ରଞ୍ଜନଙ୍କ ହତ୍ୟାକାରୀ ଧରା ପଡ଼ିବାର ଆଶା ଅଙ୍କୁରୁଛି

ବିଶେଷ ସୂତ୍ରରୁ 

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିପରି ସୁପାରି ଦେଇଥିଲେ ତାହାର ସବିଶେଷ ତଥ୍ୟ ବାରମ୍ବାର ପ୍ରକାଶିତ ହୋଇଛି ନଭମଞ୍ଚରେ ଓ ‘ଦାନାର ତୋବଡ଼ା’ ଶୀର୍ଷକ ପୁସ୍ତକରେ । ମୁଖ୍ୟମନ୍ତ୍ରୀଙ୍କ ଏହି କୁତ୍ସିତ ଷଡ଼ଯନ୍ତ୍ର ବ୍ୟର୍ଥ ହୋଇଯାଇଥିଲା ଓଡ଼ିଶା ସୂଚନା ଅଧିକାର ଅଭିଯାନର ବିଶିଷ୍ଟ ଦିଗ୍ଗଜ ତଥା ଭାଷା ଆନ୍ଦୋଳନର କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ରଞ୍ଜନ କୁମାର ଦାସଙ୍କ ପ୍ରଚଣ୍ଡ ସାଙ୍ଗଠନିକ ବିକ୍ରମରେ । ସାଇକଲରେ ଭାଷାଜନନୀର ‘କଳାପତାକା’ ବାନ୍ଧି ସାରା ଓଡ଼ିଶା ପରିଭ୍ରମଣ କରି ସର୍ବତ୍ର ଭାଷା ଆଂଦୋଳନର ବାର୍ତ୍ତା ପହଞ୍ଚାଇବାକୁ ସେ ଯେଉଁଦିନ ବାହାରିବାର ଥିଲା, ତହିଁର ଚାରିଦିନ ପୂର୍ବରୁ ତାଙ୍କୁ ହତ୍ୟାକରାଯାଇଥିଲା । ସ୍ଥାନୀୟ ଲୋକେ ସନ୍ଦେହ କରୁଥିଲେ ଯେ, ସୂଚନା ଅଧିକାର ପ୍ରୟୋଗ କରି ସେ ବହୁ ଦୁର୍ନୀତି ଉପରୁ ପର୍ଦ୍ଦା ଅପସାରଣ କରିଥିବା ହେତୁ ତଦ୍ଦ୍ଵାରା ଅପଦସ୍ତ ହୋଇଥିବା ସେହି ଅଞ୍ଚଳର ମାଫିଆ ରାଜନେତା ତାଙ୍କୁ ହତ୍ୟା କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ବିସ୍ମୟଜନକ ଭାବେ ଉଦାସୀନ ରହିବା ଏହି ସନ୍ଦେହକୁ ଡୃଢ଼ତର କରିଥିଲା ।

ହତ୍ୟାକାରୀକୁ ଧରିବା ପାଇଁ ଓଡ଼ିଶା ସରକାର କୌଣସି ବିଶ୍ଵାସଯୋଗ୍ୟ ଉଦ୍ୟମ ନକରିବାରୁ ଅଞ୍ଜନଙ୍କ ବାପା ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏଥିପ୍ରତି ଗଭୀର ଦୃଷ୍ଟିପାତ କରି ‘କ୍ରାଇମ ବ୍ରାଞ୍ଚ’ ମାଧ୍ୟମରେ ସାନି ତଦନ୍ତ ପାଇଁ ହାଇକୋର୍ଟ ଗତକାଲି ଆଦେଶ ଦେଇଛନ୍ତି । ଫଳରେ ରଞ୍ଜନଙ୍କ ହତ୍ୟାକାରୀ ଧରା ପଡ଼ିବାର ନୂଆ ଆଶା ଅଙ୍କୁରିଛି । ସୂଚନା ଅଧିକାର ଅଭିଯାନ ଓ ଭାଷା ଆନ୍ଦୋଳନ ମାନ୍ୟବର ହାଇକୋର୍ଟଙ୍କ ଏହି ଆଦେଶକୁ ସ୍ଵାଗତ ଜଣାଇଛନ୍ତି ।

ଏ ଭିତରେ ରଞ୍ଜନଙ୍କ ବାପା ଓ ବୋଉ ଅତ୍ୟନ୍ତ ଅସହ୍ୟ ଦୁଃଖ ଭୋଗି ଭୋଗି ଆଖି ବୁଜିସାରିଛନ୍ତି । କହିବାକୁ ହେବ ଯେ, ରଞ୍ଜନଙ୍କ ହତ୍ୟାକାରୀ, କ୍ଷମତାସୀନ ରାଜନେତା ଓ ଓଡ଼ିଶା ପୋଲିସ ମିଳିମିଶି ରଞ୍ଜନଙ୍କ ଜନ୍ମଦାତ୍ରୀ, ଜନ୍ମଦାତାଙ୍କୁ ଦୁଃଖ ଜଳଧିରେ ବୁଡେଇ ବୁଡେଇ ମାରିଦେଇଛନ୍ତି ।

ଆଶା କରାଯାଉଛି, କ୍ରାଇମ ବ୍ରାଞ୍ଚ ନିଜକୁ କ୍ଷମତାସୀନଙ୍କ ଦ୍ଵାରା ପ୍ରଭାବିତ ହେବାକୁ ନଦେଇ ରଞ୍ଜନଙ୍କ ହତ୍ୟାକାରୀକୁ ଧରି ମା ଓଡ଼ିଶାକୁ , ଓଡ଼ିଆଭାଷାଜନନୀକୁ ଶାନ୍ତି ଦେବ ଏବଂ ଦୁଃଖରେ ପ୍ରାଣତ୍ୟାଗ କରିଥିବା ରଞ୍ଜନଙ୍କ ବାପା ଓ ବୋଉଙ୍କୁ ମରଣୋତ୍ତର ସାନ୍ତ୍ଵନା ପ୍ରଦାନ କରିବ ।

 

ଭାଷା ଆଇନରେ ଜାଲିଆତି: ଆତ୍ମରକ୍ଷା ପାଇଁ ନବୀନଙ୍କ ନୂଆ ଫନ୍ଦି

ସୁଭାଷ ଚନ୍ଦ୍ର ପଟ୍ଟନାୟକ 
ଭାଷାଆଇନରେ ଜାଲିଆତି କରି ଖସିଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଫନ୍ଦିର ଆଶ୍ରୟ ନେଇଛନ୍ତି । ତଦନୁଯାୟୀ, ସାତଦିନ ତଳେ ଡିସେମ୍ବର ୨୩ରେ ତାଙ୍କ ଗାଦି ଥିବା ଲୋକସେବାଭବନରେ “ଭାଷା ଆଇନ” ନାମକ ଏକ ପୁସ୍ତକ ଉନ୍ମୋଚିତ କରି ସେ ଓଡ଼ିଆ ଜାତିକୁ ପୁନଶ୍ଚ ବିଭ୍ରାନ୍ତ କରିବାକୁ  ଅପଚେଷ୍ଟା କରିଛନ୍ତି । 
 
ଏପରି ଜଣେ ବ୍ୟକ୍ତି ବହିଟିର ଲେଖକ ବନିଛନ୍ତି, ଯେ କି ସରକାରଙ୍କ ବୋଲରେ ଭାଷା ଆନ୍ଦୋଳନକୁ ଛୁରୀ ମାରିଥିଲେ ଓ ଯେଉଁମାନେ  କଳାପତାକା ଅଭିଯାନ ଚଳାଇରଖିଥିଲେ ସେମାନେ  ତାଙ୍କ ସ୍ତ୍ରୀ ଓ ଛୋଟଛୁଆର ବେକରେ ଖୋଜ ପକେଇ ସେମାନଙ୍କୁ ମାରିଦେବା କାମ କରୁଛନ୍ତି ବୋଲି ଆରୋପ କରି ଯା ଇଚ୍ଛା ତା  ଗାଳି ବର୍ଷଣ ସହ  ଧମକଚମକ ଦେଉଥିଲେ ।  
 
କବି ଗଜାନନ ମିଶ୍ର, ଯେ କି ୨୦୧୫ ଜୁଲାଇରେ ଓଡ଼ିଶା ରାଜ୍ୟଭାଷା ଆଇନର କାର୍ଯ୍ୟକାରିତା ପାଇଁ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପାଇବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଥିଲେ, ଏହାଙ୍କ ଏହି ଦୁର୍ବ୍ୟବହାରର ଶିକାର ହୋଇଥିଲେ ।  ସେ ଟିଟିଲାଗଡ଼ରୁ ଭୁବନେଶ୍ବର ଆସି କଳାପତାକା ଅଭିଯାନରେ  ସାମିଲ ହୋଇଥିଲେ ଓ ଫେରିବା ପୂର୍ବରୁ ଭାଷା ଆଂଦୋଳନର ସଭାପତି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଭାଷା ଆଇନ ସଂଶୋଧନରେ ଥିବା ତ୍ରୁଟି ଅବିଳମ୍ବେ ସୁଧାରିବାକୁ ଅନୁରୋଧ କରିଥିଲେ । ଏହା ଅବଗତ ହୋଇ ପବିତ୍ର ତାଙ୍କୁ ଭୟଙ୍କର ଗାଳିଗୁଲଜ କରିଥିଲେ ଓ ସେ ତାଙ୍କ ପିଲାଛୁଆଙ୍କୁ କାହିଁକି ମାରୁଛନ୍ତି ବୋଲି ପଚାରିଥିଲେ । ଗଜାନନବାବୁ ଯେତେ ମନାକଲେ ବି ତାଙ୍କ ଗାଳି ଅଟକୁ ନଥିଲା ।  ଏଥିରେ ମର୍ମାହତ ହୋଇ ସାମାଜିକ ଗଣମାଧ୍ୟମ ‘ଫେସବୁକ’ରେ ୧୧.୧୧.୨୦୧୮ତାରିଖରେ ଗଜାନନବାବୁ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରଟି ସଲଗ୍ନ କରି ଯାହା ଲେଖିଥିଲେ ତାହା ନିମ୍ନରେ ଉଦ୍ଧୃତ ହେଲା:
 
“ପ୍ରିୟ ଓଡ଼ିଶାର ଜନସାଧାରଣ, ଦୟାକରି ତଳ ଚିଠିଟିକୁ ପଢନ୍ତୁ , ପଢିବା ହୁଅନ୍ତୁ । ଏହାକୁ କେମିତି କେଉଁ ସୂତ୍ରରୁ ଜାଣିଲା ପରେ ମାନ୍ୟବର ପବିତ୍ର ମହାରଥା ମୋତେ ଏବେ ଦୁଇ ମିନିଟ ପୂର୍ବରୁ ଫୋନରେ ଯାଚ୍ଛାତାଗାଳି କରି କହିଲେ ଯେ, “ମୋ ଛୁଆପିଲାଙ୍କୁ କିଆଁ ମାରୁଛନ୍ତି?” ମୁଁ ବୁଝିପାରିଲି ନାହିଁ । ଓଡ଼ିଶାର ସରକାରୀ ଭାଷା ଓଡ଼ିଆଭାଷାର ବ୍ୟବହାର ଉପରେ ଏ ଚିଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି , ଏଠି ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ଛୁଆପିଲାଙ୍କୁ ମାରିବା କଥା ଆସୁଛି କୁଆଡୁ ? ତେଣୁ ମୁଁ ତାଙ୍କୁ ଯେତେ ପଚାରିଲି, ସେ କହୁଛନ୍ତି “ନାଇଁ ନାଇଁ ଆପଣ ମାରୁଛନ୍ତି ।” କେମିତି କ’ଣ ମୋ ବୁଝିବା ବାହାରେ । କାହିଁକି, କ’ଣ ପାଇଁ ଭାଷା ପାଇଁ ଲଢେଇ କଲେ ଜଣଙ୍କର ଛୁଆପିଲା ମରିବେ ଏହା ଅନୁସନ୍ଧାନ ସାପେକ୍ଷ । ବରଂ ମା ଭାଷା ରହିଲେ ପରିଚିତି ରହିବ । ଏକତା ବଢିବ । ଆଇନ ଓ ସମ୍ବିଧାନ ସମ୍ମତ ହେବ ।  ପବିତ୍ର ମହାରଥାଙ୍କଆରୋପ କରିବାର ରହସ୍ୟ ଯଦି କାହାକୁ ଜଣା ଦୟା କରି କୁହନ୍ତୁ । ମୁଁ ତାଙ୍କ ଛୁଆପିଲାଙ୍କୁ ବହୁତ ସମ୍ମାନ କରେ, କରୁଥିବୀ ବି । ଭାଷା ଆନ୍ଦୋଳନ ସହିତ ତାଙ୍କ ଛୁଆପିଲାଙ୍କ ସମ୍ପର୍କ କ’ଣ ଜାଣିନି । ଯୋଉ ଯୋଉମାନେ ଭାଷା ଆନ୍ଦୋଳନ କରୁଛନ୍ତି ସମସ୍ତଙ୍କୁ ପବିତ୍ର ମହାରଥା ଗାଳି କରୁଥିବାର ଖବର ବି ପାଇଲିଣି ଇତି ମଧ୍ୟରେ । ଏହା କିଆଁ କରୁଛନ୍ତି ସେ?” 
ଏଥିରୁ ସାବ୍ୟସ୍ତ ହୋଇଯାଇଛି ଯେ, ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା କଳାପତାକା ଅଭିଯାନକୁ ଛୁରି ମାରି, ଅଭିଯାତ୍ରୀମାନଙ୍କୁ ଧମକ ଦେଇ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବା କାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହାରଥାଙ୍କୁ କାମରେ ଲଗାକଥିଲେ । ତା ନହେଲେ, ଭାଷା ତପସ୍ଵୀ ଗଜାନନ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠି ଏଙ୍କ ହାତକୁ କିପରି ଆସିଥାନ୍ତା? ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସୁପାରି ଦେଇଥିଲେ ତାହାର ସବିଶେଷ  ବିବରଣୀ ‘ଦାନାର ତୋବଡ଼ା’ ବହିରେ ମୁଁ ପ୍ରକାଶ କରିଛି, ଏଙ୍କ ସମେତ ଏଙ୍କ ସହଯୋଗୀ ବିଶ୍ଵାସଘାତକ କିମ୍ବା ମୁଖ୍ୟମନ୍ତ୍ରୀ ଏଯାଏଁ ଖଣ୍ଡନ କରିନାହାନ୍ତି ।    
 
ଭାଷା ଆନ୍ଦୋଳନ ପ୍ରତିଷ୍ଠା କରି ତହିଁର କର୍ମ ସମ୍ପାଦନ ପାଇଁ ସେତେବେଳେ ମୋର ଅତ୍ୟନ୍ତ ଅନୁଗତ ଥିବା ଏହି ପବିତ୍ର ମହାରଥାଙ୍କୁ ଆବାହକ ଭାବେ ଓ ପ୍ରଦ୍ୟୂମ୍ନ ଶତପଥୀଙ୍କୁ କଳାପତାକା ଅଭିଯାନର କମାଣ୍ଡର ଭାବେ ମୁଁ  ନିଯୁକ୍ତ କରିଥିଲି । ପ୍ରାୟ ମାସକ ପରେ ଶତପଥୀଙ୍କୁ ଆଂଦୋଳନର ସଭାପତି ପଦରେ ସ୍ଥାପିତ କରିଥିଲି । ଏହି ଉଭୟେ ଅର୍ଥଲୋଭର ବଶବର୍ତ୍ତୀ ହୋଇ କିପରି ଭାଷା ଆନ୍ଦୋଳନକୁ ଛୁରୀ ମାରିଲେ ତାହା ଏହି ନଭମଞ୍ଚରେ କ୍ରମାଗତ ପ୍ରକାଶିତ ହୋଇ  ପରିଶେଷରେ ମୋର ଉପରୋକ୍ତ  ପ୍ରାମାଣିକ ପୁସ୍ତକରେ ସନ୍ନିହିତ  ହୋଇଛି । 
 
ଭାଷା ଆନ୍ଦୋଳନକୁ ଆଗେଇ ନେବା ପାଇଁ ମୁଁ ଉପରୋକ୍ତ ଦୁଇ ବ୍ୟକ୍ତିଙ୍କୁ ଆବାହକ ଓ ସଭାପତି ଭାବେ ଦୟିତ୍ଵ ଦେଇଥିଲି ଏଇଥିପାଇଁ ଯେ, ଓଡ଼ିଶା ଷ୍ଟିଭେଡ଼ର୍ସର ଲୋକସମ୍ପର୍କ କର୍ମୀ ଭାବେ ପବିତ୍ର ସମ୍ବାଦପତ୍ରମାନଙ୍କ ସହ ପରିଚିତ ଥିବା ହେତୁ କଳାପତାକା ଅଭିଯାନର ଖବର ପ୍ରତିଦିନ ଖବରକାଗଜମାନଙ୍କୁ ପଠାଇ ତହିଁର ପ୍ରକାଶନରେ ସାହାଯ୍ୟ କରିବେ ଓ  କଳାପତାକା ତୋଳିବାକୁ ଚାରିଜଣ ବନ୍ଧୁଙ୍କୁ ପ୍ରଦ୍ୟୁମ୍ନ ତାଙ୍କ ପ୍ରତିଶ୍ରୁତି ମୁତବକ  ପ୍ରତିଦିନ ଏକାଠି କରିବେ । ଫଳରେ ମୁଁ ସରକାରଙ୍କ ସହ ବୌଦ୍ଧିକ ସଂଘର୍ଷ ଚଳାଇବା ପାଇଁ ନିରଙ୍କୁଶ ସମୟ ପାଇବି । 
 
ଅର୍ଥଲୋଭ ହେତୁ ମୁଖ୍ୟମନ୍ତ୍ରୀଙ୍କ ଥୋପ ଗିଳିଲା ପର୍ଯ୍ୟନ୍ତ ଏହି ଉଭୟେ ନିଷ୍ଠାର ସହ ନିଜ ନିଜ ଦାୟିତ୍ଵ ତୁଲାଉଥିଲେ । ମୁଁ ଏହି ଉଭୟଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲି । 
 
ମୁଖ୍ୟମନ୍ତ୍ରୀ ବିଚାରିଲେ କି, ଏହି ଦୁଇଜଣଙ୍କୁ ଯଦି କିଣି ନିଆଯାଏ, ତେବେ କଳାପତାକା  ଅଭିଯାନ ବନ୍ଦ ହୋଇଯିବ । 
 
କିନ୍ତୁ କଳାପତାକା ଅଭିଯାନ ବନ୍ଦ ହେଲାନାହିଁ , ଅଧିକ ଶକ୍ତିଶାଳୀ ହେଲା । 
 

କେନ୍ଦ୍ରାପଡ଼ାର ଭାଷାପ୍ରାଣ ରଂଜନ କୁମାର ଦାସ ଏବଂ ତାଙ୍କ ସାଥୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି  ୧୭.୮.୨୦୧୮ ତାରିଖରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମପୁରରୁ କଳାପତାକା ସହ ଭୁବନେଶ୍ଵରରେ ପହଞ୍ଚି ଘୋଷଣା କଲେ ଯେ, ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଫନ୍ଦି ସତ୍ତ୍ୱେ ଓଡ଼ିଶାର ଲୋକେ  କଳାପତାକା ଅଭିଯାନ ସହ ଅଛନ୍ତି  ।

ମୁଖ୍ୟମନ୍ତ୍ରୀଙ୍କ ସୁପରିଖିଆ ଲୋକେ କଳାପତାକା ଅଭିଯାନକୁ  ଅଟକାଇବା ଅସମ୍ଭବ ଥିଲା ବେଳେ ୪.୯.୨୦୧୮ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଲା । ତହିଁ ପରଦିନ ଖୋର୍ଦ୍ଧାରୁ କଳାପତାକା ଧରି ମାତୃଭାଷାର ବିଜୟବାହିନୀର ବିଶିଷ୍ଟ ସଦସ୍ୟ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ , ଡକ୍ଟର ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା,ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରଶ୍ନଜିତ ରାୟ ପ୍ରମୁଖ ଭାଷା ଆନ୍ଦୋଳନର ରାଜ୍ୟ ଉପସଭାପତି କମଳ ଲୋଚନ ନାୟକ ଓ ଜିଲ୍ଲା ସଭାପତି ବିଭୁଦେନ୍ଦ୍ର ବିଦ୍ୟାଧରଙ୍କ ନେତୃତ୍ଵରେ ଭୀଷଣ ବର୍ଷାକୁ ବେଖାତିର କରି ଚାଲିଚାଲି ଭୁବନେଶ୍ୱର ଆସି ନିଜ ଭାଷାଜନନୀ ପାଇଁ ଓଡ଼ିଆ ଜାତି କିପରି ଜାଗିଉଠିଲାଣି ତାହାର ଏକ ଝଲକ ଦେଲେ ଯେଉଁଥିରେ ଝଳି ଉଠିଥିଲା ଭାଷା ଆନ୍ଦୋଳନର ଦାବି : ସରକାରୀ ଷଡଯନ୍ତ୍ର ବନ୍ଦ ହେଉ , ଭାଷା ଆଇନର ନିର୍ଭୁଲ ସଂଶୋଧନ ହେଉ ।

ସୁପାରିଖିଆ ଲୋକେ ଭାଷା ଆନ୍ଦୋଳନକୁ ଭାଙ୍ଗିପାରୁନାହାନ୍ତି ଦେଖି ମୁଖ୍ୟମନ୍ତ୍ରୀଙ୍କ ଶିବିରରେ ଭାଳେଣି ପଡ଼ିଯାଇଥିଲା ।  

ବିଧାନସଭାରେ ଯଦି ଏହି ପ୍ରସଙ୍ଗ ଉଠେ, କ’ଣ ଉତ୍ତର ଦେବେ ବୋଲି ଚିନ୍ତା କରିନପାରି, ୧.୫.୨୦୧୮ରେ ହୋଇଥିବା ଭାଷା ଆଇନ ସଂଶୋଧନକୁ ପୁନଃ ସଂଶୋଧିତ କରି  ୧୯.୯.୨୦୧୮ ତାରିଖରେ ୨୦୧୮ର ୨ୟ ସଂଶୋଧନ ବିଧାନସଭାରେ ପାରିତ କରାଇଲେ ନବୀନ ପଟ୍ଟନାୟକ ।

ସେ ଏତେ ଅତର୍ଚ୍ଛି ଯାଇଥିଲେ ଯେ, ତାଙ୍କ ବାପା ବିଜୁ ପଟ୍ଟନାୟକ ୧୯୬୩ରେ ଭାଷା ଆଇନର ପ୍ରଥମ ସଂଶୋଧନ କରି ଇଂରାଜୀ ଭାଷାକୁ ସରକାରୀ ଭାଷା କରାଗଲା ବୋଲି ଯେଉଁ ବ୍ୟବସ୍ଥା କରାଇଥିଲେ, ତାହାକୁ ଲୋପ କରିବା ପାଇଁ ମୁଁ ରଖିଥିବା ଦାବି ଅନୁଯାୟୀ ଏହି ୨ୟ ସଂଶୋଧନରେ କାର୍ଯ୍ୟାଳୟ ଭାଷା କହିଲେ କେବଳ ଓଡ଼ିଆ ଭାଷାକୁ ବୁଝାଇବ ବୋଲି ସ୍ପଷ୍ଟୀକରଣ-ବ୍ୟବସ୍ଥା ଖଞ୍ଜିବାକୁ ବାଧ୍ୟ ହୋଇଥିଲେ ଏହି ସଂଶୋଧନରେ  । ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆବିଦ୍ଵେଷୀ ନାଟକ ବୋଲି ଆକ୍ଷେପ କରି ମୁଁ ବିଧାନସଭା ପ୍ରେସଗ୍ୟାଲେରୀ ପିଣ୍ଡାରେ ହିଁ ଉପସ୍ଥିତ ସମ୍ବାଦିକମାନଙ୍କୁ ଏହି ସଂଶୋଧନ ଭାଷା ଆନ୍ଦୋଳନ ପାଇଁ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲି । କାରଣ: (୧) ଧାରା ୩(କ) କାର୍ଯ୍ୟାଳୟ ଭାଷା ଭାବେ ଇଂରାଜୀକୁ କେନ୍ଦ୍ରକରି ଦ୍ଵନ୍ଦ୍ଵ ସୃଷ୍ଟିକରୁଥିବା ସରକାର ସ୍ଵୀକାର କରିଥିଲେ ମଧ୍ୟ ତାହାକୁ ଲୋପ କରିନଥିଲେ  ଓ (୨) ଧାରା ୪ (କ) ଜାଲିଆତିପ୍ରସୂତ ହୋଇଥିବା କାରଣରୁ ଅବୈଧ ବୋଲି ଜାଣି ମଧ୍ୟ ତାହାକୁ ଲୋପ କରିବା ପରିବର୍ତ୍ତେ ସେହି ଅବୈଧ ଧାରାକୁ ଏହି ସାନି ସଂଶୋଧନ ମାଧ୍ୟମରେ ବୈଧ କରାଇବାକୁ ଚେଷ୍ଟା କରିଥିଲେ  । ଗଣମାଧ୍ୟମରେ ଥିବା ନବୀନବାବୁଙ୍କ ପୋଷାମାନା ସାମ୍ବାଦିକମାନେ ଅବିଳମ୍ବେ ଏହା ତାଙ୍କୁ ଅବଗତ କରାଇଲେ ।  ସେହି ରାତିରେ ମୁଖ୍ୟମନ୍ତ୍ରୀଙ୍କ ମହଲା (ତୃତୀୟ ମହଲା) ସିଦ୍ଧାନ୍ତ କଲା,  ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ସୁପାରି ନେଇଥିବା ଲୋକଙ୍କୁ କୁହାଯିବ, ଆଇନର ନିର୍ଭୁଲ ସଂଶୋଧନ ହୋଇଥିବା ହେତୁ ଭାଷା ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି ବୋଲି ସେମାନେ ଲେଖିକରି ଜଣାଇବେ  ଏବଂ ତାହାର ନକଲ ପୋଲିସକୁ ଦେବେ । ତାହା ପାଇ ପୋଲିସ ତୁରନ୍ତ ହସ୍ତକ୍ଷେପ କରି କଳାପତାକା ଅଭିଯାନକୁ ଅନଧିକୃତ କହି ଭଙ୍ଗିବ । ପ୍ରଦ୍ୟୁମ୍ନ ଓ ପବିତ୍ର ଏଥିରେ ରାଜିହେଲେ । ରାଜି ନହେବା ଭିନ୍ନ ସେମାନଙ୍କ ପାଇଁ କି ଉପାୟ ବା ଥିଲା ?

ମୁଖ୍ୟ ଶାସନ ସଚିବଙ୍କୁ ସମ୍ବୋଧିତ କରି ସେମାନେ ଲେଖିଲେ: 

ବିଷୟ : ଭାଷା ଆନ୍ଦୋଳନ ଓଡ଼ିଶାର ଚିଠି ନମ୍ବର 001 /2016 ଚରମପତ୍ର ମାଧ୍ୟମରେ ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ପାଇଁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ 

ମହାଶୟ

ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ ଚାଲିବା ପାଇଁ ଦୀର୍ଘ 878 ଦିନର ଆନ୍ଦୋଳନ ଯୋଗୁ ସରକାର ଗତ ବିଧାନସଭା ଅଧିବେଶନ ତା 19/09/2018 ରିଖରେ ସଂପୂର୍ଣ୍ଣ ସଂଶୋଧିତ ଭାଷା ଆଇନ 2018 ପାରିତ କରିଛନ୍ତି । ତେଣୁ ଓଡ଼ିଶା ସରକାରଙ୍କୁ ତଥା ଓଡ଼ିଶାର ପ୍ରଥିତଯଶା ଓଡ଼ିଆ ପ୍ରାଣ ଭାଷା ଯୋଦ୍ଧାଙ୍କୁ ଶ୍ରେୟାର୍ପଣ କରି ଭାଷା ଆଇନ ପ୍ରଣେତା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖ (ବିଧାନସଭା ସମ୍ମୁଖସ୍ଥ) ରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି (ରାଜଭବନ ସମ୍ମୁଖସ୍ଥ) ପର୍ଯ୍ୟନ୍ତ ତା 13/04/2016 ଠାରୁ 01/05/2018 (କଳାପତାକା ଅଭିଯାନ)  ଏବଂ 19/09/2018 ପର୍ଯ୍ୟନ୍ତ ଭାଷା ଆନ୍ଦୋଳନ, ଏପରିକି ସାରା ରାଜ୍ୟରେ ଭାଷା ଆଂଦୋଳନର ଓଡ଼ିଶାର ଚାଲୁଥିବା କଳାପତାକା ଅଭିଯାନକୁ ଭାଷା ଆନ୍ଦୋଳନ, ଓଡ଼ିଶା ସେହିଦିନଠାରୁ ପ୍ରତ୍ୟାହାର କରିଅଛି । 

ଏହି ଅବସରରେ ରାଜ୍ୟସରକାର, ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ, ସମସ୍ତ ବିଧାୟକ ତଥା ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ । ଏହା ରାଜ୍ୟର ସାଢେ 4 କୋଟି ଓଡ଼ିଆଙ୍କର ନୈତିକ ବିଜୟ , ଆଗାମୀ ଦିନରେ ପାରିତ ହୋଇଥିବା ଭାଷା ଆଇନଟିକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ନିଯମାବଳୀ ପ୍ରଣୟନ ତଥା କାର୍ଯ୍ୟକାରୀ କାରୀ ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଭାଜନ ହୁଅନ୍ତୁ । 

ବନ୍ଦେ ଉତ୍କଳ ଜନନୀ । 

xxxxxxxxx 

କପି ସଲଗ୍ନ କରାଗଲା – ଡେପୁଟି କମିଶନର ପୋଲିସ, ଭୁବନେଶ୍ବର  

ଚିଠିଟିର ଫଟୋ ପାର୍ଶ୍ଵରେ ଅଛି । ଏହି ଚିଠିକୁ ଧରି ୨୪ .୯.୨୦୧୮ ସନ୍ଧ୍ୟାରେ କଳାପତାକା ଅଭିଯାନର ଯାତ୍ରାରମ୍ଭ ସ୍ଥଳକୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସଦଳବଳେ ଆସି ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଥିବା ହେତୁ ଆମ୍ଭଙ୍କୁ ଆଗକୁ ଯିବାରେ ବାଧା ଦେଇଥିଲେ । ଚିଠିଟି ଯେହେତୁ ମୁଖ୍ୟ ଶାସନ ସଚିବଙ୍କୁ ସମ୍ବୋଧିତ , ସେ କିଛି ଆଦେଶ ଦେଇଛନ୍ତି କି ବୋଲି ମୁଁ ତାଙ୍କୁ ପଚାରିଲି । ସେ ମନା କଲେ  । ମୁଁ କହିଲି – ତାଙ୍କଠୁ ଆଦେଶ ଆସୁ, ତାହା ସାଙ୍ଗରେ ଆଣି ଆସିବେ ।” ସେ କହିଲେ , “ସାର୍, ଆମକୁ ବି ସେ ଏହାର ନକଲ ଦେଇଛନ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ।” ମୁଁ କହିଲି, “ଯେଉଁଟି  ଆପଣ ମୋତେ ଦେଖାଇଲେ, ତାହା ପଢିଛନ୍ତି? ତାହା କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ଦିଆଯାଇଥିବା କେଉଁଠି ଲେଖା ଅଛି?” ସେ ଚିଠିଟିକୁ ଏମୁଣ୍ଡୁ ସେମୁଣ୍ଡ ସମ୍ଭବତଃ ପୁନରାୟ ପଢିଲେ ଓ କହିଲେ, “ନା, ସେପରି କିଛି ନାହିଁ ।”  ମୋର ଗୋଟିଏ ଓଡ଼ିଆ ବଖାଣି ମନେ ପଡ଼ିଲା ।  ମୁଁ କହିଲି, “ବାଳ ପୋଡ଼ିଗଲେ ଅଙ୍ଗାର ନୁହେଁ କି ପାଉଁଶ ନୁହେଁ  – ଏହା ତ ଆପଣ ଜାଣିଥିବେ ।” ସେ ଜାଣିଥିବା କହିଲେ । ମୁଁ କହିଲି – “ଏ ଚିଠିଟା ଗୋଟାଏ ବାଳଠାରୁ ବି ନାକରା । ଏହାର କୌଣସି ଗୁରୁତ୍ଵ ନାହିଁ ।” ସେ ନୀରବ ରହିଲେ । ମୁଁ ପଚାରିଲି, “ଭାରତୀୟ ଦଣ୍ଡ ସଂହିତାରେ ମିଥ୍ୟା ବୟାନ (false statement) ଦଣ୍ଡନୀୟ ତ ?”  ସେ ହଁ କଲେ । ମୁଁ କହିଲି, ଏହାର ଏକ ନକଲ ମୋତେ ଦିଅନ୍ତୁ । ଜଣେ ଅନଧିକୃତ ବ୍ୟକ୍ତି ଭାଷା ଆଂଦୋଳନର ପ୍ୟାଡ଼ ବ୍ୟବହାର କରି ଏପରି ଏକ ମିଥ୍ୟା ବୟାନ ଦେଇଥିବା ହେତୁ ତା ବିରୁଦ୍ଧରେ ମୁଁ ପୋଲିସରେ ଏକ ଏତଲା ଦେବି ; କା’ଣ ହୋଇପାରିବ ଦେଖିବା ।” 

“ସାର୍ ଆପଣ ଚାଲନ୍ତୁ” ବୋଲି କହି ସେ ଆମକୁ ବାଟ ଛାଡିଲେ ଓ ସଦଳବଲେ ଯେପରି ଆସିଥିଲେ ସେପରି ଫେରିଗଲେ । ତା ପରଠାରୁ କଳାପତାକା ଅଭିଯାନରେ କେହି ବି ହସ୍ତକ୍ଷେପ କରିନାହାନ୍ତି , କରିବାକୁ ସାହସ କରିନାହାନ୍ତି ; କାରଣ ଆମେ କୌଣସି ବେଆଇନ କରିନାହୁଁ । 

ତେବେ ହଠାତ୍ ଏ ବହି ଉନ୍ମୋଚନ ନାଟକ କାହିଁକି ? 

ଭାଷା ଆଇନ ସଂଶୋଧନ ପ୍ରକ୍ରିୟାରେ ଜାଲିଆତି ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷାକୁ ମରଣଆଘାତ ଦେଇଥିବାର ଯେଉଁ ଅକାଟ୍ୟ ପ୍ରମାଣ ମୁଁ ପ୍ରଦାନ କରିଛି ତାହା ଖଣ୍ଡନ କରିବାର ସାମର୍ଥ୍ୟ ତାଙ୍କର ନାହିଁ  ।  ତାଙ୍କ ବିଧାୟକୀୟ ଅସଦାଚରଣ (legislative misconduct) ମୁଁ ବିଧାନସଭା ଓ ରାଜ୍ୟପାଳଙ୍କୁ ତଥା ରାଜ୍ୟବାସୀଙ୍କୁ ଅବଗତ କରାଇଛି । ମୁଁ ରାଜ୍ୟପାଳଙ୍କୁ ଲେଖିଛି ଯେ, ଜାଲିଆତି ପ୍ରୟୋଗ କରି ଭାଷା ଆଇନର ତିନି ତିନି ଥର ଅପସଂଶୋଧନ କରାଯାଇଥିବା ହେତୁ ଓ ବିଧି ସଚିବ ତଥା ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କ ଦ୍ଵାରା ମିଥ୍ୟା ପ୍ରମାଣପତ୍ର ତିଆରି କରାଯାଇ ରାଜ୍ୟପାଳଙ୍କୁ ସେହି ଶଠତାପ୍ରସୂତ ବିଧାନ (fraudulent legislation) ପ୍ରତି  ମଞ୍ଜୁରୀ (assent) ପ୍ରଦାନ କରିବାକୁ ବାଧ୍ୟ କରାଯାଇଥିବା ହେତୁ,  ସେ ଦେଇଥିବା ସାର୍ବଭୌମ ମଞ୍ଜୁରୀ ପ୍ରତ୍ୟାହାର କରିନିଅନ୍ତୁ ଓ ଏହି ଆବିଷ୍କୃତ ଅସଦାଚରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରୁ ପ୍ରସନ୍ନତା (pleasure) ପ୍ରତ୍ୟାହାର କରନ୍ତୁ । ନବୀନବାବୁଙ୍କ ଅଧୀନସ୍ଥ କର୍ମଚାରୀମାନେ ରାଜଭବନରେ ମୁତୟନ ଥିବା ହେତୁ ଓ ରାଜ୍ୟପାଳ ସେମାନଙ୍କ ଉପରେ ନିର୍ଭରଶୀଳ ଥିବା ହେତୁ ଏଯାଏଁ ଅବଶ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ଉପରୁ ନିଜ ପ୍ରସନ୍ନତା ପ୍ରତ୍ୟାହାର କରିନାହାନ୍ତି । ମାତ୍ର ଓଡ଼ିଶାର ଜନସାଧାରଣଙ୍କ ଇଜଲାସରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜାଲିଆତିର ଯେଉଁ ଅଭିଯୋଗ ଏହି ପ୍ରାମାଣିକ ପୁସ୍ତକ ମାଧ୍ୟମରେ ମୁଁ ରଖିଛି, ତାହାର ତୀବ୍ରତା ଅଧିକରୁ ଅଧିକ ତୀକ୍ଷ୍ନ ହେବାରେ ଲାଗିଛି; ଅଧିକରୁ ଅଧିକ ସୁଶିକ୍ଷିତ ଭାଷାପ୍ରେମୀ ଓଡ଼ିଆ ତା ଉପରେ ଆଲୋଚନା କରୁଛନ୍ତି । ଜାଲିଆତିପ୍ରସୂତ ବିଧାନ ସହ ନିଜ ସଂଯୋଗ ଛିନ୍ନ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଥିବା ସତ୍ତ୍ୱେ ସେ ଉଦାସୀନ ରହିଥିବା  କଥା ଜନସାଧାରଣଙ୍କୁ ଅବଗତ କରାଯାଇଛି ଓ  ଏହି ଜାଲିଆତି ପ୍ରତି ଅନୁରକ୍ତ ହୋଇ ନରହିବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରାଯାଇଛି । 

ଓଡ଼ିଶାର ଜନସାଧାରଣ ଓଡ଼ିଆ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଷଡଯନ୍ତ୍ରକୁ ଅଧିକରୁ ଅଧିକ ସଂଖ୍ୟାରେ ନିନ୍ଦା କରିବାରେ ଲାଗିଛନ୍ତି ସାମାଜିକ ଗଣମାଧ୍ୟମରେ, ମୁଦ୍ରିତ ଖବରକାଗଜ ପୃଷ୍ଠାରେ, ସଭାସମିତିରେ, ଓଡ଼ିଶାରେ ସର୍ବତ୍ର । 

ତେଣୁ, ଭାଷା ଆଇନ ସଂଶୋଧନରେ କୌଣସି ଜାଲିଆତି ହୋଇନି ଓ ତାଙ୍କ ହେତୁ ତାହା ନିର୍ଭୁଲ ହୋଇଛି ବୋଲି ପ୍ରଚାର କରିବା ପାଇଁ ସେ  ତାଙ୍କ ପୁରୁଣା ପ୍ରଚାରକଙ୍କୁ ପ୍ରୟୋଗ କରି ଏହି ନୂଆ ଫନ୍ଦି ଆପଣାଇଥିବା ଅନୁଭୂତ ହେଉଛି । 

 

ଭାଷା ଆଇନରେ ଜାଲିଆତି: ପ୍ରାମାଣିକ ପୁସ୍ତକ ‘ଭର୍ତ୍ସନୀୟ ବିଧାନସଭା’ ଲୋକାର୍ପିତ

ନ୍ଯୁଜ ସିଣ୍ଡିକେଟ୍

ଓଡ଼ିଶା ରାଜ୍ଯଭାଷା ଆଇନ, ୧୯୫୪ (The Orissa Official Language Act, 1954)କୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ତହିଁରେ  ଅପସଂଶୋଧନ କରି ତାକୁ ଅକର୍ମଣ୍ୟ କରିଦିଆଯାଇଛି ଓ ଏହା କରିବା ପାଇଁ ବିଧାନ ପ୍ରଣଯନ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଲିଆତି ପ୍ରୟୋଗ କରିଛନ୍ତି । ଏହାର ପ୍ରାମାଣିକ ପୁସ୍ତକ – ‘ଭର୍ତ୍ସନୀୟ ବିଧାନସଭା – ଜୁଲାଇ ୧୭ ସନ୍ଧ୍ୟା ୭ଟାରେ ଲୋକାର୍ପିତ କରିଛନ୍ତି ପୁସ୍ତକର ଲେଖକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ଫେସବୁକ୍ ମଞ୍ଚରେ ସିଧା ପ୍ରସାରଣ ଶୈଳୀରେ । 

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ  ୧୯୫୪ରୁ ଆଇନ ଥିଲେ ମଧ୍ୟ ଇଂରାଜୀମାନସ୍କ୍କ ଲୋକେ କ୍ଷମତାରେ ରହି ଅତି ଅବୈଧ ଭାବେ ଇଂରାଜୀକୁ ହିଁ  କାର୍ଯ୍ୟାଳୟର ଭାଷା ବନାଇରଖିଛନ୍ତି ଓଡ଼ିଶାରେ ।  ଏହି ଆଇନର ଆଜନ୍ମ ଦୁର୍ବଳତା ଦୂରକରି ଏହାକୁ ଅଲଙ୍ଘ୍ଯ କରିବା ପାଇଁ ଏଥିପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଶ୍ରୀ ପଟ୍ଟନାୟକ ୨୦୧୫ରେ ଆବଶ୍ୟକୀୟ ଆଇନ ସଂଶୋଧନର ପ୍ରସ୍ତାବ ଦେଇଥିଲେ । ଯେହେତୁ ସେହି ପ୍ରସ୍ତାବରେ ଆଇନ ଉଲଙ୍ଘନକାରୀକୁ ଦଣ୍ଡବିଧାନ ଅନ୍ତର୍ଭୁକ୍ତ ଥିଲା, ସେହେତୁ ତାହାକୁ ଆଲିଆଗଡକୁ ଫିଙ୍ଗିଦେଇଥିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀସ୍ତରୀୟ କମିଟିକୁ ପବନରେ ଉଡାଇ ଦେଇଥିଲେ । ଏହାର ପ୍ରତିବାଦରେ ଶ୍ରୀ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ ଭାଷା ଆନ୍ଦୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ଷଡଯନ୍ତ୍ର ସମ୍ପର୍କରେ ଜନାବଗତି ତଥା ଜନସାଧାରଣଙ୍କ ଭାଷା ଅଧିକାର ପ୍ରାପ୍ତି ପାଇଁ ଜନଜାଗୃତି ଉଦ୍ଦେଶ୍ୟରେ ତାଙ୍କ ଉଦ୍ଭାବିତ ‘ନୀରବ କଳାପତାକା ଅଭିଯାନ’ ଆଂଦୋଳନର କ୍ରିୟାତ୍ମକ ଅବେଗରେ ଆଗେଇଚାଲିଲା । 

ଏହି ଅଭିଯାନ ପ୍ରଭାବରୁ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଆଇନ ସଂଶୋଧନର କୁଝ୍ହଟିକା ତିଆରି କରି ଆଇନଟିର ଅପସଂଶୋଧନ କରିଛନ୍ତି ଓ ଏଥିପାଇଁ ବିଧାନ ପ୍ରଣୟକ ପ୍ରକ୍ରିୟାରେ ଜାଲିଆତି ପ୍ରୟୋଗ କରିଛନ୍ତି । 

ପୁସ୍ତକଟିକୁ ଲୋକାର୍ପିତ କରି ଶ୍ରୀ ପଟ୍ଟନାୟକ ଏଥିର  ସୂଚନା ଦେଇ  କହିଥିଲେ ଯେ, ତାଙ୍କ ପ୍ରସ୍ତାବ ଅନୁରୂପେ ଆଇନ ବିଭାଗ ଆଇନତଃ ପ୍ରସ୍ତୁତ କରିଥିବା  ଚିଠା ସଂଶୋଧନ-ବିଧେୟକକୁ ନଥିରୁ ଗାୟେବ କରି ତା ସ୍ଥାନରେ ଜାଲିଆତିପ୍ରସୂତ ଚିଠା ବିଧେୟକ ରଖି ବିଧାନସଭାରେ ଭାଷା ଆଇନର ଭୁଲ ସଂଶୋଧନ କରାଯାଇଛି ଏବଂ ଏପରି ବିଧାୟକୀୟ ଦୁରାଚାର ସମ୍ପର୍କରେ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ଯଙ୍କୁ ତଥା ବିଧାନସଭାର ସମସ୍ତ ସଦସ୍ଯକୁ ଲିଖିତରୂପେ ସେ ଆଗୁଆ ସୂଚନା ଦେଇଥିଲେ ମଧ୍ୟ ପଞ୍ଚଦଶ ବିଧାନସଭାର ସଦସ୍ୟମାନେ ନିଜ ନିଜର ବିଧାୟକୀୟ ବିଜ୍ଞତା ପ୍ରୟୋଗ କରିବାରୁ ନିବୃତ୍ତ ରହିଯିବା ହେତୁ ଓଡ଼ିଶା ରାଜ୍ଯଭାଷା ଆଇନ ଅକର୍ମଣ୍ୟ ହୋଇଯାଇଛି । 

ଜନସାଧାରଣଙ୍କ ସ୍ଵାର୍ଥ ରକ୍ଷା ପାଇଁ ବିଧାନ ପ୍ରଣୟନ  ହିଁ ବିଧାନସଭାର ଦାୟିତ୍ଵ । ଯେଉଁ ବିଧାନସଭା ଏହି ଦାୟିତ୍ଵ ନିର୍ବାହ ନକରେ ତାହା ଭର୍ତ୍ସନାଯୋଗ୍ୟ । ସେହେତୁ ଓଡ଼ିଶାର ପଞ୍ଚଦଶ ବିଧାନସଭା ଭର୍ତ୍ସନୀୟ ବୋଲି  କହିଥିଲେ ଶ୍ରୀ ପଟ୍ଟନାୟକ । 

ଶୁଭ ଲକ୍ଷଣ : ଭାଷା ମାଆ ପାଇଁ ସାହିତ୍ଯ ଶିବିର ଚଳଚଞ୍ଚଳ

ନ୍ଯୁଜ ସିଣ୍ଡିକେଟ

ଆନନ୍ଦର କଥା, ଭାଷା ମାଆ ପାଇଁ ସାହିତ୍ଯ ଶିବିର ଅଧିକରୁ ଅଧିକ ମାତୃଭାଷାପ୍ରାଣ ସାହିତ୍ଯିକମାନଙ୍କୁ ନେଇ ଚଳଚଞ୍ଚଳ  ହୋଇଉଠିଛି । ସ୍ଵାର୍ଥ ପାଇଁ ସାହିତ୍ଯ ପ୍ରବାହର ଗତିପଥ ବଦଳାଇ ଭାଷା ମାଆ ପାଇଁ ସାହିତ୍ଯ ସୃଷ୍ଟି ସକାଶେ ଡକରା ଦେଇଛି କଳାପତାକା ଅଭିଯାନ । ମହାନ ଆମ ମାତୃଭାଷା ସଂଘର ପ୍ରତିଷ୍ଠାତା ଶ୍ରୀମାନ ରାଜେଶ ଶତପଥୀଙ୍କ ସଂଯୋଜନାରେ ପରିଚାଳିତ ଏହି ଶିବିରକୁ ଅନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ । 

ସଂଯୋଜକ ଓ ଉନ୍ମୋଚକଙ୍କ  ଭିନ୍ନ ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଆଦି ଜିଲ୍ଲାମାନଙ୍କରୁ  ସର୍ବଶ୍ରୀ ଗଜାନନ ମିଶ୍ର, କୈଳାସ ଚନ୍ଦ୍ର ସାହାଣୀ,କ୍ଷୀରୋଦ ନାୟକ,  ନାମାକ୍ଷୀ ପୁରୋହିତ, ନିରୂପମା ପ୍ରଧାନ, ରାଧାକାନ୍ତ ଦୀପ , ଇତିଶ୍ରୀ ବେହେରା, ସୁବଳ ସାଗର, ସୁନୀତା ପଶାୟତ,  ରଞ୍ଜନ କୁମାର ସାହୁ, ସସ୍ମିତା ପାତ୍ର, ପ୍ରଦୀପ୍ତ ରଞ୍ଜନ ମହାପାତ୍ର, ରାଜେନ୍ଦ୍ର ପୁଟେଲ, ସେନ ଆଚାର୍ଯ୍ୟ, ସତ୍ୟଜିତ ମହାପାତ୍ର, ରଞ୍ଜିତା ବେହେରା, ମନୋରଞ୍ଜନ ଦାସ, ଗାୟତ୍ରୀ ସାହୁ, ନାରାୟଣ ରାଉତ, ରାଜେନ୍ଦ୍ର ସାହୁ, ମୌସୁମୀ ନାଗ, ନମିତା ସିଆଲ, ଜି ମାଝି, ଅଖିଲ ସେଠୀ, ଦିବ୍ୟଶକ୍ତି ସାମନ୍ତରାୟ, ପ୍ରମିତା ନାୟକ, ଚୁମ୍କି ବାରିକ, ମାନସ ରଞ୍ଜନ ମାହାକୁଡ, ଲଲାଟେନ୍ଦୁ ମାଝି, ପ୍ରିୟଦର୍ଶିନୀ ପଣ୍ଡା, ପ୍ରଜ୍ଞା ପାରମିତା, ଉଦ୍ଧବ କୁମ୍ଭାର, ଡିସେମ୍ବର ନିଆଲ, ସୋନାଲୀ ପାଣିଗ୍ରାହୀ ପ୍ରମୁଖ ବହୁ ବରିଷ୍ଠ ଓ କନିଷ୍ଠ ସାହିତ୍ୟିକ ଏହି ୱେବ ସମ୍ମିଳନୀରେ ଭାଗ ନେଇଥିଲେ । 

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ଦୀର୍ଘଦିନୁ ଅଦାଲତୀୟ  ସଂଘର୍ଷ କରି ଆସିଥିବା ଏବଂ ୨୦୧୫ରେ ଏଥିପାଇଁ  ଆମରଣ ଅନଶନ କରି ଭାଷା ପାଇଁ ନବଜାଗରଣ  ସୃଷ୍ଟି କରିଥିବା ଟିଟିଲାଗଡ଼ର ଅଧିବକ୍ତା ଓ କବି ଗଜାନନ ମିଶ୍ର, ଭୁବନେଶ୍ବର ଆସି ବହୁବାର କଳା ପତାକା ତୋଳିଥିବା ଭବାନୀପାଟଣାର ଅଧିବକ୍ତା ଓ କବି ସନ୍ତୋଷ କୁମାର ମିଶ୍ର, କବି କୈଲାଶ ଚନ୍ଦ୍ର ସାହାଣୀ, କବି ରାଜେଶ ଶତପଥୀ, କବିସୌରଭ କୈଲାଶ ବେହେରା ପ୍ରମୁଖ ଭାଷା ମାଆ ପାଇଁ ନିଜ ନିଜ ସାହିତ୍ଯ ନିବେଦନ କରିଥିଲେ । 

ପ୍ରତି ମାସର ଶେଷ ରବିବାର ସନ୍ଧ୍ଯା ୬ରେ ଏହି ଶିବିର ଅନୁଷ୍ଠିତ ହେବ । 

 

କଳାପତାକା ଅଭିଯାନର ମାସିକ ୱେବିନାର// ଆମ ଭାଷା ଓ ଆମ କର୍ତ୍ତବ୍ୟ


ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ କଳାପତାକା ଅଭିଯାନର ଏକ ନୂତନ ଫର୍ଦ୍ଦ ଭାବେ ଆଜି ସନ୍ଧ୍ଯା ୬ରେ ଉନ୍ମୋଚିତ ହୋଇଛି ମାସିକ ୱେବ୍ ସେମିନାର (ୱେବିନାର) : ‘ଆମ ଭାଷା ଓ ଆମ କର୍ତ୍ତବ୍ୟ’ ।


ଭାଷା ଆଂଦୋଳନର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ପରିଡ଼ାଙ୍କ ଅବାହକତ୍ବରେ ଅନୁଷ୍ଠିତ ଏହି ୱେବିନାରରେ ଯୋଗଦେଇଥିଲେ ଫୁଲବାଣୀ, ବୌଦ, ସୋନପୁର, ରାୟଗଡ଼, କଳାହାଣ୍ଡି, ସମ୍ବଲପୁର, କେଉଁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ଜଗତସିଂହପୁର,କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାମାନଙ୍କର ମାତୃଭାଷାପ୍ରେମୀ ଅର୍ଦ୍ଧଶତାଧିକ ଓଡ଼ିଆ । ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ସର୍ବଶ୍ରୀ ଶ୍ରୀକାନ୍ତ ଦାଶ, ବୀରେନ୍ଦ୍ର ଡିଗଲ, ଆନନ୍ଦା ବଡ଼ଶେଠ, ରାଜକିଶୋର ପାଢୀ, ନିରଞ୍ଜନ ବେହେରା, ତ୍ରିଲୋଚନ ପଢିଆରୀ, ବଇକୁନ୍ଥନଥ ସ୍ଵାଇଁ, ଦେବାଶିଷ ପ୍ରିୟରଞ୍ଜନ ସାହୁ, ଜଗନ୍ନାଥ ମଲ୍ଲିକ, ଅମରଜ୍ୟୋତି ରାୟ , ମନମୋହନ ପ୍ରଧାନ, ଶଙ୍କର ମିଶ୍ର, କୁବେର ହରିପାଲ୍। ଏନ୍ . ଏନ୍. ମହାପାତ୍ର , ମୁରଲୀଧର ନାୟକ, ବିକାଶ ଡିଗଲ୍, କବି ସୌରଭ କୈଲାଶ ବେହେରା, ଦୁଷ୍ମନ୍ତ ମାର୍ଥା, ମିଲନ ମହାନନ୍ଦା, ଚିତ୍ତରଞ୍ଜନ ମିଶ୍ର, କିଶୋର ରାଠୋର, ପ୍ରଶାନ୍ତ ପ୍ରଧାନ, ପ୍ରକାଶ ଡିଗଲ୍, ପିଙ୍କି ମହାରଣା, ବି. କେ. ସାହାଣୀ, ମଧୁମିତା, ସୁରେଶ କହଁର ପ୍ରମୁଖ ।

ଓଡ଼ିଶାରେ ଓଡ଼ିଆ ଭାଷାରେ କାର୍ଯ୍ୟାଳୟଗୁଡ଼ିକ ଯେପରି ନିଶ୍ଚୟ ଚାଲେ ତାହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ଆଇନ ସଂଶୋଧନ ଉପରେ ଗୁରୁତ୍ଵ ଦିଆଯାଇଥିଲା ।

ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଏହି ୱେବିନାରକୁ ଉନ୍ମୋଚିତ କରିଥିବା ବେଳେ ଏହାର ଉଦ୍ଦେଶ୍ୟ ଅବଗତ କରାଇ ଶ୍ରୀ ଅଶୋକ କୁମାର ପରିଡ଼ା କହିଥିଲେ, ଓଡ଼ିଶାର ୯୩ ଶତାଂଶ ବ୍ୟକ୍ତି ନିଜ ଦୈନନ୍ଦିନ ଜୀବନର ଭାଷା ଭାବେ ଓଡ଼ିଆ ଭାଷା ବ୍ୟବହାର କରୁଥିବା ହେତୁ ଇଂରାଜୀରେ ଚାଲିଥିବା ଶାସନ ସର୍ବସାଧାରଣଙ୍କ ପାଇଁ ଅବୋଧ୍ୟ ହୋଇରହିଛି ଓ ଗଣତନ୍ତ୍ର ପଥବଣା ହୋଇପଡ଼ିଛି । ତେଣୁ, ସୁଭାଷବାବୁ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଅନୁସାରେ ଭାଷା ଆଇନର ସାନି ସଂଶୋଧନ କରିବାକୁ ସେ ସରକାରଙ୍କୁ ଆହ୍ଵାନ ଦେଇଥିଲେ । ଓଡ଼ିଶାର ପରିଚାଳନାରେ ଓଡ଼ିଆ ଭାଷା ବ୍ୟବହାରର ପ୍ରଥମିକତା ଉପରେ ଗୁରୁତ୍ଵ ଦେଇଥିଲେ ସର୍ବଶ୍ରୀ ଶ୍ରୀକାନ୍ତ ଦାଶ, ବଇକୁନ୍ତବଥ ସ୍ଵାଇଁ, ରବୀନ୍ଦ୍ରନାଥ ମିଶ୍ର, ଅଖିଳ ବିଶ୍ଵାଳ, ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ । ଓଡ଼ିଆ ଜାତିର ଛାତ୍ରସମାଜ ଓଡ଼ିଆ ଭାଷାରେ ଶିକ୍ଷାର୍ଜନ କଲେ ଜ୍ଞାନୋପଲବ୍ଧି ସହଜ ସାଧ୍ୟ ହେବ ବୋଲି କହିଥିଲେ ଛାତ୍ରୀ ମଧୁମିତା ।

ମାତୃଭାଷାପ୍ରେମୀ ରଞ୍ଜନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ୱେବ ସମ୍ପାନ ଏହି ପ୍ରଣାଳୀରେ ଭାଷା-ଜାତୀୟତା ଜାଗୃତିର ପ୍ରଥମ ପ୍ରୟାସ । ପ୍ରତି ମାସର ତୃତୀୟ ରବିବାର ସନ୍ଧ୍ଯା ୬ରେ “ଆମ ଭାଷା ଓ ଆମ କର୍ତ୍ତବ୍ୟ” ଶୀର୍ଷକରେ ଏହା ଅନୁଷ୍ଠିତ ହୋଇଚାଲିବ ।