ସୁଭାଷ ଚନ୍ଦ୍ର ପଟ୍ଟନାୟକ
ରୋଗୀ ସହ ଡାକ୍ତରଙ୍କ ସମ୍ପର୍କ ସନ୍ତାନ ସହ ମାଆର ସମ୍ପର୍କ ପରି ହେବା ଆବଶ୍ୟକ । ତେଣୁ ଚିକିତ୍ସା ପରାମର୍ଶରେ ମାତୃଭାଷାର ପ୍ରୟୋଗ ଯେଉଁ ପର୍ଯ୍ୟନ୍ତ ଅଲଙ୍ଘ୍ୟ ନ ହୋଇଛି, ସେ ପର୍ଯ୍ୟନ୍ତ ଅପଚିକିତ୍ସାରେ ଲୋକେ ମରୁଥିବେ ବୋଲି କହିଛନ୍ତି ସୁବିଦିତ ଚିକିତ୍ସକ ଡଃ। ଦେବାଶିଷ ଜ୍ୟେଷ୍ଠୀ ।
କରୋନା ପାଇଁ କାୟିକତଃ ସ୍ଥଗିତ ଥିବା କଳା ପତାକା ଅଭିଯାନର ବୌଦ୍ଧିକ ସଂସ୍କରଣରେ ସ୍ୱାସ୍ଥ୍ୟ ପାଇଁ ମାତୃଭାଷା ଶୀର୍ଷକ ଅଭିଭାଷଣ ରଖି ଏହି ମହାନ୍ ମାନବବାଦୀ ଭାଷାପ୍ରାଣ ଚିକିତ୍ସକ ସୁଚାଇଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ଲୋକମାନଙ୍କ ବିତରୁ ଯେଉଁମାନଙ୍କ ଭାଷା ଇଂରାଜୀ ନୁହେଁ, ସେମାନଙ୍କୁ ଇଂରାଜୀ ଭାଷାରେ ଦିଆଯାଉଥିବା ଚିକିତ୍ସା ପରାମର୍ଶ କିପରି କାମ କରୁଛି ତାହା ଜାଣିବାକୁ ୨୦୦୬ ମସିହାରେ ଏକ ସର୍ବେକ୍ଷଣ ହୋଇଥିଲା । ତାହିରୁ ଦେଖାଗଲା, ଇଂରାଜୀରେ ଲେଖା ହୋଇଥିବା ନିଦାନ ପତ୍ର ଠିକ୍ ଭାବେ ବୁଝି ନପାରି ଔଷଧ ବ୍ୟବହାରରେ ବିଭ୍ରାଟ ହେତୁ ସେ ବର୍ଷ ଅନ୍ୟୁନ୍ୟ ୭୦୦୦ ରୋଗୀ ଅକାଳରେ ମାରିଯାଇଥିଲେ ।
ଆମ ଓଡ଼ିଶାରେ ଏ ଅବସ୍ଥା ଅତ୍ୟନ୍ତ ଉତ୍କଟ । ଇଂରାଜୀ ଭାଷାରେ ଲେଖା ହେଉଥିବା ନିଦାନପତ୍ରରେ ଡାକ୍ତରମାନଙ୍କ ଅସ୍ପଷ୍ଟ ଅକ୍ଷର , ଅସମ୍ପୂର୍ଣ୍ଣ ପରାମର୍ଶ ରୋଗୀ ପାଇଁ ଦୁର୍ବୋଧ୍ୟ । ତେଣୁ ଅନେକ ରୋଗୀ ହୁଏତ ଚିକିତ୍ସାଧୀନ ଅବସ୍ଥାରେ ମରିଯାଉଛନ୍ତି ବା କୁହା ହୋଇଥିବା ଔଷଧକୁ ଠିକ୍ ଭାବେ ନେଇ ନ ଜାଣି ଗୁରୁତର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ଭୋଗୁଛନ୍ତି ।
ସେ କହିଲେ, ମାତୃଭାଷାରେ ଚିକିତ୍ସା ପ୍ରଦାନ ପାଇଁ ଡାକ୍ତରମାନଙ୍କ ଆଚରଣ ସଂହିତାରେ ସ୍ପଷ୍ଟ ବ୍ୟବସ୍ଥା ଥିବା ବେଳେ, ଔଷଧ ଚିଠା ରୋଗୀ ନ ଜାଣିଥିବା ଇଂରାଜୀ ଭାଷାରେ ଦିଆ ଯିବା ଲୋକଙ୍କ ଜୀବନ ଉପରେ ଚିକିତ୍ସକୀୟ ବିପତ୍ତି ସୃଷ୍ଟି ସହ ସମାନ । ଆମ ଓଡ଼ିଶାର ଡାକ୍ତରମାନେ ତ ଏଇ ମାଟିରେ ଜନ୍ମ ହୋଇଛନ୍ତି, ଏଇ ମାଟିରେ ବଢିଛନ୍ତି, ପଢିଛନ୍ତି । ସେମାନେ କେଉଁ ବିଦେଶରୁ ଆସିଛନ୍ତି ଯେ, ଓଡ଼ିଆ ଭାଷାରେ ନିଦାନ ପ୍ରଦାନ କରିବାକୁ ସେମାନେ ଅଯୋଗ୍ୟ? ଔଷଧର ବୈଜ୍ଞାନିକ ନାମ କୌଣସି ଆନ୍ତର୍ଜାତିକ ଭାଷାରେ ଥାଇପାରେ , ଯାହାକୁ ଡାକ୍ତରୀ ବିଦ୍ୟା ପଢିଲାବେଳେ ସେମାନେ ଜାଣିଥାଇପାରନ୍ତି । କିନ୍ତୁ ଓଡ଼ିଆ ରୋଗୀଟିଏ କିପରି ତାକୁ ବ୍ୟବହାର କରିବ , କେଉଁ ପଥି ନେବ, ତାହା ଓଡ଼ିଆରେ ଲେଖିବାରେ ଅସୁବିଧା କଣ? ଆଚରଣ ସଂହିତା ଯେତେବେଳେ ମାତୃଭାଷାରେ ଏସବୁ ପ୍ରଦାନ କରାଯିବା ଦରକାର ବୋଲି କହିଛି , ଏହା କାର୍ଯ୍ୟକାରୀ ହେବା ଆବଶ୍ୟକ ।
ଭାଷା ଆନ୍ଦୋଳନର ‘ଆମ ଭାଷା ପାଇଁ ପଦେ’ ପୃଷ୍ଠାରୁ ସିଧା ପ୍ରସାରିତ ଡଃ ଜ୍ୟେଷ୍ଠୀଙ୍କ ଅଭିଭାଷଣ ଏହି ପୃଷ୍ଠାରେ ନଥିବା ସମସ୍ତଙ୍କ ପାଇଁ ସମସ୍ତଙ୍କ ପାଇଁ ସହଜଲଭ୍ୟ ଏହି ୱେବ ପୋର୍ଟାଲର ୟୁ ଟ୍ୟୁବ ମଞ୍ଚରେ ସ୍ଥାନିତ ହୋଇଛି :
ସାହିତ୍ୟିକମାନେ ଭାଷାମନସ୍କ ହୁଅନ୍ତୁ : ଅଧ୍ୟାପକ ଅଶୋକ ମହାରଣା
ଭାଷା ଆନ୍ଦୋଳନର ସୋମବାସରୀୟ ବୌଦ୍ଧିକ ସଂସ୍କରଣରେ କଳାପତାକା ଅଭିଯାନର ଭର୍ଚ୍ୟୁଆଲ ମଞ୍ଚ – ଫେସବୁକ ଅନ୍ତର୍ଗତ ଭାଷା ମା ପାଇଁ ପଦେ – ପୃଷ୍ଠାରୁ ସିଧା ପ୍ରସାରିତ ଅଭିଭାଷଣରେ ଅଧ୍ୟାପକ ଅଶୋକ ମହାରଣା ଓଡ଼ିଆ ସାହିତ୍ୟିକମାନଙ୍କୁ ଭାଷାମନସ୍କ ହେବାକୁ ନଭେମ୍ବର ୨ରେ ଆହ୍ଵାନ ଦେଇଛନ୍ତି । ସେ ପଚାରିଛନ୍ତି – ଭାଷା ବଞ୍ଚିଲେ ସାହିତ୍ୟ ବଞ୍ଚିବ କି ସାହିତ୍ୟ ବଞ୍ଚିଲେ ଭାଷା ବଞ୍ଚିବ?
ସାହିତ୍ୟିକ ଭାବେ ଯଦି କାହାର ପରିଚୟ ସୃଷ୍ଟି ହୋଇଥାଏ ତେବେ ତାହା ଭାଷାକୁ ନେଇ । ଏ କଥା ଭୁଲିଗଲେ ଚଳିବ ନାହିଁ । ତେଣୁ ସାହିତ୍ୟିକମାନେ ଭାଷାମନସ୍କ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ସେ ପୁନଶ୍ଚ କହିଛନ୍ତି, ଓଡ଼ିଆ ଭାଷାର ଛାତିରେ ଆଜି ଇଂରାଜୀ ଦଣ୍ଡାୟମାନ । ଓଡ଼ିଆ ବିଦ୍ୟାଳୟ ଉଜୁଡ଼ି ଯାଉଛି, ସରକାର ଗଢୁଛନ୍ତି ଇଂରାଜୀ ବିଦ୍ୟାଳୟ । ଇଂରାଜୀ ଭାଷାର ବିଜ୍ଞ ପ୍ରଫେସର ଡଃ ବି ॰ଏନ॰ ପଟ୍ଟନାୟକଙ୍କ ପରି ବ୍ୟକ୍ତି କହୁଛନ୍ତି ଶିକ୍ଷା ଦିଆଯାଉ ମାତୃଭାଷାରେ, ଅଥଚ ସରକାର ପ୍ରଥମରୁ ଇଂରାଜୀଶିକ୍ଷା ଉପରେ ଗୁରୁତ୍ଵ ଦେଉଛନ୍ତି । ସାହିତ୍ୟିକମାନେ ପୁରସ୍କାର ଗୋଟେଇବାକୁ ସରକାରଙ୍କ ସାଥିରେ । ଓଡ଼ିଆ ଭାଷା ବଞ୍ଚିବ କେମିତି? ସତେଯେମିତି ଆମ ସରକାର ଆମକୁ କହୁଛନ୍ତି – ଓଡ଼ିଆ ଆମ କାମର ଭାଷା ନୁହେଁ । ଇଂରାଜୀ ରାଜୁତିରେ ଆମ ଭାଷାକୁ ମାରିଦେବା ପାଇଁ ବଙ୍ଗାଳୀ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ କହିଥିଲେ, ଓଡ଼ିଆ ଗୋଟେ ସ୍ଵତନ୍ତ୍ର ଭାଷା ନୁହେଁ । ଏହିପରି ବହୁ ବହୁ କାନ୍ତିଲାଲ ଭଟ୍ଟାଚାର୍ୟ ଏବେ ଆମ ଓଡ଼ିଶାରେ ଅଛନ୍ତି, ଯେଉଁମାନେ ଆମ ଭାଷାକୁ ମାରିବାକୁ ଚେଷ୍ଟା ଚଳାଇଛନ୍ତି ।
କାନ୍ତିଲାଳଙ୍କ ଭ୍ରାନ୍ତ ଦାବିକୁ ବ୍ୟର୍ଥ କରିଥିଲେ ସେତେବେଳର ସାହିତ୍ୟିକମାନେ ମାତୃଭାଷାମନସ୍କ ସାହିତ୍ୟର ପ୍ଲାବନ ଖେଳାଇ । ଏବେ ଆମ ସାହିତ୍ୟିକମାନେ ଭାଷାମନସ୍କ ହୁଅନ୍ତୁ ଓ ଆମ ରାଜ୍ୟରେ ଅପାଂକ୍ତେୟ ହୋଇପଡ଼ିଥିବା ଆମ ମାତୃଭାଷାକୁ ସରକାରୀ ଅବହେଳା କବଳରେ ମରିଯିବାରୁ ବଞ୍ଚାନ୍ତୁ ବୋଲି ସେ ନିବେଦନ କରିଛନ୍ତି ।
ଆଇନ ଅଛି । ଆଇନକୁ କାର୍ଯ୍ୟକାରୀ କରିବାରରେ କୁଣ୍ଠା କାହିଁକି? ବୋଲି ପଚାରିଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଏହି ଛାତ୍ରାବତ୍ସଳ ଅଧ୍ୟାପକ ।
ଫେସବୁକରେ ସିଧା ପ୍ରସାରିତ ତାଙ୍କ ଅଭିଭାଷଣ ୟୁଟ୍ୟୁବ୍ ମାଧ୍ୟମରେ ଏଠାରେ –
ଭାଷା ଆନ୍ଦୋଳନ ପାଖରେ ସରକାର ଆଣ୍ଠେଇଲେଣି , ତଥାପି ଗାଲୁ ଭାଙ୍ଗୁନି
ସୁଭାଷ ଚନ୍ଦ୍ର ପଟ୍ଟନାୟକ
“ଇଂରେଜୀ ଶାସନରେ ଅଣଓଡ଼ିଆ ଅମଲାଙ୍କ ଚକ୍ରାନ୍ତ ହେତୁ ଓଡ଼ିଆ ଜାତି ନ ଅଙ୍କ ଦୁର୍ଭିକ୍ଷର କରାଳ କବଳରେ ପଡ଼ିଥିଲା । ଏବେ ଦେଶୀଇଂରାଜୀଆ ନବୀନ ପଟ୍ଟନାୟକଙ୍କ ଶାସନରେ ଓଡ଼ିଆ ମନ୍ତ୍ରୀପଲଙ୍କ କ୍ରୀତଦାସ ମନୋବୃତ୍ତି ଓ ଅଣଓଡ଼ିଆ ଅମଲାଙ୍କ ଦୁରଭିସନ୍ଧି ହେତୁ କରୋନା ମହାମାରୀର କରାଳ କବଳରେ ପଡ଼ିଛି । ଏହି ମହାମାରୀରେ ମୃତ ଓ ଆକ୍ରାନ୍ତମାନଙ୍କ ମଧ୍ୟରୁ ପ୍ରାୟ ୯୮ ଶତାଂଶ ଇଂରାଜୀ ପଢ଼ି ନଥିବା ଓଡ଼ିଆ, ଯେଉଁମାନେ ଜାଣନ୍ତି ନାହିଁ କରୋନା କବଳରୁ କିପରି ବଞ୍ଚିବାକୁ ହେବ ; କାରଣ ସବୁ ଜୀବନରକ୍ଷାକାରୀ ପରାମର୍ଶ ଇଂରାଜୀ ଭାଷାରେ ରହିଛି । ଇତିହାସ ଏହାର ହିସାବ ରଖିବା ଆବଶ୍ୟକ ।”
ଏହା ଥିଲା ଆମ ପ୍ରଶ୍ନର ମୁଖବନ୍ଧ ନଭେମ୍ବର ୨ ତାରିଖରେ ।
ଏହା ପାଖରେ ଓଡ଼ିଶା ସରକାର ଆଣ୍ଠେଇଛନ୍ତି । କାରଣ ନଭେମ୍ବର ୩ ତାରିଖଠାରୁ ତାଙ୍କ ନିତିଦିନିଆ ସାମ୍ବାଦିକ ସମ୍ମିଳନୀର ରଙ୍ଗମଞ୍ଚରେ ଜଣେ ଜଣେ ଡାକ୍ତରଙ୍କୁ ଡାକି ଲୋକଙ୍କୁ କରୋନା କଥା ଓଡ଼ିଆରେ କହିବାର ସୁଆଙ୍ଗ କରୁଛନ୍ତି ।
ଏହା ସ୍ପଷ୍ଟ କରେ ଯେ , କରୋନା ସମ୍ପର୍କୀୟ ସବୁ ତଥ୍ୟ ଓ ପରାମର୍ଶ ଓଡ଼ିଆ ଭାଷାରେ ଦିଆଯାଉ ବୋଲି ଆମେ ପ୍ରଥମରୁ ଯେଉଁ ଦାବି କରିଆସିଛୁ ତାହା ଯଥାର୍ଥ ବୋଲି ସରକାର ଅକ୍ଟୋବର ୩ରେ ସ୍ଵୀକାର କରିଛନ୍ତି । କିନ୍ତୁ ତଥାପି ଗାଲୁ ଛାଡ଼ି ନାହାନ୍ତି । ଗାଲୁ ଛାଡ଼ନ୍ତୁ ଓ କରୋନା ସମ୍ପର୍କୀୟ ସମସ୍ତ ତଥ୍ୟ, ଆଇନ କାନୁନ ଓ ପରାମର୍ଶ ଆଉ ବିଳମ୍ବ ନକରି ‘ଓଡ଼ିଆରେ ଶାସନ’ ( odia.odisha.gov.in) ସମେତ ସମସ୍ତ ସରକାରୀ ୱେବସାଇଟରେ ଓଡ଼ିଆ ଭାଷାରେ ରଖନ୍ତୁ ।
ଓଡ଼ିଆ ଜାତିକୁ ଆଖିଠାର ମାରିବା ଚଳିବ ନାହିଁ ।
ଓଡ଼ିଆ ଭାଷାରେ ଶାସନ ପରିଚାଳନା ଅଧିକାର ଓଡ଼ିଆ ଜାତିର ସ୍ୱୟଂସିଦ୍ଧ ଅଧିକାର : ପ୍ରଫେସର ବି. ଏନ୍ .ପଟ୍ଟନାୟକ
ସୂତ୍ର – ଆମ ଭାଷା ଆମ ଅଧିକାର
ସାଧାରଣ ଲୋକେ ଯେଉଁ ଭାଷା ବ୍ୟବହାର କରୁଥିବେ, ଅର୍ଥାତ୍ କହୁଥିବେ ଏବଂ ବୁଝୁଥିବେ, ସେହି ଭାଷା ଶାସନର ଭାଷା ହେବା ଆବଶ୍ୟକ । ଏହା ପ୍ରଶ୍ନାତୀତ । ଏହା ଉଚିତ ଓ ଅନୁଚିତର ଚର୍ଚ୍ଚା ବହିର୍ଭୁତ, କାରଣ, ଏହାର କୌଣସି ବିକଳ୍ପ ନାହିଁ । ଓଡ଼ିଶାରେ ଓଡ଼ିଆଭାଷା ହିଁ ଶାସନର ଭାଷା ହେବା ଅପରିହାର୍ଯ୍ୟ ଏବଂ ଓଡ଼ିଆ ଜାତିର ଏ ଅଧିକାର ସ୍ୱୟଂସିଦ୍ଧ ।
ଭାଷା ଆନ୍ଦୋଳନର ବୌଦ୍ଧିକ ମଞ୍ଚ ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ଆଜି “ଶାସନର ଭାଷା: ସରକାରଙ୍କ କର୍ତ୍ତବ୍ୟ ଓ ଆମର ଦାୟିତ୍ଵ” ଉପରେ ଏକ ମୌଳିକ ଓ ମାର୍ଗଦର୍ଶୀ ଅଭିଭାଷଣ ରଖି ଏହା କହିଛନ୍ତି ଭାରତର ସୁବିଦିତ ଭାଷାତତ୍ତ୍ଵ ବିଦ୍ଵାନ , ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ଏହି ସ୍ଵୟଂସିଦ୍ଧ ଅଧିକାର ହାସଲ ପାଇଁ ୧୬୫୭ ଦିନ ଧରି ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓ ତାଙ୍କ ସହକର୍ମୀମାନଙ୍କୁ ସେ ସ୍ପଷ୍ଟ ଓ ସୁଦୃଢ ସମର୍ଥନ ଜ୍ଞାପନ କରିଛନ୍ତି ।
ସେ କହିଛନ୍ତି, ସରକାର ଯେଉଁ ଆଇନ କରୁଛନ୍ତି, ତାହା ନିଜେ ମାନୁ ନାହାନ୍ତି ଓ ଲାଗୁ କରୁନାହାନ୍ତି। ଏହା ଏକ ଅଦ୍ଭୁତ କଥା ।
ଆଇନ ଯଦି ସରକାର ଲାଗୁ ନକରିବେ, ତେବେ ଏହା କିଏ କରିବ? ବୋଲି ପ୍ରଶ୍ନ କରିଛନ୍ତି କାନପୁର IITରେ ଦୀର୍ଘ ଦୁଇ ଦଶନ୍ଧି ଧରି ଇଂରାଜୀ ଭାଷାତତ୍ତ୍ଵର ପ୍ରଫେସର ଦାୟିତ୍ଵ ନିର୍ବାହ କରିଥିବା ଡଃ ପଟ୍ଟନାୟକ , ଯେ କି ଭାରତର ଭାଷାଗୁଡ଼ିକର ବିକାଶ ପାଇଁ ତଥା ଶାସ୍ତ୍ରୀୟ ଭାଷା ଭାବେ ସେମାନଙ୍କ ଯୋଗ୍ୟତାର ଆକଳନ ଓ ବର୍ଗୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ପରିଷଦରେ ନିୟୋଜିତ । ଓଡ଼ିଶା ସରକାରଙ୍କ ପାଇଁ ରାଜ୍ୟର ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷା ବ୍ୟବହାରକୁ ବାଧ୍ୟତାମୂଳକ କରିବା ଓ ଏଥିପାଇଁ ବଳବତ୍ତର ଥିବା ଆଇନ ଉଲ୍ଲଙ୍ଘନକୁ ଦଣ୍ଡନୀୟ କରିବା କେବକ ଆଇନଗତ କର୍ତ୍ତବ୍ୟ ନୁହେଁ, ନୈତିକ ଦାୟିତ୍ଵ ବୋଲି କହିଛନ୍ତି ପ୍ରଫେସର ପଟ୍ଟନାୟକ ।
ସେ କହିଛନ୍ତି, ଓଡ଼ିଆ ଭାଷା ଯଦି ଶାସନର ଭାଷା ନହୁଏ , ତେବେ ଗରିବ ଓ ନିଷ୍ପେସିତ ଲୋକ ଶୋଷଣର ଶିକାର ହେବେ । ବ୍ୟକ୍ତିଗତ ଭାବରେ ମୁଁ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଆନ୍ଦୋଳନକୁ ପୂର୍ଣ୍ଣ ଭାବରେ ସମର୍ଥନ କରୁଛି । ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ଆଇନ ସଂଶୋଧନ ଓ ଷ୍ପଷ୍ଟ ଦଣ୍ଡବିଧାନ ସକାଶେ ସେ ତାଙ୍କ ସହଯୋଗୀଙ୍କ ସହ ବହୁଦିନ ଧରି ଆନ୍ଦୋଳନ କରିଆସୁଛନ୍ତି । ଦଣ୍ଡବିଧାନ ଏକ ଆନନ୍ଦଦାୟକ ବିଭାବନା ନହୋଇଥିଲେ ବି, ଯଦି ଜଣେ ଲୋକ ଜାଣିଶୁଣି ଆଇନ ନମାନିବ, ତେବେ ଦଣ୍ଡବିଧାନ ହେବା ଆବଶ୍ୟକ । କାରଣ, ଭାଷା ଆଇନ ନମାନିବା ଦ୍ୱାରା ସାଧାରଣ ଲୋକଟି ପ୍ରଭାବିତ ହେଉଛି ।
ଯଦି ସରକାର ଭାବୁଛନ୍ତି, କୌଣସି କାରଣରୁ ଏହି ଆଇନକୁ ଲାଗୁ କରିବାରେ ଅସୁବିଧା ହେଉଛି, ତେବେ, କି ଅସୁବିଧା ହେଉଛି ତାହା କୁହନ୍ତୁ । ଏହା ଆମେ ଜାଣିବା ଆବଶ୍ୟକ ଓ କିଭଳି ସେ ଅସୁବିଧା ଦୂର ହୋଇପାରିବ, ତାହା ଉପରେ ଏକ ମିଳିତ ଆଲୋଚନା ହେବା ଜରୁରୀ ।
ଯଦି କେହି କହୁଥାଏ, ଲୋକମାନେ ଭାଷା ଆଇନକୁ ନେଇ ସମସ୍ୟା ଜଣାଉନାହାନ୍ତି, ତେବେ ସେ ଜାଣିବା ଉଚ୍ଚିତ ଯେ, ସାଧାରଣ ଲୋକ ଆସି ଏ ସମସ୍ୟା ଜଣାଇବେ ନାହିଁ । ସେମାନଙ୍କ ସ୍ୱର ଭାବରେ ଭାଷା ଆନ୍ଦୋଳନ ପ୍ରତିଦିନ ଏ ସମସ୍ୟାକୁ ସରକାରଙ୍କୁ ଅବଗତ କରାଉଛି । ସରକାର ମୁହଁ ବନ୍ଦ କରି ବସିଛନ୍ତି । ଯଦି ଆଇନକୁ ଲାଗୁକରିବା ପାଇଁ ସରକାର ଅନୁବାଦକମାନଙ୍କର ସାହାଯ୍ୟ ନେବାକୁ ଅସମର୍ଥ ତେବେ ପ୍ରଯୁକ୍ତିବିଦ୍ୟାର ସାହାଯ୍ୟ ନିଅନ୍ତୁ ଓ ଭାଷା ଆଇନକୁ କଡ଼ାକଡ଼ି ଲାଗୁକରନ୍ତୁ ବୋଲି ସେ ଡାକରା ଦେଇଛନ୍ତି ।
ଫେସବୁକରୁ ସିଧା ପ୍ରସାରିତ ପ୍ରଫେସର ଡଃ ପଟ୍ଟନାୟକଙ୍କ ଅଭିଭାଷଣ ଏଠାରେ ଉପସ୍ଥାପିତ –
ଭାଷା ଆଇନ ଉଲ୍ଲଂଘନ ପାଇଁ ଦଣ୍ଡ ସଂହିତା ପ୍ରଣୟନ ଜରୁରୀ : ସାମ୍ବାଦିକ ଅରୂପ କୁମାର ଜେନା
theNEWSsyndicate
ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ଉଲ୍ଲଂଘନକାରୀଙ୍କୁ “ବିଧାନ ପାଇଁ ଦଣ୍ଡ ସଂହିତା ପ୍ରଣଯନ ହେବା ଆବଶ୍ୟକ । ଆଉ ବିଳମ୍ବର ଆବଶ୍ୟକତା ନାହିଁ ।“ ଏଥିପାଇଁ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଯେଉଁ “ଅତ୍ୟନ୍ତ ଯଥାର୍ଥ ଓ ଗବେଷଣା ଭିତ୍ତିକ ପ୍ରସ୍ତାବ ଦେଇଥିଲେ” , ତାହାକୁ ତୁରନ୍ତ ଗ୍ରହଣ କରାଯାଉ ବୋଲି ଅକ୍ଟୋବର ୧୯ ପୂର୍ବାହ୍ନରେ କହିଛନ୍ତି ସୁବିଦିତ ସାମ୍ବାଦିକ ଡଃ ଅରୂପ କୁମାର ଜେନା ।
କରୋନା ମହାମାରୀ କାଳରେ କାୟିକ ସ୍ତରରେ ସ୍ଥଗିତ ଥିବା କଳାପତାକା ଅଭିଯାନର ସୋମବାସରୀୟ ବୌଦ୍ଧିକ ସଂସ୍କରଣରେ ଅଭିଭାଷଣ ରଖି କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଅଧିଷ୍ଠିତ ଏହି ସମ୍ବାଦତତ୍ତ୍ଵବିଶାରଦ ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ଭାଷା ଆନ୍ଦୋଳନର ଫୁଲବାଣୀ ଶାଖା ପ୍ରଦାନ କରିଥିବା ପ୍ରସ୍ତାବ ଗୁଡ଼ିକର ଉଲ୍ଲେଖ କରି କହିଛନ୍ତି, ସରକାରୀ ସ୍ତରରେ ଥିବା ଅଣଓଡ଼ିଆ କର୍ମକର୍ତ୍ତାମାନେ ଆମ ଭାଷାକୁ ନେଇ ଯେଉଁ ଛାଇ-ଆଲୁଅର ଖେଳ ଖେଳୁଛନ୍ତି ତାହା ବନ୍ଦ କରନ୍ତୁ । ସେମାନେ ମନେରଖନ୍ତୁ ଯେ, ଓଡ଼ିଆ ଜାତି ଜୀବନରେ ଆସିଥିବା ଅନ୍ଧାର ରାତି ହଟିଯିବାକୁ ବାଧ୍ୟ , କାରଣ ଭାଷା ଜନନୀର କଳାପତାକା ଏ ଜାତି ପାଇଁ ଆଲୋକର ପଥ ପରିଷ୍କାର କରିବାରେ ଲାଗିଛି । ରାତି ଯେତେବେଳେ ଚାଲିଯାଏ, ସକାଳ ଆସେ । ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ମହାନ ସତ୍ୟ ପ୍ରକାଶ ପାଏ । ସେ ସତ୍ୟ ଐଶ୍ଵରୀୟ ସତ୍ୟ ଏବନ ତାହା ହେଲା, ଅନ୍ଧକାର ବିତାଡ଼ିତ ହେବ, ପଙ୍ଗୁ ହେବ ଆଲୋକର ଶକ୍ତି ନିକଟରେ । ଭାଷା ପାଇଁ ସଂଗ୍ରାମରତ କଳାପତାକା ଏହି ଶକ୍ତିର ପତାକା, ଆଲୋକର ପତାକା । ଏହି କଳାପତାକା ତଳେ ଆମେମାନେ ସମସ୍ତେ ଶପଥ ନେଇଛୁ ଯେ, ଅନ୍ଧକାର କବଳରୁ ଆମ ଭାଷା ମାଆକୁ ଉଦ୍ଧାର କରିବାକୁ ହେବ । ସରକାର ଜାଣନ୍ତୁ ଯେ, ଏହି କଳାପତାକା ତଳେ ଓଡ଼ିଆ ଜାତି ନିଦ ଭାଙ୍ଗି ସୁପ୍ତ ଭାବରେ ଜାଗୁଛି ।
“ଓଡ଼ିଆ ଜାତି ଯେତେବେଳେ ଜାଗେ, ଅତି ସୁପ୍ତ ଭାବରେ ଜାଗେ । ସୁପ୍ତରୁ ଜାଗ୍ରତ ହୋଇ ଯେତେବେଳେ ଏହା ମହାଆନ୍ଦୋଳନରେ ପରିଣତ ହେବ ହିଁ ହେବ । ସରକାର ଉଦାସୀନ ଅଛନ୍ତି, ସରକାର ଭାଷା ଆନ୍ଦୋଳନକୁ ସ୍ଵୀକାର କରୁନାହାନ୍ତି, କି ତାଙ୍କର ଆନ୍ତରିକତା ନାହିଁ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟବହାର କରିବା ପାଇଁ – ଏକଥା ଯେତେବେଳେ ପ୍ରତ୍ୟେକ ଓଡ଼ିଆ ବ୍ୟକ୍ତି ବୁଝିବେ, ଜାଣିବେ, ସଂଗ୍ରାମ କରିବେ , ତା ହେଲେ ସେଦିନ ଯାହା ହେବ, ତା ପାଇଁ ସରକାର ସତର୍କ ରହନ୍ତୁ ବୋଲି ଫେସବୁକରୁ ସିଧା ପ୍ରସାରିତ ଏହି ଚେତାବନୀ ଦେଇଛନ୍ତି ମା ଓଡ଼ିଶାର ଏହି ସୁଯୋଗ୍ୟ ସନ୍ତାନ।
