ଓଡ଼ିଆ ଭାଷା ହିଁ ଓଡ଼ିଶାର ଭିତ୍ତି : ପ୍ରଫେସର ପଞ୍ଚାନନ ମହାନ୍ତି

ଓଡ଼ିଆରେ ଓଡ଼ିଶାର ପରିଚାଳନା ପାଇଁ ଆବଶ୍ୟକୀୟ ଆଇନ ପ୍ରଣୟନ ଦାବିରେ ଚାଲିଥିବା ଭାଷା ଆନ୍ଦୋଳନର ବୌଦ୍ଧିକ ସଂସ୍କରଣରେ ଯୋଗଦାନ କରି ପ୍ରୟୋଗାତ୍ମକ ଭାଷା ତତ୍ତ୍ଵର ସ୍ଵନାମଧନ୍ୟ ବିଶେଷଜ୍ଞ ତଥା ଭାରତର ଭାଷାତତ୍ତ୍ଵବିତ୍ ସମାଜ (Linguistic Society of India )ର ସଭାପତି, ପ୍ରଫେସର ପଞ୍ଚାନନ ମହାନ୍ତି ସୋମବାର ନିର୍ଦ୍ଧାରିତ ସମୟରେ ଉଦ୍ବୋଧନ ଦେଇ, ଓଡ଼ିଆ ଭାଷା ହିଁ ଓଡ଼ିଶାର ଭିତ୍ତି ହୋଇଥିଲେ ମଧ୍ୟ ତହିଁର ଉପସ୍ଥିତ ସ୍ଥିତି ଉପରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ।

ଯୁଗାନ୍ତକାରୀ ଭାଷାତତ୍ତ୍ଵବିତ୍ ଜର୍ଜ କିଂସ୍ଲେ ଜିଫ୍ (George Kingsley Zipf)ଙ୍କ ନିରୂପଣ ସୂଚିତ କରି ପ୍ରଫେସର ମହାନ୍ତି କହିଛନ୍ତି, ଓଡ଼ିଶାର କର୍ମଚାରୀମାନେ ସବୁଠୁ କମ ପରିଶ୍ରମରେ କାମ କରିବା ନୀତି (Principle of least effort ) ଆପଣାଇବାକୁ ବ୍ୟଗ୍ର ଥାଇ, ଏଥିରେ ବାଧା ନଆସିବା ପନ୍ଥା (Principle of least resistance) ବି ଅପଣାଇଛନ୍ତି । ଏହା ହିଁ ହେଉଛି କାରଣ, ଯେଉଁଥିପାଇଁ ଓଡ଼ିଆରେ ଓଡ଼ିଶାର ଶାସନ ହୋଇପାରୁନି । ରାଜ୍ୟର କର୍ମଚାରୀ ଓ କର୍ମନିର୍ବାହିମାନଙ୍କୁ ଏହି ଆରାମ ମଣ୍ଡଳ (Comfort Zone) ପରିବର୍ତ୍ତେ ସେବା ମଣ୍ଡଳ (Service Zone )ର ଦାୟିତ୍ଵ ନିର୍ବାହ କରିବାକୁ ବାଧ୍ୟ କରାନଗଲେ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ସମ୍ଭବ ହେବନାହିଁ ବୋଲି ଦର୍ଶାଇଛନ୍ତି ପ୍ରଫେସର ମହାନ୍ତି ।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ଭାଷାପ୍ରିୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଘୋଷଣା ସତ୍ତ୍ୱେ, ଓଡ଼ିଶାରେ ଓଡ଼ିଆ ଭାଷାରେ କାମ ହେଲା ନାହିଁ ; କାରଣ କିଂସ୍ଲେଙ୍କ ନିରୂପଣ ପ୍ରତି ଧ୍ୟାନ ଦେଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ପାରିଲା ନାହିଁ କି କର୍ମଚାରୀମାନଙ୍କୁ ଆରାମ ମଣ୍ଡଳରୁ ବାହାର କରାଯାଇ ପାରିଲା ନାହିଁ । ଏହାର ପ୍ରତିକାର ପାଇଁ ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କୁ ଦଣ୍ଡବିଧାନ ଉପରେ ଗୁରୁତ୍ଵ ଦେଉଥିବା ଭାଷା ଆନ୍ଦୋଳନକୁ ତାର ଅଭିଯାନର ୧୬୦୮ ଦିନରେ ପହଞ୍ଚିଥିବା ଅବସରରେ ସେ ପ୍ରଶଂସା କରିଛନ୍ତି ।

ଓଡ଼ିଆ ଭାଷା କିପରି ଓଡ଼ିଶା ସରକାରଙ୍କ ଅବିମୃଷ୍ୟକାରୀତାର ଶିକାର ହୋଇଛି ତାହା ଦର୍ଶାଇ ସେ କହିଛନ୍ତି, ସରକାର ପ୍ରସ୍ତୁତ କରିଥିବା ପ୍ରଶାସନିକ ଶବ୍ଦକୋଷରେ ସାର୍ବଜନୀନ ଶବ୍ଦମାନଙ୍କର ଘୋର ଅଭାବ ରହିଛି କେବଳ ନୁହେଁ, ତହିଁରେ ମୁଖ୍ୟମନ୍ତ୍ରୀଙ୍କ ସେ ସମ୍ପର୍କୀୟ ଅଭିଳାଷ ପ୍ରତିଫଳିତ ନ ହୋଇଥିବା ଏହି ସଂକେତ ଦେଉଛି କି ରାଜ୍ୟରେ କର୍ମଚାରୀ କୈନ୍ଦ୍ରିକ ଶାସନ ଚାଲିଛି , ଯାହା ଲୋକତନ୍ତ୍ର ସମର୍ଥିତ ବ୍ୟବସ୍ଥା ନୁହେଁ । ଏପରି ଏକ ସ୍ଥିତିରେ ଓଡ଼ିଆ ଭାଷା ଉପରେ ଏକ ସଙ୍କଟ ସୃଷ୍ଟି ହୋଇଛି । ଏହା ଏପରି  ଯେ, ଓଡ଼ିଆ ଭାଷାର ଏକ ଭାଷା-ବ୍ୟାକରଣ ନାହିଁ ଓ ଯେଉଁମାନେ ଲେଖିଛନ୍ତି , ସେମାନେ ବ୍ୟାକରଣ ପ୍ରସ୍ତୁତିର ମୌଳିକ ପଦ୍ଧତ୍ତି ପ୍ରତି ଧ୍ୟାନ ନ ଦେଇଥିବା ହେତୁ ଓଡ଼ିଆ ଭାଷାର ସ୍ଵକୀୟତା ବ୍ୟାକରଣରେ ପ୍ରସ୍ଫୁଟିତ ହୋଇନାହିଁ । ସେ କହିଛନ୍ତି, ଭାଷାକୁ ନେଇକରି ବ୍ୟାକରଣ ଲେଖାହୁଏ । ବ୍ୟାକରଣର କାମ ହେଲା , ଆମ ମସ୍ତିଷ୍କରେ ଥିବା ଭାଷାଢାଞ୍ଚାକୁ ପଦ୍ଧତ୍ତିଭୂକ୍ତ କରିବା । ଏହା ନ ହୋଇଥିବା ଫଳରେ ଭାବ ଓ ଭାଷା ମୌଳିକ ଫରକ ଦ୍ଵାରା ଆକ୍ରାନ୍ତ ହେଉଛି, ଯାହାର ନିରାକରଣ ଏକାନ୍ତ ଆବଶ୍ୟକ ।

ସେହିପରି ଓଡ଼ିଶାର ଇଂରାଜୀ ବନାନ Orissa ପରିବର୍ତ୍ତେ Odisha କରି ଆମ ଭାଷାର ମୌଳିକତା ପ୍ରତି ଘୋର ବିପର୍ଯ୍ୟୟ ସୃଷ୍ଟିକରାହୋଇଛି । ଏହି ନୂଆ ଇଂରାଜୀ ବନାନ ହେତୁ ରାଜ୍ୟ ବାହାରର ଅନେକ ବ୍ୟକ୍ତି ଆମ ରାଜ୍ୟକୁ “ଓଦିଶ୍ୟା” ବୋଲି କହୁଛନ୍ତି , କାରଣ ଇଂରାଜୀର ‘d’ ଅକ୍ଷର ‘ଦ’ ରୂପେ ବି ଉଚ୍ଚାରିତ ହୋଇଥାଏ । ଦୁଃଖର କଥା ଯେ, ଏହି ବିପର୍ଯ୍ୟୟର ଉତ୍ସବ ମନାଇବା ପାଇଁ ଶତାଧିକ କୋଟି ଟଙ୍କା ଖର୍ଚ୍ଚ କରାହୋଇଛି ଯାହା ଜନମଙ୍ଗଳ କାମରେ ଲଗାଯାଇପାରିଥାନ୍ତା ବୋଲି କହିଛନ୍ତି ପ୍ରଫେସର ମହାନ୍ତି ।

ଆମ ଭାଷା ଉଜୁଡ଼ି ଯାଉଥିବା ବେଳେ ଅଶୁଦ୍ଧ ଇଂରାଜୀରେ ଶାସନ ଚାଲିବା ଓ ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷା ଉପରେ ସରକାରୀ ପ୍ରୋତ୍ସାହନ ଅଜାଡ଼ିହୋଇଚାଲିଥିବା ଆମ ଭାଷାକୁ ବିପଦଗ୍ରସ୍ତ କରିଛି । ଶାସ୍ତ୍ରୀୟ ମାନ୍ୟତା ଅର୍ଜନ କରିଛୁ ବୋଲି ଆତ୍ମସନ୍ତୋଷରେ ଆମେ ଝଲସୁଥିବା ବେଳେ ଆମ ଭାଷାର ପ୍ରାଣଶକ୍ତି (vitality) ବର୍ତ୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି । ଏହି ପ୍ରାଣଶକ୍ତି ହ୍ରାସ ପାଇଥିବା ହେତୁ ପ୍ରାୟ ୫ ବର୍ଷ ଖଣ୍ଡେ ବାହାରେ ରହିଗଲେ ଓଡ଼ିଆମାନେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ କୁଣ୍ଠା ପ୍ରକଟ କରୁଛନ୍ତି । ନିଜ ରାଜ୍ୟରେ ଯଦି ଆମ ଭାଷା ତାର ପ୍ରାଣଶକ୍ତି ହରାଇନଥାନ୍ତା, ଏପରି କେବେ ମଧ୍ୟ ହୁଅନ୍ତା ନାହିଁ ବୋଲି ସେ କହିଛନ୍ତି ।

ସରକାରଙ୍କ ଇଂରାଜୀ ଭାଷାପ୍ରୀତିର ଆତିଶଯ୍ୟ ଉପରେ ଇଂରାଜୀ ଭାଷାତତ୍ତ୍ଵର ଏହି ବିଶ୍ଵବିଦିତ ପ୍ରଫେସର ମତ ରଖି କହିଛନ୍ତି, ଇଂରାଜୀ ଭାଷା ଆମ ଭାଷାର ବହୁ ମୌଳିକ ବିଭବକୁ ନଷ୍ଟ କରିଦେବ । ଉଦାହରଣ ସ୍ୱରୂପ ଓଡ଼ିଆ ଭାଷାର ପାରିବାରିକ ଶବ୍ଦ ବିଭବ ଅତି ମୂଲ୍ୟବାନ ଓ ଓଡ଼ିଆ ବୁନିଆଦିର ବୈଶିଷ୍ଟ୍ୟରେ ଭରା । ଆମର ପ୍ରତି ସମ୍ପର୍କୀୟ ପାଇଁ ଆମର ଏକ ଏକ ଭିନ୍ନ ଭିନ୍ନ ଶବ୍ଦ ଅଛି । ଯେପରି ବାପାଙ୍କ ଭାଇ ‘ବଡବାପା’ ବା ‘ଦଦା’; ମାଆର ଭାଇ ‘ମାମୁଁ’ । ସେହିପରି ସମ୍ପର୍କ ଭିତ୍ତିରେ ‘ମଉସା’, ‘ପିଇସା’ ଇତ୍ୟାଦି । କିନ୍ତୁ ଏହି ସବୁ ଶବ୍ଦ ପାଇଁ ଇଂରାଜୀରେ କେବଳ ଗୋଟିଏ ଶବ୍ଦ ଅଛି , ଯାହା ହେଲା ‘ଅଙ୍କଲ’ । ଆମ ଇଂରାଜୀ ଭାଷା ଶିକ୍ଷା ଏହି ଅଙ୍କଲ ଶବ୍ଦ ତଳେ ଚାପିଦେବ ପାରିବାରିକ ଶବ୍ଦ ଭଣ୍ଡାର , ଯାହା ସମୁଦ୍ରରୁ କେବଳ ଶଙ୍ଖେ ପାଣିର ଉଦାହରଣ ବୋଲି ସେ କହିଛନ୍ତି । 

ଇଂରାଜୀ ଶିକ୍ଷା ଦ୍ଵାରା ଏପରି ଅଜସ୍ର ଓଡ଼ିଆ ଶବ୍ଦ ବିଭବ ନଷ୍ଟ ହୋଇଯିବ । ଇଂରାଜୀ ଭାଷା ଶିକ୍ଷା ଦ୍ଵାରା ଆମର ବିକାଶ ହେବ – ଏହା ଏକ ଭୁଲ ଚିନ୍ତା ବୋଲି କହି ପ୍ରଫେସର ମହାନ୍ତି କହିଛନ୍ତି, ପିଲାର ଦୈହିକ ସ୍ୱାସ୍ଥ୍ୟ ପାଇଁ ଯେପରି ମା କ୍ଷୀର ଆବଶ୍ୟକ, ତାର ମାନସିକ ସ୍ୱାସ୍ଥ୍ୟ ପାଇଁ ସେପରି ମାତୃଭାଷା ଆବଶ୍ୟକ । ଏହି ମାନସିକ ସ୍ୱାସ୍ଥ୍ୟ ସୁଦୃଢ ହେଲେ ହିଁ ଭବିଷ୍ୟ ପିଢିର ଓଡ଼ିଆ ସୁଦୃଢ ହେବ , ଅନ୍ୟଥା ନୁହେଁ । ପ୍ରତି ବାପ ମା ଏଥିପାଇଁ ଧ୍ୟାନ ଦେବା ଆବଶ୍ୟକ ଓ ଘରେ ପିଲା ସହ ସବୁବେଳେ ଓଡ଼ିଆ ଭାଷାରେ କଥା ହେବା ଆବଶ୍ୟକ ।

ଓଡ଼ିଶାର ଭିତ୍ତି ଅଟଳ ରଖିବାକୁ ହେଲେ, ପ୍ରଫେସର ମହାନ୍ତି କହିଛନ୍ତି, ପ୍ରତ୍ୟେକ ବାପ ମା ସେମାନଙ୍କ ଶିଶୁମାନଙ୍କ କଣ୍ଠରେ କେବଳ ଗୋଟିଏ ଗୌରବଭରା ଦୁହା ଧରାନ୍ତୁ, ଯାହାକୁ ଧରି ପ୍ରତି ଓଡ଼ିଆ ସନ୍ତାନ ଗର୍ବରେ କହୁ – ଓଡ଼ିଶା ମୋ ମାତୃଭୂମି, ଓଡ଼ିଆ ମୋ ମାତୃଭାଷା । ଏଥିରେ ହିଁ ନିହିତ ଆମ ପରିଚୟ ଅକ୍ଷୁର୍ଣ୍ଣ ରହିବାର ଆଶା ।

ଦଲାଲଙ୍କ ଦବ୍ଦବାରେ ଓଡ଼ିଶା : ଭାଷା ଆନ୍ଦୋଳନରେ ହିଁ ନିହିତ ମୁକ୍ତିର ମାର୍ଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଛାତିକି ଯେତେ ବାଧିଲେ ବି ଏହାହିଁ ସତ , ଆମ ରାଜ୍ୟଟି ଆରମ୍ଭରୁ ଅଣଓଡ଼ିଆ ଦଲାଲମାନଙ୍କ ଦ୍ୱାରା ଅଧ୍ୟୁଷିତ ହୋଇ ଆସିଛି | ୧୯୬୬ରୁ ଆମ ଓଡ଼ିଶାର ରାଜନେତାମାନଙ୍କ ଉପରେ ନଜର ରଖିବାର ସୁଯୋଗ ମତେ ମିଳିଛି ଓ ଯେହେତୁ ମୁଁ କାହା ସହ ମିଶେ ନାହିଁ , ସେହେତୁ ସେମାନଙ୍କ ଆଚରଣର ନିଷ୍କମ୍ପ ଅନୁଶୀଳନ ମୋ ପାଇଁ ସମ୍ଭବ ହୋଇଛି | ଡ଼ଃ ମହତାବ , ନବକୃଷ୍ଣ ଚୌଧୁରୀ, ବିଜୁ-ବିରେନଙ୍କ ଶାସନର ନିର୍ଭରଯୋଗ୍ୟ ତଥ୍ୟ ମୁଁ ସଂଗ୍ରହ କରିଛି | ସେହି ଭିତ୍ତିରେ ମୁଁ କହିପାରେ, କେବଳ ନବବାବୁ , ସଦାଶିବ ବାବୁ ଓ ବିନାୟକ ବାବୁଙ୍କ ସମୟକୁ ଛାଡ଼ି ଅବଶିଷ୍ଟ ସବୁ ମୁଖ୍ୟମନ୍ତ୍ରୀଙ୍କ କାଳରେ ଦଲାଲମାନେ ହିଁ ନିଜ ନିଜ ଅଙ୍ଗୁଠି ଅଗରେ ଚଳାଇଛନ୍ତି ଓଡ଼ିଶାକୁ | ଓ ସେହି ଦଲାଲି ହେତୁ ହିଁ ଅଣଓଡ଼ିଆମାନେ ଆମ ରାଜ୍ୟକୁ ନିଜ କବ୍ଜାକୁ ଏପରିଭାବେ ନେଇଯାଇଛନ୍ତି ଯେ, ଆମ ଭାଷାକୁ ଅକର୍ମଣ୍ୟ କରି ଶତକଡ଼ା ୯୦ ଭାଗ ଓଡ଼ିଆଙ୍କ ଗରିମା ନଷ୍ଟ ପାଇଁ ଚେଷ୍ଟା କରିଛନ୍ତି, କାରଣ ଆମ ଗରିମା ଭାଙ୍ଗି ନଗଲେ କାଳେ ସେମାନଙ୍କ ଦଲାଲୀ ବିରୁଦ୍ଧରେ ସ୍ଵର ଉଠିବ ଓ ଆମ ବଜାର ସେମାନଙ୍କ ହାତରୁ ଖସିଯିବ ।

ସାମାନ୍ୟ ଝଲକ

ଖାଦ୍ୟ ବଜାର ଯେହେତୁ ଏକ ଅପରିହାର୍ଯ୍ୟ ବଜାର ଓ ଓଡ଼ିଶାର କୃଷି ଉତ୍ପାଦନ ଉଜୁଡ଼ି ନ ଗଲେ ଅଣଓଡ଼ିଆ ରାଜ୍ୟମାନେ ଯେହେତୁ ଓଡ଼ିଶାକୁ ତାଙ୍କ ବଜାର କରିପାରିବେନି , ସେହେତୁ ସରକାରରେ ଥିବା ସେହିମାନଙ୍କ ଦଲାଲମାନେ ଓଡ଼ିଶାର କୃଷକଙ୍କୁ ବି ଆଗେଇବାକୁ ଦେଉ ନାହାନ୍ତି | ଓଡ଼ିଶା ବଜାର ଉପରେ ପଶ୍ଚିମ ବଙ୍ଗର ଆଳୁ ବେପାରୀଙ୍କ କବ୍ଜା କାଏମ ରହିବା ପାଇଁ ଓଡ଼ିଶାରେ ଶୀତଳ ଭଣ୍ଡାର ହେଉନାହିଁ |

ଆମ ରାଜ୍ୟର ଅଣ୍ଡା ବଜାର ଉପରେ ଆନ୍ଧ୍ର କୁକୁଡ଼ା ଚାଷୀଂକ କବ୍ଜା ଅତୁଟ ରଖିବା ପାଇଁ ବାର୍ଡଫ୍ଲୁର ମିଛ ବାହାନାରେ ଆମ ରାଜ୍ୟର କୁକୁଡ଼ା ବଂଶ ନିପାତ କରା ହେଉଛି |

ସେହିପରି ଫୁଲ ଚାଷ କଥା | ଏ ଲବି ଏପରି ଯେ ଓଡ଼ିଶାର କୌଣସି ଫୁଲ ଚାଷୀ ଆମ ରାଜ୍ୟରେ ଫୁଲ ବିକି ପାରୁନି | ଫୁଲ ବେପାରୀଏ ଓଡ଼ିଆ ଚାଷୀଙ୍କଠୁ ଫୁଲ କିଣୁ ନାହାନ୍ତି | ଆମ ଲୋକେ ବଙ୍ଗାଳି ବେପାରୀଙ୍କୁ ଫୁଲ ବିକିବାକୁ ବାଧ୍ୟ ହେଉଛନ୍ତି ଅଗତ୍ୟା କମ ଦରରେ ଓ ସେହି ଫୁଲ ଓଡ଼ିଶାକୁ ନେଉଟି ଆମ ଲୋକଙ୍କୁ ବିକା ହେଉଛି ଅଧିକ ଦାମରେ |

ଅର୍କିଡ଼ ଏକ ଅତି ମୂଲ୍ୟବାନ ଫୁଲ | ଆମ ଶିମିଳିପାଳରେ ପୃଥିବୀର ଅର୍କିଡ଼ମାନଂକ ମଧ୍ୟରୁ ଇଂ. ଶରତ ମିଶ୍ର ୧୧ କିସମର ନୂଆ ଅର୍କିଡ଼ ଆବିଷ୍କାର କରିଥିଲେ ଓ ସେ ବାରିପଦାରେ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଥିବାବେଳେ ତାଙ୍କ ଛୁଟି ସମୟ ଖଟେଇ ଏକ ଅର୍କିଡ଼ ଉପବନ ତିଆରି କରିଥିଲେ | ବଙ୍ଗାଳି ଲୁଟେରାମାନେ ଶିମିଳିପାଳକୁ ବହୁଧା ଲୁଟ କରନ୍ତି | ସେମାନେ ଏହି ସମ୍ପଦକୁ ଉଜାଡ଼ି ଦେବାକୁ ଚାହିଁଲେ | ବିଜୁ ବାବୁ ମୁଖ୍ୟମନ୍ତ୍ରୀ | ତାଙ୍କର ବଂଗାଳୀପ୍ରୀତି କିଏ ବା ନ ଜାଣେ ? ପୂର୍ତ୍ତ ମନ୍ତ୍ରୀ ନଳିନୀ ମହାନ୍ତି ଆଦେଶ ପାଇଲେ ଶରତ ମିଶ୍ରଙ୍କୁ ତୁରନ୍ତ ବାରିପଦାରୁ ଅପସାରଣ କରିବା ପାଇଁ | ସେ ଭୁବନେଶ୍ୱର ଆସିଲେ ଓ ଶିମିଳିପାଳର ଅର୍କିଡ଼ ଜଗତ ଉଜୁଡ଼ି ଗଲା | କଲିକତାରୁ ଆସୁଥିବା ଅର୍କିଡ଼ ଫୁଲ ଓଡିଶା ବଜାରକୁ ମାଡ଼ି ବସିଛି |

ଦୁଷ୍ମନ୍ତ ଦାସଙ୍କ କଖାରୁ ଚାଷର ଅନୁଭୂତି ଆମେ ଜାଣିବା ଉଚିତ | ଏବର୍ଷ ଅନ୍ୟତମ  ସର୍ବଶ୍ରେଷ୍ଠ ବିଧାୟକ ହୋଇଥିବା ପ୍ରଣବ ପ୍ରକାଶ ଦାସଙ୍କ ବଡ଼ ମାଉସୀଙ୍କ ଦିଅର ଦୁଷ୍ମନ୍ତ ଦାସ ଯେଉଁବର୍ଷ ନିଜ ଜମିରେ କଖାରୁ ଚାଷ କଲେ , ସେ ବର୍ଷ କଖାରୁ କିଲୋ ଭୁବନେଶ୍ବରରେ ଥିଲା ଅନ୍ୟୁନ୍ୟ ୨୫ ଟଙ୍କା | ସେ ଏକ ଟ୍ରକ ଭରା କଖାରୁ ଆଣି ଭୁବନେଶ୍ୱରରେ ପହଞ୍ଚିଲେ | ଏଠିକାର କଖାରୁ ହୋଲସେଲର କହିଲେ କୁଇଂଟାଲ ଦେଢ଼ଶହ ଟଙ୍କାରୁ ଅଧିକ ହେବ ନାହିଁ | ସେ ବହୁ କଷ୍ଟରେ କୁଇଂଟାଲ ୨୦୦ଟଙ୍କାରେ ଦେଇ କାନମୁଣ୍ଡା ଆଉଁସି ଘରକୁ ଗଲେ |

ଭାଷା ଆନ୍ଦୋଳନ ଆଣିବ ପରିବର୍ତ୍ତନ

ଶାସନ ଗାଦିରେ ଦଲାଲମାନେ ଥିବାଯାଏଁ ଅଣଓଡ଼ିଆଏ ଆଳୁ ପିଆଜଠୁ ଅଣ୍ଡା , ପନିପରିବା ଓ ଫୁଲ – ସବୁଥିର ବଜାର ନିଜ କବ୍ଜାରେ ରଖିଥିବେ ଓ ଆମେ କିଛି ବି କରିପାରିବାନି | ଓଡ଼ିଆ ଜାତିର ଅସ୍ମିତା ଫେରିଲେ ଅଣଓଡ଼ିଆ ଆଧିପତ୍ୟ ହଟିବ | ଏହି ଅସ୍ମିତା ଫେରିବା ସମ୍ଭବ ହେବ ସେତିକି ବେଳେ ଯେତେବେଳେ ଆମେ ଚଳାଇଥିବା ଭାଷା ଆନ୍ଦୋଳନ ସଫଳ ହେବ ଓ ଅଣଓଡ଼ିଆ ଭାଷାଧିପତ୍ୟ କବଳରୁ ଓଡିଶା ମୁକ୍ତ ହେବ | ଏହା ହେଲେ,  ଅଣଓଡିଆଂକ ଦଲାଲି କରୁଥିବା ଲୋକେ ଦବିଯିବେ ଓ ଆମ ରାଜ୍ୟରେ ଶୀତଳ ଭଣ୍ଡାର ହୋଇପାରିବ , ନଦୀପଠାମାନଙ୍କରେ ଆଳୁ ଚାଷ ହୋଇପାରିବ , କୁକୁଡ଼ା ଚାଷ ଉଜୁଡ଼ି ଯିବନି , ମାଛ ଚାଷ ବୃଦ୍ଧି ପାଇବ , ଫୁଲ ଚାଷ ବୃଦ୍ଧି ପାଇବ , ଆମ ବଜାର ଆମର ହେବ |

ଭାଷା ଆଂଦୋଳନକୁ ସଫଳ କରିବାକୁ ହେଲେ କଳା ପତାକା ଅଭିଯାନକୁ ସମସ୍ତେ ଆପଣେଇନେବା ଆବଶ୍ୟକ | ତା ନହେଲେ ଆମେ କେବଳ ଏମିତି କାନ୍ଦୁଥିବା , କିଛି ହେଉ ନଥିବ |

ଏବେ ନିଷ୍ପତ୍ତି ନେବାର ବେଳ ।

ଗୁରୁକଲ୍ୟାଣ କୁଆଡ଼େ ଗଲେ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

କାନ୍ତକବିଙ୍କ ନାତି ବୋଲି ନିଜକୁ ପରିଚିତ କରାଉଥିବା ଗୁରୁ କଲ୍ୟାଣ ମହାପାତ୍ର ଗତ ଜୁନ ମାସରେ ମୋ ଉପରେ ଏକ ଅତ୍ୟନ୍ତ କୁତ୍ସିତ କୁତ୍ସା ପ୍ରଚାର କରିଥିଲେ ସାମାଜିକ ଗଣମାଧ୍ୟମ ଫେସବୁକରେ ତାଙ୍କ କାନ୍ଥରେ ଓ ତାହାକୁ ତୀବ୍ରତର କରିଥିଲେ ଅର୍ଥଲୋଭ ହେତୁ ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ପବିତ୍ର ମହାରଥା ଏବଂ ୧୬.୭.୨୦୧୮ରାତିରେ ତାଙ୍କ ଦାରୀ ସାକ୍ଷୀ ମାଦଳ ସାଜିଥିବା ଜନକୀଶ ବଡପଣ୍ଡା  । ମୁଁ ଯେଉଁ ପ୍ରତିକ୍ରିୟା ରଖିଥିଲି ତାହା ଏହି  ସଂଯୋଗସରଣୀ ରେ ଉପଲଭ୍ୟ । 

ସେ ତାଙ୍କ ଏହି କୁତ୍ସିତ ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ଦେଇନାହାନ୍ତି । ନିଜର ଅଭିଯୋଗକୁ ସେ ପ୍ରମାଣିତ କରିବା ଉଚିତ ବା ମିଥ୍ୟା କହିଥିବା ସ୍ଵୀକାର କରି ସର୍ବସାଧାରଣରେ କ୍ଷମା ମାଗିବା ଉଚିତ ।

କିନ୍ତୁ ତାଙ୍କ ଅପରାଧର ଅଦ୍ୟତନତା ଯାଞ୍ଚ ପାଇଁ ପୋଲିସ ଯେତେବେଳେ ସେ ପ୍ରଚାର କରିଥିବା କୁତ୍ସାର ଲିଙ୍କ (link) ଖୋଜୁଛନ୍ତି ତାହା ମିଳୁନାହିଁ  ବୋଲି ଖବର ପାଇ ମୁଁ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟାକଲି । ଏହି ରିପୋର୍ଟ ମିଳିଲା – ଯେଉଁଥିରେ ଫେସବୁକ କହୁଛି , ପୋଷ୍ଟିଂକର୍ତ୍ତା ଗୁରୁକଲ୍ୟାଣ ହୁଏତ ନିଜ ପୋଷ୍ଟକୁ ହଟାଇ ଦେଇଛନ୍ତି । 

ଯେଉଁମାନେ ମୋ ଉପରେ କୁତ୍ସିତ ଗାଳିବର୍ଷଣ କରି ଭାଷା ଆନ୍ଦୋଳନ ଶିବିରରେ ବିଭ୍ରାନ୍ତି ଉପୁଜାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ମୁହଁ ଇସ୍ପାତ , ଅଥଚ ପଛ ଏପରି ସନ୍ନିପାତ କାହିଁକି ? 

 

 

 

 

ଓଡ଼ିଆ କହିବା ସାଙ୍ଗମାନେ ଆସ, ବସ


                         -ମନୋରଞ୍ଜନ ଚୌଧୁରୀ (କଟକ)
[ମନୋରଞ୍ଜନ ଚୌଧୁରୀ ଜଣେ ଆଶୁ କବି । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ଵିତୀୟ ଶ୍ରେଣୀ ଓ ପେଷାରେ ସେ ଜଣେ ସାଇକେଲ ଦୋକାନୀ । ତୁଣ୍ଡେ ତୁଣ୍ଡେ ସେ ସୃଷ୍ଟି କରୁଥିବା କବିତାଗୁଡ଼ିକୁ କିଛି ଉତ୍ସାହୀ ଯୁବକ ଟିପିଦେଇ ସାମାଜିକ ଗଣମାଧ୍ୟମରେ ଦିଅନ୍ତି । ଏଗୁଡ଼ିକ ସାଧାରଣତଃ ଜୀବନଧର୍ମୀ ଓ ପ୍ରେମ କବିତା । ଫଳରେ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବପିଢ଼ିଙ୍କ ନିକଟରେ ସେ ସୁପରିଚିତ । ତାଙ୍କର ଏହି କବିତାଟି ଓଡ଼ିଆ ଭାଷାର ସାଂପ୍ରତିକ ଅବସ୍ଥା ଉପରେ ଆଧାରିତ । ]

ଓଡ଼ିଶା ଆମ ଦେଶ
ନିଶକୁ ମୋଡ଼ି, ଓଡ଼ିଆ କହିବା
ସାଙ୍ଗମାନେ ଆସ ବସ ।

ଓଡ଼ିଆ ମାଟିରେ ଜନ୍ମ ମୋହର,
ପ୍ରିୟ ମୋ ପଖାଳ କଂସା ।
ଯାହା ମୁଁ କହିବି ସତ ମୁଁ କହିବି,
ଦରକାର ହେଲେ ଇଂଲିଶ କହିବି;
ସବୁବେଳେ କିନ୍ତୁ ଇଂଲିଶ କହି
ହେବିନି ମୁଁ ଲୋକହସା ।

ଓଡ଼ିଶା ମୋହର ଗର୍ବ ଗୌରବ,
ଓଡ଼ିଆ ମୋହର ଭାଷା ।
ମୋ ମା ବାପଙ୍କର ଭାଷା ॥

ମା ଡାକେ ଯଉ ମଜା ଅଛି ମମି ଡାକରେ ନାହିଁ ।
ବାପା ଡାକେ ଯଉ ମଜା ଅଛି ଡାଡି ଡାକରେ ନାହିଁ ।
ମୁଁ କହିବି ମୋହରି ଭାଷା ,
ମୋ ମା ବାପଙ୍କର ଭାଷା ।


ଓଡ଼ିଆଭାଷାକୁ ନଷ୍ଟ କରା ହେଉଛି, ତାକୁ ରକ୍ଷା କରିବାକୁ ହେବ : ବୈଷ୍ଣବ ଚରଣ ମହାନ୍ତି

ଓଡ଼ିଶା ଦାପ୍ତରିକ ଭାଷା ଆଇନକୁ କାର୍ଯ୍ୟକାରୀ କରାଯାଉନଥିବା ଫଳରେ ଓଡ଼ିଆ ଭାଷା ତାର ବ୍ୟବହାରିକ ଅପରିହାର୍ଯ୍ୟତା ହରାଇ ନଷ୍ଟ ହେବାକୁ ବସିଲାଣି; ତାକୁ ରକ୍ଷା କରିବାକୁ ହେବ ।

ଆଜି ସକାଳ ୧୦ ବେଳେ ଭାଷା ଆନ୍ଦୋଳନର ଡିଜିଟାଲ କଳା ପତାକା ଅଭିଯାନ ମଞ୍ଚ – ଭାଷା ମାଆ ପାଇଁ ପଦେ – ପୃଷ୍ଠାରୁ ଫେସ୍ ବୁକ୍ ମାଧ୍ୟମରେ ସିଧା ପ୍ରସାରିତ ଭାଷଣରେ ଏହା କହିଛନ୍ତି ସ୍ଵନାମଧାନ୍ୟ ପ୍ରାବନ୍ଧିକ ଓ ଚିନ୍ତକ ବୈଷ୍ଣବ ଚରଣ ମହାନ୍ତି ।

ଯାନ୍ତ୍ରିକ ଉପଯୋଗ ପାଇଁ ଆବଶ୍ୟକୀୟ ଲିପି ସଂସ୍କାର ଠାରୁ ଆରମ୍ଭ କରି ପ୍ରଶାସନିକ ଶବ୍ଦକୋଷ ସୃଷ୍ଟି ଆଳରେ ଓଡ଼ିଆ ଭାଷାର ଦାପ୍ତରିକ  ବ୍ୟବହାର ବାଧା ପାଇ ଆସିଥିବା ବେଳେ କମ୍ପୁଟର ଯୁଗରେ ମଧ୍ୟ ତତ୍ତୁଲ୍ୟ ବାଧା ଆମ ଭାଷାର ପ୍ରାଥମିକତା ନଷ୍ଟ କରିବାକୁ ବସିଛି ବୋଲି ସେ କହିଥିଲେ ଓ ଏହି ଦୃଶ୍ୟପଟର ପରିବର୍ତ୍ତନ ପାଇଁ ଐକ୍ୟବଦ୍ଧ ଉଦ୍ୟମ ପାଇଁ ଆହ୍ଵାନ ଦେଇଛନ୍ତି  ।