୍ଲାର ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଆସୁଥିବା ଓଡ଼ିଆ ଭାଷା ଜନନୀଙ୍କ ବିଜୟ ବାହିନୀକୁ ଯେଉଁମାନଙ୍କ ଭିତରେ ଥିଲେ ଉପରୋକ୍ତ ଦୁଇ ସୁଯୋଗ୍ୟ ଓଡ଼ିଆଙ୍କ ସମେତ ଆଲୟ ସାମନ୍ତରାୟ,ନରେଶ ବେଉରା, ଆଶିଷ କୁମାର ଖଟୁଆ, ସୂର୍ଯ୍ୟ ପ୍ରକାଶ ପାଣି, ଓ ପ୍ରତାପ ମହାନ୍ତି । ଦୀର୍ଘ ୮୭ କିଲୋମିଟର ବାଟ ପାଦରେ ଚାଲି ଚାଲି ସମଗ୍ର ଅଂଚଳରେ ଭାଷା ଜନନୀଙ୍କ ବିପତ୍ତି ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇ ଏହି ବିଜୟବାହିନୀ ଯେତେବେଳେ ରାଜଧାନୀ ଭୁବନେଶ୍ୱରରେ ପହଁଚିଲା ସାରା ସହର ଚେଇଁ ଉଠିଲା ନିଦରୁ ତାର ମା ପାଇଁ । ନାହିଁନଥିବା ଉନ୍ମାଦନା ଖେଳିଗଲା ଭାଷା ମା ପାଇଁ ପ୍ରତିବଦ୍ଧତାର ତାଳେ ତାଳେ । ଉପରୋକ୍ତ ସୌମ୍ୟ ରଞ୍ଜନ ନାୟକ ସାମାଜିକ ଗଣମାଧ୍ୟମ Face bookରେ ତହିଁର ସିଧାପ୍ରସାରଣ କରି ଛନକା ଭରିଦେଲେ ସରକାରଙ୍କ ଛାତିରେ । ସାଧାରଣ ମଣିଷର ବୌଦ୍ଧିକସ୍ଵର ଭାବେ ସୁବିଦିତ ସତୀଶ ମିଶ୍ର ପ୍ରତିଜ୍ଞା ଟିଭିର ଛାଇ ଶୀର୍ଷକରେ ତାକୁ ଜନର୍ପିତ କଲେ ।

ନାମଫଳକ ପ୍ରହସନ

ସରକାର ଏତେ ଅତର୍ଛି ଗଲେ ଯେ, ଲୋକଙ୍କୁ ତୁରନ୍ତ ଆଶ୍ଵାସନା ଦେବାପାଇଁ ଏହି ଝଟକାର ସପ୍ତାହେ ନ ପୂରୁଣୁ ଅଗଷ୍ଟ ୨୧ ତାରିଖରେ ଏକ ଉଚ୍ଚସ୍ତରୀୟ କମିଟି ବସାଇ ୧୫ ଦିନ ଭିତରେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବାକୁ , ତା ନ ହେଲେ ଦଣ୍ଡବିଧାନର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଲେ । କଳାପତାକାର ତେଜ କବଳରୁ ନିସ୍ତାର ପାଇବା ପାଇଁ ଏହା ତତ୍କାଳ କେବଳ ଏକ ପ୍ରହସନ ଥିଲା ।

ତେଣୁ ଏଥିରେ ବିଭ୍ରାନ୍ତ ନ ହୋଇ , ନିଜ ମାତୃଭାଷା ପାଇଁ ପ୍ରତିବଦ୍ଧ ଓଡ଼ିଆ ଭାଇଭଉଣୀମାନେ ଏ ଅଭିଯାନକୁ ତେଜୀୟାନ କରିଚାଲିଲେ ।

ଖୋର୍ଦ୍ଧାରୁ ଭୁବନେଶ୍ବର

ସେପ୍ଟେମ୍ବର ୫ ଥିଲା ଗୁରୁଦିବସ । ସେଦିନ ଖୋର୍ଦ୍ଧାରୁ କଳାପତାକା ଧରି ମାତୃଭାଷାର ବିଜୟବାହିନୀର ବିଶିଷ୍ଟ ସଦସ୍ୟ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ , ଡକ୍ଟର ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା,ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରଶ୍ନଜିତ ରାୟ ପ୍ରମୁଖ ଭାଷା ଆନ୍ଦୋଳନର ଅନ୍ୟତମ ତୁଙ୍ଗ ନେତା କମଳ ଲୋଚନ ନାୟକ ଓ ଜିଲ୍ଲା ସଭାପତି ବିଭୁଦେନ୍ଦ୍ର ବିଦ୍ୟାଧରଙ୍କ ନେତୃତ୍ବରେ କଳାପତାକା ଓ ଦାବିଫଳକ ସହ ଭୀଷଣ ବର୍ଷାକୁ ବେଖାତିର କରି ଚାଲିଚାଲି ଭୁବନେଶ୍ୱର ଆସି ନିଜ ଭାଷା ଜନନୀ ପାଇଁ ଓଡ଼ିଆ ଜାତି କିପରି ଜାଗିଉଠିଲାଣି ତାହାର ଏକ ଝଲକ ଦେଲେ ଯେଉଁଥିରେ ଝଳି ଉଠିଥିଲା ଭାଷା ଆନ୍ଦୋଳନର ଦାବି : “ସରକାରୀ ଷଡଯନ୍ତ୍ର ବନ୍ଦ ହେଉ , ଭାଷା ଆଇନର ନିର୍ଭୁଲ ସଂଶୋଧନ ହେଉ ।”

ଏହା ସରକାରଙ୍କ ଛାତିରେ ଛନକା ଭରିଦେଇଛି । ଖୋର୍ଦ୍ଧା ବାହିନୀ ରାଜଧାନୀରେ ଭାଷା ଅସ୍ମିତାର ଵୀରତ୍ବବ୍ୟଞ୍ଜକ ସ୍ଵାକ୍ଷର ଖୋଦିତ କରିବାର ଦିନକ ପରେ ଭଉଣୀ ସଙ୍ଗୀତା କିଷାନ, ମାହେ ନିଖାତ୍, ରୀନା ବେହେରା ଓ ଉଷା ଶୁକ୍ଲା ଗତକାଲି କଳାପତାକା ଅଭିଯାନରେ ଯୋଗ ଦେବା ଓ ଛାତ୍ରସଂଘର ନେତ୍ରୀ ସଂଘମିର ଜେନା ବି ସେମାନଙ୍କ ସହ ସାମିଲ ହେବା ସରକାରଙ୍କୁ ଛାନିଆ କରିଦେଇଛି ।

ଏହି ପ୍ରବଳ ଚାପର ସମ୍ମୁଖୀନ ହୋଇ, ସରକାର ଅତର୍ଚ୍ଛରେ ଭାଷା ଆଇନ ପୁନଃ ସଂଶୋଧନ ପାଇଁ ସେପ୍ଟେମ୍ବର ୭ ତାରିଖର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।
ଯେତିକି ବାହାରକୁ ଜଣାପଡୁଛି, କଳାପତାକା ଅଭିଯାନ ଚାପରେ ସରକାର ଆଇନ ସଂଶୋଧନ ପାଇଁ ଆପାତତଃ ପ୍ରସ୍ତୁତ । ଏଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳ ଆଉ ଏକ ସୁଯୋଗ ଦେଇଛି । ଏହି ସୁଯୋଗର ସଦୁପଯୋଗ କରି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଶାସନକଳ ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ପ୍ରଦାନ କରିଥିବା ପତ୍ରାନୁସାରେ ନିର୍ଭୁଲ ଭାବେ ଭାଷା ଆଇନଟିକୁ ଏହି ବିଧାନସଭାରେ ସଂଶୋଧନ ଓ ଆଇନଟିର ଉଦ୍ଦେଶ୍ୟ ପଣ୍ଡକରୁଥିବା ୧୯୬୩ ଓ ୨୦୧୮ର ସଂଶୋଧନଗୁଡ଼ିକର ବିଲୋପନ କରି ଓଡ଼ିଆ ଭାଷାକୁ ବିପଦମୁକ୍ତ କରିବେ ବୋଲି ଭାଷା ଆନ୍ଦୋଳନ ଆଶା କରୁଛି ।”

ଭାଷା ଆନ୍ଦୋଳନର ଆଶା ଆଶାରେ ରହିଗଲା । ୧.୫.୨୦୧୮ ତାରିଖରେ ଭାଷା ଆଇନ ସଂଶୋଧନ କରି ଯେଉଁ ୪-କ ଧାରା ତହିଁରେ ଖଞ୍ଜା ହୋଇଥିଲା ତାକୁ ଆମ ଦାବି ଅନୁସାରେ ବିଲୋପ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ସ୍କାମ୍ ପରି ଗର୍ହିତ ଅପରାଧ ଧରା ପଡ଼ିଯାଇଥାନ୍ତା ଏବଂ ଆମ ଭାଷାକୁ ସରକାରୀ ଭାଷା କରାଇ ନ ଦେବା ପାଇଁ ଚାଲିଥିବା ଚକ୍ରାନ୍ତ ପଣ୍ଡ ହୋଇଯାଇଥାନ୍ତା । ତେଣୁ ସେହି ଅବୈଧ ୪-କ ଧାରାର ବୈଧତା ତିଆରି ପାଇଁ ବିଧାନସଭାକୁ ପୁନଶ୍ଚ ବ୍ୟବହାର କରିବା ପାଇଁ ମସୁଧା ଚାଲିଲା । (କ୍ରମଶଃ)

୬.୭.୨୦୧୯