ମୁଁ ଦାଦନ ଶ୍ରମିକ

 

ରଞ୍ଜନ କୁମାର ସାହୁ 

ନାଁ, ମୁଁ ଖୁସି ନାହିଁ ।

ମୁଁ ମୋ ଘରକୁ ଫେରିବା ପୂର୍ବରୁ ମୋତେ ମୋ ଘର ବାହାରେ ବନ୍ଦୀ କରିଦେଲ । ମୁଁ ଯାଇଥିଲି ବାହାରକୁ ମୋ ପେଟ ପୋଷିବା ପାଇଁ, କାରଣ ଓଡ଼ିଶାରେ ପେଟ ପୋଷିବାର ମାଧ୍ୟମ ଅତ୍ୟନ୍ତ ନଗଣ୍ୟ ।
ଓଡ଼ିଶା ସବୁଥିରେ ଆଗୁଆ ବୋଲି ବର୍ତ୍ତମାନ ଦର୍ଶାଯାଉଛି । ଲକ୍ ଡାଉନ ବେଳେ ମଧ୍ୟ ଆଗରେ ଥିଲା । ହେଲେ, ନିଜ ଲୋକଙ୍କ କଥା ଚିନ୍ତା କରିବାରେ ପଛରେ କାହିଁକି? ଓଡ଼ିଶା ଚାହିଁଥିଲେ କ’ଣ ଓଡିଶା ବାହାରେ ଥିବା ଓଡ଼ିଆ ମାନଙ୍କୁ ପୂର୍ବ ସୂଚନା ଦେଇପାରିନଥାନ୍ତା ? ଓ ତାଙ୍କୁ ସୁଯୋଗ ଦେଇପାରିନଥାନ୍ତା ନିଜ ମାଟିକୁ ଫେରିବାକୁ?

ମୁଁ ମୋ ପରିବାର ନିକଟରେ ନାହିଁ । ଗାଁରେ ମୋର ଦୁଇଟି ପିଲା ଓ ବୁଢ଼ା ବୁଢ଼ୀ ବାପା ମାଆ ଓ ସ୍ତ୍ରୀ କେମିତି ଚଳୁଛନ୍ତି ତାହା ମୋତେ ଜଣାନାହିଁ । କାରଣ, ମୁଁ ତାଙ୍କୁ ଏହି ମାସର ପଇସା ପଠେଇ ପାରିନାହିଁ । ନିଜେ ମଧ୍ୟ ଚଳିବା ପାଇଁ ପଇସା ନାହିଁ ।

ଏ ଲକଡ଼ାଉନ କେବେ ଉଠିବ ଓ ପରିସ୍ଥିତି କେବେ ସ୍ୱାଭାବିକ ହେବ ତାହା ଜଣା ନାହିଁ । ଖାଲି ପକେଟର ମହାମାରୀ କରୋନା ମହାମାରୀ ଠାରୁ ଅନେକ ଗୁଣରେ ଅସହ୍ୟ । ଏହା ଯଦି ଆପଣ ଅନୁଭବ କରିଥିବେ ତାହେଲେ ଆପଣ ଜାଣିପାରିବେ ।

ମୁଁ ବର୍ତ୍ତମାନ କ’ଣ କରିବି କିଛି ଜାଣି ପାରୁନି । ପ୍ରକୃତରେ ୧୦ ବର୍ଷ ହେଲାଣି ଓଡ଼ିଶା ବାହାରେ ମୁଁ ଦାଦନ ଖଟୁଛି । କିନ୍ତୁ, ଦାଦନ ଖଟିବାର ଦୁଃଖ ମୋତେ ଏବେ ଅସହ୍ୟ ଲାଗୁଛି ।

ଭୋଟ ବେଳେ ଆମ ନିକଟକୁ ରାଜନେତାମାନେ ଆସି ଭୋଟ ମାଗିଥିଲେ ତାଙ୍କ ସାଥେ ହିରୋ ହିରୋଇନଙ୍କୁ ଆଣି । ହେଲେ, ଏବେ ଆମେ ଏତେ ଦୁଃଖ କଷ୍ଟରେ, କେହି ଆମ କଥା ଶୁଣିବାକୁ ନାହାନ୍ତି ।
ଅନ୍ୟ ସମସ୍ତେ ପରିବାର ସହ ଉପଭୋଗ କଲାବେଳେ, ଆମେ ଏଠାରେ ସନ୍ତୁଳି ହୋଇଗଲୁଣି । ନା ଭଲରେ ଦିମୁଠା ଖାଇବାକୁ ପଇସା ଅଛି ନା ଏକାନ୍ତରେ ବାସ କରିପାରୁଛୁ । ଦୁଃଖକୁ ଏକାନ୍ତରେ ସହିବା ଭାରି ଅସହ୍ୟ ଆପଣ ଜାଣିଥିବେ ।

ଲାଗୁଛି, ସତେ ଯେମିତି କରୋନା ମହାମାରୀ ମଧ୍ୟ ପକ୍ଷପାତ କଲା ଓ ଆମ ଭଳି ଗରିବଙ୍କ ଉପରେ ଦାଉ ସାଧିଲା ।

ବେଳେବେଳେ ମୁଣ୍ଡ କାମ କରୁନି, ଲାଗୁଛି କିଛି ଗୋଟେ କରିବସିବି ।

ମେ ୩ ତାରିଖ ଯାଏଁ ଯେତେବେଳେ ଲକ ଡାଉନ ପୁଣି ବଢ଼ିଲା ଅନେକ ଲୋକ ଆନନ୍ଦ ଉଲ୍ଲାସରେ ନାଚିଲେ । କାରଣ, ସେମାନେ ଚାକିରିଆ ହେଲେ ଆମେତ ମୂଲିଆ । ଖଟିଲେ ଖାଇବୁ , ନଖଟିଲେ ଓପାସ ରହିବୁ । ଦାଣ୍ଡରୁ ଆଣିଲେ ହାଣ୍ଡିରେ ପଡ଼େ ।

ବେଳେବେଳେ ବହୁତ ନିଜକୁ ଧିକ୍କାର କରୁଛି, କାହିଁକି ପାଠ ପଢି ଚାକିରି କଲିନି ବୋଲି । ମୁଁ କଲେଜ ମାଟି ମାଡ଼ିଛି ହେଲେ ହେବ କ’ଣ, ସବୁ ନିଷ୍ଫଳ । ଓଡ଼ିଶାରେ ବହୁତ ଖୋଜିଥିଲି ଭଲ ଚାକିରି ଖଣ୍ଡେ ପାଇଁ କିନ୍ତୁ ମିଳିନଥିଲା ।

ମୋ ପୁଅ ଓ ଝିଅ ଏବେ ଓଡ଼ିଶାରେ ପଢୁଛନ୍ତି । ମୋର ସାଙ୍ଗ କହୁଥିଲା ଏବେ କୁଆଡେ ଗ୍ରାଜୁଏସନ ପିଲାଙ୍କୁ ମଧ୍ୟ ଚାକିରି ମିଳୁନି ଓ ସେମାନେ ଦାଦନ ଖଟିବାକୁ ବାହାରକୁ ପଳେଇ ଆସୁଛନ୍ତି ବୋଲି ।

ମୋତେ ବେଳେବେଳେ ଭୟ ଲାଗୁଚି, ମୋ ପୁଅ ମୋ ଭଳି ଦାଦନ ଖଟିବାକୁ ଆସିବନି ତ ?

ଶୁଣୁଛି , ସରକାରଙ୍କ କାରୋନା ଆଇନ ଯଦି ଦୈବାତ କିଏ ଭାଙ୍ଗିଲା, ପୋଲିସ ତାକୁ ନିସ୍ତୁକ ପିଟୁଛି, ଦି ବର୍ଷ ଜେଲ ସାଙ୍ଗକୁ ୧୦ ହଜାର ଟଙ୍କା ଜୋରିମାନା । କଣ ସେ ଆଇନ ମୋତେ ତ ଜଣା ନାହିଁ । ଅଜାଣତରେ ଯଦି ଭୁଲ ହୋଇଗଲା ? ଭୋକିଲା ପେଟରେ ୧୦ ହଜାର ଟଙ୍କା ଜୋରିମାନା କେଉଁଠୁ ଦେବି? ଦି ବରଷ ଜେଲ ଗଲେ ମୋ ପିଲା ବଞ୍ଚିବେ କେମିତି ?

ମୁଁ ଆଉ କିଛି ଲେଖିପାରୁନି, ମୋ ଆଖି ଛଳଛଳ ।

ଆପଣ ଜ୍ଞାନୀ ଗୁଣୀ ଜନ, ମୋ କଥାର ମର୍ମ ଆପଣ ମୋ ସ୍ଥାନରେ ଛିଡ଼ା ହୋଇ ବୁଝିପାରିବେ ବୋଲି ଆଶା ।

ମୋଦି, ନବୀନ ରାଜନୀତି ଖେଳରେ ; ଓଡ଼ିଆ ଜାତି କାରୋନା କବଳରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଲୌହ ପରଦା ଉହାଡ଼ରେ ଥିବା ମୁଖ୍ୟମନ୍ତ୍ରୀ ମହାମାରୀ କାରୋନା ବିଷୟରେ ଆମକୁ ଏକ ଭିଡ଼ିଓ  ବାର୍ତ୍ତାରେ ଏବେ ଆପାତତଃ ଏହା ହିଁ କହିଲେ ଯେ, ସରକାର ଜାରି କରିଥିବା ନିୟମ ପାଳନ କରନ୍ତୁ, ନିରାପଦରେ ରହନ୍ତୁ । ସରକାରୀ ନିୟମ ଇଂରାଜୀରେ। ମୁଖ୍ୟତଃ ଯେଉଁମାନଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା, ସେମାନେ ଇଂରାଜୀ ଜାଣନ୍ତି ନାହିଁ । ଏ ପ୍ରହସନ ବିରୁଦ୍ଧରେ ଆମେ ଆଗରୁ ଆଲୋଚନା କରିଛୁ । ସରକାର ସୁଧୁରିନାହାନ୍ତି । ସେ ଆଉ ଏକ ମାରାତ୍ମକ କଥା କହିଲେ । ପଶ୍ଚିମ ବଙ୍ଗ ସମେତ ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନଙ୍କ ହେତୁ ଓଡ଼ିଶା ପ୍ରତି କରୋନା ଆଶଙ୍କା ଅଧିକ । ଯେତେବେଳେ ଆମ ଲୋକେ ସଂପୂର୍ଣ୍ଣ ସୁସ୍ଥ ଥିଲେ ସେମାନଙ୍କୁ ଘରକୁ ଫେରିବାକୁ ନ ଦେଇ ଅସୁସ୍ଥ କରାଇଲା କିଏ? ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ସିନା ଆମେ ତାଙ୍କୁ ପଚାରିଥାନ୍ତୁ । ସେ ତ ଭିଡ଼ିଓ ମାଧ୍ୟମରେ ଲୌହ ପରଦା ଆରପଟୁ ଏ କଥା କହିଲେ, ଆମ କଥା କହିବାକୁ ତ ସେ ଆମକୁ ସୁଯୋଗ ଦେଲେନାହିଁ । ଆଲୋଚନା କରିଥିଲେ ଆମେ ତାଙ୍କୁ କହିଥାନ୍ତୁ କି, ଘର ଫେରନ୍ତା ଓଡ଼ିଆମାନେ ନୁହନ୍ତି, ଅଣଓଡିଆ ଅଧ୍ୟୁଷିତ ଅମଲାମାନଙ୍କ ପାଲରେ ପଡ଼ି ସେ ହିଁ ଆମ ଜାତିକୁ କରୋନା କବଳରେ ପକାଇଛନ୍ତି ଓ ଯେଉଁ ଯାଏଁ ତାଙ୍କ ଇଂରାଜୀ ପ୍ରୀତି ନ ସରିଛି  ସେଯାଏଁ ଏ ବିପତ୍ତି କବଳରେ ଆମେ ଅଧିକରୁ ଅଧିକ ସଂଖ୍ୟାରେ  ପଡ଼ିବା ସୁନିଶ୍ଚିତ ।

କରୋନା ସମ୍ପର୍କରେ ନବୀନବାବୁ ହିଁ ଆମକୁ ଅନ୍ଧକାରରେ ରଖିଛନ୍ତି । କାରଣ, ବାରମ୍ବାର କହିବା ସତ୍ତ୍ୱେ ଏହି ଭୂତାଣୁ ସମ୍ପର୍କୀୟ କୌଣସି ତଥ୍ୟ ଆମକୁ ଆମ ଭାଷା ଓଡ଼ିଆରେ ଦିଆଯାଇନାହିଁ / ଦିଆଯାଉନାହିଁ । ଆମ୍ଭେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛୁ ଅଧ୍ୟାଦେଶ ବଳରେ ସବୁ ପ୍ରଦେଶକୁ ବାଧ୍ୟ କରିବା ପାଇଁ ପ୍ରାଦେଶିକ ଭାଷାରେ କରୋନା ସମ୍ପର୍କୀୟ ସବୁ ତଥ୍ୟ ପ୍ରକାଶ କରିବାକୁ । ସେ ଭ୍ରୂକ୍ଷେପ କରିନାହାନ୍ତି । ଲୋକଙ୍କ ବିପତ୍ତି ଅପସାରଣ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜନୀତି । ଲୋକଙ୍କ ବିପତ୍ତିକୁ ରାଜନୀତି ଆଧାର ନ କରିବାକୁ ଆମ୍ଭେ ପ୍ରଥମରୁ କହିଥିଲୁ (Corona quagmire//No politics please) । ଏହି ଭୁତାଣୁର ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ ଏହା ଦାୟିତ୍ଵରେ ରହୁଥିବା ଡାକ୍ତର ଓ ନର୍ସ ଇତ୍ୟାଦିଙ୍କୁ ଅଧିକ ବେତନ ସହ ସ୍ଵତନ୍ତ୍ର ବର୍ଗଭୁକ୍ତ କରିବା ପାଇଁ ଆମ୍ଭର ଯୁକ୍ତି ଅବଶ୍ୟ ଏକପ୍ରକାର କାର୍ଯ୍ୟକାରୀ ହୋଇଛି ବୋଲି କୁହାଯାଇପାରେ ; ମାତ୍ର ବାହାର ରାଜ୍ୟରୁ ନିଜ ଘରକୁ ସବୁ ଲୋକ ଫେରିଯିବା ପର୍ଯ୍ୟନ୍ତ ପଥଋଦ୍ଧିକରଣ ବନ୍ଦ ରଖିବା ପାଇଁ ଆମ୍ଭେ ରଖିଥିବା ନିବେଦନକୁ ଅବଜ୍ଞା ପ୍ରଦର୍ଶନ କରି ମୋଦି ଏହି ବିପତ୍ତିର ରାଜନୈତିକ ଫାଇଦା ପାଇଁ ଚେଷ୍ଟା କରିଥିଲେ । ଅବସ୍ଥା ଯେତେବେଳେ ଅଣାୟତ ହେବାକୁ ଯାଉଛି ବୋଲି ଆମ୍ଭେ ସ୍ପଷ୍ଟ ଅନ୍ଦାଜ କରିପାରିଲୁ, ସେତେବେଳେ ମୋଦିଙ୍କୁ ଅନୁରୋଧ କରିଥିଲୁ କି, ଅନ୍ୟୁନ୍ୟ ସପ୍ତାହକ ପାଇଁ ପଥଋଦ୍ଧିକରଣ ବନ୍ଦ ରଖି ବାହାର ରାଜ୍ୟମାନଙ୍କରେ ଅଟକି ରହିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ନିଜ ନିଜ ଘରେ ପହଞ୍ଚିବାର ସୁଯୋଗ ଦିଆଯାଉ ଓ ସମତାଳରେ ସେମାନଙ୍କ ଭାଷାରେ ଏହି ମହାମାରୀ ସମ୍ପର୍କୀୟ ସମସ୍ତ ସରକାରୀ ଜ୍ଞାତବ୍ୟ ଆଚରଣବିଧି, ଆଇନ କାନୁନ , ନିୟମ ବିନିୟମ ଇତ୍ୟାଦି ଦିଆଯାଇ ସେମାନଙ୍କୁ ସେମାନଙ୍କ ଦୟିତ୍ଵ ତୁଲାଇବା ପାଇଁ ପ୍ରସ୍ତୁତ କରାଯାଉ । (Suspend lockdown for a week: Stop making India a Lab of Death) । ତହିଁପ୍ରତି ତତ୍କାଳ ଦୃଷ୍ଟି ନଦେଇ, ଅଯଥା ବିଳମ୍ବ କରି ଭାରତକୁ ଏକ ମରଣଯନ୍ତାରେ ପରିଣତ କରାହୋଇଛି । ଘଟଣାପ୍ରବାହ ପ୍ରତି ଦୃଷ୍ଟି ଦିଆଯାଉ :

ଜନନେତାମାନେ ହୋରିରେ ରଙ୍ଗ ଖେଳିବାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରିଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଦିନ ରଙ୍ଗ ନଖେଳିବାକୁ ଘୋଷଣା କରିଥିଲେ, ସେଦିନ ପୂର୍ବରୁ ସେମାନେ ଜାଣିଥିଲେ ଯେ, ମହାମାରୀ କରୋନା ମୁଖବ୍ୟାଦାନକରି ଝପଟି ଆସୁଛି ଅମଆଡ଼େ, ସେହି ଦିନ ହିଁ ସେମାନେ ଜାଣିଥିଲେ ଏହି ପ୍ରାଣଘାତୀ ଭୂତାଣୁଠାରୁ ନିରାପଦ ରହିବାକୁ ହେଲେ ସଙ୍ଗରୋଧ ବା ସାମାଜିକ ଦୂରତା ଏକମାତ୍ର ପାଳନୀୟ ଉପାୟ । ସେହି ଦିନ ସେମାନେ ବାହାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଓ ରୋଜଗାରଲିପ୍ତ ଶ୍ରମଜୀବୀ ମଣିଷମାନଙ୍କୁ ତୁରନ୍ତ ନିଜ ନିଜ ରାଜ୍ୟକୁ ଫେରିଯିବାପାଇଁ ସରକାରୀ ନିର୍ଦ୍ଦେଶ ଦେବା ଆବଶ୍ୟକ ଥିଲା । ସେହିଦିନ ଆବଶ୍ୟକ ଥିଲା ଇଂରାଜୀରେ ଲିଖିତ ଥିବା ଓ ବହୁ ଦଶନ୍ଧି ଧରି ବ୍ୟବହୃତ ହୋଇନଥିବା ସଂକ୍ରାମକ ରୋଗ ଆଇନ, ୧୮୯୭ (Epidemic Diseases Act, 1897) ପ୍ରାନ୍ତୀୟ ଭାଷାମାନଙ୍କରେ ଅନୁବାଦ କରି ସରକାରୀ ୱେବସାଇଟ୍ ମାଧ୍ୟମରେ ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ହାଜତି-ଆଦେଶ (lockdown) ଜାରି ହେବାକୁ ଦିନ ଧାର୍ଯ୍ୟ କରି ତା ପୂର୍ବରୁ ସମସ୍ତେ ନିଜ ନିଜ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦେବା । ସେମାନେ ତାହା କଲେନାହିଁ । ଯଦି କରିଥାନ୍ତେ, ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଜାରିକରିବାର ଆବଶ୍ୟକତା ପଡ଼ିନଥାନ୍ତା, କାରଣ ନିଜ ନିଜ ଭାଷାରେ ଏହି ମହାମାରୀ ସମ୍ପର୍କରେ ସବୁକଥା ଅବଗତ ହୋଇ ଲୋକେ ନିଜ ନିଜ ଘରକୁ ଚାଲିଆସିଥାନ୍ତେ ଓ ସୁସ୍ଥ ହୋଇ ରହିବାର ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିପାରିଥାନ୍ତେ । ମୋଦି ତାହା କଲେ ନାହିଁ, କାରଣ ତାଳି, ଥାଳି, ଘଣ୍ଟ, ଘଣ୍ଟି ବଜେଇ କରୋନା ହଟାଇବା ପରି ହିନ୍ଦୁ ଧର୍ମାନ୍ଧ ପଦ୍ଧତିକୁ ଘରେ ଘରେ ପହଞ୍ଚାଇବା ତାଙ୍କ ଅଭିସନ୍ଧି ଥିଲା । ତାଙ୍କ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୋଦିଙ୍କ  ସାମାଜିକ ଦୂରତା ଶିଖାଇବା ପାଇଁ ଜାରି କରିଥିବା ଜନତାକର୍ଫ୍ୟୁର ଯେଉଁ ପ୍ରହସନ କରାଇଲେ ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା, ତାହା ନୁହେଁ । ମୋଦୀ ଓ ତାଙ୍କ ମନ୍ତ୍ରୀମାନେ କିପରି ବେବୈଜ୍ଞାନିକ ଶୈଳୀରେ ଲୋକଙ୍କୁ ସଞ୍ଚାଳିତ କରିଥିଲେ ତାହା ପ୍ରାୟ ସବୁ ଟିଭି ଚ୍ୟାନେଲ୍ ମୁଖ୍ୟସମ୍ବାଦ ପର୍ଯ୍ୟାୟରେ ପରିବେଷଣ କରିଥିଲେ । ତହିଁରୁ ଗୋଟିଏ

ଜନତା କର୍ଫ୍ୟୁକୁ ତାଳି-ଥାଳି-ଘଣ୍ଟ ବାଡ଼ିଆ ସମାବେଶ ଦ୍ଵାରା ପ୍ରହସନରେ ପରିଣତ କରାଯିବା ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ମୋଦି ପାଟି ନଫିଟାଇ,  ଏପ୍ରିଲ ୫ ତାରିଖ ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜଳାଇବା ନାଟକ କରି ଲୋକଙ୍କୁ ବିପତ୍ତି କବଳକୁ ଠେଲି ଦେଇ ନିଜର ରାଜନୈତିକ ଫାଇଦା ପଛରେ ଗୋଡ଼ାଇଥିଲେ । ସେଦିନ ହାଇଦ୍ରାବାଦର ବିଜେପି ବିଧାୟକ ସଡକ ଉପରେ ଦିହୁଡ଼ି ଜାଳି ଯେପରି କରୋନା ଭୂତାଣୁକୁ “ଚାଇନା ଭୂତାଣୁ” କହି ତଡୁଥିଲେ ତାହା ସେପରି ଅଗଣନ ଘଟଣାରୁ ଗୋଟିଏ

ତାଳି-ଥାଳି ମାଡ଼ ଓ ବିଜୁଳି ଲିଭାଇ ଦୀପ ପ୍ରଜ୍ଵଳନ ବଡ଼ ଚତୁର ପରୀକ୍ଷଣ ଥିଲା ଲୋକଙ୍କ ବୋକାମିର ଏବଂ ସେ କେତେଦୂର ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିପାରୁଛନ୍ତି ତାହା ଜାଣିବାର । ଜାଣିଗଲା ବାସିଦିନ, ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତି ଭୋଟକେନ୍ଦ୍ର (ବୁଥ)ରେ ଦଳୀୟ କର୍ମୀ ଓ ନେତାମାନେ ପହଞ୍ଚି କରୋନା ବିଭୀଷିକା କାଳରେ ତାଙ୍କ ସରକାର କିପରି ଲୋକଙ୍କୁ ପ୍ରଭୂତ ସରକାରୀ ସାହାଯ୍ୟ ଦେଉଛି ସେ ସମ୍ପର୍କରେ ପ୍ରଚାର କରିବା ପାଇଁ ଆହ୍ଵାନ ଦେବା ମହାମାରୀରୁ ମହା ରାଜନୈତିକ ଲାଭ ଉଠାଇବା ଅଭିସନ୍ଧିପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ । ବିଜେପି ସମତାଳରେ ବିଜେଡି ମଧ୍ୟ କରୋନାଜନିତ ବିପତ୍ତିର ଦଳୀୟ ଉପଯୋଗ କରିବାକୁ ଚେଷ୍ଟା ଚଳାଇଛି । ଅତଏବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଏ ମହା ବିପତ୍ତି କାଳରେ ନିଜ ନିଜ ରାଜନୈତିକ ଜମି କିପରି ଭଲ ଫସଲ ଦେବ ସେଥିନେଇ ବ୍ୟସ୍ତ । ଲୋକେ ଯେତେ ଅସୁବିଧାରେ ପଡ଼ିବେ, ସେମାନଙ୍କୁ ଦିଆଯାଉଥିବା ସରକାରୀ ସାହାଯ୍ୟକୁ ସେମାନଙ୍କ ପାଇଁ ନିଜ ନିଜ ଦଳୀୟ ଅନୁକମ୍ପା ଦର୍ଶାଇ ରାଜନୈତିକ ଫାଇଦା ଉଠାଇବାକୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବ୍ୟଗ୍ର ଥିବାବେଳେ, ଆମ ଓଡ଼ିଆ ଲୋକେ ଓଡ଼ିଆତ୍ଵବିରୋଧୀ ଅପଶାସନ ହେତୁ କରୋନା କବଳରେ ଭୀଷଣ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଛି ।
ପ୍ରାଣୀ ମଲେ ଶାଗୁଣାର ଯେମିତି ମଉଜକାଳ ଆରମ୍ଭ ହୁଏ ସେମିତି କରୋନା ବିପତ୍ତି ସତେ ଅବା ମୋଦି, ନବୀନଙ୍କ ପାଇଁ କଚେପୁଅବାର୍ !

ଓଡ଼ିଶା ସରକାର ଓଡ଼ିଆ ବୁଝିବାକୁ ଅକ୍ଷମ : ମୁଖ୍ୟମନ୍ତ୍ରୀଙ୍କ ଇଂରାଜୀ ପ୍ରୀତି ହେତୁ କରୋନା କବଳରେ ଓଡ଼ିଶା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କରୋନା ଭୂତାଣୁ ପ୍ରକୃତି ପରିସୃଷ୍ଟ କି ପରୀକ୍ଷାଗାର ପ୍ରସୂତ ତାହା ଏବେ ଆମ ସାଧାରଣ ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ ନୁହେଁ । ଗୁରୁତ୍ବପୂର୍ଣ ହେଲା ତା କବଳରୁ ଜୀବନ ରକ୍ଷା କରିବା । ଲୋକଙ୍କୁ ପୋଲିସ ଲଗାଇ ଭୟଭୀତ କରି କରୋନା ଭୂତାଣୁର ସଂକ୍ରମଣ ବନ୍ଦ କରାଯାଇପାରିବ ନାହିଁ । ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସବୁକଥା ଅବଗତ କରାଇ ଏହି ମହାମାରୀର ମୁକାବିଲା କରାଯାଇପାରିବ । ସେଥିପାଇଁ ଆମ୍ଭେ କାରୋନା ସମ୍ପର୍କୀୟ ସମସ୍ତ ସରକାରୀ ନିଷ୍ପତ୍ତି, ନିର୍ଦ୍ଦେଶ, ନିୟମ, ବିନିୟମ, ଆଇନ, ନିର୍ଦ୍ଧାରଣ ଇତ୍ୟାଦିକୁ ଓଡ଼ିଆ ଭାଷାରେ ଇଣ୍ଟର୍ନେଟ୍ ମାଧ୍ୟମରେ ଉପଲବ୍ଧ କରାଇବାକୁ ସରକାରଙ୍କୁ ବରାବର ନିବେଦନ କରି ଆସିଛୁ । ମୁଖ୍ୟମନ୍ତ୍ରୀଙ୍କ ଇଂରାଜୀ ପ୍ରୀତି ହେତୁ ଏହା ସମ୍ଭବ ହୋଇନାହିଁ । ଇଂରାଜୀରେ ଆଇନ ତିଆରି କରି – ଯଥା Epidemic Diseases (Amedment) Ordinance, 2020, The Odisha COVID-19 Regulation, 2020, The Odisha COVID-19 (Amendment) Regulation, 2020 – ତହିଁର ଉଲ୍ଲଂଘନ ପାଇଁ ଇଂରାଜୀ ଜାଣିନଥିବା ଓଡ଼ିଆଙ୍କୁ ପୋଲିସ ଦ୍ଵାରା ନିର୍ଯ୍ୟାତିତ କରାହେଉଛି ।

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ଗତ ଦୀର୍ଘ ୪ ବର୍ଷ ଧରି ଭାଷା ଆନ୍ଦୋଳନ ଚାଲିଛି । ମୁଁ ଦେଇଥିବା ଚିଠା ବିଧାନ, ଯାହା ବିଧିକୃତ ହେବା ଦାବିରେ ଏହି ଆନ୍ଦୋଳନ ଚାଲିଛି, ବ୍ୟବସ୍ଥା ରଖିଥିଲା କି, ଓଡ଼ିଆରେ ସେବା ନ ଦେବା ଲୋକକୁ ୨୦୦୦ ରୁ ୧୦,୦୦୦ ତାଙ୍କ ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ବିଧାନ ପାଇଁ ଯେ କୌଣସି ଓଡ଼ିଆ ଅଦାଲତରେ ପ୍ରକ୍ରିୟା ଚଳାଇପାରିବ । ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଭ୍ରମାତ୍ମକ ସଂଶୋଧନ ଦ୍ଵାରା ଓଡ଼ିଶା ସରକାରୀ ଭାଷା ଆଇନରେ ଧାରା ୪ ଓ ଧାରା ୪-କ ଖଞ୍ଜି ମୁଖ୍ୟମନ୍ତ୍ରୀ ଆଇନଟିକୁ ପଙ୍ଗୁ କରିଦେଇଛନ୍ତି ଓ ଇଂରାଜୀ ରାଜୁତିକୁ ଅଧିକ ଦୃଢୀଭୂତ କରିଛନ୍ତି । ଓଡ଼ିଆ ଜାତି ବିରୁଦ୍ଧରେ ଏହି ଅପରାଧ ନିତଙ୍କୁଶ କରିବା ପାଇଁ ମୋର କେତେକ ସହଯୋଗୀଙ୍କ ଅର୍ଥଲୋଭ ଚରିତାର୍ଥ କରି ଭାଷା ଆନ୍ଦୋଳନକୁ ଭାଙ୍ଗିବାକୁ ଅପୋଦ୍ୟମ କରିଛନ୍ତି ; ଯଥା ବେଆଇନ ଭାବେ ପ୍ରଦ୍ୟୁମ୍ନ ଶତପଥିଙ୍କ ସ୍ତ୍ରୀଙ୍କୁ ୧୦ ବର୍ଷର ଗରହାଜିରା ସତ୍ତ୍ୱେ  ଚାକିରିରେ ପୁନଃସଂସ୍ଥିତା କରି ବହୁ କୋଟି ତାଙ୍କର ମୁନଫା ଦେଇଛନ୍ତି ଓ ତହିଁ ବିରୁଦ୍ଧରେ ପ୍ରଦତ୍ତ ସ୍ମାରକପତ୍ର ଉପରେ ଶୋଇରହିଛନ୍ତି; ଅର୍ଥଲୋଭ ହେତୁ କରିଥିବା ଅପରାଧରେ ଦଣ୍ଡନୀୟ ପବିତ୍ର ମହରଥାଙ୍କ ବିରୁଦ୍ଧରେ  ଆବଶ୍ୟକୀୟ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଅଟକାଇଛନ୍ତି । ଏବଂ ଏହି ଉଭୟ ଅସାଧୁଲୋକଙ୍କ ଦ୍ଵାରା ପ୍ରଚାର କରାଇଚାଲିଛନ୍ତି ଯେ, ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧନ ହୋଇସାରିଛି ଓ ଭାଷା ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି ।

ଓଡ଼ିଆ ଜାତି ବିରୁଦ୍ଧରେ ଏପରି ଷଡ଼ଯନ୍ତ୍ରରେ ନିଜେ ମୁଖ୍ୟମନ୍ତ୍ରୀ ଜଡ଼ିତ ଥିବା ହେତୁ କରୋନା ସମ୍ପର୍କରେ ଅତି ଜରୁରୀ ଓ ଜନସାଧାରଣଙ୍କ ଅବଗତି ପାଇଁ ଅପରିହାର୍ଯ୍ୟ ସରକାରୀ ନିଷ୍ପତ୍ତି, ନିର୍ଦ୍ଦେଶ, ନିୟମ, ବିନିୟମ, ଆଇନ, ନିର୍ଦ୍ଧାରଣ ଇତ୍ୟାଦିକୁ ଲୋକତନ୍ତ୍ରର ଅନ୍ତରାୟ ସାଜିଥିବା ଅମଲାତନ୍ତ୍ର ଇଂରାଜୀରେ ହିଁ ସରକାରୀ ୱେବସାଇଟମାନଙ୍କରେ ପ୍ରକାଶ କରି ଓଡ଼ିଶାର ଲୋକମାନଙ୍କୁ ଅନ୍ଧକାରରେ ରଖିଛି । ସେ ସବୁକୁ ଓଡ଼ିଆ ଭାଷାରେ ପ୍ରକାଶ କରି ମୋବାଇଲ ଫୋନ ସାହାଯ୍ୟରେ ଗାଁ ଗହଳର ସବୁଲୋକ ଯେମିତି ସେଗୁଡ଼ିକୁ ଯାନୀ ପାରିବେ ତା ପାଇଁ ଆମର ସମସ୍ତ ଅକୁଳ ନିବେଦନ କାଲା ଆଗରେ ମୂଳ ଚୋବାଇବାପରି ବ୍ୟର୍ଥ ଯିବାରୁ ଆମକୁ ସମ୍ପୂର୍ଣ ଶାନ୍ତିପୂର୍ଣ ଉପାୟରେ କଠିନ ବୌଦ୍ଧିକ ଚାପ ପ୍ରୟୋଗ କରିବାକୁ ପଡ଼ିଥିଲା ; ଯଥା ଗତ ୧୮ ତାରିଖରୁ ପ୍ରତିଦିନ ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ପୃଷ୍ଠାରେ ଏହି ମୋହର ଛାପିପିବାକୁ ପଡ଼ିଥିଲା ଓ ୨୦ ତାରିଖରେ ଏ ସରକାରକୁ ଏକ ଗାଲୁଆ ସରକାର ବୋଲି ସକାରଣ ଅଭିହିତ କରିବାକୁ ପଡ଼ିଥିଲା ।

ଏହି ଚାପ ପ୍ରୟୋଗ ଫଳରେ ଅନନ୍ୟୋପାୟ ହୋଇ ସରକାର ଏକ ହ୍ଵାବତ୍ସାପ ବ୍ୟବସ୍ଥା ପ୍ରବର୍ତ୍ତନ କରି ଓଡ଼ିଆରେ ତହିଁରେ ତଥ୍ୟ ଦିଆଯିବ ବୋଲି କହିଲେ । ତାହା ଆମକୁ ଅନ୍ଧକାରରେ ଏକ ଦୀପଶିଖା ପରି ଲାଗିଲା । କିନ୍ତୁ ଓଡ଼ିଆ ଜାତି ପ୍ରତି ତାହା କିପରି ପ୍ରବଞ୍ଚନାର ଏକ ନୂଆ ଫର୍ଦ୍ଦ ଥିଲା, ତାହା ଲକ୍ଷ୍ୟ କରି ଆମ୍ଭେ ସ୍ତବ୍ଧ ହୋଇଯାଇଥିଲୁ । ମୁଖ୍ୟମନ୍ତ୍ରୀଙ୍କ ଅବଗତି ପାଇଁ ଭାଷା ଆଂଦୋଳନର ଜଣେ ଯୁବ ଜ୍ୟୋତିଷ୍କ ରଞ୍ଜନ କୁମାର ସାହୁ ସେହି ପ୍ରତାରଣକୁ କ୍ୟାମେରାବଦ୍ଧ କଲେ ଓ ତାହା ୟୁ ଟ୍ୟୁବରେ ସ୍ଥାନିତ ହେଲା । ଯଥା –

,ସରକାର କାର୍ଣ୍ଣପାତ କଲେନାହିଁ  ।

ମୁଁ ବାଧ୍ୟହୋଇ ଏହି ସରକାରୀ ପୃଷ୍ଠାକୁ ଯାଇ ଆମ ଅନୁରୋଧ ଉଲ୍ଲେଖ କଲି । ଊତ୍ତର ଆସିଲା – ମୁଁ ଯାହା ଲେଖିଲି ସରକାର ତାହା ବୁଝିପାରିଲେ ନାହିଁ । ଦେଖିବା ହେଉ –

କି ଶାସନ ଚାଲିଛି?

ମୁଖ୍ୟମନ୍ତ୍ରୀଙ୍କ ଇଂରାଜୀ ପ୍ରୀତି ହେତୁ ଏ ଭୟଙ୍କର ବିପତ୍ତି କାଳରେ ମଧ୍ୟ ଓଡ଼ିଶା ଅନ୍ଧକାରରେ ଓ କରୋନା କବଳରେ ।

ଉତ୍କଳ ଗୌରବ

ଲେଖକ : ମହେନ୍ଦ୍ର ତ୍ରିପାଠୀ

ହେ ଉତ୍କଳ ସୂର୍ଯ୍ୟ-ଉତ୍କଳ ଗୈାରବ
ଜାତିର ନିଅ ପ୍ରଣତି
ସ୍ଵତନ୍ତ୍ର ଓଡିଶା, ଭାଷା-ଭାସ୍କର୍ଯ୍ୟର
ନିର୍ବିବାଦୀୟ ସ୍ଥପତି ।।

ସ୍ଵତନ୍ତ୍ର ଓଡିଶା ଆଜି ବି ବିଚ୍ଛିନ୍ନ
ଭାଷା ମହାବିପଦରେ
ଭାଷା-ମାଟି ପାଇଁ ଆନ୍ଦୋଳନ ଚାଲେ
ଆଶୀର୍ବାଦ ଢାଳ ଧୀରେ ।।

କହି ହୁଏ ନାହିଁ ସହି ହୁଏ ନାହିଁ
ଆପଣା ସୁନା ତ ଭେଣ୍ଡି
ଆଜି ବି ‘ଚରଣ’ମାଆର ଗଳାରେ
ଚୋଟ ମାରେ ବେଳ ଉଣ୍ଡି ।।

ଶହେ ବା’ସ୍ତରୀତମ ଜନ୍ମତିଥି
ପାଳୁ ମାତ୍ର ଉପଚାରେ
ତୁମକୁ ବୁଝିଲା ନାହିଁ ଏ ଓଡ଼ିଆ
ବଞ୍ଚି ଥାଉଥାଉ ମରେ ।।

ହା-ହତାଶର କାହାଣୀ ବଖାଣେ
ଅବହେଳା ଛତ୍ରେଛତ୍ରେ
ମୁଁ କିନ୍ତୁ ଅଧମ ଜାଣିପାରୁ ନାହିଁ
କର୍ତ୍ତବ୍ୟ ମୋ କେଉଁ ସୂତ୍ରେ ???
(ଭାଷା ଆନ୍ଦୋଳନକୁ ସମର୍ପିତ)