ଯୁବ ପିଢ଼ି ହିଁ ବିପଦମୁହଁରୁ ମାତୃଭାଷାକୁ ବଞ୍ଚାଇବ : ପାଠଚକ୍ରର ନିର୍ଦ୍ଧାରଣ

(ଆମ ଭାଷା ଆମ ଅଧିକାର ସୂତ୍ରରୁ )

ଭାଷା ବଞ୍ଚିଲେ ଆମ ଅସ୍ମିତା ବଞ୍ଚିବ । ଆମ ଭାଷା ଆଜି ବିପଦରେ ଓ ଏହି ବିପଦରୁ ଉଦ୍ଧାର ପାଇଁ ଓଡ଼ିଶାର ସନ୍ତାନସନ୍ତତି ମାନେ ଆଗେଇ ଆସିବା ଆବଶ୍ୟକ । ଵିଶେଷତଃ ଯୁବସମାଜ ଆଗେଇ ଏ ଦାୟିତ୍ବ କାନ୍ଧେଇ ନେବା ଆବଶ୍ୟକ; କାରଣ ସେମାନେ ହିଁ ଆମର ଭବିଷ୍ୟତ ଓ ତାଙ୍କରି ମନଯୋଗ ଉପରେ ଆମ ଭାଷାଅସ୍ମିତା ନିର୍ଭର କରେ । ଏହିଭଳି ମତ ରଖିଥିଲେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆନ୍ଦୋଳନର ଦ୍ଵିତୀୟ ସପ୍ତାହନ୍ତ ପାଠଚକ୍ରରେ  ରଖିଥିଲେ ଗତ ରବିବାର ।

ଏହି ପାଠଚକ୍ରର ତୃପ୍ତିମୟୀ ପାତ୍ର ଯୋଗ ଦେଇ ଯୁବସମାଜର ଦାୟିତ୍ୱବୋଧ ଉପରେ ଆଲୋକପାତ କରି କହିଥିଲେଯେ ଆମ ମନରେ ଆମ ଭାଷା ପ୍ରତି ଥିବା ହୀନ ଭାବନା ଦୂର ହେବା ଆବଶ୍ୟକ ଓ ତାହା କେବଳ ନିରଳସ ଭଲପାଇବା ଦ୍ୱାରା ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଗୁଳରୁ ଭାଗ ନେଇଥିବା ସରୋଜ ମହାନ୍ତି ଭାଷାପ୍ରତି ଆସୁଥିବା ବିପଦ ଓ ତାର ପ୍ରତିକାର ସମ୍ବନ୍ଧରେ କହିଥିଲେ ଯେ, କିଛି ମୁଷ୍ଟିମେୟ ଯୁବକଯୁବତୀ ଏକାଠି ହେଲେ ଆମ ଭାଷା ପ୍ରତି ଆସୁଥିବା ସମସ୍ତ ବିପଦକୁ ଆମେ ପ୍ରତିହତ କରିପାରିବା ।

ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ମହାଲି, ନିର୍ମଳ କୁମାର, ମହେନ୍ଦ୍ର ତ୍ରିପାଠୀ, ରଂଜନ କୁମାର ସାହୁ ଯୋଗ ଦେଇ ନିଜନିଜର ମତ ରଖି ଆଲୋଚନାକୁ ବଳିଷ୍ଠ କରିଥିଲେ ।

ବାତିଲ ହେଉ ଶିକ୍ଷାବର୍ଷ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କରୋନା ମହାମାରୀରେ ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକରେ “ଅନ୍ଲାଇନ” ଶିକ୍ଷା ଯେଉଁ ପ୍ରହସନ ଚଳାଇଛନ୍ତି ସରକାର,   ତାହା ଲୋପ ହେବା ଉଚିତ ଓ ସେଥିପାଇଁ ଚଳିତ ଶିକ୍ଷାବର୍ଷକୁ ବାତିଲ କରିଦିଆଯିବା ଆବଶ୍ୟକ ।

ବାସ୍ତବ କ୍ଷେତ୍ରରେ ପ୍ରାୟ ୯୦ % ଛାତ୍ରଛାତ୍ରୀ ଏହି “ଅନ୍ଲାଇନ” ଶିକ୍ଷାର ଉପଯୋଗ କରିପାରୁନାହାନ୍ତି । ଉପଯୋଗ କରିବାକୁ ସକ୍ଷମ କେବଳ ପ୍ରାୟ ୧୦ % ଛାତ୍ରଛାତ୍ରୀ ଯେଉଁମାନେ ଅତ୍ୟନ୍ତ ସ୍ବଚ୍ଛଳବର୍ଗ ଅନ୍ତର୍ଗତ, ଯେଉଁ ମାନଙ୍କ ଘରେ ସର୍ବୋଚ୍ଚ ବେଗବାନ ଇଣ୍ଟର୍ନେଟ ସଂଯୋଗ ଅଛି । ଯଦି ଏ ଶିକ୍ଷାବର୍ଷ ବାତିଲ ନହୁଏ, କେବଳ ସେହି ବର୍ଗର ପିଲେ ଏହି ଶିକ୍ଷାବର୍ଷର ଉପକାର ପାଇବେ ଯାହା ଅବଶିଷ୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ ।

The Unified District Information System for School Education ୨୦୧୬-୧୭ ପାଇଁ ଦେଇଥିବା ତଡ଼ିତ୍ ପରିସଂଖ୍ୟାନ ଅନୁଯାୟୀ ସରକାରୀ ସ୍କୁଲମାନଙ୍କ ମଧ୍ୟରୁ କେବଳ ୪% ସ୍କୁଲରେ ଇଣ୍ଟର୍ନେଟ ସଂଯୋଗ ଅଛି । ଅତଏବ ଧନପତି ହୋଇପାରିନଥିବା ସାଧାରଣ ବର୍ଗର ବା ନିର୍ଧନ ବର୍ଗର ସନ୍ତାନମାନେ ଯେଉଁ ସରକାରୀ ସ୍କୁଲମାନଙ୍କରେ ପଢନ୍ତି ସେହି ସ୍କୁଲଗୁଡ଼ିକର ଶତକଡ଼ା ୯୬ ଭାଗ ସ୍କୁଲରେ ଇଣ୍ଟର୍ନେଟ ସଂଯୋଗ ନାହିଁ । ସେହି ସ୍କୁଲଗୁଡ଼ିକର ଶିକ୍ଷକ ଶିକ୍ଷୟତ୍ରୀମାନେ କେଉଁଠୁ କିପରିଭାବେ ଇଣ୍ଟର୍ନେଟ ମାଧ୍ୟମରେ ଶିକ୍ଷାଦାନ ଦେବେ ?

Naational Sample Survey Report on Education ୨୦୧୭ ଜୁଲାଇରୁ ୨୦୧୮ ଜୁନ କାଳଖଣ୍ଡ ଉପରେ ଯେଉଁ ଆଲୋକପାତ କରିଛି ତାହା ସ୍ପଷ୍ଟ କରେ ଯେ, ଗ୍ରାମାଞ୍ଚଳ ଘରମାନଙ୍କରୁ ୪.୪ ଶତାଂଶ ଘରେ କମ୍ପୁଟର ଥିବା ବେଳେ ମାତ୍ର ୧୪.୯ ଶତାଂଶ ପରିବାରରେ ଇଣ୍ଟର୍ନେଟ ସଂଯୋଗ ଅଛି । ସର୍ବ ଭାରତୀୟ ସ୍ତରରେ ଏହାର ପରିମାଣ ଯଥାକ୍ରମେ ୧୦.୭ ଓ ୨୩.୮ ଶତାଂଶ ।

ଏହି ସମ୍ପୂର୍ଣ ଅସମତଳ ଭିତ୍ତିଭୂମି ଉପରେ ଯଦି ଚଳିତ ଶିକ୍ଷାବର୍ଷକୁ ବାତିଲ କରାନଯାଇ ଆଗକୁ ମଡ଼େଇ ନିଆଯାଏ, ତେବେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ପ୍ରାୟ ୯୦ ଶତାଂଶ ଛାତ୍ରଛାତ୍ରୀ ଯେଉଁମାନେ ଚଳିତ ବର୍ଷସ ଶିକ୍ଷା ଆଦୌ ପାଇନଥିବେ ।

ସରକାରୀ ଇଚ୍ଛାକୃତ ଅବହେଳାରୁ ଉଜୁଡ଼ା ଅବସ୍ଥାରେ ଥିବା ସ୍କୁଲସମୂହ ହେଉ କି ଚାକଚକ୍ୟମୟ ଘରୋଇ ସ୍କୁଲ ହେଉ, କୌଣସିଥିର ଶିକ୍ଷକ ଶିକ୍ଷୟତ୍ରୀ ତଥାକଥିତ “ଅନ୍ଲାଇନ” ଶିକ୍ଷାଦାନରେ ଦକ୍ଷ ନୁହନ୍ତି ; କାରଣ ସେପରି କୌଣସି ପାଠ୍ୟକ୍ରମରେ ସେମାନେ ତାଲିମ ପାଇନାହାନ୍ତି । “ଅନ୍ଲାଇନ” ଶିକ୍ଷାଦାନକୁ ଆଖିରେ ରଖି ପାଠ୍ୟକ୍ରମ ପ୍ରସ୍ତୁତ ବି ହୋଇନାହିଁ । ସୁତରାଂ “ଅନ୍ଲାଇନ ଶିକ୍ଷା” ଏକ ପ୍ରହସନ ଭିନ୍ନ କିଛି ବି ନୁହେଁ ।

ଅତି ଉଚ୍ଚ ବର୍ଗର ସ୍କୁଲରେ ପଢୁଥିବା ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ “ଅନ୍ଲାଇନ” ପରୀକ୍ଷାରେ କିପରି ହତାଶ ହେଉଛନ୍ତି ତାହାର ଏକ ପ୍ରମାଣ ଏଠାରେ ଉପସ୍ଥାପିତ ହେଲା । “ଅନ୍ଲାଇନ” ଶିକ୍ଷାଦାନ ଓ “ଅନ୍ଲାଇନ” ପରୀକ୍ଷଣରେ ଉଚ୍ଚବର୍ଗ ଅନ୍ତର୍ଗତ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କର କୌଣସି ବାସ୍ତବ ଜ୍ଞାନ ଓ ଅଭିଜ୍ଞତା ନଥିବା ହେତୁ ସେମାନେ ଏହି ଦାୟିତ୍ଵ ତୃତୀୟ ପକ୍ଷକୁ ପ୍ରଦାନ  କରିଛନ୍ତି । ଗତକାଲି ଏକ ନାମଜାଦା ସ୍କୁଲର ଅନ୍ଲାଇନ ପରୀକ୍ଷା ଚାଲିଥିବା ବେଳେ ହଠାତ ସଂଯୋଗ ଛିନ୍ନ ହେଲା । ଆଊ ଇଣ୍ଟର୍ନେଟରେ ପରୀକ୍ଷକ ମିଳିଲେନି । ଏହି ବ୍ୟବସ୍ଥାରେ ପରୀକ୍ଷା ଶେଷରେ ସଙ୍ଗେ ସଙ୍ଗେ ପରୀକ୍ଷିତ ବିଷୟର ଫଳ ପ୍ରକାଶ ହୁଏ । ତାହା ହେଲା ନାହିଁ   । ପରୀକ୍ଷାର୍ଥୀମାନେ ଇଣ୍ଟର୍ନେଟରେ ଯେତେବେଳେ ଫଳ ଖୋଜିଲେ ତାହା ମିଳିଲାନି । ଉତ୍ତର ମିଳିଲା “No result found” !

ସୁତରାଂ, ଜାଜୁଲ୍ୟମାନ ବେସରକାରୀ ସ୍କୁଲ ହେଉ ବା ଓଡ଼ିଶା ସରକାରଙ୍କ ଅଧା ଝଲସା ଇଂରାଜୀ ମାଧ୍ୟମ ଆଦର୍ଶ ବିଦ୍ୟାଳୟ ହେଉ, “ଅନ୍ଲାଇନ” ଶିକ୍ଷାଦାନ  ଉଚ୍ଚବର୍ଗୀୟ ବିଦ୍ୟାଳୟମାନଙ୍କରେ ମଧ୍ୟ ଏକ ପରିହାର୍ଯ୍ୟ ପ୍ରହସନ ଭାବେ ଅନୁଭୂତ ହେଉଛି । ଝାଉଁଳା ବ୍ୟାଧିଗ୍ରସ୍ତ ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକର କଥା ସହଜେ ଅନୁମେୟ ।

ଏହି ପ୍ରହସନ ବନ୍ଦ କରି ସରକାର ଚଳିତ ଶିକ୍ଷାବର୍ଷକୁ ବାତିଲ କରିଦିଅନ୍ତୁ ଓ ଭରତ ସରକାରଙ୍କ ଦୂରଦର୍ଶନ ମାଧ୍ୟମରେ ଶିକ୍ଷାଦାନ ଚଳାଇରଖନ୍ତୁ ଯାହା ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ଅଭ୍ୟାସକୁ ବଞ୍ଚାଇରଖିବ ଓ ନୂଆ ଶିକ୍ଷାବର୍ଷରେ ଅଧ୍ୟୟନର ମୂଳଦୁଆ ଭାବେ କାମରେ ଲାଗିବ ।

ନବୀନଙ୍କ ରାଜୁତିରେ ମୃତ୍ୟୁ ମୁହଁରେ ଓଡ଼ିଆ ଭାଷା: ଭାଷା ଆନ୍ଦୋଳନର ସିଧାପ୍ରସାରଣରେ ଡଃ ଗୋବିନ୍ଦ ଭୂୟାଁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଶିଷ୍ଟ ଲେଖକ ଓ ସ୍ତମ୍ଭକର ଡଃ ଗୋବିନ୍ଦ ଭୂୟାଁ ଭାଷା ଆନ୍ଦୋଳନର ‘ଭାଷା ମା ପାଇଁ ପଦେ’ ମଞ୍ଚରୁ ସିଧା ପ୍ରସାରିତ ହୋଇଥିବା ବକ୍ତବ୍ୟରେ ଓଡ଼ିଆ ଭାଷାର ଗରିମାମୟ ଅତୀତ ଓ ଅଗ୍ରଗତିର ଏକ ଆଲୋକବର୍ଷୀ ବର୍ଣନା ରଖି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ଓଡ଼ିଆ ଜାତିର ମାତୃଭାଷାକୁ ମାରିଦେବାକୁ ଉଦ୍ୟମ ଚାଲିଥିବା ଦର୍ଶାଇଛନ୍ତି ।

ଉଲ୍ଲେଖନୀୟ ଯେ, କରୋନା କାଳରେ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଥିବାବେଳେ ବୌଦ୍ଧିକତଃ ଅବ୍ୟାହତ ଅଛି ଓ ପ୍ରତି ସପ୍ତାହରେ ଜଣେ ବିଜ୍ଞ ଓଡ଼ିଆ ଫେସ୍ ବୁକ୍ ମାଧ୍ୟମରେ ଏହି ଭିଡ଼ିଓ ବକ୍ତୃତାମାଳାରେ ଏହି ଅଭିଯାନକୁ ସମର୍ଥନ ପ୍ରଦାନ କରୁଛନ୍ତି । ଜୁଲାଇ ୨୦ ସୋମବାର ସିଧାପ୍ରସାରିତ ହୋଇଥିଲା ଡଃ ଭୂୟାଁଙ୍କ ବକ୍ତୃତା ।

ସମୟସୀମା ଦୃଷ୍ଟିରୁ ତାହା ଅଦ୍ୟତନ କରି ନିମ୍ନରେ ପ୍ରଦତ୍ତ ହେଲା –

ଭାଷା ଆନ୍ଦୋଳନର ଫେସ୍ ବୁକ୍ ଲାଇଭରେ ସତୀଶ ମିଶ୍ର : ଓଡ଼ିଆ ସ୍ଵାଭିମାନର ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଚଣ୍ଡ ସମାଲୋଚନା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

 

 

ଓଡ଼ିଆ ଭାଷାକୁ ଅଚଳ କରି ରଖି ଓଡ଼ିଆ ସ୍ଵାଭିମାନର ବିପର୍ଯ୍ୟୟ ଘଟାଇଥିବା ହେତୁ ସାଂପ୍ରତିକ ଓଡ଼ିଶାର ଅନ୍ୟତମ ତୀକ୍ଷ୍ନସ୍ଵର କମ୍ରେଡ ସତୀଶ ମିଶ୍ର ଆଜି ନବୀନ ପଟ୍ଟନାୟକଙ୍କ ସରକାରକୁଡ ପ୍ରଚଣ୍ଡ ସମାଲୋଚନା କରିଛନ୍ତି ।

କରୋନା କାରଣରୁ ଭାଷା ଆନ୍ଦୋଳନର କଳା ପତାକା ଅଭିଯାନ କାୟିକ ଭାବେ ନ ଚାଲି ବୌଦ୍ଧିକ ଅଭିଯାନର ରୂପ ପରିଗ୍ରହଣ କରିଛି । ଫେସ୍ ବୁକ୍ ମଞ୍ଚରେ ‘ଭାଷା ମା ପାଇଁ ପଦେ’ ନାମକ ଏକ ସ୍ଵତନ୍ତ୍ର ପ୍ରୁଷ୍ଠା (page) ଖୋଲି ତା ମାଧ୍ୟମରେ ଓଡ଼ିଶାର ଲୋକଙ୍କୁ ମାତୃଭାଷାମନସ୍କ କରିବା ପାଇଁ ଏକ ସାପ୍ତାହିକ ଭିଡ଼ିଓ ସିଧା (live) ପ୍ରସାରିତ ହେଉଛି, ଯହିଁରେ ରାଜ୍ୟର ବିଜ୍ଞ ବ୍ୟକ୍ତିମାନେ ଆମ ଭାଷାରେ କାହିଁକି ଆମ ପ୍ରଦେଶ ପରିଚାଳିତ ହେବା ଆବଶ୍ୟକ ତାହା ଓଡ଼ିଶାବାସୀଙ୍କୁ ବୁଝାଉଛନ୍ତି ।  ଆଜି ଥିଲା ଭାଷା ଆନ୍ଦୋଳନର ୧୫୫୨ତମ ଦିବସ । ଆଜିର ସିଧା ପ୍ରସାରଣରେ ବକ୍ତା ଥ୍ଗିଲେ ଶ୍ରୀ ମିଶ୍ର ।

Posted by ଭାଷା ମାଆ ପାଇଁ ପଦେ on Sunday, July 12, 2020

ଆରମ୍ଭ ହେଲା ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ର

ଦି ନିଉଜ୍ ସିଣ୍ଡିକେଟ୍

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ: ଓଡ଼ିଆ ଭାଷାରେ ରାଜ୍ୟ ପରିଚାଳନା । :

ଭାଷା ଆନ୍ଦୋଳନର ଏକମାତ୍ର ଉଦ୍ଦେଶ୍ୟ : ଭାଷା ଆଇନର କାର୍ଯ୍ୟକାରୀତା ପଥରୁ ସମସ୍ତ ଅନ୍ତରାୟ ଅପସାରଣ ପାଇଁ ଏହାର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିର ସଭ୍ଯ ଭାବେ ସେପ୍ଟେମ୍ବର ୩, ୨୦୧୫ ତାରିଖରେ ଦେଇଥିବା ଆଇନ ସଂଶୋଧନ ପ୍ରସ୍ତାବ ଓ ନିୟମାବଳୀର ବିଧିକ ରୂପାୟନ ।

ଏହି ପ୍ରସ୍ତାବ ଅନୁସାରେ ଭାଷା ଆଇନରେ ଧାରା -୫ ଖଞ୍ଜିବାକୁ ସରକାର ବାଧ୍ୟ ହୋଇଥିଲେ ମଧ୍ୟ ଅଣଓଡ଼ିଆ ଅଫିସରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ମିଳାଇ, ବିଧାନସଭାକୁ ମିଛ କହି, ପାଶବିକ ସଂଖ୍ୟାଗରିଷ୍ଠତା ବଳରେ ଭାଷା ଆଇନରେ ଧାରା-୪ ଓ ଧାରା – ୪କ ନାମକ ଦୁଇଟି ଓଡ଼ିଆ ବିରୋଧୀ ବ୍ୟବସ୍ଥା ଖଞ୍ଜିଛନ୍ତି । ମାର୍ଚ୍ଚ ୧୪, ୨୦୧୮ ତାରିଖର ଯେଉଁ କ୍ୟାବିନେଟ୍ ବୈଠକରେ ସୁଭାଷବାବୁଙ୍କ ପ୍ରସ୍ତାବ ଅନୁରୂପ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା, ସେହି କ୍ୟାବିନେଟ୍ ବୈଠକକୁ ମୁଖ୍ୟମନ୍ତ୍ରୀ ଗାଏବ କରିଦେବା ପରି ଅପରାଧ ବି କରିଛନ୍ତି ଓଡ଼ିଆ ଜାତିକୁ ତାର ଭାଷା ଅଧିକାର ନଦେବାପାଇଁ । କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଓ ସମଗ୍ର ବିଶ୍ଵରେ ବିଧାନ ପ୍ରଣଯନ କ୍ଷେତ୍ରରେ ଏପରି ଦୁଷ୍କର୍ମର ପଟାନ୍ତର ନାହିଁ । ଏହି ଦୁଷ୍କର୍ମ କରି ଖସିଯିବା ପାଇଁ ଭାଷା ଆନ୍ଦୋଳନରେ ସୁଭାଷବାବୁଙ୍କର ଘନିଷ୍ଠ ସହଯୋଗୀ ଭାବେ ପରିଚୟ ଲାଭ କରିଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ଯୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କ ଅର୍ଥଲୋଭର ଉପଯୋଗ ଏମାନଙ୍କ ଦ୍ଵାରା ପ୍ରଚାର କରିଛନ୍ତି ଯେ, ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧନ ହୋଇଛି ଓ ସେହେତୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି । ଏପରିଲି ଏହି ବିଶ୍ଵାସଘାତକମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧିତ ହୋଇଥିବାର ସ୍ଵୀକୃତି ଭିତ୍ତିରେ ନିଜ ପାଇଁ ପ୍ରଶଂସାପତ୍ର ବି ଲେଖେଇନେଇଛନ୍ତି ! ନବୀନବାବୁଙ୍କ ଛଡ଼ା ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଏତେ ନିର୍ଲଜ୍ଜ ଭାବେ ମିଥ୍ୟା ପ୍ରଶଂସାପତ୍ର ସଂଗ୍ରହ କରିଥିବାର ନଜିର ନାହିଁ । କିନ୍ତୁ ଓଡ଼ିଆଭାଷାବିଦ୍ଵେଷୀ ନବୀନ ପଟ୍ଟନାୟକଙ୍କ ଏହି ଦଲାଳପଲ ଓ ଓ ତାଙ୍କ ଷଡ଼ଯନ୍ତ୍ର ସତ୍ତ୍ୱେ ଭାଷା ଆନ୍ଦୋଳନ ଚାଲିଛି ଯାହା ଗତକାଲି ଅତିକ୍ରମ କରିଛି ୧୫୫୧ ଦିବସ ।

କରୋନା ମହାମାରୀ କାଳରେ ନୀତିଗତ କାରଣରୁ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଥିବା ବେଳେ ବୌଦ୍ଧିକ ଅଭିଯାନ କାଏମ ଅଛି ଓ ପ୍ରତି ସପ୍ତାହରେ ଓଡ଼ିଶାର ଜଣେ ଜଣେ ବିଖ୍ୟାତ ବ୍ୟକ୍ତି ଭାଷାଆନ୍ଦୋଳନର ଡିଜିଟାଲ ମଞ୍ଚ ‘ଭାଷା ମା ପାଇଁ ପଦେ’ ମାଧ୍ୟମରେ ଭାଷା ଆନ୍ଦୋଳନ ପ୍ରତି ସମର୍ଥବ ଜ୍ଞାପନ କରୁଛନ୍ତ, ଯାହା ସାମାଜିକ ଗଣମାଧ୍ୟମ ‘ଫେସ୍ ବୁକ୍’ ଦ୍ଵାରା ସିଧା ପ୍ରସାରିତ ହେଉଛି ।

ଏହିକ୍ରମରେ ଭାଷା ଆନ୍ଦୋଳନର ଏକ ସାପ୍ତାହିକ ପାଠଚକ୍ର ଆରମ୍ଭ ହୋଇଛି । ପ୍ରତି ରବିବାର ସନ୍ଧ୍ୟା ୭ଟାରୁ ଏହି ପାଠଚକ୍ର ଚାଲିବ ଯେଉଁଥିରେ ଆନ୍ଦୋଳନ ସମ୍ପର୍କରେ ଚର୍ଚ୍ଚା ସାଙ୍ଗକୁ ଆନ୍ଦୋଳନର ସପ୍ତାହନ୍ତ ସମୀକ୍ଷା ବି ହେବ ।

ଗତ ସନ୍ଧ୍ୟାର ପାଠଚକ୍ରରେ  ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ସର୍ବଶ୍ରୀ ରଞ୍ଜନ କୁମାର ସାହୁ, ନିର୍ମଲ କୁମାର ପତ୍ରୀ, ସୁଶାନ୍ତ ମହଲି, ମହେନ୍ଦ୍ର ତ୍ରିପାଠୀ , ଅନୀଲକୁମାର ମହାନ୍ତ, ରାଜେଶ ଶତପଥୀ, ଓ ସୁଧାଂଶୁ ଚୌଧୁରୀ  । ସେମାନଙ୍କ ସାଙ୍ଗକୁ ଜନସେବୀ ସଂଗଠନ ଜୀବନ ସଂଘର୍ଷ ମଧ୍ୟ ସାଙ୍ଗଠନିକ ଭାବେ ଅଂଶ ଗ୍ରହଣ କରିଥିଲେ ।