ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ଅର୍ଥମନ୍ତ୍ରୀ ଶଶି ବେହେରା ଟିକଟ ହରାଇଲେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଏତେ ବିରକ୍ତ ଯେ, ବିଜେଡି ଟିକଟରେ ବିଧାନସଭାକୁ ଆସିବା ବାଟ ତାଙ୍କ ପାଇଁ ବନ୍ଦ ହୋଇଯାଇଛି । ଅର୍ଥମନ୍ତ୍ରୀ ବେହେରଙ୍କୁ ନବୀନବାବୁଙ୍କ ମନ୍ତ୍ରୀମଣ୍ଡଳରେ ସବୁଠୁ ଶକ୍ତିଶାଳୀ ମନେକରାହେଉଥିଲା । ତାଙ୍କ ଉପରେ ରୋଷ ହେତୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରାଇଛନ୍ତି ନବୀନ ବାବୁ ଏବଂ ଶଶିବାବୁ ଯେ ତାଙ୍କ ବିଶ୍ଵାସ ହରାଇ ସାରିଛନ୍ତି – ଏହି ଧାରଣା ବଳବତ୍ତର ହୋଇଛି ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ଅଧକୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଶ୍ଵସ୍ତ ପ୍ରକାଶ । ପ୍ରଦ୍ୟୁମ୍ନ ଶତପଥି ଓ ପବିତ୍ର ମହାରଥାଙ୍କ ସହାୟତାରେ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଏହି ଅର୍ଥ ବ୍ୟୟ କରାଯାଇଥିଲେ ବି ଆନ୍ଦୋଳନ ଭାଙ୍ଗି ନହିଁ , ଚାଲିଛି । ପ୍ରତିଦିନ ଦୁଇଜଣ ଭାଷାପ୍ରାଣ ଓଡ଼ିଆ କଳା ପତାକା ଧରି ଘୋଷଣାନାମା ସହ ବିଧାନସଭା ସମ୍ମୁଖସ୍ଥ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ରାଜଭବନ ସମ୍ମୁଖସ୍ଥ କୁଳବୃଦ୍ଧ ମଧୁସୂଦନଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ ଆସୁଛନ୍ତି ।

କୌଣସି ଆଇନ ଉଲ୍ଲଂଘନ ନ କରି ଆଇନ ବଦଳାଇବାକୁ ଏକ ଆଇନସମ୍ମତ ସରକାରକୁ ପ୍ରବର୍ତ୍ତାଇବାପାଇଁ ସ୍ଵଳ୍ପସଙ୍ଖ୍ୟକ ବ୍ୟକ୍ତି ବି କିପରି ସକ୍ଷମ ହୋଇପାରନ୍ତି ଏହି ଆନ୍ଦୋଳନ ତାର ଏକ ସଫଳ ପରୀକ୍ଷଣ ।

ମୋର ମାନସପ୍ରସୂତ ଏହି ପଦ୍ଧତ୍ତି ମୁଁ ପ୍ରଥମେ ପ୍ରୟୋଗ କରିଥିଲି ୧୯୮୦ ଦଶକରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନକାଳୀନ ପ୍ରତିଶ୍ରୁତି ଭଙ୍ଗ ବିରୁଦ୍ଧରେ ୧୯୮୦ ଦଶକର ଆଦ୍ୟଭଗରେ ।

ଏଣିକି ଦୁଇ ଜଣ ଚାଲିବେ କଳାପତାକା ସହ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯେଉଁମାନେ ଆମ ଭାଷାଜନନୀଙ୍କ ଏହି ଚରମ ଦୁର୍ଦ୍ଦିନରେ ନିଜ ଜାତିର ଅସ୍ମିତା ପାଇଁ କଳାପତାକା ତୋଳି ସଗର୍ବେ ଚାଲିପାରୁଛନ୍ତି ରାଜଧାନୀର ରାଜରାସ୍ତାରେ, ସେହିମାନେ ହିଁ ବାଧ୍ୟ କରିଛନ୍ତି ଅହଂକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଥା ନତ କରି, ଆମ ଭାଷାରେ ଆମକୁ ସେବା ପ୍ରଦାନ କରିବା ପାଇଁ ଏଯାଏଁ ଅସହଯୋଗ କରିଆସିଥିବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ନିୟମାବଳୀର ସଂଶୋଧନ କରିବାକୁ । ଏହି ସାଫଲ୍ଯ ସତ୍ତ୍ବେ ଆନ୍ଦୋଳନ ଚାଲିରହିବ , କାରଣ ଆମ ଜାତୀୟ ସ୍ବାର୍ଥର ସମ୍ପୂର୍ଣ୍ଣ ପରିପନ୍ଥୀ ଧାରା ୪-କ ଆମ ଭାଷା ଆଇନରୁ ଏଯାଏଁ ଉଚ୍ଛେଦ ହୋଇ ନାହିଁ ।

ଦୁଇ ଜଣ ବିଶ୍ବାସଘାତକ ସରକାରଙ୍କ ଦଲାଲ୍ ସାଜି ଭାଷା ଆନ୍ଦୋଳନକୁ ଛୁରୀ ମାରି ଏହା ପ୍ରତ୍ୟାହୃତ ହୋଇସାରିଛି ବୋଲି ମିଥ୍ଯା ପ୍ରଚାର କଲାପରେ ଆମେ ସିଦ୍ଧାନ୍ତ କଲୁ, ସେହି ଦୁଇ ଜଣଙ୍କ ପାପକୁ ପଦାଘାତ କରି ଏଣିକି ଦୁଇ ଜଣ ଶ୍ରେଷ୍ଠ ଓଡ଼ିଆ ହିଁ ପ୍ରତ୍ୟହ କଳାପତାକା ତୋଳି ଭାଷା ମାଆର ବିଜୟ ଅଭିଯାନ ଚଳାଇବେ ।

ଆଜିର ଦୁଇ ଶ୍ରେଷ୍ଠ ଓଡ଼ିଆ ହେଲେ: ସୁଭାଷ ଚନ୍ଦ୍ର ପ୍ରଧାନ ଓ ଆଶିଷ କୁମାର ବେହେରା ।
୨।୩।୨୦୧୯

ଦୁଇ ଜଣ ଭାଷାପ୍ରେମୀ ହିଁ ମନେପକାଇ ଦେବେ ଦୁଇ ବିଶ୍ଵାସଘାତକଙ୍କ ପ୍ରତାରଣା

ଗତ ତିନି ତାରିଖରେ ଦୁଇ ଜଣ ପ୍ରତିବଦ୍ଧ ଭାଷାପ୍ରେମୀଙ୍କ ହାତରେ କଳାପତାକା ଦେଇସାରି ସୁଭାଷ ଚନ୍ଦ୍ର ପଟ୍ଟନାୟକ ଦେଇଥିବା ବାର୍ତ୍ତା

କେନ୍ଦ୍ରାପଡ଼ାରେ କଳାପତାକା ଅଭିଯାନ ଓ ଭାଷା ପାଇଁ ସ୍ମାରକପତ୍ର ପ୍ରଦାନ

ବିଶେଷ ପ୍ରତିନିଧି

ଭାଷା ଆନ୍ଦୋଳନର କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ଦାସଙ୍କ ଆହ୍ବାନ କ୍ରମେ କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକସ୍ଥ ଯଦୁମଣି ମଙ୍ଗରାଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ଗୁରୁବାର ପୂର୍ବାହ୍ନରେ ଆନ୍ଦୋଳନର କଳାପତାକା ଅଭିଯାନ ଆରମ୍ଭ ହୋଇ ସମଗ୍ର ସହର ପରିକ୍ରମା କରି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ରେ ଖଞ୍ଜା ହୋଇଥିବା ଧାରା ୪-କ ଓଡ଼ିଆ ଜାତିର ଭାଷା ଅଧିକାରକୁ ଅକାମି କରିଛି । ସୁତରାଂ ତାକୁ ବିଲୁପ୍ତ କରାଯାଇ ସାନି ସଂଶୋଧନ ଦ୍ଵାରା ତାର ଉଲ୍ଲଙ୍ଘନକାରୀକୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା କରାଯାଉ ବୋଲି ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ଗତ ୯.୧୧.୨୦୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଚରମପତ୍ର ଦେଇଥିଲେ, ତାହା ସପକ୍ଷରେ ଜିଲ୍ଲା ଶାଖା ପକ୍ଷରୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ଜିଲ୍ଲାର ବିଶିଷ୍ଟ ଜନନେତା, ପ୍ରକୃତିପ୍ରେମୀ ଓ ଭାଷାପ୍ରେମୀମାନେ ।

କେନ୍ଦ୍ରୀୟ ସଭାପତି ମଣ୍ଡଳୀର ସଦସ୍ୟ ସର୍ବଶ୍ରୀ କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ ଓ ଗିରିଜାକାନ୍ତ ମିଶ୍ର ତଥା ଭାଷାପ୍ରାଣ ବ୍ରହ୍ମାନନ୍ଦ ବେହେରା ଏବଂ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ପକ୍ଷରୁ ଉପଜିଲ୍ଲାପାଳ ସ୍ମାରକପତ୍ର ଗ୍ରହଣ କରିଛନ୍ତି ।

କଳାପତାକା ଅଭିଯାନରେ ଯୋଗଦେଇ ଭାଷା ବନ୍ଦନାରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ମାରକପତ୍ର ପ୍ରଦାନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜନନେତା ରବୀନ୍ଦ୍ର କୁମାର ବେହେରା, ବିଶିଷ୍ଟ ପରିବେଶବିତ୍ ଉଦୟନାଥ ଚୌଧୁରୀ, କାଜଲ୍ ଚୌଧୁରୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, ବସନ୍ତ କୁମାର ମଲ୍ଲିକ, ନିରଞ୍ଜନ ପରିଡ଼ା,ସଞ୍ଜୟ କୁମାର ମହାପାତ୍ର, ପ୍ରଭାତ ଦାସ,ସଞ୍ଜୟ କୁମାର ସାହୁ, ସଞ୍ଜୟ ରାଉତ ଓ ମୀର୍ ମୁର୍ସିଦ ପ୍ରମୁଖ । ଚିତ୍ରୋତ୍ତଳନ ଦାୟିତ୍ବ ନିର୍ବାହ କରିଛନ୍ତି ଆଶିଷ କୁମାର ବେହେରା ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁଷ୍ଠିତ ଏହି ଅଭୂତପୂର୍ବ ପ୍ରଦର୍ଶନର କେତେକ ଫଟୋଚିତ୍ର ପ୍ରଦାନ କରିଛନ୍ତି ଆଶିଷ କୁମାର ବେହେରା ।

ସ୍ମାରକପତ୍ର ଦିଆସରିବା ପରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ସମବେତ ଭାଷାପ୍ରେମୀମାନଙ୍କୁ ଆନ୍ଦୋଳନର ଗୁରୁତ୍ବ ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଜଗତସିଂହପୁରରେ କଳାପତାକାର ଲହର ଓ ଭାଷା ଆନ୍ଦୋଳନ ଜିଲ୍ଲା ଶାଖାର ସ୍ମାରକପତ୍ର ପ୍ରଦାନ

ବିଶେଷ ପ୍ରତିନିଧି

ନଭେମ୍ବର ମାସ ସରିବାର ପୂର୍ବ ଦିନଟି ଜଗତସିଂହପୁର ପାଇଁ ଅବିସ୍ମରଣୀୟ ହୋଇ ରହିବ ।

ଭାଷା ଆନ୍ଦୋଳନର ଜଗତସିଂହପୁର ଶାଖା ସେଦିନ ଜିଲ୍ଲାପାଳଙ୍କ ମାର୍ଫତରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମରଣ କରାଇ ଦେଇଛି କି, ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ରେ ଖଞ୍ଜା ହୋଇଥିବା ଧାରା ୪-କ ଓଡ଼ିଆ ଜାତିର ଭାଷା ଅଧିକାରକୁ ଖର୍ବ କରିଥିବାରୁ ତାକୁ ବିଲୁପ୍ତ କରାଯାଇ ଏବଂ ମୂଳ ଆଇନଟିକୁ ଅକ୍ଷୁର୍ଣ୍ଣ ରଖି, ସାନି ସଂଶୋଧନ ଦ୍ଵାରା ତାର ଉଲ୍ଲଙ୍ଘନକାରୀକୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା କରାଯିବା ପାଇଁ ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ପକ୍ଷରୁ ଗତ ୯.୧୧.୨୦୧୮ ତାରିଖରେ ତାଙ୍କୁ ଯେଉଁ ଚରମପତ୍ର ଦିଆଯାଇଛି ତଦନୁଯାୟୀ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ହେଉ ।

ଓଡ଼ିଆ ଭାଷାର ପ୍ରଥମ ମହାକବି ସାରଳା ଦାସ ଓ ଓଡ଼ିଆ ଜାତିକୁ ନିଜ ଭାଷାରେ ସରକାରୀ ସେବା ପାଇବା ଅଧିକାର ଦେଇ ଯେଉଁ ଆଇନ ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିଲା ତାର ପ୍ରଦାତା , ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୀଷୀ ନବକୃଷ୍ଣ ଚୌଧୁରୀ – ଉଭୟଙ୍କ ଏନ୍ତୁଡ଼ିଶାଳ ନିଜ ବକ୍ଷରେ ବହନ କରୁଥିବା ଜିଲ୍ଲା ହେଉଛି ଜଗତସିଂହପୁର । ସୁତରାଂ ଭାଷା-ଗାରିମାର ଏହି ସମୁଜ୍ଜ୍ଵଳ ଜିଲ୍ଲାରେ ଭାଷା ଜନନୀଙ୍କ ବିଜୟଵନା ଭାବେ ସମାଦୃତ କଳାପତାକାର ଲହର ଲାଭ କରିଥିଲା ଅଭୂତପୂର୍ବ ଜନାଦୃତି ।

ଭାଷା ଆନ୍ଦୋଳନର ଜିଲ୍ଲା ସଂଯୋଜକ କୃଷ୍ଣାନନ୍ଦ ସାହୁଙ୍କ ଆହ୍ବାନକ୍ରମେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଦେବୀ ପ୍ରସାଦ ଚୌଧୁରୀ ,ପ୍ରାଣକୃଷ୍ଣ ସେଠି ,ମାଧବେନ୍ଦ୍ର ଗୋଛାୟତ,ରମାକାନ୍ତ ଦାଶ, ପ୍ରଶାନ୍ତ କୁମାର ମଲ୍ଲିକ, ସୁନୀଲ କୁମାର ମାଟିଆ, କୃଷ୍ଣଚନ୍ଦ୍ର ପ୍ରଧାନ, ସରୋଜ କୁମାର ସାହୁ, ସଚିନ କୁମାର ବେଉରା,ସରୋଜ କୁମାର ଲେଙ୍କା, ବଂଶୀଧର ବେହେରା,ଅରୁଣ ମହାନ୍ତି, ସୁଦର୍ଶନ ବେହେରା,ପ୍ରଶାନ୍ତ କୁମାର ମହାପାତ୍ର, ବାନାମ୍ବର ମାଟିଆ, ସୌମ୍ୟ ସଂଜୀବ ଦାସ ପ୍ରମୁଖଙ୍କ ନେତୃତ୍ବରେ ନଭେମ୍ବର ୨୯, ଦିବା ୧୧ଟାରେ ଭାଷା ଆନ୍ଦୋଳନର କଳାପତାକା ସହ ଅଭିଯାତ୍ରୀମାନେ ନିମାଇଁ ଭବନଠାରୁ ଏକ ନିରବ ଶାନ୍ତିପୂର୍ଣ ପଟୁଆରରେ ଆସି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ ।

ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ, କେନ୍ଦ୍ରୀୟ ସଭାପତିମଣ୍ଡଳୀ ସଭ୍ୟ କମଳଲୋଚନ ନାୟକ, କେନ୍ଦ୍ରୀୟ ଅଭିଯାତ୍ରୀ ଶିଶିର କୁମାର ସାହୁ ଓ ଜିତେନ୍ କୁମାର ରାଉତ ଉପସ୍ଥିତ ଥିଲେ । ଆଶିଷ କୁମାର ବେହେରା ଉତ୍ତୋଳନ କରିଥିବା ଏହି ଐତିହାସିକ ଘଟଣାର କେତେକ ଫଟୋ ଚିତ୍ର ଏଥିର ସନ୍ନିହିତ ହେଲା ।

ଏଇଠି ସରୁ ନାହିଁ । ସରକାର ଯଦି ନିଜ ଭୁଲ ସଂଶୋଧନ ନ କରନ୍ତି ତେବେ ଗାଁ ଗାଁ ବ୍ୟାପି ଏ ଆନ୍ଦୋଳନ ଚାଲିବ ବୋଲି ସ୍ମାରକପତ୍ର ଦେଇ ସାରିବା ପରେ ଘୋଷଣା କରିଥିଲେ ଜନପ୍ରିୟ ଜନନେତା ବିପ୍ଳବ ଚୌଧୁରୀ ।