Posts tagged Orissa State Anthem

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ କରୋନାକାଳୀନ ଅତ୍ୟାଚାର ଉପରେ ଆମ୍ଭେ ବାରମ୍ବାର ସପ୍ରମାଣ ଆଲୋଚନା କଲା ପରେ ଜନବିଭ୍ରାନ୍ତି ପାଇଁ ସେ ଗତ ୧୮ବର୍ଷ ଧରି ପ୍ରତ୍ୟାଖ୍ୟାନ କରି ଆସିଥିବା ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ଡାକ୍ତରୀ ଓ ପୋଲିସ ଜଗତ ପ୍ରତି ଓଡିଆ ଜାତିର କୃତଜ୍ଞତା ଜ୍ଞାପନ ଉଦ୍ଦେଶ୍ୟରେ ଗାନ କରିବାକୁ ଆହ୍ଵାନ ଦେଲେ । କାରଣ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରର ଉପଲବ୍ଧି ଅନୁସାରେ ସେହିମାନେ ହିଁ କରୋନା ଭୂତାଣୁ ସହ ଯୁଦ୍ଧ କରିଥିବା ବ୍ୟକ୍ତି; ଯେଉଁ ଶ୍ରମଜୀବୀ ସାଧାରଣ ମଣିଷ ଏହି ମାରକ ଭୂତାଣୁ ସହ ଅହରହ ଲଢେଇ କରି ଜୀଉଛି ବା ମରୁଛି ସେ ନୁହଁ । ମିଥ୍ୟା ପ୍ରଚାର ବି ହେଲା, ମୁଖ୍ୟମନ୍ତ୍ରୀ ଏହାକୁ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ବି କରିଦେଇଛନ୍ତି, ସତେ ଯେମିତି ଆମେ ଏକ ରାଜତନ୍ତ୍ରର ବାସିନ୍ଦା ଓ “ରାଜନନ୍ଦିନୀ ପ୍ୟାରୀ ଯା ବଲେ ତା ଭାଲୋ” !

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଡାକରାକୁ ନିଜ ସାଞ୍ଜୁଭାବେ ନେଇ ଏହି ସଙ୍ଗୀତ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ହେବାର “ପ୍ରଥମ ଉଦ୍ୟୋକ୍ତା” ଭାବେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ସାମାଜିକ ଗଣମାଧ୍ୟମ – ଫେସ୍ ବୁକ୍ – କାନ୍ଥରେ ଉପସ୍ଥାପିତ କରିବାର ଯେଉଁ ଉଦ୍ୟମ ହୋଇଛି ତାହା ହିଁ ଆମ ପାଇଁ ଆଲୋଚ୍ୟ ।

ଚାରିଶବିଶ୍ ଚାଲ୍ (୧)

ନିଜର ଆର୍ଥିକ ଫାଇଦା ପାଇଁ ଯେଉଁ ବ୍ୟକ୍ତି ଭାଷା ଆନ୍ଦୋଳନକୁ ଛୁରା ମାରିଲେ, ନିଜକୁ ଭାଷାପ୍ରେମୀ ଦେଖେଇବାକୁ ସେ କେଉଁ କେଉଁ ଚାରିଶବିଶ୍ ଚାଲ୍ ଚଳାଇପାରନ୍ତି ତାହା ଜାଣିବା ପାଇଁ ଆମକୁ ଏହି ଚର୍ଚ୍ଚାଧାରା ଉପରେ ଗୁରୁତ୍ଵ ଦେବାକୁ ପଡ଼ିବ । ସେଥିପାଇଁ ନିମ୍ନସ୍ଥ ସ୍କ୍ରିନସଟ ପ୍ରତି ଦୃଷ୍ଟି ଦିଆଯାଉ ।

 

ବନ୍ଦେ ଉତ୍କଳ ଜନନୀ ଗୀତ ପାଇଁ ଲୋକଙ୍କ ଆବେଗ ଥିବା ବେଳେ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ଭାବେ ତାହାର ଅଭ୍ୟୁଦୟର “ପ୍ରଥମ ଉଦ୍ୟୋକ୍ତା” ରୂପେ ଏଥିରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପ୍ରଦର୍ଶିତ କରାଯାଇଛି , ଯେତେବେଳେ ସରକାରଙ୍କଠାରୁ ଆର୍ଥିକ ଫାଇଦା ପାଇଁ ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ଅଭିଯୋଗକୁ ସେ ଖଣ୍ଡନ କରିବାକୁ ଅସମର୍ଥ ।

ବହୁ ଭାବିଚିନ୍ତି ଏହି ଯେଉଁ ଚାଲ୍ ଚଳା ଯାଇଛି ତାକୁ ଫେସ୍ ବୁକ୍ ମାଧ୍ୟମରେ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିଛନ୍ତି ପ୍ରଦ୍ୟୁମ୍ନ ଶତପଥୀଙ୍କର ଜଣେ ଅନୁଗତ ଶ୍ରୀ ଆଶିଷ ରଞ୍ଜନ ମହାପାତ୍ର ମଇ ୨୯, ରାତି ୯.୪୬ରେ ।

ଏହି ଉପସ୍ଥାପନାର ବିଶ୍ଳେଷଣ ବହୁ କଥା କହିବ । ମୁଁ ସେ ସବୁ ଭିତରକୁ ନଯାଇ ଯେଉଁ ଯେଉଁଠି ଚାରିଶବିଶ୍ ଚାଲ୍ ପରିଦୃଶ୍ୟମାନ, କେବଳ ସେଇସେଇଠିକି ଯିବି । ସେ ଯେଉଁ ମିଛ କହିଛନ୍ତି ତାହା କାହିଁକି କହିଛନ୍ତି ତାହା ଯଦି ସ୍ପଷ୍ଟ ନକରିବେ, ବୁଝିବାକୁ ହେବ ଯେ, ପ୍ରଦ୍ୟୁମ୍ନ ଶତପଥୀଙ୍କ ବୋଲରେ ସେ ଏହି ଚାରିଶବିଶ୍ ଚାଲ୍ ଖେଳିଛନ୍ତି ।

ଚାରିଶବିଶ୍ ଚାଲ୍ (୨)

ଏହି ଚାଲ୍ ପାଇଁ ସେ ବାଛିଛନ୍ତି “୨୦୦୨ ମସିହା, ନଭେମ୍ବର ୧୬ ତାରିଖ, ‘ଜାତୀୟ ସାମ୍ବାଦିକ ଦିବସ’ ପାଳନ ଅବସରରେ ଭୁବନେଶ୍ବରସ୍ଥିତ ସୂଚନା ଭବନର (ଅନୁଷ୍ଠିତ) ଏକ ଭରପୂର ସଭା”କୁ ପ୍ରେକ୍ଷାପଟ ଭାବେ ।

ସେ ଲେଖିଛନ୍ତି , “ନୀରବତା ଭଙ୍ଗ କରି ସୁଲଳିତ ମୂର୍ଚ୍ଛନାରେ ମଞ୍ଚ ଉପରୁ ଭାସିଆସିଲା “ବନ୍ଦେ ଉତ୍କଳ ଜନନୀ…” ସହସା ପ୍ରଦ୍ୟୁମ୍ନ ଶତପଥୀ ଠିଆ ହୋଇପଡିଲେ । ତାଙ୍କ ପାର୍ଶ୍ବରେ ମୁଁ ବି ମଥାନତ ମୁଦ୍ରାରେ ଦଣ୍ଡାୟମାନ ହେଲି । ମୋ ପରେ ଅନ୍ୟ ଦୁଇଜଣ, ନାମ ଭୁଲିଯାଇଛି, ସେମାନେ ଠିଆହେଲେ । ଆମ ଠିଆହେବାର ମୁହୂର୍ତ୍ତକ ମଧ୍ୟରେ ସଭାରେ ଉପସ୍ଥିତ ଶହ ଶହ ଦର୍ଶକ ତଳ-ଉପର ସମସ୍ତେ ବିନା ଦ୍ବିଧାରେ “ବନ୍ଦେ ଉତ୍କଳ ଜନନୀ”ଙ୍କ ସମ୍ମାନାର୍ଥେ ସମ୍ପୂର୍ଣ୍ଣ ନୀରବତାର ସହ ଦଣ୍ଡାୟମାନ ହେଲେ ।“

ଅତଏବ ସେ ଦର୍ଶାଇଛନ୍ତି – ଏହି ସଙ୍ଗୀତ ପ୍ରତି ସମ୍ମାନ ଜଣାଇ ପ୍ରଦ୍ୟୁମ୍ନ ଓ ତାଙ୍କ ପାର୍ଶ୍ଵଚରମାନେ ଠିଆ ହୋଇନଥିଲେ, “ଉପସ୍ଥିତ ଶହ ଶହ ଦର୍ଶକ” ଠିଆ ହୋଇନଥାନ୍ତେ । ଏହା ଏକ ସମ୍ପୂର୍ଣ ମିଥ୍ୟା ଆସ୍ଫାଳନ । ସତ୍ୟ ହେଲା, ବାଚସ୍ପତି ଶରତ କୁମାର କର, ଯେ କି ୨୦୦୨ ନଭେମ୍ବର ୧୬ର ବହୁ ପୂର୍ବରୁ ବିଧାନନସଭା ଅଧିବେଶନର ଅନ୍ତିମ କାର୍ଯ୍ୟକ୍ରମ ଭାବେ ଏହାର ପ୍ରବର୍ତ୍ତନ କରିଥାନ୍ତି, ସେଦିନ ଏହାର ପରିବେଷଣ ପୂର୍ବରୁ ଉପସ୍ଥିତ ଆମ ସମସ୍ତଙ୍କୁ ନୀରବରେ ଠିଆ ହୋଇ ଏହାକୁ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ ଓ ତଦନୁଯାୟୀ ଆମେ ସମସ୍ତେ ତାହା ଆନନ୍ଦରେ ପାଳନ କରିଥିଲୁ । ସୂଚନା ଭବନର ଶ୍ରୋତାମାନେ ଠିଆ ହୋଇ ଏହାକୁ ସମ୍ମାନ ଦେବାରେ ପ୍ରଦ୍ୟୁମ୍ନ ଶତପଥୀ ବା ତାଙ୍କ ପାର୍ଶ୍ଵଚରଙ୍କର କୌଣସି ଭୂମିକା ନଥିଲା ।

ଚାରିଶବିଶ୍ ଚାଲ୍ (୩)

ଏହି ଚାଲ୍ ଚାଳନା ପାଇଁ ଯେଉଁ ବାକ୍ୟଗୁଡିକ ବ୍ୟବହୃତ ହୋଇଛି ସେଗୁଡ଼ିକ ହେଲା –

(କ) “ମଞ୍ଚ ତଳେ ଠିଆହୋଇ ପ୍ରଦ୍ୟୁମ୍ନ ଯୋଡହସ୍ତରେ ମଞ୍ଚାସୀନ ଅତିଥି ଓ ଶ୍ରୋତୃମଣ୍ଡଳୀଙ୍କୁ ନିବେଦନ କଲେ ଆସନ୍ତା କାଲି ବିଧାନସଭାରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତକୁ ଓଡିଶାର ଜାତୀୟ ସଙ୍ଗୀତ ରୂପେ ଘୋଷଣା କରାଯିବାର ପ୍ରକ୍ରିୟା ଆରମ୍ଭ କରିବାକୁ ବାଚସ୍ପତି ମହୋଦୟଙ୍କୁ ମୁଁ ଅନୁରୋଧ କରୁଛି । (ବାକ୍ୟଗଠନର ପ୍ରମାଦ ମହାପାତ୍ରଙ୍କର)
(ଖ) “ଅଧ୍ୟକ୍ଷତା କରୁଥିବା ବାଚସ୍ପତି ଶରତ କୁମାର କର ମହୋଦୟ ଆସନ୍ତାକାଲି ହିଁ ବିଧାନସଭାରେ ଏ ପ୍ରସଙ୍ଗ ନିଜେ ଉତ୍ଥାପିତ କରି ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାର ଉଦଘୋଷଣା କଲେ । ତହିଁପରଦିନ ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା ଏବଂ “ବନ୍ଦେ ଉତ୍କଳ ଜନନୀ” କୁ ଦଳ-ମତ ନିର୍ବିଶେଷରେ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାପାଇଁ କାର୍ଯ୍ୟାନ୍ବୟନ ଆରମ୍ଭ ହେଲା ।“

ଡାହାମିଛ

ଏହି ଦୁଇଟି ବାକ୍ୟରେ କିପରି ଅତ୍ୟନ୍ତ ନିର୍ଲଜ ଭାବେ ଡାହାମିଛ ହିଁ କୁହା ହୋଇଛି ତାହା ଜାଣିବାକୁ ଆମେ ଜାକିହୋଇଆସିବା ସବୁଠୁ ପ୍ରାସଙ୍ଗିକ ଶବ୍ଦଦୁଇଟି ପାଖକୁ । ସେଗୁଡିକ ହେଲା “ଆସନ୍ତାକାଲି” ଓ “ତହିଁପରଦିନ” , ଯାହା ଆସନ୍ତାକାଲି ଅର୍ଥରେ ହିଁ ଉଲ୍ଲିଖିତ ହୋଇଛି ।

ପ୍ରଥମତଃ, “ଆସନ୍ତାକାଲି ବିଧାନସଭାରେ” ଗୀତଟିକୁ ଓଡ଼ିଶାର ଜାତୀୟ ସଙ୍ଗୀତ ବୋଲି ଘୋଷଣା କରିବାକୁ ପ୍ରଦ୍ୟୁମ୍ନ ଶତପଥୀ ବାଚସ୍ପତିଙ୍କୁ କହିବା ଏବଂ “ଆସନ୍ତାକାଲି ହିଁ ବିଧାନସଭାରେ ଏ ପ୍ରସଙ୍ଗ ନିଜେ ଉତ୍ଥାପିତ କରି ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା”କୁ ବାଚସ୍ପତିଙ୍କ ଘୋଷଣା ଆସନ୍ତାକାଲିଭିତ୍ତିକ  । ଆସନ୍ତାକାଲି ଅର୍ଥ ୧୭.୧୧.୨୦୦୨ ।

ଦ୍ଵିତୀୟତଃ, ଯାହା କୁହା ହୋଇଛି ତାହା ହେଲା “ତହିଁପରଦିନ” ଅର୍ଥାତ୍ ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା” ।

ବାବୁ ଆଶିଷ ରଞ୍ଜନ ମହାପାତ୍ର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଭାବେ ଏହା ଉଲ୍ଲେଖ କରିଛନ୍ତି ଓ ୧୬.୧୧.୨୦୦୨ ତାରିଖରେ ସୂଚନାଭବନରେ ବାଚସ୍ପତି କରିଥିବା “ଉଦ୍ଘୋଷଣା” ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ” “ଘଟିଲା” ବୋଲି କହିଛନ୍ତି ।

ଏପରି ଡାହାମିଛ କୌଣସି ପେଷାଦାର ମିଛ ସାକ୍ଷୀ ବି କହିବାକୁ ଡରିବ । ଅଥଚ ନିଃଶଙ୍କୋଚ କହିଛନ୍ତି ପ୍ରଦ୍ୟୁମ୍ନ ଶତପଥୀଙ୍କ ଏହି ପାର୍ଶ୍ଵଚର !

ବିଧାନସଭା ତ ଆଦୌ ନଥିଲା ନଭେମ୍ବର ମାସରେ । ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା” କିପରି? ଜାଲିଆତିର କେତେ ଚାଲ୍ ଚଳାଇବେ ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ପାର୍ଶ୍ଵଚରମାନେ?

ତତ୍କାଳୀନ ବିଧାନସଭାର ଅଷ୍ଟମ ଅଧିବେଶନ ୨୩.୯.୨୦୦୨ରୁ ଆରମ୍ଭ ହୋଇ ୧୦.୧୦.୨୦୦୨ ତାରିଖରେ ଶେଷ ହୋଇଥିଲା ଓ ପରବର୍ତ୍ତୀ ଅଧିବେଶନ, ଯାହା ୦୨.୧୨.୨୦୦୨ ତାରିଖରେ ଆରମ୍ଭ ହୋଇଥିଲା, ତାହା ୧୬.୧୧.୨୦୦୨ ବା ୧୭.୧୧.୨୦୦୨ରେ ବସିବାର ବି ନଥିଲା ।

କେଉଁ କାରଣ ହେତୁ ସେ ଏହି ଚାରିଶବିଶ୍ ଚାଲ୍ ଖୋଦିତ କରିଛନ୍ତି ଫେସ୍ ବୁକ୍ କାନ୍ଥରେ ତାହା ଯଦି ସ୍ପଷ୍ଟତଃ ପ୍ରକାଶ ନକରନ୍ତି, ଏହା ସ୍ପଷ୍ଟ ହେବ ଯେ, ସରକାରଙ୍କ ସୁପାରି ନେଇ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଅପୋଦ୍ୟମ କରିଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପ୍ରମାଣ ଭିତ୍ତିରେ ମୁଁ ସ୍ତର ସ୍ତର ବିବସ୍ତ୍ର କଲା ପରେ ଇଜ୍ଜତ ବଞ୍ଚାଇବା ପାଇଁ ସେ ଯେଉଁ ଅପଚେଷ୍ଟା ଚଳାଇଛନ୍ତି, ତହିଁର ଗୋଟାଏ ଗୋଟି ଭାବେ ଅବତୀର୍ଣ୍ଣ ହୋଇଛନ୍ତି ମହାପାତ୍ର ମହାଶୟ ଏବଂ ଏହି ଡାହାମିଛ ପରିବେଷଣ କରି ସରକାରୀ ଦଲାଲ ଭାବେ ଫୁଙ୍ଗୁଳା ହୋଇପଡ଼ିଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଏପରି ସାତସିଆଁ ଲୁଗା ପିନ୍ଧାଇ ପୁଣି କେଉଁ ସାମାଜିକ ଆନ୍ଦୋଳନକୁ ଭାଙ୍ଗିବା ସକାଶେ ସରକାରୀ ଦଲାଲ ସାଜିବାକୁ ଭେକ ଯୋଗାଇଛନ୍ତି ।

ଆଶିଷ ରଞ୍ଜନଙ୍କ ଏହି ଡାହାମିଛର ହିରୋ ପ୍ରଦ୍ୟୁମ୍ନ ଶତପଥୀ ଏ ସମ୍ପର୍କରେ ଅବଗତ । କାରଣ ଏହି ଲେଖାଟି ସମ୍ପର୍କରେ ଶ୍ରୀ ତୁଷାରକାନ୍ତ ଶତପଥୀ ତାଙ୍କୁ ମେସେଜ୍ (message) ମାଧ୍ୟମରେ ଅବଗତ କରାଇଥିବା ସଙ୍ଗେ ସଙ୍ଗେ ଫୋନ୍ ଯୋଗେ କଥା ବି ହୋଇଥିଲେ । ଏହି ଚର୍ଚ୍ଚାଧାରାରେ ସେ ଦେଇଥିବା ମନ୍ତବ୍ୟର ଆବଶ୍ୟକୀୟ ଅବିକଳ ନକଲ ନିମ୍ନରେ :

Tusarkanta Satapathy ଆଶିଷଜୀ,
ଶ୍ରଦ୍ଧେୟ ପ୍ରଦ୍ଯୁମଙ୍କୁ ଗତ କାଲି(28.5) ଏ ବିଷୟରେ ଜଣାଇ ବ୍ୟବସ୍ଥା କରେଇବାକୁ ମେସେଜ କରିଥିଲି।ଆଜି ସକାଳେ ଫୋନ କରିଥିଲି ଓ ସେ କହିଥିଲେ ” ପନ୍ଦର ମିନିଟ୍ ପରେ କଥା ହେବି”।

ଅଥଚ, ଏଥିରେ ଯେଉଁ ଭୟଙ୍କର ମିଥ୍ୟା ପ୍ରଚାରିତ ହୋଇଛି ତାହାକୁ ସେ ଏଯାଏଁ ଖଣ୍ଡନ କରିନାହାନ୍ତି । ପଇସା ପାଇଁ ଯେଉଁ ଲୋକ ଭାଷା ଆନ୍ଦୋଳନକୁ ଛୁରିମାରିପାରେ, ଲୋକଙ୍କୁ ଭୁତାଇବା ପାଇଁ ସେ କେଉଁ ଚାରିଶବିଶ୍ ଚାଲ୍ ଚଳାଇ ବା ନପାରେ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯେଉଁ ଭାଷାଭିତ୍ତିକ ଜାତୀୟତା ଓଡ଼ିଶା ପ୍ରଦେଶ ସୃଷ୍ଟି କଲା ତାର ଅନ୍ୟତମ ଉତ୍ସ ଥିଲା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ମହାର୍ହ ଗାନ – ବନ୍ଦେ ଉତ୍କଳ ଜନନୀ  । କିନ୍ତୁ କବିଙ୍କ ପରିବାରର ଅର୍ଥଲୋଭ ହେତୁ ଏହା ଓଡ଼ିଶାର ରାଜ୍ୟ ସଙ୍ଗୀତ ହୋଇ ପାରିନାହିଁ , ହୋଇ ବି ପରିବନାହିଁ ।  

କବିଙ୍କ ପୁତ୍ର ନିତ୍ୟାନନ୍ଦ ମହାପାତ୍ରଙ୍କ ମୁଣ୍ଡରେ ଢୁକିଲା ଯେ, ଯଦି ମୋଟା ଅଙ୍କର ଥୋଢ଼େ ଟଙ୍କା ତାଙ୍କୁ ମିଳିଯନ୍ତା ତେବେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ତାଙ୍କ ‘ଡଗର’ ପତ୍ରିକା ପାଇଁ ଏକ ଉନ୍ନତ ଆଧୂନିକ ମୁଦ୍ରଣଯନ୍ତ୍ର କିଣି ସେ ତାକୁ ଏକ ନୂଆ ଓ ଲାଭଦାୟକ ଢାଞ୍ଚା ପ୍ରଦାନ କରିପାରନ୍ତେ । ଏହି ବିପୁଳ ଟଙ୍କାର ଏକ ସହଜ ସୂତ୍ର ଭାବେ ସେ ବିଧାନସଭାକୁ ବିଚାରିଲେ । ଜଣେ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଭାବେ ସେ ଜାଣିଥିଲେ ଯେ, ବିଧାନସଭାର ବାଚସ୍ପତି ଯଦି ଚାହିଁବେ, ତାଙ୍କ ପ୍ରଶ୍ନାତୀତ ଶକ୍ତି ପ୍ରୟୋଗ କରି କୌଣସି ଗ୍ରହଣଯୋଗ୍ୟ ବାହାନାରେ ସେ ଏ ପାଣ୍ଠି ଯୋଗାଇଦେଇ ପାରିବେ । ତାହା କିନ୍ତୁ ସମ୍ଭବ ହେଲା ନାହିଁ । ସଂପୂର୍ଣ୍ଣ ଦୃଶ୍ୟପଟଟି ଏହିପରି – 

ବାଲେଶ୍ଵର ଜିଲ୍ଲାରୁ ବିଧାନସଭାକୁ ଆସିଥିବା ରଘୁନାଥ ମହାନ୍ତି ୧୯.୧୨.୨୦୦୨ ତାରିଖ ଶୂନ୍ୟ କାଳରେ ଯେତେବେଳେ ବାଚସ୍ପତିଙ୍କୁ କହିଲେ,  “ବିଧାନସଭାର ଶେଷ ଦିବସରେ  ଯେତେବେଳେ ଏହି ସଙ୍ଗୀତ (ବନ୍ଦେ ଉତ୍କଳ ଜନନୀ) ଗାନ କରାଯାଉଛି, ଆମେ ସମସ୍ତ ସଭ୍ୟ ନିଜ ନିଜ ଆସନରେ ଠିଆ ହୋଇ ସେଥିପ୍ରତି ସମ୍ମାନ ଜଣାଉଛୁ ……….. ଆପଣ ରାଜ୍ୟ ସରକାରଙ୍କୁ ଗୋଟିଏ ବିଧିବଦ୍ଧ ନୋଟିସ ଦେବା ଉଚିତ;  ନଚେତ ଏ ଗୃହ ସମସ୍ତ ଦଳମତ ଉର୍ଦ୍ଧ୍ଵରେ ରହି ଅନୁରୋଧ କରିବା ଉଚିତ ଯେ, ଓଡିଶାର ଜାତୀୟ ସଙ୍ଗୀତ ହିସାବରେ ସରକାର ‘ବନ୍ଦେ ଉତ୍କଳ ଜନନୀ’କୁ ମାନ୍ୟତା ଦିଅନ୍ତୁ” – ସେତେବେଳେ ସେ ନିଶ୍ଚୟ ଅନ୍ଦାଜ କରିପାରିନଥିବେ ଯେ, ତାଙ୍କ ସେହି ନିବେଦନ ଦିନେ ଓଡ଼ିଆ ଜାତୀୟ ଚେତନାକୁ ବିପର୍ଯ୍ୟୟର  ସମ୍ମୁଖୀନ କରାଇବ ।

ବାଚସ୍ପତି ଶରତ କୁମାର କରଙ୍କୁ ସେଦିନ ବିଷ୍ଣୁ ଚରଣ ସେଠୀ କହିଥିଲେ, “ଆପଣ ଏ ବିଷୟରେ ସରକାରଙ୍କୁ ଗୋଟିଏ ସାର୍କୁଲାର ଇସୁ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ତାହା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ।”

ମହେଶ୍ଵର ମହାନ୍ତି କହିଥିଲେ, “ରାଜ୍ୟ ସଙ୍ଗୀତ ଭାବେ ସ୍ଵୀକୃତିର ଅଭାବରୁ ଲୋକମାନେ ଏହାକୁ ଭକ୍ତିସଙ୍ଗୀତ ବା ଭଜନ ବୋଲି ଭାବୁଛନ୍ତି । ଲୋକମାନେ ଯେଭଳି ଅନ୍ୟଥା ନଭାବିବେ ସେଥିପାଇଁ ଏହାକୁ ରାଜ୍ୟର ସ୍ଵୀକୃତିପ୍ରାପ୍ତ ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରିବାକୁ ଆପଣ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ।”

ବାଚସ୍ପତି ଶରତ କୁମାର କର କହିଥିଲେ,  “ମୁଁ ଅନେକ ଥର ସରକାର ଓ ସମ୍ପୃକ୍ତ ମନ୍ତ୍ରୀଙ୍କୁ କହି ସାରିଛି । କିନ୍ତୁ ସମ୍ପୃକ୍ତ ବିଭାଗ ଏହି ପ୍ରସଙ୍ଗ ପ୍ରତି ବାରମ୍ବାର ଅବହେଳା ପ୍ରଦର୍ଶନ କରୁଛନ୍ତି ।”

ଆପଣ ଏକ ଆଦେଶ ଦିଅନ୍ତୁ ବୋଲି ଦାବି ହେବାରୁ ଶ୍ରୀ କର କହିଥିଲେ, “ମୁଁ ସରକାରଙ୍କୁ (ଏଇ ବର୍ତ୍ତମାନ) ନିର୍ଦ୍ଦେଶ ଦେଲି । ଆଇନ ହେଲେ ବି ସରକାର ତାହା ପ୍ରଣୟନ କରିବେ । କିନ୍ତୁ ମୁଁ ନିର୍ଦ୍ଦିଷ୍ଟ ଭାବେ କହିବାକୁ ଚାହେଁ, ସରକାର ଏ ସଙ୍କ୍ରାନ୍ତରେ ବିଧିବଦ୍ଧ ଭାବେ ଏକ ସର୍କୁଲାର ନିର୍ଗମନ କରିବେ ଯେ, ଏହାକୁ କେହି ଅବମାନନା କରିବେ ନାହିଁ । ଅମାନ୍ୟ ବା ଅବମାନନା କଲେ ଆଇନାନୁମୋଦିତ ଦଣ୍ଡ ପାଇବେ ।”

ଶରତବାବୁ ୨୧.୫.୨୦୦୪ ଯାଏଁ ବାଚସ୍ପତି ଥିଲେ । ତାଙ୍କର ଏହି ନିର୍ଦ୍ଦେଶକୁ ସରକାର (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ) କାହିଁକି ଅବଜ୍ଞା କଲେ, ତାହା ଥରକ ପାଇଁ ଜାଣିବାକୁ ଚାହିଁଲେ ନାହିଁ କି ବାଚସ୍ପତିଙ୍କ ନିର୍ଦ୍ଦେଶର ଅବମାନନା ପାଇଁ ସ୍ଵାଧିକାର ପ୍ରଶ୍ନ ତୋଳିଲେ ନାହିଁ । ତାହା ତାଙ୍କ ଅଯୋଗ୍ୟପଣିଆ ନଥିଲା ; ଥିଲା ଏକ ଆକସ୍ମିକ ମାନସିକ ଯାତନାର ଅପ୍ରକଟ ପ୍ରତିକ୍ରିୟା ।

ବିଭାଗୀୟ ଅବହେଳାରେ ଦବି ନଯାଇ ୨୦.୨.୨୦୦୩ ତାରିଖରେ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ସେ କେତେକ ଦାୟିତ୍ଵସମ୍ପନ୍ନ ବ୍ୟକ୍ତିଙ୍କର ବୈଠକ ଡାକି ଏ ସମ୍ପର୍କରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ବିଧାନସଭା ସଚିବାଳୟକୁ ନିୟୋଜିତ କରିଥିଲେ ।

ଭାଙ୍ଗିଗଲା ଆଗ୍ରହ

ଆମେ ଦେଖୁ ୩.୫.୨୦୦୩ ପର୍ଯ୍ୟନ୍ତ ବାଚସ୍ପତି ଶ୍ରୀ କର ସମ୍ପୂର୍ଣ ଆନ୍ତରିକତାର ସହ ଏହି କାମରେ ଲାଗିଥିଲେ । ମାତ୍ର ତହିଁର ୩ ଦିନ ପରେ, ତା ୭.୫.୨୦୦୩ରିଖରେ ସୂଚନା ଓ ଲୋକ ସମ୍ପର୍କ ସଚିବ ଜଗଦୀଶ ପ୍ରସାଦ ଦାଶଙ୍କ ମାଧ୍ୟମରେ କାନ୍ତକବିଙ୍କ ପୁତ୍ର ନିତ୍ୟାନନ୍ଦ ମହାପାତ୍ରଙ୍କଠାରୁ ଯେଉଁ ପତ୍ର ତାଙ୍କୁ ମିଳିଲା, ତାହା ହିଁ ବୋଧେ ଶରତବାବୁଙ୍କ ଆଗ୍ରହ ଭାଙ୍ଗିଦେଲା ।  

ପିତାଙ୍କ ଗୀତ ଓଡ଼ିଶାର ଜାତୀୟ ସଙ୍ଗୀତ ହେବାକୁ ଯାଉଛି – ଏଥିରେ ଗର୍ବ ଅନୁଭବ କରିବା ପରିବର୍ତ୍ତେ, ସେ ଲେଖିଥିଲେ, “ଅନୁରୋଧ କରୁଛି କି , ବନ୍ଦେ ଉତ୍କଳ ଜନନୀର ସଙ୍ଗୀତ ଓ ପଦ୍ୟ ସମ୍ପାଦନା ତଥା copyright ଓ royalty ବାବଦକୁ ଏକ ସମ୍ମାନଜନକ ଅଙ୍କ କାନ୍ତକବି ପ୍ରତିଷ୍ଠିତ ‘ଡଗର’ ପତ୍ରିକାର ପୁନଃ ଉଦ୍ଧାର ନିମନ୍ତେ ‘ଡଗର’କୁ ସରକାର ପ୍ରଦାନ କରିବେ ।“ ନିତ୍ୟାନନ୍ଦଙ୍କ ସାନ ଭାଇ ଗୌର ଚନ୍ଦ୍ର ମହାପାତ୍ର ୧୦.୫.୨୦୦୩ ତାରିଖରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ ଗସ୍ତଖର୍ଚ୍ଚ ଦାବି କରିଥିଲେ କେବଳ ନୁହେଁ, ଅନୌପଚାରିକ ଭାବେ ସୂଚାଇ ଦେଇଥିଲେ କି, ସରକାର ନିତ୍ୟାନନ୍ଦବାବୁଙ୍କୁ ଯେଉଁ ଅର୍ଥ ଦେବେ ତାହାର ଅର୍ଦ୍ଧାଂଶ ତାଙ୍କ ଭାଗ ବାବଦରେ ତାଙ୍କୁ ଦିଆଯିବା ଦରକାର ।

ଉହାଡ଼ରେ ଥିବା ଏ ଅଭିସନ୍ଧି ଶ୍ରୀ କରଙ୍କୁ ଏପରି ବିଚଳିତ କରିଥାଇପାରେ ଯେ, ବାଚସ୍ପତି ପଦ ତ୍ୟାଗ କରିବା ପର୍ଯ୍ୟନ୍ତ ଏ ସମ୍ପର୍କରେ ସେ ଆଉ ବିଶେଷ କିଛି ଆଗ୍ରହ ପ୍ରଦର୍ଶନ କରିନଥିବା ଦେଖାଯାଏ ।

ଉହାଡ଼ର ଅଭିସନ୍ଧି

ନିତ୍ୟାନନ୍ଦ ମହାପାତ୍ରଙ୍କ ଏହି “ଅନୁମତି ପ୍ରଦାନ” ଉହାଡ଼ରେ “ଏକ ସମ୍ମାନଜନକ” ପରିମାଣର ଟଙ୍କା ଦାବି ଓ ଗୌରଚନ୍ଦ୍ର ମହାପାତ୍ର କାନ୍ତକବିଙ୍କ ଲେଖାର copyright ଉପରେ ସମାନ ଅଂଶୀଦାର ଥିବା ହେତୁ ସରକାର ଦେବାକୁ ଥିବା ଟଙ୍କାର ଅଧଭାଗ ନ ପାଇଲେ ତାଙ୍କ ଭାଗର copyright ଦେବେନାହିଁ ବୋଲି ଧମକାଇବା ବାଚସ୍ପତି କରଙ୍କ ମନ ଉପରେ ନିଶ୍ଚୟ ଭରିଦେଇଥିବ ଗଭୀର ବିରକ୍ତି; କରଣ ଆମେ ଦେଖୁଁ, ଏହା ହିଁ ହୋଇରହିଗଲା ତାଙ୍କ ଅଧ୍ୟକ୍ଷତାରେ ଏ ବିଷୟରେ ଅନୁଷ୍ଠିତ ଶେଷ ବୈଠକ ।  

ଅଥଚ ଏହି ବୈଠକରେ ହିଁ ନିତ୍ୟାନନ୍ଦ ମହାପାତ୍ର ବପନ କରିଥିଲେ ଅଖଣ୍ଡ ଓଡ଼ିଶା ବିରୁଦ୍ଧରେ ଏକ ବିପତ୍ତିର ବୀଜ ।

ସେ ଲେଖିଥିଲେ, “ବନ୍ଦେ ଉତ୍କଳ ଜନନୀ”ର ସଂପୂର୍ଣ୍ଣ ଭାବକୁ ପ୍ରତିନିଧିତ୍ଵ କରିପାରୁଥିବା ଭଳି ତିନୋଟି (୩ଟି) ସ୍ତବକ ମନୋନୀତ କରି ଏହି ପତ୍ର ସହ ସଂଲଗ୍ନ ପୂର୍ବକ “ବନ୍ଦେ ଉତ୍କଳ ଜନନୀ” ରାଜ୍ୟ ସଙ୍ଗୀତ ହେବା ପାଇଁ ବିଧିବଦ୍ଧ ଭାବେ ଅନୁମତି ପ୍ରଦାନ କରୁଛି ….. ।“  ଏତଦନୁଯାୟୀ ଏହି ବୈଠକରେ ନିମ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା : It was unanimously decided to approve only first, fourth and the last stanza with repetition of first two lines for rhythmical purpose …. ।”  ଯେଉଁ ପ୍ରସ୍ତାବ ଗୃହୀତ ହେଲା, ତହିଁରେ ଏହା ଅନୁମୋଦିତ ହୋଇଗଲା !

ଆଇନ ହେଉ

ଶରତବାବୁଙ୍କ ପରେ ବାଚସ୍ପତି ହେଲେ ମହେଶ୍ଵର ମହାନ୍ତି, ଯେ କି ୧୯.୧୨.୨୦୦୨ ତାରିଖ ଶୂନ୍ୟ କାଳରେ ବିଧାନସଭାରେ ଯାହା କହିଥିଲେ ତାହା ମୁଁ ଏହି ନିବନ୍ଧର ପ୍ରାରମ୍ଭରେ ଉଲ୍ଲେଖ କରିଛି । ୧୦.୫.୨୦୦୩ ତାରିଖ ପରେ ଏ ବିଷୟରେ ପରବର୍ତ୍ତୀ ଓ ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା ୨୬.୮.୨୦୦୬ ତାରିଖରେ ବାଚସ୍ପତି ମହାନ୍ତିଙ୍କ ଅଧ୍ୟକ୍ଷତାରେ  ତାଙ୍କରି ପ୍ରକୋଷ୍ଠରେ । ଏହା ପ୍ରଥମ ବୈଠକର ପ୍ରଥମ ପ୍ରସ୍ତାବକୁ ମଧ୍ୟ ନିଜର ପ୍ରଥମ ପ୍ରସ୍ତାବ ଭାବେ ଗ୍ରହଣ କରିଥିଲା ; ଏବଂ ଆଉ ଗୋଟିଏ ପ୍ରସ୍ତାବ (ପ୍ରସ୍ତାବ ସଂଖ୍ୟା ୭) ରେ ପ୍ରଥମ ପ୍ରସ୍ତାବକୁ ଆଇନରେ ପରିଣତ କରିବାକୁ ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ବିଧେୟକ ଆଗତ କରିବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆ ଯାଇଥିଲା ; ଯଥା ” To give recognition and statutory status to the song as State Anthem, necessary Bill shallbe introduced in the coming Assembly Session by the Home Department in the light of National Anthem Act.”

ମହେଶ୍ଵର ମହାନ୍ତି ୩୧.୩.୨୦୦୮ ପର୍ଯ୍ୟନ୍ତ ବାଚସ୍ପତି ରହିଲେ । କିନ୍ତୁ ଏହି ସଙ୍ଗୀତକୁ ପ୍ରାଦେଶିକ ସଙ୍ଗୀତ କରିବା ପାଇଁ ବିଧାନସଭାର କୌଣସି ଅଧିବେଶନରେ ମଧ୍ୟ ବିଧେୟକ ଆଗତ ହୋଇନଥିଲା ଓ ସେ ବି ସେ ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ସଂପୂର୍ଣ୍ଣ  ନୀରବ ରହିଥିଲେ ।

ଦୁଇଟି କାରଣ

ଏହାର ଦୁଇଟି କାରଣ ଥିଲା । ପ୍ରଥମତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେ ଓଡ଼ିଆ ଅସ୍ମିତାର ଘୋର ଘାତକ – ଏହା ବୁଝିଗଲା ପରେ ନୀରବ ରହିବା ଭିନ୍ନ ମହେଶ୍ଵରଙ୍କ ପାଇଁ ଅନ୍ୟ ଗତି ନଥିଲା । ଦ୍ଵିତୀୟତଃ, ଏହାକୁ ଆଇନ ବଳରେ ଓଡ଼ିଶାର ପ୍ରାଦେଶିକ ସଙ୍ଗୀତ କରିବା ପାଇଁ କବିଙ୍କ ପରିବାରର ଅର୍ଥଲୋଭ ଅନ୍ତରାୟ ହୋଇ ଠିଆ ହୋଇଥିଲା ।

ନିତ୍ୟାନନ୍ଦ ମହାପାତ୍ର ଦେଇଥିବା ଚିଠିରେ “ଏକ ସମ୍ମାନଜନକ” ପରିମାଣର ଟଙ୍କା ପାଇଁ ଲେଖିଥିଲେ ମଧ୍ୟ ତାଙ୍କ “ଡଗର ପତ୍ରିକାର ପୁନଃ ଉଦ୍ଧାର” ପାଇଁ ୨୫ ଲକ୍ଷ ଟଙ୍କାର ମୌଖିକ ଦାବି ରଖିଥିଲେ । ଜଣେ ପୂର୍ବତନ ବିଧାୟକ ଓ ମନ୍ତ୍ରୀଙ୍କୁ ସିଧାସଳଖ ନାହିଁ  କରିହେଉନଥିଲା କି ତହିଁରେ ରାଜି ହେବା ବି ସୁବିଧାଜନକ ନଥିଲା ।

ମହାପାତ୍ରଙ୍କ ଭୁଲ ଦାବି

ନିତ୍ୟାନନ୍ଦ ମହାପାତ୍ର ବନ୍ଦେ ଉତ୍କଳ ଜନନୀ ଉପରେ ଯେଉଁ ସତ୍ତ୍ଵାଧିକାର (copyright) ଦର୍ଶାଇ ସରକାରଙ୍କ ଠାରୁ ” ସମ୍ମାନଜନକ” ପରିମାଣର ଟଙ୍କା ଦାବି କରିଥିଲେ, ସେ ସତ୍ତ୍ଵାଧିକାର ତାଙ୍କର ନ ଥିଲା । ଗୀତଟିର ପ୍ରକୃତ ସତ୍ତ୍ଵାଧିକାରୀ ଥିଲା ଆକାଶବାଣୀ । ମହାପାତ୍ର ଭ୍ରାତୃଦ୍ଵୟ ଏହା ଭଲଭାବେ ଜାଣିଥିଲେ । ବିଶ୍ଵାସ କରିବା କଷ୍ଟ ଯେ, ଏହା ଜାଣି ମଧ୍ୟ ସତ୍ତ୍ଵାଧିକାର ଓ ରୟାଲଟି ବାବଦରେ ସେମାନେ ସରକାରଙ୍କଠାରୁ “ସମ୍ମାନଜନକ” ପରିମାଣର  ଟଙ୍କା ଦାବି କରୁଥିଲେ ।

ଦୁଇଟି ସତ୍ତ୍ଵାଧିକାର ସମ୍ଭବ ନୁହେଁ

ବନ୍ଦେ ଉତ୍କଳ ଜନନୀ ଗୀତର ଲେଖକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଟଙ୍କା ବିନିମୟରେ ଆକାଶବାଣୀକୁ ତାହାର ସତ୍ତ୍ଵାଧିକାର ନିଜ ଜୀବିତାବସ୍ଥାରେ  ପ୍ରଦାନ କରିସାରିଥିବା ହେତୁ ତାଙ୍କର କୌଣସି ଉତ୍ତରାଧିକାରୀ ସେହି ସତ୍ତ୍ଵାଧିକାରକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିପାରିବେ ନାହିଁ । ଏହା କୌଣସି ଜମି ନୁହଁ ଯେ, ରାଜ୍ୟ ସରକାର ଆକ୍ୟୁଇଜେସନ ଆଇନ ବଳରେ ଜନସ୍ଵାର୍ଥ ବାହାନାରେ ଏହାର  ଅଧିଗ୍ରହଣ କରିପାରିବେ । ଗୋଟିଏ ସାରସ୍ଵତ କୃତି ଉପରେ ଦୁଇଟି ସତ୍ତ୍ଵାଧିକାର – ପୁଣି ଦୁଇଟି ଭିନ୍ନ ଭିନ୍ନ ସରକାରଙ୍କ ସମାନ୍ତରାଳ ସତ୍ତ୍ଵାଧିକାର – କେବେ ବି ସମ୍ଭବ ନୁହେଁ ।

ଆଇନତଃ ଅସମ୍ଭବ

ଏହି ହେତୁ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ୨୬.୮.୨୦୦୬ ତାରିଖର ନିର୍ଦ୍ଦେଶ ମାନି ଓଡ଼ିଶା ସରକାର ଏବେ ବି ଏହି ସଙ୍ଗୀତକୁ ରାଜ୍ୟର ପ୍ରାଦେଶିକ ସଙ୍ଗୀତ କରିବାକୁ ଆଇନ ପ୍ରଣୟନ କରି ପାରିବେ ନାହିଁ । ଏବଂ ଏହି ସଙ୍ଗୀତ ଯଦି ଜାତୀୟ ସଙ୍ଗୀତ ପରି ଆଇନ ଆଧାରିତ ନ ହୁଏ, ତାକୁ କେହି ମାନିବାକୁ ବାଧ୍ୟ ହେବେ ନାହିଁ ।

କାଣ୍ଟଛାଣ୍ଟ କରିବାକୁ ସରକାର କିଏ?

ଅପରପକ୍ଷେ ଛଅଟି ପଦ ବିଶିଷ୍ଟ ଏହି ନମସ୍ୟ ଗୀତର ସଂକ୍ଷିପ୍ତୀକରଣ କରି ଗାଇବାକୁ ଯେଉଁ କେତେକ ବ୍ୟକ୍ତି ଯୁକ୍ତି କରୁଛନ୍ତି ତାହା କେବଳ କୁହାଳିଆ ଗୁଣର ପରିଚାୟକ । କାନ୍ତକବିଙ୍କ ଏହି ଗୀତଟି ଆମ ଜାତିର ଏକ ଅମୂଲ୍ୟ ସମ୍ପଦ । ଆମ ଭାଷାରେ ଆମ ଜାତିର ସମସ୍ତ ଦାପ୍ତରୀକ କର୍ମ ସମ୍ପାଦନ ପାଇଁ ଯେତେବେଳେ ଆମ ଭାଷାଭାଷୀ ଭୂଖଣ୍ଡକୁ ଏକତ୍ର କରି  ଏକ ନୂଆ ପ୍ରଦେଶ ସୃଷ୍ଟି ପାଇଁ ଆମ ଆନ୍ଦୋଳନ ଚାଲିଥିଲା, ଏହି ସଙ୍ଗୀତ ଆମ ଜାତୀୟତାର ଉଦ୍ଦୀପକ ହୋଇ ଉଭା ହୋଇଥିଲା । କାନ୍ତକବିଙ୍କ ତିରୋଧାନ ପରେ ଏହାକୁ କାଣ୍ଟଛାଣ୍ଟ କରି ବିକୃତ କରିବାର  ଅଧିକାର ନିତ୍ୟାନନ୍ଦ ମହାପାତ୍ରଙ୍କୁ ବା ରାଜ୍ୟ ସରକାରଙ୍କୁ ବା କୌଣସି ସଙ୍ଗୀତକାରଙ୍କୁ  ଦେଲା କିଏ?

ଓଡ଼ିଶା ବିରୁଦ୍ଧରେ ଷଡ଼ଯନ୍ତ୍ର  

ଏହି ସଙ୍ଗୀତକୁ ଓଡ଼ିଶା ପ୍ରଦେଶର ଜାତୀୟ ସଙ୍ଗୀତ କରିବା ପାଇଁ ଦୁଇଜଣ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ  ଯେଉଁ ଦୁଇଟି ବୈଠକ ହୋଇଥିଲା ତହିଁର ଦୁଇଟିଯାକ “ପ୍ରଥମ ପ୍ରସ୍ତାବ” ସମାନ । ପ୍ରଥମ ବୈଠକର ପ୍ରସ୍ତାବ ଏଥିପୂର୍ବରୁ ଉଦ୍ଧୃତ୍ତ ହୋଇଛି । ଦ୍ଵିତୀୟଟିର ପ୍ରସ୍ତାବ ହେଲା – “1st, 4th, & 6th stanzas of Bande Urkala Janani  along with Ghosa written by Kantakabi Laxmikant Mohapatra will be taken as State Anthem (Orissa Pradesh Sangita) . Other formalities like occasion, place, manner and other procedures to be followed would be decided by the Home Department.”

ଅତଏବ ଏହି ଦୁଇଟିଯାକ ପ୍ରସ୍ତାବ କହୁଛି କାନ୍ତକବିଙ୍କ ଲେଖାର ଘୋଷା ସମେତ ୧, ୪ ଓ ୬ – ଏହି ତିନୋଟି ପଦକୁ  ମୂଳ ରଚନାରୁ ଅଲଗା କରି ରାଜ୍ୟ ସଙ୍ଗୀତ ରୂପେ ପ୍ରବର୍ତ୍ତିତ କରାଯାଉ । ଘୋଷା ସମେତ ଏହି ତିନୋଟି ପଦ ହେଲା

ବନ୍ଦେ ଉତ୍କଳ ଜନନୀ

ଚାରୁ ହାସମୟୀ ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ

ବନ୍ଦେ ଉତ୍କଳ ଜନନୀ । ଘୋଷା ।

 

ପୂତ ପୟୋଧି ବିଧୌତ ଶରୀରା

ତାଳ ତମାଳ ସୁଶୋଭିତ ତୀରା

ଶୁଭ୍ର ତଟିନୀକୁଳ ଶୀକର ସମୀରା  – ଜନନୀ ଜନନୀ ଜନନୀ । ୧ ।

 

ସୁନ୍ଦର ମନ୍ଦିର ମଣ୍ଡିତ ଦେଶା

ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ଦେଶା

ପୂଣ୍ୟ ତୀର୍ଥଚୟ ପୂଣ୍ୟ ପ୍ରଦେଶା  – ଜନନୀ ଜନନୀ ଜନନୀ । ୪ ।

 

କବିକୁଳମୌଳି ସୁନନ୍ଦନ ବନ୍ଦ୍ୟା

ଭୂବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା

ଧନ୍ୟେ ପୂଣ୍ୟେ ଚିରଶରଣ୍ୟେ – ଜନନୀ ଜନନୀ ଜନନୀ । ୬। 

 

ଏହା ଓଡ଼ିଶା ପ୍ରଦେଶ ଭୂମିର ଘୋର ଅବମାନନାକାରୀ । କାରଣ, ଏଥିରେ କେବଳ ଉପକୂଳ ଓଡ଼ିଶାର ବୈଶିଷ୍ଟ୍ୟ ଚିତ୍ରଣ ଅଛି ; ପାର୍ବତ୍ୟ ଓଡ଼ିଶା ବା ଗଡ଼ଜାତ ଓଡ଼ିଶାର ଚିହ୍ନ ବର୍ଣ୍ଣ ନାହିଁ । ଓଡ଼ିଶାର ଅଧିକାଂଶ ଲୋକ ଯେଉଁମାନେ ପୂର୍ବତନ ଗଡ଼ଜାତଗୁଡ଼ିକର ବାସିନ୍ଦା ବା ପାହାଡ଼ି ଇଲାକାର ଅଧିବାସୀ ଏହି ସଙ୍ଗୀତରେ ତାଙ୍କ ମାଟିର ବନ୍ଦନା ପାଇବେନାହିଁ  । ଏହା ଓଡ଼ିଶାକୁ ଅଖଣ୍ଡ ରଖିବା ପରିବର୍ତ୍ତେ ସ୍ଵାଭିମାନ ଭିତ୍ତିରେ  ଖଣ୍ଡ ଖଣ୍ଡ କରିଦେବ । ଓଡ଼ିଶାକୁ ଭଲ ପାଉଥିବା କୌଣସି ଲୋକ ଏହାକୁ ତାର ଜାତୀୟ ସଙ୍ଗୀତ ଭାବେ କେବେ  ବି ଗ୍ରହଣ କରିବ ନାହିଁ ।

 

ବନ୍ଦେ ଉତ୍କଳ ଜନନୀ ଗୀତଟି ଆମ ଭାଷା ଜାତୀୟତାର ମଧୁରତମ ଉତ୍ସ ହୋଇରହିଥିଲା, ରହି ବି ଥାଆନ୍ତା ଚିରକାଳ । ମାତ୍ର କାନ୍ତକବିଙ୍କ ପୁତ୍ରମାନଙ୍କ ଅର୍ଥଲୋଭ ଏହି ଦୁଃଖଦ ପରିସ୍ଥିତି ଉପୁଯାଇଛି ।

 

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା ପ୍ରଦେଶର ଚାରି ପ୍ରମୁଖ ଅଙ୍ଗ ହେଲେ ଉତ୍କଳ, ତୋଷଳ, କଳିଙ୍ଗ, ଓ କୋଶଳ । “ବନ୍ଦେ ଉତ୍କଳ ଜନନୀ” ଗୀତର କବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ଉତ୍କଳ’ ଖଣ୍ଡର ବାସିନ୍ଦା । ତେଣୁ ଓଡ଼ିଶା ନ ଲେଖି ସାବଲୀଳ ଓ ସ୍ଵାଭାବିକ ଶୈଳୀରେ ସେ ଉତ୍କଳ ଶବ୍ଦଟିକୁ ତାଙ୍କ କବିତାରେ ବ୍ୟବହାର କରିଥିଲେ । ଏହା ଆଞ୍ଚଳିକବାଦର ଥିଲା ଏକ ସୁକ୍ଷ୍ମ ସ୍ଵାକ୍ଷର ।

ଏପରି ଆଞ୍ଚଳିକବାଦ ଅନେକଙ୍କ ଜୀବନରେ ଥାଏ । ସେଥିପାଇଁ ଗଞ୍ଜାମଜନ୍ମିତ ବିଜୁବାବୁ ତାଙ୍କ ଶିଳ୍ପବେପାର ପ୍ରତିଷ୍ଠାନଗୁଡିକୁ ତଥା ପୁରସ୍କାର ପ୍ରକଳ୍ପକୁ କଳିଙ୍ଗ ନାମରେ ନାମିତ କରିଥିବା ବେଳେ ତୋଷଳ ଓ କୋଶଳ ଅଂଚଳରେ ସେହି ସେହି ନାମରେ ନାମିତ ବିଭିନ୍ନ ପ୍ରକଳ୍ପ ଦୃଷ୍ଟିଗୋଚର ହୁଏ । ତେଣୁ ଏହି ନାମଗୁଡ଼ିକ ଆଞ୍ଚଳିକ ବୈଶିଷ୍ଟ୍ୟର ପ୍ରଜ୍ଞାପକ ହୋଇଥିବାବେଳେ ଏବଂ ବେଳେବେଳେ ସେଗୁଡିକର ନାମୋଚ୍ଚାରଣରେ ଅଧିକ ପୁଲକିତ ହେଊଥିବା ବ୍ୟକ୍ତିମାନେ ଆଞ୍ଚଳିକବାଦର ଅନୁବର୍ତ୍ତୀ ହେଉଥିବାବେଳେ, ଏହି ଚାରି ନାମଚେତନାକୁ ହୃଦୟରେ ସାଇତି ରଖି ସମଗ୍ର ଓଡ଼ିଆ ଜାତିର ମାତୃଭୂମି ଭାବେ ପରିଚିତ ହୋଇଥିବା ଭୂଖଣ୍ଡର ନାମ ହେଉଛି ଓଡ଼ିଶା ।

ଓଡ଼ିଶା ହେଉଛି ଓଡ଼ିଆ ଜାତିର ଐକ୍ୟର ରୂପକଳ୍ପ , ଅଂଶବିଶେଷର ନୁହେଁ ।

ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଏକ ନୂତନ ସର୍ବବ୍ୟାପି ଜାତୀୟଅସ୍ମିତାର ସୁଖଦ ସ୍ପର୍ଶ ଦେଇ ସାରା ଓଡ଼ିଶାକୁ ଦୀର୍ଘ ନିଦ୍ରାରୁ ଜାଗ୍ରତ କରାଇଲାପରେ କେହି କେହି ଭାଷାପ୍ରେମୀ ‘ଉତ୍କଳ’ ସ୍ଥାନରେ ‘ଓଡ଼ିଶା’ ଲେଖି ରାଜ୍ୟ-ସଂଗୀତ ପ୍ରବର୍ତ୍ତିତ ହେଉ ବୋଲି ମତଦେବା ଆରମ୍ଭ କରିଛନ୍ତି ।ଏହା ଏକ ଅତ୍ୟନ୍ତ ସ୍ଵାଗତଯୋଗ୍ୟ ପ୍ରସ୍ତାବ ।

ମାତ୍ର ଏହି ପ୍ରସ୍ତାବକୁ ସର୍ବାନ୍ତଃକରଣରେ ଗ୍ରହଣ କରିବା ପରିବର୍ତ୍ତେ କେତେକ ବ୍ୟକ୍ତି ବିଭାଜନବାଦୀମାନେ ହିଁ ଏପରି ପ୍ରସ୍ତାବ ଦେଉଥିବା କହୁଛନ୍ତି ଓ ଓଡ଼ିଶାର ସୃଷ୍ଟିତତ୍ତ୍ବ ନ ଜାଣିଥିବା ବ୍ୟକ୍ତିମାନେ ହିଁ ଏହି ପ୍ରସ୍ତାବକୁ ବେଶୀ ବିରୋଧ କରୁଥିବା ଦେଖାଯାଉଛି । ତେଣୁ ଓଡ଼ିଶାର ସୃଷ୍ଟି ଇତିହାସ ଉପରେ ସାମାନ୍ୟ ଦୃଷ୍ଟି ଦେବା ।

ଓଡ଼ିଶାର ସୃଷ୍ଟି ଇତିହାସ

ଏହି ଇତିହାସ ସ୍ପଷ୍ଟ କରେ ଯେ, ‘ଉତ୍କଳ’ ପ୍ରଦେଶ ସୃଷ୍ଟିପାଇଁ କେବେ କୌଣସି ଦାବି ହୋଇନଥିଲା । ଦାବି ହୋଇଥିଲା ‘ଓଡ଼ିଶା’ ପ୍ରଦେଶ ସୃଷ୍ଟିପାଇଁ । ପ୍ରଦେଶଟି ‘ଉତ୍କଳ’ ପ୍ରଦେଶ ଭାବେ ଗଠିତ ହୋଇନଥିଲା । ଗଠିତ ହୋଇଥିଲା ‘ଓଡିଶା’ ପ୍ରଦେଶ ଭାବେ । ୧୮୭୦ରେ ଦୀନବନ୍ଧୁ ପଟ୍ଟନାୟକଙ୍କ ନେତୃତ୍ବରେ ପାରିତ ‘ଘୁମୁସର ପ୍ରସ୍ତାବ’ ପ୍ରଭାବରେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡର ଏକୀକରଣ ପାଇଁ କୁଳଗୌରବ ମଧୁସୂଦନଙ୍କ ନେତୃତ୍ବରେ ଉତ୍କଳ ସମ୍ମିଳନୀ ଯେଉଁ ଆନ୍ଦୋଳନ କରିଥିଲା, ତାହା ‘ଉତ୍କଳ’ ସୃଷ୍ଟି ପାଇଁ ନୁହେଁ , ‘ଓଡ଼ିଶା’ ସୃଷ୍ଟିପାଇଁ ଚାଲିଥିଲା ।

‘ଓଡ଼ିଶା’ ସୃଷ୍ଟି ହେଲେ ତାର ସୀମା କଣ ହେବ, ପ୍ରଶାସନିକ ବ୍ୟବସ୍ତା କଣ ହେବ ଓ ତାର ଆର୍ଥିକ ପରିଚାଳନା କିପରି ହେବ ତାହା ସ୍ଥିର କରିବାପାଇଁ ବ୍ରିଟିଶ ସରକାର ଏହା କମିଟି ଗଠନ କରିଥିଲେ, ଯାହାର ନାମ ଥିଲା ‘ଓଡିଶା ବାଉଣ୍ଡରୀ କମିଶନ” (ଭାରତ ଶାସନର ସଂକଳ୍ପ, ୧୮. ୯. ୧୯୩୧), ଯହିଁରେ ଭାରତର ପୂର୍ବତନ ସ୍ବରାଷ୍ଟ୍ର ସଚିବ ସାମୁଏଲ ଓ’ଡୋନ୍ନେଲ ଅଧ୍ୟକ୍ଷ ଥିବା ହେତୁ ତାକୁ ଓ’ଡୋନ୍ନେଲ କମିଟି ଓ ସଂକ୍ଷେପରେ ‘ଓଡ଼ିଶା କମିଟି’ ବୋଲି କୁହା ହେଉଥିଲା । ଲକ୍ଷ୍ୟ କରିବାର କଥା, ଏହି କମିଟି ନିଯୁକ୍ତିର ଉଦ୍ଦେଶ୍ୟରେ ଓ କାର୍ଯ୍ୟନିର୍ବାହରେ କେବଳ ‘ଓଡ଼ିଶା’ ଥିଲା, ‘ଉତ୍କଳ’ ନ ଥିଲା । ତେଣୁ ଓଡ଼ିଆମାନଙ୍କୁ ତାଙ୍କ ସ୍ବତନ୍ତ୍ର ମାତୃଭୂମି ଦେବାପାଇଁ ଯେଉଁ ପ୍ରଶାସନିକ ପଦକ୍ଷେପ ନିଆହୋଇଥିଲା ତାହା ଥିଲା ‘ଓଡ଼ିଶା’ ସୃଷ୍ଟି ପାଇଁ, ‘ଉତ୍କଳ’ ପାଇଁ ନୁହେଁ । ଉଲ୍ଲେଖନୀୟ ଯେ, ଏହି କମିଟି ବିରୁଦ୍ଧରେ ସ୍ଵର ଉଠିଥିଲା ‘ଉତ୍କଳ’ ଅଂଚଳରୁ । ‘ଉତ୍କଳ କେଶରୀ’ ହରେକୃଷ୍ଣ ମହତାବ ଏହାକୁ କିପରି ବିରୋଧ କରୁଥିଲେ ତାହା ତାଙ୍କରି କାଗଜ ‘ପ୍ରଜାତନ୍ତ୍ର’ରେ ପ୍ରକାଶ ପାଇଥିଲା ୧୯୩୧ ନଭେମ୍ବର ୨୩ ତାରିଖରେ ।ଏକଦା ଗାନ୍ଧିଜୀଙ୍କ ନିକଟତମ ହୋଇପାରିଥିବା ସେତେବେଳର ବିଶିଷ୍ଟ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ୨୧.୩.୧୯୩୩ ତାରିଖରେ କଂଗ୍ରେସ ବିରୁଦ୍ଧରେ ତୀବ୍ର ଅଭିଯୋଗ ଆଣି ଏହି ଦଳ କିପରି ଓଡ଼ିଶାର ଭୌଗୋଳିକ ସମିଶ୍ରଣକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିଲା ତାହା ଦର୍ଶାଇ ଥିଲେ ( ଆଶା , ୨୫.୩.୧୯୩୩ ) । ସେ ମହତାବଙ୍କ ନାମ ନ ନେଇଥିଲେ ମଧ୍ୟ , ଗୋପବଂଧୁଙ୍କ ତିରୋଧାନ ପରେ ସେ ଯେହେତୁ ଥିଲେ କଂଗ୍ରେସର ବାସ୍ତବ ନିୟନ୍ତା, ସେହେତୁ ଏହା ଅକ୍ଲେଶ ଅନୁମେୟ ଯେ, ନିରଞ୍ଜନ ନାମ ନେଇନଥିବା ଖଳନାୟକ ଥିଲେ ମହତାବ । ଏହି ମହତାବ ପ୍ରଧାନମନ୍ତ୍ରୀ ଥାଇ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବାକୁ ବିଧାନସଭାରେ ଆଗତ ପ୍ରଥମ ପ୍ରସ୍ତାବକୁ ଭୟଙ୍କର ବିରୋଧ କରାଯାଇ ତାହାକୁ ପ୍ରତ୍ୟାହାର କରିବା ପାଇଁ ପ୍ରସ୍ତାବକ , ସମ୍ବଲପୁରବାସୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ବାଧ୍ୟ କରିଯାଇଥିଲା (ବିଧାନସଭା ବିବରଣୀ , ୧.୧.୧୯୪୮) ।

ଓଡ଼ିଶା ସୃଷ୍ଟି ପୂର୍ବରୁ ବି ‘ଓଡ଼ିଶା ସରକାର’

ଅପରପକ୍ଷେ ବିହାର ସହ ‘ଓଡ଼ିଶା’ ମିଶି “ବିହାର-ଓଡ଼ିଶା ସରକାର” ଚାଲିଥିଲା , ଯାହାର କୌଣସି ଫର୍ଦ୍ଦରେ ‘ଉତ୍କଳ’ ନଥିଲା । ଏହି “ବିହାର-ଓଡ଼ିଶା” ବିଧାନ ପରିଷଦରେ ୨.୯.୧୯୩୨ରେ ସ୍ଵତନ୍ତ୍ର ‘ଓ଼ଡ଼ିଶା’ ପ୍ରଦେଶ ଗଠନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଲକ୍ଷ୍ମୀଧର ମହାନ୍ତି ଏକ ପ୍ରସ୍ତାବ ଆଗତ କରିଥିଲେ (ବିହାର ଏବଂ ଓଡିଶା ବିଧାନ ପରିଷଦ ବିବରଣୀ , ଖଣ୍ଡ-୧, ଭାଗ-୨୫, ସଂଖ୍ୟା -୫, ପୃ.- ୩୦୭) । ଏହି ପ୍ରସ୍ତାବରେ କେଉଁଠିହେଲେ ସେ ‘ଉତ୍କଳ’ ନାମ ନେଇନଥିଲେ।

ଭାରତ ଦାୟିତ୍ଵରେ ଥିବା ସ୍ଵରାଷ୍ଟ୍ର ସଚିବ ସାର୍ ସାମୁଏଲ ହୋରେ ସ୍ଵତନ୍ତ୍ର ‘ଓଡ଼ିଶା ପ୍ରଦେଶ’ ସୃଷ୍ଟି ପାଇଁ ୨୪.୧୨.୧୯୩୨ତାରିଖରେ ଲଣ୍ଡନରେ ଘୋଷଣା କରିଥିଲେ , ଯହିଁ ଉପରେ ବିଚାରବିମର୍ଶ ପାଇଁ ଓଡ଼ିଶାର ନେତାମାନେ ଭୁବନାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଏକାଠି ହୋଇଥିଲେ ୨.୨.୧୯୩୩ରେ । ହୋରେଙ୍କ ବିବୃତ୍ତିରେ ବା ଓଡିଶା ନେତାମାନଙ୍କ ଏହି ବୈଠକରେ ଯେଉଁ ଭୂଖଣ୍ଡର ନାମ ଆଲୋଚିତ ହୋଇଥିଲା ତାହା ଥିଲା କେବଳ ‘ଓଡ଼ିଶା’ , ‘ଉତ୍କଳ’ ନୁହେଁ ।

‘ତୃତୀୟ ଗୋଲ ଟେବୁଲ ବୈଠକ’ରେ ଯେଉଁ ଶ୍ୱେତପତ୍ର ଉପସ୍ଥାପିତ ହୋଇଥିଲା, ତାହା ଏକ ସ୍ଵତନ୍ତ ପ୍ରଦେଶ ଭାବେ ‘ଓଡ଼ିଶା’ ସୃଷ୍ଟିର ଉଦ୍ଘୋଷଣ କରିଥିଲା ଓ ତାର ସୀମା ସରହଦ ବି ଘୋଷଣା କରିଥିଲା (ଭାରତ ସରକାରଙ୍କ ପ୍ରେସ ନୋଟ ୧୮.୩.୧୯୩୩) । ଏଥିରେ ଓଡ଼ିଆ ଭାଷାଭାଷୀ ଅଂଚଳମାନଙ୍କରୁ ବହୁ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ବାଦ ପଡ଼ିଯାଇଥିବାରୁ ଆମ ତତ୍କାଳୀନ ନେତୃତ୍ଵ ତହିଁର ତୀବ୍ର ପ୍ରତିବାଦ କରିଥିଲେ । କିନ୍ତୁ ଯାହା ଲକ୍ଷ୍ୟଣୀୟ ତାହା ହେଲା, ଏହି ସମଗ୍ର କାରବାରରେ ‘ଉତ୍କଳ’ କେଉଁଠି ବି ନଥିଲା , ଥିଲା କେବଳ ‘ଓଡ଼ିଶା’।

କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ ୨୨.୩.୧୯୩୩ ତାରିଖରେ ଶ୍ଵେତପତ୍ର ଉପରେ ଆଲୋଚନା ପାଇଁ ‘ବିହାର-ଓଡ଼ିଶା ବିଧାନ ପରିଷଦ’ରେ ଯେତେବେଳେ ପ୍ରସ୍ତାବ ଆଗତ କଲେ , ରାଏ ବହାଦୁର ଲୋକନାଥ ମିଶ୍ର ତହିଁରେ ଏକ ସଂଶୋଧନ ଆଗତ କରିଥିଲେ, ଯହିଁରେ କୁହା ହୋଇଥିଲା, ପ୍ରସ୍ତାବ ଶେଷରେ ଯୋଡ଼ାହେଉ: “and that having considered it, this Council is of opinion that the boundary demarcated for the new Province is highly disappointing in as much as it does not include even the areas unanimously recommended by the Orissa Boundary Committee and also excludes the Parlakimedi estate proposed by the majority of the said Committee” (ବିହାର ଏବଂ ଓଡିଶା ବିଧାନ ପରିଷଦ ବିବରଣୀ, ଖଣ୍ଡ ୩୬, ସଂଖ୍ୟା -୨୪, ପୃ -୧୫୨୯) । ଏଠି ବି ‘ଉତ୍କଳ’ ଶବ୍ଦ ନଥିଲା , ଥିଲା କେବଳ ‘ଓଡ଼ିଶା’ ।

ଏହି ବିତର୍କରେ ‘ଓଡ଼ିଶା’ର ସୀମା ସମ୍ପର୍କରେ ସରକାର ପୁନର୍ବିଚାର କରନ୍ତୁ ବୋଲି ବିଧାୟକୀୟ ଅଭିମତ ପ୍ରକାଶ ପାଇଥିବାବେଳେ, ‘ଓଡ଼ିଶା କମିଟି’ର ସଦସ୍ୟ ଥିବା ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା ଏହି ସୀମା ସଂକୋଚନ ବିରୁଦ୍ଧରେ ଓଡ଼ିଆମାନେ ନିଶ୍ଚୟ ପ୍ରତିବାଦ କରିବା ଉଚିତ ବୋଲି ମତ ଦେଇଥିଲେ (A selection from the speeches and writings of Sachchidananda Sinha, (Patna, 1942), pp.165-165) ଏବଂ ଅନ୍ୟତମ ସଦସ୍ୟ ଶ୍ରୀ ଟି .ଆର ଫୁକୁନ ମଧ୍ୟ ତାଦ୍ଦୃଶ ମତ ରଖିଥିଲେ (ଆଶା , ୨୭.୩.୧୯୩୩) ।

ଶ୍ଵେତପତ୍ର ଉପରେ ବିଚାର କରି, ଏ ସବୁକୁ ବିଚାରକୁ ନେଇ , ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବାଦ ପଡ଼ିଯାଇଥିବା ଓଡ଼ିଶା ସଂଲଗ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଗଢ଼ା ହେବାକୁ ଥିବା ‘ଓଡ଼ିଶା ପ୍ରଦେଶ’ରେ ମିଶାଇଦେବାକୁ ସୁପାରିଶ କଲେ ଓ ୧୯୩୪ ନଭେମ୍ବର ୨୨ରେ ଏହି ଜଏଣ୍ଟ କମିଟିର ଅଧ୍ୟକ୍ଷ ଲିନ୍ଲିଥଗୋ ଯେତେବେଳେ ଓଡ଼ିଆ ଭାଷାଭାଷୀଙ୍କ ଦାବିର ସଫଳତା ଘୋଷଣା କଲେ , ସେ କହିଥିଲେ, “A separate Province of ‘Orissa’ would, however, be perhaps the most homogeneous Province in the whole of British India, both racially and linguistically”, ଯହିଁରେ ‘ଉତ୍କଳ’ ଶବ୍ଦର ନାମଗନ୍ଧ ନ ଥିଲା, ଥିଲା ‘ଓଡ଼ିଶା’ ।

ଏହି କମିଟିର ସୁପାରିସ ଅନୁସାରେ ସାନ୍ଧ୍ରତାସମ୍ପନ୍ନ ଓଡ଼ିଆ ଭାଷାଭାଷୀ ଅଂଚଳର ଏକତ୍ରୀକରଣ ବଳରେ ନୂଆ ପ୍ରଦେଶ ସୃଷ୍ଟିପାଇଁ ବ୍ରିଟିଶ ପାର୍ଲିଆମେଣ୍ଟରେ ଅନୁମୋଦନ ପାଇଁ ଯେଉଁ ଚିଠା ଆଦେଶ ଉପସ୍ଥାପିତ ହେଲା ତାହାର ନାମ ଥିଲା “The Government of India (Constitution of Orissa) Order, 1936” ଏବଂ ଏହିପରି ଭାବେ, ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଏକତ୍ର କରି ଏକ ଶାସନାଧୀନ କରିବାକୁ ଗଞ୍ଜାମର ଘୁମୁସରରୁ ଆରମ୍ଭ ହୋଇଥିବା ଅଭିଯାନ ଓଡ଼ିଆ ଭାଷା ଜାତୀୟତାର ପାବନପୀଠ ସମ୍ବଲପୁରରେ ସଶକ୍ତିକୃତ ହୋଇ ବ୍ରିଟିଶ ପାର୍ଲିଆମେଣ୍ଟରେ ସଫଳତା ଅର୍ଜନ କରିଥିଲା ୧୯୩୬ ଜାନୁଆରୀ ପହିଲାରେ । ତାର ୧୩ ବର୍ଷ ପରେ ୧୯୪୮ଜାନୁଆରୀ ପହିଲାରେ ଗଡ଼ଜାତ ମିଶ୍ରଣ ସମାପ୍ତ ହେବା ପରେ ଆମ ମାତୃଭୂମି ‘ଓଡ଼ିଶା’ ତାର ଶେଷ ଭୌଗୋଳିକ ରୂପ ପାଇଛି ।

ଓଡ଼ିଶାର ଏହି ଜନ୍ମ ବୃତ୍ତାନ୍ତରେ କେଉଁଠି ‘ଉତ୍କଳ’ ଆସିନାହିଁ ଭୌମିକ ଚିତ୍ରରେ , ଭାଷାଭିତ୍ତିକ ରାଜ୍ୟଗଠନ ପ୍ରସ୍ତାବରେ , ପ୍ରଶାସନିକ କର୍ମସରଣୀରେ , ସୀମା ନିରୂପଣ କମିଟିରେ, ପାର୍ଲିଆମେଣ୍ଟାରୀ ବିବରଣୀରେ ଓ ସ୍ଵତନ୍ତ୍ର ‘ଓଡ଼ିଶା ପ୍ରଦେଶ’ ଗଠନ ସମ୍ପର୍କୀୟ କୌଣସି ଆଇନରେ ବା ଆଦେଶରେ ।

ଆମ ପ୍ରଦେଶର ନାମ ‘ଓଡ଼ିଶା ପ୍ରଦେଶ’ , ଆମ ଶାସନର ନାମ ‘ଓଡ଼ିଶା ଶାସନ’ , ଆମ ବିଧାନସଭାର ନାମ ‘ଓଡ଼ିଶା ବିଧାନସଭା’ , ଆମ ହାଇକୋର୍ଟର ନାମ ଓଡ଼ିଶା ହାଇକୋର୍ଟ , ଆମ ମୁଖ୍ୟମନ୍ତ୍ରୀଙ୍କ ପଦବୀ ‘ଓଡ଼ିଶା ମୁଖ୍ୟମନ୍ତ୍ରୀ’ , ଆମ ରାଜ୍ୟପାଳଙ୍କ ପଦଵୀ ହେଲା ‘ଓଡ଼ିଶା ରାଜ୍ୟପାଳ’ । ସୁତରାଂ ଆମ ରାଜ୍ୟର ପ୍ରଶାସନିକ ବନ୍ଦନାରେ ‘ଓଡିଶା ବନ୍ଦନା’ ପରିବର୍ତ୍ତେ ‘ଉତ୍କଳ ବନ୍ଦନା’ ହେବ ବା କାହିଁକି ? ରାଜ୍ୟ ବନ୍ଦନାରେ ‘ଓଡ଼ିଶା’ ପରିବର୍ତ୍ତେ ‘ଉତ୍କଳ’ ଆଦୌ ସମୀଚିନ ନୁହେଁ । ଉତ୍କଳକୁ ଓଡ଼ିଶାର ପ୍ରତିଶବ୍ଦ ବୋଲି କେହି କେହି ଯୁକ୍ତି କରୁଛନ୍ତି । ଅଂଶବିଶେଷ ପୂର୍ଣ୍ଣାବୟବର ପ୍ରତିଶବ୍ଦ କିପରି ହେବ ? ଯଦି ବି କେବଳ ଯୁକ୍ତିପାଇଁ ଏହି ଯୁକ୍ତି ଗ୍ରହଣ କରାଯାଏ, ତେବେ ମୂଳ ଶବ୍ଦ କବ୍ୟବହାର ନ କରି ପ୍ରତିଶବ୍ଦ ବ୍ୟବହାର କରାଯିବ କାହିଁକି ? ତେଣୁ ଆମ ରାଜ୍ୟ-ସଙ୍ଗୀତର ନାମ ଉତ୍କଳକୈନ୍ଦ୍ରିକ ନୁହେଁ, ସମ୍ପୂର୍ଣ୍ଣତଃ ଓଡିଶାକୈନ୍ଦ୍ରିକ ହେବା ଆବଶ୍ୟକ ।

ଓଡ଼ିଶାକୁ ନେଇ ନୂଆ ଗାନ ହେଉ

କାନ୍ତକବିଙ୍କ ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ଗୀତଟି ଓଡ଼ିଶାର ରାଜ୍ୟ-ସଂଗୀତ ଭାବେ ଏଯାଏଁ ଆଇନସିଦ୍ଧ ହୋଇନାହିଁ , ଯଦିଓ ଓଡିଶା ବିଧାନସଭା ଏଥିପାଇଁ ଏକମତ ହୋଇଥିବାର ବହୁବର୍ଷ ବିତିଗଲାଣି । ଏହାକୁ ରାଜ୍ୟ-ସଂଗୀତ ଭାବେ ପ୍ରବର୍ତ୍ତୀତ କରିବାକୁ ହେଲେ ଏକ ବିଧେୟକ ଏଥିପାଇଁ ବିଧାନସଭାରେ ଆଗତ କରିବାକୁ ହେବ ଓ ତାହା ଯେ ନିଶ୍ଚୟ ସର୍ବସମ୍ମତିରେ ଗୃହୀତ ହେବ ତାହା କହିହେବନାହିଁ । କାରଣ , କୋଶଳ ଅଂଚଳ ପରି ଏକ ଗୁରୁତ୍ଵପୂର୍ଣ ଅଂଚଳରେ ‘ଉତ୍କଳ’ ଶବ୍ଦକୁ ଏବେ ପ୍ରବଳ ବିରୋଧକରାଯାଉଛି ଓ ଏହାକୁ ଏକ ନିର୍ଦ୍ଦିଷ୍ଟ ଅଂଚଳର ସାମ୍ରାଜ୍ୟବାଦୀ ବିସ୍ତରଣ ବୋଲି ଅଭିଯୋଗ ହେଉଛି ଓ ଉପରୋକ୍ତ ଆଲୋଚନା ଦୃଷ୍ଟିରୁ ଏ ଅଭିଯୋଗ ବି ଯଥାର୍ଥ ମନେହେଉଛି । ବିଧାନସଭାରେ ସ୍ବତନ୍ତ୍ର ଆଇନ ପ୍ରଣୟନ ବ୍ୟତୀତ ବନ୍ଦେ ଉତ୍କଳ ଜନନୀ ଗୀତକୁ ସାରା ଓଡିଶା ଉପରେ ଲଦିଦିଆଯାଇ ପାରିବନି ଏବଂ ଓଡ଼ିଶାର ଉପସ୍ଥିତ ସ୍ଥିତି ଯାହା, ଏପରି ଯଦି ଏକ ଆଇନ ଆଗତ ହୁଏ, ସମଗ୍ର ବିଧାନସଭା ତାକୁ ସମର୍ଥନ କରିବ ନାହିଁ । ବହୁମତରେ ଏକୁ ଯଦି ଆଇନ କରାଯାଏ ଓଡ଼ିଶା ପାଇଁ ତାହା ଆତ୍ମଘାତୀ ହେବ ।

ସୁତରାଂ, ଏପରି ଉଦ୍ୟମ ନ ହେଉ । ଯଦି ଓଡ଼ିଶାର ଏକ ରାଜ୍ୟ-ସଂଗୀତ ନିଶ୍ଚୟ ଆବଶ୍ୟକ, ତେବେ ଓଡିଶା-କୈନ୍ଦ୍ରିକ ଏକ ସଂକ୍ଷିପ୍ତ ସଂଗୀତ ନୂଆକରି ରଚିତ ହେବା ଆବଶ୍ୟକ । ଓଡ଼ିଶାରେ ସରସ୍ଵତୀ ସମ୍ମାନ , ଜ୍ଞାନପୀଠ ପୁରସ୍କାର , ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବହୁ କବି ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବହୁ ସଙ୍ଗୀତଜ୍ଞ ଅଛନ୍ତି । ସେମାନଙ୍କ ଭିତରୁ ସଭ୍ୟ ଚୟନ କରି ଓଡିଶା ସରକାର ରାଜ୍ୟ-ସଂଗୀତ ପ୍ରଣୟନ ପାଇଁ ଏକ କମିଟି ଗଠନ କରନ୍ତୁ ଓ ମାଆ ଓଡ଼ିଶାର ବନ୍ଦନାରେ ସେହି ସଂଗୀତ ସମ୍ପୁର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜାତୀୟ ସଂଗୀତ ସମ ସସମ୍ମାନେ ଗାନ କରାଯାଉ । ସେ ପର୍ଯ୍ୟନ୍ତ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ସାରା ଓଡ଼ିଶା ଉପରେ ଲଦିବା ବନ୍ଦ ହେବା ଉଚିତ ।