ସରକାରୀ ଷଡଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଉତ୍କଳଦୀପିକାର ସମ୍ପାଦକୀୟରୁ ଯେଉଁ କଥାଟି ସ୍ପଷ୍ଟ ହୁଏ, ତାହା ହେଲା ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅଧିନସ୍ଥ ଓଡ଼ିଆ ଇଲାକାରେ ତେଲୁଗୁ ଭାଷାକୁ ସରକାରୀ ଭାଷା ଭାବେ ପ୍ରବର୍ତ୍ତିତ କରାଯାଇଥିବା ବେଳେ ବଙ୍ଗଳା ଗଭର୍ଣ୍ଣମେଣ୍ଟ ଓ ମଧ୍ୟପ୍ରଦେଶ ଚିଫ୍ କମିଶନରଙ୍କ ଅଧିନସ୍ଥ ଓଡ଼ିଆ ଇଲାକାରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ଚାଲୁଥିଲା । କିନ୍ତୁ ସେହି ଉଭୟ ଗଭର୍ଣ୍ଣମେଣ୍ଟ ଦପ୍ତରରେ କାମ କରୁଥିବା “ସ୍ଵାର୍ଥପର ଲୋକେ” ଓଡ଼ିଆ ଭାଷାକୁ କାର୍ଯ୍ୟାଳୟମାନଙ୍କରୁ ଉଠାଇ ଦେବାକୁ ନାନା ଷଡ଼ଯନ୍ତ୍ର ଚଳାଇଥିଲେ । ଉତ୍କଳଦୀପିକା ସମ୍ପାଦକ ଲେଖିଥିଲେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ନହେବା “ଯୁକ୍ତିଯୁକ୍ତ ନ୍ୟାୟର ବିରୁଦ୍ଧ କାର୍ଯ୍ୟ” ହେବ ବୋଲି ଉଭୟ ବଙ୍ଗଳା ଓ ମଧ୍ୟପ୍ରଦେଶ ସରକାରର ମୁଖ୍ୟ ପଦଧିକାରୀ ବିଚାର କରୁଥିବା ହେତୁ ଓଡ଼ିଆ ଭାଷାର ରାଜଭାଷା ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ଥିଲା । 

ଏହି ଭିତ୍ତି ଉପରେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅଧୀନସ୍ଥ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ପରିଚାଳନା ପାଇଁ ଗୁମୁସର-ସମ୍ମିଳନୀର ପ୍ରସ୍ତାବ ସପକ୍ଷରେ ଉତ୍କଳଦୀପିକା ଯୁକ୍ତି କରିଥିଲା ।

କ’ଣ ଥିଲା ଏହି ପ୍ରସ୍ତାବ?

(କ୍ରମଶଃ ) 

ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ରସୁଲକୋଣ୍ଡାରେ ଅନୁଷ୍ଠିତ ଏହି ସମ୍ମିଳନୀ ଥିଲା ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଗଠିତ ଜନମତର ପ୍ରଥମ ପରିପ୍ରକାଶ । ଏଥିରେ ଯେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ତହିଁରେ  ଥିବା ପ୍ରକଟିତ ସତ୍ଯର ଅବତାରଣା ଏକାନ୍ତ ଐତିହାସିକ । ଓଡ଼ିଆମାନଙ୍କ ଇଲାକାରେ ରାଜଭାଷା ଭାବେ ତେଲୁଗୁ ପ୍ରଚଳିତ ହେବାରୁ ଯେଉଁ ତେଲେଙ୍ଗାମାନେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଯମାଳୟ ପରି ଜ୍ଞାନ କରୁଥିଲେ ସେମାନେ ……… ଯମଦୂତ ପରି କର୍ମ କରୁଛନ୍ତି ।” ନିଜ ଭାଷା ରାଜଭାଷା ହୋଇ ନରହିଲେ ଜନସାଧାରଣଙ୍କର କିପରି ସର୍ବନାଶ ଘଟେ ତାହାର ଏହା ଏକ ନିରୋଳା ବିବରଣୀ । 

ପତ୍ର ରୂପେ ଏହା ପ୍ରାପ୍ତ ହୋଇ ‘ଉତ୍କଳଦୀପିକା ‘ର ସମ୍ପାଦକ ଗୌରୀ ଶଙ୍କର ରାୟ ୨୦.୧୨.୧୮୭୦ ତାରିଖରେ ତାଙ୍କ ସଂପାଦକୀୟ ସହ “ଘୁମୁସର ପତ୍ର” ଶୀର୍ଷକରେ ଏହାକୁ ପ୍ରକାଶ କରିଥିଲେ ।  

ଐତିହାସିକ ଗୁରୁତ୍ଵ ଦୃଷ୍ଟିରୁ ନିମ୍ନରେ ତାହା ପ୍ରଦତ୍ତ ହେଲା:

ଅଦ୍ୟ ଦିବସର ଅତିରିକ୍ତ ପତ୍ରିକାରେ ଘୁମୁସରରୁ ଆସିଥିବା ଗୋଟିଏ ପତ୍ର ମୁଦ୍ରିତ କରି ପାଠକମାନଙ୍କୁ ଅନୁରୋଧ କରୁଅଛୁ କି,  ସେମାନେ ମନୋଯୋଗପୂର୍ବକ ତାହା ପାଠ କରିବେ । ଉତ୍କଳ ଦେଶ ହିତ ଚିନ୍ତାରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଏ ବିଷୟରେ ବିଶେଷ ଉଦଯୋଗୀ ହେବାର ଆବଶ୍ୟକ । ଘୁମୁସରବାସୀମାନେ ଯାହା ପ୍ରାର୍ଥନା କରନ୍ତି ତାହା ଯେ ସର୍ବତୋଭାବେ ଯୁକ୍ତିଯୁକ୍ତ ଓ ବହୁ ଉପକାରମୂଳକ ଅଟଇ ଏ କଥାରେ ଅଣୁମାତ୍ର ସନ୍ଦେହ ନାହିଁ । ଓଡ଼ିଶାର ଦୂରବସ୍ଥା ଯେଉଁମାନେ ଜାଣନ୍ତି ଓ ତହିଁର କାରଣ ଅନୁସନ୍ଧାନ କରନ୍ତି ସେମାନେ ଅବଶ୍ୟ ଅବଗତ ହୋଇଥିବେ ଯେ, ଏ ଦେଶ ତିନି ଖଣ୍ଡ ହୋଇ ତିନି ଶାସନକର୍ତ୍ତାଙ୍କ ଅଧୀନରେ ରହିବାରୁ ଏହାର ଉନ୍ନତି ହେଉନାହିଁ । ଏକ ଖଣ୍ଡ ବଙ୍ଗଳା ଗଭର୍ଣ୍ଣମେଣ୍ଟ , ଏକ ଖଣ୍ଡ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଓ ଅପର ଏକ ଖଣ୍ଡ ମଧ୍ୟପ୍ରଦେଶର ଚିଫ୍ କମିଶ୍ନରଙ୍କ ଶାସନରେ ରହିବାରୁ ଏ ଦେଶ ସମୁଦାଯ ଏକ ହୋଇ ଚଳିପାରେନାହିଁ । ମାତ୍ର ଏ ପ୍ରକାର ଅବସ୍ଥାରେ ଥିଲେ ମଧ୍ୟ ଗଭର୍ଣ୍ଣମେଣ୍ଟ ଗୋଟିଏ କଥାରେ ଦ୍ରୁଷ୍ଟି ରଖିଥିବାରୁ ଅନେକ ମଙ୍ଗଲ ହେଉଅଛି । ବଙ୍ଗଳା ଓ ମଧ୍ୟପ୍ରଦେଶର ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ଓ ସ୍ଵାର୍ଥପର ଲୋକେ କେତେ ଉପାୟ କାଲେ ହେଁ ଗଭର୍ଣ୍ଣମେଣ୍ଟ ଏ ଯୁକ୍ତିଯୁକ୍ତ ନ୍ୟାୟର ବିରୁଦ୍ଧ କାର୍ଯ୍ୟ କରିବାକୁ ସମ୍ମତ ହୋଇନାହାନ୍ତି । ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ ? ଓ, ଯେ ସ୍ଥଳେ ପୂର୍ବରେ ସେ ଭାଗର ରାଜକାର୍ଯ୍ୟ ଓଡ଼ିଆ ଭାଷାରେ ହୋଇ ଆସୁଥିଲା ତେବେ ଇଂରେଜ ଗଭର୍ଣ୍ଣମେଣ୍ଟ କାହିଁକି ଭିନ୍ନରୂପ ଆଚରଣ କରିବ? ଆମମାନଙ୍କୁ ନିଶ୍ଚୟ ବୋଧ ହେଉଅଛି ଯେ, ଉତ୍କଳବାସୀମାନେ ଏ ବିଷୟରେ ଏକମତ ହୋଇ ଗଭର୍ଣ୍ଣମେଣ୍ଟଙ୍କୁ ଆବେଦନ କାଲେ ତାହାଙ୍କର ପ୍ରାର୍ଥନା ସଫଳ ହେବ । ବିଦେଶୀୟ ଭାଷାରେ କାର୍ଯ୍ୟାଳୟର ଯାବତୀୟ କାର୍ଯ୍ୟ କରବା କଦାଚ ଗଭର୍ଣ୍ଣମେଣ୍ଟଙ୍କ ଅନୁମୋଦିତ ନୁହଇ । କେବଳ ଘୁମୁସରବାସୀମାନେ ଏତେଦିନ ଯତ୍ନ କରିନାହାନ୍ତି ବୋଲି ତାହାଙ୍କର ଦୁଃଖ ଶୁଣାଯାଇନାହିଁ । ଏବେ ସେମାନେ ସମସ୍ତ ଉତ୍କଳବାସୀଙ୍କଠାରେ ଏକଥା ଜଣାଇଲେ । ଏଥକୁ ଆବଶ୍ୟକ ଯେ, ପୁରୀ, କଟକ ଓ ବାଲେଶ୍ବରରେ ଥିବା ସମସ୍ତ ଉତ୍କଳୀୟ ତାହାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୁଅନ୍ତୁ ଓ ଆମ୍ଭେମାନେ ଭରସା କରୁ ଯେ, ଉତ୍କଳୋଲ୍ଲାସିନୀ ସଭା ବିଶେଷ ଆଗ୍ରହ ପୂର୍ବକ ଏ ବିଷୟରେ ହସ୍ତକ୍ଷେପ କରନ୍ତୁ ।       

(ଦ୍ରଷ୍ଟବ୍ୟ – https://www.scribd.com/doc/19216578/Role-of-Mass-Media-in-Creation-of-Orissa )

କ୍ରମଶଃ 

 

ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶା ରାଜ୍ୟଭାଷା -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମେ ଓଡ଼ିଆ ବୋଲି ଆମ ଭାଷା ଓଡ଼ିଆ – ଏକଥା ନୁହେଁ ; ଆମ ଭାଷା ଓଡ଼ିଆ ବୋଲି ଆମେ ଓଡ଼ିଆ । ଆମ ଭାଷା ହିଁ ଆମ ପରିଚୟ ।

ଅନୁପ୍ରବେଶକାରୀ ଇଂରେଜଙ୍କ ଆଧିପତ୍ୟ ବିରୁଦ୍ଧରେ ଆମ ପୂର୍ବ ପୁରୁଷେ ସାରା ଭାରତରେ ପ୍ରଥମେ ତଲୱାର ତୋଳିଥିବା ହେତୁ ଆମକୁ ଦୁର୍ବଳ କରି ରଖିବା ପାଇଁ ସେମାନେ ଆମ ମାଟିର ଯେଉଁ ଯେଉଁ ଅଞ୍ଚଳ ଯେତେବେଳେ ଦଖଲ କରୁଥିଲେ ତାକୁ ଆମ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପଡ଼ୋଶୀ ପ୍ରଦେଶମାନଙ୍କ ସହ ଏପରି ସାନ୍ଧି ଦେଉଥଲେ, ଯେପରି ସେଠାରେ ଆମେ ସଂଖ୍ୟାଲଘୁ ହୋଇଯିବା ଓ ଓଡ଼ିଆ ଭାବେ ଆମ ପରିଚୟ ବୁଡ଼ିଯିବ । ଏହା ଆମ ଜାତୀୟ ଜୀବନରେ ଘୋର ବିପର୍ଯ୍ୟୟ ସୃଷ୍ଟି କରିଥିଲା ।

ଅବସ୍ଥା ଏପରି ଶୋଚନୀୟ ହୋଇଉଠିଥିଲା ଯେ, ତେଲୁଗୁ ଭାଷାରେ ସରକାରୀ କାମ ହେଉଥିବା ହେତୁ ସେଠାରେ ଓଡ଼ିଆ ଭାଷାଭାଷୀ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଜନ୍ମ ଓଡ଼ିଆ ଶିଷ୍ଟକରଣମାନେ ତେଲୁଗୁଭାଷା ଶିଖୁଥିଲେ (ଇଂରେଜ ସରକାରଙ୍କ ପ୍ରକାଶିତ କୋରାପୁଟ ଗେଜେଟିୟର , ପୃଷ୍ଠା ୮୫)

ଏହି ବିପର୍ଯ୍ୟୟ କବଳରୁ ଓଡ଼ିଆ ଜାତିକୁ ରକ୍ଷା କରିବା ପାଇଁ ଗଞ୍ଜାମର ଘୁମୁସର ନିବାସୀ ଦୀନବନ୍ଧୁ ପଟ୍ଟନାୟକ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ ପ୍ରଥମ କରିଥିଲେ । ତାଙ୍କ ଉଦ୍ୟମରେ ସେଦିନ ଘୁମୁସରର ରସୁଲକୋଣ୍ଡା ମୁକାମରେ ଋଷିକୁଲ୍ୟା ନଦୀର ଉଭୟ ପାର୍ଶ୍ଵବାସୀ ବାସିନ୍ଦାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରାଯିବା ପାଇଁ ସରକାରଙ୍କୁ ଆହ୍ଵାନ ଦିଆ ଯାଇଥିଲା  (କ୍ରମଶଃ

ପ୍ରଥମଥର ପାଇଁ ଭାଷା ଆନ୍ଦୋଳନ ଉପରେ ଆକ୍ରମଣ: ହସ୍ତକ୍ଷେପ ପାଇଁ ପୋଲିସକୁ ଅନୁରୋଧ

ଭୁବନେଶ୍ବର ,ତା ୦୨.୦୨.୨୦୨୫

ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ଆଜି ନବମ ବର୍ଷର ଦଶମ ମାସ ଦ୍ଵିତୀୟ ଦିବସରେ ପହଞ୍ଚିଲା । ଯାହାଙ୍କ ତ୍ୟାଗ ଓ ତପସ୍ୟା ହେତୁ ଏକ ଭାଷାଭିତ୍ତିକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାର ଆବିର୍ଭାବ, ଓଡ଼ିଆ ଜାତିର ସେହି ପରମପ୍ରିୟ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ବିଜେସ୍ଥଳୀ ପ୍ରତିଦିନ ପ୍ରଦକ୍ଷିଣ କରି ଓଡ଼ିଆ ଜାତିର ଦୁଃଖଦଗ୍ଧ ଐକ୍ଯର ପ୍ରତୀକ “କଳାପତାକା”ର ଅର୍ଘ୍ୟ ଆମ୍ଭେ ଦେଇଥାଉ। 

କୁଳବୃଦ୍ଧଙ୍କ ପୀଠକୁ ଯିବା ପାଇଁ ପାହାଚ ପରି ଏକ ପଥର ଥିଲା ଯାହା ଉପରେ ପଦ ରଖି ମୁଁ ଉପରକୁ ଉଠିପାରୁଥିଲି ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମାତୃଭାଷାପ୍ରାଣ ଓଡ଼ିଆମାନେ କଳାପତାକାର ଅର୍ଘ୍ୟ ଦେବାକୁ ମୋ ସହ ଯୋଗ ଦେଇ ପାରୁଥିଲେ । କେଇ ଦିନ ତଳେ, ହଠାତ୍ ଦେଖାଗଲା, ସେହି ପଥରଟି ଆଉ ନାହିଁ । ମୁଁ ବେଢା ତଳେ ଠିଆ ହୋଇ କଳାପତାକାର ଅର୍ଘ୍ୟ ଦେଉଥିଲି । 

ଗତକାଲି ସନ୍ଧ୍ୟା ୫ଟାରେ ମୁଁ ପୂର୍ବବତ୍ ଅର୍ଘ୍ୟ ଦେଇ ପେରୁଥିବା ବେଳେ ମୋ ସହ ଚିହ୍ନା ପରିଚୟ ନଥିବା ଜଣେ ବ୍ୟକ୍ତି ମୋତେ ହଠାତ୍ ଭୟଙ୍କର ବାଚନିକ ଆକ୍ରମଣ କଲେ ଓ ଓଡ଼ିଆ ଜାତିର ସୁପରିଚିତ ଏବଂ ସୁପ୍ରିୟ କଳାପତାକା ଅଭିଯାନ ବନ୍ଦ ରଖିବାକୁ ଧମକ ଦେଲେ । 

ମୁଁ ଏହା ପୋଲିସକୁ ଅବଗତ କରାଇଛି ଇ-ମେଲ୍ ମାଧ୍ୟମରେ । ନିମ୍ନରେ ତାହା ଓଡ଼ିଆ ଜାତିର ଅବଗତି ପାଇଁ ଉପସ୍ଥାପିତ ହେଲା : 

ମଧୁବାବୁଙ୍କୁ ଭାଷା ଆନ୍ଦୋଳନର କଳାପତାକାର ନିତ୍ୟ ନିବେଦନ ପ୍ରଦାନ ବେଳେ ସୁରକ୍ଷା ପ୍ରଦାନ ପାଇଁ ଅନୁରୋଧ ଓ ଗତକାଲି ଏହି ଅର୍ଘ୍ୟ ପ୍ରଦାନ ବେଳେ ପୋଲିସ ଉପସ୍ଥିତିରେ ମୋ ଉପରେ ହୋଇଥିବା ଆକ୍ରମଣର ପ୍ରତିକାର ପାଇଁ ପ୍ରାର୍ଥନା 

ମହାଶୟ,
ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ (Orissa Official Language Act, 1954)ର ଅଲଙ୍ଘ୍ଯ କାର୍ଯ୍ୟକାରିତା ପାଇଁ ୦୧.୦୪.୨୦୧୬ ତାରିଖରେ ମୋ ଦ୍ଵାରା ପ୍ରତିଷ୍ଠିତ ଭାଷା ଆନ୍ଦୋଳନ, ଓଡ଼ିଶାର ପ୍ରୟୋଗାତ୍ମକ ପଦ୍ଧତ୍ତି – ନିରବ କଳାପତାକା ଅଭିଯାନ – ଗତ ୧୩.୦୪.୨୦୧୬ ତାରିଖରୁ ଅଦ୍ୟାବଧି ସମ୍ପୁର୍ଣ୍ଣ ଶାନ୍ତିପୂର୍ବ ଭାବେ ଚାଲିଛି । କେବେ ବି ଆମ୍ଭେ କୌଣସି ବେଆଇନ ପଦକ୍ଷେପ ନେଇନାହୁଁ ଓ ପୋଲିସ ଯେତେବେଳେ ଆମକୁ ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ସଫା ରଖିବାକୁ ଅଟକାଇଛନ୍ତି , କୌଣସି ପ୍ରତିବାଦ ନକରି ଆମ୍ଭେ ସହଯୋଗ କରିଛୁ । ଏହା ଏକ ଅଦର୍ଶସ୍ଥାନୀୟ ସଂପୂର୍ଣ୍ଣ ଶାନ୍ତ ସାମାଜିକ ଆନ୍ଦୋଳନ ବୋଲି ସ୍ବନାମଧନ୍ୟ ପ୍ରଫେସର, ସାମାଜିକ କର୍ମୀ, ଲେଖକ ଓ ଗବେଷକମାନେ ମୌଖିକ ଓ ଲିଖିତ ପ୍ରଶଂସା କରିଛନ୍ତି । ଏପରିକି, ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ଗବେଷଣା ଉପାଧି (Ph D) ସନ୍ଦର୍ଭରେ ଏହି ଆନ୍ଦୋଳନ ଏକ ଆଦର୍ଶ ଆନ୍ଦୋଳନ ଭାବେ ସ୍ଥାନିତ ହୋଇଛି । ଏହା ନିଜ ଶାନ୍ତିପୂର୍ଣ୍ଣ ପଦ୍ଧତ୍ତି ଅନୁସରଣ କରି ନବମ ବର୍ଷର ନବମ ମାସ ଅତିକ୍ରମ କରିଛି ଓ ଆମ ଗଣତାନ୍ତ୍ରିକ ଅଧିକାରକୁ ସମ୍ମାନ ଦେଇ ଏବଂ ଏହାର ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଆଚରଣକୁ ନଜରରେ ରଖି ଓଡ଼ିଶା ପୋଲିସ ସମଗ୍ର ରାଜ୍ୟରେ କେବେ ବି କୌଣସି ବାଧା ଦେଇନାହାନ୍ତି ।

ଦୁଃଖର କଥା , ପ୍ରତିଦିନ ପରି ଗତକାଲି ଅପରାହ୍ନ ୫ଟାରେ ମଧୁବାବୁଙ୍କ ବିଜେସ୍ଥଳୀରେ ପ୍ରତୀକାତ୍ମକ ଭାବେ କଳାପତାକାର ଅର୍ଘ୍ୟ ନିବେଦନ କରି ଫେରୁଥିବା ବେଳେ ମୁଁ ଚିହ୍ନି ନଥିବା ଜଣେ ବ୍ୟକ୍ତି ମୋତେ ଭୟଙ୍କର ବାଚନିକ ଭର୍ତ୍ସନା କରି ଏ ଅଭିଯାନ ବନ୍ଦ କରିବାକୁ ଧମକ ଦେଇଥିଲେ , ୟୁନିଫର୍ମରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାହା ପ୍ରତ୍ଯକ୍ଷ କରିଛନ୍ତି ।

ଓଡ଼ିଆ ଜାତିର ଭାଷା ଅଧିକାର ହାସଲ କରିବା ପାଇଁ ଗତ ନଅ ବର୍ଷ ନଅ ମାସ ଧରି ନିରବଚ୍ଛିନ୍ନ ଭାବେ ଓ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଶୈଳୀରେ ଚାଲିଆସିଥିବା ଏହି ଜାତୀୟ ତପସ୍ୟାରେ ଓ କୁଳବୃଦ୍ଧ ମଧୁସୂଦନଙ୍କୁ କଳାପତାକାର ନିତ୍ୟ ଅର୍ଘ୍ଯ ପ୍ରଦାନ କରିବାରେ କେହି ବାଧାଦେବା ଯେପରି ନହୁଏ ତାହା ପୂର୍ବବତ୍ ସୁନିଶ୍ଚିତ କରିବା ପାଇଁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି । ମୋର ସମସ୍ତ କାର୍ଯ୍ୟକ୍ରମ ପୂର୍ବବତ୍ ସନ୍ଧ୍ଯା ୫ଟାରୁ ୫ଟା ୧୦ ଭିତରେ ସମାପ୍ତହେବ ଓ ମୁଁ ଯାନବାହାନ ଚଳାଚଳରେ କୌଣସି ବାଧା ଦେବି ନାହିଁ ବୋଲି ଆପଣଙ୍କୁ ପୁନର୍ବାର କଥା ଦେଉଛି । ଉଚିତ ମନେକଲେ, ଏହି ସମୟରେ ମୋତେ ସୁରକ୍ଷା ଦେବାକୁ ଆପଣଙ୍କୁ ବିନମ୍ର ଅନୁରୋଧ ।
ଇତି
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠତା, ଭାଷା ଆନ୍ଦୋଳନ, ଓଡ଼ିଶା




Subhas Chandra Pattanayak
Founder,
Bhasha Andolan, Orissa
https://bhashaandolan.com

ଆଲୋଚନାର ମୁଖ୍ୟ ଧାରାରେ ନଥିବା ଅତୀତରୁ ପୃଷ୍ଠାଏ -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାରତର ସମ୍ବିଧାନ ଅନୁସାରେ ନିର୍ବାଚିତ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ନବକୃଷ୍ଣ ଚୌଧୁରୀ । ନବବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ଖଣି ଓ ଶିଳ୍ପ ମନ୍ତ୍ରୀ ହେବାକୁ ବିଜୁ ପଟ୍ଟନାୟକ ଜିଦ୍ ଧରିବସିଥିଲେ । ସେତେବେଳକୁ ମହତାବଙ୍କୁ ଧରି ସେ ପ୍ରାୟ ଚାରି ହଜାର ଏକରର ଲୁହାପଥର ଖଣି ହାତେଇ ସାରିଥାନ୍ତି ଓ ଶିଳ୍ପପତି ବି ସାଜିଥାନ୍ତି । ତେଣୁ ନୀତି ଦୃଷ୍ଟିରୁ ତାଙ୍କୁ ଖଣି ଓ ଶିଳ୍ପମନ୍ତ୍ରୀ କରିବାକୁ ନବବାବୁ ମନା କରିଦେଇଥିଲେ ।

ପ୍ରତିଶୋଧ ପରାୟଣ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲା ପରେ ଓଡ଼ିଶାରେ ଖଣି ଓ ଶିଳ୍ପ ମନ୍ତ୍ରୀ ହୋଇ ନିଜ ଫାଇଦା ପାଇଁ ସେହି ପଦାଧିକାରର ଯେଉଁ ଦୁରପୋଯୋଗ କରିଥିଲେ ତାହା ‘ସିଂହାବଲୋକନରେ ବିଜୁ ପଟ୍ଟନାୟକ’ ଶୀର୍ଷକ ମୋ ବହିରେ ସପ୍ରମାଣ ଲିପିବଦ୍ଧ ହୋଇଛି ।

ନବବାବୁଙ୍କ ଉପରେ ପ୍ରତିଶୋଧ ନେବାକୁ ସେ ତାଙ୍କର ଲୋକହିତୈଷୀ ପଦକ୍ଷେପଗୁଡ଼ିକପ୍ରତି ସରକାରୀ ସହଯୋଗ ବନ୍ଦ କରିଦେଇଥିଲେ । କବର ତଳୁ ଇଂରାଜୀ ଭାଷାକୁ ଉଠାଇ ଆଣି ପୁନଃ ପ୍ରଚଳିତ କରାଇ ନବବାବୁ ତିଆରି କରିଥିବା ଭାଷା ଆଇନକୁ ସେ ଜିଅନ୍ତା କବର ଦିଆଇଦେଇଥଲେ ଓ ଓଡ଼ିଶାର ସର୍ବତ୍ର ମଦର ବନ୍ୟା ଖେଳାଇ ନବବାବୁଙ୍କ ନିଶାନିବାରଣ ଆଇନକୁ ବି ନିଷ୍ଫଳ କରାଇ ଦେଇଥିଲେ ।

ଅବସ୍ଥା ଏପରି ହୋଇଥିଲା ଯେ ତାଙ୍କ ଭୟଙ୍କର କୁଶାସନ କବଳରୁ ଓଡ଼ିଶାକୁ ବଞ୍ଚାଇବା ପାଇଁ ଯେଉଁ ଅଭୂତପୂର୍ବ ଆନ୍ଦୋଳନ ହେଲା ତହିଁରେ ଆମମାନଙ୍କ ଦୁହା ଥିଲା – ମଦବୋତଲ ଯେଉଁଠି, ବିଜୁ ପଟ୍ଟନାୟକ ସେଇଠି । ନବବାବୁଙ୍କୁ ପଦତ୍ୟାଗ ପାଇଁ ପରିସର ତିଆରି କରିଥିବା ବିରେନ୍ ମିତ୍ରଙ୍କ ନାମ ଲଗାଇ ଏ ଦୁହା ମଧ୍ୟ ହୋଇଯାଇଥିଲା – ବିଜୁ ବିରେନ୍ କେଉଁଠି? ମଦବୋତଲ ଯେଉଁଠି ।

ଜନରୋଷ ପ୍ରଭାବରେ ବିଜୁ ଯାଇଥିଲେ, ବିରେନ୍ ବି ଗଲେ । ବୁଡ଼ିଯାଉଥିବା ମଣିଷ କୁଟାଖିଅକୁ ଆଶ୍ରା କଲା ପରି ଭାରତୀୟ ଜାତୀୟ କଂଗ୍ରେସ ଅଗତ୍ୟା ସଦାଶିବ ତ୍ରିପାଠୀଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରି ପରିସ୍ଥିତି ସୁଧରିବାକୁ ଚେଷ୍ଟା କରିଥିଲା । ତ୍ରିପାଠୀ ଦେଖିଲେ, ରାଜ୍ୟ ପ୍ରଶାସନରେ ଇଂରାଜୀ ଭାଷାକୁ ପୁନର୍ଜୀବନ ଦେଇ ଓଡ଼ିଆ ଭାଷାକୁ ଅଚଳ କରି ଦେଇଥିବା ହେତୁ ଲୋକେ କେବଳ ବିଜୁ ପଟ୍ଟନାୟକଙ୍କ ଉପରେ ଖପ୍ପା , କଥା ସେତିକି ନୁହେଁ, ବିଜୁଙ୍କୁ ଘଣ୍ଟ ଘୋଡ଼େଇଥିବା ହେତୁ, କଂଗ୍ରେସ ଦଳ ଉପରେ ବି ଖପ୍ପା । ତେଣୁ, କ୍ଷମତାସୀନ ହେବା ପରେ ପରେ ଓଡ଼ିଆ ଭାଷାରେ ଓଡ଼ିଶାର ସମସ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରାଯିବ ବୋଲି ସେ ୧୯୫୪ର ଭାଷା ଆଇନ ଉପରେ ପ୍ରଥମ ଅଧିସୂଚନା ଜାରି କଲେ । ମାତ୍ର ସେହି ଅଧିସୂଚନା କାର୍ଯ୍ୟକାରୀ କରିବାକୁ ତାଙ୍କ ହାତରେ ବେଳ ନଥିଲା, ୧୯୬୭ର ସାଧାରଣ ନିର୍ବାଚନରେ ଜନାଦେଶ-ବୈତରଣୀ କିପରି ପାରିହେବାକୁ ହେବ ସେହିକଥା ତ୍ରିପାଠୀଙ୍କ ପାଇଁ ହୋଇଯାଇଥିଲା ଏକମାତ୍ର ଧ୍ୟେୟ । ଜନାଦେଶ କଂଗ୍ରେସ ବିରୁଦ୍ଧରେ ଗଲା ।

ନାନା ଦୃଶ୍ୟମାନ ଅପରାଧ ସତ୍ତ୍ବେ ବିଜୁ ପଟ୍ଟନାୟକଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଥିବା ହେତୂ ଓଡ଼ିଶାର ଲୋକମାନେ କଙ୍ଗ୍ରେସକୁ ପ୍ରତ୍ୟାଖ୍ୟାନ କଲେ ଓ ରାଜେନ୍ଦ୍ର ନାରାୟଣ ସିଂହଦେଓ  ସ୍ଵତନ୍ତ୍ର-ଜନକଙ୍ଗ୍ରେସ ମିଳିତ ସରକାରର ନୂଆ ମୁଖ୍ୟମନ୍ତ୍ରୀ  ଭାବେ କ୍ଷମତାସୀନ ହେଲେ ।

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରାଇଦେବାକୁ ବିଜୁବାବୁଙ୍କ କୁତ୍ସିତ ଷଡ଼ଯନ୍ତ୍ର ତାଙ୍କ ବିରୁଦ୍ଧରେ ଜନାଦେଶର ଏକ ମୁଖ୍ୟ କାରଣ ଥିବା ଯେହେତୁ ସେ ଜାଣିଥିଲେ, ସେହେତୁ ୧୯୬୮ରେ ଭାଷା ଆଇନର କାର୍ଯ୍ୟକାରିତା ପାଇଁ ସେ ଏକ ସାନି ଅଧିସୂଚନା ଜାରି କରିଥିଲେ, ଯହିଁରେ ପ୍ରଶାସନର କେଉଁ କ୍ଷେତ୍ରରେ ଓଡ଼ିଆ ଭାଷା କାର୍ଯ୍ୟର ଭାଷା ହେବ ତାହା ଚିହ୍ନିତ ହୋଇ ଖିଲାପକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘୋଷିତ ହୋଇଥିଲା । ମାତ୍ର ତହିଁରେ କେବଳ ରାଜନୀତି ଥିଲା, ଭାଷାପ୍ରୀତି ନଥିଲା ।

ମହତାବ ସେହିସମୟରେ ସ୍ବତନ୍ତ୍ର-ଜନକଙ୍ଗ୍ରେସ ମିଳିତ ମନ୍ତ୍ରୀମଣ୍ଡଳର ଚତୁର ଗୋଟିଚାଳକ ହୋଇଥିବା ହେତୂ ଏହି ଅଧିସୂଚନା ବି ଅକାମୀ ହୋଇଯାଇଥିଲା । (କ୍ରମଶଃ )