ଭିଡ଼ିଓକର୍ତ୍ତାଙ୍କ ଆଖିରେ ସତେ ଯେମିତି ମାଆକୁ ମୁମୂର୍ଷୁ କରାଉଥିବା ବ୍ୟକ୍ତି ହିଁ ଓଡ଼ିଆ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମା ମରଣଶଯ୍ୟାରେ କଲବଲ ହେଉଥିବା ବେଳେ ମୃତ୍ୟୁ ମୁଖରୁ ତାକୁ ବଞ୍ଚାଇବାକୁ ଚେଷ୍ଟା ନକରି ସେମାନେ ତାକୁ ଭଲପାଆନ୍ତି ବୋଲି ଜଗତକୁ ଦେଖାଇବାକୁ ତାର ପିଲାଏ ଯଦି ତା ଯୌବନ ଚର୍ଚ୍ଚାରେ ଲାଗିଯାନ୍ତି ଅଭିନୟ ମଞ୍ଚରେ, ତେବେ ସେହି ମୁମୂର୍ଷୁ ମା ପାଇଁ ତାହାଠୁ ବଳି ଯନ୍ତ୍ରଣାଦାୟକ ଅପମାନ କ’ଣ ବା ଆଉ ଥାଇପାରେ ?

ଆମ ଜନ୍ମମାଟି ଏହି ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ଏଠି ସଲଂଗ୍ନ ଥିବା ଅଭିନୟ-ଭିଡ଼ିଓ ତା ପ୍ରତି ଏହିପରି ଏକ ଅପମାନ ।

ଆମ ଭାଷା ମରିଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷଡ଼ଯନ୍ତ୍ର ହେତୁ । ଆମ ଭାଷାରେ ଓଡ଼ିଶାର କାର୍ଯ୍ୟାଳୟସମୁଦାୟ ଯେପରି କେବେ ବି ଚାଲିବନାହିଁ , ସେଥିପାଇଁ ସେ “ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ”ର ଅପସଂଶୋଧନ କରିଛନ୍ତି ଓ ଏହି ଅପକର୍ମ କରିବାକୁ ବିଧାନସଭାରେ ଜାଲିଆତି ପ୍ରୟୋଗ କରିଛନ୍ତି ଏବଂ ଏହି ଜାଲିଆତି କାଳେ ଭାଷା ଆନ୍ଦୋଳନ ହେତୁ ପଦାକୁ ଆସିବ – ଏହି ଭୟରେ ପ୍ରଦ୍ୟୁମ୍ନ ଶତପଥୀ ଓଗେର ମୋର କେତେକ ଘନିଷ୍ଠ ସହଯୋଗୀଙ୍କୁ ସୁପାରି ଦେଇ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ଚେଷ୍ଟା କରିଛନ୍ତି । ଅଥଚ ଏହି ଭିଡ଼ିଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଚାର ମଇଦାନକୁ ଆସିଛି ଏପ୍ରିଲ ପହିଲାରେ , ଉତ୍କଳଦିବସରେ ।

ଏଠି ସେ କହିଛନ୍ତି “ମୋ ମାଟି ଓଡ଼ିଶା , ମୋ ଜାତି ଓଡ଼ିଆ ।” ତେବେ ତାଙ୍କ ଭାଷା କାହିଁକି ଇଂରାଜୀ? ଏବଂ ଇଂରାଜୀ ଭାଷାରେ ଶାସନ ଚଳାଇ ତାହା ଜାରି ରଖିବାକୁ ସେ ଆମ କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିଦେଇଛନ୍ତି କାହିଁକି? ଆମ ମାଟି ଆମ ସୀମାନ୍ତରେ ଆଜି ବିପନ୍ନ କାହିଁକି? ଭିଡ଼ିଓଟିର ନିର୍ମାତା ନବୀନଙ୍କ ଚରିତ୍ରରେ କେଉଁ ଆଚରଣ ଦେଖିଲେ ଯେ, ଏପରି ଭାବେ ତାଙ୍କ ଓଡ଼ିଆତ୍ଵ ପ୍ରଚାର କରିଛନ୍ତି ?

ଏଥିପାଇଁ ମଥା ନ ଖେଳାଇ, ଅପଶାସନ କବଳରେ ଦୁଃଖ ଭୋଗୁଥିବା ସାଧାରଣ ଲୋକଙ୍କୁ ଭୁତାଇବା ପାଇଁ ରାଜନୈତିକ ଶଠତା ପରିସୃଷ୍ଟ ସୁଖାନୁଭବପ୍ରକ୍ରିୟା ଦ୍ଵାରା ଜନମାନସ  ଆଚ୍ଛନ୍ନ କରିବାକୁ ଚେଷ୍ଟା କରିଛନ୍ତି ଆମର କିଛି ସୃଜନଶୀଳ ବ୍ୟକ୍ତି ଏହି ଭିଡ଼ିଓ ମାଧ୍ୟମରେ  । 

କରୋନା କାଳରେ କାୟିକତଃ ସ୍ଥଗିତ ଥିବା କଳାପତାକା ଅଭିଯାନ ମହାମାରୀ ପ୍ରଶମନ ହେତୁ ପୁନର୍ବାର ଆରମ୍ଭ ହେଲା ଫେବୃଆରୀ ୨୧ ତାରିଖରେ । ଓଡ଼ିଆ ଲୋକଙ୍କୁ କିପରି ଭୁଆଁ ବୁଲେଇ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷାପ୍ରାଣ ଭାବେ ପ୍ରଦର୍ଶିତ କରାଯିବ , ସେଥିପାଇଁ ତୁରନ୍ତ ଆରମ୍ଭ ହୋଇଗଲା ଉଦ୍ୟମ । ଫେବୃଆରୀ ୨୮ ତାରିଖରେ ଏହା ପ୍ରସ୍ତୁତ ହେଲା ଓ ଉତ୍କଳ ଦିବସରେ ପ୍ରଚାର ମଇଦାନକୁ ଆସିଲା ।

ଏହାକୁ ପ୍ରସ୍ତୁତ କରିଥିବା ବ୍ୟକ୍ତି ଯଦି ଉତ୍କଳ ଦିବସର ମହତ୍ଵ ବୁଝିଥାନ୍ତେ ଓ ସେହି ମହତ୍ଵ ରଖିବାକୁ ଚାହିଁଥାନ୍ତେ , ତା ହେଲେ ଓଡ଼ିଆ ଭାଷା ହିଁ କିପରି ଓଡ଼ିଶା ସୃଷ୍ଟିକଲା ସେ କଥା ବଖାଣିଥାନ୍ତେ ଲେଖା ଓ ଅଭିନୟ ମାଧ୍ୟମରେ । କାର୍ଯ୍ୟାଳୟର ଭାଷା ନ ହୋଇ ଓଡ଼ିଆ ଭାଷା କିପରି ମରି ମରି ଯାଉଛି , ଆମ ଜାତି କିପରି ଇଂରାଜୀ ଭାଷା କବଳରେ ପଡ଼ି ସର୍ବସ୍ଵାନ୍ତ ହେବାରେ ଲାଗିଛି , ସେକଥା ସେମାନେ ବଖାଣିଥାନ୍ତେ ଓ ତା ଦ୍ଵାରା ଆମ ଜାତି ନିଜର ଭାଷାକୁ ରକ୍ଷା କରିବା ପାଇଁ ଉଦ୍ବୁଦ୍ଧ ହୋଇପାରିଥାନ୍ତା । ତା ସେମାନେ କରିନାହାନ୍ତି । ଓଡ଼ିଆ ଜାତିର ବର୍ତ୍ତମାନର ଚିତ୍ର ସେମାନେ ଦେଇନାହାନ୍ତି । ଓଡ଼ିଆ ଜାତିର ଭାଷାମାଆ  ମରଣମୁହଁରେ ପଡ଼ିଥିଲା ବେଳେ, ଯାହା ହେତୁ ଏ ଦୁର୍ଦ୍ଦଶା, ତାକୁ ହିଁ ସେମାନେ “ଓଡ଼ିଆ” ବୋଲି ନିଜର ପ୍ରଚାର କରିବାର ସୁଯୋଗ ଦେଇଛନ୍ତି, ସତେ ଯେମିତି ମାଆକୁ ମୁମୂର୍ଷୁ କରାଉଥିବା ବ୍ୟକ୍ତି ହିଁ ଓଡ଼ିଆ !

ମାତୃଭାଷା ହିଁ ମୁଖ୍ୟ , ଅନ୍ୟ ସବୁ ଗୌଣ : ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ପ୍ରଫେସର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ

ସୁବିଖ୍ୟାତ କଳାପତାକା ଅଭିଯାନର ବୌଦ୍ଧିକ ସଂସ୍କରଣରେ ଉଦ୍ବୋଧନ ଦେଇ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଆଧୁନିକ ଭାରତୀୟ ଭାଷାଚୟ ଓ ସାରସ୍ଵତ ଅଧ୍ୟୟନ (Modern Indian Languages & Literary Studies) ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡଃ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଶିକ୍ଷା କ୍ଷେତ୍ରରେ ମାତୃଭାଷାକୁ ଅଗ୍ରାଧିକାର ଦେଇଥିବାରୁ ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି ।

ମାତୃଭାଷା ହିଁ ମୁଖ୍ୟ, ଆଉ ସବୁ ଗୌଣ ବୋଲି ଏହି ଶିକ୍ଷାନୀତି ଯେପରି ସ୍ପଷ୍ଟ କରିଛି ତାହା ପୂର୍ବବର୍ତ୍ତୀ ଶିକ୍ଷାନୀତିମାନଙ୍କର ଅଭିଳାଷର ପ୍ରୟୋଗାତ୍ମକ ଅନୁଭୂତିରୁ ଅର୍ଜିତ ସିଦ୍ଧାନ୍ତ ଉପରେ ଆଧାରିତ ବୋଲି ଦର୍ଶାଇ ପ୍ରଫେସର ପଟ୍ଟନାୟକ ଭାଷା ଆନ୍ଦୋଳନ ପ୍ରେକ୍ଷାପଟରେ ଓଡ଼ିଶା ସରକାରଙ୍କୁ ଏକ ପରୋକ୍ଷ ପରାମର୍ଶ ଦେଇ କହିଥିଲେ, ମାତୃଭାଷା ହିଁ ଜାତିର ପରିଚୟ ହୋଇଥିବା ହେତୁ ତାର ସଂରକ୍ଷଣ ଆବଶ୍ୟକ । ଏହି ସଂରକ୍ଷଣ ସାହିତ୍ୟକୃତି ମାଧ୍ୟମରେ ନୁହେଁ, ସାହିତ୍ୟଠାରୁ ଭାଷାକୁ ଅଲଗା କରି ତାର ଶୈକ୍ଷିକ ଓ ବ୍ୟବହାରିକ ଉପଯୋଗୀତା ବୃଦ୍ଧି ଦ୍ଵାରା ହିଁ ସମ୍ଭବ ।

ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତିଷ୍ଠିତ ଭାଷା ଆନ୍ଦୋଳନ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ୧୯୫୪ରୁ ନିଷ୍କ୍ରିୟ ହୋଇରହିଥିବା ଓଡ଼ିଶା ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା ସକାଶେ ପ୍ରାୟ ୫ ବର୍ଷ ଧରି ଏହି ଅଭିଯାନ ଚଳାଇଛି । କରୋନା କାଳରେ କାୟିକତଃ ଏହା ସ୍ଥଗିତ ଥିବା ବେଳେ ବୌଦ୍ଧିକ ସ୍ତରରେ ଅବ୍ୟାହତ ଅଛି ଓ ପ୍ରତି ସପ୍ତାହରେ ଓଡ଼ିଶାର ଜଣେ ଜଣେ ପ୍ରଥିତଯଶା ବିଜ୍ଞ ବ୍ୟକ୍ତି ଏହି ବୌଦ୍ଧିକ ଅଭିଯାନରେ ଅଂଶଗ୍ରହଣ କରି ଓଡ଼ିଆ ଜାତିକୁ ଦିଗ୍ଦର୍ଶନ ଦେଉଛନ୍ତି । ଏହି କ୍ରମରେ ପ୍ରଫେସର ପଟ୍ଟନାୟକ ଜାନୁଆରୀ ୧୭ ତାରିଖରେ ଦେଇଥିବା ଅଭିଭାଷଣ ସାମାଜିକ ଗଣମାଧ୍ୟମ ଫେସବୁକରେ ଏହି ଅଭିଯାନର ନଭମଞ୍ଚ – ଭାଷା ମାଆ ପାଇଁ ପଦେ – ପୃଷ୍ଠାରୁ ସିଧା ପ୍ରସାରିତ ହୋଇଥିଲା ।

ସରକାରଙ୍କ ଇଂରାଜୀ ପ୍ରୀତି ଆମ ଭାଷାକୁ ମରଣୋନ୍ମୁଖୀ କଲାଣି : ଭାଷା ଆନ୍ଦୋଳନର ଆଲୋଚନଚକ୍ରରେ ଆଶଙ୍କା

ସୂତ୍ର : ଆମ ଭାଷା ଆମ ଅଧିକାର 

ଗତ ରବିବାର(୦୪/୧୦/୨୦୨୦)ସନ୍ଧ୍ୟାରେ ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ରରେ ସରକାରଙ୍କ ଇଂରାଜୀ ପ୍ରୀତି ଆମ ଭାଷାକୁ ମରଣୋନ୍ମୁଖୀ କଲାଣି ବୋଲି ମତ ପ୍ରକାଶ ପାଇଥିଲା ।                       ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରାଙ୍କ ଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

              *”ଓଡ଼ିଆ ଭାଷାର ସୁରକ୍ଷାରେ, ଆମର କର୍ତ୍ତବ୍ୟ” ଶୀର୍ଷକ ଉପରେ ସାରଗର୍ଭକ ଆଲୋଚନା କଲେ, ମୁଖ୍ୟ ଆଲୋଚକ;ଶ୍ରୀଯୁକ୍ତ ଅଶୋକ ମହାରଣା।
              * ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଏହି ଆଲୋଚନା ଉପରେ ନିଜସ୍ୱ ମତାମତ ରଖିବ ସହ ସମ୍ପୂର୍ଣ୍ଣ ପରିବେଶକୁ ଅତ୍ୟନ୍ତ ବୌଦ୍ଧିକ କରିଦେଲେ।
               *ଅନ୍ତିମ ପର୍ଯ୍ୟାୟରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
              * ଶ୍ରୀକାନ୍ତ ବେହେରା,ସୁଶାନ୍ତ ମାହାଳି,ଦୀନବନ୍ଧୁ ପୋଇ,କୈଳାସ ଚନ୍ଦ୍ର ବେହେରା,ନଗେନ୍ଦ୍ର କୁମାର ରାଉତ,ଦୀପକ ରଂଜନ ଗ୍ରହାଚାର୍ଯ୍ୟ, କୈଳାଶ ଧଳ, ବି.କେ.କମଲ, ଶଶିକାନ୍ତ ପଣ୍ଡା ; ନିଜ ସ୍ୱ-ରଚିତ କବିତା ପାଠ କଲେ ।
              * ଓଡ଼ିଶାର କୋଣ ଅନୁକୋଣରୁ ଓଡ଼ିଆ ଭାଷା ଓ ସାହିତ୍ୟର ଅନେକ ସାରସ୍ୱତ ସାଧକ ଅଂଶଗ୍ରହଣ କରିଥିବା ଏହି ଆଲୋଚନାଚକ୍ରରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ପଟନାୟକଙ୍କ ସହ ରଞ୍ଜନ ଦାସ,ରଞ୍ଜନ କୁମାର ସାହୁ,ବାପିନା ପାଲଟାସିଂହ, ବଳରାମ ସାହୁ,ଶ୍ରୀରାମ ରାଉତ,ମହେନ୍ଦ୍ର ତ୍ରିପାଠୀ, ସରୋଜ କୁମାର ମହାନ୍ତି,ସାଗର କୁମାର ପରିଡା,ସୁନିତା ରଣା, ସ୍ନେହଳତା ସିଂ ପ୍ରମୁଖ ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ।

 

ଭାଷା ନୀତି କୁଆଡେ ଗଲା? ପଚାରିଛନ୍ତି ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶିକା

ସୂତ୍ର: ଭାଷା ଅଧିକାର ଅଭିଯାନ

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ତହିଁର ସଦସ୍ୟ ସୁଭାଷ ଚନ୍ଦ୍ର ପଟ୍ଟନାୟକ ୩ ସେପ୍ଟେମ୍ବର ୨୦୧୫ ତାରିଖରେ ଏକ ଲିଖିତ ଚିଠା ବିଧାନ ପ୍ରଦାନ କରି ତଦନୁଯାୟୀ ଆଇନ ସଂଶୋଧନ କରିବାକୁ ଓ ସେହି ଆଇନର ଅମାନ୍ୟକାରୀ ପ୍ରତି କଠିନ ଦଣ୍ଡବିଧାନ ସୁନିଶ୍ଚିତ କରିବାକୁ ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀସ୍ତରୀୟ କମିଟି ତାହାକୁ ଅନୁମୋଦନ କରିଥିଲା । ଓ ତା ପରେ ଭାଷା ଆଇନ ସଂଶୋଧନର ଯେଉଁ ନୂଆ ଯୁଗ ଆରମ୍ଭ ହୋଇଥିଲା, ତାହା ଅଦ୍ୟାବଧି ଅବ୍ୟାହତ ଅଛି, ଯଦିଓ ସରକାର ତାହାର କାର୍ଯ୍ୟକାରୀତା ପାଇଁ ଚାଲିଥିବା ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଅତି ଉତ୍କଟ ଷଡ଼ଯନ୍ତ୍ର ଚଳାଇଛନ୍ତି ।

ଏହି ପ୍ରେକ୍ଷାପଟରେ ମନ୍ତ୍ରୀସ୍ତରୀୟ କମିଟିରେ ସରକାରୀ ସଦସ୍ୟ ଥିବା ଓଡ଼ିଶା ସରକାରଙ୍କ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶିକା ଡଃ ତମସାରାଣୀ ଦାସମହାପାତ୍ର ରଖିଥିବା ବୟାନରୁ ସ୍ପଷ୍ଟ ହୋଇଛି ଯେ, ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବ ଅନୁରୂପ ବ୍ୟବସ୍ଥା ରଖି ପ୍ରତିଷ୍ଠାନ ବହୁ ବିଶିଷ୍ଟ ବିଷୟବିଶେଷଜ୍ଞମାନଙ୍କ ସହାୟତାରେ ଏକ ଭାଷା ନୀତିର ଚିଠା ପ୍ରଣୟନ କରି ସରକାରଙ୍କୁ ପ୍ରଦାନ କରି ଥିଲା ।

ଭାଷା ଆନ୍ଦୋଳନର ଫେସ୍ ବୁକ୍ ମଞ୍ଚ ଭାଷା ମା ପାଇଁ ପଦେ ପୃଷ୍ଠାରୁ ଭାଷା ହିଁ ଜୀବନୀଶକ୍ତି ତତ୍ତ୍ଵ ଉପରେ ଉଦ୍ବୋଧନ ଦେଇ ଅକ୍ଟୋବର ୫ ତାରିଖରେ ଡଃ ଦାସମହାପାତ୍ର କହିଛନ୍ତି, ଏହା କାର୍ଯ୍ୟକାରୀ ହୋଇଥିଲେ “ହୁଏତ ଦଣ୍ଡ ଭୟରେ ଅନ୍ତତଃ ସରକାରୀ କାର୍ଯ୍ୟ ଓଡ଼ିଆରେ ଚାଲିଥାନ୍ତା । ବର୍ତ୍ତମାନ ଭୟାନକ କୋଭିଦ-୧୯ର ବିଭିନ୍ନ ମାର୍ଗଦର୍ଶିକା ଯଦି ଓଡ଼ିଆରେ ପ୍ରକାଶ କରାଯାଇ ଗାଁଗଣ୍ଡାର ଲୋକମାନଙ୍କୁ ସଚେତନ କରାଯାଇଥାନ୍ତା , ତେବେ ହୁଏତ ଲୋକେ ଏହାର ଭୟାବହତା ବୁଝି ସାବଧାନତା ଅବଲମ୍ବନ କରିଥାନ୍ତେ ଓ ବହୁ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇପାରିଥାନ୍ତା ।” ଅଥଚ, ଭାଷା ପ୍ରତିଷ୍ଠାନର ପ୍ରଣୀତ ସେହି ଭାଷାନୀତି ବାତତମାନଯାଏଁ କାର୍ଯ୍ୟକାରୀ ହେଲା ନାହିଁ । ତାହା କୁଆଡ଼େ ଗଲା?

ସିଧା ପ୍ରସାରିତ ହୋଇଥିବା ଡଃ ଦାସମହାପାତ୍ରଙ୍କ ଭାଷଣର ସଂପୂର୍ଣ୍ଣ ଲିଖିତ ରୂପ ପରେ ପ୍ରକାଶ ପାଇବ । ଏବେ ଏଠାରେ ଦେଖନ୍ତୁ ତହିଁର ୟୁ ଟ୍ୟୁବ୍ ସଂସ୍କରଣ :

ମାତୃଭାଷାରେ ଶିକ୍ଷା ହିଁ ଶିଶୁର ବୌଦ୍ଧିକ ବିକାଶ କରେ : ଭାଷା ଆନ୍ଦୋଳନ ପାଠଚକ୍ରରେ ଶିକ୍ଷାବିତଙ୍କ ମତ

ସୂତ୍ର : ଆମ ଭାଷା ଆମ ଅଧିକାର 

ସେପ୍ଟେମ୍ବର ୨୭ ତାରିଖ ରବିବାର ସନ୍ଧ୍ୟାରେ ସରୋଜ କୁମାର ମହାନ୍ତିଙ୍କ ସଂଯୋଜନାରେ ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀମାନେ ଅଂଶଗ୍ରହଣ କରିଥିଲେ ।

ପ୍ରଥମେ କବି ଶ୍ୟାମଘନ ମହାରଣାଙ୍କ ଦ୍ୱାରା ଭାଷା ବନ୍ଦନାରୁ, ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଅଲୋଚନାଚକ୍ରର ମୁଖ୍ୟ ବିଷୟ ବସ୍ତୁ ଥିଲା “ଶିଶୁର ବୌଦ୍ଧିକ ବିକାଶରେ ମାତୃଭାଷାର ଭୂମିକା”। 

ସୁଦୂର କୋଲକାତାରେ ଦୀର୍ଘ ୨୫ବର୍ଷ ଧରି ଶିକ୍ଷକତା କରିବା ସହ ସାହିତ୍ୟ ପତ୍ରିକା “ଅଭିଯାନ”ର ସମ୍ପାଦନା କରି ଆସୁଥିବା ଶ୍ରୀଯୁକ୍ତ ଶଂଭୂନାଥ ଦାସ ଆଲୋଚକ ଭାବେ, ନିଜ ବକ୍ତବ୍ୟ ଉପସ୍ଥାପନ କଲେ । ତାଙ୍କ ମତରେ,”ନବଜାତ ଶିଶୁର ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମା କ୍ଷୀର ଯେପରି ସର୍ବାଧିକ ସହାୟକ, ସେହିପରି ତାର ମାନସିକ ସ୍ୱାସ୍ଥ୍ୟ ତଥା ଶୈକ୍ଷିକ ଓ ବୌଦ୍ଧିକ ବିକାଶ ପାଇଁ ମାତୃଭାଷା ହିଁ ସର୍ବାଧିକ ସହାୟକ ।  ଶିଶୁର ପରିବାର-ପରିବେଶ-ସାଙ୍ଗସାଥି-ବିଦ୍ୟାଳୟର ବ୍ୟବହାରିକ ଭାଷାର ପ୍ରଭାବ, ତାର ମାନସିକ-ବୌଦ୍ଧିକ-ଆବେଗିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରେ”।

ଏହି ଆଲୋଚନାରେ ଭାଗ ନେଇଥିବା ଓ ନିଜେ ଅଧ୍ୟାପନା ବୃତ୍ତିରେ ଥିବା ଶ୍ରୀଯୁକ୍ତ ପ୍ରକାଶ ସାମଲ କହିଥିଲେ,” ଶିଶୁର ବିକାଶରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ଅଭିଭାବକମାନଙ୍କର । ଅଭିଭାବକମାନେ ହିଁ ଆମ ଭାଷା ସୁରକ୍ଷାର ମୂଳ ସୂତ୍ରଧର”।

ବୃତ୍ତିରେ ଜଣେ ଶିକ୍ଷକ ଓ ଶିଶୁ-ସାହିତ୍ୟିକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ମତରେ,” ପିଲାଙ୍କ ଭିତରେ ଥିବା ସୃଜନଶୀଳତାକୁ ପରିପ୍ରକାଶ କରିବାର ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ ମାତୃଭାଷା । ଓଡ଼ିଆ ଶିଶୁର ମନ ଉପରେ ଓଡ଼ିଆ ଶିଶୁ-ସାହିତ୍ୟର ପ୍ରଭାବ ଅସୀମ ଓ ସେହେତୁ ଆମ ଶିଶୁ-ସାହିତ୍ୟ ଆହୁରି ଅଧିକ ସମୃଦ୍ଧ ହେବା ଉଚିତ”।

ଅଧ୍ୟାପନା ବୃତ୍ତିରେ ଥିବା, ଶ୍ରୀଯୁକ୍ତ ଅଶୋକ ମହାରଣାଙ୍କ ମତରେ, “ଶିଶୁର ବିକାଶରେ ବିଦ୍ୟାଳୟ ଓ ଶିକ୍ଷା-ବ୍ୟବସ୍ଥାର ଗଭୀର ପ୍ରଭାବ ଥାଏ । ଆଜିକାଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ,ଶିଶୁର ମସ୍ତିସ୍କ ଉପରେ ଅଧିକ ଚାପ ପ୍ରୟୋଗ କରୁଛି । ତହିଁର ପ୍ରତିବିଧାନ ପାଇଁ ବର୍ତ୍ତମାନ ସମୟରେ ବିଶେଷ କରି ଓଡ଼ିଆ ବର୍ଣ୍ଣବୋଧର ବାଧ୍ୟତାମୂଳକ ବ୍ୟବହାରର ଆଵଶ୍ୟକତା ରହିଛି।”

ଶ୍ରୀଯୁକ୍ତ ମହେନ୍ଦ୍ର ତ୍ରିପାଠୀ ନିଜ ଶିକ୍ଷକ ଜୀବନର ଅଭିଜ୍ଞତାରୁ ଅନେକ ଉପାଦେୟ ତଥ୍ୟ ଓ ମତ ଉପସ୍ଥାପନ କଲେ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ, ଓଡ଼ିଆ ଭାଷା ପ୍ରତି ସରକାରୀ ବିମୁଖତା ଓଡ଼ିଆ ଜାତିର ଭବିଷ୍ୟ ପିଢିକୁ ମଧ୍ୟ କ୍ଷତିଗ୍ରସ୍ତ କରିବାକୁ ଯାଉଛି; କାରଣ ନିଜ ଭାଷା ପ୍ରତି ଆକର୍ଷଣ ନରହିଲେ, ଓଡ଼ିଆ ଜାତିର ଯୁଗଯୁଗର ଆହାରିତ ଜ୍ଞାନ ଓ ତାର ସ୍ଵାଭାବିକ ସୃଜନଶୀଳତା ତାକୁ ଉପଲବ୍ଧ ହେବନାହିଁ । ବୌଦ୍ଧିକ ବିକାଶ ଏକ ସ୍ଵାଭାବିକ ପ୍ରକ୍ରିୟା ଯାହା ମାତୃଭାଷାରେ ସହଜ ସମ୍ଭବ, ବିଦେଶୀ ଭାଷାରେ ନୁହେଁ ; କାରଣ ଶିଶୁ ପାଇଁ ତାର ମାତୃଭାଷା ସ୍ଵାଭାବିକ ହୋଇଥିବା ବେଳେ ଅନ୍ୟ ଭାଷା ଅସ୍ୱାଭାବିକ । ଓଡ଼ିଶାରେ ଶିଶୁର ବୌଦ୍ଧିକ ବିକାଶ ନିଷ୍କଣ୍ଟକ କରିବାକୁ ହେଲେ ଓଡ଼ିଆ ଭାଷାକୁ ତାର ପ୍ରଥମିକତା ଦେବାକୁ ହେବ ଓ ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଥମିକତା ପାଇବାକୁ ହେଲେ ତାହାକୁ କାର୍ଯ୍ୟାଳୟର ଭାଷା କରିବାକୁ ହେବ । ଏହା କରିବାକୁ ଓଡ଼ିଶା  କାର୍ଯ୍ୟାଳୟ ଭାଷା ଆଇନର ପୁନଃ ସଂଶୋଧନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅଲୋଚନାରେ ସୁଦୂର ଗୁଜୁରାଟରୁ ବାପିନା ପାଲଟାସିଂହ ଓ ରାୟଗଡ଼ାରୁ ଶ୍ରୀଯୁକ୍ତ ସରୋଜ ମହାନ୍ତି ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ମହାନ୍ତି ଅଲୋଚନା ସଂଯୋଜନ କରିବା ସଙ୍ଗେ ସଙ୍ଗେ , ଭାଷା ଆନ୍ଦୋଳନର ଦାବି ଅନୁରୂପ ରେଡିଓ ଏବଂ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ଦାନ ପାଇଁ ସରକାର ଘୋଷଣା କରିଥିବା ହେତୁ ସରକାରଙ୍କୁ ସାଧୁବାଦ ଜଣାଇଥିଲେ ଓ ଏଏହି ପଦକ୍ଷେପ ତଥାକଥିତ ‘ଅନଲାଇନ’ ଶିକ୍ଷାଜନିତ ଅବ୍ୟବସ୍ଥାକୁ ଲାଘବ କରିବ ବୋଲି ମତ ଦେଇଥିଲେ । 

ଆଲୋଚନା ପରେ ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରା ଓ ଶ୍ରୀଯୁକ୍ତ ପ୍ରକାଶ ସାମଲ ସ୍ୱରଚିତ କବିତା ପାଠ କରି ସମଗ୍ର ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ସର୍ଵଶେଷରେ ଗୁଜୁରାଟରୁ ଶ୍ରୀଯୁକ୍ତ ସୁଶାନ୍ତ ମାହାଳୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ସଂଯୋଜକଙ୍କ ସମ୍ମତିରେ ଆଲୋଚନା ଚକ୍ରକୁ ସମାପ୍ତ ଘୋଷଣା କରିଥିଲେ।