“ପ୍ରିୟ ଓଡ଼ିଶାର ଜନସାଧାରଣ, ଦୟାକରି ତଳ ଚିଠିଟିକୁ ପଢନ୍ତୁ , ପଢିବା ହୁଅନ୍ତୁ । ଏହାକୁ କେମିତି କେଉଁ ସୂତ୍ରରୁ ଜାଣିଲା ପରେ ମାନ୍ୟବର ପବିତ୍ର ମହାରଥା ମୋତେ ଏବେ ଦୁଇ ମିନିଟ ପୂର୍ବରୁ ଫୋନରେ ଯାଚ୍ଛାତାଗାଳି କରି କହିଲେ ଯେ, “ମୋ ଛୁଆପିଲାଙ୍କୁ କିଆଁ ମାରୁଛନ୍ତି?” ମୁଁ ବୁଝିପାରିଲି ନାହିଁ । ଓଡ଼ିଶାର ସରକାରୀ ଭାଷା ଓଡ଼ିଆଭାଷାର ବ୍ୟବହାର ଉପରେ ଏ ଚିଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି , ଏଠି ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ଛୁଆପିଲାଙ୍କୁ ମାରିବା କଥା ଆସୁଛି କୁଆଡୁ ? ତେଣୁ ମୁଁ ତାଙ୍କୁ ଯେତେ ପଚାରିଲି, ସେ କହୁଛନ୍ତି “ନାଇଁ ନାଇଁ ଆପଣ ମାରୁଛନ୍ତି ।” କେମିତି କ’ଣ ମୋ ବୁଝିବା ବାହାରେ । କାହିଁକି, କ’ଣ ପାଇଁ ଭାଷା ପାଇଁ ଲଢେଇ କଲେ ଜଣଙ୍କର ଛୁଆପିଲା ମରିବେ ଏହା ଅନୁସନ୍ଧାନ ସାପେକ୍ଷ । ବରଂ ମା ଭାଷା ରହିଲେ ପରିଚିତି ରହିବ । ଏକତା ବଢିବ । ଆଇନ ଓ ସମ୍ବିଧାନ ସମ୍ମତ ହେବ । ପବିତ୍ର ମହାରଥାଙ୍କଆରୋପ କରିବାର ରହସ୍ୟ ଯଦି କାହାକୁ ଜଣା ଦୟା କରି କୁହନ୍ତୁ । ମୁଁ ତାଙ୍କ ଛୁଆପିଲାଙ୍କୁ ବହୁତ ସମ୍ମାନ କରେ, କରୁଥିବୀ ବି । ଭାଷା ଆନ୍ଦୋଳନ ସହିତ ତାଙ୍କ ଛୁଆପିଲାଙ୍କ ସମ୍ପର୍କ କ’ଣ ଜାଣିନି । ଯୋଉ ଯୋଉମାନେ ଭାଷା ଆନ୍ଦୋଳନ କରୁଛନ୍ତି ସମସ୍ତଙ୍କୁ ପବିତ୍ର ମହାରଥା ଗାଳି କରୁଥିବାର ଖବର ବି ପାଇଲିଣି ଇତି ମଧ୍ୟରେ । ଏହା କିଆଁ କରୁଛନ୍ତି ସେ?”
କେନ୍ଦ୍ରାପଡ଼ାର ଭାଷାପ୍ରାଣ ରଂଜନ କୁମାର ଦାସ ଏବଂ ତାଙ୍କ ସାଥୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି ୧୭.୮.୨୦୧୮ ତାରିଖରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମପୁରରୁ କଳାପତାକା ସହ ଭୁବନେଶ୍ଵରରେ ପହଞ୍ଚି ଘୋଷଣା କଲେ ଯେ, ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଫନ୍ଦି ସତ୍ତ୍ୱେ ଓଡ଼ିଶାର ଲୋକେ କଳାପତାକା ଅଭିଯାନ ସହ ଅଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସୁପରିଖିଆ ଲୋକେ କଳାପତାକା ଅଭିଯାନକୁ ଅଟକାଇବା ଅସମ୍ଭବ ଥିଲା ବେଳେ ୪.୯.୨୦୧୮ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଲା । ତହିଁ ପରଦିନ ଖୋର୍ଦ୍ଧାରୁ କଳାପତାକା ଧରି ମାତୃଭାଷାର ବିଜୟବାହିନୀର ବିଶିଷ୍ଟ ସଦସ୍ୟ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ , ଡକ୍ଟର ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା,ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରଶ୍ନଜିତ ରାୟ ପ୍ରମୁଖ ଭାଷା ଆନ୍ଦୋଳନର ରାଜ୍ୟ ଉପସଭାପତି କମଳ ଲୋଚନ ନାୟକ ଓ ଜିଲ୍ଲା ସଭାପତି ବିଭୁଦେନ୍ଦ୍ର ବିଦ୍ୟାଧରଙ୍କ ନେତୃତ୍ଵରେ ଭୀଷଣ ବର୍ଷାକୁ ବେଖାତିର କରି ଚାଲିଚାଲି ଭୁବନେଶ୍ୱର ଆସି ନିଜ ଭାଷାଜନନୀ ପାଇଁ ଓଡ଼ିଆ ଜାତି କିପରି ଜାଗିଉଠିଲାଣି ତାହାର ଏକ ଝଲକ ଦେଲେ ଯେଉଁଥିରେ ଝଳି ଉଠିଥିଲା ଭାଷା ଆନ୍ଦୋଳନର ଦାବି : ସରକାରୀ ଷଡଯନ୍ତ୍ର ବନ୍ଦ ହେଉ , ଭାଷା ଆଇନର ନିର୍ଭୁଲ ସଂଶୋଧନ ହେଉ ।
ସୁପାରିଖିଆ ଲୋକେ ଭାଷା ଆନ୍ଦୋଳନକୁ ଭାଙ୍ଗିପାରୁନାହାନ୍ତି ଦେଖି ମୁଖ୍ୟମନ୍ତ୍ରୀଙ୍କ ଶିବିରରେ ଭାଳେଣି ପଡ଼ିଯାଇଥିଲା ।
ବିଧାନସଭାରେ ଯଦି ଏହି ପ୍ରସଙ୍ଗ ଉଠେ, କ’ଣ ଉତ୍ତର ଦେବେ ବୋଲି ଚିନ୍ତା କରିନପାରି, ୧.୫.୨୦୧୮ରେ ହୋଇଥିବା ଭାଷା ଆଇନ ସଂଶୋଧନକୁ ପୁନଃ ସଂଶୋଧିତ କରି ୧୯.୯.୨୦୧୮ ତାରିଖରେ ୨୦୧୮ର ୨ୟ ସଂଶୋଧନ ବିଧାନସଭାରେ ପାରିତ କରାଇଲେ ନବୀନ ପଟ୍ଟନାୟକ ।
ସେ ଏତେ ଅତର୍ଚ୍ଛି ଯାଇଥିଲେ ଯେ, ତାଙ୍କ ବାପା ବିଜୁ ପଟ୍ଟନାୟକ ୧୯୬୩ରେ ଭାଷା ଆଇନର ପ୍ରଥମ ସଂଶୋଧନ କରି ଇଂରାଜୀ ଭାଷାକୁ ସରକାରୀ ଭାଷା କରାଗଲା ବୋଲି ଯେଉଁ ବ୍ୟବସ୍ଥା କରାଇଥିଲେ, ତାହାକୁ ଲୋପ କରିବା ପାଇଁ ମୁଁ ରଖିଥିବା ଦାବି ଅନୁଯାୟୀ ଏହି ୨ୟ ସଂଶୋଧନରେ କାର୍ଯ୍ୟାଳୟ ଭାଷା କହିଲେ କେବଳ ଓଡ଼ିଆ ଭାଷାକୁ ବୁଝାଇବ ବୋଲି ସ୍ପଷ୍ଟୀକରଣ-ବ୍ୟବସ୍ଥା ଖଞ୍ଜିବାକୁ ବାଧ୍ୟ ହୋଇଥିଲେ ଏହି ସଂଶୋଧନରେ । ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆବିଦ୍ଵେଷୀ ନାଟକ ବୋଲି ଆକ୍ଷେପ କରି ମୁଁ ବିଧାନସଭା ପ୍ରେସଗ୍ୟାଲେରୀ ପିଣ୍ଡାରେ ହିଁ ଉପସ୍ଥିତ ସମ୍ବାଦିକମାନଙ୍କୁ ଏହି ସଂଶୋଧନ ଭାଷା ଆନ୍ଦୋଳନ ପାଇଁ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲି । କାରଣ: (୧) ଧାରା ୩(କ) କାର୍ଯ୍ୟାଳୟ ଭାଷା ଭାବେ ଇଂରାଜୀକୁ କେନ୍ଦ୍ରକରି ଦ୍ଵନ୍ଦ୍ଵ ସୃଷ୍ଟିକରୁଥିବା ସରକାର ସ୍ଵୀକାର କରିଥିଲେ ମଧ୍ୟ ତାହାକୁ ଲୋପ କରିନଥିଲେ ଓ (୨) ଧାରା ୪ (କ) ଜାଲିଆତିପ୍ରସୂତ ହୋଇଥିବା କାରଣରୁ ଅବୈଧ ବୋଲି ଜାଣି ମଧ୍ୟ ତାହାକୁ ଲୋପ କରିବା ପରିବର୍ତ୍ତେ ସେହି ଅବୈଧ ଧାରାକୁ ଏହି ସାନି ସଂଶୋଧନ ମାଧ୍ୟମରେ ବୈଧ କରାଇବାକୁ ଚେଷ୍ଟା କରିଥିଲେ । ଗଣମାଧ୍ୟମରେ ଥିବା ନବୀନବାବୁଙ୍କ ପୋଷାମାନା ସାମ୍ବାଦିକମାନେ ଅବିଳମ୍ବେ ଏହା ତାଙ୍କୁ ଅବଗତ କରାଇଲେ । ସେହି ରାତିରେ ମୁଖ୍ୟମନ୍ତ୍ରୀଙ୍କ ମହଲା (ତୃତୀୟ ମହଲା) ସିଦ୍ଧାନ୍ତ କଲା, ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ସୁପାରି ନେଇଥିବା ଲୋକଙ୍କୁ କୁହାଯିବ, ଆଇନର ନିର୍ଭୁଲ ସଂଶୋଧନ ହୋଇଥିବା ହେତୁ ଭାଷା ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି ବୋଲି ସେମାନେ ଲେଖିକରି ଜଣାଇବେ ଏବଂ ତାହାର ନକଲ ପୋଲିସକୁ ଦେବେ । ତାହା ପାଇ ପୋଲିସ ତୁରନ୍ତ ହସ୍ତକ୍ଷେପ କରି କଳାପତାକା ଅଭିଯାନକୁ ଅନଧିକୃତ କହି ଭଙ୍ଗିବ । ପ୍ରଦ୍ୟୁମ୍ନ ଓ ପବିତ୍ର ଏଥିରେ ରାଜିହେଲେ । ରାଜି ନହେବା ଭିନ୍ନ ସେମାନଙ୍କ ପାଇଁ କି ଉପାୟ ବା ଥିଲା ?
ମୁଖ୍ୟ ଶାସନ ସଚିବଙ୍କୁ ସମ୍ବୋଧିତ କରି ସେମାନେ ଲେଖିଲେ:
ବିଷୟ : ଭାଷା ଆନ୍ଦୋଳନ ଓଡ଼ିଶାର ଚିଠି ନମ୍ବର 001 /2016 ଚରମପତ୍ର ମାଧ୍ୟମରେ ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ପାଇଁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ
ମହାଶୟ
ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ ଚାଲିବା ପାଇଁ ଦୀର୍ଘ 878 ଦିନର ଆନ୍ଦୋଳନ ଯୋଗୁ ସରକାର ଗତ ବିଧାନସଭା ଅଧିବେଶନ ତା 19/09/2018 ରିଖରେ ସଂପୂର୍ଣ୍ଣ ସଂଶୋଧିତ ଭାଷା ଆଇନ 2018 ପାରିତ କରିଛନ୍ତି । ତେଣୁ ଓଡ଼ିଶା ସରକାରଙ୍କୁ ତଥା ଓଡ଼ିଶାର ପ୍ରଥିତଯଶା ଓଡ଼ିଆ ପ୍ରାଣ ଭାଷା ଯୋଦ୍ଧାଙ୍କୁ ଶ୍ରେୟାର୍ପଣ କରି ଭାଷା ଆଇନ ପ୍ରଣେତା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖ (ବିଧାନସଭା ସମ୍ମୁଖସ୍ଥ) ରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି (ରାଜଭବନ ସମ୍ମୁଖସ୍ଥ) ପର୍ଯ୍ୟନ୍ତ ତା 13/04/2016 ଠାରୁ 01/05/2018 (କଳାପତାକା ଅଭିଯାନ) ଏବଂ 19/09/2018 ପର୍ଯ୍ୟନ୍ତ ଭାଷା ଆନ୍ଦୋଳନ, ଏପରିକି ସାରା ରାଜ୍ୟରେ ଭାଷା ଆଂଦୋଳନର ଓଡ଼ିଶାର ଚାଲୁଥିବା କଳାପତାକା ଅଭିଯାନକୁ ଭାଷା ଆନ୍ଦୋଳନ, ଓଡ଼ିଶା ସେହିଦିନଠାରୁ ପ୍ରତ୍ୟାହାର କରିଅଛି ।
ଏହି ଅବସରରେ ରାଜ୍ୟସରକାର, ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ, ସମସ୍ତ ବିଧାୟକ ତଥା ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ । ଏହା ରାଜ୍ୟର ସାଢେ 4 କୋଟି ଓଡ଼ିଆଙ୍କର ନୈତିକ ବିଜୟ , ଆଗାମୀ ଦିନରେ ପାରିତ ହୋଇଥିବା ଭାଷା ଆଇନଟିକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ନିଯମାବଳୀ ପ୍ରଣୟନ ତଥା କାର୍ଯ୍ୟକାରୀ କାରୀ ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଭାଜନ ହୁଅନ୍ତୁ ।
ବନ୍ଦେ ଉତ୍କଳ ଜନନୀ ।
xxxxxxxxx
କପି ସଲଗ୍ନ କରାଗଲା – ଡେପୁଟି କମିଶନର ପୋଲିସ, ଭୁବନେଶ୍ବର
ଚିଠିଟିର ଫଟୋ ପାର୍ଶ୍ଵରେ ଅଛି । ଏହି ଚିଠିକୁ ଧରି ୨୪ .୯.୨୦୧୮ ସନ୍ଧ୍ୟାରେ କଳାପତାକା ଅଭିଯାନର ଯାତ୍ରାରମ୍ଭ ସ୍ଥଳକୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସଦଳବଳେ ଆସି ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଥିବା ହେତୁ ଆମ୍ଭଙ୍କୁ ଆଗକୁ ଯିବାରେ ବାଧା ଦେଇଥିଲେ । ଚିଠିଟି ଯେହେତୁ ମୁଖ୍ୟ ଶାସନ ସଚିବଙ୍କୁ ସମ୍ବୋଧିତ , ସେ କିଛି ଆଦେଶ ଦେଇଛନ୍ତି କି ବୋଲି ମୁଁ ତାଙ୍କୁ ପଚାରିଲି । ସେ ମନା କଲେ । ମୁଁ କହିଲି – ତାଙ୍କଠୁ ଆଦେଶ ଆସୁ, ତାହା ସାଙ୍ଗରେ ଆଣି ଆସିବେ ।” ସେ କହିଲେ , “ସାର୍, ଆମକୁ ବି ସେ ଏହାର ନକଲ ଦେଇଛନ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ।” ମୁଁ କହିଲି, “ଯେଉଁଟି ଆପଣ ମୋତେ ଦେଖାଇଲେ, ତାହା ପଢିଛନ୍ତି? ତାହା କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ଦିଆଯାଇଥିବା କେଉଁଠି ଲେଖା ଅଛି?” ସେ ଚିଠିଟିକୁ ଏମୁଣ୍ଡୁ ସେମୁଣ୍ଡ ସମ୍ଭବତଃ ପୁନରାୟ ପଢିଲେ ଓ କହିଲେ, “ନା, ସେପରି କିଛି ନାହିଁ ।” ମୋର ଗୋଟିଏ ଓଡ଼ିଆ ବଖାଣି ମନେ ପଡ଼ିଲା । ମୁଁ କହିଲି, “ବାଳ ପୋଡ଼ିଗଲେ ଅଙ୍ଗାର ନୁହେଁ କି ପାଉଁଶ ନୁହେଁ – ଏହା ତ ଆପଣ ଜାଣିଥିବେ ।” ସେ ଜାଣିଥିବା କହିଲେ । ମୁଁ କହିଲି – “ଏ ଚିଠିଟା ଗୋଟାଏ ବାଳଠାରୁ ବି ନାକରା । ଏହାର କୌଣସି ଗୁରୁତ୍ଵ ନାହିଁ ।” ସେ ନୀରବ ରହିଲେ । ମୁଁ ପଚାରିଲି, “ଭାରତୀୟ ଦଣ୍ଡ ସଂହିତାରେ ମିଥ୍ୟା ବୟାନ (false statement) ଦଣ୍ଡନୀୟ ତ ?” ସେ ହଁ କଲେ । ମୁଁ କହିଲି, ଏହାର ଏକ ନକଲ ମୋତେ ଦିଅନ୍ତୁ । ଜଣେ ଅନଧିକୃତ ବ୍ୟକ୍ତି ଭାଷା ଆଂଦୋଳନର ପ୍ୟାଡ଼ ବ୍ୟବହାର କରି ଏପରି ଏକ ମିଥ୍ୟା ବୟାନ ଦେଇଥିବା ହେତୁ ତା ବିରୁଦ୍ଧରେ ମୁଁ ପୋଲିସରେ ଏକ ଏତଲା ଦେବି ; କା’ଣ ହୋଇପାରିବ ଦେଖିବା ।”
“ସାର୍ ଆପଣ ଚାଲନ୍ତୁ” ବୋଲି କହି ସେ ଆମକୁ ବାଟ ଛାଡିଲେ ଓ ସଦଳବଲେ ଯେପରି ଆସିଥିଲେ ସେପରି ଫେରିଗଲେ । ତା ପରଠାରୁ କଳାପତାକା ଅଭିଯାନରେ କେହି ବି ହସ୍ତକ୍ଷେପ କରିନାହାନ୍ତି , କରିବାକୁ ସାହସ କରିନାହାନ୍ତି ; କାରଣ ଆମେ କୌଣସି ବେଆଇନ କରିନାହୁଁ ।
ତେବେ ହଠାତ୍ ଏ ବହି ଉନ୍ମୋଚନ ନାଟକ କାହିଁକି ?
ଭାଷା ଆଇନ ସଂଶୋଧନ ପ୍ରକ୍ରିୟାରେ ଜାଲିଆତି ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷାକୁ ମରଣଆଘାତ ଦେଇଥିବାର ଯେଉଁ ଅକାଟ୍ୟ ପ୍ରମାଣ ମୁଁ ପ୍ରଦାନ କରିଛି ତାହା ଖଣ୍ଡନ କରିବାର ସାମର୍ଥ୍ୟ ତାଙ୍କର ନାହିଁ । ତାଙ୍କ ବିଧାୟକୀୟ ଅସଦାଚରଣ (legislative misconduct) ମୁଁ ବିଧାନସଭା ଓ ରାଜ୍ୟପାଳଙ୍କୁ ତଥା ରାଜ୍ୟବାସୀଙ୍କୁ ଅବଗତ କରାଇଛି । ମୁଁ ରାଜ୍ୟପାଳଙ୍କୁ ଲେଖିଛି ଯେ, ଜାଲିଆତି ପ୍ରୟୋଗ କରି ଭାଷା ଆଇନର ତିନି ତିନି ଥର ଅପସଂଶୋଧନ କରାଯାଇଥିବା ହେତୁ ଓ ବିଧି ସଚିବ ତଥା ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କ ଦ୍ଵାରା ମିଥ୍ୟା ପ୍ରମାଣପତ୍ର ତିଆରି କରାଯାଇ ରାଜ୍ୟପାଳଙ୍କୁ ସେହି ଶଠତାପ୍ରସୂତ ବିଧାନ (fraudulent legislation) ପ୍ରତି ମଞ୍ଜୁରୀ (assent) ପ୍ରଦାନ କରିବାକୁ ବାଧ୍ୟ କରାଯାଇଥିବା ହେତୁ, ସେ ଦେଇଥିବା ସାର୍ବଭୌମ ମଞ୍ଜୁରୀ ପ୍ରତ୍ୟାହାର କରିନିଅନ୍ତୁ ଓ ଏହି ଆବିଷ୍କୃତ ଅସଦାଚରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରୁ ପ୍ରସନ୍ନତା (pleasure) ପ୍ରତ୍ୟାହାର କରନ୍ତୁ । ନବୀନବାବୁଙ୍କ ଅଧୀନସ୍ଥ କର୍ମଚାରୀମାନେ ରାଜଭବନରେ ମୁତୟନ ଥିବା ହେତୁ ଓ ରାଜ୍ୟପାଳ ସେମାନଙ୍କ ଉପରେ ନିର୍ଭରଶୀଳ ଥିବା ହେତୁ ଏଯାଏଁ ଅବଶ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ଉପରୁ ନିଜ ପ୍ରସନ୍ନତା ପ୍ରତ୍ୟାହାର କରିନାହାନ୍ତି । ମାତ୍ର ଓଡ଼ିଶାର ଜନସାଧାରଣଙ୍କ ଇଜଲାସରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜାଲିଆତିର ଯେଉଁ ଅଭିଯୋଗ ଏହି ପ୍ରାମାଣିକ ପୁସ୍ତକ ମାଧ୍ୟମରେ ମୁଁ ରଖିଛି, ତାହାର ତୀବ୍ରତା ଅଧିକରୁ ଅଧିକ ତୀକ୍ଷ୍ନ ହେବାରେ ଲାଗିଛି; ଅଧିକରୁ ଅଧିକ ସୁଶିକ୍ଷିତ ଭାଷାପ୍ରେମୀ ଓଡ଼ିଆ ତା ଉପରେ ଆଲୋଚନା କରୁଛନ୍ତି । ଜାଲିଆତିପ୍ରସୂତ ବିଧାନ ସହ ନିଜ ସଂଯୋଗ ଛିନ୍ନ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଥିବା ସତ୍ତ୍ୱେ ସେ ଉଦାସୀନ ରହିଥିବା କଥା ଜନସାଧାରଣଙ୍କୁ ଅବଗତ କରାଯାଇଛି ଓ ଏହି ଜାଲିଆତି ପ୍ରତି ଅନୁରକ୍ତ ହୋଇ ନରହିବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରାଯାଇଛି ।
ଓଡ଼ିଶାର ଜନସାଧାରଣ ଓଡ଼ିଆ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଷଡଯନ୍ତ୍ରକୁ ଅଧିକରୁ ଅଧିକ ସଂଖ୍ୟାରେ ନିନ୍ଦା କରିବାରେ ଲାଗିଛନ୍ତି ସାମାଜିକ ଗଣମାଧ୍ୟମରେ, ମୁଦ୍ରିତ ଖବରକାଗଜ ପୃଷ୍ଠାରେ, ସଭାସମିତିରେ, ଓଡ଼ିଶାରେ ସର୍ବତ୍ର ।
ତେଣୁ, ଭାଷା ଆଇନ ସଂଶୋଧନରେ କୌଣସି ଜାଲିଆତି ହୋଇନି ଓ ତାଙ୍କ ହେତୁ ତାହା ନିର୍ଭୁଲ ହୋଇଛି ବୋଲି ପ୍ରଚାର କରିବା ପାଇଁ ସେ ତାଙ୍କ ପୁରୁଣା ପ୍ରଚାରକଙ୍କୁ ପ୍ରୟୋଗ କରି ଏହି ନୂଆ ଫନ୍ଦି ଆପଣାଇଥିବା ଅନୁଭୂତ ହେଉଛି ।