ଦଲାଲଙ୍କ ଦବ୍ଦବାରେ ଓଡ଼ିଶା : ଭାଷା ଆନ୍ଦୋଳନରେ ହିଁ ନିହିତ ମୁକ୍ତିର ମାର୍ଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଛାତିକି ଯେତେ ବାଧିଲେ ବି ଏହାହିଁ ସତ , ଆମ ରାଜ୍ୟଟି ଆରମ୍ଭରୁ ଅଣଓଡ଼ିଆ ଦଲାଲମାନଙ୍କ ଦ୍ୱାରା ଅଧ୍ୟୁଷିତ ହୋଇ ଆସିଛି | ୧୯୬୬ରୁ ଆମ ଓଡ଼ିଶାର ରାଜନେତାମାନଙ୍କ ଉପରେ ନଜର ରଖିବାର ସୁଯୋଗ ମତେ ମିଳିଛି ଓ ଯେହେତୁ ମୁଁ କାହା ସହ ମିଶେ ନାହିଁ , ସେହେତୁ ସେମାନଙ୍କ ଆଚରଣର ନିଷ୍କମ୍ପ ଅନୁଶୀଳନ ମୋ ପାଇଁ ସମ୍ଭବ ହୋଇଛି | ଡ଼ଃ ମହତାବ , ନବକୃଷ୍ଣ ଚୌଧୁରୀ, ବିଜୁ-ବିରେନଙ୍କ ଶାସନର ନିର୍ଭରଯୋଗ୍ୟ ତଥ୍ୟ ମୁଁ ସଂଗ୍ରହ କରିଛି | ସେହି ଭିତ୍ତିରେ ମୁଁ କହିପାରେ, କେବଳ ନବବାବୁ , ସଦାଶିବ ବାବୁ ଓ ବିନାୟକ ବାବୁଙ୍କ ସମୟକୁ ଛାଡ଼ି ଅବଶିଷ୍ଟ ସବୁ ମୁଖ୍ୟମନ୍ତ୍ରୀଙ୍କ କାଳରେ ଦଲାଲମାନେ ହିଁ ନିଜ ନିଜ ଅଙ୍ଗୁଠି ଅଗରେ ଚଳାଇଛନ୍ତି ଓଡ଼ିଶାକୁ | ଓ ସେହି ଦଲାଲି ହେତୁ ହିଁ ଅଣଓଡ଼ିଆମାନେ ଆମ ରାଜ୍ୟକୁ ନିଜ କବ୍ଜାକୁ ଏପରିଭାବେ ନେଇଯାଇଛନ୍ତି ଯେ, ଆମ ଭାଷାକୁ ଅକର୍ମଣ୍ୟ କରି ଶତକଡ଼ା ୯୦ ଭାଗ ଓଡ଼ିଆଙ୍କ ଗରିମା ନଷ୍ଟ ପାଇଁ ଚେଷ୍ଟା କରିଛନ୍ତି, କାରଣ ଆମ ଗରିମା ଭାଙ୍ଗି ନଗଲେ କାଳେ ସେମାନଙ୍କ ଦଲାଲୀ ବିରୁଦ୍ଧରେ ସ୍ଵର ଉଠିବ ଓ ଆମ ବଜାର ସେମାନଙ୍କ ହାତରୁ ଖସିଯିବ ।

ସାମାନ୍ୟ ଝଲକ

ଖାଦ୍ୟ ବଜାର ଯେହେତୁ ଏକ ଅପରିହାର୍ଯ୍ୟ ବଜାର ଓ ଓଡ଼ିଶାର କୃଷି ଉତ୍ପାଦନ ଉଜୁଡ଼ି ନ ଗଲେ ଅଣଓଡ଼ିଆ ରାଜ୍ୟମାନେ ଯେହେତୁ ଓଡ଼ିଶାକୁ ତାଙ୍କ ବଜାର କରିପାରିବେନି , ସେହେତୁ ସରକାରରେ ଥିବା ସେହିମାନଙ୍କ ଦଲାଲମାନେ ଓଡ଼ିଶାର କୃଷକଙ୍କୁ ବି ଆଗେଇବାକୁ ଦେଉ ନାହାନ୍ତି | ଓଡ଼ିଶା ବଜାର ଉପରେ ପଶ୍ଚିମ ବଙ୍ଗର ଆଳୁ ବେପାରୀଙ୍କ କବ୍ଜା କାଏମ ରହିବା ପାଇଁ ଓଡ଼ିଶାରେ ଶୀତଳ ଭଣ୍ଡାର ହେଉନାହିଁ |

ଆମ ରାଜ୍ୟର ଅଣ୍ଡା ବଜାର ଉପରେ ଆନ୍ଧ୍ର କୁକୁଡ଼ା ଚାଷୀଂକ କବ୍ଜା ଅତୁଟ ରଖିବା ପାଇଁ ବାର୍ଡଫ୍ଲୁର ମିଛ ବାହାନାରେ ଆମ ରାଜ୍ୟର କୁକୁଡ଼ା ବଂଶ ନିପାତ କରା ହେଉଛି |

ସେହିପରି ଫୁଲ ଚାଷ କଥା | ଏ ଲବି ଏପରି ଯେ ଓଡ଼ିଶାର କୌଣସି ଫୁଲ ଚାଷୀ ଆମ ରାଜ୍ୟରେ ଫୁଲ ବିକି ପାରୁନି | ଫୁଲ ବେପାରୀଏ ଓଡ଼ିଆ ଚାଷୀଙ୍କଠୁ ଫୁଲ କିଣୁ ନାହାନ୍ତି | ଆମ ଲୋକେ ବଙ୍ଗାଳି ବେପାରୀଙ୍କୁ ଫୁଲ ବିକିବାକୁ ବାଧ୍ୟ ହେଉଛନ୍ତି ଅଗତ୍ୟା କମ ଦରରେ ଓ ସେହି ଫୁଲ ଓଡ଼ିଶାକୁ ନେଉଟି ଆମ ଲୋକଙ୍କୁ ବିକା ହେଉଛି ଅଧିକ ଦାମରେ |

ଅର୍କିଡ଼ ଏକ ଅତି ମୂଲ୍ୟବାନ ଫୁଲ | ଆମ ଶିମିଳିପାଳରେ ପୃଥିବୀର ଅର୍କିଡ଼ମାନଂକ ମଧ୍ୟରୁ ଇଂ. ଶରତ ମିଶ୍ର ୧୧ କିସମର ନୂଆ ଅର୍କିଡ଼ ଆବିଷ୍କାର କରିଥିଲେ ଓ ସେ ବାରିପଦାରେ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଥିବାବେଳେ ତାଙ୍କ ଛୁଟି ସମୟ ଖଟେଇ ଏକ ଅର୍କିଡ଼ ଉପବନ ତିଆରି କରିଥିଲେ | ବଙ୍ଗାଳି ଲୁଟେରାମାନେ ଶିମିଳିପାଳକୁ ବହୁଧା ଲୁଟ କରନ୍ତି | ସେମାନେ ଏହି ସମ୍ପଦକୁ ଉଜାଡ଼ି ଦେବାକୁ ଚାହିଁଲେ | ବିଜୁ ବାବୁ ମୁଖ୍ୟମନ୍ତ୍ରୀ | ତାଙ୍କର ବଂଗାଳୀପ୍ରୀତି କିଏ ବା ନ ଜାଣେ ? ପୂର୍ତ୍ତ ମନ୍ତ୍ରୀ ନଳିନୀ ମହାନ୍ତି ଆଦେଶ ପାଇଲେ ଶରତ ମିଶ୍ରଙ୍କୁ ତୁରନ୍ତ ବାରିପଦାରୁ ଅପସାରଣ କରିବା ପାଇଁ | ସେ ଭୁବନେଶ୍ୱର ଆସିଲେ ଓ ଶିମିଳିପାଳର ଅର୍କିଡ଼ ଜଗତ ଉଜୁଡ଼ି ଗଲା | କଲିକତାରୁ ଆସୁଥିବା ଅର୍କିଡ଼ ଫୁଲ ଓଡିଶା ବଜାରକୁ ମାଡ଼ି ବସିଛି |

ଦୁଷ୍ମନ୍ତ ଦାସଙ୍କ କଖାରୁ ଚାଷର ଅନୁଭୂତି ଆମେ ଜାଣିବା ଉଚିତ | ଏବର୍ଷ ଅନ୍ୟତମ  ସର୍ବଶ୍ରେଷ୍ଠ ବିଧାୟକ ହୋଇଥିବା ପ୍ରଣବ ପ୍ରକାଶ ଦାସଙ୍କ ବଡ଼ ମାଉସୀଙ୍କ ଦିଅର ଦୁଷ୍ମନ୍ତ ଦାସ ଯେଉଁବର୍ଷ ନିଜ ଜମିରେ କଖାରୁ ଚାଷ କଲେ , ସେ ବର୍ଷ କଖାରୁ କିଲୋ ଭୁବନେଶ୍ବରରେ ଥିଲା ଅନ୍ୟୁନ୍ୟ ୨୫ ଟଙ୍କା | ସେ ଏକ ଟ୍ରକ ଭରା କଖାରୁ ଆଣି ଭୁବନେଶ୍ୱରରେ ପହଞ୍ଚିଲେ | ଏଠିକାର କଖାରୁ ହୋଲସେଲର କହିଲେ କୁଇଂଟାଲ ଦେଢ଼ଶହ ଟଙ୍କାରୁ ଅଧିକ ହେବ ନାହିଁ | ସେ ବହୁ କଷ୍ଟରେ କୁଇଂଟାଲ ୨୦୦ଟଙ୍କାରେ ଦେଇ କାନମୁଣ୍ଡା ଆଉଁସି ଘରକୁ ଗଲେ |

ଭାଷା ଆନ୍ଦୋଳନ ଆଣିବ ପରିବର୍ତ୍ତନ

ଶାସନ ଗାଦିରେ ଦଲାଲମାନେ ଥିବାଯାଏଁ ଅଣଓଡ଼ିଆଏ ଆଳୁ ପିଆଜଠୁ ଅଣ୍ଡା , ପନିପରିବା ଓ ଫୁଲ – ସବୁଥିର ବଜାର ନିଜ କବ୍ଜାରେ ରଖିଥିବେ ଓ ଆମେ କିଛି ବି କରିପାରିବାନି | ଓଡ଼ିଆ ଜାତିର ଅସ୍ମିତା ଫେରିଲେ ଅଣଓଡ଼ିଆ ଆଧିପତ୍ୟ ହଟିବ | ଏହି ଅସ୍ମିତା ଫେରିବା ସମ୍ଭବ ହେବ ସେତିକି ବେଳେ ଯେତେବେଳେ ଆମେ ଚଳାଇଥିବା ଭାଷା ଆନ୍ଦୋଳନ ସଫଳ ହେବ ଓ ଅଣଓଡ଼ିଆ ଭାଷାଧିପତ୍ୟ କବଳରୁ ଓଡିଶା ମୁକ୍ତ ହେବ | ଏହା ହେଲେ,  ଅଣଓଡିଆଂକ ଦଲାଲି କରୁଥିବା ଲୋକେ ଦବିଯିବେ ଓ ଆମ ରାଜ୍ୟରେ ଶୀତଳ ଭଣ୍ଡାର ହୋଇପାରିବ , ନଦୀପଠାମାନଙ୍କରେ ଆଳୁ ଚାଷ ହୋଇପାରିବ , କୁକୁଡ଼ା ଚାଷ ଉଜୁଡ଼ି ଯିବନି , ମାଛ ଚାଷ ବୃଦ୍ଧି ପାଇବ , ଫୁଲ ଚାଷ ବୃଦ୍ଧି ପାଇବ , ଆମ ବଜାର ଆମର ହେବ |

ଭାଷା ଆଂଦୋଳନକୁ ସଫଳ କରିବାକୁ ହେଲେ କଳା ପତାକା ଅଭିଯାନକୁ ସମସ୍ତେ ଆପଣେଇନେବା ଆବଶ୍ୟକ | ତା ନହେଲେ ଆମେ କେବଳ ଏମିତି କାନ୍ଦୁଥିବା , କିଛି ହେଉ ନଥିବ |

ଏବେ ନିଷ୍ପତ୍ତି ନେବାର ବେଳ ।

ଗୁରୁକଲ୍ୟାଣ କୁଆଡ଼େ ଗଲେ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

କାନ୍ତକବିଙ୍କ ନାତି ବୋଲି ନିଜକୁ ପରିଚିତ କରାଉଥିବା ଗୁରୁ କଲ୍ୟାଣ ମହାପାତ୍ର ଗତ ଜୁନ ମାସରେ ମୋ ଉପରେ ଏକ ଅତ୍ୟନ୍ତ କୁତ୍ସିତ କୁତ୍ସା ପ୍ରଚାର କରିଥିଲେ ସାମାଜିକ ଗଣମାଧ୍ୟମ ଫେସବୁକରେ ତାଙ୍କ କାନ୍ଥରେ ଓ ତାହାକୁ ତୀବ୍ରତର କରିଥିଲେ ଅର୍ଥଲୋଭ ହେତୁ ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ପବିତ୍ର ମହାରଥା ଏବଂ ୧୬.୭.୨୦୧୮ରାତିରେ ତାଙ୍କ ଦାରୀ ସାକ୍ଷୀ ମାଦଳ ସାଜିଥିବା ଜନକୀଶ ବଡପଣ୍ଡା  । ମୁଁ ଯେଉଁ ପ୍ରତିକ୍ରିୟା ରଖିଥିଲି ତାହା ଏହି  ସଂଯୋଗସରଣୀ ରେ ଉପଲଭ୍ୟ । 

ସେ ତାଙ୍କ ଏହି କୁତ୍ସିତ ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ଦେଇନାହାନ୍ତି । ନିଜର ଅଭିଯୋଗକୁ ସେ ପ୍ରମାଣିତ କରିବା ଉଚିତ ବା ମିଥ୍ୟା କହିଥିବା ସ୍ଵୀକାର କରି ସର୍ବସାଧାରଣରେ କ୍ଷମା ମାଗିବା ଉଚିତ ।

କିନ୍ତୁ ତାଙ୍କ ଅପରାଧର ଅଦ୍ୟତନତା ଯାଞ୍ଚ ପାଇଁ ପୋଲିସ ଯେତେବେଳେ ସେ ପ୍ରଚାର କରିଥିବା କୁତ୍ସାର ଲିଙ୍କ (link) ଖୋଜୁଛନ୍ତି ତାହା ମିଳୁନାହିଁ  ବୋଲି ଖବର ପାଇ ମୁଁ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟାକଲି । ଏହି ରିପୋର୍ଟ ମିଳିଲା – ଯେଉଁଥିରେ ଫେସବୁକ କହୁଛି , ପୋଷ୍ଟିଂକର୍ତ୍ତା ଗୁରୁକଲ୍ୟାଣ ହୁଏତ ନିଜ ପୋଷ୍ଟକୁ ହଟାଇ ଦେଇଛନ୍ତି । 

ଯେଉଁମାନେ ମୋ ଉପରେ କୁତ୍ସିତ ଗାଳିବର୍ଷଣ କରି ଭାଷା ଆନ୍ଦୋଳନ ଶିବିରରେ ବିଭ୍ରାନ୍ତି ଉପୁଜାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ମୁହଁ ଇସ୍ପାତ , ଅଥଚ ପଛ ଏପରି ସନ୍ନିପାତ କାହିଁକି ? 

 

 

 

 

ଓଡ଼ିଆ କହିବା ସାଙ୍ଗମାନେ ଆସ, ବସ


                         -ମନୋରଞ୍ଜନ ଚୌଧୁରୀ (କଟକ)
[ମନୋରଞ୍ଜନ ଚୌଧୁରୀ ଜଣେ ଆଶୁ କବି । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ଵିତୀୟ ଶ୍ରେଣୀ ଓ ପେଷାରେ ସେ ଜଣେ ସାଇକେଲ ଦୋକାନୀ । ତୁଣ୍ଡେ ତୁଣ୍ଡେ ସେ ସୃଷ୍ଟି କରୁଥିବା କବିତାଗୁଡ଼ିକୁ କିଛି ଉତ୍ସାହୀ ଯୁବକ ଟିପିଦେଇ ସାମାଜିକ ଗଣମାଧ୍ୟମରେ ଦିଅନ୍ତି । ଏଗୁଡ଼ିକ ସାଧାରଣତଃ ଜୀବନଧର୍ମୀ ଓ ପ୍ରେମ କବିତା । ଫଳରେ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବପିଢ଼ିଙ୍କ ନିକଟରେ ସେ ସୁପରିଚିତ । ତାଙ୍କର ଏହି କବିତାଟି ଓଡ଼ିଆ ଭାଷାର ସାଂପ୍ରତିକ ଅବସ୍ଥା ଉପରେ ଆଧାରିତ । ]

ଓଡ଼ିଶା ଆମ ଦେଶ
ନିଶକୁ ମୋଡ଼ି, ଓଡ଼ିଆ କହିବା
ସାଙ୍ଗମାନେ ଆସ ବସ ।

ଓଡ଼ିଆ ମାଟିରେ ଜନ୍ମ ମୋହର,
ପ୍ରିୟ ମୋ ପଖାଳ କଂସା ।
ଯାହା ମୁଁ କହିବି ସତ ମୁଁ କହିବି,
ଦରକାର ହେଲେ ଇଂଲିଶ କହିବି;
ସବୁବେଳେ କିନ୍ତୁ ଇଂଲିଶ କହି
ହେବିନି ମୁଁ ଲୋକହସା ।

ଓଡ଼ିଶା ମୋହର ଗର୍ବ ଗୌରବ,
ଓଡ଼ିଆ ମୋହର ଭାଷା ।
ମୋ ମା ବାପଙ୍କର ଭାଷା ॥

ମା ଡାକେ ଯଉ ମଜା ଅଛି ମମି ଡାକରେ ନାହିଁ ।
ବାପା ଡାକେ ଯଉ ମଜା ଅଛି ଡାଡି ଡାକରେ ନାହିଁ ।
ମୁଁ କହିବି ମୋହରି ଭାଷା ,
ମୋ ମା ବାପଙ୍କର ଭାଷା ।


ଓଡ଼ିଆଭାଷାକୁ ନଷ୍ଟ କରା ହେଉଛି, ତାକୁ ରକ୍ଷା କରିବାକୁ ହେବ : ବୈଷ୍ଣବ ଚରଣ ମହାନ୍ତି

ଓଡ଼ିଶା ଦାପ୍ତରିକ ଭାଷା ଆଇନକୁ କାର୍ଯ୍ୟକାରୀ କରାଯାଉନଥିବା ଫଳରେ ଓଡ଼ିଆ ଭାଷା ତାର ବ୍ୟବହାରିକ ଅପରିହାର୍ଯ୍ୟତା ହରାଇ ନଷ୍ଟ ହେବାକୁ ବସିଲାଣି; ତାକୁ ରକ୍ଷା କରିବାକୁ ହେବ ।

ଆଜି ସକାଳ ୧୦ ବେଳେ ଭାଷା ଆନ୍ଦୋଳନର ଡିଜିଟାଲ କଳା ପତାକା ଅଭିଯାନ ମଞ୍ଚ – ଭାଷା ମାଆ ପାଇଁ ପଦେ – ପୃଷ୍ଠାରୁ ଫେସ୍ ବୁକ୍ ମାଧ୍ୟମରେ ସିଧା ପ୍ରସାରିତ ଭାଷଣରେ ଏହା କହିଛନ୍ତି ସ୍ଵନାମଧାନ୍ୟ ପ୍ରାବନ୍ଧିକ ଓ ଚିନ୍ତକ ବୈଷ୍ଣବ ଚରଣ ମହାନ୍ତି ।

ଯାନ୍ତ୍ରିକ ଉପଯୋଗ ପାଇଁ ଆବଶ୍ୟକୀୟ ଲିପି ସଂସ୍କାର ଠାରୁ ଆରମ୍ଭ କରି ପ୍ରଶାସନିକ ଶବ୍ଦକୋଷ ସୃଷ୍ଟି ଆଳରେ ଓଡ଼ିଆ ଭାଷାର ଦାପ୍ତରିକ  ବ୍ୟବହାର ବାଧା ପାଇ ଆସିଥିବା ବେଳେ କମ୍ପୁଟର ଯୁଗରେ ମଧ୍ୟ ତତ୍ତୁଲ୍ୟ ବାଧା ଆମ ଭାଷାର ପ୍ରାଥମିକତା ନଷ୍ଟ କରିବାକୁ ବସିଛି ବୋଲି ସେ କହିଥିଲେ ଓ ଏହି ଦୃଶ୍ୟପଟର ପରିବର୍ତ୍ତନ ପାଇଁ ଐକ୍ୟବଦ୍ଧ ଉଦ୍ୟମ ପାଇଁ ଆହ୍ଵାନ ଦେଇଛନ୍ତି  । 

ଭାଷା ଆନ୍ଦୋଳନ ହିଁ ଓଡ଼ିଆ ଅସ୍ମିତା ଆନ୍ଦୋଳନ :ପ୍ରଫେସର ହରିହର କାନୁନଗୋ

ଭାଷା ଅସ୍ମିତାର କଥା କହିବାକୁଯାଇ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଜଗନ୍ନାଥତତ୍ତ୍ଵର ପ୍ରସିଦ୍ଧ ଗବେଷକ ପ୍ରଫେସର ହରିହର କାନୁନଗୋ ଭାଷା ଆନ୍ଦୋଳନରେ ଝାସ ଦେଇ ସବୁ ଓଡ଼ିଆ ନିଜ ଭାଷା ମା ସହ ତାର ଭୟଙ୍କର ବିପତ୍ତି କାଳରେ ଠିଆ ହେବାକୁ ଆହ୍ଵାନ ଦେଇଛନ୍ତି । ସେ କହିଛନ୍ତି ଭାଷା ଆନ୍ଦୋଳନ ହିଁ ଓଡ଼ିଆ ଅସ୍ମିତାର ଆନ୍ଦୋଳନ, ଯାହା ମଧୁବାବୁଙ୍କ ଓଡ଼ିଶା ପ୍ରଦେଶ ସୃଷ୍ଟି ଆଂଦୋଳନ ପରେ ଓଡ଼ିଆ ଅସ୍ମିତା ପାଇଁ ସର୍ବଶ୍ରେଷ୍ଠ ଆନ୍ଦୋଳନ ।

ଭାଷା ଆଂଦୋଳନର ସାପ୍ତାହିକ ବୌଦ୍ଧିକ ଅଭିଯାନରେ ଯୋଗ ଦେଇ , ଅଗଷ୍ଟ ୯ ତାରିଖରେ ଫେସ୍ ବୁକ୍ ମାଧ୍ୟମରେ ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ସିଧାପ୍ରସାରିତ ବକ୍ତବ୍ୟରେ ସେ ଓଡ଼ିଶାର ସଂସ୍କୃତିକ ଓ ଭୌଗୋଳିକ ଇତିହାସର ଗଭୀର ବିଶ୍ଳେଷଣ କରି ଓଡ଼ିଆ ଜାତିର ଗୌରବୋଜ୍ଜ୍ଵଳ ବୈଶିଷ୍ଟ୍ୟ ଉପରେ ଆଲୋକବର୍ଷୀ ଆଲୋଚନା କରିଥିଲେ ।

ବୈଦ୍ୟୁତିକ ବିଫଳତା ହେତୁ ଦୁଇଭାଗ ହୋଇଯାଇଥିବା ସିଧାପ୍ରସାରିତ ତାଙ୍କ ଭାଷଣ ନିଛିଦ୍ର ଭାବେ ୟୁଟ୍ୟୁବରେ ସ୍ଥାନିତ ହୋଇଛି । ଏହା ନିମ୍ନରେ ସ୍ଥାନିତ ହେଲା :