ମୁଖ୍ୟମନ୍ତ୍ରୀଙ୍କ ଭାଷା ଆଚରଣ ଉପରେ ନ୍ୟାୟିକ ତଦନ୍ତ ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା ସରକାରୀ ଭାଷା ଆଇନକୁ କିପରି କାର୍ଯ୍ୟକାରୀ କରିହେବ ତାହା ନିର୍ଦ୍ଧାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭.୭.୨୦୧୫ ତାରିଖରେ ଓଡ଼ିଆ ଭାଷା ସଂଗ୍ରାମ ସମିତି ସହ ଚୁକ୍ତି କରିବା ପରେ ୩୧।୭।୨୦୧୫ ତାରିଖରେ ସେଥିପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ । ରହସ୍ୟଜନକ ଭାବେ କମିଟିରୁ ଭାଷା ସଂଗ୍ରାମ ସମିତିକୁ ବାଦ ଦେଇ ତହିଁରେ ବ୍ୟକ୍ତିଗତ ଭିତ୍ତି ଉପରେ ମନୋନୀତ ସଭ୍ୟ ରଖାଗଲା । ମୁଁ ଜଣେ ମନୋନୀତ ସଭ୍ୟ ଭାବେ ଅବସ୍ଥାପିତ ହୋଇଥିଲି ।

ଆଇନଟି କିପରି କାର୍ଯ୍ୟକାରୀ ହେବ ତା ପାଇଁ ଗଭୀର ଗବେଷଣା କରି ମୁଁ ୩.୯.୨୦୧୫ ତାରିଖରେ ସରକାରଙ୍କୁ ପ୍ରସ୍ତାବ ଓ ଚିଠା ବିଧାନ ଦେଲି । ତହିଁ ଅନୁସାରେ ସରକାର ୨୦୧୬ରେ ଭାଷା ଆଇନ ସଂଶୋଧନ କରି ତହିଁରେ ଧାରା ୫ ଖଞ୍ଜିଲେ ଓ ନିୟମ ପ୍ରଣଯନ ପାଇଁ ଅଧିକୃତ ହେଲେ ।

କିନ୍ତୁ ସେହି ସଂଶୋଧନରେ ସମ୍ପୂର୍ଣ ଅନଧିକୃତ ଭାବେ ଯେଉଁ ୪ର୍ଥ ଧାରା ଯୋଡା ହେଲା ତହିଁର ବିଲୋପନ ବା ପରିବର୍ତ୍ତନ ପାଇଁ ମୁଁ ଦେଇଥିବା ସ୍ମାରକପତ୍ର ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ ଓ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ୧୯.୫.୨୦୧୭ରେ ସେ ଗ୍ରହଣ କରିଥିଲେ । ତାହାର ପତ୍ତା ତାଙ୍କ ଅଫିସରେ ମିଳୁନି ।

ସେଇ ଦିନଠାରୁ ମୂଳ ଭାଷା ଆଇନଟିକୁ ନଷ୍ଟ ଓ ନିଷ୍ଫଳ କରାଇବା କାମରେ ସେ ଲାଗିପଡ଼ିଛନ୍ତି । ପବିତ୍ର ମହାରଥାଙ୍କ ଆର୍ଥିକ ଅପରାଧ ଉପରେ ତଦନ୍ତ କରୁଥିବା ପୋଲିସକୁ ନିରସ୍ତ କରାଯାଇଛି, ସ୍ତ୍ରୀଙ୍କ ବେଆଇନ ନିଯୁକ୍ତି ମାଧ୍ୟମରେ ଅନ୍ୟୁନ୍ୟ ଦେଢକୋଟି ଟଙ୍କାର ଆୟ ପନ୍ଥା ଖୋଲାଯାଇ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ବଶୀଭୂତ କରାଯାଇଛି; ଏବେ ଶୁଣିବାକୁ ମିଳୁଛି, ଏକ ସମାନ୍ତରାଳ ଭାଷା ଆନ୍ଦୋଳନ କରି ମୋ ପ୍ରଦତ୍ତ ଚିଠା ବିଧାନକୁ ସମର୍ଥନ କରି ଚାଲିଥିବା ଆଂଦୋଳନ ଉପରେ ବିଭ୍ରାନ୍ତି ସୃଷ୍ଟିପାଇଁ ୧୫ ଲକ୍ଷ ଟଙ୍କାର ଭିତିରି ପାଣ୍ଠି ମୁକରିର କରାହୋଇଛି । ସତ୍ୟାସତ୍ୟ କେବଳ ଏକ ନ୍ୟାୟିକ ତଦନ୍ତରେ ଧାରା ପଡ଼ିବ ।

ଏହାଠୁ ଅଧିକ ଉଦ୍ବେଗର କଥା, ଆମ ଜାତିର ଭାଷା ଅଧିକାରକୁ ଖର୍ବ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଏକ ଅଭୂତପୂର୍ବ କ୍ୟାବିନେଟ୍ ସ୍କାମ୍ ଘଟାଇଛନ୍ତି ।

ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷା ଉପରେ ଏପରି ଜହ୍ଲ୍ଲାଦୀୟ ଆକ୍ରମଣ କରିବା , ଭାଷା ଆନ୍ଦୋଳନ ପରି ଏକ ସାମାଜିକ ଆନ୍ଦୋଳନର ସ୍ମାରକପତ୍ର ଲୁଚାଇ ଦେବା ବା ନଷ୍ଟ କରିବା, ରାଜ୍ୟବାସୀଙ୍କ ଭାଷା ଅଧିକାରକୁ ଉଜାଡ଼ି ଦେବାପାଇଁ କ୍ୟାବିନେଟ୍ ସ୍କାମ୍ ପରି ଅପରାଧରେ ଲିପ୍ତ ହେବା , ଭାଷା ଆନ୍ଦୋଳନକାରୀମାନଙ୍କ ଭିତରେ ଥିବା ପେଟପାଟଣାବାଦୀମାନଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରଶାସନିକ ଶ୍ରୁଙ୍ଖଳାଭାଙ୍ଗିବା ଇତ୍ୟାଦି ଅତ୍ୟନ୍ତ ଦୂଷଣୀୟ ଅପରାଧ ।

ତେଣୁ ଏ ଅପରାଧର ସ୍ୱରୂପ ଓ ଗଭୀରତା ନିରୂପଣ ପାଇଁ ଏକ ନ୍ୟାୟିକ ତଦନ୍ତର ଆବଶ୍ୟକତା ଅଛି ।

ମୁଖ୍ୟମନ୍ତ୍ରୀ ନିଜ ଆଚରଣର ଶୁଦ୍ଧତା ପ୍ରତିପାଦନ କରିବା ପାଇଁ ଏକ ତଦନ୍ତ କମିଶନ ବସାନ୍ତୁ । ଆମ ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସଂହଦେଓ ନିଜ ବିରୁଦ୍ଧରେ ତଦନ୍ତ କମିଶନ ବସାଇ ଯେଉଁ ନଜିର (precedence) ସୃଷ୍ଟି କରିଛନ୍ତି ତାହା ଅନୁସରିତ ହେଲେ ଓଡ଼ିଶାର ମର୍ଯ୍ୟାଦା ବଢିବ ।

ଭାଷା ଆନ୍ଦୋଳନ ପାଇଁ ପରିସୃଷ୍ଟ ବିପତ୍ତିର ନେପଥ୍ୟ ଦୃଶ୍ୟ – ୩

    ପବିତ୍ର ମହାରଥା: ସୌମ୍ୟ ନାୟକଙ୍କ ଠାରୁ ସତୀଶ ମିଶ୍ରଙ୍କ ଯାଏଁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଁ ଏହି ଆଲୋଚନାର ପ୍ରଥମ କିସ୍ତିରେ କହିଛି କି, ଭାଷା ଆନ୍ଦୋଳନକୁ ସମଗ୍ର ଓଡ଼ିଶାକୁ ପରିବ୍ୟାପ୍ତ କରିବା ସକାଶେ ଆମମାନଙ୍କ ଗସ୍ତ ପାଇଁ ଆର୍ଥିକ ଆବଶ୍ୟକତା ଥିବା ହେତୁ ଆମେ ଚିନ୍ତା କରିଥିଲୁ ଏକ ସ୍ମରଣିକା ପ୍ରକାଶ କରି ତହିଁରେ ବିଜ୍ଞାପନ ପାଇଁ ସ୍ଥାନ ବିନିମୟରେ କିଛି ଅର୍ଥ ଉପାର୍ଜନ କରିବୁ ଓ ସେହି ଅର୍ଥ ଉପଯୋଗ କରି ଆନ୍ଦୋଳନଟିକୁ ରାଜ୍ୟ ତମାମ ପ୍ରସାରିତ କରିବୁ । ତୁଷାରକାନ୍ତ ଶତପଥୀ ଓ ପ୍ରଦ୍ୟୁମ୍ନ ଶତପଥୀ ଏଥିପାଇଁ ଯଥାକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଅଚ୍ୟୁତ ସାମନ୍ତଙ୍କ ଠାରୁ ବିଜ୍ଞାପନ ପାଇଁ ସମର୍ଥ ନ ହେବା ପରେ ପବିତ୍ର ମୋତେ କହିଲେ କି, ମୁଁ ଯଦି ଜଣେ ବ୍ୟକ୍ତିଙ୍କୁ କହିପାରନ୍ତି ତେବେ କେନ୍ଦ୍ର ସରକାରଙ୍କ ସୂତ୍ରରୁ ଯଥେଷ୍ଟ ବିଜ୍ଞାପନ ମିଳନ୍ତା । ମୁଁ ସେ ବ୍ୟକ୍ତିଙ୍କୁ ନ ଜାଣିଥିଲେ ମଧ୍ୟ ଆମ ଆନ୍ଦୋଳନର ସ୍ଵାର୍ଥ ଦୃଷ୍ଟିରୁ ପବିତ୍ରଙ୍କ ସାଥିରେ ଯାଇ ତାଙ୍କୁ କହିଲି ଓ ସେ ସାହାଯ୍ୟ କରିବାକୁ ଦୃଢ଼ ପ୍ରତିଶ୍ରୁତି ଦେଲେ ।

ପବିତ୍ର ନିଜ ମାଲିକାନାରେ ଥିବା ଶବ୍ଦସ୍ପର୍ଶ ଦ୍ଵାରା ‘ଭାଷା ପାଇଁ ଗଣ ଓ ଗଣମାଧ୍ୟମ’ ଶୀର୍ଷକ ଆମ ସ୍ମରଣିକାଟିକୁ ପ୍ରକାଶ କରି ତାହା ପାଇଁ ଆସିଥିବା ସମସ୍ତ ବିଜ୍ଞାପନ ଆୟ ତୋଷରପାତ କରିଛନ୍ତି ଓ ଏଥିପାଇଁ ନାନାବିଧ ଜାଲିଆତି କରିଛନ୍ତି । ଏହା ଧରା ପଡିଲା ପରେ ମୁଁ ତାଙ୍କୁ କୈଫିୟତ ମାଗିବାରୁ ସେ ଅନ୍ଦୋଲନ ପାଇଁ ୮ ଲକ୍ଷ ଟଙ୍କା କରଜ କରିଛନ୍ତି ଓ ତାହା ଭାଷା ଅନ୍ଦୋଲନ ତାଙ୍କୁ ନ ଦେଲେ ପତ୍ନୀ ଓ ପିଲା ସହ ଆତ୍ମହତ୍ୟା କରିବେ ବୋଲି କହି, କୌଣସି ହିସାବ ନ ଦେଇ, ଏକ ନାହିଁନଥିବା ବିଭ୍ରାନ୍ତି ସୃଷ୍ଟି କରିଛନ୍ତି ।

ଉଲ୍ଲେଖନୀୟ ହେଲା, ଏହି ଅପରାଧରେ ପବିତ୍ରଙ୍କ ସହ ହାତ ମିଳାଇଛନ୍ତି ପ୍ରଦ୍ୟୁମ୍ନ ଶତପଥୀ । ଏକ ବଡ଼ ପରିମାଣର ସୁପାରି ବିନିମୟରେ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବାକୁ ଏମାନେ ତଦାନୀନ୍ତନ ଅର୍ଥମନ୍ତ୍ରୀଙ୍କୁ ବଚନ ଦେଇଥିବା ଓ ତଦନୁଯାୟୀ କାମ କରିବାକୁ ଯାଇ, ଭାଷା ଆନ୍ଦୋଳନ ବନ୍ଦ ରହିଲା ବୋଲି ୧୬.୭.୨୦୧୮ ସନ୍ଧ୍ୟାରେ ସମ୍ପୂର୍ଣ ଅନଧିକୃତ ଭାବେ ମିଥ୍ୟା ପ୍ରଚାର କରିଥିବା ବେଳେ ପ୍ରଦ୍ୟୁମ୍ନ ଶତପଥୀ ଆଉ ପାହାଚେ ଆଗେଇ ଯାଇ ୨୦୦୮ରୁ ଦୀର୍ଘ ଦଶ ବର୍ଷ କାଳ ଘରେ ବସିରହିଥିବା ପତ୍ନୀଙ୍କୁ ସେହି ଏକା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ପ୍ରଭାବାଧୀନ ବାଲିପାଟଣା କଲେଜକୁ ବଦଳି କରି ନିୟମିତ କରାଇବା ପ୍ରକ୍ରିୟାରେ ପ୍ରାୟ କୋଟିଏ ଟଙ୍କାର ଆର୍ଥିକ ଆୟର ବାଟ ଫିଟାଇଛନ୍ତି ।

ଭାଷା ଆନ୍ଦୋଳନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିବା ପାଇଁ କେନ୍ଦ୍ରୀୟ କ୍ଷମତାରେ ଥିବା ବିଜେପି ପବିତ୍ରଙ୍କ ମାଧ୍ୟମରେ କେନ୍ଦ୍ରୀୟ ବିଜ୍ଞାପନର ପରଦା ଉହାଡ଼ରେ ଚେଷ୍ଟା କରୁଥିଲା ବୋଲି ସତୀଶ ମିଶ୍ର ତାଙ୍କ ଟିଭି ଚ୍ୟାନେଲରେ ଯେଉଁ ଉଚ୍ଚାରଣ ରଖିଛନ୍ତି ତାହା ବିଚାର ସାପେକ୍ଷ । କିନ୍ତୁ କଳା ପତାକା ଅଭିଯାନ ସ୍ଥଗିତ ରହିଲା ବୋଲି ଏ ଉଭୟେ ଓ ସେମାନଙ୍କ କରତଳିଆମାନେ ଯେଉଁ ପ୍ରଚାର କରିଥିଲେ ତାହା ଯେ ଥିଲା ଅମୂଳକ ଓ ମନଗଢ଼ା ମିଥ୍ୟା ଏବଂ ସମ୍ପୂର୍ଣ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ତାହା ସତୀଶବାବୁଙ୍କ ଉପସ୍ଥାପନା ପ୍ରଦର୍ଶିତ କରିଛି , କାରଣ ତହିଁରେ ଅଛି କଳା ପତାକା ଅଭିଯାନ ବନ୍ଦ ନ ରହି ଦୃଢ଼ ଭାବେ ଚାଲିଥିବାର କ୍ୟାମେରା ତୋଳିଥିବା ଚିତ୍ର ।
ଏବେ ଏହା ଦେଖାଯାଉ –

ଭାଷା ଆନ୍ଦୋଳନ ପାଇଁ ପରିସୃଷ୍ଟ ବିପତ୍ତିର ନେପଥ୍ୟ ଦୃଶ୍ୟ -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ସର୍ବତ୍ର ଭାଷା ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଅର୍ଥର ଆବଶ୍ୟକତା ଥିଲା । ଏହି ପାଣ୍ଠି ସୃଷ୍ଟି ପାଇଁ ଆମେ ଏକ ସ୍ମରଣିକା ପ୍ରକାଶ କରିବାକୁ ଚିନ୍ତା କରିଥିଲୁ, କାରଣ ତା ପାଇଁ ବିଜ୍ଞାପନ ସଂଗ୍ରହ କରି ତହିଁରୁ ବଳକା ଅର୍ଥ ଆନ୍ଦୋଳନର ସମ୍ପ୍ରସାରଣରେ ବ୍ୟବହୃତ ହୋଇପାରିବ ବୋଲି ଆମେ ଚିନ୍ତା କରିଥିଲୁ । ଯେହେତୁ କୌଣସି ଆନ୍ଦୋଳନ ନାମରେ ବିଜ୍ଞାପନ ସଂଗ୍ରହ ସମ୍ଭବ ନ ଥିଲା, ଆମ ଆବାହକ ପବିତ୍ର ମହାରଥାଙ୍କ ପୁସ୍ତକ ପ୍ରକାଶନ ସଂସ୍ଥା ‘ଶବ୍ଦ ସ୍ପର୍ଶ’ ନାମରେ ଏହା କରାଗଲା । ସ୍ମରଣିକାଟିର ମୁଦ୍ରଣ ଖର୍ଚ୍ଚ କାଟିରଖି ଅବଶିଷ୍ଟ ସମସ୍ତ ଟଙ୍କା ସେ ଆନ୍ଦୋଳନକୁ ଦେବା ପରେ ଏକ ବ୍ୟାଙ୍କ ଜମାଖାତା ଖୋଲି ତହିଁରେ ତାହା ରଖାଯିବ ଓ ଆନ୍ଦୋଳନ କାମରେ ଭୁବନେଶ୍ଵର ବାହାରକୁ ଯାଉଥିବା ବେଳେ ତହିଁରୁ ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ବହୁ ବିଜ୍ଞାପନ ଆସିଥିଲା ଓ ତଥ୍ୟାଭିଜ୍ଞ ବ୍ୟକ୍ତିମାନଙ୍କ ଆକଳନ ଅନୁସାରେ ତହିଁର ମୁଦ୍ରାମୂଲ୍ୟ ପ୍ରାୟ ଅଧକୋଟି ଟଙ୍କା । ଯେହେତୁ ‘ଶବ୍ଦ ସ୍ପର୍ଶ’ ନାମରେ ବିଜ୍ଞାପନଗୁଡ଼ିକ ଆସିଥିଲା, ପବିତ୍ର ମହାରଥା ଭାଷା ଆନ୍ଦୋଳନ ପ୍ରତି ବିଶ୍ବାସଘାତକତା କରି ଏହି ସମଗ୍ର ପାଣ୍ଠି ତୋଷରପାତ କଲେ । ଏହା ଜଣା ପଡ଼ିଲା ପରେ ମୁଁ ତାଙ୍କୁ ଯେତେବେଳେ ହିସାବ ମାଗିଲି ସେ ଫାଙ୍କିମାରିବାକୁ ନାନା କୌଶଳ ପ୍ରୟୋଗ କଲେ ।

ନୈତିକତା ଦୃଷ୍ଟିରୁ, ସବୁ ଶ୍ଲାଘ୍ୟ ଉଦ୍ୟମ ନିଷ୍ଫଳ ହେବା ପରେ, ମୁଁ ରାଜଧାନୀ ଥାନାରେ ଏହି ଦୁରାଚର ବିରୁଦ୍ଧରେ ଏକ ଏତଲା ଦେଲି । ପୋଲିସ କବଳରୁ ରକ୍ଷା ପାଇବା ପାଇଁ ସେ ସରକାରୀ ଓକିଲ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଶରଣାପନ୍ନ ହେଲେ । ବିଭୁବାବୁ ମୋତେ ଫୋନ କରି ପବିତ୍ର ବିଜ୍ଞାପନ ବାବଦରେ ମାତ୍ର ୩ ଲକ୍ଷ ଟଙ୍କା ପାଇଛନ୍ତି ଓ ସେ ସବୁ ଟଙ୍କା ସ୍ମରଣିକା ପ୍ରକାଶନରେ ଖର୍ଚ୍ଚ ହୋଇଯାଇଥିବା ହେତୁ ମୁଁ ତାଙ୍କୁ କ୍ଷମା କରିଦେବା ଉଚିତ ବୋଲି କହିଲେ । ସେମାନେ ଉଭୟେ ପରସ୍ପରର ବନ୍ଧୁ ଓ ପବିତ୍ରଙ୍କ ମାଧ୍ୟମରେ ମୁଁ ବିଭୁବାବୁଙ୍କୁ ଜାଣିଥିଲି । ମୁଁ ତାଙ୍କୁ କହିଲି ଯେ, ସମସ୍ତ ଟଙ୍କାର ସେ ହିସାବ ଦିଅନ୍ତୁ ଓ ଯଦି ମୋର ହୃଦବୋଧ ହୁଏ ଯେ, ସେ କୌଣସି ଅପରାଧ କରିନାହାନ୍ତି , ମୁଁ ଏତଲା ପ୍ରତ୍ୟାହାର କରିନେବି । ତା ତ ହେଲା ନାହିଁ , ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କଲାନାହିଁ । ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୋଲିସ ବଡ଼ପଣ୍ଡା ମୋତେ କହିଲେ ଯେ, ଉପର ମହଲାର ନିର୍ଦ୍ଦେଶ ଆସିଥିଲା ପବିତ୍ରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ।

ମୁଁ କାଳେ ଅଦାଲତରେ ମକଦ୍ଦମା ଦାଏର କରିବି ଏହି ଭୟରେ ପବିତ୍ରଙ୍କ ବନ୍ଧୁ ଓ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମ୍ପର୍କୀୟ ଉପରୋକ୍ତ ଓକିଲ ବିଭୁ ପ୍ରସାଦ ତ୍ରିପାଠୀ ତାଙ୍କୁ ବତାଇଲେ କି, ଭାଷା ଆଂଦୋଳନର ଅଧ୍ୟକ୍ଷ ଭାବେ ଅନ୍ୟ ଜଣଙ୍କ ନାମ ସେମାନେ ଘୋଷଣା କରିଦିଅନ୍ତୁ; କାରଣ ତଦ୍ଦ୍ଵାରା ଏକ ବିଧିକ ବିଭ୍ରାନ୍ତି ତିଆରି ହୋଇଯାଇ ପାରିବ ଏବଂ ମୁଁ ଯେହେତୁ ଅଧ୍ୟକ୍ଷ ଭାବେ ପବିତ୍ରଙ୍କ ବିରୁଦ୍ଧରେ ଏତଲା ଦେଇଛି, ମକଦ୍ଦମା କଲେ ଅଦାଲତକୁ ପ୍ରଥମେ ଠିକାଇବାକୁ ପଡ଼ିବ କିଏ ଅଧ୍ୟକ୍ଷ ଓ ସେଥିରେ ଏତେ ସମୟ ଲାଗିଯିବ ଯେ, ପାଣ୍ଠି ତୋଷରପାତ ବିଚାର ଆରମ୍ଭ ହୁଏତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପରି ବୟସ୍କ ବ୍ୟକ୍ତିଙ୍କ ଜୀବଦ୍ଦଶାରେ ସମ୍ଭବ ହେବ ନାହିଁ । ତ୍ରିପାଠୀଙ୍କ ଚ୍ୟାମ୍ବରରେ ସେତେବେଳେ ଉପସ୍ଥିତ ଥିବା ଜଣେ ନିର୍ଭରଯୋଗ୍ୟ ବ୍ୟକ୍ତି ନାମ ଗୋପନ ରଖିବା ସର୍ତ୍ତରେ ମୋତେ ଏହା କହିଛନ୍ତି ।

ଚକ୍ରଧର ମାହୁନ୍ତ ନାମକ ଜଣେ ଭିଜିଲାନ୍ସ ଆସାମୀ ଭାଷା ଆଂଦୋଳନର ଅଧ୍ୟକ୍ଷ ସାଜିଥିବା କଥା ପ୍ରଦ୍ଯୁମ୍ନ ଶତପଥୀଙ୍କ ଆତ୍ମରକ୍ଷା ପାଇଁ ବ୍ୟାକୁଳତା ଜର୍ଜରିତ ଏକ ପତ୍ରରୁ ମୁଁ ଅବଗତ ହେଲି ।

ଏ କଥା ମୁଁ ଯେତେବେଳେ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିଲି ସେତେବେଳକୁ ଓକିଲ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଏହି ପରମର୍ଶର ଖବର ମୋ ପାଖରେ ପହଞ୍ଚି ନଥିଲା । ଭାଷା ପାଇଁ ଓଡ଼ିଆ ଜାତିର ଏ ଅନନ୍ୟ ଆଂଦୋଳନର ଇତିହାସ ନିର୍ଭୁଲ ରଖିବା ପାଇଁ ବିଭୁ ବାବୁ ମୁଁ ଉପରେ ଦେଇଥିବା ଦୃଶ୍ୟପଟ ଉପରେ ନିଜ ମତ ରଖିବା ଆବଶ୍ୟକ , କାରଣ ଆମେ କେହି ସମାଜ ଓ ସମୟର ଉର୍ଦ୍ଧ୍ଵରେ ନୁହେଁ । (କ୍ରମଶଃ)
୨୭.୬.୨୦୧୯

ଭାଷା ଆନ୍ଦୋଳନରୁ ଗଜାନନ ମିଶ୍ର ବହିଷ୍କୃତ

ଭାଷା ଆଂଦୋଳନର ସଭାପତି ମଣ୍ଡଳୀ ସଦସ୍ୟ ଶ୍ରୀ ଗଜାନନ ମିଶ୍ରଙ୍କୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବହିଷ୍କୃତ କରାଯାଇଛି । ଗତ ୪ ତାରିଖରେ ସଭାପତିମଣ୍ଡଳୀ ବସି ଶ୍ରୀ ମିଶ୍ରଙ୍କୁ ସୁଧୁରିଯିବା ପାଇଁ ଶେଷ ସୁଯୋଗ ଦେଇଥିଲେ । ସଭାପତି ମଣ୍ଡଳୀର ନିଷ୍ପତ୍ତି କ୍ରମେ ସଦସ୍ୟ ଡଃ ଅଶୋକ ମିଶ୍ର ତାଙ୍କୁ ନିମ୍ନ ଉଦ୍ଧୃତ୍ତ ପତ୍ରଟି ପଠାଇଥିଲେ ।

“ପ୍ରେରକ:
ଡ. ଅଶୋକ ମିଶ୍ର
ସଦସ୍ୟ, ସଭାପତି ମଣ୍ଡଳୀ
ଭାଷା ଆନ୍ଦୋଳନ, ଓଡ଼ିଶା

ପ୍ରାପକ:
ଶ୍ରୀ ଗଜାନନ ମିଶ୍ର
ସଦସ୍ୟ, ସଭାପତି ମଣ୍ଡଳୀ
ଭାଷା ଆନ୍ଦୋଳନ, ଓଡ଼ିଶା

ମହାଶୟ,
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପଦ ମର୍ଯ୍ୟାଦା ଉପରେ ଆପଣ ସାମାଜିକ ଗଣମାଧ୍ୟମ ଫେସବୁକରେ ୦୯.୦୫.୨୦୧୯ ତାରିଖରେ ଯେଉଁ ଅବାଞ୍ଛିତ ଖୋଲା ଟିପ୍ପଣୀ (ଅନୁରୋଧ) ପ୍ରକାଶ କରିଛନ୍ତି ତାହା ସମ୍ପୂର୍ଣ ଅନଧିକୃତ ଓ ସଭାପତି ମଣ୍ଡଳୀ ପ୍ରତି ମଧ୍ୟ ଅମର୍ଯ୍ୟାଦା ସୂଚକ ।

ଏ ସମ୍ପର୍କରେ ସଭାପତି ମଣ୍ଡଳୀର ବୈଠକ ୧୫.୦୫.୨୦୧୯ ତାରିଖରେ ଅନୁଷ୍ଠିତ ହୋଇ ବିଧିବଦ୍ଧ ନିଷ୍ପତି ଲିପିବଦ୍ଧ ହୋଇଛି ଏବଂ ଆପଣଙ୍କୁ ତାହା ଟେଲିଫୋନେ ଯୋଗେ କୁହା ହୋଇଛି ଏବଂ ସଭାପତି ମଣ୍ଡଳୀର ବିନା ଅନୁମୋଦନରେ ଆପଣ ସାମାଜିକ ଗଣମାଧ୍ୟମରେ ବା ଇଣ୍ଟରନେଟରେ ଶ୍ରୀ ପଟ୍ଟନାୟକଙ୍କ ସମ୍ପର୍କରେ ବା ଭାଷା ଆନ୍ଦୋଳନ ସମ୍ପର୍କରେ କୌଣସି ଅଭିମତ ବା କଟାକ୍ଷ ନ ରଖିବାକୁ ମଧ୍ୟ ଫୋନ ଯୋଗେ ବାରମ୍ବାର କୁହାହୋଇଛି । ମାତ୍ର, ଆପଣ ଏପରି ଏକ ଆଚରଣରୁ ନିବୃତ୍ତ ହୋଇନାହାନ୍ତି, ଫଳରେ ଭାଷା ଆନ୍ଦୋଳନର ଗରିମା ଓ ଭାବମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି । ଗତକାଲି ୦୪.୦୬.୨୦୧୯ ତାରିଖ ସନ୍ଧ୍ୟାରେ ସଭାପତି ମଣ୍ଡଳୀର ସ୍ଵତନ୍ତ୍ର ଅଧିବେଶନ ହୋଇ ଯେଉଁ ପ୍ରସ୍ତାବ ଗୃହୀତ ହୋଇଛି, ତାହା ଆପଣଙ୍କୁ ଜଣାଇବା ପାଇଁ ମୁଁ ଅଧିକୃତ ହୋଇଥିବା ହେତୁ ନିମ୍ନରେ ସେହି ପ୍ରସ୍ତାବର ନକଲ ଦେଲି ।

ଏହା ଆପଣଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଗଲା:

୦୪.୦୬.୨୦୧୯
ସ୍ଵତନ୍ତ୍ର ଜରୁରୀ ଅଧିବେଶନ

ଗତ ମେ ୯ ରେ ଫେସବୁକ ପୃଷ୍ଠାରେ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ଖୋଲା ଅନୁରୋଧ ଶୀର୍ଷକରେ ସଭାପତି ମଣ୍ଡଳୀର ସଦସ୍ୟ ଶ୍ରୀ ଗଜାନନ ମିଶ୍ର ଯେଉଁ ଭର୍ତ୍ସନାତ୍ମକ ଆକ୍ରମଣ କରିଛନ୍ତି ତାହା ସମ୍ପୂର୍ଣ ଅନଧିକୃତ ଓ ଶୃଙ୍ଖଳା ବହିର୍ଭୂତ ବୋଲି ଏହି ସଭାପତି ମଣ୍ଡଳୀ ପୁନରାୟ ଘୋଷଣା କରୁଛି ।
ସଭାପତି ମଣ୍ଡଳୀର ସମସ୍ତ ସଦସ୍ୟ ନିଜ ନିଜର ଉତ୍କଣ୍ଠା ପ୍ରକାଶ କରିଛନ୍ତି ଓ ଶ୍ରୀ ମିଶ୍ରଙ୍କର ଏତାଦୃଶ ଆଚରଣକୁ ନାପସନ୍ଦ କରିଛନ୍ତି । ସଭାପତି ମଣ୍ଡଳୀର ବରିଷ୍ଠ ସଦସ୍ୟ ଶ୍ରୀ ଅର୍ଜୁନ ଚରଣ ସାମନ୍ତରାୟ ଗଜାନନ ବାବୁଙ୍କୁ ଏପରି କୌଣସି ଲେଖା ସାମାଜିକ ଗଣମାଧ୍ୟମରେ ନଲେଖିବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ତହିଁରୁ ନିବୃତ୍ତ ନହେଉଥିବା ସମସ୍ତଙ୍କୁ ଦୁଃଖ ପ୍ରଦାନ କରିଛି ।
ଏତଦ୍ୱାରା ସଭାପତି ମଣ୍ଡଳୀ ଶ୍ରୀ ମିଶ୍ରଙ୍କୁ ସୁଧୁରି ଯିବା ପାଇଁ ଶେଷ ସୁଯୋଗ ଦେବା ସକାଶେ ସ୍ଥିର କଲେ । ତାଙ୍କୁ ଜଣେଇ ଦିଆଯିବ ଯେ ତିନିଦିନ ଅର୍ଥାତ ୭ ତାରିଖ ଦିନ ୧ ଟା ସୁଦ୍ଧା ଏପରି ବିଶୃଙ୍ଖଳ ଆଚରଣ ପାଇଁ ସେ ଦୁଃଖ ପ୍ରକାଶ କରିବେ ଏବଂ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କର ମର୍ଯ୍ୟାଦା ହାନି କଲା ପରି ଲେଖା ପ୍ରକାଶରୁ ନିବୃତ୍ତ ହେବେ । ଯଦି, ଏହା ନହୁଏ ତାହା ହେଲେ ୭ ତାରିଖ ଦିନ ୧ ଟା ୩୦ ମିନିଟ ରେ ଭାଷା ଆନ୍ଦୋଳନର ସଭାପତି ମଣ୍ଡଳୀରୁ ତାଙ୍କୁ ଉତ୍ଖାତ କରାଗଲା ବୋଲି ଧରି ନିଆଯିବ ଏବଂ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଭାଷାପ୍ରେମୀଙ୍କୁ ସ୍ଥାନିତ କରାଯିବ । ଏହି ନୂତନ ସଦସ୍ୟ ସଭାପତି ମଣ୍ଡଳୀର ପରବର୍ତ୍ତୀ ବୈଠକରେ ମନୋନୀତ ହେବେ ।
ଗତ ବୈଠକର ବିବରଣୀ ଅନୁମୋଦିତ ହେଲା । ଭାଷା ଆନ୍ଦୋଳନର ଇ-ମେଲ ଠିକଣାରୁ ଏହି ନିଷ୍ପତି ସଭାପତି ମଣ୍ଡଳୀର ସଦସ୍ୟ ଡ. ଅଶୋକ ମିଶ୍ର ଜଣାଇବେ ବୋଲି ନିଷ୍ପତି ହେଲା ।”

କଳା ପତାକା ଅଭିଯାନ : ମଇ ୪ରୁ ୧୦

ବାତ୍ୟା ବିତ୍ପାତକୁ ଆଖିରେ ରଖି ମଇ ୩ରୁ ତିନିଦିନ ପାଇଁ କଳା ପତାକା ଅଭିଯାନ ସ୍ଥଗିତ ରଖା ହୋଇଥିଲା । ମାତ୍ର ୪ ତାରିଖରେ ବାତ୍ୟା ଓ ବର୍ଷା ଅପସରି ଯାଇ ଓଡ଼ିଆ ଭାଷାଜନନୀଙ୍କ ବିଜୟ ଯାତ୍ରା ପାଇଁ ବାଟ ଛାଡିଦେଲେ । ଫଳରେ ୪ ତାରିଖରୁ ଚାଲିଲା କଳା ପତାକା, ଯାହା ହେଉଛି ଇଂରାଜୀ ଆଧିପତ୍ୟ କବଳରୁ ଓଡ଼ିଆ ଜାତିର ମୁକ୍ତିର ପତାକା ।

ଇଣ୍ଟେର୍ନେଟ ନଥିବାରୁ ସେହିଦିନ ଠାରୁ ମଇ ୧୦ ପର୍ଯ୍ୟନ୍ତ ଏହି ଅନନ୍ୟ ଆଂଦୋଳନର ଫଟୋ ବିବରଣୀ ସାମାଜିକ ଗଣମାଧ୍ୟମରେ ଦେଇ ହୋଇ ନହିଁ । ଆଜି ଇଣ୍ଟେର୍ନେଟ ସଂଯୋଗ ସ୍ଥାପିତ ହେବାରୁ ଏଠାରେ ଏହି ସମୟର ବିବରଣୀ ଏକତ୍ର ବିଶ୍ବାର୍ପିତ ହେଲା ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ,କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ, ଧରମୁଧର ପୋଢ, ତପନ କୁମାର ସାହୁ , କୁମାରୀ ମୋନାଲିଶା ପ୍ରଧାନ, ଚିନ୍ମୟୀ ପ୍ରଧାନ, ସାର୍ଥକ ରାଉତରାଯ, ଶିଶିର କୁମାର ସାହୁ, ଆଶିଷ କୁମାର ବେହେରା ପ୍ରମୁଖ ଏହି ବାତ୍ୟା ବିଧ୍ଵସ୍ତ ସମୟରେ ଏହି ଅଭିଯାନରେ ଅଂଶ ଗ୍ରହଣ କରିଥିଲେ ।

ମଇ ୩ରେ ଚତୁର୍ଥ ବର୍ଷର ବିଂଶତିତମ ଦିବସ ବାତ୍ୟା ହେତୁ ସ୍ଥଗିତ ଥିବା ବ୍ବେଳେ ୨୧ତମ ଦିବସରୁ ୨୭ତମ ଦିବସର ଅଭିଯାନ ଏହି ଅନନ୍ୟ ଆନ୍ଦୋଳନକୁ ଔଜଲ୍ୟ ପ୍ରଦାନ କରିଥିଲା ।