‘ଉତ୍କଳ’ ନୁହେଁ, ଓଡ଼ିଆ ଜାତିର ପ୍ରାଥମିକତା ହିଁ ‘ଓଡ଼ିଶା’

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା ପ୍ରଦେଶର ଚାରି ପ୍ରମୁଖ ଅଙ୍ଗ ହେଲେ ଉତ୍କଳ, ତୋଷଳ, କଳିଙ୍ଗ, ଓ କୋଶଳ । “ବନ୍ଦେ ଉତ୍କଳ ଜନନୀ” ଗୀତର କବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ଉତ୍କଳ’ ଖଣ୍ଡର ବାସିନ୍ଦା । ତେଣୁ ଓଡ଼ିଶା ନ ଲେଖି ସାବଲୀଳ ଓ ସ୍ଵାଭାବିକ ଶୈଳୀରେ ସେ ଉତ୍କଳ ଶବ୍ଦଟିକୁ ତାଙ୍କ କବିତାରେ ବ୍ୟବହାର କରିଥିଲେ । ଏହା ଆଞ୍ଚଳିକବାଦର ଥିଲା ଏକ ସୁକ୍ଷ୍ମ ସ୍ଵାକ୍ଷର ।

ଏପରି ଆଞ୍ଚଳିକବାଦ ଅନେକଙ୍କ ଜୀବନରେ ଥାଏ । ସେଥିପାଇଁ ଗଞ୍ଜାମଜନ୍ମିତ ବିଜୁବାବୁ ତାଙ୍କ ଶିଳ୍ପବେପାର ପ୍ରତିଷ୍ଠାନଗୁଡିକୁ ତଥା ପୁରସ୍କାର ପ୍ରକଳ୍ପକୁ କଳିଙ୍ଗ ନାମରେ ନାମିତ କରିଥିବା ବେଳେ ତୋଷଳ ଓ କୋଶଳ ଅଂଚଳରେ ସେହି ସେହି ନାମରେ ନାମିତ ବିଭିନ୍ନ ପ୍ରକଳ୍ପ ଦୃଷ୍ଟିଗୋଚର ହୁଏ । ତେଣୁ ଏହି ନାମଗୁଡ଼ିକ ଆଞ୍ଚଳିକ ବୈଶିଷ୍ଟ୍ୟର ପ୍ରଜ୍ଞାପକ ହୋଇଥିବାବେଳେ ଏବଂ ବେଳେବେଳେ ସେଗୁଡିକର ନାମୋଚ୍ଚାରଣରେ ଅଧିକ ପୁଲକିତ ହେଊଥିବା ବ୍ୟକ୍ତିମାନେ ଆଞ୍ଚଳିକବାଦର ଅନୁବର୍ତ୍ତୀ ହେଉଥିବାବେଳେ, ଏହି ଚାରି ନାମଚେତନାକୁ ହୃଦୟରେ ସାଇତି ରଖି ସମଗ୍ର ଓଡ଼ିଆ ଜାତିର ମାତୃଭୂମି ଭାବେ ପରିଚିତ ହୋଇଥିବା ଭୂଖଣ୍ଡର ନାମ ହେଉଛି ଓଡ଼ିଶା ।

ଓଡ଼ିଶା ହେଉଛି ଓଡ଼ିଆ ଜାତିର ଐକ୍ୟର ରୂପକଳ୍ପ , ଅଂଶବିଶେଷର ନୁହେଁ ।

ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଏକ ନୂତନ ସର୍ବବ୍ୟାପି ଜାତୀୟଅସ୍ମିତାର ସୁଖଦ ସ୍ପର୍ଶ ଦେଇ ସାରା ଓଡ଼ିଶାକୁ ଦୀର୍ଘ ନିଦ୍ରାରୁ ଜାଗ୍ରତ କରାଇଲାପରେ କେହି କେହି ଭାଷାପ୍ରେମୀ ‘ଉତ୍କଳ’ ସ୍ଥାନରେ ‘ଓଡ଼ିଶା’ ଲେଖି ରାଜ୍ୟ-ସଂଗୀତ ପ୍ରବର୍ତ୍ତିତ ହେଉ ବୋଲି ମତଦେବା ଆରମ୍ଭ କରିଛନ୍ତି ।ଏହା ଏକ ଅତ୍ୟନ୍ତ ସ୍ଵାଗତଯୋଗ୍ୟ ପ୍ରସ୍ତାବ ।

ମାତ୍ର ଏହି ପ୍ରସ୍ତାବକୁ ସର୍ବାନ୍ତଃକରଣରେ ଗ୍ରହଣ କରିବା ପରିବର୍ତ୍ତେ କେତେକ ବ୍ୟକ୍ତି ବିଭାଜନବାଦୀମାନେ ହିଁ ଏପରି ପ୍ରସ୍ତାବ ଦେଉଥିବା କହୁଛନ୍ତି ଓ ଓଡ଼ିଶାର ସୃଷ୍ଟିତତ୍ତ୍ବ ନ ଜାଣିଥିବା ବ୍ୟକ୍ତିମାନେ ହିଁ ଏହି ପ୍ରସ୍ତାବକୁ ବେଶୀ ବିରୋଧ କରୁଥିବା ଦେଖାଯାଉଛି । ତେଣୁ ଓଡ଼ିଶାର ସୃଷ୍ଟି ଇତିହାସ ଉପରେ ସାମାନ୍ୟ ଦୃଷ୍ଟି ଦେବା ।

ଓଡ଼ିଶାର ସୃଷ୍ଟି ଇତିହାସ

ଏହି ଇତିହାସ ସ୍ପଷ୍ଟ କରେ ଯେ, ‘ଉତ୍କଳ’ ପ୍ରଦେଶ ସୃଷ୍ଟିପାଇଁ କେବେ କୌଣସି ଦାବି ହୋଇନଥିଲା । ଦାବି ହୋଇଥିଲା ‘ଓଡ଼ିଶା’ ପ୍ରଦେଶ ସୃଷ୍ଟିପାଇଁ । ପ୍ରଦେଶଟି ‘ଉତ୍କଳ’ ପ୍ରଦେଶ ଭାବେ ଗଠିତ ହୋଇନଥିଲା । ଗଠିତ ହୋଇଥିଲା ‘ଓଡିଶା’ ପ୍ରଦେଶ ଭାବେ । ୧୮୭୦ରେ ଦୀନବନ୍ଧୁ ପଟ୍ଟନାୟକଙ୍କ ନେତୃତ୍ବରେ ପାରିତ ‘ଘୁମୁସର ପ୍ରସ୍ତାବ’ ପ୍ରଭାବରେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡର ଏକୀକରଣ ପାଇଁ କୁଳଗୌରବ ମଧୁସୂଦନଙ୍କ ନେତୃତ୍ବରେ ଉତ୍କଳ ସମ୍ମିଳନୀ ଯେଉଁ ଆନ୍ଦୋଳନ କରିଥିଲା, ତାହା ‘ଉତ୍କଳ’ ସୃଷ୍ଟି ପାଇଁ ନୁହେଁ , ‘ଓଡ଼ିଶା’ ସୃଷ୍ଟିପାଇଁ ଚାଲିଥିଲା ।

‘ଓଡ଼ିଶା’ ସୃଷ୍ଟି ହେଲେ ତାର ସୀମା କଣ ହେବ, ପ୍ରଶାସନିକ ବ୍ୟବସ୍ତା କଣ ହେବ ଓ ତାର ଆର୍ଥିକ ପରିଚାଳନା କିପରି ହେବ ତାହା ସ୍ଥିର କରିବାପାଇଁ ବ୍ରିଟିଶ ସରକାର ଏହା କମିଟି ଗଠନ କରିଥିଲେ, ଯାହାର ନାମ ଥିଲା ‘ଓଡିଶା ବାଉଣ୍ଡରୀ କମିଶନ” (ଭାରତ ଶାସନର ସଂକଳ୍ପ, ୧୮. ୯. ୧୯୩୧), ଯହିଁରେ ଭାରତର ପୂର୍ବତନ ସ୍ବରାଷ୍ଟ୍ର ସଚିବ ସାମୁଏଲ ଓ’ଡୋନ୍ନେଲ ଅଧ୍ୟକ୍ଷ ଥିବା ହେତୁ ତାକୁ ଓ’ଡୋନ୍ନେଲ କମିଟି ଓ ସଂକ୍ଷେପରେ ‘ଓଡ଼ିଶା କମିଟି’ ବୋଲି କୁହା ହେଉଥିଲା । ଲକ୍ଷ୍ୟ କରିବାର କଥା, ଏହି କମିଟି ନିଯୁକ୍ତିର ଉଦ୍ଦେଶ୍ୟରେ ଓ କାର୍ଯ୍ୟନିର୍ବାହରେ କେବଳ ‘ଓଡ଼ିଶା’ ଥିଲା, ‘ଉତ୍କଳ’ ନ ଥିଲା । ତେଣୁ ଓଡ଼ିଆମାନଙ୍କୁ ତାଙ୍କ ସ୍ବତନ୍ତ୍ର ମାତୃଭୂମି ଦେବାପାଇଁ ଯେଉଁ ପ୍ରଶାସନିକ ପଦକ୍ଷେପ ନିଆହୋଇଥିଲା ତାହା ଥିଲା ‘ଓଡ଼ିଶା’ ସୃଷ୍ଟି ପାଇଁ, ‘ଉତ୍କଳ’ ପାଇଁ ନୁହେଁ । ଉଲ୍ଲେଖନୀୟ ଯେ, ଏହି କମିଟି ବିରୁଦ୍ଧରେ ସ୍ଵର ଉଠିଥିଲା ‘ଉତ୍କଳ’ ଅଂଚଳରୁ । ‘ଉତ୍କଳ କେଶରୀ’ ହରେକୃଷ୍ଣ ମହତାବ ଏହାକୁ କିପରି ବିରୋଧ କରୁଥିଲେ ତାହା ତାଙ୍କରି କାଗଜ ‘ପ୍ରଜାତନ୍ତ୍ର’ରେ ପ୍ରକାଶ ପାଇଥିଲା ୧୯୩୧ ନଭେମ୍ବର ୨୩ ତାରିଖରେ ।ଏକଦା ଗାନ୍ଧିଜୀଙ୍କ ନିକଟତମ ହୋଇପାରିଥିବା ସେତେବେଳର ବିଶିଷ୍ଟ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ୨୧.୩.୧୯୩୩ ତାରିଖରେ କଂଗ୍ରେସ ବିରୁଦ୍ଧରେ ତୀବ୍ର ଅଭିଯୋଗ ଆଣି ଏହି ଦଳ କିପରି ଓଡ଼ିଶାର ଭୌଗୋଳିକ ସମିଶ୍ରଣକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିଲା ତାହା ଦର୍ଶାଇ ଥିଲେ ( ଆଶା , ୨୫.୩.୧୯୩୩ ) । ସେ ମହତାବଙ୍କ ନାମ ନ ନେଇଥିଲେ ମଧ୍ୟ , ଗୋପବଂଧୁଙ୍କ ତିରୋଧାନ ପରେ ସେ ଯେହେତୁ ଥିଲେ କଂଗ୍ରେସର ବାସ୍ତବ ନିୟନ୍ତା, ସେହେତୁ ଏହା ଅକ୍ଲେଶ ଅନୁମେୟ ଯେ, ନିରଞ୍ଜନ ନାମ ନେଇନଥିବା ଖଳନାୟକ ଥିଲେ ମହତାବ । ଏହି ମହତାବ ପ୍ରଧାନମନ୍ତ୍ରୀ ଥାଇ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବାକୁ ବିଧାନସଭାରେ ଆଗତ ପ୍ରଥମ ପ୍ରସ୍ତାବକୁ ଭୟଙ୍କର ବିରୋଧ କରାଯାଇ ତାହାକୁ ପ୍ରତ୍ୟାହାର କରିବା ପାଇଁ ପ୍ରସ୍ତାବକ , ସମ୍ବଲପୁରବାସୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ବାଧ୍ୟ କରିଯାଇଥିଲା (ବିଧାନସଭା ବିବରଣୀ , ୧.୧.୧୯୪୮) ।

ଓଡ଼ିଶା ସୃଷ୍ଟି ପୂର୍ବରୁ ବି ‘ଓଡ଼ିଶା ସରକାର’

ଅପରପକ୍ଷେ ବିହାର ସହ ‘ଓଡ଼ିଶା’ ମିଶି “ବିହାର-ଓଡ଼ିଶା ସରକାର” ଚାଲିଥିଲା , ଯାହାର କୌଣସି ଫର୍ଦ୍ଦରେ ‘ଉତ୍କଳ’ ନଥିଲା । ଏହି “ବିହାର-ଓଡ଼ିଶା” ବିଧାନ ପରିଷଦରେ ୨.୯.୧୯୩୨ରେ ସ୍ଵତନ୍ତ୍ର ‘ଓ଼ଡ଼ିଶା’ ପ୍ରଦେଶ ଗଠନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଲକ୍ଷ୍ମୀଧର ମହାନ୍ତି ଏକ ପ୍ରସ୍ତାବ ଆଗତ କରିଥିଲେ (ବିହାର ଏବଂ ଓଡିଶା ବିଧାନ ପରିଷଦ ବିବରଣୀ , ଖଣ୍ଡ-୧, ଭାଗ-୨୫, ସଂଖ୍ୟା -୫, ପୃ.- ୩୦୭) । ଏହି ପ୍ରସ୍ତାବରେ କେଉଁଠିହେଲେ ସେ ‘ଉତ୍କଳ’ ନାମ ନେଇନଥିଲେ।

ଭାରତ ଦାୟିତ୍ଵରେ ଥିବା ସ୍ଵରାଷ୍ଟ୍ର ସଚିବ ସାର୍ ସାମୁଏଲ ହୋରେ ସ୍ଵତନ୍ତ୍ର ‘ଓଡ଼ିଶା ପ୍ରଦେଶ’ ସୃଷ୍ଟି ପାଇଁ ୨୪.୧୨.୧୯୩୨ତାରିଖରେ ଲଣ୍ଡନରେ ଘୋଷଣା କରିଥିଲେ , ଯହିଁ ଉପରେ ବିଚାରବିମର୍ଶ ପାଇଁ ଓଡ଼ିଶାର ନେତାମାନେ ଭୁବନାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଏକାଠି ହୋଇଥିଲେ ୨.୨.୧୯୩୩ରେ । ହୋରେଙ୍କ ବିବୃତ୍ତିରେ ବା ଓଡିଶା ନେତାମାନଙ୍କ ଏହି ବୈଠକରେ ଯେଉଁ ଭୂଖଣ୍ଡର ନାମ ଆଲୋଚିତ ହୋଇଥିଲା ତାହା ଥିଲା କେବଳ ‘ଓଡ଼ିଶା’ , ‘ଉତ୍କଳ’ ନୁହେଁ ।

‘ତୃତୀୟ ଗୋଲ ଟେବୁଲ ବୈଠକ’ରେ ଯେଉଁ ଶ୍ୱେତପତ୍ର ଉପସ୍ଥାପିତ ହୋଇଥିଲା, ତାହା ଏକ ସ୍ଵତନ୍ତ ପ୍ରଦେଶ ଭାବେ ‘ଓଡ଼ିଶା’ ସୃଷ୍ଟିର ଉଦ୍ଘୋଷଣ କରିଥିଲା ଓ ତାର ସୀମା ସରହଦ ବି ଘୋଷଣା କରିଥିଲା (ଭାରତ ସରକାରଙ୍କ ପ୍ରେସ ନୋଟ ୧୮.୩.୧୯୩୩) । ଏଥିରେ ଓଡ଼ିଆ ଭାଷାଭାଷୀ ଅଂଚଳମାନଙ୍କରୁ ବହୁ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ବାଦ ପଡ଼ିଯାଇଥିବାରୁ ଆମ ତତ୍କାଳୀନ ନେତୃତ୍ଵ ତହିଁର ତୀବ୍ର ପ୍ରତିବାଦ କରିଥିଲେ । କିନ୍ତୁ ଯାହା ଲକ୍ଷ୍ୟଣୀୟ ତାହା ହେଲା, ଏହି ସମଗ୍ର କାରବାରରେ ‘ଉତ୍କଳ’ କେଉଁଠି ବି ନଥିଲା , ଥିଲା କେବଳ ‘ଓଡ଼ିଶା’।

କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ ୨୨.୩.୧୯୩୩ ତାରିଖରେ ଶ୍ଵେତପତ୍ର ଉପରେ ଆଲୋଚନା ପାଇଁ ‘ବିହାର-ଓଡ଼ିଶା ବିଧାନ ପରିଷଦ’ରେ ଯେତେବେଳେ ପ୍ରସ୍ତାବ ଆଗତ କଲେ , ରାଏ ବହାଦୁର ଲୋକନାଥ ମିଶ୍ର ତହିଁରେ ଏକ ସଂଶୋଧନ ଆଗତ କରିଥିଲେ, ଯହିଁରେ କୁହା ହୋଇଥିଲା, ପ୍ରସ୍ତାବ ଶେଷରେ ଯୋଡ଼ାହେଉ: “and that having considered it, this Council is of opinion that the boundary demarcated for the new Province is highly disappointing in as much as it does not include even the areas unanimously recommended by the Orissa Boundary Committee and also excludes the Parlakimedi estate proposed by the majority of the said Committee” (ବିହାର ଏବଂ ଓଡିଶା ବିଧାନ ପରିଷଦ ବିବରଣୀ, ଖଣ୍ଡ ୩୬, ସଂଖ୍ୟା -୨୪, ପୃ -୧୫୨୯) । ଏଠି ବି ‘ଉତ୍କଳ’ ଶବ୍ଦ ନଥିଲା , ଥିଲା କେବଳ ‘ଓଡ଼ିଶା’ ।

ଏହି ବିତର୍କରେ ‘ଓଡ଼ିଶା’ର ସୀମା ସମ୍ପର୍କରେ ସରକାର ପୁନର୍ବିଚାର କରନ୍ତୁ ବୋଲି ବିଧାୟକୀୟ ଅଭିମତ ପ୍ରକାଶ ପାଇଥିବାବେଳେ, ‘ଓଡ଼ିଶା କମିଟି’ର ସଦସ୍ୟ ଥିବା ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା ଏହି ସୀମା ସଂକୋଚନ ବିରୁଦ୍ଧରେ ଓଡ଼ିଆମାନେ ନିଶ୍ଚୟ ପ୍ରତିବାଦ କରିବା ଉଚିତ ବୋଲି ମତ ଦେଇଥିଲେ (A selection from the speeches and writings of Sachchidananda Sinha, (Patna, 1942), pp.165-165) ଏବଂ ଅନ୍ୟତମ ସଦସ୍ୟ ଶ୍ରୀ ଟି .ଆର ଫୁକୁନ ମଧ୍ୟ ତାଦ୍ଦୃଶ ମତ ରଖିଥିଲେ (ଆଶା , ୨୭.୩.୧୯୩୩) ।

ଶ୍ଵେତପତ୍ର ଉପରେ ବିଚାର କରି, ଏ ସବୁକୁ ବିଚାରକୁ ନେଇ , ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବାଦ ପଡ଼ିଯାଇଥିବା ଓଡ଼ିଶା ସଂଲଗ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଗଢ଼ା ହେବାକୁ ଥିବା ‘ଓଡ଼ିଶା ପ୍ରଦେଶ’ରେ ମିଶାଇଦେବାକୁ ସୁପାରିଶ କଲେ ଓ ୧୯୩୪ ନଭେମ୍ବର ୨୨ରେ ଏହି ଜଏଣ୍ଟ କମିଟିର ଅଧ୍ୟକ୍ଷ ଲିନ୍ଲିଥଗୋ ଯେତେବେଳେ ଓଡ଼ିଆ ଭାଷାଭାଷୀଙ୍କ ଦାବିର ସଫଳତା ଘୋଷଣା କଲେ , ସେ କହିଥିଲେ, “A separate Province of ‘Orissa’ would, however, be perhaps the most homogeneous Province in the whole of British India, both racially and linguistically”, ଯହିଁରେ ‘ଉତ୍କଳ’ ଶବ୍ଦର ନାମଗନ୍ଧ ନ ଥିଲା, ଥିଲା ‘ଓଡ଼ିଶା’ ।

ଏହି କମିଟିର ସୁପାରିସ ଅନୁସାରେ ସାନ୍ଧ୍ରତାସମ୍ପନ୍ନ ଓଡ଼ିଆ ଭାଷାଭାଷୀ ଅଂଚଳର ଏକତ୍ରୀକରଣ ବଳରେ ନୂଆ ପ୍ରଦେଶ ସୃଷ୍ଟିପାଇଁ ବ୍ରିଟିଶ ପାର୍ଲିଆମେଣ୍ଟରେ ଅନୁମୋଦନ ପାଇଁ ଯେଉଁ ଚିଠା ଆଦେଶ ଉପସ୍ଥାପିତ ହେଲା ତାହାର ନାମ ଥିଲା “The Government of India (Constitution of Orissa) Order, 1936” ଏବଂ ଏହିପରି ଭାବେ, ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଏକତ୍ର କରି ଏକ ଶାସନାଧୀନ କରିବାକୁ ଗଞ୍ଜାମର ଘୁମୁସରରୁ ଆରମ୍ଭ ହୋଇଥିବା ଅଭିଯାନ ଓଡ଼ିଆ ଭାଷା ଜାତୀୟତାର ପାବନପୀଠ ସମ୍ବଲପୁରରେ ସଶକ୍ତିକୃତ ହୋଇ ବ୍ରିଟିଶ ପାର୍ଲିଆମେଣ୍ଟରେ ସଫଳତା ଅର୍ଜନ କରିଥିଲା ୧୯୩୬ ଜାନୁଆରୀ ପହିଲାରେ । ତାର ୧୩ ବର୍ଷ ପରେ ୧୯୪୮ଜାନୁଆରୀ ପହିଲାରେ ଗଡ଼ଜାତ ମିଶ୍ରଣ ସମାପ୍ତ ହେବା ପରେ ଆମ ମାତୃଭୂମି ‘ଓଡ଼ିଶା’ ତାର ଶେଷ ଭୌଗୋଳିକ ରୂପ ପାଇଛି ।

ଓଡ଼ିଶାର ଏହି ଜନ୍ମ ବୃତ୍ତାନ୍ତରେ କେଉଁଠି ‘ଉତ୍କଳ’ ଆସିନାହିଁ ଭୌମିକ ଚିତ୍ରରେ , ଭାଷାଭିତ୍ତିକ ରାଜ୍ୟଗଠନ ପ୍ରସ୍ତାବରେ , ପ୍ରଶାସନିକ କର୍ମସରଣୀରେ , ସୀମା ନିରୂପଣ କମିଟିରେ, ପାର୍ଲିଆମେଣ୍ଟାରୀ ବିବରଣୀରେ ଓ ସ୍ଵତନ୍ତ୍ର ‘ଓଡ଼ିଶା ପ୍ରଦେଶ’ ଗଠନ ସମ୍ପର୍କୀୟ କୌଣସି ଆଇନରେ ବା ଆଦେଶରେ ।

ଆମ ପ୍ରଦେଶର ନାମ ‘ଓଡ଼ିଶା ପ୍ରଦେଶ’ , ଆମ ଶାସନର ନାମ ‘ଓଡ଼ିଶା ଶାସନ’ , ଆମ ବିଧାନସଭାର ନାମ ‘ଓଡ଼ିଶା ବିଧାନସଭା’ , ଆମ ହାଇକୋର୍ଟର ନାମ ଓଡ଼ିଶା ହାଇକୋର୍ଟ , ଆମ ମୁଖ୍ୟମନ୍ତ୍ରୀଙ୍କ ପଦବୀ ‘ଓଡ଼ିଶା ମୁଖ୍ୟମନ୍ତ୍ରୀ’ , ଆମ ରାଜ୍ୟପାଳଙ୍କ ପଦଵୀ ହେଲା ‘ଓଡ଼ିଶା ରାଜ୍ୟପାଳ’ । ସୁତରାଂ ଆମ ରାଜ୍ୟର ପ୍ରଶାସନିକ ବନ୍ଦନାରେ ‘ଓଡିଶା ବନ୍ଦନା’ ପରିବର୍ତ୍ତେ ‘ଉତ୍କଳ ବନ୍ଦନା’ ହେବ ବା କାହିଁକି ? ରାଜ୍ୟ ବନ୍ଦନାରେ ‘ଓଡ଼ିଶା’ ପରିବର୍ତ୍ତେ ‘ଉତ୍କଳ’ ଆଦୌ ସମୀଚିନ ନୁହେଁ । ଉତ୍କଳକୁ ଓଡ଼ିଶାର ପ୍ରତିଶବ୍ଦ ବୋଲି କେହି କେହି ଯୁକ୍ତି କରୁଛନ୍ତି । ଅଂଶବିଶେଷ ପୂର୍ଣ୍ଣାବୟବର ପ୍ରତିଶବ୍ଦ କିପରି ହେବ ? ଯଦି ବି କେବଳ ଯୁକ୍ତିପାଇଁ ଏହି ଯୁକ୍ତି ଗ୍ରହଣ କରାଯାଏ, ତେବେ ମୂଳ ଶବ୍ଦ କବ୍ୟବହାର ନ କରି ପ୍ରତିଶବ୍ଦ ବ୍ୟବହାର କରାଯିବ କାହିଁକି ? ତେଣୁ ଆମ ରାଜ୍ୟ-ସଙ୍ଗୀତର ନାମ ଉତ୍କଳକୈନ୍ଦ୍ରିକ ନୁହେଁ, ସମ୍ପୂର୍ଣ୍ଣତଃ ଓଡିଶାକୈନ୍ଦ୍ରିକ ହେବା ଆବଶ୍ୟକ ।

ଓଡ଼ିଶାକୁ ନେଇ ନୂଆ ଗାନ ହେଉ

କାନ୍ତକବିଙ୍କ ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ଗୀତଟି ଓଡ଼ିଶାର ରାଜ୍ୟ-ସଂଗୀତ ଭାବେ ଏଯାଏଁ ଆଇନସିଦ୍ଧ ହୋଇନାହିଁ , ଯଦିଓ ଓଡିଶା ବିଧାନସଭା ଏଥିପାଇଁ ଏକମତ ହୋଇଥିବାର ବହୁବର୍ଷ ବିତିଗଲାଣି । ଏହାକୁ ରାଜ୍ୟ-ସଂଗୀତ ଭାବେ ପ୍ରବର୍ତ୍ତୀତ କରିବାକୁ ହେଲେ ଏକ ବିଧେୟକ ଏଥିପାଇଁ ବିଧାନସଭାରେ ଆଗତ କରିବାକୁ ହେବ ଓ ତାହା ଯେ ନିଶ୍ଚୟ ସର୍ବସମ୍ମତିରେ ଗୃହୀତ ହେବ ତାହା କହିହେବନାହିଁ । କାରଣ , କୋଶଳ ଅଂଚଳ ପରି ଏକ ଗୁରୁତ୍ଵପୂର୍ଣ ଅଂଚଳରେ ‘ଉତ୍କଳ’ ଶବ୍ଦକୁ ଏବେ ପ୍ରବଳ ବିରୋଧକରାଯାଉଛି ଓ ଏହାକୁ ଏକ ନିର୍ଦ୍ଦିଷ୍ଟ ଅଂଚଳର ସାମ୍ରାଜ୍ୟବାଦୀ ବିସ୍ତରଣ ବୋଲି ଅଭିଯୋଗ ହେଉଛି ଓ ଉପରୋକ୍ତ ଆଲୋଚନା ଦୃଷ୍ଟିରୁ ଏ ଅଭିଯୋଗ ବି ଯଥାର୍ଥ ମନେହେଉଛି । ବିଧାନସଭାରେ ସ୍ବତନ୍ତ୍ର ଆଇନ ପ୍ରଣୟନ ବ୍ୟତୀତ ବନ୍ଦେ ଉତ୍କଳ ଜନନୀ ଗୀତକୁ ସାରା ଓଡିଶା ଉପରେ ଲଦିଦିଆଯାଇ ପାରିବନି ଏବଂ ଓଡ଼ିଶାର ଉପସ୍ଥିତ ସ୍ଥିତି ଯାହା, ଏପରି ଯଦି ଏକ ଆଇନ ଆଗତ ହୁଏ, ସମଗ୍ର ବିଧାନସଭା ତାକୁ ସମର୍ଥନ କରିବ ନାହିଁ । ବହୁମତରେ ଏକୁ ଯଦି ଆଇନ କରାଯାଏ ଓଡ଼ିଶା ପାଇଁ ତାହା ଆତ୍ମଘାତୀ ହେବ ।

ସୁତରାଂ, ଏପରି ଉଦ୍ୟମ ନ ହେଉ । ଯଦି ଓଡ଼ିଶାର ଏକ ରାଜ୍ୟ-ସଂଗୀତ ନିଶ୍ଚୟ ଆବଶ୍ୟକ, ତେବେ ଓଡିଶା-କୈନ୍ଦ୍ରିକ ଏକ ସଂକ୍ଷିପ୍ତ ସଂଗୀତ ନୂଆକରି ରଚିତ ହେବା ଆବଶ୍ୟକ । ଓଡ଼ିଶାରେ ସରସ୍ଵତୀ ସମ୍ମାନ , ଜ୍ଞାନପୀଠ ପୁରସ୍କାର , ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବହୁ କବି ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବହୁ ସଙ୍ଗୀତଜ୍ଞ ଅଛନ୍ତି । ସେମାନଙ୍କ ଭିତରୁ ସଭ୍ୟ ଚୟନ କରି ଓଡିଶା ସରକାର ରାଜ୍ୟ-ସଂଗୀତ ପ୍ରଣୟନ ପାଇଁ ଏକ କମିଟି ଗଠନ କରନ୍ତୁ ଓ ମାଆ ଓଡ଼ିଶାର ବନ୍ଦନାରେ ସେହି ସଂଗୀତ ସମ୍ପୁର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜାତୀୟ ସଂଗୀତ ସମ ସସମ୍ମାନେ ଗାନ କରାଯାଉ । ସେ ପର୍ଯ୍ୟନ୍ତ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ସାରା ଓଡ଼ିଶା ଉପରେ ଲଦିବା ବନ୍ଦ ହେବା ଉଚିତ ।

ଭାଷା ଆନ୍ଦୋଳନ : ପ୍ରତିଷ୍ଠାତା ସଦସ୍ୟ ତୁଷାରକାନ୍ତ ଶତପଥୀଙ୍କ କଲମରୁ

ତୁଷାରକାନ୍ତ ଶତପଥୀ

ତଥାଗତ ବୁଦ୍ଧ ଓ ଉତ୍କଳଗୌରବଙ୍କର ନାମକୁ ବିକି ସମାଜସେବୀ,ବୁଦ୍ଧିବାଦୀ,ପ୍ରବୁଦ୍ଧ ବୋଲି ନିଜକୁ ପ୍ରଚାରିତ କରିବାଙ୍କ ସଂଖ୍ୟା 99.99% ଯାହାର ପ୍ରମାଣ ଆମେ ସେ ଦୁଇଜଣଙ୍କ ଜନ୍ମଜୟନ୍ତୀରେ ପାଇଥାଉ ।

କିନ୍ତୁ ହେ ବରିଷ୍ଠ ନାଗରିକ ଓ ସାମ୍ବାଦିକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ ମହୋଦୟ! ଆପଣ ସେମାନଙ୍କର ପିଠିଆବଳଦ ସ୍ୱଋପର ଅକାରଣ ଅନୁଗାମୀ ନୁହନ୍ତି । ବୁଦ୍ଧଦେବ କହିଥିଲେ, “ବିନା ଯୁକ୍ତି,ଆଲୋଚନାରେ ମୋ କଥାକୁ ବି ଗ୍ରହଣ କର ନାହିଁ”। ସେଇ ଆଦର୍ଶରେ ଅନୁପ୍ରାଣୀତ ଆପଣ ,ସେମାନଙ୍କ ପ୍ରଦର୍ଶୀତ ମାର୍ଗକୁ ତର୍ଜମା ଓ ଗବେଷଣା କରନ୍ତି ଓ ତା ପରେ ଯାହା କିଛି ଗ୍ରହଣୀୟ ସେ ଦିଗରେ ନିରବଛିନ୍ନ ଭାବରେ ଲାଗି ରହନ୍ତି । ତେଣୁ ଆପଣ ହିଁ କାୟମନୋବାକ୍ୟରେ ସେ ଦୁଇଜଣଙ୍କ ପ୍ରକୃତ ଅନୁଗାମୀ ।

ସେଇ ଧାରାରୁ ଖିଅଟିଏ ନେଇ, “1954 ଭାଷା ଆଇନରେ କି ପ୍ରକାର ଦୋଷତ୍ରୃଟି ରହିଛି ଯେ ତାହା କାର୍ଯକାରୀ ହୋଇପାରୁନାହିଁ” , ତାହାରି ଉପରେ ଆପଣ ତର୍ଜମା ଓ ଗବେଷଣା କରି ଜାଣିପାରିଲେ ଯେ, ସେହି ଆଇନରେ ପରିବର୍ତନ ଆଣିବାକୁ ସେତେବେଳେ କୌଣସି ବ୍ୟବସ୍ଥା କରାଯାଇନଥିଲା; ଫଳରେ ସରକାରମାନେ ଓଡିଆଭାଷାରେ ଓଡିଶାର ଶାସନ ପାଇଁ ଆବଶ୍ୟକୀୟ ନିୟମ ପ୍ରଣୟନ କରିବାକୁ ଅଧୀକାରପ୍ରାପ୍ତ ନଥିଲେ ।

ଆପଣ ତାହା ସରକାରଙ୍କୁ ଜଣାଇଲେ,ଓ ସରକାର ଅଧ୍ୟାଦେଶ ଜରିଆରେ ଓ ପରେ ବିଧାନମଭାରେ ତାହାକୁ ଗୃହୀତ କରାଇ ନିଜକୁ କ୍ଷମତାପ୍ରାପ୍ତ କରାଇ ତା 15-08 -2016 “ଓଡିଆଭାଷାରେ ଶାସନ ” ପାଇଁ ନିୟମ ପ୍ରଣୟନ କଲେ । ଆପଣଙ୍କ ମାନସ ପ୍ରସ୍ତୁତ “ଦୈନିକ ଚାରିଜଣିଆ କଳାପତାକା ସହ ନବବାବୁଙ୍କ ପ୍ରତିମୂର୍ତ୍ତି ଠାରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଯାଏ ନୀରବ ଯାତ୍ରା ରୂପକ ଗାନ୍ଧିବାଦୀ ଆନ୍ଦୋଳନ ଯାହା 2016 ମସିହାର ଓଡିଆ ନୂଆବର୍ଷ ତା 13-4-2018ରୁ ଆରମ୍ଭ ହୋଇଥିଲା, ତାହା ଜନମାନସକୁ ପ୍ରଭାବିତ କରୁଥିବା ଖବର ପାଇ ସରକାର ଭୋଟ ହରେଇବା ଭୟରେ ନିୟମ ତ କଲେ କିନ୍ତୁ ଖିଲାପକାରୀଙ୍କ ପ୍ରତି ଦଣ୍ଡବିଧାନର ବ୍ୟବସ୍ଥା ନ କରି ତାକୁ ପାଣିଚିଆ କରିଦେଲେ।

ଏହାକୁ ତର୍ଜମା କରି ଆପଣ ଦୀର୍ଘ ଦୁଇ ବର୍ଷ ଓ ସତର ଦିନ କାଳ ସେଇ ଆନ୍ଦୋଳନକୁ ଚଳେଇ ରଖିଲେ , ଯେଉଁଥିରେ ଭୟଭୀତ ହୋଇ ସରକାର ଦଣ୍ଡବିଧାନର ବ୍ୟବସ୍ଥା ତା 01-05-2018ରେ ବିଧାନସଭାରେ ପାରିତ କରେଇଛନ୍ତି।

ଗବେଷଣ ଓ ଯୋଜନା ଆପଣଙ୍କର , କିନ୍ତୁ ରେକର୍ଡ ସୃଷ୍ଟିକାରୀ “କଳାପତାକା ପ୍ରଦର୍ଶନ ଆନ୍ଦୋଳନ”ର ସଫଳତା ଯେଉଁମାନଙ୍କ ଯୋଗୁ, ସେମାନେ ପ୍ରତ୍ୟେକ ହେଉଛନ୍ତି ପ୍ରକୃତ ଓଡ଼ିଆପ୍ରାଣମାନେ । ସେମାନଙ୍କ ଭିତରୁ ଆଗଧାଡ଼ିଆମାନଙ୍କ ସଂଖ୍ୟା ସୀମାହିନ ହୋଇଥିବାରୁ କାହାରି ନାମ ଏଠି ଉଲ୍ଲେଖ ନକରିବା ଜନିତ ଦୋଷ ପାଇଁ ମୁଁ କ୍ଷମାପ୍ରାର୍ଥୀ।

ଆପଣଙ୍କ ପ୍ରତି ଅନେକ ଖରାପ ବ୍ୟବହାର କରାଯାଇଛି, ଆପଣ ଅନେକ ବ୍ୟଙ୍ଗ , ସମାଲୋଚନା, କୁଭାଷାକୁ ,ଜାତିର ସ୍ୱାର୍ଥରେ ଅଣଦେଖା କରିଛନ୍ତି । କିନ୍ତୁ ଆପଣ ଓ ଅନ୍ୟମାନେ ଓଡ଼ିଆଭାଷା ପାଇଁ ଯାହା କରିଛନ୍ତି, ତାହା ଓଡ଼ିଶା ଇତିହାସରେ ସ୍ଥାନୀକୃତ ହେଉ ବା ନ ହେଉ, ଆପଣ ଓ ସହଯୋଗୀମାନଙ୍କ ପ୍ରତି ପ୍ରକୃତ ଓଡ଼ିଆମାନେ ଚିରଋଣୀ ରହିବେ ।

ଆପଣଙ୍କ ଜରିଆରେ ସହଯୋଗୀଗଣ ତଥା ସବୁ ପ୍ରକୃତ ଭାଷାପ୍ରେମୀ ଓଡ଼ିଆଙ୍କୁ ଶତକୋଟି ପ୍ରଣାମ ଜଣାଉଛି ।

ବନ୍ଦେ ଉତ୍କଳ ଜନନୀ
ଜନ୍ମନୀ ଜନ୍ମନୀ ଭାଷା ଜନନୀ ।

ଉପରେ ଯାହା ଉଲ୍ଲିଖିତ ଅଛି ତାହାକୁ ଭାଷା ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ତୁଷାରକାନ୍ତ ଶତପଥୀ ନଭମାଧ୍ୟମ (Internet)ରେ ଉପସ୍ଥାପିତ କରିଥିଲେ ଗତ ମଇ ୨ ତାରିଖରେ ।

ଓଡ଼ିଆ ଭାଷାରେ ଦାପ୍ତରିକ କାମ ନ କଲେ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ତିନି ବର୍ଷରେ ପହଁଚିଲା ପରେ ଓ ଆମ ଭାଷାର ଏହି ମୁମୂର୍ଷୁ ଅବସ୍ଥା ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ୧୯୬୩ରେ ନେଇଥିବା ପଦକ୍ଷେପ କିପରି ଦାୟୀ ତାହାର ବିବରଣୀ ‘ବିଜୁଙ୍କ ଛୁରା’ ଶୀର୍ଷକ ଏକ ପ୍ରତିବେଦନରେ ମୁଁ କ୍ରମାଗତ ଲୋକଚକ୍ଷୁକୁ ଆଣିବା ପରେ , ତହିଁରେ ଅତର୍ଛି ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜି ମଇ ପହିଲାରେ ସରକାର ଓଡିଶା ସରକାରୀ ଭାଷା ଆଇନ ସଂଶୋଧନ କରିଥିବାରୁ ତହିଁରେ ଖୁସି ହୋଇ ପ୍ରତିଷ୍ଠାତା ସଦସ୍ୟ ଭାବେ ତୁଷାରବାବୁ ଏହା ପ୍ରକାଶିତ କରିଛନ୍ତି ଓ ମୋତେ ସମ୍ବୋଧନ କରି ସ୍ପଷ୍ଟ କହିଛନ୍ତି କି, ଆଇନ ସଂଶୋଧନର ପ୍ରସ୍ତାବ ଓ ଆନ୍ଦୋଳନର ଯୋଜନା ଯଦିଓ ମୋ ବୁଦ୍ଧିପ୍ରସୁତ , “ରେକର୍ଡ ସୃଷ୍ଟିକାରୀ ‘କଳାପତାକା ପ୍ରଦର୍ଶନ ଆନ୍ଦୋଳନ’ର ସଫଳତା ଯେଉଁମାନଙ୍କ ଯୋଗୁ, ସେମାନେ ହେଉଛନ୍ତି ପ୍ରତ୍ୟେକ ପ୍ରକୃତ ଓଡିଆପ୍ରାଣମାନେ ।” “ସେମାନଙ୍କ ଭିତରୁ ଆଗଧାଡିଆମାନଙ୍କ ସଂଖ୍ୟା ସୀମାହୀନ ହୋଇଥିବାରୁ କାହାରି ନାମ ଏଠି ଉଲ୍ଲେଖ ନକରିବା ଜନିତ ଦୋଷ ପାଇଁ ମୁଁ କ୍ଷମାପ୍ରାର୍ଥୀ” ବୋଲି ଉଲ୍ଲେଖ କରିଛନ୍ତି ।

ଭାଷାପ୍ରେମୀ କଳାପତାକା ଅଭିଯାତ୍ରୀମାନେ ଜନ ଅନ୍ଦୋଳନର ଇତିହାସରେ ବସ୍ତୁତଃ ଏକ ନୂତନ ଯୁଗ ସୃଷ୍ଟି କରିଛନ୍ତି । କିନ୍ତୁ ଭାଷା ଆଇନର ଏହି ସଂଶୋଧନ ଆମେ ଅଗ୍ରାହ୍ୟ କରିଛୁ । ତହିଁର କାରଣ ମୁଁ ଏହି ନଭମଞ୍ଚ ତଥା ମୋର ଅନ୍ୟ ନଭମଞ୍ଚରେ ରଖିଛି ।

ଭାଷା ଆନ୍ଦୋଳନ : ନିଜ ମତ ନ କହିଲେ ପାପ – ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ

ବିଦେଶରେ ରହିଥିଲେ ମଧ୍ୟ ଓଡ଼ିଶା ମାଟି ସହ ଅନ୍ତରତଃ ସଦାସର୍ବଦା ଏକୀଭୂତ ହୋଇରହିଥିବା ହେତୁ ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସଙ୍କ କଲମରୁ ଝରି ଆସିଛି “କହିବସିଲେ ବହୁତ କଥା” , ଓ ତଦ୍ଭିତ୍ତିକ “ମନେ ଅଛି , ମନେ ରହିଥିବ” ଏବଂ “ମନର ଆଇନାରେ ଓଡିଶା” ପରି ଲେଖା ସଂହିତା । ଆଜିର ‘ନୀତିଦିନ’ରେ ତାଙ୍କ ଏହି ନିବନ୍ଧ ଭାଷା ଆନ୍ଦୋଳନ ଉପରେ ଆଧାରିତ ।

ସଂଶୋଧନର ପୁନଃ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଓଡ଼ିଆରେ ସେବା ପ୍ରଦାନ ନକରିବା ଦଣ୍ଡନୀୟ ହେବା ଦାବିରେ ଦୁଇ ବର୍ଷରୁ ଅଧିକ କାଳ ଧରି କଳାପତାକା ଅଭିଯାନ ଚଳାଇଥିବା ଭାଷା ଆନ୍ଦୋଳନ ମଇ ୨୪ରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇ ଦାବି କରିଛି କି, ଦଣ୍ଡବିଧାନ ପାଇଁ ଗୃହୀତ ହୋଇଥିବା ସଂଶୋଧନ ବିଧେୟକ ଓଡିଶା ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବାକୁ ଉଦ୍ଦିଷ୍ଟ ହୋଇଥିବା ହେତୁ ସେ ତାହାକୁ ସ୍ବୀକୃତି ନ ଦେଇ ପୁନଃ ସଂଶୋଧନ ପାଇଁ ବିଧାନସଭାକୁ ଫେରାଇ ଦିଅନ୍ତୁ ।

ଆନ୍ଦୋଳନର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ରାଜ୍ୟପାଳଙ୍କୁ ଜଣାଇଛନ୍ତି କି, ଓଡିଶା ପ୍ରଦେଶରେ ସମସ୍ତ ଓ ପ୍ରତ୍ୟେକ ସରକାରୀ କାମର ଭାଷା ଓଡ଼ିଆ ହିଁ ହେବ ବୋଲି ମୂଳ ଆଇନରେ ଧାର୍ଯ୍ୟ କରାଯାଇଛି । ଏହାର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର ଦାବି ସପକ୍ଷରେ ସାରା ଓଡିଶାରେ ସମର୍ଥନ ପ୍ରକାଶ ପାଇଛି ଓ ଗତ ମାର୍ଚ୍ଚ ୧୪ ତାରିଖରେ ମନ୍ତ୍ରୀମଣ୍ଡଳ ବୈଠକରେ ମଧ୍ୟ ଅନୁରୂପ ପ୍ରସ୍ତାବ ଗୃହୀତ ହୋଇଛି । ଅଥଚ ବିଧାନସଭାରେ ଗୃହୀତ ପ୍ରସ୍ତାବରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କଥା କୁହା ହୋଇ ମୂଳ ଆଇନର “ସମସ୍ତ ଓ ପ୍ରତ୍ୟେକ” ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରାଯାଇଛି । ସୁତରାଂ ଏହି ସଂଶୋଧନ ଏକ ବେଆଇନ ସଂଶୋଧନ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।

ଅପରପକ୍ଷେ ଓଡ଼ିଆରେ କାମ ନ କରିବା କର୍ମଚାରୀ କିମ୍ବା ବିଭାଗକୁ ଦଣ୍ଡିତ କରାଯିବ ବୋଲି ବିଧେୟକଟିରେ ଅଛି । କୌଣସି ସରକାରୀ ବିଭାଗକୁ ଦଣ୍ଡିତ କରିବା ଅର୍ଥ, ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବା; କାରଣ, ସରକାରୀ ବିଭାଗଗୁଡ଼ିକ ଜନସାଧାରଣଙ୍କ ଅର୍ଥବଳରେ ଚାଲେ । କର୍ମଚାରୀଙ୍କ ଦୋଷ ହେତୁ ଜନସାଧାରଣଙ୍କୁ ଦଣ୍ଡିତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେ ଦର୍ଶାଇଛନ୍ତି କି, ୨୬.୧୨.୨୦୧୭ ତାରିଖରେ ମନ୍ତ୍ରିମଣ୍ଡଳର ବୈଠକରେ ଭାଷା ଆଇନ ଉଲ୍ଲଙ୍ଘନକାରୀ କର୍ମଚାରୀ ଓ ବିଭାଗକୁ ବିହିତ ଦଣ୍ଡବିଧାନ ପାଇଁ ପ୍ରସ୍ତାବ ହୋଇଥିଲା । ଭାଷା ଆନ୍ଦୋଳନ ସେହି ପ୍ରସ୍ତାବର ତ୍ରୁଟି ଦର୍ଶାଇବା ପରେ ୧୪.୦୩.୨୦୧୮ ତାରିଖରେ ମନ୍ତ୍ରୀମଣ୍ଡଳ ଦାୟୀତ୍ଵନିର୍ଦ୍ଧାରଣ ସମ୍ପର୍କୀୟ ତ୍ରୁଟି ସଂଶୋଧନ କରି ସ୍ପଷ୍ଟ କରିଥିଲେ କି, ଓଡ଼ିଆରେ କାମ ନକଲେ କେବଳ କର୍ମଚାରୀଙ୍କୁ ହିଁ ଦଣ୍ଡବିଧାନ ହେବ । ଅତ୍ୟନ୍ତ ଅନଧିକୃତ ଭାବେ ଏହି ୧୪.୦୩.୨୦୧୮ ତାରିଖର ପ୍ରସ୍ତାବକୁ କବର ଦିଆଯାଇ ୨୬.୧୨.୨୦୧୭ ତାରିଖର ଅକାମି କରାହୋଇଥିବା ପ୍ରସ୍ତାବ ଉପରେ ବିଧେୟକଟିକୁ ଆଧାରିତ କରାଯାଇଛି । ରାଜ୍ୟପାଳ ଯଦି ଏହି ବିଧେୟକଙ୍କୁ ସ୍ବୀକୃତି ଦିଅନ୍ତି ତେବେ ଏହି ଅନଧିକୃତ ଆଚରଣକୁ ବୈଧ କରିବା ସହ ତାହା ସମାନ ହୋଇଯିବ ।

ଏତଦ୍ଦୃଷ୍ଟିରୁ ଏହି ତ୍ରୁଟିପୂର୍ଣ୍ଣ ବିଧେୟକଙ୍କୁ ସ୍ବୀକୃତି ନ ଦେଇ ପୁନଃ ସଂଶୋଧନ ପାଇଁ ବିଧାନସଭାକୁ ଫେରସ୍ତ କରିଦେବାକୁ ଭାଷା ଆନ୍ଦୋଳନ ରାଜ୍ୟପାଳଙ୍କୁ ଅନୁରୋଧ କରିଛି ।