ଭାଷା ଆନ୍ଦୋଳନ ପାଇଁ ପରିସୃଷ୍ଟ ବିପତ୍ତିର ନେପଥ୍ୟ ଦୃଶ୍ୟ -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ସର୍ବତ୍ର ଭାଷା ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଅର୍ଥର ଆବଶ୍ୟକତା ଥିଲା । ଏହି ପାଣ୍ଠି ସୃଷ୍ଟି ପାଇଁ ଆମେ ଏକ ସ୍ମରଣିକା ପ୍ରକାଶ କରିବାକୁ ଚିନ୍ତା କରିଥିଲୁ, କାରଣ ତା ପାଇଁ ବିଜ୍ଞାପନ ସଂଗ୍ରହ କରି ତହିଁରୁ ବଳକା ଅର୍ଥ ଆନ୍ଦୋଳନର ସମ୍ପ୍ରସାରଣରେ ବ୍ୟବହୃତ ହୋଇପାରିବ ବୋଲି ଆମେ ଚିନ୍ତା କରିଥିଲୁ । ଯେହେତୁ କୌଣସି ଆନ୍ଦୋଳନ ନାମରେ ବିଜ୍ଞାପନ ସଂଗ୍ରହ ସମ୍ଭବ ନ ଥିଲା, ଆମ ଆବାହକ ପବିତ୍ର ମହାରଥାଙ୍କ ପୁସ୍ତକ ପ୍ରକାଶନ ସଂସ୍ଥା ‘ଶବ୍ଦ ସ୍ପର୍ଶ’ ନାମରେ ଏହା କରାଗଲା । ସ୍ମରଣିକାଟିର ମୁଦ୍ରଣ ଖର୍ଚ୍ଚ କାଟିରଖି ଅବଶିଷ୍ଟ ସମସ୍ତ ଟଙ୍କା ସେ ଆନ୍ଦୋଳନକୁ ଦେବା ପରେ ଏକ ବ୍ୟାଙ୍କ ଜମାଖାତା ଖୋଲି ତହିଁରେ ତାହା ରଖାଯିବ ଓ ଆନ୍ଦୋଳନ କାମରେ ଭୁବନେଶ୍ଵର ବାହାରକୁ ଯାଉଥିବା ବେଳେ ତହିଁରୁ ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ବହୁ ବିଜ୍ଞାପନ ଆସିଥିଲା ଓ ତଥ୍ୟାଭିଜ୍ଞ ବ୍ୟକ୍ତିମାନଙ୍କ ଆକଳନ ଅନୁସାରେ ତହିଁର ମୁଦ୍ରାମୂଲ୍ୟ ପ୍ରାୟ ଅଧକୋଟି ଟଙ୍କା । ଯେହେତୁ ‘ଶବ୍ଦ ସ୍ପର୍ଶ’ ନାମରେ ବିଜ୍ଞାପନଗୁଡ଼ିକ ଆସିଥିଲା, ପବିତ୍ର ମହାରଥା ଭାଷା ଆନ୍ଦୋଳନ ପ୍ରତି ବିଶ୍ବାସଘାତକତା କରି ଏହି ସମଗ୍ର ପାଣ୍ଠି ତୋଷରପାତ କଲେ । ଏହା ଜଣା ପଡ଼ିଲା ପରେ ମୁଁ ତାଙ୍କୁ ଯେତେବେଳେ ହିସାବ ମାଗିଲି ସେ ଫାଙ୍କିମାରିବାକୁ ନାନା କୌଶଳ ପ୍ରୟୋଗ କଲେ ।

ନୈତିକତା ଦୃଷ୍ଟିରୁ, ସବୁ ଶ୍ଲାଘ୍ୟ ଉଦ୍ୟମ ନିଷ୍ଫଳ ହେବା ପରେ, ମୁଁ ରାଜଧାନୀ ଥାନାରେ ଏହି ଦୁରାଚର ବିରୁଦ୍ଧରେ ଏକ ଏତଲା ଦେଲି । ପୋଲିସ କବଳରୁ ରକ୍ଷା ପାଇବା ପାଇଁ ସେ ସରକାରୀ ଓକିଲ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଶରଣାପନ୍ନ ହେଲେ । ବିଭୁବାବୁ ମୋତେ ଫୋନ କରି ପବିତ୍ର ବିଜ୍ଞାପନ ବାବଦରେ ମାତ୍ର ୩ ଲକ୍ଷ ଟଙ୍କା ପାଇଛନ୍ତି ଓ ସେ ସବୁ ଟଙ୍କା ସ୍ମରଣିକା ପ୍ରକାଶନରେ ଖର୍ଚ୍ଚ ହୋଇଯାଇଥିବା ହେତୁ ମୁଁ ତାଙ୍କୁ କ୍ଷମା କରିଦେବା ଉଚିତ ବୋଲି କହିଲେ । ସେମାନେ ଉଭୟେ ପରସ୍ପରର ବନ୍ଧୁ ଓ ପବିତ୍ରଙ୍କ ମାଧ୍ୟମରେ ମୁଁ ବିଭୁବାବୁଙ୍କୁ ଜାଣିଥିଲି । ମୁଁ ତାଙ୍କୁ କହିଲି ଯେ, ସମସ୍ତ ଟଙ୍କାର ସେ ହିସାବ ଦିଅନ୍ତୁ ଓ ଯଦି ମୋର ହୃଦବୋଧ ହୁଏ ଯେ, ସେ କୌଣସି ଅପରାଧ କରିନାହାନ୍ତି , ମୁଁ ଏତଲା ପ୍ରତ୍ୟାହାର କରିନେବି । ତା ତ ହେଲା ନାହିଁ , ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କଲାନାହିଁ । ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୋଲିସ ବଡ଼ପଣ୍ଡା ମୋତେ କହିଲେ ଯେ, ଉପର ମହଲାର ନିର୍ଦ୍ଦେଶ ଆସିଥିଲା ପବିତ୍ରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ।

ମୁଁ କାଳେ ଅଦାଲତରେ ମକଦ୍ଦମା ଦାଏର କରିବି ଏହି ଭୟରେ ପବିତ୍ରଙ୍କ ବନ୍ଧୁ ଓ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମ୍ପର୍କୀୟ ଉପରୋକ୍ତ ଓକିଲ ବିଭୁ ପ୍ରସାଦ ତ୍ରିପାଠୀ ତାଙ୍କୁ ବତାଇଲେ କି, ଭାଷା ଆଂଦୋଳନର ଅଧ୍ୟକ୍ଷ ଭାବେ ଅନ୍ୟ ଜଣଙ୍କ ନାମ ସେମାନେ ଘୋଷଣା କରିଦିଅନ୍ତୁ; କାରଣ ତଦ୍ଦ୍ଵାରା ଏକ ବିଧିକ ବିଭ୍ରାନ୍ତି ତିଆରି ହୋଇଯାଇ ପାରିବ ଏବଂ ମୁଁ ଯେହେତୁ ଅଧ୍ୟକ୍ଷ ଭାବେ ପବିତ୍ରଙ୍କ ବିରୁଦ୍ଧରେ ଏତଲା ଦେଇଛି, ମକଦ୍ଦମା କଲେ ଅଦାଲତକୁ ପ୍ରଥମେ ଠିକାଇବାକୁ ପଡ଼ିବ କିଏ ଅଧ୍ୟକ୍ଷ ଓ ସେଥିରେ ଏତେ ସମୟ ଲାଗିଯିବ ଯେ, ପାଣ୍ଠି ତୋଷରପାତ ବିଚାର ଆରମ୍ଭ ହୁଏତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପରି ବୟସ୍କ ବ୍ୟକ୍ତିଙ୍କ ଜୀବଦ୍ଦଶାରେ ସମ୍ଭବ ହେବ ନାହିଁ । ତ୍ରିପାଠୀଙ୍କ ଚ୍ୟାମ୍ବରରେ ସେତେବେଳେ ଉପସ୍ଥିତ ଥିବା ଜଣେ ନିର୍ଭରଯୋଗ୍ୟ ବ୍ୟକ୍ତି ନାମ ଗୋପନ ରଖିବା ସର୍ତ୍ତରେ ମୋତେ ଏହା କହିଛନ୍ତି ।

ଚକ୍ରଧର ମାହୁନ୍ତ ନାମକ ଜଣେ ଭିଜିଲାନ୍ସ ଆସାମୀ ଭାଷା ଆଂଦୋଳନର ଅଧ୍ୟକ୍ଷ ସାଜିଥିବା କଥା ପ୍ରଦ୍ଯୁମ୍ନ ଶତପଥୀଙ୍କ ଆତ୍ମରକ୍ଷା ପାଇଁ ବ୍ୟାକୁଳତା ଜର୍ଜରିତ ଏକ ପତ୍ରରୁ ମୁଁ ଅବଗତ ହେଲି ।

ଏ କଥା ମୁଁ ଯେତେବେଳେ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିଲି ସେତେବେଳକୁ ଓକିଲ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଏହି ପରମର୍ଶର ଖବର ମୋ ପାଖରେ ପହଞ୍ଚି ନଥିଲା । ଭାଷା ପାଇଁ ଓଡ଼ିଆ ଜାତିର ଏ ଅନନ୍ୟ ଆଂଦୋଳନର ଇତିହାସ ନିର୍ଭୁଲ ରଖିବା ପାଇଁ ବିଭୁ ବାବୁ ମୁଁ ଉପରେ ଦେଇଥିବା ଦୃଶ୍ୟପଟ ଉପରେ ନିଜ ମତ ରଖିବା ଆବଶ୍ୟକ , କାରଣ ଆମେ କେହି ସମାଜ ଓ ସମୟର ଉର୍ଦ୍ଧ୍ଵରେ ନୁହେଁ । (କ୍ରମଶଃ)
୨୭.୬.୨୦୧୯

ରାଜ୍ୟପାଳଙ୍କ ଇଂରାଜୀ ଭାଷଣ ଓଡ଼ିଆ ଅସ୍ମିତାର ବିରୁଦ୍ଧାଚରଣ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ନବ ନିର୍ବାଚିତ ଷୋଡ଼ଶ ବିଧାନସଭାର ପ୍ରଥମ ଦିନରେ ମାନ୍ୟବର ଓଡ଼ିଶା ରାଜ୍ୟପାଳ ଯେଉଁ ଭାଷଣ ରଖିଲେ ତାହା ଓଡ଼ିଆ ଅସ୍ମିତାର ଘୋର ବିରୁଦ୍ଧାଚରଣ ବୋଲି କୁହାଯାଇପାରେ । ତାଙ୍କ ମୁହଁରେ ଇଂରାଜୀ ଭାଷାରେ ଭାଷଣ ଦିଆଇ ନବୀନ ପଟ୍ଟନାୟକଙ୍କ ସରକାର ଓଡ଼ିଆ ଜାତିକୁ ଅପମାନିତ କରିଛନ୍ତି ।

ଆମ ପୂର୍ବ ପୁରୁଷେ କେବଳ ଗୋଟିଏ ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଦେଶ ସୃଷ୍ଟି କରିଥିଲେ । ତାହା ହେଲା, ଆମର ସମସ୍ତ ଦାପ୍ତରୀକ କର୍ମ ସମ୍ପାଦନ ହେବ ଓଡ଼ିଆ ଭାଷାରେ । ଏହି କାରଣରୁ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ସ୍ପଷ୍ଟ କହିଛି କି, ଓଡ଼ିଶାର ସର୍ବତ୍ର ସମସ୍ତ ଓ ଯେକୌଣସି କାମ ପାଇଁ ସରକାରୀ ଭାଷା ଅଟେ ଓଡ଼ିଆ ।

ଏହି ଆଇନକୁ ପ୍ରଥମ ସଂଶୋଧନର ଶିକାର କରି ୧୯୬୩ରେ ବିଜୁ ପଟ୍ଟନାୟକ ଭାରତୀୟ ସମ୍ବିଧାନ ପ୍ରତି ପଦାଘାତ କରି କିପରି ଇଂରାଜୀ ଭାଷାକୁ ଆମ ଉପରେ ନଦିଦେଲେ ତାହାର ସବିଶେଷ ଆଲୋଚନା ମୁଁ ରଖିଛି ‘ବିଜୁଙ୍କ ଛୁରା’ ଶୀର୍ଷକ ମୋ ପୁସ୍ତକରେ । ତଥାପି ସେ ଖଞ୍ଜିଥିବା ଧାରା ୩-କ ଇଂରାଜୀ ଭାଷାକୁ ଆମ ବିଧାନସଭା ବ୍ୟାପାରରେ ଏକ ଅତିରିକ୍ତ ଭୂମିକା ଦେଇଛି, ମୂଳ ଭୂମିକା ନୁହେଁ । ଏଥିରେ କୁହା ହୋଇଛି, ବିଧାନସଭାର କାର୍ଯ୍ୟ ସମ୍ପାଦନରେ ଇଂରାଜୀ ଭାଷା ଓଡ଼ିଆ ଭାଷା ଅଧିକନ୍ତୁ ବ୍ୟବହାର ହୋଇପାରେ । ଅତଏବ, ଇଂରାଜୀ ବ୍ୟବହାର ବାଧ୍ୟତାମୂଳକ ନୁହେଁ । ବାଧ୍ୟତାମୂଳକ ହେଲା ଓଡ଼ିଆ ଭାଷାର ବ୍ୟବହାର । ଇଂରାଜୀ ଅଧିକନ୍ତୁ ଓଡ଼ିଆ ନୁହେଁ, ଓଡ଼ିଆ ଅଧିକନ୍ତୁ ଇଂରାଜୀ ଚାଲିପାରେ, ନ ଚାଲିପାରେ । ଏହା ହିଁ ହେଲା ଆଇନର ସ୍ପଷ୍ଟ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶକୁ ଅବଜ୍ଞା କରି ରାଜ୍ୟ ସରକାର ରାଜ୍ୟପାଳଙ୍କ ମୁହଁରେ ଇଂରାଜୀରେ ଅଭିଭାଷଣ ରଖାଇବା ଓଡ଼ିଆ ଅସ୍ମିତା ଉପରେ ପଦାଘାତ ।

ରାଜ୍ୟପାଳ ତାଙ୍କ ଭାଷଣର ପ୍ରତୀକାତ୍ମକ ଆରମ୍ଭ କଲାପରେ ତାଙ୍କ ତରଫରୁ କେହି ବି ଅଧିକୃତ ପଦାଧିକାରୀ ଓଡ଼ିଆ ଭାଷାରେ ସମଗ୍ର ଭାଷଣଟି ପାଠ କରିପାରିଥାନ୍ତେ । କୌଣସି ଆଇନଗତ ଅସୁବିଧା ଏଥିରେ ନ ଥିଲା ; ଅସୁବିଧା ଥିଲା ମାନସିକତାରେ ।

ଏହି ଓଡ଼ିଆ ବିରୋଧୀ ମାନସିକତା ଯେତେ ଶୀଘ୍ର ବଦଳେ, ସେତେ ଭଲ ।

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୧୪

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତି ଆକସ୍ମିକ ଭାବେ ଶଶିଭୂଷଣ ବେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ କେବଳ ନୁହେଁ , ଅର୍ଥ ଓ ଅବକାରୀ ବିଭାଗ ପରି ଗୁରୁତ୍ବପୂର୍ଣ ବିଭାଗ ଦେଇ ତାଙ୍କର ଏପରି ମର୍ଯ୍ୟାଦା ବଢ଼େଇ ଦେଇଥିଲେ ଯେ, ସମଗ୍ର ପ୍ରଶାସନିକ କଳ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ବୋଲି ଭାବୁଥିଲା ଓ ତଦନୁଯାୟୀ ତାଙ୍କ ଆଦେଶ ଓ ଇଚ୍ଛା ପ୍ରତି ଗୁରୁତ୍ଵ ଦେଉଥିଲା । ତେଣୁ ଭାଷା ଆନ୍ଦୋଳନକୁ ଭାଙ୍ଗିବା ସକାଶେ ସେ ମୋର ଦୁଇ ମୂଳ ଓ ପ୍ରମୁଖ ସହକର୍ମୀଙ୍କୁ ପୋଷାମନାଇବା ପାଇଁ ତାଙ୍କ ପଦ ମର୍ଯ୍ୟାଦାର ପ୍ରବଳ ଦୁରୁପଯୋଗ କଲେ । ଏ ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ମୁଁ ଦୁଇଟି ଖବର ପାଇଛି , ଯହିଁରେ ଅଛି – (୧) ପବିତ୍ର ମହାରଥାଙ୍କ ବିରୁଦ୍ଧରେ ଭାଷା ଆଂଦୋଳନର ପ୍ରାପ୍ୟ ବହୁ ଲକ୍ଷ ଟଙ୍କାର ତୋଷରପାତ ବିରୁଦ୍ଧରେ ମୁଁ ଦେଇଥିବା ଏତଲା ଉପରେ ପୋଲିସର ନୀରବତା ଓ (୨) ପ୍ରାୟ ଦଶବର୍ଷ ତଳୁ ନିଜର କର୍ତ୍ତବ୍ୟ ନିର୍ବାହ କରି ନ ଥିବା ହେତୁ ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀ ଘୋର ଚାକିରି ସଙ୍କଟର ସମ୍ମୁଖୀନ ହୋଇଥିବା ସତ୍ତ୍ୱେ ଆଇନକୁ ଆଖିଠାର ମାରି ଶଶି ବାବୁଙ୍କ ପ୍ରଭାବ ବଳୟରେ ଥିବା ଏକ ମହାବିଦ୍ୟାଳୟକୁ ତାଙ୍କୁ ବଦଳି କରାଯାଇ ଖୁବ୍ ମୋଟା ଅଙ୍କର ଆର୍ଥିକ ଆୟର ବ୍ୟବସ୍ଥା କରାଯିବା । ଏହା ଛଡ଼ା ସୁପାରୀ, ଯାହା ପବିତ୍ର ମହାରଥାଙ୍କ ପ୍ରତିକ୍ରିୟାରୁ ଅନ୍ଦାଜ କରିହୁଏ, ଓ ଯାହା ସହ ମୋ ପୂର୍ବ ଉଦ୍ଧୃତ୍ତ ପତ୍ରରେ ମୁଁ ଅର୍ଥମନ୍ତ୍ରୀଙ୍କୁ ସାମ୍ନାସାମ୍ନୀ କରାଇଥିଲି । ସେ କାହିଁକି ନୀରବ ରହିଲେ କେବଳ ସେ ହିଁ କହିପାରିବେ ।

କେଉଁଥି ପାଇଁ ଏତେ କଥା?

କିନ୍ତୁ କେଉଁଥି ପାଇଁ ଏତେ କଥା ? ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ ତ ୧.୫.୨୦୧୮ରେ ପାରିତହୋଇ ଆଇନର ରୂପ ନେଇ ସାରିଥିଲା । ସେଥିରେ ଭାଷା ଆଇନର ଖିଲାପକାରୀକୁ ଦଣ୍ଡ ଦେବାକୁ ନିୟମାବଳୀ ପ୍ରଣୟନ ହେବ ବୋଲି ତ କୁହା ହୋଇଥିଲା । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ପ୍ରତାରିତ କରିବାରେ ତ ସଫଳ ହୋଇଥିଲେ । ଯେଉଁ କଳାପତାକା ଅଭିଯାନକୁ ଭାଷା ଆନ୍ଦୋଳନ କୁହାଯାଏ ତାହା ତ ଏହି ଉଭୟଙ୍କ ଚକ୍ରାନ୍ତ ହେତୁ ସେହି ୧.୫.୨୦୧୮ରେ ହିଁ ସ୍ଥଗିତ ହୋଇଯାଇଥିଲା । ପୁଣି କେଉଁଥି ପାଇଁ ସନ୍ଦିଗ୍ଧ ସୁପାରୀଠୁ ଆରମ୍ଭ କରି ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କୁ ନିସନ୍ଦିଗ୍ଧ ଚାକିରି ପ୍ରଦାନ ପର୍ଯ୍ୟନ୍ତ କାମରେ ଅର୍ଥମନ୍ତ୍ରୀଙ୍କୁ ଲଗାଇବା ଯାଏଁ କଥା ଗଲା?

ତାର କାରଣ ଥିଲା, ଉପରୋକ୍ତ ସଂଶୋଧନ ମାଧ୍ୟମରେ ଖଞ୍ଜା ହୋଇଥିବା ୪କ ଧାରା କିପରି ଆମ ଭାଷା ସ୍ଵାର୍ଥ ପାଇଁ କ୍ଷତିକାରକ ତହିଁ ଉପରେ ତୁରନ୍ତ ମୋର ଆଲୋଚନା ଓ ବିଧାନସଭାରେ ପାରିତ ହୋଇଥିବା ବିଧେୟକକୁ ସ୍ଵୀକୃତି ନ ଦେଇ ପୁନର୍ବିଚାର ପାଇଁ ଫେରାଇ ଦେବାକୁ ୨୪.୫.୨୦୨୮ରେ ରାଜ୍ୟପାଳଙ୍କୁ ମୋର ନିବେଦନ।

ରାଜ୍ୟପାଳଙ୍କ ନିକଟରେ ମୋର ନିବେଦନ ବ୍ୟର୍ଥ ହୋଇଯିବା ପରେ ୨୯.୬.୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ପଠାଇଥିବା ପତ୍ରରେ ବିଧାନ-ରୂପ ପାଇସାରିଥିବା ସତ୍ତ୍ଵେ ଜାଲିଆତି ବଳରେ ତିଆରି ହୋଇଥିବା ଧାରା ୪କ କାହିଁକି ଲୋପ ହେବା ଉଚିତ ଓ ସେ ଯଦି ନିଜେ ଏହି ଜାଲିଆତିରେ ସମ୍ପୃକ୍ତ ନୁହନ୍ତି ତେବେ କିଏ ତାହା ଠାବ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ମୁଁ ଯାହା ଲେଖିଥିଲି ତାହା ଏଥି ପୂର୍ବରୁ ଉଦ୍ଧୃତ୍ତ ହୋଇଛି । ମାତ୍ର ୱେବସାଇଟ ବାହାରେ ପ୍ରକାଶିତ ମୋ ଲେଖା ଯାହା ସର୍ବସାଧାରଣଙ୍କ ପାଖରେ ଏହି ସରକାରୀ ତଞ୍ଚକତାର ଖୋଲା ରୂପ ରଖିଥିଲା ତାହା ଥିଲା ମୋର ପୂର୍ବସୂଚିତ ଲେଖା – ‘ଭାଷା ଆଇନ ସଂଶୋଧନ ପୁନଶ୍ଚ ସଂଶୋଧିତ ହେବା ଦରକାର ।’

ଏହି ଲେଖାଟି ସରକାରଙ୍କୁ ଏପରି ବିବସ୍ତ୍ର ଓ ବିଚଳିତ କରିଦେଇଥିଲା ଯେ, ଏହାକୁ ପ୍ରକାଶ କରିଥିବା ଖବରକାଗଜ ‘ନିତିଦିନ’କୁ ମିଳିଥିଲା ଉଚ୍ଚତମ ସରକରୀ ମହଲରୁ ଅତ୍ୟନ୍ତ ଦୁର୍ବିନୀତ ଧମକ । ଏହି କାଗଜକୁ ବସ୍ତୁତଃ ଜନ୍ମ ଦେଇ ତାର ଅନ୍ତୁଡ଼ିଶାଳାରୁ ଶକ୍ତିମାନ୍ ଯୌବନରେ ପହଞ୍ଚାଇଥିଲେ ଓଡ଼ିଶାର ସୁବିଦିତ ସାମ୍ବାଦିକ ସମ୍ପଦ ମହାପାତ୍ର । ଅଥଚ , ତାଙ୍କ ପାଖରେ କୁତଜ୍ଞ ରହିବା ପରିବର୍ତ୍ତେ, ମୋର ଉପରୋକ୍ତ ପ୍ରବନ୍ଧ ପ୍ରକାଶ ପାଇବା ପରେ , ସରକାରଙ୍କ ଅଲିଖିତ ଧମକର ସାମ୍ନା କରିନପାରି କାଗଜଟିର ମାଲିକ ଏପରି ଆଚରଣ ପ୍ରଦର୍ଶନ କଲେ ଯେ, ଆତ୍ମସମ୍ମାନପ୍ରିୟ ସମ୍ପଦ ମହାପାତ୍ର ଏହାର ସମ୍ପାଦକ ପଦରୁ ଇସ୍ତଫା ଦେଇ ଚାଲିଗଲେ । ଓଡିଶା ସରକାରୀଭାଷା ଇତିହାସରେ ଏହି ନିର୍ଦ୍ଦିଷ୍ଟ ଘଟଣା ଏକ ବ୍ୟଥାଦାୟକ ଅଧ୍ୟାୟ ହୋଇ ରହିବ ।

ଉପସ୍ଥିତ ପାଠକମାନଙ୍କ ଅନୁଧ୍ୟାନ ପାଇଁ ଲେଖାଟି ଏଠାରେ ସ୍ଥାନିତ ହେଉଛି –

:
ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନଙ୍କ ଗୋଚରାର୍ଥେ ଏତାଦୃଶ ଏକାଧିକ ଆଲୋଚନା ମୁଁ ଗଣମାଧ୍ୟମରେ ରଖିଛି । (କ୍ରମଶଃ)
୨୨.୬.୨୦୧୯

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୧୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଏପରି ଭାବେ କଳାପତାକା ଅଭିଯାନ ସ୍ଥଗିତ କରିବାର କୌଣସି ଅଧିକାର ଏମାନଙ୍କର ନଥିଲା । କାରଣ ଏ ଆନ୍ଦୋଳନ ମୁଁ ପ୍ରତିଷ୍ଠା କରିଥିଲି ଭାଷା ଆଇନକୁ ନିର୍ଭୁଲ ଓ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସପକ୍ଷରେ । ପ୍ରଦ୍ୟୁମ୍ନ ଶତପଥୀଙ୍କ ଭାଷାରେ ଏମାନେ ଥିଲେ ମୋର ସମର୍ଥକ ଓ ମୋ “ପ୍ରଜ୍ଞାଜ” (ବୁଦ୍ଧିରୁ ବାହାରିଥିବା) ଏହି ଆଂଦୋଳନର “ସଞ୍ଚାଳକ” । ଅତଏବ ଏ ଆନ୍ଦୋଳନ ସ୍ଥଗିତ ରଖିବା / ବନ୍ଦ କରିବାର ଅଧିକାର ଏମାନଙ୍କର ନଥିଲା । ମୋ ଡ୍ରାଇଭର ମୋ ମୋଟର ଯାନର ମାଲିକ ବୋଲି ନିଜକୁ କହିବା ପରି ଏହା ଥିଲା ଏମାନଙ୍କ ଅମୂଳକ ଓ ଅନଧିକୃତ ଆସ୍ଫାଳନ ।

ମୁଁ ଏମାନଙ୍କ ଏହି ଅନଧିକୃତ ଆସ୍ଫାଳନକୁ ପ୍ରତ୍ୟାଖ୍ୟାନ କରିଥିଲି ଓ ସମଗ୍ର ଓଡ଼ିଆ ଜାତି ମଧ୍ୟ ଏମାନଙ୍କୁ ପ୍ରତ୍ୟାଖ୍ୟାନ କଲା ।

ମାତୃଭାଷା ଓଡ଼ିଆର ଅନୁରକ୍ତ ସନ୍ତାନମାନେ ଯେଉଁମାନଙ୍କ ସମ୍ପର୍କରେ bhashaandolan॰com ପ୍ରକାଶିତ ଆମ ଇ-ପୁସ୍ତକ “ଆମ ଭାଷା ପାଇଁ ଆମ ଲଢ଼େଇ“ରେ ସବିଶେଷ ବିବରଣୀ ରହିଛି, ୧୭.୭.୨୦୧୮ ତାରିଖରୁ କଳାପତାକା ଅଭିଯାନ ବୀରତ୍ଵର ସହ ଚଳାଇ ଚାଲିଲେ ।

ଶତପଥୀ ଓ ପବିତ୍ର ମହାରଥାଙ୍କ ଅତର୍ଛ ବୟାନବାଜିରୁ ଜଣାପଡ଼ିଗଲା ଯେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ମାଧ୍ୟମରେ ଏମାନେ ସୁପାରି ଖାଇଛନ୍ତି ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ।

ପବିତ୍ର କହି ଚାଲିଥିଲେ ଯେ, କଳା ପତାକା ଅଭିଯାନ ଚାଲିବା ଅର୍ଥ ତାଙ୍କ ସ୍ତ୍ରୀ ଓ ଛୋଟ ଛୁଆର ବେକରେ ଖୋଜ ପକାଇ ଚାଲିବା ।

ଯେଉଁମାନେ କଳା ପତାକା ଧରୁଥିଲେ ସେମାନଙ୍କୁ ସେ ଏହି ଏକା କଥା କହି ଗାଳିଗୁଲଜ କରୁଥିଲେ । ଏପରିକି ଗଜାନନ ମିଶ୍ର ବି ତାଙ୍କ ଏହି ଗାଳିଗୁଲଜରୁ ନିସ୍ତାର ନ ପାଇ ସାମାଜିକ ଗଣମାଧ୍ୟମ ଫେସବୁକରେ ତହିଁର ଏକ ବିବରଣୀ ରଖି ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ତଦାନୀନ୍ତନ ଦୃଶ୍ୟପଟ ଉପସ୍ଥାପନ କରିଥିଲେ ।

ଭାଷା ଆନ୍ଦୋଳନର ନାମ ଅନଧିକୃତ ଭାବେ ବ୍ୟବହାର କରି ସେମାନେ ତ କଳାପତାକା ଅଭିଯାନରୁ ଓହରି ଯାଇଥିଲେ, ଯେଉଁମାନେ ସେମାନଙ୍କ ପାଲରେ ନ ପଡ଼ି କଳାପତାକା ଧରିଲେ ସେମାନଙ୍କୁ ସେ ଏପରି ଧମକାଉଥିଲେ କାହିଁକି ଓ କଳାପତାକା ଚାଲିଲେ ତାଙ୍କ ସ୍ତ୍ରୀ ପିଲା ମରିଯିବେ ବୋଲି କହୁଥିଲେ କାହିଁକି ?

ସନ୍ଦେହ ଉପୁଜିବା ସ୍ଵାଭାବିକ ଯେ, ଭାଷା ଆନ୍ଦୋଳନ ଭାଙ୍ଗିଦେବାକୁ ତାଙ୍କୁ ଯେଉଁ ସୁପାରି ଯାଚିଥିଲେ ଅର୍ଥମନ୍ତ୍ରୀ ସମ୍ଭବତଃ ତହିଁରୁ ଏକ ଛୋଟିଆ ଅଂଶ ତାଙ୍କୁ ଅଗ୍ରୀମ ଭାବେ ଦିଆ ହୋଇଥିଲା ଓ କଳା ପତାକା ସମ୍ପୂର୍ଣ ବନ୍ଦ ହୋଇଯାଇଥିଲେ ସୁପରିର ଅବଶିଷ୍ଟ ବିପୂଳ ଅଂଶ ସେ ପାଇଥାନ୍ତେ । କଳା ପତାକା ବନ୍ଦ ନ ହେବାରୁ ସୁପରିର ସେହି ବିପୂଳ ଅବଶିଷ୍ଟ ସେ ପାଇବା ସମ୍ଭାବନା ନ ଥିବା ହେତୁ ତାହାକୁ ତାଙ୍କ ସ୍ତ୍ରୀ ପିଲାଙ୍କ ବେକରେ ଖୋଜ ପକାଇବା ସହ ସେ ସମାନ ଜ୍ଞାନ କରୁଥିଲେ ।

ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ, ଭାଷା ଆଇନର ନିର୍ଭୁଲ ସଂଶୋଧନ ଓ କାର୍ଯ୍ୟକାରୀତା ପାଇଁ ଚାଲିଥିବା ଏକ ଅଦର୍ଶଭିତ୍ତିକ ସାମାଜିକ ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ରାଜ୍ୟ ସରକାର କିଛି ଆନ୍ଦୋଳନକାରୀଙ୍କୁ ସୁପାରି ଦେବାର ସନ୍ଦେହ ହିଁ ଆମ ପାଇଁ ବ୍ୟଥାଦାୟକ ଥିଲା ଓ ଆମେ ପ୍ରକୃତ ଆନ୍ଦୋଳନକାରୀମାନେ ଅର୍ଥମନ୍ତ୍ରୀଙ୍କଠାରୁ ସତକଥାଟି ଜାଣିବାକୁ ଚାହୁଁଥିଲୁ । ବସ୍ତୁତଃ ୧୬.୭.୨୦୧୮ ପୂର୍ବରୁ ଭାଷା ଆନ୍ଦୋଳନକୁ ଛୁରି ମାରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ଜଣେ ଅଣଓଡ଼ିଆ ଅଫିସରଙ୍କ ସହ ହାତ ମିଳାଇଥିବା ସୂଚନା ମଧ୍ୟ ମୋତେ ମିଳିଥିଲା । ସେହି ଅଫିସର ସେତେବେଳକୁ ଅନ୍ୟ ସ୍ଥାନକୁ ବଦଳି ହୋଇଯାଇଥିଲେ । ତେଣୁ, କେଉଁ ନିର୍ଦ୍ଦିଷ୍ଟ ଚାପରେ ଏହି ଉଭୟ ବ୍ୟକ୍ତି ସେଦିନ ସରକାରଙ୍କ ସହ ହାତ ମିଳାଇଲେ ଓ “କୁଳ ଗଉରବ ବାରି ନ ପାରନ୍ତି ଆରତେ ଶଫରୀନୟନା” ଶୈଳୀରେ ଏପରି ଅତର୍ଛରେ ଓ ଏପରି ଅନଧିକୃତ ଭାବେ କଳାପତାକା ବନ୍ଦ ରଖାଯାଇଥିବାର ମିଛ ପ୍ରଚାର ଚଳାଇଲେ, ତାହା ଜାଣିବାକୁ , ତାଙ୍କ ନାମ ବ୍ୟବହାର କରି ସୃଷ୍ଟି କରାହୋଇଥିବା ଦୃଶ୍ୟପଟ ସହ ଅର୍ଥମନ୍ତ୍ରୀଙ୍କୁ ସାମ୍ନାସାମ୍ନୀ କରାଇବାର ଆବଶ୍ୟକତା ଅନୁଭୂତ ହେଲା । ମୁଁ ତାଙ୍କ ସରକାରୀ ଇ-ମେଲ ଠିକଣାରେ ନିମ୍ନ ପତ୍ର ପଠାଇଲି, ଯାହା ପାଠ କରି ସେ କିଂ କର୍ତ୍ତବ୍ୟ ବିମୂଢ ହୋଇଗଲେ ।

ମୁଁ ଅର୍ଥମନ୍ତ୍ରୀଙ୍କୁ ଦେଇଥିବା ପତ୍ରର ନକଲ

Subhas Chandra Pattanayak
Sun, Aug 26, 2018, 8:07 AM

to finmin.od, excisemin.od

ବିଷୟ – ଓଡ଼ିଶା ସରକାରୀ ଭାଷା ଆଇନରେ ବ୍ୟାପାରରେ ଆପଣଙ୍କ ଭୂମିକା

ମାନ୍ୟବର ଅବକାରୀ ଓ ଅର୍ଥ ମନ୍ତ୍ରୀ ଶ୍ରୀ ଶଶୀ ଭୂଷଣ ବେହେରା ,
ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ମୁଁ ପ୍ରତିଷ୍ଠା କରିଥିବା ଭାଷା ଆନ୍ଦୋଳନ ଓ କଳାପତାକା ଅଭିଯାନ ସମ୍ପର୍କରେ ଆପଣ ବ୍ୟକ୍ତିଗତ ଭାବେ ଅବଗତ ଓ ଟେଲିଭିଜନ ଚାନେଲମାନଙ୍କରେ ଏକାଧିକବାର ଆଲୋଚନା କରି ଏହାକୁ ଆପଣଙ୍କ ନୈତିକ ସମର୍ଥନ ବି ଦେଇଛନ୍ତି । ଏହି ଅଭିଯାନକୁ ପ୍ରତିଦିନ ଚାରିଜଣ କଳାପତାକାଧାରୀ ଯୋଗାଇବା ଦାୟିତ୍ବରେ ଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଯେଉଁମାନେ ଭାଷା ଆନ୍ଦୋଳନର ଯଥାକ୍ରମେ ସଭାପତି ଓ ଆବାହକ ଭାବେ ପରିଚିତ , ଗତ ୧୬. ୭. ୨୦୧୮ ତାରିଖ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତି ଜାରି କରି କଳାପତାକା ଅଭିଯାନ ସେହିଦିନଠାରୁ ସ୍ଥଗିତ ରହିଲା ବୋଲି ଘୋଷଣା କଲେ । ସେମାନଙ୍କ ସେହି ଆଚରଣ ଅନଧିକୃତ ଥିବା ହେତୁ ଓଡ଼ିଆ ଜାତି ତାହାକୁ ପ୍ରତ୍ୟାଖ୍ୟାନ କଲା ଓ କଳାପତାକା ଅଭିଯାନ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଯଥାରୀତି ଚାଲିଛି । ଯେଉଁ ପର୍ଯ୍ୟନ୍ତ ସରକାରୀ ଭାଷା ଆଇନକୁ ଆଇନତଃ ନ ହେଲେ ବି କାର୍ଯ୍ୟତଃ ନିର୍ଜୀଵ କରିଦେବାକୁ ହୋଇଥିବା ସରକାରୀ ଷଡଯନ୍ତ୍ର ପ୍ରତ୍ୟାହୃତ ନ ହୋଇଛି ଓ ଏକ ନିର୍ଭୁଲ ସଂଶୋଧନ ଦ୍ଵାରା ତାକୁ ସଶକ୍ତିକୃତ କରା ନ ଯାଇଛି ସେ ପର୍ଯ୍ୟନ୍ତ ଏହା ଚାଲିବ । ମାତ୍ର ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ତହିଁରେ ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତା ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ । ତେଣୁ, ମୋର ଅନୁରୋଧ, ଏଥି ସହ ସଂଯୁକ୍ତ ପ୍ରେସ ବିବୃତ୍ତିଟି ଅନୁଧ୍ୟାନ କରିବେ ଓ ଦୟାକରି ସ୍ପଷ୍ଟ କରିବେ କି,
(୧ ) ଏଥିରେ କୁହାହୋଇଥିବା ପରି ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ସମ୍ପୃକ୍ତ ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?
ଇତି ,
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ , ଓଡ଼ିଶା

ଲଜ୍ଜ୍ୟାର କଥା, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଉପର ଲିଖିତ ଅଭିଯୋଗକୁ ଖଣ୍ଡନ କରିବାକୁ ସାହସ କଲେନାହିଁ । (କ୍ରମଶଃ)
୨୧.୬.୨୦୧୯

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୧୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସରକାରଙ୍କ ସହାୟତାରେ ଭାଷା ଆନ୍ଦୋଳନକୁ କିପରି ଛୁରୀ ମରା ହୋଇଥିଲା ତାହା ଜାଣିନାହାନ୍ତି ବୋଲି ଯଦି ସରିଯାଇଥିବା ବିଧାନସଭାର କୌଣସି ସଭ୍ୟ କୁହନ୍ତି ତେବେ ସେ ମିଛ କହୁଛନ୍ତି ବୋଲି ମୁଁ କହିବି । ରାଜ୍ୟରେ ଘଟୁଥିବା ଗୁରୁତ୍ଵପୂର୍ଣ ଘଟଣାବଳୀ ଉପରେ , ବିଶେଷ କରି କୌଣସି ବିଧାନ ପ୍ରଣୟନ ବା ସଂଶୋଧନକୁ କେନ୍ଦ୍ର କରି ରାଜ୍ୟରେ ଯଦି କୌଣସି ଆନ୍ଦୋଳନ ଚାଲିଥାଏ ତହିଁ ଉପରେ ନିଜକୁ ଅବହିତ କରି ରଖିବା ଯେକୌଣସି ଦାୟିତ୍ଵଜ୍ଞାନସମ୍ପନ୍ନ ବିଧାୟକଙ୍କର ସର୍ବନିମ୍ନ କାମ । ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲମାନଙ୍କରେ ୧୬.୭.୨୦୧୮ ତାରିଖ ରାତିରେ ଓ ତହିଁ ପରଦିନର ପ୍ରମୁଖ ଖବରକାଗଜମାନଙ୍କରେ କଳା ପତାକା ଅଭିଯାନ “ଆଗାମୀ ବିଧାନସଭା ଅଧିବେଶନ ପର୍ଯ୍ୟନ୍ତ” ବନ୍ଦ ହୋଇଯାଇଥିବାର ସଂବାଦ ପ୍ରସାରିତ ହୋଇଥିଲା । ଏହା ତ ରାଜ୍ୟର ବିଭିନ୍ନ ଘଟଣା ଉପରେ, ବିଶେଷତଃ ବିଧାନସଭା ସଙ୍କ୍ରାନ୍ତୀୟ ଘଟଣା ଉପରେ ଗୃଧ୍ରଦ୍ରୁଷ୍ଟି ରଖିଥିବା ବିଧାୟକମାନଙ୍କ ନଜରରୁ କେବେ ବି ଖସି ନଥିବ । ପୁନଶ୍ଚ ସେମାନେ ଜାଣିଥିବେ ଯେ, ଏ ଅଭିଯାନ ସ୍ଥଗିତ ନ ରହି ଚାଲିଛି ଓ ବିଧାନସଭା ସମ୍ମୁଖରୁ ରାଜଭବନ ସମ୍ମୁଖ ଯାଏଁ ଚାଲିଛି କଳାପତାକାର ଜୟଯାତ୍ରା ପ୍ରତିଦିନ । ସେମାନଙ୍କ ବିଧାୟକୀୟ ବିଜ୍ଞତା ସେମାନଙ୍କୁ କଣ କହିଲା? ପରେ ସେଠିକି ଆସିବା । ପ୍ରଥମେ ଦେଖିବା କିପରି ଥିଲା ଏହି ସରକାରୀ ସୁପାରି ଘାତକମାନଙ୍କ ଛୁରୀ ।

ସରକାରୀ ସୁପାରୀ

ଗତ ୧.୫.୨୦୧୮ରେ ଆମ ଭାଷା ଆଇନରେ ୪-କ ଧାରା ଯୋଡ଼ି ସରକାର ତହିଁରେ ଦଣ୍ଡବିଧାନର ଯେଉଁ ବିଭ୍ରାନ୍ତିକର ଫୁତ୍କାର ଛାଡ଼ିଥିଲେ, ତାହାକୁ ମୁଁ ବିରୋଧ କରିଥିଲେ ମଧ୍ୟ ତଦନୁଯାୟୀ ନିୟମାବଳୀରେ ଦଣ୍ଡବିଧାନ ପୂର୍ଣତଃ ଉଚ୍ଚାରିତ ହେବ ବୋଲି ଆଶା ରଖି ଦୁଇମାସ ପାଇଁ କଳା ପତାକା ଅଭିଯାନ ବନ୍ଦ ରଖିବାକୁ ମୋତେ କିପରି ରାଜି ହେବାକୁ ପଡ଼ିଥିଲା ତାହା ମୁଁ ପୂର୍ବରୁ ସୂଚାଇଛି । ଉଚ୍ଚଶିକ୍ଷା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ତାଙ୍କ ଝିଅକୁ ନେଇ ଓଡ଼ିଶା ବାହାରକୁ ଯିବାକୁ ଥିବାରୁ ତାଙ୍କ ଅନୁରୋଧକ୍ରମେ ଏହି ସ୍ଥଗିତିକରଣକୁ ୧୬.୭.୨୦୧୮ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆ ଯାଇଥିଲା । ସେଦିନ କଳାପତାକା ଅଭିଯାନକୁ ସେ ଓ ପବିତ୍ର ମହାରଥା ଆସିଲେନାହିଁ । ମଧୁବାବୁଙ୍କ ସମ୍ମୁଖରେ ଅଭିଯାନର ପ୍ରତିଜ୍ଞା ନବୀକୃତ କରି ଆମେ ନେଉଟିବା ବେଳେ ସେମାନେ ଆସି ପହଞ୍ଚିଲେ ଓ ଏପରି ଏକ ଘୋଷଣା କଲେ ଯାହା ମୋ ପାଇଁ ଥିଲା ସବୁଠୁ ଅସହ୍ୟ ବିସ୍ମୟ । ସେଦିନ ତାଙ୍କ ଆଚରଣର ଧକ୍କାରେ ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଥିଲି । ସେହି ଦୁଃଖକୁ ଯେଉଁ ଭାଷାରେ ମୁଁ ଲେଖିଥିଲି ତାହା ଉଦ୍ଦିଷ୍ଟ ଥିଲା କେବଳ ମୋ ପରିବାର ଓ ମୋ ବନ୍ଧୁ ବାନ୍ଧବମାନଙ୍କ ପାଇଁ । ପରେ ତାକୁ ମୁଁ ଅନ୍ୟତ୍ର ପ୍ରକାଶ କରିଥିଲେ ମଧ୍ୟ ଏହି ଆଲୋଚନାରେ ପ୍ରାସଙ୍ଗିକତା ଦୃଷ୍ଟିରୁ ତାହା ଉପସ୍ଥାପିତ କରୁଛି । ପ୍ରାସଙ୍ଗିକ ଏଇଥିପାଇଁ ଯେ, ଯେଉଁ ବିଧାନସଭା ଆମ ଭାଷା ଆଇନର ଜୀବନ ନେଇ ଖେଳ ଖେଳିଲା, ସେହି ବିଧାନସଭାର ନେତାଙ୍କ ସମ୍ପୃକ୍ତି ଏହି ଘଟଣା ଘଟାଇଥିଲା । ଲେଖାଟିକୁ ଅବିକଳ ରଖିଲି –

ଭାଷା ଆନ୍ଦୋଳନ ଛାତିରେ ଛୁରା

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଦୁଷ୍ଟବୁଦ୍ଧିସମ୍ପନ୍ନ ଲୋକଙ୍କ ସହ ସମ୍ପର୍କ ରଖିଲେ ଯେ ସେମାନଙ୍କଠାରୁ ମରଣାନ୍ତକ ଆଘାତ ମିଳିପାରେ ତାହା ମୁଁ ଗତକାଲି ଜୁଲାଇ ୧୬ ସନ୍ଧ୍ୟାରେ ହିଁ ଜାଣିଲି । ମୋ ପରିବାରର ସଦସ୍ୟମାନେ ଓ ମୋର ଖାସ୍ ନିଜ ଲୋକେ ଯେଉଁମାନେ ଏହି ପୃଷ୍ଠାକୁ ଆସନ୍ତି କେବଳ ସେହିମାନଙ୍କୁ ଜଣାଇବା ପାଇଁ ଯେ, ସାପ ସହ ବାସ କରିବା ନିରାପଦ ନୁହେଁ, ମୁଁ ଭାଷା ଆନ୍ଦୋଳନର ଜୀବନରେ କାଲି ଯାହା ଘଟିଲା ତାହା ଦୁଃଖର ସହ ଏଠି ରଖୁଛି ।

ଜୁଲାଇ ୧୬ରେ କଳାପତାକା ଅଭିଯାନର ନୂଆ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଆମେ ଆଗରୁ ଘୋଷଣା କରିଥିଲୁ । ତଦନୁଯାୟୀ ବିଧାନସଭା ସମ୍ମୁଖରେ ଅପରାହ୍ନ ସାଢ଼େ ଚାରିଟାରେ ମୁଁ ପହଞ୍ଚିଲି । ପତାକା ଓ ଦାବିଫଳକ ଧରିବାକୁ ସାଥୀମାନେ ପହଞ୍ଚି ଥିଲେ । ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା ନ ଥିଲେ । ଦିନଟି ଗୁରୁତ୍ବପୂର୍ଣ ହୋଇଥିବାରୁ ସେମାନଙ୍କ ଅନୁପସ୍ଥିତି ଅଡୁଆ ଲାଗୁଥିଲା । କଳାପତାକା ଅଭିଯାନ ଶେଷରେ ପବିତ୍ର ହିସାବ ଦେବାର ଥିଲା । କାରଣ ଭାଷା ଆନ୍ଦୋଳନର ପାଣ୍ଠି ସେ ତୋଷରପାତ କରିଥିବା ଜଣା ପଡିଲା ପରେ ମୁଁ ତାଙ୍କୁ କୈଫିୟତ ମାଗିଥିଲି ଓ ଜୁଲାଇ ୧୬ରେ ଯେହେତୁ ସକ୍ରିୟ ସାଥୀମାନେ ଏକାଠି ହେବା ସୁନିଶ୍ଚିତ ସେହେତୁ ସେହିଦିନ ସମସ୍ତଙ୍କ ଆଗରେ ହିସାବ ରଖିବାକୁ ତାକୁ ସମୟ ଦେବାକୁ ମୋତେ ପ୍ରଦ୍ୟୁମ୍ନ ଶତପଥୀ ପୂର୍ବରୁ ଅନୁରୋଧ କରିଥିଲେ । ଏପରି ଅବସ୍ଥାରେ ଦିଜଣ ଯାକଙ୍କ ଅନୁପସ୍ଥିତି ମୋତେ ଅସ୍ବଭାବିକ ଲାଗିଥିଲା । ସେମାନେ କାହନ୍ତି ବୋଲି ମୁଁ ପଚାରିଲି । ପ୍ରଦ୍ୟୁମ୍ନ ବାବୁଙ୍କ ଘନିଷ୍ଠ ବନ୍ଧୁ ଚକ୍ରଧର ମହନ୍ତ ମୋତେ କହିଲେ କି , କିଛି ଗୋଟେ ଜରୁରୀ କାମରେ ସେମାନେ ବାହାରିଯାଇଛନ୍ତି ଓ ଫେରିବାକୁ ସାମାନ୍ୟ ବିଳମ୍ବ ହୋଇପାରେ । ତେଣୁ ୫ଟାରେ ଯଥା ପୂର୍ବ ମୁଁ ପତାକା ଧରାଇଲି ଓ ଅଭିଯାନ ମଧୁବାବୁଙ୍କ ପାଖକୁ ଆସି ସମାପ୍ତ ହେଲା ।

ସେଠାରୁ ଆମେ ଫେରିବାକୁ ବସିଥିବା ବେଳେ ଦିଜଣଯାକ ଆସି ପହଁଚିଲେ । ପ୍ରଦ୍ୟୁମ୍ନ ଶତପଥୀ ପ୍ରଥମେ ମୋତେ ଅଭିନନ୍ଦନ ଜଣାଇ କହିଲେ କି, “ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଉଲ୍ଲିଖିତ ସମସ୍ତ ଦାବି ପାଳନ କରି ବିଧାନସଭାର ଆଗାମୀ ଅଧିବେଶନରେ ଭାଷା ଆଇନର ସଂଶୋଧନ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଲେ ଓ ପ୍ରତିଦାନରେ କଳାପତାକା ଅଭିଯାନ ସେଯାଏଁ ସ୍ଥଗିତ ରଖିବାକୁ ଆମେ ତାଙ୍କୁ ପ୍ରତିଶ୍ରୁତି ଦେଇଦେଲୁ ।”

“ଆପଣ ଏହା କାହିଁକି କଲେ ଓ କାହାକୁ କିଛି ନ କହି ଏପରି ଏକ ପ୍ରତିଶୃତି ଦେବାକୁ କେଉଁଠୁ ଆପଣ ଅଧିକାର ପାଇଲେ?” ବୋଲି ମୁଁ ପଚାରିଲି । “ଆପଣ ଯାହା ଯେତେବେଳେ କହିଛନ୍ତି ଆମେ ଆଜିଯାଏଁ ତାହା ମାନି ଆସିଛୁ, ଆମର ଆଜିର ଏହି ଗୋଟିଏ କଥାକୁ ଆପଣ ମାନନ୍ତୁ ବୋଲି ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି”, କହିଲେ ପ୍ରଦ୍ୟୁମ୍ନ ବାବୁ । “ସରକାରଙ୍କ ପାଖରୁ ବା ଅର୍ଥମନ୍ତ୍ରୀଙ୍କ ପାଖରୁ କିଛି ନିମନ୍ତ୍ରଣ ଆସିଥିଲା କି?” – ମୁଁ ପଚାରିଲି । “ନାଁ , କେବଳ ଫୋନ ଆସିଥିଲା” ସେ କହିଲେ । “ମୋତେ କହିଲେନି?” – ମୁଁ ପଚାରିଲି । “ଆପଣଙ୍କୁ ଫୋନ କଲି, ଆପଣ ଧରିଲେନି” – ଏହା ହିଁ ଥିଲା ତାଙ୍କର ଉତ୍ତର । “ଯଦି ସରକାର ଆମ ଦାବି ମାନିନେଇ ତଦନୁଯାୟୀ ଆଇନ ସଂଶୋଧନ କରିବାକୁ ରାଜି, ତେବେ ବିଧାନସଭାକୁ ଅପେକ୍ଷା ନ କରି ଅଧ୍ୟାଦେଶ ଜାରି କରିବାକୁ ତାଙ୍କୁ କହିଲେ ନି ?” – ମୁଁ କହିଲି । “ମୁଖ୍ୟମନ୍ତ୍ରୀ ନଥିଲେ ଅଧ୍ୟାଦେଶ କିପରି ହେବ?” – ସେ କହିଲେ । ଏବଂ ସେ ଯାହା କହୁଛନ୍ତି ସତ୍ୟ କହୁଛନ୍ତି ବୋଲି ଆଉ ଦି ଜଣଙ୍କୁ ସାକ୍ଷୀ ଭାବେ ଦେଖେଇଲେ । ମୁଁ କହିଲି, “ହେଉ, ମନ୍ତ୍ରୀଙ୍କୁ କୁହାଯାଉ, ତୁରନ୍ତ ଏ ସମ୍ପର୍କରେ ଏକ ପ୍ରେସ ଵିଜ୍ଞପ୍ତି ଜାରିକରିବାକୁ ; ତାହାକୁ ଅନୁଧ୍ୟାନ କରି ଆସନ୍ତା କାଲି ସକାଳେ ଆମେ ସମସ୍ତେ ବସି ଯାହା ନିଷ୍ପତ୍ତି ନେବା ।”

ପ୍ରଦ୍ୟୁମ୍ନ ଶତପଥୀ ମନ୍ତ୍ରୀଙ୍କୁ ଫୋନ କରୁଥିଲେ (ଏହା ହିଁ ସେ କହିଥିଲେ), ମୁଁ ଘରକୁ ଆସିଲି । ପବିତ୍ର ମହାରଥା ଭାଷା ଆନ୍ଦୋଳନର ହିସାବ ଦେବା ପରିବେଶ ଆଉ ନଥିଲା । ପ୍ରାୟ ଘଂଟାଏ ପରେ ସେ ଗଣମାଧ୍ୟମରେ ଘୋଷଣା କଲେ କି , ଭାଷା ଆନ୍ଦୋଳନର ନିଷ୍ପତ୍ତି ଅନୁସାରେ ଜୁଲାଇ ୧୬ରେ ଆରମ୍ଭ ହେବାକୁଥିବା କଳାପତାକା ଅଭିଯାନ ସ୍ଥଗିତ ରଖାଯାଇଛି ।

ସେ ଜାରିକରିଥିବା ଏହି ପ୍ରେସ ଵିଜ୍ଞପ୍ତି ଦେଖାଯାଉ । ଭାଷା ଆନ୍ଦୋଳନର ଏପରି କୌଣସି ପ୍ରସ୍ତାବ ଏଥିରେ ସନ୍ନିହିତ ନୁହେଁ । କାରଣ ଭାଷା ଆନ୍ଦୋଳନ ଏପରି କୌଣସି ପ୍ରସ୍ତାବ ଗ୍ରହଣ କରିନାହିଁ । ଭାଷା ଆନ୍ଦୋଳନ ଏକ ସଂଗଠିତ କି ପଂଜିକୃତ ସଂଗଠନ ନୁହେଁ । ମନ୍ତ୍ରୀସ୍ତରୀୟ କମିଟି ଅପ୍ରାସଙ୍ଗିକ ହୋଇଗଲା ପରେ ମୁଁ ନିଜ ମାତୃଭାଷା ପ୍ରତି ସୃଷ୍ଟି ହୋଇଥିବା ବିପତ୍ତି ସମ୍ପର୍କରେ ଜନଜାଗୃତି ପାଇଁ ମୋ ପରିସୃଷ୍ଟ ନିରବ କଳାପତାକା ଅଭିଯାନ ପଦ୍ଦତ୍ତିରେ ଏ ଆନ୍ଦୋଳନ ସୃଷ୍ଟି କରିଥିଲି । ଏଥିପାଇଁ ମନସ୍ଥିର କରିବା ପୂର୍ବରୁ, ୨୦୧୬ ଏପ୍ରିଲ ପହିଲାରେ ମୁଁ ପ୍ରଥମେ ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ପୃଷ୍ଠାରେ ଏକ ନିବେଦନ ରଖି ଓଡ଼ିଶାର ଜନସାଧାରଣଙ୍କ ମତ ଲୋଡ଼ିଥିଲି । ମତ ଆସିଥିଲା ଆମରଣ ଅନଶନ କରି ଭାଷା ସଚେତନତାର ଏକ ନୂଆ ଯୁଗକୁ ଜନ୍ମ ଦେଇଥିବା ଭାଷା ତପସ୍ବୀ ଗଜାନନ ମିଶ୍ରଙ୍କ ଠାରୁ ମୋ ଫେସ୍ ବୁକ୍ ଆବେଦନ ପରେ ପରେ ସେହି ୨୦୧୬ ଏପ୍ରିଲ ପହିଲାରେ । ଏଥିରେ ନୂଆ ଆନ୍ଦୋଳନ ପାଇଁ ପୁର୍ଣ ସମର୍ଥନ ଥିବା ସଂଗେ ସଂଗେ ଇଂରାଜୀ ଭାଷାକୁ ଅସହଯୋଗ କରିବାର ପ୍ରସ୍ତାବ ଥିଲା । କିନ୍ତୁ ପ୍ରଥମ ପଥଦର୍ଶୀ ପ୍ରସ୍ତାବ ପାଇଲି ଓଡ଼ିଶାର ବିଖ୍ୟାତ ପରିବେଶବିତ , ବନ୍ୟଜନ୍ତୁମାନଙ୍କ ଅଧିକାର କ୍ଷେତ୍ରରେ ବିଶ୍ଵବିଦିତ ବନ୍ଧୁ , ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ବିଶ୍ୱଜିତ ମହାନ୍ତିଙ୍କ ଠାରୁ ତହିଁ ପରଦିନ ୨୦୧୬ ଏପ୍ରିଲ ୨ ତାରିଖରେ ।

ସେ ୭ଟି ମୁଖ୍ୟ ଯୋଜନା ଓ ୯ଟି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇଥିଲେ । ଅବସରପ୍ରାପ୍ତ ଏଇ.ଏ.ଏସ ଅଫିସର ପ୍ରମୋଦ ପଟ୍ଟନାୟକ , ପ୍ରଫେସର କମଳା ପ୍ରସାଦ ମହାପାତ୍ର ଆଦି ବହୁ ବନ୍ଧୁଙ୍କ ଠାରୁ ନାନା ଗୁରୁତ୍ବପୂର୍ଣ ପ୍ରସ୍ତାବମାନ ଆସିଲା । ଏଗୁଡ଼ିକ ଅନୁଧ୍ୟାନ କରି ମୋର ବିଶ୍ଵାସ ଦୃଢ଼ ହେଲା ଯେ, ମୋ ପଦ୍ଧତ୍ତିରେ ମୁଁ ଯଦି ଆନ୍ଦୋଳନ ଚଳାଏ , ତେବେ ତାହା ସାର୍ବଜନୀନ ସମର୍ଥନ ପାଇବା ସମ୍ଭବ ହେବ । ଏହି ପଦ୍ଧତ୍ତି ଉଣେଇଶ ଅଶୀ ଦଶକରେ ମୁଖ୍ୟମନ୍ତ୍ରୀ ଥିବା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବିରୁଦ୍ଧରେ ଜନଜାଗୃତି ପାଇଁ ମୁଁ ଆଠଗଡ଼ରେ ଉଦ୍ଭାବନ ଓ ପ୍ରୟୋଗ କରିଥିଲି । ବିଧାନସଭା ସମ୍ମୁଖରୁ କଳାପତାକା ଧରି ନୀରବରେ ପ୍ରତିଦିନ ଅପରାହ୍ନ ପାଞ୍ଚଟା ପରି ଏକ ନିର୍ଦ୍ଦିଷ୍ଟ ସମୟରେ ଯିବି ଓ ଯେହେତୁ ଏତଦ୍ଦ୍ଵାରା କୌଣସି ଆଇନ ଭଙ୍ଗ ହେବ ନାହିଁ ସରକାର କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରିପାରିବେ ନାହିଁ । ଫଳରେ ଧୀରପାଣି ପଥର କାଟିବା ପରି ଏହା ଲୋକଙ୍କ ନିଦ ଭାଙ୍ଗିଦେବ ଓ ସରକାର ବାଧ୍ୟ ହେବେ ଭାଷା ଆଇନ ସଂଶୋଧନ ପାଇଁ ମୁଁ ମନ୍ତ୍ରୀସ୍ତରୀୟ କମିଟିରେ ଦେଇଥିବା ପ୍ରସ୍ତାବ ଗ୍ରହଣ କରିବାକୁ ।

ମୋ ପାଖକୁ ସେତେବେଳେ ବରାବର ଆସୁଥିବା ପବିତ୍ର ମହାରଥା ମୋ ପ୍ରସ୍ତାବରେ ରାଜି ହେଲେ ଓ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ହଳେଇଲେ । ଏ ପଦ୍ଧତ୍ତି କିପରି ନିରାପଦ ଓ ସରକାର ଅଡୁଆରେ ପଡିବେ ସିନା , ଆମକୁ ଅଟକାଇ ପାରିବେ ନାହିଁ – ଏହା ମୁଁ ତାଙ୍କୁ ବୁଝାଇବାକୁ ଏକାଧିକ ଦିନ ଲାଗିଗଲା । ଶେଷରେ ସେ ରାଜିହେଲେ ଓ ପ୍ରତ୍ୟହ କେତେ ଲୋକ ଆବଶ୍ୟକ ହେବେ ବୋଲି ପଚାରିଲେ । “ସର୍ବୋଚ୍ଚ ଚାରିଜଣ” ମୁଁ କହିଥିଲି ।

କିଛିଦିନ ଆନ୍ଦୋଳନ ଚାଲିଲା ପରେ ବିଭିନ୍ନ ଅସାମାଜିକ ବ୍ୟକ୍ତିଙ୍କୁ ଲଗାଇ ଆମ ଉପରେ ସାମାଜିକ ଗଣମାଧ୍ୟମରେ ଆକ୍ରମଣ ହେଲା । ଭାଷା ଆନ୍ଦୋଳନରେ ଜଣେ ଅଧ୍ୟକ୍ଷ ଥିବା ବେଳେ ପୁଣି ଜଣେ ସଭାପତି କାହିଁକି ଓ ଏହାର ପ୍ରକୃତ ନେତା କିଏ ବୋଲି ବି ପ୍ରଶ୍ନ ଉଠାଇଲେ ଜଣେ ବ୍ୟକ୍ତି ଯାହାଙ୍କୁ ପ୍ରଦ୍ୟୁମ୍ନ ଶତପଥୀ ହିଁ ଆମ ଆନ୍ଦୋଳନ ଭିତରକୁ ଆଣିଥିଲେ । ଅପରପକ୍ଷେ ଅତୀତର ଜଣେ ବିଶିଷ୍ଟ ଛାତ୍ରନେତା କଳାପତାକା ଅଭିଯାନରେ ସକ୍ରିୟ ଭୂମିକା ନିର୍ବାହ କରି ଅଭିଯାତ୍ରୀମାନଙ୍କ ମଧ୍ୟରେ ଅଧିକ ଦୃଷ୍ଟି ଆକର୍ଷକ ହେବାରୁ ପବିତ୍ର ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ ଓ ନିଜର ଆବାହକ ପଦମର୍ଯ୍ୟାଦା ହାଂକି ସେ ଯାହା କରିବେ ତାଙ୍କୁ ପଚାରି କରିବେ ବୋଲି କହିଥିଲେ । ଏହା ଛାତ୍ରନେତାମାନଙ୍କ ମହଲରେ ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ତେଣୁ ଏ ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରି ପ୍ରଦ୍ୟୁମ୍ନ ବାବୁ ତାଙ୍କ ଫେସ୍ ବୁକ୍ ପୃଷ୍ଠାରେ ୧୧.୫.୨୦୧୬ ତାରିଖରେ ଲେଖିଥିଲେ, ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପରିପକ୍ଵ ପ୍ରଜ୍ଞାଜ ଏହି ଦର୍ଶନର ଆମେ ସମସ୍ତେ ସଞ୍ଚାଳକ, କୌଣସି ବ୍ୟକ୍ତିବିଶେଷ ନୁହନ୍ତି । ”

ବସ୍ତୁତଃ ସେ ଏତଦ୍ଦ୍ଵାରା କୌଣସି ଅତିରଂଜିତ କଥା କହିନଥିଲେ । ଏହି ଆନ୍ଦୋଳନ ସୃଷ୍ଟି କରି ଜନ ଅନ୍ଦୋଳନକୁ ମୁଁ ଏକ ସମ୍ପୂର୍ଣ ଅଭିନବ ଦର୍ଶନାତତ୍ତ୍ଵ ଦେଇଥିଲି । ମହାତ୍ମା ଗାନ୍ଧୀ, ମାର୍ଟିନ ଲୁଥର କିଙ୍ଗ (କନିଷ୍ଠ), ନେଲସନ ମଣ୍ଡେଲା ଓ ମାଲକମ ଏକ୍ସ ପ୍ରଭୃତିଙ୍କ ପଦ୍ଧତ୍ତି ଫେଣ୍ଟାଫେଣ୍ଟି କରି ତହିଁରେ ମୋ ନିଜସ୍ଵ ପ୍ରଜ୍ଞା ମିଶାଇ , କୌଣସି ସରକାରୀ ଆଇନ ଅମାନ୍ୟ ନ କରି ଏକ ଜନବିରୋଧୀ ସରକାରୀ ଆଚରଣକୁ ବଦଳାଇବାକୁ କିପରି ଏକ ଅହଙ୍କାରୀ ସରକାରଙ୍କୁ ବାଧ୍ୟ କରାଯାଇପାରେ ତାହାର ପଦ୍ଧତ୍ତି ମୁଁ ସୃଷ୍ଟି କରିଥିଲି । ଏହା ଥିଲା ନିରବ ଆନ୍ଦୋଳନ କିପରି ଏକ ଭୟଙ୍କର ବିସ୍ଫୋରକ ତୁଣ୍ଡ ବାଇଦ ସୃଷ୍ଟି କରି ଶୋଇଥିବା ଏକ ଜାତିକୁ ନିଦରୁ ଉଠାଇଦେଇପାରେ ତାହାର ଏକ ପରୀକ୍ଷଣ । ଯେପରି ପୂର୍ବରୁ କହିଛି, ଉଣେଇଶ ଅଶୀ ଦଶକରେ ତଦାନୀନ୍ତନ ପ୍ରବଳ ପରାକ୍ରମୀ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଆଠଗଡ଼ରେ ମୁଁ ଏହି ପଦ୍ଧତ୍ତିକୁ ସଫଳତାର ସହ ପ୍ରୟୋଗ କରିଥିଲି । ଭାଷା ଆନ୍ଦୋଳନ ବ୍ୟାପାରରେ ଏହି ସତ୍ୟକୁ ସେଦିନ ଉପରୋକ୍ତ ମତେ ସ୍ବୀକାର କରିଥିଲେ ପ୍ରଦ୍ୟୁମ୍ନ ଶତପଥୀ ଓ ସ୍ବୀକାର କରିଥିଲେ ଯେ, ମୋ ପ୍ରଜ୍ଞା ପ୍ରସୂତ ଏହି ଆନ୍ଦୋଳନରେ ସେ ଓ ପବିତ୍ର ପ୍ରଭୃତି ଥିଲେ ସଂଚାଳକ । କେବଳ ୧୧.୫.୨୦୧୬ ତାରିଖରେ ନୁହଁ, ବହୁବାର ମଧ୍ୟ ତାଙ୍କ ଫେସ୍ ବୁକ୍ ପୃଷ୍ଠାରେ ପ୍ରଦ୍ୟୁମ୍ନ ବାବୁ ଏହି ଏକା କଥା କହିଛନ୍ତି ।

ଡାହାଣପଟେ ଥିବା ତାଙ୍କ ଫେସ୍ ବୁକ୍ ଉଲ୍ଳେଖନର ଫଟୋଚିତ୍ରରେ ଏହି ଉଦ୍ଧୃତ ସ୍ବୀକାରୋକ୍ତି ରହିଛି ।

ଏକଥା ମୁଁ ଏଠି ଏଇଥିପାଇଁ କହୁଛି ଯେ, ବରଂ କହିବାକୁ ବାଧ୍ୟ ହେଉଛି ଯେ, ମୋ ଆନ୍ଦୋଳନର ଏହି ସ୍ଵୟଂସ୍ବୀକୃତ “ସଞ୍ଚାଳକ” ପ୍ରଦ୍ୟୁମ୍ନ ଶତପଥୀ ଅର୍ଥନୈତିକ ଅପରାଧ ହେତୁ ଧରା ପଡିଥିବା ପବିତ୍ର ମହାରଥାଙ୍କ ସହ ମିଶି ଜୁଲାଇ ୧୬ ତାରିଖରେ ମୋ ଅଜଣାରେ ସରକାରଙ୍କ ସହ ହାତ ମିଳାଇ ଅତି ଅନଧିକୃତ ଭାବେ ଘୋଷଣା କରିଛନ୍ତି କି, ଏହି ଦିନ ଠାରୁ କଳାପତାକା ଅଭିଯାନ ବିଧାନସଭା ଅବଧି ଶେଷ ଯାଏଁ , ଅର୍ଥାତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ , ବନ୍ଦ ହୋଇଗଲା ! ମୋ ପ୍ରତିଷ୍ଠିତ ଆନ୍ଦୋଳନର ଏହି ସବୁ “ସଞ୍ଚାଳକ”ଙ୍କୁ ଏହି ଅଧିକାର ଦେଲା କିଏ ? ସେ ଓ ପବିତ୍ର ଏବଂ ତାଙ୍କ ଗୋଷ୍ଠୀ ମୋ ଆନ୍ଦୋଳନକୁ ସଞ୍ଚାଳିତ କରୁଥିଲେ ବା ସହଯୋଗ କରୁଥିଲେ । ଏଥିରୁ ଓହରିଯିବା ତାଙ୍କର ସମ୍ପୂର୍ଣ ଇଚ୍ଛାଧୀନ ; କିନ୍ତୁ ଏହାକୁ ବନ୍ଦ କରିଦେବା ଅଧିକାର ସେ ବା ସେମାନେ କେଉଁଠୁ ପାଇଲେ ?

ମୁଁ ଯେତେବେଳେ ଏହି ଆନ୍ଦୋଳନଟି ଆରମ୍ଭ କରିଥିଲି ସେତେବେଳେ ମୁଁ ହୁଏତ ଏକା ଥିଲି ଓ ପ୍ରଦ୍ୟୁମ୍ନ ବାବୁ ଏବଂ ପବିତ୍ର ଏହା ସହ ସମ୍ପୃକ୍ତ ହୋଇ ଏହାକୁ ପରିବ୍ୟାପ୍ତ କରିଥିଲେ । କିନ୍ତୁ ଏହି ଆନ୍ଦୋଳନ ଆଜି ମୋ ଆନ୍ଦୋଳନ ହୋଇ ରହିନାହିଁ କି ଏଥିରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିଥିବା ଲୋକଙ୍କ ଭିତରେ ଏହା ଆଉ ସୀମିତ ହୋଇରହିନାହିଁ । ଏହି ନିରବ ଆନ୍ଦୋଳନ ପଦ୍ଧତ୍ତିରେ ଜନଜାଗରଣ ପାଇଁ ମୁଁ ଯେଉଁ ଯୋଜନା କରିଥିଲି ତାହା ସଫଳ ହୋଇଛି ଓ ସମଗ୍ର ଓଡ଼ିଆ ଜାତି ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ଏହାକୁ ନିଜ ଆନ୍ଦୋଳନ ବୋଲି ମନେ କରୁଛି ଓ ଭାଷା ଅଧିକାର ପାଇଁ ଜାଗିଉଠିଛି । ଏତିକିବେଳେ ଏମାନେ ସରକାରଙ୍କୁ ଆପ୍ୟାୟିତ କରିବାକୁ ଯାଇ ଆନ୍ଦୋଳନ ସ୍ଥଗିତ ହୋଇଗଲା ବୋଲି ଗତକାଲି ଯେଉଁ ଘୋଷଣା କରିଛନ୍ତି ତାହା ଆମ ଜାତି ବିରୁଦ୍ଧରେ ଏକ ଅପରାଧ ।

ପ୍ରତି ଅପରାଧ ମୂଳରେ ଅପରାଧିକ ଅଭିସନ୍ଧି ଥାଏ । ଅପରାଧିକ ଅଭିସନ୍ଧି କଣ ହୋଇଥାଇପାରେ ? ହୁଏତ (୧) ପବିତ୍ରଙ୍କ ଅର୍ଥନୈତିକ ଅପରାଧ ବିରୁଦ୍ଧରେ ମୁଁ ରାଜଧାନୀ ପୋଲିସ ଷ୍ଟେସନରେ ଏତଲା ଦେଇଥିବା ହେତୁ ମନ୍ତ୍ରୀଙ୍କ ଶରଣାପନ୍ନ ହୋଇ ପୋଲିସ କାର୍ଯ୍ୟନୁଷ୍ଠାନରୁ ବର୍ତ୍ତି ଯିବା ପାଇଁ ଚେଷ୍ଟା ବା (୨) ଅର୍ଥମନ୍ତ୍ରୀଙ୍କ ମାଧ୍ୟମରେ ସ୍ଵାର୍ଥ ହାସଲର ଲୋଭ ।

ଜଣେ ବରିଷ୍ଠ ସରକାରୀ ଅଫିସରଙ୍କ ଠାରୁ ଜାଣିଲି ଯେ ଏହି ଉଭୟେ ଜୁଲାଇ ୧୪ ତାରିଖ ସକାଳେ ଅର୍ଥମନ୍ତ୍ରୀଙ୍କ ଘରକୁ ଯାଇଥିଲେ । କମ୍ମ୍ୟୁନିଷ୍ଟ ଗୋଷ୍ଠୀରୁ ଆସି ବିଜେଡିରେ ନେତା ବନିଥିବା ସୁବାସ ସିଂହଙ୍କ ମଧ୍ୟସ୍ଥତାରେ ସୁପାରୀ ପରିମାଣ ପକ୍କା ହୋଇଥିଲା । ଉଭୟଙ୍କୁ ସମାନ ପରିମାଣର ସୁପାରୀ ଦିଆ ହୋଇଥିବା ବେଳେ ପ୍ରଦ୍ୟୁମ୍ନ ଶତପଥୀ ବୋନସ ଭାବେ ଏକ ସରକାରୀ ଘର ତାଙ୍କ କାଗଜ ନାମରେ ନେବେ ବୋଲି ପ୍ରତିଶ୍ରୁତି ପାଇଥିଲେ । ଏହା ସତ କି ମିଛ ମୁଁ କହିପାରିବି ନାହିଁ । ଯଦି ସତ ହୋଇଥାଏ, ୧୬ ତାରିଖରେ ଦି ଜଣ ବ୍ୟକ୍ତିଙ୍କୁ ସାଙ୍ଗରେ ଧରି ଅର୍ଥମନ୍ତ୍ରୀଙ୍କୁ ଭେଟି ତାଙ୍କ ପ୍ରତିଶ୍ରୁତି ଉପରେ କଳାପତାକା ଅଭିଯାନ ବନ୍ଦ ରଖିବାକୁ ପାଲଟା ପ୍ରତିଶ୍ରୁତି ଦେବା କେବଳ “ଦାରୀ ସାକ୍ଷୀ ମାଦଳ” (alibi) ସୃଷ୍ଟିର ନାଟକବାଜି ଛଡ଼ା କିଛି ବି ହୋଇନପାରେ ।

ଏହି ପ୍ରେକ୍ଷାପଟରେ ଏକ କୌତୁହଳୋଦ୍ଦୀପକ କଥା ଉଲ୍ଲେଖ କରାଯାଇପାରେ । ଆଜି ସକାଳେ , ଏଇ ଘଣ୍ଟେ ପୂର୍ବରୁ , ଭାଷା ଆନ୍ଦୋଳନ ସମ୍ପର୍କରେ ଟୁଇଟ କରିଆସିଥିବା ଇଂ.ଚକ୍ରଧର ମହନ୍ତ ଆସିଥିଲେ । କଳାପତାକା ଅଭିଯାନ ବନ୍ଦ ରଖିବାକୁ ପ୍ରଦ୍ୟୁମ୍ନ ଶତପଥୀଙ୍କ ମୁହଁରୁ ଶୁଣି ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ସେ ଖୁବ ଉତ୍କ୍ଷିପ୍ତ ହୋଇ ଉଠିଥିଲେ ଓ ପଳାଇଥିଲେ । କିନ୍ତୁ ଆଜି ସକାଳେ ଆସି ମୋତେ କହିଲେ, “ସାର୍ ! ମୁଁ ସେମାନଙ୍କୁ ଆଦୌ ସମର୍ଥନ ନ କରୁଥିଲେ ମଧ୍ୟ ସେମାନଙ୍କ ସହ ରହିବାକୁ ବାଧ୍ୟ ।” ମୁଁ କାରଣ ପଚାରିଲି । ସେ ଦୁଇଟି କାରଣ କହିଲେ । ପ୍ରଥମତଃ , ପ୍ରାୟ ବର୍ଷକ ତଳେ ପବିତ୍ର ତାଙ୍କଠାରୁ ପୈଂତ୍ରିଶ ହଜାର ଟଙ୍କା ଧାର ସୂତ୍ରରେ ନେଇ ସୁଝି ନାହାନ୍ତି ଓ ତାଙ୍କଠୁ ଦୂରେଇଗଲେ ସେ ଟଙ୍କା ଫେରିପାଇବା ଆଉ ସମ୍ଭବ ହେବନାହିଁ ; ଦ୍ବିତୀୟତଃ , ଚାକିରୀରେ ଥିବାବେଳେ ତାଙ୍କ ବିରୁଦ୍ଧରେ ଏକ ଭିଜିଲାନ୍ସ କେଶ ହୋଇଥିଲା , ଯାହା ଚାପି ହୋଇ ରହିଛି ; ଯେହେତୁ ପବିତ୍ର ଓ ପ୍ରଦ୍ୟୁମ୍ନ ବାବୁ ସରକାରଙ୍କ ସହ ହାତ ମିଳାଇଛନ୍ତି, ସେମାନଙ୍କ ସହ ରହିଲେ, ସରକାରଙ୍କୁ କହି ସେମାନେ ତାଙ୍କୁ ଭିଜିଲାନ୍ସ କବଳରୁ ଖସାଇଦେଇପାରନ୍ତି ।

ଏହା ଜାଣିବା ମୋ ପାଇଁ ଯେତିକି ଆକସ୍ମିକ ଥିଲା, ସେତିକି ଦୁଃଖଦାୟକ ଥିଲା । ସେ କହିଲେ, “ସାର୍ ! ମୋ ମନର ଦୁଃଖ ମୁଁ କାଲି ଟ୍ୱିଟରେ ଲିପିବଦ୍ଧ କରିଛି ଓ ଆପଣ ଦେଖିବେ, ମୁଁ ତାଙ୍କ ପ୍ରେସ କନ୍ଫରେନ୍ସକୁ କାଲି ସନ୍ଧ୍ୟାରେ ଯାଇନାହିଁ କି ତାଙ୍କ କାଗଜରେ ସ୍ଵାକ୍ଷର କରିନାହିଁ ।”

ମୁଁ କିଛି କହିଲିନାହିଁ । ସେ ବିଦାୟ ନେଲାପରେ ତାଙ୍କ ଟ୍ୱିଟ ଦେଖିଲି । ପ୍ରକୃତରେ ପ୍ରଦ୍ୟୁମ୍ନ ଶତପଥୀଙ୍କ ଆଚରଣକୁ ସେ ଏକପ୍ରକାର ଭର୍ତ୍ସନା କରିଛନ୍ତି ଓ କଳାପତାକା ଅଭିଯାନ ସ୍ଥଗିତ ହେବା ଓଡ଼ିଆ ଜାତିପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ତଳେ ତାର ଫଟୋଚିତ୍ର ରହିଲା । ମୋ ହାତରୁ କଳାପତାକା ଧରି ସେ, ଡମ୍ବରୁଧର ହରଣ ସିଂ, ପଙ୍କଜ ପୃଷ୍ଟି ଓ ଅସିତ ଦାସ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପାଖକୁ ଆସିଥିବା ଓ ସେଠାରେ ମୋ ସହ ସେମାନେ ଓ ଅନ୍ୟମାନେ ଠିଆ ହୋଇଥିବାର ଦୃଶ୍ୟ ଏଥିରେ ଅଛି ଓ ଅଛି ମଧ୍ୟ ସେହି ଏକ ସନ୍ଧ୍ୟାରେ ସେଦିନ କଳାପତାକା ବନ୍ଦ ଥିବାର ଆସ୍ଫାଳନ ଯାହା ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ଗୋଷ୍ଠୀ ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ । ଏହାକୁ ବିଚକ୍ରଧର ବାବୁ ଯଦି ଟ୍ୱିଟ କରିନଥାନ୍ତେ ତେବେ ଏହି ଗ୍ୟାଙ୍ଗର ବିଶ୍ଵାସଘାତକତାର ଚିତ୍ର ଆଉ ମିଳିପାରିନଥାନ୍ତା ।

ଆମ ବିଧାନସଭାର ବହୁ ମାନ୍ୟବର ସଦସ୍ୟ ଏହା ଜାଣିଥିଲେ । (କ୍ରମଶଃ)
୧୯.୬.୨୦୧୯