ଚିତ୍ରେ ସମ୍ବାଦ: ଭାଷା ଆନ୍ଦୋଳନର ରାଜ୍ୟ ମାତୃଭାଷାପ୍ରେମୀ ସମ୍ମିଳନୀ

ନିଉଜସିଣ୍ଡିକେଟ

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଭାଷାରେ ଏହି ଅନନ୍ୟ ଆନ୍ଦୋଳନର ଜୀବନରେ ଜୁଲାଇ ୧୭ ଏପରି ଏକ ଦିନ, ଯାହା ଅଶେଷ ଗୁରୁତ୍ଵ ବହନ କରେ । ଆଜକୁ ବର୍ଷକ ତଳେ, ୨୦୧୮ର ଜୁଲାଇ ୧୬ ତାରିଖ ସନ୍ଧ୍ୟାରେ ସରକାରଙ୍କ ଦ୍ଵାରା ନିଯୁକ୍ତ ସୁପାରି ଘାତକମାନେ ଭାଷା ଆନ୍ଦୋଳନକୁ ଛୁରୀ ମାରି ମୃତପ୍ରାୟ କରିଦେଇଥିଲେ; କିନ୍ତୁ ଓଡିଆ ଜାତି ତା ଭାଷା ଜନନୀ ପାଇଁ ଅଣ୍ଟା ଭିଡ଼ି ଠିଆହେଲା ଜୁଲାଇ ୧୭ରେ । ଏବଂ ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଏହି ଆନ୍ଦୋଳନ ଗ୍ରହମୁକ୍ତ ହୋଇଗଲା । ସରକାର ପୁଣି କିଛି ଛଦ୍ମ ଘାତକ ପଠାଇଥିଲେ । କିନ୍ତୁ ସେମାନେ ପାରିଲେନି । ଆପେ ଆପେ ପଳାଇଲେ । ତେଣୁ ଜୁଲାଇ ୧୭ ହେଉଛି ଗ୍ରହମୁକ୍ତ ଭାଷା ଆଂଦୋଳନର ଜନ୍ମ ଦିବସ । ଏହି ଦିବସର ପ୍ରଥମ ବର୍ଷ ପୂରଣୀ ଅବସରରେ ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ଦ୍ଵାରା ଆହୁତ ହୋଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭାଷାପ୍ରେମୀମାନେ ଭୁବନେଶ୍ବରସ୍ଥ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ଜୁଲାଇ ୧୭ ତାରିଖରେ ସମବେତ ହୋଇ ଓଡ଼ିଶା ସରକାରୀ ଭାଷା ଆଇନର ସମ୍ପୂର୍ଣ ତ୍ରୁଟିଶୂନ୍ୟ କାର୍ଯ୍ୟକାରୀତା ପାଇଁ ସର୍ବସମ୍ମତିକ୍ରମେ ୪ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି ଯାହା ଏଥିପୂର୍ବରୁ ପ୍ରକାଶିତ ହୋଇଛି । ଏହି ସମ୍ମିଳନୀରେ ଯୋଗ ଦେଇ ନିଜ ନିଜ ଅଭିମତ ବଳରେ ଏହାକୁ ସାର୍ଥକ କରିଥିବା ମାତୃଭାଷାପ୍ରେମୀମାନେ ହେଲେ –

(ଅଶୋକ ପରିଡ଼ା), (ଭୁବନମୋହନ ମହାନ୍ତି), (ଦେବୀପ୍ରସନ୍ନ ନାୟକ), (ଗିରିଜକାନ୍ତ ମିଶ୍ର), (କମଳଲୋଚନ ନାୟକ),(ପ୍ରଦୀପ୍ତ ନାୟକ), (ଲିଙ୍ଗରାଜ ସ୍ଵାଇଁ), (ରାମାଶଙ୍କର),(ସାରଦା ପ୍ରସାଦ ମହାପାତ୍ର),(ତୁଷାରକାନ୍ତ ଶତପଥୀ) ।

କଳା ପତାକା ଅଭିଯାନ : ମଇ ୪ରୁ ୧୦

ବାତ୍ୟା ବିତ୍ପାତକୁ ଆଖିରେ ରଖି ମଇ ୩ରୁ ତିନିଦିନ ପାଇଁ କଳା ପତାକା ଅଭିଯାନ ସ୍ଥଗିତ ରଖା ହୋଇଥିଲା । ମାତ୍ର ୪ ତାରିଖରେ ବାତ୍ୟା ଓ ବର୍ଷା ଅପସରି ଯାଇ ଓଡ଼ିଆ ଭାଷାଜନନୀଙ୍କ ବିଜୟ ଯାତ୍ରା ପାଇଁ ବାଟ ଛାଡିଦେଲେ । ଫଳରେ ୪ ତାରିଖରୁ ଚାଲିଲା କଳା ପତାକା, ଯାହା ହେଉଛି ଇଂରାଜୀ ଆଧିପତ୍ୟ କବଳରୁ ଓଡ଼ିଆ ଜାତିର ମୁକ୍ତିର ପତାକା ।

ଇଣ୍ଟେର୍ନେଟ ନଥିବାରୁ ସେହିଦିନ ଠାରୁ ମଇ ୧୦ ପର୍ଯ୍ୟନ୍ତ ଏହି ଅନନ୍ୟ ଆଂଦୋଳନର ଫଟୋ ବିବରଣୀ ସାମାଜିକ ଗଣମାଧ୍ୟମରେ ଦେଇ ହୋଇ ନହିଁ । ଆଜି ଇଣ୍ଟେର୍ନେଟ ସଂଯୋଗ ସ୍ଥାପିତ ହେବାରୁ ଏଠାରେ ଏହି ସମୟର ବିବରଣୀ ଏକତ୍ର ବିଶ୍ବାର୍ପିତ ହେଲା ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ,କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ, ଧରମୁଧର ପୋଢ, ତପନ କୁମାର ସାହୁ , କୁମାରୀ ମୋନାଲିଶା ପ୍ରଧାନ, ଚିନ୍ମୟୀ ପ୍ରଧାନ, ସାର୍ଥକ ରାଉତରାଯ, ଶିଶିର କୁମାର ସାହୁ, ଆଶିଷ କୁମାର ବେହେରା ପ୍ରମୁଖ ଏହି ବାତ୍ୟା ବିଧ୍ଵସ୍ତ ସମୟରେ ଏହି ଅଭିଯାନରେ ଅଂଶ ଗ୍ରହଣ କରିଥିଲେ ।

ମଇ ୩ରେ ଚତୁର୍ଥ ବର୍ଷର ବିଂଶତିତମ ଦିବସ ବାତ୍ୟା ହେତୁ ସ୍ଥଗିତ ଥିବା ବ୍ବେଳେ ୨୧ତମ ଦିବସରୁ ୨୭ତମ ଦିବସର ଅଭିଯାନ ଏହି ଅନନ୍ୟ ଆନ୍ଦୋଳନକୁ ଔଜଲ୍ୟ ପ୍ରଦାନ କରିଥିଲା ।

ମଧୁଜୟନ୍ତୀରେ ଭାଷା ଆନ୍ଦୋଳନର ବୃତ୍ତଚିତ୍ର ବିଶ୍ଵାର୍ପିତ: ସାହିତ୍ୟିକମାନେ ନିଦରୁ ଉଠିବାକୁ ଆହ୍ଵାନ

ଭୁବନେଶ୍ଵର କାର୍ଯ୍ୟାଳୟ

ଆଜି ଓଡ଼ିଆ ଜାତିର କୁଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ତମ ଜନ୍ମବାର୍ଷିକୀରେ ତାଙ୍କରି ଅଧୁରା ସ୍ୱପ୍ନକୁ ସମ୍ପୂର୍ଣ୍ଣ କରିବା ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ପକ୍ଷରୁ ଏ ଏକ ତପସ୍ୟା ଶୀର୍ଷକ ବୃତ୍ତଚିତ୍ର ବିଶ୍ବାର୍ପିତ ହୋଇଛି । bhashaandolan.com ପକ୍ଷରୁ ପ୍ରସ୍ତୁତ ଏହି ବୃତ୍ତଚିତ୍ରରେ କେଉଁ ପରିସ୍ଥିତିରେ ଓଡ଼ିଶା ପ୍ରଦେଶ ସୃଷ୍ଟି ପାଇଁ ମଧୁବାବୁଙ୍କ ନେତୃତ୍ବରେ ଆନ୍ଦୋଳନ ହୋଇଥିଲା ତାହାର ପ୍ରାମାଣିକ ତଥ୍ୟ ଦିଆଯାଇ ଦର୍ଶଯାଇଛି ଯେ ସେହି ଏକା ପରସ୍ଥିତି ଆଜି ମଧ୍ୟ ବଳବତ୍ତର ଅଛି ଓ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷାରେ ତାହା ପରିଚାଳିତ ହେଉନାହିଁ ଏବଂ ଖାସ୍ ଏହି କାରଣରୁ କିପରି ଭାଷା ଆନ୍ଦୋଳନ ଚାଲିଛି ତାହା ଏହି ବୃତ୍ତଚିତ୍ରରେ ସ୍ଥାନିତ ହୋଇଛି ।

ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ଧର୍ମୀ ସାମ୍ବାଦିକତାକୁ ନୂଆ ପରିଚୟ ଦେଇଥିବା ବିଶିଷ୍ଟ ଟିଭି ସାମ୍ବାଦିକ ତଥା ସର୍ବଶ୍ରେଷ୍ଠ ସଂଳାପ ଲେଖକ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ବର୍ଷ ପୁରସ୍କୃତ ସତୀଶ ମିଶ୍ର ବୃତ୍ତଚିତ୍ରଟିକୁ ବିଶ୍ଵାର୍ପିତ କରିଥିଲେ ଓ ବଜାରଧର୍ମୀ ପ୍ରଶାସନଶୈଳୀ କିପରି ଆମ ଦେଶର ସ୍ୱାଧୀନତାର ସ୍ୱପ୍ନକୁ ଧୂଳିସାତ୍ କରିବାରେ ଲାଗିଛି ତାହାର ସୁବିସ୍ତିର୍ଣ୍ଣ ତଥ୍ୟ ରଖି ମଣିଷର ମୌଳିକ ବିଭବଗୁଡିକର ସୁରକ୍ଷା ପାଇଁ ସଚେତନ ଓ ପ୍ରତିବଦ୍ଧ ଉଦ୍ୟମ ହିଁ ହାନିକାରକ ବଜାର ଉପଦ୍ରବରୁ ଜନସମାଜକୁ ରକ୍ଷା କରିପାରିବ ବୋଲି କହିଥିଲେ । ମଣିଷର ମାତୃଭାଷା ତାର ମୌଳିକ ବିଭବରୁ ଶ୍ରେଷ୍ଠତମ ହୋଇଥିବା ହେତୁ ସାହିତ୍ୟିକମାନେ ସାଧାରଣମଣିଷ ବ୍ୟବହାର କରୁଥିବା ଭାଷା ପ୍ରତି ଉଦାସିନ ହୋଇ ନରହି ତହିଁର ସୁରକ୍ଷା ଓ ସମୃଦ୍ଧି ପାଇଁ ସରସ୍ଵତ ଜାଗୃତି ସୃଷ୍ଟି କରିବା ଓଡ଼ିଶା ପ୍ରେକ୍ଷାପଟରେ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

ଉଲ୍ଲେଖନୀୟ ଯେ “ସଙ୍କଟରେ ଭାଷା ସ୍ଵାର୍ଥଲିପ୍ସାରେ ସାହିତ୍ୟିକ” ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାରେ ମୁଖ୍ୟବକ୍ତା ଭାବେ ପ୍ରଫେସର କମଳା ପ୍ରସାଦ ମହାପାତ୍ର ଓଡ଼ିଶା ରାଜ୍ୟଗଠନରୁ ଆରମ୍ଭ କରି ବିଦେଶୀଙ୍କ କବଳରୁ ମୁକ୍ତି ପରି ଦୁରୁହ ପରିସ୍ଥିତିରେ ସାହିତ୍ୟ କିପରି ଜନସାଧାରଣଙ୍କ ପାଇଁ ପଥଦର୍ଶୀ ଭୂମିକା ନିର୍ବାହ କରିଥିଲା ତାହା ସୁଚାଇ ଦେଇଥିଲେ । ସେ କହିଥିଲେ ସାହିତ୍ୟର ମୂଳାଧାର ହେଉଛି ମାତୃଭାଷା । ମାତୃଭାଷା ହେଉଛି ମଣିଷର ପ୍ରାଣ ଏବଂ ତାର ଆତ୍ମା ତୁଲ୍ୟ । ତାହା ସଙ୍କଟରେ ପଡିଥିବା ବେଳେ ତହିଁ ପ୍ରତି ଉଦାସୀନ ରହିବା ସାହିତ୍ୟିକୀୟ ସ୍ଵଭାବ ଅନୁରୂପ ନୁହେଁ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ, ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇ ମଧୁବାବୁଙ୍କର ସ୍ଵପ୍ନର ଶୀର୍ଷ ଅଂଶ ସଫଳ ହୋଇଥିଲା ବେଳେ ତହିଁର ମୂଳ ଅଂଶ ଅସଫଳ ହୋଇ ରହିଛି । ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ହେଉଛି ଏହି ମୂଳ ଅଂଶ । ଏହି ମୂଳ ସ୍ଵପ୍ନକୁ ସାର୍ଥକ କରିବା ପାଇଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଚତୁର୍ଥ ବର୍ଷର ଚତୁର୍ଦଶ ଦିବସ ଅତିକ୍ରମ କରିସାରିଲାଣି ଓ ଓଡ଼ିଆ ଭାଷା ବିରୁଦ୍ଧରେ ଇଂରାଜୀ ମନସ୍କ ସରକାରୀ କଳ ଯେତେ ଷଡଯନ୍ତ୍ର କରୁଛି ତାହାକୁ ବାଧା ଦେବାରେ ଲାଗିଛି । ଭାଷା ଆଇନର ସମ୍ପୂର୍ଣ ନିର୍ଭୁଲ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ସରକାରଙ୍କୁ ବାଧ୍ୟ କରିବ ବୋଲି ସେ କହିଥିଲେ ।

ଅଧ୍ୟକ୍ଷତା କରୁଥିବା ସୁଶ୍ରୀ ତନୁଜା ରଥ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରାଥମିକତା ପ୍ରତିଷ୍ଠା ପାଇଁ ସାହିତ୍ୟିକମାନେ ଜଗି ଉଠିବାକୁ ଆହ୍ଵାନ ଦେଇ କଳାପତାକା ଅଭିଯାନକୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ବିଶିଷ୍ଟ ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ ଛଳରେ ଓଡ଼ିଶାରେ ଦେଖାଦେଇଥିବା ଭାଷା ସଙ୍କଟ ଉପରେ ଆଲୋକପାତ କରିଥିଲେ ।

ଓଡ଼ିଶା ପ୍ରଦେଶ ସୃଷ୍ଟିର ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ କଳା ପତାକା ଅଭିଯାନ ଚାଲିରହିବ ବୋଲି ସିଦ୍ଧ।ନ୍ତ ହୋଇଥିଲା ଓ ଅଭିଯାନର ପ୍ରତୀକ ଚିହ୍ନ ସମସ୍ତଙ୍କ ଅନୁମୋଦନ ପାଇଥିଲା ।

କଳାପତାକା ଅଭିଯାନର ତିନି ବର୍ଷ ପୂର୍ତ୍ତୀ: ଓଡିଶା ସରକାରୀ ଭାଷା ଆଇନର ସ୍ଥିତି ଉପରେ ଆଲୋଚନା

ଓଡ଼ିଆରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବା ପାଇଁ ଚାଲିଥିବା କଳା ପତାକା ଅଭିଯାନ ଏପ୍ରିଲ ୧୩ ତାରିଖରେ ତିନି ବର୍ଷ ଅତିକ୍ରମ କଲା । ଏହି ଉପଲକ୍ଷେ ଭୁବନେଶ୍ବରର ନେହେରୁ ଯୁବ କେନ୍ଦ୍ର ସମ୍ମିଳନୀ କକ୍ଷରେ “ଆମ ଭାଷା ପାଇଁ ଆମ ଲଢ଼େଇ” ଶୀର୍ଷକ ଇ-ପୁସ୍ତକର ବିଶ୍ବାର୍ପଣ ଓ “ସଙ୍କଟାବର୍ତ୍ତରେ ଓଡ଼ିଶା ସରକାରୀ ଭାଷା ଆଇନ” ଶୀର୍ଷକ ଆଲୋଚନା ଚକ୍ର ସଂଘଟିତ ହୋଇଥିଲା ।

ସରକାରୀ ଭାଷା ଆଇନର ଆଜନ୍ମ ତ୍ରୁଟିଗୁଡ଼ିକ ପ୍ରଥମେ ଠାବ କରି ସେ ସମ୍ପର୍କରେ ସରକାରଙ୍କୁ ପ୍ରଥମ ଥର ପାଇଁ ଅବଗତ କରାଇଥିବା ଓ ସେହି ତ୍ରୁଟିଗୁଡ଼ିକର ଦୂରୀକରଣ ପାଇଁ ୩.୯.୨୦୧୫ରେ ପ୍ରସ୍ତାବ ଓ ପ୍ରସ୍ତାବିତ ଆଇନର ଚିଠା ଦେଇ ଏ ସମ୍ପର୍କରେ ପ୍ରଥମଥର ପାଇଁ ସରକାରଙ୍କୁ ସଚେତନ କରାଇ ଥିବା ତତ୍କାଳୀନ ମନ୍ତ୍ରୀସ୍ତରୀୟ କମିଟି ସଦସ୍ୟ ତଥା ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭିତ୍ତି-ବୟାନ ଉପସ୍ଥାପନ କରି କହିଥିଲେ, ଓଡ଼ିଶା ସରକାରଙ୍କ ଷଡ଼ଯନ୍ତ୍ର ହେତୁ ଓଡ଼ିଶା ସରକାରୀ ଭାଷା ଆଇନ ସଙ୍କଟ ଘେରରେ ପଡ଼ିଛି । ସାରା ଓଡ଼ିଶାରେ ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବ ବୋଲି ସରକାରୀ ଭାଷା ଆଇନରେ ଥିଲା , ଯାହାକୁ ନିଯମାବଳୀ ଓ ଉଲ୍ଲଙ୍ଘନକାରୀ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଦ୍ଵାରା ସଶକ୍ତୀକୃତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ଓ ସେହି ପରାମର୍ଶ ହେତୁ ଆଇନତିର ସଂଶୋଧନ ପାଇଁ ସରକାର ପ୍ରଥମଥର ପାଇଁ ଆବଶ୍ୟକତା ଅନୁଭବ କରିଥିଲେ । ମାତ୍ର ଦିଅଁ ଗଢୁ ଗଢୁ ବାନ୍ଦର ଗଢିଲା ପରି ସଂଶୋଧନ ଆଳରେ ରାଜ୍ୟ ସରକାର ଖଞ୍ଜିଥିବା ୪-କ ଧାରା ଓଡ଼ିଶା ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡା କରିଛି । ଏଥିରେ କୁହ ହୋଇଛି , ଯେଉଁ କର୍ମଚାରୀମାନେ “ବ୍ୟାପକ ଭାବେ” ଓଡ଼ିଆ ଭାଷା ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ଏହାର ଅର୍ଥ , ଯେଉଁମାନେ ସାମଗ୍ରିକ ଭାବେ ଓଡ଼ିଆ ଭାଷାରେ କାମ ନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ ! ଅଧିକନ୍ତୁ , ସଂଶୋଧନର ଉଦ୍ଦେଶ୍ୟ ଓ କାରଣ କଥନରେ ଏପରି ଉପାଦାନ ରଖାଯାଇଛି ଯେ,ଓଡ଼ିଶାର ସର୍ବତ୍ର ଆଇନଟି ଲାଗୁ ହେବନାହିଁ ଓ ଅମଲାତନ୍ତ୍ରର ମର୍ଜି ଅନୁରୂପେ ଏହା ନିର୍ବାହିତ ହେବ । ତେଣୁ ଓଡିଶା ସରକାରୀ ଭାଷା ଆଇନରେ ଖଞ୍ଜ ହୋଇଥିବା ୪-କ ଧାରା ବିଲୋପନ ପାଇଁ ସେ ଜୋର ଦେଉଥିବା ହେତୁ ଓଡିଆଭାଷାବିଦ୍ଵେଷୀ ସରକାର ଆନ୍ଦୋଳନକାରୀଙ୍କ ଭିତରୁ ଦୁଇଜଣ ମୁଖ୍ୟବ୍ୟକ୍ତିଙ୍କୁ ପୋଷାମନେଇ ଆନ୍ଦୋଳନକୁ ମାରିଦେବାକୁ ଚେଷ୍ଟା କରିଥିଲେ । ମାତ୍ର ଭାଷାପ୍ରାଣ ଓଡ଼ିଆ ଜାତି ସେହି ଘୃଣୀ ଷଡ଼ଯନ୍ତ୍ରକୁ ବ୍ୟର୍ଥ କରିଦେଇଛି ଓ ବିଶ୍ବାସଘାତକମାନେ ଚାଲିଗଲା ପରେ ଆମ ଭାଷା ପାଇଁ ଆମ ଲଢ଼େଇ ଚାଲିଛି ବୋଲି ସେ କହିଥିଲେ ।

ଭାଷା ଆନ୍ଦୋଳନର ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ସରକାରୀ କାମରେ ଭାଷା ପ୍ରୟୋଗ ପାଇଁ ଚାପ ସୃଷ୍ଟି କରିଥିବା ଓଡିଆ ଭାଷା ପ୍ରୟୋଗ କ୍ରିଯାନୁଷ୍ଠାନ କମିଟିର ଅନ୍ୟତମ ସଂସ୍ଥାପକ ପ୍ରଫେସର କମଳାପ୍ରସାଦ ମହାପାତ୍ର ମଧ୍ୟ ତତ୍ତୁଲ୍ୟ ମତ ଦେଇ କହିଥିଲେ କି, କହିଥିଲେ କି, ଆଇନଟିର ଶୀର୍ଷକ ପରିବର୍ତ୍ତନ ପାଇଁ ସୁଭାଷବାବୁଙ୍କ ମତ ସହ ସେ ଏକମତ ନୁହନ୍ତି; କାରଣ, ତାଙ୍କ ବିଚାରରେ ଅଫିସିଆଲ ଅର୍ଥ ସମସ୍ତ ସରକାରୀ ଓ ବେସରକାରୀ ଅଫିସ । କିନ୍ତୁ ଅଫିସମାନଙ୍କରେ ଓଡ଼ିଆ ଭାଷାର ବ୍ୟାପକ ପ୍ରଚଳନକୁ ପୁରସ୍କୃତ କରାଯିବା ବିଭାବନାକୁ ଅଗ୍ରାହ୍ୟ କରିବାକୁ ସେ ସୁଭାଷ ବାବୁଙ୍କ ସହ ଏକମତ ହୋଇଥିଲେ ।

ଓଡ଼ିଆ ଅସ୍ମିତାର ଅନ୍ଯତମ ଅତନ୍ଦ୍ର ପ୍ରହରୀ, ସାମ୍ବାଦିକ ଡକ୍ଟର ଅସିତ ମହାନ୍ତି କହିଥିଲେ ଓଡ଼ିଶା ସରକାରୀ ଭାଷା ଆଇନ କ୍ଷେତ୍ରରେ ସରକାରୀ ପ୍ରବଞ୍ଚନା ଆଜିକୁ ଶହେ ବର୍ଷ ତଳେ ଏହି ଦିନ (୧୩ ଏପ୍ରିଲ) ବିଦେଶୀ ଇଂରାଜ ବାହିନୀ ଘଟାଇଥିବା ଜାଲିଆନାଵାଲାବାଗ୍ ଗଣହତ୍ୟା ଠାରୁ କମ୍ ନୁହେଁ ।

ଏକାଧିକବାର କଳାପତାକା ଧରି ଭାଷା ଜନନୀ ପାଇଁ ସଂଗ୍ରାମ କରିଥିବା ବିଦୁଷୀ ତନୁଜା ରଥ ତାଙ୍କ ମନକଥା କହିଥିଲେ ।

ବିଶିଷ୍ଟ ସମାଜସେବୀ ରାମଶଙ୍କର ନିଜ ଆଦର୍ଶରେ ଅତଳ ରହି ଏ ଅଭିଯାନ ସାରା ଓଡିଶାରେ ପରିବ୍ୟାପ୍ତ ହେବ ବୋଲି ଆଶାପୋଷଣ କରିଥିଲେ ।

ଭାଷା ଜନନୀଙ୍କ ଶ୍ରେଷ୍ଠ ଚାରଣକବି ଅରୂପ (ଉମାକାନ୍ତ ରାଉତ) ନିଜ କବିତା ଅବୃତ୍ତି କରି କାବ୍ୟିକ ଉଦ୍ବୋଧନ ଦେଇଥିଲେ ।

ସଭାପତିତ୍ଵ କରୁଥିବା ସମାଜ ସଂସ୍କାରକ, ଅଧିବକ୍ତା ଅର୍ଜୁନ ଚରଣ ସାମନ୍ତରାୟ କହିଥିଲେ ନିଜ ଭାଷା ଜନନୀଙ୍କୁ ବିପଦମୁକ୍ତ କରିବା ପାଇଁ ଏହି ଅଭିଯାନ ଚାଲିଛି ଓ ଚାଲିବ ଏବଂ ବ୍ୟାପକ ହେବ ।

ଖୋର୍ଦ୍ଧା ମାଟିର ଏକ ନବମ ଶ୍ରେଣୀ ଛାତ୍ରୀ ଶ୍ରୁତି ମହାନ୍ତି ସୁଲଳିତ କଣ୍ଠରେ ଓଡ଼ିଆ ଅସ୍ମିତାର ବନ୍ଦନା କରି କାଳପଟକ ଅଭିଯାନର ତିନିବର୍ଷ ପୂର୍ତ୍ତି ମୁହୂର୍ତ୍ତକୁ କରିଦେଇଥିଲେ ପ୍ରାଣପୂର୍ତ୍ତ ।

ଆମ ଭାଷା ପାଇଁ ଆମ ଲଢ଼େଇ : ଭାଷା ଆନ୍ଦୋଳନର ୨ୟ ଇ-ପୁସ୍ତକ ଵିଶ୍ଵାର୍ପିତ

ଭୁବନେଶ୍ୱର, ଏପ୍ରିଲ ୧୩, ୨୦୧୯

ଗତ ସେପ୍ଟେମ୍ବର ୩, ୨୦୧୫ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ରାଜ୍ୟ ସରକାରଙ୍କୁ ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲି ତାହା ରାଜ୍ୟ ସରକାର ଏହି ସ୍ଵତନ୍ତ୍ର ୱେବ ସାଇଟରେ ସ୍ଥାନିତ କରିଥିଲେ । ମାତ୍ର ଏଥିରେ ଆଇନ ଉଲ୍ଲଙ୍ଗନକାରୀକୁ ଦଣ୍ଡବିଧାନ ବ୍ୟବସ୍ଥାପାଇଁ ଆଇନ ସଂଶୋଧନର ପ୍ରସ୍ତାବ ଥିବାରୁ ମନ୍ତ୍ରୀସ୍ତରୀୟ କମିଟିର ସଂଯୋଜକ ଥିବା ଜଣେ ଅଣଓଡ଼ିଆ ଅଫିସର ଜି ଭି ଭି ଶର୍ମା ଏହାକୁ ଆଗେଇବାକୁ ଦେଲେ ନାହିଁ ।

ପାର୍ଶ୍ଵରେ ଥିବା ଫଟୋଚିତ୍ରଟି ଅନୁଧ୍ୟାନ କଲେ ଦେଖିବେ ଯେ ମୋ ପ୍ରଦତ୍ତ ନିୟମାବଳୀ ଆଇନ ସଚିବଙ୍କ ପାଖକୁ ପ୍ରେରିତ ହେବା ବେଳେ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ପ୍ରଚଳନ ସମ୍ପର୍କିତ ନିୟମ ୪ ଏବଂ ଭାଷା ଆଇନର ଉଲ୍ଲଂଘନକାରୀକୁ ଦଣ୍ଡବିଧାନ ସମ୍ପର୍କିତ ନିୟମ ୧୦ “ଅସାଧ୍ୟ” ବୋଲି ଶର୍ମା ଟିପ୍ପଣୀ ଦେଇଛନ୍ତି ଓ ତହିଁ ଉପରେ ମୁଖ୍ୟ ଶାସନ ସଚିବ ଟିପ୍ପଣୀ ଦେଇ ନିୟମ ୪ ଉପରେ ଶର୍ମାଙ୍କ ଆପତ୍ତିକୁ ଅଗ୍ରାହ୍ୟ କରିଥିବା ବେଳେ ଦଣ୍ଡବିଧାନ ସମ୍ପର୍କୀୟ ନିୟମ ଉପରେ ଆଇନ ବିଭାଗ ମତ ଦିଅନ୍ତୁ ବୋଲି କହିଛନ୍ତି ନଭେମ୍ବର ୧୯, ୨୦୧୫ରେ । ନଥିଟି ଆଇନ ବିଭାଗକୁ ଗଲା,ଆଇନ ବିଭାଗରୁ ଫେରିଲା , କିନ୍ତୁ କୁଆଡେ ଗଲା ତାର ପତ୍ତା ମିଳିଲାନି । ଅଥଚ ମେ ପହିଲା ୨୦୧୮ ତାରିଖରେ ଆମ ସରକାରୀ ଭାଷା ଆଇନକୁ ଅକାମି କରିଦେବା ପାଇଁ ବିଧାନସଭାକୁ ବିଭ୍ରାନ୍ତ କରି ସଂଶୋଧନ ମାଧ୍ୟମରେ ୪-କ ଧାରା ଖଞ୍ଜାଗଲା । ସୁତରାଂ ମୁଁ ଦେଇଥିବା ପ୍ରସ୍ତାବ ଉପରେ ସରକାର କି କି ପଦକ୍ଷେପ ନେଇଥିଲେ ତାହା ଜାଣିବା ମୋ ପାଇଁ ଜରୁରୀ ହୋଇପଡ଼ିଥିଲା । ଯେତେ ଚେଷ୍ଟା କଲି ତାହା ମିଳିଲାନି । ନଥିଟିକୁ ଶର୍ମା ନିରୁଦ୍ଦିଷ୍ଟ କରିଦେଇଥିବାର ସନ୍ଦେହ ଘନୀଭୂତ ହେଲା , କାରଣ ମୋ ପ୍ରସ୍ତାବଟି ଉପରେ ପ୍ରଦତ୍ତ ଯେଉଁ ୱେବ ସାଇଟରେ ଥିଲା ତାହା ଆଉ ଉପଲଭ୍ୟ ବି ହେଲା ନାହିଁ । ଜୁନ 5,୨୦୧୮ ତାରିଖରେ ‘ୟୁ ଟ୍ୟୁବ’ରେ ନିମ୍ନ ଭିଡିଓଟି ଜାରି କରି ଓଡ଼ିଆ ଜାତି ବିରୁଦ୍ଧରେ ଏହି ଅପରାଧ କରିଥିବା ହେତୁ ସେତେବେଳେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଥିବା ଏହି ଶର୍ମାଙ୍କୁ ଓଡ଼ିଶାରୁ ବିଦା କରିବାକୁ ମୁଁ ଦାବି କଲି ।

ଏହି ଭିଡିଓ ଶର୍ମାଙ୍କ ପାଇଁ ଅଡୁଆ ସୃଷ୍ଟି କରିବାର ଆଶଙ୍କା ଥିଲା । ସେ ମୋ ଚାପରୁ ଖଲାସ ହେବା ପାଇଁ ଭାଷା ଆଂଦୋଳନର ଅନ୍ୟ କୌଣସି କର୍ମକର୍ତ୍ତା ତାଙ୍କୁ ସାହାଯ୍ୟ କରିପାରିବେ କି ନାହିଁ ତାହା ଆବିଷ୍କାର କରିବାକୁ ଉଦ୍ୟମ କରିଥିବା ଅସ୍ଵାଭାବିକ ନଥିଲା । ସେତେବେଳକୁ ତାଙ୍କ ପାଖରେ ପ୍ରଦ୍ୟୁମ୍ନ ଶତପଥିଙ୍କ ପତ୍ନୀଙ୍କ ଚାକିରି ସମ୍ପର୍କୀୟ ଦରଖାସ୍ତ ପଡ଼ିଥାଏ । ଶ୍ରୀମତୀ ଶତପଥି ପ୍ରାୟ ୧୫ ବର୍ଷ କାଳ ଚାକିରିରେ ଅନୁପସ୍ଥିତ ଥିବା ହେତୁ ବୃତ୍ତି ସଙ୍କଟରେ ପଡିଥାନ୍ତି ଓ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ତାଙ୍କୁ ଚାକିରିରେ ଯୋଗ ଦେବାକୁ ଦେଉନଥାନ୍ତି । ଶର୍ମା ଏହି ସଙ୍କଟରୁ ତାଙ୍କୁ ଉଦ୍ଦାର କରିବେ ବୋଲି କହି ତାଙ୍କୁ ହୁଏତ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା କାମରେ ଲଗାଇଥାଇପାରନ୍ତି । ବର୍ତ୍ତମାନ ତାଙ୍କ ପତ୍ନୀଙ୍କ ଚାକିରିର ସ୍ଥିତି କଣ ତାହା ଜଣାପଡ଼ିଲେ ଏହି ଦିଗଟି ସ୍ପଷ୍ଟ ହେବ । ସେହି ସମୟରେ ଭାଷା ଆଂଦୋଳନର ସ୍ମରଣିକାଜନିତ ସମଗ୍ର ଆୟ ପବିତ୍ର ମହାରଥା ଆତ୍ମସାତ କରିଥିବା ଧରା ପଡ଼ିଥାଏ ଓ ମୁଁ ତାଙ୍କୁ କୈଫିଯତ ମାଗିଥାଏ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସରେ ଏତଲା କରିଥାଏ । ପ୍ରଦ୍ୟୁମ୍ନ ଶତପଥି ଜୁଲାଇ ୧୬, ୨୦୧୮ ଯାଏଁ ପବିତ୍ର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ମୋତେ ମୁଣ୍ଡିଆ ମାରି ଅନୁରୋଧ କରିଥାନ୍ତି । ଏ ଖବର ଅବଗତ ହୋଇ ସରକାର ଏ ଦୁହିଙ୍କୁ ନିଜ ପାଲକୁ ଟାଣି ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ପ୍ରବର୍ତ୍ତାଇବାରେ ସଫଳ ହେଲେ । ଏହି ଦୁଇଜଣଙ୍କ ଏହି ବ୍ୟକ୍ତିଗତ ସ୍ଵାର୍ଥଲିପ୍ସା ଏବଂ ସରକାରୀ ସୁପାରି ପ୍ରଭାବରେ ଏମାନେ ଜୁଲାଇ ୧୬, ୨୦୧୮ ସନ୍ଧ୍ୟାରେ ଭାଷା ଆନ୍ଦୋଳନ ଛାତିରେ ଛୁରା ମାରି କଳାପତାକା ଅଭିଯାନ ବନ୍ଦ ରହିଲା ବୋଲି ଏକ ଅନଧିକୃତ ପ୍ରେସ ବିବୃତ୍ତି ଜାରିକଲେ । ଏବଂ ଆଉ ପାଦେ ଆଗେଇଯାଇ ଶତପଥୀ ତାଙ୍କ କାଗଜରେ ଲେଖିଲେ “୮୭୮ ଦିନରେ ଐତିହାସିକ ଭାଷା ଆନ୍ଦୋଳନ ହେଲା ପ୍ରତ୍ୟାହୃତ” ।

ଏମାନଙ୍କ ପାଇଁ ସେହି ଦିନ ଭାଷା ପାଇଁ ଲଢ଼େଇ ସରିଗଲା । କିନ୍ତୁ ଆମ ପାଇଁ ସରିଲା ନାହିଁ । ଚାଲିଲା ଓ ଚାଲିଛି । ଯେଉଁ ପର୍ଯ୍ୟନ୍ତ ଆମ ଭାଷା ବିପଦମୁକ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ଏହା ଚାଲିବ । ତେଣୁ ଏମାନେ ବିଶ୍ବାସଘାତକତା କରି ପଳାଇଥିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଆମ ଲଢ଼େଇ କିପରି ଚାଲିଛି ତହିଁର ସମସ୍ତ ପ୍ରାମାଣିକ ତଥ୍ୟ ସହ ଆଜି ଆମେ ପ୍ରକାଶ କରିଛୁ ଏହି ଇ-ପୁସ୍ତକ ‘ଆମ ଭାଷା ପାଇଁ ଆମ ଲଢ଼େଇ’ ଯାହା ଆପଣମାନେ ସମସ୍ତେ ଏଠି ଦେଖିପାରିବେ । ପ୍ରତିବିନର ସଚିତ୍ର ବିବରଣୀ ସହ ଏଥିରେ ଅଛି ବିଶିଷ୍ଟ ସାମ୍ବାଦିକ ଓ ଗବେଷକ ଡକ୍ଟର ଅସିତ ମହାନ୍ତି, ଭାଷା ତପସ୍ଵୀ ଗଜାନନ ମିଶ୍ର,ପ୍ରଫେସର କମଳାପ୍ରସାଦ ମହାପାତ୍ର, ଭାଷା ବିପ୍ଳବୀ ଅର୍ଜୁନ ଚରଣ ସାମନ୍ତରାୟ, ବିଶିଷ୍ଟ ସମାଜସେବୀ ରାମଶଙ୍କର ପ୍ରମୁଖଙ୍କ ଆଲୋକବର୍ଷୀ ନିବନ୍ଧ ଓ ଆମ ଭାଷାର ଶ୍ରେଷ୍ଠ ଚାରଣକବି ଉମାକାନ୍ତ ରାଉତଙ୍କ କଣ୍ଠନିସୃତ ପ୍ରତିବେଦନ ।

Ama Bhasha Pain Ama Ladhei … by on Scribd

ଏହାକୁ ନିଶ୍ଚୟ ପଢନ୍ତୁ ଓ ଖଳନାୟକମାନଙ୍କ କବଳରୁ ନିଜ ଭାଷା ଜନନୀଙ୍କୁ ଉଦ୍ଧାର କରିବା ପାଇଁ ନିଜ ନିଜକୁ ପ୍ରସ୍ତୁତ କରନ୍ତୁ ।

ପରବର୍ତ୍ତୀ ଖବରରେ ଏହି ଇ-ପୁସ୍ତକ ବିଶ୍ବାର୍ପଣର ବିବରଣୀ ପ୍ରକାଶ ପାଇବ ।