ଭାଷା ଆନ୍ଦୋଳନ ପିପିଲିରେ ବିଜେପିର ବିଜୟ ଚାହେଁ । କାହିଁକି?

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ପିପିଲିରେ ଆଗାମୀ ଉପନିର୍ବାଚନରେ ଭାଷାପ୍ରାଣ ଓଡ଼ିଆମାନେ ନବୀନ ବାବୁଙ୍କ ପ୍ରାର୍ଥୀ ବିରୁଦ୍ଧରେ ଏପରି ମତ ଦିଅନ୍ତୁ ଯାହା ବ୍ୟର୍ଥ ହେବନାହିଁ ।  ଭାଷା ଆନ୍ଦୋଳନ ଏହି ଡାକରା ଦେଇଛି । ଏହା ଉପରଠାଉରିଆ ନୁହେଁ , ସୁଚିନ୍ତିତ । ସେଠାରେ ବିଜେପି ଭିନ୍ନ ଅନ୍ୟ ସବୁ ଦଳ ଦୁର୍ବଳ । ସେମାନଙ୍କ ଭିତରୁ କାହାକୁ ବି ଭୋଟ ଦେଲେ, ତାହା ନବୀନ ବାବୁଙ୍କ ପ୍ରାର୍ଥୀ ସପକ୍ଷରେ ଯିବ । ତଦ୍ଦ୍ଵାରା ଆମ ଭାଷା ସ୍ଵାର୍ଥ ଅଧିକ ବ୍ୟାହତ ହେବ । 

ଏଥିରେ ଚମକି, ତୃତୀୟ ମହଲା ଆଉ କିଛି ନୂଆ ଲୋକଙ୍କୁ ପ୍ରଦ୍ୟୁମ୍ନ ଶତପଥି ବନାଇବାକୁ ଚେଷ୍ଟା କରୁଛି । ତାଙ୍କୁ ସୁପାରି ଦେଇ ଭାଷା ଆନ୍ଦୋଳନକୁ ଭଙ୍ଗାଇବା କାମରେ ଲଗାଇଥିଲେ ମୁଖ୍ୟମନ୍ତ୍ରୀ , ଯାହା ମୁଁ ପ୍ରମାଣ କରିଛି ।  ତେଣୁ ଏହି ନବ୍ୟ ପ୍ରଦ୍ୟୁମ୍ନ ଶତପଥିମାନେ ଆମ ଆନ୍ଦୋଳନ ବିରୁଦ୍ଧରେ ଲହଡି ଭାଙ୍ଗିବାରେ ଲାଗିଛନ୍ତି ସାମାଜିକ ଗଣମାଧ୍ୟମ ମଞ୍ଚରେ ।  ପ୍ରଦ୍ୟୁମ୍ନ ଶତପଥିଙ୍କ ପରି ହାଣ୍ଟୁରିବା  ଓ ଅଶ୍ଳୀଳ ଶୈଳୀରେ ଶୋଧାବକା କରିବାରେ ବି  ଏମାନେ ପାରଙ୍ଗମ । ଏହି ନବ୍ୟ ପ୍ରଦ୍ୟୁମ୍ନ ଶତପଥିମାନଙ୍କ ଭିତରେ ଏପରି କେତେକ ଅଛନ୍ତି, ଯେଉଁମାନଙ୍କ ପାଇଁ ପ୍ରଯୁଜ୍ୟ ଆମ ପୂର୍ବପୁରୁଷେ କହିଯାଇଥିବା କଥା – ବାଞ୍ଝମାନଙ୍କ ପ୍ରସବ ବେଦନା ଅଧିକ ! 

ବର୍ତ୍ତମାନର  ବାସ୍ତବତା 

ବାସ୍ତବ କଥା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଜାତିର ଭାଷା ଅଧିକାର ଖର୍ବ କରିବା ପାଇଁ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନର ଅପସଂଶୋଧନ କରିଛନ୍ତି, ଏହା କରିବା ପାଇଁ ବିଧାନସଭାରେ ଜାଲିଆତି ପ୍ରୟୋଗ କରିଛନ୍ତି । ଏହି ପ୍ରମାଦ ଅପସାରଣ ପାଇଁ ଆମେ ଆନ୍ଦୋଳନ କରୁଛୁ ଆମ ନିଜସ୍ଵ ରଣକୌଶଳ ପ୍ରୟୋଗ କରି । ଆମେ ଜାଣୁ ଯେ, ଏହା କେବଳ ବିଧାନସଭାରେ ହିଁ ହେବ । ଆଇନ ପ୍ରଣଯନ, ସଂଶୋଧନ, ଅପସଂଶୋଧନ, ଅପସଂଶୋଧନର ବିଲୋପନ – ଏ ସମସ୍ତ କାମ କେବଳ ବିଧାନସଭାରେ ହିଁ ହେବ । ନବୀନ ପଟ୍ଟନାୟକଙ୍କ ଅନୁଗତ ତାଙ୍କ ବିରୁଦ୍ଧରେ ଯାଇ ଓଡ଼ିଆ ଜାତିର ସ୍ଵାର୍ଥ ସୁରକ୍ଷା ସକାଶେ ସାହସ ବି କରିବନାହିଁ  । 

ସୁତରାଂ, ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଯିଏ ବି ରାଜନୈତିକ ଦୃଢ଼ତା ପ୍ରଦର୍ଶନ କରିପାରିବ, ସେ ହିଁ ବିଧାନସଭା ନିର୍ବାଚନରେ ଜୟଲାଭ କରିବା ଦରକାର ।

ଭାଷା ଆନ୍ଦୋଳନ ତାଙ୍କୁ ହିଁ ସମର୍ଥନ କରିବ । କାରଣ, ଭାଷା ଆନ୍ଦୋଳନ ପାଇଁ ଆମ ଭାଷାର ରାଜନୈତିକ ଶକ୍ତିବୃଦ୍ଧି ଆବଶ୍ୟକ, ଭାଷାଦ୍ରୋହୀଙ୍କ ଶକ୍ତିବୃଦ୍ଧି ନୁହେଁ ।

ଏହି କାରଣ ହେତୁ ପିପିଲିରେ ନବୀନ ବାବୁଙ୍କ ବିରୁଦ୍ଧରେ ଭାଷା ଆନ୍ଦୋଳନ ନୀତିଗତ ଭାବେ ବିଜେପି ପ୍ରାର୍ଥୀଙ୍କ ବିଜଯ କାମନା କରେ ।  

ଓଡ଼ିଶା ଗଠିତ ଓଡ଼ିଆ ପାଇଁ , ଇଂରାଜୀ ରାଜୁତି ଚଳିବ ନାଇଁ // ଭାଷା ଆନ୍ଦୋଳନ

ଭାଷାତୀର୍ଥ, ଭୁବନେଶ୍ବର 

ଉତ୍କଳଦିବସରେ ମାଟି-ଭଗୀରଥ କୁଳବୃଦ୍ଧ ମଧୁସୂଦନଙ୍କୁ ଓଡ଼ିଆ ଜାତିର କୃତଜ୍ଞତା ଜ୍ଞାପନ ବେଳେ କଳାପତାକା ଅଭିଯାନ ତାର ବଜ୍ର ଶପଥ ଘୋଷଣା କରି କହିଛି, ଓଡ଼ିଶା ଯେହେତୁ ଓଡ଼ିଆ ପାଇଁ ଗଠିତ, ସେହେତୁ ଏଠାରେ ଇଂରେଜୀରେ ରାଜୁତି ଚଳିବାକୁ ଦିଆଯିବନାହିଁ ।

ସୂଚନା ଅଧିକାର ଅଭିଯାନର ଓଡ଼ିଶା ମୁଖ୍ୟ ପ୍ରଦୀପ ପ୍ରଧାନ, ବିଶିଷ୍ଟ ସାମ୍ବାଦିକା ଶାନ୍ତି ମିଶ୍ର , ପ୍ରଫେସର କମଳା ପ୍ରସାଦ ମହାପାତ୍ର, କବି ଉମାକାନ୍ତ ରାଉତ , ଯୁବ ପ୍ରତିଭା ସର୍ବଶ୍ରୀ ମନୋରଞ୍ଜନ ସାହୁ , ସ୍ମୃତିରଞ୍ଜନ ପଟ୍ଟନାୟକ, ସନ୍ତୋଷ ଦାସ, ଜଗଦୀଶ କାଠୁଆ, ଆଶିଷ ଖଟୁଆ , ନ୍ୟାୟବାଦୀ ବିପ୍ଳବୀ ତପନ ପାଢ଼ୀ, ସମାଜସେବୀ ସୂର୍ଯ୍ୟକାନ୍ତ ମାହାଲି, ଅନ୍ତର୍ଯ୍ୟାମୀ ବାରିକ , ଓଡ଼ିଆ ଜାତୀୟ ସମ୍ମିଳନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀକାନ୍ତ ଦାସ, ପୂର୍ବଟନ ବ୍ୟାଙ୍କର ନିର୍ମଳ କୁମାର ବେହେରା, ସି. ଏ. ରଂଜନ କୁମାର ସାହୁ, ମାଟିର ମଣିଷ ମନ୍ଦର ସ୍ୱାଇଁ, ଭାଷାପ୍ରାଣ ଆଶିଷ କୁମାର ବେହେରା, ବୈଜ୍ଞାନିକ ଅଶୋକ ମିଶ୍ର ଓ ସୁଭାଷ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଭାଷାସଙ୍ଗ୍ରାମୀମାନେ ଏହି ଶପଥ ଗ୍ରହଣ କରିଥିଲେ । ଓଡ଼ିଆ ଜାତି ଉଦ୍ଦେଶ୍ୟରେ ସେମାନଙ୍କ ବାର୍ତ୍ତା ଫେସବୁକ ମାଧ୍ୟମରେ ‘ଆମ ଭାଷା ଆମ ଅଧିକାର’ ଦ୍ଵାରା ସିଧା ପ୍ରସାରିତ ହୋଇଥିଲା ।

କଳାପତାକା ଅଭିଯାନ // ମାତୃଭାଷାରେ ରାଜ୍ୟ ଚାଲିବାକୁ ମାତୃକୁଳର ସମର୍ଥନ


ଜି.ଉଦୟଗିରି
୧.୪.୨୦୨୧
(ଅଶୋକ ପରିଡ଼ାଙ୍କ ସୂତ୍ରରୁ)

ଇଂରେଜଙ୍କୁ ଆମେ ହଟାଇଲେ, କାରଣ ସେମାନେ ଯେଉଁ ଭାଷାରେ ଶାସନ କରୁଥିଲେ ଆମେ ସେ ଭାଷା ବୁଝି ପାରୁ ନଥିଲେ । ଆମ ଭାଷାରେ ଆମ ଶାସନ ବ୍ୟବସ୍ଥା ନ ଚାଲି ଆମେ ପୂର୍ବପରି ଅତ୍ୟାଚାରିତ ହୋଇଚାଲିଛୁ ।

ଏହି ଅତ୍ୟାଚାର ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯେ କି ଆମ ଭାଷା ଅଧିକାର କ୍ଷୁର୍ଣ୍ଣ କରିବା ପାଇଁ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ରେ ଜାଲିଆତି ବଳରେ ଧାରା ୪ ଓ ଧାରା ୪କ ଯୋଡ଼ି ତାହାକୁ ଅଚଳ କରିଦେଇଛନ୍ତି ।
ଭାଷାପ୍ରାଣ ହୃଷିକେଶ ପ୍ରଧାନଙ୍କ ଡକରା କ୍ରମେ ଜି ଉଦୟଗିରିଠାରେ ମହିଳାମାନେ କଳାପତାକା ଧରି ଭାଷା ଆନ୍ଦୋଳନ କରିଛନ୍ତି ଉତ୍କଳ ଦିବସ ଅବସରରେ ଏପ୍ରିଲ ପହିଲା ଦିନ ।

ସରକାର ଏହାକୁ ଏକ ସତର୍କନାମା ବୋଲି ଗ୍ରହଣ କରନ୍ତୁ ଓ ଆଇନରୁ ନିଜ ଭୁଲ ପ୍ରତ୍ୟାହାର କରି ଓଡ଼ିଶାର ସମସ୍ତ କାର୍ଯ୍ୟାଳୟ ଯେପରି ଓଡ଼ିଆ ଭାଷାରେ ଚାଲେ ଓ ତହିଁରେ ବାଧା ଦେବା ବ୍ୟକ୍ତିକୁ କଠିନ ଦଣ୍ଡ ମିଳେ, ତ ପାଇଁ ତୁରନ୍ତ ଆଇନଗତ ବ୍ୟବସ୍ଥା କରନ୍ତୁ ।

ଭାଷା ଆନ୍ଦୋଳନର ନୂଆ ରଣକୌଶଳ: ବ୍ୟକ୍ତିଗତ ସତ୍ୟାଗ୍ରହରେ ସାମ୍ବାଦିକ ଦେବୀପ୍ରସନ୍ନ ନାୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ ଓଡ଼ିଶାର ସମସ୍ତ କାର୍ଯ୍ୟାଳୟ ଚାଲିବା ପାଇଁ ଆମ ରାଜ୍ୟ ତଥା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ର ସୃଷ୍ଟି । ୧୯୬୩ରେ ବିଜୁ ପଟ୍ଟନାୟକଙ୍କ ଅବୈଧ ସଂଶୋଧନ ଦ୍ଵାରା ଏହି ଆଇନରେ ଧାରା ୩କ ସଂଯୋଜନ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜାଲିଆତି ବଳରେ ୨୦୧୬ରେ ଧାରା ୪ ତଥା ୨୦୧୮ରେ ଧାରା ୪କର ଅନ୍ତଃସ୍ଥାପନ ଆଇନଟିକୁ ଅକର୍ମଣ୍ୟ କରିଦେଇଛି ଓ ଆମ ରାଜ୍ୟ ପ୍ରତିଷ୍ଠାର ଉଦ୍ଦେଶ୍ୟକୁ ବି ପଣ୍ଡ କରିଦେଇଛି ।

ଏହି ପ୍ରଚଣ୍ଡ ସରକାରୀ ପ୍ରତାରଣା କବଳରୁ ଆମ ପ୍ରିୟ ମାତୃଭାଷାକୁ ଉଦ୍ଧାର କରିବା ପାଇଁ ଗତ ୧୩.୮.୨୦୧୬ ତାରିଖରୁ ଚାଲିଥିବା କଳାପତାକା ଅଭିଯାନରେ ଆମେ ଏକ ନୂଆ ପରୀକ୍ଷଣ ଆରମ୍ଭ କରିଛୁ । ବିଭିନ୍ନ ସ୍ଥାନରେ ସାମୁହିକ କଳାପତାକା ପ୍ରଦର୍ଶନ ଚାଲିଥିବା ବେଳେ ଗାନ୍ଧୀଜୀଙ୍କ କୌଶଳ ଛାୟାରେ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହି କୌଶଳ ଅନୁଯାୟୀ, ଯେ କୌଣସି ଓଡ଼ିଆ ଯେକୌଣସି ସର୍ବସାଧାରଣ ସ୍ଥାନରେ ହାତରେ ଭାଷା ଆନ୍ଦୋଳନର ଉଦ୍ଘୋଷଣପତ୍ର ଓ କଳାପତାକା ଧରି ଏକାଏକ ଏହି ନୀରବ ସତ୍ୟାଗ୍ରହ ଚଳାଇବେ ।

ବିଶିଷ୍ଟ ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ ଉତ୍କଳ ଦିବସରେ ଏହି ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କରି କହିଛନ୍ତି, “ଆଜି ଆମ ଜନ୍ମମାଟି ଓଡ଼ିଶାର ଜନ୍ମଦିନ। କେଡ଼େ ପବିତ୍ର ଦିନ ଆମ ପାଇଁ। ଭାଷା ଭିତ୍ତିରେ ଗଠନ ହୋଇଥିବା ଆମ ଏ ସ୍ଵତନ୍ତ୍ର ପ୍ରଦେଶରେ କିନ୍ତୁ ଆମ ମା’ର ଭାଷା (ମାତୃଭାଷା) ଓଡ଼ିଆକୁ ସରକାରୀ କାର୍ଯ୍ୟକ୍ରମ ଓ ପ୍ରାଶାସନିକ ପରିଚାଳନାରେ ଏଯାଏଁ ପ୍ରାଥମିକତା ଦିଆଯାଇ ପାରିଲା ନାହିଁ। ଓଡ଼ିଆକୁ ସରକାରୀ ଭାଷା ଭାବରେ ପ୍ରାଥମିକତା ଓ ଏହାର ଖିଲାପକରୀଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ରାଜ୍ୟବ୍ୟାପି ଚାଲିଥିବା ଭାଷା ଆନ୍ଦୋଳନ (ଆମ ଭାଷା ଆମ ଅଧିକାର) ପରୀପ୍ରେକ୍ଷୀରେ ଆଜି ମୁଁ ମୋ ଅଞ୍ଚଳରେ କଳାପତାକା ଧରି ସେଥିରେ ସାମିଲ ହେଲି। ଆମ ଭାଷା ଜନନୀର ଜୟ ହେଉ। ଆମ ଜନ୍ମମାଟିର ଜୟ ହେଉ।”

ଯଦି ସରକାର ନିଜକୁ ନ ସୁଧାରନ୍ତି ଓ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନରେ ଜାଲିଆତି ବଳରେ ଖଞ୍ଜିଥିବା ଧାରା ୪ ଓ ଧାରା ୪କ ବିଲୋପ କରି ଓଡ଼ିଆ ଭାଷାରେ ସେବା ନଦେବା ବ୍ୟକ୍ତିକୁ ଦଣ୍ଡବିଧାନ ପ୍ରକ୍ରିୟା ଆରମ୍ଭ କରିବାର ଅଧିକାର ସବୁ ଓଡ଼ିଆଙ୍କୁ ପ୍ରଦାନ କରାନଯାଏ , ତେବେ ଏହି ବ୍ୟକ୍ତିଗତ କଳାପତାକା ସତ୍ୟାଗ୍ରହ “ଚାଳେ ଚାଳେ କଳାପତାକା” ପର୍ଯ୍ୟାୟକୁ ଉନ୍ନୀତ ହେବ ।

ଭିଡ଼ିଓକର୍ତ୍ତାଙ୍କ ଆଖିରେ ସତେ ଯେମିତି ମାଆକୁ ମୁମୂର୍ଷୁ କରାଉଥିବା ବ୍ୟକ୍ତି ହିଁ ଓଡ଼ିଆ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମା ମରଣଶଯ୍ୟାରେ କଲବଲ ହେଉଥିବା ବେଳେ ମୃତ୍ୟୁ ମୁଖରୁ ତାକୁ ବଞ୍ଚାଇବାକୁ ଚେଷ୍ଟା ନକରି ସେମାନେ ତାକୁ ଭଲପାଆନ୍ତି ବୋଲି ଜଗତକୁ ଦେଖାଇବାକୁ ତାର ପିଲାଏ ଯଦି ତା ଯୌବନ ଚର୍ଚ୍ଚାରେ ଲାଗିଯାନ୍ତି ଅଭିନୟ ମଞ୍ଚରେ, ତେବେ ସେହି ମୁମୂର୍ଷୁ ମା ପାଇଁ ତାହାଠୁ ବଳି ଯନ୍ତ୍ରଣାଦାୟକ ଅପମାନ କ’ଣ ବା ଆଉ ଥାଇପାରେ ?

ଆମ ଜନ୍ମମାଟି ଏହି ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ଏଠି ସଲଂଗ୍ନ ଥିବା ଅଭିନୟ-ଭିଡ଼ିଓ ତା ପ୍ରତି ଏହିପରି ଏକ ଅପମାନ ।

ଆମ ଭାଷା ମରିଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷଡ଼ଯନ୍ତ୍ର ହେତୁ । ଆମ ଭାଷାରେ ଓଡ଼ିଶାର କାର୍ଯ୍ୟାଳୟସମୁଦାୟ ଯେପରି କେବେ ବି ଚାଲିବନାହିଁ , ସେଥିପାଇଁ ସେ “ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ”ର ଅପସଂଶୋଧନ କରିଛନ୍ତି ଓ ଏହି ଅପକର୍ମ କରିବାକୁ ବିଧାନସଭାରେ ଜାଲିଆତି ପ୍ରୟୋଗ କରିଛନ୍ତି ଏବଂ ଏହି ଜାଲିଆତି କାଳେ ଭାଷା ଆନ୍ଦୋଳନ ହେତୁ ପଦାକୁ ଆସିବ – ଏହି ଭୟରେ ପ୍ରଦ୍ୟୁମ୍ନ ଶତପଥୀ ଓଗେର ମୋର କେତେକ ଘନିଷ୍ଠ ସହଯୋଗୀଙ୍କୁ ସୁପାରି ଦେଇ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ଚେଷ୍ଟା କରିଛନ୍ତି । ଅଥଚ ଏହି ଭିଡ଼ିଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଚାର ମଇଦାନକୁ ଆସିଛି ଏପ୍ରିଲ ପହିଲାରେ , ଉତ୍କଳଦିବସରେ ।

ଏଠି ସେ କହିଛନ୍ତି “ମୋ ମାଟି ଓଡ଼ିଶା , ମୋ ଜାତି ଓଡ଼ିଆ ।” ତେବେ ତାଙ୍କ ଭାଷା କାହିଁକି ଇଂରାଜୀ? ଏବଂ ଇଂରାଜୀ ଭାଷାରେ ଶାସନ ଚଳାଇ ତାହା ଜାରି ରଖିବାକୁ ସେ ଆମ କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିଦେଇଛନ୍ତି କାହିଁକି? ଆମ ମାଟି ଆମ ସୀମାନ୍ତରେ ଆଜି ବିପନ୍ନ କାହିଁକି? ଭିଡ଼ିଓଟିର ନିର୍ମାତା ନବୀନଙ୍କ ଚରିତ୍ରରେ କେଉଁ ଆଚରଣ ଦେଖିଲେ ଯେ, ଏପରି ଭାବେ ତାଙ୍କ ଓଡ଼ିଆତ୍ଵ ପ୍ରଚାର କରିଛନ୍ତି ?

ଏଥିପାଇଁ ମଥା ନ ଖେଳାଇ, ଅପଶାସନ କବଳରେ ଦୁଃଖ ଭୋଗୁଥିବା ସାଧାରଣ ଲୋକଙ୍କୁ ଭୁତାଇବା ପାଇଁ ରାଜନୈତିକ ଶଠତା ପରିସୃଷ୍ଟ ସୁଖାନୁଭବପ୍ରକ୍ରିୟା ଦ୍ଵାରା ଜନମାନସ  ଆଚ୍ଛନ୍ନ କରିବାକୁ ଚେଷ୍ଟା କରିଛନ୍ତି ଆମର କିଛି ସୃଜନଶୀଳ ବ୍ୟକ୍ତି ଏହି ଭିଡ଼ିଓ ମାଧ୍ୟମରେ  । 

କରୋନା କାଳରେ କାୟିକତଃ ସ୍ଥଗିତ ଥିବା କଳାପତାକା ଅଭିଯାନ ମହାମାରୀ ପ୍ରଶମନ ହେତୁ ପୁନର୍ବାର ଆରମ୍ଭ ହେଲା ଫେବୃଆରୀ ୨୧ ତାରିଖରେ । ଓଡ଼ିଆ ଲୋକଙ୍କୁ କିପରି ଭୁଆଁ ବୁଲେଇ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷାପ୍ରାଣ ଭାବେ ପ୍ରଦର୍ଶିତ କରାଯିବ , ସେଥିପାଇଁ ତୁରନ୍ତ ଆରମ୍ଭ ହୋଇଗଲା ଉଦ୍ୟମ । ଫେବୃଆରୀ ୨୮ ତାରିଖରେ ଏହା ପ୍ରସ୍ତୁତ ହେଲା ଓ ଉତ୍କଳ ଦିବସରେ ପ୍ରଚାର ମଇଦାନକୁ ଆସିଲା ।

ଏହାକୁ ପ୍ରସ୍ତୁତ କରିଥିବା ବ୍ୟକ୍ତି ଯଦି ଉତ୍କଳ ଦିବସର ମହତ୍ଵ ବୁଝିଥାନ୍ତେ ଓ ସେହି ମହତ୍ଵ ରଖିବାକୁ ଚାହିଁଥାନ୍ତେ , ତା ହେଲେ ଓଡ଼ିଆ ଭାଷା ହିଁ କିପରି ଓଡ଼ିଶା ସୃଷ୍ଟିକଲା ସେ କଥା ବଖାଣିଥାନ୍ତେ ଲେଖା ଓ ଅଭିନୟ ମାଧ୍ୟମରେ । କାର୍ଯ୍ୟାଳୟର ଭାଷା ନ ହୋଇ ଓଡ଼ିଆ ଭାଷା କିପରି ମରି ମରି ଯାଉଛି , ଆମ ଜାତି କିପରି ଇଂରାଜୀ ଭାଷା କବଳରେ ପଡ଼ି ସର୍ବସ୍ଵାନ୍ତ ହେବାରେ ଲାଗିଛି , ସେକଥା ସେମାନେ ବଖାଣିଥାନ୍ତେ ଓ ତା ଦ୍ଵାରା ଆମ ଜାତି ନିଜର ଭାଷାକୁ ରକ୍ଷା କରିବା ପାଇଁ ଉଦ୍ବୁଦ୍ଧ ହୋଇପାରିଥାନ୍ତା । ତା ସେମାନେ କରିନାହାନ୍ତି । ଓଡ଼ିଆ ଜାତିର ବର୍ତ୍ତମାନର ଚିତ୍ର ସେମାନେ ଦେଇନାହାନ୍ତି । ଓଡ଼ିଆ ଜାତିର ଭାଷାମାଆ  ମରଣମୁହଁରେ ପଡ଼ିଥିଲା ବେଳେ, ଯାହା ହେତୁ ଏ ଦୁର୍ଦ୍ଦଶା, ତାକୁ ହିଁ ସେମାନେ “ଓଡ଼ିଆ” ବୋଲି ନିଜର ପ୍ରଚାର କରିବାର ସୁଯୋଗ ଦେଇଛନ୍ତି, ସତେ ଯେମିତି ମାଆକୁ ମୁମୂର୍ଷୁ କରାଉଥିବା ବ୍ୟକ୍ତି ହିଁ ଓଡ଼ିଆ !