ହନୁ ମଲାବେଳକୁ ସତ କହେ, ବିଜେଡ଼ି କେତେବେଳକୁ କହିବ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଭାଷାକୁ ମରଣଆଘାତ ଦେଇଥିବା ଦୋଷରେ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହେବା ପରେ ତାଙ୍କର ଉଚିତ ଥିଲା ବିଜେଡ଼ିର ସର୍ବନିୟନ୍ତା ପଦରୁ ଇସ୍ତଫା ଦେଇ ଦଳଟି ପ୍ରକୃତରେ ଯେଉଁମାନଙ୍କର ସେମାନଙ୍କ ହାତରେ ତା’ର ଭବିଷ୍ୟତ ଛାଡ଼ିଦେବା । ସେ ତାହା କଲେନି ।

ଏକ ରାଜନୈତିକ ଦଳର ସର୍ବନିୟନ୍ତା ହୋଇ ରହିବାର ମୋହ ତାଙ୍କର ଏତେ ପ୍ରଚଣ୍ଡ ଯେ, ଓଡ଼ିଆଭାଷାବିଦ୍ଵେଷ ପାଇଁ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହୋଇଥିବା ସ୍ଵୀକାର କରିବା ପରିବର୍ତ୍ତେ, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିବାରେ ତାଙ୍କୁ ସହଯୋଗ କରିଥିବା କୁଖ୍ୟାତ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ପୂର୍ଣ୍ଣ ସମର୍ଥନ କରି ଘର ପୋଡ଼ିଗଲା ପରେ ନିଦ ଭାଙ୍ଗିଥିବା ବିଜୁଆମାନଙ୍କୁ  ଚୁପ୍ କରାଇଦେଲେ ଓ ସେମାନଙ୍କୁ ଭୁଆଁ ବୁଲାଇବା ପାଇଁ ନିର୍ବାଚିତ ହୋଇପାରିଥିବା  ଅନୁଗତମାନଙ୍କ ଭିତରେ ଓଡ଼ିଶା ପ୍ରଶାସନର ବିଭିନ୍ନ ବିଭାଗ ବାଣ୍ଟି ପୋଷାମନା ମେଡ଼ିଆ ମାଧ୍ୟମରେ ଏପରି ପ୍ରଚାର କଲେ , ସତେ ଯେମିତି ସେ ନିଜେ ଭାରତର ସମ୍ବିଧାନଠୁ ଊର୍ଦ୍ଧ୍ଵତର ଓ ଭାରତରେ “ଛାୟା ମନ୍ତ୍ରୀମଣ୍ଡଳ” ପରି ଏକ ନୂଆ ବ୍ୟବସ୍ଥାର ପ୍ରବର୍ତ୍ତକ !

ଯେଉଁମାନେ ମନ୍ତ୍ରୀ ଥିବା ବେଳେ କର୍ମଚାରୀଙ୍କ ବୋଲକରା ସାଜିଥିଲେ, ଏବଂ ଏହା ଏପରି ଯେ, ଭାଷା ଆଇନରେ ଜାଲିଆତି ହୋଇଥିବା ସତ୍ତ୍ୱେ ପାଟି ଫିଟେଇବାକୁ ସାହସ କରିପାରୁନଥିଲେ, ସେମାନେ ପୁଣି କ୍ଷମତା ବାହାରେ ଛାୟା ମନ୍ତ୍ରୀ ସାଜି ନୂଆ ମନ୍ତ୍ରୀଙ୍କ ସାହାଯ୍ୟରେ ନୂଆ ପଦକ୍ଷେପ ନେବା ବେଳେ କେଉଁ କର୍ମନିର୍ବାହୀ କର୍ମଚାରୀ କେଉଁ ବିଭାଗର କେଉଁଠି ଝୁଣ୍ଟିଲେ, ତାହା ତଦ୍ବିର କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ମଙ୍ଗ ସଳଖିବେ !

ଏପରି ଏକ ଆଦେଶ ଦେଇ ନବୀନବାବୁ  ତାଙ୍କ ଅନୁଗତମାନଙ୍କ ପାଖରେ ନିଜକୁ ବିଜେଡ଼ିର ସର୍ବନିୟନ୍ତା ବୋଲି ଜାରିକରିଥିଲେ ମଧ୍ୟ,  ବିଧାନସଭା ପାଇଁ ନିର୍ବାଚନ ଜିତିଥିବା ସବୁ ସଦସ୍ଯଙ୍କୁ ସେମାନଙ୍କ ଭିତରୁ କେଇଜଣ ଛାୟାମନ୍ତ୍ରୀ ହେବା ସହ୍ୟ ବି ହେଲାନି । ପାଣ୍ଡିଆନକୁ ଗମ୍ଭୀରାରେ ରଖି ନବୀନ ଚଳାଇଥିବା ନିର୍ବାଚନୋତ୍ତର ନାଟକରେ ଅତିଷ୍ଠ ହୋଇ ତାଙ୍କ ଦଳର ମମତା ମହାନ୍ତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲା ପରେ ସେ  ଏକ ନୂଆ ଭେଳିକି ସୃଷ୍ଟି କରିଛନ୍ତି । ତାହା ହେଲା – ତାଙ୍କ ଦଳରେ “ସମନ୍ଵୟ ଓ କାର୍ଯ୍ୟାନ୍ବୟନ” ପାଇଁ ଏକ ୧୫ ଜଣିଆ କମିଟି । ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଜ ନିର୍ବାଚନମଣ୍ଡଳୀ ନରସିଂହପୁରର ଏକ ଜନସଭାରେ ସର୍ବପ୍ରଥମେ ଘୋଷଣା କରିଥିବା  ଦେବୀ ପ୍ରସାଦ ମିଶ୍ର ଏହି କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ଉଲ୍ଲେଖନୀୟ । 

ଆମ ପାଇଁ କୌତୁହଳର କଥା ହେଲା, ଏହି କମିଟିରେ କେତେକଙ୍କ ସଦସ୍ଯତା, ଯେଉଁମାନଙ୍କ କାପୁରୁଷତା ହେତୁ ନବୀନ ପଟ୍ଟନାୟକ କ୍ଷମତାରୁ ଅବଶେଷରେ ହଟିଲେ । ସେମାନେ ହେଲେ, ଦେବୀବାବୁଙ୍କ ସାଙ୍ଗକୁ ବାବୁ ଅରୁଣ କୁମାର ସାହୁ ଓ ବାବୁ ବିକ୍ରମ ଆରୁଖ । ଏହି ତିନିଜଣ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ର କାର୍ଯ୍ୟକରିତା ପାଇଁ ୨୦୧୫ରେ ନବୀନ ବାବୁ କବି ଗଜାନନ ମିଶ୍ରଙ୍କ ଆମରଣ ଅନଶନ ଚାପରେ ପଡ଼ି ଯେଉଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ତହିଁରେ ସଦସ୍ୟ ଥିଲେ  । ସେହି କମିଟିର ଜଣେ ସଦସ୍ୟ ଭାବେ ମୁଁ ଭାଷା ଆଇନ ସଂଶୋଧନ ପାଇଁ ଯେଉଁ ପ୍ରସ୍ତାବ ଓ ଚିଠା ଦେଇଥିଲି ଏବଂ ତଦ୍ଦୃପ ଆଇନସଂଶୋଧନ ପରେ ବିଧିଭୁକ୍ତ ହେବା ପାଇଁ ନିୟମାବଳୀ ପ୍ରଣୟନ ପାଇଁ ପ୍ରସ୍ତାବ ସହ ତହିଁର ଯେଉଁ ଚିଠା ଦେଇଥିଲି ତାହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲା ଓ ତଦନୁଯାୟୀ ପଦକ୍ଷେପ ନେବାକୁ ଆଇନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲା । ସମତାଳରେ ‘ଓଡ଼ିଆରେ ଶାସନ’ ନାମକ ଏକ ନଭମଞ୍ଚ (website) ଖୋଲାଯାଇ ତହିଁରେ ତାହାକୁ ସ୍ଥାନିତ କରାଯାଇଥିଲା । ବ୍ୟବସ୍ଥା ଥିଲା ଯେ, ଯେ କୌଣସି ଓଡ଼ିଆ ଭାଷା ଆଇନ ପ୍ରତି କୌଣସି କର୍ମଚାରୀ/ପଦାଧିକାରୀଙ୍କ ଅବଜ୍ଞା ଦେଖିଲେ ସେହି ନଭମଞ୍ଚରେ ତାହା ଉଲ୍ଲେଖ କରିପାରିବେ ଓ ତହିଁ ଉପରେ  କାର୍ଯ୍ୟାନୁଷ୍ଠାନ କରି ସରକାର ମଧ୍ୟ ସେହି ନଭମଞ୍ଚରେ ତାହା ସ୍ଥାନିତ କରିବେ । କିନ୍ତୁ ନବୀନବାବୁ ସେହି ମନ୍ତ୍ରୀସ୍ତରୀୟ କମିଟିକୁ ଲୋପ କରିଦେଲେ, ଭାଷା ଆଇନକୁ ସଂଶୋଧନ ବାହାନାରେ ଜାଲିଆତି ପ୍ରୟୋଗ ଦ୍ଵାରା ଅକର୍ମଣ୍ୟ କରିଦେଲେ । ୨୦୧୮ ସଂଶୋଧନ ସବୁ ଜଳିଆତିକୂ ଟପିଯାଇଥିଲା  । ଆଇନ ବିଭାଗର ପେନ୍ସିଲ ଭେଟିଙ୍ଗ ଅନୁସାରେ ଲିଖିତ ଯେଉଁ ବିଧେୟକକୁ ୧୪.୩.୨୦୧୮ ତାରିଖରେ ରାଜ୍ୟ କ୍ଯାବିନେଟ ଗ୍ରହଣ କରିଥିଲା ସେହି ବିଧେୟକକୁ ବିଧାନସଭା ନଥିରୁ ବାହାର କରିନେଇ ନବୀନବାବୁ ତହିଁ ସ୍ଥାନରେ ଏକ ଜାଲ୍ ବିଧେୟକ ରଖି ବିକ୍ରମ ଆରୁଖଙ୍କ ଦ୍ଵାରା ୧.୫.୨୦୧୮ ତାରିଖରେ ତାକୁ ବିଧାନସଭାରେ ପରୀତ କରାଇଲେ । ଏହା ବିକ୍ରମ ଆରୁଖ ଜାଣନ୍ତି । ଜାଲ୍  ବିଧେୟକକୁ ପାରିତ  କରାଇବାକୁ   ନବୀନ ବାବୁ ଏତେ ବ୍ଯଗ୍ର ଥିଲେ ଯେ, ତହିଁର  ଉପସ୍ଥାପନାଠୁ ବିତର୍କ ଶେଷ ପର୍ଯ୍ୟନ୍ତ ପ୍ରତି ପର୍ଯ୍ୟାୟରେ ଆରୁଖ କା’ଣ କହିବେ ତାହା ନବୀନଙ୍କ ଦପ୍ତର ତାଙ୍କୁ ଲେଖିକରି ଦେଇଥିଲା ଓ ସେ ସେହି ଲେଖାକୁ କାମିଜ ପକେଟରୁ ବାହାର କରି ପଢିବାକୁ ବାଧ୍ୟ ହୋଇଥିଲେ । ଆଇନ ବିଭାଗର ମନ୍ତ୍ରୀ ଭାବେ ଅରୁଣ ସାହୁ ନୀରବ ଦ୍ରଷ୍ଟା ସାଜି ବସିଥିଲେ । ଉପରୋକ୍ତ କ୍ଯାବିନେଟ ବୈଠକ ନବୀନ ପଟ୍ଟନାୟକଙ୍କ ସ୍କାମର ଶିକାର ହୋଇଥିଲା । ଏହି ତିନି ବ୍ୟକ୍ତି ଯଦି କାପୁରୁଷତା ପ୍ରଦର୍ଶନ କରିନଥାନ୍ତେ ଏପରି ଏକ କ୍ଯାବିନେଟ୍ ସ୍କାମ୍ ପାଇଁ ନବୀନ ସାହସ କରିପାରିନଥାନ୍ତେ କି ଓଡ଼ିଆ ଜାତିର ଏତେବଡ଼ କ୍ଷତି କେବେ ବି ଘଟିପାରିନଥାନ୍ତା । 

ଏ ପାପର ଫଳ ନବୀନ ପାଇଛନ୍ତି । ଏ ତଥାକଥିତ ସମନ୍ଵୟ କମିଟି ଯେତେ କାପ ପକା ପରିଶ୍ରମ କଲେ ମଧ୍ୟ ଆମ ଭାଷାଜନନୀର ଅଭିଶାପରେ ବିଜୁ ଜନତା ଦଳ ମୂଳପୋଛ ହେବାକୁ ଯାଉଛି, ଯେମିତି ହୋଇଥିଲା ବିଜୁଙ୍କ ଉତ୍କଳ କଂଗ୍ରେସ । 

ଆମ ଓଡ଼ିଆ ପୂର୍ବଜେ କାହିଁକି ଏହା କହିଥିଲେ ସେମାନେ ଜାଣନ୍ତି, ମାତ୍ର କଥାଟି ହେଲା, “ହନୁ ମଲା ବେଳକୁ ସତ କହେ ।” 

ମରଣମୁଖୀ ବିଜେଡ଼ିର ଜୀବନରକ୍ଷା ପାଇଁ ସମନ୍ଵୟ ଦାୟିତ୍ଵ ଗ୍ରହଣ କରିଥିବା ଉପରୋକ୍ତ ତିନି “ମନ୍ତ୍ରୀସ୍ତରୀୟ କମିଟି” ସଦସ୍ୟ ଏବେ ହେଲେ ସତ୍ୟ ସ୍ଵୀକାର କରନ୍ତେ ଓ ଓଡ଼ିଆ ଭାଷା ବିଦ୍ଵେଷୀ ନବୀନ ପଟ୍ଟନାୟକଙ୍କୁ ନିଜ ଦୋଷ ସ୍ଵୀକାର ପାଇଁ ପ୍ରବର୍ତ୍ତାନ୍ତେ ! କିଛି ତ ପାପ କ୍ଷୟ ହୁଅନ୍ତା ଓ ଓଡ଼ିଆ ଜାତିର ଭାଷା ଅଧିକାର ପଥରୁ ଅନ୍ତରାୟ କିଛି ପରିମାଣରେ ଅପସାରିତ ହୁଅନ୍ତା !

ବିଧାନସଭା// ରାଜ୍ୟପାଳଙ୍କ ହିନ୍ଦୀ ଭାଷଣ ଓଡ଼ିଆ ଅସ୍ମିତା ପ୍ରତି ଉପହାସ: ପ୍ରତିବାଦ ନକରି ନବୀନଙ୍କ ପଳାୟନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ନୂଆ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିବସ ଥିଲା ଓଡ଼ିଶା ପାଇଁ ଏକ ଅପମାନଜନକ ଦିବସ । ଏଦିନ ପ୍ରଥମଥର ପାଇଁ ହିନ୍ଦୀଭାଷାରେ ଶୁଣିବାକୁ ପଡ଼ିଥିଲା ରାଜ୍ୟପାଳଙ୍କ ପାରମ୍ପାରିକ ଭାଷଣ ! ଏହା ଓଡ଼ିଆ ଅସ୍ମିତା ପ୍ରତି ଥିଲା ଏକ ଉତ୍କଟ ଉପହାସ । ଏହାର ପ୍ରତିବାଦ ନକରି, ବିରୋଧୀ ଦଳ ନେତା ବନିଥିବା ନବୀନ ପଟ୍ଟନାୟକ ପଳାୟନ କରିବା ଥିଲା ତତୋଧିକ ଅପମାନଜନକ ଓଡ଼ିଆ ଜାତି ପାଇଁ ।    

ଇତିହାସ ଜାଣେ , ବ୍ରିଟିଶ ଶାସନ କାଳରେ ଓଡ଼ିଆ ଭାଷା ବିଲୋପ କରିବା ପାଇଁ ହିନ୍ଦୀ ଭାଷାଭାଷୀମାନେ ଜଘନ୍ୟ ଚକ୍ରାନ୍ତ ଚଳାଇଥିଲେ । ଓଡ଼ିଆ ଜାତି ଯଦି ସେ ଚକ୍ରାନ୍ତକୁ ପଣ୍ଡ କରିନଥାନ୍ତା, ସମଗ୍ର ସମ୍ବଲପୁର ଇଲାକା, ଯାହାକୁ ଏକ ଲାଭଲିପ୍ସୁ ଖବରକାଗଜ ସମ୍ବାଦ “ପଶ୍ଚିମ ଓଡ଼ିଶା” କହି ବିଷ ମଞ୍ଜି ବୁଣିଛି, ରହି ଯାଇଥାନ୍ତା ମଧ୍ୟପ୍ରଦେଶରେ । 

ଜାତି ଉପରେ ବିପତ୍ତି 

ବ୍ରିଟିଶ ବିରୁଦ୍ଧରେ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ କେବଳ ଓଡ଼ିଆ ଭାଷାଭାଷୀମାନେ ହିଁ କରିଥିଲେ (ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ ଜୟ ଦେବଙ୍କ ବାଇଶି ପାହାଚ, ଭାରତ ଭାରତୀ, କଟକ, ୨୦୦୫ ପୃଷ୍ଠା ୩୯ )।  ସେ ସଂଗ୍ରାମ ପ୍ରତ୍ଯକ୍ଷ କରିଥିବା ଜି. ଟୟନବୀ ଲେଖିଛନ୍ତି : ଆମେ ଏପରି ଏକ ଆକସ୍ମିକ ଝଡ଼ର ସମ୍ମୁଖୀନ ହୋଇଥିଲୁ ଯାହାର ଜଳନ୍ତା ନିଆଁ ପରି ଉତପ୍ତ ପ୍ରାଖର୍ଯ୍ୟ  ଆମକୁ ସମଗ୍ର ଓଡ଼ିଶାରୁ ନହେଲେ ମଧ୍ୟ ଖୁରୁଧା ମୁଲକରୁ ନିକାଲି ଦେଇ ପାରେ ବୋଲି ଆମ ମନରେ ଭୀତି ସଂଚାର ହୋଇଥିଲା  (“we had to encounter a storm which burst with so sudden furry as to threaten our expulsion, if not from the whole of Orissa, at least from the territory of Khurda” (G. Toynbee, A sketch of the history of Orissa). ବ୍ରିଟିଶ ଆଇନ ରକ୍ଷକ ଡବ୍ଲୁ ଫରେଷ୍ଟର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ, ଓଡ଼ିଆ ଲୋକଙ୍କ ମିଜାଜ ଏମିତି ବୀରତ୍ଵବ୍ୟଞ୍ଜକ ଯେ, ସୈନ୍ୟବଳ ବା ପୋଲିସ ପ୍ରୟୋଗ କରି ସେମାନଙ୍କୁ ବଶୀଭୂତ କରିହେବନି ( କମିଶନର ରବର୍ଟ କେରଙ୍କୁ ଫରେଷ୍ଟରଙ୍କ ରିପୋର୍ଟ, ତ। ୯.୯.୧୮୧୮) । କିପରି ଭାବେ ଏହି ଅସାଧାରଣ ବୀର ଜାତିକୁ ଆୟତ୍ତ କରିହେବ – ଏହି ଚିନ୍ତାରେ ପଡ଼ି ବ୍ରିଟିଶ ନାନା କୂଟକୌଶଳ ପ୍ରୟୋଗ କରିଥିଲା ।  ତନ୍ମଧ୍ୟରୁ ପ୍ରଧାନ ଥିଲା ଓଡ଼ିଆ ଭାଷାଭାଷୀ ଭୂଖଣ୍ଡର ବିଭାଜନ ଓ ବିଭାଜିତ ଓଡ଼ିଆ ଅଞ୍ଚଳର  ନିକଟସ୍ଥ ଅଣଓଡ଼ିଆ ପ୍ରଦେଶରେ ସଞ୍ଜୁକ୍ତିକରଣ । ତଦ୍ଦ୍ଵାରା ଓଡ଼ିଆଭାଷାଭାଷୀମାନେ ଅଣଓଡ଼ିଆ ପ୍ରଦେଶମାନଙ୍କରେ ସଂଖ୍ୟାଲଘୁ ହୋଇଗଲେ ଓ ଅପରାଜେୟ ଓଡ଼ିଆ ଜାତି ଭୟଙ୍କର ବିପତ୍ତିରେ ପଡ଼ିଗଲା । ଏ ବିପତ୍ତି ବଢିଗଲା, ଯେତେବେଳେ ସେହି ସେହି ପ୍ରଦେଶର ଭାଷା ମଧ୍ୟ କାର୍ଯ୍ୟାଳୟ- ଭାଷା ରୂପେ ଓଡ଼ିଆମାନଙ୍କ ଉପରେ ଲଦି ଦିଆଗଲା । 

ନିଜ ଭାଷା ପାଇଁ ନିଜ ରାଜ୍ୟ ଦାବି 

ଓଡ଼ିଆଙ୍କ ପ୍ରତିବାଦ ବିରୁଦ୍ଧରେ ବ୍ରିଟିଶର ଯୁକ୍ତି ଥିଲା,  ଯେଉଁ ପ୍ରଦେଶରେ ସଂଖ୍ୟାଧିକ ଲୋକଙ୍କ ଭାଷା ଯାହା ତାହା ହିଁ  ହେବ ସେହି ପ୍ରଦେଶର କାର୍ଯ୍ୟାଳୟ-ଭାଷା । ଏଥିରେ ହତାଶ ହୋଇ ନିଜ ଭାଷାକୁ କାର୍ଯ୍ୟାଳୟ- ଭାଷା କରିବା ସକାଶେ ଓଡ଼ିଆ ଭାଷାଭାଷୀ ଅଞ୍ଚଳସମୁଦୟକୁ ଏକତ୍ର କରି ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁ ଓଡ଼ିଆ ଜାତି ଦାବି ତୋଳିଲା । ଏହା କରାଇ ନଦେବା ପାଇଁ ତେଲୁଗୁ, ବଙ୍ଗାଳୀ ହିନ୍ଦୀଭାଷୀମାନେ ପ୍ରବଳ ଷଡ଼ଯନ୍ତ୍ର କରିଥିଲେ । 

ହିନ୍ଦୀ ବିରୁଦ୍ଧରେ ସମ୍ବଲପୁରରେ ଓଡ଼ିଆ ଜାତୀୟତାର ଜାଗରଣ 

ଓଡ଼ିଆ ଜାତି ତେଲୁଗୁ ଓ ବଙ୍ଗାଳୀ ପ୍ରାଦୁର୍ଭାବକୁ ପ୍ରାୟତଃ ଅତିକ୍ରମ କରିଥିବା ବେଳେ, ସମ୍ବଲପୁର ଇଲାକାର କାର୍ଯ୍ୟାଳୟ-ଭାଷାଭାବେ ଓଡ଼ିଆ ସ୍ଥାନରେ ହିନ୍ଦୀ ପ୍ରଚଳନ ପାଇଁ ହିନ୍ଦୀ ଭାଷାଭାଷୀ କର୍ମଚାରୀମାନେ ମଧ୍ୟପ୍ରଦେଶର ବ୍ରିଟିଶ କମିସନରଙ୍କୁ ପ୍ରବର୍ତ୍ତାଇଲେ ।   ଏହାର ବର୍ଣ୍ଣନା କରି ସ୍ଵଭାବକବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀର କ୍ଷୋଭ’ ଶୀର୍ଷକରେ ଲେଖିଥିଲେ – 

“ସମ୍ବଲପୁରର ଅଧିବାସୀମାନେ ଉତ୍କଳ ଚିର ସନ୍ତାନ

ହିନ୍ଦୀ ଆଧିପତ୍ୟ ହୋଇବା ସେଠାରେ ଶୁଣି ସର୍ବେ ହତଜ୍ଞାନ ।”

ଜନସାଧାରଣଙ୍କ ପ୍ରତିବାଦ ସତ୍ତ୍ୱେ ହିନ୍ଦୀଭାଷୀମାନେ ସେଠାରେ ହିନ୍ଦୀକୁ ରାଜଭାଷା କରାଇଦେଲେ । ପୂର୍ବରୁ ଧରଣିଧର ମିଶ୍ରଙ୍କ ନେତୃତ୍ବରେ ଏକ ବିଶାଳ ଜନସଭା ହୋଇ ସ୍ପଷ୍ଟ କରାହୋଇଥିଲା ଯେ, ବେପାରବଣିଜ ପାଇଁ ଆସିଥିବା ହିନ୍ଦୀଭାଷୀମାନେ ସମ୍ବଲପୁର ଜିଲ୍ଲାରେ ବସବାସ କରିଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ଶତକଡ଼ା ୫ ରୁ ଅଧିକ ନୁହେଁ । ଅଧିକନ୍ତୁ ଓଡ଼ିଆ ଭାଷା ସେମାନଙ୍କ ହିନ୍ଦୀ ଭାଷାକୁ ଏପରି ଗ୍ରାସ କରିଯାଇଛି ଯେ, ତହିଁରୁ ଯେଉଁ କାମଚଳା କଥିତ ଭାଷା ବାହାରିଛି ତାହା ‘ଲାରିୟା’ ଭାବେ ପରିଚିତ । ଅତଏବ, ସମ୍ବଲପୁର ଇଲାକାରେ ବେପାର କରୁଥିବା ହିନ୍ଦୀଭାଷୀଙ୍କ ମୂଳ ଭାଷା ଓଡ଼ିଆ ଭାଷା ପାଖରେ ନିଜ ଅସ୍ତିତ୍ଵ ସମର୍ପଣ କରି ଲାରିୟାରେ ପରିଣତ ହୋଇଛି ଓ ତାହାର ପରିବ୍ୟାପ୍ତି ଅତିବେଶୀରେ ପାଞ୍ଚ ଶତାଂଶ ଲୋକଙ୍କ ଭିତରେ ସୀମିତ। ଅବଶିଷ୍ଟ ଅନ୍ଯୁନ ୯୫ ଶତାଂଶ ଅଧିବାସୀଙ୍କ ଭାଷା ଓଡ଼ିଆ । ସୁତରାଂ ସେଠାରେ ଓଡ଼ିଆ ସ୍ଥାନରେ ହିନ୍ଦୀ ପ୍ରଚଳନ ଆଦୌ ଗ୍ରହଣୀୟ ନୁହେଁ । ତଥାପି ହିନ୍ଦୀଭାଷୀ କର୍ମଚାରୀମାନଙ୍କ ଷଡ଼ଯନ୍ତ୍ର ହେତୁ ମଧ୍ୟପ୍ରଦେଶ କମିଶନର ହିନ୍ଦୀକୁ ହିଁ ଓଡ଼ିଆ ମୂଳକରେ ବଳବତ୍ତର କରିଦେଲେ ।  ସ୍ଵଭାବକବି ଲେଖିଥିଲେ –

“ସମ୍ବଲପୁରରୁ ଓଡ଼ିଆ ନିର୍ମୂଳ ହେବାର କାରଣ ଏହି 

ରାଜକର୍ମଚାରୀ , ହିନ୍ଦୀ ବାନା ଧରି ମହାରାଷ୍ଟ୍ରୀ ଛନ୍ତି ରହି ।”

ଭାଷା ହିଁ ଅସ୍ତିତ୍ଵ । ନିଜ ଭାଷା ପ୍ରତି ଏହି ଭୟଙ୍କର ବିପଦରେ ନିରବ ନରହି ବ୍ରଜମୋହନ ପଟ୍ଟନାୟକ, ମଦନମୋହନ ମିଶ୍ର, ମହାନ୍ତ ବିହାରୀ ଦାସ ଓ ବଳଭଦ୍ର ସୁଆର  ବଡଲାଟ ଲର୍ଡ କର୍ଜନଙ୍କୁ ଏକ ସ୍ମାରକ ପତ୍ର ଦେଇ ଦାବି କଲେ, “ଯଦି ଏକ ପ୍ରଦେଶରେ ଗୋଟିଏ ଜିଲ୍ଲାର ଭାଷାକୁ ପ୍ରଦେଶର ରାଜଭାଷା କରିବା ସୁବିଧାଜନକ ହେଉନି, ତେବେ ଆମ ଜିଲ୍ଲାକୁ ଓଡ଼ିଶାକୁ ଫେରାଇ ଦିଆଯାଉ (“Once it is considered impossible to introduce Oriya in only one district of Central Provinces, our district should be returned to Orissa.”) ।   

ଲର୍ଡ କର୍ଜନ ମଧ୍ୟପ୍ରଦେଶ କମିଶନର ଆଣ୍ଡୃ ଫ୍ରେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସମ୍ବଲପୁର ଜିଲ୍ଲା ଗସ୍ତ କରି ଓ ସରଜମିନ ତଦନ୍ତ କରି ଜିଲ୍ଲାଟିର  ଭାଷା ପ୍ରକୃତରେ କା’ଣ ତାହା ତାଙ୍କୁ ଜଣାଇବାକୁ । ଏକଥା ୧୨.୯.୧୯୦୧ ତାରିଖରେ ମଧୁବାବୁଙ୍କୁ ଜଣାଇ ସେ କହିଥିଲେ ଯେ, ସମ୍ବଲପୁର ମଧ୍ୟପ୍ରଦେଶରେ ରହିବ କି ଓଡ଼ିଶାକୁ ଫେରିବ ତାହା ନିର୍ଭର କରିବ ଫ୍ରେଜରଙ୍କ ରିପୋର୍ଟ ଉପରେ । ଫ୍ରେଜର ସରଜମିନ ତଦନ୍ତ କରି ଜଣାଇଥିଲେ ଯେ ଜିଲ୍ଲାଟିର ଭାଷା ଓଡ଼ିଆ । ସମ୍ବଲପୁର ଓଡ଼ିଶାକୁ ଫେରିଲା । 

କିନ୍ତୁ ଆମ ଜାତୀୟ ସତ୍ତାକୁ  ସେହି ସର୍ବୋଚ୍ଚ ପାଞ୍ଚ ଶତାଂଶ ହିନ୍ଦୀଭାଷୀ ବେପାରୀ ଯେଉଁ କ୍ଷତି ପହଞ୍ଚାଇଥିଲେ , ତାହା ସେତେବେଳେ ବ୍ୟର୍ଥ ହୋଇଥିଲେ ମଧ୍ୟ ହିନ୍ଦୀଭାଷୀମାନେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଅଣଓଡ଼ିଆପ୍ରୀତିର ସୁଯୋଗ ନେଇ ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ପୁଣି ଥରେ ପଶିମ ଓଡ଼ିଶାକୁ ଗ୍ରାସ କରି ସେଠାରେ ଓଡ଼ିଆ ଅସ୍ତିତ୍ଵ ଲୋପ କରିବା ପାଇଁ ମୁଖବ୍ୟାଦାନ କରିଛନ୍ତି । ପ୍ରଶାସନରେ ଇଂରାଜୀ ଆମପାଇଁ ଯେମିତି ବିପଦ, ଆମ ଭୌଗୋଳିକ ଓ ସାମାଜିକ ସତ୍ତାରେ ହିନ୍ଦୀ ସେମିତି ଆମ ପାଇଁ ଏକ ନୂଆ ବିପଦ ଭାବେ ଉଭା ହୋଇଛି । 

ହିନ୍ଦୀଭାଷୀ ରାଜ୍ୟପାଳ ଆମ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ହିନ୍ଦୀରେ ଭାଷଣ ଦେଇ ଆମ ଜାତିର ଆତ୍ମସମ୍ମାନବୋଧକୁ ଉପହାସ କରିଛନ୍ତି । ଓଡ଼ିଆବିଦ୍ଵେଷୀତା ପାଇଁ କ୍ଷମତାରୁ ତଡ଼ା ଖାଇଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳର ମୁଖ୍ୟ ଥାଇ, ରାଜ୍ୟପାଳଙ୍କ ଭାଷଣରେ ହିନ୍ଦୀ ବ୍ୟବହାରକୁ ନିନ୍ଦା କରିବା ପରିବର୍ତ୍ତେ ଅନ୍ୟ ଏକ ଆଳରେ କକ୍ଷ ତ୍ୟାଗ କରି ପଳାଇବା ଓଡ଼ିଆ ଜାତିର ମର୍ଯ୍ୟାଦା ପ୍ରତି ତାଙ୍କ ଅଭ୍ୟସ୍ତ ଅବମାନନା ଅକ୍ଷୁର୍ଣ୍ଣ ଥିବାର ଏକ ନୂଆ ପ୍ରମାଣ  ।       

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୧୧

ପୂର୍ବପ୍ରକାଶିତ ଉତ୍ତାରୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ପୂର୍ବରୁ ସୁଚାଇଛି କି, ମୋର ଏହି ସାମ୍ବାଦିକୀୟ ଉଦ୍ୟମର ଏକ ସମାନ୍ତରାଳ ଉଦ୍ୟମ ଚଳାଇଥିଲେ ଓଡ଼ିଆ ଭାଷାରେ ଆଇନ ବ୍ୟବସାୟ କରିବା ପାଇଁ ବ୍ୟଗ୍ର ଓକିଲ ଓ କବି ଗଜାନନ ମିଶ୍ର (ଯାହାଙ୍କୁ ମୁଁ ଶ୍ରଦ୍ଧାରେ ଭାଷା ତପସ୍ଵୀ ବୋଲି କହେ) । ତାଙ୍କ ମହକିଲମାନଙ୍କୁ ଓଡ଼ିଆରେ ନ୍ୟାୟ ଦେବା ପାଇଁ ତାଙ୍କ ଚେଷ୍ଟା ଟିଟିଲାଗଡ଼ ଅଦାଲତରେ ଖାରଜ ହୋଇଗଲା ପରେ ସେ ଓଡ଼ିଶା ଉଚ୍ଚ ଅଦାଲତର ଦ୍ଵାରସ୍ଥ ହୋଇଥିଲେ । ଏହି ଐକାନ୍ତିକ ପ୍ରଚେଷ୍ଟା ବ୍ୟର୍ଥ ହୋଇନଥିଲା । ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ୧୨.୧.୨୦୧୨ ତାରିଖରେ ତାଙ୍କ ଉଦ୍ୟମକୁ ସମର୍ଥନ କରିଥିଲେ ନିମ୍ନୋଦ୍ଧୃତ୍ତ ଭାଷାରେ :

“Thus, while setting aside the impugned order, the learned Civil Judge (Sr.Divn.), Titilagarh is directed to follow the provisions contained in Section 137(3) of the Code of Civil Procedure and he shall reconsider the prayer of the petitioner for supplying her the Odiya version of the written statement filed by the defendant in C.S. No.50 of 2009 within a period of fifteen days from the date of receipt of this order.” (W.P. ( C ) No.139 of 2012).

ଏହି ନ୍ୟାୟିକ ଉପଲବ୍ଧି ଅଣଓଡ଼ିଆ ଅଧ୍ୟୁଷିତ ଓଡ଼ିଶା ଅମଲାତନ୍ତ୍ରକୁ ଚମକାଇଦେଇଥିଲା । ନ୍ୟାୟିକ ସ୍ତରରେ ଯଦି ଓଡିଆ ଭାଷା ପ୍ରୟୋଗ ହୁଏ, ପ୍ରଶାସନିକ ସ୍ତରରେ ତାକୁ ଅଟକାଇବ କିଏ? ତେଣୁ ଗଜାନନବାବୁଙ୍କ ଐତିହାସିକ ଉପଲବ୍ଧିକୁ ପରାଗଗ୍ରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅନୁଗୃହୀତ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ାଙ୍କୁ କ୍ଷମତାସୀନ ଗୋଷ୍ଠୀ ବ୍ୟବହାର କରିଥିଲା । ସେ ‘ଭାଷା ସୁରକ୍ଷା ସମ୍ମିଳନୀ’ ନାମକ ଏକ ବୈଠକୀମଞ୍ଚ ସୃଷ୍ଟିକରି ଭାଷା ଆଇନ କାର୍ଯ୍ୟକାରୀ ହେଉ ବୋଲି ଦାବି କରୁଥାନ୍ତି ଓ ସରକାରୀ ପ୍ରୋତ୍ସାହନ ହେତୁ ତାହା ଗଣମାଧ୍ୟମରେ ପ୍ରସାରିତ ହୋଇ ଚାଲିଥାଏ । ସରକାରୀକଳ ନିଶ୍ଚିନ୍ତ ରହିଥାଏ , କାରଣ ୧୯୫୪ରେ ଭାଷା ଆଇନ (Orissa Official Language Act ,1954) ତତ୍କାଳ ଲାଗୁ ହୋଇସାରିଥିବା (“come into force at once”) ହେତୁ ବୈଷ୍ଣବବାବୁଙ୍କ ଦାବିର କୌଣସି ନୂତନତ୍ଵ ନଥାଏ । ଅଥଚ, ସେ ଓଡ଼ିଶାର ସରକାରୀ ପୋଷାମନା ଗଣମାଧ୍ୟମରେ ପ୍ରଚୁର ପ୍ରଚାର ଅର୍ଜନ କରୁଥାନ୍ତି ।

ଭିନ୍ନଭାବେ କହିଲେ, ଗଜାନନବାବୁଙ୍କ ଉପଲବ୍ଧିକୁ ପରାଗଗ୍ରସ୍ତ କରିବା ପାଇଁ ସରକାରୀକଳ ତାଙ୍କୁ ଓ ସରକାରଙ୍କ ଅନୁଗତ ଗଣମାଧ୍ୟମକୁ ଉପଯୋଗ କରୁଥାନ୍ତି । ଲୋକଚକ୍ଷୁରେ ବିଶ୍ଵାସଭାଜନ ହୋଇ ରହିବାକୁ ସେ ନବୀନବାବୁଙ୍କୁ ମଝିରେ ମଝିରେ ଉତ୍କଟ ସମାଲୋଚନା ବି କରୁଥାନ୍ତି । ଅଥଚ ନବୀନ ବାବୁ ତାଙ୍କ ବିରୁଦ୍ଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରୁନଥାନ୍ତି କି ତାଙ୍କର କୌଣସି ଅନୁଗତ ସେଥିପାଇଁ ବୈଷ୍ଣବବାବୁଙ୍କୁ ସମାଲୋଚନା କରୁନଥାନ୍ତି । କାରଣ ସେମାନେ ଜାଣିଥାନ୍ତି ଯେ, ସେ ତାହା ହିଁ କରୁଥିଲେ ଯାହା ସେ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଥିଲେ । ଗଜାନନ ବାବୁ ତାଙ୍କୁ “ଦୋମୁଣ୍ଡିଆ ବ୍ୟକ୍ତି” ବୋଲି ବର୍ଣ୍ଣନା କରି ମନ୍ତ୍ରୀସ୍ତରୀୟ କମିଟିରେ ତାଙ୍କ ସଦସ୍ୟତାକୁ ସରକାରଙ୍କ ଭାଷା ବିଦ୍ଵେଷୀ ଅଭିସନ୍ଧି ସହ ଯୋଡ଼ିଥିଲେ (ସମାଜ, ୧୦.୮.୨୦୧୫) । ଓଡ଼ିଆ ଭାଷାର କାର୍ଯ୍ୟକାରିତା ଯଦି ତାଙ୍କ ପ୍ରକୃତ ଅଭିଳାଷ ହୋଇଥାନ୍ତା ସେ ଗଜାନନବାବୁଙ୍କୁ ସହଯୋଗ କରିଥାନ୍ତେ । ତା ନକରି ତାଙ୍କୁ ବିରୋଧ କରିଥିଲେ ଓ ତାଙ୍କ ଘରକୁ ଯାଇ ଭୟ ପ୍ରଦର୍ଶନ କରିଥିଲେ । (‘ଭାଷା ଆନ୍ଦୋଳନ ଓ ବର୍ତ୍ତମାନ ଆମେ’, ଗଜାନନ ମିଶ୍ର, ସମ୍ବାଦ ୧୯. ୧୦. ୨୦୧୭) । ଅତଏବ, ଓଡ଼ିଆ ଭାଷାରେ ନ୍ୟାୟ ପାଇବା ପାଇଁ ଓଡ଼ିଆମାନଙ୍କ ଅଧିକାରକୁ ବିରୋଧ କରୁଥିଲେ ବୈଷ୍ଣବ ବାବୁ । ସାଧାରଣ ସରଳ ବିଶ୍ଵାସୀ ଓଡ଼ିଆ ଏହା ସହଜେ ଜାଣିପାରୁନଥିଲା । (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ – ୧୦

ପୂର୍ବପ୍ରକାଶିତ ଉତ୍ତାରୁ 

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଓଡ଼ିଶାର ଭାଷାବିଦ୍ଵେଷୀ ସରକାର ଚମକି ପଡ଼ିଥିଲା, କାରଣ, ଆମ ଭାଷାକୁ ବିଜୁ ପଟ୍ଟନାୟକ କିପରି ଛୁରିମାରିଥିଲେ ଓ ବିଜୁ-ନବୀନ ବାପପୁଅଯୋଡ଼ିଙ୍କ ହେତୁ ଓଡ଼ିଆ ଭାଷା କାର୍ଯ୍ୟଭାଷା ନହୋଇପାରି କିପରି ବିପନ୍ନ ହୋଇ ପଡ଼ିଛି, ତାହା ମୁଁ ଏହି ବହିର ‘ପ୍ରାକ୍ କଥନ’ରେ ଦର୍ଶାଇଥିଲି । ମୁଖ୍ୟମନ୍ତ୍ରୀଙ୍କ ପାଖଲୋକେ ତାଙ୍କୁ ବୁଝାଇଥିଲେ ଯେ, ସରକାରୀ ଦପ୍ତରରେ ଓଡ଼ିଆ ଭାଷାରେ କାମ କରିବାକୁ ଗୋଟେ ଆଦେଶ ଜାରି କରିବାକୁ ହେବ । ଫଳରେ ନବୀନଙ୍କ ୧୦ ବର୍ଷ ଶାସନ କାଳରେ ଯାହା ହୋଇନଥିଲା, ତାହା ହେଲା ୨୦୦୯ ନଭେମ୍ବରରେ, ତାଙ୍କ ମୁଖ୍ୟମନ୍ତ୍ରୀତ୍ଵର ତୃତୀୟ ପାଳିର ୬ ମାସ ପରେ । ନିମ୍ନ ସରକାରୀ ଦଲିଲ ଉପରେ ଦୃଷ୍ଟି ଦିଆଯାଉ :

ଓଡ଼ିଶା ସରକାର
ସାଧାରଣ ପ୍ରଶାସନ ବିଭାଗ
ନମ୍ବର -Co-ord-07/09 -22529 /Gen , Bhubaneswar , dated the 9th Nov. 2009
ପ୍ରାପ୍ତେଷୁ,
ସମସ୍ତ ଶାସନ ସଚିବ ।
ବିଷୟ – ସରକାରୀ କାର୍ଯ୍ୟ ନିର୍ବାହରେ ଓଡ଼ିଆ ଭାଷାର ପ୍ରଚଳନ ।
ମହାଶୟ,
ନିର୍ଦ୍ଦେଶକ୍ରମେ ମୁଁ ଏହି ବିଭାଗର ତା ୨୧.୩.୯୫ରିଖ ପତ୍ର ସଂଖ୍ୟା ୫୩୪୫ ଓ ତା ୬.୫.୯୫ରିଖ ପତ୍ର ସଂଖ୍ୟା ୮୯୦୬ ପ୍ରତି ଦୃଷ୍ଟି ଆକର୍ଷଣ କରି ଜଣାଉ ଅଛି କି , ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ସଂପୂର୍ଣ୍ଣ ରୂପେ ପ୍ରଚଳନ ପାଇଁ (ଯେଉଁ) ଅନୁରୋଧ କରାଯାଇଥିଲା, ତଦନୁସାରେ ବିଭିନ୍ନ ବିଭାଗରେ ଅଧସ୍ତନ ଅଫିସମାନଙ୍କରୁ ପ୍ରାପ୍ତ ବିବରଣୀରୁ ସ୍ପଷ୍ଟ ଅନୁମେୟ ହେଉଅଛି କି ଏହି ବିଷୟରେ ଆଶାନୁରୂପକ ସଫଳତା ହାସଲ କରାଯାଇପାରିନାହିଁ । ଓଡ଼ିଆ ଭାଷାର ସଂପୂର୍ଣ୍ଣ ପ୍ରଚଳନ ପାଇଁ ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି ।
ଏଣୁ ଅନୁରୋଧ କରାଯାଉଛି କି ଉକ୍ତ ବିଷୟରେ ସଂପୂର୍ଣ୍ଣ ସଫଳତା ହାସଲ ପାଇଁ ନିଶ୍ଚିତ ଯତ୍ନବାନ ହେବେ ଓ ଏଥି ସମ୍ବନ୍ଧୀୟ ଆବଶ୍ୟକୀୟ ନିର୍ଦ୍ଦେଶନାମା ମୁଖ୍ୟ ବିଭାଗୀୟ ଦପ୍ତର ଓ ଅନ୍ୟାନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକୁ ପ୍ରେରଣ କରନ୍ତୁ ।
ଆପଣଙ୍କର ବିଶ୍ଵସ୍ତ
ସ୍ଵା/ ବ୍ରଜ କିଶୋର ସାହୁ
୩୧.୧୦.୦୯
ଯୁଗ୍ମ ଶାସନ ସଚିବ

ଅତଏବ, ମୋ ଉପରୋକ୍ତ ବହି ପ୍ରକାଶ ପାଇବା ପରେ ପରେ “ବିଭିନ୍ନ ବିଭାଗରେ ଅଧସ୍ତନ ଅଫିସମାନଙ୍କରୁ” ସରକାର “ସରକାରୀ କାର୍ଯ୍ୟ ନିର୍ବାହରେ ଓଡ଼ିଆ ଭାଷାର ପ୍ରଚଳନ” ବିଷୟରେ ରିପୋର୍ଟ ତଲବ କରିଥିଲେ ଓ ସେମାନଙ୍କଠାରୁ “ପ୍ରାପ୍ତ ବିବରଣୀରୁ” ଅବଗତ ହେଲେ କି “ଏହି ବିଷୟରେ ଆଶାନୁରୂପକ ସଫଳତା ହାସଲ କରାଯାଇପାରିନାହିଁ ।“ ସୁତରାଂ ମୋ ବହି ପ୍ରକାଶ ପାଇବାର ଦୁଇ ମାସ ପରେ, ଅକ୍ଟୋବର ୩୧ ତାରିଖରେ ରାଜ୍ୟ ସରକାର ଏହି ପତ୍ର ସମସ୍ତ ଶାସନ ସଚିବଙ୍କୁ ପଠାଇଥିଲେ , ଯାହା ନଭେମ୍ବର ୯,୨୦୦୯ ତାରିଖରେ ନିର୍ଗତ ହୋଇଥିଲା । ଗୋଟିଏ ଐତିହାସିକ ସ୍ୱୀକାରୋକ୍ତି ପାଇଁ ଉପରୋଦ୍ଧୃତ୍ତ ପତ୍ରଟି ଗୁରୁତ୍ୱପୂର୍ଣ୍ଣ । ଏଥିରେ ୧୯୯୫ର, ଅର୍ଥାତ୍ ଜାନକୀବାବୁଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳର ଦୁଇଟି ନିର୍ଦ୍ଦେଶକୁ ସରକାର ଉଲ୍ଲେଖ କରିଥିବା ବେଳେ ସ୍ୱୀକର କରିଛନ୍ତି ଯେ, ନବୀନବାବୁ ଯେଉଁଦିନଠୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେଦିନଠାରୁ ୩୧.୧୦.୨୦୦୯ ତାରିଖ ଭିତରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ପାଇଁ କୌଣସି ବ୍ୟଗ୍ରତା କେବେ ବି ପ୍ରକାଶ ପାଇ ନଥିଲା । ମୋର ଉପରୋକ୍ତ ପ୍ରାମାଣିକ ନିବନ୍ଧ ଯଦି ୧୧.୮.୨୦୦୯ରେ orissamatters.com ଏବଂ ୨୯.୮.୨୦୦୯ରେ scribd.comରେ ପ୍ରକାଶ ପାଇ ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ କରିବା ଦୋଷରେ ବିଜୁ ଓ ନବୀନଙ୍କ ଉପରେ ଆରୋପ ଅଜାଡ଼ି ସରକାରଙ୍କ ଛାତିରେ ଛନକା ଭରି ନଥାନ୍ତା, ତେବେ ହୁଏତ ଏହି ସରକାରୀ “ଅନୁରୋଧ” ପତ୍ର ସୃଷ୍ଟି ବି ହୋଇନଥାନ୍ତା । (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୯

ପୂର୍ବପ୍ରକାଶିତ ଉତ୍ତାରୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋ ପ୍ରସ୍ତାବିତ ବିଧାନର ଓଡ଼ିଆ ଅନୁବାଦ ମଧ୍ୟ ଇଣ୍ଟର୍ନେଟରେ ସ୍ଥାନିତ ହୋଇଛି । ସରଣି :

https://www.scribd.com/document/411543657/Orissa-Official-Language-Act-Legislation-Proposed-by-Subhas-C-Pattanayak

ଦଶନ୍ଧିବ୍ୟାପୀ ପ୍ରସ୍ତୁତି

ଏଥିପାଇଁ ଏକ ଦଶନ୍ଧି ଧରି ମୋର ବୌଦ୍ଧିକ ପ୍ରସ୍ତୁତି ଚାଲିଥିଲା ।

ଶ୍ରୀ ଜୟ ଦେବଙ୍କୁ ବଙ୍ଗାଳୀ ବୋଲି ଦର୍ଶାଇ ଏକ ଅନ୍ତର୍ସଙ୍ଘାତମୟ ଆଞ୍ଚଳିକ-ଅଭିସନ୍ଧିପ୍ରସୂତ ଲେଖା ଲେଖିଥିଲେ ସୁନୀତି କୁମାର ଚାଟ୍ଟର୍ଜୀ, ଯାହାକୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ JAYADEVA ଶୀର୍ଷକରେ Makers of Indian Literature ଅନୁକ୍ରମରେ ପ୍ରକାଶ କରିଥିଲା । ମୁଁ ଦେଖିଲି ଓଡ଼ିଶାର ସାହିତ୍ୟିକମାନେ କେହି ତାର ପ୍ରତିବାଦ କରୁନାହାନ୍ତି; ଅଥଚ ତାର ଓଡ଼ିଆ ଅନୁବାଦ ପାଇଁ ଉଦ୍ୟମ ଚାଲିଥିଲା । ସେହି ବିଭ୍ରାନ୍ତିକର ବହିର ଓଡ଼ିଆ ଅନୁବାଦ ପ୍ରକାଶିତ ହେଲେ, ତାହା ଆମ ଜାତିର ଅସ୍ମିତା ପ୍ରତି ଘୋର କ୍ଷତିକାରକ ହେବ – ଏହି ଆଶଙ୍କା ମୋତେ ଜର୍ଜରିତ କରିଥିଲା । ତେଣୁ , ଗଭୀର ଗବେଷଣା ଦ୍ଵାରା ଚାଟ୍ଟର୍ଜୀଙ୍କ ଦାବିକୁ ମିଥ୍ୟାପ୍ରସୂତ ବୋଲି ମୁଁ ପ୍ରମାଣିତ କଲି । କେବଳ ଚାଟ୍ଟର୍ଜୀ କାହିଁକି, ଯେତେ ବଙ୍ଗାଳୀ ଜୟ ଦେବଙ୍କୁ ବଙ୍ଗାଳୀ ଦର୍ଶାଇବାକୁ ଚେଷ୍ଟା କରିଥିଲେ, କେଉଁ କାରଣ ହେତୁ ସେମାନେ ସେପରି ଅପଚେଷ୍ଟା କରିଥିଲେ ତାହା ଉପରେ ଗବେଷଣା କରି, ମାଳ ମାଳ ମନଗଢା କିମ୍ବଦନ୍ତୀ କବଳରୁ ଶ୍ରୀ ଜୟ ଦେବଙ୍କ ଅସଲ ପରିଚୟ ପଦାକୁ ଆଣି ମୁଁ ପ୍ରକାଶ କରିଥିଲି ମୋର ପୁସ୍ତକ ‘ଶ୍ରୀ ଜୟ ଦେବଙ୍କ ବାଇଶି ପାହାଚ’ ୨୦୦୫ରେ (ISBN 81-86550-65-8) । ଏହି ଗବେଷଣା ମୋତେ ଓଡ଼ିଆ ଅସ୍ମିତାର କ୍ରାନ୍ତିକାରୀ ଦିଗକୁ ନେଇଯାଇଥିଲା, ଯେଉଁ କ୍ରାନ୍ତି ହେତୁ ଓଡ଼ିଆ ଭୂଖଣ୍ଡକୁ ଭାଗ ଭାଗ କରିଦେଇଥିବା ବ୍ରିଟିଶ ଶାସକ ବାଧ୍ୟ ହୋଇଥିଲେ ନିଜ ଅପକର୍ମ ସୁଧାରି ଖଣ୍ଡ ବିଖଣ୍ଡିତ ଓଡ଼ିଆ ମାଟିର ଏକତ୍ରିକରଣ ପାଇଁ ଏବଂ ଜନ୍ମ ନେଇଥିଲା ଆମ ଜନ୍ମମାଟି ଓଡ଼ିଶା ନୂଆ ରୂପରେ ୧୯୩୬ ଏପ୍ରିଲ ପହିଲାରେ । ସରଣି 

https://orissamatters.com/2009/08/11/mass-media-in-creation-of-orissa/

ଏହି ସରଣିରେ ପ୍ରଦତ୍ତ ପୁସ୍ତକରେ ମୁଁ ସାବ୍ୟସ୍ତ କରିଛି ଯେ, ଓଡ଼ିଆ ଭାଷାରେ ଓଡ଼ିଆ ଜାତିର ସମସ୍ତ କାର୍ଯ୍ୟ ସମ୍ପାଦନ ହିଁ ଏକମାତ୍ର ଉଦ୍ଦେଶ୍ୟ, ଯେଉଁଥିପାଇଁ ଜନ୍ମ ନେଇଛି ଓଡ଼ିଶା । ପରେ ଏହାର ମୁଦ୍ରିତ ସଂସ୍କରଣ ଉପରେ ଅଭିମତ ଦେଇ ସାଂପ୍ରତିକ ସମୟରେ ଓଡ଼ିଆ ଭାଷାର ଶ୍ରେଷ୍ଠ ଚାରଣ କବି ଉମାକାନ୍ତ ରାଉତ ଲେଖିଛନ୍ତି , “ମୋ ଦୃଷ୍ଟି ଓ ଅନୁଭବରେ ଏହାର ଲେଖକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଜଣେ ସାମାଜିକ ନ୍ୟାୟ ସଂସ୍ଥାପକ ଯୋଦ୍ଧା (crusader ), ନାରୀ ସ୍ଵାଧୀନତାର ସାମ୍ୟବାଦୀ ପ୍ରବକ୍ତା (radical feminist ), ଅନୁଶୀଳନକ୍ଷମ ଗବେଷକ (critical research scholar ), ଜାତୀୟତାବାଦୀ କବି, ସ୍ଵାଭିମାନୀ, ଓଡ଼ିଆପ୍ରାଣ, ଛଳନାହୀନ, ଉଦାର ଓ ଶକ୍ତ ମଣିଷ । ମା, ମାତୃଭୂମି, ମାତୃଭାଷାର ଗରିମା ଓ ଅଖଣ୍ଡତା ପାଇଁ ସଞ୍ଜୀବନୀର ଯୋଗ୍ୟତା ରଖିଥିବା ତାଙ୍କର ଏହି ସଙ୍କଳନଟି ପ୍ରତ୍ୟେକ ସଚ୍ଚା ଓଡ଼ିଆ ପାଇଁ ଭାଗବତ ସଦ୍ଦୃଶ ବୋଲି କହିବାକୁ ମୁଁ ଉଚିତ ମଣୁଛି ।”

ଏହି ବହିଟି ୨୦୦୯ରେ ଯେତେବେଳେ ଇଣ୍ଟର୍ନେଟରେ ପ୍ରକାଶିତ ହେଲା, ସରକାରଙ୍କ ଛାତିରେ ପ୍ରଥମଥର ପାଇଁ ଛନକା ପଶିଥିଲା । (କ୍ରମଶଃ)