ପ୍ରତାରଣାର ପୂର୍ଣ୍ଣ ପାଞ୍ଚ ବର୍ଷ : ୧୮ ବିଷୟରେ ଅଧ୍ୟାପକ ନିଯୁକ୍ତ ହେବେ, ଓଡ଼ିଆରେ ଜଣେ ବି ନୁହଁ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଶାର ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଖାଲି ଥିବା ଅଧ୍ୟାପକ ପଦ ପୂରଣ ପାଇଁ ରାଜ୍ୟ ସରକାର ଷ୍ଟେଟ ସିଲେକ୍ସନ ବୋର୍ଡକୁ ଡିସେମ୍ବର ୭ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି । ଏତଦନୁଯାୟୀ ୧୮ଟି ବିଷୟରେ ଖାଲିଥିବା ୯୭୨ ପଦବୀରେ ଖୁବ ଶୀଘ୍ର ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତ ହେବେ । ମାତ୍ର ଓଡ଼ିଆ ବିଷୟରେ ଖାଲିଥିବା କୌଣସି ଗୋଟିଏ ହେଲେ ଅଧ୍ୟାପକ ପଦବୀ ପୂରଣ ହେବ ନାହିଁ । ଅଥଚ ସବୁ ବିଷୟ ମଧ୍ୟରେ ଓଡ଼ିଆରେ ଖାଲି ଥିବା ଅଧ୍ୟାପକ ପଦବୀ ସର୍ବାଧିକ ।

ଉଚ୍ଚ ଶିକ୍ଷା ବିଭାଗ ୫.୧୨.୨୦୧୯ ତାରିଖ ପତ୍ର ସଂଖ୍ୟା ୨୮୬୩୨ରେ ବିଧାନସଭାକୁ ଜଣାଇଥିବା ତଥ୍ୟ ଅନୁଯାୟୀ ୩୧.୧୧.୨୦୧୯ ତାରିଖ ସୁଦ୍ଧା ଅନୁଦାନପ୍ରାପ୍ତ କଲେଜମାନଙ୍କରେ ୪୨୮ ଓଡ଼ିଆ ଅଧ୍ୟାପକ ପଦ ଖାଲି ରହିଛି ।

ଏହି ତାରିଖ ସୁଦ୍ଧା ଏହି ବର୍ଗର କଲେଜମାନଙ୍କରେ ୬୮୧ ଜଣ ଇଂରାଜୀ ଅଧ୍ୟାପକ ନିଯୁକ୍ତ ହୋଇଥିବା ବେଳେ, ଓଡ଼ିଆ ବିଷୟରେ କର୍ମରତ ଓଡ଼ିଆ ଅଧ୍ୟାପକଙ୍କ ସଂଖ୍ୟା ଥିଲା ୫୦୮ । ଅଥଚ ଇଂରାଜୀରେ ଖାଲି ଥିବା ୨୩୦ ପଦରୁ ବର୍ତ୍ତମାନ ୧୫୯ ପଦବୀ ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ , ଓଡ଼ିଆ ବିଷୟରେ ଖାଲିଥିବା ୪୨୮ ପଦବୀରୁ ଗୋଟିଏ ହେଲେ ବି ପୂରଣ ହେବାକୁ ଯାଉନାହିଁ ।

କଲେଜ ସ୍ତରରେ ଓଡ଼ିଆ ପଢା ନ ହେଉ, ଏହି ପୁରୁଣା ଅଭିସନ୍ଧିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଏତ ଏବେ ବି ଅଟଳ !

ଏହାଙ୍କ ଶାସନରେ ଥରକୁ ଥର ଓଡ଼ିଆ ଭାଷା ବିରୁଦ୍ଧରେ ଷଡ଼ଯନ୍ତ୍ର ଚାଲିଛି । ରେଭେନ୍ଶା ଓ ବିଜେବି ପରି୧୪ଟି ସୁବିଖ୍ୟାତ ସରକାରୀ କଲେଜ ଓ ୧୨୫ ବେସରକାରୀ କଲେଜର ପାଠ୍ୟକ୍ରମରୁ ଓଡ଼ିଆ ଭାଷାକୁ ନିକାଲି ଦେବାପାଇଁ ୨୦୦୫ରେ ଚକ୍ରାନ୍ତ ହୋଇଥିଲା । ନିମ୍ନସ୍ଥ ଲିଙ୍କ୍ ତାର ଚିତ୍ର ଦେବ –

https://orissamatters.com/2005/05/25/orissa-govt-plays-its-nastiest-trick-against-the-oriyas/

ଏପରିକି, ୨୦୧୫ରେ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଅଧ୍ୟକ୍ଷଙ୍କୁ ହୁକୁମ ଦେଇଥିଲା ଓଡ଼ିଆ ବିଷୟ ଇଂରାଜୀରେ ପଢାଇବା ପାଇଁ ଓ ତଦନୁଯାୟୀ ପାଠ୍ୟକ୍ରମ ଓ ପୁସ୍ତକ ମୁଦ୍ରିତ କରି ଅବିଳମ୍ବେ ସରକାରଙ୍କୁ ଅବଗତ କରାଇବା ପାଇଁ । ନିମ୍ନସ୍ଥ ଲିଙ୍କ୍ ଏହା ବି ଦର୍ଶାଇବ ।

https://orissamatters.com/2015/06/22/oriya-would-be-taught-in-english-language-what-a-mad-government/

ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ମନ୍ତ୍ରୀସ୍ତରୀୟ କମିଟିରେ ୩.୯.୨୦୧୫ ତାରିଖରେ ମୁଁ ଏକ ଚିଠା ବିଧାନ ପ୍ରଦାନ କରିଥିଲି, ଯେଉଁଠୁ ଆରମ୍ଭ ହେଲା ଭାଷା ଆଇନ ସଂଶୋଧନର ନୂଆ ପର୍ବ । ଏଥିରୁ ନିଷ୍କୃତି ପାଇବା ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀସ୍ତରୀୟ କମିଟି ସହ ଆଦୌ ପରାମର୍ଶ ନ କରି, ପରାମର୍ଶ କରିଛନ୍ତି ବୋଲି ମିଚ୍ଛ କହି, ୧୭.୧୨.୨୦୧୫ରେ ଏକ ୯ ଦଫା କାର୍ଯ୍ୟକ୍ରମ ଘୋଷଣା କଲେ, ଯଦ୍ଦ୍ବାରା ଓଡ଼ିଆରେ ଓଡ଼ିଶା ପରିଚାଳନା ସୁନିଶ୍ଚିତ ବୋଲି ସେ କହିଥିଲେ । ଖବରକାଗଜମାନଙ୍କରେ ତହିଁର ବିଜ୍ଞାପନ ପ୍ରକାଶ କରି ଓଡ଼ିଆରେ କାମ ଚାଲିଲା ବୋଲି ସେ ଭାବିଲେ ।

ମୁଁ ଦେଇଥିବା ଚିଠା ଆଇନକୁ ବିଧିକୃତ କରିବା ଦାବିରେ ୧୩.୪.୨୦୧୬ ତାରିଖରୁ ଆମେ କଳାପତାକା ଅଭିଯାନ ଆରମ୍ଭ କଲୁ । ତା ପରେ ତାଙ୍କର ମନେ ପଡ଼ିଗଲା ୧୭.୧୨.୨୦୧୫ର ସେହି ଘୋଷଣା । ତେଣୁ ତାଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସେ ଓଡ଼ିଆ ଜାତିକୁ ୧୯.୪.୨୦୧୬ ତାରିଖରେ ଅବଗତ କରାଇଲେ କି, ୧୫ ଦିନ ମଧ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଆ ଭାଷାରେ ଶିକ୍ଷକ ତଥା ଅଧ୍ୟାପକ ପଦବୀ ପୂରଣ କରିବେ । ତାଙ୍କ ଅଧିନସ୍ଥ ସାଧାରଣ ପ୍ରଶାସନ ବିଭାଗ ପତ୍ର ସଂଖ୍ୟା ୯୦୬୨ / ତାରିଖ ୨୧.୪.୨୦୧୬ ଦ୍ଵାରା ଏହି ଆଦେଶକୁ ସଶକ୍ତୀକୃତ କଲା । କିନ୍ତୁ ନବୀନବାବୁ ଏପରି ଦକ୍ଷତାର ସହ ଶାସନ ଚଳଉଛନ୍ତି ଯେ, ସେହି ୧୫ ଦିନ ସରିବାକୁ ଲାଗିଗଲାଣି ୧୭.୧୨.୨୦୧୫ ତାରିଖରୁ ୧୭.୧୨.୨୦୨୦ ତାରିଖ – ପୂର୍ଣ୍ଣ ୫ ବର୍ଷ । ଏଯାଏଁ  ଜଣେ ହେଲେ ବି କେହି ଓଡ଼ିଆରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇନାହାନ୍ତି ।

ପ୍ରତାରଣର ଏ ପାଞ୍ଚ ବର୍ଷ ଶେଷରେ ଯେତେବେଳେ ୯୭୨ ଜଣ ଅଧ୍ୟାପକ ନିଯୁକ୍ତି ପାଇବାକୁ ଯାଉଛନ୍ତି, ସେମାନଙ୍କ ଭିତରେ ଇଂରାଜୀ ଭାଷା ପଢାଇବାକୁ ନିଯୁକ୍ତ ହେବେ ୧୫୯ ଜଣ, ଅଥଚ ଓଡ଼ିଆ ଭାଷାରେ ଖାଲି ଥିବା ୪୨୮ ପଦବୀ ପାଇଁ ଜଣେ ମଧ୍ୟ ନିଯୁକ୍ତି ପାଇବେ ନାହିଁ ।

ଓଡ଼ିଆ ଜାତି ହାତକୁ ଆଇନ ନେବା ଉଚିତ ମଣିବା ପୂର୍ବରୁ ସରକାର ସୁଧୁରିଯାନ୍ତୁ ।

ଭାଷା ଆଇନ ଅମାନ୍ୟକାରୀକୁ ଦଣ୍ଡବିଧାନ ଆବଶ୍ୟକ: ପ୍ରଫେସର ବୀରେନ୍ଦ୍ର ନାୟକ

ସୂତ୍ର : ଆମ ଭାଷା ଆମ ଅଧିକାର

ସୁବିଖ୍ୟାତ ଗଣିତତତ୍ତ୍ଵବିତ୍ ତଥା ସାମାଜିକଚେତନାବିଶ୍ଳେଷକ ପ୍ରଫେସର ବୀରେନ୍ଦ୍ର ନାୟକ କହିଛନ୍ତି, ଓଡ଼ିଶା ପ୍ରଦେଶ ଓଡ଼ିଆ ଭାଷାରେ ପରିଚାଳିତ ନ ହେବା ଓଡ଼ିଆ ଜାତି ପ୍ରତି ଏପରି ଅସମ୍ମାନ, ଯହିଁରୁ ମୁକ୍ତିପାଇଁ ମନୀଷୀ ନବକୃଷ୍ଣ ଚୌଧୁରୀ ଦେଇଯାଇଥିବା ଭାଷା ଆଇନ ଅମାନ୍ୟକାରୀକୁ ଦଣ୍ଡବିଧାନ ଆବଶ୍ୟକ । ଆଇନଟିର ପ୍ରଣୟନ ବେଳେ ନବବାବୁ କହିଥିଲେ, “ଏଇ କାମଟି ଆମେ ସ୍ଵାଧୀନତା ପରେ ପରେ ହାତକୁ ନେଇଥିଲେ ତାହା ବହୁ ଉତ୍ସାହ ସୃଷ୍ଟି କରିଥାନ୍ତା, ଲୋକେ ବୀ ସ୍ଵାଧୀନତାର ସ୍ଵାଦ ପାଇଥାନ୍ତେ ।” ଆଇନଟିକୁ କାର୍ଯ୍ୟକାରୀ କରା ନଯାଇ ଆମ ଲୋକଙ୍କୁ ସ୍ଵାଧୀନତାର ସ୍ଵାଦ ପାଇବାରୁ ଏଯାଏଁ ବଞ୍ଚିତ କରାଯାଇଛି ବୋଲି କହିଥିଲେ ପ୍ରଫେସର ନାୟକ “ମନୀଷୀ ନବକୃଷ୍ଣ ଓ ଓଡ଼ିଶା ଭାଷା ଆଇନ” ଶୀର୍ଷକ ବିଷୟରେ ।

ଓଡ଼ିଆରେ ଓଡ଼ିଶା ପାଇଁ ଚାଲିଥିବା କଳାପତାକା ଅଭିଯାନର ୧୬୯୯ତମ ଦିବସରେ ଭାଷା ଆନ୍ଦୋଳନର ବୌଦ୍ଧିକ ମଞ୍ଚ ଫେସବୁକ ଅନ୍ତର୍ଗତ ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ଡିସେମ୍ବର ୭ ତାରିଖରେ ସିଧା ପ୍ରସାରିତ ଅଭିଭାଷଣରେ ପ୍ରଫେସର ନାୟକ ଭାଷା ଆଇନ ପଛରେ ନିହିତ ଦର୍ଶନ ଉପରେ ଗୁରୁତ୍ଵାରୋପ କରିଥିଲେ । ଦେଶର ସ୍ଵାଧୀନତା ଆଣିଦେଇଥିବା ଗଣତନ୍ତ୍ରକୁ ସାର୍ଥକ କରିବା ପାଇଁ ସାଧାରଣ ଲୋକେ ସକ୍ଷମ ହେବା ସର୍ବାଦୌ ଆବଶ୍ୟକ । ଏଥିପାଇଁ ନିଜ ଭାଷାରେ ସେମାନେ ଶାସନର ତଥ୍ୟ ଜାଣିବା ଆବଶ୍ୟକ ଓ ମତ ପ୍ରକାଶ କରିବା ଆବଶ୍ୟକ । ଏହା ହିଁ ସ୍ଵାଧୀନତାର ସ୍ଵାଦ ହାସଲପାଇଁ ସେମାନଙ୍କୁ ଶକ୍ତି ଯୋଗାଇବ । ଓଡ଼ିଶାର ସାଧାରଣ ଲୋକଙ୍କୁ ଏହି ଶକ୍ତି ପ୍ରଦାନ ପାଇଁ ନବବାବୁ ଭାଷା ଆଇନ ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲେ । ଭାଷା ଆଇନରେ ନିହିତ ଏହି ଦର୍ଶନରୁ ଦୂରେଇ ଯାଇ ଓଡ଼ିଶା ସରକାର ଯେପରି ଖଇରାତି ଯୋଜନମାନ ଚଳାଇଛନ୍ତି ପ୍ରଫେସର ନାୟକ ତହିଁରେ ଘୋର ଉଦ୍ବେଗ ପ୍ରକାଶ କରିଥିଲେ ।

ସେ କହିଥିଲେ, ଶାସକବର୍ଗ ଲୋକଙ୍କ ଉପରେ ନିଜ ଭାଷା ନଡିବା ବିରୁଦ୍ଧରେ ମନୀଷୀ ନବକୃଷ୍ଣ ଥିଲେ ବିଦ୍ରୋହର ପ୍ରଥମ ଓ ବେସାଲିସ୍ ସ୍ଵର । ଯେଉଁ ୧୯୩୫ ଭାରତ ଆଇନ ବଳରେ ନିଜ ଭାଷା ଭିତ୍ତିରେ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଅବତୀର୍ଣ୍ଣ ହେଲା, ସେହି ଆଇନର ଧାରା ୩୯ରେ ଥିଲା, ତଦ୍ଦ୍ଵାରା ଗଠିତ ଭାରତ ଓ ପ୍ରାଦେଶିକ ପ୍ରତିନିଧିସଭାରେ ବିତର୍କର ଭାଷା ହେବ ଇଂରାଜୀ; ଯିଏ ଇଂରାଜୀ ନଜାଣିଥିବେ, କେବଳ ସେ ହିଁ ସ୍ଵତନ୍ତ୍ର ଅନୁମତି ନେଇ ତାଙ୍କ ମାତୃଭାଷାରେ କହିପାରିବେ । ନବବାବୁ ଏହି ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରି ନିଜ ଭାଷା ଓଡ଼ିଆରେ ପ୍ରତିନିଧି ସଭାରେ ନିଜ ବକ୍ତବ୍ୟ ରଖୁଥିଲେ । ଏକ ଦୃଷ୍ଟାନ୍ତ ଦେବାକୁ ଯାଇ ପ୍ରଫେସର ନାୟକ କହିଥିଲେ, ୨୮.୧.୧୯୩୮ ତାରିଖରେ Orissa Moneylenders Bill 1937 ଉପରେ ନବବାବୁ ତାଙ୍କ ଚିରାଚରିତ ଶୈଳୀରେ ଯେତେବେଳେ ଓଡ଼ିଆରେ ନିଜ ବୟାନ ରଖୁଥିଲେ ବିରୋଧୀ ଦଳର ମହାନ୍ ସଦସ୍ୟ ମୌଲବୀ ଲତିଫୁର ରହମାନ୍ ବାଚସ୍ପତିଙ୍କୁ ପଚାରିଥିଲେ – ଯେହେତୁ ତାଙ୍କୁ ଇଂରାଜୀ ଜଣା, ସେହେତୁ ସେ ଓଡ଼ିଆରେ ବକ୍ତବ୍ୟ ରାଖୀ ପାରିବେ କି? ବାଚସ୍ପତି ତୁରନ୍ତ ଉତ୍ତର ଦେଇଥିଲେ – ସେ କେତେବେଳେ ହେଲେ ଇଂରାଜୀରେ କହିନାହାନ୍ତି । ସବୁବେଳେ ଓଡ଼ିଆରେ କହିବା ଥିଲା ୧୯୩୫ ଆଇନର ଧାରା ୩୯ ପ୍ରତି ନବବାବୁଙ୍କ ବିଦ୍ରୋହର ଆହ୍ଵାନ । ଏହି ଆହ୍ଵାନ ଉପରଠାଉରିଆ ନଥିଲା , ଥିଲା ମଜ୍ଜାଗତ ବୋଲି ଦର୍ଶାଇ ପ୍ରଫେସର ନାୟକ ୧୯୫୧ ଫେବୃୟାରୀ ୨୧ ତାରିଖରେ ଏ କିପରି ଓଡ଼ିଆରେ ବଜେଟ ଉପସ୍ଥାପନ କରିଥିଲେ ତହିଁର ଅବତାରଣା କରିଥିଲେ ଅନ୍ୟ ଏକ ଦୃଷ୍ଟାନ୍ତ ଭାବେ । ଗୋଟିଏ ନିର୍ଦ୍ଦିଷ୍ଟ ଭାଷାଭାଷୀ ଜନସମୁଦାୟ ଉପରେ କ୍ଷମତା ବଳରେ ଅନ୍ୟ ଏକ ଭାଷା ନଦିଦିଆଯିବା ବିରୁଦ୍ଦରେ ମାତୃଭାଷାର ପ୍ରୟୋଗକୁ ପ୍ରତିବାଦର ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ ମନୀଷୀ ନବକୃଷ୍ଣ ବୋଲି କହିଥିଲେ ପ୍ରଫେସର ନାୟକ , ଯେ କି ଏକ ସାକ୍ଷାତ୍କାରରେଏକଦା ତାଙ୍କୁ ପଚାରିଥିଲେ, “ଆପଣଙ୍କ ଶାସନ କାଳରେ ବି ଭାଷା ଆଇନ କାର୍ଯ୍ୟକ୍ଷମ ହୋଇପାରି ନଥିବାର କାରଣ କଣ?” ତାଙ୍କ ଉତ୍ତର ଥିଲା, “ତଳୁ ଲୋକମାନେ ଚାପ ଦେଲେନାହିଁ ।”

ପ୍ରଫେସର ନାୟକ କହିଲେ, ଏହି ଚାପ ପକାଇଚାଲିଛି ଭାଷା ଆନ୍ଦୋଳନ ଓ ଏଥିପାଇଁ ସେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓ ତାଙ୍କ ସାଥିମାନଙ୍କୁ ସାଧୁବାଦ ଦେଇଥିଲେ ।

ତାଙ୍କ ଆଲୋକବର୍ଷୀ ଭାଷଣ ଓଡ଼ିଶାର ସାଂପ୍ରତିକ ସାହିତ୍ୟ ଜ୍ୟୋତିଷ୍କମାନଙ୍କ ପ୍ରତି କଟାକ୍ଷପାତ କରିଥିଲା । ସେ କହିଥିଲେ, ନବବାବୁଙ୍କ ସମୟରେ ମଧ୍ୟ ଓଡ଼ିଆରେ କାମ କରିବାକୁ ଅମଲାମାନେ ଅମଙ୍ଗ ଥିଲେ, କାରଣ ଇଂରାଜୀ ଶାସନ କବଳରୁ ମୁକ୍ତ ଭାରତର ଗଣତନ୍ତ୍ର ଶିଶୁ ଅବସ୍ଥାରେ ଥିଲା ଓ ପ୍ରଶାସନରେ ଇଂରାଜୀ ଭାଷା ବ୍ୟବହାର ସେମାନଙ୍କ ଅଭ୍ୟାସଗତ ହୋଇରହିଥିଲା । ମାତ୍ର ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରି ପୁରସ୍କାର ପାଉଥିବା ଓଡ଼ିଆମାନେ କ୍ଷମତାରେ ଥିବା ବେଳେ ଓଡ଼ିଆରେ ନଥିକାମ କାହିଁକି କଲେନାହିଁ ? ଯଦି ସରକାରରେ ଥିବା ଓଡ଼ିଆମାନେ ସ୍ଵତଃସ୍ଫୁର୍ତ୍ତ ଭାବେ ଓଡ଼ିଆରେ ସରକାରୀ କାମ କରିଥାନ୍ତେ, ତେବେ ଆଜି ଭାଷା ଆନ୍ଦୋଳନର ଆବଶ୍ୟକତା ପଡ଼ିନଥାନ୍ତା । ଏହି ଆନ୍ଦୋଳନ ନବବାବୁଙ୍କ ସ୍ମୃତିକୁ ବଞ୍ଚାଇରଖିବା ପାଇଁ ଏକ ନିଷ୍ଠାପର ଉଦ୍ୟମ ବୋଲି କହିଥିଲେ ପ୍ରଫେସର ନାୟକ ।

ଯେଉଁଭାବେ ରାଜ୍ୟ ଚାଲିଛି ତାହା ଓଡ଼ିଆ ଭାଷା ପ୍ରତି ବିପଦ ଟାଣିଆଣୁଛି । ଓଡ଼ିଆ ଭାଷାଶିକ୍ଷା ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ, ସରକାର ରାଜ୍ୟ ସାରା ମୁଖ୍ୟ ସ୍ଥାନମାନଙ୍କରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି ଓ କରୁଛନ୍ତି । ସେଗୁଡ଼ିକର ଶିକ୍ଷାମଧ୍ୟମ ଇଂରାଜୀ । ଅତଏବ, ଓଡ଼ିଆ ଭାଷା ନୁହଁ , ଇଂରାଜୀ ହିଁ ଆଦର୍ଶ ବୋଲି ଓଡ଼ିଆ ଲୋକଙ୍କ ମନରେ ଧାରଣା ଭର୍ତ୍ତି କରୁଛନ୍ତି ରାଜ୍ୟ ସରକାର । ଏହି ବିଡମ୍ବନା, ନବବାବୁଙ୍କ ଭାଷାରେ, ସ୍ଵାଧୀନତାର ସ୍ଵାଦପ୍ରାପ୍ତିର ପରିପନ୍ଥୀ ବୋଲି କହିଥିଲେ ପ୍ରଫେସର ନାୟକ ।

ଭାଷାପ୍ରାଣ ଚାର୍ଟାର୍ଡ ଅକଉଣ୍ଟାଣ୍ଟ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ ।

ଓଡ଼ିଆରେ ଓଡ଼ିଶା: ବାଧା ସୃଷ୍ଟିକାରୀକୁ ହଟାଅ , ଦଣ୍ଡ ଦିଅ – ଦାଶ ବେନହୁର

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଓଡ଼ିଆ ଜାତିର ଗଣତାନ୍ତ୍ରିକ ଅଧିକାର । ଏହି ଅଧିକାର ହାସଲ ପାଇଁ ଚାଲିଛି ଭାଷା ଆନ୍ଦୋଳନ – କଳା ପତାକା ଅଭିଯାନ ।

କରୋନା ମହାମାରୀ ହେତୁ ଏହି ଅଭିଯାନ କାୟିକତଃ ସ୍ଥଗିତ ଥାଇ ବୌଦ୍ଧିକ ସ୍ତରରେ ଚାଲିଛି । ପ୍ରତି ସୋମବାର ଓଡ଼ିଶାର ଜଣେ ଜଣେ ବିଜ୍ଞ ବ୍ୟକ୍ତି ଆନ୍ଦୋଳନର ଫେସବୁକ ମଞ୍ଚରେ ଥିବା ‘ଭାଷା ମା ପାଇଁ ପଦେ‘ ପୃଷ୍ଠାରୁ ପ୍ରାସଙ୍ଗିକ ଅଭିମତ ରଖୁଛନ୍ତି, ଯାହା ସିଧା ପ୍ରସାରିତ ହେଉଛି ।

ଏହି କ୍ରମରେ ସୁବିଦିତ ସାହିତ୍ୟିକ, ପ୍ରଫେସର ଜିତେନ୍ଦ୍ରନାରାୟଣ ଦାଶ (ଦାଶ ବେନହୁର) ନଭେମ୍ବର ୩୦ ଅପରାହ୍ନ ୪ଟା ବେଳେ ଦେଇଥିବା ଅଭିଭାଷଣ ୟୁଟ୍ୟୁବ୍ ଯୋଗେ ପରିବେଷିତ ହୋଇଛି । 

ବର୍ତ୍ତମାନର ଓଡ଼ିଆଙ୍କୁ ଆଗାମୀ ପିଢ଼ିର ଆହ୍ଵାନ

ସୂତ୍ର – ଭାଷା ମାଆ ପାଇଁ ପଦେ 

ଯେଉଁ ରାଜ୍ୟରେ ଭାଷା ଅଧିକାର ହାସଲ ପାଇଁ ୧୬୮୫ ଦିନ ବ୍ୟାପୀ ଚାଲିଥିବା ଏହି ଅନୁପମ ଆନ୍ଦୋଳନ ପ୍ରତି ରାଜ୍ୟ ସରକାର କର୍ଣ୍ଣପାତ ନ କରନ୍ତି, ସେ ରାଜ୍ୟବାସୀ ଯଦି ଭାଷା ଆନ୍ଦୋଳନ ସହ କାୟମନୋବାକ୍ୟରେ ସମ୍ପୃକ୍ତ ନ ହୁଅନ୍ତି , ତେବେ ସମୟ ଆସିବ, ଓଡ଼ିଆ ଭାଷା ଅସ୍ତିତ୍ଵ ହରାଇଥିବ, ଓଡ଼ିଆ ଜାତିର ଭବିଷ୍ୟ ପିଢ଼ି କହୁଥିବ, ଆମର ଏକ ଭାଷା ଥିଲା ଯାହା ନାମ ଓଡ଼ିଆ । ଓଡ଼ିଆ ଜାତିର ପରିଚୟ ହଜିଯାଇଥିବ ଏବଂ ଭବିଷ୍ୟ ପିଢ଼ି ପାଖରେ ବର୍ତ୍ତମାନ ପିଢ଼ିର ଯେଉଁ ପରିଚୟ ଥିବ, ତାହା ଥିବ ମାତୃହନ୍ତାର ପରିଚୟ; କାରଣ, ମା ଓ ମାତୃଭାଷା ଉଭୟେ ସମାନ । ଏହି ଭବିତବ୍ୟ ଦୁର୍ଭାଗ୍ୟ କବଳରୁ ବର୍ତ୍ତମାନର ଓଡ଼ିଆ ସମାଜ ନିଜକୁ ରକ୍ଷାକରୁ ବୋଲି ପ୍ରାଣର ଅବେଗରେ କହିଥିଲେ ଶ୍ରୀମାନ୍ ଶତପଥୀ, ଯେ କି ତାଙ୍କ ପରି ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରି ବଲାଙ୍ଗୀରରେ ଓଡ଼ିଆ ଭାଷା ସ୍ଵାର୍ଥରେ ଗଢ଼ିଛନ୍ତି ଏକ ଅନୁପମ ସଂଗଠନ “ମହାନ ଆମ ମାତୃଭାଷା ସଙ୍ଘ” ।

ସେ କହିଛନ୍ତି ଆବଶ୍ୟକତା ନଥିଲେ ଆଦର କମିଯାଇଥାଏ, ଯାହା ଆମ ଭାଷା କ୍ଷେତ୍ରରେ ଦେଖାଯାଉଛି | ତେଣୁ ଯେହେତୁ ସରକାରୀ ସ୍ତରରେ ଆଜି ମାତୃଭାଷାର ଆବଶ୍ୟକତାନାହିଁ, ଜଣେ ପଢିବ କାହିଁକି ? ଓଡ଼ିଆ ଭାଷା ପ୍ରତି ଆଦର ଅଭାବରୁ ଆଜି ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଛାତ୍ରମାନଙ୍କ ଭବିଷ୍ୟ ଅନ୍ଧାର | ଇଂରାଜୀମାଧ୍ୟମ ବିଦ୍ୟାଳୟଗୁଡ଼ିକର ଚାହିଦା ସହ “ସ୍ପୋକେନ ଇଂଲିଶ” ପ୍ରତି ଅହେତୁକ ପ୍ରେମ ଦେଖାଯାଉଛି, ଯଦ୍ଦ୍ଵାରା ଘରେ ପିତାମାତାମାନେ ମଧ୍ୟ ପିଲାମାନଙ୍କ ସହ ଇଂରାଜୀରେ କଥା ହେଉଛନ୍ତି | ଅର୍ଥାତ, ମୂଳରୁ ଆମେ ଆମ ଭାଷାର ବିନାଶ କରୁଛେ |

“ସାହିତ୍ୟ ବଞ୍ଚିଥିବା ପର୍ଯ୍ୟନ୍ତ ଭାଷା ମରିବନି”ବୋଲି ଯେଉଁମାନେ ଯୁକ୍ତି କରନ୍ତି ସେମାନେ ଓଡ଼ିଆ ଭାଷାର ପ୍ରକୃତ ଆବଶ୍ୟକତା ସମ୍ପର୍କରେ ଉଦାସୀନ । ସାହିତ୍ୟ ଅନେକ ଲେଖାଯାଉଛି ସତ୍ୟ, କିନ୍ତୁ ଲୋକାଭିମୁଖୀ ସାହିତ୍ୟର ଘୋର ଅଭାବ ଦେଖାଦେଉଛି । ଆମ ଲୋକଙ୍କ ହୃଦୟକୁ ସ୍ପର୍ଶ କରିପାରୁନି ଆଧୁନିକ ସାହିତ୍ୟ; ଫଳରେ ଲୋକେ ସାହିତ୍ୟଠାରୁ ମୁହଁ ଫେରାଇ ନେଉଛନ୍ତି । ସାହିତ୍ୟ ହୋଇଗଲାଣି ପାଠକମାରଣ ସାହିତ୍ୟ । ସାହିତ୍ୟିକମାନେ ଏହି ବାସ୍ତବତା ଅନୁଭବ କରନ୍ତୁ ଓ ଯଶମନସ୍କ ନ ହୋଇ ଭାଷାମନସ୍କ ହୁଅନ୍ତୁ ବୋଲି କହି , ସେ କହିଛନ୍ତି, ଲୋକ ବ୍ୟବହାର ଓ ଶାସନର ଭାଷା ନହେଲେ, ଭାଷା ମରିଯାଏ।

ଭାଷା ଜନନୀ ପାଇଁ ଆମ ଆଗାମୀ ପିଢ଼ିର ହୃଦୟର ଉତ୍କଣ୍ଠା ଅନୁଭବ କରିବା ପାଇଁ ଏହି ହୃଦୟସ୍ପର୍ଶୀ ଭାଷଣ ବର୍ତ୍ତମାନର ସମଗ୍ର ଓଡ଼ିଆ ଜାତି  ଅନୁଧ୍ୟାନ କରନ୍ତୁ ।

ସେଥିପାଇଁ ଭାଷା ଆନ୍ଦୋଳନର ଫେସବୁକ ମଞ୍ଚରେ ଥିବା ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ସିଧା ପ୍ରସାରିତ ଏହି ବାସ୍ତବ ଚିତ୍ର ପ୍ରଦାୟକ ଅଭିଭାଷଣକୁ ସେହି ପୃଷ୍ଠାର ପରିସୀମା ବାହାରେ ଥିବା ସବୁ ଓଡ଼ିଆଙ୍କ ଅବଗତି ପାଇଁ ଏଠାରେ ସ୍ଥାନିତ କରାହୋଇଛି ।  

ବିଷୟ ଥିଲା “ଆଗାମୀ ପିଢ଼ି ପାଇଁ ମାତୃଭାଷା । ସିଧା ପ୍ରସାରଣରେ ସହଯୋଗ କରିଥିଲେ ଓଡ଼ିଶାର ଅନ୍ୟତମ ଯୁବ ପ୍ରତିଭା ରଞ୍ଜନ କୁମାର ସାହୁ, ଚାର୍ଟଡ ଆକାଉଣ୍ଟାଣ୍ଟ  ।

ଭାଷା ଆନ୍ଦୋଳନକୁ ସଫଳ କରାଇବା ଓଡ଼ିଆ ଜାତିର ଐତିହାସିକ ଦାୟିତ୍ଵ : ରାମକୃଷ୍ଣ ପଣ୍ଡା

ଦି ନିଉଜ୍ ସିଣ୍ଡିକେଟ୍

ଅଖିଳ ଭାରତ ଟ୍ରେଡ୍ ୟୁନିୟନ୍ କଂଗ୍ରେସର ଜାତୀୟ ସମ୍ପାଦକ ସାଥୀ ରାମକୃଷ୍ଣ ପଣ୍ଡା ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ସାଢ଼େଚାରିବର୍ଷରୁ ଉର୍ଦ୍ଧ୍ଵକାଳ ଧରି ଲାଗିରହିଥିବା ଭାଷା ଆନ୍ଦୋଳନକୁ ସଫଳ କରାଇବା ବର୍ତ୍ତମାନ ଓଡ଼ିଆ ଜାତିର ଐତିହାସିକ ଦାୟିତ୍ଵ ବୋଲି ମତ ବ୍ୟକ୍ତ କରିଛନ୍ତି । ଆଜି ଯଦି ଆମେ ଏ ଆନ୍ଦୋଳନକୁ ସଫଳ ନ କରାଉଁ , ତା ହେଲେ ଆଉ କିଛି ବର୍ଷ ପରେ ଆମେ ଚାହିଁଲେ ମଧ୍ୟ ଆମ ଭାଷା ଓ ଆମ ସଂସ୍କୃତିକୁ ରକ୍ଷା କରି ହେବନି ସେ ଦେଇଛନ୍ତି ହୃଦୟସ୍ପର୍ଶୀ ଚେତାବନୀ ।

ସେ କହିଛନ୍ତି, ଏହି ଭାଷା ଆନ୍ଦୋଳନ ଆହୁରି ପରିବ୍ୟାପ୍ତ ହେବା ଆବଶ୍ୟକ । ପ୍ରତ୍ୟେକ ଓଡ଼ିଆପ୍ରାଣ ଏହାକୁ ଆଗକୁ ବଢାଉ । ସମସ୍ତେ ହୁଏତ କଳାପତାକା ଅଭିଯାନରେ ଅଂଶ ଗ୍ରହଣ କରି ନପାରନ୍ତି, ମାତ୍ର ଯିଏ ଯେପରି ପାରିବ ସେ ସେପରି ଭାବେ ଏହି ଆନ୍ଦୋଳନକୁ ସହଯୋଗ କରୁ । ଏହା ସହ ଯେପରି ସମ୍ଭବ ସେପରି ଜଡ଼ିତ ହେଉ ।

ସରକାର ଶିଳ୍ପସାମ୍ରାଜ୍ୟର ମାଲିକମନଙ୍କ ସ୍ଵାର୍ଥ ରକ୍ଷା କରିବାକୁ ଯାଇ ଜନସାଧାରଣଙ୍କ ବିରୁଦ୍ଧରେ ନାନା ଭୁଲ ନିଷ୍ପତ୍ତି ନେଇଚାଲିଛନ୍ତି । ଯେ କୌଣସି ସରକାରୀ ଭୁଲ ବିରୁଦ୍ଧରେ ଆଜି ନହେଲେ କାଲି ଆନ୍ଦୋଳନ ହୋଇପାରେ । ମାତ୍ର ନିଜ ଭାଷା ବିରୁଦ୍ଧରେ ସରକାରଙ୍କ ଭୁଲ ପଦକ୍ଷେପକୁ ହଟାଇବା ପାଇଁ ଚାଲିଥିବା ଆନ୍ଦୋଳନ ପ୍ରତି ମୁହୁର୍ତ୍ତେ ମଧ୍ୟ ଅବହେଳା ସ୍ପୃହଣୀୟ ନୁହେଁ । ଅନ୍ୟ ଯେ କୌଣସି ଆନ୍ଦୋଳନ ଅପେକ୍ଷା କରିପାରେ, କିନ୍ତୁ ଭାଷା ପାଇଁ ଆନ୍ଦୋଳନ ଅପେକ୍ଷା କରିନପାରେ ।

ଏହି ଆନ୍ଦୋଳନର ସଫଳତା ଶ୍ରମିକ ଶ୍ରେଣୀର ସ୍ଵାର୍ଥ ସଙ୍ଘର୍ଷର ସଫଳତା ସୁନିଶ୍ଚିତ କରିବ ବୋଲି ଦର୍ଶାଇ ଭାରତର ଏହି ଅନ୍ୟତମ ଶ୍ରେଷ୍ଠ ଶ୍ରମିକ ସଂଗଠକ କହିଛନ୍ତି, ୧୮୫୭ ସିପାହୀ ବିଦ୍ରୋହରେ ଚାକିରି କରୁଥିବା ଲୋକଙ୍କ ସାଙ୍ଗଠନିକ ସଚେତନତାର ଯେଉଁ ଅଙ୍କୁରୋଦ୍ଗମ ହୋଇଥିଲା ତାହାକୁ ସମସ୍ତ ମେହନତ୍କାରୀ ମଣିଷର ଆଇନସିଦ୍ଧ ଅଧିକାରର ରୂପ ପ୍ରଦାନ ପାଇଁ ୧୯୨୦ରେ ପ୍ରତିଷ୍ଠା ହୋଇଥିଲା ଭାରତର ପ୍ରଥମ ଶ୍ରମଜୀବୀ ସଂଗଠନ – ଅଖିଳ ଭରତ ଟ୍ରେଡ୍ ୟୁନିୟନ୍ କଂଗ୍ରେସ୍ । ଏହା ପକାଇଥିଲା ଭାରତରେ ସଂଗଠିତ ଶ୍ରମିକ ଆନ୍ଦୋଳନର ମୂଳଭିତ୍ତି । ପରାଧୀନ ଭାରତରେ ୧୯୨୬ରେ ଯେ ଶ୍ରମିକମାନଙ୍କ ସାଙ୍ଗଠନିକ ଅଧିକାରକୁ ସ୍ଵୀକାର କରି ଟ୍ରେଡ୍ ୟୁନିୟନ୍ ଆଇନ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇପାରିଲା ତାହା ମୂଳରେ ଥିଲା ଏହି ସଂଗଠନର କୃଚ୍ଛ୍ର ସାଧନା । ସେହି ଦିନଠାରୁ ବହୁ ସଂଘର୍ଷ କରି କରି ଭାରତର ଶ୍ରମିକ ସମାଜ ସଫଳ ହୋଇଥିଲା ୧୯୪୬ରେ ନିଜର ବିଶ୍ରାମ ଅଧିକାର ହାସଲ କରିବା ପାଇଁ ; ଆଇନ ସିଦ୍ଧ ହୋଇଥିଲା ୮ ଘଣ୍ଟିଆ ଶ୍ରମ ଦିବସ । ବର୍ତ୍ତମାନର ସରକାର ୧୨ ଘଣ୍ଟିଆ ଶ୍ରମ ଦିବସ ଜାରି କରି ଶ୍ରମିକ ସମାଜକୁ ସ୍ଵାଧୀନତା ପୂର୍ବ ଅବସ୍ଥାକୁ ଫିଙ୍ଗି ଦେଇଛନ୍ତି । ଏହା ଫଳରେ ଦୁଇ ସିଫ୍ଟ କାମ ହୋଇ ଏକ ତୃତୀୟାଂଶ ଶ୍ରମିକ ନିଯୁକ୍ତି ହରାଇବେ ଓ ନିଯୁକ୍ତି ହରାଇନଥିବା ଶ୍ରମିକମାନେ ଅଧିକ ଶୋଷଣର ଶିକାର ହେବେ ।

ଶ୍ରମିକମାନଙ୍କ ବିରୁଦ୍ଧରେ ଅନ୍ୟ ଏକ ଭୟଙ୍କର ସରକାରୀ ଷଡଯନ୍ତ୍ରର ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି, ୧୦୦ ଜଣ ଶ୍ରମିକ ଥିବା କାରଖାନାରେ ସ୍ଥାୟୀ/ଅସ୍ଥାୟୀ କାର୍ଯ୍ୟବନ୍ଦ/ତାଲାବନ୍ଦ ପାଇଁ ସରକାରୀ ଅନୁମତି ଅପରିହାର୍ଯ୍ୟ ଥିବା ବେଳେ, ବର୍ତ୍ତମାନର ସରକାର ଏହି ୧୦୦କୁ ୩୦୦ କରିଦେଇଛନ୍ତି । ତେଣୁ ୩୦୦ରୁ ଊଣା ଶ୍ରମିକ ଥିବା କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କ ନିଯୁକ୍ତି ସ୍ଥିରତା ଉଜୁଡ଼ି ଯାଇଛି ଓ କାରଖାନା ଚଳାଇରଖିବାକୁ ସେମାନେ ମାଲିକମାନଙ୍କ ଯାବତୀୟ ଜୁଲୁମକୁ ସହିବାକୁ ବାଧ୍ୟ ହେଉଛନ୍ତି ।

ଶ୍ରମିକ ସଂପ୍ରଦାୟର କ୍ରମାଗତ ସଂଘର୍ଷ ଓ ଆତ୍ମତ୍ୟାଗର ଭିତ୍ତି ଉପରେ ତିଆରି ୪୪ଟି ଶ୍ରମ ସମ୍ପର୍କିତ ଆଇନକୁ ବର୍ତ୍ତମାନର ସରକାର ଭାଙ୍ଗିଭୁଙ୍ଗି ୪ଟି କୋଡରେ ସୀମିତ କରିଥିବା ବେଳେ ଚାକିରି ସର୍ତ୍ତାବଳୀ ସମ୍ପର୍କରେ ଶ୍ରମିକମାନଙ୍କୁ ଅନ୍ଧକାରରେ ରଖାହୋଇଛି , କାରଣ ଶ୍ରମିକମାନଙ୍କ ମାତୃଭାଷାରେ ନ ରହି ସେମାନେ ନ ଜାଣିଥିବା ଇଂରାଜୀ ଭାଷାରେ ଏହା ଜାରିକରାଯାଉଛି । ଏହା ଏଇଥିପାଇଁ ଯେ, ଶୋଷକ-ଶାସକ ଶ୍ରେଣୀ ଭୟ କରୁଛନ୍ତି ଶ୍ରମ ଆଇନ ଯଦି ଶ୍ରମିକମାନଙ୍କ ପାଇଁ ଅବୋଧ୍ୟ ଭାଷାରେ ନ ରହେ ତେବେ ସେମାନେ ସେମାନଙ୍କ ଆଇନସିଦ୍ଧ ଅଧିକାର ସମ୍ପର୍କରେ ଜାଣିଯିବେ ଓ ସେମାନଙ୍କ ଶ୍ରମମୂଲ୍ୟ ଲୁଣ୍ଠନ ସହଜ ହେବ ନାହିଁ ।

ଅପରପକ୍ଷେ, “କଣ୍ଟ୍ରାକ୍ଟ ଏମ୍ପ୍ଲୟମେଣ୍ଟ”, “ସିଜନାଲ ଏମ୍ପ୍ଲୟମେଣ୍ଟ”, “ଫିକ୍ସ୍ଦ-ଟାଇମ୍ ଏମ୍ପ୍ଲୟମେଣ୍ଟ” ଆଦି ନାନା ଅବୋଧ୍ୟ ବିଦେଶୀ ଢାଞ୍ଚାର ନିଯୁକ୍ତି-ନାମ ଆମଦାନୀ କରି, ଶ୍ରମଜୀବୀମାନଙ୍କ ମଧ୍ୟରୁ ୯୨ ଶତାଂଶ ଅସଙ୍ଗଠିତ ଶ୍ରମିକମାନଙ୍କୁ ସରକାର ଭୟାନକ ଅନିଶ୍ଚିତତା ଭିତରକୁ ଠେଲି ଦେଇଥିବା ବେଳେ ନିଯୁକ୍ତିଦାତା ଓ ନିଯୁକ୍ତ ହୋଇଥିବା କର୍ମଚାରୀମାନଙ୍କ ଭିତରେ ଆଇନ ବହିର୍ଭୂତ ତଥା ଉତ୍ତରଦାୟିତ୍ଵହୀନ ମଧ୍ୟସ୍ଥି ବ୍ୟବସ୍ଥା ତିଆରି କରିଛନ୍ତି ଯାହାକୁ “ସର୍ଭିସ ପ୍ରୋଭାଇଡ଼ର” ବୋଲି କହି ତାଙ୍କ କବଳରେ ପକାଇଦିଆଯାଇଛି ଅସଂଗଠିତ ଶ୍ରମିକ କର୍ମଚାରୀଙ୍କ ଜୀବନ ଜୀବିକାର ଭାଗ୍ୟ । ଅଥଚ ଏହାର ଅର୍ଥ କ’ଣ ତାହା ଶ୍ରମିକମାନେ ଜାଣନ୍ତିନାହିଁ ।  ସେମାନେ ଜାଣନ୍ତି ନାହିଁ ଯେ, “ସର୍ଭିସ ପ୍ରୋଭାଇଡ଼ର”ସହ ସଂଯୁକ୍ତ ଚାକିରି ସଂପୂର୍ଣ୍ଣତଃ ଠିକା ଚାକିରି ଓ ଶିଲ୍ପ/ଶ୍ରମ ଆଇନର କୌଣସି କଲ୍ୟାଣକାରୀ ବ୍ୟବସ୍ଥା ସେମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ।

ସ୍ଵାଧୀନ ଭାରତର ଏହି ଅଧ୍ୟାୟରେ ଶ୍ରମିକ ଶୋଷଣ ସବୁ ସୀମା ଲଙ୍ଘନ କରିଛି, କାରଣ ଯେଉଁ ଆଇନ, ଯେଉଁ ସରକାରୀ ସିଦ୍ଧାନ୍ତ ଓ ନିର୍ଦ୍ଦେଶ ଏପରି ଭାବେ ଶ୍ରମିକର ଭାଗ୍ୟ ନିୟନ୍ତ୍ରଣ କରୁଛି ତାହା ଶ୍ରମିକର ମାତୃଭାଷାରେ ଉପଲବ୍ଧ ନୁହେଁ ।
ଯେଉଁ ପର୍ଯ୍ୟନ୍ତ ଏ ସମସ୍ତ ଶ୍ରମ ଆଇନ ଓ ଶ୍ରମିକମାନଙ୍କ ପାଇଁ ପ୍ରଯୁଜ୍ୟ ସମସ୍ତ ବ୍ୟବସ୍ଥା ଓଡ଼ିଆ ଭାଷାରେ ଓଡ଼ିଆ ଶ୍ରମିକମାନଙ୍କୁ ଉପଲବ୍ଧ ହୋଇନାହିଁ , ସେ ପର୍ଯ୍ୟନ୍ତ ଶ୍ରମିକ ଶୋଷଣର ଏବଂ ସେମାନଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନର ଅନ୍ତଃବିଧାନ ସମ୍ଭବ ନୁହେଁ ବୋଲି କହି ଭାଷା ଆନ୍ଦୋଳନ ସଫଳ ହେଲେ ଏହା ସମ୍ଭବ ହେବ ବୋଲି କହିଛନ୍ତି ଶ୍ରୀ ପଣ୍ଡା ।