ନିଉଜ ସିଣ୍ଡିକେଟ
ଦୁଇଜଣ ଦଲାଲଙ୍କୁ ଲଗାଇ ଓଡ଼ିଆ ଜାତିକୁ ପ୍ରତାରିତ କରିବା ପାଇଁ ସରକାର ଯେଉଁ ଉଦ୍ୟମ କରିଥିଲେ ତାହା ଫସରଫାଟି ଯାଇଛି । ଯେଉଁ ନିୟାମବଳୀକୁ ଅଶୁଦ୍ଧ ବୋଲି କହି ଭାଷା ଆନ୍ଦୋଳନ ତାହାକୁ ମଞ୍ଜୁରୀ ନ ଦେବାକୁ ରାଜ୍ୟପାଳଙ୍କୁ କହିଥିଲା, ସେହି ଅଶୁଦ୍ଧ ନିୟମାବଳୀକୁ ରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ଓ ତାହା ତତ୍କାଳ ଅଧିସୂଚନା ଦ୍ଵାରା ପ୍ରବର୍ତ୍ତିତ ହୋଇଛି ।
ଯଦି ଜୁଲାଇ ୧୭ରେ ଭାଷା ଆଂଦୋଳନର ସଭାପତିମଣ୍ଡଳୀ ଆହ୍ଵାନରେ ଅନୁଷ୍ଠିତ ମାତୃଭାଷାପ୍ରେମୀ ସମ୍ମିଳନୀରେ ଆମ ଭାଷାକୁ ମାରିଦେବାପାଇଁ ଚାଲିଥିବା ସରକାରୀ ଚକ୍ରାନ୍ତକୁ ଭର୍ତ୍ସନା କରାଯାଇନଥାନ୍ତା ଏବଂ “ଆମ ଭାଷା ଆମ ଅଧିକାର” ଗୋଷ୍ଠୀ ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଏକ ସମୀକ୍ଷାତ୍ମକ ଭିଡ଼ିଓ ପ୍ରକାଶ କରିନଥାନ୍ତେ ତେବେ ହୁଏତ ଏ ନିୟମାବଳୀ ଏଯାଏଁ ରାଜ୍ୟପାଳଙ୍କ ମେଜ ଉପରକୁ ଆସିନଥାନ୍ତା । ଜୁଲାଇ ୧୭ ତାରିଖର ସମ୍ମିଳନୀ ତଥା ସୁଭାଷ ବାବୁଙ୍କ ସାକ୍ଷାତ୍କାର ସରକାରଙ୍କୁ ଏତେ ଅତର୍ଚ୍ଛାଇ ଦେଇଛି ଯେ, ନିସ୍ତାର ପାଇବା ପାଇଁ ପୋଷାମନା ଦଲାଲମାନଙ୍କୁ ଡାକି ସେହିମାନଙ୍କ ଦ୍ଵାରା ଭାଷା ନିୟମାବଳୀ ସଂଶୋଧନ ହୋଇଥିବା କଥା ସରକାର ପ୍ରଚାର କରାଇଛନ୍ତି । ଜନଚେତନରୁ ଜୁଲାଇ ୧୭ ମାତୃଭାଷାପ୍ରେମୀ ସମ୍ମିଳନୀ ଓ “ଆମ ଭାଷା ଆମ ଅଧିକାର” ପ୍ରସାର କରିଥିବା ଭିଡ଼ିଓର ପ୍ରଭାବ ହ୍ରାସ କରିବା ପାଇଁ ଏହା ଯୋଜନା ଅନୁସାରେ କରାଯାଇଥିବା ଏବେ ସମସ୍ତଙ୍କର ହୃଦ୍ବୋଧ ହେଲାଣି । ଏହି ପ୍ରେକ୍ଷାପଟରେ ନିୟମାବଳୀ ସଂଶୋଧନର ସରକାରୀ ନାଟକକୁ ଭାଷା ଆନ୍ଦୋଳନ ପ୍ରତ୍ୟାକ୍ୟାନ କରିଛି ଓ ଯଥାପୂର୍ବ କଳା ପତାକା ଅଭିଯାନ ଚାଲୁରହିଛି ।
ଆଜି ଥିଲା ତ୍ରିରଙ୍ଗା ପତାକାର ଦିବସ । ତେଣୁ, ଭାଷା ଆନ୍ଦୋଳନର କଳାପତାକା ରାଜଧାନୀରେ ବନ୍ଦ ଥିଲା ସବୁଥର ପରି । ଓଡ଼ିଆ ଭାଷାଜନନୀର ଶ୍ରେଷ୍ଠ ସନ୍ତାନମାନଙ୍କ ହାତରେ ଥିଲା ଦୁଇଟି ଫଳକ । ଗୋଟିକରେ ଲେଖା ଥିଲା –
“ସରକାରୀ ଷଡ଼ଯନ୍ତ୍ର ବନ୍ଦ ହେଉ
ଭାଷା ଆଇନ ନିର୍ଭୁଲ ହେଉ ”
ଓ ଅନ୍ୟଟିରେ ଲେଖା ହୋଇଥିଲା –
“ଓଡ଼ିଶା ଗଠିତ ଓଡ଼ିଆ ପାଇଁ
ଇଂରେଜୀ ରାଜୁତି ଚଳିବ ନାଇଁ ”
ଏକୁ ସଗର୍ବେ ଧାରଣ କରିଥିଲେ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ଓ ଭାଇ ଶିଶିର କୁମାର ସାହୁ
ଭାଇ କମଳଲୋଚନ ନାୟକ ଆଜି ନେତୃତ୍ବ ଦେଇଥିଲେ । ସାଙ୍ଗରେ ଥିଲେ ବିଶିଷ୍ଟ ବୈଜ୍ଞାନିକ ଡଃ ଅଶୋକ ମିଶ୍ର ଓ କୃଷ୍ଣାନନ୍ଦ ସାହୁ ।
ଓଡ଼ିଆ ଜାତିକୁ ପ୍ରତାରିତ କରିବାକୁ ସରକାର ଯେତେ କଳକୌଶଳ ପ୍ରୟୋଗ କଲେ ସବୁ ବ୍ୟର୍ଥ ହୋଇଛି । ଆର୍ଥିକ ଫାଇଦା ପାଇଁ ସରକାରଙ୍କ ସହ ହାତ ମିଳାଇଥିବା ଦଲାଲ୍ ମାନେ ଭାଷା ଆନ୍ଦୋଳନର ନାମ ବ୍ୟବହାର କରି ଯେତେ ବୟାନ ଦେଲେ ମଧ୍ୟ ଓଡ଼ିଆ ଜାତି ତହିଁରେ ବିଭ୍ରାନ୍ତ ହେବାର ନାହିଁ ।
ସବୁ ଦିନପାଇଁ ଆମ ଭାଷାଜନନୀଙ୍କୁ ବିପଦମୁକ୍ତ କରିବାକୁ ଏ ଆନ୍ଦୋଳନ ଆଜି ଟପିଲା ୧୨୧୮ ଦିନ । ଏବଂ ଏ ଆନ୍ଦୋଳନ ଚାଲିବ ଯେଉଁଯାଏଁ ଆମ ଭାଷା ଆଇନରେ ଖଞା ହୋଇଥିବା ମାରକ ଧାରା ୪କ ବିଲୁପ୍ତ ନ ହୋଇଛି ଏବଂ ଓଡ଼ିଆବିରୋଧୀ ନିୟମାବଳୀ ପ୍ରତ୍ୟାହୃତ ହୋଇ ଆମ ଭାଷା ପାଇଁ ଅନୁକୂଳ ନିୟମାବଳୀ ପ୍ରଣୟନ ଓ ପ୍ରବର୍ତ୍ତନ ନ ହୋଇଛି ।
ଫୁଲବାଣୀରେ ମଧ୍ୟ ଆଜି କଳାପତାକା ଅଭିଯାନ ଯଥାପୂର୍ବ ଅନୁଷ୍ଠିତ ହୋଇଛି । ଭାଷା ଆନ୍ଦୋଳନକୁ ସମର୍ଥନ କରି ସରକାରୀ ତଞ୍ଚକତା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି ଓଡ଼ିଆ ମାଟିର ତିନି ଶ୍ରେଷ୍ଠ ସନ୍ତାନ ସର୍ବଶ୍ରୀ ଅଶୋକ ପରିଡ଼ା, କାହ୍ନୁ ଚରଣ ଶତପଥୀ ଓ ସୁରେନ୍ଦ୍ର ମହାନ୍ତି ।
ସରକାର ସୁଧୁରି ଯାଆନ୍ତୁ ।


ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା ନିଶବ୍ଦ କଳାପତାକା ଅଭିଯାନର ଏଇ ୧୨୧୭ ଦିନରେ ଆଜି ଯେଉଁ ଦୁଇ ଶ୍ରେଷ୍ଠ ଓଡ଼ିଆ ନିଜର ଭାଷାନୁରକ୍ତି ପ୍ରଦର୍ଶନ କରିଛନ୍ତି ସେମାନେ ହେଲେ ଭାଇ କମଳ ଲୋଚନ ନାୟକ ଓ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ । ସମଗ୍ର ଓଡ଼ିଆ ଜାତି ସାଙ୍କେତିକତଃ ଏହି ଦୁଇ ଭାଇଙ୍କ ଭିତରେ ସଂସ୍ଥିତ । ଡ॰ ଅଶୋକ ମିଶ୍ର ଏହି ଉଭୟ ଭାଷାନୁରକ୍ତଙ୍କ ଫଟୋ ଉଠାଇ ଆପଣମାନଙ୍କ ପାଇଁ ପଠାଇଛନ୍ତି ।
କଳାପତାକା ଅଭିଯାନ ଭୁବନେଶ୍ଵର ବାହାରେ ସବୁଠୁ ଅଧିକ ଦିନ ଚାଲିଛି ଫୁଲବାଣୀ ସହରରେ । ଆଜି ଭାଇ ଅଶୋକ ପରିଡ଼ା ଓ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ଜାତିର ଭୀଷ୍ମ ପ୍ରତିଜ୍ଞା ଜଣାଇ ଦେଇଛନ୍ତି ସରକାରଙ୍କୁ, ଯାହା ଭାଶାନୁରକ୍ଟିର ଶକ୍ତିରେ ଶକ୍ତିମାନ । 
ଉଲ୍ଲେଖନୀୟ ଯେ, ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଆନ୍ଦୋଳନ ଏବଂ ତା ପ୍ରଭାବରେ ତିନି ତିନି ଥର ଆଇନଟିର ସଂଶୋଧନ ସରିଯାଇଥିବା ପଞ୍ଚଦଶ ବିଧାନସଭା କାଳରେ ହିଁ ଘଟିଛି ଏବଂ ସେହି ବିଧାନସଭା ହିଁ ଆଇନଟିର ଭୁଲ ସଂଶୋଧନ ଘଟାଇବାରେ ସରକାରଙ୍କୁ ସାହାଯ୍ୟ କରିଛି । ତହିଁର ତାତ୍ତ୍ଵିକ ଓ ତଥ୍ୟନିଷ୍ଠ ଚିତ୍ର ରଖିଛନ୍ତି ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ‘ସରିଯାଇଥିବା ବିଧାନସଭା ଓ ଆମ ଭାଷା’ ଶୀର୍ଷକ ପୁସ୍ତକରେ । ଏହି ଅବସରରେ ପୁସ୍ତକଟି ଲୋକାର୍ପିତ ହୋଇଥିଲା ବିଶ୍ଵପ୍ରସିଦ୍ଧ ମାନବଅଧିକାରବାଦୀ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଦ୍ଵାରା, ବିଶ୍ବବିଖ୍ୟାତ ବୈଜ୍ଞାନିକ ଡଃ ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ,ଅଧ୍ୟାପକ ବିଶ୍ବରଞ୍ଜନ ଓ ଅଧ୍ୟାପକ କମଳାପ୍ରସାଦ ମହାପାତ୍ରଙ୍କ ଅମୂଲ୍ୟ ଗହଣରେ । ସଭା କକ୍ଷରେ ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ ଭାଷା ଆଂଦୋଳନର ପ୍ରଥମ ପରମର୍ଶଦାତା ସୁବିଖ୍ୟାତ ପରିବେଶବିତ୍ ବିଶ୍ଵଜିତ ମହାନ୍ତି, ଭାଷା ଆଂଦୋଳନର ସଭାପତି ମଣ୍ଡଳୀ ସଦସ୍ୟ ସର୍ବଶ୍ରୀ ଅର୍ଜୁନ ଚରଣ ସାମନ୍ତରାୟ, କମଳଲୋଚନ ନାୟକ, ଗିରିଜକାନ୍ତ ମିଶ୍ର ।
(କେତେକ ସକ୍ରିୟ ଆନ୍ଦୋଳନକାରୀ)
(ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ଭିତ୍ତିପତ୍ର ଉପସ୍ଥାପନା)
(ସରିଯାଇଥିବା ବିଧାନସଭା ଓ ଆମ ଭାଷା ପୁସ୍ତକ ଉନ୍ମୋଚନ)