ସ୍ୱତନ୍ତ୍ର ପ୍ରତିନିଧି
ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅପରିହାର୍ଯ୍ୟ କରିବା ପାଇଁ ଓଡିଶା ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ସକାଶେ ଚାଲିଥିବା କଳାପତାକା ଅଭିଯାନ ଯେତେବେଳେ ଆହୁରି ସଘନ ହେବା ଆବଶ୍ୟକ ଥିଲା, ସେତେବେଳେ ଏହି ଅଭିଯାନ ସହ ଜଡ଼ିତ ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଅଭିଯାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଲା ବୋଲି ୧୬. ୭. ୨୦୧୮ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତିରେ ଘୋଷଣା କଲେ । ସେମାନଙ୍କ କାମ ଥିଲା ପତାକା ଧରିବାକୁ ପ୍ରତିଦିନ ଚାରିଜଣ ସାଥୀ ଯୋଗେଇବା ଓ ଗଣମାଧ୍ୟମରେ ତଥା ସରକାରୀ ସ୍ତରରେ ପ୍ରସଙ୍ଗ ଉପସ୍ଥାପନା ତଥା ଆଲୋଚନା କାଳରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ସହଯୋଗ କରିବା, ଯାହା ସେମାନେ ନିଷ୍ଠାର ସହ କରିଆସିଥିଲେ । ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କରିବା ପାଇଁ ସେମାନେ ଅଧିକୃତ ନ ଥିଲେ । ଫଳରେ ମାତୃଭାଷାଭକ୍ତ ଓଡ଼ିଆ ଜାତି ସେମାନଙ୍କ ଏହି ଅନଧିକୃତ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଛି ଓ କଳାପତାକା ଅଭିଯାନ ଅଧିକ ଶାଣିତ ଆବେଗରେ ଯଥାରୀତି ଚାଲିଛି ।
କିନ୍ତୁ ଶତପଥୀ ଓ ମହାରଥା ଜାରିକରିଥିବା ପ୍ରେସ ବିବୃତ୍ତି ଜନସାଧାରଣଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଯାଇଥିବା ହେତୁ ଓ କଳାପତାକା ଅଭିଯାନ ବନ୍ଦ ରଖିବାକୁ ସେମାନେ ଅବକାରୀ ଓ ଅର୍ଥ ବିଭାଗଦ୍ଵୟର ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅକାମି ହୋଇଯାଇଥିବା ହେତୁ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଜୀବନ ବିପଦାପନ୍ନ ବୋଲି ସାମାଜିକ ଗଣମାଧ୍ୟମ ଫେସ ବୁକ ପୃଷ୍ଠାରେ ଉଲ୍ଲେଖ କରି ପବିତ୍ର ମହାରଥା ମନ୍ତ୍ରୀ ଶ୍ରୀ ବେହେରାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛନ୍ତି ।
ଏହି ପ୍ରେକ୍ଷାପଟରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ଥିତି ସ୍ପଷ୍ଟ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାଙ୍କୁ ଏକ ପତ୍ର ପ୍ରେରଣ କରିଛନ୍ତି ।
ତହିଁରେ ସେ ଲେଖିଛନ୍ତି,
“ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ (କଳାପତାକା ଅଭିଯାନକୁ) ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତ ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ ।”
ପ୍ରେସ ବିବୃତ୍ତିଟିକୁ ଅନୁଧ୍ୟାନ କରିବାକୁ ଶ୍ରୀ ବେହେରାଙ୍କୁ ଅନୁରୋଧ କରି ଶ୍ରୀ ପଟ୍ଟନାୟକ ତାଙ୍କଠାରୁ ତିନି ଗୋଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି । ସେଗୁଡିକ ହେଲା :
(୧) ଏଥିରେ କୁହାହୋଇଥିବା ପରି ବିଧାନସଭାରେ ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ଭାଷା ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?
ଅର୍ଥ ମନ୍ତ୍ରୀଙ୍କ ଉତ୍ତର ଯେତେ ଶୀଘ୍ର ମିଳେ ସେତେ ଭଲ ।

ଏହି ଷଡ଼ଯନ୍ତ୍ର କବଳରୁ ଭାଷା ଜନନୀଙ୍କୁ ରକ୍ଷା କରିବା ପାଇଁ ଭୂବନେଶ୍ୱରରେ ଚାଲିଥିବା ଭାଷା ଆନ୍ଦୋଳନର “କଳା ପତକା ଅଭିଯାନ” ରେ ଯୋଗ ଦେବାପାଇଁ, କାଲିଠୁ (୧୬. ୮. ୨୦୧୮) ରଂଜନଙ୍କ ନେତୃତ୍ୱରେ ଭାଷାମଗ୍ନ ଏକ ୬ ଜଣିଆ (ପରେ କଟକରୁ ୨ଜଣ ସାମିଲ ହୋଇଛନ୍ତି, ମୋଟ ୮ ଜଣ) ଭାଷାପ୍ରାଣ ଦଳ କୁଳଗୌରବ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଓଡ଼ିଆ ଭାଷାଜନନୀଙ୍କ ବିଜୟ ପତାକା “କଳାପତାକା” ଓ ଦାବୀ ଫଳକ ହାତରେ ଧରି ଚାଲି ଚାଲି ଆସି ଆଜି (ତା.୧୭/୮/୨୦୧୮) ଅପରାହ୍ନ ୫ଟାରେ ଭୂବନେଶ୍ୱରରେ ବିଧାନସଭା ସମ୍ମୁଖସ୍ଥ ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସାମ୍ମୁକରେ ପହଁଚିଥିଲେ ।















