ସୁଭାଷ ଚନ୍ଦ୍ର ପଟ୍ଟନାୟକ

କରୋନା ଭୂତାଣୁର ସାମ୍ନା କରୁଥିବା ସରକାରଙ୍କୁ ସଚେତନ-ନାଗରିକୀୟ ସହଯୋଗ ପ୍ରଦାନ କରି କଳାପତାକା ଅଭିଯାନକୁ ଆମେ ଜାଗତିକ ସ୍ତରରୁ ଅତିଜାଗତିକ (Virtual) ସ୍ତରକୁ ଘୁଞ୍ଚାଇ ଆଣିଛୁ । ପ୍ରତିଦିନ ନଭମଞ୍ଚ (website)ରେ ଏବଂ ସାମାଜିକ ଗଣମାଧ୍ୟମରେ ଏହା ସହ ମିଳିତ ହେଉଛନ୍ତି ଓଡ଼ିଶାର ସବୁବର୍ଗର ସଚେତନ ନାଗରିକବୃନ୍ଦ କେବଳ ସେହିମାନଙ୍କୁ ଛାଡ଼ି, ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ବଶମ୍ବଦ, ମୁଖ୍ୟମନ୍ତ୍ରୀଙ୍କ କୃପାକାମୀ, ମୁଖ୍ୟମନ୍ତ୍ରୀଙ୍କ ଚାଟୁକାର ଓ ମୁଖ୍ୟମନ୍ତ୍ରୀଙ୍କ ଦଲାଲ ।

ଆଜି ହେଲା ୧୫୦୦ ଦିନ ।

ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ବିଦ୍ଵେଷୀ ମାନସିକତା ଏତେ ତୀବ୍ର ଯେ, ଏ ଭୟଙ୍କର କରୋନା କାଳରେ ତହିଁ ସମ୍ପର୍କିତ କୌଣସି ମାର୍ଗଦର୍ଶୀକା (guideline), ବିଧି (law), ବିଧାନ (regulation) ଇତ୍ୟାଦି ଓଡ଼ିଆରେ ପ୍ରକାଶ ନ କରି ଇଂରାଜୀ ଭାଷାରେ ରଖି ଆମ ଲୋକଙ୍କୁ ଅନ୍ଧକାରରେ ରଖିଛିନ୍ତି ଏବଂ ସେମାନେ ଆଇନ ଲଙ୍ଘନ କରୁଥିବା ଓ ସରକାରୀ କଟକଣା ମାନୁ ନଥିବା କହି ପୋଲିସ ଲଗାଇ ସେମାନଙ୍କୁ ନିର୍ଦ୍ଧୂମ ଲାଠିମାଡ଼ କରାହେଉଛି ଓ ଗିରଫ କରି ଜେଲ ପଠାଯାଉଛି ।

ଯଦି କରୋନା ସମ୍ପର୍କୀୟ ସମସ୍ତ ପଥଦର୍ଶୀ କାଗଜପତ୍ର ,ଆଇନ କାନୁନ ଓ କଟକଣା ଓଡ଼ିଆଭାଷାରେ ଥାନ୍ତା, ତେବେ ଆମ ଲୋକେ ଏପରି ନିର୍ଯ୍ୟାତୀତ ହୋଇନଥାନ୍ତେ କି ରୋଗାକ୍ରାନ୍ତ ହୋଇନଥାନ୍ତେ ।

ଆମ୍ଭେ ଯେତେ ଯୁକ୍ତି କଲୁ, କିଛି ଶୁଣିଲେନି, ଏବେ ଅବସ୍ଥା ଅଣାୟତ ହେବା ପରେ ସବୁ କଟକଣା ଉଠାଇ ଦେଇ ଦାରିଦ୍ର୍ୟ ନିପୀଡ଼ିତ ଅପାଠୁଆ ଶ୍ରମଜୀବୀମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ିଦିଆ ଯାଇଛି ଓ ରୋଗଗ୍ରସ୍ତ ହେଲେ ଦେହର ପ୍ରତିଷେଧକ ଶକ୍ତି ବୃଦ୍ଧିପାଇବ ବୋଲି ଅଦ୍ଭୁତ ପ୍ରବଞ୍ଚନା ପ୍ରସାରିତ କରାହେଉଛି । ଏହିପରି ଅମନଯୋଗୀ, ଅମଲାମତାଶ୍ରୟୀ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ !

ଏହାଙ୍କ ଅମଲାମତାଶ୍ରୟୀ ଚରିତ୍ର ହେତୁ, ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ସମ୍ଭବ ହୋଇପାରୁନାହିଁ ଓ ଏହି କାରଣରୁ ବହୁ ଲକ୍ଷ ଓଡ଼ିଆଙ୍କ ଜୀବନ ବର୍ତ୍ତମାନ ସଂକଟାପନ୍ନ ହୋଇପଡ଼ିଛି ।

ଓଡ଼ିଆ ଭାଷାରେ ରାଜ୍ୟ ପରିଚାଳନା ନ ହେଉଥିବା ହେତୁ ଓଡ଼ିଆ ଲୋକେ ଦୀର୍ଘଦିନୁ ସଙ୍କଟ ଦେଇ ଗତିକରୁଛନ୍ତି । ସେମାନଙ୍କ ଖାଉଟି ଅଧିକାର ଖର୍ବ ହୋଇରହିଛି । ଓଡ଼ିଶାରେ ଯେଉଁ ଦ୍ରବ୍ୟ ବିକ୍ରି ହେବ, ତାହା ଯଦି ପ୍ୟାକେଟରେ, ପଟିରେ ବା ବୋତଲରେ ବିକ୍ରି ହେଉଥାଏ , ତେବେ ରାଜ୍ୟଭାଷାରେ ତହିଁ ଉପରେ ସେହି ଦ୍ରବ୍ୟର ନାମ, ଉପାଦାନ, ତିଆରି ଦିନ (date of manufacturing), ଶେଷ ଦିନ (date of expiry), ସର୍ବୋଚ୍ଚ ମୂଲ୍ୟ ଇତ୍ୟାଦି ଲିପିବଦ୍ଧ ହେବା ଆବଶ୍ୟକ । କିନ୍ତୁ ସେ ସବୁ ଇଂରାଜୀରେ ଲେଖା ହେଉଥିବା ହେତୁ ଆମ ଲୋକେ ତାକୁ ବୁଝିନପାରି ସମୟସୀମା ଅତିକ୍ରାନ୍ତ ହୋଇସାରିଥିବା ଔଷଧ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି, ପୋକମରା ଔଷଧ ବିଷ ପାଲଟି ପୋକବଂଶ ବୃଦ୍ଧିକରୁଛି , ଚାଷୀ ଆତ୍ମହତ୍ୟା ବଢୁଛି ଇତ୍ୟାଦି ।

ଆଇନ ସବୁ ଇଂରାଜୀରେ ଥିବା ହେତୁ ଲୋକେ ନ୍ୟାୟ ପାଇପାରୁନାହାନ୍ତି । ନ୍ୟାୟ ପାଇବା ଏତେ ବ୍ୟୟସାପେକ୍ଷ ହୋଇପଡୁଛି ଯେ, ମରଣଯନ୍ତ୍ରଣାଠାରୁ ତାହା ଅଧିକ କଷ୍ଟଦାୟକ ହେଉଛି ଅଧିକାଂଶ କ୍ଷେତ୍ରରେ ।

ଶିଲ୍ପ ହେଉ ବା ବେପାର କ୍ଷେତ୍ର ହେଉ, ଶ୍ରମ ଆଇନ ଓ ଆଚରଣ ବିଧି ଇଂରାଜୀରେ ଥିବା ହେତୁ ଶ୍ରମିକମାନେ ନିଯୁକ୍ତିଗତ ନ୍ୟାୟ ପାଇବା ଦୁରୂହ ବ୍ୟାପାର ହୋଇରହିଛି ।

ରୋଗାକ୍ରାନ୍ତ ଅବସ୍ଥାରେ ସେମାନଙ୍କୁ କିପରି ପୋଲିସର ମର୍ଜି ଉପରେ ନିର୍ଭର କରିବାକୁ ପଡୁଛି ତାହା ତ ଏଇ କରୋନା କାଳରେ ଓଡ଼ିଆ ଭାଷାରେ ରାଜ୍ୟ ପରିଚାଳନା ନ ହେବାର ଭୟାବହତାର ନଗଦ ନମୂନା ।

ଏହି ଅପଶାସନର ଅନ୍ତ ପାଇଁ ଏକମାତ୍ର ଉପଚାର ଓଡ଼ିଆରେ ଓଡ଼ିଶାର ପରିଚାଳନା । ଏଥିପାଇଁ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଗତ ୩.୯.୨୦୧୫ରେ ମୁଁ ରାଜ୍ୟ ସରକାରଙ୍କୁ ଯେଉଁ ପ୍ରସ୍ତାବ ଓ ଚିଠାବିଧାନ ପ୍ରଦାନ କରିଥିଲି ତାହାଠୁ ଯଦି ଆଉ କିଛି ଭଲ ପନ୍ଥା ଅଛି ସରକାର କହୁନାହାନ୍ତି କାହିଁକି? ଯଦି ନାହିଁ, ତେବେ ମୋର ପ୍ରଦତ୍ତ ଚିଠା ବିଧାନକୁ କାର୍ଯ୍ୟକାରୀ କାହିଁକି କରୁନାହାନ୍ତି?

ମୋର ଉପରୋକ୍ତ ପ୍ରସ୍ତାବ ଦୃଷ୍ଟିରୁ ୧୪.୧୨.୨୦୧୫ରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ସୂଚେଇଥିଲେ ଯେ, ଭାଷା ଆଇନ ସଂଶୋଧନ ହେବ । ଅଥଚ, କଣ ହେଲା ଯେ, ମାତ୍ର ଦି ଦିନ ପରେ ନେଉଟି ପଡ଼ି ସେ ଆଇନ ସଂଶୋଧନଠୁ ଦୂରେଇଯାଇ ୧୭.୧୨.୨୦୧୫ରେ ମନ୍ତ୍ରୀସ୍ତରୀୟ କମିଟି ସହ ଆଦୌ ଆଲୋଚନା ନ କରି, ଆଲୋଚନା କରିଛନ୍ତି ବୋଲି ମିଛ କରି, ଏକ ୯ ଦଫା କାର୍ଯ୍ୟକ୍ରମ ଘୋଷଣା କରି ତଦ୍ଦ୍ଵାରା ହିଁ ଓଡ଼ିଆରେ ଓଡ଼ିଶା ଚାଲିବ ବୋଲି କହିଦେଲେ? କେଉଁ ଅମଲାର ବୋଲକରା ସାଜି ମୁଖ୍ୟମନ୍ତ୍ରୀ ଏପରି ମିଛ କହିଥିଲେ?

ମୁଁ ପୂର୍ବରୁ ଯେପରି କହିଛି, ଆଇନଟି ତାର ଜନ୍ମକାଳରେ ଦୁଇଟି ଆତ୍ମଘାତୀ ତ୍ରୁଟି ସହ ପ୍ରଣୀତ ଓ ପାରିତ ହୋଇଥିଲା । ସେଗୁଡିକ ହେଲା : (୧) ଆଇନଟିକୁ ଆଗେଇନେବା ପାଇଁ ଯେଉଁ ନିୟମାବଳୀ ଆବଶ୍ୟକ ତହିଁର ପ୍ରଣୟନ ଓ ପ୍ରବର୍ତ୍ତନ ପାଇଁ ତହିଁରେ ସରକାରଙ୍କୁ କୌଣସି ଅଧିକାର ଦିଆହୋଇନଥିଲା ଓ (୨) ତହିଁର ଉଲ୍ଲଂଘନ ପାଇଁ ଦଣ୍ଡବିଧାନର କୌଣସି ବ୍ୟବସ୍ଥା ବି ନଥିଲା । ଏହି ଦୁଇଟି ଜନ୍ମଗତ ତ୍ରୁଟି ମୁଁ ପ୍ରଥମେ ଠାବ କଲି ଓ ତହିଁର ଅପସାରଣ ପାଇଁ ଆବଶ୍ୟକୀୟ ଆଇନ ସଂଶୋଧନର ଚିଠା ସହ ଆବଶ୍ୟକୀୟ ନିୟମାବଳୀର ଚିଠା ସରକାରଙ୍କୁ ଦେଲି ୩. ୯. ୨୦୧୫ ତାରିଖରେ ।

ଚିଠା ନିୟମାବଳୀରେ ମୁଁ ୧୧ଟି ଧାରା ରଖିଥିଲି ଯହିଁର ଧାରା ୯ରେ ଦାୟିତ୍ବ ନିର୍ଦ୍ଧାରଣ ବ୍ୟବସ୍ଥା ଥିବାବେଳେ, ଧାରା ୧୦ରେ ଦଣ୍ଡର ପରିମାଣ ଓ ଧାରା ୧୧ରେ ସେହି ଦଣ୍ଡର ପ୍ରୟୋଗ ପାଇଁ ଏକ ଭାଷା ଅଦାଲତ ଗଠନ ବ୍ୟବସ୍ଥା ତାର କାର୍ଯ୍ୟଧାରା ସହ ସନ୍ନିହିତ ହୋଇଥିଲା । ସରକାର ପ୍ରଥମ ଥର ପାଇଁ ଭାଷା ଆଇନରେ ଥିବା ଆଜନ୍ମ ତ୍ରୁଟି ସମ୍ପର୍କରେ ଅବଗତ ହେଲେ; କିନ୍ତୁ ଦଣ୍ଡବିଧାନ ଓ ସେଥିପାଇଁ ବିଚାରକ ନିଯୁକ୍ତି ପ୍ରସ୍ତାବ ଦେଖି ଚମକିଲେ । ମୁଖ୍ୟମନ୍ତ୍ରୀ ଆଇନ ସଂଶୋଧନ ପାଇଁ ୧୪.୧୨.୨୦୧୫ରେ ବିଧାନସଭାକୁ ସୁଚାଇଥିଲେ ମଧ୍ୟ , ଦଣ୍ଡବିଧାନ “ଅସାଧ୍ୟ” ବୋଲି କହି ଜଣେ ଅଣଓଡ଼ିଆ ଆଇ.ଏ.ଏସ. ଅଫିସର ଜି.ଭି.ଭି.ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଏପରି ବିଭ୍ରାନ୍ତ କଲେ ଯେ, ଏକ ସରକାରୀ ସଂକଳ୍ପ ବଳରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିଟି ଅକାଳ ମୃତ୍ୟୁ କବଳକୁ ଠେଲିହୋଇଗଲା ।

ବୃଥା ସମୟ ନଷ୍ଟ ନକରି ଆମେ ଆରମ୍ଭ କଲୁ ଭାଷା ଆନ୍ଦୋଳନ , ଆଇନଟିରେ ଥିବା ଏହି ଦୁଇଟି ଆଜନ୍ମ ତ୍ରୁଟି ସୁଧାରିବା ପାଇଁ ।

ଏହି ଆନ୍ଦୋଳନ ୩୯ ଦିନ ଚାଲିଲାପରେ ଅଧ୍ୟାଦେଶ ବଳରେ ସରକାର ପ୍ରଥମ ତ୍ରୁଟି ଦୁରକଲେ ୨୧. ୫. ୨୦୧୬ ତାରିଖରେ । ତତ୍କାଳୀନ ଆଇନ ମନ୍ତ୍ରୀ ଅରୁଣ ସାହୁ ସେଦିନ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ମନ୍ତ୍ରୀସ୍ତରୀୟ କମିଟିର ନିଷ୍ପତ୍ତି ଅନୁସାରେ, ଅର୍ଥାତ୍ , ମୋ ପ୍ରଦତ୍ତ ପ୍ରସ୍ତାବ ଭିତ୍ତିରେ ଏହି ଅଧ୍ୟାଦେଶ ଜାରିହୋଇଛି ବୋଲି କହିଲେ । କିନ୍ତୁ ଦ୍ଵିତୀୟ ତ୍ରୁଟି ସାଧାରିବା ନାମଗନ୍ଧ ଧରିଲେନି ।

ଆମ କଳାପତାକା ଅଭିଯାନ ୪୦୦ ଦିନ ଚାଲିଲା ପରେ ୧୯. ୫. ୨୦୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମୁଁ ଏକ ଚିଠି ପାଇଲି କି, ସେଦିନ ସନ୍ଧ୍ୟା ୬.୩୦ରେ “ଓଡିଶା ସରକାରୀ ଭାଷା ଅଧିନିୟମର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋ ସହ ଆଲୋଚନ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି ।” ମୁଁ ସେଠି ପହଞ୍ଚିଲା ବେଳକୁ ଉପସ୍ଥିତ ଥିଲେ ଅବଲୁପ୍ତ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର , ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସାଂସଦ ପ୍ରତାପ କେଶରୀ ଦେବ । ୨୦୧୬ ସଂଶୋଧନ ବଳରେ ଆଇନ ଭୁକ୍ତ ହୋଇଥିବା ତ୍ରୁଟିପୂର୍ଣ୍ଣ ୪ର୍ଥ ଧାରାଟିକୁ ପୁନଃ ସଂଶୋଧନ କରି ଆଇନର ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡ ବିଧାନ ପାଇଁ ବ୍ୟବସ୍ଥା ଖଞ୍ଜିବାକୁ ମୁଁ ଏକ ନୂତନ ଚିଠା ଦେଲି ଓ ନିୟମାବଳୀର ଯେଉଁ ଚିଠା ମୁଁ ୩. ୯. ୨୦୧୫ରେ ଦେଇଥିଲି ତଦନୁଯାୟୀ ଓଡିଶା ସରକାରୀ ଭାଷା ନିୟମାବଳୀ ୨୦୧୬କୁ ସଂଶୋଧିତ କରିବାକୁ ଅନୁରୋଧ ରଖିଲି ।

ଏହି ଚିଠା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅଳିଆଗଦାରେ ପଡ଼ିରହିଲା ବର୍ଷେ କାଳ । କଳାପତାକା ଅଭିଯାନ ଓଡ଼ିଶାର ବିଭିନ୍ନ ସ୍ନାୟୁକେନ୍ଦ୍ରରେ ଚହଟିଲା ଏବଂ ଅବସ୍ଥା ଏପରି ହେଲା ଯେ, ମୁଖ୍ୟମନ୍ତ୍ରୀ ୨୬.୧୨.୨୦୧୭ ତାରିଖରେ ତାଙ୍କ ଦଳୀୟ ପ୍ରତିଷ୍ଠା ଦିବସରେ ନିଜ କର୍ମୀମାନଙ୍କୁ ଭେଟିବାକୁ ଭୟକଲେ; କାରଣ ଓଡ଼ିଆ ଭାଷା ପ୍ରତି ତାଙ୍କ ଅଵଜ୍ଞା ସେମାନଙ୍କୁ ବି ଘୋର ଲଜ୍ଜିତ ଓ ବିରକ୍ତ କରିଥିଲା । ତେଣୁ ନିଜକୁ ଓଡ଼ିଆଵିଦ୍ଵେଷୀ ନୁହନ୍ତି ବୋଲି ଦେଖେଇବାକୁ ସେ ସେହି ପୁରୀରେ ହିଁ ଡକାଇଥିଲେ ମନ୍ତ୍ରୀମଣ୍ଡଳ ବୈଠକ, ଯେଉଁଠି ତାଙ୍କ ପାଖଲୋକମାନଙ୍କ ଦ୍ଵାରା ଅତ୍ୟନ୍ତ ଆତୁର ଅବସ୍ଥାରେ ତିଆରି ହୋଇଥିବା ୨୦ଟି ଭାଷାକୈନ୍ଦ୍ରିକ ପ୍ରସ୍ତାବ ଗୃହୀତ ହୋଇଥିଲା । ଓଡିଶା ସରକାରୀ ଭାଷା ଆଇନରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜିବାକୁ ଆମ ପ୍ରସ୍ତାବ ଏହି ପ୍ରସ୍ତାବମାଳା ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିଲା । ତାହା ଥିଲା ଏହିପରି :

“ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିରୂପଣ କରିବେ ।”

ଅମଲାତନ୍ତ୍ର ଦ୍ଵାରା ପ୍ରସ୍ତୁତ ଏହି ପ୍ରସ୍ତାବକୁ ସରକାରଙ୍କ ତରଫରୁ ବ୍ୟାପକଭାବେ ପ୍ରଚାରିତ କରାଗଲା ଓ ଦଣ୍ଡବିଧାନ ଆଇନ ପାଇଁ ସରକାର ରାଜିହୋଇଥିବା ହେତୁ ଆନ୍ଦୋଳନ ବନ୍ଦ କରିବାକୁ ଆମ୍ଭ ଉପରେ ଚାପ ପ୍ରୟୋଗ ହେଲା । ଆମ୍ଭେ ରାଜି ହେଲୁନାହିଁ । କାରଣ ଏହି ପ୍ରସ୍ତାବରେ ତିନୋଟି ଭୟଙ୍କର ପ୍ରବଞ୍ଚନା ଥିଲା । ଯଥା –

(୧) ଏଥିରେ “ଓଡ଼ିଆ ଭାଷାର ବହୁଳ ବ୍ୟବହାର” ଉପରେ ଗୁରୁତ୍ବ ଦିଆହୋଇଥିଲା , ସମ୍ପୂର୍ଣ୍ଣ ବ୍ୟବହାର କଥା ଆଦୌ ନଥିଲା । ଆଇନତଃ “ବହୁଳ ବ୍ୟବହାର” ସମ୍ପୂର୍ଣ୍ଣ ବ୍ୟବହାର ନୁହେଁ ।
(୨) ବିଭିନ୍ନ ବିଭାଗର ଅମଲାମାନେ ନିଜ ମର୍ଜୀ ଅନୁସାରେ “ନିର୍ଦ୍ଦିଷ୍ଟ” କରିବାକୁ ଥିବା “ମାନଦଣ୍ଡ ଏବଂ କ୍ଷେତ୍ର” ଭିତରେ ଆମ ଭାଷା ଜନନୀଙ୍କୁ କଏଦୀ କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା ; ଓ
(୩) ଭାଷା ଆଇନ ଉଲ୍ଲଙ୍ଘନ ପାଇଁ ବିଭାଗକୁ ଦଣ୍ଡବିଧାନ ବ୍ୟବସ୍ଥା ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡ ବିଧାନ ପାଇଁ ଅଭିପ୍ରେତ ଥିଲା ।

ଏହା ଛଡ଼ା, ଏହି ପୁରୀ ପ୍ରସ୍ତାବ ଥିଲା ମଧ୍ୟ ଅବୈଧ । ସେପରି ଏକପ୍ରସ୍ତାବ ଗ୍ରହଣ କରିବାକୁ ଯେଉଁ ଆଇନଗତ ବ୍ୟବସ୍ଥା ଥାଏ ତାହାର ଉଲ୍ଲଙ୍ଘନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯଦି ଅମଲାଙ୍କ ବୋଲକରା ନହୋଇଥାନ୍ତେ ଓ ମନ୍ତ୍ରୀମାନେ ଯଦି ମୁଖ୍ୟମନ୍ତ୍ରୀଙ୍କ ବୋଲକରା ହୋଇନଥାନ୍ତେ ତେବେ ଏପରି ଅବୈଧ ପ୍ରସ୍ତାବ ମୋଟେ ଆଗତ ବି ହୋଇପାରିନଥାନ୍ତା, ଗୃହୀତ ହେବା ତ ଦୂରର କଥା ।

ଏହି ପ୍ରବଂଚନାକୁ ମୁଁ ସମ୍ପୂର୍ଣ ପ୍ରତ୍ୟାଖ୍ୟାନ କଲି । ଆମ ଆନ୍ଦୋଳନ ଜାରି ରହିଲା । ଫଳରେ ମନ୍ତ୍ରୀମଣ୍ଡଳର ଓଡ଼ିଆ ସଦସ୍ୟମାନେ ଓଡ଼ିଆ ଭାଷା ବିରୁଦ୍ଧରେ ସରକାରୀକଳର ଚାଲ୍ ଅନୁଧ୍ୟାନ କଲେ । ପୁନର୍ବାର ଏକ ମନ୍ତ୍ରୀମଣ୍ଡଳ ବୈଠକ ବସିଲା ୧୪. ୩ . ୨୦୧୮ ତାରିଖରେ । ଏହି ବୈଧାନିକ ବୈଠକ ପୂର୍ବ ବୈଠକର ଅର୍ଥାତ୍ ୨୬.୧୨.୨୦୧୭ ତାରିଖ ବୈଠକର ଉପରୋକ୍ତ ତୃତୀୟ ପ୍ରସ୍ତାବ ଉପରେ ପୁନର୍ବିଚାର କରି ଏକ ନୂଆ ପ୍ରସ୍ତାବ ଗ୍ରହଣ କଲେ । ତାହା ହେଲା, ଓଡ଼ିଆରେ ସେବା ପ୍ରଦାନ ନକଲେ ଖିଲାପକାରୀ କର୍ମଚାରୀକୁ ଦଣ୍ଡିତ କରାଯିବ । ଏଥିରେ “ମାନଦଣ୍ଡ ଏବଂ କ୍ଷେତ୍ର” ଚାଲ୍ ପରିହାର କରାଯାଇ, କେଉଁ ଉଦ୍ଦେଶ୍ୟରେ ଆଇନ ସଂଶୋଧିତ ହେବ ତାହା ସ୍ପଷ୍ଟ କରିଦିଆଗଲା । ତାହା ହେଲା , ଯେହେତୁ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବାରୁ ଭାଷା ଆଇନଟିକୁ କେହି ମାନୁନାହାନ୍ତି , ସେହେତୁ ଯେଉଁ କର୍ମଚାରୀ ଓଡ଼ିଆରେ କାମ ନ କରିବେ ତାଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ ବ୍ୟବସ୍ଥା ଖଞ୍ଜି ଯଥାଶୀଘ୍ର ଆଇନ ସଂଶୋଧନ କରାଯିବ ।

ଅଥଚ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଲୁଚାଇ ଦେଇ, ବିଧାନସଭାକୁ ସମ୍ପୂର୍ଣ ମିଛ କହି, ସମ୍ପୂର୍ଣ ଅନଧିକୃତ ଭାବେ ଭାଷା ଆଇନର ୨୦୧୮ ସଂଶୋଧନ କଲେ ଯାହାର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାକୁ ଓଡ଼ିଶା ପରିଚାଳନାର ଭାଷା କରାଇ ନ ଦେବା । ମୁଁ ତାଙ୍କ ଚାଲ୍ ଉପରୁ ପରଦା ହଟାଇ ଏହି ଭୁଲ ସଂଶୋଧନ ପ୍ରତ୍ୟାହାର କରିବାକୁ ଦାବି କଲି ଓ ବିଧାନସଭାକୁ ଆହ୍ଵାନ ଦେଲି ତାଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ କରିବାକୁ ।

“ମୁଳୁମାରିଲେ ଯିବ ସରି, ଦେବଙ୍କ ସହ କିମ୍ପା କଳି?” ପନ୍ଥା ଧରି ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ପେଟପଟଣାବାଦକୁ ପ୍ରୋତ୍ସାହିତ କରାଗଲା ଓ ଏହି ପେଟପାଟଣାବାଦୀମାନେ ଭାଷା ଆନ୍ଦୋଳନର ନିଷ୍ପତ୍ତିକ୍ରମେ କଳାପତାକା ଅଭିଯାନ ସ୍ଥଗିତ ରହିଛି ବୋଲି ଅନଧିକୃତ ପ୍ରଚାର ଚଳାଇ ଅବଶେଷରେ ସରକାର “ସଂପୂର୍ଣ୍ଣ ସଂଶୋଧିତ ଭାଷା ଆଇନ ବିଧାନସଭାରେ ପାରିତ କରିଛନ୍ତି” ବୋଲି କହି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ, ଭାଷା ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି ବୋଲି ସରକାରଙ୍କୁ ଲିଖିତ ରୂପେ ଜଣାଇଲେ ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ସର୍ତ୍ତରେ ସରକାର ପ୍ରଦ୍ୟୁମ୍ନ ଶତପଥିଙ୍କ ସ୍ତ୍ରୀଙ୍କୁ ଚାକିରି ଦେଇଥିଲେ , ମାତ୍ର ଦରମା ଦେଉନଥିଲେ । ଏହି ଲିଖିତ ଘୋଷଣା ପାଇଲା ପରେ ତାଙ୍କୁ ଦରମା ଦେବାକୁ ପଦକ୍ଷେପ ନିଆଗଲା । ଏଥିରୁ ଏହା ହିଁ ସ୍ପଷ୍ଟ ଯେ, ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଏକଦା ମୋର ସହକର୍ମୀ ଥିବା ପେଟପାଟଣାବାଦୀଙ୍କୁ ରାଜକୋଷରୁ ଅର୍ଥ-ସୁପାରି ଦେଇଛନ୍ତି ଓ ସେମାନଙ୍କ ବେଆଇନ କାରବାରକୁ ମଧ୍ୟ ପୋଲିସ ସୁରକ୍ଷା ଯୋଗାଇଛନ୍ତି ।

ଓଡ଼ିଆ ଜାତି ଏହି ଜାଲିଆତି ଦ୍ଵାରା ପ୍ରଭାବିତ ହୋଇନାହିଁ । ଫଳରେ କଳା ପତାକା ଅଭିଯାନ ଆଜି ପହଞ୍ଚିଛି ୧୫୦୦ ଦିବସରେ ।

ଭାଷା ମାଆ ସଂପୂର୍ଣ୍ଣ ବିପଦମୁକ୍ତ ହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲିବ ।

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.