ଭାଷା ଆଇନରେ ଖଂଜା ହୋଇଥିବା ନୂଆ ଧାରା ୪-କ କାହିଁକି ଗ୍ରାହ୍ୟ ନୁହେଁ ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଇନରେ ସଂଶୋଧନ ଆସେ ତାକୁ ଅଧିକ ସମର୍ଥ କରିବାପାଇଁ ; ତାକୁ ଲକ୍ଷ୍ୟଚ୍ୟୁତ କରିବାକୁ ନୁହେଁ । କିନ୍ତୁ ଓଡ଼ିଶା ରାଜ୍ୟ ସରକାର ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ଲକ୍ଷ୍ୟଚ୍ୟୁତ କରାଇବା ପାଇଁ ବିଧାନସଭାକୁ ପୁନଶ୍ଚ ବ୍ୟବହାର କରିଛନ୍ତି ୧୯.୯.୨୦୧୮ ତାରିଖରେ ।

ଏ ଦିନ ଏହି ଆଇନ ଉପରେ ଯେଉଁ ଦ୍ଵିତୀୟ ସଂଶୋଧନ ପାରିତ କରା ହୋଇଛି ତାହା ୧.୫.୨୦୧୮ରେ ହୋଇଥିବା ପ୍ରଥମ ଓ ବେଆଇନ ସଂଶୋଧନକୁ ଆଇନସିଦ୍ଧ କରି ମୂଳ ଆଇନଟିକୁ ଅଧିକ ଜନବିରୋଧୀ ତଥା ନିରୁଦ୍ଧିଷ୍ଟ କରିବା ପାଇଁ ଏକ ଚତୁର ପ୍ରୟାସ । ଓଡ଼ିଆ ଜାତି ଯଦି ଏହାକୁ ମାନିନିଏ ତେବେ ତାର ଭାଷା ଅଧିକାର ସମ୍ପୂର୍ଣ୍ଣତଃ କ୍ଷୁର୍ଣ୍ଣ ହେବ ।

ଓଡ଼ିଆ ଭାଷାରେ ସମସ୍ତ ସରକାରୀ ସେବା ପାଇବାପାଇଁ ଆମ ପୁର୍ବପୁରୁଷେ ସେତେବେଳେ ସମଗ୍ର ଭାରତକୁ ଅପାତତଃ ଦଖଲକରିଥିବା ବ୍ରିଟିଶ ଶକ୍ତିକୁ ଏକ ସ୍ଵତନ୍ତ୍ର ପ୍ରଦେଶ ସୃଷ୍ଟି କରିବାକୁ ବାଧ୍ୟ କରିଥିଲେ , ଯାହାର ନାମ ହେଲା ଓଡ଼ିଶା ।

କିନ୍ତୁ ନିଜ ଭାଷାରେ ନିଜର ଏହି ରାଜ୍ୟର ସମସ୍ତ ସରକାରୀ ସେବା ପାଇବାର ଅଧିକାର ଆମକୁ ୧୯୫୪ରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରଣୀତ ଓଡିଶା ସରକାରୀ ଭାଷା ଆଇନ ହିଁ ଦେଇଥିଲା । ଏହା ଦୁଇଟି କଥା କହିଥିଲା : (୧) ଓଡ଼ିଶାର ସର୍ବତ୍ର ଏହା ତତ୍କାଳ ଲାଗୁହେଲା ଓ (୨) ଓଡ଼ିଶାର ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ଯେ କୌଣସି ସରକାରୀ କାମ ପାଇଁ ଭାଷା ହେଲା ଓଡ଼ିଆ ।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ୧୯୬୩ରେ ଏଥିରେ ପ୍ରଥମ ସଂଶୋଧନ କରି ଏହାର ଗାରିମା ନଷ୍ଟ କରିଥିଲେ ଓ ବିଧାନସଭା କାରବାରରେ ଓଡ଼ିଆ ଅଧିକନ୍ତୁ ଇଂରାଜୀ ସରକାରୀ ଭାଷା ଭାବେ ଚାଲିବ ବୋଲି ସେହି ସଂଶୋଧନରେ ବ୍ୟବସ୍ଥା ଖଞ୍ଜି ଆମକୁ ଇଂରାଜୀ ଭାଷାଧିପତ୍ୟ କବଳକୁ ଠେଲି ଦେଇଥିଲେ , ଯହିଁରୁ ମୁକ୍ତି ପାଇଁ ଆମ ସଂଘର୍ଷ କଳାପତାକା ଅଭିଯାନର ରୂପ ନେଇଛି । ଯେତେବେଳେ ବିଜୁବାବୁଙ୍କ ପରିସୃଷ୍ଟ ଧାରା ୩-କ ବିଲୋପ କରାଯାଇ ଭାଷା ଆଇନ ଉଲଙ୍ଘନକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରି ଆଇନ ସଂଶୋଧନ ପାଇଁ ୧୩. ୪. ୨୦୧୬ ତାରିଖରୁ ବିଶ୍ଵର ଅଦ୍ଵିତୀୟ କଳାପତାକା ଅଭିଯାନ ଚାଲିଛି , ସେତେବେଳେ ନବୀନ ବାବୁ ଏହି ଆଇନକୁ ଏ ବର୍ଷ ଦୁଇଥର ସଂଶୋଧନ କରି ଉପରୋକ୍ତ ଦୁଇଟିଯାକ ବ୍ୟବସ୍ଥାକୁ ଉଜାଡ଼ି ଦେଇଛନ୍ତି ।

ଏହି ଦୁଇଟି ସଂଶୋଧନ ଏହିପରି :

(୧) “ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।” (୧.୫.୨୦୧୮ ତାରିଖର ସଂଶୋଧନ ଦ୍ଵାରା ଖଞ୍ଜା ହୋଇଥିବା ଧାରା ୪-କ )

(୨) “ଧାରା ୪କରେ – (କ) “ଭାଷାର” ଶବ୍ଦ ବଦଳରେ “ଭାଷାରୂପେ ଓଡ଼ିଆର” ଶବ୍ଦଗୁଡ଼ିକ ପ୍ରତିସ୍ଥାପିତ ହେବ । (ଖ) ଦ୍ଵିତୀୟ ଥର ଥିବା “ବିଭାଗମାନଙ୍କୁ” ଶବ୍ଦ ପରେ ଓ “ଦଣ୍ଡବିଧାନ” ଶବ୍ଦ ପୂର୍ବରୁ “ବା ଉଭୟଙ୍କୁ” ଶବ୍ଦଗୁଡ଼ିକ ଅନ୍ତଃସ୍ଥାପିତ ହେବ ।” (୧୯.୯.୨୦୧୮ ତାରିଖରେ ଧାରା ୪-କ ଉପରେ ହୋଇଥିବା ସଂଶୋଧନ) ।

ଏହି ଉଭୟ ସଂଶୋଧନକୁ ମିଶାଇ ଧାରା ୪-କର ନୂଆ ରୂପ ହେଲା – ସରକାର, ସରକାରୀ ଭାଷାରୂପେ ଓଡ଼ିଆର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ବା ଉଭୟଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ଅତଏବ , ୧.୫.୨୦୧୮ତାରିଖରେ ସୃଷ୍ଟି ହୋଇଥିବା ଅବୈଧ ଧାରା ଉପରେ ୧୯.୯.୨୦୧୮ ତାରିଖରେ ସଂଶୋଧନର ପ୍ରଲେପ ମାରି ଓଡିଶା ସରକାର ଓଡ଼ିଆ ଜାତିକୁ ଆଇନ ସଂଶୋଧନର ଏକ ପ୍ରହେଳିକା ପ୍ରଦର୍ଶନ କରିଛନ୍ତି ଯାହା ଆମ ଭାଷା ଅଧିକାରକୁ ଭୟଙ୍କର ଭାବେ କ୍ଷୁର୍ଣ୍ଣ କରିଛି । ମୂଳ ଆଇନରେ ଆମେ ଯେଉଁ ଅଧିକାର ପାଇଥିଲୁ ତହିଁରୁ ଆମକୁ ବଂଚିତ କରି ରଖି ଶେଷରେ ତହିଁରୁ ଉତ୍ଖାତ କରିବାର ଯେଉଁ କୌଶଳ ପ୍ରୟୋଗ କରିଛନ୍ତି ରାଜ୍ୟ ସରକାର , ତାହା କୌଣସି ଭାଷାପ୍ରେମୀ ଓଡ଼ିଆ ପାଇଁ କେବେ ବି ଗ୍ରହଣଯୋଗ୍ୟ ନୁହେଁ ।

ଏହି ଧାରା ୪-କ କାହିଁକି ଅବୈଧ ତାହା ମୁଁ ବିଧେୟକଟି ଗୃହରେ ରଖାହେବା ମାତ୍ରେ ଦର୍ଶାଇଥିଲି । ତାକୁ ମୁଦ୍ରିତ କରି ବିଧାୟକମାନଙ୍କୁ ବି ଦେଇଥିଲି ଓ ବ୍ୟକ୍ତିଗତ ଭାବେ ବୁଝାଇଥିଲି । ସେମାନଙ୍କ ଭିତରୁ ଜଣେ ବି କେହି ସେ କଥା ଉଠାଇଲେ ନାହିଁ । ବିଧେୟକଟିର ଉଦ୍ଦେଶ୍ୟ ଓ କାରଣ କଥନରେ ତାହା ରାଜ୍ୟ ମନ୍ତ୍ରିମଣ୍ଡଳର ୨୬.୧୨.୨୦୧୭ ତାରିଖର ପ୍ରସ୍ତାବ ଉପରେ ଆଧାରିତ ବୋଲି ଲେଖା ହୋଇଥିଲେ ବି କେହି ଜଣେ ବି ବିଧାୟକ , ଏପରି କି ବିରୋଧୀ ଦଳର କେହି ମଧ୍ୟ, ସେହି ପ୍ରସ୍ତାବଟି କଣ ତାହା ଜାଣିବାକୁ ଚାହିଁଲେନି । ରାଜ୍ୟପାଳଙ୍କୁ ୨୪.୫.୨୦୧୮ରେ ଦେଇଥିବା ସ୍ମାରକପତ୍ରରେ ସବିଶେଷ ବୁଝାଇ ଏହାକୁ ମଞ୍ଜୁରୀ ନଦେବାପାଇଁ ଅନୁରୋଧ କରିଥିଲି । ୨୩.୬.୨୦୧୮ ତାରିଖରେ ପ୍ରଶାସନ ଦ୍ଵାରା ପ୍ରଭାବିତ ହୋଇ ରାଜ୍ୟପାଳ ସେହି ଅବୈଧ ସଂଶୋଧନକୁ ମଞ୍ଜୁରୀ ଦେଇଦେଲେ । ମୁଁ ୨୯.୬.୨୦୧୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲି କି, ତାଙ୍କ ଅଧ୍ୟକ୍ଷତାରେ ୧୪.୦୩.୨୦୧୮ ତାରିଖରେ ଗୃହୀତ କ୍ୟାବିନେଟ ବୈଠକର ପ୍ରସ୍ତାବକୁ ଅନଧିକୃତ ଭାବେ କବର ଦେଇ ୨୬.୧୨.୨୦୧୭ ତାରିଖର ପରିତ୍ୟକ୍ତ ପ୍ରସ୍ତାବ ଉପରେ କେଉଁ ଅଧିକାରୀ ଧାରା ୪-କ ଠିଆ କରାଇଛନ୍ତି ତାହା ଠାବ କରି, ଓଡ଼ିଆ ଜାତି ବିରୁଦ୍ଧରେ କରାଯାଇଥିବା ଷଡ଼ଯନ୍ତ୍ର ହେତୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଉ ଓ ସେହି ଅବୈଧ ଧାରାକୁ ବିଲୁପ୍ତ କରାଯାଇ ନୂଆ ସଂଶୋଧନ ଦ୍ଵାରା ଭାଷା ଆଇନକୁ ନିର୍ଭୁଲ କରାଯାଉ ।

ତାହା ହେଲାନାହିଁ ; କାରଣ ମୁଁ ଏହି ଦାବି କଲା ବେଳକୁ ଭାଷା ଆନ୍ଦୋଳନର ଛାତିରେ ଛୁରୀ ଭୁଷିବାକୁ ସରକାର ଆମ ଭିତରୁ ତାଙ୍କ ସୁପାରୀ ଆତତାୟୀ ଯୋଗାଡ଼ କରିସାରିଥିଲେ ।

କଳା ପତାକା ଧରିବା ଆମେ, ଧରିବା ଆମେ, ଧରିବା ଆମେ

ଭାଷା ତପସ୍ବୀ ଗଜାନନ ମିଶ୍ରଙ୍କ ଏହି କବିତା ସବୁ ଓଡ଼ିଆଙ୍କର ହୃଦୟରେ ସ୍ଥାନିତ ହେଉ ।


ମରିବା ପଛେ ଛାଡିବା ନାହିଁ,
ଗାଲୁ କଥାକୁ ବିଶ୍ୱାସ ନାହିଁ।
ଭାଷା ଆମର ଜୀବନ ଏଠି,
ଭାଷା ପାଇଁକି ଆମେ ଏକାଠି।
ମାଆର କଥା ମାଆର ଭାଷା,
ଛାଡିଲେ ହେବା ଲୋଓକ ହସା।
ମରିବା ପଛେ ଛାଡିବା ନାହିଁ,
ସରକାରଠି ଭରସା ନାହିଁ।

ଭରସା ନାଇଁ ଭରସା ନାଇଁ,
ଗୁଲାମ ବିବି ଖେଳିବା ନାଇଁ।
ଗାଳିଗୁଲଜ କରିବା ନାଇଁ,
ଭାଷାକୁ କିନ୍ତୁ ଛାଡିବା ନାଇଁ।
ଭାଷାରେ ଆମର ପରିଚୟ,
ଭାଷା ନ ହେଲେ ଆମେ ଅଥୟ।
ଆମରି ଭାଷା ଆମକୁ ଦିଅ,
ନ ହେଲେ ରାଜ୍ଯ ଛାଡିକି ଯାଅ।

ଭାଷାରେ ଆମର ଅଧିକାର,
ଭାଷା ନ ହେଲେ ସବୁ ଅନ୍ଧାର।
ମାଆର ମାଟି ମାଆର ଭାଷା
ପୂରିବ ଆଶା ଖଣ୍ଡ ଖିରିସା।
ଛାଡିବା ନାହିଁ ଛାଡିବା ନାହିଁ
କାହାରି ଫାଶେ ପଡିବା ନାହିଁ।
ପଡିବା ନାହିଁ ପଡିବା ନାହିଁ,
ଚାତୁରୀ କଥା ଶୁଣିବା ନାହିଁ।

କଳା ପତାକା ଧରିବା ଆମେ,
ଧରିବା ଆମେ, ଧରିବା ଆମେ।
ଏକ ସ୍ୱରରେ କହିବା ଆସ,
ଏକାଠି ଛାଡି ଖର ନିଶ୍ୱାସ।
ଛାଡ ଗାଦି, ସରକାର ତୁମେ,
ବେଇମାନ, ସରକାର ତୁମେ।
ଭାଷାରେ ଦେଖ ଆମର ପ୍ରାଣ,
ଆମର ମନ ଆମର ଦିନ।

ଭାଷା ନାଇଁ ତ ତୁମେ କିଏ ହୋ?
ରହ ରହ ଭୋଟ ପାଇବ ଢୋ।
ଭାଷା ନାଇ ତ କିଛି ଇ ନାଇଁ,
ଶବ ଉପରେ ନାଚୁଛ କାଇଁ!
ଅଛି ଜୀବନ ଅଛି ଜୀବନ,
ବଇଦ ହୋଇ ନେଉଛ ଧନ।
ଠକ ସର୍ଦାର ମଠ ମହନ୍ତ
ଗଲାଣି ସବୁ ଲାଜ ମହତ।

ଭାଷାରେ ଭାଷା ଆମରି ଭାଷା,
ଆମରି ମାଟି ଆମରି ଆଶା।
ଆମରି ଭାଷା ଆମରି ମାଟି
ଏଥିପାଇଁ ଏ ମଣିଷ ଜାତି।
ନିଜର ଭାଷା ନିଜର ଇଷ୍ଟ,
ଇଷ୍ଟ ନ ଥିଲେ ସବୁ ଇ କଷ୍ଟ।
ମରିବୁ ପଛେ ଛାଡିବୁ ନାଇଁ,
ଭାଷାକୁ ଛାଡି ଜିଇଁବୁ ନାଇଁ।

ଓଡ଼ିଆ ଭାଷାଭିମାନ ଉପରେ ଆକ୍ରମଣ : ପ୍ରଥମ ବିରୋଧର ବଜ୍ରଘୋଷ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଏଥିରେ ମୁଁ ଯେଉଁ ଦୃଶ୍ୟପଟର ବର୍ଣନା କରିଛି ତାହା ହିଁ ମୋତେ ଓଡ଼ିଆ ଭାଷାଭିମାନର ପୁନଃ ପ୍ରତିଷ୍ଠା ପାଇଁ ଆହ୍ବାନ ଦେଇଥିଲା ଓ ସେହି ଦିନ ଠାରୁ ଆଜି ଯାଏଁ ମୁଁ ମୋ ନିଜ ଶୈଳୀରେ ଆମ ମାତୃଭାଷା ପାଇଁ କାମ କରି ଆସିଛି । ଭାଷା ଆନ୍ଦୋଳନ ଯଦି ଓଡ଼ିଆ ଭାଷା-ଅସ୍ମିତାର ଆନ୍ଦୋଳନ, ତେବେ ତାର ଗର୍ଭବାସର ପ୍ରଥମ ବଜ୍ରଘୋଷ ଥିଲା ସମ୍ବାଦ ଖବରକାଗଜର ୩୦.୧୧.୧୯୯୫ ତାରିଖର ସଂସ୍କରଣରେ ପ୍ପ୍ରକାଶିତ ମୋର ଏହି ନିବନ୍ଧ । କାରଣ, ସେ ପର୍ଯ୍ୟନ୍ତ , ୧୯୬୩ରେ ବିଜୁ ପଟ୍ଟନାୟକ ଆମ ଭାଷାକୁ ଛୁରୀ ମାରି ଇଂରାଜୀ ଭାଷାଧିପତ୍ୟ କବଳରେ ଆମକୁ ପକାଇବା ପରଠାରୁ ଆମ ଭାଷା ଓ ସଂସ୍କୃତିର ଏହି ପ୍ରକାରର ଅବମାନନା ବିରୁଦ୍ଧରେ କେହି ବି କୌଣସି ପ୍ରତିବାଦ କରିନଥିଲେ ।

ଭାଷା ଆନ୍ଦୋଳନ ପ୍ରେକ୍ଷାପଟରେ ୨୩ ବର୍ଷ ତଳର ଏହି ପୁରୁଣା ଲେଖାଟିକୁ ଭାଷା ଆନ୍ଦୋଳନ ସହ ସମ୍ପୃକ୍ତ ସମସ୍ତଙ୍କ ଅବଗତି ପାଇଁ ମୁଁ ଏଠି ସ୍ଥାନିତ କରୁଛି :

ଆମ ଭାଷା ବିରୁଦ୍ଧରେ ଏ ଷଡ଼ଯନ୍ତ୍ର ଯେତିକି ଭୟଙ୍କର ସେତିକି ବିଭତ୍ସ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାର ଦୁଇଜଣ ସୁପାରୀ ଆତତାୟୀଙ୍କ ମଧ୍ୟରୁ ଭାଷା ଆନ୍ଦୋଳନର ପାଣ୍ଠି ତୋଷରପାତ କରିଥିବା ପବିତ୍ର ମହାରଥା ଧରାପଡ଼ିବା ପୂର୍ବରୁ ମୋତେ, ସାମ୍ବାଦିକ ଅସିତ ମହାନ୍ତିଙ୍କୁ ଓ ଅନ୍ୟ କେତେକ ବନ୍ଧୁଙ୍କୁ କହିଥିଲେ କି , ପ୍ରଦ୍ୟୁମ୍ନ ଶତପଥୀ ଖଣ୍ଡେ ସରକାରୀ କ୍ଵାଟର ହାତେଇବା ପାଇଁ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ବିଜେଡି ନେତା ସୁବାସ ସିଂହଙ୍କୁ ପ୍ରତିଶୃତି ଦେଇଥିବା ସେ ନିଜେ ସେହି ଦୁହିଁଙ୍କ କଥୋପକଥନରୁ ଶୁଣିଛନ୍ତି ।

ଏହାର ଦିନେ ଦି ଦିନ ପରେ ତୁଷାରକାନ୍ତ ଶତପଥୀ ମୋତେ କହିଥିଲେ କି, ସୁବାସ ସିଂହଙ୍କ ସହ ପ୍ରଦ୍ୟୁମ୍ନ କଥା ହୋଇଛନ୍ତି ଓ ସେ ଭାଷା ଆଇନ ସଂଶୋଧନରେ ସରକାରଙ୍କୁ ପ୍ରଭାବିତ କରିବାକୁ ରାଜି ହୋଇ ଆମ ଦାବି ସମ୍ପର୍କୀୟ କାଗଜପତ୍ର ଖୋଜୁଛନ୍ତି । ତେଣୁ ମୋ ଠାରୁ ଆମ ଦାବି ସମ୍ପର୍କୀୟ କାଗଜପତ୍ର ନେଇ ସେ ସୁବାସ ସିଂହଙ୍କୁ ଦେଇଥିଲେ ।

ସିଂହେ କଣ କଲେ ତାଙ୍କୁ ଜଣା । ଆମ ଭାଷା ଅଧିକାରକୁ ଜଖମ କରିଦେବା ପାଇଁ ୨୬. ୧ ୨. ୨୦୧୭ ତାରିଖରେ ପୁରୀଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରସ୍ତାବ ହେଲା । ସେହି ପ୍ରସ୍ତାବକୁ ମୁଁ ଭୀଷଣ ବିରୋଧ କଲି ଓ ତାର ଅନ୍ତର୍ନିହିତ ଓଡ଼ିଆ ଵିଦ୍ଵେଷୀ ଅଭିସନ୍ଧିକୁ ପଦାରେ ପକାଇଲି । ଫଳରେ ୧୪.୦୩.୨୦୧୮ ତାରିଖରେ ମନ୍ତ୍ରୀମଣ୍ଡଳ ପୁନଶ୍ଚ ସେହି ଏକା ବିଷୟରେ ଏକ ନୂଆ ପ୍ରସ୍ତାବ ଗ୍ରହଣ କଲେ ଓ ୨୬. ୧ ୨. ୨୦୧୭ ତାରିଖର ପ୍ରସ୍ତାବ ତଦ୍ଦ୍ଵାରା ଅତିକ୍ରାନ୍ତ ହୋଇଗଲା।

ଏହି ନୂତନ ନିଷ୍ପତ୍ତି ଅପାତତଃ ଆମ ଦାବି ଅନୁରୂପ ଥିଲା ଓ ଏପରିକି, ଭାଷା ଆଇନ ଉଲ୍ଲଙ୍ଗନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା କାହିଁକି ଅତ୍ୟାବଶ୍ୟକ ବୋଲି ୩. ୯. ୨୦୧୫ ତାରିଖରେ ମୁଁ ସରକାରଙ୍କୁ ଦେଇଥିବା ପ୍ରସ୍ତାବରେ ଯେଉଁ ଯୁକ୍ତି ରଖିଥିଲି ତାହାକୁ ଏହି ମନ୍ତ୍ରୀମଣ୍ଡଳ ବୈଠକ ସମ୍ପୂର୍ଣ ଗ୍ରହଣ କରି ନୂଆ ପ୍ରସ୍ତାବିତ ସଂଶୋଧନର ‘କାରଣ ଓ ଉଦ୍ଦେଶ୍ୟ’ ଖୋଦିତ କରିଥିଲା । ସାମାନ୍ୟ ପ୍ରାସଙ୍ଗିକ ପ୍ରତିବାଦ ସତ୍ତ୍ଵେ ଆମର ଅପେକ୍ଷା ଥିଲା ଅଳ୍ପଦିନ ପରେ ବସିବାକୁ ଥିବା ବିଧାନସଭାର ବଜେଟ ଅଧିବେଶନକୁ।

କିନ୍ତୁ ଏହି ଅଧିବେଶନର ଶେଷ ଦିନରେ ୧.୫.୨୦୧୮ ତାରିଖରେ ଯେଉଁ ସଂଶୋଧନ ବିଧେୟକ ଆଗତ ଓ ପାରିତ ହେଲା ତାହା ଆଧାରିତ ହୋଇଥିଲା ୨୬.୧୨. ୨୦୧୭ର ସେହି ପ୍ରସ୍ତାବ ଉପରେ ଯାହା ଥିଲା ଓଡ଼ିଆ ଭାଷାଧିକାର ପାଇଁ ସମ୍ପୂର୍ଣ ହାନୀକାରକ ଓ ଯାହାକୁ ୧୪.୦୩.୨୦୧୮ ତାରିଖରେ ରାଜ୍ୟ କ୍ୟାବିନେଟ ଅକାମି କରି ନୂଆ ପ୍ରସ୍ତାବ ଗ୍ରହଣ କରିଥିଲା । ଏହି ବିଧେୟକ ବିଧାନସଭାରେ ଦାଖଲ ହୋଇ ସଭ୍ୟମାନଙ୍କ ଭିତରେ ବଣ୍ଟା ହେବା ସଂଗେ ସଂଗେ ଏହା କାହିଁକି ଅଗ୍ରାହ୍ୟ ହେବା ଉଚିତ ତାହା ମୁଁ ବିସ୍ତିର୍ଣ ଭାବେ ଆଲୋଚନା କରି ଏକ ନିବନ୍ଧ ପ୍ରକାଶ କଲି ଓ ବହୁ ବିଧାୟକଙ୍କୁ ସେହି ନିବନ୍ଧର ମୁଦ୍ରିତ ନକଲ ବି ଦେଲି । କିଛି ଫଳ ହେଲାନାହିଁ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ତାହାକୁ ବିଧାନସଭାରେ ରଖିଥିଲେ ମଧ୍ୟ ଥରକପାଇଁ ହୁଏତ ପଢ଼ି ନଥିଲେ । ବିତର୍କରେ ଅଂଶଗ୍ରହଣ କରିଥିବା ବିଧାୟକମାନେ ଉପରଠାଉରିଆ କଥା କହିଥିଲେ । ସେମାନଙ୍କ ସମେତ ମନ୍ତ୍ରୀ – କେହି ବି ଏହାର “ଉଦ୍ଦେଶ୍ୟ ଓ କାରଣ କଥନ”କୁ ଯାଇ ନଥିଲେ । ଯଦି ଯାଇଥାନ୍ତେ, ତେବେ କାହିଁକି ଏହାକୁ ୨୬.୧୨.୨୦୧୭ର କ୍ୟାବିନେଟ ପ୍ରସ୍ତାବ ଉପରେ ଆଧାରିତ କରାଯାଇଛି ଏବଂ ୧୪.୦୩.୨୦୧୮ର କ୍ୟାବିନେଟ ପ୍ରସ୍ତାବକୁ କାହିଁକି ଉପେକ୍ଷା କରାଯାଇଛି ଓ ଏହି ଚଂଚକତା ଉହାଡ଼ରେ ବ୍ୟବହୃତ ହୋଇଥିବା କ୍ୟାବିନେଟ ପ୍ରସ୍ତାବରେ ଜାଲିଆତି ହୋଇଛି କି ନାହିଁ – ସେମାନେ ତାହା ଦେଖିପାରିଥାନ୍ତେ ଓ ତହିଁ ଉପରେ ଆଲୋଚନା କରିଥାନ୍ତେ । ଏହା ହୋଇଥିଲେ , ଆମ ଭାଷା ଅଧିକାରକୁ ଖର୍ବ କରିବାକୁ ଉଦ୍ଦିଷ୍ଟ ୪-କ ପରି ହାନିକାରକ ବ୍ୟବସ୍ଥା ସରକାରୀ ଭାଷା ଆଇନରେ ଖଞ୍ଜା ହୋଇପାରିନଥାନ୍ତା । ତେଣୁ , ବିଧାନସଭାରୁ ଫେରି ଏହି ପ୍ରବଞ୍ଚନା ବିରୁଦ୍ଧରେ କଳାପତାକା ଅଭିଯାନକୁ ବ୍ୟାପକ କରିବାକୁ ମୁଁ ପ୍ରସ୍ତାବ ଦେଲି ।

ଆଶ୍ଚର୍ଯ୍ୟର କଥା, ତହିଁରେ ରାଜି ନ ହୋଇ ଏହାକୁ ବରଂ ସ୍ଵାଗତ ଜଣାଇ ସେହି ୧.୫.୨୦୧୮ ତାରିଖଠାରୁ କଳାପତାକା ଅଭିଯାନ ଅନ୍ୟୁନ୍ୟ ଦୁଇ ମାସ ପାଇଁ ସ୍ଥଗିତ ରଖିବାକୁ ପ୍ରଦ୍ୟୁମ୍ନ-ପବିତ୍ର ଯୋଡ଼ି ଅଡ଼ି ବସିଲେ ।

ଏମାନଙ୍କର ଯୁକ୍ତି ଥିଲା, ପାରିତ ବିଧେୟକଟିରେ ଯେହେତୁ ନିୟମାବଳୀ ଦ୍ଵାରା ଭାଷା ଆଇନର ଖିଲାପକାରୀଙ୍କୁ ଦଣ୍ଡବିଧାନ ହେବାର ସୂଚନା ରହିଛି ସେହେତୁ ସରକାରଙ୍କୁ ସେହି ମର୍ମରେ ନିୟମାବଳୀ ସଂଶୋଧନ ପାଇଁ ଦୁଇ ମାସ ସମୟ ଦିଆଯିବା ଉଚିତ ।

ମୁଁ ଆନ୍ଦୋଳନଟି ପ୍ରତିଷ୍ଠା କରିଥିଲେ ମଧ୍ୟ ଏହାର ପରିଚାଳନାରେ ମୁଁ ଏହି ଉଭୟଙ୍କ ଉପରେ ସମ୍ପୂର୍ଣ ନିର୍ଭରଶୀଳ ଥିଲି । ଆମେ ଏକ ଅନୌପଚାରିକ ପରିଚାଳନା କମିଟି ଗଠନ କରିଥିଲୁ ଯହିଁରେ ପ୍ରତିଷ୍ଠାତା ଭାବେ ମୁଁ ଅଧ୍ୟକ୍ଷ ଥିଲି ଓ ନୀତିନିୟନ୍ତ୍ରଣ, ରଣକୌଶଳ ନିର୍ମାଣ ତଥା ବିଧିକ ତର୍ଜମା ସମେତ ଆନ୍ଦୋଳନର ସାହିତ୍ୟ ସର୍ଜନ ମୋର ଦାୟିତ୍ବ ଥିଲା ; କାର୍ଯ୍ୟ ପରିଚାଳନା : ଯଥା – କିଏ କଳାପତାକା ଧରିବେ ଓ କିପରି ଅଭିଯାନର ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ପାଇବ, ତାହା ଯଥାକ୍ରମେ ଥିଲା ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କ ଦାୟିତ୍ବ । ଏବଂ ଏହିପରିଭାବେ ଆମେ ତିନିଜଣ ଆନ୍ଦୋଳନଟିକୁ ସଫଳତା ଆଡ଼କୁ ମଧ୍ୟ ଆଗେଇ ନେଉଥିଲୁଁ ।

ତେଣୁ ୧.୭.୨୦୧୮ ପର୍ଯ୍ୟନ୍ତ କଳାପତାକା ସ୍ଥଗିତ ରଖିବାକୁ ଏ ଦୁଇଜଣଙ୍କ ଯିଦ୍ ମାନିନେବା ଛଡ଼ା ମୋ ପାଇଁ ଅନ୍ୟ ଉପାୟ ନଥିଲା ।

ଏହି ଦିଜଣ ଯେ ଭିତରେ ଭିତରେ ସରକାରଙ୍କ ସହ ହାତ ମିଳାଇଥିଲେ ତାହା ମୁଁ ଜାଣିପାରୁନଥିଲି ।

ଏହି ସଂଶୋଧନ କାହିଁକି ଗ୍ରହଣୀୟ ନୁହେଁ ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ମୁଁ ଗଣମାଧ୍ୟମରେ ଲେଖିଲି (ଭାଷା ଆଇନ ସଂଶୋଧନ ପୁନଶ୍ଚ ସଂଶୋଧିତ ହେବା ଦରକାର) ।

ସଂଶୋଧନଟିକୁ ମଞ୍ଜୁରୀ ନ ଦେଇ ବିଧାନସଭାକୁ ଫେରାଇ ଦେବାକୁ ସ୍ମାରକପତ୍ର ଦେଲି ୨୪.୫.୨୦୧୮ ତାରିଖରେ ରାଜ୍ୟପାଳଙ୍କୁ । ତାହା ବିଫଳ ହେବାରୁ , ମଞ୍ଜୁରୀ ପ୍ରାପ୍ତ ୪-କ ଧାରାକୁ ବିଲୋପ କରିବାକୁ ଓ ୧୪.୦୩.୨୦୧୮ ତାରିଖରେ ରାଜ୍ୟ କ୍ୟାବିନେଟ ଗ୍ରହଣ କରିଥିବା ପ୍ରସ୍ତାବ ଅନୁଯାୟୀ ଏକ ନୂତନ ସଂଶୋଧନ ଘଟାଇବାକୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଲି ୨୯.୬.୨୦୧୮ ତାରିଖରେ । କିଛି ହେଲାନାହିଁ ।

କଳାପତାକା ଅଭିଯାନ ୨.୭.୨୦୧୮ତାରିଖରେ ପୁନଶ୍ଚ ଆରମ୍ଭ ହେବା କଥା । କିନ୍ତୁ ଏହି ଉଭୟେ ପୁଣି ୧୫ ଦିନ ଘୁଞ୍ଚାଇବାକୁ ଅଡ଼ି ବସିଲେ ଓ ଜୁଲାଇ ୧୬ ସୁଦ୍ଧା ଯଦି ନିୟମାବଳୀ ମାଧ୍ୟମରେ ସରକାର ସମସ୍ତ ତ୍ରୁଟି ସୁଧାରି ନଥାନ୍ତି, ତେବେ ସେହିଦିନରୁ ଅଭିଯାନ ବ୍ୟପକତର କରାହେବ ବୋଲି କହିଲେ । ପୂର୍ବପରି ଏଥର ମଧ୍ୟ ମୋତେ ଅଗତ୍ୟା ରାଜି ହେବାକୁ ହେଲା ।

ମୁଁ ଖବର ନେଇ ବୁଝିଲି ଯେ, ନିୟମାବଳୀ ସଂଶୋଧନ ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ । ତେଣୁ କଳାପତାକା ଅଭିଯାନ ଜୁଲାଇ ୧୬ ତାରିଖରୁ କାହିଁକି ପୁନଶ୍ଚ ଚାଲିବ, ତାହା ଦର୍ଶାଇ ମୁଁ ଏକ ନିବନ୍ଧ ପ୍ରକାଶ କଲି ଜୁଲାଇ ୪ ତାରିଖରେ ।

ଜୁଲାଇ ୧୬ ତାରିଖ ଅପରାହ୍ନ ୪.୩୦ । ବିଧାନସଭା ସମ୍ମୁଖରେ ମୁଁ ପହଞ୍ଚିଲି । ସେଦିନ କଳାପତାକା ପୁନଶ୍ଚ ଚାଲିବାକୁଥିବାରୁ ପ୍ରାୟ ସାତ ଆଠ ଜଣ ଭାଷାପ୍ରେମୀ ସେଠାରେ ଏକତ୍ର ହୋଇସାରିଥାନ୍ତି । ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା ସେଠାକୁ ଆସିନଥାନ୍ତି । ପାଞ୍ଚଟା ବାଜିଲା । ସବୁଦିନ ପରି ମୁଁ କଳାପତାକା ଧରାଇଲି । ଚକ୍ରଧର ମହନ୍ତ , ଡମ୍ବରୁଧର ହରଣ ସିଂ, ପଙ୍କଜ ପୃଷ୍ଟି ଓ ରଙ୍ଗ ଲଗାଇ ମୁଣ୍ଡ ବାଳ ରଙ୍ଗିଲା କରୁଥିବା ଅସିତ ମହାନ୍ତି ମୋ ଠାରୁ ପତାକା ନେଇ ଯଥା ସମୟରେ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ପୀଠରେ ପହଞ୍ଚିଲେ ଓ ସେଠାରେ ଆମ ସେଦିନର ସମାବେଶ ସମାପ୍ତ ଘୋଷିତ ହୋଇ ଆମେ ଫେରିଲାବେଳକୁ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା ଆସି ପହଞ୍ଚିଲେ ।

ପ୍ରଦ୍ୟୁମ୍ନବାବୁ ମୋତେ ପ୍ରଥମେ ଅଭିନନ୍ଦନ ଜଣାଇ କହିଲେ, “ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଯେଉଁ ଦାବି ରଖିଛନ୍ତି ତାହା ଅକ୍ଷରେ ଅକ୍ଷରେ ଗ୍ରହଣ କରି ଆଗାମୀ ବିଧାନସଭାରେ ଭାଷା ଆଇନ ସଂଶୋଧନ ବିଲ୍ ଆସିବ ବୋଲି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆମକୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଓ ପ୍ରତିଦାନରେ ଆଗାମୀ ବିଧାନସଭା ଅଧିବେଶନ ଶେଷ ଯାଏଁ କଳାପତାକା ଅଭିଯାନ ସ୍ଥଗିତ ରଖିବାକୁ ଆମେ ତାଙ୍କୁ ପ୍ରତିଶ୍ରୁତି ଦେଇଛୁଁ ।” ମୁଁ ଆଶ୍ଚର୍ଯ୍ୟ ହୋଇ କେଉଁଠି ଓ କେତେବେଳେ ଏ ପ୍ରତିଶ୍ରୁତି ମିଳିଲା ବୋଲି ପଚାରିଲି । “ସେଇଠୁ ଆମେ ସଙ୍ଗେ ସଙ୍ଗେ ଆସୁଛୁ” ବୋଲି କହିଲେ ପ୍ରଦ୍ୟୁମ୍ନ ଶତପଥୀ । ଏବଂ କହିଲେ କି, “ମନ୍ତ୍ରୀ ଗାଡ଼ି ପଠାଇଲେ । ଆପଣଙ୍କୁ ଯେତେ ଫୋନ କଲି ଆପଣ ଧରିଲେ ନାହିଁ । ତେଣୁ ଅଗତ୍ୟା ଆମେ ତାଙ୍କ ପାଖକୁ ଚାଲିଗଲୁ ।” ମିଥ୍ୟାର ସୀମା କିଏ ବା ମାପିପାରେ ? “କିଛି ଚିଠି ଆସିଥିଲା?” ମୁଁ ପଚାରିଲି । ଉତ୍ତର ନ ଥିଲା ।

ସେତେବେଳକୁ ଭାଷା ଆନ୍ଦୋଳନର ସ୍ମରଣିକାକୁ ମିଳିଥିବା ବିଜ୍ଞାପନ ବାବଦ ବହୁ ଲକ୍ଷ ଟଙ୍କାର ଆୟ ଜାଲିଆତି କରି ପବିତ୍ର ମହାରଥା ତୋଷରପାତ କରିଥିବା ଧରାପଡ଼ିଯାଇଥିଲା ଓ ଆନ୍ଦୋଳନର ପ୍ରତିଷ୍ଠାତା ଭାବେ ମୁଁ ତାଙ୍କଠାରୁ ତହିଁର କୈଫିୟତ ଏବଂ ହିସାବ ତଲବ କରିଥିଲି । ଜୁଲାଇ ୧୬ରେ କଳାପତାକା ଅଭିଯାନ ଆରମ୍ଭ ହେବାକୁ ଥିବାରୁ ସେହିଦିନ ପର୍ଯ୍ୟନ୍ତ ଏଥିପାଇଁ ଅପେକ୍ଷା କରିବା ସକାଶେ ପ୍ରଦ୍ୟୁମ୍ନ ଶତପଥୀ ମୋତେ ଅନୁରୋଧ କରିଥିଲେ । ଏହି ଅନୁରୋଧ ସେ କେବଳ ଚିଠି ମାଧ୍ୟମରେ କରିଥିଲେ, ତା ନୁହେଁ, ଦିନେ ସକାଳେ ଅସିତ ମହାନ୍ତି , ଜାନକୀଶ ବଡ଼ପଣ୍ଡାଙ୍କୁ ସାଙ୍ଗରେ ଧରି ମୋ ଘରେ ପହଞ୍ଚି ପ୍ରାୟ ଦୁଇଘଣ୍ଟାକାଳ ପବିତ୍ର ବିରୁଦ୍ଧରେ ଯାବତୀୟ ବିଷୋଦ୍ଗାର କରି ଜୁଲାଇ ୧୬ ତାରିଖରେ କଳାପତାକା ଅଭିଯାନର ପୁନରାରମ୍ଭ ଅବସରରେ ସମସ୍ତଙ୍କୁ ଡାକି ସମସ୍ତଙ୍କ ଉପସ୍ଥିତିରେ ହିସାବ ଦେବାକୁ ପଵିତ୍ରକୁ ବାଧ୍ୟ କରାଯିବ ବୋଲି କହିଥିଲେ ।

ଅଥଚ ଜୁଲାଇ ୧୬ ତାରିଖରେ ଏହିପରି ମନମୁଖୀ ଭାବେ କଳାପତାକା ଅଭିଯାନ ବନ୍ଦ କରାଇବାକୁ ଚେଷ୍ଟା କରି ଏହି ହିସାବ ତନଖିର ବାତାବରଣକୁ ନଷ୍ଟ କରିଦେଲେ । ଜୁଲାଇ ୧୬ ତାରିଖ ପରଠାରୁ କଳାପତାକା ଅଭିଯାନ ବନ୍ଦ ନ ହୋଇ ଯେତେବେଳେ ଚାଲିଲା, ଓଡ଼ିଶାବାସୀ ଜାଣିଗଲେ ଯେ, ଭାଷା ଆନ୍ଦୋଳନର ନିଷ୍ପତ୍ତିକ୍ରମେ ତାହା ସ୍ଥଗିତ ରହିଲା ବୋଲି ଏମାନେ ଯାହା କହିଥିଲେ ତାହା ମିଥ୍ୟା ଥିଲା ।

ସେପ୍ଟେମ୍ବର ୧୯ରେ ଓଡିଶା ସରକାରୀ ଭାଷା (ଦ୍ଵିତୀୟ ସଂଶୋଧନ) ବିଧେୟକ , ୨୦୧୮ ପାରିତ ହୋଇଯାଇଛି ଓ ଏହାକୁ ଓଡ଼ିଆ ଭାଷାର ଏହି ଦୁଇ ସୁପାରୀ ଆତତାୟୀ ସ୍ଵାଗତ ଜଣାଇଛନ୍ତି ! କାହିଁକି ସ୍ଵାଗତ କରିଛନ୍ତି ତାହା କହିବାକୁ ଏମାନଙ୍କର ସାହସ ନାହିଁ । ବୁଦ୍ଧି ବି ନାହିଁ ।

ଏହି ଦ୍ଵିତୀୟ ସଂଶୋଧନ ପ୍ରଥମ ସଂଶୋଧନକୁ ବୈଧ ରୂପ ଦେବାକୁ ଓଡ଼ିଆ ଦ୍ରୋହୀ ସରକାରର ଏକ ନଗ୍ନ ଷଡ଼ଯନ୍ତ୍ର । ଏହାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଓ ଯେଉଁ ପ୍ରଥମ ସଂଶୋଧନକୁ ବୈଧ କରିବାକୁ ଏଥିରେ ପ୍ରୟାସ କରାଯାଇଛି ସେହି ଅବୈଧ ସଂଶୋଧନକୁ ସମ୍ପୂର୍ଣ୍ଣତଃ ବିଲୋପ କରାଯାଇ ୧୪.୦୩.୨୦୧୮ ତାରିଖରେ ରାଜ୍ୟ କ୍ୟାବିନେଟ ଗ୍ରହଣ କରିଥିବା ପ୍ରସ୍ତାବ ଅନୁଯାୟୀ ଏକ ସମ୍ପୂର୍ଣ ନୂତନ ଧାରା ଓଡିଶା ସରକାରୀ ଭାଷା ଆଇନରେ ଖଞ୍ଜିବାକୁ ମୁଁ ରାଜ୍ୟପାଳଙ୍କୁ ପୁନଶ୍ଚ ଲେଖିଛି । ମୋ ସାଥୀମାନେ, ଯେଉଁମାନେ ଜୁଲାଇ ୧୬ ତାରିଖ ପରଠାରୁ କଳାପତାକା ଅଭିଯାନ ଚଳାଇ ରଖିଛନ୍ତି ସେମାନେ କୃତସଂକଳ୍ପ ଯେ, ସରକାରୀ ଭାଷା ଆଇନ ପ୍ରଣୟନ କରି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଆମକୁ ଯେଉଁ ଭାଷା ଅଧିକାର ଦେଇଥିଲେ ତାହାକୁ ସଂକୁଚିତ କରିବାପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଞ୍ଜିଥିବା ଧାରା ୪-କ ସମ୍ପୂର୍ଣ ବିଲୋପ ହୋଇ ଓଡ଼ିଆରେ ସରକାରୀ ସେବା ନ ଦେଇପାରିବା ଲୋକକୁ କଠିନ ଦଣ୍ଡବିଧାନ ପାଇଁ ଆଇନଟିର ନିର୍ଭୁଲ ସଂଶୋଧନ ହେବା ପର୍ଯ୍ୟନ୍ତ କଳାପତାକା ଅଭିଯାନ ବନ୍ଦ ହେବନାହିଁ ।

ପ୍ରଦ୍ୟୁମ୍ନ-ପବିତ୍ର ଯୋଡ଼ି ଯଦି ନିଜ ନିଜ ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ଆମ ଭାଷା ବିରୁଦ୍ଧରେ ଓଡ଼ିଆ ଦ୍ରୋହୀ ସରକାର ସହ ହାତ ମିଳାଇନଥାନ୍ତେ , ଗତ ବିଧାନସଭାରେ ହିଁ ୪-କ ଧାରାକୁ ଲୋପ କରିବା ପାଇଁ ଆମେ ସରକାରକୁ ବାଧ୍ୟ କରିପାରିଥାନ୍ତୁ । କିନ୍ତୁ ଏହି ଦୁଇ ଜଣ ସରକାରଙ୍କ ସହ ହାତ ମିଳାଇ ତାହା କରାଇଦେଲେନାହିଁ ।

ଓଡ଼ିଆ ଭାଷା ବିରୁଦ୍ଧରେ ଏପରି ଛଦ୍ମଘାତୀ ଷଡ଼ଯନ୍ତ୍ର ଆଗରୁ କେବେ ହୋଇନଥିଲା, ଭବିଷ୍ୟତରେ ନ ହେଉ ।